Monday, March 1, 2021

ଅନନ୍ୟା (ଭାଗ 34)

           ଶରତ ଟିଫିନ ଆଣି ଆଦିକନ୍ଦଙ୍କୁ ଦେବା ବେଳକୁ ତିନିଟା ଉପରେ ହୋଇ ଯାଇଥିଲା |ସେତେବେଳକୁ ଭୋକରେ ତାଙ୍କର ପେଟ ଜଳୁଥିଲା |ସେ ପଚାରିଲେ,ଏତେ ଡେରିରେ ଆସୁଛୁ ?କୁଆଡେ ଯାଇଥିଲୁ ?ଶରତ ସାଙ୍ଗେ ସାଙ୍ଗେ ଦୁଇକାନ ଧରି କହିଲା,ମାଫ କରିବେ ସାର,ଘର ଆଡେ ଟିକେ ଚାଲି ଯାଇଥିଲି |ଆଦିକନ୍ଦ ଆଉ କିଛି ନକହି,ଟିଫିନ ଖାଇ ପୁଣି ତାଙ୍କ କାମରେ ମନ ଦେଲେ |

           ଦାସ ସାର ସବୁଦିନ ଲଞ୍ଚ ଖାଇ ସାରିବା ପରେ ପ୍ରାୟ ସାଢେ ଚାରିଟା ପାଖାପାଖି ଅଫିସକୁ ଫେରନ୍ତି |କିନ୍ତୁ ସେଦିନ ଚାରିଟାରେ ଆସି କଲିଂ ବେଲ  ଚିପି ପ୍ରଥମେ ଆଦିକନ୍ଦଙ୍କୁ ଡାକିଲେ |ଆଦିକନ୍ଦ ତାଙ୍କର ସବୁଠାରୁ ପ୍ରିୟ ଷ୍ଟାଫ ବୋଲି ଅଫିସରେ ପ୍ରାୟ ସମସ୍ତେ ଜାଣିଥିଲେ |ନିଜେ ଆଦିକନ୍ଦ ବି ଏକଥା ଭଲଭାବେ ଜାଣିଥିଲେ |କିନ୍ତୁ ସେଦିନ ତାଙ୍କ ରୁମ ଭିତରେ ପଶି ଅଭ୍ୟାସ ବଶତଃ ଚେୟାରରେ ବସିବାକୁ ଯାଉଥିବାବେଳେ ଦାସ ସାରଙ୍କ  ରୁଦ୍ର ମୂର୍ତ୍ତି ଦେଖି ଡରିଗଲେ |ତାଙ୍କର ଏପରି କୋପ ସେ କେବେହେଲେ ଦେଖି ନଥିଲେ |ଘଟଣା କଣ ଜାଣିବା ପୂର୍ବରୁ ଦାସ ସାର ତାଙ୍କ ଉପରକୁ ଫାଇଲ ଫୋପାଡ଼ି କହିଲେ,କିଛି ଷ୍ଟଡି କରୁନ ,ଡ଼ିଲିଙ୍ଗ ଆସିଷ୍ଟାଣ୍ଟ ଯାହା ଲେଖିଦେଲା,ସେଥିରେ ଦସ୍ତଖତ ମାରି ପଠେଇ ଦଉଛ ,ଏଠି କି ତାମସା  ଚାଲିଛି ?ଚାକିରୀ କରିବାକୁ ଇଛା ନାହିଁକି ?ଦାସ ସାରଙ୍କ ପରିବର୍ତ୍ତିତ ରୂପ ଦେଖି ଓ 'ଆପଣ' ପରିବର୍ତ୍ତେ 'ତମେ' ସମ୍ବୋଧନ ଶୁଣି  ଆଦିକନ୍ଦଙ୍କ ବାକଶକ୍ତି ଯେପରି ଲୋପ ପାଇଁ ଯାଇଥିଲା |ଦାସ ସାର ଗର୍ଜନ କରି କହିଲେ,କଣ ବୋକାଙ୍କ ପରି ମୋ  ମୁହଁକୁ ଚାହିଁଛ ?ଫାଇଲ ନେଇ ଶୀଘ୍ର ଯାଅ |ଆଦିକନ୍ଦ ପ୍ରକୃତିସ୍ଥ ହୋଇ,ତଳେ ପଡିଥିବା ଫାଇଲ ଗୋଟାଇ ସେ ରୁମରୁ ପ୍ରସ୍ଥାନ କଲେ |ବାହାରକୁ ଆସି ଦେଖିଲେ,ଭିତରେ କଣ ଘଟୁଛି ଶୁଣିବା ପାଇଁ,କେତେଜଣ କର୍ମଚାରୀ କୌତୁହୁଳି ହୋଇ କବାଟ ପାଖରେ କାନ ଡେରି ଛିଡା ହୋଇଛନ୍ତି !ସେମାନଙ୍କୁ ଦେଖି,ଲଜ୍ଜା ଅପମାନରେ  ତାଙ୍କ ମୁହଁ ପୋଡିଯିବା ପରି ଲାଗିଲା |ଅନ୍ୟ ଦିନ ହୋଇଥିଲେ,ସେ ସେମାନଙ୍କ ଉପରେ ବିରକ୍ତ ହୋଇଥାନ୍ତେ |କିନ୍ତୁ ସେଦିନ ମୁହଁ ତଳକୁ ପୋତି ସେଠାରୁ ଚାଲିଆସି ନିଜ ସିଟ ରେ ମୁଣ୍ଡରେ ହାତ ଦେଇ ବସିଲେ | ମୁଣ୍ଡ ତାଙ୍କର ଘାଏଁ ଘାଏଁ ହୋଇ ବୁଲେଇ ଯାଉଥିଲା |

           ଦଶ ମିନିଟ ପରେ ପୁଣି ଦାସ ସାରଙ୍କ ଠାରୁ ଡାକରା ଆସିଲା |ଆଦିକନ୍ଦ ତାଙ୍କ ରୁମକୁ ଯାଉଥିବାବେଳେ ଅଫିସର  ସମସ୍ତ କର୍ମଚାରୀଙ୍କ ନଜର ତାଙ୍କ ଉପରେ ନିବଦ୍ଧ ଥିଲା |ତାଙ୍କୁ ଦେଖୁ ଦେଖୁ ଦାସ ସାର ସେମିତି ଗରମ ମିଞ୍ଜାସରେ କହିଲେ,ମୁଁ ଘରେ ନଥିବା ବେଳେ,ମିସେସକୁ  କାହିଁକି ଆମ ଘରକୁ ପଠେଇ ଥିଲ ? ଆଦିକନ୍ଦ ଅବିଚଳିତ ସ୍ୱରରେ କହିଲେ,ଆପଣ ବି ତ ମୁଁ ଘରେ ନଥିବା ବେଳେ ଆମ ଘରକୁ ପରିବା  ଦେବାପାଇଁ ଯାଇଥିଲେ | ଆପଣ ଛାଡି ଆସିଥିବା ବ୍ୟାଗ ସେ ହୁଏତ  ଫେରାଇବାକୁ ଯାଇଥିବେ, ସେକଥା ମୁଁ କେମିତି ଜାଣିବି ? |ଦାସ ସାର ତାତ୍ସଲ୍ୟ କରି କହିଲେ,ଆଛା !ସେ କୁଆଡେ ଯାଆନ୍ତି ,ଆସନ୍ତି,ଆପଣଙ୍କୁ କହନ୍ତି ନାହିଁ ?

           ଆଦିକନ୍ଦ ଦୃଢ଼ କଣ୍ଠରେ କହିଲେ,ସେ ସ୍ୱାଧୀନତା ମୁଁ ତାଙ୍କୁ ଦେଇଛି |କାରଣ ମୁଁ ଜାଣେ ,ସେ ଯାହା ବି କରନ୍ତି ,ଘରର ଭଲ ପାଇଁ କରନ୍ତି |ଦାସ ସାର ତୀର୍ଯ୍ୟକ ଦୃଷ୍ଟିରେ ତାଙ୍କୁ ଚାହିଁ କହିଲେ,ଭେରି ଇଣ୍ଟରେଷ୍ଟିଙ୍ଗ !1ସେ କିନ୍ତୁ ଆଜି ଆମ ଘରେ  ନିଆଁ ଲଗେଇ ଦେଇ ଆସିଛନ୍ତି |ପଚାରିବନି କାହିଁକି ?

          ଆଦିକନ୍ଦ କହିଲେ,ନାଁ |ମୋ ସ୍ତ୍ରୀ ସେପରି ସ୍ୱଭାବର ନୁହନ୍ତି,ସେ କାହା ଘରେ ନିଆଁ ଲଗାନ୍ତି ନାହିଁ,ବରଂ ନିଆଁ ଲାଗିଥିଲେ,ପ୍ରାଣ ପଣେ ଲିଭାଇବାକୁ ଚେଷ୍ଟା କରନ୍ତି  |ଦାସ ସାର ମୁଣ୍ଡ ହଲେଇ କହିଲେ,ଓକେ |ତମେ ତାହେଲେ,ଦୋଷ ମାନିବ ନାହିଁ;ଠିକ ଅଛି,ମୋ ସାଙ୍ଗରେ ଲାଗିଲେ,ମୁଁ କାହାକୁ ଛାଡିବା ଲୋକ ନୁହେଁ |ଏଥର ତମେ ଯାଇପାର |'ଯାହା ଆପଣଙ୍କର ଇଛା'କହି ଆଦିକନ୍ଦ ସେଠାରୁ ଚାଲି ଆସିଲେ |(କ୍ରମଶଃ)

No comments:

Post a Comment