Saturday, April 24, 2021

ଅନନ୍ୟା (ଭାଗ 56)

                 ସେମାନେ ହସ୍ପିଟାଲରେ ପହଞ୍ଚି ଦେଖିଲେ,ଆଇ.ସି.ୟୁ ବାହାରେ ଚିନ୍ତାଗ୍ରସ୍ତ ହୋଇ ଦାଦା ଓ ଗାଆଁର ଆଉ ଦୁଇଜଣ ସମ୍ପର୍କୀୟ ନୀରବରେ ଛିଡା ହୋଇଛନ୍ତି |ତାଙ୍କର ଚିନ୍ତାଗ୍ରସ୍ତ ମୁହଁକୁ ଦେଖି ଅଜଣା ଆଶଙ୍କାରେ ଅନିଷର  ଛାତି ଥରି ଉଠିଲା |ଅଚାନକ ଏହି ତିନିଜଣଙ୍କୁ ଦେଖି ସେମାନେ ହତବାକ ହୋଇଗଲେ |ଦାଦା ବିରକ୍ତ ହୋଇ ମାମୁଁଙ୍କୁ କହିଲେ,ଏମାନଙ୍କୁ କଣ ପାଇଁ ଏଠିକି ନେଇ ଆସିଲେ ?ଏତେ ବୟସ୍କ ଲୋକ ହୋଇ ଆପଣଙ୍କ ମୁଣ୍ଡରେ ବୁଦ୍ଧି ଶୁଦ୍ଧି କିଛି ନାହିଁ ଦେଖୁଛି |ଶୀଘ୍ର ସେମାନଙ୍କୁ ଘରକୁ ନେଇ ଯାଆନ୍ତୁ |ତାଙ୍କ କଥା ଶୁଣି ଦିବ୍ୟାଶା ଅନୁମାନ କଲା,ହୁଏତ ସେମାନେ ତାକୁ ଜବରଦସ୍ତି ବିଦା କରିଦେଇ ପାରନ୍ତି |ତେଣୁ ସେ ଜୋରରେ ଅନିଷ ର ହାତ ମୁଠାକୁ ଜାବୁଡି ଧରିଲା, ଯେମିତିକି କେହି ତାକୁ ଅନିଷ ଠାରୁ ଅଲଗା କରି ପାରିବେନି !ମାମୁଁ  ଶାନ୍ତ ସ୍ୱରରେ ଦାଦାଙ୍କୁ  ସବୁ ଘଟଣା ବୁଝାଉଥିବା ବେଳେ 'ପେସେଣ୍ଟଙ୍କ ହୋସ ଫେରିଛି' ବୋଲି ନର୍ସ ଆସି ଖବର ଦେଲେ  |ଏକଥା ମଧ୍ୟ କହିଲେ ଯେ ତାଙ୍କୁ ଦେଖିବା ପାଇଁ କେବଳ ଜଣେ ଯାଇ ପାରିବେ |

             ନର୍ସଙ୍କ କଥା ଶୁଣି ଖୁସିରେ ଦିବ୍ୟାଶାର ଆପାଦମସ୍ତକ ଅଦ୍ଭୁତ ଭାବେ ଥରି ଉଠିଲା |ତାକୁ ଲାଗିଲା,ସତେ ଯେପରି ସେ ସାଙ୍ଗେ ସାଙ୍ଗେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯିବ !ସେ ନିଜ ଦୁଇହାତରେ ଅନିଷ ହାତକୁ ଧରି ତା ଉପରେ ଆଉଜି ପଡିଲା |ଅନିଷ କହିଲା,ପ୍ଲିଜ ଦେବୁ,ନିଜକୁ ସମ୍ଭାଳ |ବାବାଙ୍କୁ ଦେଖିବାକୁ ତମର ଇଛା ହେଉଛି ?ଦିବ୍ୟାଶା ମୁଣ୍ଡ ହଲାଇ ନାହିଁ କରି ଇଶାରାରେ କହିଲା,ତମେ ଯାଅ |

       ଦାଦା କହିଲେ,ହଁ ଅନୁ,ତୁ ଯାଆ |ଦିବ୍ୟାଶାକୁ ଚେୟାରରେ ବସାଇ ଅନିଷ ମନେ ମନେ ଈଶ୍ୱରଙ୍କୁ ସ୍ମରଣ କରି ଭିତରକୁ ଗଲା |ତାକୁ ଦେଖି ଆଦିକନ୍ଦଙ୍କ ମୁହଁରେ ହସ ଫୁଟି ଉଠିଲା |ସେ ଧୀର ଗଳାରେ କହିଲେ,ତୁ କାହିଁକି ଆସିଲୁ ବାପା ?ବାଇଆ ଟା |ଏତେ ଲୋକ ଥିଲେ,କେହି ତତେ ରୋକି ପାରିଲେ ନାହିଁ ?ଅନିଷ ଆଖିରୁ ଧାର ଧାର ଲୁହ ଝରି ପଡିଲା |ସେ କହିଲା,କେମିତି ଲାଗୁଛି ବାବା ?ଆଦିକନ୍ଦ କହିଲେ,ଭଲ ଲାଗୁଛି,ତୁ ଡକ୍ଟରଙ୍କୁ କହ,ମୁଁ ଆଜି ଚାଲିଯିବି |ଅନିଷ କହିଲା,ନାଁ ବାବା,ସେମିତି କୁହନା |ଆମେ ଡକ୍ଟରଙ୍କ ଇନଷ୍ଟ୍ରକ୍ସନ ମାନିବା,ସେ ଯାହା କହିବେ,ତାହା କରିବା |

        ଆଦିକନ୍ଦ ପଚାରିଲେ,ତୋ ମମି ପାଖରେ ଏବେ କିଏ ଅଛି ?ଅନିଷ କହିଲା,ମମି ଏହି ଆକ୍ସିଡେଣ୍ଟ କଥା ଜାଣି ନାହାନ୍ତି ବାବା,ଏବେ ତମେ ଟିକେ ଭଲ ହେଲଣି ,ମୁଁ ଘରେ ପହଞ୍ଚି ତାଙ୍କୁ ବାଗେଇ କରି  ସବୁ କଥା କହିବି |ଅନିଷ ପୁଣି କହିଲା,ତମକୁ ଦେଖିବାକୁ ତମ ବୋହୂ ଆସିଛି,ତାକୁ ଡାକିବି ?

        ଆଦିକନ୍ଦ କହିଲେ,ତତେ ଆଉ ପାରି ହେଲାନି |ସବୁ ନୀତି ନିୟମକୁ ପାଣିରେ ପକେଇ ବୋହୂ ପିଲାଟାକୁ ଏଠିକି ନେଇ ଆସିଲୁ ? !!ଅନିଷ କହିଲା,ନୀତି ନିୟମ କଣ ମୁଁ ଜାଣିନି ବାବା,ମୁଁ ଖାଲି ଜାଣିଛି ,ମୋ ବାବା ମମି ସର୍ବୋପରି ,ତାପରେ ଆଉ ଯିଏ ...ଏତିକି କହୁ କହୁ ତାର କଣ୍ଠ ରୁଦ୍ଧ ହୋଇଗଲା,ସେ ଆଉ କିଛି କହି ପାରିଲା ନାହିଁ ;ଆଦିକନ୍ଦଙ୍କୁ ମୁହଁ ଲୁଚାଇ ସେ ଦିବ୍ୟାଶାକୁ ଡାକିବାକୁ ଚାଲିଗଲା | 

        ମୁହଁରେ ଗାମୁଛା ଗୁଡେଇ,ଯେପରି ଭାବରେ ଦିବ୍ୟାଶା ଆସିଲା,ତାକୁ ଦେଖି ଆଦିକନ୍ଦ ତଟସ୍ଥ ହୋଇଗଲେ |ସେ କହିଲେ,ମୁଁ ଏଥର ଭଲ ହୋଇଯିବି ମାଆ ,ତୋ ଭଳି ବୋହୂ ଥିଲେ,ମତେ ମଣିଷ କଣ ଯମ ବି ମତେ ମାରି ପାରିବ ନାହିଁ |ଦିବ୍ୟାଶା ତାର ଲୁହକୁ ରୋକି,ଇଶାରାରେ ତାଙ୍କୁ ବେଶି କଥା କହିବାକୁ ମନା  କଲା |

         ଆଦିକନ୍ଦ ସାଙ୍ଗେ ସାଙ୍ଗେ ଡିସଚାର୍ଜ ହୋଇ ଘରକୁ ଫେରିଯିବାକୁ ଚାହୁଁଥିଲେ |କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ସେଠାରେ ଆଉ ଦୁଇଦିନ ରହିବାକୁ ପଡ଼ିଲା |

          ବାଟ ସାରା ଦିବ୍ୟାଶା ମନେ ମନେ ଗୁଣୁ ଗୁଣୁ ହୋଇ,କେତେ କଣ କହି,ଠାକୁରଙ୍କୁ ମୁଣ୍ଡିଆ ମାରି ମାରି ଆସୁଥିଲା |ହସ୍ପିଟାଲରୁ ବାହାରି ସେମାନେ ସିଧା ହୋଟେଲକୁ ଗଲେ |ସେଠାରେ ଦିବ୍ୟାଶା  ତାର ଲୁଗା ପରିବର୍ତ୍ତନ କରି ସବୁ ଗହଣା ଗାଣ୍ଠି ପିନ୍ଧି, ସାଜି ସୁଜି ହୋଇ  ଯେତେବେଳେ ଗାଆଁରେ  ପହଁଚିଲା,ଶଙ୍ଖ ହୁଳହୁଳି ଶବ୍ଦରେ ଗଗନ ପବନ ମୁଖରିତ ହୋଇ ଉଠିଲା |ବର ବୋହୂଙ୍କୁ ବନ୍ଦାପନା କରି ସମସ୍ତେ ଭିତରକୁ ନେଇଗଲେ |

          ସେତେବେଳକୁ ଆଦିକନ୍ଦଙ୍କ ଦୁର୍ଘଟଣା ଓ ହସ୍ପିଟାଲକୁ ଦିବ୍ୟାଶା ଯିବା ବିଷୟ ଗାଆଁରେ ବିଜୁଳି ବେଗରେ ପ୍ରଚାରିତ ହୋଇ ସାରିଥିଲା |କୌତୁହୁଳି ହୋଇ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଭିନ୍ନ ପ୍ରକାର ନୂଆ ବୋହୂକୁ ଦେଖିବାକୁ ଛୁଟି ଆସୁଥିଲେ |

            ନାନା ପ୍ରକାର ଦୁଶ୍ଚିନ୍ତା ଭିତରେ,ଦୁଇଦିନ ହେବ ଭଲରେ ନଶୋଇଥିବାରୁ ଦିବ୍ୟାଶା ଆଖିକୁ ରାଶି ରାଶି ନିଦ ଘୋଟି ଆସୁଥିଲା |ଅନସୂୟା ତାକୁ ସରବତ ନେଇ ଦେବାବେଳେ ସେ ତାଙ୍କ କାନରେ  ଫୁସ ଫୁସ କରି କହିଲା,ଆଣ୍ଟି ,ମତେ ଭାରି ନିଦ ଲାଗୁଛି,ମୁଁ ଟିକେ ଶୋଇ ପାରିବି ??ଅନସୂୟା ତାକୁ ଗେଲ କରି ଗୋଟିଏ ଚୁମା ଦେଇ କହିଲେ,ହଁ ସିଓର |ମୁଁ ତୋ ପାଇଁ ଖାଇବା ଆଣୁଛି,ତୁ ଖାଇଦେଇ ଆରାମରେ ଶୋଇ ପଡ଼ିବୁ |କିନ୍ତୁ ଆଉ ଆଣ୍ଟି ଡାକ ଚଳିବନି |କଣ ଡାକିବୁ କହିଲୁ ?

         ଦିବ୍ୟାଶା ହସିଦେଇ କହିଲା,ମମି ଆଉ ବାବା |ଅନସୂୟା ତାକୁ କୁଣ୍ଢେଇ ପକାଇ କହିଲେ,ମୋ ଝିଅ ମୁଣ୍ଡରେ କେତେ ବୁଦ୍ଧିଲୋ !!!

           ସେତିକିବେଳେ ଅନିଷ ସେ ରୁମକୁ ଆସୁଥିଲା |ଅନସୂୟାଙ୍କ କଥା ଶୁଣି ସେ ମୁଣ୍ଡରେ ହାତ ଦେଇ କହିଲା,ସବୁ ସରିଗଲା |ତା କଥା ଶୁଣି ଅନସୂୟାଙ୍କ ହାତ ଢିଲା ହୋଇଗଲା |ସେ ଛାନିଆ ହୋଇ ଅନିଷକୁ ଚାହିଁ କହିଲେ,କଣ ହେଲା ?

            ଅନିଷ ନାଟକୀୟ ଭଙ୍ଗୀରେ କହିଲା,କାଲି ଯାଏଁ ମୁଁ ପୂରାପୂରି ତମର ଥିଲି,ଆଜି ଆନି  ଆସି ତମକୁ କି ଗଦ ଶୁଂଘେଇଲା କେଜାଣି,ସେ ତମର ହୋଇଗଲା ?ତାକୁ କହୁଛ କଣ ନାଁ,ଜଳଖିଆ ଖାଇ ଶୋଇପଡ଼ |ମୋ କଥା କିଏ ବୁଝିବ ?ଏତେବେଳେ ଯାଇଁ ଅନସୂୟା ସବୁ କଥା ବୁଝି ପାରିଲେ |ସେ କହିଲେଏଇ ଦୁଷ୍ଟ, ତୁ ପରା,ଏ ଘରର ପୁଅ,ଯାହା ଇଛା,ତାହା କରିପାରିବୁ ;ସେ ଏ ଘରର ନୂଆବୋହୂ | ଏଇଠି କାହାକୁ ସେ ଚିହ୍ନିଛି ନାଁ ଜାଣିଛି ?ତା କଥା କିଏ ବୁଝିବ ?

            ଅନିଷ ଅନସୂୟାଙ୍କ କାନ୍ଧରେ ଲାଉ ହୋଇ ହସି ହସି କହିଲା,ମଜାରେ ସେମିତି କହୁଥିଲି ବା  |ତାପରେ ସେ ଦିବ୍ୟାଶାକୁ ଚାହିଁ କହିଲା,ଦେବୁ,ଜାଣିଛ?ମୋ ମମିଙ୍କ ପାଇଁ ଆଜି ଆମର ସ୍ୱପ୍ନ ସାର୍ଥକ ହୋଇଛି ;ତମେ ମମିଙ୍କୁ ଧନ୍ୟବାଦ ଜଣେଇଛ ?ଅନସୂୟା କୃତ୍ରିମ କ୍ରୋଧ ପ୍ରକାଶ କରି କହିଲେ,ତୁ ଏଇଠୁ ଗଲୁ,ଆସିଲା ପାଲା ଲଗେଇବାକୁ !

             ଦିବ୍ୟାଶା ସ୍ମିତ ହସି,ଅନସୂୟାଙ୍କ ହାତ ନିଜ ହାତ ମୁଠାକୁ ନେଇ କହିଲା,'ମୋ ଆଣ୍ଟି ଅନନ୍ୟା' |

    ଅନସୂୟା କହିଲେ,ପୁଣି ଆଣ୍ଟି କହିଲୁ ?ତାଙ୍କ କଥା ସମ୍ପୂର୍ଣ୍ଣ ନ ହେଉଣୁ,ଦିବ୍ୟାଶା ନିଜ କାନ  ଧରି କହିଲା,ସରି ,ମମି.ମମି,ମମି |ଆଉ ଭୁଲ ହେବନି |ଅନସୂୟା ଦିବ୍ୟାଶାର ହାତ ଦୁଇଟିକୁ ତାର କାନରୁ କାଢି କହିଲେ,ତମେ ଗପ କରୁଥାଅ ,ମୁଁ ଜଳଖିଆ ନେଇ ଆସୁଛି | (କ୍ରମଶଃ)


Friday, April 23, 2021

ଅନନ୍ୟା (ଭାଗ 55)

                  ଦୂର ବାଟରୁ ଆସୁଥିବାରୁ,ଦିବ୍ୟାଶା ସିଧା ସାଧା ଶାଢ଼ୀ ପିନ୍ଧିଥିଲା ଓ ମୁଖ୍ୟ ଗହଣା ସବୁ ସେମାନଙ୍କ ସହିତ ଆସୁଥିବା ତାର ସମ୍ପର୍କୀୟା ଭାଉଜଙ୍କ ପାଖରେ ଥିଲା |ତାଙ୍କର ପ୍ଲାନ ଥିଲା,ସେମାନେ ଘରକୁ ଯିବା ପୂର୍ବରୁ  ରିଜର୍ଭ ହୋଇଥିବା ଏକ ହୋଟେଲରେ ରହି ଫ୍ରେଶ ହୋଇ ଡ୍ରେସ ଚେଞ୍ଜ କରିବା ପରେ ଯିବେ |ସେହି ଅନୁସାରେ ସେମାନଙ୍କ କାରର ଗତି ପଥ ଭିନ୍ନମୂଖୀ ଥିଲା |ଭାଉଜ ଓ ଅନ୍ୟମାନେ ହୋଟେଲରେ ପହଞ୍ଚି ତାଙ୍କୁ ଫୋନ ମଧ୍ୟ କରି ସାରିଥିଲେ |ଏତିକିବେଳେ ମର୍ମନ୍ତୁଦ ଦୁର୍ଘଟଣାର ଖବର ମିଳିଲା |

             ଦିବ୍ୟାଶା କାନରେ ଆଦିକନ୍ଦଙ୍କ ଦୁର୍ଘଟଣାର ଖବର ପଡିବା  ମାତ୍ରେ ସେ ଅଥୟ ଅସ୍ଥିର ହୋଇ କାରରୁ ଓଲ୍ହାଇ ଆସି ଅନିଷ କୁ ପଚାରିଲା,ଅଙ୍କଲଙ୍କର କଣ ହୋଇଛି ???ଅନିଷ କାନ୍ଦି କାନ୍ଦି କହିଲା,ବାବାଙ୍କର ଆକ୍ସିଡେଣ୍ଟ ହୋଇଛି,ସେ ଏବେ କୋମାରେ,ମୁଁ ଜାଣିନି,ମୋ ସାଙ୍ଗରେ କାହିଁକି ଏମିତି ବାରମ୍ବାର  ହେଉଛି ?ମୁଁ କି ଦୋଷ କରିଥିଲି ??ସେ ଟିକିଏ ରହି ଦିବ୍ୟାଶାକୁ କହିଲା,ମୁଁ ହସ୍ପିଟାଲ ଯାଉଛି,ତମେ ମାମୁଁଙ୍କ ସାଙ୍ଗରେ ଭାଉଜଙ୍କ ପାଖକୁ ଯାଅ,ସେଇଠି ସେମାନେ ଯାହା କହିବେ,ସେଇଆ କରିବ |ଦିବ୍ୟାଶା କାନ୍ଦି କାନ୍ଦି କାର ଡୋରରେ ନିଜ ମୁଣ୍ଡ ପିଟି କହିଲା,ନାଁ ମୁଁ ଯିବିନି |ମୋ ଆଖି ସାମ୍ନାରେ ମୋ ବାପା ଚାଲିଗଲେ |ଏବେ ମୁଁ ମୋର ଅଙ୍କଲଙ୍କୁ ହରେଇବାକୁ ଚାହେଁନା |ମତେ ଶୀଘ୍ର ଅଙ୍କଲଙ୍କ ପାଖକୁ ନେଇ ଚାଲ,ସେ ଭଲ ନହେବା ଯାଏଁ ମୁଁ ଘରକୁ ଫେରିବିନି |ଯାହା କିଛି ହୋଇଯାଉ,ମୋର ଅଙ୍କଲ ଦରକାର |

       ମାମୁଁ କହିଲେ,ସେମିତି କହନା ମାଆ,ତୁ ଏବେ ଆମ ଘରର ବୋହୂ ,ତୁ ଏଇ ବେଶରେ ହସ୍ପିଟାଲ ଯିବୁ କେମିତି ?ଲୋକେ କଣ କହିବେ ??ଦିବ୍ୟାଶା ଗାଡ଼ିରୁ ମାମୁଁଙ୍କ ଗାମୁଛା ଆଣି ନିଜ ମୁହଁରେ ଭଲକରି ଗୁଡେଇ ଦେଇ କହିଲା,ଏଥର ମତେ କେହି ଚିହ୍ନି ପାରିବେନି |ଶୀଘ୍ର ମତେ ହସ୍ପିଟାଲ ନେଇ ଚାଲନ୍ତୁ,ଆମର ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ |

       ମାମୁଁ ଅନିଷ କୁ କହିଲେ,ତାକୁ ବୁଝେଇ ଦେ ଅନୁ,ଇଏ ଭାବପ୍ରବଣତାର ସମୟ ନୁହେଁ,ମନକୁ ଟାଣ କରି ଆମକୁ ଯାହା କିଛି କରିବାକୁ ପଡିବ | ଅନିଷ କହିଲା,ସେ ବୁଝିବନି ମାମୁଁ,ଚାଲନ୍ତୁ ଯିବା,ଡେରି ହୋଇଯିବ |

       ଏମିତି କହୁଥିବା ବେଳେ ଅନିଷ ର ଅନସୂୟାଙ୍କ କଥା ମନେ ପଡିଗଲା |ସେ ବ୍ୟସ୍ତ ହୋଇ ପଚାରିଲା,ମମି କାହାନ୍ତି ?ସେ କଣ କରୁଛନ୍ତି ?ମାମୁଁ କହିଲେ,କାହାକୁ କିଛି କୁହା  ଯାଇନି,ପରିସ୍ଥିତିକୁ ଦେଖି ଯାହା କରିବା କଥା କରାଯିବ |ଅନିଷ କାନ୍ଦି କାନ୍ଦି କହିଲା,ହେ ଭଗବାନ,ମୁଁ କଣ କରିବି ?ମୋ ମମିଙ୍କୁ କିଏ  ସମ୍ଭାଳିବ ??

      ତା କାନ୍ଦ ଦେଖି,ଦିବ୍ୟାଶା ଜୋରରେ କାନ୍ଦି ଉଠିଲା |କହିଲା,ମୁଁ ବଡ଼ ପାପୀ,ଦିନେ ଆଣ୍ଟିଙ୍କ ସିନ୍ଦୂର ଉପରେ ନଜର ପକାଇଥିଲି,ଆଜି ତାର  ପରିଣାମ ଭୋଗିବାକୁ ଯାଉଛି |ଦିବ୍ୟାଶା ସେମିତି କାନ୍ଦି ଚାଲିଥିଲା,ଯେତେ ଚେଷ୍ଟା କଲେ ବି ଅନିଷ ତାକୁ ସାନ୍ତ୍ୱନା ଦେଇ ପାରୁ ନଥିଲା |(କ୍ରମଶଃ)

        

        

         

Thursday, April 22, 2021

ଅନନ୍ୟା (ଭାଗ 54)

              ଆଲୋଚନା ପରେ ଅନସୂୟା ବରଯାତ୍ରୀରେ ଯିବା ପାଇଁ କାହାରି ଆପତ୍ତି ରହିଲା ନାହିଁ |ବରଂ ଅନସୂୟା ଯାଉଥିବାରୁ ତାଙ୍କ ସହିତ ଆଉ ଦୁଇ/ତିନିଜଣ ସମ୍ପର୍କୀୟା ଯିବାପାଇଁ ବାହାରିଲେ |

              ବାହାଘର ପୂର୍ବଦିନ ମଙ୍ଗଳକୃତ୍ୟ ହେଲା ଓ ତାପରେ ବର ଅନୁକୂଳ କରି ବାହାରିଲା |ଅନିଷ ଯାଉଥିବା କାରରେ ମାର୍କଣ୍ଡି,ପୁରୋହିତ ଓ ମାମୁଁଙ୍କ ସହିତ ଆଦିକନ୍ଦ ଯାଉଥିଲେ |ତା ପର ଦୁଇଟି କାରରେ ଅନସୂୟାଙ୍କ ସମେତ ଅନ୍ୟ ମହିଳା ଯାତ୍ରୀ  ଥିଲେ,ସବା ଶେଷରେ ଯାଉଥିବା ବସରେ ପୁରୁଷ ବରଯାତ୍ରୀ ଥିଲେ |ସେମାନେ ସନ୍ଧ୍ୟା ସୁଦ୍ଧା ଭବାନୀପାଟଣାରେ ପହଞ୍ଚିଗଲେ |ସେମାନଙ୍କ ରହିବାପାଇଁ,ହୋଟେଲର ସୁବନ୍ଦୋବସ୍ତ ହୋଇଥିଲା |ସେହି ହୋଟେଲକୁ ହିଁ ବରଧରା ଆସିଲା ଓ ବିଧିବିଧାନରେ ବର ନିମନ୍ତ୍ରଣ କାର୍ଯ୍ୟ ସମାପନ ହେଲା  |ପରଦିନ ସନ୍ଧ୍ୟାରେ ସେହି ହୋଟେଲରୁ ପ୍ରସେସନ ବାହାରିବାର କଥା ଥିଲା |ଏଣୁ ରାତିରେ ଖାଇସାଇବାପରେ ସମସ୍ତେ ଭଲରେ ବିଶ୍ରାମ ନେଇଗଲେ |ସକାଳେ କେହି କେହି ସେଠାରେ ଥିବା ଦର୍ଶନୀୟ ସ୍ଥାନ ବୁଲି ସନ୍ଧ୍ୟା ବେଳକୁ ହୋଟେଲକୁ ଫେରି ଆସିଲେ | 

          ସନ୍ଧ୍ୟା ଆଠଟା ବେଳକୁ ମହାସମାରୋହରେ ବର ବାହାରିଲା ଓ ସେମାନଙ୍କୁ ଦିବ୍ୟାଶାଙ୍କ ପରିବାର ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଗଲେ |ନିଜେ ଭାରତୀ ଆସି ଅନସୂୟାଙ୍କ ହାତ ଧରି ଭିତରକୁ ଡାକିନେଇ ଦିବ୍ୟାଶା ପାଖରେ ବସାଇ ଦେଇ କହିଲେ,ଦେଖିଲେ,ଆପଣଙ୍କ ଆନି ଆଜି ଠିକଠାକ ଲାଗୁଛି ନାଁ ନାହିଁ ?ଅନସୂୟା ଦିବ୍ୟାଶାର ନଜର ଉତ୍ତାରି ତାକୁ କୁଣ୍ଢେଇ ପକାଇ ତା ଗାଲରେ ଛୋଟ ଚୁମାଟିଏ ଦେଇ  କହିଲେ,ସିଏ ମୋ 'କଣ୍ଢେଇ",ମୋ 'ଲକ୍ଷ୍ମୀ',ମୋ 'ଅନନ୍ୟା' |ପ୍ରତ୍ୟୁତ୍ତରରେ ଦିବ୍ୟାଶା ମଧ୍ୟ ତାଙ୍କୁ କୁଣ୍ଢେଇ ପକାଇଲା |

        ଦୁଇ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଭିତରେ ସୁରୁଖୁରୁରେ ବାହାଘର ଚାଲିଥିଲା |ଅନସୂୟାଙ୍କ ସହିତ ଯାଇଥିବା ମହିଳା ସଦସ୍ୟ ମାନେ ବେଦୀ ସାମ୍ନାରେ ପଡିଥିବା ଚେୟାରରେ ବସି ମନଧ୍ୟାନ ଦେଇ ବିବାହ କାର୍ଯ୍ୟ ଦେଖିବା ସହିତ,ନିଜ ନିଜ ଭିତରେ ଆଲୋଚନାରେ ମଜ୍ଜି ଯାଇଥିଲେ |ଏତିକିବେଳେ ଅନସୂୟାଙ୍କୁ ଟୟଲେଟ ମାଡିଲା |ସେ ଟୟଲେଟ କାର୍ଯ୍ୟ ସାରି ଫେରିବା ବେଳକୁ ଅନିଷ ନାମ ନେଇ କିଛି ଆଲୋଚନା ହେଉଥିବାର ଶୁଣି ସେଇଠି ଅଟକି ଯାଇ ସେମାନଙ୍କ କଥାବାର୍ତ୍ତା ଶୁଣିବାକୁ ଲାଗିଲେ |ଦିବ୍ୟାଶାର ଭାଇ ଦିପୁକୁ ତାର ସାଙ୍ଗମାନେ କହୁଥିଲେ,ଶଳାବିଧା ଟା ଏମିତି ହେବା  ଦରକାର ଯେମିତି ଜ୍ୱାଇଁ ବାବୁଙ୍କ ନାକ ଭୂଇଁରେ ଲାଗିବ |

       ଅନସୂୟା ସେମାନଙ୍କ ଆଲୋଚନାର ଗୁରୁତ୍ତ୍ଵ ଉପଲବ୍ଧି କରି ପାରିଲେ |ସେ କାହାକୁ କିଛି ନକହି ଚୁପ କରି ଆସି ଅନିଷ ପଛରେ ବସି ପଡିଲେ | ଦିପୁ  ହାତ ଉଞ୍ଚାଇ ଶଳାବିଧା ମାରିବା ବେଳକୁ ,ସେ  ନିଜ ଦୁଇ ହାତ ଦେଖାଇ ଦେଲେ |ସେ ବିଧାର ଶକ୍ତି ଏତେ ଜୋର ଥିଲା ଯେ,ଅନସୂୟାଙ୍କୁ ଲାଗିଲା,ଯେମିତି ତାଙ୍କ ହାତ ଛିଣ୍ଡି ତଳେ ପଡିଯିବ  !ଯନ୍ତ୍ରଣାରେ ତାଙ୍କ ମୁହଁ ବିକୃତ ହୋଇଗଲା |କଣ ହେଲା ବୋଲି ଅନିଷ ପଛକୁ ଚାହିଁଲା |ଦିପୁ  ଲଜ୍ଜିତ ହୋଇ କହିଲା,ସରି ଆଣ୍ଟି,ଆପଣ ଏଇଠି ଜଗି ବସିଛନ୍ତି ବୋଲି ମୁଁ ଜାଣି ନଥିଲି |ଆମେ କଥାବାର୍ତ୍ତା ହେଲାବେଳେ ଆପଣ ବୋଧେ ଶୁଣିଦେଲେ |ଭାରତୀ ତତ୍କ୍ଷଣାତ ସେଠାକୁ ଆସି ପୁଅକୁ ମୃଦୁ ଭତ୍ସନା କରି କହିଲେ,ତତେ ମନା କରିଥିଲି ନାଁ ?ସେ ମୁହଁ ଶୁଖେଇ ଫେରି ଯାଉଥିବାବେଳେ ଅନସୂୟା ତାକୁ ଡାକି କହିଲେ,ଆ ବାପା,ବିଧି ତ ଅଛି,କଣ କରିବା |ଦିବ୍ୟାଶାର ଭାଇ ହସି ହସି ଆସି ଆସ୍ତେ କରି ଛୁଇଁଲା ପରି ବିଧାଟିଏ ମାରି ଚାଲିଗଲା | 

           ଅନେକ ଉତ୍ସାହ,ଆନନ୍ଦ ଓ ଉଦ୍ଦୀପନା ମଧ୍ୟରେ କେତେବେଳେ ହାତ ଗଣ୍ଠି ପଡି ବିଦାୟ ମୁହୂର୍ତ୍ତ ଆସି ପହଞ୍ଚିଗଲା,ଜଣା ପଡିଲା ନାହିଁ |ଭୋରରୁ ଭୋରରୁ ଚାଲି ଆସିବାକୁ ଆଦିକନ୍ଦ ଭାବିଥିଲେ,କିନ୍ତୁ ଯେତେ ଯାହା ଜଲ୍ଦି କଲେ ବି,ଦଶଟା ପୂର୍ବରୁ ବାହାରିବା ସମ୍ଭବପର ହେଲାନାହିଁ |ମହିଳା ଯାତ୍ରୀ, ବରଯାତ୍ରୀ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ଯେମିତି  ଆରେଞ୍ଜମେଣ୍ଟରେ ଆସିଥିଲେ,ଟିକିଏ ଏପଟ ସେପଟ ସହ ପ୍ରାୟ ସେମିତି ଆରେଞ୍ଜମେଣ୍ଟରେ ସମସ୍ତେ ଗଲେ | ଗାଆଁରେ ପହଞ୍ଚିବା ପାଇଁ ଆଉ ଅଳ୍ପ ବାଟ ଥିବାବେଳେ ,ବରକନ୍ୟା ବସିଥିବା କାରରେ ମାମୁଁଙ୍କୁ ବସାଇ ଆଦିକନ୍ଦ ଗାଆଁରେ ଆଗୁଆ ପହଞ୍ଚିବା ପାଇଁ ଅନ୍ୟ ଏକ କାରରେ ଗଲେ |

        ଅନିଷର ସ୍ୱପ୍ନ ସାକାର ହୋଇଥିଲା ;ତାର ଖୁସିର ସୀମା ନଥିଲା |ନାନା ଉତ୍ଥାନ ପତନ ଭିତରେ କଲେଜ ଜୀବନରୁ ଆଜି ପର୍ଯ୍ୟନ୍ତ ଘଟିଯାଇଥିବା ଘଟଣା ତା ପାଇଁ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କମ ନଥିଲା |

        ତା ଭାବନାରେ ବାଧା ଦେଇ,କାରଟି ହଠାତ ଅଟକି ଗଲା |ଆଦିକନ୍ଦଙ୍କ ଜଣେ ସାଙ୍ଗ ଆସି ମାମୁଁଙ୍କ କାନରେ ଫୁସ ଫୁସ କରି କଣ କହିଲେ |ମାମୁଁ ମୁଣ୍ଡରେ ହାତ ଦେଇ ବସି ପଡିଲେ |ତାଙ୍କୁ ନିର୍ନିମେଷ ନୟନରେ ଲକ୍ଷ୍ୟ କରୁଥିବା ଅନିଷ ପଚାରିଲା,କଣ ହୋଇଛି ମାମୁଁ ?ମାମୁଁ ତାକୁ ଫାଂକି ଦେବାକୁ ବସିଥିଲେ କିନ୍ତୁ ଅନିଷ କାରରୁ ଓଲ୍ହାଇ ତାଙ୍କ ହାତ ଧରି ପକାଇ କହିଲା,କଣ ହୋଇଛି ମାମୁଁ ?

        ମାମୁଁ କାନ୍ଦି କାନ୍ଦି କହିଲେ,ତୋ ବାବା ଯାଉଥିବା କାର ଆକ୍ସିଡେଣ୍ଟ ହୋଇଛି,ବାବାଙ୍କ ମୁଣ୍ଡରେ ମାଡ଼ ହୋଇଛି,ତାଙ୍କୁ  ହସ୍ପିଟାଲ ନେଇ ଯାଇଛନ୍ତି,ସେ ଏବେ କୋମାରେ |(କ୍ରମଶଃ)







































































































Monday, April 19, 2021

ଅନନ୍ୟା (ଭାଗ 53)

        ୱାର୍କ ଫ୍ରମ ହୋମ କରି,ଶୁଦ୍ଧିକ୍ରିୟା ଶେଷ ହେବା ପରେ,ଅନିଷ ତାର କର୍ମକ୍ଷେତ୍ରକୁ ଫେରିଗଲା |କିଛିଦିନ ପରେ,ଭାରତୀଙ୍କ ଭାଇ ଭବାନୀ ଆଦିକନ୍ଦଙ୍କ କ୍ୱାର୍ଟରକୁ ଆସିଲେ ଓ ଫାଲ୍ଗୁନ ମାସ ଶେଷ ତିଥିରେ ବାହାଘର ହେବାପାଇଁ ଶୁଭଦିନ ସ୍ଥିର ହେଲା |ସେଦିନ ଝିଅଘର ପାଇଁ କଲ୍ୟାଣମଣ୍ଡପ ମିଳିବାରେ ଅସୁବିଧା ନଥିଲା |କିନ୍ତୁ ସେଦିନ ଭୁବନେଶ୍ୱରରେ କଲ୍ୟାଣମଣ୍ଡପ କିମ୍ବା ହୋଟେଲ ମିଳିବାରେ ପୁଅଘର ପାଇଁ ଅସୁବିଧା ଥିବାରୁ,ଗାଆଁରେ ବାହାଘର କରିବା ପାଇଁ ସ୍ଥିର ହେଲା |ବଡ଼ବୋଉଙ୍କ ବର୍ଷିକିଆ ଯାଇ ନଥିବାରୁ  ମାମୁଁ ମାଇଁ କର୍ତ୍ତା କର୍ତ୍ତୀ ଭାବେ ବିବାହ କାର୍ଯ୍ୟ କରିବେ ବୋଲି ସମସ୍ତେ ଏକମତ ହେଲେ |

       ବାହାଘର ଦିନ ଯେତିକି ନିକଟତର ହେଉଥିଲା,ଆଦିକନ୍ଦଙ୍କ ପାଇଁ କାର୍ଯ୍ୟବ୍ୟସ୍ତତା ସେତିକି ସେତିକି ବଢି ଚାଲିଥିଲା | ଟ୍ରେନରେ ବରଯାତ୍ରୀଙ୍କ ପାଇଁ କରାଯାଇଥିବା ରିଜର୍ଭେସନ କ୍ୟାନସଲ କରାଯାଇଥିଲା |ଏତେ କମ ଦିନରେ,ପୁଣି ରିଜର୍ଭେସନ କରିବା ସମ୍ଭବପର ନଥିବାରୁ,ବରଯାତ୍ରୀମାନେ  ଆରାମଦାୟକ କାର ଓ ବସରେ ଯିବାପାଇଁ ସ୍ଥିର ହେଲା |କିନ୍ତୁ ଦୂର ବାଟ,ତା ସହିତ ଟ୍ରେନରେ ଥିବା ସୁବିଧା ବସ ଓ କାରରେ ମିଳିବାର ସମ୍ଭାବନା ନଥିବାରୁ ବରଯାତ୍ରୀଙ୍କ ସଂଖ୍ୟା ଅନେକ କମିଗଲା |

       ଅନିଷ କିନ୍ତୁ ବହୁତ ଖୁସି ଥିଲା |ସପ୍ତାହେ ପୂର୍ବରୁ ସେ  ଆସି ପହଞ୍ଚିଗଲା |ସାଙ୍ଗରେ ଦିବ୍ୟାଶା ପାଇଁ,ମଙ୍ଗଳସୂତ୍ର ଓ ସୁନାଶଙ୍ଖା ସହିତ ରିସେପ୍ସନ ପାର୍ଟିରେ ପିନ୍ଧିବା ପାଇଁ ଲେହେଙ୍ଗା ଚୋଲୀ ଆଣିଥିଲା |ତାକୁ ଦେଖି ଅନସୂୟା କହିଲେ,ଲେହେଙ୍ଗା ଚୋଲୀ ଚଳିବ |କିନ୍ତୁ ଆମେ ତାକୁ ସୁନାର ସେଟ ଦେବା କଥା,ତୁ ଏତିକି କଣ ଆଣିଲୁ ?ଅନିଷ କହିଲା,ମୁଁ ତାକୁ ବହୁତ କହିଲି,ହେଲେ ସେ ଏତିକି ପାଇଁ ରାଜି ହେଲା |ମୁଁ କଣ କରିବି ?ସେ କୋଉ ସୁନା ପିନ୍ଧିବ ଯେ ଏତେ କଥା,ଖାଲି କିଣି କରି ଲକରରେ ରଖିବା କଥା |ଅନସୂୟା 'ହଉ ତୋ ଇଛା' କହି ସେସବୁ ଆଦିକନ୍ଦଙ୍କୁ ଦେଖାଇ ଆଲମିରାରେ ରଖିଦେଲେ |

        ଲଞ୍ଚ ଖାଇ ସାରିବା ପରେ ଆଦିକନ୍ଦ ଟିଭି ଦେଖୁଥିବାବେଳେ ଅନିଷ ତାଙ୍କ ପାଖରେ ବସି କହିଲା,ବାବା,ଆମ ସାଙ୍ଗରେ ମମି ଯିବେ ନାଁ ?ଆଦିକନ୍ଦ କହିଲେ,ନାଁ ସେ କାହିଁକି ଯିବ ?ମାଆ ମାନେ ଯାଆନ୍ତି ନାହିଁ ବୋଲି ମୁଁ ଜାଣିଛି |ଅନିଷ ପଚାରିଲା,ତାହେଲେ ମାମୁଁ ମାଇଁ ଯିବେ ?ଆଦିକନ୍ଦ କହିଲେ,ହଁ,ସେମାନେ ଯିବେ |ଆଉ କେତେଜଣ ଝିଅପିଲା ଓ ସ୍ତ୍ରୀ ଲୋକ ବରଯାତ୍ରୀରେ ଯିବେ ବୋଲି ବାହାରିଛନ୍ତି |

  ଅନିଷ କହିଲା,ତାହେଲେ ମୋ ମମି କାହିଁକି ଯିବେନି ?ସେ କଣ ଭୁଲ କଲେ ?ପୁଅ  ବାହାଘର ଦେଖିବା ପାଇଁ ମାଆର କଣ କିଛି ଅଧିକାର ନାହିଁ ?

       ଆଦିକନ୍ଦ ହସି ହସି କହିଲେ,ଆରେ ତୁ ଏତେ ଛୋଟ କଥାକୁ ଏତେ ବଡ଼ କରି ସାରିଲୁଣି ?ଅନିଷ କହିଲା,ନାଁ ବାବା,ଏଇଟା କାହା ପାଇଁ ଛୋଟ ହୋଇପାରେ  ମୋପାଇଁ କିନ୍ତୁ ବହୁତ ବଡ଼ |ମୋ ମମି ମୋ ସାଙ୍ଗରେ ଯେମିତି ହେଲେ ବି ଯିବେ |ସେ କେମିତି ଯିବେ,ତାକୁ କାର୍ଯ୍ୟକାରୀ କରିବା ଦାୟିତ୍ତ୍ୱ ତମର  |

       ଆଦିକନ୍ଦ କହିଲେ,ତୁ ତ ମତେ ବଡ଼ ବିଷମ ସମସ୍ୟାରେ ପକେଇଲୁ ! ହଉ ମୁଁ ଦେଖେ,କଣ କରାଯାଇପାରେ |(କ୍ରମଶଃ)

        

        

Saturday, April 17, 2021

ଅନନ୍ୟା (ଭାଗ 52)

           ବଡ଼ବୋଉଙ୍କ ଦେହାନ୍ତ ଖବର ପାଇଁ ଅନିଷ ଦୁଃଖରେ ଭାଙ୍ଗି ପଡିଲା |ପରଦିନ ସେ ଫ୍ଲାଇଟ ଯୋଗେ ଆସି ଘରେ  ପହଞ୍ଚିଗଲା |ନିଜ ସ୍ଵଭାଵ ବଶତଃ ତାକୁ କୋଳେଇ ନେବା ପାଇଁ ଖୁସିରେ ଅନସୂୟା ଧାଇଁ ଯାଉ ଯାଉ ଅଟକି ଗଲେ |ଆଦିକନ୍ଦ କହିଲେ,ତୁ ଆମକୁ ଛୁଆଁଛୁଇଁ ନକରି ଏବେ ମାମୁଁଙ୍କ ଘରକୁ ଚାଲିଯା |ଆମେ ନିଷ୍ପତ୍ତି ନେଇ ସାରିଛୁ,ବାହାଘର ବନ୍ଦ ହେବନାହିଁ,ମାମୁଁଘର ବାହାଘର କରିବେ |

    ଅନିଷ ତାଙ୍କ କଥା ନମାନି ତାର ବ୍ୟାଗ ତଳେ ରଖି ଆଦିକନ୍ଦଙ୍କୁ କୁଣ୍ଢେଇ ପକାଇ କହିଲା,ନାଁ,ମୋ ବାବା ମମି କେବେହେଲେ ଅଛୁଆଁ ହେବେନି  |ଯେଉଁ ବାବା ମମି,ମୋ ଖୁସି ପାଇଁ ତାଙ୍କର ସବୁ ଖୁସିକୁ ଜଳାଞ୍ଜଳି ଦେଇଛନ୍ତି,ସେମାନଙ୍କ ଅନୁପସ୍ଥିତିରେ ମୁଁ କେମିତି ବାହା ହୋଇ ପାରିବି ?ନାଁ,କଦାପି  ନୁହେଁ |ଅନିଷ ପିଲାଙ୍କ ଭଳି କାନ୍ଦୁଥିଲା |ତା କଥା ଶୁଣି ଅନସୂୟା ମଧ୍ୟ ଅନିଷ କୁ କୁଣ୍ଢେଇ ପକାଇ କାନ୍ଦିବାକୁ ଲାଗିଲେ  |

       ଆଦିକନ୍ଦ ନିଜକୁ ସମ୍ଭାଳି ନେଇ କହିଲେ,ସେମିତି କଣ ବାହାଘର ହେଉନି ?ବାପା ମରିଗଲେ ବି ବାହାଘର ଅଟକୁ ନାହିଁ |ସବୁ ଆୟୋଜନ ସରିଛି,ତୁ ଅବୁଝା ହୁଅନା |ଅନିଷ ତା ଆଖିରୁ ଲୁହ ପୋଛି କହିଲା, ବାବା,ବାହାଘରରେ ପିନ୍ଧିବା ପାଇଁ,ଜେଜୀମା କେତେ ଖୁସିରେ ନିଜେ ଶାଢ଼ୀ ବାଛିଥିଲେ,ସେକଥା ମୁଁ କେମିତି ଭୁଲି ପାରିବି ?ବାରମ୍ବାର ସେ ଦିନର ଦୃଶ୍ୟ  ମୋ ଆଖି ଆଗରେ ନାଚି ଯାଉଛି |ମୁଁ ବି ନିଷ୍ପତ୍ତି ନେଇ ସାରିଛି | ତାଙ୍କ ପାଇଁ ମୁଁ ଶୋକ ପାଳିବି |ଏ  ବାହାଘର ଯେମିତି ହେଲେ ବି ଘୁଂଚେଇବାକୁ ପଡିବ  |ମୋ ଜୀବନର ଏତେବଡ଼ ଖୁସିକୁ ମୁଁ ଦୁଃଖରେ ସେଲିବ୍ରେଟ କରିବାକୁ ଚାହୁଁନି |

  ଆଦିକନ୍ଦ କହିଲେ,ବାହାଘର ପାଇଁ ହୋଟେଲ ବୁକ ହୋଇଛି,ବରଯାତ୍ରୀଙ୍କ ପାଇଁ ଟ୍ରେନ ଟିକେଟ ବି ରିଜର୍ଭେସନ ସରିଛି  |ଝିଅଘର ବି ସେମିତି କେତେ କଣ ଆରେଞ୍ଜମେଣ୍ଟ  କରିଥିବେ |ଉଭୟ ପକ୍ଷରୁ କେତେ ଟଙ୍କା ଲସ ହେବ ଜାଣିଛୁ ?ଅନିଷ କହିଲା,ମୋ ବାବା ମମିଙ୍କ ଖୁସି ଆଗରେ ଏ କ୍ଷତି ଅତି ନଗଣ୍ୟ ବାବା |ଯାହା ବି ହୋଇଯାଉ, ବାହାଘରରେ ମୋ ବାବା ମମିଙ୍କୁ  ପାର୍ଟୀସିପେଟ କରିବାକୁ ହିଁ ପଡ଼ିବ |ତୁମମାନଙ୍କ ଖୁସିକୁ ମୁଁ ହରାଇବାକୁ ଚାହେଁନା |

      ଏହି ସମୟରେ ଭାରତୀଙ୍କ ଫୋନ ଆସିଲା |ସବୁ ଶୁଣି ସେ ଆଦିକନ୍ଦଙ୍କୁ କହିଲେ,ଭାଇନା,ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ |ଏହି ଦୁଃଖ ଠାରୁ ଅଧିକ ଦୁଃଖ ମୁଁ ଅଙ୍ଗେ ନିଭେଇଛି |ଆପଣମାନଙ୍କ ଅନୁପସ୍ଥିତିରେ ବାହାଘର କରିବାକୁ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରିବିନି |ଆର୍ଥିକ କ୍ଷତି ଅପେକ୍ଷା ସମସ୍ତଙ୍କ ମିଳିତ ଖୁସି ସର୍ବଶ୍ରେଷ୍ଠ | ଶୁଦ୍ଧି କାମ ସରିଯାଉ,ମାସେ ପରେ ଆଉ ଗୋଟିଏ ଶୁଭଦିନ ଦେଖି ନିରାଡ଼ମ୍ବର ଭାବରେ ଆମେ ବାହାଘର କରିବା;ବୋଧହୁଏ ଏହାହିଁ ଈଶ୍ୱରଙ୍କ ଇଛା |ତାଙ୍କଠାରୁ ଏକଥା ଶୁଣି ଖୁସିରେ ଆଦିକନ୍ଦଙ୍କ ଆଖି ଛଳ ଛଳ ହୋଇଗଲା |ସେ କହିଲେ,ଆପଣ ମୋର ବୋଝ ହାଲୁକା କରିଦେଲେ,ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ |(କ୍ରମଶଃ )

       

Thursday, April 15, 2021

ଅନନ୍ୟା (ଭାଗ 51)

           ଡିନର ପାଇଁ ଅନିଷ ଫୁଲ୍କା ରୁଟି ସହ ଚିଲି ଚିକେନ, ପନିର ମସଲା ଓ ରାଇତା ମଗେଇ ଥିଲା |ବଡ଼ବୋଉ ପନିର ଭଲ ପାଆନ୍ତି  |ସେ ଖୁବ ଖୁସିରେ ପନିର ମସଲା ଖାଇଲେ ଓ ଅନିଷକୁ ବହୁତ ଆଶୀର୍ବାଦ ଦେଲେ |ଖାଇ ସାରିବା ପରେ ଅନିଷ ଅନସୂୟାଙ୍କୁ କହିଲା,କାଲି ବାବାଙ୍କର ଛୁଟି ଅଛି |ଆମେ ଖରାବେଳେ ଯାଇ ବାବାଙ୍କ ପାଇଁ,ତମପାଇଁ ଓ ଜେଜୀମାଙ୍କ ପାଇଁ ଡ୍ରେସ ଓ ଲୁଗା ନେଇଆସିବା |ଅନସୂୟା କହିଲେ,ଆମ ଲୁଗାପଟା ପରେ କିଣାଯିବ ,ଆମେ ବରଂ କାଲି ଯାଇ ଆନିର ଅର୍ନାମେଣ୍ଟସ ଓ  ରିସେପ୍ସନ ଲୁଗା ନେଇ ଆସିବା |

      ଅନିଷ କହିଲା,ଓହୋଃ ମମି,ଆନି କଥା ମୋ ଉପରେ ଛାଡିଦିଅ |ତା ଡ୍ରେସ ସିଏ ପସନ୍ଦ କରିବ,ଅକାରଣେ ଆମର ମୁଣ୍ଡ ବିନ୍ଧେଇବା ଦରକାର ନାହିଁ |ଖାଲି ବାବାଙ୍କ ପାଇଁ ମୋର ଟେନସନ ଅଛି,କାରଣ ବାବା ନିଜ ଜିନିଷ କିଣିବାରେ ଭାରି କଞ୍ଜୁସୀ କରନ୍ତି |ଆଦିକନ୍ଦ ସେଠାରେ ଛିଡା ହୋଇ ତା କଥା ଶୁଣୁଥିଲେ |କହିଲେ,ମୋର ଏତେ ବଦନାମ କରନା |ତୁ ମୋ ପାଇଁ ଯାହା କିଣିଦେବୁ,ମୁଁ ଖୁସିରେ ପିନ୍ଧିବି |ଅନିଷ ହସି ହସି କହିଲା ,ପ୍ରୋବ୍ଲେମ ସଲ୍ଭ ହୋଇଗଲା |କାଲି ବେଳାବେଳି  ସପିଂ କାମ ସାରିଦେବା ,ମୋର ପୁଣି ସନ୍ଧ୍ୟା ଫ୍ଲାଇଟରେ ଯିବାର ଅଛି |

      ପରଦିନ ଜୋରଦାର କିଣାକିଣି ହେଲା |ବଡ଼ବୋଉ ତାଙ୍କ ପସନ୍ଦରେ ମଠା ରଙ୍ଗର ସମ୍ବଲପୁରୀ ଶାଢ଼ୀ କିଣିଲେ |ନିଜପାଇଁ ଲୁଗା  ପସନ୍ଦ କରିବାବେଳେ  ଅନସୂୟାଙ୍କ ନଜର ଏକ ସମ୍ବଲପୁରୀ ଟସର ସିଲ୍କ ଶାଢ଼ୀ ପାଖରେ ଅଟକି ଗଲା |ସେ ମୁଗ୍ଧ ହୋଇ ତାକୁ କିଛି ସମୟ ଚାହିଁ ରହିଲେ |ଦୋକାନୀ କହୁଥିଲା,ସେଇଟା କାଳେ ହଜାର ବୁଟି ସମ୍ବଲପୁରୀ ଟସର ସିଲ୍କ |କିନ୍ତୁ ତା ଦାମ ତାଙ୍କ ହିସାବରେ ବହୁତ ଅଧିକ ଥିଲା |ଅଯଥାରେ ପୁଅକୁ ଖର୍ଚ୍ଚାନ୍ତ କରିବାକୁ ତାଙ୍କର ଇଛା ହେଲା ନାହିଁ |ତେଣୁ ସେ ନିଜ ପାଇଁ ଏକ ପିଓର ସିଲ୍କ ଶାଢ଼ୀ କିଣିଲେ | ଆଦିକନ୍ଦ ଅନିଷର  ପସନ୍ଦ ଅନୁଯାୟୀ ଡ୍ରେସ କିଣିଲେ |ସମସ୍ତେ ଖୁସି ଥିଲେ |ସପିଂ ମଲରେ ଥିବାବେଳେ ସେମାନଙ୍କ ଖୁସିକୁ  ଶତଗୁଣିତ କରି ଦିବ୍ୟାଶା ପାଖରୁ ଫୋନ ଆସିଲା |ଅଫୁରନ୍ତ ଆନନ୍ଦରେ  ତାର ହାଇଦ୍ରାବାଦ ଟ୍ରାନ୍ସ୍ଫର ହୋଇ ଯାଇଛି ବୋଲି ସେ କହୁଥିଲା |ଏହି ଖବର ସେମାନଙ୍କ ପାଇଁ କୌଣସି ଦୈବୀ ଆଶୀର୍ବାଦ ଠାରୁ କମ ନଥିଲା |ଖୁସିରେ ଅନସୂୟାଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରିଗଲା   |ସେ ତାଙ୍କର ଦୁଇ ହାତ ଉପରକୁ ଟେକି,ଇଶ୍ୱରଙ୍କୁ ବାରମ୍ବାର କୃତଜ୍ଞତା ଜଣାଇଲେ  |

        ଆବଶ୍ୟକୀୟ ଦରକାରୀ ସାମଗ୍ରୀ କିଣିବା ପରେ, ଜାଇ ଅନୁକୂଳ ପାଇଁ ସମସ୍ତେ ଗାଆଁକୁ ଗଲେ  |ବିଧି ବିଧାନ ସହିତ ଧୁମଧାମରେ ଜାଇ ଅନୁକୂଳ ହେବାପରେ ଉଭୟ ଆଦିକନ୍ଦ ଓ ଅନସୂୟା ପୁରୀ ଯାଇ,ସେମାନଙ୍କ ପ୍ରଥମ ବିବାହ ନିମନ୍ତ୍ରଣ ପତ୍ର  ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦେଇ ଆସିଲେ |ଏହା ଭିତରେ ଅନିଷ ବାରମ୍ବାର ଫୋନ କରି ଆୟୋଜନ କେତେଦୂର ଆଗେଇଲା,ସେ ବିଷୟରେ ଖବର ନେଉଥାଏ |

        କିନ୍ତୁ ଯେଉଁ କଥାକୁ ଅନସୂୟାଙ୍କ ଭୟ ଥିଲା,ସେଇଆ ହେଲା |ବାହାଘର ଆଠଦିନ ବାକି ଥିବାବେଳେ ବଡ଼ବୋଉଙ୍କର ଅକସ୍ମାତ ହୃଦଘାତରେ ପରଲୋକ ହୋଇଗଲା |ଏହି ଦାରୁଣ ଦୁଃସମ୍ବାଦ ପାଇ ଆଦିକନ୍ଦ ଓ ଅନସୂୟା ଦୁଃଖରେ ଭାଙ୍ଗି ପଡ଼ିଲେ |ବଡ଼ବୋଉଙ୍କ ପରଲୋକରେ ଅନସୂୟା ଯେତେ ଦୁଃଖୀ ନଥିଲେ,ନିଜର ଏକମାତ୍ର ପୁଅର  ବାହାଘରରେ ଅଂଶ ଗ୍ରହଣ କରି ପାରିବେନାହିଁ  ବୋଲି ତାଠାରୁ ଅଧିକ ଦୁଃଖୀ ଥିଲେ |ସେ କାନ୍ଦି କାନ୍ଦି ଆକାଶ ଧରିତ୍ରୀ ଏକ କରି ଦେଉଥିଲେ |ଆଦିକନ୍ଦ ତାଙ୍କୁ ବହୁତ ବୁଝାଇଲେ ଓ  କହିଲେ,ଆମ ଇଛାରେ କିଛି ନାହିଁ,ସବୁ ଈଶ୍ୱରଙ୍କ ଇଛା |ତାଙ୍କ ଇଛା ଆଗରେ ଆମେ ବା କଣ କରି ପାରିବା  ?

         ଅନେକ ଆଲୋଚନା ଓ ପଣ୍ଡିତଙ୍କ ପରାମର୍ଶ କ୍ରମେ,ବାହାଘର ଅଟକିବ ନାହିଁ,ମାମୁଁଘର ବାହାଘର କରିବେ ଓ ଅନିଷ  ଆସିଲେ,କାହାକୁ ଛୁଆଁ ଛୁଇଁ ନକରି,ସିଧା ମାମୁଁଘରକୁ ଯିବ ବୋଲି ନିଷ୍ପତ୍ତି ନିଆଗଲା | (କ୍ରମଶଃ)

         

Tuesday, April 13, 2021

ଅନନ୍ୟା (ଭାଗ 50)

         ଚା' ପିଉ ପିଉ ଅନେକ ଆଲୋଚନା ହେଲା |ବଡ଼ବୋଉ ବି ସେହି ଆଲୋଚନାରେ ଭାଗ ନେଲେ |ଘଣ୍ଟାଏ ପରେ ସେମାନେ ଯେତେବେଳେ ଯିବାକୁ ବାହାରିଲେ,ଅନସୂୟା କହିଲେ,'ଆନି' ଥାଉ....କହୁ କହୁ ନିଜ ଭ୍ରମ ସଂଶୋଧନ କରି କହିଲେ,'ଦେବୁ' ଥାଉ,ଆମେ ଛାଡ଼ିଦେଇ ଆସିବୁ |ଭାରତୀ ହସି ହସି କହିଲେ,ଆପଣ ସେହି 'ଆନି' ନାମରେ ଡାକନ୍ତୁ |ସେ ସିନା ଆମର 'ଦେବୁ' ଆପଣଙ୍କର ତ 'ଆନି' | ତାଙ୍କ କଥା ଶୁଣି ସମସ୍ତେ ହସିଲେ,ଅନସୂୟା ମଧ୍ୟ ହସିଦେଲେ |କହିଲେ, ଡିନର ପାଇଁ ଅର୍ଡର କରି ନଥିବେ,ଆମେ ପଠେଇବୁ |

       ଭାରତୀ କହିଲେ,କାହିଁକି ଏତେ କଷ୍ଟ କରିବେ ?ହଉ ଠିକ ଅଛି,ଆପଣ କହିଲେଣି ଯେତେବେଳେ,କିନ୍ତୁ ବେଶୀ ପଠେଇବେ ନାହିଁ,ଦିନର ଖାଇବା ଏପର୍ଯ୍ୟନ୍ତ ହଜମ ହୋଇନାହିଁ |ଅନସୂୟା କହିଲେ,ହଁ,ହଁ ,ଜାଣିଛି  |

      ଭାରତୀ  ଯିବାକୁ ବାହାରିଲେ |କହିଲେ,ଆମେ ଯାଉଛୁ,ଦେବୁକୁ ଶୀଘ୍ର ପଠେଇଦେବେ |

        ସେମାନେ ଯିବା ପରେ ପରେ ଅନିଷ ଦିବ୍ୟାଶାକୁ ଆସିବାକୁ କହି,ତାର ବାଇକ ବାହାର କଲା |ଅନସୂୟା ପଚାରିଲେ,ପୁଣି କୁଆଡ଼େ ବାହାରିଲୁ ?ଅନିଷ ବାଇକ ରଖିଦେଇ ତାଙ୍କ ପାଖକୁ ଆସି ଧୀର ସ୍ୱରରେ କହିଲା,ଆଜି ତମେ ମତେ ରୋକି ପାରିବ ନାହିଁ |ମୋ ମନ ଆଜି ବହୁତ ଖୁସି,ମୁଁ ଯୁଆଡେ ଇଛା,ସିଆଡେ ବୁଲିବି |ଟିକିଏ ରହି ପୁଣି କହିଲା,ଡୋଣ୍ଟ ୟୋରି,ଠିକ ଟାଇମରେ ଚାଲି ଆସିବି |ଆଉ ଗୋଟିଏ କଥା, ତମେ ରାତିରେ ରୋଷେଇ କରିବନି,ମୁଁ ଅର୍ଡର କରି ଦେଇଛି,ଆସିଲେ,ସାଙ୍ଗ ହୋଇ ଖାଇବା |ହେଲା ?

             ଅନସୂୟା କହିଲେ,ହଉ,ଟିକେ ରହ |ଅନିଷ ପଚାରିଲା,ପୁଣି କଣ ହେଲା ?ସେତେବେଳକୁ ଅନସୂୟା ଭିତରକୁ ଯାଇ,ଆଲମିରାରେ ସାଇତି ରଖିଥିବା ମୁଦି ଆଣି ଦିବ୍ୟାଶା ହାତକୁ ବଢ଼ାଇ ଦେଇ କହିଲେ,ନେ ତୋର ଅମାନତ |ଏବେ ନେବାରେ କିଛି ଆପତ୍ତି ନାହିଁ ତ ?ଦିବ୍ୟାଶା ଲାଜୁଆ ହସ ହସି ତାର ଆଙ୍ଗୁଠି ଅନସୂୟାଙ୍କ ଆଡକୁ ବଢ଼େଇ ଦେଇ କହିଲା,ଆପଣ ପିନ୍ଧେଇ ଦିଅନ୍ତୁ |

      ଅନିଷ ପ୍ରତିବାଦ କରି କହିଲା,ଇଏତ ମୁଁ ଦେଇଥିବା ମୁଦି,ମମି କାହିଁକି ପିନ୍ଧେଇବେ ଯେ ?ଦିବ୍ୟାଶା କହିଲା,ମୁଁ ଆଣ୍ଟିଙ୍କୁ ରଖିବାକୁ ଦେଇଥିଲି,ଆଣ୍ଟି  ମତେ ଫେରେଇଲେ |ତେଣୁ ସେ ମତେ ପିନ୍ଧେଇଦେବା କଥା ନାଁ ?ଅନସୂୟା ଅନିଷକୁ କହିଲେ,ଦେଖିଲୁ,ମୋ ଝିଅ କେମିତି କହୁଛି ?ଅନିଷ କହିଲା,ହଉ ଠିକ ଅଛି ମୋ ମା |ମୁଁ ତାକୁ ମୋ ପାଇଁ ବାଛି ଆଣିଲି,ଦେଖିଲା ବେଳକୁ  ସେ ଗୋଟାପଣେ ତମର ହୋଇ ଗଲାଣି !ତା କଥା ଶୁଣି ଅନସୂୟା ହସି କରି କହିଲେ,ପୁଣି ଚଗଲାମି ବାହାରିଲା ? 

       ଯିବା ପୂର୍ବରୁ ଦିବ୍ୟାଶା ବଡ଼ବୋଉ ଓ ଅନସୂୟାଙ୍କୁ ପ୍ରଣାମ କଲା |  ତାଙ୍କ ଯିବା ବାଟକୁ ଚାହିଁ ଅନସୂୟା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ମନେ ମନେ କହିଲେ,ହେ,ମା ମଙ୍ଗଳା ,ମୋ ପିଲା ଦୁଇଟିଙ୍କୁ ରକ୍ଷା କର |

        ବଡ଼ବୋଉଙ୍କୁ କଣ ଉତ୍ତର ଦେବେ,ଏହା ଭାବି ସେ ଭିତରକୁ ଗଲେ |ସେ କିଛି କହିବା ପୂର୍ବରୁ ବଡ଼ବୋଉ କହିଲେ, ଆଜି ଦିନଟା ଗଲେ,କିଏ କୁଆଡେ ଚାଲିଯିବେ,ପୁଣି ମାସକ ପରେ ଦେଖା ,ନିର୍ବନ୍ଧ ତ ସରି ଯାଇଛି,ଯାଆନ୍ତୁ ଘେରାଏ ବୁଲି ଆସିବେ,ତୁ କାହିଁକି ବ୍ୟସ୍ତ ହଉଛୁ ?

          ନଅଟା ବେଳକୁ ହୋମ ଡେଲିଭରି ଖାଦ୍ୟ ପହଞ୍ଚିଗଲା |ତାକୁ ଦେଖି ଆଦିକନ୍ଦ କହିଲେ,ଅନିଷ କୁଆଡେ ଗଲା ?ଏତେ ରାତି ହେଲାଣି,ଗାଡି ମଟର ଚାଲିଛି,ସେ ପୁଣି ଯେତେ ଜୋରରେ ଗାଡି ଚଲାଏ,ମାଆ ପୁଅ ତ ଭଲ ଯୋଡ଼ି କରିଛ ,କାହା କଥା କଣ ମାନିବ ?ଅନସୂୟା କିଛି ଉତ୍ତର ନଦେଇ ମନେ ମନେ ଠାକୁରଙ୍କୁ ଡାକୁଥିଲେ,ପୁଅ ମୋର ଭଲରେ ଘରେ ପହଞ୍ଚି ଯାଉ |

         ଦଶଟା ବାଜିବାକୁ ଯାଉଥିଲା,ଅନିଷ ଆସି ପହଞ୍ଚିଲା |ସେତେବେଳେ ଯାଇଁ ଅନସୂୟା ଶାନ୍ତିର ନିଃଶ୍ୱାସ ନେଲେ |ପଚାରିଲେ,ଆନି କାହିଁ ?ଅନିଷ କହିଲା,ତାକୁ ଛାଡ଼ିଦେଇ ଆସିଲି,ତାକୁ ଏଠିକି ଆଣିଲେ,ପୁଣି ଛାଡ଼ିଥାନ୍ତି କେତେବେଳେ ?ସେମାନେ ତାକୁ ଶୀଘ୍ର ଛାଡିବାକୁ କହିଥିଲେ ପରା ! ତମେ ଖାଇବା ବାଢ,ମୁଁ ଚଟାପଟ ଡ୍ରେସ ଚେଞ୍ଜ କରି ଆସୁଛି |ସେ ଭିତରକୁ ଯିବାବେଳେ ବଡ଼ବୋଉଙ୍କୁ ଚକଲେଟ ଆଇସକ୍ରିମ ଦେଇ କହିଲା,ଏଇଟା ତମ ପାଇଁ ଜେଜୀମା ,ଡିନର ଖାଇ ସରିଲା ପରେ ଖାଇବ |ହେଲା ??ବଡ଼ବୋଉ ଖୁସି ହୋଇ,ତା ମୁଣ୍ଡରେ  ହାତ ଆଉଁସି କହିଲେ,ବୁଢ଼ା ଟିଏ ହୋଇଥାଆ ବାପା,ଭଗବାନ ତତେ ସକଳ ସୁଖ ଐଶ୍ଵର୍ଯ୍ୟ ଦିଅନ୍ତୁ !!!(କ୍ରମଶଃ)

       

Monday, April 12, 2021

ଅନନ୍ୟା (ଭାଗ 49)

           ନିର୍ବନ୍ଧ ପାଇଁ ଭାରତୀଙ୍କ ତରଫରୁ ଦଶଜଣ ଆସିଥିଲେ |ସେମାନଙ୍କୁ ହୋଟେଲରେ ରଖାଇବାର ସୁବନ୍ଦୋବସ୍ତ କରାଯାଇ ଥିଲା |ଭୁବନେଶ୍ୱରରେ  ମଧ୍ୟ ତାଙ୍କର ଆଉ କେତେ ବନ୍ଧୁବାନ୍ଧବ ଥିଲେ |ସମସ୍ତେ ମିଶି କୋଡ଼ିଏ ପାଖାପାଖି ଥିଲେ |ଏପଟେ ଆଦିକନ୍ଦଙ୍କ ତରଫରୁ ଅତିଥି ଓ ବନ୍ଧୁବାନ୍ଧବଙ୍କ ସଂଖ୍ୟା ଦୁଇଶହରୁ ଉର୍ଦ୍ଧ୍ୱ ଥିଲା |ସେମାନଙ୍କ ସେବାରେ ଯେପରି କିଛି ତ୍ରୁଟି ବିଚ୍ୟୁତି  ରହିନ ଯାଏ,ସେଥିପାଇଁ ଆଦିକନ୍ଦ ନିଜେ ସେସବୁ କଥା ବୁଝୁଥିଲେ | ରିଙ୍ଗ ସେରିମନିରେ ଅନିଷ ଓ ଦିବ୍ୟାଶା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ |ସେମାନଙ୍କ ତାରିଫ ଶୁଣି ଶୁଣି ଆଦିକନ୍ଦ ଓ ଅନସୂୟା ଖୁସିରେ  ଫାଟି ପଡୁଥିଲେ |କେହି କେହି କହୁଥିଲେ,ଆଜିକାଲି ଯୁଗରେ ଝିଅ ନ ମିଳିବା ବେଳକୁ ଏଡ଼େ ସୁନ୍ଦର,ଗୁଣର ଝିଅ କେଉଁଠୁ ଖୋଜି ଆଣିଲେ ?  

         ଖାଇବା ବେଳେ ମଧ୍ୟ ସେଇ ଏକା କଥା |ଚମତ୍କାର ଖାନା ସାଙ୍ଗକୁ ଆଦିକନ୍ଦ ଓ ଅନସୂୟାଙ୍କ ନମ୍ର ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରିଥିଲା |ଖାଇ ସାରିବା ପରେ ହୋଟେଲରେ କିଛି ସମୟ ବିଶ୍ରାମ ନେଇ,ତାଙ୍କ ଘରକୁ ଆସିବା ପାଇଁ,ଭାରତୀଙ୍କୁ ଅନସୂୟା ଅନୁରୋଧ କରିଥିଲେ |ଭାରତୀ ଏଥିରେ ରାଜି ହୋଇଥିଲେ |

         ସେମାନେ ଘରକୁ ଫେରିବା ପରେ ଅନିଷ ଅନସୂୟାଙ୍କୁ କହିଲା,ମମି ସେମାନେ ଆମ ଘରକୁ ଆସିଲେ,ଆନିକୁ ରଖିଦେବ |ମୁଁ ତାକୁ ଛାଡ଼ିଦେଇ ଆସିବି |ଆଉ ତାଙ୍କୁ କହିବ,ଡିନର ପାଇଁ,ସେମାନେ କିଛି ଅର୍ଡର କରି ନଥିବେ;ଆମେ ତାଙ୍କ ପାଖକୁ ପଠେଇବୁ |ଅନସୂୟା ତାକୁ ଚାହିଁ ମୁରୁକି ହସି କହିଲେ,ହଉ ଠିକ ଅଛି,କହିଦେବି  |ସେଠାରେ ବଡ ଜେଜିମା (ବଡ଼ବୋଉ)ଅଛନ୍ତି ବୋଲି ଅନିଷ ଦେଖିପାରି ନଥିଲା |ଅନିଷ କଥା ଶୁଣି ସେ ହସି ହସି କହିଲେ,ଆଲୋ ହେ ଅଂଶୁ,ଏ ନାତି ଟୋକା ତ ବଡ଼ ତରକା ଅଛି ?

         ଅନିଷ କହିଲା,ଓହୋଃ ,ତମେ ଏଇଠି ଅଛ କି ?ଚକଲେଟ,ଆଇସକ୍ରିମ,ଗୁପ୍ଚୁପ,ବରା ,ସିଙ୍ଗଡ଼ା ୟା ଭିତରୁ ତମେ କଣ ଖାଇବ କୁହ,ସାଙ୍ଗେ ସାଙ୍ଗେ ଆଣିଦେଵି |ୟା ଛଡ଼ା,ଆଉ  ଯାହା ଖାଇବାକୁ ଇଛା ଅଛି କୁହ,ଖୋଜି ଖୋଜି ଆଣିଦେଵି |

         ବଡ଼ବୋଉ କହିଲେ,ତୁ ମତେ ଏତେ ଲାଞ୍ଚ ଯାଚିଲୁଣି ?ହଉ ଠିକ ଅଛି,ମୋ ପାଇଁ ଚକଲେଟ ଆଇସକ୍ରିମ ଆଣିବୁ |ଅନିଷ ତାଙ୍କୁ କୁଣ୍ଢେଇ ପକାଇ କହିଲା,ଆଲୋ ଜେଜିମା ,ତମେ ତ ଭାରି ସଉକିଆ |ହଉ ମୁଁ ଏଇ ଗଲି ଆଉ ଏଇ ଆସିଲି |ଏତିକି କହି ସେ ବାହାରକୁ ଯିବା ବେଳକୁ ଦେଖିଲା,ଦିବ୍ୟାଶା ,ଭାରତୀ ଓ ତାଙ୍କ ଟିମର ଆଉ ତିନି ଚାରିଜଣ ଗେଟ ଖୋଲି ଭିତରକୁ ଆସୁଛନ୍ତି |ସେ ଫେରିଯାଇ ଅନସୂୟାଙ୍କୁ ଏହି ଖବର ଦେଲା |ଅନସୂୟା ତତକ୍ଷଣାତ ଆସି ସେମାନଙ୍କୁ ସାଦର ଅଭ୍ୟର୍ଥନା ଜଣେଇ ଭିତରକୁ ପାଛୋଟି ନେଇଗଲେ | ସମସ୍ତେ ତାଙ୍କର ପାର୍ଟି ଡ୍ରେସ ବଦଳେଇ,ସାଧାରଣ ଡ୍ରେସ ପିନ୍ଧିଥିଲେ |

         ସେମାନଙ୍କ ପାଇଁ ଚା' ତିଆରି କରିବାକୁ,ଅନସୂୟା ରୋଷେଇ ଘରକୁ ଯାଉ ଯାଉ ଦିବ୍ୟାଶା ତାଙ୍କ ପଛେ ପଛେ ଯାଇ ସେଠାରେ ହାଜର ହୋଇଗଲା |ଅନସୂୟା କହିଲେ,ତୁ କାହିଁକି ଆସିଲୁ ?ଦିବ୍ୟାଶା କହିଲା,ପ୍ଲିଜ ଆଣ୍ଟି,ମତେ ମନା କରନ୍ତୁନି |ଅନସୂୟା ଚା' ତିଆରି କରି ସାରିବା ପରେ,ଦିବ୍ୟାଶା କପରେ ଢାଳିଲା ଓ ସେସବୁ,ଟ୍ରେ ରେ ସାଇଜରେ ରଖି ସମସ୍ତଙ୍କୁ ଦେବାକୁ ଗଲା |ସେ ପ୍ରଥମେ ଯେତେବେଳେ ବଡ଼ବୋଉଙ୍କ ହାତକୁ ଚା' କପ ବଢ଼େଇ ଦେଲା,ସେ ତାକୁ ମୁଗ୍ଧ ହୋଇ ଅପଲକ ନେତ୍ରରେ ଚାହିଁ ରହିଲେ ଓ କହିଲେ,ଏମିତି ରତ୍ନ କୋଟିକରେ ଗୋଟିଏ ଥାଆନ୍ତି ,ତୋର ବଡ଼ ଭାଗ୍ୟ ଲୋ ଅଂଶୁ |ତାଙ୍କ କଥା ଶୁଣି ତୁରନ୍ତ କିଛି କହିବା ପାଇଁ ଅନିଷର ପାଟି ଖଲ ଖଲ ହେଉଥିଲା |କିନ୍ତୁ ଦିବ୍ୟାଶାର ଘର ଲୋକେ ଉପସ୍ଥିତ ଥିବାରୁ ସେ ଚୁପ ରହିଗଲା |(କ୍ରମଶଃ)

         

ଅନନ୍ୟା (ଭାଗ 48)

            ଅଫିସରୁ ଫେରି ଆଦିକନ୍ଦ ଅନସୂୟାଙ୍କୁ ପାଖକୁ ଡାକି କହିଲେ,ମୁଁ ଅଫିସରୁ ଦୁଇଦିନ ଛୁଟି ଆଣିଛି,କାଲି ଆମେ ଗାଆଁକୁ ଯିବା |ଅନିଷର ନିର୍ବନ୍ଧ ଓ ବାହାଘର ବିଷୟରେ ସମସ୍ତଙ୍କ  ସହିତ କଥା ହେବାର ଅଛି |ବଡ଼ବୋଉଙ୍କ ଦେହ ଭଲ ନାହିଁ,ତାଙ୍କୁ ବି ଟିକେ ଦେଖି ଆସିବା |ବଡ଼ବୋଉଙ୍କ ଦେହ ଖରାପ କଥା ଶୁଣି ଅନସୂୟାଙ୍କ ଛାତି ଚାଉଁ କିନା ହୋଇଗଲା |ସେ  ପଚାରିଲେ,ଅଚାନକ ତାଙ୍କର କଣ ହେଲା ?

           ଆଦିକନ୍ଦ କହିଲେ,ତାଙ୍କୁ ଚଉରାନବେ ବର୍ଷ ହେଲାଣି |ମଝିରେ ମଝିରେ ଏମିତି ଦେହ ଖରାପ ହୋଇ ଯାଉଛି,ବାର୍ଦ୍ଧକ୍ୟଜନିତ ରୋଗ,କଣ କରିବା ?ଅନସୂୟାଙ୍କୁ ଚିନ୍ତା ଘାରିଗଲା |ସେ ସେଇଠି ଗାଲରେ ହାତ ଦେଇ ବସିଗଲେ |ଆଦିକନ୍ଦ ପଚାରିଲେ,ତମର ପୁଣି କଣ ହେଲା ?

           ଅନସୂୟା କହିଲେ,ଆଗକୁ ବାହାଘର ଅଛି,ଯଦି କିଛି ଭଲମନ୍ଦ ହୋଇଯାଏ,ତାହେଲେ କଣ କରିବା ?ଆଦିକନ୍ଦ କହିଲେ,ତମର ସବୁଯାକ ଚିନ୍ତା ସେଇ ବାହାଘର ପାଖରେ ଅଟକି ଯାଇଛି,ନୁହେଁ ?କିଛି ହୋଇଗଲେ,ମାମୁଁ ଘର କଣ ପାଇଁ ଅଛନ୍ତି ? ଜମା ବ୍ୟସ୍ତ ହୁଅନା,ଈଶ୍ୱରଙ୍କ ଯାହା ଇଛା,ତାହାହିଁ ହେବ |ଆମ ହାତରେ କିଛି ନାହିଁ |

       ଅନସୂୟା ମୁଣ୍ଡ ହଲାଇ କହିଲେ,ଠିକ କହିଛ,ଆମେ ଯେତେ ଭାବିଲେ କଣ ହେବ,ଈଶ୍ୱରଙ୍କ ଇଛା ଆଗରେ ଆମେ ସମସ୍ତେ ଶକ୍ତିହୀନ |ଆଦିକନ୍ଦ ହସିଦେଇ କହିଲେ,ଏତେକଥା ଜାଣିଛ ଟି ?ହଉ,ଆଗେ ମତେ ଗରମାଗରମ ଚା' କପେ ଦିଅ, .ତାପରେ କାଲି ଗାଆଁକୁ ଯିବାପାଇଁ, ପ୍ରସ୍ତୁତିରେ ଲାଗି ଯାଅ  |ଶନିବାର ରବିବାର ଛୁଟି ଅଛି,ଗାଆଁରେ ଚାରିଦିନ ରହି ଆସିବା |

         ରୋଷେଇଘରେ ଚା' ତିଆରି କରୁ କରୁ ଅନସୂୟା ବଡ଼ବୋଉଙ୍କ କଥା ଭାବୁଥିଲେ |ଶାଶୁ ଶ୍ୱଶୁର ,ବଡ଼ବାପା ସମସ୍ତେ ଆରପାରିକୁ ଗଲେଣି |ଏକା ବଡ଼ବୋଉ ବଞ୍ଚିଛନ୍ତି |ମାମୁଲି ଥଣ୍ଡା କାଶ ବ୍ୟତୀତ ସେ ସବୁବେଳେ ସୁସ୍ଥ ଥାଆନ୍ତି |ଭଗବାନ କରନ୍ତୁ ସେ ସବୁବେଳେ ସୁସ୍ଥ ଥାଆନ୍ତୁ,ତାଙ୍କ ଆଶୀର୍ବାଦରେ ମୋ ପୁଅ ବୋହୂଙ୍କ ଜୀବନ ସୁଖ ଶାନ୍ତିରେ ଭରିଯାଉ |

          ସେମାନେ ଗାଆଁରେ ପହଞ୍ଚି ଦେଖିଲେ,ବଡ଼ବୋଉ ଦାଣ୍ଡପିଣ୍ଡାରେ ଏକ ଚେୟାରରେ ବସିଛନ୍ତି |ମୁହଁ ତାଙ୍କର ଈଷତ ଫୁଲି ଯାଇଥିଲା,ଆଖି ଦୁଇଟିରେ ଲେଞ୍ଜରା ଭର୍ତ୍ତି |ସେ ବହୁତ  ଦୁର୍ବଳ ଜଣା ପଡୁଥିଲେ |ଦୁହେଁ ତାଙ୍କୁ ଦଣ୍ଡବତ କଲେ |ସେମାନଙ୍କୁ ଦେଖି ବଡ଼ବୋଉ ଖୁସି ହୋଇ କହିଲେ,ଖବର ନଦେଇ,ଦୁଇଜଣଯାକ  ଏକାସାଙ୍ଗରେ ଚାଲି ଆସିଲ ?ବହୁତ ଭଲ କଲ | ତରତର ହୋଇ ପଳେଇ ଯିବନି,ଦୁଇ/ଚାରିଦିନ ରହିକରି ଯିବ |ଅନସୂୟା ତାଙ୍କ ରୁମାଲରେ ବୋତଲ ପାଣିରେ ତାଙ୍କ ଆଖିରୁ ଲେଞ୍ଜରା ପୋଛି ଦେଇ,ତାଙ୍କ ପାଦ ପାଖରେ ବସି କହିଲେ,ହଁ,ବଡ଼ବୋଉ,ଏଥରକ କିଛିଦିନ ଗାଆଁରେ ରହିବା ପକ୍କା |

        ପାଟି ଶୁଣି ଭିତରୁ ସାନଯାଆ ବାହାରି ଆସିଲା |ସେମାନଙ୍କୁ ଦେଖି ଖୁସିହୋଇ ମୁଣ୍ଡିଆ ମାରି କହିଲା,ଭିତରକୁ ଆସ |ଅନସୂୟା କହିଲେ,ବଡ଼ବୋଉ ଏକୁଟିଆ ବସିଛନ୍ତି,କାଳେ ପଡ଼ିଯିବେ,ତାଙ୍କୁ ଭିତରକୁ ନେଇଯିବା |ଯାଆ କହିଲା,ନାଇଁ ସେ ପଡିବେନି,ପବନ ଖାଇବେ ବୋଲି କହିଲେ ତ,ସେଇଥିପାଇଁ ଏଇଠି ବସେଇ ଦେଇଛୁ |ଅନସୂୟା କହିଲେ,ଭିତରେ ସାଙ୍ଗ ହୋଇ ସମସ୍ତେ ଗପିବା |ଯାଆ ଆଉ ତାଙ୍କ କଥା ଭାଙ୍ଗି ପାରିଲା ନାହିଁ |ବଡ଼ବୋଉଙ୍କୁ ଧରି ସେମାନେ ଭିତରକୁ ନେଇଗଲେ |

         ନିର୍ବନ୍ଧ ଓ ବାହାଘର ପାଇଁ,ଗାଆଁରେ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ ହେଲା |କଥା ହେଲା,ଗାଆଁରୁ ସମସ୍ତେ ଗାଡ଼ିରେ ଆସିବେ ଓ ନିର୍ବନ୍ଧ ପରେ ସେହି ଗାଡ଼ିରେ ଗାଆଁକୁ ଫେରିଯିବେ |ବୟସାଧିକ୍ୟ ଦୃଷ୍ଟିରୁ ବଡ଼ବୋଉଙ୍କୁ ନେବା ଆଣିବା କରିବା ଠିକ  ହେବନାହିଁ ବୋଲି ସାନଭାଇ କହିଲେ |ଆଦିକନ୍ଦ କିନ୍ତୁ ରାଜି ହେଲେନାହିଁ |କହିଲେ,ବଡ଼ବୋଉ ଯିବେ |ନିର୍ବନ୍ଧ ପରେ ଆମଘରେ କିଛିଦିନ ରହିବେ |ମୁଁ ଗାଆଁକୁ ଆସିଲାବେଳେ ତାଙ୍କୁ ନେଇ ଆସିବି |ସମସ୍ତେ ଏଥିରେ ଏକମତ ହେଲେ |

          ନିର୍ବନ୍ଧର ଦୁଇଦିନ ପୂର୍ବରୁ  ଅନିଷ ଚାଲି ଆସିଲା |ପ୍ରଥମେ ସେ ଅନସୂୟାଙ୍କୁ ଟେକି ଧରି ଥୋଡାଏ ନାଚିଗଲା |କହିଲା,ମମି,ତମପାଇଁ ମୋ ସ୍ୱପ୍ନ ସାକାର ହେବାପାଇଁ ଯାଉଛି,ତମକୁ କେଉଁ ଭାଷାରେ ଧନ୍ୟବାଦ ଦେବି,ଜାଣି ପାରୁନି |ଅନସୂୟା କହିଲେ,ଏବେ ତୋର ସବୁ ଖୁସି ସାଇତି ରଖିଥାଆ,ଯେତେବେଳେ ଆନି ବୋହୂ ହୋଇ ଆମଘରେ  ପାଦଦେବ,ସେତେବେଳେ ଯାହା ଧନ୍ୟବାଦ ଦେବାର କଥା,ମୋ ଉପରେ ଅଜାଡି ପକେଇବୁ |

     ଅନିଷ ମୁହଁ ଶୁଖେଇ କହିଲା,କାହିଁକି ଏମିତି ହେଉଛ ମମି, ସବୁ ତ ଠିକ ହୋଇଗଲା,ଆଉ କଣ ଅସୁବିଧା ବାକି ଅଛି ଯେ ?ଅନସୂୟା କହିଲେ,ତୁ ଜାଣିନୁ,ବେଶି ଖୁସି ହେଲେ,ବେଳେବେଳେ ସେଥିରେ କାହାର ନଜର ଲାଗିଯାଏ |(କ୍ରମଶଃ)

         

        

Sunday, April 11, 2021

ଅନନ୍ୟା (ଭାଗ 47)

        ମାସକ ପରେ ନିର୍ବନ୍ଧ ଓ ତା ପରମାସ ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା | ଏଥିରେ ସମସ୍ତେ ବହୁତ ଖୁସି ଥିଲେ |ଅନିଷ ଓ ଦିବ୍ୟାଶାଙ୍କ କଥା ନ କହିଲେ ଭଲ,ସେମାନେ ସ୍ଵର୍ଗରେ ବିଚରଣ କରୁଥିଲେ |ନନାଙ୍କ ଠାରୁ ତାଲିକା ନେଇ ଅନସୂୟା ପୂଜା ଜିନିଷ ଯୋଗାଡ଼ରେ ବ୍ୟସ୍ତ ଥିଲେ |କାରଣ ପଛକୁ ସବୁ ରଖିଲେ,ଭୁଲଭାଲ ହୋଇଯିବାର ସମ୍ଭାବନା ଅଧିକ ଥିଲା |

         ବଡ଼ ମାର୍କେଟର ପୂଜା ସାମଗ୍ରୀ ଦୋକାନକୁ ଯିବାବେଳେ କେହିଜଣେ ତାଙ୍କୁ ମାଡାମ ମାଡାମ ଡାକି ତାଙ୍କ ସାମ୍ନାରେ ଛିଡ଼ା ହୋଇ ହସି ହସି କହିଲେ,ମତେ ଚିହ୍ନି ପାରୁଛନ୍ତି ?ଭଦ୍ରମହିଳା ଏକ ନାଲି ରଙ୍ଗର ସିଫନ ଶାଢ଼ୀ ପିନ୍ଧିଥିଲେ |ହାତରେ ତାଙ୍କର ସପିଂ ବ୍ୟାଗ ଥିଲା |ଆଖିରେ କଳା ଚଷମା ଓ ମୁକୁଳା କେଶରେ ସେ ଅପରୂପା ଦିଶୁଥିଲେ |ଅନସୂୟା ମନେ ପକାଇବାକୁ ଚେଷ୍ଟା କରି ବିଫଳ ହୋଇ କହିଲେ,ନାଁ ମାଡାମ,ମୁଁ ଜମା ମନେ ପକାଇ ପାରୁନି |

         ଭଦ୍ରମହିଳା ହସି ହସି କହିଲେ,ମୁଁ କିନ୍ତୁ ଆପଣଙ୍କୁ ଆଦୌ ଭୁଲି ପାରିବିନି |କେଉଁ ଯୋଗରେ ଆପଣ ସେଦିନ ଆମ ଘରକୁ ଆସିଥିଲେ ଯେ ମୋ ଝିଅର ଜୀବନର ମୋଡ଼ ସମ୍ପୂର୍ଣ୍ଣଭାବେ ବଦଳିଗଲା |ଜିରୋରୁ ସେ ହିରୋ ପାଲଟି ଗଲା |ଯାହାକୁ ଦିନେ ଆମର ବୋଝ ବୋଲି ଭାବୁଥିଲୁ ସେ ଆମପାଇଁ ଗର୍ବ ଓ ଗୌରବ ଆଣିଦେଲା  |

        ସେ ଦାସ ସାରଙ୍କ ପତ୍ନୀ ବୋଲି,ଏତେବେଳେ ଯାଇଁ ଅନସୂୟା ଜାଣିଲେ |ସେ କହିଲେ,କ୍ଷମା କରିବେ,ସେଦିନ ଘରେ ଆପଣଙ୍କୁ ଡ୍ରେସ ପିନ୍ଧିଥିବା ବେଳେ ଦେଖିଥିଲି ,ଆଜି ଶାଢୀରେ ଆପଣ ଏତେ ସୁନ୍ଦର ଦେଖା ଯାଉଛନ୍ତି ଯେ, ହଠାତ ଚିହ୍ନି ପାରିଲିନି |ଦାସ ସାରଙ୍କ ପତ୍ନୀ ହସି ହସି ଅନସୂୟାଙ୍କ ଦୁଇ ହାତ ନିଜ ହାତ ମୁଠାରେ ଧରି କହିଲେ,ଏତେ ପ୍ରଶଂସା କରନ୍ତୁନି,ମୁଁ ଏହାର ଯୋଗ୍ୟା ନୁହେଁ  |ଅନସୂୟା କହିଲେ,କଣ କରିବି ମାଡାମ,ମୋର ଗୋଟିଏ ଦୁର୍ଗୁଣ ଅଛି,କିଛି ଭଲ ଦେଖିଲେ,ମୁଁ ସାଙ୍ଗେ ସାଙ୍ଗେ ମୁହଁ ଖୋଲି କହିଦେବାକୁ କୁଣ୍ଠା ବୋଧ କରେନାହିଁ  |  ସେ କହିଲେ,ନାଁ ନାଁ ,ସେମିତି କହିଦେଲି,ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା  |ଅନସୂୟା କହିଲେ,ଏଥର ଆପଣଙ୍କ ସେଇ ଗୁଣୀ ଝିଅ କଥା କୁହନ୍ତୁ  |

        ଦାସ ସାରଙ୍କ ପତ୍ନୀ କହିଲେ,ସେଦିନ ଆପଣ ଯିବାପରେ,ମୁଁ ଝିଅର ସ୍ୱପ୍ନ ସାକାର କରିବା ପାଇଁ,ମନେ ମନେ ପ୍ରତିଜ୍ଞା କଲି ଓ ସେଥିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ନିଜକୁ ପ୍ରସ୍ତୁତ କରିନେଲି  |ଝିଅ ମୋର ଭାରି ପରିଶ୍ରମୀ |ସେ ରାଜନୀତି ବିଜ୍ଞାନରେ ଏମ.ଏ.କରି,ଫାର୍ଷ୍ଟ ଚାନ୍ସରେ ଓ.ଏ.ଏସ ପାଇଗଲା |ଗତବର୍ଷ  ତାର ବାହାଘର ବାହାଘର ହେଲା  |ଜ୍ୱାଇଁ ଆମର ଡାକ୍ତର |ଏବେ ଆଇ .ଏ.ଏସ.ପରୀକ୍ଷା ଦେବାପାଇଁ ଝିଅ  ପଢାପଢି କରୁଛି ଓ  ଶାଶୁଘରର ସମସ୍ତେ  ତାକୁ ଏଥିପାଇଁ ସାହାଯ୍ୟ ସହଯୋଗ କରୁଛନ୍ତି |ଅନସୂୟା କହିଲେ,ଶୁଣି ବହୁତ ଖୁସି ଲାଗିଲା |ଝିଅକୁ  ଆମର କଙ୍ଗ୍ରାଚୁଲେସନସ ଜଣେଇ ଦେବେ |

        ଅନସୂୟା ଏଥର ଅନିଷର ନିର୍ବନ୍ଧ କଥା କହି,ସେମାନଙ୍କୁ ଆସିବା ପାଇଁ ନିମନ୍ତ୍ରଣ କଲେ |ଦାସ ସାରଙ୍କ ପତ୍ନୀ କହିଲେ,ମୋ ସ୍ୱାମୀ ଆଦିକନ୍ଦ ବାବୁଙ୍କୁ  ଯେପରି ବେଜ୍ଜିତ ଓ ହଇରାଣ କଲେ ,ସେଠାକୁ ଯିବା ପାଇଁ ଆମର ମୁହଁ ନାହିଁ |  କାହାର ଅଭିଶାପ ପଡିଲା କେଜାଣି,ଏପର୍ଯ୍ୟନ୍ତ ତାଙ୍କ ଭଙ୍ଗା ଗୋଡ଼ ଠିକ ହୋଇ ପାରିଲା ନାହିଁ |ଈଶ୍ୱରଙ୍କ ଦୟାରୁ ଆପଣଙ୍କ ସହିତ ଦେଖା ହେବାର ସୁଯୋଗ ମିଳିଲା |ଯଦି ପାରିବେ,ସାରଙ୍କୁ କ୍ଷମା କରିଦେବେ ;ମୋର ବିଶ୍ୱାସ,ଆପଣଙ୍କ ଶୁଭକାମନାରେ ସେ ନିଶ୍ଚୟ ଭଲ ହୋଇଯିବେ |(କ୍ରମଶଃ)

Thursday, April 8, 2021

ଅନନ୍ୟା (46)

    ଆଦିକନ୍ଦ ଅଫିସରୁ ଫେରିବାପରେ ଅନସୂୟା ତାଙ୍କୁ ଭାରତୀଙ୍କ ଘର ବାହାଘର ବିଷୟରେ ଆଲୋଚନା କରିବାକୁ ଆସିବେ ବୋଲି କହି ଆଦିକନ୍ଦଙ୍କୁ  ଚମକେଇ  ଦେଲେ |ଆଦିକନ୍ଦ କହିଲେ,ବଢିଆ ହେଲା | ଏଥର ତମେ ଭାରି ଖୁସି ନାଁ ?ଅନସୂୟା କହିଲେ,ଆଉ କହିବାକୁ ଅଛି ?କିନ୍ତୁ ତଥାପି ବହୁତ କାମ ବାକି ରହଛି | ଆଦିକନ୍ଦ କହିଲେ,ରାଣୀମା,ମୁଁ ସେଇଥିପାଇଁ କହୁଛି,,ଦେଖି ଚାହିଁ କାମ କରିବ,ନହେଲେ ଭଲ କାମ ବିଗିଡ଼ି ଯିବ !ଅନସୂୟା ନାଟକୀୟ ଭଙ୍ଗୀରେ କହିଲେ,ତଵ ଆଦେଶ ଶିରୋଧାର୍ଯ୍ୟ !! ?ଆଦିକନ୍ଦ ହସିଦେଇ କହିଲେ ଆଛା ,ସେମାନେ ତାହେଲେ  କେବେ ଆସିବେ ?ଅନସୂୟା କହିଲେ,ପରେ ସେକଥା ଜଣେଇବେ ବୋଲି କହିଛନ୍ତି |

    ଆଦିକନ୍ଦ କହିଲେ,ଇଏ ବି ଆଉ ଗୋଟିଏ ସସ୍ପେନ୍ସ !ହଉ,ତମେ ତ ମୂଳରୁ ତାଙ୍କୁ ଅପରହ୍ୟାଣ୍ଡ ଦେଇଛ,ଏବେ ଯିବ କୁଆଡ଼େ ?ସେମାନେ ଯେମିତି କହିବେ,ତମେ ସେମିତି ନାଚିବାକୁ ବାଧ୍ୟ |ଆଗକୁ ଦେଖିବା,କଣ ହେଉଛି ?

          ଦୁଇଦିନ ପରେ ରବିବାର ଥିଲା |ସକାଳୁ ସକାଳୁ ଭାରତୀଙ୍କ ଫୋନ ଆସିଲା |ଅନସୂୟା ଫୋନ ଉଠାଇବା କ୍ଷଣି ଭାରତୀ କହିଲେ,ଅପା ନମସ୍କାର |ଭାଇନା ଅଛନ୍ତି ?ଅନସୂୟା କହିଲେ,ହଁ ଅଛନ୍ତି |ଭାରତୀ କହିଲେ,ତାଙ୍କୁ ଟିକେ ଦିଅନ୍ତୁ,ମୋ ଭାଇ କଥା ହେବେ |ଭାରତୀଙ୍କ ଭାଇ ଫୋନ କରିଛନ୍ତି କହି ଅନସୂୟା ଆଦିକନ୍ଦଙ୍କୁ ଫୋନ ଦେଲେ |ଭାରତୀଙ୍କ ଭାଇ ଭବାନୀ ଆଦିକନ୍ଦଙ୍କ  ଘରର ଠିକଣା ପଚାରିବା ସଙ୍ଗେ ସଙ୍ଗେ ସେମାନେ ସମୁଦାୟ ପାଞ୍ଚଜଣ ଆସନ୍ତା ରବିବାର ଦିନ ସକାଳେ ଆସିବାକୁ କହିଲେ |ଆଦିକନ୍ଦ କହିଲେ,ମାଡାମ ଆସିବେ ତ ?ଭବାନୀ କହିଲେ,ମାଡାମ ମାନେ ଭାରତୀ ତ ?ଆଦିକନ୍ଦ ହଁ କହିବାରୁ ସେ କହିଲେ,ନାଁ, ସେ ଶୁଭ କାମରେ କେମିତି ଯିବ ?

       ଆଦିକନ୍ଦ କହିଲେ,ସେମିତି କେମିତି ହେବ ?ତାଙ୍କ ଝିଅ ବିଷୟରେ ଆଲୋଚନା ହେବ,ଅଥଚ ସେ ରହିବେ ନାହିଁ ?ମାଆ କଣ କେବେ ଅଶୁଭ ହୋଇପାରେ ?ଶିକ୍ଷିତ ହୋଇ,ଏମିତି ଖରାପ ଚିନ୍ତାଧାରା ଆପଣଙ୍କ ମନକୁ କେମିତି ଆସୁଛି, ମୁଁ ଜାଣିପାରୁନି |ଆମର ଏକାନ୍ତ ଅନୁରୋଧ,ଯାହା ବି ହେଉ,ଆପଣ ମାଡାମଙ୍କୁ ଯେମିତି ହେଲେ ସାଙ୍ଗରେ ନେଇ ଆସିବେ |ଭବାନୀ କୁଣ୍ଠିତ ହୋଇ କହିଲେ,ସେ ଯଦି ରାଜି ହେବ,ତାକୁ ଆଣିବାରେ ମୋର କିଛି ଆପତ୍ତି ନାହିଁ |

         ରବିବାର ଦିନ ସେମାନଙ୍କ ପାଇଁ ସୁସ୍ୱାଦୁ ଜଳଖିଆ ଓ ଲଞ୍ଚର ଆୟୋଜନ କରା ଯାଇଥିଲା |ପାଞ୍ଚଜଣ ଆସିବେ ବୋଲି କହିଥିଲେ|କିନ୍ତୁ ସେମାନେ ସମୁଦାୟ ଆଠଜଣ ଆସିଥିଲେ |ତାଙ୍କ ସହିତ ଭାରତୀ ଆସିଥିବାର ଦେଖି ଆଦିକନ୍ଦ ଓ ଅନସୂୟା ଖୁସି ହୋଇଗଲେ |

            ଜଳଖିଆ ,ଚା' ଖାଇବା ପରେ,ଆଲୋଚନା ଆରମ୍ଭ ହେଲା |ଭାରତୀ କହିଲେ,ଆପଣ ପ୍ରଥମେ ଆପଣଙ୍କ ଡିମାଣ୍ଡ କଥା କହି ଦିଅନ୍ତୁ;ଆମକୁ ସୁହାଇଲେ ଆମେ ଆଲୋଚନା ଆଗକୁ ଜାରି ରଖିବୁ  |ଆଦିକନ୍ଦ କହିଲେ,ଆପଣ କଣ ଦେବେ ବୋଲି ସ୍ଥିର କରିଛନ୍ତି,ପ୍ରଥମେ କୁହନ୍ତୁ,ତାପରେ ଆମେ ଆମ କଥା କହିବୁ | ଭବାନୀ କହିଲେ,ଆମେ କ୍ୟାସ ପାଞ୍ଚଲକ୍ଷ ଦେବୁ |ତା ସହିତ ଝିଅର ଯାହା ଦରକାର,ଆମ ଖୁସିରେ ଆମେ ଦେବୁ |ଆଦିକନ୍ଦ ପଚାରିଲେ,କ୍ୟାସ ପାଞ୍ଚଲକ୍ଷ କାହିଁକି ଦେବେ ?ଭବାନୀ କହିଲେ,କାର ପାଇଁ ଦେବୁ ବୋଲି ଧରି ନିଅନ୍ତୁ |ଆଦିକନ୍ଦ କହିଲେ,ତାହେଲେ ଆପଣ ଆମକୁ ପାଞ୍ଚଲକ୍ଷ ଟଙ୍କା ଯୌତୁକ ଦେବେ |ଟଙ୍କା କେମିତି ଦେବେ ବୋଲି ଭାବିଛନ୍ତି ?

         ଭବାନୀ କହିଲେ,ସେଇଟା ଆମେ ଝିଅ ଆକାଉଣ୍ଟରେ ରଖିଦେବୁ |ଆଦିକନ୍ଦ କହିଲେ,ଝିଅ ଯେତେବେଳେ ବୋହୂ ହୋଇ ଆମ ଘରକୁ ଆସିବ,ଆଉ ମୁଁ ଯେତେବେଳେ ଜାଣିବି ଯେ ଆପଣ ତାର ଆକାଉଣ୍ଟରେ ପାଞ୍ଚଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି,ମୁଁ ସେହିଦିନ ସେ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେବି |ତାଙ୍କ କଥା ଶୁଣି ଭାରତୀଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ |ଭାରତୀ ପଚାରିଲେ,ଆପଣ କାହିଁକି ଏମିତି କରିବେ ?

         ଆଦିକନ୍ଦ କହିଲେ,କାହିଁକିନା ଆମର କିଛି ଡିମାଣ୍ଡ ନାହିଁ |ଆପଣ ଆମ ଇଛା ବିରୁଦ୍ଧରେ ଯାଚିକରି ଯାହା ଦେବେ, ଆମେ ତାହା ନେବୁ ନାହିଁ |ଟିଭି ଆଦି ଅସବାବପତ୍ର ବି ଆମର ଦରକାର ନାହିଁ |କାରଣ ଆମର ଛୋଟ ସରକାରୀ ଭଡାଘର,ଆଉ ଅଧିକ ଜିନିଷ ରଖି ଗୋଡ଼ ହାତ ଭାଙ୍ଗିବାକୁ ଆମେ ଚାହୁଁନା |

        ଭାରତୀ କହିଲେ,ମୁଁ ତ ପଚାରିବାକୁ ଭୁଲି ଯାଇଛି,ଭୁବନେଶ୍ୱରରେ ଆପଣଙ୍କର ନିଜର ଘର କରିଛନ୍ତି ?ଆଦିକନ୍ଦ କହିଲେ,ରିଟାୟାର୍ଡ ପରେ ଆମେ ଗାଆଁରେ ରହିବୁ ବୋଇ ସ୍ଥିର କରିଛୁ |ତେଣୁ ଭୁବନେଶ୍ୱରରେ ଘର ତିଆରି କରିବା କଥା ଚିନ୍ତା କରି ନାହୁଁ  |ଭବାନୀ ପଚାରିଲେ,ଏମିତି କାହିଁକି ନିଷ୍ପତ୍ତି ନେଲେ ?

      ଆଦିକନ୍ଦ କହିଲେ, ଯେତେଦିନ ଭୁବନେଶ୍ୱରରେ ରହିଲିଣି,ମୁଁ ଅନୁଭବ କରିଛି ,ଏଠାରେ ପଡୋଶୀ ଘରେ କଣ ତରକାରୀ ହେଉଛି,ତାର ବାସନା ଆମ ନାକରେ ବାଜେ,ତାଙ୍କ କଳି କଜିଆ ଆମ କାନକୁ ଶୁଭାଯାଏ ତାଙ୍କ ଘରକୁ କିଏ ଆସିଲା,ଗଲା,ସେକଥା ବି ଆମକୁ ଜଣା ପଡ଼ିଯାଏ,କିନ୍ତୁ ତାଙ୍କ ଘରେ କିଏ ଅସୁସ୍ଥ ହେଲା କି ମରିଗଲା,ସେକଥା ଆମେ ଜାଣି ପାରୁନା |ଅନ୍ୟ ଅର୍ଥରେ କହିଲେ,ଆମେ ଜାଣିକରି ନ ଜାଣିବାର ଅଭିନୟ କରୁ |ଏମିତି କୃତ୍ରିମ ଜୀବନଶୈଳୀ ପ୍ରତି ଆମର ଘୃଣା ଆସି ଯାଇଛି |ତେଣୁ ଶେଷ ଜୀବନରେ ଗାଆଁରେ ନିଜ ଲୋକଙ୍କ ମେଳରେ ରହି ସୁଖ ଦୁଃଖ ବାଣ୍ଟିବା ଆମପାଇଁ ଅଧିକ ଶ୍ରେୟସ୍କର |

       ଭବାନୀ ଙ୍କ ସ୍ତ୍ରୀ ଗୀତା କହିଲେ,ଆପଣଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ ଧରଣର ; ଏମିତି କଥା ମୁଁ ଜୀବନରେ ପ୍ରଥମ ଥର ପାଇଁ ଶୁଣିଲି  |ଯାହାହେଉ ଏଠିକି ଆସିବା ଆମର ସାର୍ଥକ ହୋଇଗଲା |ଏଥରକ ନିର୍ବନ୍ଧ ଓ ବାହାଘର ବିଷୟରେ ଆଲୋଚନା କରିବା |ଆଦିକନ୍ଦ କହିଲେ,ଆପଣ ଆଗେ ଆପଣଙ୍କ ପ୍ଲାନ ବିଷୟରେ କୁହନ୍ତୁ |

         ଭାରତୀ କହିଲେ,ଆପଣ ପୁଅଘର ବୋଲି ଆମକୁ ଭୁବନେଶ୍ୱର ଆସି ବାହାଘର କରିବାକୁ ଦୟାକରି ବାଧ୍ୟ କରିବେ ନାହିଁ |ନିର୍ବନ୍ଧ ଭୁବନେଶ୍ୱରରେ ହେଉ କିନ୍ତୁ  ବାହାଘର ଆମ ଜାଗାରେ କରିବାକୁ ଆମେ  ଅନୁରୋଧ କରୁଛୁ  |

          ଆଦିକନ୍ଦ କହିଲେ,ଆମର ଆପତ୍ତି ନାହିଁ,ଆମେ ଏଥିରେ ଶତ ପ୍ରତିଶତ ରାଜି ,ଆଉ କଣ ବାକି ରହିଲା,କୁହନ୍ତୁ |ଭବାନୀ କହିଲେ,ଏତେ ସୁନ୍ଦର କଥା କହି ଆପଣ ଆମ ମନ ମୋହିନେଲେ |ଏଥର ଖାଇବା  |ତାପରେ  ନିର୍ବନ୍ଧ,ବାହାଘର ତାରିଖ ଠିକ କରି ଘରକୁ ଖୁସି ମନରେ ଫେରିଯିବା |(କ୍ରମଶଃ)

Wednesday, April 7, 2021

ଅନନ୍ୟା (45)

     ଅନୁପମାଙ୍କ ପାଖରୁ ଫେରି ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା |ଅନସୂୟା ଚଟାପଟ ଗାଧୋଇପଡ଼ି ସନ୍ଧ୍ୟା ଧୂପ ଦେବାପାଇଁ ପ୍ରସ୍ତୁତ ହୋଇଗଲେ    |

      ଠାକୁର ଘରେ ଅନୁପମାଙ୍କ ଠାରୁ ଆଣିଥିବା ଅନିଷର ସଂଶୋଧିତ ଟିପଣା ଟିକୁ ଅତି ଯତ୍ନରେ ଠାକୁରଙ୍କ ଆସ୍ଥାନ ତଳେ ରଖି ସମ୍ପୂର୍ଣ୍ଣ ସମର୍ପିତ ଭାବେ ଈଶ୍ୱରଙ୍କ ପାଦତଳେ ନତମସ୍ତକ ହୋଇ ସେ କହିଲେ,କହିଲେ,ପୁଅର ଖୁସି ପାଇଁ ମୁଁ ଆଜି ଯାହା କଲି,ସେଥିପାଇଁ ମତେ କ୍ଷମା କରିଦିଅ ପ୍ରଭୁ |ଯଦି କିଛି ଭୁଲ କରିଥାଏ,ତାହେଲେ ସେଥିପାଇଁ କେବଳ ମୁଁ ଦାୟୀ ; ଯାହା ଶାସ୍ତି ଦେବାର ଅଛି, କେବଳ ମତେ ହିଁ ଶାସ୍ତି  ଦେବ ଓ ମୋର ସମସ୍ତ  ପୁଣ୍ୟକୁ ମୋ ସ୍ୱାମୀ ପିଲାଙ୍କୁ ଦେଇ,ସେମାନଙ୍କୁ ଅହର୍ନିଶି  ଘଣ୍ଟ ଘୋଡ଼ାଇ ରଖିଥିବ ;ଏତିକି ମୋର ମାଗୁଣି |ଏହାପରେ ଅନେକ ସମୟ ପର୍ଯ୍ୟନ୍ତ ଦେବାଦେବୀଙ୍କ ବନ୍ଦନା ଗାନ କରି ପୂଜାର୍ଚ୍ଚନା କଲେ | 

      ପରଦିନ ଆଦିକନ୍ଦ ଅଫିସ ଯିବାପରେ,ଠାକୁର ଘରୁ ଅନିଷ ର ଟିପଣା ଆଣି ତାକୁ ନିଜ ମଥାରେ ଲଗାଇ,ଭାରତୀଙ୍କ ପାଖକୁ ହ୍ବାଟସଅପରେ ପଠେଇ ତାଙ୍କୁ ସେକଥା ଫୋନ କରି ଜଣେଇ ଦେଲେ |

       ଏହାପରେ ସପ୍ତାହେ ବିତିଗଲା,କିନ୍ତୁ ଭାରତୀଙ୍କ ଠାରୁ କିଛି ଉତ୍ତର ଆସୁନଥିଲା |ଆଶା ଆଶଙ୍କାରେ ଅନସୂୟା କେତେ କଣ ଭାବି ଯାଉଥିଲେ |ଅନେକ ଥର ଭାରତୀଙ୍କ ପାଖକୁ ଫୋନ କରିବାକୁ ଯାଇ ତାଙ୍କ ହାତ ଅଟକି ଯାଉଥିଲା ;ଭାବୁଥିଲେ କାଳେ କଥା ବିଗିଡ଼ି ଯିବ !!!

   ପନ୍ଦର ଦିନ ପରେ ଭାରତୀ ଫୋନ କଲେ |ଖୁସି ହୋଇ କହିଲେ,ଅପା,ନମସ୍କାର |ମୁଁ ତିନିଜଣ ଜ୍ୟୋତିଷଙ୍କୁ ଜାତକ ଦେଖାଇଲି,ସମସ୍ତେ ରାଜଯୋଟକ ପଡ଼ିଛି ବୋଲି କହିଲେ |ଝିଅଘର ହୋଇ ଜାତକମେଳକ ପାଇଁ ଜିଦ୍ଦି କଲି ବୋଲି କିଛି ଭାବିବେନି |ମୋ ବାହାଘର ବେଳେ ଜାତକ ମେଳକ ହୋଇ ନଥିଲା |ସର୍ବ ମଙ୍ଗଳ ଜଗନ୍ନାଥ କହି, ଜାତକ ନ ମିଶେଇ ବାହାଘର କରିଦେଲେ  |ଶେଷରେ ଦେଖନ୍ତୁ,ମୋର କି ଅବସ୍ଥା ହେଲା !!ଅଧା ବୟସରେ ମୋ କପାଳରୁ ସିନ୍ଦୂର ଲିଭିଗଲା |ଯେତେ ପୁଅ ବୋହୂ,ଝିଅ ଜ୍ୱାଇଁ ଥିଲେ କଣ ହେବ,ଯାହାର ସ୍ୱାମୀ ନାହିଁ,ତାର ଦୁନିଆଁରେ କେହି ନାହିଁ | 

      ଅନସୂୟା କହିଲେ,ହଁ ଠିକ କହିଛନ୍ତି |କିନ୍ତୁ ଇଏ ତ ନିୟତିର ନିର୍ଦ୍ଦେଶ |ତାକୁ ଅମାନ୍ୟ କରିବାର ଶକ୍ତି କାହାର ନାହିଁ |ସ୍ୱାମୀ ଶିବାନନ୍ଦ କହିଛନ୍ତି,ଯାହା ହେବାର ଥାଏ,ପୃଥିବୀ ପ୍ରଳୟ ହେଲେ ବି ତାହା ଅବଶ୍ୟ ହୁଏ  |ଭାରତୀ କହିଲେ,ତାହେଲେ.ଏତେ ଠାକୁର ପୂଜା,ଆରାଧନା,ତପସ୍ୟା,ଏ ସବୁର କଣ କିଛି ମୂଲ୍ୟ ନାହିଁ ??ଅନସୂୟା କହିଲେ,ଈଶ୍ୱରଙ୍କ ଆଦେଶକୁ ସକାରାତ୍ମକ ଭାବେ ଗ୍ରହଣ କରି,ଆଗକୁ ବଢିବା ପାଇଁ,ମନରେ ଶକ୍ତି ଓ ସାହସ ଦେବାପାଇଁ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁ |

       ଭାରତୀ କହିଲେ,ମୁଁ କିନ୍ତୁ ଆପଣଙ୍କ ସହିତ ଏକମତ ହୋଇ ପାରୁନାହିଁ ଅପା |ଭଗବାନ ଆପଣଙ୍କୁ ସବୁ କିଛି ଦେଇ ଆପଣଙ୍କ ଝୋଲି ଭରି ଦେଇଛନ୍ତି ବୋଲି ଆପଣ ଏମିତି କହି ପାରୁଛନ୍ତି | ମୋ ସ୍ଥାନରେ ଆପଣ ଥିଲେ,ଜାତକ ମେଳକ ନହେବାର ପରିଣାମ  ମର୍ମେ ମର୍ମେ ଅନୁଭବ କରିଥାନ୍ତେ | 

       ଆଉ ଆଗକୁ କଥା ବଢେଇବା ସମୀଚିନ ମନେ ନକରି,ଅନସୂୟା କହିଲେ,ଆପଣ ଠିକ କହୁଛନ୍ତି ,ନଜାଣି କଣ କହିଦେଲି ବୋଲି ମତେ ଭୁଲ ବୁଝିବେ ନାହିଁ |ଆଉ ସବୁ ଭଲ ଖବର କଣ କୁହନ୍ତୁ |ଭାରତୀ ଖୁସି ହୋଇ କହିଲେ,ଏଇ ମାସ ଶେଷ ଆଡକୁ ଆମେ ଆପଣଙ୍କ ଘରକୁ ବାହାଘର ବିଷୟରେ ଆଲୋଚନା କରିବାକୁ ଯିବୁ |ସମୟ ଓ ତାରିଖ ମୁଁ ଆପଣଙ୍କୁ ପରେ ଜଣେଇବି |ଆପଣ ଖୁସି  ତ ?

  ତାଙ୍କ କଥା ଶୁଣି ଆନନ୍ଦରେ ଅନସୂୟାଙ୍କ ଆଖି ଆର୍ଦ୍ର ହୋଇଗଲା | ସେ କହିଲେ,ହଁ ମୁଁ ବହୁତ ବହୁତ  ଖୁସି |ଆପଣ ଯେବେ ଆସିବେ,ତାର ଦୁଇଦିନ ଆଗରୁ ଆମକୁ ଜଣେଇବେ |'ହଁ ହଁ ,ନିଶ୍ଚିତ ଭାବରେ' କହି ଭାରତୀ ଫୋନ ରଖିଦେଲେ |(କ୍ରମଶଃ)

         

Monday, April 5, 2021

ଅନନ୍ୟା (44)

    ଭାରତୀଙ୍କ ସହ କଥା ହେବା ପରେ ଅନସୂୟାଙ୍କ ଚିନ୍ତା ବଢ଼ି ଯାଇଥିଲା |ସେ  ଭାବୁଥିଲେ,ଯଦି ଦୁହିଁଙ୍କ ଜାତକ ନ ମିଶେ ତାହେଲେ କଣ ହେବ ??ମୋ ପୁଅର ସ୍ୱପ୍ନ କଣ ଭାଙ୍ଗି ଚୁରମାର ହୋଇଯିବ ?ଆଗକୁ ଆଉ ସେ ଭାବି ପାରୁ ନଥିଲେ |ଅତ୍ୟଧିକ ମାନସିକ ଚାପରେ,ଅଚାନକ ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲା | କପାଳରେ ଅମୃତାଞ୍ଜନ ଲଗାଇ ସେ କିଛି ସମୟ ଆଖି ବୁଜି ଶୋଇବାକୁ ଚେଷ୍ଟା କଲେ  |କିନ୍ତୁ ତାଙ୍କୁ ଅଣନିଶ୍ୱାସୀ ଲାଗୁଥିଲା ଓ ଏକ ଅଜଣା ଭୟ ତାଙ୍କ ତନୁ ମନକୁ ଗ୍ରାସ କରି ପକାଉ  ଥିଲା |ସେ ଅନିଷ କୁ ଫୋନ କଲେ |ତା ଫୋନ ନୋ ରିପ୍ଲାଏ ଆସିଲା  | ଫୋନ ରଖି ସେ ପୁଣି ଚିନ୍ତା ସାଗରରେ ବୁଡ଼ିଗଲେ |

     ଅଧଘଣ୍ଟା ପରେ ଅନିଷ ଫୋନ କଲା |ପଚାରିଲା,ଅବେଳରେ ଫୋନ କଲ,କଥା କଣ ମମି ?ଅନସୂୟା ତାକୁ ସବୁକଥା କହିଲେ |ଅନିଷ ଡରିଯାଇ କହିଲା ,ଯଦି ଜାତକ ନ ମିଶେ ତାହେଲେ,କଣ ହେବ ମମି ?ଅନସୂୟା କହିଲେ,ତୁ କାହିଁକି ବ୍ୟସ୍ତ ହେଉଛୁ ?ଜାତକ ନିଶ୍ଚିତ ଭାବେ ରାଜଯୋଟକ ପଡ଼ିବ |ତୁ ଆନିକୁ ପଚାରି ତାର  ଜନ୍ମ ତାରିଖ,ଜନ୍ମ ସ୍ଥାନ ଓ ସଠିକ ଜନ୍ମ ସମୟ ଆଜି ଯେମିତି ହେଲେ ମତେ ଦବୁ  |ଅନିଷ କହିଲା, ଚାକିରୀ ପାଇଁ, କ୍ଲିକ ଆଷ୍ଟ୍ରୋରେ ମୁଁ ତାର ଜାତକ ଦେଖିଥିଲି  |ଡିଟେଲସ ମୋ ପାଖରେ ଅଛି,ମୁଁ ଏବେ ତମ ପାଖକୁ ପଠେଇ ଦେଉଛି |ତା କଥା ଶୁଣି ଅନସୂୟାଙ୍କ ପିଣ୍ଡରେ ପ୍ରାଣ ପଶିଲା |ସେ ଶାନ୍ତିର ନିଃଶ୍ୱାସ ମାରି କହିଲେ,ହଉ ମୁଁ ଫୋନ ରଖିଲି ,ତୁ ଶୀଘ୍ର ମୋ ପାଖକୁ ପଠେଇ ଦବୁ  |

      ଦୁଇ ମିନିଟ ପରେ  ମୋବାଇଲରେ ଟୁଙ୍ଗ ଆବାଜ ଶୁଣି ଅନସୂୟା ଫୋନ ଖୋଲି ଦେଖିଲେ |ଅନିଷ ଦିବ୍ୟାଶାର କୁଣ୍ଡଳୀ ସହିତ ଜନ୍ମ ବିବରଣୀ ପଠାଇ ଥିଲା |

        ଅନସୂୟାଙ୍କର ଅନୁପମା ନାମରେ ଏକ ବାନ୍ଧବୀ ଥିଲେ ଯାହାଙ୍କର ଜ୍ୟୋତିଷ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଥିଲା |ତାଙ୍କୁ ଫୋନ କରି ସେ କେତେବେଳେ ଫ୍ରି ଅଛନ୍ତି ବୋଲି ଅନସୂୟା ପଚାରିଲେ |ସେ କହିଲେ,ଏବେ ଘଣ୍ଟାଏ ପାଇଁ ଫ୍ରି ଅଛି,ଆସିବୁ ଯଦି ଏବେ ଆସ,ନହେଲେ କାଲି ସକାଳେ ଆସିବୁ | କିନ୍ତୁ କାଲି ସକାଳ ଯାଏଁ ଅପେକ୍ଷା କରିବାକୁ ଅନସୂୟାଙ୍କ ଧୈର୍ଯ୍ୟ ନଥିଲା |ସେ ଅଟୋ ଡାକି,ସଙ୍ଗେ ସଙ୍ଗେ ଅନୁପମାଙ୍କ ଘରକୁ ଛୁଟିଲେ |

        ଅନସୂୟାଙ୍କୁ ଅପେକ୍ଷା କରି ଅନୁପମା ବସିଥିଲେ |ଦୁଇ ବାନ୍ଧବୀ ଚା' ପିଇ ସାରିବା ପରେ ଅନୁପମା କହିଲେ,ଏଥର କଣ ହୋଇଛି,କହ |ଅନସୂୟା କହିଲେ,ପୁଅ ବାହାଘର ପାଇଁ ଜାତକ ମିଶେଇବାକୁ ଆସିଛି,ତୋ ଶାସ୍ତ୍ର ଅନୁସାରେ ଟିକେ ଭଲକରି ଦେଖିଲୁ |ଦୁହିଁଙ୍କ ଜନ୍ମ ସମୟ,ତାରିଖ ଓ ସ୍ଥାନ ଅନୁଯାୟୀ ଅନୁପମା ପ୍ରଥମେ କମ୍ପୁଟରରେ ଜାତକ ତିଆରି କରି ତାପରେ ମେଳକ କଲେ |କହିଲେ,ରାଶିଗତ ସମସ୍ୟାକୁ ଛାଡି ଆଉସବୁ ଠିକଠାକ ଅଛି |

        ଅନସୂୟା କହିଲେ,ତାହେଲେ କଣ କରିବା ?ଅନୁପମା ହସି ହସି କହିଲେ,ପୁଅ ବାହାଘର,ଏମିତି କେତେ ପ୍ରସ୍ତାବ ଆସିବ,ଯେଉଁଠି  ଭଲ ପଡିବ, ସେଇଠି କରିବୁ;ଏତେ ବ୍ୟସ୍ତ ହେବାର କଣ ଅଛି ?

        ଅନସୂୟା ତାଙ୍କୁ ତାଙ୍କ ସମସ୍ୟା ବିଷୟରେ ସତକଥା ଜଣେଇ କହିଲେ,ମୋର ୟାକୁ ବୋହୂ କରିବାର ଅଛି,ତୁ ଖାଲି କହ,ମୋ ପୁଅ ଜାତକରେ କଣ ପରିବର୍ତ୍ତନ କଲେ,ରାଜଯୋଟକ ପଡିବ ?ଅନୁପମା  କହିଲେ,ତାମାନେ ତୁ ଘୋଟଲା କରିବାକୁ ଚାହୁଁଛୁ ?ଅନସୂୟା କହିଲେ,ତୁ ଯାହା ଇଛା ତାହା କହିପାରୁ,କିନ୍ତୁ ଫାଇନାଲି କହ,ମତେ ସାହାଯ୍ୟ କରିବୁ କି ନାଁ ???

      ଅନୁପମା ଜାଣିଲେ ସମସ୍ୟା ଅତି ଗମ୍ଭୀର |ସେ ତନ୍ନ ତନ୍ନ କରି ଦୁଇଟି ଜାତକ ଅନୁଧ୍ୟାନ କଲେ ଓ କହିଲେ,ପୁଅର ଜନ୍ମ ସମୟ ଟିକେ ଚେଞ୍ଜ କରିଦେଲେ ପୁରା ରାଜଯୋଟକ ପଡ଼ିବ |ତାଙ୍କ କଥା ଶୁଣି ଅନସୂୟା ତାଙ୍କୁ ଖୁସିରେ କୁଣ୍ଢେଇ ପକାଇ କହିଲେ,ଯାହାହେଉ ତୁ ମୋର ଏତେବଡ଼ ସମସ୍ୟାର ସମାଧାନ କରିଦେଲୁ;ତୋର ଏହି ଉପକାର ମୁଁ ଜୀବନସାରା ଭୁଲିବି ନାହିଁ |

        ଅନୁପମା ଅନିଷର  ଜନ୍ମ ସମୟରେ ଆବଶ୍ୟକୀୟ  ସଂଶୋଧନ କରି କହିଲେ,ବି କେଆରଫୁଲ,ଏଇଟା ଯେମିତି ତୋ ମୋ ଭିତରେ ସୀମିତ ରହିବ |

       ଅନସୂୟା କହିଲେ,ତୁ ନିଶ୍ଚିନ୍ତ ରହ,ମୁଣ୍ଡ ଯିବ ପଛକେ,ତୁଣ୍ଡ ଖୋଲିବନି |(କ୍ରମଶଃ)
 

Sunday, April 4, 2021

ଅନନ୍ୟା (ଭାଗ 43)

          ପରଦିନ ଅଫିସରେ ଆଦିକନ୍ଦଙ୍କୁ ଜଣେ ଯୁଦ୍ଧ ଫେରନ୍ତା ବିଜୟୀ ସେନାପତି ପରି ସମ୍ବର୍ଦ୍ଧନା ଦିଆଗଲା |ତାଙ୍କର ଶତ୍ରୁ ମିତ୍ର ସମସ୍ତେ ଏକାକାର ହୋଇଯାଇଥିଲେ  |କର୍ମଚାରୀ ମାନଙ୍କର ଏପରି ବିପୁଳ ଉତ୍ସାହ ଓ ଉଦ୍ଦୀପନା ଦେଖି ନିଜେ ନିର୍ଦ୍ଦେଶକ ମଧ୍ୟ ଆଦିକନ୍ଦଙ୍କ ସିଟ ପାଖକୁ ଆସି ତାଙ୍କୁ ଶୁଭେଚ୍ଛା ଜଣେଇଲେ ଓ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଦୁଃଖ ପ୍ରକାଶ କଲେ |ଦାସ ସାର ତାଙ୍କ ରୁମ ଭିତରେ ବସିଥିଲେ,ଆଉ ବାହାରକୁ ବାହାରିଲେ ନାହିଁ |କିଛି ସମୟ ପରେ ଦେହ ଖରାପ ବାହାନା କରି,ହାଫ ଡେ ସି.ଏଲ.ନେଇ ଘରକୁ ଚାଲିଗଲେ |ତାଙ୍କର ସନ୍ଦେହଜନକ ଚାଲିଚଳନ ଦେଖି,ଏହି ଘଟଣାରେ ତାଙ୍କର ସମ୍ପୃକ୍ତି ନେଇ ଅଫିସରେ ଆଲୋଚନା ହେଲା |

      ଏଣେ ଗଣମାଧ୍ୟମର ପ୍ରବଳ ଚାପ ଯୋଗୁଁ ସମ୍ପୃକ୍ତ ଭିଜିଲାନ୍ସ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇ,ସେମାନଙ୍କ ବିରୁଦ୍ଧରେ ଦୋଷାରୋପ ଚିଠା ଆଗତ କରାଗଲା |ସପ୍ତାହକ ଭିତରେ ସୁଦୂର କୋରାପୁଟକୁ ଦାସ ସାରଙ୍କ ଟ୍ରାନ୍ସଫର ହୋଇଗଲା |ଏମିତି ପରିସ୍ଥିତିରେ ସେ ଅଫିସରୁ ବିଦାୟ ନେଇ ଗଲେ ଯେ ,ତାଙ୍କ ପାଇଁ ଫେୟାରୱେଲ ମିଟିଂ ଦୂରର କଥା,ତାଙ୍କୁ ବାଟୋଇ ଦେବାପାଇଁ  କେହି ଜଣେ ହେଲେ ଆସିଲେ ନାହିଁ |********

       ଏହା ଭିତରେ ଦୀର୍ଘ ଚାରିବର୍ଷ ବିତିଗଲା |ଆଦିକନ୍ଦ ପୁଣି ଆଉ ଗୋଟିଏ ପଦୋନ୍ନତି ପାଇ ସାରିଥିଲେ |ଅନିଷ ଚେଷ୍ଟାକରି ହାଇଦ୍ରାବାଦରେ ଅନ୍ୟ ଏକ କମ୍ପାନୀରେ ଜଏନ କରିଥିଲା |କିନ୍ତୁ ଦିବ୍ୟାଶା ପୂର୍ବବତ ସେହି ଚେନ୍ନାଇରେ ଥିଲା |ଭାଇ ତାର ଡିପ୍ଲୋମା ଇଞ୍ଜିନିଅରିଂ ଶେଷ କରି ଚାକିରୀ ଖୋଜୁଥିଲା |ଅନସୂୟା ଭାବିଥିଲେ,ଦିବ୍ୟାଶା ହାଇଦ୍ରାବାଦ ଆସିଲେ ବାହାଘରପାଇଁ, ବିଧି ମୁତାବକ ତାଙ୍କ ପକ୍ଷରୁ ବିବାହ ପ୍ରସ୍ତାବ ଦେବେ |କିନ୍ତୁ ତାହା ହୋଇ ନପାରିବାରୁ ସେ ବହୁତ ନିରାଶାରେ ଥିଲେ |

       ଦିନେ ଖରାବେଳେ ଅନସୂୟା ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇ ବସିଥିବାବେଳେ ଭାରତୀଙ୍କ ଫୋନ ଆସିଲା |ଭାରତୀ ତାଙ୍କ ସହିତ ଅନେକ ସମୟ ଗପିବା ପରେ କହିଲେ,ଦେବୁ ପାଇଁ ବହୁତ ପ୍ରସ୍ତାବ ଆସୁଛି,କିନ୍ତୁ ମୁଁ ଆପଣଙ୍କ ପ୍ରସ୍ତାବକୁ ଅପେକ୍ଷା କରିଛି |ଆପଣ ନାହିଁ କଲେ,ମୁଁ ଅନ୍ୟ ଆଡେ ଦେଖିବି |ଭାରତୀଙ୍କ କଥା ଶୁଣି ଅନସୂୟାଙ୍କୁ ଲାଗିଲା,ସତେକି ତାଙ୍କ ହାତରେ ସରଗ ଚାନ୍ଦ ଖସି ପଡିଛି !!ସେ  ଉଲ୍ଲସିତ ହୋଇ କହିଲେ,ମୁଁ ତ ଆନିକୁ ବୋହୂ କରି ନେବାପାଇଁ,ଚାତକ ପରି ଚାହିଁ ବସିଛି |ଆପଣ ଆଜି କହିଲେ ଆଜି ମୁଁ ତାକୁ ବିନା ଜାତକ, ଯୌତୁକରେ ବୋହୂ କରି ଘରକୁ ନେଇଯିବି |ମୋ ପାଇଁ ସେ ସାକ୍ଷାତ ଲକ୍ଷ୍ମୀ ପ୍ରତିମା |

     ଭାରତୀ କହିଲେ,ମୁଁ ମୋ କଥା ଶେଷ କରିନି,ଆପଣ ଏତେ କଥା କହି ସାରିଲେଣି |ଆକଚୁଆଲି ବାହାଘର ପାଇଁ,ମୋର ଗୋଟିଏ ସର୍ତ୍ତ ଅଛି |ତାଙ୍କ କଥା ଶୁଣି ଅନସୂୟାଙ୍କ ତଣ୍ଟି ଶୁଖିଗଲା |ସେ କହିଲେ,ସରି |ମୁଁ ଆପଣଙ୍କ କଥା ଶୁଣି ଏତେ ଖୁସି ହୋଇଗଲି ଯେ,ମୋ ମନରେ ଯାହା ଥିଲା,ସବୁ କହି ପକେଇଲି |ଏଥରକ ଆପଣଙ୍କ ସର୍ତ୍ତ କଣ କୁହନ୍ତୁ |ଭାରତୀ କହିଲେ,ପ୍ରଥମେ  ଦୁଇଜଣଙ୍କ ଜାତକ ମେଳକ ହେବ,ଯଦି ରାଜଯୋଟକ ପଡିବ,ତାହେଲେ ବାହାଘର ହେବ |ଅନସୂୟା କହିଲେ,ଜାତକ ମିଶେଇବା ତ ପୁଅଘରର କାମ ,ସେ ଦାୟିତ୍ତ୍ୱ ମୋ ଉପରେ ଛାଡି ଦିଅନ୍ତୁ |ଆପଣ କାହିଁକି ବୃଥା ଟେନ୍ସନ ନେବେ ?

      ଭାରତୀ କହିଲେ,ନାଁ ସେମିତି ହେବନି,ମୁଁ ନିଜେ ସାଟିସଫାଇ ନହେଲେ ବାହାଘର ହୋଇ ପାରିବନି |ଆପଣ ପୁଅର ଜନ୍ମ ତାରିଖ,ସମୟ ଓ ସ୍ଥାନ ହ୍ୱାଟସଅପରେ ପଠେଇ ଦିଅନ୍ତୁ,ଏଇଠି ମୋର ଜଣାଶୁଣା ଜଣେ ଭଲ ଜ୍ୟୋତିଷ ଅଛନ୍ତି,ମୁଁ ତାଙ୍କ ପାଖରେ ଜାତକ ମିଶେଇବି |ଅନସୂୟା ହଉ କହି,ଭାରାକ୍ରାନ୍ତ ମନରେ ଫୋନ ରଖିଦେଲେ |(କ୍ରମଶଃ)

         

Saturday, April 3, 2021

ଅନନ୍ୟା (ଭାଗ 42)

        ସବୁଦିନ ପରି ସେଦିନ ଆଦିକନ୍ଦ ସକାଳୁ ଉଠି  ନିତ୍ୟକର୍ମ ଶେଷ କରିବା ପୂର୍ବରୁ ତାଙ୍କ ବଗିଚା ଭିତରେ ବୁଲୁ ବୁଲୁ କିଛି ସମୟ ପାଇଁ ଆସି ଗେଟ ପାଖରେ ଛିଡା ହୋଇଥିଲେ |ଏହି ସମୟରେ କେହି ଜଣେ ଆସି ତାଙ୍କ ଉପରକୁ କିଛି ଫିଙ୍ଗିଦେଲା |ସେ ଘଟଣା କଣ ବୁଝିବା ପୂର୍ବରୁ ତାଙ୍କ ଗେଟ ଖୋଲି ଚାରିଜଣ ବ୍ୟକ୍ତି ଖପାଖପ ତାଙ୍କୁ ମାଡି ବସିଲେ | ଏହି ସମୟରେ କେହିଜଣେ ତଳେ ପଡିଥିବା ପୁଡ଼ିଆଟିକୁ ଉଠାଇ ତାକୁ ଖୋଲି ,'ଲାଞ୍ଚ ଟଙ୍କା ମିଳିଲା' ବୋଲି ଚିତ୍କାର କଲା |ସେତେବେଳେ ଯାଇଁ ସେମାନେ ଭିଜିଲାନ୍ସ ରୁ ଆସିଛନ୍ତି ଓ ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କୁ ଯାଞ୍ଚ କରାଯାଉଛି  ବୋଲି ଆଦିକନ୍ଦ ଜାଣିଲେ  |

      ଏହି ରୋମାଞ୍ଚକାରୀ ତଥା ଚମକପ୍ରଦ ଦୃଶ୍ୟ ଦେଖିବା ପାଇଁ ସାଇପଡିଶା ଓ ସେହି ବାଟ ଦେଇ ଯାଉଥିବା ଲୋକମାନେ ସେଠାରେ ଭିଡ଼ ଜମାଇଲେ |ପାଟି ଶୁଣି ଭିତରୁ ଅନସୂୟା ଆସି ଏ ପ୍ରକାର ଅଭାବନୀୟ କାଣ୍ଡ ଦେଖି ହତମ୍ବବ ହୋଇ ଛିଡା ହୋଇ ରହିଲେ |ଆଦିକନ୍ଦଙ୍କୁ ଯାଞ୍ଚ କରିବା ପରେ ସେମାନେ ଘର ଭିତରକୁ ଆସି ପ୍ରତି କୋଣ ଅନୁକୋଣ ଖାନତଲାସ କଲେ |ଆଲମିରା ଖୋଲି ସେଥିରେ ଥିବା ଯତକିଞ୍ଚିତ ସୁନାଗହଣା ଓ ଚାରିଶହ ବୟାଳିଶ ଟଙ୍କା ଜବତ କଲେ |ସୋଫା,ବେଡ ଆଦି କାଟି ପକାଇ ତାକୁ  ଖୋଜି କିଛି ନପାଇ ନିରାଶ ହେଲେ  |ଏହି କାଣ୍ଡ କାରଖାନା ଦୀର୍ଘ ୮ଘଣ୍ଟା କାଳ ଚାଲିବା ପରେ ସମାପ୍ତ ହେଲା |ସେପର୍ଯ୍ୟନ୍ତ ଉଭୟ ଆଦିକନ୍ଦ ଓ ଅନସୂୟା ଖାଇବା ଦୂରର କଥା,ପାଟିରେ ପାଣି ଟୋପାଏ ବି ଦେଇ ନଥିଲେ |ଦେଖଣାହାରୀ କୁହାକୁହି ହେଉଥିଲେ,'ଭଲ ଲୋକ ପରି ଜଣା ପଡୁଥିଲେ,ତାଙ୍କ ଭିତରେ ଏତେ ଗୁମର ଅଛି ବୋଲି କିଏ ଜାଣିଥିଲା ?ଶେଷରେ  ଲାଞ୍ଚ ନେଉଥିବା ଅଭିଯୋଗରେ ଆଦିକନ୍ଦଙ୍କୁ ଗିରଫ କରାଗଲା |

      ଆଦିକନ୍ଦଙ୍କ ସାମ୍ନା ଘରୁ ଅତୀତରେ ବଡ଼ ଧରଣର ଚୋରି ହୋଇଥିବାରୁ ସେ ଘର ଭିତରେ ଓ ବାହାରେ ସି.ସି.ଟି.ଭି.କ୍ୟାମେରା ଲଗାଇ ଥିଲେ |ମିତା ମାଡାମ ନିଖିଲ ବାବୁଙ୍କୁ କହିଲେ,ପରେଶ ବାବୁଙ୍କ ସି.ସି.ଟି.ଭି.ରୁ ତ ଡିଟେଲସ ସବୁ ଜଣା ପଡ଼ିଯିବ,ଚାଲ ପୁରା ଘଟଣା ଦେଖିବା |କଥାଟା ନିଖିଲଙ୍କ ମନକୁ ପାଇଲା |ଉଭୟେ ତାଙ୍କ ଘରକୁ ଗଲେ |ସେଠାରେ ତାଙ୍କ ଆଗରୁ ଆଉ କେତେଜଣ ଆସି ସି.ସି.ଟି.ଭି.ଫୁଟେଜ ଦେଖୁଥିଲେ |କିନ୍ତୁ ସେମାନେ ଯାହା ଭାବିଥିଲେ,ଘଟଣା ସମ୍ପୂର୍ଣ୍ଣ ବିପରୀତ ଥିଲା |ଜଣେ ଆସି ଆଦିକନ୍ଦଙ୍କ ଉପରକୁ କାଗଜ ପୁଡ଼ିଆ ଫିଙ୍ଗିବା ଓ ଆଦିକନ୍ଦ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଥିବା ବେଳେ କେତେଜଣ ଗେଟ ଖୋଲି ତାଙ୍କୁ ଅଚାନକ ମାଡି ବସିବା ସେଥିରେ ପରିଷ୍କାର ଭାବେ ରେକଡ଼ିଂ ହୋଇଥିଲା ଯେଉଁଥିରୁ ଆଦିକନ୍ଦଙ୍କୁ ଫସାଇବା ପାଇଁ ହୋଇଥିବା ଷଡଯନ୍ତ୍ର ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା |

      ସି.ସି.ଟି.ଭି.ରୁ ଖବର ନେବା ପାଇଁ ଆସିଥିବା ଜଣେ ଟିଭି ଚ୍ୟାନେଲ ରିପୋର୍ଟର ଏହାକୁ ନେଇ ବ୍ରେକିଙ୍ଗ ନିଉଜରେ ଛାଡିଦେଲେ  |ନିରୀହ ଲୋକମାନଙ୍କୁ ମିଛ କେଶରେ ଫସେଇ ଭିଜିଲାନ୍ସ ବିଭାଗ କିପରି ବାହାବା ନେଉଛି,ଏହି ଖବର ବାରମ୍ବାର ପ୍ରସାରଣ ହେଉଥିଲା |ଫଳ ସ୍ୱରୂପ ସକାଳର ହିରୋମାନେ ସନ୍ଧ୍ୟା ବେଳକୁ ଭିଲିଆନ ପାଲଟି ଗଲେ |ଗଣମାଧ୍ୟମର ପ୍ରଭାବ ଯୋଗୁଁ  ସେହିଦିନ ଆଦିକନ୍ଦଙ୍କୁ ପୋଲିସ ଛାଡିଦେଲା |

  ସ୍ୱାମୀ ଘରକୁ ନ ଫେରିବା ଯାଏଁ ଅନ୍ନ ଜଳ ସ୍ପର୍ଶ କରିବେ ନାହିଁ ବୋଲି ଅନସୂୟା ପ୍ରତିଜ୍ଞା କରି ଠାକୁର ଘରେ ଅଧିଆ ପଡ଼ିଥିଲେ |ଆଦିକନ୍ଦ ଘରକୁ ଫେରିବା ପରେ ତାଙ୍କୁ ଦେଖି ହୃଦୟରେ ଜମାଟ ବାନ୍ଧିଥିବା ଦୁଃଖ ଲୁହ ଆକାରରେ ତାଙ୍କ ଆଖିରୁ ଅନର୍ଗଳ ଝରିବାକୁ ଲାଗିଲା |ତାଙ୍କ ସହିତ ତାଳ ଦେଇ ଆଦିକନ୍ଦ ମଧ୍ୟ କାନ୍ଦୁଥିଲେ |

  କେତେ ସମୟ ପରେ ଆଦିକନ୍ଦ କହିଲେ,ସକାଳୁ ଚା' ପିଇନି,ମତେ ଟିକେ ଚା' ଦେବ ?ଅନସୂୟା ପ୍ରକୃତିସ୍ଥ ହୋଇ ଆଦିକନ୍ଦଙ୍କୁ ଚାହିଁଲେ ଓ ମୁରୁକି ହସି ଚା' କରିବା ପାଇଁ ରୋଷେଇ ଘରକୁ ଦୌଡ଼ିଗଲେ |(କ୍ରମଶଃ)

Thursday, April 1, 2021

ଅନନ୍ୟା (ଭାଗ 41)

            ମାସକ ଭିତରେ ଆଦିକନ୍ଦ ତାଙ୍କର ପରବର୍ତ୍ତୀ ପଦବୀକୁ ପଦୋନ୍ନତି ପାଇଗଲେ |ଘରେ ଥାଇ ଦାସ ସାର ଏହି ଖବର ପାଇ,ମନେ ମନେ ରକ୍ତ ଚାଉଳ ଚୋବାଉବା ଛଡ଼ା ତାଙ୍କ ପାଖରେ ଆଉ ଦ୍ୱିତୀୟ ବିକଳ୍ପ କିଛି ନଥିଲା  |ଛଅ ସପ୍ତାହ ପରେ ଯେତେବେଳେ ତାଙ୍କ ଗୋଡ଼ରୁ ପ୍ଳାଷ୍ଟର ଖୋଲାଗଲା,ସେତେବେଳେ ସେ ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କ ପାଦ ତଳେ ରଖି  ପାରିଲେ ନାହିଁ |ଡାକ୍ତର ତାଙ୍କୁ ଫିଜିଓଥେରାପି କରିବାପାଇଁ ପରାମର୍ଶ  ଦେଲେ |ବାଧ୍ୟ ହୋଇ ସେଥିପାଇଁ ତାଙ୍କୁ ଆହୁରି ମାସେ ଛୁଟି ନେବାକୁ ପଡ଼ିଲା |ଫିଜିଓଥେରାପିରୁ ତାଙ୍କୁ ସୁଫଳ ମିଳିଲା ଓ ସେ  କାନ୍ଥ ଧରି ଚାଲୁ ଚାଲୁ କ୍ରମେ ବାଡ଼ି ଧରି ଚାଲିଲେ |କିନ୍ତୁ ତାଙ୍କ ପାଇଁ ଆଉ ଅଧିକ ଦିନ ଛୁଟି ନେଇ ଘରେ ରହିବା  ଅସହ୍ୟ ଥିଲା |ତେଣୁ ସେ ସେହି ଅବସ୍ଥାରେ, ଆଉ ଛୁଟି ନ ବଢ଼େଇ,କାର୍ଯ୍ୟରେ ଯୋଗ ଦେଲେ |

       ଅଫିସରେ  ଜଏନ କରିବା ଦିନ ତାଙ୍କୁ ସର୍ବପ୍ରଥମେ ଆଦିକନ୍ଦ ଅଭିବାଦନ ଜଣାଇଲେ |ଦାସ ସାର ଗମ୍ଭୀର ହୋଇ,କିଛି ପ୍ରତିକ୍ରୀୟା ନ ଜଣେଇ ତାଙ୍କ ରୁମକୁ ଚାଲିଗଲେ |ନିର୍ଦ୍ଦେଶକ ଆସିବା ପରେ ସେ ତାଙ୍କ ପାଖକୁ ଯାଇ ଘଣ୍ଟାଏ ରୁ ଉର୍ଦ୍ଧ୍ୱ ସମୟ ଆଲୋଚନା କଲେ |ଆଦିକନ୍ଦଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଇନିସିଏଟ ହେଉଥିବା ଜାଣି ମଧ୍ୟ କିପରି ତାଙ୍କୁ ପ୍ରମୋଶନ ଦିଆଗଲା,ସେକଥା ପଚାରିବାକୁ ସେ ଭୁଲିଲେ ନାହିଁ |ଜଣେ ବିଚାରବନ୍ତ ଆଇ.ଏ.ଏସ.ଅଧିକାରୀ ଭାବେ ନିର୍ଦ୍ଦେଶକଙ୍କୁ ଦାସ ସାରଙ୍କ ପ୍ରଶ୍ନର ଉତ୍ତର ଭଲଭାବେ ଜଣା ଥିଲା |ସେ କହିଲେ,କିଛି ପ୍ରମାଣ ନଥାଇ, ବେସଲେସ ଆଲିଗେସନକୁ ମୁଁ ଗୁରୁତ୍ତ୍ଵ ଦିଏ ନାହିଁ |  ଆଦିକନ୍ଦ ବାବୁଙ୍କ ବ୍ୟକ୍ତିଗତ ଫାଇଲ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ମୁଁ ତାଙ୍କ ବିଷୟରେ ସବୁ ଖବର ସଂଗ୍ରହ କରିଛି |ତାଙ୍କ ଚରିତ୍ର କାଚ ପରି ନିଷ୍କଳଙ୍କ |ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ |ଯଦି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି,ତାହେଲେ ଛୁଟି ଏକଷ୍ଟେନ୍ସନ କରନ୍ତୁ ;ଆଦିକନ୍ଦ ବାବୁ ଅଛନ୍ତି,କିଛି ଅସୁବିଧା ହେବ ନାହିଁ |

        ନିର୍ଦ୍ଦେଶକଙ୍କ କଥା ଶୁଣି,ଅପମାନରେ ଦାସ ସାରଙ୍କ ମୁହଁ କଳା ପଡ଼ିଗଲା |ଆଉ ମୁହୂର୍ତ୍ତେ ସେଠାରେ ନରହି,ସେ ଚାଲି ଆସିଲେ |ସବୁ ପ୍ରମୋଶନ ଅର୍ଡର ପରି,ଆଦିକନ୍ଦଙ୍କ ପ୍ରମୋଶନରେ ଏକବର୍ଷ ପ୍ରୋବେସନରେ ରହିବାର ନିର୍ଦ୍ଦେଶ ଥିଲା |ଯାହା କିଛି  କରିବା କଥା,ବର୍ଷକ ଭିତରେ କରିବାକୁ ପଡ଼ିବ ବୋଲି ଦାସ ସାର ମନେ ମନେ ନିଷ୍ପତ୍ତି ନେଲେ |

     କିଛିଦିନପରେ ସଚ୍ଚିବାଳୟରୁ ଏକ ବେନାମୀ ଚିଠି ଆସିଲା,ଯେଉଁଥିରେ କମେଣ୍ଟସ ଦେବାପାଇଁ ଅଫିସକୁ କୁହାଯାଇଥିଲା |ସେଥିରେ ଉଲ୍ଲେଖ ଥିଲା ଯେ,ଆଦିକନ୍ଦଙ୍କ ବିରୁଦ୍ଧରେ ଅଭିଯୋଗ ଥିବା ସତ୍ତ୍ୱେ ତାଙ୍କୁ କିପରି ବେଆଇନ ଭାବରେ ପଦୋନ୍ନତି ଦିଆଗଲା |ଏହା ଏକ ବ୍ୟକ୍ତିଗତ ବିଦ୍ୱେଷ ଓ ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ବୋଲି ନିର୍ଦ୍ଦେଶକ ରୋକଠୋକ ଜଣେଇ ଦେବାରୁ,ସେଇଠାରେ ବେନାମୀ ଚିଠିର ଅପାତତଃ ପରିସମାପ୍ତି ଘଟିଲା |

        ବିଲେଇ କପାଳକୁ ଶିକା ଛିଣ୍ଡିବା ପରି,ଦେଢ଼ମାସ ପରେ,ନିର୍ଦ୍ଦେଶକଙ୍କର ବଦଳି ହୋଇଗଲା |ତାଙ୍କ ସ୍ଥାନରେ ଯେଉଁ ନୂଆ ନିର୍ଦ୍ଦେଶକ ଆସିଲେ,ସେ ଦାସ ସାରଙ୍କ ଜଣା ଶୁଣା ଥିଲେ |ନୂଆ ନିର୍ଦ୍ଦେଶକ କାର୍ଯ୍ୟରେ ଯୋଗ ଦେଉ ଦେଉ, ଦାସ ସାର ତାଙ୍କର ମନମୁଖୀ କାର୍ଯ୍ୟକଳାପ  ଆରମ୍ଭ କରିଦେଲେ |ମିଛକୁ ବାଗେଇ,ସତ୍ୟ ବୋଲି ପ୍ରମାଣିତ କରିବାର ଅଦ୍ଭୁତ କ୍ଷମତା ଦାସ ସାରଙ୍କ ଥିଲା |(କ୍ରମଶଃ)