Friday, September 25, 2020

ମଣି କେବେ ହାରେନା

                        ବାହାହୋଇ ଶାଶୁଘରକୁ ଆସିବାର ବେଶ କିଛି ବର୍ଷ ମଣି ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା |ରାତି ନ ପାହୁଣୁ ଉଠି,ଘର ଯାକର କାମ କରି, ଡେରି ରାତିରେ ଶୋଇବା ତାର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା |ଘରର ଏକମାତ୍ର ବୋହୂ ହିସାବରେ ଘରର ସବୁ କାମ ତାକୁ କରିବାକୁ ପଡୁଥିଲା |ପୂଜା ଆଦି ବିଶେଷ ଦିନରେ ଶାଶୁ ସାହାଯ୍ୟର ହାତ ବଢାଉ ଥିଲେ ସିନା,ଅନ୍ୟ ଦିନରେ ତା ମୁହଁରୁ ଝାଳ ପୋଛି ଆହା ବୋଲି ପଦେ କହିବାକୁ କେହି ନଥିଲେ |ଏପରିକି ତାର ସ୍ୱାମୀ ଶରତ ମଧ୍ୟ ନୁହେଁ | ତାର ଏଇ ଦୁଃଖ ନିଆଁରେ ଘିଅ ପକାଇବାକୁ, ଶାଶୁଙ୍କ ଅନୁପସ୍ଥିତିରେ,ଅନେକ ହିତାକାଂକ୍ଷୀ ତା ଦୁଃଖରେ ସମବେଦନା ଜଣାଇବାକୁ ଯାଇ,ତାକୁ ସୁହାଇବା ପରି, ଶାଶୁଙ୍କ ବିରୁଦ୍ଧରେ ଅନେକ କଥା ଗପୁଥିଲେ |ମଣି ଭଲଭାବେ  ଜାଣିଥିଲା, ଏହି ପରିବାରରେ ସମସ୍ତଙ୍କ ମନ ନେଇ ତାକୁ ସବୁଦିନ ଚଳିବାକୁ  ପଡିବ |ତାର କିଛି ଅସୁବିଧା ହେଲେ,ତାର ନିଜ ଲୋକେହିଁ ତା ପାଖରେ ଛିଡା ହେବେ,କୁତ୍ସାରଟନା କରୁଥିବା ଲୋକେ କେବେହେଲେ  ତାର ପିଠିରେ ପଡିବେ ନାହିଁ |ତେଣୁ ସେ ସେମାନଙ୍କୁ ସମ୍ମାନ ଦେଉଥିଲା ସତ ,କିନ୍ତୁ ତାଙ୍କର ସବୁ କଥା ଏ କାନରେ ପୁରାଇ ସେ  କାନରେ ବାହାର କରିଦେଉଥିଲା  |  

                         ପାଞ୍ଚ ବର୍ଷ ପରେ ସନା ଜନ୍ମ ହେଲା |ସେତେବେଳକୁ  ଶାଶୁ ଜାଣି ସାରିଥିଲେ,ତାଙ୍କ ବୋହୂ ଆଉ ସବୁ ବୋହୂଙ୍କ ପରି ନୁହେଁ   |ଆଗ ପରି ମଣି ଉପରେ ସବୁ କାମର ବୋଝ ନ ଲଦି,ସ୍ୱତଃ ପ୍ରବୃତ୍ତ ଭାବରେ ସେ  ଅନେକ ଛୋଟ ମୋଟ କାମ କରି ଦେଉଥିଲେ |ଏପରିକି  ନାତି ଜନ୍ମ ହେବା ପରେ,ସେ  ନାତିର  ସମ୍ପୂର୍ଣ୍ଣ ଦାୟିତ୍ତ୍ୱ ନେଇ ମଣିକୁ ଚିନ୍ତା ଶୂନ୍ୟ କରି ଦେଇଥିଲେ  |ମଣି  ବହୁତ ଖୁସି ଥିଲା,ତା ଧୈର୍ଯ୍ୟର ଜୟ ହୋଇଥିଲା |ତା ପାଇଁ ସର୍ବଦା ଚିନ୍ତାରେ ଥିବା ମଣିର  ବାପା ମଧ୍ୟ ଖୁସି ହୋଇ ସମସ୍ତଙ୍କୁ କହୁଥିଲେ,ମୋ ମଣି କେବେ ହାରେନା   |

                         ଶାଶୁ ଶ୍ୱଶୁର,ସ୍ୱାମୀ ଓ ସନ୍ତାନକୁ ନେଇ ମଣିର ସଂସାର ଖୁବ ଖୁସିରେ ଚାଲିଥିଲା |କିନ୍ତୁ ସୁଖ କେବେହେଲେ ଚିରସ୍ଥାୟୀ ନୁହେଁ | ଶାଶୁଙ୍କର ସର୍ପାଘାତରେ ଓ ପରେ ପରେ ଶ୍ଵଶୁରଙ୍କ ବଜ୍ରାଘାତରେ ମୄତ୍ୟୁ, ତାର ସବୁ ସୁଖଶାନ୍ତିକୁ ମାଟିରେ ମିଶାଇ ଦେଇଥିଲା |ତା ଉପରେ ଦଇବ ଦାଉ ସାଧିଲା ପରି,ସ୍ୱାମୀ ଶରତର   ଅଣ୍ଟା ବେମାରୀ ଯୋଗୁଁ ସେ ଆଉ ଚାଷକାମ କରି ପାରିଲା   ନାହିଁ |ବାଧ୍ୟ ହୋଇ ସନାର ପାଠରେ ଡୋରି ବାନ୍ଧିବାକୁ ପଡିଲା  |କିନ୍ତୁ ମଣି ହାରି ନଯାଇ ସନା ସହିତ ମିଶି ଚାଷ ଓ ବିଲବାଡ଼ି କଥା ବୁଝିଲା |ଯିଏ ଯାହା କହିଲେ ବି ସେଥିକି ତାର ଖାତିର ନଥିଲା |ଦେଖୁ ଦେଖୁ ବର୍ଷ କେଇଟାରେ ସେମାନେ ପୁଣି ଅଣ୍ଟା ସଳଖି ଛିଡା ହେଲେ |ସେତେବେଳେ ଶରତ ଖୁସିହୋଇ ମଣିକୁ କହିଥିଲା ,ମୋ ମଣି କେବେ ହାରେନା |

                       ଦିନେ ପାଖ ଗାଆଁରୁ ସନା ପାଇଁ ବିବାହ ପ୍ରସ୍ତାବ ଆସିଲା |ବାପା ମାଆଙ୍କର ଗୋଟିଏ ବୋଲି ଝିଅ,ଡାକ ନାମ ତାର ରୁନି  |ବେଶି ପଢିନି,କିନ୍ତୁ କାମ ଦାମ ସବୁ ଜାଣିଛି |ସେତେବେଳେ  ସନାର ବାହାଘର କଥା ଦୁହିଁଙ୍କ  ମନକୁ ଆସି ନଥିଲା |କିନ୍ତୁ ପ୍ରସ୍ତାବ ଆସିଲାଣି ଯେତେବେଳେ,ଦୁହେଁ ଝିଅ ଦେଖିବାକୁ ଗଲେ |ରୁନି ଉଭୟଙ୍କ ମନକୁ ଖୁବ ପାଇଲା |ଭଲଦିନ ଦେଖି ରୁନି ଓ ସନାଙ୍କ ବାହାଘର ହେଲା |ଝିଅ ବିଦାବେଳେ ତାର ମାଆ କହିଥିଲେ,ଝିଅ ମୋର ଭାରି ଗେହ୍ଲାରେ ବଢିଛି,ଆଗ ପଛ ନ ବିଚାରି ମୁହେଁ ମୁହେଁ କହିଦିଏ |ତା କଥା ସମୁଦୀ ଧରିବ ନାହିଁ |ଶରତ ସେକଥା ମଣିକୁ କହି ଥିଲା  |ଆଉ ମଧ୍ୟ କହିଥିଲା,ଆମର ଝିଅ ନାହିଁ,ଆଜିଠାରୁ ଇଏ ଆମର ଝିଅ |ତାକୁ ଚଳେଇ ନେବୁ |ମଣି ହସି ହସି କହିଥିଲା,ତାକୁ ଏମିତି ସ୍ନେହ ଶ୍ରଦ୍ଧା ଦେବି ଯେ,ସେ ନିଜ ବାପା ମାଆ କଥା ପାଶୋରି ଯିବ |କିନ୍ତୁ ଦିନ କେଇଟାରେ ତାର ସବୁ ଦମ୍ଭ ଭାଙ୍ଗିଗଲା |ମଣି ଯାହା ବି ରାନ୍ଧୁଥିଲା,ରୁନିକୁ ଭଲ ଲାଗୁ ନଥିଲା |ସେମାନେ ନାଲି ଚା' ପିଉଥିବା ବେଳେ ଖାଣ୍ଟି କ୍ଷୀରରେ ତିଆରି ଚା' ରୁନି ର ପସନ୍ଦ ଥିଲା | ସେମାନଙ୍କୁ ଅଳ୍ପ ତେଲରେ ପ୍ରସ୍ତୁତ ସନ୍ତୁଳା ପସନ୍ଦ ଥିବା ବେଳେ ରୁନିକୁ  ଅଧିକ ତେଲରେ ପ୍ରସ୍ତୁତ ଭଜା ପସନ୍ଦ ଥିଲା |ସବୁ ଛଣା ପିଠା ତାର ପସନ୍ଦ ଥିବା ବେଳେ ମଣ୍ଡା,ଇଡ଼ିଲି,ମୁଆଁ ପିଠା ଆଦିକୁ ସେ ମୁଁ ଏଗୁଡା ଖାଏନା କହି ଆଡେଇ ଦେଉଥିଲା |ସବୁଠାରୁ ବଡ଼ କଥା ଥିଲା,ସନା ତା ମାଆକୁ ଏତେ ଭଲ ପାଇବା,ଟିକିଏ କଣ ଦରକାର ପଡିଲେ,ମାଆକୁ ଖୋଜିବା ଆଦି ତାକୁ ଆଦୌ ଭଲ ଲାଗୁ ନଥିଲା |ମାଆ ପୁଅ ବସି ଖୁସିରେ ଗପସପ ହେଲେ,ତା ଦେହରେ ଯାଉ ନଥିଲା |ସେ ସେତେବେଳେ ବିଭିନ୍ନ ମିଛ ବାହାନା ଦେଖାଇ ସନାକୁ ଡାକି ନେଉଥିଲା |ମଣି ସବୁ ଜାଣୁଥିଲା | ନୂଆ ନୂଆ ବାହାଘର ହୋଇଛି,ଏମିତି ହେବା  ସ୍ୱାଭାବିକ ଭାବି ସେକଥାକୁ ସେ ଗୁରୁତ୍ତ୍ଵ ଦେଉ ନଥିଲା | କିନ୍ତୁ ଦିନକୁ ଦିନ ରୁନି ର ବ୍ୟବହାରରେ ଦ୍ରୁତ ପରିବର୍ତ୍ତନ ଆସିବାରେ ଲାଗିଲା |ଘରେ ନିତି ସାଇପଡିଶାଙ୍କ ଗହଳି ଲାଗିଲା |ରୁନି ତାଙ୍କ ସଙ୍ଗେ ଗପିବାରେ ବ୍ୟସ୍ତ ରହି ତାର ଦୈନନ୍ଦିନ କାମରେ ଅବହେଳା କଲା |ଯଦି ମଣି କେବେ ତାକୁ ଆକଟ କରି କିଛି କହୁଥିଲା,ସେ ଆହୁରି ଚଢା ଗଳାରେ ପ୍ରତ୍ୟୁତ୍ତର ଦେବାକୁ ପଛାଉ  ନଥିଲା |ଗଣ୍ଡଗୋଳ ତା ଆୟତ୍ତର ବାହାରେ ହେଲେ ସେ ରୁଷି ଯାଇ ନ ଖାଇ ନ ପିଇ ଶୋଇ ପଡୁଥିଲା,ନହେଲେ ବାପଘରକୁ ଚାଲି ଯାଉଥିଲା ଓ ଅନେକ ଖୋସାମତ ପରେ ଫେରୁଥିଲା |ସନା ରୁନି କୁ ବୁଝାଇବାରେ ବିଫଳ ହୋଇ, ମଣିକୁ କହୁଥିଲା, ବୋଉ, ମୁଁ ତୋ ପସନ୍ଦରେ ବାହା ହୋଇଛି ,ତାକୁ ଚଳେଇବା ଦାୟିତ୍ତ୍ୱ ତୋର  |ମଣି ନିଜ ଅତୀତ କଥା ମନେ ପକାଏ |ଦିନେ ହେଲେ,ସେ ତା ଶାଶୁକୁ ଜବାବ ଦେଇ ନଥିଲା |ଅଥଚ,ରୁନି କଥା ପଦକରେ ତା ଆଡକୁ ଝପଟି ଆସୁଛି,ସତେ କି ମାରି ପକେଇବ !ଏକଥା ସେ ଶରତକୁ କହି ପାରୁ ନଥିଲା |କାରଣ ଶରତ ସମର୍ଥନ କରିବା ପରିବର୍ତ୍ତେ,ଓଲଟି ତାକୁ ଦୋଷ ଦେବ |  ଶାଶୁ ବୋହୂଙ୍କ ମତାନ୍ତର ମନାନ୍ତର କଥା ଆଲୋଚନା କରି ସାଇ ପଡିଶା ଖୁସି ହେବାବେଳେ ମଣି ଦୁଃଖରେ ଫାଟି ପଡୁଥିଲା |

                       ସନାର ସାଙ୍ଗ ମନୋଜର  ଏକ ଲୁଗା ଦୋକାନ  ଥିଲା | ଦଶହରାରେ ଲୁଗା ବେପାର କରିବା ପାଇଁ ମନୋଜ  ଲୁଗା ଆଣିବାକୁ କଟକ ଗଲା  |ସନା ମଧ୍ୟ ତା ସହିତ ଗଲା |ଦଶହରାରେ ପିନ୍ଧିବାକୁ  ଘର ପାଇଁ ତାର ମଧ୍ୟ କିଛି ଲୁଗାପଟା ଆଣିବାର ଥିଲା | ସେ ତା ନିଜ ପସନ୍ଦରେ ଶାଶୁ ବୋହୂଙ୍କ  ପାଇଁ ଶାଢ଼ୀ ,ଶରତ ଓ ତା ନିଜ ପାଇଁ ସାର୍ଟ ପ୍ୟାଣ୍ଟ ଆଣିଲା  |ଘରେ ପହଞ୍ଚୁ  ପହଞ୍ଚୁ ଟିକିଏ ଡେରି ହୋଇ ଯାଇଥିଲା |ସେ ମଣିକୁ ଲୁଗା ପ୍ୟାକେଟ ଦେଇ,ଚୁପ କରି  କହିଲା,ମନୋଜ ସାଙ୍ଗରେ କଟକ ଯାଇଥିଲି,ଆଗକୁ ଦଶହରା ଆସୁଛି,ସମସ୍ତଙ୍କ ପାଇଁ,ଲୁଗା/ଡ୍ରେସ ନେଇ ଆସିଛି |ତୋ ପାଇଁ ଓ ରୁନି ପାଇଁ  ଶାଢ଼ୀ ଆଣିଛି |ତୁ ତୋ ପସନ୍ଦର ଶାଢ଼ୀ ରଖି,ଅନ୍ୟଟି ରୁନିକୁ ଦେବୁ |ପାଖରେ ବସିଥିବା ରୁନି କାନରେ ଏକଥା ପଡିଲା |ସନାର ଶେଷ କଥା ପଦକ ତା କାନରେ ବାରମ୍ବାର ପ୍ରତିଧ୍ଵନିତ ହେବାରେ ଲାଗିଲା |ମଣି ଯେତେବେଳେ ତାକୁ ନ ଦେଖାଇ ଲୁଗା ପ୍ୟାକେଟ ନେଇ ତା ଶୋଇବା ଘରେ ରଖିଦେଇ ଆସିଲା,ସେତେବେଳେ ତା ରାଗ ଆହୁରି ବଢିଗଲା |ରାତିରେ ସମସ୍ତେ ଶୋଇବାକୁ ଯିବା ପରେ ମଣି ସବୁ ଦିନ ବାକି ପଡିଥିବା କାମ ଶେଷ କରି ଶୋଇବାକୁ ଯାଏ |ସେଦିନ ସେ  ଶୋଇବାକୁ ଯିବାବେଳେ  ସନା ରୁମରୁ ଆସୁଥିବା  ପାଟି ତୁଣ୍ଡ ଶୁଣି ଅଟକି ଗଲା |ସନା ପ୍ରଥମେ କାହିଁକି ରୁନିକୁ ଶାଢ଼ୀ ପସନ୍ଦ କରିବାକୁ କହିଲା ନାହିଁ,ତାହା  କଳିର ବିଷୟ ବସ୍ତୁ ଥିଲା | ଏହା ଶୁଣି ମଣି ବିରକ୍ତ ହୋଇ ଶୋଇବାକୁ ଚାଲିଗଲା |

                           ସେ ଏପଟ ସେପଟ କଡ଼ ଲେଉଟାଇ,ଶୋଇବାକୁ ଅନେକ ଚେଷ୍ଟା କଲା |କିନ୍ତୁ ତା ଆଖିକୁ ନିଦ ଆସୁ ନଥିଲା |ତାକୁ ଲାଗୁଥିଲା,ବୋହୂ ହୋଇ ଶାଶୁଙ୍କୁ ଚଳାଇବା ବରଂ ସହଜ,କିନ୍ତୁ ଶାଶୁ ହୋଇ ବୋହୂକୁ ଚଳାଇବା ଭାରି କଷ୍ଟ |ସେତିକି ତ୍ୟାଗ,କଷ୍ଟ ସ୍ୱୀକାର ନକଲେ,ଜଣେ ଭଲ ଶାଶୁ ହୋଇ ପାରେନା | ଏତେ କଷ୍ଟ କରି,ସେ କଣ ଜୀବନର ଏହି ଶେଷ ପର୍ଯ୍ୟାୟରେ ହାରିଯିବ ??ଏହି ସମୟରେ ସନା ରୁମରୁ ରୁନି ର ଚିତ୍କାର ଶୁଣି ସେ ଦଉଡିଯାଇ ଦେଖିଲା,କବାଟ ଭିତର ପଟୁ ବନ୍ଦ ଅଛି ଓ କବାଟ ତଳୁ ତାଜା ରକ୍ତର  ଧାର ଗାଡି ଆସୁଛି |ଏହି ସମୟରେ ରୁମ କବାଟ ଖୋଲିଗଲା ଓ ସନା ହାତରେ ରକ୍ତ ଭିଜା ଛୁରୀ ଧରି ବାହାରକୁ ବାହାରି ଆସି ସାମନାରେ ମଣିକୁ ଦେଖି କହିଲା,ବୋଉ, ରୁନି ଦିନକୁ ଦିନ ବହୁତ ଉଦ୍ଧତ ହୋଇ ଯାଉଥିଲା |ଭାବିଥିଲି ତୁ ତାକୁ ସୁଧାରି ଦେବୁ |କିନ୍ତୁ ତୁ ଫେଲ ମାରିଲୁ |ତେଣୁ ସବୁଦିନ ପାଇଁ ତା ପାଟି ବନ୍ଦ କରିଦେଲି |ଏବେ ଯାଉଛି,ପୋଲିସ ପାଖରେ ସରେଣ୍ଡର କରିବି |ସନା ଟଳି ଟଳି ସେଠାରୁ ଚାଲିଗଲା |ମଣି ଭୟରେ ଚିତ୍କାର କରି ଡାକୁଥିଲା.ସନା ....ସନା .....|ତାର ନିଃଶ୍ୱାସ ବନ୍ଦ ହୋଇ ଯାଉଥିଲା | ସେ ତଳେ ଗଡି ବାଉଳି ଚାଉଳି ହେଉଥିଲା  ଓ ତାର  ଲୁଗା ରକ୍ତରେ ଭିଜି ଯାଉଥିଲା |ହଠାତ ତା ନିଦ ଭାଙ୍ଗିଗଲା |ସେ ଆଖି ଖୋଲି ଚାରି ଆଡକୁ ଚାହିଁଲା |ରାତିରେ ମୁଣ୍ଡ ପାଖରେ ରଖିଥିବା ପାଣି ଢାଳଟି ଓଲଟି ପଡି,ତା ଲୁଗା ଓଦା ହୋଇ ଯାଇଥିଲା  |ଦୁଃସ୍ୱପ୍ନ ଦେଖି ଭୟରେ ତାର ଛାତି ଥରୁଥିଲା |ସେ ମନେ ମନେ 'ଗୋବିନ୍ଦ' 'ଗୋବିନ୍ଦ' କହି ଈଶ୍ୱରଙ୍କୁ ସ୍ମରଣ କଲା |ସେତେବେଳକୁ ସକାଳ ହୋଇ ଆସୁଥିଲା |ସେ ଲୁଗା ବଦଳାଇ ବାହାରକୁ ଯାଇ ଦେଖିଲା,ରୁନି ଘର ଓଳାଉଛି,ମୁହଁଟି ତାର ଶୁଖି ଯାଇଥିଲା |ମଣି ଭାବିଲା,ରୁନି ଛୋଟ ପିଲା |କାଲି ସକାଳେ ତା ଘରକୁ ବୋହୂ ହୋଇ ଆସିଛି |ଅନ୍ୟ ପକ୍ଷରେ ତାର ଦୀର୍ଘ ଦିନର ଅଭିଜ୍ଞତାରେ ସେ ଦୁନିଆଁ କଣ  ଜାଣିଛି,ଚିହ୍ନିଛି |ଯଦି ରୁନି ତା ସହିତ ଚଳି ପାରୁନି,ତାକୁ ରୁନି ସହିତ ଚଳିବାକୁ ପଡିବ |ତା ନହେଲେ ତାର ଏତେ ଦିନର କଷ୍ଟ ବୃଥା ଯିବ |ସେ ରୁନି  ହାତରୁ ଛାଞ୍ଚୁଣି ନେଇ କହିଲା,ମୁଁ ଓଳାଇଦେବି,ତୁ ଯାଆ ଗାଧୋଇବୁ  |

                       ସେଦିନ ସକାଳେ ସମସ୍ତେ ଜଳଖିଆ ଖାଇ ସାରିବା ପରେ ସନା ଦେଇଥିବା ଲୁଗା ପ୍ୟାକେଟ ରୁନି କୁ ଦେଇ ମଣି କହିଲା, ଦୁଇଟାଯାକ ଶାଢ଼ୀ  ତୁ ପିନ୍ଧ | ନାଲି ହଳଦିଆ ରଙ୍ଗ ମତେ ଆଉ ଭଲ ଲାଗୁନି |ତୋ ଜେଜେମା ଅକାଳରେ ଚାଲିଗଲେ |ତାଙ୍କର ସବୁ ଶାଢ଼ୀ ମୁଁ ପିନ୍ଧୁଛି |ଦିନକୁ ଗୋଟେ ଗୋଟେ ପିନ୍ଧିଲେ ବି ମାସ ସାରା ପିନ୍ଧି ଆହୁରି ବଳିବ |ଏବେ ତ ତୋର ଖାଇବା ପିନ୍ଧିବା ବୟସ |ତୁ ପିନ୍ଧିଲେ ତତେ ମାନିବ,ମତେ ମାନିବନି |ରୁନି କିଛି ନକହି ମଣି ହାତରୁ ଲୁଗା ପ୍ୟାକେଟ ନେଇ ଶାଢ଼ୀ ଦୁଇଟି ଖୋଲି ଦେଖିଲା ଓ ତାକୁ ପୁଣି ପ୍ୟାକେଟରେ ଯତ୍ନରେ ରଖିଦେଲା |କିଛି ସମୟ ପରେ ସେ ମଣି ପାଖକୁ ଆସି କହିଲା,ବୋଉ,ଆପଣଙ୍କୁ ସୋରିଷ ଫୁଲ ରଙ୍ଗ ଭଲ ଲାଗେ ବୋଲି ଜାଣିଛି |ଏଇ ଶାଢ଼ୀ ମୋ ତରଫରୁ ମୁଁ ଆପଣଙ୍କୁ ଦେଉଛି |ଆପଣ ୟାକୁ ଦଶହରାରେ ପିନ୍ଧିବେ |ତାହେଲେ ମୁଁ ବି ଆପଣଙ୍କ କଥା ମାନି ସେହି ଶାଢ଼ୀ ପନ୍ଧିବି |ଏହା କହି ସେ ମଣି ହାତରେ ଗୋଟିଏ ପ୍ୟାକେଟ ରଖିଦେଲା |ମଣି  ପାଟିରୁ କଣ ବାହାରି ଆସୁଥିଲା |କିନ୍ତୁ ସେ ନିଜକୁ ରୋକିନେଇ କହିଲା,ମୋ ଝିଅ ମତେ ମନ ଖୁସିରେ ମତେ ଯାହା ଦେବ,ତାହା ମୋ ପାଇଁ ସ୍ୱର୍ଗ |ମୁଁ ତାକୁ କେବେହେଲେ ଭଲ ମନ୍ଦ ବୋଲି କହି ପାରିବିନି |ସେ ରୁନି ହାତରୁ ଶାଢ଼ୀ ନେଇ ତା   ମୁଣ୍ଡରେ ହାତ ରଖି କହିଲା,ମୋର ସବୁ ଆୟୁଷ ତତେ ଲାଗିଯାଉ,ଭଗବାନ ତତେ ସକଳ ଐଶ୍ଵର୍ଯ୍ୟ ଦିଅନ୍ତୁ |ଖୁସିରେ ରୁନି ଆଖିକୁ ଲୁହ ଚାଲି ଆସିଲା |ସେଦିନ ଠାରୁ ମଣି ନିଜକୁ ବଦଳେଇବାରେ ଲାଗି ପଡିଲା |କ୍ରମଶଃ  ସେ ଅନୁଭବ କଲା ,ରୁନି ମଧ୍ୟ ଧୀରେ ଧୀରେ ବଦଳିବାରେ ଲାଗିଛି ଓ ଘରେ ଶାନ୍ତି ଫେରି ଆସୁଛି |ଏଥର ମଣି ଖୁବ ଖୁସି ଥିଲା |ତାକୁ ଲାଗୁଥିଲା,ସେ ଯେମିତି ହାରୁ ହାରୁ ଜିତି ଯାଇଛି !!!!  |ମମତା ମହାନ୍ତି |




                         

                                                        

No comments:

Post a Comment