Sunday, March 14, 2021

ଅନନ୍ୟା (ଭାଗ 37)

       କଣ ଟିକିଏ ଖାଇ ଦେଇ ଯିବାପାଇଁ,ଅନସୂୟା ଯେତେ ବାଧ୍ୟ କଲେ ବି,ଆଦିକନ୍ଦ ତାଙ୍କ କଥା ନଶୁଣି ଏକମୁହାଁ ହୋଇ ଚାଲିଗଲେ |ଅନସୂୟା ଗ୍ରିଲରେ ଚାବି ଦେଇ ସେ ଫେରିବା ପର୍ଯ୍ୟନ୍ତ  ସେଇଠାରେ ବସି ତାଙ୍କ ପାଇଁ ଅପେକ୍ଷା କଲେ |

        ଆଦିକନ୍ଦ ଘରକୁ ଫେରୁ ଫେରୁ ରାତି ଗୋଟାଏ |ଅନ୍ୟଦିନ ହୋଇଥିଲେ,ବାହାରେ ଅନସୂୟା ତାଙ୍କ ପାଇଁ ଅପେକ୍ଷା କରି ବସି ଥିବାର ଦେଖି ସେ ବିରକ୍ତ ହୋଇଥାନ୍ତେ |କିନ୍ତୁ ସେଦିନ ସେ ତାଙ୍କୁ କିଛି କହିଲେ ନାହିଁ |ଚୁପଚାପ ଭିତରକୁ ଯାଇ ତାଙ୍କ ପୋଷାକ ପରିବର୍ତ୍ତନ କରି ଭଲକରି ଗୋଡ଼ ହାତ ମୁହଁ ଧୋଇ ହୋଇ,ଟିଭି ସାମ୍ନାରେ ବସି ପଡିଲେ |ଏତେ ରାତିରେ ଉଭୟଙ୍କ ଭୋକ ମରି ଯାଇଥିଲା |ତଥାପି ଶୋଇବା ପୂର୍ବରୁ କିଛି ତ ଖାଇବାକୁ ପଡିବ ଭାବି ଆଦିକନ୍ଦଙ୍କୁ ସେ ସେଇଠାରେ  ଖାଇବାକୁ ଦେଇ ନିଜେ ତାଙ୍କ ପାଖରେ ଖଣ୍ଡେ ରୁଟି ନେଇ ଖାଇ ବସିଲେ |

       ଆଦିକନ୍ଦ ନୀରବରେ ଖାଉଥିଲେ  |କିଛି ସମୟ ପରେ କହିଲେ,ସାରଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି |ପ୍ଳାଷ୍ଟର ହୋଇଛି |ଛ' ସପ୍ତାହ ରେଷ୍ଟ ନେବାପାଇଁ ଡାକ୍ତର କହିଛନ୍ତି |ଅନସୂୟା ପଚାରିଲେ,ଆକ୍ସିଡେଣ୍ଟ କେମିତି ହେଲା ?ଆଦିକନ୍ଦ କହିଲେ,ସେ ଡୋର ଭଲରେ ଦେଇ ନଥିଲେ |ଡ୍ରାଇଭର ହଠାତ ବ୍ରେକ ଦେଲାରୁ,କାରରୁ ଖସିପଡି ଏଇ ଅବସ୍ଥା | ଅନସୂୟା ପୁଣି ପଚାରିଲେ ତମକୁ ଦେଖି କଣ କହିଲେ ?

'କିଛି ନାହିଁ,ମୁହଁ ବୁଲେଇ ଦେଲେ |ମୌକାରୁ ଫାଇଦା ଉଠାଇବା ପାଇଁ ମୁଁ ସେଠାକୁ ଯାଇଛି,ବୋଲି କାଳେ  ଭାବିବେ,ସେଥିପାଇଁ ମୁଁ ବି ବିଶେଷ ତତ୍ପରତା ଦେଖାଇଲି  ନାହିଁ |'ଆଦିକନ୍ଦ କହିଲେ |

   ଅନସୂୟା କହିଲେ,ମୁଁ ଜାଣିଥିଲି ସେଇଆ ହେବ |ଅଖିଆ ଅପିଆ ସେଠାକୁ ଯାଇ କି ଲାଭ ମିଳିଲା ?ଆଦିକନ୍ଦ କହିଲେ,ମୁଁ କଣ କରିବି ?ଏ ସବୁ ଘଟଣାରେ ମୁଁ ନିଜକୁ ରୋକି ପାରେନା  |ଯେତେ ବଡ଼ ଶତ୍ରୁ ହେଲେ ବି,ସାହାଯ୍ୟର ହାତ ବଢାଇବା ପାଇଁ, ମୋ ଅନ୍ତରାତ୍ମା ମତେ ବାଧ୍ୟ କରେ |କଣ କରିବି କହିଲ ?ମଣିଷ ପ୍ରକୃତିର ବଶ ;ଶତ ଚେଷ୍ଟା କଲେ ବି,ମଣିଷ ନିଜ ପ୍ରକୃତିକୁ ଛାଡି ପାରେ ନାହିଁ |ମୁଁ ବା ସେଥିରୁ ବାଦ ଯିବି କେମିତି !! ମୁଁ କିନ୍ତୁ ଆଉ ଡରୁନି |ସେ କଣ କରିବେ କରନ୍ତୁ ; ଦୃଢ଼ ଭାବରେ ମୁଁ ତାର ମୁକାବିଲା କରିବି |

   ଅନସୂୟା କହିଲେ,କିଛି ହବନି ମ !ସେଦିନ ଜ୍ୟୋତିଷ କହୁ ନଥିଲେ ??ପାହାଡ଼ ଭଳି ଦୁଃଖ ଆସିବ,ପବନ ପରି ମିଳେଇଯିବ |ଆଦିକନ୍ଦ କହିଲେ,ପୁଣି ସେଇ ଜ୍ୟୋତିଷ କଥା ବାହାର କଲ ?ତମକୁ ଆଉ ପାରି ହବନି |

  ଅନସୂୟା କହିଲେ,ହଉ କହିବିନି |ଆଜି ତମପାଇଁ ଗୋଟିଏ ଖୁସି ଖବର ଅଛି,ଶୁଣିବ ?ଆଦିକନ୍ଦ ହାତ ଯୋଡି କହିଲେ,ନାଁ ବାବା ନାଁ,ଆଜି ଦିନସାରା ବହୁତ ଖୁସି ହୋଇଗଲା ,ଏବେ ମୁଁ ବହୁତ କ୍ଲାନ୍ତ,ମତେ ଟିକେ ଶୋଇବାକୁ ଦିଅ,ପ୍ଲିଜ |ଅନସୂୟାଙ୍କ ମନଦୁଃଖ ହୋଇଗଲା |ସେ ମୁଣ୍ଡ ଟୁଙ୍ଗାରି ,ହଉ ତମ ଇଛା କହି ଦୁଇଜଣଙ୍କ ବାସନ ନେଇ ଚାଲିଗଲେ |(କ୍ରମଶଃ)

       

No comments:

Post a Comment