Sunday, September 6, 2020

ଝିଲିମିଲି ମାଉସୀ

                ନୂଆକରି କଲୋନୀରେ ଆସି ରହୁଥିବା ମହାପାତ୍ର ଦମ୍ପତ୍ତିଙ୍କୁ  ନେଇ ଆଜିକାଲି ଭାରି ଚର୍ଚ୍ଚା |ଦୁହେଁ ପଡୋଶୀ ମାନଙ୍କ ସହ ଏତେ ମିଳାମିଶା କରନ୍ତି ନାହିଁ;ଅଧିକାଂଶ ସମୟ  ଘର ଭିତରେ ନିଜ କାମରେ ବ୍ୟସ୍ତ ଥାଆନ୍ତି |ନୂଆ ଘରକୁ ଆସିବାର ଅଳ୍ପଦିନ ଭିତରେ ସେମାନେ ତାଙ୍କ ଘର ଛାତ ଉପରେ ନାନା ପ୍ରକାର ଫୁଲ ଓ ଫଳ ଗଛ ଲଗାଇ ତାକୁ ଏକ ଛୋଟିଆ ନନ୍ଦନ କାନନରେ ପରିଣତ  କରି ସାରିଲେଣି |କିନ୍ତୁ ପୂଜା ପର୍ବରେ କିଏ ଫୁଲ ଗୋଟିଏ ମାଗିଲେ,ସେମାନଙ୍କ ଦେହରୁ ଇଞ୍ଚେ ରକ୍ତ ଶୁଖିଯାଏ |ଦୁହେଁ ସଫା ସଫା ମନା କରି ଦିଅନ୍ତି |ମିସେସ ମହାପାତ୍ର ଠାକୁରଙ୍କୁ ଧୂପ ଦେଇ,ମୁଣ୍ଡିଆ ମାରି ପୂଜା ଶେଷ କରିବା ବେଳେ  ମିଷ୍ଟର ମହାପାତ୍ର ,ସକାଳେ ଦୁଇଘଣ୍ଟା ଓ ସନ୍ଧ୍ୟାରେ ଘଣ୍ଟାଏ ପୂଜା ପାଠରେ ସମୟ ବିତାନ୍ତି |ଏହି ସମୟରେ କେହି ଯେପରି  ତାଙ୍କୁ ଡିଷ୍ଟର୍ବ ନକରି ପାରିବେ,ସେଥିପ୍ରତି  ମିସେସ ମହାପାତ୍ର ସଜାଗ ଥାଆନ୍ତି  |ସେତେବେଳେ ସେ ନିଜ ମୋବାଇଲଟି କାନରେ ଦେଇ କେତେବେଳେ ତାଙ୍କ ଗେଟ ପାଖରେ ତ କେତେବେଳେ ଛାତ ଉପରେ ବୁଲି ଦୁନିଆଁ ଲୋକଙ୍କ ସଂଗେ କଥା ହେଉ ଥାଆନ୍ତି |ସିଏ ଏକ  ଅଦ୍ଭୁତ ପ୍ରକାରର ମଣିଷ |ବୟସାଧିକ୍ୟ ହୋଇଥିଲେ  ବି ତାଙ୍କ  ଫେସନରେ ଆଞ୍ଚ ଆସିନଥିଲା   | ପ୍ରତିଦିନ ଶାଢ଼ୀ ରଙ୍ଗ ସହିତ ମ୍ୟାଚ କରି ଚୂଡି,କାନଫୁଲ,ହାର,ଇତ୍ୟାଦି ବିଭିନ୍ନ ଡିଜାଇନର ସୁନ୍ଦର ସୁନ୍ଦର ଇମିଟେସନ ଗହଣା ସେ ପିନ୍ଧନ୍ତି |ସୁନା ଗହଣା ପିନ୍ଧିବାକୁ ତାଙ୍କୁ କୁଆଡେ ଆଦୌ ଭଲ ଲାଗେନା |କାରଣ ପଚାରିଲେ କହନ୍ତି,ସେଇଆକୁ ସେଇଆକୁ ସବୁଦିନ କେତେ ପିନ୍ଧିବି ?  ଗୋରା ରଙ୍ଗ ଓ ସୁନ୍ଦର ଚେହେରା  ସାଙ୍ଗକୁ ସଦା ହସ ହସ ପାନଖିଆ ନାଲି ଓଠ ତାଙ୍କୁ ଖୁବ ମାନେ |ସେ ଯୁଆଡେ ଯାଆନ୍ତି ,ଅତରର ସୁଗନ୍ଧ ବେଶ କିଛି ସମୟ ପାଇଁ ସେହି ସ୍ଥାନରେ ଅଟକି ରହିଯାଏ |କିନ୍ତୁ ଆଶ୍ଚର୍ଯ୍ୟର କଥା,ସେ ଯେଉଁ ଅତର ବ୍ୟବହାର କରୁଥିଲେ,ତାକୁ ଅନ୍ୟମାନେ ଯେତେ ଅଧିକ ମାତ୍ରାରେ ଲଗେଇଲେ ବି ତାଙ୍କ ପରି ସୁଗନ୍ଧ ଆସୁ ନଥିଲା  | ଦୁଇ ପୁଅଝିଅ ତାଙ୍କର କେବେଠାରୁ  ବାହାହୋଇ,ନାତି ନାତୁଣୀ  ସ୍କୁଲ ଗଲେଣି |ତଥାପି ବୁଢ଼ୀ ବୟସରେ ୟେ କି ଫେସନ !!ଛିଃ  ଛିଃ |ନାରୀ ମହଲରେ ଏକଥା ପଡିଲେ,ସମସ୍ତେ ନାକ ଟେକନ୍ତି |ତାଙ୍କର ନାମ ଜୁଲି ହେଲେହେଁ କେତେଜଣ ତାଙ୍କୁ ଥଟ୍ଟାରେ ଝିଲିମିଲି ମାଉସୀ ଡାକୁ ଡାକୁ  କ୍ରମେ ସେ ସେହି ନାମରେ କଲୋନୀରେ ପରିଚିତ ହୋଇଗଲେ |

           ସବୁଦିନ ଅପରାହ୍ନରେ କଲୋନୀରେ ନାରୀ ମହଲର ମିଟିଂ ବସେ |ସେଠାରେ ସବୁ ବିଷୟରେ ଆଲୋଚନା ହୁଏ |ଦିନଯାକର କ୍ଲାନ୍ତି ମେଣ୍ଟାଇବା ପାଇଁ ସେହି ବନ୍ଧୁମିଳନ  ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଥିବାବେଳେ ଝିଲିମିଲି ମାଉସୀ କିନ୍ତୁ କେବେ ବି ସେଠାକୁ ଆସୁ ନଥିଲେ |ସେ କହୁଥିଲେ ,ଘରେ ମୋର କେତେ କାମ,ଅଯଥାରେ  ଗପି କି ଲାଭ ??ତାଙ୍କର ଏହି କଥା,ସମସ୍ତଙ୍କ ଦେହରେ କଣ୍ଟା ପରି ଗଳିଯାଉଥିଲା  |କେହି କେହି କହୁଥିଲେ ,ବୋପାଲୋ ,ଏଇ ଏକା ସଂସାରକୁ ମୁଣ୍ଡେଇ ଧରିଛି,ଆମେ କଣ ଘରେ କାମ କରୁନୁ ନାଁ ଆମ ସଂସାର ଚାଲୁନି ?ଯେତେବେଳେ ଦେଖିବ,ଦୁଇ ପ୍ରାଣୀ ସେଇ ଛାତ ଉପରେ ଥିବା ଗଛ ଗୁଡିକୁ ନିରେଖି ଚାହିଁ ରହିଥିବେ |କଣ ସେଥିରୁ ପାଆନ୍ତି କେଜାଣି !!

              ସପ୍ତାହରେ ଥରେ  ସ୍ୱାମୀ ସ୍ତ୍ରୀ ଦୁଇଜଣ ଯେମିତିହେଲେ ସେମାନଙ୍କ କାର ନେଇ ବାହାରକୁ ବୁଲି ଯାଉଥିଲେ  |ସେଦିନ ସେମାନଙ୍କର ବାହାରେ ଖାଇ ଆସିବା ଥୟ |ସେମାନେ ଯେଉଁଠାରେ ଆଗରୁ ରହୁଥିଲେ, ସେଠାରେ ଥିବା ଏକ ଛୋଟ ରେସ୍ତୋରାଁ ର ସେମାନେ କାଳେ ନିୟମିତ ଗରାଖ ଥିଲେ |ତାର ରୁଟି ତଡକା ଆଖପାଖରେ ଏତେ  ପ୍ରସିଦ୍ଧ ଯେ ରାତି  ନଅଟା ସୁଦ୍ଧା ସବୁ ମାଲ ବିକ୍ରୀ ହୋଇ ଦୋକାନ ବନ୍ଦ ହୋଇଯାଉଥିଲା |ଜୁଲିଙ୍କ ସବୁଠାରୁ ବଡ଼ ସମାଲୋଚିକା ହେଲେ ରୀତୁ |ତାଙ୍କୁ ଏସବୁ ଜଣା |କାରଣ ତାଙ୍କ ଘରେ ରୀତୁଙ୍କ ଅବାଧ ପ୍ରବେଶ |ସେ ହିଁ ନାରୀ ମହଲରେ ତାଙ୍କର ସବୁ ଗୁମର ଖୋଲିଦେଉଥିଲେ | 

              କରୋନା ଯୋଗୁଁ ସମସ୍ତଙ୍କର ସବୁ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣଛେଦ ପଡି ଯାଇଥିଲା |କଟକଣା ପାଇଁ ନାରୀମହଲ ର ଦରବାର ବି ଆଉ ବସି ପାରୁ ନଥିଲା |ପିଲାମାନେ ଘରେ ବୋର ହୋଇ ଉତ୍ପାତ କରୁଥିଲେ | ଦିନେ ରୀତୁଙ୍କ ପୁଅ ବଣ୍ଟି ପାଚେରୀ ଉପରେ ଚଢିଥିବାବେଳେ ଅସାବଧାନତା ବଶତଃ ତଳକୁ ଖସି ତା ମୁଣ୍ଡ ଫାଟିଗଲା |କ୍ଷତ ଏତେ ଗଭୀର ଥିଲା ଯେ ରକ୍ତସ୍ରାବ ବନ୍ଦ ହେଉ ନଥିଲା |ସେ ଓ ତାଙ୍କ ସ୍ୱାମୀ ରବି  ବ୍ୟସ୍ତ ହୋଇ ପାଖ ପଡୋଶୀ ମାନଙ୍କ ସହାୟତା ଲୋଡିଲେ |କିନ୍ତୁ ସେତେବେଳକୁ ସମସ୍ତଙ୍କ ତାଟି କବାଟ ପଡି ଯାଇଥିଲା |ରୀତୁ ମୁଣ୍ଡ ପିଟି କାନ୍ଦୁଥିଲେ ଓ ରବି  କାହାକୁ କାହାକୁ ଫୋନ କରୁଥିଲେ |ସେତେବେଳେ ମହାପାତ୍ର ବାବୁଙ୍କ ପୂଜାପାଠ  ସମୟ | ସବୁଦିନ ପରି ଜୁଲି ସେତେବେଳେ ଗେଟ ଆଖପାଖରେ ବୁଲି, ନିଜ ଲୋକଙ୍କ ସହ  ମୋବାଇଲରେ ଗପୁଥିଲେ   |ରୀତୁଙ୍କ ଘରେ ପାଟି ଶୁଣି,ଜୁଲି  ସେଠାକୁ ଯାଇ ସବୁ ଘଟଣା ଜାଣି ପାରିଲେ |କରୋନା ଯୋଗୁଁ ମଣିଷ କଣ,ସ୍ୱୟଂ ଡାକ୍ତର ମଧ୍ୟ ସହାୟତାର ହାତ ବଢାଇବାକୁ ପଛଘୁଞ୍ଚା ଦେଉଛନ୍ତି |କିନ୍ତୁ ଯାହା ସମ୍ଭବ ତାକୁ କରିବାକୁ ପଡିବ |ସେ ସଙ୍ଗେ ସଙ୍ଗେ କାହା ସହିତ ଫୋନରେ କଥା ହୋଇ ରୀତୁଙ୍କୁ କହିଲେ,ଆପଣ ରେଡି ହୋଇ ପିଲାକୁ ଧରି ବାହାରନ୍ତୁ ,ମୁଁ ସାଙ୍ଗେ ସାଙ୍ଗେ ଆସୁଛି |ଏହା କହି ସେ ଚାଲିଗଲେ ଓ ପାଞ୍ଚ  ମିନିଟ ଭିତରେ ଫେରି ଆସିଲେ |ସାଙ୍ଗରେ ତାଙ୍କର କାର ଓ ଡ୍ରାଇଭିଂ ସିଟରେ ସେ ନିଜେ |ଏହା ଦେଖି ରୀତୁଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ |ସେ କହିଲେ,ଆପଣ କାର ବି ଚଲେଇ ଜାଣନ୍ତି????ଜୁଲି କହିଲେ,ପଛେ କଥା ହେବା ,ଏବେ ଶୀଘ୍ର ଆସନ୍ତୁ  |ରବି,ରୀତୁ ଓ ବଣ୍ଟି କାରରେ ବସିଲେ |ଜୁଲି ସେମାନଙ୍କୁ ନେଇ ତାଙ୍କ ସମ୍ପର୍କୀୟଙ୍କ କ୍ଲିନିକ୍କୁ ଗଲେ |ଡାକ୍ତର ବାବୁ କହିଲେ,ଯାହାହେଉ ଆପଣମାନେ ଠିକ ସମୟରେ ଆସିଲେ,ଡେରି ହୋଇଥିଲେ ଅସୁବିଧା ହୋଇ ଥାଆନ୍ତା |

             ପୁଅର ଚିକିତ୍ସା ଚାଲିଥିବାବେଳେ,ରୀତୁ ଅପଲକ ନୟନରେ ଜୁଲିଙ୍କୁ ଚାହିଁ ରହିଥିଲେ |ଏହି ମହିଳାଙ୍କୁ ଙ୍କୁ ସେ କଣ ନ କହିଛନ୍ତି !ଅଥଚ ତାଙ୍କ ବିପଦବେଳେ ସେ ଈଶ୍ୱରଙ୍କ ପରି ସାହାଯ୍ୟ କରିବାକୁ ଆଗେଇ ଆସିଲେ |କିନ୍ତୁ ଯେଉଁମାନଙ୍କ ସହ  ସଙ୍ଗାତ,ମାଉସୀ,ପିଉସୀ ଇତ୍ୟାଦି କହି ଅନ୍ତରଙ୍ଗ ସମ୍ପର୍କ ବଢ଼ାଇ ଥିଲେ,ଠିକଣା ସମୟରେ ସେମାନେ ମୁହଁ ଫେରାଇ ନେଲେ |ବଣ୍ଟି  ଯେତେବେଳେ ଆସି ତାଙ୍କ କୋଳରେ ବସିଲା,ସେତେବେଳେ ତାଙ୍କ ଧ୍ୟାନ ଭାଙ୍ଗିଲା |ଡାକ୍ତରଙ୍କୁ ତାଙ୍କ ଫିସ ଦେବାପାଇଁ ସେ ତାଙ୍କ ପର୍ସ ଖୋଲିଲା ବେଳକୁ,ଜୁଲି ତାଙ୍କୁ ରୋକିଦେଇ କହିଲେ,ସେକଥା ମୁଁ ବୁଝିବି,ଏବେ ଚାଲନ୍ତୁ ମେଡ଼ିସିନ ଆଣିବା |ଜୁଲି କାହାକୁ ଫୋନ କରି ବୁଝିଲେ,ସେ ତାଙ୍କ ମେଡ଼ିସିନ ଷ୍ଟୋରକୁ ଆସିବାକୁ ଡେରି ହେବ |ତେଣୁ ସେ ତାଙ୍କ ଘରକୁ ଯାଇ,ଡାକ୍ତର ଲେଖିଥିବା ଔଷଧ ନେଇ ଆସିଲେ |ଏଥର ରୀତୁଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା |ସେ ଜୁଲିଙ୍କ ପାଦ ଦୁଇଟି ଧରି ପକାଇ କହିଲେ,ମାଡାମ ,ଆପଣ ଆଜି ଆମ ପାଇଁ ଯାହା କଲେ,ଆମ ନିଜର ଲୋକ ସେତିକି କରି ପାରି ନଥାନ୍ତେ  |ଆପଣଙ୍କ ବେଶଭୂଷା ଦେଖି ମୁଁ କେତେ କଣ କହିଛି |ଏବେ ଜାଣୁଛି ,ମଣିଷର ବାହାର ଚେହେରା ଦେଖି, ଅନ୍ତଃସୌନ୍ଦର୍ଯ୍ୟର କଳନା  କରିବା ଅସମ୍ଭବ  | ମୋ ଜୀବନର ସବୁଠାରୁ ବଡ଼ ଶିକ୍ଷା ମୁଁ ଆଜି ପାଇଲି |ଜୁଲି ଅତି  ସରଳ ଭାବରେ ହସିଦେଇ କହିଲେ,ମୁଁ କଣ ଏମିତି କରି ପକେଇଲି ଯେ ,ଆପଣ ଟେକା ଟେକି କରି ଏତେ କଥା କହି ସାରିଲେଣି ! ଏବେ ବଣ୍ଟି ଆମର ଫାଷ୍ଟ ପ୍ରାୟରିଟି ,ତା କଥା ବୁଝନ୍ତୁ ,ବାକି  ସବୁକଥା  ଭୁଲି ଯାଆନ୍ତୁ |

                          କ୍ରମେ କରୋନାର ଭୟଙ୍କର ପ୍ରକୋପ ବୃଦ୍ଧି ପାଇ ଚାଲିଥିଲା |ତା ପାଖରେ  ଭଲ ମନ୍ଦ,ପାପ ପୁଣ୍ୟ କିଛିର ଭେଦଭାବ ନଥିଲା |ବରଂ ଯେଉଁମାନେ କରୋନା ରୋଗୀମାନଙ୍କର ସେବା କରିବାକୁ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସୁଥିଲେ,ସେହିମାନେ ପ୍ରଥମେ ତାର ଶୀକାର ହେଉଥିଲେ |ଦିନେ ଶୁଣାଗଲା,ମହାପାତ୍ର ବାବୁଙ୍କୁ କରୋନା ହୋଇଛି |ଏକଥା ଜାଣି  କରୋନା ଭୟରେ କେହି ତାଙ୍କ ଘର ଦୁଆର ମୁହଁ ମାଡିଲେ ନାହିଁ |କିନ୍ତୁ ସେଦିନ ସନ୍ଧ୍ୟାରେ ହିଁ ଜୁଲି ନିଜେ କଲୋନୀ ସୋସାଇଟି ହ୍ୱାଟସ ଅପ ଗୃପରେ ମହାପାତ୍ର ବାବୁଙ୍କ କୋଭିଡ ଆକ୍ରାନ୍ତ ହେବା  କଥା ଜଣାଇ ସମସ୍ତଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କଲେ | ସେ  କାହାକୁ  ସାହାଯ୍ୟ ନମାଗି ମହାପାତ୍ର ବାବୁଙ୍କୁ ନିଜେ କୋଭିଡ ହସ୍ପିଟାଲରେ ଆଡମିଶନ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଭଲ କରିବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ  |କିନ୍ତୁ ମହାପାତ୍ର ବାବୁଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଥିଲା | 

                ଦିନେ ସନ୍ଧ୍ୟାରେ ଦେଖାଗଲା ଜୁଲିଙ୍କ ଘରକୁ ତାଙ୍କ ପୁଅ,ବୋହୂ ଆସିଛନ୍ତି |ପରେ ପରେ ଝିଅ ଜ୍ୱାଇଁ,ଭାଇ ଭାଉଜ ଇତ୍ୟାଦି ଅନେକ  ଆତ୍ମୀୟସ୍ୱଜନ ଜଣକ ପରେ ଜଣେ ଆସି ପହଞ୍ଚିବାକୁ ଲାଗିଲେ |ରୀତୁ ସେତେବେଳେ ଜୁଲିଙ୍କୁ ଫୋନ କଲେ |କିନ୍ତୁ ସେ ଫୋନ ଉଠାଇଲେ ନାହିଁ |କଲୋନୀରେ ଏତେ ଲୋକ ଥିବା ସତ୍ତ୍ୱେ,କରୋନାକୁ ଭୟ କରି କେହି ଜଣେ ବି ତାଙ୍କ ଘରକୁ ଗଲେନାହିଁ |ତାଙ୍କ ପୁଅକୁ ଜୁଲି ଯେପରି ଅଯାଚିତ ଭାବରେ ସେବା କରିଥିଲେ,ସେକଥା ମନେ ପକାଇ ତାଙ୍କର ଏହି ବିପଦ ବେଳେ ରୀତୁ ତାଙ୍କ ଘରକୁ ଯିବେ କି ନାହିଁ ଭାବୁ ଭାବୁ ଶେଷରେ ଆଉ ଯାଇ ପାରିଲେ ନାହିଁ |ପରେ କାନ୍ଦ ବୋବାଳି ଶୁଣି ମହାପାତ୍ର ବାବୁ ଚାଲିଗଲେ ବୋଲି ସମସ୍ତେ ଜାଣିଲେ  |

                ଶବ ସଂସ୍କାର ପରେ ଘରେ ଚାବି  ପକାଇ ସମସ୍ତେ ଗାଆଁକୁ ଚାଲିଯିବା ପରେ କଲୋନୀ ଲୋକ ଟିକେ ଶାନ୍ତିରେ  ନିଃଶ୍ୱାସ ମାରିଲେ |କାରଣ ଏହା କଲୋନୀର ପ୍ରଥମ କୋଭିଡ ମୃତ୍ୟୁ ଥିଲା ଓ ସମସ୍ତେ ଜୁଲିଙ୍କ ଦୁଃସମୟ ଅପେକ୍ଷା ନିଜ ନିରାପତ୍ତା ବିଷୟରେ ଅଧିକ ଚିନ୍ତିତ ଥିଲେ |ମାସେ ପରେ ପୁଅ ବୋହୂ ଓ ନାତିଙ୍କ ସହିତ ଜୁଲି ଫେରିଲେ |ଜୁଲିଙ୍କ ପୁଅ ବୋହୂ ବାହାରେ ଚାକିରୀ କରୁଥିବାରୁ ସେମାନେ ଚାଲିଯିବା ନିଶ୍ଚିତ ଥିଲା  |କଲୋନୀର ସମ୍ପାଦକ ପରିଡା ବାବୁ ଦିନେ ଜୁଲିଙ୍କ ପୁଅଙ୍କ ସାଙ୍ଗେ କଥା ହୋଇ ଜାଣିଲେ,ସେମାନେ ସପ୍ତାହେ ପରେ ଚାଲିଯିବେ |ସେ ପୁଅଙ୍କୁ କହିଲେ,ମାଆଙ୍କୁ ଏକୁଟିଆ ଛାଡି ଯାଅ ନାହିଁ,ତାଙ୍କୁ ସାଙ୍ଗରେ ନେଇଯାଅ |ପୁଅ ତାଙ୍କ କଥା ମନଦେଇ ଶୁଣିଲା,କିନ୍ତୁ କିଛି କହିଲା ନାହିଁ |

             ସପ୍ତାହେ ପରେ ଦେଖାଗଲା,ପୁଅ ବୋହୂ ଓ ନାତି ଚାଲିଗଲେ |କିନ୍ତୁ ତାଙ୍କ ସହିତ ଜୁଲି ଗଲେନାହିଁ |ଏହାଦେଖି ସମସ୍ତେ ଅଶାନ୍ତି ହେଲେ ଓ ମନେ ମନେ ସ୍ଥିର କଲେ,ତାଙ୍କ ପିଲାମାନେ ଯଦି ତାଙ୍କ ଦାୟିତ୍ତ୍ୱ ନେଲେନାହିଁ,ତାହେଲେ,ଆମର ମଧ୍ୟ ଏ ବାବଦରେ,ମୁଣ୍ଡବିନ୍ଧା କରିବାର ନାହିଁ |ଏଥରକ କଲୋନୀରେ ଜୁଲିଙ୍କର ସନ୍ଦେହଜନକ ଗତିବିଧି ସମସ୍ତଙ୍କର ଚର୍ଚ୍ଚାର ବିଷୟବସ୍ତୁ ପାଲଟିଗଲା |ଏମିତିକି ରୀତୁ ମଧ୍ୟ ସେହି ଆଲୋଚନାରେ ଭାଗ ନେଇ ପଦେ ଅଧେ କହି ଦେଉଥିଲେ |ଜୁଲି ସବୁଦିନ ପୂର୍ବାହ୍ନ ନଅଟାରେ କାର ଡ୍ରାଇଭିଂ କରି କୁଆଡେ ବାହାରି ,ସନ୍ଧ୍ୟାରେ ଘରକୁ ଫେରୁଥିଲେ  |ରାତି ଆଠଟା ବେଳକୁ ତାଙ୍କ ଘରର ସବୁ ଲାଇଟ ଅଫ ହୋଇଯାଉଥିଲା  |ବୋଧହୁଏ ସେ ସେତିକିବେଳେ ଶୋଇବାକୁ ଯାଉଥିଲେ  |

              ଏମିତି କିଛିଦିନ ଯିବାପରେ ଦିନେ ସକାଳେ ଜୁଲି ସୋସାଇଟିର ସମ୍ପାଦକ ଓ ସଭାପତିଙ୍କୁ ନିଜ ଘରକୁ ଡାକିଲେ |ସେମାନେ ପ୍ରଥମେ ବିଭିନ୍ନ କାମର ଆଳ ଦେଖାଇ ଯିବାପାଇଁ ମନା କରି ଦେଉଥିଲେ |କିନ୍ତୁ ଜୁଲି ବାଧ୍ୟ କରିବାରୁ ଅନିଚ୍ଛା ସତ୍ତ୍ୱେ ଦୁହେଁ ତାଙ୍କ ଘରକୁ ଗଲେ |ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି,ଜୁଲି  କହିଲେ,ମୁଁ ଏହି ଘର ଛାଡି ସବୁଦିନ ପାଇଁ ଚାଲି ଯାଉଛି | ପରିଡା ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ,କାହିଁକି ଯିବେ ଓ କୁଆଡେ ଯିବେ ?ଏଇଠି ତ ଆମେ ଗୋଟିଏ ପରିବାର ପରି ଚଳୁଥିଲୁ,ଆପଣଙ୍କର କଣ ଅସୁବିଧା ହେଲା ?ଜୁଲି କହିଲେ,ସେହିକଥା କହିବାପାଇଁ ମୁଁ ଆପଣମାନଙ୍କୁ ଡାକିଛି |

                       ତାପରେ ଜୁଲି ଯାହା କହିଲେ,ତାର ସାର ମର୍ମ ହେଲା,ଜୁଲି ଓ ତାଙ୍କ ସ୍ୱାମୀ ମହାପାତ୍ର ବାବୁ ନିଜର ପିଲା ଦୁଇଟିଙ୍କୁ ମଣିଷ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ଓ  ନିଜ ଭାଇ,ବନ୍ଧୁ,କୁଟୁମ୍ବ ଆଦି ସମସ୍ତଙ୍କୁ ଭୁଲି ଯାଇଥିଲେ | ପିଲାମାନେ ମଧ୍ୟ ସେମାନଙ୍କୁ ନିରାଶ କରିନଥିଲେ |ସେମାନେ ଭଲ ଚାକିରୀ କରି ବାହାହେବା ପରେ ମହାପାତ୍ର ବାବୁ ନିଶ୍ଚିନ୍ତ ହୋଇଯାଇଥିଲେ ଓ ସବୁବେଳେ ଜୁଲିଙ୍କୁ କହୁଥିଲେ ଅବସର ନେବାର ପ୍ରଥମ ଦଶବର୍ଷ ସମସ୍ତଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ |କାରଣ ଯେତେ ସ୍ୱାସ୍ଥ୍ୟ ସଚେତନ ରହିଲେ ବି,ଏହାପରେ ଧୀରେ ଧୀରେ ବାର୍ଦ୍ଧକ୍ୟ ଆକ୍ରମଣ କରିବା ଆରମ୍ଭ କରିଦିଏ |ତେଣୁ ଏହି ଦଶବର୍ଷ ଆମେ ଆମ ହିସାବରେ ଜିଇଁବା |ଯାହା ଇଛା ତାହା ଖାଇବା,ନିଜ ମନ ପସନ୍ଦର ସ୍ଥାନ ବୁଲିବାକୁ ଯିବା ଓ ଆମ ଆତ୍ମୀୟସ୍ୱଜନ,ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ସ୍ଥାପନ କରି,କ୍ୱାଲିଟି ସମୟ ବିତେଇବା |ପୁଅ ଝିଅ କିନ୍ତୁ ତାଙ୍କ କଥାରେ ରାଜି ହେଲେ ନାହିଁ |ପୁଅ କହିଲା,ଆମେ ଦୁଇଜଣ ଚାକିରୀ କରିବାକୁ ଯାଉଛୁ,ପିଲା ଡେ କେଆରରେ ରହୁଛି |ତମେ ଆସିଲେ,ସେ ତୁମମାନଙ୍କ ପାଖରେ ରହିବ ଓ ଆମର ଆଉ ଟେନସନ ରହିବ ନାହିଁ | ଅନୁରୂପ ଭାବେ ଝିଅ କହିଲା,ମୋ ଶାଶୁଙ୍କ ଅପେକ୍ଷା ତମେ  ମୋ ମନ କଥା ଭଲକରି ବୁଝିପାରିବ,ତେଣୁ ଭାଇ ପାଖରେ ନରହି,ମୋ ପାଖରେ ରୁହ |ମହାପାତ୍ର ବାବୁ କିନ୍ତୁ ନିଷ୍ପତ୍ତି ନେଇ ସାରିଥିଲେ |ସେ କାହା କଥାରେ ରାଜି ହେଲେ ନାହିଁ |ଏଥର ପିଲାମାନେ ଜୁଲିଙ୍କ ଉପରେ ଚାପ ପକାଇଲେ |କିନ୍ତୁ ଜୁଲି ସ୍ୱାମୀଙ୍କ ନିଷ୍ପତ୍ତିକୁ ଅଗ୍ରାଧିକାର ଦେଲେ |ଦିନେ ପୁଅ ବିରକ୍ତ ହୋଇ କହିଲା,ଠିକ ଅଛି,ଦଶ ବର୍ଷ ପରେ ତମେ ଜରାନିବାସରେ ରହିବ,ଆଉ ଆମ ପାଖକୁ ଆସିବ ନାହିଁ |ମହାପାତ୍ର ବାବୁ ମଧ୍ୟ ନିଜ ଜିଦ୍ଦିରେ ଅଟଳ ରହି କହିଲେ,ହଁ,ଆମେ ସେଇଆ କରିବୁ |ଜୁଲି କିନ୍ତୁ ପିଲାମାନଙ୍କ ସହ ସମ୍ପର୍କ କାଟି ନଥିଲେ | ସକାଳେ ଯେତେବେଳେ ମହାପାତ୍ର ବାବୁ ପୂଜାରେ ବସୁଥିଲେ,ସେତିକିବେଳେ ତାଙ୍କ ଅଗୋଚରରେ ସେ ନିଶ୍ଚିତ ଭାବରେ ପୁଅ ଝିଅଙ୍କ ସହ କଥା ହେଉଥିଲେ |

                   ଏହାପରେ ମହାପାତ୍ର ବାବୁ ତାଙ୍କ ବନ୍ଧୁ ସ୍ଥାପନ କରିଥିବା ଜରାନିବାସର ସକ୍ରିୟ ସଦସ୍ୟ ହୋଇଗଲେ ଓ ସେଠାକୁ ସେମାନେ ନିୟମିତ ଯିବା ଆସିବା କରୁଥିଲେ |ଏହି କଲୋନୀରେ ରହିବାପାଇଁ ମହାପାତ୍ର ବାବୁଙ୍କର ଆଦୌ ଇଛା ନଥିଲା |ସେ ଭୁବନେଶ୍ୱରର ଭଡ଼ାଘରେ ନିଜ ପ୍ରିୟ ବନ୍ଧୁମାନଙ୍କ ସହ ବେଶ ଖୁସିରେ ଥିଲେ |କିନ୍ତୁ ଘର ମାଲିକ ବାରମ୍ବାର ଘର ଭଡା ବଢେଇବାରୁ ସେମାନେ ବାଧ୍ୟ ହୋଇ ଏଠାକୁ ଆସିଥିଲେ |ମହାପାତ୍ର ବାବୁ  ପରଲୋକ ଗମନ କରିବା ପରେ ପିଲାମାନେ ତାଙ୍କ ପାଖରେ ରହିବାପାଇଁ ଡାକୁଥିଲେ |କିନ୍ତୁ ବହୁତ ଚିନ୍ତା କରିବା ପରେ ତାଙ୍କର  ମଧ୍ୟ ହୃଦବୋଧ ହେଲା ଯେ,ଭିନ୍ନ ଧରଣର ଜୀବନ ଜିଇଁବା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ |ଏଥିରେ ଆନନ୍ଦ ଅଛି ଓ ରୋମାଞ୍ଚ ମଧ୍ୟ ଅଛି |ତେଣୁ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ଓ ତାଙ୍କ ଶେଷ ଇଛାକୁ ସମ୍ମାନ ଦେଇ  ସବୁ ମାୟା ମୋହ ଛାଡି ସେ ଜରାନିବାସରେ ରହିବାପାଇଁ ମନସ୍ଥ କଲେ |

                   ତାପରେ ସେ କହିଲେ,ମୁଁ ଜାଣିଛି,ସୋସାଇଟିର ନିଜସ୍ୱ ଘରଟିଏ ନାହିଁ ବୋଲି ଆପଣମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ସେଥିପାଇଁ ମୋ ଘର ସୋସାଇଟିକୁ ଦାନ କରି ମୁଁ ଏଠାରୁ ସବୁଦିନ ପାଇଁ ଚାଲି ଯାଉଛି |ଆପଣମାନେ ଭବିଷ୍ୟତରେ ହଇରାଣ ନହେବା ପାଇଁ,ଆଇନ ଅନୁଯାୟୀ ଏଥିପାଇଁ ଯାହା କରିବା କଥା ଓକିଲଙ୍କ ସାଙ୍ଗେ ପରାମର୍ଶ କରି ପେପର ପ୍ରସ୍ତୁତ କରିଛି | ତଥାପି ଯଦି ଦରକାର ପଡି଼ବ,ମତେ ଫୋନ କଲେ ମୁଁ ଆସିବି |ଘରର ଚାବି ଓ ଆବଶ୍ୟକୀୟ କାଗଜପତ୍ର ସେମାନଙ୍କୁ ହସ୍ତାନ୍ତର କରି ଜୁଲି ତାଙ୍କର ଚିର ପରିଚିତ ଅଭୁଲା ସ୍ମିତ ହାସ୍ୟ ଖେଳାଇ,ସେମାନଙ୍କ ଠାରୁ ବିଦାୟ ନେଇ କାର ଡ୍ରାଇଭିଂ କରି ଚାଲିଗଲେ | ସମ୍ପାଦକ ଓ ସଭାପତିଙ୍କ ମୁହଁରେ ଭାଷା ନଥିଲା ଓ ସେମାନେ ଅବାକ ହୋଇ ତାଙ୍କ ଯିବା ବାଟକୁ ଚାହିଁ ଛିଡା ହୋଇଥିଲେ   |(ସମାପ୍ତ )

               


No comments:

Post a Comment