Friday, March 5, 2021

ଅନନ୍ୟା (ଭାଗ 35)

         ଦାସ ସାରଙ୍କ ଘରୁ ଫେରି ଆସିବାପରେ ଅନସୂୟା ଅତ୍ୟନ୍ତ ଚିନ୍ତାଗ୍ରସ୍ତ ଥିଲେ |ସେ ଭଲଭାବେ ଜାଣିଥିଲେ,ଆଜି କିଛି ଅଘଟଣ ଘଟିବାକୁ ଯାଉଛି |ଆଦିକନ୍ଦ ତାଙ୍କ ଫୋନ ସ୍ଵିଚ ଅଫ କରିଥିଲେ |ତେଣୁ ତାଙ୍କ ଆଶଙ୍କା ଆହୁରି ବଢି ଯାଇଥିଲା |ଅପରାହ୍ନ ସାଢେ ପାଞ୍ଚଟା ବେଳକୁ ଶରତ ଆସିଲା |ମୁହଁଟି ତାର ଶୁଖି ଯାଇଥିଲା |ସେ ଅନସୂୟାଙ୍କୁ ଲମ୍ବା ଜୁହାର ପକାଇ କହିଲା,ମାଡାମ,ଆଜି ଦାସ ସାର,ବଡ଼ବାବୁଙ୍କ ଉପରେ ବହୁତ ରାଗିଯାଇଛନ୍ତି |ମୁଁ ଆପଣଙ୍କୁ ତାଙ୍କ ଘର ଦେଖାଇବାକୁ ନେଇଥିଲି ବୋଲି ଆପଣ କାହାକୁ କହିବେ ନାହିଁ ,ନହେଲେ ମୋ ଦାନାପାଣି ଚାଲିଯିବ ;ପିଲାମାନେ ମୋର ଦାଣ୍ଡର ଭିକାରୀ ହୋଇଯିବେ |ଏକଥା କହୁ କହୁ ସେ ବିକଳ ହୋଇ କାନ୍ଦି ପକାଇଲା |ଅନସୂୟା କହିଲେ,ମୁଁ କଣ ଏମିତି ଭୁଲ କରି ପକେଇଲି ଯେ,କଥା ଏତେ ଗୁରୁତର ହୋଇଗଲା ?? କଥା ଶେଷ ନ ହେଉଣୁ ,ହଠାତ ତାଙ୍କ ମୋବାଇଲ ବାଜି ଉଠିଲା |

       ସେ ଆଉ ସେ ଦିଗକୁ କାନ ନଦେଇ,ଶରତର କଥା ଶୁଣିବାକୁ ତା ଆଡକୁ ଚାହିଁଲେ |ଶରତ କହିଲା,ମାଡାମ ଆପଣ ଜାଣି ନାହାନ୍ତି,ଆପଣମାନଙ୍କୁ ଅନ୍ଧାରରେ ରଖି,ଦାସ ସାର ତାଙ୍କ ଛୋଟୀ ଝିଅକୁ ଆପଣଙ୍କ ପୁଅ ସାଙ୍ଗରେ ବାହାଘର କରିବେ ବୋଲି ଭାବିଥିଲେ |କିନ୍ତୁ ଆପଣ ତାଙ୍କ ଘରକୁ ଚାଲିଯିବାରୁ ସବୁ କଥା ଜାଣିଦେଲେ |ତେଣୁ ସେ ଆଜି ଅଫିସରେ ପ୍ରଳୟ କରିଛନ୍ତି |ଆପଣଙ୍କ ଗୋଡ଼ ତଳେ ପଡୁଛି ମାଡାମ,କାହାରିକୁ ଆପଣ ଏକଥା କହିବେ ନାହିଁ |

         ଅନସୂୟା ତାକୁ ଆଶ୍ୱାସନା ଦେଇ କହିଲେ,ନାଁ,ମୁଁ ତୁମ କଥା କାହାକୁ କହିବିନି,ତମେ ନିଶ୍ଚିନ୍ତରେ ଘରକୁ ଯାଅ |ଶରତ କୃତ୍ୟ କୃତ୍ୟ ହୋଇ ଆଉଥରେ ଲମ୍ବା ଦଣ୍ଡବତ ପକେଇ ଚାଲିଗଲା |ସେପଟେ ଫୋନ ଘନ ଘନ ରିଂ ହେଉଥିଲା |ବିରକ୍ତ ହୋଇ ଅନସୂୟା ଫୋନ ଉଠେଇ ଦେଖିଲେ,ଦିବ୍ୟାଶା ଭିଡିଓ କଲ କରିଛି |ଆଶା ଆଶଙ୍କାରେ ତାଙ୍କ ହୃଦୟ ଥରିଗଲା |ସେ ଈଶ୍ୱରଙ୍କୁ ପ୍ରାର୍ଥନା କରି କଲ ରିସିଭ କଲେ |ତାଙ୍କୁ ଦେଖୁ ଦେଖୁ ଦିବ୍ୟାଶା କହିଲା,କଣ ହୋଇଛି ଆଣ୍ଟି,ସବୁ ଠିକଠାକ ତ ?ଆପଣ କେବେହେଲେ ଏତେ ଡେରି କରନ୍ତି ନାହିଁ !!ଆପଣଙ୍କ ମୁହଁ ବି ଶୁଖିଲା ଦିଶୁଛି |ଅନସୂୟା କହିଲେ,କାମ କରୁଥିଲି,ଝାଳରେ ସେମିତି ଦେଖା ଯାଉଥିବି |ହଉ ତୋ କଥା ଏବେ କହ |'ହଁ କହୁଛି' କହି ସେ ତାର ଚିରାଚରିତ ଅଭ୍ୟାସ ଅନୁଯାୟୀ  ଅନସୂୟାଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇଲା |ସେ ପ୍ରଣାମ କରୁଥିବା ବେଳେ ତା ପଛରେ ଜଣେ ଭଦ୍ରମହିଳା ଛିଡା ହୋଇଥିବାର ଅନସୂୟା  ଦେଖିବାକୁ ପାଇଲେ |ଭଦ୍ରମହିଳା ମୁଣ୍ଡ ନୁଆଁଇ ତାଙ୍କୁ ନମସ୍କାର କରି କହିଲେ,ଅପା,ନମସ୍କାର |ମୁଁ ଭାରତୀ,ଦେବୁର ବୋଉ |ଦେବୁ ସବୁବେଳେ ଆପଣଙ୍କ କଥା କହେ |ଆପଣ ତା ପାଇଁ କେତେ ଲକି,ସେକଥା ବି କହେ |

        ଅନସୂୟା କହିଲେ,ଏମିତି କହି,ମତେ ଆଉ ଛୋଟ କରି ଦିଅନ୍ତୁ ନାହିଁ |ଆପଣ ଯେମିତି ଭାବୁଛନ୍ତି,ସେତେ  ମହାନ ମୁଁ ନୁହେଁ |ଆପଣଙ୍କ ଝିଅ ମୋ ପାଇଁ ସେ ଅନନ୍ୟା,ସେଥିପାଇଁ ମୁଁ ତାକୁ 'ଆନି 'ବୋଲି ଡାକେ |ଭାରତୀ ହସିଲେ |କହିଲେ,ହଁ,ସେ ମତେ ସେକଥା କହୁଥିଲା |ଆଜି ଗୋଟିଏ ଖୁସି ଖବର ଦେବାପାଇଁ ଆମେ ଆପଣଙ୍କୁ ଭିଡିଓ କଲ କରିଛୁ |

       'ଖୁସି ଖବର' କଥା ଶୁଣି ଅନସୂୟାଙ୍କ ହୃଦୟ ଧଡ଼ ଧଡ଼ ହେଲା |ତଥାପି ମୁହଁରେ  କୃତ୍ତିମ ହସ ଫୁଟେଇ ସେ କହିଲେ,ଖୁସି ଖବରଟା ମତେ ଜଣାନ୍ତୁ,ମୁଁ ବି ଟିକିଏ ଖୁସି ହେବି |ଏତିକିବେଳେ ଦିବ୍ୟାଶା ଭାରତୀଙ୍କ ଠାରୁ ଫୋନ ନେଇ କହିଲା,ଆଣ୍ଟି,ମୋର i******ରେ ଚାକିରୀ ହୋଇଯାଇଛି |ଚେନ୍ନାଇରେ ପୋଷ୍ଟିଙ୍ଗ ହୋଇଛି | ନେକ୍ସଟ ଉଇକରେ ମୁଁ ଚେନ୍ନାଇ  ଯିବି |ତା କଥା ଶୁଣି ଅନସୂୟା ଖୁସିରେ ଆତ୍ମହରା ହୋଇଗଲେ |ସଙ୍ଗେ ସଙ୍ଗେ ସେ ଶୂନ୍ୟକୁ ହାତ ଯୋଡି କହିଲେ,ହେ ପ୍ରଭୁ,ତୁମକୁ କୋଟି କୋଟି ଧନ୍ୟବାଦ |ଏତିକି କହୁ କହୁ ଅନ୍ୟମନସ୍କତା ଯୋଗୁଁ  ତାଙ୍କ ହାତରୁ ମୋବାଇଲ ଖସି ପଡିଲା |ସେ ତଳୁ ମୋବାଇଲ ଉଠାଇ ନେଲେ |ସେପଟେ ଉଭୟ ଭାରତୀ ଓ ଦିବ୍ୟାଶା ହସୁଥିଲେ |ଅନସୂୟା କହିଲେ,ହଉ, ତୁ କେଉଁଦିନ ଯିବୁ ମତେ କହିବୁ |ଦିବ୍ୟାଶା କହିଲା,ହଁ ଆଣ୍ଟି,ମୁଁ କହିବି |କାହିଁକିନା ସେଦିନ ମତେ ଆପଣଙ୍କ ଆଶୀର୍ବାଦ ନେଇକରି ଯିବାର ଅଛି  |(କ୍ରମଶଃ)






No comments:

Post a Comment