Monday, March 22, 2021

ଅନନ୍ୟା (ଭାଗ 39)

     ଅନସୂୟା ଗୋଟିଏ ଟ୍ରେ ରେ ଚା' ଥିବା ଫ୍ଲାସ୍କ ଓ ତିନିଟି କପ ନେଇ ପହଞ୍ଚିଲେ |ଦିବ୍ୟାଶା ସେମିତି ମୁହଁ ଶୁଖେଇ ବସିଥିଲା |ତାକୁ ଚାହିଁ ସେ ମୁହଁରେ ହସ ଫୁଟେଇ କହିଲେ,ଏଥର ଚା' ପିଇବା |ଏହା କହିବା ସଙ୍ଗେ  ସଙ୍ଗେ ସେ ତିନିଟି କପରେ ଚା' ଭର୍ତ୍ତି କରିଦେଲେ |କହିଲେ,ଦୁଇଟି କପ ଆମର,ତୃତୀୟ କପ ଟି ଶ୍ଵେତାର |ଏଥର ଚା' ପିଇବା ଆରମ୍ଭ କର |ଦିବ୍ୟାଶା ପଚାରିଲା,ଆଉ ଚା' ଅଛି ?ଅନସୂୟା ତାକୁ ଖାଲି ଫ୍ଲାସ୍କ ଦେଖାଇ କହିଲେ,ସବୁ ସରିଗଲା |ଦିବ୍ୟାଶା ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ଓ କହିଲା,ତା ମାନେ ଆମର ଚା' ପିଇବା ପୂର୍ବ ନିର୍ଦ୍ଧାରିତ ଥିଲା ?ଅନସୂୟା କହିଲେ,ସବୁ କଥାକୁ ଏତେ ସିରିଅସଲି ନେ ନାହିଁ ମା' |ଯାହା ଘଟିଗଲା,ତାକୁ ଏକ ଦୁର୍ଘଟଣା ଭାବି ଭୁଲିବାକୁ ଚେଷ୍ଟା କର |ନହେଲେ ତୁ ଦୁଃଖ ପାଇବା ସାଙ୍ଗେ ସାଙ୍ଗେ ତୋ ସାଙ୍ଗେ ଯେଉଁମାନେ ଇମୋସନାଲି ଜଡ଼ିତ ଅଛନ୍ତି,ସେମାନେ ବି ଦୁଃଖ ପାଇବେ | 

     ଦିବ୍ୟାଶା ଚା' ପିଉ ପିଉ କହିଲା,ଠିକ କହିଛନ୍ତି ଆଣ୍ଟି,କିନ୍ତୁ ମନକୁ ବୁଝାଇବା ଭାରି କଷ୍ଟ |ଅନସୂୟା ଚା' ପିଉ ପିଉ କିଛି ଶବ୍ଦ ଶୁଣି ବାହାରକୁ ଚାଲିଗଲେ |ଅନିଷ ଗେଟ ଖୋଲି ଭିତରେ ପ୍ରବେଶ କରୁଥିଲା |ତାକୁ ଅକସ୍ମାତ ଦେଖି,ତାଙ୍କର ଆନନ୍ଦ ଓ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ |ସେ କହିଲେ,କିଛି ନକହି ହଠାତ ଚାଲି ଆସିଲୁ ଯେ ?ଅନିଷ ଅନସୂୟାଙ୍କୁ ପ୍ରଣାମ କରି କହିଲା,ହଁ ମମି,ତମକୁ ଦେଖିବାକୁ ଇଛା ହେଲା ,ସେଥିପାଇଁ ଚାଲି ଆସିଲି |ଅନସୂୟା ହସି ହସି କହିଲେ,ମିଛ କହନା,ସତ କହ,ମୋ ପାଇଁ ଆସିଛୁ ନାଁ ଆଉ କାହା ପାଇଁ ଆସିଛୁ ?ଦିବ୍ୟାଶା ସେତେବେଳେ ନିଜ କପ ଚା' ପିଇସାରି ଦିବ୍ୟାଶା ଶ୍ଵେତା ପାଇଁ ଉଦ୍ଦିଷ୍ଟ ଥିବା କପ ର ଚା' ପିଉଥିଲା  |ପାଟି ଶୁଣି ସେ ବାହାରକୁ ଆସି ଅନିଷକୁ ଦେଖି,ଆନନ୍ଦରେ ଆତ୍ମହରା ହୋଇଗଲା |ସେ କପ ରଖିଦେଇ ଅନିଷ କୁ ଭୂମିଷ୍ଠ ପ୍ରଣାମ କଲା |ଅନିଷ କହିଲା,ଦେଖ ମମି,ସେ ଏବେଠାରୁ ମତେ ମୁଣ୍ଡିଆ ମାରିବା ଆରମ୍ଭ କଲାଣି |ଅନସୂୟା ଦିବ୍ୟାଶା ହାତରେ ଚା' କପ ଦେଖି କହିଲେ,ଏ କଣ କରୁଛୁ ଆନି,ଏତେ ଚା' ପିଇଲେ ତୋ ଦେହ ଖରାପ ହେବ |ଦିବ୍ୟାଶା ହସିଦେଇ କହିଲା, ଏତେ ଦୂରକୁ ଯାଉଛି,ପୁଣି କେବେ ଆପଣଙ୍କ ସହିତ ଦେଖା ହେବ,ମୁଁ ନିଜେ ବି ଜାଣିନି ;ତେଣୁ ମନଭରି ଚା' ପିଇଦେଲି ଆଉ ଏ ସ୍ୱାଦକୁ ମନ ଭିତରେ ସାଇତି ରଖିଲି |ଅନିଷ କହିଲା,ଦେଖିଲ ମମି,କେମିତି ପାଗଳୀଙ୍କ ପରି କଥା କହୁଛି ?

      ଅନସୂୟା କହିଲେ,ହଉ ଭିତରକୁ ଆସ ,ଆଉ ତୋ ପ୍ରୋଗ୍ରାମ ବିଷୟରେ କହ |ଦିବ୍ୟାଶା କହିଲା,ମୁଁ କହିବି ଆଣ୍ଟି ??ଅନସୂୟା କହିଲେ,ହଁ ତୁ କହ,ମୁଁ ଜାଣେ ତୁ ମତେ ସବୁବେଳେ ସତ କଥା କହିବୁ ?ଅନିଷ ଅଭିମାନ କରି କହିଲା,ତାମାନେ ମୁଁ ମିଛ କହେ ?ଅନସୂୟା କହିଲେ,ତୁ ତ ମୋ ପୁଅ,ତୁ ମିଛ କହିଲେ ବି,ମୁଁ ସତ ବୋଲି ମାନିବି |ଏବେ ମୋ 'ଆନି 'ଠାରୁ ମୁଁ  ପ୍ରକୃତ କଥା ଶୁଣିବାକୁ ଚାହୁଁଛି |

       ଦିବ୍ୟାଶା କହିଲା,ମୁଁ ଏକୁଟିଆ ଚେନ୍ନାଇ ଯିବାକୁ ଚାହୁଁଥିଲି ,ହେଲେ ଇଏ ରାଜି ହେଲେ ନାହିଁ |ତେଣୁ ମତେ ଛାଡିବାକୁ ସେ ଚେନ୍ନାଇ ଯିବେ |

      ଅନସୂୟା ଅନିଷ କୁ କହିଲେ,ଦେଖିଲୁ,ସେ କେମିତି ସତ କଥା କହିଦେଲା ?ଆଉ ତୁ କହୁଥିଲୁ,ମତେ ଦେଖିବାକୁ ଆସିଛୁ |କିନ୍ତୁ ଭଲ ନିଷ୍ପତ୍ତି ନେଇଛୁ |ଛାଡ଼ିଦେଇ ଆସିଲେ,ଅଯଥା ଟେନସନରୁ ମୁକ୍ତି ମିଳିବ |ହେଲେ ତମେମାନେ ସେଠାରେ ନ ପହଁଚିଲା ଯାଏଁ ,ମୋ ଟେନସନ ଶହେଗୁଣ ବଢ଼ିଯିବ |ଯାହା ତମମାନଙ୍କ ଇଛା,ମୁଁ ବା କଣ କରି ପାରିବି !!

        ଦିବ୍ୟାଶା କହିଲା,ଆଣ୍ଟି ମୁଁ ଏଥର ଆସୁଛି,ବୋଉ ମତେ ଖୋଜୁଥିବ |ଅନସୂୟା କହିଲେ,ରହ,ଅନିଷ ତତେ ନେଇ ଛାଡ଼ିଦେବ |ଦିଵ୍ୟାଶା ଜିଭ କାମୁଡି କହିଲା,ନାଁ ଆଣ୍ଟି,ବୋଉ ଜାଣିଲେ,ଅସୁବିଧା |ମୁଁ ଅଟୋରେ ଚାଲିଯିବି |(କ୍ରମଶଃ)

No comments:

Post a Comment