Wednesday, March 17, 2021

ଅନନ୍ୟା (ଭାଗ 38)

      ସେଦିନ ଡେରି ରାତି ପର୍ଯ୍ୟନ୍ତ ଅନସୂୟାଙ୍କ ଆଖିକୁ ନିଦ ଆସିଲା ନାହିଁ |ଅନାବନା ଅନେକ କଥା ଭାବି ଭାବି ତାଙ୍କ ଆଖିପତା ଟିକେ ଲାଗି ଆସିବା ବେଳକୁ ସେ ସ୍ୱପ୍ନ ଦେଖିଲେ ,ଶ୍ଵେତା ଏକ ଗାଢ଼ ନାଲି ରଙ୍ଗର ଡ୍ରେସ ପିନ୍ଧି ତାଙ୍କ ସାମ୍ନାରେ ଛିଡା ହୋଇ କହୁଛି,ଆଣ୍ଟି ଜୁହାର |ବହୁତ ଦିନ ହେଲାଣି,ଆପଣଙ୍କ ସ୍ପେଶାଲ ଚା' ପିଇନି |ଆଜି ମତେ ଦେବେ ନାଁ ???? ପ୍ଲିଜ |ଅନସୂୟାଙ୍କ ନିଦ ଭାଙ୍ଗିଗଲା |ସେ ଧଡ଼ କରି ବିଛଣାରୁ ଉଠି ବସିଲେ |ଘଣ୍ଟାକୁ ଚାହିଁ ଦେଖିଲେ,ଠିକ ଚାରିଟା ବାଜିଛି |ଭାବିଲେ,ତାଙ୍କୁ ଭଲ ନିଦ ନହେବାରୁ ବୋଧେ ଏପରି ଅଜବ ସ୍ୱପ୍ନ ଦେଖିଲେ |ଆଉ ତାଙ୍କୁ ଶୋଇବାକୁ ଇଛା ହେଲାନାହିଁ |ସେ ଦୁଇହାତ ପାପୁଲି ଦେଖି ମନେ ମନେ ମନ୍ତ୍ର ଉଚ୍ଚାରଣ କରି ପାପୁଲି ଦୁଇଟି ମୁହଁରେ ବୁଲାଇ ଆଣି ଶଯ୍ୟା ତ୍ୟାଗ କରି ନିଜର ନିତିଦିନିଆ କାମରେ ଲାଗିଗଲେ |କିନ୍ତୁ କାମର ବ୍ୟସ୍ତତା ଭିତରେ ଶ୍ଵେତା ସହିତ କଟିଥିବା କେଇଟି ଦିନର ସ୍ମୃତି ତାଙ୍କ ତନୁ ମନକୁ ଆଚ୍ଛନ୍ନ କରି ପକାଉଥିଲା |

       ଆଦିକନ୍ଦ ଅଫିସ ଯିବାପରେ,ସେ ଜଳଖିଆ ଖାଇ ଦୈନିକ ସମ୍ବାଦପତ୍ର ପଢି ବସିଲେ |କିନ୍ତୁ ସେଇ ସମ୍ବାଦପତ୍ର ଭିତରେ ଶ୍ଵେତାର ମୁହଁଟି ତାଙ୍କୁ ବାରମ୍ବାର ଦିଶି ଯାଉଥିଲା |ଏଇ ସମୟରେ ଗେଟ ଖୋଲା  ହେବାର ଶବ୍ଦ ଶୁଣି ସେ ସେହି ଦିଗକୁ ଚାହିଁଲେ |ଦିବ୍ୟାଶା ଗେଟ ବନ୍ଦ କରି ଭିତରକୁ ଆସୁଥିଲା |ତାକୁ ଅଚାନକ ଦେଖି,ଅନସୂୟାଙ୍କ ଆନନ୍ଦର ସୀମା ରହିଲା ନାହିଁ |ସେ ଦୌଡ଼ିଯାଇ ତାକୁ କୁଣ୍ଢେଇ ପକେଇଲେ |ପଚାରିଲେ,ତୁ କେଉଁଦିନ ଆସିଲୁ ? 

       ଦିବ୍ୟାଶା କ୍ଲାନ୍ତ ଦିଶୁଥିଲା |କହିଲା,ଆଣ୍ଟି ,ଥଣ୍ଡା ପାଣି ଟିକେ ଦିଅନ୍ତୁ,ଭାରି ଶୋଷ ଲାଗୁଛି  |ଅନସୂୟା ସାଙ୍ଗେ ସାଙ୍ଗେ ଯାଇ ସୁରେଇରୁ ପାଣି ଗ୍ଲାସେ ଆଣି ଦେଲେ |ଦିବ୍ୟାଶା ଢକ ଢକ କରି ଏକାସାଙ୍ଗରେ ଦୁଇ ଗ୍ଲାସ ପାଣି ପିଇ ଦେଇ ସୋଫା ଉପରେ ବସି ନିଃଶ୍ୱାସ ନେଲା |କହିଲା,ଆମେ କାଲି ଆସିଲୁ | ମୋ ସାଙ୍ଗରେ ବୋଉ ଓ ଭାଇ ବି ଆସିଛନ୍ତି |ମାଉସୀଙ୍କ ଘରେ ଦୁଇଦିନ ରହି  ସୋମବାର ଫ୍ଲାଇଟରେ ଚେନ୍ନାଇ ଯିବି |ଅନସୂୟା ତାକୁ ଆଉ କଣ ପଚାରି ଆସୁଥିବାବେଳେ ସେ କହିଲା,ଜାଣିଲେ ଆଣ୍ଟି,ଆଜି ନାଁ,ଶ୍ଵେତାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ |ମତେ ଶ୍ଵେତା ସ୍ୱପ୍ନରେ ଆସି କହିଛି,ଆଜି ଯେମିତି ହେଲେ,ଆଣ୍ଟିଙ୍କ ହାତ ତିଆରି ସ୍ପେଶାଲ ଚା' ପିଇବି |ଆପଣ ତ ଜାଣିଛନ୍ତି ଆଣ୍ଟି,ମୁଁ ଏସବୁ କଥା ବହୁତ ବିଶ୍ୱାସ କରେ |କିନ୍ତୁ ବୋଉକୁ କହିଲେ ସେ ଗାଳିଦେବ |ଏଣୁ ତାକୁ କିଛି ନକହି,ମାର୍କେଟିଂ କରିବା ବାହାନାରେ ଆପଣଙ୍କ ପାଖକୁ ଚାଲି ଆସିଲି |ଆପଣ ସେଇ ସ୍ପେଶାଲ ଚା' ଦେବେ ନାଁ ?ମୁଁ ମୋପାଇଁ ଗୋଟେ କପ ଆଉ ଶ୍ଵେତା ପାଇଁ ଗୋଟେ କପ ,ଟୋଟାଲ ଦୁଇକପ ଚା' ପିଇବି |

       ଦିବ୍ୟାଶାର କଥା ଶୁଣି,ଅନସୂୟାଙ୍କ ଆଖିକୁ ଲୁହ ଚାଲି ଆସିଲା |ଦିବ୍ୟାଶା କହିଲା,ଆପଣ କାନ୍ଦୁଛନ୍ତି ଆଣ୍ଟି ?ଅନସୂୟା ତାଙ୍କ ଲୁହ ପୋଛି କହିଲେ,ତୁ ବିଶ୍ୱାସ କରିବୁନି,ମୁଁ ବି ଆଜି ଶ୍ଵେତାକୁ ସ୍ୱପ୍ନରେ ଦେଖିଲି,ଆଉ ସେ ମତେ ଚା' ମାଗୁଥିଲା |ତାଙ୍କ କଥା ଶୁଣି,ଦିବ୍ୟାଶା ଆଖିରୁ ଝର ଝର ହୋଇ ଲୁହଧାର ଝରିଗଲା |ସେ ସେମିତି କାନ୍ଦୁ କାନ୍ଦୁ କହିଲା,ଏଠିକି ଆସି ଚା' ପିଇବା ପାଇଁ,ସେଦିନ ଆମେ ସମସ୍ତେ ପ୍ଲାନ କରୁଥିଲୁ |କିନ୍ତୁ ପରେ ପରେ .........|ସେ ଟୋକା ଏତେ ବଦମାସ,ପ୍ରଥମେ ପ୍ରଥମେ ଶ୍ଵେତାକୁ ଫସେଇବାକୁ  ବ୍ଲେଡରେ ହାତ କାଟି କମ ପାଲା କଲା ?ଶ୍ଵେତାର ଆଉ ବାଟ ନଥିଲା,ସେ ବିଚାରୀ କଣ କରିଥାନ୍ତା ?ଦିନା କେତେ ତାକୁ ନେଇ ,ସ୍ଵର୍ଗରେ ବସେଇ ଦେଲା |କିନ୍ତୁ ଯେମିତି ଗୋଟେ ଧନୀ ଝିଅ ମିଳିଗଲା ,ୟା ପିଛା ଛଡେଇବାକୁ ଏମିତି କାଣ୍ଡ କଲା |ଦେଖିବେ ଆଣ୍ଟି,ସିଏ ଦିନେ ନାଁ ଦିନେ ତା ପାପର ସଜା ଭୋଗିବ,କିନ୍ତୁ ମୋ ଶ୍ଵେତା ଆଉ କଣ ଫେରି ଆସିବ ?ଦିବ୍ୟାଶା କଇଁ କଇଁ ହୋଇ ଅତି ବିକଳ ଭାବରେ କାନ୍ଦୁଥିଲା | 

     ଅନସୂୟା ତାକୁ ବୁଝାଇ କହିଲେ,ତୁ କାନ୍ଦନା ମା,ତୋ କାନ୍ଦ ଦେଖି,ମୋ ଛାତି ଫାଟି ଯାଉଛି |କେମିତି ଯୋଗ ଦେଖ,ଆଜି ମୁଁ ଚା' କରିଛି,କିନ୍ତୁ ପିଇବାକୁ ଭୁଲି ଯାଇଛି |ତୁ ବସିଥା,ମୁଁ ଚା' ଆଣୁଛି,ସାଙ୍ଗ ହୋଇ ପିଇବା  |(କ୍ରମଶଃ)

No comments:

Post a Comment