Wednesday, December 30, 2020

ଅନନ୍ୟା (ଭାଗ 16)

                                        ଘରକୁ ଫେରି ଅନସୂୟା କେବଳ ମିତା ମାଡାମଙ୍କ କଥା ଭାବି ଚାଲିଥିଲେ |ସେଦିନ ତାଙ୍କ ସହିତ ହୋଇଥିବା କଥାବାର୍ତ୍ତା ଗୋଟି ଗୋଟି ହୋଇ ତାଙ୍କ ଆଖି ଆଗରେ ଭାସି  ଯାଉଥିଲା |କେତେ ଖୁସିରେ ସେ ତାଙ୍କୁ ଫଟ ଦେଖାଉ ଥିଲେ ;ଅଚାନକ ଅଭି ର ଆବିର୍ଭାବ ଓ ସବୁ ସୁଖର ପରିସମାପ୍ତିକୁ ସେ ଆଦୌ ଭୁଲି ପାରୁ ନଥିଲେ ଓ ତାଙ୍କୁ ବହୁତ ଦୁଃଖ ଲାଗୁଥିଲା  |ସକାଳର ତରକାରୀ ବଳିଥିଲା ,କେବଳ ରୁଟି କରିଦେଲେ କାମ ଶେଷ |କିନ୍ତୁ ସେତିକି ବି ତାଙ୍କୁ କରିବାକୁ ଇଛା ହେଉ ନଥିଲା |

                                        ଅନେକ ସମୟ ଧରି ତାଙ୍କୁ ନିରୀକ୍ଷଣ କରୁଥିବା ଅନିଷ ଆସି ପଚାରିଲା,କଣ ହୋଇଛି ମମି,ଏମିତି ଦୁଃଖୀ ଜଣା ପଡୁଛ ,କଣ ଏତେ ଚିନ୍ତା କରୁଛ ?ମିତା ଆଣ୍ଟି କଣ କହିଲେ ?ଅନସୂୟା କହିଲେ,ନାଇଁ କିଛି ହୋଇନି,ତୁ ଯାଆ ତୋ କାମ କରିବୁ |ଏହା କହି ଅଟା ଆଣି ଚକଟିବା ପାଇଁ ବାହାରିଲେ |ତାଙ୍କ ହାତରୁ ତସଲା ନେଇ ଅନ୍ୟତ୍ର ରଖିଦେଇ ଅନିଷ କହିଲା,ମୋ ମମିଙ୍କ ସକାଳ ରାଗ ସନ୍ଧ୍ୟା ପର୍ଯ୍ୟନ୍ତ ରହେନା ;ନିଶ୍ଚୟ ଅନ୍ୟ କିଛି ହୋଇଛି |ପ୍ଲିଜ ମମି କୁହ,ତମକୁ ମୋ ରାଣ |ଅନସୂୟା କହିଲେ,କାହିଁକି ସେମିତି ହେଉଛୁ ?ତୁ ଏବେ ଯା,ମୁଁ ପଛେ କହିବି |

                                        'ନାଁ,ସେମିତି କଦାପି ହେବନି,ବର୍ତ୍ତମାନ ହିଁ ତମକୁ କହିବାକୁ ପଡ଼ିବ', ଅନିଷ ଜିଦ୍ଦି କଲା |ବାଧ୍ୟ ହୋଇ ଅନସୂୟା ମିତାଙ୍କ ଘରେ ଘଟିଥିବା ଘଟଣା ବର୍ଣ୍ଣନା କଲେ ଓ ଯାହା ତାଙ୍କୁ ସବୁଠାରୁ ବେଶୀ ଦୁଃଖ ଦେଇଥିଲା,ତାହା ମଧ୍ୟ କହିଲେ  |ସବୁ ଶୁଣି ଅନିଷ କହିଲା,ଏଇ କଥାକୁ ଏତେ ଚିନ୍ତା କରୁଛ ?ତମେ ବୋଧେ ଭାବୁଥିବ,ମୁଁ କାଳେ  ମୋ ସୀମା ଲଂଘି ସେମିତି କିଛି କରି ବସିବି,ନୁହେଁ ?ଅନସୂୟା କହିଲେ,ନାଁ, ମୁଁ କାହିଁକି ସେମିତି ଭାବିବି ? ଅନିଷ କହିଲା,ସେମିତି ହିଁ କିଛି ତମେ ଭାବୁଛ |ନହେଲେ,ଏତେ ଉଦାସ ହୋଇଥାନ୍ତ କାହିଁକି ?ଶୁଣ ମମି,ମୁଁ ତମକୁ କ୍ଳିଅର କରି ଦେଉଛି;ତମ ନିକଟରେ ମୋ ଜୀବନ ଏକ ଖୋଲା ଡାଇରୀ ପରି |ମୁଁ ଯାହା ବି ଆଜି ପର୍ଯ୍ୟନ୍ତ କରି ଆସିଛି,ତମକୁ କିଛି ଅଛପା ରଖିନି ;କାହିଁକି ନାଁ  ମୁଁ ଜାଣେ ମୋ ମମି,ଅନ୍ୟ ମାନଙ୍କ ପରି ନୁହନ୍ତି ;ମୋର ସବୁ କଥାକୁ ସେ ବିଶ୍ୱାସ କରନ୍ତି |ସେଥିପାଇଁ ତ ମୁଁ ସବୁବେଳେ ଟେନ୍ସନ ଫ୍ରି  ହୋଇ ରହିଥାଏ |ଏବେ ଚାଲ, ତମକୁ ଗୋଟିଏ ଜିନିଷ ଦେଖେଇବି,ତମେ ଖୁସି ହୋଇଯିବ  |

                                      ଅନସୂୟା ପଚାରିଲେ,ପୁଣି କଣ ହେଲା ?ଅନିଷ କହିଲା,କିଛି ହୋଇନି ମମି,କାହିଁକି ଏମିତି ହେଉଛ ?ସେ ତା ରୁମରୁ  ମୋବାଇଲ ଆଣି ଗୋଟିଏ ଫଟ ଦେଖେଇଲା |ଅନସୂୟା ଭଲକରି ସେ ଫଟ ଦେଖି କହିଲେ,ଇଏତ ଆମ ଆନି ପରି ଲାଗୁଛି !ଅନିଷ କହିଲା,ଆନି ପରି ନୁହେଁ,ସିଏ ହିଁ ଆନି |ଅନସୂୟା କହିଲେ,ବହୁତ ସୁନ୍ଦର ଦେଖା ଯାଉଛି,ଜମା ଚିହ୍ନି ହେଉନି |

                                   ଅନିଷ ମୁରୁକି ହସି କହିଲା,ତମେ ତାକୁ ଯେଉଁ ଡ୍ରେସ ଦେଇଥିଲ,ତାକୁ ଯେ କେହି ପିନ୍ଧିଲେ ଅପରୂପା ଦେଖାଯିବ,ଆଉ ଇଏତ ସହଜେ ତମ ଅନନ୍ୟା !!କଣ ମିଛ କହିଲି ?ଅନସୂୟା ହସିଦେଇ କହିଲେ,ତୁ ଭାରି ଦୁଷ୍ଟ ହୋଇ ଗଲୁଣି  !!!(କ୍ରମଶଃ)

Tuesday, December 29, 2020

ଅନନ୍ୟା (ଭାଗ 15)

                          ଆଦିକନ୍ଦଙ୍କ କଟୂ ବାକ୍ୟ ଶୁଣି ଅନସୂୟା ମନ ଦୁଃଖରେ ଭରିଗଲା  ଓ ପ୍ରତିଥର ପରି ସେ ବାହାରକୁ ଆସି ତାଙ୍କ ପ୍ରିୟ ଫୁଲ ଗଛ ଗୁଡିକୁ ସ୍ପର୍ଶ କରି ମନେ ମନେ ସେମାନଙ୍କୁ ତାଙ୍କ ହୃଦୟର କଥା କହିବାକୁ ଲାଗିଲେ |ଏହି ସମୟରେ ଅନିଷ ଆସି ତାଙ୍କ ପାଖରେ ପହଞ୍ଚି କହିଲା,ମମି,ତମେ ଏଇଠି ?ମୁଁ ତମକୁ କେତେ ଖୋଜି ସାରିଲିଣି |ଆସିଲ ଶୀଘ୍ର,ଖାଇବାକୁ ଦେବ,ମତେ ଭାରି ଭୋକ କଲାଣି |ଅନସୂୟା କହିଲେ,ଏତେ ବଡ଼ ପିଲା ହେଲୁଣି,ନିଜ ହାତରେ ଆଣି ଖାଇ ପାରୁନୁ ?ରୋଷେଇ ଘରକୁ ଯାଆ,ଯାହା ଇଛା ହେବ,ବାଢ଼ି ଆଣି ଖାଇବୁ |

                           ଅନିଷ ତାଙ୍କ କାନ୍ଧରେ ହାତ ଘୁରେଇ ଆଣି କହିଲା,ବାବା କଣ କହିଲେ ବୋଲି ତମେ ମନ ଦୁଃଖ କରୁଛ ନାଁ ?ବାବା ସବୁବେଳେ ସେମିତି କହନ୍ତି |ଅଫିସରେ ତ କାହାକୁ କିଛି କହି ପାରନ୍ତି ନାହିଁ,ସବୁ ରାଗ ଆମ ଉପରେ ଝାଡ଼ନ୍ତି |ଆସ ଆସ,ନିଜ ହାତରେ  ବାଢ଼ି ଖାଇଲେ,ମତେ ଖାଇବା ବିଷ ପରି ଲାଗେ  |ଆସ ବା !ତମେ ମୁହଁ ଶୁଖେଇଲେ,ତମ ମୁହଁ ଜମା ଭଲ ଦିଶେନା  |ଅନିଷ ତାଙ୍କୁ ଏକରକମ ଭିତରକୁ ଭିଡି  ନେଇଗଲା |

                             ଅନସୂୟାଙ୍କ ସବୁ ଦୁଃଖ  କୁଆଡେ ମିଳେଇ ଗଲା |ସେ ଅନିଷ କୁ ଖାଇବାକୁ ଦେଇ,ମଧ୍ୟାନ୍ନ ଭୋଜନ ପ୍ରସ୍ତୁତିରେ ଲାଗି ପଡିଲେ |ଲଞ୍ଚ ଖାଇ ସାରିବା ପରେ ଅନିଷ ଗଡ଼ପଡ଼ ହେଉ ହେଉ ଶୋଇ ପଡିଲା  ଓ ଏପଟେ ଆଦିକନ୍ଦ ମଧ୍ୟ ଶୋଇ ପଡିଲେ |ସେତେବେଳେ ଅନସୂୟା ଗେଟରେ ଚାବି ପକେଇ ମିତା ମାଡାମଙ୍କ ଘରକୁ ଗଲେ |

                                ତାଙ୍କୁ ଦେଖି ମିତା ମାଡାମ କୋଟିନିଧି ପାଇବା ପରି ହେଲେ |ଅନସୂୟାଙ୍କୁ ଲାଗିଲା,ସତେ ଯେମିତି ସେ ତାଙ୍କୁ ଅପେକ୍ଷା କରି ବସିଥିଲେ |କହିଲେ,ଆଜି ଘରେ ମୁଁ ଏକୁଟିଆ ଅଛି,ମନଖୋଲି  କଥା ହୋଇ ପାରିବା |ଏଣୁ ତେଣୁ ଅନେକ ଗପୁ ଗପୁ ଅନସୂୟା କହିଲେ,ଶୁଣିଲି,ପୁଅ ବାହାଘର ଠିକ ହୋଇ ଯାଇଛି |ତାଙ୍କ କଥା ଶୁଣି ଖୁସିରେ ଗଦ ଗଦ ହୋଇ ମିତା କହିଲେ,ହଁ ,ଠିକ ଶୁଣିଛନ୍ତି'ଦେଖିଲେଣି,ଅସଲ କଥା କହିବାକୁ ମୁଁ ଭୁଲି ଯାଇଛି  |ଝିଅଟି  ଗତବର୍ଷ ବି.ଟେକ କରିବା ପରେ ପୁନେରେ ଚାକିରୀ କରୁଛି |ଏହା କହି ସେ ଝିଅର ଫଟ ଦେଖାଇଲେ |ଫଟ ଦେଖୁ ଦେଖୁ ଅନସୂୟା କହିଲେ,ଝିଅଟି ଗୋଟିଏ ଚାଉଳରେ ଗଢା ,ଅପୂର୍ବ ସୁନ୍ଦରୀ,ଏକା ସାଙ୍ଗରେ ଲକ୍ଷ୍ମୀ ସରସ୍ୱତୀଙ୍କ ମିଳନ !ବହୁତ ବଢିଆ ,ପୁଅର ପସନ୍ଦ ନାଁ ଆପଣଙ୍କ ପସନ୍ଦ ??

                                ତାଙ୍କ କଥା ଶୁଣୁ ଶୁଣୁ ମିତାଙ୍କ ମୁଖମଣ୍ଡଳର ରେଖା କୁଞ୍ଚିତ ହୋଇଗଲା |ଏ ପ୍ରକାର ପ୍ରଶ୍ନ ଅନସୂୟାଙ୍କ ଠାରୁ ଶୁଣିବାକୁ ସେ ବୋଧହୁଏ ଆଶା କରିନଥିଲେ |ସେ କହିଲେ,ପାଠ ପଢା ମଝିରେ ମତେ ଲଫଡା କଥା ଭଲ ଲାଗେନା |ଘର କଥା କଣ କହିବି ଭଉଣୀ,ଇଞ୍ଜିନିଅରିଂ ପଢିବା ବେଳେ ପୁଅ ଗୋଟିଏ ଝିଅକୁ ଧରି ଆମ ଘରକୁ ଆସୁଥିଲା |ପ୍ରଥମେ ତ ତା ସାଙ୍ଗ କହି ମତେ ଫାଙ୍କି  ଦେଉଥିଲା;ପରେ ଯେତେବେଳେ ଜାଣିଲି,ତା ସାଙ୍ଗେ ଚକ୍କର ଚାଲିଛି,ମୋ ବ୍ରହ୍ମ ଜଳିଲା |ଦିନେ ମୁଁ ସେ ଝିଅ ଆଗରେ ତାକୁ ଯାଚ୍ଛାତା ଶୋଧିଗଲି  ଆଉ ତାକୁ ସଫା ସଫା କହିଦେଲି,ଯାହା କରୁଛୁ କର,ବୋହୂ ହେବ,ମୋ ପସନ୍ଦରେ |ପୁଅ ମୋର ଏତେ ରାଗ କେବେ ଦେଖି ନଥିଲା |ସେମିତି ଚୁପ ଚାପ ଛିଡା ହୋଇ ମୋର ସବୁକଥା ଶୁଣିଲା,କିଛି କହିଲାନି  |ସେଇ ଦିନଠାରୁ ମୁଣ୍ଡ ଉଠାଇ ସେ କାହାକୁ ଚାହିଁନି ;ତାର ବହି ଭଲ କି ସେ ଭଲ | ଏଇ ଧନ୍ଦାରେ ପଶି,କେତେ ପିଲାଙ୍କ ଜୀବନ ନଷ୍ଟ ହୋଇ ଯାଇଛି |ଆପଣ କହିଲେ,ମାଆ ହୋଇ ମୁଁ କଣ କେବେ ସେକଥା ଘଟିବାକୁ  ଦେଇଥାନ୍ତି ?ତାଙ୍କର ପ୍ରତ୍ୟେକଟି କଥା ଅନସୂୟାଙ୍କ ହୃଦୟରେ କମ୍ପନ ସୃଷ୍ଟି କରୁଥିଲା |ସବୁ  ଶୁଣି ସେ କେବଳ ନୀରବରେ ମୁଣ୍ଡ ହଲାଉ ଥିଲେ |

                                  କେତେ ସମୟ ପରେ ମିତାଙ୍କ ମନେ ପଡିଗଲା,ସେ ଅନସୂୟାଙ୍କୁ ଚା' କି ସରବତ କିଛି ଦେଇ ନାହାନ୍ତି |ସେ କହିଲେ,ଦେଖିଲେ ଭଉଣୀ ,ମୋ ମୁଣ୍ଡରେ ଆଉ ବୁଦ୍ଧି ନାହିଁ,ସବୁ ସରି ଗଲାଣି |ଚା' ଫ୍ଲାସ୍କରେ ରଖିଛି,ଆପଣଙ୍କୁ ଦେବାକୁ ମନେ ନାହିଁ |ଅନସୂୟା ତାଙ୍କ ହାତ ଧରି ପକେଇ କହିଲେ,ଥାଉ,ଏବେ ତ ଖିଆ ହୋଇଛି,ଆଉ ଟିକେ ଯାଉ |'ଉହୁଁ!ଏ କେମିତି କଥା' କହି ମିତା ଭିତରକୁ ଚାଲିଗଲେ |ଅନସୂୟା ପୁଣି ଥରେ  ଝିଅର ଫଟ ମନ ପୁରେଇ ଦେଖିବାରେ ଲାଗିଲେ |

                                   ହଠାତ କାହାର ପାଦଶବ୍ଦ ଶୁଣି ଅନସୂୟା ମୁଣ୍ଡ ଟେକି ଚାହିଁଲେ |ମିତାଙ୍କ ସାନପୁଅ ଅଭି ଥରେ  ଫଟକୁ ଓ ଆଉଥରେ ଅନସୂୟାଙ୍କୁ ଚାହିଁ,ଭିତରକୁ ଚାଲିଗଲା |ଭିତରେ ମାଆ ପୁଅଙ୍କ କଥୋପକଥନ ଅନସୂୟାଙ୍କୁ ସ୍ପଷ୍ଟ ଶୁଭା ଯାଉଥିଲା |ଅଭି କହୁଥିଲା,ମାମା,ମୁଁ ତମକୁ କହିଥିଲି ନାଁ,ଭାଇକୁ  ନ ପଚାରି ଏତେବଡ଼ ଡିସିଜନ ନିଅନା,ହେଲେ,ତମେ ମୋ କଥା ଜମା ଶୁଣୁନ |

ମିତା:ତୁ କାଲିକା ମେଞ୍ଚଡ଼ ଟୋକା,ମତେ ବୁଦ୍ଧି ଶିଖାଉଛୁ ?

ଅଭି:ହଉ,ଯେତେବେଳେ ଲୋକଙ୍କ ଆଗରେ ଅପଦସ୍ଥ ହେବ,ସେତେବେଳେ ମୋ କଥା ମନେ ପକେଇବ ଯେ |

ମିତା:କାହିଁକି ସେ ବାଜେ କଥା ଗପୁଛୁ ?  ବିଜୁ କେବେହେଲେ ମୋ କଥାରେ ଅରାଜି ହବନି,ମୁଁ ତାକୁ ଭଲକରି ଜାଣିଛି  |

                        ଅଭି କହିଲା,ମୁଁ କେମିତି ତମକୁ କହିବି ମାମା ଯେ ଭାଇ ଅଲରେଡ଼ି ଜ୍ୟୋତ୍ସ୍ନା ଦିଦିକୁ ବାହା ହୋଇ ସାରିଲାଣି |ମିତା କହିଲେ,ତୁ ମିଛ କହୁଛୁ |ଅଭି କହିଲା,ମିଛ ନୁହେଁ,ପୂରା ସତ |ତମେ ଭାବିଥିଲ,ସେମାନଙ୍କୁ ଗାଳି ଦେବାପରେ ଦୁହିଁଙ୍କ ସମ୍ପର୍କ ତୁଟି ଯାଇଛି |କିନ୍ତୁ ସେମାନଙ୍କର ସମ୍ପର୍କ ପୂର୍ବ ପରି  ରହିଥିଲା |ଜ୍ୟୋତ୍ସ୍ନା ଦିଦି ଆଗ ୟୁ.ଏସ.ଏ.ଗଲେ|ତାପରେ ଭାଇ ଗଲା  |ଆଉ ସେମାନେ ଇଣ୍ଡିଆ ଫେରିବେନି |ଏବେ ଦୁଇଦିନ ତଳେ ସେମାନେ ବାହା ହୋଇ ଯାଇଛନ୍ତି |ବିଶ୍ୱାସ ହେଉନି ଯଦି ତାଙ୍କ ବାହାଘର ଫଟ ଦେଖ,ଆଜି ଭାଇ ପଠେଇଛି | ଏହାପରେ କଣ ଗୋଟେ ତଳେ ପଡ଼ିବାର ଶବ୍ଦ ଶୁଣାଗଲା |

                        ଆଉ ସେଠାରେ ଗୋଟିଏ ମିନିଟ ବି ଅଧିକ ରହିବାକୁ ଅନସୂୟା ଉଚିତ ମନେକଲେ ନାହିଁ ;ନିଃଶବ୍ଦରେ ସେ ସେଠାରୁ ଚାଲି ଆସିଲେ |(କ୍ରମଶଃ) 

Monday, December 28, 2020

ଅନନ୍ୟା (ଭାଗ 14)

                                     ଘରେ ପହଞ୍ଚି ଗେଟ ଖୋଲିଲା ବେଳକୁ,ଅନସୂୟା ବାହାରକୁ ବାହାରି ଆସିଲେ |ସେ କିଛି ପଚାରିବା ପୂର୍ବରୁ ଅନିଷ ଇଶାରା ରେ ପଚାରିଲା,ବାବା ଉଠିଲେଣି ?ଅନସୂୟା କହିଲେ,ସେ ଉଠିବା ଉଠିବା ହେଉଛନ୍ତି |ତୁ ଆଗେ କହ,ସବୁ ଠିକ ତ ?'ସବୁ ଠିକ' ;ଅନିଷ ସଂକ୍ଷିପ୍ତ ଉତ୍ତର ଦେଲା |

:କଣ ଅସୁବିଧା ଥିଲା କହୁଥିଲୁ ପରା ?ଅନସୂୟା ପୁଣି ପଚାରିଲେ |ଅନିଷ ବାଇକ ରଖି,ଅନସୂୟାଙ୍କ ହାତକୁ ଦିବ୍ୟାଶା ଦେଇଥିବା ପ୍ୟାକେଟ ଦେଇ କହିଲା,ୟାକୁ ରଖ |ଅନସୂୟା  ପଚାରିଲେ,ଇଏ କଣ ?

            ଅନିଷ ହସିଦେଇ କହିଲା,ଇଏ ହେଉଛି,ଆରିସା ପିଠା,ଆନି ଦେଇଛି |ଆଉ ଯାହା ପଚାରିବାର ଅଛି, ଭାବିକରି ରଖି ଥାଅ ,ମୁଁ ଶୋଇକରି ଉଠିଲେ କହିବି |ପ୍ଲିଜ ମତେ ଉଠେଇବନି |ମୁଁ ଦୁଇ/ତିନି ଘଣ୍ଟା ଶୋଇ କରି ମନକୁ ମନ ଉଠି ପଡିବି |ସେତେବେଳେ ଦାନ୍ତ ଘଷିବି,ଗାଧୋଇବି,ଖାଇବି କି ଆଉ ଯାହା କହିବ,କରିବି |ପ୍ଲିଜ ମମି,ମତେ ଡିଷ୍ଟର୍ବ କରିବନି,ବହୁତ ନିଦ ଲାଗୁଛି |ସେ ଏକଥା କହି ସିଧା ନିଜ ବେଡରୁମକୁ ଚାଲିଗଲା ଓ ଡ୍ରେସ ବଦଳେଇ,ନିଜର କ୍ଲାନ୍ତ ଶରୀରକୁ ବିଛଣାରେ ଲୋଟାଇ ଦେଲା |ଚାହୁଁ ଚାହୁଁ ସେ ଗଭୀର ନିଦ୍ରାରେ ଶୋଇ ପଡିଲା |

                କିଛି ସମୟ ପରେ ଆଦିକନ୍ଦ ଉଠି ଚା' ପିଉ ପିଉ ପେପର ପଢିଲେ ଓ ନିତ୍ୟକର୍ମ ଶେଷ କରି ବ୍ରେକଫାଷ୍ଟ ଖାଇବା ବେଳେ ଅନସୂୟାଙ୍କୁ ପଚାରିଲେ,ଅନୁ କୁଆଡେ ଗଲା ?କାଇଁ ତାକୁ ଦେଖୁନି ତ ?ଅନସୂୟା କହିଲେ,ସେ ଶୋଇଛି |

:ଏଗାରଟା ବାଜିବାକୁ ହେଲାଣି,ସେ ଏ ପର୍ଯ୍ୟନ୍ତ ଶୋଇଛି ?ଆଦିକନ୍ଦ ବିରକ୍ତ ହୋଇ ପଚାରିଲେ |ଅନସୂୟା କହିଲେ,କାଲି ରାତି ସାରା ସମୁଦ୍ରରେ ନିଆଁ ଲିଭାଉ ଥିଲା ତ,ସେଥିପାଇଁ ବାବୁଙ୍କ ନିଦ ଭାଙ୍ଗିନି |ଆଉ ଟିକେ ପରେ ଉଠିଯିବ,ବ୍ୟସ୍ତ ହୁଅନି |ଆଦିକନ୍ଦ କହିଲେ,ମାଆ ଯେମନ୍ତ,ପୁଅ ସେମନ୍ତ ;ତମେ ତ ତାକୁ ପୂରା ବିଗାଡି ସାରିଲଣି !ଅନସୂୟା ତାଙ୍କ ପ୍ଲେଟରେ ଦିବ୍ୟାଶା ଦେଇଥିବା ଏକ ଆରିସା ପିଠା ରଖି କହିଲେ,ୟାକୁ ଚାଖି କହିଲ କେମିତି ଲାଗୁଛି ?

                        ଆରିସା ପିଠା ଦେଖି,ଆଦିକନ୍ଦ କହିଲେ,ଆରେ ୟେତ ରାଶି ଦିଆ ଆରିସା ପିଠା,ଏହା କହିବା ସଙ୍ଗେ ସଙ୍ଗେ ସେ ପିଠା ଖାଇ କହିଲେ,ବଢିଆ ଲାଗୁଛି,ୟାକୁ କେତେବେଳେ ତିଆରି କଲ ?ଅନସୂୟା ତାଙ୍କ ପ୍ଲେଟରେ ଆଉ ଦୁଇଟି ଆରିସା ପିଠା ରଖି କହିଲେ,ଆଜି ସକାଳେ,ଅନୁ ତା ସାଙ୍ଗକୁ ବସଷ୍ଟାଣ୍ଡ ରୁ ଆଣି ହଷ୍ଟେଲରେ ଛାଡିବା ପାଇଁ ଯାଇଥିଲା |ସେଇ ଦେଇଛି |

:ଓହୋଃ !ସେଇଥିପାଇଁ ଏ ପର୍ଯ୍ୟନ୍ତ ଶୋଇଛି,ସେକଥା କହୁନ !ପୁଣି ପିଠା ଆଡେ ଚାହିଁ କହିଲେ,ଭଲ ଲାଗୁଛି ବୋଲି କହିଲି ବୋଲି କଣ ଏତେ ବଡ଼ ଭୁଲ ହୋଇଗଲା ?ଏତେ ପିଠା ଆଣି ଗଦେଇ ଦେଲଣି,ସବୁ କଣ ମୁଁ ଖାଇବି ? ଏହି ସମୟରେ ଅନସୂୟାଙ୍କ ମୋବାଇଲ ରିଂ ହେଲା |ପଡୋଶୀ ଘର ମିତା ମାଡାମ ଫୋନ କରିଥିଲେ |କହିଲେ,ଆପଣଙ୍କ କାମ ସାରିଲେ,ଉପରବେଳା ଟିକେ ଆମ ଘରକୁ ଆସିବେ |ଉତ୍ତରରେ ହଉ କହି ଅନସୂୟା ଫୋନ ରଖିଦେଲେ |

                    ଆଦିକନ୍ଦ କିଛି ପଚାରିବା ଆଗରୁ ଅନସୂୟା କହିଲେ,ମିତା ମାଡାମ ଫୋନ କରିଥିଲେ |ଆଦିକନ୍ଦ କହିଲେ,ମୁଁ କହିବାକୁ ଭୁଲି ଯାଇଛି,ଦାସ ବାବୁ କହୁଥିଲେ,ତାଙ୍କ ପୁଅ ବାହାଘର ଠିକ ହୋଇ ଯାଇଛି |ଅନସୂୟା କହିଲେ,ସେ ଲଣ୍ଡନ ରେ ଅଛି ପରା ?ଆଦିକନ୍ଦ କହିଲେ,ତମେ ତ କିଛି ମନେ ରଖିବନି !ସେ ୟୁ.ଏସ.ଏ.ରେ ଅଛି |ବହୁତ ବଢିଆ ପିଲା |ହବନି ବା କାହିଁକି ?ତାଙ୍କ ଘରେ ଡିସିପ୍ଳିନ ଅଛି |କେମିତି ପିଲାଙ୍କୁ ଶାସନ କରାଯାଏ,ସେକଥା ମିତା ମାଡାମ ଭଲ ଭାବେ ଜାଣିଛନ୍ତି |ସେ ଉଠ କହିଲେ ଉଠିବେ,ବସ କହିଲେ ବସିବେ |ଆଉ ଆମ ଗୁଣମନ୍ତ ପୁଅକୁ ଦେଖ,ସ୍ୱର୍ଗରୁ ଚାନ୍ଦ ଆଣିବାକୁ କହିଲେ,ତା ପାଟିରୁ କଥା ନ ସରୁଣୁ,ମାଆ ସଙ୍ଗେ ସଙ୍ଗେ ଆଣି,ତା ହାତ ମୁଠାରେ ଧରେଇ ଦେବେ  !!ଏବେ ଦେଖ,ପାଠ ପଢିବା ପିଲା,ଏତେବେଳ ଯାଏଁ ଶୋଇଛି !ତମେ ଯେଉଁ ନୀତି ଧରିଛ,ଶେଷ ଜୀବନରେ ଖାଲି କାନ୍ଦି କାନ୍ଦି ମଣିଷର ଜୀବନ ଯିବ ! ଛାଡ଼,ଏ ଘରେ କାହାକୁ କିଛି କହିବାର ନାହିଁ,ଏକା ଜଗନ୍ନାଥ ଭରସା |(କ୍ରମଶଃ)

                    

              

Friday, December 25, 2020

ଅନନ୍ୟା (ଭାଗ 13)

                        ସନ୍ଧ୍ୟାରେ ଦିବ୍ୟାଶା ବସରେ ବସିବା ପରେ ମାଆ ଭାରତୀ ଓ ସାନଭାଇ ଦିପୁ କୁ ହାତ ହଲାଇ ବାଏ ବାଏ କଲା |ଭାରତୀ କହିଲେ, ହୁସିଆରରେ ଯିବୁ ଦେବୁ ,ଭୁବନେଶ୍ୱରରେ ପହଞ୍ଚି ଫୋନ କରିବୁ |ଦିବ୍ୟାଶା କହିଲା,ହଁ ବୋଉ,ତମେମାନେ ବି ଘରେ ପହଞ୍ଚି ଫୋନ କରିବ |ସେମାନେ ଆଖି ଆଗରୁ ଅଦୃଶ୍ୟ ହେବା  ଯାଏଁ,ସେ ସେମାନଙ୍କୁ ଚାହିଁ ରହିଥିଲା |

                           ବସରେ ଏକାକିନୀ ଆସିବା ଯେତେ ସହଜ ବୋଲି ସେ ମନେ କରିଥିଲା,ପ୍ରକୃତରେ ତାହା ତା ପାଇଁ ସେତିକି ସହଜ ନଥିଲା |ତା ପଛେ ପଛେ ଆସି ତାର ଦୁଇଟି ଲାଇନ ପଛରେ ବସିଥିବା,ଦୁଇଜଣ ଯୁବକ ତା ପାଖ ଦେଇ ବାରମ୍ବାର ଯିବା ଆସିବା କରିବା ଓ ତା ଉପରେ କଡ଼ା ନଜର ରଖିବା ,ତାକୁ କେମିତି ସନ୍ଦେହଜନକ ମନେହେଲା |  ଭଲଭାବେ  ଲକ୍ଷ୍ୟ କରି ଜାଣିଲା,ସେ ଉମେଶ |କଲେଜକୁ ଯିବାବାଟରେ ,ରାସ୍ତା ପାରି ହେବା ସମୟରେ ଛକ ପାଖରେ ଥିବା  ଜଳଖିଆ ଦୋକାନରେ,ଉମେଶ  ତା ସାଙ୍ଗ ମାନଙ୍କ ସହିତ ମିଶି ଖଟି କରୁଥିଲା ଓ ସେହି ବାଟ ଦେଇ ଯାଉଥିବା ଝିଅ ମାନଙ୍କୁ  ଅଶ୍ଳୀଳ କମେଣ୍ଟ ମାରୁଥିଲା  |କିନ୍ତୁ ଦିବ୍ୟାଶାକୁ ଦେଖିଲେ,ସୁନା ପିଲାଟି ପରି ଚୁପ ହୋଇ ଯାଉଥିଲା | ସେତେବେଳେ ତା ସାଙ୍ଗ ମାନେ ପାଟି କରି ଦିବ୍ୟାଶାକୁ  ଶୁଣେଇବା ପରି କହୁଥିଲେ,ଉମେଶ,ହେଇ,ଭାଉଜ ଆସିଗଲେ,ଭଲକରି ଦେଖ  !କେହି ନଥିଲା ବେଳେ ଉମେଶ  ଦିବ୍ୟାଶାର  ପିଛା କରୁଥିଲା |ସେ ଭୁବନେଶ୍ୱରରେ ଇଞ୍ଜିନିଅରିଂ କରିବା ପଛରେ ଯେଉଁ କେତୋଟି କାରଣ ଥିଲା,ସେଥି  ମଧ୍ୟରୁ ଉମେଶର  ଗତିବିଧି ଅନ୍ୟତମ କାରଣ ଥିଲା | ଅଯଥା ପାଟିତୁଣ୍ଡ ନକରି କେବଳ ସତର୍କତା ଅବଲମ୍ବନ କରିବା ହିଁ ଶ୍ରେୟସ୍କର ବୋଲି ଦିବ୍ୟାଶା ଭାବିଲା  | କିନ୍ତୁ ଦଶଟା ବେଳେ ଯେତେବେଳେ ବସରେ ବଡ଼ ଲାଇଟ ଲିଭି ଛୋଟ ଲାଇଟ ଜଳିଲା,ସେତେବେଳେ ତାର ଭୟ ବଢିଗଲା |ସେ ଏକଥା ବିସ୍ତୃତ ଭାବେ ଅନିଷ କୁ ଫୋନରେ ଜଣାଇ ଦେଲା |ତା କଥା ଶୁଣି,ଅନିଷର ଆଶଙ୍କା ବଢିଗଲା |ସେ  ତାକୁ ଉପଦେଶ ଦେଇ କହିଲା ,ତମେ ମୋ ସାଙ୍ଗରେ କଥା ହୋଇ ଚେଇଁ ରହି ଥାଅ ,ଯେତେବେଳେ କିଛି ବିପଦର ଆଭାସ ପାଇବ,ସେତେବେଳେ ସାଙ୍ଗେ ସାଙ୍ଗେ ପାଟି କରିବ |ତା କଥା ମାନି ,ନିଦ ମାଡ଼ୁଥିଲେ ବି ଦିବ୍ୟାଶା  ନ ଶୋଇ ସାରା ରାତି  ଅନିଷ ସହ କଥା ହେଉଥିଲା |ରାତି ପାହି ଆସିବା ବେଳକୁ,ସେ ପଛକୁ ଚାହିଁ ଦେଖିଲା,ସେ ଦୁଇଜଣଯାକ  ଶୋଇ ପଡିଛନ୍ତି |ସେତେବେଳେ ସେ ଶାନ୍ତିର ନିଃଶ୍ୱାସ ମାରିଲା ଓ ବସଷ୍ଟାଣ୍ଡରେ ବସ ରହିବା କ୍ଷଣି , ତର ତର ହୋଇ ତଳକୁ ଓହ୍ଲାଇ ଗଲା |

                          ବାହାରେ ଅନିଷ ତାକୁ କେତେବେଳୁ ଅପେକ୍ଷା କରିଥିଲା |ସେ କିଛି ନକହି,ଚୁପଚାପ ଯାଇ,ବାଇକ ପଛରେ ବସି ପଡିଲା |ସେମାନେ କିଛି ଦୂର ଯିବା ପରେ,ଦିବ୍ୟାଶା ଦେଖିଲା,ସେ ଦୁଇଜଣ  ଏକ ଅଟୋରେ ବସି,ସେମାନଙ୍କ  ପିଛା କରୁଛନ୍ତି |ସେ ଅନିଷ କୁ ଆସ୍ତେ କରି ଏ କଥା ଜଣେଇ ଦେଲା |ଅନିଷ ଦ୍ରୁତ ବେଗରେ ଗଳି କନ୍ଦି ରାସ୍ତାରେ ଯାଇ,ଅଳ୍ପ ସମୟରେ ହଷ୍ଟେଲ ଗେଟ ସାମ୍ନାରେ ବାଇକ ରଖିଦେଲା |ଦିବ୍ୟାଶା କହିଲା, ଭାବିଥିଲି ଏକୁଟିଆ ଅତି ଆରାମରେ ହଷ୍ଟେଲକୁ ଚାଲି ଆସିବି ବୋଲି;କିନ୍ତୁ ଏକୁଟିଆ ଆସିବାରେ ଏତେ ବିପଦ ଅଛି ବୋଲି ମୁଁ ଜାଣି ନଥିଲି |ତମକୁ କେଉଁ ଭାଷାରେ ଧନ୍ୟବାଦ ଦେବି ,ମୁଁ ଜାଣି ପାରୁନି |

                             ଅନିଷ ସ୍ମିତ ହସି କହିଲା,ଧନ୍ୟବାଦ ମତେ ନୁହେଁ,ମମିଙ୍କୁ ଦିଅ |କାରଣ ଏଇ ଆଇଡ଼ିଆ ତାଙ୍କର ଥିଲା |ସେ ହିଁ ତମେ ଏକୁଟିଆ ଆସିବାରେ ବିପଦ ଅଛି ବୋଲି ମତେ କହିଥିଲେ |ତା କଥା ଶୁଣି ଦିବ୍ୟାଶାର ଆଖି ଛଳ ଛଳ ହୋଇଗଲା |ସେ କହିଲା,ଆଣ୍ଟି ମୋ ନାଁ ଅନନ୍ୟା ଦେଇଛନ୍ତି ;କିନ୍ତୁ ମୁଁ କହିବି,ଆଣ୍ଟି  ମୋ ପାଇଁ ଅନନ୍ୟା ,କେଉଁ ଜନ୍ମର ପୁଣ୍ୟ ବଳରେ ମୁଁ ତାଙ୍କୁ ମୋ ଜୀବନରେ ପାଇଛି !ଅନିଷ କହିଲା,ମୋ ଯୋଗୁଁ ସିନା ତମେ ମମିଙ୍କୁ ପାଇଲ !ମୁଁ ତମ ଜୀବନରେ ଆସି ନଥିଲେ,ତମେ ମମିଙ୍କ ସଂସ୍ପର୍ଶରେ ଆସିଥାନ୍ତ କେମିତି ?

                           ଦିବ୍ୟାଶା ଭାବପ୍ରବଣ ହୋଇ କହିଲା,ସିଏ ବି ଏକ ଯୋଗାଯୋଗ ବୋଲି ଭାବିନିଅ |ତାଙ୍କ ଅନାବିଳ ସ୍ନେହ ଶ୍ରଦ୍ଧା ପାଇବାର ଥିଲା ବୋଲି ହୁଏତ ତମେ ମୋ ଜୀବନରେ ଆସିଲ !!ଅନିଷ ମୁରୁକି ହସି,ଅନସୂୟା ଦେଇଥିବା ପ୍ୟାକେଟ ତା ହାତକୁ ବଢ଼େଇ ଦେଇ କହିଲା, କହିଲା,ହଉ,ଏତେ ଇମୋସନାଲ ହୁଅନା ;ଏଇ ପୁଡିଆ ରଖ,ମମି ଖାଇବା ଜିନିଷ ଦେଇଛନ୍ତି,ସାଙ୍ଗ ମାନଙ୍କ ସାଙ୍ଗେ ମିଶି ଖାଇବ |

                           ତା କଥା ଶୁଣି ଦିବ୍ୟାଶା କହିଲା,ଆରେ ମୁଁ ତ ଭୁଲି ଯାଇଥିଲି,ସେ ତା ହ୍ୟାଣ୍ଡ ବ୍ୟାଗରୁ ଏକ ପ୍ୟାକେଟ ଅନିଷ କୁ ଦେଇ କହିଲା,ଏଥିରେ ବୋଉ ହାତ ତିଆରି ଆରିସା ପିଠା ଅଛି ,ତମେ ବି ଅଙ୍କଲ ଆଣ୍ଟିଙ୍କ ସାଙ୍ଗେ ମିଶି ଖାଇବ ;ଏହା କହି ସେ ଜୋରରେ ହସି ପକାଇଲା |ଏହି ସମୟରେ ଏକ ଅଟୋର ହର୍ନ ଶୁଣି ଦୁହେଁ ବୁଲିପଡ଼ି ଚାହିଁଲେ ;ଉମେଶ ତା ସାଙ୍ଗ ସହିତ ସେହି ଅଟୋରେ ବସି,ଦୁଇଜଣଙ୍କୁ ଚାହୁଁ ଥିଲା |ତାକୁ ଏମିତି ଚାହୁଁଥିବାର ଦେଖି ଦୁହେଁ ଡରିଗଲେ |ଦିବ୍ୟାଶା କହିଲା,ଏବେ ଆମ କଲେଜ ସେ ଦେଖିଦେଲା,ଆଗକୁ କଣ କରିବ ଭଗବାନ ଜାଣନ୍ତି |

                          ଅନିଷ ତାକୁ ସାନ୍ତ୍ୱନା ଦେଇ କହିଲା,ମୋ 'ଦେବୁ'ର କିଛି ହେବନି,ଯଦି ବି କିଛି ହୁଏ,ତାହେଲେ ମୋ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ,କେହି ତାକୁ  ମୋ ଠାରୁ ଅଲଗା କରି ପାରିବେ ନାହିଁ | (କ୍ରମଶଃ) 

                      

                     

Wednesday, December 23, 2020

ଅନନ୍ୟା (ଭାଗ 12)

                           ସେଦିନ ଶୁକ୍ରବାର ଥିଲା |ଦିବ୍ୟାଶାକୁ ନିଜ ପସନ୍ଦର ଏକ ଡ୍ରେସ ଉପହାର ଦେବାପାଇଁ,ଅନସୂୟାଙ୍କର ବହୁତ ମନ ଥିଲା |କିନ୍ତୁ ଦେଲେ ଭଲ ହେବ କି ନାହିଁ ତାହା ସେ ଜାଣି ପାରୁ ନଥିଲେ |ପୁଣି ଭାବିଲେ,କାହାକୁ ଖୁସିରେ ଡ୍ରେସ ଦେଲେ କଣ ବା ଅପରାଧ ହୋଇଯିବ ;ଏମିତିରେ, ଅଜଣା ଅଶୁଣା କେତେ ଲୋକଙ୍କୁ ସେ ବହୁତ କିଛି ଦାନ କରିଛନ୍ତି,ଯେଉଁମାନଙ୍କୁ ସେ ଏବେ ଦେଖିଲେ ,ଚିହ୍ନି ବି ପାରିବେ ନାହିଁ |ତଥାପି ସେ ଭଲ ମନ୍ଦ ଦିଗ ଚିନ୍ତା କରି,କିଛି କୂଳ କିନାରା ପାଇ ପାରୁ ନଥିଲେ |ଅନସୂୟାଙ୍କର ଏକ ବଡ଼ ଦୋଷ ଥିଲା ;ଯେଉଁ ଭାବନା  ତାଙ୍କ ମୁଣ୍ଡରେ ଥରେ ପଶି ଯାଉଥିଲା , ସମାଧାନ ନହେବା ପର୍ଯ୍ୟନ୍ତ,ତାହା ତାଙ୍କ ମୁଣ୍ଡରୁ ବାହାରି ପାରୁ ନଥିଲା  |ଏଇ କ୍ଷେତ୍ରରେ ବି ସେଇଆ ହେଲା |ଶେଷରେ ବହୁତ ଚିନ୍ତାକରି  ସେ ଦିବ୍ୟାଶାକୁ ଡ୍ରେସ ଦେବାପାଇଁ,ମନ ସ୍ଥିର କରିନେଲେ |ଦିବ୍ୟାଶାର ଶରୀର ଗଠନ ଯାହା ତାର ସାଇଜ ଏକ୍ସଟ୍ରା ସ୍ମଲ ହେବ ବୋଲି ସେ ଭଲଭାବେ ଜାଣିଥିଲେ |ସେଦିନ ଖରାବେଳେ ମାର୍କେଟ ଯାଇ,ତାଙ୍କ ପସନ୍ଦର ଏକ ସୁନ୍ଦର ଗୋଲାପି ରଙ୍ଗର ଡ୍ରେସ କିଣି ତାକୁ ଭଲଭାବେ ପ୍ୟାକ କରିଦେଲେ |ଡ୍ରେସ କିଣି ଘରକୁ ଫେରିବା ପରେ ତାଙ୍କ ମନରୁ ସବୁ ଦୁଃଶ୍ଚିନ୍ତା ଦୂରେଇ ଯାଇଥିଲା ଓ ସେ ବହୁତ ଖୁସି ଥିଲେ  |

                          ଶନିବାର ଦିନ ମଧ୍ୟାନ୍ନରେ ସେ ତାଙ୍କର ଅତି ପ୍ରିୟ ଗାଜର କେକ ଓ କାକରା ତିଆରି କଲେ |ତାକୁ ମଧ୍ୟ ପ୍ୟାକ କରି ସେ କିଣିଥିବା ଡ୍ରେସ ସହିତ ରଖିଦେଇ,ଅନିଷ କୁ ଦେଇ କହିଲେ,ଏଥିରେ ପିଠା ଆଉ କେକ ଅଛି,ତାକୁ କହିବୁ,ସାଙ୍ଗମାନଙ୍କ ସହିତ ମିଶି ଖାଇବ |ସେଥିରେ ଦିବ୍ୟାଶା ପାଇଁ ଡ୍ରେସ ଥିବା କଥା ସେ ଜାଣିଶୁଣି କହିଲେ ନାହିଁ |

                           ରାତିରେ ଆଦିକନ୍ଦ ରୁଟି ନଖାଇ କାକରା,ତରକାରୀ ଖାଇଲେ |ଅନିଷ ଏତେ ମିଠା ପ୍ରିୟ ନୁହେଁ,ସେ କେବଳ ରୁଟି,ତରକାରୀ ଖାଇଲା |ସବୁ କାମ ସାରିବା ବେଳକୁ ଅନସୂୟାଙ୍କର ବାରଟା ପାଖାପାଖି ହୋଇଗଲା |ସେ ଅନିଷ ର ରୁମକୁ ଯାଇ ଦେଖିଲେ,ସେପର୍ଯ୍ୟନ୍ତ ନ ଶୋଇ ସେ କାହା ସହିତ କଥା ହେଉଛି | ଶୀଘ୍ର ଶୋଇ ପଡ଼ିବାକୁ ସେ ତାକୁ ଯେତେ କହିଲେ ବି,ଅନିଷ ତାଙ୍କୁ ହାତ ଠାରି ,ଟିକେ ପରେ ଶୋଇବି,ତମେ ଯାଅ ବୋଲି କହୁଥିଲା |ବିରକ୍ତ ହୋଇ ଅନସୂୟା ଶୋଇବାକୁ ଚାଲିଗଲେ |

                             ଭୋର ଚାରିଟାରେ   ଅନସୂୟାଙ୍କର ନିଦ ଭାଙ୍ଗିଗଲା |ସେ ବାଥରୁମ ଯିବା ପୂର୍ବରୁ ଅନିଷ ରୁମକୁ ଯାଇ ଦେଖିଲେ,ସେ ମୁହଁ ଘୋଡେଇ ଶୋଇ ପଡିଛି |କିନ୍ତୁ ତାଙ୍କର ସନ୍ଦେହ ହେବାରୁ ସେ ତା ପାଖକୁ ଯାଇ ଦେଖିଲେ,ବ୍ଳାଙ୍କେଟ ଭିତରେ କାନରେ ମୋବାଇଲ ଦେଇ ସେମିତି ଗୁଣୁ ଗୁଣୁ ହୋଇ ସେ ଗପି ଚାଲିଛି |ହଉ ଯାହା କରୁଛି କରୁ,ମନେ ମନେ କହି ସେ ତାଙ୍କ ନିଜ କାମ କରିବାରେ ଲାଗିଲେ |ସାଢେ ପାଞ୍ଚଟା ବେଳକୁ ଅନିଷ ରେଡି ହୋଇ ତାର ବାଇକ ପାଖରେ ଛିଡା ହୋଇଥିଲା |ଅନସୂୟା ପଚାରିଲେ,ଏତେ ଶୀଘ୍ର ଯାଉଛୁ ?ଅନିଷ ଗମ୍ଭୀର ହୋଇ କହିଲା,ହଁ ମମି,ମତେ ଶୀଘ୍ର ଯିବାକୁ ପଡିବ |ଟିକେ ଅସୁବିଧା ହୋଇ ଯାଇଛି,ମୁଁ ଆସିଲେ,କହିବି |(କ୍ରମଶଃ)

Monday, December 21, 2020

ଅନନ୍ୟା (ଭାଗ 11)

                        କୁମାରପୂର୍ଣ୍ଣିମା ପର୍ବ ଯେତେ ଯେତେ ନିକଟତର ହେଉଥିଲା ,ଅନିଷ ସେତିକି ସେତିକି ଉତ୍ଫୁଲ୍ଲିତ ଜଣା ପଡୁଥିଲା  |ଏହାର କାରଣ ଅନସୂୟାଙ୍କୁ ଭଲରୂପେ ଜଣା ଥିଲା ;ତା ପରଦିନ ଯେ ଦିବ୍ୟାଶାର ଭୁବନେଶ୍ୱର ଆସିବାର କଥା ଥିଲା !କିନ୍ତୁ କଣପାଇଁ କେଜାଣି  କୁମାରପୂର୍ଣ୍ଣିମା ପୂର୍ବଦିନ ଅନିଷ ଖୁବ ଉଦାସ  ହୋଇଗଲା  |ଅନସୂୟା ତାକୁ ପଚାରିଲେ,କଣ ହୋଇଛି ବାବୁ ?ମୁହଁ କାହିଁକି ଶୁଖି ଯାଇଛି ?ଦେହ ଭଲ ଲାଗୁନି କି ??ଏହା କହି,ଜ୍ୱର ହୋଇଛି ନାଁ ଜାଣିବା ପାଇଁ,ସେ ତା ଦେହରେ ହାତ ମାରିଲେ  |ଅନିଷ କହିଲା,ନାଁ ମମି,ମୋ ଦେହ,ଭଲ ଅଛି |ଚାରିଦିନ ହେଲାଣି ଆନି ଆଉ ତା ଘରର ସମସ୍ତଙ୍କୁ ଭାଇରାଲ ଫିଭର ହୋଇଛି ଯେ,ଛାଡିବାର ନାଁ ଧରୁନି  |ତେଣୁ ସେ ଆଉ ତା ସାଙ୍ଗମାନଙ୍କ ସାଙ୍ଗେ ଆସି ପାରିବନି |

:ତାହେଲେ ସେ କେମିତି ଆସିବ?ତାକୁ କିଏ ଛାଡିବାକୁ ଆସିବ ?ଅନସୂୟା ପଚାରିଲେ |ଅନିଷ କହିଲା,ତା ଦେହ ଭଲ ହେବାପରେ ସପ୍ତାହେ ପରେ ବୋଧେ ଆସିବ,ସେତେବେଳେ ଜଣା ପଡିବ |ଅନସୂୟା କହିଲେ,ଦେହ ଥିଲେ,ରୋଗ ଅଛି,ଭାଇରାଲ ଫିଭର ଭଲ ହେବା ପାଇଁ ସମୟ ଲାଗେ |ତୁ ବ୍ୟସ୍ତ ହୁଅନା,ଆଉ ଦୁଇ/ଚାରିଦିନ ଭିତରେ ସମସ୍ତେ ଭଲ ହୋଇଯିବେ |ଖାଲି  ଏକଲା କେମିତି ଏତେ ବାଟ ଆସିବ,ସେଇ ଗୋଟିଏ ଚିନ୍ତା |

                  ସପ୍ତାହେ ପରେ ଅନିଷ ,ଅନସୂୟାଙ୍କୁ କହିଲା,ମମି,ଏବେ ସେମାନେ ସମସ୍ତେ ଭଲ ହୋଇ ଗଲେଣି |ଆନି ରବିବାର ଦିନ ଆସିବ |

:ସେ ଟ୍ରେନ ରେ ଆସିବ ?ଅନସୂୟା ପଚାରିଲେ |

:ନାଁ |ଟ୍ରେନ ଟିକେଟ ମିଳିଲାନି ;ନାଇଟ ବସରେ ଆସିବ,ସକାଳ ସାଢେ ଛ'ଟା ରେ ବରମୁଣ୍ଡା ବସଷ୍ଟାଣ୍ଡରେ ବସ ପହଞ୍ଚିବ |

:ହଉ ଠିକ ଅଛି |ଏତିକି କହି ଅନସୂୟା ସେଠାରୁ ଚାଲିଗଲେ |

                      ଦିବ୍ୟାଶାର ଏତେ ସକାଳୁ ଆସିବାଟାକୁ ସେ ସାଧାରଣ ଭାବେ ନେଇଥିଲେ | କିନ୍ତୁ ସେଦିନର ଓଡ଼ିଆ ଟିଭି ଚ୍ୟାନେଲ ରେ ବାରମ୍ବାର ପ୍ରସାରିତ ହେଉଥିବା ଏକ ମର୍ମନ୍ତୁଦ ସମ୍ବାଦ ତାଙ୍କୁ ଭୟଭୀତ କରିଦେଲା  |  ରାତ୍ରୀ ବସରେ ଏକୁଟିଆ ଆସିଥିବା ଝିଅଟିକୁ  ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ଭୀଷଣ  ଜୋରରେ ଝାଡା ମାଡ଼ିଥିଲା | ଟୟଲେଟ କେଉଁଠି ଅଛି ବୋଲି ସେ ଯାହାକୁ ପଚାରିଥିଲା ,ସେ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲା |ସମ୍ବାଦ ଶୁଣି,ପରିସ୍ଥିତିକୁ କଳ୍ପନା କରି,ସେ ଏତେ ଡରିଗଲେ ଯେ,ତାଙ୍କୁ ଲାଗୁଥିଲା ,ସତେ ଅବା ଏଇ ସାଙ୍ଗେ ସାଙ୍ଗେ ତାଙ୍କର ହୃଦଘାତ ହୋଇଯିବ ! ସେ ଅନିଷ କୁ ଡାକିଲେ |କିନ୍ତୁ ସେ ଘରେ ନଥିଲା |ତାଙ୍କୁ ଭାରି ବ୍ୟସ୍ତ ଲାଗୁଥିଲା | ଥଣ୍ଡା ପାଣି ଗ୍ଲାସେ  ପିଇ ସେ ବିଛଣାରେ ଗଡି ପଡିଲେ |କିନ୍ତୁ ତାଙ୍କୁ ଭଲ ଲାଗୁ ନଥିଲା | ବାହାରକୁ ଯାଇ ସେ ଟିକିଏ ବୁଲାଚଲା କଲେ |ଏହି ସମୟରେ ଅନିଷ ଆସିଲା |କିନ୍ତୁ ମନେ ମନେ ସେ ଯାହା ଭାବିଥିଲେ,ତାହା ତାକୁ କହି ପାରିଲେ ନାହିଁ |ଅନିଷ  ଘର ଭିତରକୁ ଯିବାପରେ ସେ  ତା ପଛେ ପଛେ ଯାଇ ପଚାରିଲେ,ଚା' ପିଇବୁ ?ଅନିଷ ଖୁସି ହୋଇ କହିଲା,ହଁ ମମି,ପ୍ଲିଜ |

                      ଦୁହେଁ ଚା' ପିଉଥିବା ବେଳେ ଅନସୂୟା କହିଲେ,ଆଜି ତ ଗୁରୁବାର,ଆନି ଆସିବାକୁ ଆଉ ଦୁଇଦିନ ରହିଲା,ନୁହେଁ ?ଅନିଷ ମୁଣ୍ଡ ଟୁଙ୍ଗାରି ହଁ କହିଲା |

:ଏତେ ସକାଳୁ ସେ କେମିତି ହଷ୍ଟେଲକୁ ଆସିବ?ତା ସାଙ୍ଗରେ ଆଉ କିଏ ଅଛି ?ଅନସୂୟା  ପଚାରିଲେ |ଅନିଷ କହିଲା,ସେଇଠି ସବୁବେଳେ ମାଳ ମାଳ ଅଟୋ ଥାଏ ,ସେ ସେଇଥିରେ ଚାଲି ଆସିବ |ତା କଥା ଶୁଣି,ଅନସୂୟା ଚି଼ହଁକି ଉଠି କହିଲେ,ସେମିତି ଭୁଲ ତୁ କଦାପି କରିବୁନି |ତୁ ନିଜେ ତାକୁ ତୋ ବାଇକରେ ନେଇ, ହଷ୍ଟେଲରେ ଛାଡି ଦେଇ ଆସିବୁ |ତାର ଟିକିଏ ବି ଅନିଷ୍ଟ ମୁଁ ସହି ପାରିବି ନାହିଁ  |ଏତିକି କହି ସେ ଜୋରରେ ନିଃଶ୍ୱାସ ନେଲେ |

              ଅନିଷ ଚା' କପ ଟେବଲ ଉପରେ ରଖି,ଶାନ୍ତ ସ୍ୱରରେ କହିଲା,ମୁଁ ବି ସେଇଆ ଭାବୁଥିଲି ମମି |କାଳେ  ତମେ ମନା କରିବ,ସେଥିପାଇଁ କିଛି,କହୁ ନଥିଲି |ୟୁ ଆର ଗ୍ରେଟ ମମି,ଆଇ ଲଭ ୟୁ |(କ୍ରମଶଃ)

Friday, December 18, 2020

ଅନନ୍ୟା (ଭାଗ 10)

                        ଅନିଷ ର ହସକୁରା ମୁହଁକୁ ଚାହିଁ  ଅନସୂୟା କହିଲେ,ଆନି ର ଫୋନ ଆସିଲାରୁ ତୋ ନିଦ ଭାଙ୍ଗିଲା,ନୁହେଁ ?ଅନିଷ କହିଲା,ତମେ କେମିତି ଜାଣିଲ ?ଅନସୂୟା କହିଲେ,ତୋ ମୁହଁ ଦେଖି |ଉଠିକରି ମୁହଁ ବି ଧୋଇନୁ,କଣ କହିବି ତତେ !! ଅନିଷ କହିଲା,ଓହୋଃ !ମମି,ତମେ ଲେଡି ବ୍ୟମୋକେଶ ବକ୍ସି ବୋଲି ,ମୁଁ ପରା ଭୁଲି ଯାଇଥିଲି |ହଉ ଯାଉଛି,ଏକାଥରକେ,ମୁହଁ ଧୋଇ,ଦାନ୍ତ ବ୍ରସ କରି ଆସିବି |ସେ ଯାଉ ଯାଉ ପୁଣି ଫେରିଆସି କହିଲା,ମମି,ତମର ସେ ସ୍ପେଶାଲ ଚା' ଆଉ ବଳିଛି ନାଁ ସବୁ ପିଇଦେଇଛ  ?ଅନସୂୟା କହିଲେ,ଆଉ ଟିକେ ସେ ଫ୍ଲାସ୍କରେ ଥିବ |ହେଲେ ତୁ ଏତେବେଳ ହେଲାଣି ଖାଲି ପେଟରେ ଚା' ପିଇବୁନି |ଆଗ ଜଳଖିଆ ଖାଇବୁ,ତାପରେ ଚା' ;ନହେଲେ ସତ କହୁଛି,ସବୁ ଫିଙ୍ଗିଦେବି |ଅନିଷ କହିଲା,ହଉ ଠିକ ଅଛି,ବ୍ରେକଫାଷ୍ଟ ରେ ଆଜି କଣ କରିଛ,ପ୍ଲିଜ,କହିଦିଅ, କାହିଁକି ନାଁ ,ମୁଁ ଉପମା ଖାଇବିନି,ଚୁଡ଼ା ସନ୍ତୁଳା ଖାଇବିନି କି ପରଟା ବି ଖାଇବିନି |ଅନସୂୟା ବିରକ୍ତ ହୋଇ ସେଠାରୁ ଯାଉ ଯାଉ କହିଲେ,ଛେନା ଗୁଡ଼ ଖାଇବୁ  |

                         ଅନିଷ ରୋଷେଇଘରକୁ ଯାଇ ଦେଖିଲା,ତାର ଅତି ପ୍ରିୟ ନୁଡଲସ ହୋଇଛି |ସେ ସାଙ୍ଗେ ସାଙ୍ଗେ ଦାନ୍ତ ବ୍ରସ କରି  ,ଗୋଟିଏ ପ୍ଲେଟରେ ଆଣି ଖୁସିରେ ଖାଇବାକୁ ଲାଗିଲା |ଅନସୂୟା ତା ପାଖକୁ ଆସି କହିଲେ,ଆରେ ତାକୁ ଗରମ ନକରି ସେମିତି ଖାଇଦେଲୁ ?ଅନିଷ ହସିଦେଇ କହିଲା,ନୋ  ଟେନ୍ସନ ମମି,ଏମିତିରେ ବେଶି ବଢିଆ ଲାଗୁଛି,ତମେ ମତେ ଖାଲି ଟିକେ ଚା'  ଟା  ଦେଇ ଦିଅ ,ପ୍ଲିଜ |ଅନସୂୟା କହିଲେ,ହଁ ଦେବି,କିନ୍ତୁ ତୁ ଖାଇସାରି ପାଣି ପିଇବା ପରେ |ଅନିଷ ତା ସ୍ୱର ଲମ୍ବେଇ କହିଲା,ଚା' ଟିକେ ମାଗିଲି ବୋଲି, କାହିଁକି ଏମିତି ହଉଛ ବା ....|

                          ସେ ଜଳଖିଆ ଶେଷ କରି ପାଣି ପିଇବା ବେଳକୁ,ଅନସୂୟା ଦୁଇଜଣଙ୍କ ପାଇଁ ଚା' ନେଇ ଆସି ଟେବଲ ଉପରେ ରଖି ତା ପାଖ ଚେୟାରରେ ବସି ପଡିଲେ |ଦୁଇ ଜଣଙ୍କ ପାଇଁ ଚା' ଆଣିବାର ଦେଖି ,ଅନିଷ ହସିଲା |କହିଲା,ଭଲ ହେଲା,ସାଙ୍ଗ ହୋଇ ଚା' ପିଇବାର ମଜା ଅଲଗା |ସତରେ ମମି,ୟୁ ଆର ସୁପର !!ଅନସୂୟା କହିଲେ,ହଉ,ଏତେ ଆଉ ତେଲ ମାରନା |ଆଛା,ତୁ ମତେ ଆନି ର ପରିବାର ବିଷୟରେ ତ କିଛି କହିନୁ  |ତା ବାପା କଣ କରନ୍ତି,ତାର କେତେ ଭାଇ ଭଉଣୀ ଇତ୍ୟାଦି  |ତାଙ୍କ କଥା ଶୁଣି ଅନିଷ ର ମୁହଁ ଶୁଖିଗଲା |ସେ କହିଲା,ସେମାନେ ବହୁତ ଦୁଃଖୀ ମମି |ଅନସୂୟା ଆଶ୍ଚର୍ଯ୍ୟ ହୋଇ କହିଲେ,କାହିଁକି ,କଣ ହେଲା ??

                          ଅନିଷ ମୁହଁ ଶୁଖେଇ କହିଲା,ଆନି ମାଟ୍ରିକ ପଢ଼ୁଥିବା ବେଳେ ତାର ବାପା ରୋଡ଼ ଆକ୍ସିଡେଣ୍ଟ ରେ ଚାଲିଗଲେ |ସେତେବେଳେ ତା ମାଆଙ୍କ ଠାରୁ ଆନି ବେଶି ଭାଙ୍ଗି ପଡିଥିଲା;ଏମିତିକି ସେ ବହୁତ ଦିନ ପର୍ଯ୍ୟନ୍ତ ମେଣ୍ଟାଲ ଟ୍ରିଟମେଣ୍ଟରେ ଥିଲା |ସମସ୍ତେ ତ ଭାବିଥିଲେ,ସେ ଆଉ ଭଲ ହେବନାହିଁ |କିନ୍ତୁ ଧୀରେ ଧୀରେ ସେ ରିକଭର କଲା |କିନ୍ତୁ ଏବେ ବି ସେହି ସକ ତା ମୁଣ୍ଡ ଭିତରେ ରହିଯାଇଛି |ଯେତେବେଳେ ତା ମନ ଅତି ଦୁଃଖ ହୁଏ,ସେ ପାଗଳଙ୍କ ପରି ତା ବାପାଙ୍କୁ ଝୁରି ହୁଏ |

                        ଅନସୂୟା  କହିଲେ,ବଡ଼ ଅସୁବିଧା କଥା ହେଲା |ତାହେଲେ,ତାକୁ ସେମାନେ ଏତେ ଦୂରକୁ ପାଠ ପଢିବାକୁ ଛାଡିଲେ କାହିଁକି  ?ଅନିଷ କହିଲା,ତା ଜିଦ୍ଦି ଆଗରେ ହାର ମାନି ବାଧ୍ୟ ହୋଇ,ତାଙ୍କ ମାଆଙ୍କୁ ହଁ କହିବାକୁ ପଡିଲା | ତାଙ୍କ ମାଆଙ୍କୁ, ବାପାଙ୍କ ଜାଗାରେ ରିହାଲିବେଟେସନ ସ୍କିମରେ ଚାକିରୀ ମିଳିଛି  |ତାର ଗୋଟେ ଛୋଟ ଭାଇ ଅଛି,ଷଷ୍ଠ ଶ୍ରେଣୀରେ ପଢୁଛି | 

                       ଅନିଷ ର କଥା ଶୁଣି ଅନସୂୟାଙ୍କ ମନ ଓଜନିଆ ହୋଇଗଲା ଓ ଦିବ୍ୟାଶା  ପ୍ରତି ତାଙ୍କର ଥିବା ଅନାବିଳ ସ୍ନେହ ଶ୍ରଦ୍ଧା ପୂର୍ବାପେକ୍ଷା ଆହୁରି ବହୁ ଗୁଣ ବଢିଗଲା |ସେ ଅନିଷ କୁ ପଚାରିଲେ,ସେ କେଉଁଦିନ ଆସିବ ବୋଲି କହୁଥିଲା ?ଅନିଷ କହିଲା,ସେ ବୋଧେ କୁମାରପୂର୍ଣ୍ଣିମା ପରଦିନ ଆସିବ |(କ୍ରମଶଃ)

Thursday, December 17, 2020

ଅନନ୍ୟା (ଭାଗ 9)

                                 ଦିବ୍ୟାଶା ଓ ତା ସାଙ୍ଗମାନଙ୍କ କଥା ଭାବି ରାତି ସାରା ଅନସୂୟାଙ୍କ ଆଖିରେ ନିଦ ନଥିଲା |ରାତ୍ରୀକାଳୀନ ଦୀର୍ଘ ଟ୍ରେନ ଯାତ୍ରା,ସେଥିରେ ପୁଣି ଚାରିଜଣଯାକ ଝିଅ;ଆଜିକାଲି ଯୁଗ ଯାହା ହେଲାଣି , କାହାକୁ ବିଶ୍ୱାସ ନାହିଁ  |ଏବେ ପୁଣି ଯେଉଁ କଦର୍ଯ୍ୟ ସମାଚାରମାନ  ଶୁଣିବାକୁ ମିଳୁଛି,ମୁଣ୍ଡ ପିଟି ମରି ଯିବାକୁ ଇଛା ହେଉଛି |ଛାଡ଼,ଯାହା ଠାକୁରଙ୍କ ଇଛା;ରଖିଲେ ରଖିବେ,ମାରିଲେ,ମାରିବେ |ଏମିତି ଭାବୁ ଭାବୁ ତାଙ୍କ ଆଖି କାନ୍ଥ ଘଣ୍ଟା ଉପରେ ପଡିଗଲା |ଚାରିଟା ବାଜିବାକୁ ଯାଉଥିଲା |ଏତେବେଳେ ଆଉ କଣ ଶୋଇବି ଭାବି ସେ ଉଠି ପଡି ତାଙ୍କ ଦୈନନ୍ଦିନ କାମରେ ଲାଗି ପଡିଲେ |

                                ଘରକାମ କରିବା ପାଇଁ ଅନସୂୟା କାମବାଲୀ ରଖିନାହାନ୍ତି |କାରଣ ସେମାନଙ୍କ ସାଙ୍ଗେ ଗେଜେ ଗେଜେ ହୋଇ, ଅଯଥା ହୁଇସିଲ ମାରି ଟେନ୍ସନ ଆଣିବାକୁ  ତାଙ୍କର ଇଛା ନାହିଁ  |ଏମିତି ତ ପାନରୁ ଚୁନ  ଖସିଲେ,ତାଙ୍କର ଟେନ୍ସନ ବଢିଯାଏ ;ସେଥିରେ ପୁଣି କାମବାଲୀ ମାନଙ୍କର ଦୌରାତ୍ମ୍ୟ ଦେଖି,ଶୁଣି  ଓ ଅଙ୍ଗେ ନିଭେଇ ସେ  ସେମାନଙ୍କୁ ବାଏ ବାଏ କରିଦେଇଛନ୍ତି |ଆଦିକନ୍ଦଙ୍କ ସାନଭାଇ ପିଲାମାନଙ୍କ ସହ ଗାଆଁରେ ରହନ୍ତି | ନିଜେ ବି ବାହାଘରର ପ୍ରଥମ ଦୁଇବର୍ଷ ଗାଆଁରେ ଥିଲେ |କିନ୍ତୁ  ଅଫିସର କାମ ପ୍ରେସର ସହିତ ହୋଟେଲ ଜଳଖିଆ ଖାଇ ଆଦିକନ୍ଦଙ୍କ  ଦେହ ବାରମ୍ବାର ଅସୁସ୍ଥ ହେବାରୁ,ବାଧ୍ୟ ହୋଇ ତାଙ୍କୁ ଭୁବନେଶ୍ୱର ଆସିବାକୁ ପଡିଲା |ଗାଆଁରୁ ଆସିଲାବେଳେ ଶାଶୁ କହିଥିଲେ,ଗାଆଁକୁ ଭୁଲିବୁନି;ସେ ତୋ ସ୍ୱାମୀର ଜନ୍ମ ଭୂଇଁ |ଯେତେବେଳେ ନୂଆ ଘର କରିବାକୁ ଇଛା ହେବ,ସେତେବେଳେ ଗାଆଁରେ ହିଁ ଘର କରିବୁ |ମୁଣ୍ଡ ଟୁଙ୍ଗାରି ତାଙ୍କ କଥାରେ ସେ ହଁ ଭରିଥିଲେ |ଆଜି ଶାଶୁ ନାହାନ୍ତି;ଶ୍ୱଶୁର ବି ଅନେକ ଦିନରୁ ଚାଲିଗଲେଣି |ଯେତେବେଳେ ଆଦିକନ୍ଦ ଭୁବନେଶ୍ୱରରେ  ଘର କରିବା କଥା କହନ୍ତି,ସେତେବେଳେ ଶାଶୁଙ୍କ କଥା ତାଙ୍କର ମନେ ପଡ଼ିଯାଏ |ସେ କହନ୍ତି,ଆଜିକାଲି ସବୁ ଗାଁ ସହର ପରି ବିକଶିତ ହେଲାଣି,ସହରରେ ଘର କରି,ପର ଲୋକଙ୍କ ମେଳରେ ରହିବା ଅପେକ୍ଷା,ନିଜ ଲୋକଙ୍କ ପାଖରେ ଗାଆଁରେ ରହିବା ,ଶତଗୁଣେ  ଶ୍ରେୟସ୍କର |  ଅନିଷ ର ଜନ୍ମ ଏଇ ଭୁବନେଶ୍ୱରରେ ହୋଇଥିଲା |ଶାଶୁ ଶ୍ଵଶୁର ବଞ୍ଚିଥିବା ବେଳେ,  ନିୟମିତ ସମୟ ବ୍ୟବଧାନରେ ସେ ଗାଆଁକୁ ଯାଉଥିଲେ,ସମସ୍ତେ ମିଶି ସେଠାରେ ବହୁତ ମଜା କରୁଥିଲେ |କିନ୍ତୁ ସମୟ ଚକ୍ରରେ ଶାଶୁ,ଶ୍ୱଶୁର ଚାଲିଗଲେ;ଅଫିସରେ ଆଦିକନ୍ଦଙ୍କ କାମ ପ୍ରେସର ବଢିବା ସଙ୍ଗେ ସଙ୍ଗେ ଅନିଷ ର ପାଠ ପଢା ପ୍ରେସର ମଧ୍ୟ ବଢିବାକୁ ଲାଗିଲା |ଏବେ କେତେବେଳେ କେମିତି ଦରକାର ପଡିଲେ,ଗାଆଁକୁ ଯାଉଛନ୍ତି |ବର୍ତ୍ତମାନ  ଯେଉଁ ପଡୋଶୀ ଇତ୍ୟାଦି ମାନଙ୍କ ପାଖରେ ସେ ଅଛନ୍ତି,ସେମାନେ ତାଙ୍କର ନିଜର ନୁହନ୍ତି,କିନ୍ତୁ  ଯେଉଁମାନେ ତାଙ୍କର ଅତି ନିଜର ସେ ସେମାନଙ୍କ ପାଖରେ ନାହାନ୍ତି !

                                ଆଠଟା ବାଜିବା ବେଳକୁ ତାଙ୍କର ସବୁ କାମ ସରି ଯାଇଥିଲା |ରବିବାର ବୋଲି ଉଭୟ ବାପା ପୁଅ ଶୋଇଛନ୍ତି |ଦିବ୍ୟାଶା ସାଢେ ଦଶଟାରେ ପହଞ୍ଚିବା ପାଇଁ ,ଆହୁରି ଅଢେଇ ଘଣ୍ଟା ବାକି ଅଛି |ତାଙ୍କୁ ଭାରି ବ୍ୟସ୍ତ ଲାଗୁଥିଲା |ସେ ବାହାରକୁ ଆସି ନିଜ ହାତରେ ଲଗାଇଥିବା ଫୁଲ ଗଛ ଗୁଡିକୁ ନିରୀକ୍ଷଣ କରିବାକୁ ଲାଗିଲେ |ଅନିଷ ପରି ଏଇ ଫୁଲଗଛ ଗୁଡିକ ମଧ୍ୟ ତାଙ୍କର ଅତି ପ୍ରିୟ |ତାଙ୍କ ବିନାନୁମତିରେ କେହି ଫୁଲ ଛିଣ୍ଡେଇ ନେବାକୁ ସେ ଆଦୌ ସହି ପାରନ୍ତି ନାହିଁ |ଏଇ ସମୟରେ ପଡୋଶୀ ଘରର ମିତା ମାଡାମ ଦେଖାହେଲେ |ତାଙ୍କର ଦୁଇ ପୁଅ |ଜଣେ ଚାକିରୀ କଲାଣି,ଆଉ ଜଣେ ପଢୁଛି |କହିଲେ,ଆପଣଙ୍କ ଘରକୁ ସେଦିନ ଯେଉଁ ଝିଅ ଦୁଇଜଣ ଆସିଥିଲେ,ସେମାନେ କଣ ଆପଣଙ୍କ ରିଲେଟିଭ ?ଅନସୂୟା ମନେ ମନେ ବିରକ୍ତ ହୋଇଗଲେ |ସେ ଜାଣିଲେ,ଏଇଠି ମିଛ ନକହିଲେ,ଆଉ ରକ୍ଷା ନାହିଁ | କହିଲେ,କାହିଁକି କଣ ହେଲା କି ?ମିତା ମାଡାମ କହିଲେ,ନାଇଁ ଏମିତି ପଚାରୁଥିଲି |ଅନସୂୟା କହିଲେ,ଜଣେ ମୋ ଝିଆରୀ ,ଆଉ ଜଣେ ତା ସାଙ୍ଗ |ମିତା ପୁଣି ପଚାରିଲେ ,ସେଇ ଯେଉଁ ପାତଳୀ ମଡେଲ ପରି ଚେହେରା ,ସିଏ ଆପଣଙ୍କ ଝିଆରୀ ?ଅନସୂୟା କହିଲେ,ନାଁ ,ସେ ମୋ ଝିଆରୀର ସାଙ୍ଗ |

:ସିଏ ବି କଣ କରଣ ?କଣ ପଢୁଛନ୍ତି ?କେଉଁଠି ରହନ୍ତି ??:

:ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି ,ଆପଣ ମତେ ଖାଲି କୁହନ୍ତୁ,କଣ ପାଇଁ ଏତେ ଡିଟେଲସ ପଚାରୁଛନ୍ତି ?ଅନସୂୟା ପଚାରିଲେ |

                 ମିତା କହିଲେ,ମୋ ଭାଇର ପୁଅ ପାଇଁ,ଏମିତିକା ଝିଅଟିଏ ଦରକାର|ଆପଣ ରାଜି ହେଲେ,ପ୍ରସ୍ତାବ ପକାନ୍ତି |ଅନସୂୟା କହିଲେ,ତାର ବୟସ ବହୁତ କମ,ଏହି ବର୍ଷ  ଇଞ୍ଜିନିଅରିଂ ଆରମ୍ଭ କଲା | ସେ କାମ ନୁହଁ |ଏକଥା କହି,ସେ କାମର ବାହାନା କରି ,ଭିତରକୁ ଚାଲି ଆସି ମନକୁ ମନ ଗୁଣୁ ଗୁଣୁ ହୋଇ କହିଲେ,ଝିଅ ନାହିଁ,ଦୁଇପୁଅ ବୋଲି କେତେ ଗର୍ବ,ଅଥଚ,ସୁନ୍ଦର ଝିଅଟିଏ ଦେଖିଲେ,ଛଞ୍ଚାଣ ପରି ମାଡି ଆସୁଛନ୍ତି |

                   ଆଦିକନ୍ଦ ଉଠି,ତାଙ୍କ ନିତ୍ୟକର୍ମ ସାରି ମାର୍କେଟ ଚାଲିଗଲେ |ସାଢେ ଦଶଟା ଯାଇ ଏଗାରଟା ବାଜିବାକୁ ହେଲା,କିନ୍ତୁ ଦିବ୍ୟାଶାର କିଛି ଫୋନ ଆସୁ ନଥିଲା |ସେ ତାକୁ ଫୋନ କରିବାକୁ ଯିବାବେଳେ ଦିବ୍ୟାଶାର ଫୋନ ଆସିଲା |ସେ କହିଲା,ଆଣ୍ଟି ଜୁହାର,ଆମେ ଏଇନା ପହଞ୍ଚିଲୁ |ଅଟୋରେ ଘରକୁ ଯାଉଛୁ |ଅନସୂୟା ପଚାରିଲେ,ରାତିରେ କିଛି ଅସୁବିଧା ହୋଇନି ତ ?ସକାଳେ କଣ ଖାଇଲ ?ଦିବ୍ୟାଶା ହସି ହସି କହିଲା,ଆଣ୍ଟି,ଆପଣ ଯାହା ଦେଇଥିଲେ,ଏତେ ବଢିଆ ଲାଗିଲା ଯେ,ଖାଉ ଖାଉ ସବୁ ଖାଇଦେଲୁ ;ସେଇଟା ଆମର ଡିନର ହୋଇଗଲା  |ମାଉସୀ ଯାହା ଡିନର ପାଇଁ ଦେଇଥିଲେ,ତାକୁ ଆଜି ସକାଳେ ଖାଇଲୁ |ଶୀତଦିନ କିଛି ଖରାପ ହୋଇ ନଥିଲା |ତାଙ୍କ କଥା ଶୁଣି ଅନସୂୟା ବି ହସି ପକାଇଲେ;ପଛକୁ ଚାହିଁ ଦେଖିଲେ,ଅନିଷ ହସୁଛି |ସେ ଫୋନ ବନ୍ଦକରିବା ପରେ ଅନିଷ କହିଲା,ଦେଖିଲ ମମି,ମୁଁ ଯାହା କହୁଥିଲି ସତ ହେଲା କି ନାହିଁ ??(କ୍ରମଶଃ)

Tuesday, December 15, 2020

ଅନନ୍ୟା (ଭାଗ 8)

                            ସନ୍ଧ୍ୟାରେ  ଘରକୁ ଫେରିବା ପରେ ଅନିଷ ର ଝାଉଁଳି ପଡିଥିବା ମୁହଁକୁ ଦେଖି ଅନସୂୟା ପଚାରିଲେ,କଣ ହେଲା ବାପା ? ମୁହଁ ଶୁଖିଲା ଦିଶୁଛି ଯେ ?ଅନିଷ କହିଲା,ମମି ୟୁ ଆର ଗ୍ରେଟ | କେମିତି ଜାଣିଲା ପରି ତମେ ଆଜି ସେ ପ୍ୟାକେଟ ମତେ ଦେଲ |କାଲି ଦେଇଥିଲେ,ମୁଁ ସେମାନଙ୍କୁ ଆଦୌ ଦେଇ ପାରି ନଥାନ୍ତି |ଅନସୂୟା ବିସ୍ମିତ ହୋଇ ପଚାରିଲେ,କାହିଁକି,କଣ ହେଲା  ?ଅନିଷ କହିଲା,କାହିଁକି ନାଁ ଆଜି  ସେମାନେ ସମସ୍ତେ ତାଙ୍କ ମାଉସୀଙ୍କ ଘରକୁ ଚାଲିଗଲେ |ସେଇଠି ଆଜି ରାତିରେ ରହିବେ |କାଲି ତାଙ୍କ ସାଙ୍ଗରେ ବୁଲାବୁଲି କରି ସପିଂ କରିବେ |ସେମାନଙ୍କୁ ଟ୍ରେନରେ ବସାଇବା ପାଇଁ,ମାଉସା ମାଉସୀ ଦୁଇଜଣ ଯାକ  ଯିବେ |ତେଣୁ କାଲି ଆଉ ତମ ପ୍ୟାକେଟ ଦେଇପାରି ନଥାନ୍ତି ?ଅନସୂୟା କହିଲେ,ଭଲ ହେଲା |ସେମାନଙ୍କୁ ସି ଅଫ କରିବାକୁ ତୁ କାଲି ଯାଇଥିଲେ,ଫେରିବାକୁ ଡେରି ହୋଇଥାନ୍ତା;ସେଥିପାଇଁ ଅଯଥା ମତେ ବାବାଙ୍କୁ ମିଛ କହିବାକୁ ପଡିଥାନ୍ତା |ଯାହା ହେଲା ଭଲ ହେଲା |ତୁ ଧୋଇ ଧାଇ ହୋଇ କଣ ଟିକେ ଖାଇଦେଲୁ,ମୁହଁଟା ପୂରା ଶୁଖି ଯାଇଛି |ଅନିଷ କହିଲା,ଠିକ କହିଛ |ମତେ ଚୁଡା ମିକଶ୍ଚର ଆଉ ଆଳୁ ଚିପ୍ସ ଦେବ |ଅନସୂୟା ମୁରୁକି ହସି କହିଲେ,ତତେ ନଦେଇ ଆଉ ମୋ ଚାରା ଅଛି ; ବିଚାରି ମାନଙ୍କ ପେଟ କାଟିବ ଯେ |ଅନିଷ କହିଲା,ତା ମାନେ କଣ ମୁଁ ଏତେ ଡାଆଣା ?ଅନସୂୟା କହିଲେ,ନୁହେଁ ଆଉ କଣ,ସେତିକି ବେଳୁ ମୋ ପଛରେ ପଡ଼ିଛୁ !ଅନିଷ ଅଭିମାନ କରି କହିଲା,ତାହେଲେ ମୁଁ ଖାଇବିନି ଯା |ଅନସୂୟା ତା କାନ୍ଧରେ ହାତ ରଖି କହିଲେ,ଆରେ ମଜାରେ କହିଲି ବୋଲି ତୁ ଦେହକୁ ନେଇଗଲୁ ?ଅନିଷ କହିଲା,ନାଇଁମ ମମି,ମୁଁ ବି ସେମିତି ମଜାରେ ରୁଷିଲି |ଶୀଘ୍ର ଦେଲ,ଭୋକରେ ମୋ ପେଟ କଁ କଁ  ହେଲାଣି |ଅନସୂୟା  ସବୁଥିରୁ ମିଶେଇ ତାକୁ  ଦେବାପରେ ଅନିଷ ପରମ ତୃପ୍ତିରେ ଖାଇବାକୁ ଲାଗିଲା |ଖାଇବା ଶେଷ କରି ସେ ଆସି ଅନସୂୟାଙ୍କୁ କହିଲା,ମମି,ଦେଖିବ ରହିଥା,ସେମାନେ କାଲି ମାଉସୀଙ୍କ ଡିନର ନଖାଇ ଖାଲି ୟାକୁଇ ଖାଇ ରହିବେ |ଅନସୂୟା କହିଲେ,ହଉ ହେଲା,ତୁ ଆଉ ସେମାନଙ୍କୁ ଉସକେଇବୁନି,ତାଙ୍କର ଯାହା ଇଛା,ସେମାନେ ତାହା ଖାଇବେ |ଏତେ ବାଟ ଯାଉଛନ୍ତି,ପେଟ ପୂରା ନଖାଇ ୟାଡୁ ସାଡୁ ଖାଇଲେ,ଦେହ ଖରାପ ହେବ | ଆଉ ଶୁଣ ଆନି କୁ କହିବୁ,ଟ୍ରେନ ଛାଡ଼ିଲାବେଳେ ଥରେ ଫୋନ କରିବ,ଆଉ ଥରେ  ଭବାନୀପାଟଣାରେ ପହଞ୍ଚି  ଫୋନ କରିବ,ନହେଲେ ମୋର ଟେନସନ ବଢ଼ିଯିବ |

                      ଅନିଷ କହିଲା,ମମି ତମେ କାହିଁକି ତାଙ୍କ ପାଇଁ ଏତେ ବ୍ୟସ୍ତ ହେଉଛ ?ସେମାନେ କଣ ଛୋଟ ପିଲା ହୋଇଛନ୍ତି ?ଅନସୂୟା  କହିଲେ,ତୁ ସେକଥା ବୁଝି ପାରିବୁନି |

:କାହିଁକି ମମି ?ଅନିଷ ପଚାରିଲା |

:ସେମାନେ ତାଙ୍କ ବାପା ମାଆଙ୍କୁ ଛାଡି ଏତେ ଦୂରରେ ଆସି ପାଠ ପଢୁଛନ୍ତି |ସେମାନଙ୍କ ବାପା ମାଆ କେତେ ଚିନ୍ତାରେ ରହୁଥିବେ,ତୁ କଣ ସେକଥା ବୁଝି ପାରିବୁ ?

:ହେଲେ,ସେକଥା ତାଙ୍କ ବାପା ମାଆ ଚିନ୍ତା କରିବେ,ତମେ କାହିଁକି ଅଯଥା ଏତେ ଟେନସନ ନେଉଛ ?ଅନସୂୟା କହିଲେ,କାହିଁକି ନାଁ ମୁଁ ଜଣେ ମାଆ |ଜଣେ ମାଆର ମନ ନେଇ ମୁଁ ସେମାନଙ୍କ ସମସ୍ୟା  ମର୍ମେ ମର୍ମେ ଅନୁଭବ କରି ପାରୁଛି |..................

                      ଶନିବାର ଦିନ ଆଦିକନ୍ଦଙ୍କର  କଣ ଅର୍ଜେଂଟ କାମ ଥିଲା ବୋଲି ସେ ବେଳାବେଳି ଅଫିସକୁ ଚାଲିଗଲେ |ଦିନ ସାରା ଅନିଷ ତାର ଲାପଟପ,ମୋବାଇଲ,ଓ ବହିଖାତା ରେ ବ୍ୟସ୍ତ ରହିଲା |ଅନସୂୟା ବି ସବୁଦିନ ପରି ତାଙ୍କ ରୋଷେଇ,ଟିଭି ନିଉଜ ଓ ପେପର ପଢ଼ାରେ ବୁଡ଼ିଗଲେ |ସନ୍ଧ୍ୟାଧୂପ ଦେବାପରେ,ରାତି ସାଢେ ଆଠଟା ସୁଦ୍ଧା ସେ ରୋଷେଇ ଶେଷ କରି,ଆଦିକନ୍ଦଙ୍କୁ ଅପେକ୍ଷା କରିବାକୁ ଲାଗିଲେ |କିନ୍ତୁ ରାତି ଦଶଟା ହୋଇଗଲେ ବି ଆଦିକନ୍ଦ  ଫେରୁ ନଥିଲେ କିମ୍ବା ଫୋନ ଉଠାଉ ନଥିଲେ |ମୋବାଇଲ ଧରି ଅନସୂୟା ବାହାରେ ଏପଟ ସେପଟ ହୋଇ କେତେ କଣ ଭାବି ଚାଲିଥିଲେ   | ଠିକ ଦଶଟା ଚାଳିଶରେ ଦିବ୍ୟାଶା ର ଫୋନ ଆସିଲା |କହିଲା,ଆଣ୍ଟି, ପ୍ରଣାମ,ଏବେ ଟ୍ରେନ ଚାଲିଲା |ଅନସୂୟା କହିଲେ,ହଉ,ହୁସିଆର ରେ ଯିବ,ଭଲରେ ଖାଇ ଶୋଇ ପଡିବ |ସେଠାରେ ପହଂଚିବା ପରେ ଫୋନ କରିବ |ଦିବ୍ୟାଶା କହିଲା,ହଁ ଆଣ୍ଟି |ରହିଲି ,ପ୍ରଣାମ |ଅନସୂୟା ମୋବାଇଲ ବନ୍ଦ କଲା ବେଳକୁ ଆଦିକନ୍ଦଙ୍କ ସ୍କୁଟର ଶବ୍ଦ ଶୁଭିଲା |ସେ  ଗେଟ ଖୋଲିଦେଲେ |ଭିତରକୁ ପଶୁ ପଶୁ ଆଦିକନ୍ଦ କହିଲେ,କାହିଁକି ଏତେଥର ଫୋନ କରୁଛ ?ମୁଁ କଣ କୁଆଡେ ପଳେଇ ଯାଉଛି ?ଅନସୂୟା କହିଲେ,ହଉ ଭିତରକୁ ଚାଲ,ଯାହା କହିବା କଥା ଭିତରକୁ ଆସି କହିବ |ଆଦିକନ୍ଦ କହିଲେ,ଗଲା ତ !ତମର ତ ସବୁ କଥା ସମସ୍ତେ ଶୁଣି ପକାଉଛନ୍ତି,ମଣିଷ ଏବେ କେତେ ଜଗିବ !!ଅନସୂୟା ତାଙ୍କ କଥା ନଶୁଣି ତର ତର ହୋଇ ଭିତରକୁ ଚାଲି ଆସିଲେ |ତାଙ୍କ ପଛେ ପଛେ ଆଦିକନ୍ଦ ଭିତରକୁ ଯାଇ ଗାଡି ରଖିଲେ ଓ ସୋଫାରେ ବସି କହିଲେ,ଗ୍ଲାସେ ପାଣି ଦେଲ !ଅନସୂୟା କହିଲେ,ରାତି ଏଗାରଟା ହେଲାଣି,ଖାଇବା କଥା ଭୁଲି ତମେ ପାଣି ପିଇବାକୁ କହୁଛ ,ଆଉ ଖାଇବ କେତେବେଳେ  ?ଆଦିକନ୍ଦ କହିଲେ,ହଉ ତାହେଲେ,ତମେ କହୁଛ ଯଦି, ପାଣି ପିଇବିନି,ଶୋଷରେ ରହିବି |ଅନସୂୟା ସାଙ୍ଗେ ସାଙ୍ଗେ ତାଙ୍କୁ ପାଣି ଆଣି ଦେଲେ |ଆଦିକନ୍ଦ ପାଣି ପିଇ ଶାନ୍ତିର ନିଃଶ୍ୱାସ ମାରିଲେ ଓ ତାଙ୍କ ପକେଟରୁ ଏକ କାଗଜ ବାହାର କରି କହିଲେ,ନିଅ,ପଢ଼ |ଅନସୂୟା ଭୟରେ କାଗଜଟି ପଢିବାକୁ ଲାଗିଲେ |ମୂଳରୁ ଶେଷ ପର୍ଯ୍ୟନ୍ତ କାଗଜଟିକୁ ପଢିବା ପରେ  ସେ ଖୁସିରେ କୁରୁଳି ଉଠିଲେ |ତାହା ଆଦିକନ୍ଦଙ୍କ ପଦୋନ୍ନତି ଅର୍ଡର ଥିଲା | ସେକ୍ସନ ଅଫିସର ପଦବୀକୁ ତାଙ୍କର ପଦୋନ୍ନତି ହୋଇଥିଲା |ସେତିକିବେଳେ ଅନିଷ ସେଠାକୁ ଆସି ପଦୋନ୍ନତି ଅର୍ଡର ପଢି ଖୁସିରେ ନାଚିଲା |

                      ଆଦିକନ୍ଦ କହିଲେ,ଆଜି ପ୍ରମୋଶନ ଅର୍ଡର ବାହାରିଲା ଓ ଆଜି ହିଁ ମୋର ଜଏନିଂ ରିପୋର୍ଟ ଦେଲି |କାଲି ଏକ ତାରିଖ,କାଲି ଜଏନ କରିଥିଲେ,ଏଇ ମାସର ବେନିଫିଟ ହରେଇ ଥାଆନ୍ତି |ମତେ ଯେଉଁମାନେ ଏତେ ସାହାଯ୍ୟ ସହଯୋଗ କରିଥିଲେ ,ସେମାନଙ୍କୁ ଖାଇବାକୁ ଦେଇ ଆସୁ ଆସୁ ଡେରି ହୋଇଗଲା |ଅନସୂୟା କହିଲେ,ତା ମାନେ ତମେ ଆଉ ଘରେ ଖାଇବନି ?ଆଦିକନ୍ଦ କହିଲେ,ମୁଁ ତମ ପ୍ରକୃତି ଜାଣିଛି,ସେଥିପାଇଁ ସେମାନେ ବହୁତ ରିକୁଏଷ୍ଟ କଲେ ବି ତାଙ୍କ କଥା ନଶୁଣି ନଖାଇ ଚାଲି ଆସିଲି |କଣ କରିବା,ଘରେ ତ ପୁଣି ମତେ ରହିବାକୁ ପଡିବ !ହଉ କଣ ରାନ୍ଧିଛ ବାଢ,ଖାଇବା |ଅନିଷ କହିଲା,ବାବା ଏକଥା ଆମକୁ କହିଥିଲେ,ମମି ରୋଷେଇ କରି ନଥାନ୍ତେ |ତମେ ଆମପାଇଁ ପ୍ୟାକେଟ ନେଇ ଆସି ଥାଆନ୍ତ ,ଆମେ ଘରେ ସେଲିବ୍ରେସନ କରିଥାଆନ୍ତେ |ଆଦିକନ୍ଦ କହିଲେ,ଆରେ ସତେ ତ !ମୋ ମୁଣ୍ଡକୁ ଏଇ ଆଇଡ଼ିଆ ଟା  କେମିତି ଜୁଟିଲାନି  କେଜାଣି !1 ହଉ ଯାହା ହେଲା କଣ କରିବା|ତୁ ଗଲୁ,ମୋ ସ୍କୁଟର ଡ଼ିକିରେ ଗୋଟେ ପ୍ୟାକେଟ ଅଛି,ନେଇ ଆସିବୁ |ଅନିଷ ପ୍ୟାକେଟ ଆଣିଲା ଓ  ତାକୁ ତତକ୍ଷଣାତ ଖୋଲି ଦେଖିଲା,ସେଥିରେ ତିନି ଜଣଙ୍କ ପାଇଁ,ଚିକେନ ବିରିୟାନୀ ଅଛି |ଅନସୂୟା  ମୁହଁ ମୋଡି  କହିଲେ,ଏଇ କଥା ଟା ସିଧା ସିଧା ନକହି,କାହିଁକି ଏତେ ଫୁଲେଇ ହେଉଥିଲ ଯେ ??? (କ୍ରମଶଃ)


Monday, December 14, 2020

ଅନନ୍ୟା (ଭାଗ 7)

                              ଶ୍ଵେତା ଓ ଦିବ୍ୟାଶା ଅନସୂୟାଙ୍କ ଠାରୁ ବିଦାୟ ନେବାବେଳେ ସେମିତି ଆଉଥରେ ତାଙ୍କ ପାଦ ଛୁଇଁ ଲମ୍ବା ମୁଣ୍ଡିଆ ମାରିଲେ |ସେମାନଙ୍କୁ ଅଟୋ ରେ ବସାଇ ଅନିଷ ଘରକୁ ଫେରି, ଅନସୂୟାଙ୍କୁ ଚିନ୍ତିତ ହୋଇ ବସି ଥିବାର ଦେଖି ପଚାରିଲା,କଣ ହେଲା ମମି ?ଅନସୂୟା ତାଙ୍କ ଚିନ୍ତା ରାଜ୍ୟରୁ ଓହରି ଆସି କହିଲେ,କିଛି ହୋଇନି ତ !ଅନିଷ ତାଙ୍କ ପାଖରେ ବସି ପଡି କହିଲା,ତାହେଲେ ଏଥର କୁହ,ମୋ ଅନନ୍ୟା କେମିତି ଲାଗିଲା ??ଅନସୂୟା କହିଲେ,ସେ ତ ତୋ ଚଏସ ,ମୁଁ କଣ ଆଉ କହିବି ?ଅନିଷ କହିଲା,ତଥାପି କୁହ ମମି,ପ୍ଲିଜ |ଅନସୂୟା କହିଲେ,ମୁଁ ମୋ ମନକଥା କହିବି ନାଁ ତତେ ଖୁସି କଲା ଭଳି କିଛି କହିବି ?ଅନିଷ ଅଭିମାନ ଭରା ସ୍ୱରରେ କହିଲା,ଏମିତି କଣ କହୁଛ ?ଯାହା ତମ ମନରେ ଅଛି,କହିଦିଅ |ସତ ସବୁବେଳେ ସତ,ମୁଁ ଜମା ମନଦୁଃଖ କରିବିନି |ଅନସୂୟା କହିଲେ,ଶୁଣ ତାହେଲେ,ତୁ ଯେମିତି ତାର  ବର୍ଣ୍ଣନା କରୁଥିଲୁ,ମୁଁ ଭାବିଥିଲି,ସେ ସ୍ୱର୍ଗର ଅପ୍ସରୀ ହୋଇଥିବ |କିନ୍ତୁ......|ଅନିଷ କହିଲା,ବୁଝିଲି ,ତାର ରଙ୍ଗ ଟିକିଏ କମ ବୋଲି ତମ ମନକୁ ଯାଉନି ନାଁ ?ଅନସୂୟା କହିଲେ,ମୋ ମନକୁ ଖୁବ ପାଇଛି କିନ୍ତୁ ସତକଥା କହିବାକୁ ଗଲେ,ତୋ ପାଖରେ ଛିଡା ହେଲେ,ସେ ଟିକିଏ ଊଣା ପଡ଼ିଯିବ ||ଅନିଷ ବ୍ୟସ୍ତ ହୋଇ କହିଲା, ଏତେ ଉଦାରମନା ହୋଇ ତମେ  ବି ସେମିତି ପୁରୁଣାକାଳିଆ ଚିନ୍ତାଧାରାକୁ ଜାବୁଡି ଧରି ବସିଛ ?ଶୁଣ ମମି,ସବୁ ଗୋରୀ ସୁନ୍ଦରୀ ନୁହନ୍ତି କି ସବୁ ସୁନ୍ଦରୀ ଗୋରୀ ନୁହନ୍ତି |ସୁନ୍ଦରତା ର ମାପକାଠି କେବଳ ଶାରୀରିକ ସୌନ୍ଦର୍ଯ୍ୟ ନୁହେଁ |ମଣିଷର କଥାବାର୍ତ୍ତା,ସଂସ୍କାର,ଅନ୍ୟ ପ୍ରତି ସମ୍ମାନବୋଧ,ଉଦାର ଚିନ୍ତାଧାରା ଏମିତି ବହୁତ କିଛି ପ୍ରକୃତ ସୌନ୍ଦର୍ଯ୍ୟର ଅନ୍ତର୍ଭୁକ୍ତ |ଅନସୂୟା ତା କାନ୍ଧରେ ହାତ ରଖି କହିଲେ,ତୁ ଠିକ  କହିଛୁ ବାପା,ମୁଁ କ୍ଷଣକ ପାଇଁ ଭ୍ରମରେ ପଡି ଯାଇଥିଲି |ମୋ  ଅନନ୍ୟା  କୋଟିକରେ ଗୋଟିଏ |ଆଜିଠାରୁ ମୁଁ ତାକୁ 'ଆନି' ବୋଲି ଡାକିବି  |ତାପରେ ସେ କଥାର ମୋଡ଼ ବୁଲାଇ କହିଲେ,ସେମାନେ କେତେଜଣ କେଉଁଦିନ ଆଉ କେତେବେଳେ ଯାଉଛନ୍ତି ?

                            ଅନିଷ ପଚାରିଲା,କାହିଁକି ମମି ?ଅନସୂୟା  କହିଲେ,ଭାବୁଥିଲି,ବାଟରେ ସେମାନେ ଖାଇବା ପାଇଁ  କିଛି ଦେଇଥାନ୍ତି ,ବାର ଘଣ୍ଟାର ଜର୍ଣ୍ଣି ବୋଲି ସେମାନେ କହୁଥିଲେ |  ଅନିଷ କହିଲା,ସେମାନେ ଚାରିଜଣ ଶନିବାର ଦିନ ଯିବେ |ରାତି ସାଢେ ଦଶଟାରେ ଟ୍ରେନ |ତମେ ଏତେ ଜଣଙ୍କ ପାଇଁ କିଛି କରିବା  ଦରକାର ନାହିଁ,ସେମାନଙ୍କ ମାଉସୀ ତାଙ୍କୁ ଡିନର ପ୍ୟାକ କରି ଦେବେ |ଅନସୂୟା କିଛି କହିଲେ ନାହିଁ |କିନ୍ତୁ ଶୁକ୍ରବାର ଦିନ ଅନିଷ କୁ ଏକ ପ୍ୟାକେଟ ଦେଇ କହିଲେ,ଏଥିରେ ମୁଁ କିଛି ନମକିନ,ଚୁଡା ମିକଶ୍ଚର ଓ ଆଳୁ ଚିପ୍ସ ତିଆରି କରି ରଖିଛି, ସେମାନଙ୍କୁ ଦେଇଦେବୁ ଆଉ କହିବୁ,ବାଟରେ ଇଚ୍ଛାହେଲେ,ଖାଇବେ | ଅନିଷ ତାକୁ ଦେଖି ବହୁତ ଖୁସି ହୋଇଗଲା |ପଚାରିଲା,ମୋ ପାଇଁ ଆଉ ରଖିଛ ନାଁ ସବୁ ଦେଇଦେଇଛ  ?ଅନସୂୟା ତା ନାକ ଚିପିଦେଇ  କହିଲେ,ତୋପାଇଁ ଆହୁରି ବହୁତ ଅଛି,ତୁ ସେମାନଙ୍କ ଭାଗରୁ ଖାଇବୁନି,ଏଇଟା କେବଳ ସେମାନଙ୍କ ପାଇଁ  |ଅନିଷ ହସିଦେଇ କହିଲା,ଓକେ ମମ ,ମୁଁ ଏଇ ଗଲି ଆଉ ଏଇ ଆସିଲି | (କ୍ରମଶଃ)

Sunday, December 13, 2020

ଅନନ୍ୟା (ଭାଗ 6)

                            ଦୁହେଁ ପାଣି ପିଇ ସାରିବା ପରେ,ଅନସୂୟା ସେମାନଙ୍କ ସହିତ କଥା ହୋଇ ଜାଣିଲେ,ଗୋରୀ ଝିଅଟିର ନାଁ ଶ୍ଵେତା ଓ ଶ୍ୟାମଳୀର ନାଁ ଦିବ୍ୟାଶା |ସେମାନେ ସୁଦୂର ଭବାନୀପାଟଣାର ବାସିନ୍ଦା |ଶ୍ଵେତାର ନିଜ ମଉସା ମାଉସୀ ଭୁବନେଶ୍ୱରରେ ଚାକିରୀ କରନ୍ତି |ତାଙ୍କ ପରାମର୍ଶରେ ଶ୍ଵେତା ଯେତେବେଳେ ଭୁବନେଶ୍ଵରରେ ଇଞ୍ଜିନିଅରିଂ ପଢିବାକୁ ବାହାରିଲା,ସେତେବେଳେ ଦିବ୍ୟାଶା ଓ ତାର ଆଉ ଦୁଇଜଣ ଝିଅ ସାଙ୍ଗ ସେମାନଙ୍କ  ବାପା ମାଆଙ୍କୁ ରାଜି କରେଇ ତା ସହିତ ଆସିଲେ |ସମସ୍ତେ ଏକା  ସାଙ୍ଗରେ  ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିଅରିଂ କଲେଜରେ ନାମ ଲେଖାଇଛନ୍ତି  | ଶ୍ଵେତାର ମଉସା ସେମାନଙ୍କ ଲୋକାଲ ଗାର୍ଡିଆନ ଭାବରେ ଅଛନ୍ତି  |ଛୁଟି ଦିନରେ ମଉସା ମାଉସୀଙ୍କ ଘରକୁ ଯାଇ ସେମାନେ ଖିଆପିଆ କରି ଆସନ୍ତି |ମଉସାଙ୍କ ପୁଅ ଶିଖର ଅନିଷର ସହପାଠୀ ଓ ବନ୍ଧୁ | 

                            ଶ୍ଵେତା କହିଲା,ଆଣ୍ଟି,ଆପଣ ବଢିଆ ଚା'  ବନାନ୍ତି ବୋଲି ଭାଇ କହୁଥିଲେ |ଆମକୁ ଟିକେ ଆଜି ଆପଣଙ୍କ ସ୍ପେଶାଲ ଚା' ତିଆରି କରିବା ଫର୍ମୁଲା ଶିଖେଇ ଦେବେ ? ଅନସୂୟା କହିଲେ,ଚା' କରିବା ବହୁତ ସିମ୍ପଲ କିନ୍ତୁ ସେଥିପାଇଁ ଟିକେ ଅଧିକ  ଟାଇମ ଦରକାର ହୁଏ  |ତମେମାନେ କଣ ଏତେ ସମୟ ରହି ପାରିବ ?ଶ୍ଵେତା କିଛି କହିବା ପୂର୍ବରୁ ଦିବ୍ୟାଶା ଆଗତୁରା କହି ପକାଇଲା,ଯେତେ ସମୟ ଲାଗୁ ଆଣ୍ଟି ,ଆମେ ଆଜି ଯେମିତି ହେଲେ,ଶିଖିକରି ଯିବୁ |ଅନସୂୟା ଜାଣିଲେ,ଏସବୁ ଅନିଷ ର କାମ |ସେମାନଙ୍କୁ ତାଙ୍କ ପାଖକୁ ପଠେଇ, ନିଜେ କେଉଁଠି ରହି ମଜା ଦେଖୁଛି |ସେ କହିଲେ,କିଛି କଷ୍ଟକର କାମ ନୁହେଁ |ପ୍ରଥମେ ଅଦା ଛେଚି ଦୁଇ କପ ଚା' ପାଇଁ,ତିନି କପ ପାଣି ଦେବ |ପାଣି ଫୁଟି ଅଧା ହେଲେ ସେଥିରେ ଚା' ଗୁଣ୍ଡ ପକେଇବ |ତାପରେ ଗ୍ୟାସ ଫ୍ଲେମ ସିମ କରି ଦଶ  ମିନିଟ ଫୁଟିବା ପାଇଁ ଛାଡ଼ିଦେବ |ତାପରେ ଦୁଇ କପ କ୍ଷୀର ଓ ଚିନି ପକେଇ,ଭଲକରି ଫୁଟେଇବ |ବଢିଆ ବାସନା ଆସିଲେ,ଜାଣିବ ଚା' ରେଡି | ରୋଷେଇ ଘରକୁ ଆସ,ଚା' କରିବା  |ଦିବ୍ୟାଶା କହିଲା,ଆଣ୍ଟି ଆପଣ ଯେମିତି କହିଲେ,ମୁଁ ବୁଝିଗଲି |ମତେ ଖାଲି ଚା' ଚିନି କ୍ଷୀର କେଉଁଠି ଅଛି କହିଲେ,ମୁଁ ତିଆରି କରିବି |ଅନସୂୟା କହିଲେ,ଠିକ ଅଛି,ଆଜି ତୋ ହାତ ତିଆରି ଚା' ମତେ ପିଇବାକୁ ମିଳିବ |କିନ୍ତୁ ମୁଁ ମାର୍କ ଦେବି |ରାଜି ?ଦିବ୍ୟାଶା ଖୁସିରେ ମୁଣ୍ଡ ହଲେଇ କହିଲା ,ହଁ ଆଣ୍ଟି |ଆଗେ ଆଗେ ଅନସୂୟା , ସେମାନଙ୍କ ପଛେ ପଛେ ଶ୍ଵେତା ଓ ଦିବ୍ୟାଶା ଗଲେ | ଅନସୂୟା ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପରେ ଦିବ୍ୟାଶା କହିଲା,ଆପଣ ପେପର ପଢୁଥାଆନ୍ତୁ,ଆମେ ଚା' ତିଆରି କରି ନେଇକରି ଯିବୁ |ଅନସୂୟା କହିଲେ,ଆଉ ଗୋଟେ କପ ଅଧିକ ଅନିଷ ପାଇଁ କରିଥିବ |ସିଏ ବି ତମ ହାତ ତିଆରି ଚା' ଟେଷ୍ଟ କରିବ |ତାଙ୍କ କଥା ଶୁଣି ଦିବ୍ୟାଶାର ସୁନ୍ଦର ସରୁ ଓଠରେ ସଲ୍ଲଜ ହାସ୍ୟ ରେଖା ଫୁଟି ଉଠିଲା ,ଯାହାକୁ ସେ ଚେଷ୍ଟା କରି ଲୁଚାଇ ପାରୁ ନଥିଲା  |ଅନସୂୟା ତାକୁ  କଣେଇ କରି  ଚାହିଁ ହସି କରି ଚାଲି ଆସିଲେ |

                            ସେ ନିଉଜ ପେପର ପଢିବା ଆରମ୍ଭ କରିବା ବେଳକୁ ଅନିଷ ଆସି ପହଞ୍ଚିଲା ଓ ତାଙ୍କ ପାଖରେ ବସି ପଡି କହିଲା,ସେମାନେ କୁଆଡେ ଗଲେ ?ଅନସୂୟା କହିଲେ,ରୋଷେଇ ଘରେ ସ୍ପେଶାଲ ଚା' ତିଆରି କରୁଛନ୍ତି |ତୁ ଭଲ ପାଲା ଲଗେଇ ଦେଇଛୁ,,ମୁଁ  ତ ଖାଲି  ଥେଇ ଥେଇ ହୋଇ ନାଚୁଛି !ଅନିଷ ପଚାରିଲା,କଣ ହେଲା ମମି ?କିଛି ଅସୁବିଧା ହେଲା ?ଅନସୂୟା କହିଲେ,ନାଇଁ କିଛି ଅସୁବିଧା ହୋଇନି |ତୁ ଯା ଦେଖ,ସେମାନଙ୍କ ଚା' ତିଆରି କେତେ ଦୂର ଗଲା |ଅନିଷ କହିଲା,ନାଁ ମୁଁ ଯିବିନି |ସେମାନେ କଣ କରୁଛନ୍ତି କରନ୍ତୁ |

                           କିଛି ସମୟ ପରେ ଦୁହେଁ ଝାଳ ନାଳ ହୋଇ ଫ୍ଲାସ୍କ ରେ ଚା' ଓ ଚାରିଟି ଖାଲି କପ ଗୋଟିଏ ଟ୍ରେ ରେ ନେଇ ଆସିଲେ  |ଅନସୂୟା କହିଲେ,ଟିକିଏ ଫ୍ୟାନ ତଳେ ବସିଯାଅ,ତାପରେ ଚା' ପିଇବା |ଦିବ୍ୟାଶା ସ୍ମିତ ହସି କହିଲା,ନାଇଁ ଆଣ୍ଟି,ଆମେ ଠିକ ଅଛୁ |ଏହା କହିବା ସଙ୍ଗେ ସଙ୍ଗେ ସେ କପରେ ଚା' ଢ଼ାଳିଲା | ଶ୍ୱେତା ପ୍ରଥମେ ଅନସୂୟାଙ୍କୁ ,ତାପରେ ଅନିଷକୁ ଚା' ଦେଲା  |ଥ୍ୟାଙ୍କ ୟୁ କହି, ଅନସୂୟା ଚା' ପିଇବା ଆରମ୍ଭ କଲେ |ସେ ପର୍ଯ୍ୟନ୍ତ ଶ୍ଵେତା,ଦିବ୍ୟାଶା ଓ ଅନିଷ ଚା' ନ ପିଇ ଅନସୂୟାଙ୍କ ପ୍ରତିକ୍ରିୟା କୁ ଲକ୍ଷ୍ୟ କରୁଥିଲେ |ଅନସୂୟା ପ୍ରଥମେ ଗୋଟିଏ ଢ଼ୋକ ନେଲେ |ତାପରେ ଆଉ ଗୋଟିଏ ଢ଼ୋକ ନେଲା ବେଳକୁ ଦିବ୍ୟାଶା କହିଲା,ସରି ଆଣ୍ଟି,ଅଭ୍ୟାସ ବଶତଃ ଟିକିଏ ଅଧିକ ଚିନି ପଡି ଯାଇଛି |ଅନସୂୟା ଦ୍ୱିତୀୟ ଢ଼ୋକ ପିଇ କହିଲେ,ଆଉ ଯଦି ଟିକିଏ ବି କମ ଚିନି ପଡି ଥାଆନ୍ତା ନାଁ ........ଦିବ୍ୟାଶା ଓ ଶ୍ଵେତା ଦୁଃଖୀ ହୋଇ ତାଙ୍କ ମୁହଁକୁ ଚାହିଁଥିଲେ |ଅନସୂୟା ତାଙ୍କ ଅସମ୍ପୂର୍ଣ୍ଣ ବାକ୍ୟ କୁ ପୂରଣ କରି କହିଲେ,.....ତାହେଲେ ଚା' ଟା  ପୂରା ବେକାର ହୋଇ ଯାଇ ଥାଆନ୍ତା |ଏତେ ଟେଷ୍ଟି ଚା' ମୁଁ ଜୀବନରେ ପ୍ରଥମ ଥର ପାଇଁ ପିଇଲି ;ମୁଁ ନିଜେ ବି ଏମିତି ଚା' ବନେଇ ପାରେନା |ଅନିଷ କହିଲା,ସେତିକି ଥାଉ ମମି,ଆଉ ସେମାନଙ୍କୁ ଏତେ ଟେକ ନାହିଁ,ସେମାନେ ଅଲରେଡ଼ି ତଳେ ପଡି ସାରିଲେଣି !ତା କଥା ଶୁଣି,ଅନସୂୟା ହସୁ ହସୁ କହିଲେ, ପ୍ରକୃତରେ ତମ ମାନଙ୍କ ଏଇ ସ୍ପେଶାଲ ଚା' ମୋର ସବୁଦିନ ପାଇଁ ମନେ ରହିବ |(କ୍ରମଶଃ)

                           

Saturday, December 12, 2020

ଅନନ୍ୟା (ଭାଗ 5 )

                                    ସକାଳେ ଅଫିସ ଯିବା ପୂର୍ବରୁ,ବ୍ରେକଫାଷ୍ଟ ଖାଇବା ବେଳେ ଆଦିକନ୍ଦ ଅନସୂୟାଙ୍କୁ କହିଲେ, କାଲି ମୁଁ ଗୋଟେ ନୂଆ କଥା ଦେଖିଲି |ପୁଅ ଆମର ରାତି ଦୁଇଟା ଯାଏଁ ପଢୁଥିଲା;ପାଠ ପ୍ରତି ଏତେ ସିରିଅସ  ହେବା  ମୁଁ ତାକୁ କେବେ ଦେଖିନି !ଅନସୂୟା କହିଲେ,ପରୀକ୍ଷା ଆସି ମୁଣ୍ଡ ଉପରେ ହେଲାଣି |ସେ ନ ପଢିଲେ,ଆଉ କଣ ଗାଆଁ ଲୋକେ ତା ପାଇଁ  ଆସି ପଢିବେ ?  ଆଦିକନ୍ଦ ବିରକ୍ତ ହୋଇ କହିଲେ,ଓହୋଃ !କଣ ଏମିତି କହୁଛ ? ହଉ ଠିକ ଅଛି,ରେଜଲ୍ଟ ବାହାରୁ,ସବୁ ଜଣା ପଡ଼ିଯିବ  |ତାଙ୍କ କଥା ଶୁଣି ଅନସୂୟାଙ୍କ ଛାତି ଚାଉଁ କିନା ହୋଇଗଲା |ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ,ପ୍ରଭୁ,ମୋ ପୁଅକୁ ଭଲ ବୁଦ୍ଧି ଦିଅ,ଭଲ ପାଠ ଦିଅ  |

                                ପରୀକ୍ଷାରେ  ଅନିଷ ର ସବୁ ପେପର ଭଲ ହେଉଥିଲା ,ସେକଥା ଅନସୂୟା ତାର  ମୁଖମଣ୍ଡଳରୁ ସ୍ପଷ୍ଟ ଜାଣି ପାରୁଥିଲେ |ସେ ଭାବୁଥିଲେ,ପୁଅ ତାର ଶକ୍ତି ମୁତାବକ ପରିଶ୍ରମ କରୁଛି,ତେଣିକି ଫଳ ଭଗବାନଙ୍କ ହାତରେ |ପରୀକ୍ଷା ଶେଷ ହେବାପରେ ଅନିଷ ବହୁତ ଖୁସି ଥିଲା |ସେଦିନ ଆଦିକନ୍ଦ ଅଫିସ ଯିବାପରେ ସେ  ଅନସୂୟାଙ୍କ ପାଖରେ ଗେହ୍ଲେଇ ହୋଇ କହିଲା,ମମି,ପରୀକ୍ଷା ସରିଗଲା |ଏବେ ତମ ଅନନ୍ୟା ତା ଘରକୁ ଚାଲିଯିବ |ତାକୁ ଦେଖିବାକୁ ତମର ଇଛା ହେଉନି  ?ଅନସୂୟା କହିଲେ,ସିଏ ତ ତୋ ପସନ୍ଦର ଅନନ୍ୟା,ମୁଁ ଆଉ କଣ ତାକୁ ଦେଖିବି ?ଭଲ ହେଲେ ତୋର,ମନ୍ଦ ହେଲେ ତୋର,ମୋର ସେଥିରେ କିଛି ଯାଏ ଆସେ  ନାହିଁ |ଅନିଷ କହିଲା,ସେମିତି କୁହନା ମମି |ଆକଚୁଆଲି ସେ ତମକୁ ଦେଖିବାକୁ ଚାହୁଁଛି |ତମେ ରାଜି ହେଲେ,ତାକୁ ଆମ ଘରକୁ ଡାକିବି |ଆଉ ତମେ ନାହିଁ କଲେ,ମୁଁ ତାକୁ କିଛି ଗୋଟେ କହି ମନା କରିଦେବି |

            ଅନସୂୟା କହିଲେ,ସିଏ କାହିଁକି ମତେ ଦେଖିବାକୁ କହୁଛି ?ଅନିଷ କହିଲା,କାହିଁକି ନାଁ ତମେ ମୋର ପ୍ୟାରି ମମି |ଅନସୂୟା ହସିଦେଇ କହିଲେ,ହଉ ଠିକ ଅଛି,କାଲି ଆସିଲେ ଚଳିବ ?

              ଏତେ ଶୀଘ୍ର ଅନସୂୟା ରାଜି ହୋଇଯିବେ ବୋଲି ଅନିଷ ଭାବି ନଥିଲା |ସେ ଖୁସିରେ କୁରୁଳି ଉଠି କହିଲା,ଥ୍ୟାଙ୍କ ୟୁ ମମି,ୟୁ ଆର ମାଇଁ ସୁପର ମମି |

               ତା ପରଦିନ ସକାଳେ ଏଗାରଟା ପାଖାପାଖି ହେବ,ଅନସୂୟା ସେଦିନର ଖବରକାଗଜ ପଢୁଥିବାବେଳେ,ଗେଟରେ ଆବାଜ ହେବାରୁ ସେ ବାହାରକୁ ଆସି ଦେଖିଲେ,ଦୁଇଜଣ ଝିଅ ଗେଟ ଖୋଲି ଭିତରେ ପ୍ରବେଶ କରୁଛନ୍ତି |ଅନିଷ ତାଙ୍କ ସହିତ ନଥିଲା |ତେଣୁ ସେମାନେ କିଏ ବୋଲି ଅନସୂୟା ଜାଣି ପାରିଲେ ନାହିଁ |'କାହାକୁ ଖୋଜୁଛ 'ବୋଲି ସେମାନଙ୍କୁ ପଚାରୁ ପଚାରୁ ଦୁଇଜଣ ଯାକ ହଠାତ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ |ସେ ଅପ୍ରସ୍ତୁତ ହୋଇ କହିଲେ,ବାହାରଟାରେ କଣ ...ଭିତରକୁ ଚାଲ |ଭିତରେ ସେମାନଙ୍କୁ ବସାଇ ସେ ତାଙ୍କୁ ପାଣି ପିଇବାକୁ ଦେଲେ |ସେମାନେ ପାଣି ପିଉଥିବା ବେଳେ ଅନସୂୟା ସେମାନଙ୍କୁ ଭଲକରି ଲକ୍ଷ୍ୟ କଲେ |ତାଙ୍କ ଭିତରୁ ଜଣେ,ମଧ୍ୟମ ସ୍ୱାସ୍ଥ୍ୟ ସହିତ ତୋଫା ଗୋରା ଥିଲା |ଅନ୍ୟ ଜଣକ ବେଶ ସୁନ୍ଦରୀ,ପତଳା କିନ୍ତୁ ଶ୍ୟାମଳବର୍ଣ୍ଣ ର ଥିଲା | ତାଙ୍କ ମନ ଖଟା ହୋଇଗଲା |ସେ ଭଲକରି ଜାଣି ପାରୁଥିଲେ,ସେହି ଶ୍ୟାମଳୀ ଝିଅଟି ହିଁ ଦିବ୍ୟାଶା  |କ୍ରମଶଃ)

                 

Thursday, December 10, 2020

ଅନନ୍ୟା (ଭାଗ 4)

                        ଆଉ ଟିକକରେ ଅନସୂୟାଙ୍କ ହାତରୁ ସସପିନ ଖସି ଯାଇଥାଆନ୍ତା |ସେ ଧୀରେ କରି ତାକୁ ରଖି ତଳୁ ଅନିଷ କୁ ଉଠାଇ କହିଲେ,ଏମିତି କଣ ହେଉଛୁ ବାବୁ ?କଣ ହୋଇଛି ??ଅନିଷ ଆଖିରେ ଲୁହ ଝଲସୁ ଥିଲା |ସେ କାନ୍ଦୁଣିଆ ସ୍ୱରରେ କହିଲା,ତମେ ମୋ ଉପରେ ରାଗିଛ ନାଁ ?ଅନସୂୟା କହିଲେ,ତୁ ଚା' ପିଇବୁ କହୁଥିଲୁ ,ଚାଲ,ଆଗ ଚା' ପିଇବା, ତାପରେ କଥା ହେବା |

                        ଅନସୂୟା ଡାଇନିଂ ଟେବଲ ରେ ଚା' ଦୁଇ କପ ରଖି ଅନିଷ କୁ ପାଖରେ ବସାଇଲେ ଓ ଚା' ପିଇବାକୁ ଲାଗିଲେ |  ଅନିଷ ର ମୁହଁ ଝାଉଁଳି ପଡିଥିଲା |କିଛି ସମୟ ନୀରବ ରହିବା ପରେ ସେ କହିଲା,ମମି,ତମେ ଆଜି ସକାଳେ ମତେ ଯେଉଁ ପ୍ରଶ୍ନ  ପଚାରି ଥିଲ,ଏବେ ମୁଁ ତାର ଉତ୍ତର ଦେଉଛି ;ସେ ଝିଅର ନାଁ ଦିବ୍ୟାଶା  | ଏହି ବର୍ଷ ଇଞ୍ଜିନିଅରିଂ ରେ ଆଡମିଶନ ନେଇଛି |ତାର ଅଲଗା କଲେଜ,ହଷ୍ଟେଲରେ ରହେ |ତା ସାଙ୍ଗେ କେମିତି ମୋର ପରିଚୟ ହେଲା,ପ୍ଲିଜ ସେକଥା ମତେ ପଚାରିବନି |ସେ ବହୁତ ଭଲ ଝିଅ, ଆଜି ପର୍ଯ୍ୟନ୍ତ  ଏମିତି ଝିଅ,ମୁଁ କେବେହେଲେ ଦେଖି ନଥିଲି  |ତାର କଥାବାର୍ତ୍ତା,ଚାଲିଚଳନ,ସବୁ କିଛି  ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ,ମାନେ ....ମାନେ .....

"ସେ ଅନନ୍ୟା ' |ତା ଠାରୁ କଥା ଛଡେଇ ନେଇ ଅନସୂୟା କହିଲେ |

'ହଁ ,ମମି,ତମେ ଠିକ କହିଛ '|ଅନ୍ୟମନସ୍କ ହୋଇ ଅନିଷ କହି ପକେଇଲା |ତା କଥା ଶୁଣି, ଅନସୂୟା ଜୋରରେ ହସି ଉଠିଲେ |ଅନିଷ ଲାଜେଇ ଗଲା |କହିଲା.ସରି ମମି,ଭୁଲରେ କହି ଦେଲି | ଅନସୂୟା ଗମ୍ଭୀର ହୋଇ କହିଲେ,ନାଁ,ତୁ ଭୁଲ କହିନୁ;ପୁରା ପୁରି ଠିକ କହିଛୁ |ତୋ କଥାରେ ମୁଁ  ପୁରା ରାଜି |କିନ୍ତୁ ତୋ ପାଠ ପଢା କଣ ହେବ ବାପା ??ମୁଁ ତ ଭାବୁଛି,ଏଇଠୁ ତୋ ପାଠରେ ଡୋରି ବନ୍ଧା ହୋଇଗଲା ! 

:କେମିତି ମମି ?ଆଶ୍ଚର୍ଯ୍ୟ ହୋଇ ଅନିଷ ପଚାରିଲା |

:କେମିତି ମତେ କଣ ଆଉ ବୁଝେଇ କହିବାକୁ ପଡିବ?ତୁ ତ ଏମିତି କଷ୍ଟିଆ ଜିନିଷରେ ପଶିଗଲୁ ଯେ ସେଥିରୁ ମୁକୁଳିବା ଭାରି ମୁସ୍କିଲ,,ପାଠ ପଢିବାକୁ ସମୟ କେତେବେଳେ ହେବ ଯେ ତୁ ପଢ଼ିବୁ ?ମୁଁ ତୋ ବାବାଙ୍କୁ କି ଉତ୍ତର ଦେବି ? ହଉ ଠିକ ଅଛି,ମୁଁ ତତେ ମନା କରିବିନି |କିନ୍ତୁ,ମୋର ତିନିଟି ସର୍ତ୍ତ ତତେ ମାନିବାକୁ ପଡିବ |କହ,ମାନିବୁ ?

ଅନିଷ ମୁହଁରେ ହାସ୍ୟ ରେଖା ଖେଳିଗଲା |ସେ କହିଲା,ହଁ,କୁହ ମମି,ମୋର ତିନିଟି ଯାକ ସର୍ତ୍ତ ମଞ୍ଜୁର |

       ଅନସୂୟା ତା ମୁହଁକୁ ଗଭୀର ଦୃଷ୍ଟି ନିକ୍ଷେପ କରି କହିଲେ,ପ୍ରଥମ ହେଲା,ସେ ଝିଅକୁ କେବେହେଲେ ଧୋକା ଦେବୁନି,ଦ୍ଵିତୀୟ ହେଲା,ତୋ ପାଠ ପଢ଼ାରେ ଅବହେଳା କରିବୁନି ଓ ତୃତୀୟ ହେଲା,ସାମାଜିକ ସ୍ୱୀକୃତି ନ ମିଳିବା ପର୍ଯ୍ୟନ୍ତ,ତମ ପ୍ରେମକୁ  ସ୍ୱର୍ଗୀୟ ଓ ପବିତ୍ର ରଖିବ ଓ କେବେହେଲେ ମର୍ଯ୍ୟାଦାର ଲକ୍ଷ୍ମଣରେଖା ଡେଇଁବ  ନାହିଁ  |

:ସବୁ କଥା ବୁଝିଲି  ,ହେଲେ ଲକ୍ଷ୍ମଣରେଖା ମାନେ କଣ ମମି? ନିରୀହ ଭାବରେ ଅନିଷ ପଚାରିଲା |

ଅନସୂୟା କହିଲେ, ତୁ ଭଲ ଭାବେ ଚିନ୍ତା କଲେ, ସେକଥା ଜାଣି ପାରିବୁ | (କ୍ରମଶଃ)

 

Tuesday, December 8, 2020

ଅନନ୍ୟା (ଭାଗ 3)

                       ଅନିଷ ତାଙ୍କ ପ୍ରଶ୍ନର ଉତ୍ତର ନଦେବା ଓ  ମୁହଁ ଶୁଖେଇ ଚାଲିଯିବାକୁ ଅନସୂୟା ସହଜରେ ଗ୍ରହଣ କରି ପାରୁ ନଥିଲେ |ସେ ମନେ ମନେ ନିଜ କଥାର ତର୍ଜମା କରି ଭାବୁଥିଲେ, କଣ ଏମିତି କଡା କଥା କହିଦେଲେ ଯେ ପୁଅ  ମୁହଁ ଶୁଖେଇ ଚାଲିଗଲା ?ଭାବନାରେ ମଜ୍ଜିଯାଇ  ଯାଇଥିବା ବେଳେ,ହଠାତ ତାଙ୍କର ମନେ ପଡିଲା,ସେ ଗେଟରେ ତାଲା ପକାଇ  ନାହାନ୍ତି |ଏଇ ଅଂଚଳରେ ଗେଟରେ ତାଲା ପକାଇବା  ନିହାତି ଜରୁରୀ |ସେଦିନ  ଅନିଷ ଘରେ ଶୋଇଥିଲା |ସେ କବାଟ ଆଉଜାଇ ଦେଇ,ପଡିଶା ଘରେ ସଜନା ଛୁଇଁ ଦେଇ ଆସିବା ବେଳକୁ ଦେଖିଲେ,ଘରେ କିଏ ଠାଉରିଆ ଚୋର ପଶି,ପୁଅର ମନି ପର୍ସ ଚୋରି କରି ନେଇଛି  |ଅନିଷ କହିଲା,ସେ ବାଥରୁମରୁ ଫେରିବା ବେଳକୁ ଏକ ଛାଇ ଦେଖି ଭିତରକୁ ଆସି ଦେଖିଲା, ଛୋଟ ପିଲାଟିଏ ଦୌଡ଼ି ଚାଲି ଯାଉଛି | ତାକୁ ଅନୁସରଣ କରି ସେ ଗେଟ ବାହାରକୁ ଆସିଲା;କିନ୍ତୁ ସେତେବେଳକୁ ସେ ତାର ପର୍ସ ନେଇ,ବିଜୁଳି ପରି କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା |ପର୍ସରେ ଅନିଷ ର ଏ.ଟି.ଏମ.କାର୍ଡ ଠାରୁ ଆରମ୍ଭ କରି ଡି.ଏଲ .ପର୍ଯ୍ୟନ୍ତ ସବୁ ଥିଲା |ଦିନାକେତେ ସେ ବହୁତ ହଇରାଣ ହେଲା |ସେହିଦିନଠାରୁ ଅନସୂୟା ଘରେ ଥିଲେ ବି ଗେଟ ଓ ଗ୍ରିଲ ରେ ନିଶ୍ଚିତ ଭାବରେ ତାଲା ପକାନ୍ତି  |ଗୋଟିଏ ସେଟ ଚାବି ଆଦିକନ୍ଦଙ୍କ ପାଖରେ ଓ ଆଉ ଗୋଟିଏ ସେଟ ଅନିଷ ପାଖରେ ସବୁବେଳେ ଥାଏ |

                      ସେଦିନ ତାଙ୍କର ଆଉ କାମରେ ମନ ଲାଗିଲାନି |ଟିଭି ଦେଖୁ ଦେଖୁ ଚାରିଟା ବାଜିଗଲା |ସେ ଚା' ତିଆରି କରିବା ପାଇଁ,ରୋଷେଇ ଘରକୁ ଗଲେ |ସସପିନ ରେ ମାପିକରି ପାଣି ଦେଲେ,ପାଣି ଫୁଟି ଆସିବା ବେଳକୁ,ଚିନି ଓ ଚା' ଗୁଣ୍ଡ ପକାଇଲେ |ସେତେବେଳେ ଗେଟ ଖୋଲିବାର ଶବ୍ଦ ଶୁଣି ଆସି ଦେଖିଲେ,ଅନିଷ ଆସୁଛି |ସେ ରୋଷେଇଘରକୁ ଫେରି ଫୁଟୁ ଥିବା ଚା' ରେ  କ୍ଷୀର ପକାଇବା ବେଳକୁ ,ଅନିଷ ରୋଷେଇ ଘରକୁ ଆସି କହିଲା,ମମି,ଚା' କରୁଛ ?ମୋ ପାଇଁ ବି' କରିବ |ଅନସୂୟା 'ହଉ ଠିକ ଅଛି',କହି,ସସପିନ ରେ ଆଉ ଟିକେ ପାଣି ଦେଇ,ସେହି ଅନୁପାତରେ ଚା',ଚିନି ଓ କ୍ଷୀର ମିଶାଇଲେ |ଚା' ଛାଣିବାକୁ ଯିବା ବେଳକୁ ପଛପଟୁ ଅନିଷ ତାଙ୍କ ଗୋଡ଼ ଦୁଇଟିକୁ ଜାବୁଡି ପକାଇ କହିଲା,ମମି,ପ୍ଲିଜ,ଡୋଣ୍ଟ କିଲ ମାଇଁ ଫାର୍ଷ୍ଟ  ଲଭ !!ପ୍ଲିଜ ,ତମ ଗୋଡ଼ ତଳେ ପଡୁଛି |ଅନସୂୟା ହତବାକ ହୋଇ କହିଲେ,ଗୋଡ଼ କାହିଁକି ଧରୁଛୁ ?ଉଠ,ବାଇଆ ଟା  |କିନ୍ତୁ ଅନିଷ ତାଙ୍କ ପାଦ କୁ ସେମିତି ଜାବୁଡି ଧରିଥିଲା |(କ୍ରମଶଃ)

           

Sunday, December 6, 2020

ଅନନ୍ୟା (ଭାଗ 2)

                           ଆଦିକନ୍ଦ ଅଫିସ ଯିବାପରେ,ଅନସୂୟା କ୍ଷୀରରେ ଅଧିକ ଚିନି ଓ ଅଧିକ ଚା' ଗୁଣ୍ଡ ପକେଇ,ତାଙ୍କ ପ୍ରିୟ ଚା' ତିଆରି କଲେ |ସେ ସେପର୍ଯ୍ୟନ୍ତ ବ୍ରେକଫାଷ୍ଟ ଖାଇ  ନଥିଲେ |ପରଟା କୁ ଚା' ରେ ବୁଡେଇ ପରମ ତୃପ୍ତିରେ  ଖାଉ ଖାଉ,ସେ ଟିଭି ଖୋଲି ନିଉଜ ହେଡ ଲାଇନ୍ସ ଦେଖିବାକୁ ଲାଗିଲେ |ପରଟା କିମ୍ବା ପୁରୀ ସହିତ ଏମିତି ଚା' ଖାଇବାକୁ ତାଙ୍କୁ ବହୁତ ଭଲ ଲାଗେ |ଅନିଷ  ବାଥରୁମରେ ପଶିଛି,ଏକାଥରକେ ଗାଧୋଇ କରି ଆସିବ |ଆଦିକନ୍ଦ ଜଳଖିଆ ଖାଇବା ବେଳେ ତାର ବାଥରୁମକୁ ଯିବା ସମୟ |ଗାଧୋଇ ସାରି ଦୁଇ ମୁଠା ଭାତ ପାଟିରେ ପୁରେଇ ସେ ତର ତର ହୋଇ କଲେଜ ବାହାରି ଯାଏ |ଯେତେ ଆକଟ କଲେ ବି  ତାଙ୍କ କଥା ଶୁଣେନା |ଏତିକିବେଳେ ଅନିଷ ମୋବାଇଲରେ ରିଂ ହେଲା |ଅନସୂୟା ଜାଣିଛନ୍ତି,ସେ ବାଥରୁମରେ ପଶିଛି ମାନେ ଘଣ୍ଟାଏ ପରେ ବାହାରିବା ଥୟ |ସେ ଉଠିଯାଇ ମୋବାଇଲ ପାଖକୁ ଯାଉ ଯାଉ ରିଂ ବନ୍ଦ ହୋଇଗଲା ଓ ପରେ ପରେ ଏକ ମେସେଜ ଆସିଲା,'ହାୟ ହ୍ୟାଣ୍ଡସମ ,କଣ କରୁଛ' ?ସେ ମୋବାଇଲ ଉଠାଇ ଦେଖିଲେ |କିନ୍ତୁ ତାହା ଲକ ଥିଲା |ସେ ଡରିଗଲେ |ଅନିଷ କେଉଁ ଝିଅର ପ୍ରେମରେ ପଡିନି ତ !ତାଙ୍କ ଅନୁମାନ ସତ୍ୟ ହୋଇଥିଲେ,କଥା ସରିଲା |ଆଉ କଣ ସେ ପଢିବ ?ପ୍ରେମ ଚକ୍କରରେ ପଡି କେତେ କେତେ ରଥି ,ମହାରଥୀ ଟଳି ପଡିଛନ୍ତି,ମୋ ପୁଅ କଣ ଆଉ ଉଧେଇବ ?ଚା' ଓ ପରଟା ର ମଜା କୁଆଡେ ଚାଲିଗଲା,ତାଙ୍କୁ ଆଉ ଖାଇବାକୁ ଇଛା ହେଲା ନାହିଁ |ସେ ମନେ ମନେ ମଙ୍ଗଳା ମାଆଙ୍କୁ ସ୍ମରଣ କରି କହିଲେ,ମାଆଲୋ,ତୁଇ  ଏକା ଭରସା ,ମୋ ପୁଅକୁ ରକ୍ଷା କର,ତାକୁ ସଦବୁଦ୍ଧି ଦେ |ଇଞ୍ଜିନିଅରିଂ ପାଶ କରି ,ଚାକିରୀ ଖଣ୍ଡେ କରିଯାଉ,ତାପରେ ଯାହା ହେଉଛି,ହେଉ |

                          ଟାୱେଲରେ ମୁହଁ ପୋଛୁ ପୋଛୁ ଅନିଷ ବାଥରୁମରୁ ବାହାରି ଆସି କହିଲା,ମମି,ଶୀଘ୍ର ଖାଇବାକୁ ବାଢ଼ି  ଦିଅ,ମୋର ଡେରି ହେଲାଣି | ଅନସୂୟା ବିରକ୍ତ ହୋଇ କହିଲେ,ତୋର ସବୁ  କଥାକୁ ସମୟ ଥାଏ,କେବଳ ଖାଇବାକୁ ସମୟ ନଥାଏ |ପେଟକୁ ମାରି ମାରି,ତୋ ଚେହେରା କଣ ହେଲାଣି ,ଆଇନାରେ ଦେଖିଛୁ ?ଅନିଷ କହିଲା,ଓହୋଃ !ମମି,କାହିଁକି ସେମିତି ଯିବା ଆସିବା ବେଳକୁ ଗେଜେ ଗେଜେ ହେଉଛ ?ମତେ ବେଶି  ଦେଲାରୁ ସିନା  ମୁଁ ଛାଡ଼ୁଛି,ଅଳ୍ପ ଦିଅ,ମୁଁ ଖୁସିରେ ସବୁ ଖାଇ ଚାଲିଯିବି |ଅନସୂୟା ଭାତ ବାଢି,ଡାଇନିଂ ଟେବଲରେ ରଖି,ପାଖ ଚେୟାରରେ ବସି କହିଲେ,ହଉ ଖାଇବୁ ଆସ | ଅନିଷ କହିଲା,ମୁଁ ସବୁ ଖାଉଛି  କି ନାଁ ଦେଖିବାକୁ ଚାଲି ଆସିଲା ନାଁ  ?ଅନସୂୟା ଗମ୍ଭୀର ହୋଇ କହିଲେ,ତୋର ଫୋନ ଆସିଥିଲା |ଅନିଷ କହିଲା,ହଁ ଜାଣିଛି |ଅନସୂୟା କହିଲେ,କିଏ ସେ ଝିଅ ?ତା ନାଁ କଣ ?ତାଙ୍କ କଥା ଶୁଣି ଅନିଷ ଚମକି ପଡିଲା, କହିଲା,ତମେ କେମିତି ଜାଣିଲ,ସେ ଝିଅ ବୋଲି ?ଅନସୂୟା କହିଲେ,ତୁ ଖାଲି କହ,ସେ କିଏ ? ଅନିଷ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଚୁପ ଚାପ ଖାଇବାରେ ଲାଗିଲା ଓ ଖାଇବା ଶେଷ କରି ବାଇକ ନେଇ କଲେଜ ଚାଲିଗଲା |(କ୍ରମଶଃ)

Friday, December 4, 2020

ଅନନ୍ୟା (ଧାରାବାହିକ ଉପନ୍ୟାସ )(ଭାଗ 1)

              ଅନିଷ  ଇଞ୍ଜିନିୟରିଂ ଦ୍ୱତୀୟ ବର୍ଷର ଛାତ୍ର  |କିନ୍ତୁ ପିଲାଟା କାହିଁକି କେଜାଣି ପାଠରେ  ଜମା ମନ ଦେଉନଥିଲା  |ତା ଉପରେ ମାଆ ଅନସୂୟା କେବେ ବି ରାଗି ପାରନ୍ତି ନାହିଁ |କୋଉ ଛଅଟା ନାଁ ନଅଟା ଯେ ଅଯଥା ତା ଉପରେ ଏତେ ବିରକ୍ତ ହେବେ !ପାଠ ଛାଡି,ସବୁ ଗୁଣ ତାର ଭଲ |ଦୁନିଆଁ ଯାକର ସବୁ ଖବର ତା ପାଖରେ |କିନ୍ତୁ ପାଠପ୍ରତି ବେଶି ଗୁରୁତ୍ତ୍ଵ ଦେଉ ନଥିବାରୁ, ବାପା ଆଦିକନ୍ଦ ସବୁବେଳେ ତା ଉପରେ ଅଶାନ୍ତି ହୁଅନ୍ତି |କହନ୍ତି,ପିଲାଟା ମୁଣ୍ଡରେ ବୁଦ୍ଧି ଅଛି,କିନ୍ତୁ ଅତ୍ୟଧିକ ଗେହ୍ଲା ହୋଇ ,ସେ ପାଠ ପଢ଼ାରେ ମନ ଦେଉନି |ଅନସୂୟା ବି ଆଦିକନ୍ଦଙ୍କୁ ସଫା ସଫା ଶୁଣେଇ ଦେଇଛନ୍ତି,ମୋ ପୁଅକୁ ତମେ କିଛି କହିବନି,ମୁଁ ଜାଣେ, ଭଲରେ କହିଲେ,ସେ ସବୁ କଥା ମାନିବ |ତାପରେ,ତା ମୁଣ୍ଡରେ ଯେତିକି ବୁଦ୍ଧି ଅଛି,ସେ ସେତିକି କାଢ଼ିବ ,ଅଧିକା କେଉଁଠୁ ଆଣିବ ଯେ,ମୁଁ ତା ଉପରେ ଏତେ ପ୍ରେସର ପକେଇବି !

:ହଉ ଠିକ ଅଛି,ତାକୁ ମୁଣ୍ଡରେ ବସେଇ ଥା,ଲେଡି ଗୁଡ଼ କହୁଣୀକୁ ବୋହି ଗଲେ,ମତେ ଦୋଷ ଦେବନାହିଁ |ଆଦିକନ୍ଦ  ଚିଡ଼ି ଯାଇ ଅଫିସ ଚାଲି ଯାଆନ୍ତି | ଜଣେ ଦକ୍ଷ ଓ ସାଧୁ କର୍ମଚାରୀ ଭାବରେ ତାଙ୍କର ଅଫିସରେ ବେଶ ସୁନାମ ଥିଲା  |ତେଣୁ ସବୁଠାରୁ ଝୀଂଝଟିଆ ସିଟ ସବୁବେଳେ ତାଙ୍କ ଭାଗ୍ୟରେ ଥାଏ |ଯେ କୌଣସି ଅଫିସର ଆସିଲେ ,ସବୁବେଳେ ତାଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି  |ସେଥିପାଇଁ ତାଙ୍କୁ  ଅନ୍ୟମାନଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡେ |ସବୁଦିନ ଜଳଖିଆ ଖାଇ ସେ ସାଢେ ଆଠଟାରୁ ନଅଟା ଭିତରେ ଅଫିସ ବାହାରି ଯାଆନ୍ତି,ଅଫିସରୁ ଫେରୁ ଫେରୁ ରାତି ନଅଟା ହୋଇଯାଏ | ଘରୁ ଆଣିଥିବା ଲଞ୍ଚ ସେ ଅଫିସରେ ଖାଆନ୍ତି |ତେଣୁ ଅନିଷ ଉପରେ ସେ ଏତେ ଧ୍ୟାନ ଦେଇ ପାରନ୍ତି ନାହିଁ |ସେ ଭାବନ୍ତି, ଅନସୂୟା ଟିକେ କଡ଼ା ହେଲେ,ପିଲାଟା ଭଲ ପଢନ୍ତା ,କିନ୍ତୁ ଅନସୂୟାଙ୍କ ମାତୃ ହୃଦୟ କେବେ କଠୋର ହୋଇ ପାରେନା |ବେଳେ ବେଳେ ଭାବନ୍ତି,ଏଥର ଟିକେ କଡ଼ା ହେବି,କିନ୍ତୁ ତା ନିରୀହ ମୁହଁକୁ ଦେଖିଲେ,ତାଙ୍କ ରାଗ କୁଆଡେ ମିଳେଇ ଯାଏ | (କ୍ରମଶଃ )

                 

Wednesday, December 2, 2020

ଆନନ୍ଦ ଭବନ

                      ସହର ଭିତରେ ସୁନ୍ଦର ଘରଟିଏ କରିବା ,ଆନନ୍ଦବାବୁଙ୍କ ଏକ ବଡ଼ ସ୍ୱପ୍ନ ଥିଲା |ସେ ସବୁବେଳେ ଭାବୁଥିଲେ,ଏମିତି ଗୋଟିଏ ଘର କରିବେ,ଯେଉଁଥିରେ ଚାରୋଟି କୋଠରୀ ଥିବ ଓ ସମସ୍ତ କୋଠରୀରେ ଗାଧୁଆ ଘର ଓ ପାଇଖାନା ସଂଲଗ୍ନ ଥିବ ,ଉତ୍ତର ପୂର୍ବ ଦିଗରେ ଗୋଟିଏ ଛୋଟ ପୂଜାଘର,ଘରର ଚତୁଃପାର୍ଶ୍ଵରେ ବଗିଚା କରିବା ପାଇଁ ବିରାଟ  ଜାଗା, ଇତ୍ୟାଦି |କିନ୍ତୁ  ପୁଅ ଝିଅଙ୍କ ପାଠପଢା ଓ ବିବାହ ଭିତରେ ସେ ସ୍ୱପ୍ନ  କେତେବେଳେ ଦବିଯାଇ, ତାଙ୍କ ଅବସର ନେବାର ସମୟ  ଆସି ପହଞ୍ଚିଗଲା,ସେ ନିଜେ ବି ଜାଣି ପାରିଲେ ନାହିଁ |ଶେଷରେ ଈଶ୍ୱରଙ୍କ କୃପାରୁ ଅବସର ପୂର୍ବରୁ,ସହରଠାରୁ ବହୁତ ଦୂରରେ ତାଙ୍କର ପରିଚିତ ଜଣେ  ବିଲ୍ଡରଙ୍କ  ଦ୍ୱାରା ନିର୍ମିତ ହୋଇଥିବା ଏକ ଦୁଇ  ବଖୁରିଆ ଘର ତାଙ୍କୁ ଅପେକ୍ଷାକୃତ କମ ମୂଲ୍ୟରେ ମିଳିଗଲା |କିନ୍ତୁ  ଘରଟି  ତାଙ୍କର ସ୍ୱପ୍ନର ଘର  ନଥିଲା |କାରଣ ସେଠାରେ ପୂଜାଘର ନଥିଲା,ଗୋଟିଏ ରୁମରେ ଆଟାଚଡ ବାଥରୁମ ଥିବାବେଳେ,ଅନ୍ୟ ବାଥରୁମ ଟି କମନ ୟୁଜ ପାଇଁ ଥିଲା  |ସବୁଠାରୁ କଦର୍ଯ୍ୟ ତାଙ୍କ ରୋଷେଇ ଘର ଥିଲା,ଯେଉଁଠି ଜଣେ  ପ୍ରବେଶ କଲେ,ଆଉ ଜଣେ ଚଳପ୍ରଚଳ କରିବାରେ ବହୁତ ଅସୁବିଧା ହେଉଥିଲା  |ଫୁଲ ଫଳ ଗଛ ଲଗେଇବା ପାଇଁ ଯେତିକି ସ୍ଥାନ ଥିଲା,ତାହା ଥାଇ ନଥିଲା ପରି  | କିନ୍ତୁ 'ନାହିଁ ମାମୁଁ ଠାରୁ କଣାମାମୁଁ ଭଲ' ଓ ରିଟାୟାର୍ଡ଼ ବେଳକୁ ମୁଣ୍ଡ ଉପରେ ଛାତ ଅଛି ମାନେ,ବହୁତ ବଡ଼ କଥା ଭାବି ସେ ନିଜକୁ ସାନ୍ତ୍ୱନା ଦେଲେ ସିନା,ତାଙ୍କ ମନରେ ଏକ ବିରାଟ ଅବଶୋଷ ରହିଗଲା |

                    ଘର ପ୍ରତିଷ୍ଠା ବେଳକୁ,ଝିଅ ମନୀଷା ଆସି ପାରିଲାନି ,ପୁଅ ପ୍ରିୟାଂଶୁ ପିଲାମାନଙ୍କ ସହ ଆସିଥିଲା   | ତା  ସହ କଥାବାର୍ତ୍ତା ବେଳେ  ମନୋରମା କହୁ କହୁ କହିଦେଲେ ,ଏତେ ଖୋଜି ଖୋଜି ଶେଷରେ ଏଇ ଖତରା ଘର  ମିଳିଲା |ଜମା ଦୁଇଟି ରୁମ,ଝିଅ ସିନା ଆସିଲାନି , ସେ ଆସିଥିଲେ ,ଶୋଇବା ଦୂରର କଥା,ଗୋଡ଼ ବୁଲେଇବାକୁ ଜାଗା ମିଳି ନଥାନ୍ତା  |ମୁଁ କଣ କହୁ ଥିଲିକି,ଯଦି ତୁମେମାନେ କିଛି ସାହାଯ୍ୟ କରନ୍ତ,ଆମେ ଉପର ମହଲାରେ ତିନିଟି ରୁମ  କରନ୍ତେ ;ସବୁଥିରେ ଆଟାଚଡ ବାଥରୁମ ଥାଆନ୍ତା | ଗୋଟିଏ କମନ ବାଥରୁମ ଗେଷ୍ଟ ମାନଙ୍କ ପାଇଁ ଥାଆନ୍ତା |ସବା ଉପରେ ପୂଜାଘର ଥାଆନ୍ତା | ପ୍ରିୟାଂଶୁ  କହିଲା,,ଜମା ସେ ଭୁଲ କରନା ବୋଉ |ଆମେ କୋଉ ସବୁବେଳେ ଆସୁଛୁ ଯେ ଏତେ କଥା !ଆସିଲେ ବି ଦିନେ ଦୁଇଦିନ ପାଇଁ କଣ କଷ୍ଟେ ମଷ୍ଟେ  ଚଳି ହେବନି ?ମେଣ୍ଟେନାନ୍ସ ପାଇଁ ଛୋଟଘର ଭଲ | ସହଜେ ତ ଆଜିକାଲି ଚାକରାଣୀ  ମିଳୁ ନାହାନ୍ତି , ଯଦି ବା ମିଳୁଛନ୍ତି,ତାଙ୍କ ଉପରେ ଭରସା କରି ରହି ହେଉନି |ପୁଣି ଦୁଇମହଲା ଘର ଦେଖିଲେ,କାମବାଲୀ ହାତ ଟେକି ଦେଉଛନ୍ତି  |ମନୋରମାଙ୍କ ଠାରୁ ପୁଅ କଥା ଶୁଣି,ଦ୍ୱିତୀୟ ମହଲାର ସ୍ୱପ୍ନ ନ ଦେଖିବା ପାଇଁ,ଆନନ୍ଦବାବୁ ମନ ସ୍ଥିର କରି ନେଇଥିଲେ |

                     ଚଳ ପ୍ରଚଳରେ ସୁବିଧା ହେବ ବୋଲି,ପ୍ରିୟାଂଶୁ  ତା କାର ଛାଡି ଯାଇଥିଲା  |କାର ଚଲାଇବା ପାଇଁ, ବଳରାମ ନାମକ ଜଣେ ଭଲ ଡ୍ରାଇଭର ମଧ୍ୟ ତାଙ୍କୁ ମିଳିଗଲା |ସବୁକିଛି ସୁବିଧାରେ ଚାଲୁଥିଲା  |କିନ୍ତୁ ମଝିରେ ମଝିରେ ଉପର ମହଲାର ସ୍ୱପ୍ନ ଆନନ୍ଦବାବୁଙ୍କୁ  ଅଥୟ କରୁଥିଲା |ଅଚାନକ ଦିନେ ତାଙ୍କ ପାଇଁ ଏକ ସୁଯୋଗ ଆସିଲା |ଅନେକ ବର୍ଷ ତଳେ  ବନ୍ଧୁମାନଙ୍କ ସହ ମିଶି ସେ କିଛି ଚାଷ ଜମି କିଣିଥିଲେ |କିଣିବା ଦିନ ଠାରୁ ସେ ସେମିତି ପଡିଆ ପଡିଥିଲା |ସବୁ ବନ୍ଧୁ ମାନଙ୍କର  ସେହି ଏକା ଅବସ୍ଥା ଥିଲା |ଯାହାଙ୍କ ମାଧ୍ୟମରେ ସେ ଜମି କିଣିଥିଲେ,ସେ ସମସ୍ତଙ୍କ ଠାରୁ ଜମି କିଣି ସେଠାରେ ଏକ ଫାର୍ମ ହାଉସ କରିବାକୁ ଚାହୁଁ ଥିଲେ  |ଆନନ୍ଦବାବୁ ଏକଥା ଶୁଣି ଜମି ବିକିବା ପାଇଁ,ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ |ଜମି ବାବଦକୁ ତାଙ୍କୁ ବାଇଶ ଲକ୍ଷ ଟଙ୍କା ମିଳିଲା |ତାଙ୍କପାଇଁ ଏହା ବହୁତ ବଡ଼ ପରିମାଣ ଥିଲା |ସେଥିରେ ଆଉ କିଛି ମିଶାଇ ସେ ସେହି ପରିଚିତ ବିଲ୍ଡରଙ୍କ ଦ୍ୱାରା ତାଙ୍କ ପସନ୍ଦ ଅନୁଯାୟୀ ଉପର ମହଲା ଘର ତିଆରି କଲେ |ଦେଢ଼ବର୍ଷ ଭିତରେ ଇଣ୍ଟେରିଅର ସହ,ଉପରମହଲା କାମ ଶେଷ ହୋଇ ପୂରା ଚକା ଚକ ହୋଇଗଲା |ଆନନ୍ଦବାବୁଙ୍କ ସ୍ୱପ୍ନ ସାର୍ଥକ ହୋଇଗଲା |ପିଲାମାନଙ୍କ ବିନା ସହାୟତାରେ ଘର କରିଥିବାରୁ,ସେ ନିଜକୁ ଭାଗ୍ୟବାନ ମନେ କରୁଥିଲେ |ତଳ ଘରଟି ଭଡ଼ା ଦେଇ ଉପରମହଲାରେ ଦୁହେଁ ଖୁବ ଖୁସିରେ ରହିଲେ |

                      କିନ୍ତୁ ତାଙ୍କର ଖୁସି ବେଶିଦିନ ରହିଲା ନାହିଁ |କ୍ଷୀର,ସମ୍ବାଦପତ୍ର,ପରିବା ଇତ୍ୟାଦି ଆଣିବା ପାଇଁ, ଦୁହିଁଙ୍କୁ ବାରମ୍ବାର ତଳ ଉପର ହେବାକୁ ପଡୁଥିଲା |ଏହା ସହିତ କେହି ବନ୍ଧୁବାନ୍ଧବ ଆସିଲେ,ତଳକୁ ଯାଇ ସେମାନଙ୍କୁ ସଙ୍ଖୋଳି ଆଣିବାକୁ ପଡୁଥିଲା |ଏହାଦ୍ୱାରା  ମନୋରମାଙ୍କ ଅଣ୍ଟା ଓ ଆଂଠୁ ବେମାରୀ ବାହାରିଲା ଓ ଆନନ୍ଦବାବୁଙ୍କ ପୁରୁଣା ଗଣ୍ଠି ପୀଡା ମଧ୍ୟ ବାହାରି ପଡିଲା |ଏଣେ ଭଡାଟିଆ ମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ,ସେମାନଙ୍କୁ ବାରମ୍ବାର ଭଡାଟିଆ ବଦଳେଇବାକୁ ପଡୁଥିଲା |ଶେଷରେ ବିରକ୍ତ ହୋଇ ଆନନ୍ଦବାବୁ ଘର ଖାଲି ରଖିବାକୁ ସ୍ଥିର କଲେ   |କିନ୍ତୁ ଘର ଖାଲି ପଡିଲେ ବି ଅସୁବିଧା |ତାକୁ ସଫା ସୁତୁରା  ନ ରଖିଲେ,ଉଈ ଇତ୍ୟାଦି ଲାଗିବାର ଭୟ ରହିଥିଲା  |ତେଣୁ ତାଙ୍କୁ ଉପର ମହଲା ସହିତ ତଳ ମହଲାକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡୁଥିଲା |ଯେଉଁ କାମବାଲୀ ଥିଲା,ସେ ଦିନେ ଆସିଲେ,ଦୁଇଦିନ ଆସୁ ନଥିଲା ଓ ତାର ନିଜର ଯେତିକି କାମ, ତା ବ୍ୟତୀତ ଅଧିକ କାମ କରିବା ପାଇଁ,ସେ ରାଜି ହେଉ ନଥିଲା  |ତେଣୁ ସେସବୁ କାମ ସେମାନଙ୍କୁ କରିବାକୁ ପଡୁଥିଲା |ଆନନ୍ଦବାବୁ ଅତ୍ୟନ୍ତ ବନ୍ଧୁପ୍ରିୟ ବ୍ୟକ୍ତି ଥିଲେ |ସେ ଓ ମନୋରମା ପ୍ରାୟବେଳେ ପଡୋଶୀ ମାନଙ୍କ ସହ ଖୁସି ଗପ କରି ସମୟ କାଟୁଥିଲେ |କିନ୍ତୁ  ଆଂଠୁ ଗଣ୍ଠି ପୀଡା ଯୋଗୁଁ କ୍ରମେ ସେ ଖୁସିକୁ ବି ସେମାନଙ୍କୁ ତ୍ୟାଗ କରିବାକୁ ପଡିଲା |

                    ସେଦିନ ମାର୍କେଟିଂ ପାଇଁ ସେମାନଙ୍କୁ ଟାଉନ ଭିତରକୁ ଯିବାର  ଥିଲା |ସେଥିପାଇଁ ଆନନ୍ଦବାବୁ ବଳରାମକୁ ଡାକିଥିଲେ |ବଳରାମ ବେଳା ବେଳି ଆସି ଯାଇଥିଲା |ମନୋରମାଙ୍କର ବି କାମ ସରି ଯାଇଥିଲା |ଆନନ୍ଦବାବୁ ଗାଧୋଇବାକୁ ଯାଇଥିଲେ | ବହୁତ ସମୟ ଧରି ସେ ବାଥରୁମରୁ ନ ବାହାରିବାରୁ,ମନୋରମା କବାଟ ବାଡେଇଲେ |କିନ୍ତୁ ଭିତରୁ କିଛି ଶବ୍ଦ ଆସୁନଥିଲା |ମନୋରମା  ବ୍ୟସ୍ତ ହୋଇ ବଳରାମକୁ ଡାକ  ପକାଇଲେ  |ଦୁହେଁ ମିଶି କବାଟ ଭାଙ୍ଗି ଦେଖିଲେ,ଭିତରେ ଆନନ୍ଦବାବୁ ବେହୋସ ହୋଇ ତଳେ ପଡିଛନ୍ତି ଓ ତାଙ୍କ ମୁଣ୍ଡ ଫାଟି  ରକ୍ତସ୍ରାବ ହେଉଛି  |ଗାଧୋଇବା ବେଳେ ଗୋଡ଼ ଖସି ସେ ଡାହାଣ ପଟ ମାଡି ତଳେ ପଡି ଯାଇଥିଲେ ଓ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ପ୍ରଚୁର ରକ୍ତସ୍ରାବ ହେବା  ସଙ୍ଗେ ସଙ୍ଗେ ତାଙ୍କର ଚେତା ବୁଡି ଯାଇଥିଲା | ଉପଯୁକ୍ତ ଚିକିତ୍ସା ଯୋଗୁଁ ସେ ବଂଚିଗଲେ ସତ,କିନ୍ତୁ ତାଙ୍କ ଶରୀରର ଦକ୍ଷିଣ ପାର୍ଶ୍ଵ ସମ୍ପୂର୍ଣ୍ଣ ଅଚଳ ହୋଇ ଯାଇଥିଲା |ଡାକ୍ତରଙ୍କ ଉପଦେଶ ମାନି ସେମାନେ ତଳମହଲାକୁ ଚାଲି ଆସିଲେ |ଏହି ବିପଦ ସମୟରେ  ବଳରାମ ଦେବଦୂତ ପରି ଆବିର୍ଭାବ ହୋଇ ସ୍ୱତଃପ୍ରବୃତ୍ତ ଭାବରେ ତାଙ୍କ ଘରେ ରହି, ଦିନ ରାତି ଆନନ୍ଦବାବୁଙ୍କ ସେବାରେ  ଲାଗି ପଡିଲା |ମନୋରମା ବାଧ୍ୟ କରିବାରୁ କିଛିଦିନ ପରେ ସେ ତାର ସ୍ତ୍ରୀ ଉମାକୁ  ସେଠାକୁ ନେଇ ଆସିଲା |ଉମା ମନୋରମାଙ୍କୁ ଆଦୌ କାମ କରାଇ ଦେଉ ନଥିଲା |ଉପର ମହଲା ସହିତ ତଳ ମହଲାର ସମସ୍ତ ଘର ଝାଡୁ ପୋଛା ଠାରୁ ଆରମ୍ଭ କରି ରୋଷେଇବାସ ପର୍ଯ୍ୟନ୍ତ ସବୁ କାମ ସେ ବିନା ଦ୍ଵିଧାରେ କରୁଥିଲା |ସେମାନଙ୍କ ସାହାଯ୍ୟ,ସହଯୋଗ ଓ ସେବା ଫଳରେ ଆନନ୍ଦବାବୁ ବାଡ଼ି ଧରି ଧୀରେ ଧୀରେ ଚାଲିବା ଆରମ୍ଭ କଲେ | ଖବର ପାଇ ପ୍ରିୟାଂଶୁ ଓ ମନୀଷା ଉଭୟ ବିଦେଶରୁ ଆସିଲେ |କେତେ ସରାଗରେ ବାପା ଘର କରିଥିଲେ,ବେଶିଦିନ ସେଇଠି ରହିବା  ସୁଖ ତାଙ୍କୁ ମିଳି ପାରିଲା ନାହିଁ କହି,ଦୁହେଁ ବହୁତ ମନ ଦୁଃଖ କଲେ |କିନ୍ତୁ ଏ ସବୁ ଭିତରେ  ବଳରାମ ଓ ଉମାଙ୍କର ନିଃସ୍ୱାର୍ଥପର ସେବା ସେମାନଙ୍କ  ପାଇଁ ଅତ୍ୟନ୍ତ  ଆନନ୍ଦ ଓ ଆଶ୍ୱାସନା ର ବିଷୟ ଥିଲା |ନିଜେ ଆନନ୍ଦବାବୁ ମଧ୍ୟ ତାହା ତାଙ୍କର ପୂର୍ବ ଜନ୍ମର ଅନେକ ପୁଣ୍ୟର ଫଳ ବୋଲି ମନେ କରୁଥିଲେ | 

                     କ୍ରମେ ବଳରାମ ଓ ଉମା  ସେମାନଙ୍କ ପରିବାରର ସ୍ଥାୟୀ ସଦସ୍ୟ ପାଲଟି ଗଲେ |ସମସ୍ତେ ସାଙ୍ଗ ହୋଇ ଏକାଠି ଖାଉଥିଲେ,ବୁଲୁଥିଲେ  ଓ ମଜା କରୁଥିଲେ  |ପ୍ରିୟାଂଶୁ ଓ ମନୀଷା  ଯେତେବେଳେ ତାଙ୍କ ପାଖକୁ ଆସୁଥିଲେ,ବଳରାମ ଓ ଉମାଙ୍କ ସେବାରେ କୃତ୍ୟ କୃତ୍ୟ ହୋଇ ଯାଉଥିଲେ |ସେହି ଘରେ ରହି ବଳରାମର ପୁଅଟିଏ ହେଲା |ଆନନ୍ଦ ବାବୁ ତାର ଶୁଭ ନାମ ' ଆଦିତ୍ୟ' ରଖିଲେ ଓ ମନୋରମା ଅତି ଶ୍ରଦ୍ଧାରେ  ତାକୁ ମୁନା ବୋଲି ଡାକିଲେ |ପିଲାଙ୍କୁ ଝୁରି ହୋଇ ଦିନ ବିତାଇବାର ସମୟ ତାଙ୍କର  ଶେଷ ହୋଇ ଯାଇଥିଲା | ସେମାନଙ୍କ ପାଇଁ ବଳରାମ,ଉମା  ଓ ମୁନା ସବୁ କିଛି ଥିଲେ |ଆନନ୍ଦବାବୁ ଅନୁଭବ କରୁଥିଲେ ,ଅମାପ  ଧନ,ସମ୍ପତ୍ତି ଓ ପ୍ରାଚୁର୍ଯ୍ୟରେ ସୁଖ ଶାନ୍ତି ନଥାଏ  ;ଥାଏ  ସୁସ୍ଥ ଶରୀର ସହିତ ଅକପଟ ସ୍ନେହ,ପ୍ରେମ,ଶ୍ରଦ୍ଧା  ଓ ନିର୍ଲୋଭତାରେ |ସେ ଏକଥା ବି ଭାବୁଥିଲେ,ପ୍ରତ୍ୟେକ କ୍ଷତି ପଛରେ ଲାଭ ଲୁଚି ରହିଥାଏ |ତାଙ୍କର  ଶାରୀରିକ କ୍ଷତି ପରେ ତାଙ୍କୁ ଯେଉଁ ଲାଭ ମିଳିଲା,ସାରାଜୀବନ ଉପର ମହଲାରେ ରହିଥିଲେ, ହୁଏତ ତାହା କେବେହେଲେ ତାଙ୍କୁ ମିଳି ନଥାନ୍ତା |ସେଥିପାଇଁ ସେ ସବୁବେଳେ ଈଶ୍ୱରଙ୍କୁ କୋଟି କୋଟି କୃତଜ୍ଞତା ଜଣାଉ ଥିଲେ |

                        କିନ୍ତୁ ତାଙ୍କର ଏତେ ସୁଖରେ ବୋଧହୁଏ କାହାର ନଜର ଲାଗି ଯାଇଥିଲା |ଆଷାଢ଼ ମାସର ଏକ ମେଘୁଆ ସକାଳେ,ଦୁହେଁ ଚା' ପିଉଥିବା ବେଳେ,ହଠାତ ମନୋରମା  କହିଲେ ତାଙ୍କ ମୁଣ୍ଡ କଣ ହୋଇ ଯାଉଛି ଓ ଏହା କହିବା ସଙ୍ଗେ ସଙ୍ଗେ ସେ ସେଠାରେ ଟଳି ପଡିଲେ |ତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆନନ୍ଦବାବୁଙ୍କ ହୃଦଘାତ ହୋଇଗଲା |ଦୁଇଘଣ୍ଟା ପରେ ସିଏ ବି ଆଖି ବୁଜି ଦେଲେ |ଅନେକ ଏହାକୁ କେତେ  ଜନ୍ମର ପୁଣ୍ୟ ଫଳ କହୁଥିବା ବେଳେ,ବଳରାମ ପାଇଁ ଏହା ମୃତ୍ୟୁ ସମାନ ମର୍ମନ୍ତୁଦ ଥିଲା |ତାକୁ ଲାଗୁଥିଲା,ସତେ କି ତା ମୁଣ୍ଡ ଠାରୁ କିଏ ଗଣ୍ଡି ଅଲଗା  କରି ଦେଇଛି  |ଖବର ପାଇ ମନୀଷା ଓ ପ୍ରିୟାଂଶୁ ଆସିଥିଲେ |ବଳରାମ ଓ ଉମାଙ୍କ ସହଯୋଗରେ ଅନ୍ତ୍ୟେଷ୍ଟିକ୍ରିୟା  କାମ ସୁରୁଖୁରୁରେ ହୋଇଗଲା |ସେତେବେଳେ ପ୍ରିୟାଂଶୁ ଭାବୁଥିଲା,ବାପା ବୋଉ ତ ଚାଲିଗଲେ,ସେମାନେ ବି ବିଦେଶରେ ସ୍ଥାୟୀ ବସବାସ କଲେ |ଏତେ ଦୂରରେ ରହି ଘର କଥା ବୁଝିବା ତା ପକ୍ଷରେ କଦାପି ସମ୍ଭବ ନୁହେଁ |ତେଣୁ ଯିବା ପୂର୍ବରୁ ଘର ବିକିଦେବା କଥା ବଳରାମକୁ କହିବ |କିନ୍ତୁ ବଳରାମର ମାନସିକ ସ୍ଥିତି ତଥା ସେ ବାପା ବୋଉଙ୍କ ପ୍ରତି କରିଥିବା ସେବାକୁ ମନେ ପକେଇ ସେକଥା ଆଉ କିଛିଦିନ ଟାଳି ଦେବାକୁ ସେ ସ୍ଥିର କଲା |ତାପରେ ଅନେକ ଦିନ ପର୍ଯ୍ୟନ୍ତ ସେ ଓଡିଶା ଆସି ପାରି ନଥିଲା |ଦିନେ ମନୀଷା ଫୋନ କରି ତାକୁ ଏକଥା ମନେ ପକେଇ ଦେଲା |କହିଲା,ଭାଇ,ସେ ଘର କଣ ବଳରାମ ପାଇଁ ହୋଇଥିଲା  ?ତୋ କାର ବି ସେଇଠି ରହିଲା !ଶୀଘ୍ର ଯାଇ କିଛି ବ୍ୟବସ୍ଥା ନକଲେ,ସବୁଦିନ ପାଇଁ ଘର ଆଉ କାରର ମାଲିକ ବଳରାମ ହୋଇଯିବ  |ଏମିତି  ଆଖି ବୁଜି ଅଗା ବଗା ଖଗାଙ୍କ ହାତରେ ଆମେ ଆମର ସମ୍ପତ୍ତି ଟେକି ଦେଇ ପାରିବା  ନାହିଁ |ପ୍ରିୟାଂଶୁକୁ ମନିଷାର କଥା ଯୁକ୍ତିଯୁକ୍ତ ଲାଗିଲା  |ତା  ପିଲାମାନେ ବି ଅନେକ ଦିନ ହେବ ମାମୁଁ ଘରକୁ ଯାଇ ନଥିଲେ |ସେ ବିସ୍ତୃତ ପ୍ଲାନ କରି ଓଡିଶା ଆସିଲା ଓ ଘର ବିକ୍ରୀ  ବିଷୟରେ ବଳରାମକୁ ପରୋକ୍ଷରେ ସୂଚନା ମଧ୍ୟ ଦେଇଥିଲା |

                         ପିଲାଙ୍କୁ ସେମାନଙ୍କ ମାମୁଁ ଘରେ ଛାଡ଼ିଦେଇ ସେ ନିଜ ଘରେ ପହଞ୍ଚିଲା |ସେଠାରେ ଘରର ପରିବର୍ତ୍ତିତ ରୂପ ଦେଖି ସେ ନିଜକୁ ବିଶ୍ୱାସ କରି ପାରିଲା ନାହିଁ |ସୁନ୍ଦର ଅକ୍ଷରରେ ଘର ସାମନାରେ 'ଆନନ୍ଦ ଭବନ' ଖୋଦେଇ ହୋଇଥିଲା |ଘରର ଛାତ ଉପରେ ଓ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ଫୁଲ ଗଛ ଘରର ଶୋଭା ମଣ୍ଡନ କରୁଥିଲା |ଗ୍ୟାରେଜରେ  ତା କାର ସଫା ସୁତୁରା ହୋଇ ରହିଥିଲା ,ଯେଉଁଥିରେ  ଲେଖାଥିଲା,'ଆନନ୍ଦ ରଥ' |ସବୁଠାରୁ ବଡ଼ କଥା ଥିଲା ଘରର ପ୍ରବେଶ ଦ୍ୱାର |ସେଠାରେ ବାପା ବୋଉଙ୍କ ବିରାଟ ତୈଳଚିତ୍ର ପୁଷ୍ପ,ଧୂପ,ଦୀପରେ ମହକୁ ଥିଲା |ପ୍ରିୟାଂଶୁ ଭାବପ୍ରବଣ ହୋଇଗଲା |ଅନେକ ଚେଷ୍ଟା କରି ସେ ତା ଆଖି ଲୁହକୁ ରୋକି ପାରିଲା ନାହିଁ |ବଳରାମ କହିଲା,ସାର ଗଲାଦିନୁ,ସପ୍ତାହକୁ ଥରେ ମୁଁ କାର ସଫା କରେ, କିନ୍ତୁ କେବେ ଚଳେଇବାର ଧୃଷ୍ଟତା କରିନାହିଁ   |ବାହାରେ ଥିବା ନିଜ ଅଟୋ କୁ ଆଙ୍ଗୁଳି ଦେଖାଇ କହିଲା,ଆଗ ପରି ମୁଁ ଅଟୋ ଚଲେଇ ମୋ ସଂସାର ଚଳାଉଛି  |ମୁଁ ଜାଣିଛି,ଆପଣ ଏ ଘର ବିକ୍ରୀ କରିବାକୁ ଆସିଛନ୍ତି |ସେଥିପାଇଁ ଆଗୁଆ ମୋ ସବୁ ଜିନିଷ ପ୍ୟାକ କରି ଦେଇଛି |ଆପଣ ଯେବେ ଚାହିଁବେ,ଘରର ଚାବି  ନେଇ ପାରିବେ |ପ୍ରିୟାଂଶୁ ଭାବୁଥିଲା,କିଛି ସମ୍ପର୍କ ନଥାଇ,ବଳରାମ ବାପା ବୋଉଙ୍କ ପାଖରେ ରହି,ତାଙ୍କର ଏତେ ସେବା କରିବା ପରେ ବି ,ସଙ୍ଗେ ସଙ୍ଗେ ଘର ଛାଡିବା ପାଇଁ ପ୍ରସ୍ତୁତ ହୋଇଗଲା ଅଥଚ ସେ ଘର ତିଆରି ପାଇଁ ପଇସା ଟିଏ ଖର୍ଚ୍ଚ ନକରି,ବାପା ବୋଉଙ୍କ  କିଛି ସେବା ନକରି,ତାଙ୍କ ମୃତ୍ୟୁ ପରେ କାଙ୍ଗାଳଙ୍କ ପରି,ସାତ ଦରିଆ ପାରି ହୋଇ,ଘର ବିକ୍ରୀ କରିବାକୁ ଚାଲି ଆସିଲା !ଏପରିକି ଏତେ ବର୍ଷର ପୁରୁଣା କାରର ଲୋଭ ମଧ୍ୟ  ସେ ଛାଡି ପାରିଲା ନାହିଁ |ସ୍ଵର୍ଗରେ ବାପା ବୋଉଙ୍କ ଆତ୍ମା ଥାଇ କଣ ଭାବୁଥିବେ ? ନିଜ ପ୍ରତି ତାର ଧିକ୍କାର ଆସିଲା |ସେ ବଳରାମକୁ କହିଲା,ଏ ଘର ବିକ୍ରୀ ହେବନାହିଁ |ବାପା ବୋଉଙ୍କ ସନ୍ତକ ଭାବେ ଏହା ସବୁଦିନ ତୁମ ପାଖରେ ରହିବ |ଆଜିଠାରୁ 'ଆନନ୍ଦ ଭବନ' ଓ 'ଆନନ୍ଦ ରଥ'ର ମାଲିକ ତୁମେ |ଆମେ ଯେବେ ବି ଓଡିଶା ଆସିବୁ,ତୁମ ପାଖରେ ଦୁଇ ଚାରିଦିନ ରହିକରି ଯିବୁ |ତୁମେ ଏଥିରେ ରାଜି ତ ?ବଳରାମ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡିଲା |ସେ କାନ୍ଦି କାନ୍ଦି କହିଲା,ଆପଣ ମତେ ଋଣୀ କରିଦେଲେ |ମୋ ସାର  ମଣିଷ ରୂପି ଦେବତା ଥିଲେ ,ତାଙ୍କ ପୁଅ ହୋଇ ଆପଣ ବି ତାଙ୍କ ପରି ମହାନ !!!ମମତା ମହାନ୍ତି |


                

                         

                     

Friday, November 13, 2020

ମାଇପ ବୋଲକରା

                            ସବୁବେଳେ ଘର କାମରେ ବ୍ୟସ୍ତ ଥାଇ କଲୋନୀକୁ କିଏ ଆସିଲା,ଗଲା କିମ୍ବା କାହାର କଣ ହେଲା,ସେ ବିଷୟରେ ଖବର ରଖିବା ପାଇଁ ଅଥବା ଜାଣିବା ପାଇଁ ସ୍ମିତା ପାଖରେ ଆଦୌ ସମୟ ନଥାଏ |ଶାଶୁ ଯେତେବେଳେ ତାଙ୍କ  ପାଖକୁ ବୁଲି ଆସନ୍ତି,ସେତେବେଳେ ତାଙ୍କ ଠାରୁ ହିଁ ସେ ସମସ୍ତଙ୍କ ବିଷୟରେ ଟିକିନିଖି ଖବର ପାଏ |ଏଇଥର ଆସିଥିଲେ,ମାସେ ରହି ଗଲେ |ସେ କହୁଥିଲେ,ଆରେ ସୀତୁ ଜାଣିଛୁ,ତମ ତଳ ଘରକୁ ନୂଆ ଲୋକ ଆସିଛନ୍ତି |ତାପରେ ମୁହଁ ମୋଡ଼ି  କହିଲେ,ସୁଦୁ ମାଇପ ବୋଲା ଟାଏ |ସ୍ମିତା କୌତୂହଳୀ ହୋଇ ପଚାରି ଦେଲା,କାହିଁକି କଣ ହେଲା କି ?ଶାଶୁ ବିରକ୍ତ ହୋଇ କହିଲେ,ସକାଳୁ ଉଠି ବାହାର ଓଳେଇବ,ଗଛରେ ପାଣି ଦେବ,ରବିବାର ଛୁଟି ଦିନରେ,ମାଇପ ସାଙ୍ଗରେ ମିଶି ଲୁଗା ଶୁଖେଇବ,ଲୁଗା ଶୁଖିଗଲେ,ଚଉତା ଚଉତି କରି ଘରକୁ ଆଣିବ |ଏତିକି ତ ମୁଁ ବାହାରେ ଦେଖୁଛି,ଘରେ ଆଉ କେତେ କଣ କାମ କରୁଛି ବୋଲି ରୀନା କହୁଥିଲା | ସ୍ମିତା ହସିଦେଇ କହିଲା,ଆପଣ ବୋଧେ ଶ୍ରୀକାନ୍ତ ବାବୁଙ୍କ କଥା କହୁଛନ୍ତି |ସେମାନେ ଦୁଇଜଣ ଚାକିରୀ କରୁଛନ୍ତି,ତାଙ୍କର ଦୁଇଟି ପିଲା |ସେମାନେ ପରସ୍ପରକୁ ସାହାଯ୍ୟ ନକଲେ,ପିଲା ଠିକ ସମୟରେ ସ୍କୁଲ ଯିବେ କେମିତି ?ସେମାନେ ଅଫିସ ଯିବେ କେମିତି ?? ପୁଅପିଲା କାମ,ଝିଅପିଲା କାମ ବୋଲି କିଛି ନାହିଁ ବୋଉ ,ଘର ସମସ୍ତଙ୍କର,ସମସ୍ତେ ମିଳିମିଶି ସବୁ କାମ କଲେ ଭଲ |ଶାଶୁ ରାଗିଯାଇ କହିଲେ,ଖବରଦାର ମୋ ପୁଅକୁ ଯେବେ କିଛି କାମ କରିବାକୁ କହିଛୁ !ମୁଁ ତାକୁ ଅତି ଗେହ୍ଲାରେ ବଢେଇଛି,ପାଣି ଗ୍ଲାସେ ବି ସେ ନିଜେ ଆଣି  ପିଏନା |ସେଠାରୁ ଚାଲି ଯାଉ ଯାଉ ସ୍ମିତା ମନେ ମନେ କହିଲା ,ମୁଁ କହିଦେଲେ,ସେ ମୋ କଥା ମାନି,କୋଉ ଅବା କରି ପକେଇବେ ଯେ ଏତେ କଥା !

                         ବାହାଘର ପୂର୍ବରୁ ସ୍ମିତା  ଶିକ୍ଷୟତ୍ରୀ ଚାକିରୀ କରୁଥିଲା |ପୁଅ ଘର ଡିମାଣ୍ଡ ଥିଲା,ବାହାଘର ପରେ ଚାକିରୀ ଛାଡିବାକୁ ପଡିବ,କାରଣ ଶିକ୍ଷୟତ୍ରୀ ଚାକିରୀରେ ଟ୍ରାନ୍ସଫର ବେଶି ,ଦୁଇଜଣ ଅଲଗା ରହିଲେ,ଘର କିଏ ସମ୍ଭାଳିବ |ବାଧ୍ୟହୋଇ ସ୍ମିତାକୁ ତାର ଆଛା ଖାସା ସରକାରୀ ଚାକିରୀ ଛାଡିବାକୁ ପଡିଲା  |ଏବେ ତାର ପରାଭବ ଭୋଗୁଛି !ତାର ସାଙ୍ଗମାନେ ଅଫିସକୁ ଆସି ଖୁସି ଗପ କରି ସାରାଦିନର ଅବସାଦ ନିକାଲି ଘରକୁ ଫ୍ରେଶ ହୋଇ ଫେରୁଥିବା ବେଳେ ତାର ସେତିକି ସୁବିଧା ନାହିଁ |ସେଥିରେ ପୁଣି ତା ହାତ ତିଆରି ରାନ୍ଧଣା କୁଆଡେ ଅତି ଭଲ ବୋଲି ବନ୍ଧୁମାନଙ୍କ ପ୍ରଶଂସାରେ ଉଲ୍ଲସିତ ହୋଇ ସ୍ୱାମୀ ତାର ମାସକୁ ଥରେ ଯେମିତି ହେଲେ,ଘରେ ତାଙ୍କ ପ୍ରିୟ ବନ୍ଧୁଙ୍କ ସହ ଖାଦ୍ୟ ପାନୀୟର ଆସର ଜମାନ୍ତି  |ସେଦିନ ଆସିଲେ,ସ୍ମିତା ଆତଙ୍କରେ ଦିନ ଗଣେ |ଯଦି ସେତେବେଳେ ଶାଶୁ ଥାଆନ୍ତି ,ବନ୍ଧୁମିଳନ ତା ପାଇଁ ଅଭିଶାପରେ ପରିଣତ ହୋଇଯାଏ |ଗୋଟିଏ ବୋଲି ପୁଅ ତାର, ସବୁବେଳେ ତା ରୁମ ଭିତରେ ପଶି ପାଠ ପଢ଼ାରେ ବ୍ୟସ୍ତ ଥିବାବେଳେ  ଶାଶୁ ଟି.ଭି.ଚ୍ୟାନେଲ ବଦଳେଇ ତାଙ୍କ ପ୍ରିୟ ସିରିଏଲ ଦେଖୁଥାନ୍ତି |ଏକୁଟିଆ ସବୁ କାମ ତାକୁ କରିବାକୁ ପଡେ |ସବୁ ଭାଗ୍ୟର କଥା |ନୂଆ ନୂଆ  ଘରର ସବୁ କାମ କରିବାବେଳେ ତା ମନରେ ବିଦ୍ରୋହ ଆସୁଥିଲା |ଏବେ କିନ୍ତୁ ସବୁ ଦେହସୁହା ହୋଇ ଗଲାଣି |ପିଲାଟା ପାଠ ପଢି ମଣିଷ ହୋଇ ଯାଉ ,ତାପରେ ଜୀବନ ଗଲେ ପଛେ ଯାଉ |କୋଉ ଏବେ ସେ ଏତେ ବିଶ୍ୱବିଖ୍ୟାତ ମଣିଷଟାଏ  ଯେ,  ମରିଗଲେ,ପୃଥିବୀ ଦୋହଲି ଯିବ !!

                      ପୁଅ ଶିବାଂଶୁ କିନ୍ତୁ ତାକୁ ନିରାଶ କରି ନଥିଲା |ପ୍ରଥମ ଚାନ୍ସ ରେ ସେ  ଆଇ.ଆଇ.ଟି.ପାଇଗଲା |ପୁଅର କୃତ୍ତିତ୍ତ୍ୱରେ ସ୍ମିତାର ଆନନ୍ଦର ସୀମା ନଥିଲା |ଯାହାହେଉ ତାର  ଏତେ ପରିଶ୍ରମ ବୃଥା ଯାଇନି |ତାଠାରୁ ଅଧିକ ଖୁସି ଥିଲେ,ସ୍ୱାମୀ ସମରେଶ |ସେ କହିଲେ,ଏଇ ଖୁସିରେ  ଆମଘରେ ଜୋରଦାର ପାର୍ଟି କରିବା  |ସ୍ମିତା କହିଲା,କାମ କରି କରି ମୁଁ ବହୁତ କ୍ଳାନ୍ତ ହୋଇ ପଡିଛି |ତମର ପାର୍ଟି ଦେବାକୁ ଇଛା ହେଲେ,ସାଙ୍ଗ ମାନଙ୍କୁ ନେଇ କୋଉ ବଡ଼ ହୋଟେଲକୁ ଯାଅ ,ବହୁତ ହୋଇଗଲା,ମୁଁ ଆଉ ତମ ସାଙ୍ଗ ମାନଙ୍କୁ ରାନ୍ଧି ବାଢ଼ି ଖୁଆଇ ପାରିବିନି |ସମରେଶ କହିଲେ,ଏଥରକ ତମକୁ ଆଉ ବେଶି  କଷ୍ଟ କରିବାକୁ ପଡ଼ିବନି |ସାଙ୍ଗ ମାନଙ୍କ ସହିତ ତାଙ୍କ ସ୍ତ୍ରୀ ମାନେ ବି ଆସିବେ |ତମେମାନେ ଏକାଠି ମିଳିମିଶି ରୋଷେଇ କରିଦେବ |ଘରେ ଖାଇବାରେ ଯେଉଁ ମଜା,ହୋଟେଲରେ କଣ ସେ ମଜା  ମିଳିବ ?ଖାଲି ପେଟ ଖରାପ କରି ପାଇଖାନା ଯିବା ଛଡ଼ା ଆଉ କିଛି ଲାଭ ନାହିଁ  |ବେଶି ଗହଳି କାହିଁକି କରିବା କି ?ସେଇ ପାଞ୍ଚଜଣ ତ !ଖାଲି  ଆମ ତଳଘର ସେ ମାଇପବୋଲା,କଣ ତାଙ୍କ ନାଁ ଟି ,ହଁ,ମନେ ପଡିଲା |ଶ୍ରୀକାନ୍ତ ବାବୁ |ତାଙ୍କୁ ଏଥର ନୂଆ କରି ଆଡ କରିବା |ସ୍ମିତାକୁ ବହୁତ ରାଗ ଲାଗୁଥିଲେ ବି ସେ ଖୁସିର ବାତାବରଣକୁ ବିଗାଡିବାକୁ ଚାହୁଁ ନଥିଲା |ତାର ବି ହଁ ନାହିଁ ର କିଛି ମୂଲ୍ୟ ନାହିଁ |ଥରେ  ସମରେଶ ଯାହା କହି ଦିଅନ୍ତି,ତାହା ଚୂଡାନ୍ତ ବୋଲି ଧରାଯାଏ |ଚଳିତ ମାସର ଶେଷ ରବିବାର ଦିନ ପାର୍ଟି ଦେବାପାଇଁ  ସ୍ଥିର  ହେଲା |

                           ପାର୍ଟିରେ ଷ୍ଟାର୍ଟର କଣ ହେବ,ମୁଖ୍ୟ ଆଇଟମ କଣ ରହିବ,ପାନୀୟ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ସପ୍ତାହକ ପୂର୍ବରୁ ଭୋଜିପାଇଁ ନିଜେ ସମରେଶ ସମସ୍ତ ଆୟୋଜନ ଆରମ୍ଭ କରିଦେଲେ  |ଯେହେତୁ ପାର୍ଟିରେ ମାଆ ମାନଙ୍କ ସହିତ ତାଙ୍କ ପିଲାମାନେ ଆସିବାର କଥା ଥିଲା,ତେଣୁ ଡିନର ପରିବର୍ତ୍ତେ ଲଞ୍ଚ ପାଇଁ ସମସ୍ତେ ଏକମତ ଥିଲେ |ଭୋଜି ଦିନ ବଡ଼ି ଭୋରରୁ ଉଠି ନିଜ କାମ ସାରି ସମସ୍ତଙ୍କ ପାଇଁ ସ୍ମିତା ବ୍ରେକଫାଷ୍ଟ ତିଆରି କଲା  |ସମରେଶ କହିଲେ,ସମସ୍ତେ ଆସିଲେ ରୋଷେଇ ଆରମ୍ଭ କରିବ ନହେଲେ,ଖାଇବା ବେଳକୁ ସବୁ ଥଣ୍ଡା ହୋଇଯିବ  |ସେ ଯିବାପରେ  ପୁଅ ଆସି କହିଲା,କଣ ଗୋଟେ ମୁଁ କରି ପକେଇଲି ଯେ,ଗଡ଼ ଜିତିଲା ପରି ଏତେ ବଡ଼ ଭୋଜି  କରୁଛ ?ଏବେଠାରୁ କହି ଦେଉଛି,ମତେ ସେମାନଙ୍କ ଆଗରେ କାର୍ଟୁନ କରିବନି ,ନହେଲେ ମୁଁ କିଛି ଖାଇବିନି |ସ୍ମିତା କହିଲା,ଭଲ କଥା କହୁଛୁ ତ ,ତୁ ମତେ ଏପଟେ କେଂଚେ,ତୋ ବାପା ସେପଟେ ମତେ କେଂଚନ୍ତୁ ,ଦୁଇଟା କେଂଚାରେ ମୁଁ ମରିଗଲେ ତମେ ମାନେ ଶାନ୍ତି ପାଇବ |ପୁଅ କହିଲା,ହଉ ହଉ,ତମେ ଆଉ ଏତେ ନାଟକ କରନା |ଆଣ୍ଟିମାନେ ଆସିଲେ ରୋଷେଇ କରିବ ଭାବି ଚୁପ ହୋଇ ବସିଗଲେ,ତମେ ହଇରାଣ ହୋଇଯିବ |ଅତି କମରେ  ଷ୍ଟାର୍ଟର କାମ ସାରିଦିଅ,ନହେଲେ ସମସ୍ତେ ଆସି ପ୍ରଥମେ ତାକୁ ଖୋଜିବେ |ସ୍ମିତା ଭାବିଲା,ସତ କଥା ତ,ଭୋଜି ଆମେ ଦେଉଛୁ ,ଅତିଥି ମାନଙ୍କୁ ଆପ୍ୟାୟିତ କରିବା ଆମର ଦାୟିତ୍ତ୍ୱ |ସେମାନେ ଭଦ୍ରାମି ଦୃଷ୍ଟିରୁ ସାହାଯ୍ୟ କରିବା କଥା କହିଲେ |ତାଙ୍କ କଥାରେ ଭରସା କରି ରହିଗଲେ,ସେ ନିଜେ ହିଁ ହଇରାଣ ହେବ |ସେ ସଙ୍ଗେ ସଙ୍ଗେ ତା କାମ ଆରମ୍ଭ କରିଦେଲା |

                            ଶ୍ରୀକାନ୍ତ ତା ସ୍ତ୍ରୀ ନୀଳିମା ସହିତ ଆସୁ ଆସୁ ଟିକିଏ ଡେରି ହୋଇଗଲା |ଶିବାଂଶୁ ଡ୍ରଇଂରୁମରେ ପେପର ପଢୁଥିଲା |ସେ ସେମାନଙ୍କୁ ନମସ୍କାର କରି ତାଙ୍କୁ ଭିତରେ ସମସ୍ତେ ଅପେକ୍ଷା କରିଛନ୍ତି ବୋଲି କହିଲା |ସେମାନେ ଭିତରେ ପହଞ୍ଚି ଦେଖିଲେ,ଗୋଟିଏ ରୁମରେ  ପୁରୁଷମାନେ ଖିଆପିଆ ସହ ହସଖୁସିରେ ମସ୍ତ ଅଛନ୍ତି |ଆଉ ଗୋଟିଏ ରୁମରେ ମହିଳାମାନେ ସେମାନଙ୍କ ପିଲାମାନଙ୍କୁ ସମ୍ଭାଳିବା ସହ ପରସ୍ପର ସହ ବାର୍ତ୍ତାଳାପ କରୁଛନ୍ତି  |ରୋଷେଇଘରେ ସ୍ମିତା ଏକୁଟିଆ ରନ୍ଧନ କାର୍ଯ୍ୟରେ ବ୍ୟସ୍ତ ଥିଲା |ଉଭୟ  ପତିପତ୍ନୀ ତାଙ୍କୁ ନମସ୍କାର କଲେ |ସ୍ମିତା ସେମାନଙ୍କୁ ଦେଖୁ ଦେଖୁ କହିଲା,ଆପଣମାନେ ଆସିଲେ,ପିଲାମାନେ କାହାନ୍ତି  ?ଶ୍ରୀକାନ୍ତ କହିଲା,ଗାଆଁରୁ ବାପା ବୋଉ ଆସିଛନ୍ତି,ତେଣୁ ସେମାନେ ଆସିବାକୁ ଜମା ରାଜି ହେଲେ ନାହିଁ |ସେ ପୁଣି କହିଲା,ମହିଳା ମାନେ ରୋଷେଇ କରିବେ ବୋଲି ଆମର କଥା ଥିଲା |ହେଲେ ଆପଣ ଏକୁଟିଆ ରୋଷେଇ କରୁଛନ୍ତି ଯେ ?ସ୍ମିତା ମୃଦୁ ହସି କହିଲା,ପିଲାମାନେ ତାଙ୍କ ବାପା ମାନଙ୍କ ପାଖକୁ ଯାଇ ସେମାନଙ୍କୁ ଡିଷ୍ଟର୍ବ କରୁଛନ୍ତି |ତେଣୁ ବାଧ୍ୟ ହୋଇ ସେମାନେ ପିଲାମାନଙ୍କୁ ଜଗିବାକୁ ଗଲେ |ଶ୍ରୀକାନ୍ତ କହିଲା,ହଉ ଭାଉଜ,ମତେ ଖାଲି କହି ଦିଅନ୍ତୁ କଣ ଆଇଟମ ସରିଛି,ଆଉ କଣ ବାକି ଅଛି |ସ୍ମିତା କହିଲା,ଆପଣ ଆପଣମାନଙ୍କ ଗୃପ କୁ ଯାଇ ଗପ କରୁଥାନ୍ତୁ ମୋର ଆଉ ଅଳ୍ପ ଅଛି,ମୁଁ ଶୀଘ୍ର ଶୀଘ୍ର ସାରିଦେବି |ଶ୍ରୀକାନ୍ତ କହିଲା,ସେମିତି କେମିତି ହେବ,ମୁଁ ଆସିଛି ମାନେ,ଆଉ ଯିବାର ପ୍ରଶ୍ନ ଉଠୁନାହିଁ |ଯିବେ ଯଦି,ଆପଣ ଯିବେ |ମତେ ଖାଲି ଅଦା,ଚା,ଚିନି ଆଉ ଲେମ୍ବୁ  କେଉଁଠି ଅଛି କହି ଦିଅନ୍ତୁ,ଚା' ପିଇବା  |ସ୍ମିତା ସବୁ ଯୋଗାଇ ଦେବା ପରେ ଶ୍ରୀକାନ୍ତ  ଚା' ତିଆରି କଲା |ସ୍ମିତା  ସମସ୍ତଙ୍କୁ ଚା' ଦେଇ ଆସିବା ପରେ, ରୋଷେଇ ଘରେ ସେମାନେ ତିନିଜଣ ଚା' ପିଇଲେ |ସ୍ମିତା ଗପସପ କରି ଚା'ପିଇସାରି ଦେଖିଲା,ରୋଷେଇ ଆଉ ତା ଆୟତ୍ତରେ ନାହିଁ |ଶ୍ରୀକାନ୍ତ କହିଲା,ଭାଉଜ ଆପଣ  ଏତେ ସମୟ ରୋଷେଇ ଘରେ ରହି ଝାଳ ନାଳ  ହୋଇ ଗଲେଣି |ଏବେ ଟିକେ ରେଷ୍ଟ ନିଅନ୍ତୁ |ଆପଣଙ୍କ ସାଙ୍ଗମାନେ ବି  ବୋର ହେଉଥିବେ,ତାଙ୍କ ସାଙ୍ଗରେ ଟିକିଏ ଗପୁ ଥାଆନ୍ତୁ |ବାକି କାମ ଆମେ କରିଦେବୁ |ସ୍ମିତା ରାଜି ହେଉ ନଥିଲା |କିନ୍ତୁ ଶ୍ରୀକାନ୍ତ ଓ ନୀଳିମାଙ୍କ ବାଧ୍ୟ ବାଧ୍ୟକତାରେ ସେ ହାର ମାନିଗଲା,  ଆଉ ନାହିଁ କରି ପାରିଲାନି |

                              ସବୁଥର  ପରି ସମରେଶ ରୋଷେଇ କାମ କେତେଦୂର ଆଗେଇଲା,ତଦାରଖ କରିବାକୁ ଆସିଲେ |କିନ୍ତୁ ରୋଷେଇଘରେ ସ୍ମିତା ପରିବର୍ତ୍ତେ ଶ୍ରୀକାନ୍ତ ଓ ନୀଳିମାଙ୍କୁ ରୋଷେଇ କରୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ  | କହିଲେ ,ଆପଣ ଦୁଇଜଣ ଏଇଠି ?ସ୍ମିତା କୁଆଡେ ଗଲା ?ଶ୍ରୀକାନ୍ତ ହସିଦେଇ କହିଲା,ଆପଣ ସବୁଦିନ ଭାଉଜଙ୍କ ରାନ୍ଧଣା ଖାଉଛନ୍ତି,ଆଜି ଗୋଟିଏ ଦିନ ଆମ ହାତରନ୍ଧା ଖାଇବେ ନାହିଁ ?ସମରେଶ ଲଜ୍ଜିତ ହୋଇ କହିଲେ,କିନ୍ତୁ ଆଜି ଆପଣମାନେ ଆମର ଗେଷ୍ଟ ଯେ ?ସ୍ମିତାର ମୁଣ୍ଡରେ ବୁଦ୍ଧି ନାହିଁ,ଆପଣ ଭଦ୍ରାମି ଦୃଷ୍ଟିରୁ କହିଦେଲେ,ଆଉ ସେ ମାନିଗଲା ?ତା ତରଫରୁ ମୁଁ ଆପଣ ମାନଙ୍କୁ କ୍ଷମା ମାଗୁଛି |ପ୍ଲିଜ,କିଛି ଖରାପ ଭାବିବେନି |ଶ୍ରୀକାନ୍ତ କହିଲା,ଆପଣ ଏମିତି ଭାବୁଛନ୍ତି,ଆମେ କିନ୍ତୁ ସେମିତି ଭାବୁନୁ |ଯଦି ଆପଣ ଆମକୁ ନିଜର ମନେକରି ଖାଇବାକୁ ଡାକିଛନ୍ତି,ତାହେଲେ,ସେମିତି ନିଜର ମନେକରି ସବୁ ଫର୍ମାଲିଟିକୁ ଛାଡି ଦିଅନ୍ତୁ |ଯେଉଁଠି ଆନ୍ତରିକତା ଥାଏ ସେଇଠି ସ୍ନେହ ପ୍ରେମ ବସା ବାନ୍ଧିଥାଏ |ମୁଁ ଘର କାମରେ ନିଳୀମାକୁ ସାହାଯ୍ୟ କରେ ବୋଲି କେତେ ଲୋକ ଭଲ ମନେ କରନ୍ତି ନାହିଁ  |ମୁଁ କିନ୍ତୁ ସେକଥା ଭାବେନା  |ସତକଥା କହିଲେ,କେହି ମରି ପଡି କାମ କରୁଥିବାର ଦେଖିଲେ,ମୁଁ ଜମା ସହି ପାରେନା ଓ ସ୍ୱତଃପ୍ରବୃତ ଭାବରେ ସାହାଯ୍ୟ କରିବାକୁ  ଆଗେଇ ଯାଏ  | ଆଜି ଭାଉଜଙ୍କୁ ଏକୁଟିଆ ଏତେ ଲୋକଙ୍କ ପାଇଁ କଲବଲ ହୋଇ ରାନ୍ଧୁଥିବାର ଦେଖି ମୁଁ ଆଦୌ ସହି ପାରି ନଥିଲି |ଏମିତି ବି ଭାଉଜ ସବୁ ରାନ୍ଧି ସାରିଥିଲେ,ଆମେ ଖାଲି ଫାଇନାଲ ଟଚ ଦେଇଛୁ |ଏବେ ରୋଷେଇ ସରି ଗଲାଣି , ପିଲାମାନଙ୍କୁ ଭୋକ ହେଉଥିବ,ଚାଲନ୍ତୁ ଖାଇବା  |ଶ୍ରୀକାନ୍ତର କଥା ଶୁଣି ସମରେଶ ବାକ ଶୂନ୍ୟ ହୋଇ ଯାଇଥିଲେ,ଉତ୍ତର ଦେବା ପାଇଁ ତାଙ୍କ ପାଖରେ ଭାଷା ନଥିଲା  |

                                  ସେଦିନର  ଭୋଜି ଅତି ଚମତ୍କାର ହୋଇଥିଲା |ସବୁଥର ପରି ସେଦିନ ସ୍ମିତା ମୁହଁରେ ବିରକ୍ତିଭାବ ନଥିଲା |ସେ ଖୁସି ମନରେ ସମସ୍ତଙ୍କୁ ଖାଦ୍ୟ ପରଷି  ବଳେଇ ବଳେଇ ଖୁଆଉ ଥିଲା |ସମରେଶ ଭାବୁଥିଲେ,ଯେଉଁ ଲୋକଟାକୁ ଦିନେ ମାଇପ ବୋଲକରା କହି ତାତ୍ସଲ୍ୟ କରୁଥିଲେ,ସେ ଆଜି ତାଙ୍କୁ ମଣିଷପଣିଆ କଣ ଶିଖେଇ ଦେଲା |..........ଆଜିକାଲି ସମରେଶ ଘରକାମରେ ସ୍ମିତାକୁ ବହୁତ ସାହାଯ୍ୟ କରନ୍ତି | କେହି କାରଣ ପଚାରିଲେ ସେ କହନ୍ତି,ଏକାଠି ମିଳିମିଶି କାମ କରିବାରେ  ଏତେ ମଜା ଥାଏ,ମୁଁ ଜାଣି ନଥିଲି ;ରୋଷେଇ କରିବାରେ ଯେତିକି ଆନନ୍ଦ,ଖାଇବାବେଳେ ତା ଠାରୁ ଅଧିକ ଆନନ୍ଦ ହିଁ ଆନନ୍ଦ !!!!  | ମମତା ମହାନ୍ତି |

                             

Monday, November 2, 2020

ଅଧିକାର

                                   ଶୃତି ଓ ଇତିଙ୍କ ପାଇଁ  ତାଙ୍କ  ପିତାମାତା ନୀଳକଣ୍ଠ ଓ ସୁଲତା  ଈଶ୍ୱର ସଦୃଶ ଥିଲେ |ଶୃତି ସବୁବେଳେ କହୁଥିଲା,ଆମେ କେବଳ ଭଗବାନଙ୍କ ଫଟ ଓ ମୂର୍ତ୍ତି ଦେଖୁଛୁ |କିନ୍ତୁ ପ୍ରକୃତ ଈଶ୍ୱର ଆମ ବାପା ମାଆ ସ୍ଵଦେହରେ ଆମ ପାଖରେ ରହି,ଆମକୁ ତାଙ୍କ ନିଃସ୍ୱାର୍ଥପର ଭଲପାଇବାରେ ବୁଡେଇ ରଖିଛନ୍ତି |ତାଙ୍କ ବଦଳରେ ଆଉ କାହାକୁ ଈଶ୍ୱର ବୋଲି ମାନିବାକୁ ଆମ ମନ ଚାହୁଁନି |ସୁଲତା ଶିକ୍ଷୟତ୍ରୀ ଥିବାବେଳେ ନୀଳକଣ୍ଠ କେନ୍ଦ୍ର ସରକାରଙ୍କ ଅଧୀନରେ ଉଚ୍ଚପଦସ୍ଥ କର୍ମଚାରୀ ଥିଲେ  |ନୀଳକଣ୍ଠ ଜଣେ ଉଦାରମନା,ପରୋପକାରୀ ଓ ଖୁସି ମିଜାଜର ବ୍ୟକ୍ତି ଥିଲେ |ଦୁହେଁ ଚାକିରୀ କରୁଥିବାରୁ ଦୁଇ ଝିଅଙ୍କୁ ସେମାନେ ଆତ୍ମନିର୍ଭରଶୀଳ ଓ ସ୍ୱାଧୀନଚେତା  ଭାବରେ ଗଢି ତୋଳିଥିଲେ |ଉଭୟ ଶୃତି ଓ ଇତି ବାପା ମାଆଙ୍କ କଥାକୁ କେବେ ତଳେ ପକାଇ ଦେଉ ନଥିଲେ କି ତାଙ୍କ ମନରେ ଦୁଃଖ ଦେଉ ନଥିଲେ |ନୀଳକଣ୍ଠଙ୍କୁ ଲମ୍ବା କେଶ ପସନ୍ଦ ଥିବାରୁ ଶୃତି ତାର ସୁନ୍ଦର କେଶକୁ ଅଣ୍ଟା ପର୍ଯ୍ୟନ୍ତ ରଖିଥିଲା |ଇତି ତା ମାଆଙ୍କ ପସନ୍ଦ ଅନୁଯାୟୀ କାନ୍ଧ ପର୍ଯ୍ୟନ୍ତ ଚୁଟି ରଖିଥିଲା |ଦୁହେଁ ଭଲ ପଢୁଥିଲେ |ଶୃତି ଇଞ୍ଜିନିଅରିଂ ପରେ ଆଇ.ଟି କମ୍ପାନୀରେ ଯୋଗ ଦେଲା ;ଇତି ବାଛିନେଲା ବ୍ୟାଙ୍କିଙ୍ଗ ଲାଇନ  |ବାପା ମାଆ ଯେଉଁଠି ଥିଲେ,ପିଲାମାନେ ସେହି ସହରରେ ଚାକିରୀ କଲେ,ବିବାହ ପରେ ସେହିଠାରେ ରହିଲେ |ଅନେକ ଦିନ ଗୋଟିଏ ସ୍ଥାନରେ ରହିବା  ହେତୁ ନୀଳକଣ୍ଠ ଓ ସୁଲତାଙ୍କର  ସେହି ସ୍ଥାନ ପ୍ରତି ଅହେତୁକ ମାୟା ଆସି ଯାଇଥିଲା |ତେଣୁ ସେଠାରେ ଘର କିଣି ସେମାନେ ସେହି ସ୍ଥାନର ସ୍ଥାୟୀ ବାସିନ୍ଦା ହୋଇଗଲେ |

                                କାହାରି ପ୍ରତି ଘୃଣା ଭାବ ରଖି ନଥିବା ,ସମସ୍ତଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ଥିବା ସେମାନଙ୍କ ପରିବାରରେ ଦିନେ ଗ୍ରହଣ ଲାଗିଗଲା |ସଦା ନିରୋଗୀ ନୀଳକଣ୍ଠ ଥରେ ଅଜଣା ବ୍ୟାଧିର ଶୀକାର ହେଲେ |ଖବର ପାଇ ଝିଅ ଦୁଇଜଣ ଆସି ବାପାଙ୍କର ସବୁ ପ୍ରକାର ଡାକ୍ତରୀ ପରୀକ୍ଷା କରାଇଲେ |ପରୀକ୍ଷାରୁ ଜଣା ପଡିଲା,ନୀଳକଣ୍ଠଙ୍କ  ଫୁସଫୁସରେ କ୍ୟାନ୍ସର ହୋଇଛି ଓ ତାହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି  ସାରିଛି |ଡାକ୍ତର କହିଲେ,ଧୂମପାନ ନ କରୁଥିଲେ ବି,ବାୟୁ ପ୍ରଦ୍ୟୁଷଣ,ରେଡ଼ିଅମ ,ଆଜବେଷ୍ଟସ ତଥା କିଛି ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ଯୋଗୁଁ, ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା ଥାଏ |ଯାହା ବି ହେଉ,ବାପାଙ୍କୁ କ୍ୟାନ୍ସର ହୋଇଛି ଓ ତାଙ୍କୁ ଯେମିତି ହେଲେ ସୁସ୍ଥ କରିବାକୁ ପଡିବ ମନସ୍ଥ କରି ଦୁଇ ଝିଅ ପ୍ରାଣପଣେ ଲାଗି ପଡିଲେ |ସେତେବେଳେ ଶୃତିର ଦୁଇ ବର୍ଷର ଛୋଟ ପୁଅଟିଏ ଓ ଇତି ସନ୍ତାନ ସମ୍ଭବା ଥିଲା |ବନ୍ଧୁବାନ୍ଧବ,ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ଏକଥା  ଜଣେଇ, ବିପଦ ସମୟରେ ସେମାନଙ୍କ ପାଖରେ ଛିଡା ହେବ ପାଇଁ,ଦୁହେଁ ଆକୁଳ ନିବେଦନ କଲେ |କିନ୍ତୁ ଆଜିର ଏହି କାର୍ଯ୍ୟବ୍ୟସ୍ତ ଦୁନିଆରେ ନିଜ ପାଇଁ ଯାହାର  ସମୟ ନାହିଁ,ସିଏ ବା କେମିତି  ଅନ୍ୟକୁ ତାର ମୂଲ୍ୟବାନ ସମୟ ଦେଇ ପାରିବ !!ମାଆ,ଝିଅ,ଜ୍ୱାଇଁ   ଏକାଠି ହୋଇ ନୀଳକଣ୍ଠଙ୍କ ଚିକିତ୍ସାରେ ଲାଗି ପଡିଲେ |କିନ୍ତୁ ସମସ୍ତଙ୍କୁ ଶୋକସାଗରରେ ଭସାଇ,ବର୍ଷକ ଭିତରେ ବାପା ଅଫେରା ରାଇଜକୁ ଚାଲିଗଲେ  |ସେଦିନ ମାଆ ,ଝିଅ ପରସ୍ପରକୁ ଆଲିଙ୍ଗନ କରି ବହୁତ କାନ୍ଦିଥିଲେ,ଯାହାର ଶେଷ ନଥିଲା |

                                 ମୃତ୍ୟୁ ଖବର ପାଇବା ପରେ ଅସଂଖ୍ୟ ଲୋକଙ୍କ ସମବେଦନାର ସୁଅ ଛୁଟିଲା |ଯେହେତୁ ସେମାନଙ୍କର ପୁଅ ନଥିଲା,ଜ୍ଞାତି କୁଟୁମ୍ବ ଓ ତାଙ୍କ ପ୍ରତିନିଧି ସେଠାକୁ ଆସି ନିୟମ ମୁତାବକ ପୁତୁରା,ଭଣଜା ,ଦିଅର ଇତ୍ୟାଦି ଜଣେ ପୁରୁଷ ସଦସ୍ୟଙ୍କ ଦ୍ୱାରା ମୁଖାଗ୍ନି ତଥା ଶୁଦ୍ଧିକ୍ରିୟା କରିବାକୁ ପରାମର୍ଶ ଦେଲେ |ସେତେବେଳେ ସାନଝିଅ ଇତି କହିଲା,ଆମେ ଯେତେବେଳେ ବିପଦରେ ପଡିଥିଲୁ,ସେତେବେଳେ ଆପଣମାନେ ଆମପାଖରେ ନଥିଲେ |ଆଜି ଯେତେବେଳେ ଆମର ସବୁକିଛି ଶେଷ ହୋଇଯାଇଛି,ସେତେବେଳେ ଆପଣମାନେ କାହିଁକି  ପରାମର୍ଶର ପାହାଡ଼ ଗଦେଇ  ପକାଉଛନ୍ତି ?ତାକୁ ଚୁପ ହେବାକୁ କହି ଶୃତି କହିଲା,ସେ ଆମର ବାପା ଥିଲେ |ଜ୍ୟେଷ୍ଠ ସନ୍ତାନ ହିସାବରେ ଅନ୍ତ୍ୟେଷ୍ଟିକ୍ରିୟା  ଅଧିକାର ସର୍ବ ପ୍ରଥମେ ମୋର ରହିଛି |ମୁଁ ମୋ ଅଧିକାର ଆଉ କାହାକୁ ଦେଇ ପାରିବି ନାହିଁ |ସମସ୍ତେ ଛିଃ ଛାକର କରି,କି ଯୁଗ ହେଲାରେ କହି ସେଠାରୁ ଚାଲିଗଲେ |

                                  ଶୃତି ଯାହା କହିଥିଲା,ତାହାହିଁ କଲା |ନିଜ ପ୍ରିୟ ପିତାଙ୍କୁ ମୁଖାଗ୍ନି ଦେବା ସହିତ ଚଉଦ ଦିନ ପର୍ଯ୍ୟନ୍ତ ଉପବାସ ରହି,ବିଧି ଅନୁଯାୟୀ ସବୁ କ୍ରିୟା କର୍ମ କଲା |ଦଶାହ କର୍ମ ବେଳକୁ ଯେତେବେଳେ ସେ ତା ବାପାଙ୍କର ଅତି ପ୍ରିୟ କେଶ ଗୁଚ୍ଛ କାଟି ସେ ଲଣ୍ଡିତ ମସ୍ତକ ହେଲା,ସେତେବେଳେ ଆଖିରୁ ତାର ଧାରା ଶ୍ରାବଣ ଝରି ଯାଉଥିଲା |ଚଉଦ ଦିନ ପରେ ପିତାଙ୍କର ଚିତାଭସ୍ମକୁ  ପବିତ୍ର ଗଙ୍ଗା ନଦୀରେ ରେ ବିସର୍ଜନ କରି ସମସ୍ତେ ଆତ୍ମସନ୍ତୋଷ ଲାଭ କଲେ |ଦୁଇ ଭଉଣୀଙ୍କ ଏହି ସମୟୋପଯୋଗୀ ସାହସିକ ପଦକ୍ଷେପକୁ  ସେମାନଙ୍କ  ସ୍ୱାମୀଙ୍କ ପୂର୍ଣ୍ଣ ସମର୍ଥନ ରହିଥିଲା |ଶୃତିର ପରିବାରଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରି ମୁଖ୍ୟ ପୁରୋହିତ କିପରି ଏହାକୁ ସ୍ୱୀକୃତି ଦେଲେ ବୋଲି କେତେକ ପଚାରିବାରୁ ସେ କହିଲେ,ଆମର ସନାତନ ଧର୍ମ ସ୍ତ୍ରୀ ପୁରୁଷ ମଧ୍ୟରେ କୌଣସି ଭେଦଭାବ ରଖିନାହିଁ |ପୂର୍ବ କାଳରେ ଆମ ସମାଜ ସ୍ତ୍ରୀ କୈନ୍ଦ୍ରିକ ଥିଲା;ସେତେବେଳେ ସ୍ତ୍ରୀ ମାନେ  ବିଦ୍ୟାଧ୍ୟୟନ ସହିତ ଯଜ୍ଞ ଆଦି ସମସ୍ତ କାର୍ଯ୍ୟ କରି ପାରୁଥିଲେ  |ସମୟକ୍ରମେ ଅନ୍ୟ ଧର୍ମ ପ୍ରଭାବରେ ଆସି ଆମ ସମାଜ ପୁରୁଷ କୈନ୍ଦ୍ରିକ ହୋଇଗଲା ଓ ସ୍ତ୍ରୀ ସମସ୍ତ କାର୍ଯ୍ୟ କରି ପାରୁଥିବା ଏକ ଦାସୀର ସ୍ଥାନ ନେଇ, ଉପଭୋଗ୍ୟର ବସ୍ତୁ ପାଲଟି ଗଲା |ଆମ ଶାସ୍ତ୍ରରେ ଯେଉଁମାନଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା କରିବାର ଅଧିକାର ଦିଆଯାଇଛି, ସେହି ତାଲିକାରେ ସ୍ତ୍ରୀ ଓ ଝିଅଙ୍କ ନାମ ଅନ୍ତର୍ଭୁକ୍ତ ଅଛି |ଲୋକଙ୍କ  ଅଜ୍ଞାନତା କାରଣରୁ ସେମାନେ ଏ ବିଷୟରେ ଜାଣି ପାରୁନାହାନ୍ତି | ଶ୍ରାଦ୍ଧ ଶ୍ରଦ୍ଧାରୁ ଉତ୍ପନ୍ନ ହୋଇଛି ;ଆଉ ଶ୍ରଦ୍ଧାର ତେଜ ଏତେ ଅଧିକ ଯେ ସେ  ଏକକାଳୀନ ଶତ ସୂର୍ଯ୍ୟର ତେଜକୁ ଭେଦ କରିବାର  କ୍ଷମତା ରଖିଛି   |ମମତା ମହାନ୍ତି |





Thursday, October 22, 2020

ବୋହୂ ଶିଖେଇଲା ପୁଅକୁ !!!

                            ପତ୍ନୀ ସୁଶୀଳା,ଦୁଇ ପୁଅ ଓ ଏକମାତ୍ର ଝିଅକୁ ନେଇ ଶିବ ବାବୁଙ୍କ ଏକ ସୁଖୀ ସଂସାର ଥିଲା |ଶିବ ବାବୁ ସରକାରୀ ଚାକିରୀରୁ ଅବସର ନେଇ ଗାଆଁରେ ରହୁଥିଲେ | ବଡ଼ପୁଅ ସାଗର ଭୁବନେଶ୍ୱରରେ ଏକ ଆଇ.ଟି କମ୍ପାନୀରେ ଚାକିରୀ କରୁଥିଲା  |ସାନପୁଅ ଶଶାଙ୍କ ବି.ଏ.ଫେଲ ହୋଇ ଘର କାମ ସହିତ ଚାଷ ବାସ କାମ ବୁଝୁଥିଲା | ସବା ସାନଝିଅ ମିନାକ୍ଷୀ ବର୍ଷେ ତଳେ  ବି.ଏ. ପାଶ କରିଥିଲା  |ଶିବ ବାବୁଙ୍କ ଇଛା ଥିଲା, ମିନାକ୍ଷୀର ବାହାଘର ପ୍ରଥମେ ସାରିଦେଲେ, ସାଗର ବାହାଘର କଥା ଚିନ୍ତା କରିବେ   |ଭଲ ବରପାତ୍ର ଖୋଜିବା ପାଇଁ ସେ ତାଙ୍କର ଚିହ୍ନା ଜଣା,ସମସ୍ତଙ୍କୁ କହିଥିଲେ ଓ ସେ ନିଜେ ମଧ୍ୟ ସେଥିପାଇଁ ବହୁତ ଚେଷ୍ଟା କରୁଥିଲେ |କିନ୍ତୁ ତାଙ୍କର ସବୁ ଯୋଜନା ଫସରଫାଟି ଗଲା ସେତେବେଳେ,ଯେତେବେଳେ ସାଗର ତାଙ୍କ ଅଫିସରେ ଚାକିରୀ କରୁଥିବା ଶାନ୍ତା କୁ ବାହାହେବା ପାଇଁ ଜିଦ୍ଦି କଲା  |ଭଉଣୀ ବାହାଘର ପରେ ତୋ ବାହାଘର ହେବ ବୋଲି ତାକୁ ଯେତେ ବୁଝାଇଲେ ବି ସେ ଆଦୌ ବୁଝୁ ନଥିଲା |ଏମିତିରେ ବର୍ଷେ ବିତିଗଲା |ମିନାକ୍ଷୀ ପାଇଁ ବି ସେମିତି କିଛି ଆଖିଦୃଶିଆ ପ୍ରସ୍ତାବ ଆସୁ ନଥିଲା |ତେଣୁ ବାଧ୍ୟ ହୋଇ ଶିବ ବାବୁ ଓ ସୁଶୀଳା ପୁଅ କଥାରେ ରାଜି ହେଲେ ଓ ଏକ ଶୁଭ ତିଥିରେ ଶାନ୍ତା ତାଙ୍କ ଘରକୁ ବୋହୂ ହୋଇ ଆସିଲା |

                       ନିଜ ମନ ପସନ୍ଦର ସାଥୀକୁ ବାହା ହୋଇ ସାଗର ବହୁତ ଖୁସି ଥିଲା ଓ ଭବିଷ୍ୟତ ସୁଖ ସ୍ୱପ୍ନରେ ମସଗୁଲ ହୋଇ ମନେ ମନେ କେତେ କଣ ଯୋଜନା କରି ଚାଲିଥିଲା |ହନିମୁନ ଟ୍ରିପରେ କେରଳ ଯିବା, ସେଥି ମଧ୍ୟରୁ ପ୍ରଥମ ଥିଲା |ସେଥିପାଇଁ ବୁକିଂ ଇତ୍ୟାଦି ସବୁ ଆୟୋଜନ ମଧ୍ୟ ସରିଥିଲା |ଗାଆଁରେ ପନ୍ଦରଦିନ ରହିବା  ପରେ କେରଳ ବୁଲିଯିବା ତାଙ୍କ ପ୍ଳାନରେ ଥିଲା |କିନ୍ତୁ ବିବାହର ପଞ୍ଚମ ଦିନ ଶାନ୍ତା ସାଗରକୁ ବୁକିଂ କ୍ୟାନସଲ କରିବା ପାଇଁ କହିଲା |ସାଗର ତାକୁ ଅନେକ ବୁଝାଇ କହିଲା,ଇଏ ଗାଉଁଲି କଥା,କିଏ କଣ କହିଲେ ଧରିବନି ;ପ୍ଲିଜ,ଏତେ ଦିନର ସ୍ୱପ୍ନକୁ ମାରା କରି ଦିଅ ନାହିଁ |ଶାନ୍ତା ହସିଦେଇ କହିଲା,ନାଁ,ସେମିତି କିଛି ବି ହୋଇନି |ଏଇଠି ସମସ୍ତେ ଭଲ ମଣିଷ,ମତେ ବି ଗାଁ ବହୁତ ଭଲ ଲାଗୁଛି |କିନ୍ତୁ ମୁଁ ଏବେ ଯିବାକୁ ଚାହୁଁନି  |ସାଗର ଜାଣିଥିଲା,ଶାନ୍ତା ବହୁତ ଜିଦ୍ଦିଖୋର,ଯାହା ବୁଝିଥିବ ସେଇଆ |ବାଧ୍ୟହୋଇ ତାକୁ ବୁକିଂ କ୍ୟାନସଲ କରିବାକୁ ପଡିଲା |କେବଳ ସେତିକି ନୁହେଁ,ଭୁବନେଶ୍ୱର ଯିବାବେଳେ ମିନାକ୍ଷୀକୁ ସାଙ୍ଗରେ ନେଇ ଯିବା ପାଇଁ ଶାନ୍ତା ଶାଶୁଙ୍କୁ ଅନୁରୋଧ କଲା | ସୁଶୀଳା କିଛି କହିବା ପୂର୍ବରୁ ସାଗର କହିଲା,ମିନୁ କୁ ନେଇଗଲେ ବୋଉ ହଇରାଣ ହେବ,ସେମିତି ଅବାନ୍ତର ରିକ୍ୟୁଏଷ୍ଟ କରନା |ଶାନ୍ତା କହିଲା,କାଲି ଯେତେବେଳେ ମିନୁ ବାହା ହୋଇଯିବେ ସେତେବେଳେ କଣ ହେବ ?ତାଙ୍କର ବି ଲାଇଫ ଅଛି,ତାଙ୍କୁ ଟିକିଏ ଖୋଲା ପବନ ଦରକାର |ମିନାକ୍ଷୀ ଆସି ସୁଶୀଳାଙ୍କୁ କହିଲା,ହଁ ବୋଉ ମୁଁ ଯିବି,ତୁ ମନା କରନା |ସେଇଠି କିଛିଦିନ ରହି ମୁଁ ଚାଲି ଆସିବି |

                          କିନ୍ତୁ ପୁରା ଯୋଜନା ଅନୁଯାୟୀ ଶାନ୍ତା ମିନାକ୍ଷୀକୁ ତା ସହିତ ନେଇଥିଲା |ସେ ସେଠାରେ ଏକ  କମ୍ପ୍ୟୁଟର ଇନ୍ଷ୍ଟିଚ୍ୟୁଟରେ ମିନାକ୍ଷୀ ର ନାମ ଲେଖାଇ ଦେଲା |ସେମାନେ ତିନିଜଣ ଏକ ସାଙ୍ଗରେ ସକାଳୁ ଘରୁ ବାହାରି ଯାଉଥିଲେ |ମିନାକ୍ଷୀ ଘରକୁ ଶୀଘ୍ର ଫେରି ଭାଇ ଭାଉଜଙ୍କ ପାଇଁ ଜଳଖିଆ ତିଆରି କରି ରଖୁଥିଲା |ବେଳେ ବେଳେ ଫେରିବାରେ ସେମାନଙ୍କର ଡେରି ହେଲେ ରୁଟି ତରକାରୀ କରି ଦେଉଥିଲା |ଛୁଟି ଦିନରେ ସେମାନେ ବାହାରେ ବୁଲୁଥିଲେ ଓ ରାତ୍ରି ଭୋଜନ ଖାଇ ଘରକୁ ଫେରୁଥିଲେ |ମିନାକ୍ଷୀ କୁ ଏସବୁ ବହୁତ ଭଲ ଲାଗୁଥିଲା |ସେ ତ ସହଜେ ସୁନ୍ଦରୀ ଥିଲା;ସବୁବେଳେ ମନ ଖୁସିରେ ରହିବା ଯୋଗୁଁ ତା  ଚେହେରାରେ ଆହୁରି ଅଧିକ ଉଜ୍ଜ୍ୱଳତା ଫୁଟି ଉଠିଲା |ଶାନ୍ତା ର ଅଫିସ ବାନ୍ଧବୀ ଶୁଭଶ୍ରୀ ତାର ଅତି ନିକଟତର ଥିଲା |ସେ ମିନାକ୍ଷୀ ର ରୂପ ଗୁଣରେ ମୁଗ୍ଧ ହୋଇ ଦିନେ ତାର ସାନଭାଇ ପାଇଁ ପ୍ରସ୍ତାବ ଦେଲା |ଭାଇ ତାର  ବ୍ୟାଙ୍କରେ ଅଫିସର ଥିଲା |ସାଗର ଏକଥା ଶୁଣିବା ପରେ ଖୁସି ହୋଇ ତା ବାପା ବୋଉଙ୍କୁ ଏକଥା ଜଣେଇଲା |ପ୍ରସ୍ତାବରେ ସମସ୍ତେ ଖୁସି ଥିଲେ |ବାହାଘରରେ ଶାନ୍ତା ତାର ଏକମାତ୍ର ନଣନ୍ଦ ପାଇଁ ଦୁଇ ହାତ ଖୋଲି ଖର୍ଚ୍ଚ କରିଥିଲା | ଏତେଦିନ ପରେ ଶାଶୁ ଶ୍ଵଶୁରଙ୍କ ମୁହଁରେ ହସ ଦେଖି ତା  ମନ କୁଣ୍ଢେ ମୋଟ ହୋଇ ଯାଇଥିଲା |

                           ସେତେବେଳେ ସରକାରୀ ଜମି ଆବଣ୍ଟନ ପାଇଁ ଦରଖାସ୍ତ ଆହ୍ୱାନ କରା  ଯାଉଥିଲା  |ସାଗର ଦିନେ ଶାନ୍ତା ନାମରେ ଏକ ଫର୍ମ ଆଣିଲା |ଶାନ୍ତା କହିଲା,ମୋ ଭାଗ୍ୟରେ ଜମି ଥିବ କି ନଥିବ,ତମେ ସମସ୍ତଙ୍କ ନାମରେ ଫର୍ମ ପକେଇ ଦିଅ,କେଜାଣି କାହା ଭାଗ୍ୟ ଟାଣ ଥିବ,ଲଟେରୀ ଉଠିଗଲେ,ଆମ ପରିବାରର ଫାଇଦା |ସାଗର ମନକୁ କଥାଟି ପାଇଲା | ସେ ଆଉ ଚାରିଟି ଫର୍ମ ଆଣି ତା ନିଜ ନାମ ସମେତ ବାପା ବୋଉ ଓ ଶଶାଙ୍କ ନାମରେ ଫର୍ମ ଫିଲପ କରି ପକେଇ ଦେଲା |ଯୋଗକୁ ଶଶାଙ୍କ ନାମରେ ଲଟେରୀ ଉଠିଲା |ସାଗର ଖୁସି ହୋଇଗଲା |ଭାବିଲା,ଦୁଇ ଭାଇ ମିଶି ସେଠାରେ ଘର କରିବେ |କିନ୍ତୁ ଶଶାଙ୍କ ନାମରେ ଜମି ରେଜିଷ୍ଟ୍ରେସନ ହେବା ପରେ ସେ ସେଥିରୁ ଆଉ କାହାକୁ ଭାଗ ଦେବା ପାଇଁ ରୋକ ଠୋକ ମନା କରିଦେଲା |ଏହାକୁ ନେଇ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଲା |ବାପା ବୋଉ ଶଶାଙ୍କକୁ ଯେତେ ବୁଝାଇଲେ ବି ସେ ଆଦୌ ବୁଝୁ ନଥିଲା |ଶାନ୍ତା ସାଗରକୁ କହିଲା,ଭଗବାନ କାହା କାହା ମାଧ୍ୟମରେ ମଣିଷକୁ ସୁଖ ସୌଭାଗ୍ୟ ଦେଇଥାନ୍ତି |ଶଶୀ ଗାଆଁରେ ରହି ଚାଷ ବାସ କାମ ବୁଝିବା ସହିତ ବାପା ବୋଉଙ୍କ ବହୁତ ସେବା କରିଛନ୍ତି |ତାଙ୍କ ଆଶୀର୍ବାଦରେ ତୁମ ମାଧ୍ୟମରେ ଶଶୀଙ୍କୁ ଏହି ଜମି ମିଳିଲା |ସେ ସେଠାରେ ବ୍ୟବସାୟ କରିବେ ବୋଲି କହୁଛନ୍ତି |କରନ୍ତୁ |ବରଂ ଆମେ ତାଙ୍କୁ ଏଥିପାଇଁ ସବୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା |ଆମ ଦୁଇ ଜଣଙ୍କର ଚାକିରୀ ଅଛି |ଆଜି ନହେଲେ କାଲି ଆମେ କିଛି କରି ପାରିବା |କିଛି ନହେଲେ,ରିଟାୟାର୍ଡ଼ ପରେ ଆମେ ଆମ ଗାଆଁକୁ ଫେରିଯିବା |ସେଇଠି ନିଜ ଲୋକଙ୍କ ମେଳରେ ନରହି ଏଇଠି ପର ଲୋକଙ୍କ ସହିତ ସମ୍ପର୍କ ବଢ଼େଇ  ଲାଭ କଣ ?ଆଉ ସେଥିପାଇଁ ମନ ଅଶାନ୍ତି ନକରି କଥା ଏଇଠି ସାରିଦେଲେ ସମସ୍ତଙ୍କ ପାଇଁ ମଙ୍ଗଳ ହେବ |ସାଗର କହିଲା,ହଉ ଠିକ ଅଛି,ତମ କଥା ମାନିଲି |ଆମର ବହୁତ ଦିନରୁ ବୁଲିଯିବା ପ୍ଲାନ ପେଣ୍ଡିଙ୍ଗ ଅଛି,ତମର ମନେ ଅଛି ତ ?ଶାନ୍ତା ମୄଦୁ ହସି କହିଲା,ଯାହାହେଉ ତମେ ମୋ ମନକଥା କହିଦେଲ |ଶୀଘ୍ର ପ୍ଲାନ କର |ବାପା ବୋଉ ବି ଆମ ସାଙ୍ଗରେ ଯିବେ | |ଏବେ ତାଙ୍କର ବଳ ବୟସ ଅଛି ,ସେ ଆମସାଙ୍ଗେ ବୁଲି ପାରିବେ |ପଛକୁ ହୁଏତ ବୁଲିବା ସମ୍ଭବ ହୋଇ ନପାରେ |ତାପରେ ସେମାନେ ସବୁବେଳେ ଗାଆଁରେ ରହିଲେ |ନିଜ ସୁଖ ପାଇଁ ସମୟ ପାଇଲେ ନାହିଁ |ସାଗର କହିଲା,ତମେ କଣ କହିବାକୁ ଚାହୁଁଛ ,ମୁଁ ଭଲଭାବେ ଜାଣି ପାରୁଛି,ଆଉ ଏତେ ଲମ୍ବେଇ ଚୌଡେଇ ଫେଣେଇ  କହିବା ଦରକାର ନାହିଁ |ମୁଁ ବି ଠିକ ସେଇଆ ଭାବିଛି |

                           ପିଲାମାନଙ୍କ ସହିତ ଦକ୍ଷିଣଭାରତ ଭ୍ରମଣ କରିବା ଶିବ ବାବୁ ଓ ସୁଶୀଳାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଥିଲା |ପୁଅ ବୋହୂ ତାଙ୍କ ଜୀବନରେ  ଏତେ ସୁଖ ସୌଭାଗ୍ୟ ଆଣିଦେବେ ,ତାହା ତାଙ୍କ କଳ୍ପନାର ବାହାରେ ଥିଲା  |ଦିନେ ସକାଳେ ଦୁହେଁ ନାଲି ଚା' ର ମଜା ନେଉଥିବାବେଳେ ଶିବ ବାବୁ କହିଲେ,ସାଗର ଯେତେବେଳେ ଶାନ୍ତା କୁ ବାହାହେବା ପାଇଁ ଆମକୁ କହିଥିଲା,ସେତେବେଳେ ଆମ ମୁଣ୍ଡରେ ଆକାଶ ଛିଣ୍ଡି ପଡିବା ପରି ଲାଗିଥିଲା |ଆମେ ଭାବୁଥିଲୁ,ଡ୍ରେସ ପିନ୍ଧା ଚାକିରୀଆ ଝିଅ ଆମ ପୁଅକୁ ଶିଖେଇ ଆମ ପରିବାରକୁ ବରବାଦ କରିଦେବ  |ହେଲେ ସେ ଏମିତି ଆମ ପୁଅକୁ ଶିଖେଇଲା ଯେ ଘର ବରବାଦ ହେବ କଣ,ମୂଳଦୁଆ ଆହୁରି ମଜଭୁତ ହୋଇଗଲା |ସୁଶୀଳା କହିଲେ, କାହିଁକି କହୁଛ ସେକଥା,ବୋହୁ ଆମର ସୁନା ମୁଣ୍ଡା ଟିଏ  ;ତା ସାଙ୍ଗରେ ପଡି, ଆମ ପୁଅ ବି  ସୁନା ମୁଣ୍ଡା ପାଲଟି ଗଲା !!!!!ମମତା ମହାନ୍ତି |






Wednesday, September 30, 2020

ବୋଉ

                    ରମେଶ ତାଙ୍କର ବୋଉ ଉଷାଙ୍କୁ ବହୁତ ଭଲ ପାଉଥିଲେ |ଅତି ଛୋଟ ଦିନରୁ ବାପାଙ୍କ ମୃତ୍ୟୁ ପରେ ବହୁତ କଷ୍ଟରେ ଉଷା  ତାଙ୍କୁ ବଡ଼ କରିଥିଲେ |ରମେଶ ସବୁବେଳେ କହୁଥିଲେ, ସ୍ତ୍ରୀ ଠାରୁ ମାଆ  ବଡ଼ |କାରଣ ମଣିଷ ଜୀବନରେ ପ୍ରଥମେ ମାଆ ଆସେ,ତାପରେ ସ୍ତ୍ରୀ |ମାଆ ସାଙ୍ଗେ ରକ୍ତର ସମ୍ପର୍କ ଥିବାବେଳେ ବିବାହ ପରେ ହିଁ ସ୍ତ୍ରୀ ସହିତ ସମ୍ପର୍କ ଯୋଡ଼ା  ହୁଏ |ରମେଶଙ୍କୁ ଅକସ୍ମାତ ଚାକିରୀ ମିଳିବା ,ପଦୋନ୍ନତି ପାଇବା ଇତ୍ୟାଦି ପ୍ରତ୍ୟେକ ସଫଳତାକୁ ସେ ତାଙ୍କ ବୋଉଙ୍କ ଆଶୀର୍ବାଦ ବୋଲି ଭାବୁଥିଲେ |ଉଷା ତାଙ୍କୁ ଗେହ୍ଲାରେ 'ବାବୁ'ବୋଲି ଡାକୁଥିଲେ |ରମେଶଙ୍କୁ ଉଷାଙ୍କ ରାନ୍ଧଣା ବହୁତ ପସନ୍ଦ ଥିଲା |ସେଥିପାଇଁ ପ୍ରତିଦିନ ତରକାରୀ ରାନ୍ଧିବା ଦାୟିତ୍ତ୍ୱ ଉଷାଙ୍କ ଉପରେ ନ୍ୟସ୍ତ  ଥିଲା |ଖାଇବା ବେଳେ ସେ ତାହାକୁ ଚାଟିଚୁଟି  ଖାଉଥିଲେ ଓ ତାଙ୍କ ପତ୍ନୀଙ୍କୁ ବେଳେ ବେଳେ କହୁଥିଲେ,ଦେଖ ମୋ ବୋଉ କେମିତି ରାନ୍ଧିଛି !ତମେ ଯେତେ ତେଲ ମସଲା ପକାଅ ପଛକେ ,ମୋ ବୋଉ ପରି ରାନ୍ଧି ପାରିବନାହିଁ |ମା ପୁଅଙ୍କ ଯୋଡି ଅପୂର୍ବ ଥିଲା |ସକାଳ ହେଲେ ରମେଶ ଉଷାଙ୍କ ପାଖକୁ ଯାଇ  କହୁଥିଲେ,ବୋଉ  ମୁଁ ଉଠିଗଲି |ଅଫିସରୁ ଫେରିବା ପରେ ସେମିତି ଉଷାଙ୍କୁ ଖୋଜି ଖୋଜି ତାଙ୍କ ପାଖରେ ପହଞ୍ଚି ଯାଇ କହୁଥିଲେ,ବୋଉ,ମୁଁ ଆସିଗଲି ,ଶୀଘ୍ର ଗରମା ଗରମ ଚା' ଦେଲୁ |ରମେଶ ବୋଉଙ୍କୁ ଯେତିକି ଭଲ ପାଉଥିଲେ,ସେତିକି ତାଙ୍କ ଉପରେ ରାଗୁଥିଲେ ମଧ୍ୟ |ସେ ଟିକିଏ କ୍ଷଣକୋପୀ ଥିବାରୁ ଟିକିଏ କଥାରେ ରାଗି ଯାଉଥିଲେ |ଉଷାଙ୍କୁ ନିଜ ପୁଅ କଥା ଭାରି ବାଧୁଥିଲା |ସେ ସେତେବେଳେ ରୁଷି ଯାଉଥିଲେ ଓ ଯେପର୍ଯ୍ୟନ୍ତ ପୁଅ ତାଙ୍କୁ ବୁଝାଉ ନଥିଲେ,ସେ ଅନ୍ନ ଜଳ ସ୍ପର୍ଶ କରୁ ନଥିଲେ |ରମେଶ ଉଷାଙ୍କ ଏହି ଗୁଣ ବିଷୟରେ ଅବଗତ ଥିଲେ |ତେଣୁ ସେ ରାଗିବା ପରେ ପରେ ତାଙ୍କ କାନ୍ଧରେ ହାତ ରଖି  'ମୋ ସୁନା ବୋଉ,' କହିଦେଲେ ଉଷାଙ୍କ ଅଭିମାନ କୁଆଡେ ମିଳେଇ ଯାଉଥିଲା  |ରମେଶଙ୍କ ଦୁଇ ପୁଅ ଝିଅ ଥିଲେ |କିନ୍ତୁ ସେ ନିଜ ବୋଉ ପ୍ରତି ଯେତିକି ଆସକ୍ତ ଥିଲେ,ଅନ୍ୟ କାହା ପ୍ରତି ସେପରି ନଥିଲେ |

                  ଅନେକ ବର୍ଷ ପୂର୍ବେ ରମେଶଙ୍କ ଚର୍ମ ରୋଗ ବାହାରି ଥିଲା |ସେଥିପାଇଁ ସେ ବହୁତ ଔଷଧ ଖାଉଥିଲେ ବି କେତେବେଳେ ତାହା କମି ଯାଉଥିଲା,ପୁଣି କେତେବେଳେ ବଢି ଯାଉଥିଲା |ଶେଷରେ କେହି ଜଣେ ବନ୍ଧୁ ଅଧିକ ମାତ୍ରାରେ ଲଙ୍କା ଖାଇବାକୁ ଉପଦେଶ ଦେଇଥିଲେ |ତାଙ୍କ କଥା ମାନି ପରୀକ୍ଷାମୂଳକ ଭାବରେ ସେ ଲଙ୍କା ଖାଇବା ଆରମ୍ଭ କଲେ |ଆଶ୍ଚର୍ଯ୍ୟ ର କଥା,ଏହା କାମ ଦେଲା ଓ ସେ କିଛିଦିନ ପରେ ଚର୍ମ ସଂକ୍ରମଣରୁ ମୁକ୍ତି ପାଇଲେ |ସେହିଦିନ ଠାରୁ ତାଙ୍କର ଲଙ୍କା ଖାଇବା ଅଭ୍ୟାସ ରହିଯାଇ ଥିଲା |ତରକାରୀ ବେଶି  ରାଗ ହେଲେ,ପିଲାମାନେ ଖାଇ ପାରିବେ ନାହିଁ |ତେଣୁ ସେ ଖାଇବା ବେଳେ ଅତି କମରେ ଚାରି/ପାଞ୍ଚଟି ଲଙ୍କାମରିଚ ଥାଳିରେ ନେଇ ଖାଇ ବସୁଥିଲେ |ଦିନେ ଦିନେ ଖାଉ ଖାଉ ଛ /ସାତଟି ଖାଇ ଦେଉଥିଲେ |ବୟସ ଥିବାବେଳେ ସବୁ ଚଳି  ଯାଉଥିଲା |ବୟସ ବଢ଼ିବାରୁ ଧୀରେ ଧୀରେ ପାକସ୍ଥଳୀ ଉପରେ ରାଗ ର ପ୍ରଭାବ ପଡିଲା |ଯେଉଁଦିନ ଅଧିକ ଲଙ୍କା ଖାଇ ଦେଉଥିଲେ ,ତା ପରଦିନ ସକାଳୁ ସକାଳୁ ତାଙ୍କୁ ଚାରି ପାଞ୍ଚ  ଥର ପତଳା ଝାଡା ହୋଇ ଯାଉଥିଲା |ଏକଥା ଦେଖି ଉଷା ଭାରି ବ୍ୟସ୍ତ ହେଉଥିଲେ ଓ ପୁଅକୁ ଲଙ୍କା ନ ଖାଇବା ପାଇଁ ବହୁତ ବୁଝାଉ ଥିଲେ |କିନ୍ତୁ ରମେଶଙ୍କ ମନରେ ଚର୍ମ ସଂକ୍ରମଣର ଭୟ ଏପରି ଜମାଟ ବାନ୍ଧି ଯାଇଥିଲା ଯେ,ସେ କୌଣସିମତେ ଲଙ୍କା ଖାଇବା ଛାଡିବାକୁ ଚାହୁଁ ନଥିଲେ |ଥରେ  ତାଙ୍କୁ  ରକ୍ତ ଆମାଶୟ ହେଲା ଓ ଏହା ଏପରି ପ୍ରବଳ ଆକାର ଧାରଣ କଲା ଯେ,ତାଙ୍କୁ ଡାକ୍ତରଖାନାରେ ରହି ଚିକିତ୍ସିତ ହେବାକୁ ପଡିଲା |ତଥାପି ରମେଶଙ୍କ ଲଙ୍କା ପ୍ରତି ଆକର୍ଷଣ କମି ନଥିଲା |କିନ୍ତୁ ପୁଅ ପାଇଁ ଉଷା ଭାରି ବ୍ୟସ୍ତ ହେଉଥିଲେ |ଦିନେ ରମେଶ ଦେଖିଲେ, ଘରକୁ ଯେତେ ଲଙ୍କା ଆସୁଛି,ସାଙ୍ଗେ ସାଙ୍ଗେ ସବୁ କୁଆଡେ ଉଭାନ ହୋଇ ଯାଉଛି |ସେ ଉଷାଙ୍କ ଉପରେ ସନ୍ଦେହ କରି ,ଲଙ୍କା କୁଆଡେ ଗଲା ବୋଲି ପଚାରିବାରୁ,ସେ ମୁଁ ଜାଣିନି କହୁଥିଲେ ଓ ତାପରେ ଲଙ୍କାର ଅପକାରିତା ବିଷୟରେ ତାଙ୍କୁ ବୁଝାଉ ଥିଲେ |ତେଣୁ ଲଙ୍କା ଲୁଚେଇବା କାମ ବୋଉର ବୋଲି ରମେଶ ଜାଣୁଥିଲେ |ଧୀରେ ଧୀରେ ତାଙ୍କର ରାଗ ବଢ଼ି ଗୁରୁତର ଆକାର ଧାରଣ କଲା |ସେଦିନ ସୋମବାର ଥିଲା | ଭାତ ଥାଳିରେ ଲଙ୍କା ନଥିବାର ଦେଖି,ସେ ରାଗରେ ଥାଳି ଫୋପାଡ଼ି ଦେଲେ ଓ  ଉଷା ଙ୍କୁ କହିଲେ,ମୁଁ ମରିଗଲେ,ତୁ ଶାନ୍ତି ପାଇବୁ |ଏହା କହି ସେ କିଛି ନଖାଇ ଅଫିସ ଚାଲିଗଲେ |

                     ପୁଅର ଏତେ କଡା କଥା ଉଷା ହଜମ କରି ପାରିଲେ ନାହିଁ |ବାରମ୍ବାର ପୁଅର ସେହି କଥା ତାଙ୍କ କାନରେ ପ୍ରତିଧ୍ଵନିତ ହେବାରେ ଲାଗିଲା |ଏପରି କଟୂ ବାକ୍ୟ ପୁଅ କେମିତି କହି ପାରିଲା ଭାବି   ଦୁଃଖରେ ତାଙ୍କ ହୃଦୟ ଖିନ ଭିନ ହୋଇଗଲା ଓ ସେ  ଭିତରେ ଭିତରେ ଅନେକ କାନ୍ଦିଲେ  |କେତେ ସମୟ ପରେ ସେ ନାତି ବୁବୁଲୁ କୁ କହିଲେ,ତୋ ବାପା କିଛି ନଖାଇ ଚାଲିଗଲା,ଯାଆ ତାକୁ ବୁଝେଇ ସୁଝେଇ  ଡାକି ଆଣିବୁ |ବୁବୁଲୁ କହିଲା,ବାପା କଣ ଛୋଟ ପିଲା ହୋଇଛନ୍ତି ଯେ ମୁଁ ତାଙ୍କୁ ଡାକିଲେ ସେ ଚାଲି ଆସିବେ ?ସବୁ ତମର ଦୋଷ | ବାପା ଲଙ୍କା ଭଲ ପାଆନ୍ତି ବୋଲି ଜାଣି ସୁଦ୍ଧା ତମେ କାହିଁକି ତାକୁ ଲୁଚାଉ ଥିଲ ?ମୋର ଡେରି ହେଲାଣି,ମୁଁ ସ୍କୁଲ ଯାଉଛି |ସେ ସ୍କୁଲ ଚାଲିଗଲା |ତା ସହିତ ନାତୁଣୀ ମଧ୍ୟ ସ୍କୁଲ ଗଲା |ଘରେ ବୋହୂ  ଏପରି ବ୍ୟବହାର ଦେଖାଇଲା ,ଜଣା ପଡୁଥିଲା  ସତେ ଯେପରି  ସେ ନରହତ୍ୟା କରି ପକାଇଛନ୍ତି |

                     ସେଦିନ ସଞ୍ଜ ଯାଇ ରାତି ହେଲା |ସେତେବେଳେ ରମେଶଙ୍କ  ରାଗ କମି ଯାଇଥିଲା |ହଠାତ ତାଙ୍କର ଉଷାଙ୍କ କଥା ମନେ ପଡିଲା |ବୋଉ ଉପରେ ରାଗିଲେ,ସେ ଅନ୍ନ ଜଳ ସ୍ପର୍ଶ କରେ  ନାହିଁ ଜାଣି ସୁଦ୍ଧା ସେ ୟେ କଣ କଲେ  ?କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ଜୀବନରୁ ବଳି ଅଧିକ ଭଲ ପାଉଥିବା ବୋଉକୁ ସେ ସାରା ଦିନ ଉପବାସରେ ରଖିଦେଲେ ?  ସେ  ଦ୍ରୁତ ଗତିରେ ତୃତୀୟ ମହଲାରେ ଥିବା ତାଙ୍କ ଅଫିସରୁ ବାହାରି ତଳକୁ  ଆସି ଦେଖିଲେ ବୁବୁଲୁ ତା ସାଙ୍ଗ ବାଇକରେ ତାଙ୍କ ପାଖକୁ ଆସୁଛି |ସେ କିଛି କହିବା ପୂର୍ବରୁ ବୁବୁଲୁ କହିଲା,ଜେଜେମା  ଅଚେତ ହୋଇ ପଡିଛି,କଥା କହୁନି  |ରମେଶଙ୍କ ହୋସ ଉଡ଼ିଗଲା |ସେ  ତୀବ୍ର ଗତିରେ ବାଇକ ଚଳାଇ ଘରକୁ ଆସି ଦେଖିଲେ, ଉଷା ବିଛଣାରେ ନିସ୍ତେଜ ହୋଇ ପଡିଛନ୍ତି ,ମୁହଁରୁ ଫେଣ ବାହାରୁଛି ଓ ଆଖିରୁ ଦୁଇଧାର ଲୁହ ଝରି ଶୁଖି ଯାଇଛି |  ଲଙ୍କା ଭର୍ତ୍ତି ଥିବା ଏକ ଲଙ୍କା ପୁଟୁଳି ତାଙ୍କ ମୁଣ୍ଡ ପାଖରେ ପଡିଛି  |ସେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଗଲେ |ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ |ଉଷା ବିଷ  ପିଇ ଦେଇଥିଲେ |

                     ଉଷାଙ୍କୁ ହରାଇବା ଦୁଃଖରେ ରମେଶ ପାଗଳ ପ୍ରାୟ ହୋଇ ଯାଇଥିଲେ ଓ ସବୁଦିନ ପାଇଁ ଲଙ୍କା ଖାଇବା ଛାଡି ଦେଇଥିଲେ |କିନ୍ତୁ ଏ ସବୁ ସତ୍ତ୍ୱେ ଅତି ଆଦରର ବୋଉ ତାଙ୍କୁ 'ବାବୁ' ବୋଲି ଡାକିବାକୁ ଆଉ ନଥିଲେ |ମମତା ମହାନ୍ତି |

                       

              




Friday, September 25, 2020

ମଣି କେବେ ହାରେନା

                        ବାହାହୋଇ ଶାଶୁଘରକୁ ଆସିବାର ବେଶ କିଛି ବର୍ଷ ମଣି ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା |ରାତି ନ ପାହୁଣୁ ଉଠି,ଘର ଯାକର କାମ କରି, ଡେରି ରାତିରେ ଶୋଇବା ତାର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା |ଘରର ଏକମାତ୍ର ବୋହୂ ହିସାବରେ ଘରର ସବୁ କାମ ତାକୁ କରିବାକୁ ପଡୁଥିଲା |ପୂଜା ଆଦି ବିଶେଷ ଦିନରେ ଶାଶୁ ସାହାଯ୍ୟର ହାତ ବଢାଉ ଥିଲେ ସିନା,ଅନ୍ୟ ଦିନରେ ତା ମୁହଁରୁ ଝାଳ ପୋଛି ଆହା ବୋଲି ପଦେ କହିବାକୁ କେହି ନଥିଲେ |ଏପରିକି ତାର ସ୍ୱାମୀ ଶରତ ମଧ୍ୟ ନୁହେଁ | ତାର ଏଇ ଦୁଃଖ ନିଆଁରେ ଘିଅ ପକାଇବାକୁ, ଶାଶୁଙ୍କ ଅନୁପସ୍ଥିତିରେ,ଅନେକ ହିତାକାଂକ୍ଷୀ ତା ଦୁଃଖରେ ସମବେଦନା ଜଣାଇବାକୁ ଯାଇ,ତାକୁ ସୁହାଇବା ପରି, ଶାଶୁଙ୍କ ବିରୁଦ୍ଧରେ ଅନେକ କଥା ଗପୁଥିଲେ |ମଣି ଭଲଭାବେ  ଜାଣିଥିଲା, ଏହି ପରିବାରରେ ସମସ୍ତଙ୍କ ମନ ନେଇ ତାକୁ ସବୁଦିନ ଚଳିବାକୁ  ପଡିବ |ତାର କିଛି ଅସୁବିଧା ହେଲେ,ତାର ନିଜ ଲୋକେହିଁ ତା ପାଖରେ ଛିଡା ହେବେ,କୁତ୍ସାରଟନା କରୁଥିବା ଲୋକେ କେବେହେଲେ  ତାର ପିଠିରେ ପଡିବେ ନାହିଁ |ତେଣୁ ସେ ସେମାନଙ୍କୁ ସମ୍ମାନ ଦେଉଥିଲା ସତ ,କିନ୍ତୁ ତାଙ୍କର ସବୁ କଥା ଏ କାନରେ ପୁରାଇ ସେ  କାନରେ ବାହାର କରିଦେଉଥିଲା  |  

                         ପାଞ୍ଚ ବର୍ଷ ପରେ ସନା ଜନ୍ମ ହେଲା |ସେତେବେଳକୁ  ଶାଶୁ ଜାଣି ସାରିଥିଲେ,ତାଙ୍କ ବୋହୂ ଆଉ ସବୁ ବୋହୂଙ୍କ ପରି ନୁହେଁ   |ଆଗ ପରି ମଣି ଉପରେ ସବୁ କାମର ବୋଝ ନ ଲଦି,ସ୍ୱତଃ ପ୍ରବୃତ୍ତ ଭାବରେ ସେ  ଅନେକ ଛୋଟ ମୋଟ କାମ କରି ଦେଉଥିଲେ |ଏପରିକି  ନାତି ଜନ୍ମ ହେବା ପରେ,ସେ  ନାତିର  ସମ୍ପୂର୍ଣ୍ଣ ଦାୟିତ୍ତ୍ୱ ନେଇ ମଣିକୁ ଚିନ୍ତା ଶୂନ୍ୟ କରି ଦେଇଥିଲେ  |ମଣି  ବହୁତ ଖୁସି ଥିଲା,ତା ଧୈର୍ଯ୍ୟର ଜୟ ହୋଇଥିଲା |ତା ପାଇଁ ସର୍ବଦା ଚିନ୍ତାରେ ଥିବା ମଣିର  ବାପା ମଧ୍ୟ ଖୁସି ହୋଇ ସମସ୍ତଙ୍କୁ କହୁଥିଲେ,ମୋ ମଣି କେବେ ହାରେନା   |

                         ଶାଶୁ ଶ୍ୱଶୁର,ସ୍ୱାମୀ ଓ ସନ୍ତାନକୁ ନେଇ ମଣିର ସଂସାର ଖୁବ ଖୁସିରେ ଚାଲିଥିଲା |କିନ୍ତୁ ସୁଖ କେବେହେଲେ ଚିରସ୍ଥାୟୀ ନୁହେଁ | ଶାଶୁଙ୍କର ସର୍ପାଘାତରେ ଓ ପରେ ପରେ ଶ୍ଵଶୁରଙ୍କ ବଜ୍ରାଘାତରେ ମୄତ୍ୟୁ, ତାର ସବୁ ସୁଖଶାନ୍ତିକୁ ମାଟିରେ ମିଶାଇ ଦେଇଥିଲା |ତା ଉପରେ ଦଇବ ଦାଉ ସାଧିଲା ପରି,ସ୍ୱାମୀ ଶରତର   ଅଣ୍ଟା ବେମାରୀ ଯୋଗୁଁ ସେ ଆଉ ଚାଷକାମ କରି ପାରିଲା   ନାହିଁ |ବାଧ୍ୟ ହୋଇ ସନାର ପାଠରେ ଡୋରି ବାନ୍ଧିବାକୁ ପଡିଲା  |କିନ୍ତୁ ମଣି ହାରି ନଯାଇ ସନା ସହିତ ମିଶି ଚାଷ ଓ ବିଲବାଡ଼ି କଥା ବୁଝିଲା |ଯିଏ ଯାହା କହିଲେ ବି ସେଥିକି ତାର ଖାତିର ନଥିଲା |ଦେଖୁ ଦେଖୁ ବର୍ଷ କେଇଟାରେ ସେମାନେ ପୁଣି ଅଣ୍ଟା ସଳଖି ଛିଡା ହେଲେ |ସେତେବେଳେ ଶରତ ଖୁସିହୋଇ ମଣିକୁ କହିଥିଲା ,ମୋ ମଣି କେବେ ହାରେନା |

                       ଦିନେ ପାଖ ଗାଆଁରୁ ସନା ପାଇଁ ବିବାହ ପ୍ରସ୍ତାବ ଆସିଲା |ବାପା ମାଆଙ୍କର ଗୋଟିଏ ବୋଲି ଝିଅ,ଡାକ ନାମ ତାର ରୁନି  |ବେଶି ପଢିନି,କିନ୍ତୁ କାମ ଦାମ ସବୁ ଜାଣିଛି |ସେତେବେଳେ  ସନାର ବାହାଘର କଥା ଦୁହିଁଙ୍କ  ମନକୁ ଆସି ନଥିଲା |କିନ୍ତୁ ପ୍ରସ୍ତାବ ଆସିଲାଣି ଯେତେବେଳେ,ଦୁହେଁ ଝିଅ ଦେଖିବାକୁ ଗଲେ |ରୁନି ଉଭୟଙ୍କ ମନକୁ ଖୁବ ପାଇଲା |ଭଲଦିନ ଦେଖି ରୁନି ଓ ସନାଙ୍କ ବାହାଘର ହେଲା |ଝିଅ ବିଦାବେଳେ ତାର ମାଆ କହିଥିଲେ,ଝିଅ ମୋର ଭାରି ଗେହ୍ଲାରେ ବଢିଛି,ଆଗ ପଛ ନ ବିଚାରି ମୁହେଁ ମୁହେଁ କହିଦିଏ |ତା କଥା ସମୁଦୀ ଧରିବ ନାହିଁ |ଶରତ ସେକଥା ମଣିକୁ କହି ଥିଲା  |ଆଉ ମଧ୍ୟ କହିଥିଲା,ଆମର ଝିଅ ନାହିଁ,ଆଜିଠାରୁ ଇଏ ଆମର ଝିଅ |ତାକୁ ଚଳେଇ ନେବୁ |ମଣି ହସି ହସି କହିଥିଲା,ତାକୁ ଏମିତି ସ୍ନେହ ଶ୍ରଦ୍ଧା ଦେବି ଯେ,ସେ ନିଜ ବାପା ମାଆ କଥା ପାଶୋରି ଯିବ |କିନ୍ତୁ ଦିନ କେଇଟାରେ ତାର ସବୁ ଦମ୍ଭ ଭାଙ୍ଗିଗଲା |ମଣି ଯାହା ବି ରାନ୍ଧୁଥିଲା,ରୁନିକୁ ଭଲ ଲାଗୁ ନଥିଲା |ସେମାନେ ନାଲି ଚା' ପିଉଥିବା ବେଳେ ଖାଣ୍ଟି କ୍ଷୀରରେ ତିଆରି ଚା' ରୁନି ର ପସନ୍ଦ ଥିଲା | ସେମାନଙ୍କୁ ଅଳ୍ପ ତେଲରେ ପ୍ରସ୍ତୁତ ସନ୍ତୁଳା ପସନ୍ଦ ଥିବା ବେଳେ ରୁନିକୁ  ଅଧିକ ତେଲରେ ପ୍ରସ୍ତୁତ ଭଜା ପସନ୍ଦ ଥିଲା |ସବୁ ଛଣା ପିଠା ତାର ପସନ୍ଦ ଥିବା ବେଳେ ମଣ୍ଡା,ଇଡ଼ିଲି,ମୁଆଁ ପିଠା ଆଦିକୁ ସେ ମୁଁ ଏଗୁଡା ଖାଏନା କହି ଆଡେଇ ଦେଉଥିଲା |ସବୁଠାରୁ ବଡ଼ କଥା ଥିଲା,ସନା ତା ମାଆକୁ ଏତେ ଭଲ ପାଇବା,ଟିକିଏ କଣ ଦରକାର ପଡିଲେ,ମାଆକୁ ଖୋଜିବା ଆଦି ତାକୁ ଆଦୌ ଭଲ ଲାଗୁ ନଥିଲା |ମାଆ ପୁଅ ବସି ଖୁସିରେ ଗପସପ ହେଲେ,ତା ଦେହରେ ଯାଉ ନଥିଲା |ସେ ସେତେବେଳେ ବିଭିନ୍ନ ମିଛ ବାହାନା ଦେଖାଇ ସନାକୁ ଡାକି ନେଉଥିଲା |ମଣି ସବୁ ଜାଣୁଥିଲା | ନୂଆ ନୂଆ ବାହାଘର ହୋଇଛି,ଏମିତି ହେବା  ସ୍ୱାଭାବିକ ଭାବି ସେକଥାକୁ ସେ ଗୁରୁତ୍ତ୍ଵ ଦେଉ ନଥିଲା | କିନ୍ତୁ ଦିନକୁ ଦିନ ରୁନି ର ବ୍ୟବହାରରେ ଦ୍ରୁତ ପରିବର୍ତ୍ତନ ଆସିବାରେ ଲାଗିଲା |ଘରେ ନିତି ସାଇପଡିଶାଙ୍କ ଗହଳି ଲାଗିଲା |ରୁନି ତାଙ୍କ ସଙ୍ଗେ ଗପିବାରେ ବ୍ୟସ୍ତ ରହି ତାର ଦୈନନ୍ଦିନ କାମରେ ଅବହେଳା କଲା |ଯଦି ମଣି କେବେ ତାକୁ ଆକଟ କରି କିଛି କହୁଥିଲା,ସେ ଆହୁରି ଚଢା ଗଳାରେ ପ୍ରତ୍ୟୁତ୍ତର ଦେବାକୁ ପଛାଉ  ନଥିଲା |ଗଣ୍ଡଗୋଳ ତା ଆୟତ୍ତର ବାହାରେ ହେଲେ ସେ ରୁଷି ଯାଇ ନ ଖାଇ ନ ପିଇ ଶୋଇ ପଡୁଥିଲା,ନହେଲେ ବାପଘରକୁ ଚାଲି ଯାଉଥିଲା ଓ ଅନେକ ଖୋସାମତ ପରେ ଫେରୁଥିଲା |ସନା ରୁନି କୁ ବୁଝାଇବାରେ ବିଫଳ ହୋଇ, ମଣିକୁ କହୁଥିଲା, ବୋଉ, ମୁଁ ତୋ ପସନ୍ଦରେ ବାହା ହୋଇଛି ,ତାକୁ ଚଳେଇବା ଦାୟିତ୍ତ୍ୱ ତୋର  |ମଣି ନିଜ ଅତୀତ କଥା ମନେ ପକାଏ |ଦିନେ ହେଲେ,ସେ ତା ଶାଶୁକୁ ଜବାବ ଦେଇ ନଥିଲା |ଅଥଚ,ରୁନି କଥା ପଦକରେ ତା ଆଡକୁ ଝପଟି ଆସୁଛି,ସତେ କି ମାରି ପକେଇବ !ଏକଥା ସେ ଶରତକୁ କହି ପାରୁ ନଥିଲା |କାରଣ ଶରତ ସମର୍ଥନ କରିବା ପରିବର୍ତ୍ତେ,ଓଲଟି ତାକୁ ଦୋଷ ଦେବ |  ଶାଶୁ ବୋହୂଙ୍କ ମତାନ୍ତର ମନାନ୍ତର କଥା ଆଲୋଚନା କରି ସାଇ ପଡିଶା ଖୁସି ହେବାବେଳେ ମଣି ଦୁଃଖରେ ଫାଟି ପଡୁଥିଲା |

                       ସନାର ସାଙ୍ଗ ମନୋଜର  ଏକ ଲୁଗା ଦୋକାନ  ଥିଲା | ଦଶହରାରେ ଲୁଗା ବେପାର କରିବା ପାଇଁ ମନୋଜ  ଲୁଗା ଆଣିବାକୁ କଟକ ଗଲା  |ସନା ମଧ୍ୟ ତା ସହିତ ଗଲା |ଦଶହରାରେ ପିନ୍ଧିବାକୁ  ଘର ପାଇଁ ତାର ମଧ୍ୟ କିଛି ଲୁଗାପଟା ଆଣିବାର ଥିଲା | ସେ ତା ନିଜ ପସନ୍ଦରେ ଶାଶୁ ବୋହୂଙ୍କ  ପାଇଁ ଶାଢ଼ୀ ,ଶରତ ଓ ତା ନିଜ ପାଇଁ ସାର୍ଟ ପ୍ୟାଣ୍ଟ ଆଣିଲା  |ଘରେ ପହଞ୍ଚୁ  ପହଞ୍ଚୁ ଟିକିଏ ଡେରି ହୋଇ ଯାଇଥିଲା |ସେ ମଣିକୁ ଲୁଗା ପ୍ୟାକେଟ ଦେଇ,ଚୁପ କରି  କହିଲା,ମନୋଜ ସାଙ୍ଗରେ କଟକ ଯାଇଥିଲି,ଆଗକୁ ଦଶହରା ଆସୁଛି,ସମସ୍ତଙ୍କ ପାଇଁ,ଲୁଗା/ଡ୍ରେସ ନେଇ ଆସିଛି |ତୋ ପାଇଁ ଓ ରୁନି ପାଇଁ  ଶାଢ଼ୀ ଆଣିଛି |ତୁ ତୋ ପସନ୍ଦର ଶାଢ଼ୀ ରଖି,ଅନ୍ୟଟି ରୁନିକୁ ଦେବୁ |ପାଖରେ ବସିଥିବା ରୁନି କାନରେ ଏକଥା ପଡିଲା |ସନାର ଶେଷ କଥା ପଦକ ତା କାନରେ ବାରମ୍ବାର ପ୍ରତିଧ୍ଵନିତ ହେବାରେ ଲାଗିଲା |ମଣି ଯେତେବେଳେ ତାକୁ ନ ଦେଖାଇ ଲୁଗା ପ୍ୟାକେଟ ନେଇ ତା ଶୋଇବା ଘରେ ରଖିଦେଇ ଆସିଲା,ସେତେବେଳେ ତା ରାଗ ଆହୁରି ବଢିଗଲା |ରାତିରେ ସମସ୍ତେ ଶୋଇବାକୁ ଯିବା ପରେ ମଣି ସବୁ ଦିନ ବାକି ପଡିଥିବା କାମ ଶେଷ କରି ଶୋଇବାକୁ ଯାଏ |ସେଦିନ ସେ  ଶୋଇବାକୁ ଯିବାବେଳେ  ସନା ରୁମରୁ ଆସୁଥିବା  ପାଟି ତୁଣ୍ଡ ଶୁଣି ଅଟକି ଗଲା |ସନା ପ୍ରଥମେ କାହିଁକି ରୁନିକୁ ଶାଢ଼ୀ ପସନ୍ଦ କରିବାକୁ କହିଲା ନାହିଁ,ତାହା  କଳିର ବିଷୟ ବସ୍ତୁ ଥିଲା | ଏହା ଶୁଣି ମଣି ବିରକ୍ତ ହୋଇ ଶୋଇବାକୁ ଚାଲିଗଲା |

                           ସେ ଏପଟ ସେପଟ କଡ଼ ଲେଉଟାଇ,ଶୋଇବାକୁ ଅନେକ ଚେଷ୍ଟା କଲା |କିନ୍ତୁ ତା ଆଖିକୁ ନିଦ ଆସୁ ନଥିଲା |ତାକୁ ଲାଗୁଥିଲା,ବୋହୂ ହୋଇ ଶାଶୁଙ୍କୁ ଚଳାଇବା ବରଂ ସହଜ,କିନ୍ତୁ ଶାଶୁ ହୋଇ ବୋହୂକୁ ଚଳାଇବା ଭାରି କଷ୍ଟ |ସେତିକି ତ୍ୟାଗ,କଷ୍ଟ ସ୍ୱୀକାର ନକଲେ,ଜଣେ ଭଲ ଶାଶୁ ହୋଇ ପାରେନା | ଏତେ କଷ୍ଟ କରି,ସେ କଣ ଜୀବନର ଏହି ଶେଷ ପର୍ଯ୍ୟାୟରେ ହାରିଯିବ ??ଏହି ସମୟରେ ସନା ରୁମରୁ ରୁନି ର ଚିତ୍କାର ଶୁଣି ସେ ଦଉଡିଯାଇ ଦେଖିଲା,କବାଟ ଭିତର ପଟୁ ବନ୍ଦ ଅଛି ଓ କବାଟ ତଳୁ ତାଜା ରକ୍ତର  ଧାର ଗାଡି ଆସୁଛି |ଏହି ସମୟରେ ରୁମ କବାଟ ଖୋଲିଗଲା ଓ ସନା ହାତରେ ରକ୍ତ ଭିଜା ଛୁରୀ ଧରି ବାହାରକୁ ବାହାରି ଆସି ସାମନାରେ ମଣିକୁ ଦେଖି କହିଲା,ବୋଉ, ରୁନି ଦିନକୁ ଦିନ ବହୁତ ଉଦ୍ଧତ ହୋଇ ଯାଉଥିଲା |ଭାବିଥିଲି ତୁ ତାକୁ ସୁଧାରି ଦେବୁ |କିନ୍ତୁ ତୁ ଫେଲ ମାରିଲୁ |ତେଣୁ ସବୁଦିନ ପାଇଁ ତା ପାଟି ବନ୍ଦ କରିଦେଲି |ଏବେ ଯାଉଛି,ପୋଲିସ ପାଖରେ ସରେଣ୍ଡର କରିବି |ସନା ଟଳି ଟଳି ସେଠାରୁ ଚାଲିଗଲା |ମଣି ଭୟରେ ଚିତ୍କାର କରି ଡାକୁଥିଲା.ସନା ....ସନା .....|ତାର ନିଃଶ୍ୱାସ ବନ୍ଦ ହୋଇ ଯାଉଥିଲା | ସେ ତଳେ ଗଡି ବାଉଳି ଚାଉଳି ହେଉଥିଲା  ଓ ତାର  ଲୁଗା ରକ୍ତରେ ଭିଜି ଯାଉଥିଲା |ହଠାତ ତା ନିଦ ଭାଙ୍ଗିଗଲା |ସେ ଆଖି ଖୋଲି ଚାରି ଆଡକୁ ଚାହିଁଲା |ରାତିରେ ମୁଣ୍ଡ ପାଖରେ ରଖିଥିବା ପାଣି ଢାଳଟି ଓଲଟି ପଡି,ତା ଲୁଗା ଓଦା ହୋଇ ଯାଇଥିଲା  |ଦୁଃସ୍ୱପ୍ନ ଦେଖି ଭୟରେ ତାର ଛାତି ଥରୁଥିଲା |ସେ ମନେ ମନେ 'ଗୋବିନ୍ଦ' 'ଗୋବିନ୍ଦ' କହି ଈଶ୍ୱରଙ୍କୁ ସ୍ମରଣ କଲା |ସେତେବେଳକୁ ସକାଳ ହୋଇ ଆସୁଥିଲା |ସେ ଲୁଗା ବଦଳାଇ ବାହାରକୁ ଯାଇ ଦେଖିଲା,ରୁନି ଘର ଓଳାଉଛି,ମୁହଁଟି ତାର ଶୁଖି ଯାଇଥିଲା |ମଣି ଭାବିଲା,ରୁନି ଛୋଟ ପିଲା |କାଲି ସକାଳେ ତା ଘରକୁ ବୋହୂ ହୋଇ ଆସିଛି |ଅନ୍ୟ ପକ୍ଷରେ ତାର ଦୀର୍ଘ ଦିନର ଅଭିଜ୍ଞତାରେ ସେ ଦୁନିଆଁ କଣ  ଜାଣିଛି,ଚିହ୍ନିଛି |ଯଦି ରୁନି ତା ସହିତ ଚଳି ପାରୁନି,ତାକୁ ରୁନି ସହିତ ଚଳିବାକୁ ପଡିବ |ତା ନହେଲେ ତାର ଏତେ ଦିନର କଷ୍ଟ ବୃଥା ଯିବ |ସେ ରୁନି  ହାତରୁ ଛାଞ୍ଚୁଣି ନେଇ କହିଲା,ମୁଁ ଓଳାଇଦେବି,ତୁ ଯାଆ ଗାଧୋଇବୁ  |

                       ସେଦିନ ସକାଳେ ସମସ୍ତେ ଜଳଖିଆ ଖାଇ ସାରିବା ପରେ ସନା ଦେଇଥିବା ଲୁଗା ପ୍ୟାକେଟ ରୁନି କୁ ଦେଇ ମଣି କହିଲା, ଦୁଇଟାଯାକ ଶାଢ଼ୀ  ତୁ ପିନ୍ଧ | ନାଲି ହଳଦିଆ ରଙ୍ଗ ମତେ ଆଉ ଭଲ ଲାଗୁନି |ତୋ ଜେଜେମା ଅକାଳରେ ଚାଲିଗଲେ |ତାଙ୍କର ସବୁ ଶାଢ଼ୀ ମୁଁ ପିନ୍ଧୁଛି |ଦିନକୁ ଗୋଟେ ଗୋଟେ ପିନ୍ଧିଲେ ବି ମାସ ସାରା ପିନ୍ଧି ଆହୁରି ବଳିବ |ଏବେ ତ ତୋର ଖାଇବା ପିନ୍ଧିବା ବୟସ |ତୁ ପିନ୍ଧିଲେ ତତେ ମାନିବ,ମତେ ମାନିବନି |ରୁନି କିଛି ନକହି ମଣି ହାତରୁ ଲୁଗା ପ୍ୟାକେଟ ନେଇ ଶାଢ଼ୀ ଦୁଇଟି ଖୋଲି ଦେଖିଲା ଓ ତାକୁ ପୁଣି ପ୍ୟାକେଟରେ ଯତ୍ନରେ ରଖିଦେଲା |କିଛି ସମୟ ପରେ ସେ ମଣି ପାଖକୁ ଆସି କହିଲା,ବୋଉ,ଆପଣଙ୍କୁ ସୋରିଷ ଫୁଲ ରଙ୍ଗ ଭଲ ଲାଗେ ବୋଲି ଜାଣିଛି |ଏଇ ଶାଢ଼ୀ ମୋ ତରଫରୁ ମୁଁ ଆପଣଙ୍କୁ ଦେଉଛି |ଆପଣ ୟାକୁ ଦଶହରାରେ ପିନ୍ଧିବେ |ତାହେଲେ ମୁଁ ବି ଆପଣଙ୍କ କଥା ମାନି ସେହି ଶାଢ଼ୀ ପନ୍ଧିବି |ଏହା କହି ସେ ମଣି ହାତରେ ଗୋଟିଏ ପ୍ୟାକେଟ ରଖିଦେଲା |ମଣି  ପାଟିରୁ କଣ ବାହାରି ଆସୁଥିଲା |କିନ୍ତୁ ସେ ନିଜକୁ ରୋକିନେଇ କହିଲା,ମୋ ଝିଅ ମତେ ମନ ଖୁସିରେ ମତେ ଯାହା ଦେବ,ତାହା ମୋ ପାଇଁ ସ୍ୱର୍ଗ |ମୁଁ ତାକୁ କେବେହେଲେ ଭଲ ମନ୍ଦ ବୋଲି କହି ପାରିବିନି |ସେ ରୁନି ହାତରୁ ଶାଢ଼ୀ ନେଇ ତା   ମୁଣ୍ଡରେ ହାତ ରଖି କହିଲା,ମୋର ସବୁ ଆୟୁଷ ତତେ ଲାଗିଯାଉ,ଭଗବାନ ତତେ ସକଳ ଐଶ୍ଵର୍ଯ୍ୟ ଦିଅନ୍ତୁ |ଖୁସିରେ ରୁନି ଆଖିକୁ ଲୁହ ଚାଲି ଆସିଲା |ସେଦିନ ଠାରୁ ମଣି ନିଜକୁ ବଦଳେଇବାରେ ଲାଗି ପଡିଲା |କ୍ରମଶଃ  ସେ ଅନୁଭବ କଲା ,ରୁନି ମଧ୍ୟ ଧୀରେ ଧୀରେ ବଦଳିବାରେ ଲାଗିଛି ଓ ଘରେ ଶାନ୍ତି ଫେରି ଆସୁଛି |ଏଥର ମଣି ଖୁବ ଖୁସି ଥିଲା |ତାକୁ ଲାଗୁଥିଲା,ସେ ଯେମିତି ହାରୁ ହାରୁ ଜିତି ଯାଇଛି !!!!  |ମମତା ମହାନ୍ତି |




                         

                                                        

Sunday, September 6, 2020

ଝିଲିମିଲି ମାଉସୀ

                ନୂଆକରି କଲୋନୀରେ ଆସି ରହୁଥିବା ମହାପାତ୍ର ଦମ୍ପତ୍ତିଙ୍କୁ  ନେଇ ଆଜିକାଲି ଭାରି ଚର୍ଚ୍ଚା |ଦୁହେଁ ପଡୋଶୀ ମାନଙ୍କ ସହ ଏତେ ମିଳାମିଶା କରନ୍ତି ନାହିଁ;ଅଧିକାଂଶ ସମୟ  ଘର ଭିତରେ ନିଜ କାମରେ ବ୍ୟସ୍ତ ଥାଆନ୍ତି |ନୂଆ ଘରକୁ ଆସିବାର ଅଳ୍ପଦିନ ଭିତରେ ସେମାନେ ତାଙ୍କ ଘର ଛାତ ଉପରେ ନାନା ପ୍ରକାର ଫୁଲ ଓ ଫଳ ଗଛ ଲଗାଇ ତାକୁ ଏକ ଛୋଟିଆ ନନ୍ଦନ କାନନରେ ପରିଣତ  କରି ସାରିଲେଣି |କିନ୍ତୁ ପୂଜା ପର୍ବରେ କିଏ ଫୁଲ ଗୋଟିଏ ମାଗିଲେ,ସେମାନଙ୍କ ଦେହରୁ ଇଞ୍ଚେ ରକ୍ତ ଶୁଖିଯାଏ |ଦୁହେଁ ସଫା ସଫା ମନା କରି ଦିଅନ୍ତି |ମିସେସ ମହାପାତ୍ର ଠାକୁରଙ୍କୁ ଧୂପ ଦେଇ,ମୁଣ୍ଡିଆ ମାରି ପୂଜା ଶେଷ କରିବା ବେଳେ  ମିଷ୍ଟର ମହାପାତ୍ର ,ସକାଳେ ଦୁଇଘଣ୍ଟା ଓ ସନ୍ଧ୍ୟାରେ ଘଣ୍ଟାଏ ପୂଜା ପାଠରେ ସମୟ ବିତାନ୍ତି |ଏହି ସମୟରେ କେହି ଯେପରି  ତାଙ୍କୁ ଡିଷ୍ଟର୍ବ ନକରି ପାରିବେ,ସେଥିପ୍ରତି  ମିସେସ ମହାପାତ୍ର ସଜାଗ ଥାଆନ୍ତି  |ସେତେବେଳେ ସେ ନିଜ ମୋବାଇଲଟି କାନରେ ଦେଇ କେତେବେଳେ ତାଙ୍କ ଗେଟ ପାଖରେ ତ କେତେବେଳେ ଛାତ ଉପରେ ବୁଲି ଦୁନିଆଁ ଲୋକଙ୍କ ସଂଗେ କଥା ହେଉ ଥାଆନ୍ତି |ସିଏ ଏକ  ଅଦ୍ଭୁତ ପ୍ରକାରର ମଣିଷ |ବୟସାଧିକ୍ୟ ହୋଇଥିଲେ  ବି ତାଙ୍କ  ଫେସନରେ ଆଞ୍ଚ ଆସିନଥିଲା   | ପ୍ରତିଦିନ ଶାଢ଼ୀ ରଙ୍ଗ ସହିତ ମ୍ୟାଚ କରି ଚୂଡି,କାନଫୁଲ,ହାର,ଇତ୍ୟାଦି ବିଭିନ୍ନ ଡିଜାଇନର ସୁନ୍ଦର ସୁନ୍ଦର ଇମିଟେସନ ଗହଣା ସେ ପିନ୍ଧନ୍ତି |ସୁନା ଗହଣା ପିନ୍ଧିବାକୁ ତାଙ୍କୁ କୁଆଡେ ଆଦୌ ଭଲ ଲାଗେନା |କାରଣ ପଚାରିଲେ କହନ୍ତି,ସେଇଆକୁ ସେଇଆକୁ ସବୁଦିନ କେତେ ପିନ୍ଧିବି ?  ଗୋରା ରଙ୍ଗ ଓ ସୁନ୍ଦର ଚେହେରା  ସାଙ୍ଗକୁ ସଦା ହସ ହସ ପାନଖିଆ ନାଲି ଓଠ ତାଙ୍କୁ ଖୁବ ମାନେ |ସେ ଯୁଆଡେ ଯାଆନ୍ତି ,ଅତରର ସୁଗନ୍ଧ ବେଶ କିଛି ସମୟ ପାଇଁ ସେହି ସ୍ଥାନରେ ଅଟକି ରହିଯାଏ |କିନ୍ତୁ ଆଶ୍ଚର୍ଯ୍ୟର କଥା,ସେ ଯେଉଁ ଅତର ବ୍ୟବହାର କରୁଥିଲେ,ତାକୁ ଅନ୍ୟମାନେ ଯେତେ ଅଧିକ ମାତ୍ରାରେ ଲଗେଇଲେ ବି ତାଙ୍କ ପରି ସୁଗନ୍ଧ ଆସୁ ନଥିଲା  | ଦୁଇ ପୁଅଝିଅ ତାଙ୍କର କେବେଠାରୁ  ବାହାହୋଇ,ନାତି ନାତୁଣୀ  ସ୍କୁଲ ଗଲେଣି |ତଥାପି ବୁଢ଼ୀ ବୟସରେ ୟେ କି ଫେସନ !!ଛିଃ  ଛିଃ |ନାରୀ ମହଲରେ ଏକଥା ପଡିଲେ,ସମସ୍ତେ ନାକ ଟେକନ୍ତି |ତାଙ୍କର ନାମ ଜୁଲି ହେଲେହେଁ କେତେଜଣ ତାଙ୍କୁ ଥଟ୍ଟାରେ ଝିଲିମିଲି ମାଉସୀ ଡାକୁ ଡାକୁ  କ୍ରମେ ସେ ସେହି ନାମରେ କଲୋନୀରେ ପରିଚିତ ହୋଇଗଲେ |

           ସବୁଦିନ ଅପରାହ୍ନରେ କଲୋନୀରେ ନାରୀ ମହଲର ମିଟିଂ ବସେ |ସେଠାରେ ସବୁ ବିଷୟରେ ଆଲୋଚନା ହୁଏ |ଦିନଯାକର କ୍ଲାନ୍ତି ମେଣ୍ଟାଇବା ପାଇଁ ସେହି ବନ୍ଧୁମିଳନ  ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଥିବାବେଳେ ଝିଲିମିଲି ମାଉସୀ କିନ୍ତୁ କେବେ ବି ସେଠାକୁ ଆସୁ ନଥିଲେ |ସେ କହୁଥିଲେ ,ଘରେ ମୋର କେତେ କାମ,ଅଯଥାରେ  ଗପି କି ଲାଭ ??ତାଙ୍କର ଏହି କଥା,ସମସ୍ତଙ୍କ ଦେହରେ କଣ୍ଟା ପରି ଗଳିଯାଉଥିଲା  |କେହି କେହି କହୁଥିଲେ ,ବୋପାଲୋ ,ଏଇ ଏକା ସଂସାରକୁ ମୁଣ୍ଡେଇ ଧରିଛି,ଆମେ କଣ ଘରେ କାମ କରୁନୁ ନାଁ ଆମ ସଂସାର ଚାଲୁନି ?ଯେତେବେଳେ ଦେଖିବ,ଦୁଇ ପ୍ରାଣୀ ସେଇ ଛାତ ଉପରେ ଥିବା ଗଛ ଗୁଡିକୁ ନିରେଖି ଚାହିଁ ରହିଥିବେ |କଣ ସେଥିରୁ ପାଆନ୍ତି କେଜାଣି !!

              ସପ୍ତାହରେ ଥରେ  ସ୍ୱାମୀ ସ୍ତ୍ରୀ ଦୁଇଜଣ ଯେମିତିହେଲେ ସେମାନଙ୍କ କାର ନେଇ ବାହାରକୁ ବୁଲି ଯାଉଥିଲେ  |ସେଦିନ ସେମାନଙ୍କର ବାହାରେ ଖାଇ ଆସିବା ଥୟ |ସେମାନେ ଯେଉଁଠାରେ ଆଗରୁ ରହୁଥିଲେ, ସେଠାରେ ଥିବା ଏକ ଛୋଟ ରେସ୍ତୋରାଁ ର ସେମାନେ କାଳେ ନିୟମିତ ଗରାଖ ଥିଲେ |ତାର ରୁଟି ତଡକା ଆଖପାଖରେ ଏତେ  ପ୍ରସିଦ୍ଧ ଯେ ରାତି  ନଅଟା ସୁଦ୍ଧା ସବୁ ମାଲ ବିକ୍ରୀ ହୋଇ ଦୋକାନ ବନ୍ଦ ହୋଇଯାଉଥିଲା |ଜୁଲିଙ୍କ ସବୁଠାରୁ ବଡ଼ ସମାଲୋଚିକା ହେଲେ ରୀତୁ |ତାଙ୍କୁ ଏସବୁ ଜଣା |କାରଣ ତାଙ୍କ ଘରେ ରୀତୁଙ୍କ ଅବାଧ ପ୍ରବେଶ |ସେ ହିଁ ନାରୀ ମହଲରେ ତାଙ୍କର ସବୁ ଗୁମର ଖୋଲିଦେଉଥିଲେ | 

              କରୋନା ଯୋଗୁଁ ସମସ୍ତଙ୍କର ସବୁ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣଛେଦ ପଡି ଯାଇଥିଲା |କଟକଣା ପାଇଁ ନାରୀମହଲ ର ଦରବାର ବି ଆଉ ବସି ପାରୁ ନଥିଲା |ପିଲାମାନେ ଘରେ ବୋର ହୋଇ ଉତ୍ପାତ କରୁଥିଲେ | ଦିନେ ରୀତୁଙ୍କ ପୁଅ ବଣ୍ଟି ପାଚେରୀ ଉପରେ ଚଢିଥିବାବେଳେ ଅସାବଧାନତା ବଶତଃ ତଳକୁ ଖସି ତା ମୁଣ୍ଡ ଫାଟିଗଲା |କ୍ଷତ ଏତେ ଗଭୀର ଥିଲା ଯେ ରକ୍ତସ୍ରାବ ବନ୍ଦ ହେଉ ନଥିଲା |ସେ ଓ ତାଙ୍କ ସ୍ୱାମୀ ରବି  ବ୍ୟସ୍ତ ହୋଇ ପାଖ ପଡୋଶୀ ମାନଙ୍କ ସହାୟତା ଲୋଡିଲେ |କିନ୍ତୁ ସେତେବେଳକୁ ସମସ୍ତଙ୍କ ତାଟି କବାଟ ପଡି ଯାଇଥିଲା |ରୀତୁ ମୁଣ୍ଡ ପିଟି କାନ୍ଦୁଥିଲେ ଓ ରବି  କାହାକୁ କାହାକୁ ଫୋନ କରୁଥିଲେ |ସେତେବେଳେ ମହାପାତ୍ର ବାବୁଙ୍କ ପୂଜାପାଠ  ସମୟ | ସବୁଦିନ ପରି ଜୁଲି ସେତେବେଳେ ଗେଟ ଆଖପାଖରେ ବୁଲି, ନିଜ ଲୋକଙ୍କ ସହ  ମୋବାଇଲରେ ଗପୁଥିଲେ   |ରୀତୁଙ୍କ ଘରେ ପାଟି ଶୁଣି,ଜୁଲି  ସେଠାକୁ ଯାଇ ସବୁ ଘଟଣା ଜାଣି ପାରିଲେ |କରୋନା ଯୋଗୁଁ ମଣିଷ କଣ,ସ୍ୱୟଂ ଡାକ୍ତର ମଧ୍ୟ ସହାୟତାର ହାତ ବଢାଇବାକୁ ପଛଘୁଞ୍ଚା ଦେଉଛନ୍ତି |କିନ୍ତୁ ଯାହା ସମ୍ଭବ ତାକୁ କରିବାକୁ ପଡିବ |ସେ ସଙ୍ଗେ ସଙ୍ଗେ କାହା ସହିତ ଫୋନରେ କଥା ହୋଇ ରୀତୁଙ୍କୁ କହିଲେ,ଆପଣ ରେଡି ହୋଇ ପିଲାକୁ ଧରି ବାହାରନ୍ତୁ ,ମୁଁ ସାଙ୍ଗେ ସାଙ୍ଗେ ଆସୁଛି |ଏହା କହି ସେ ଚାଲିଗଲେ ଓ ପାଞ୍ଚ  ମିନିଟ ଭିତରେ ଫେରି ଆସିଲେ |ସାଙ୍ଗରେ ତାଙ୍କର କାର ଓ ଡ୍ରାଇଭିଂ ସିଟରେ ସେ ନିଜେ |ଏହା ଦେଖି ରୀତୁଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ |ସେ କହିଲେ,ଆପଣ କାର ବି ଚଲେଇ ଜାଣନ୍ତି????ଜୁଲି କହିଲେ,ପଛେ କଥା ହେବା ,ଏବେ ଶୀଘ୍ର ଆସନ୍ତୁ  |ରବି,ରୀତୁ ଓ ବଣ୍ଟି କାରରେ ବସିଲେ |ଜୁଲି ସେମାନଙ୍କୁ ନେଇ ତାଙ୍କ ସମ୍ପର୍କୀୟଙ୍କ କ୍ଲିନିକ୍କୁ ଗଲେ |ଡାକ୍ତର ବାବୁ କହିଲେ,ଯାହାହେଉ ଆପଣମାନେ ଠିକ ସମୟରେ ଆସିଲେ,ଡେରି ହୋଇଥିଲେ ଅସୁବିଧା ହୋଇ ଥାଆନ୍ତା |

             ପୁଅର ଚିକିତ୍ସା ଚାଲିଥିବାବେଳେ,ରୀତୁ ଅପଲକ ନୟନରେ ଜୁଲିଙ୍କୁ ଚାହିଁ ରହିଥିଲେ |ଏହି ମହିଳାଙ୍କୁ ଙ୍କୁ ସେ କଣ ନ କହିଛନ୍ତି !ଅଥଚ ତାଙ୍କ ବିପଦବେଳେ ସେ ଈଶ୍ୱରଙ୍କ ପରି ସାହାଯ୍ୟ କରିବାକୁ ଆଗେଇ ଆସିଲେ |କିନ୍ତୁ ଯେଉଁମାନଙ୍କ ସହ  ସଙ୍ଗାତ,ମାଉସୀ,ପିଉସୀ ଇତ୍ୟାଦି କହି ଅନ୍ତରଙ୍ଗ ସମ୍ପର୍କ ବଢ଼ାଇ ଥିଲେ,ଠିକଣା ସମୟରେ ସେମାନେ ମୁହଁ ଫେରାଇ ନେଲେ |ବଣ୍ଟି  ଯେତେବେଳେ ଆସି ତାଙ୍କ କୋଳରେ ବସିଲା,ସେତେବେଳେ ତାଙ୍କ ଧ୍ୟାନ ଭାଙ୍ଗିଲା |ଡାକ୍ତରଙ୍କୁ ତାଙ୍କ ଫିସ ଦେବାପାଇଁ ସେ ତାଙ୍କ ପର୍ସ ଖୋଲିଲା ବେଳକୁ,ଜୁଲି ତାଙ୍କୁ ରୋକିଦେଇ କହିଲେ,ସେକଥା ମୁଁ ବୁଝିବି,ଏବେ ଚାଲନ୍ତୁ ମେଡ଼ିସିନ ଆଣିବା |ଜୁଲି କାହାକୁ ଫୋନ କରି ବୁଝିଲେ,ସେ ତାଙ୍କ ମେଡ଼ିସିନ ଷ୍ଟୋରକୁ ଆସିବାକୁ ଡେରି ହେବ |ତେଣୁ ସେ ତାଙ୍କ ଘରକୁ ଯାଇ,ଡାକ୍ତର ଲେଖିଥିବା ଔଷଧ ନେଇ ଆସିଲେ |ଏଥର ରୀତୁଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା |ସେ ଜୁଲିଙ୍କ ପାଦ ଦୁଇଟି ଧରି ପକାଇ କହିଲେ,ମାଡାମ ,ଆପଣ ଆଜି ଆମ ପାଇଁ ଯାହା କଲେ,ଆମ ନିଜର ଲୋକ ସେତିକି କରି ପାରି ନଥାନ୍ତେ  |ଆପଣଙ୍କ ବେଶଭୂଷା ଦେଖି ମୁଁ କେତେ କଣ କହିଛି |ଏବେ ଜାଣୁଛି ,ମଣିଷର ବାହାର ଚେହେରା ଦେଖି, ଅନ୍ତଃସୌନ୍ଦର୍ଯ୍ୟର କଳନା  କରିବା ଅସମ୍ଭବ  | ମୋ ଜୀବନର ସବୁଠାରୁ ବଡ଼ ଶିକ୍ଷା ମୁଁ ଆଜି ପାଇଲି |ଜୁଲି ଅତି  ସରଳ ଭାବରେ ହସିଦେଇ କହିଲେ,ମୁଁ କଣ ଏମିତି କରି ପକେଇଲି ଯେ ,ଆପଣ ଟେକା ଟେକି କରି ଏତେ କଥା କହି ସାରିଲେଣି ! ଏବେ ବଣ୍ଟି ଆମର ଫାଷ୍ଟ ପ୍ରାୟରିଟି ,ତା କଥା ବୁଝନ୍ତୁ ,ବାକି  ସବୁକଥା  ଭୁଲି ଯାଆନ୍ତୁ |

                          କ୍ରମେ କରୋନାର ଭୟଙ୍କର ପ୍ରକୋପ ବୃଦ୍ଧି ପାଇ ଚାଲିଥିଲା |ତା ପାଖରେ  ଭଲ ମନ୍ଦ,ପାପ ପୁଣ୍ୟ କିଛିର ଭେଦଭାବ ନଥିଲା |ବରଂ ଯେଉଁମାନେ କରୋନା ରୋଗୀମାନଙ୍କର ସେବା କରିବାକୁ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସୁଥିଲେ,ସେହିମାନେ ପ୍ରଥମେ ତାର ଶୀକାର ହେଉଥିଲେ |ଦିନେ ଶୁଣାଗଲା,ମହାପାତ୍ର ବାବୁଙ୍କୁ କରୋନା ହୋଇଛି |ଏକଥା ଜାଣି  କରୋନା ଭୟରେ କେହି ତାଙ୍କ ଘର ଦୁଆର ମୁହଁ ମାଡିଲେ ନାହିଁ |କିନ୍ତୁ ସେଦିନ ସନ୍ଧ୍ୟାରେ ହିଁ ଜୁଲି ନିଜେ କଲୋନୀ ସୋସାଇଟି ହ୍ୱାଟସ ଅପ ଗୃପରେ ମହାପାତ୍ର ବାବୁଙ୍କ କୋଭିଡ ଆକ୍ରାନ୍ତ ହେବା  କଥା ଜଣାଇ ସମସ୍ତଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କଲେ | ସେ  କାହାକୁ  ସାହାଯ୍ୟ ନମାଗି ମହାପାତ୍ର ବାବୁଙ୍କୁ ନିଜେ କୋଭିଡ ହସ୍ପିଟାଲରେ ଆଡମିଶନ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଭଲ କରିବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ  |କିନ୍ତୁ ମହାପାତ୍ର ବାବୁଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଥିଲା | 

                ଦିନେ ସନ୍ଧ୍ୟାରେ ଦେଖାଗଲା ଜୁଲିଙ୍କ ଘରକୁ ତାଙ୍କ ପୁଅ,ବୋହୂ ଆସିଛନ୍ତି |ପରେ ପରେ ଝିଅ ଜ୍ୱାଇଁ,ଭାଇ ଭାଉଜ ଇତ୍ୟାଦି ଅନେକ  ଆତ୍ମୀୟସ୍ୱଜନ ଜଣକ ପରେ ଜଣେ ଆସି ପହଞ୍ଚିବାକୁ ଲାଗିଲେ |ରୀତୁ ସେତେବେଳେ ଜୁଲିଙ୍କୁ ଫୋନ କଲେ |କିନ୍ତୁ ସେ ଫୋନ ଉଠାଇଲେ ନାହିଁ |କଲୋନୀରେ ଏତେ ଲୋକ ଥିବା ସତ୍ତ୍ୱେ,କରୋନାକୁ ଭୟ କରି କେହି ଜଣେ ବି ତାଙ୍କ ଘରକୁ ଗଲେନାହିଁ |ତାଙ୍କ ପୁଅକୁ ଜୁଲି ଯେପରି ଅଯାଚିତ ଭାବରେ ସେବା କରିଥିଲେ,ସେକଥା ମନେ ପକାଇ ତାଙ୍କର ଏହି ବିପଦ ବେଳେ ରୀତୁ ତାଙ୍କ ଘରକୁ ଯିବେ କି ନାହିଁ ଭାବୁ ଭାବୁ ଶେଷରେ ଆଉ ଯାଇ ପାରିଲେ ନାହିଁ |ପରେ କାନ୍ଦ ବୋବାଳି ଶୁଣି ମହାପାତ୍ର ବାବୁ ଚାଲିଗଲେ ବୋଲି ସମସ୍ତେ ଜାଣିଲେ  |

                ଶବ ସଂସ୍କାର ପରେ ଘରେ ଚାବି  ପକାଇ ସମସ୍ତେ ଗାଆଁକୁ ଚାଲିଯିବା ପରେ କଲୋନୀ ଲୋକ ଟିକେ ଶାନ୍ତିରେ  ନିଃଶ୍ୱାସ ମାରିଲେ |କାରଣ ଏହା କଲୋନୀର ପ୍ରଥମ କୋଭିଡ ମୃତ୍ୟୁ ଥିଲା ଓ ସମସ୍ତେ ଜୁଲିଙ୍କ ଦୁଃସମୟ ଅପେକ୍ଷା ନିଜ ନିରାପତ୍ତା ବିଷୟରେ ଅଧିକ ଚିନ୍ତିତ ଥିଲେ |ମାସେ ପରେ ପୁଅ ବୋହୂ ଓ ନାତିଙ୍କ ସହିତ ଜୁଲି ଫେରିଲେ |ଜୁଲିଙ୍କ ପୁଅ ବୋହୂ ବାହାରେ ଚାକିରୀ କରୁଥିବାରୁ ସେମାନେ ଚାଲିଯିବା ନିଶ୍ଚିତ ଥିଲା  |କଲୋନୀର ସମ୍ପାଦକ ପରିଡା ବାବୁ ଦିନେ ଜୁଲିଙ୍କ ପୁଅଙ୍କ ସାଙ୍ଗେ କଥା ହୋଇ ଜାଣିଲେ,ସେମାନେ ସପ୍ତାହେ ପରେ ଚାଲିଯିବେ |ସେ ପୁଅଙ୍କୁ କହିଲେ,ମାଆଙ୍କୁ ଏକୁଟିଆ ଛାଡି ଯାଅ ନାହିଁ,ତାଙ୍କୁ ସାଙ୍ଗରେ ନେଇଯାଅ |ପୁଅ ତାଙ୍କ କଥା ମନଦେଇ ଶୁଣିଲା,କିନ୍ତୁ କିଛି କହିଲା ନାହିଁ |

             ସପ୍ତାହେ ପରେ ଦେଖାଗଲା,ପୁଅ ବୋହୂ ଓ ନାତି ଚାଲିଗଲେ |କିନ୍ତୁ ତାଙ୍କ ସହିତ ଜୁଲି ଗଲେନାହିଁ |ଏହାଦେଖି ସମସ୍ତେ ଅଶାନ୍ତି ହେଲେ ଓ ମନେ ମନେ ସ୍ଥିର କଲେ,ତାଙ୍କ ପିଲାମାନେ ଯଦି ତାଙ୍କ ଦାୟିତ୍ତ୍ୱ ନେଲେନାହିଁ,ତାହେଲେ,ଆମର ମଧ୍ୟ ଏ ବାବଦରେ,ମୁଣ୍ଡବିନ୍ଧା କରିବାର ନାହିଁ |ଏଥରକ କଲୋନୀରେ ଜୁଲିଙ୍କର ସନ୍ଦେହଜନକ ଗତିବିଧି ସମସ୍ତଙ୍କର ଚର୍ଚ୍ଚାର ବିଷୟବସ୍ତୁ ପାଲଟିଗଲା |ଏମିତିକି ରୀତୁ ମଧ୍ୟ ସେହି ଆଲୋଚନାରେ ଭାଗ ନେଇ ପଦେ ଅଧେ କହି ଦେଉଥିଲେ |ଜୁଲି ସବୁଦିନ ପୂର୍ବାହ୍ନ ନଅଟାରେ କାର ଡ୍ରାଇଭିଂ କରି କୁଆଡେ ବାହାରି ,ସନ୍ଧ୍ୟାରେ ଘରକୁ ଫେରୁଥିଲେ  |ରାତି ଆଠଟା ବେଳକୁ ତାଙ୍କ ଘରର ସବୁ ଲାଇଟ ଅଫ ହୋଇଯାଉଥିଲା  |ବୋଧହୁଏ ସେ ସେତିକିବେଳେ ଶୋଇବାକୁ ଯାଉଥିଲେ  |

              ଏମିତି କିଛିଦିନ ଯିବାପରେ ଦିନେ ସକାଳେ ଜୁଲି ସୋସାଇଟିର ସମ୍ପାଦକ ଓ ସଭାପତିଙ୍କୁ ନିଜ ଘରକୁ ଡାକିଲେ |ସେମାନେ ପ୍ରଥମେ ବିଭିନ୍ନ କାମର ଆଳ ଦେଖାଇ ଯିବାପାଇଁ ମନା କରି ଦେଉଥିଲେ |କିନ୍ତୁ ଜୁଲି ବାଧ୍ୟ କରିବାରୁ ଅନିଚ୍ଛା ସତ୍ତ୍ୱେ ଦୁହେଁ ତାଙ୍କ ଘରକୁ ଗଲେ |ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି,ଜୁଲି  କହିଲେ,ମୁଁ ଏହି ଘର ଛାଡି ସବୁଦିନ ପାଇଁ ଚାଲି ଯାଉଛି | ପରିଡା ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ,କାହିଁକି ଯିବେ ଓ କୁଆଡେ ଯିବେ ?ଏଇଠି ତ ଆମେ ଗୋଟିଏ ପରିବାର ପରି ଚଳୁଥିଲୁ,ଆପଣଙ୍କର କଣ ଅସୁବିଧା ହେଲା ?ଜୁଲି କହିଲେ,ସେହିକଥା କହିବାପାଇଁ ମୁଁ ଆପଣମାନଙ୍କୁ ଡାକିଛି |

                       ତାପରେ ଜୁଲି ଯାହା କହିଲେ,ତାର ସାର ମର୍ମ ହେଲା,ଜୁଲି ଓ ତାଙ୍କ ସ୍ୱାମୀ ମହାପାତ୍ର ବାବୁ ନିଜର ପିଲା ଦୁଇଟିଙ୍କୁ ମଣିଷ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ଓ  ନିଜ ଭାଇ,ବନ୍ଧୁ,କୁଟୁମ୍ବ ଆଦି ସମସ୍ତଙ୍କୁ ଭୁଲି ଯାଇଥିଲେ | ପିଲାମାନେ ମଧ୍ୟ ସେମାନଙ୍କୁ ନିରାଶ କରିନଥିଲେ |ସେମାନେ ଭଲ ଚାକିରୀ କରି ବାହାହେବା ପରେ ମହାପାତ୍ର ବାବୁ ନିଶ୍ଚିନ୍ତ ହୋଇଯାଇଥିଲେ ଓ ସବୁବେଳେ ଜୁଲିଙ୍କୁ କହୁଥିଲେ ଅବସର ନେବାର ପ୍ରଥମ ଦଶବର୍ଷ ସମସ୍ତଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ |କାରଣ ଯେତେ ସ୍ୱାସ୍ଥ୍ୟ ସଚେତନ ରହିଲେ ବି,ଏହାପରେ ଧୀରେ ଧୀରେ ବାର୍ଦ୍ଧକ୍ୟ ଆକ୍ରମଣ କରିବା ଆରମ୍ଭ କରିଦିଏ |ତେଣୁ ଏହି ଦଶବର୍ଷ ଆମେ ଆମ ହିସାବରେ ଜିଇଁବା |ଯାହା ଇଛା ତାହା ଖାଇବା,ନିଜ ମନ ପସନ୍ଦର ସ୍ଥାନ ବୁଲିବାକୁ ଯିବା ଓ ଆମ ଆତ୍ମୀୟସ୍ୱଜନ,ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ସ୍ଥାପନ କରି,କ୍ୱାଲିଟି ସମୟ ବିତେଇବା |ପୁଅ ଝିଅ କିନ୍ତୁ ତାଙ୍କ କଥାରେ ରାଜି ହେଲେ ନାହିଁ |ପୁଅ କହିଲା,ଆମେ ଦୁଇଜଣ ଚାକିରୀ କରିବାକୁ ଯାଉଛୁ,ପିଲା ଡେ କେଆରରେ ରହୁଛି |ତମେ ଆସିଲେ,ସେ ତୁମମାନଙ୍କ ପାଖରେ ରହିବ ଓ ଆମର ଆଉ ଟେନସନ ରହିବ ନାହିଁ | ଅନୁରୂପ ଭାବେ ଝିଅ କହିଲା,ମୋ ଶାଶୁଙ୍କ ଅପେକ୍ଷା ତମେ  ମୋ ମନ କଥା ଭଲକରି ବୁଝିପାରିବ,ତେଣୁ ଭାଇ ପାଖରେ ନରହି,ମୋ ପାଖରେ ରୁହ |ମହାପାତ୍ର ବାବୁ କିନ୍ତୁ ନିଷ୍ପତ୍ତି ନେଇ ସାରିଥିଲେ |ସେ କାହା କଥାରେ ରାଜି ହେଲେ ନାହିଁ |ଏଥର ପିଲାମାନେ ଜୁଲିଙ୍କ ଉପରେ ଚାପ ପକାଇଲେ |କିନ୍ତୁ ଜୁଲି ସ୍ୱାମୀଙ୍କ ନିଷ୍ପତ୍ତିକୁ ଅଗ୍ରାଧିକାର ଦେଲେ |ଦିନେ ପୁଅ ବିରକ୍ତ ହୋଇ କହିଲା,ଠିକ ଅଛି,ଦଶ ବର୍ଷ ପରେ ତମେ ଜରାନିବାସରେ ରହିବ,ଆଉ ଆମ ପାଖକୁ ଆସିବ ନାହିଁ |ମହାପାତ୍ର ବାବୁ ମଧ୍ୟ ନିଜ ଜିଦ୍ଦିରେ ଅଟଳ ରହି କହିଲେ,ହଁ,ଆମେ ସେଇଆ କରିବୁ |ଜୁଲି କିନ୍ତୁ ପିଲାମାନଙ୍କ ସହ ସମ୍ପର୍କ କାଟି ନଥିଲେ | ସକାଳେ ଯେତେବେଳେ ମହାପାତ୍ର ବାବୁ ପୂଜାରେ ବସୁଥିଲେ,ସେତିକିବେଳେ ତାଙ୍କ ଅଗୋଚରରେ ସେ ନିଶ୍ଚିତ ଭାବରେ ପୁଅ ଝିଅଙ୍କ ସହ କଥା ହେଉଥିଲେ |

                   ଏହାପରେ ମହାପାତ୍ର ବାବୁ ତାଙ୍କ ବନ୍ଧୁ ସ୍ଥାପନ କରିଥିବା ଜରାନିବାସର ସକ୍ରିୟ ସଦସ୍ୟ ହୋଇଗଲେ ଓ ସେଠାକୁ ସେମାନେ ନିୟମିତ ଯିବା ଆସିବା କରୁଥିଲେ |ଏହି କଲୋନୀରେ ରହିବାପାଇଁ ମହାପାତ୍ର ବାବୁଙ୍କର ଆଦୌ ଇଛା ନଥିଲା |ସେ ଭୁବନେଶ୍ୱରର ଭଡ଼ାଘରେ ନିଜ ପ୍ରିୟ ବନ୍ଧୁମାନଙ୍କ ସହ ବେଶ ଖୁସିରେ ଥିଲେ |କିନ୍ତୁ ଘର ମାଲିକ ବାରମ୍ବାର ଘର ଭଡା ବଢେଇବାରୁ ସେମାନେ ବାଧ୍ୟ ହୋଇ ଏଠାକୁ ଆସିଥିଲେ |ମହାପାତ୍ର ବାବୁ  ପରଲୋକ ଗମନ କରିବା ପରେ ପିଲାମାନେ ତାଙ୍କ ପାଖରେ ରହିବାପାଇଁ ଡାକୁଥିଲେ |କିନ୍ତୁ ବହୁତ ଚିନ୍ତା କରିବା ପରେ ତାଙ୍କର  ମଧ୍ୟ ହୃଦବୋଧ ହେଲା ଯେ,ଭିନ୍ନ ଧରଣର ଜୀବନ ଜିଇଁବା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ |ଏଥିରେ ଆନନ୍ଦ ଅଛି ଓ ରୋମାଞ୍ଚ ମଧ୍ୟ ଅଛି |ତେଣୁ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ଓ ତାଙ୍କ ଶେଷ ଇଛାକୁ ସମ୍ମାନ ଦେଇ  ସବୁ ମାୟା ମୋହ ଛାଡି ସେ ଜରାନିବାସରେ ରହିବାପାଇଁ ମନସ୍ଥ କଲେ |

                   ତାପରେ ସେ କହିଲେ,ମୁଁ ଜାଣିଛି,ସୋସାଇଟିର ନିଜସ୍ୱ ଘରଟିଏ ନାହିଁ ବୋଲି ଆପଣମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ସେଥିପାଇଁ ମୋ ଘର ସୋସାଇଟିକୁ ଦାନ କରି ମୁଁ ଏଠାରୁ ସବୁଦିନ ପାଇଁ ଚାଲି ଯାଉଛି |ଆପଣମାନେ ଭବିଷ୍ୟତରେ ହଇରାଣ ନହେବା ପାଇଁ,ଆଇନ ଅନୁଯାୟୀ ଏଥିପାଇଁ ଯାହା କରିବା କଥା ଓକିଲଙ୍କ ସାଙ୍ଗେ ପରାମର୍ଶ କରି ପେପର ପ୍ରସ୍ତୁତ କରିଛି | ତଥାପି ଯଦି ଦରକାର ପଡି଼ବ,ମତେ ଫୋନ କଲେ ମୁଁ ଆସିବି |ଘରର ଚାବି ଓ ଆବଶ୍ୟକୀୟ କାଗଜପତ୍ର ସେମାନଙ୍କୁ ହସ୍ତାନ୍ତର କରି ଜୁଲି ତାଙ୍କର ଚିର ପରିଚିତ ଅଭୁଲା ସ୍ମିତ ହାସ୍ୟ ଖେଳାଇ,ସେମାନଙ୍କ ଠାରୁ ବିଦାୟ ନେଇ କାର ଡ୍ରାଇଭିଂ କରି ଚାଲିଗଲେ | ସମ୍ପାଦକ ଓ ସଭାପତିଙ୍କ ମୁହଁରେ ଭାଷା ନଥିଲା ଓ ସେମାନେ ଅବାକ ହୋଇ ତାଙ୍କ ଯିବା ବାଟକୁ ଚାହିଁ ଛିଡା ହୋଇଥିଲେ   |(ସମାପ୍ତ )