Saturday, August 29, 2020

କାଳସର୍ପ ଦୋଷ

                   ଏମିତି ଗୋଟିଏ ସମୟ ଥିଲା,ଯେତେବେଳେ ସୁଖ ଶାନ୍ତି ଓ  ସଫଳତା ପ୍ରିୟାଶାର ପିଛା ଛାଡୁ ନଥିଲା  |ନୃତ୍ୟ,ସଙ୍ଗୀତ,ପାଠପଢା ,ସବୁଥିରେ ସେ ଆଗୁଆ ଥିଲା |ସାଙ୍ଗ, ସାଥୀ,ସାଇ,ପଡୋଶୀ,ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସେ ଥିଲା ଅତି ପ୍ରିୟ | ବାପା ପ୍ରମୋଦ ଓ ମାଆ ମେନକାଙ୍କ ସେ ଏକମାତ୍ର ସନ୍ତାନ ଥିଲା  |ତାର ଏକୋଇଶିଆ ପୂଜା ବେଳେ, ନନା ତାର ଜାତକ ଦେଖି କହିଥିଲେ,ପ୍ରିୟାଶା ଜାତକରେ କାଳସର୍ପ ଦୋଷ  ଅଛି |ସେ ଆଉ ମଧ୍ୟ କହିଥିଲେ, କେବଳ ନାସିକ ରେ ହିଁ ଉପଯୁକ୍ତ ବିଧି ବିଧାନରେ  ପୂଜା ଦ୍ୱାରା ତାହା ଖଣ୍ଡନ ହୋଇ ପାରିବ | ପ୍ରମୋଦଙ୍କର ଏସବୁ ରେ ବିଶ୍ୱାସ ନଥିଲା |ତେଣୁ ସେ ନନାଙ୍କ ଉପଦେଶକୁ ହାଲୁକା ଭାବେ ନେଇଥିଲେ |ତାଙ୍କ  ନିଜ ଘର  ବଲାଙ୍ଗୀରରେ ଥିଲା ଓ ସେ ସେହିଠାରେ ଚାକିରୀ କରୁଥିଲେ |

              ପ୍ରିୟାଶା  ମୁମ୍ବାଇରେ ଏମ.ବି.ଏ. କରୁଥିବାବେଳେ ଉତ୍ତରପ୍ରଦେଶର ବାସିନ୍ଦା ବିକାଶ ସହିତ ତାର ପରିଚୟ ହୋଇଥିଲା  |ପ୍ରଥମ ଦେଖାରେ ବିକାଶ ତା ପ୍ରତି ଆକୃଷ୍ଟ ହୋଇ ତା ପଛରେ ପଡିଯାଇଥିଲା |କେତେବେଳେ ସେ ତାକୁ ସ୍ୱର୍ଗର ଅପ୍ସରା ତ କେତେବେଳେ ସୁପର ମଡେଲ,ପୁଣି କେତେବେଳେ ପୃଥିବୀର ଶ୍ରେଷ୍ଠ ସୁନ୍ଦରୀ ବୋଲି କହୁଥିଲା |ତାଠାରୁ ଦୂରତା ରକ୍ଷା କରି କରି,ପ୍ରିୟାଶା କେତେବେଳେ ତା ଜାଲରେ ଫସି ଯାଇଥିଲା,ସେ ନିଜେ ବି ଜାଣିପାରି ନଥିଲା |ବିକାଶ ସହିତ ପ୍ରିୟାଶା ର ସମ୍ପର୍କ ଜାଣିବା ପରେ ଉଭୟ ପ୍ରମୋଦ ଓ ମେନକା ଏହାର ଘୋର ବିରୋଧ କରିଥିଲେ |କାରଣ,ବିକାଶ ତାଙ୍କ ଜାତିର ନଥିଲା କି ତାଙ୍କ ପ୍ରଦେଶର ନଥିଲା |ଏହାଛଡା ସେ ଆବଶ୍ୟକତା ଠାରୁ ଅଧିକ ନମ୍ର ଓ ଚାଟୁକାର ଥିଲା,ଯାହା ସେମାନଙ୍କୁ ଆଦୌ ଭଲ ଲାଗୁନଥିଲା |କିନ୍ତୁ ସେମାନଙ୍କ ବାରଣ ପ୍ରିୟାଶା ଉପରେ କିଛି ପ୍ରଭାବ ପକାଇ ପାରୁନଥିଲା  | ପାଠପଢା ଶେଷ ହେବାପରେ,ଦୁହେଁ ଭୁବନେଶ୍ୱରରେ  ଚାକିରୀ କଲେ ଓ ପରିବାରଙ୍କ ବିରୋଧ ସତ୍ତ୍ୱେ  ମନ୍ଦିରରେ ବିବାହ କଲେ |ପରେ ଏହାକୁ ଆଇନସମ୍ମତ କରିବାକୁ ପ୍ରିୟାଶା ବାଧ୍ୟ କରିବାରୁ,କୋର୍ଟରେ ବିବାହ ରେଜିଷ୍ଟ୍ରେସନ ହେଲା  |ପ୍ରମୋଦ ଓ ମେନକା ତାଙ୍କର ଏକମାତ୍ର କନ୍ୟାକୁ ହରାଇବାକୁ ଚାହୁଁ ନଥିଲେ |ତେଣୁ ବାଧ୍ୟହୋଇ ସେମାନେ ଏହି ବିବାହକୁ ସ୍ୱୀକୃତି ଦେଇଥିଲେ |

              ବିବାହର କିଛିମାସ ପରେ  ବିକାଶର ସ୍ୱଭାବରେ ବହୁତ କିଛି  ପରିବର୍ତ୍ତନ ଆସିଥିବାର ପ୍ରିୟାଶା ଅନୁଭବ କରୁଥିଲା  |ବିକାଶ ମୁଣ୍ଡରେ ରାତାରାତି କୋଟିପତି ହେବାର ନିଶା ଚଢ଼ିଥିଲା |ଦିନେ ସେ ଜଣେ ନାମୀ ଫିଲ୍ମ ପ୍ରଡ୍ୟୁସରଙ୍କୁ ତାଙ୍କ ଘରକୁ ନେଇ ଆସିଲା |ସେ ବିକାଶର ବନ୍ଧୁ ଭାବି ପ୍ରିୟାଶା ତାଙ୍କର ଖୁବ ଚର୍ଚ୍ଚା କଲା |କଥା ପ୍ରସଙ୍ଗରେ ସେ କହିଲେ,ମୁମ୍ବାଇରେ କଲେଜ ଫଙ୍କସନ ରେ ମୁଁ ଆପଣଙ୍କର ସୁନ୍ଦର ନୃତ୍ୟ ସହିତ  ସୁନ୍ଦର ଚେହେରା ଦେଖି ଆତ୍ମହରା ହୋଇ ଯାଇଥିଲି  |ଆପଣଙ୍କୁ ମୋ ଫିଲ୍ମ ପାଇଁ ପ୍ରପୋଜାଲ ଦେବା ପୂର୍ବରୁ ଆପଣ ମୁମ୍ବାଇ ଛାଡି ସାରିଥିଲେ |ବହୁତ ଖୋଜିବା ପରେ ଜଣେ ବନ୍ଧୁଙ୍କ ଜରିଆରେ ଆପଣଙ୍କ ଠିକଣା ପାଇଲି |ଓଡ଼ିଶାରେ ଯେ ଏତେ ସୁନ୍ଦର ଝିଅ ଥାଇ ପାରନ୍ତି,ଏହା ମୋର ଧାରଣାର ବାହାରେ ଥିଲା |ଆପଣ ରାଜି ହେଲେ, ମୋର  ଆଗାମୀ ଫିଲ୍ମରେ ଆପଣ ହିରୋଇନ ହେବେ |ତାଙ୍କ କଥା ଶୁଣି ପ୍ରିୟାଶା ହତବାକ ହୋଇଗଲା |ସେ ବିକାଶକୁ ଅପ୍ରସ୍ତୁତ କରିବାକୁ ଚାହୁଁ ନଥିଲା |ତେଣୁ ସେ କହିଲା,ମୁଁ ଏ ବିଷୟରେ ଚିନ୍ତା କରି,ପରେ ମୋ ନିଷ୍ପତ୍ତି ଜଣାଇବି |ସେ ଯିବାପରେ ପ୍ରିୟାଶା ଓ ବିକାଶଙ୍କ ମଧ୍ୟରେ ଖୁବ ବଚସା ହେଲା |ତାକୁ ନଜଣାଇ କାହିଁକି ସେ ତାଙ୍କୁ ଘରକୁ ଡାକି ଆଣିଲା ର ପ୍ରଶ୍ନର ଉତ୍ତର ବିକାଶ ଦେଇ ପାରିଲା ନାହିଁ |ଶେଷରେ ବିକାଶକୁ କ୍ଷମା ମାଗିବାକୁ ପଡିଲା ଓ ସେକଥା ସେଇଠାରେ ସମାପ୍ତ ହେଲା |ଦୁଇଦିନ ପରେ ବିକାଶ ଆଉ ଏକ ନୂତନ ପ୍ରସ୍ତାବ ନେଇ ଆସିଲା |ଭୁବନେଶ୍ୱରରେ ସେମାନେ ଘର କିଣିବେ |ପ୍ରିୟାଶା ପଚାରିଲା,ଏତେ ଲକ୍ଷ ଟଙ୍କା ଆସିବ କେଉଁଠୁ ?ବିକାଶ କହିଲା,ତମେ ଘର କିଣିବାକୁ ଚାହୁଁଛ ବୋଲି ଯଦି ତମ ବାବା ମାମା ଜାଣିବେ ତାହେଲେ ସେମାନେ ସ୍ୱତଃପ୍ରବୃତ୍ତ ହୋଇ ତମ ପାଇଁ ଘର କିଣିଦେବେ |ଏମିତି ବି ସେମାନେ ତମ ବାହାଘର ପାଇଁ କିଛି ଖର୍ଚ୍ଚ କରି ନାହାନ୍ତି |ପ୍ରିୟାଶା କହିଲା,ତା ମାନେ ତମେ ଯୌତୁକ ବାବଦରେ ଘର ଚାହୁଁଛ ?? ଯଦି ତମ ମନରେ ଏତେ କଥା ଥିଲା,ଏକଥା ବାହାଘର ଆଗରୁ ତମେ ମତେ କହିବାର ଥିଲା  | ବିକାଶ ତା କଥାର କିଛି ଉତ୍ତର ନଦେଇ ନୀରବରେ ସେଠାରୁ ଚାଲିଗଲା |ଏହିପରି ଭାବରେ ବିକାଶ ମନରେ ପ୍ରତିଦିନ ନୂଆ ନୂଆ ଚିନ୍ତାଧାରା ଉତ୍ପନ୍ନ ହେଉଥିଲା ଓ ସେ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସ୍ୱପ୍ନ ଦେଖୁଥିଲା  | ସେ ଗୋଟିକ ପରେ ଗୋଟିଏ ଚାକିରୀ ବଦଳାଇ ଶେଷରେ  ଚାକିରୀ ନକରି,ବ୍ୟବସାୟ କରିବାର ନିଷ୍ପତ୍ତି ନେଲା |ବ୍ୟବସାୟ କ୍ଷେତ୍ରରେ ବି ସେ ବହୁତ ପରୀକ୍ଷା ନିରୀକ୍ଷା ଚଳେଇ ନିର୍ଦ୍ଦିଷ୍ଟ ଭାବରେ କିଛି ବ୍ୟବସାୟ କରି ପାରୁନଥିଲା |ସେଥିପାଇଁ ତାର ସବୁବେଳେ ଟଙ୍କା ଦରକାର ହେଉଥିଲା  |ବ୍ୟବସାୟ କରିବା ଚକ୍କରରେ ପ୍ରିୟାଶାର ସବୁ ଗହଣା ବିକ୍ରୀ ହୋଇଗଲା,କିନ୍ତୁ ବିକାଶ କୌଣସି ବ୍ୟବସାୟରେ ତିଷ୍ଠି ପାରିଲା ନାହିଁ | ପ୍ରମୋଦ ଓ ମେନକା ଯେତେବେଳେ ଏକଥା ଜାଣିଲେ,ସେମାନଙ୍କର ଦୁଃଖର ସୀମା ରହିଲା ନାହିଁ |ମେନକା କହିଲେ,କାଳସର୍ପ ଦୋଷ ଖଣ୍ଡନ କରିବାକୁ ନନା କହୁଥିଲେ ,ତାଙ୍କ କଥା ମାନିଥିଲେ,ହୁଏତ ଆଜି ଏ ଦିନ ଦେଖିବାକୁ ପଡି ନଥାନ୍ତା |ପ୍ରମୋଦ ମଧ୍ୟ ମେନକାଙ୍କ କଥାରେ ଏକମତ ହେଲେ |ଡେରିରେ ହେଉ ପଛକେ, ନାସିକ ଯାଇ,କାଳସର୍ପ ଦୋଷ ଖଣ୍ଡନ କରିବା ପାଇଁ , ସେମାନେ ସ୍ଥିର କଲେ |ସେମାନଙ୍କ ନାସିକ ଯିବା କଥା ଶୁଣି,ପ୍ରିୟାଶା ସେମାନଙ୍କ ସହିତ ଯିବାପାଇଁ ବାହାରିଲା |କିନ୍ତୁ ବିକାଶ ଯିବାପାଇଁ ରାଜି ହେଲାନାହିଁ |କହିଲା,ବାପାଙ୍କ ଦେହ ଖରାପ ଅଛି,,ସେ ଗାଆଁକୁ ଯିବ |ପ୍ରିୟାଶା ଆଉ ବାଧ୍ୟ କଲା ନାହିଁ |  ସେ ଆସିବାବେଳେ ବିକାଶର  ଟିପଣା ଆଣିଥିଲା ;ଭାବିଥିଲା,ତାର ଯଦି କିଛି ଗ୍ରହ ଦୋଷ ଥିବ,ତାହେଲେ ତାକୁ ଖଣ୍ଡନ କରିବା ପାଇଁ ସେ ପୂଜା କରିବ |

            ନାସିକରେ ପୂଜା ଭଲରେ ହୋଇଗଲା |କିନ୍ତୁ ବିକାଶର ଜାତକ ଦେଖି ନନା କହିଲେ,ଜାତକରେ ଥିବା ଗ୍ରହ ସ୍ଥିତି ଅନୁସାରେ ଜନ୍ମ ତାରିଖ ମେଳ ଖାଉନାହିଁ |ମାନେ,ବିକାଶ ତାର  ଜନ୍ମ ତାରିଖ ଦୁଇବର୍ଷ କମ କରି ଲେଖିଥିଲା | ଏକଥା ଶୁଣି ପ୍ରିୟାଶା ଭାବିଲା,ହୁଏତ ଭୁଲରେ ବିକାଶ ସେପରି କରି ଥାଇପାରେ |ସେ ସଙ୍ଗେ ସଙ୍ଗେ ବିକାଶକୁ ଫୋନ କଲା |କିନ୍ତୁ ତାର ଫୋନ ସୁଇଚ ଅଫ ଆସୁଥିଲା |ସଠିକ ଜନ୍ମ ତାରିଖ,ସମୟ ଓ ଜନ୍ମ ସ୍ଥାନ ନଥିଲେ,ଗଣନା ହୋଇ ପାରିବନି ବୋଲି ନନା ମନା କରିଦେଲେ | ସେଠାରୁ ଫେରି ସେ ବଲାଙ୍ଗୀରରେ କିଛିଦିନ ରହିଲା |ସେଠାରେ ସେ ବାରମ୍ବାର ବିକାଶକୁ ଫୋନ କରୁଥିଲା,କିନ୍ତୁ ତା ଫୋନ ଲାଗୁନଥିଲା |ବିକାଶର ଗାଆଁରେ ନେଟ ସମସ୍ୟା ଥିବାରୁ,ସେ  ଗାଆଁକୁ ଯିବାବେଳେ.ପ୍ରାୟ ସେମିତି ହୁଏ ବୋଲି ପ୍ରିୟାଶା ଜାଣିଥିଲା |ଚାରି ପାଞ୍ଚ ଦିନ ବାପା ମାଆଙ୍କ ପାଖରେ ରହିବା ପରେ ସେ ଭୁବନେଶ୍ୱର ଫେରି ଆସି, ତାଙ୍କର ଭଡ଼ାଘରେ ତାଲା ଝୁଲୁଥିବାର ଦେଖି, ଜାଣିଲା,ବିକାଶ ସେପର୍ଯ୍ୟନ୍ତ ଗାଆଁରୁ ଫେରିନି |ସେଦିନ ସେ ମେନକା ଦେଇଥିବା ଖାଦ୍ୟ ଖାଇ ଶୋଇପଡ଼ିଲା |ପରଦିନ ଖୁବ ସକାଳୁ ବିକାଶର ଫୋନ ଆସିଲା |ସେ ବ୍ୟସ୍ତ ହୋଇ କହୁଥିଲା,ବାପାଙ୍କ ଦେହ  ଖରାପ ଅଛି ବୋଲି ମିଛ କଥା କହି,ମତେ ଡକେଇ ନେଲେ |ଏବେ ସେମାନେ ଜବରଦସ୍ତି ମୋ ବାହାଘର କରି ଦେଉଛନ୍ତି |ତା କଥା ଶୁଣି ପ୍ରିୟାଶା ର ହୃଦୟ ଥରି ଉଠିଲା |ସେ କହିଲା,ତମେ ମତେ ବାହା ହୋଇଛ ବୋଲି କଣ ଘରେ କହି ନଥିଲ ?ବିକାଶ କହିଲା,ହଁ କହିଥିଲି  |କିନ୍ତୁ ସେମାନେ ସେ ବିବାହକୁ ମାନୁ ନାହାନ୍ତି |କହୁଛନ୍ତି,ମତେ ତେଜ୍ୟ ପୁତ୍ର କରିଦେବେ |ପ୍ରିୟାଶା କହିଲା,କଲେ କରିବେ,ତମେ ଚେଷ୍ଟା କରି ଏଠାକୁ ପଳାଇ ଆସ |ବିକାଶ ହଉ ଦେଖୁଛି କହି ଫୋନ କାଟିଦେଲା |ଏହାପରେ ତାର ଫୋନ ପୁଣି ସୁଇଚ ଅଫ ହୋଇଗଲା |ପ୍ରିୟାଶା ଅନେକ ଚେଷ୍ଟା କରି ମଧ୍ୟ ତା ସହିତ ଯୋଗାଯୋଗ କରିପାରିଲା ନାହିଁ |

          ଏହିପରି ଅନେକ ଉଦ୍ବିଗ୍ନତା ଓ ବିନିଦ୍ର ରଜନୀ ଭିତରେ ସପ୍ତାହେ  ବିତିଗଲା |ଏତେଦିନ ହେଲାଣି ଝିଅ ଫୋନ କରି ନଥିବାରୁ ମେନକାଙ୍କ ମନକୁ ପାପ ଛୁଇଁଲା |ପ୍ରିୟାଶାକୁ ଫୋନ କରିବାରୁ ସେ କାନ୍ଦି କାନ୍ଦି ତାଙ୍କୁ ସବୁ କଥା କହିଲା |ମେନକା  ପରିସ୍ଥିତି  ହୃଦୟଙ୍ଗମ କରି ତା ପରଦିନ ଟାକ୍ସି କରି ପ୍ରିୟାଶା ପାଖକୁ ଚାଲି ଆସିଲେ | ପ୍ରିୟାଶା ବହୁତ ଭାଙ୍ଗି ପଡିଥିଲା |ତାକୁ ସାନ୍ତ୍ୱନା ଦେବାପାଇଁ ମେନକାଙ୍କ ପାଖରେ ଭାଷା ନଥିଲା |କିଛିଦିନ  ପରେ ବିକାଶ ଆସିଲା |ସେ ପୂର୍ବପରି ବିଲକୁଲ ସ୍ୱାଭାବିକ ଥିଲା | ମେନକାଙ୍କୁ ଦେଖୁ ଦେଖୁ ସେ ତାଙ୍କ ପାଦ ଛୁଇଁ ପ୍ରଣାମ କଲା ଓ ପ୍ରିୟାଶା କାନ୍ଧରେ ହାତ ରଖି,ମାଇଁ ସୁଇଟ ବେବି ବୋଲି କହିଲା |ତା ବ୍ୟବହାରରେ ଆଶ୍ୱସ୍ତ ହୋଇ ପ୍ରିୟାଶା ପଚାରିଲା,ତମେ ବାହା ହେବାକୁ ମନା କରିଦେଲ ?ବିକାଶ ମୁହଁ ଶୁଖେଇ କହିଲା,ସେମାନେ ସମସ୍ତେ ମିଶି ଜବରଦସ୍ତି ବାହାଘର କରିଦେଲେ;ମୁଁ ଆଉ କଣ କରି ପାରିଥାଆନ୍ତି ?ମେନକା ରାଗିଯାଇ କହିଲେ,ତାହେଲେ ତମେ ଏବେ କଣ କରିବ ବୋଲି ଚିନ୍ତା କରି ଏଠିକି ଆସିଛ ?ଆଶାକୁ ଡିଭୋର୍ସ କରିବ ?ବିକାଶ ଜିଭ କାମୁଡି କହିଲା,ନାଁ ନାଁ ;ଆଶାକୁ କେହି ମୋଠାରୁ ଆଲଗା କରି ପାରିବେ ନାହିଁ |ମୋର ଆଉ ଗାଆଁକୁ ଯିବାର ନାହିଁ କି ସେ ଝିଅ ସାଙ୍ଗେ ସମ୍ପର୍କ ରଖିବାର ନାହିଁ |ମେନକା କହିଲେ,ତମେ କଣ କହୁଛ ,ସେକଥା ନିଜେ ବୁଝି ପାରୁଛ ତ ?ଆମକୁ ସେକଥା ମୂଳରୁ ଜଣେଇ ଥିଲେ,ଆମେ ପୋଲିସ ନେଇ ତୁମ ଘରକୁ ଯାଇଥାଆନ୍ତୁ |କିନ୍ତୁ ତୁମେ କଣ କଲ ?ଫୋନ ସୁଇଚ ଅଫ କରି ବସି ପଡ଼ିଲ !!ବିକାଶ ମେନକାଙ୍କ କଥା ଶୁଣି ତାଙ୍କ ପାଦ ଦୁଇଟିକୁ ଜାବୁଡି ଧରି କାନ୍ଦି ପକାଇ କହିଲା,ମତେ କ୍ଷମା କର ମାମା ,ମୋର ବଡ଼ ଭୁଲ ହୋଇ ଯାଇଛି | ସେଦିନ ବିକାଶ ନିଜେ ରୋଷେଇ କଲା ଓ ସମସ୍ତେ ଏକାଠି ଖାଇଲେ |ଖାଇବା ବେଳେ ସେ  କହିଲା,ବ୍ରହ୍ମପୁରରେ ତାର ଚାକିରୀ ହୋଇ ଯାଇଛି |ସେ ସେଠାରେ ରହିବ ଓ ପ୍ରତି ଶନି,ରବିବାର ଏଠାକୁ ଆସିବ |

              ତା ପରଦିନ ସକାଳେ ବିକାଶ ବ୍ରହ୍ମପୁର ଚାଲିଗଲା |ସେ ଯିବାପରେ ମେନକା କହିଲେ,ତୁ ଆଉ ଏଇଠି ଏକୁଟିଆ ରହିବା ଠିକ ନୁହେଁ |ତୁ ଚାହିଁଲେ,ସେଇଠି ଆମ ସହିତ ରହିବା ସଙ୍ଗେ ସଙ୍ଗେ ଚାକିରୀ ବି କରି ପାରିବୁ |ଇଚ୍ଛାହେଲେ ଅଧିକ ପଢି,ତୋ କ୍ୱାଲିଫିକେସନ ବଢ଼େଇ ପାରିବୁ |ବିକାଶ ସେଠିକି ବି ଯାଇ ପାରିବ |କିନ୍ତୁ ପ୍ରିୟାଶାର ମନ ବୁଝୁ ନଥିଲା |ଭୁବନେଶ୍ୱରରେ ତାର କ୍ୟାରିଅର ଗଢିବାକୁ ସେ ଚାହୁଁଥିଲା କାରଣ ଭୁବନେଶ୍ୱର ବିକାଶର ପ୍ରଥମ ପସନ୍ଦ ଥିଲା |ମେନକା କହିଲେ,ଠିକ ଅଛି,ଯାହା ତୋ ଇଛା |ମୁଁ ବହୁତ ଦିନ ହେଲା ଆସିଲିଣି,ଭାବୁଛି, କାଲି ଚାଲିଯିବି |ଆମର ସେଇ ଚିହ୍ନା ଟାକ୍ସିବାଲା କେଶବକୁ ଫୋନ କଲେ,ସେ ଆସି ମତେ ନେଇଯିବ |କେଶବକୁ  ଫୋନ କରିବାରୁ ସେ  ଆସିବ ବୋଲି କହିଲା |ମେନକା ଯାଉଛନ୍ତି ବୋଲି ଜଣେଇ ଦେବାପାଇଁ, ପ୍ରିୟାଶା ବିକାଶକୁ ଫୋନ ଲଗେଇଲା |ଫୋନ ବହୁତ ସମୟ ରିଂ ହେବାପରେ କେହିଜଣେ ସ୍ତ୍ରୀ ଲୋକ ଫୋନ ଉଠେଇ ହିନ୍ଦୀରେ  କହିଲେ,ସେ ବାଥ ରୁମରେ ଅଛନ୍ତି ,ଆପଣ ଆଉ ଟିକିଏ ପରେ,ଫୋନ କରିବେ |ଆପଣ କିଏ କହୁଛନ୍ତି ବୋଲି ପ୍ରିୟାଶା ହିନ୍ଦୀରେ ପଚାରିବାରୁ ସେହି ଅଜଣା ସ୍ତ୍ରୀ ଲୋକ ,ତାଙ୍କର ସ୍ତ୍ରୀ କହୁଛନ୍ତି ବୋଲି କହିଲେ |ତାଙ୍କ ସହିତ ବିସ୍ତୃତ ଭାବେ କଥା ହୋଇ ପ୍ରିୟାଶା ଜାଣିଲା,ସିଏ ବିକାଶର ସ୍ତ୍ରୀ ଓ ନିକଟରେ ତାଙ୍କର ବାହାଘର ହୋଇଛି |ତା କଥା ଶୁଣି,ପ୍ରିୟାଶା ର ମୁଣ୍ଡ ଘୁରିଗଲା |ସେ ଆସି ଲଥ କରି ସୋଫା ଉପରେ ବସି ପଡିଲା |ମେନକା ଟିଭି ଦେଖାରେ ମଜ୍ଜି ଯାଇଥିଲେ | ଟିଭିରେ ସେହି ସମ୍ବାଦ ଦେଉଥିଲା ,ଯେଉଁଥିରେ କିପରି ଜଣେ ଅଭିନେତାଙ୍କ କାଳସର୍ପ ଦୋଷ ଅଛି ବୋଲି,ଦୋଷ ନିବାରଣ ପାଇଁ ତାଙ୍କ ଘରେ ବିଧି ବିଧାନ ସହିତ ପୂଜାର୍ଚ୍ଚନା ହେଉଥିଲା  |ପୁଣି କିପରି ତାଙ୍କୁ ଜଣେ ଅଭିନେତ୍ରୀ ତାଙ୍କ ପ୍ରେମ ଜାଲରେ ଫସାଇ ,ତାଙ୍କ ଅଜାଣତରେ ଡ୍ରଗ୍ସ ଖୁଆଇ,ତାଙ୍କର ସବୁ ଟଙ୍କା ହଡପ କରି କିପରି ତାଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଲେ ଓ କିପରି ସେ ନିଜକୁ ନିର୍ଦ୍ଦୋଷ ବୋଲି ଏକ ଟିବି ଚ୍ୟାନେଲରେ ଇଣ୍ଟରଭିଉ ଦେଉଛନ୍ତି  |ପ୍ରିୟାଶା ମୃତ ଅଭିନେତାଙ୍କ ଗଳାରେ ଥିବା ଫାଶି ଚିହ୍ନକୁ ଭଲଭାବେ ଲକ୍ଷ୍ୟ କଲା |ତାକୁ ସ୍ପଷ୍ଟ ଜଣା ପଡିଲା,ଯେପରି ତାଙ୍କ  ଗଳାରେ ଏକ ସାପ ଗୁଡେଇ ହୋଇ ତାର ଫଣା ଟେକିଛି  ! ପ୍ରିୟାଶା ଯେତେ ବେଶି ସେ ଦାଗକୁ ଦେଖିବାକୁ ଲାଗିଲା,ସେତେ ବେଶି ତାର ଜ୍ଞାନୋଦୟ ହେବାରେ ଲାଗିଲା |ତା ଜାତକରେ ଥିବା କାଳସର୍ପ ଦୋଷକୁ ସେ ବାରମ୍ବାର ତର୍ଜମା କଲା | ତାର ମନେହେଲା, କାଳସର୍ପ ଆଉ କେହି ନୁହେଁ, ବିକାଶ ହିଁ ତା ଜୀବନରେ  କାଳସର୍ପ ହୋଇ ଆସିଛି |ତାକୁ ବୁଝିବାରେ ସେ ବହୁତ ଡେରି କରିଦେଲା  |ନିଜ ପ୍ରିୟ ମଣିଷର ଏପରି ଧୋକା କୁ ସେ ଆଦୌ ସହି ପାରୁନଥିଲା |ସେ ଭାବିଲା,ଆତ୍ମହତ୍ୟା ହିଁ ତାର ଏକମାତ୍ର ପନ୍ଥା |କିନ୍ତୁ ପର ମୁହୂର୍ତ୍ତରେ ତାର ପିତାମାତାଙ୍କ ନିରୀହ ମୁଖମଣ୍ଡଳ ତା ଆଖି ଆଗରେ ଭାସିଗଲା  |ସେମାନେ କି ଦୋଷ କରିଥିଲେ ?ସେ ସ୍ଥିର କଲା,ସେ ବଞ୍ଚିବ ; କେବଳ ନିଜର ବାବା ମାମାଙ୍କ ପାଇଁ |

               ସେଦିନ ଅର୍ଦ୍ଧରାତିରେ ମେନକା କିଛି ଶବ୍ଦ ଶୁଣି ଉଠି ଦେଖିଲେ,ପ୍ରିୟାଶା ତାର ଲୁଗାପଟା ଇତ୍ୟାଦି ପ୍ୟାକିଂ କରୁଛି |ସେ ଆଶ୍ଚର୍ଯ୍ୟ ହୋଇ ତା ପାଖକୁ ଯାଇ ପଚାରିଲେ,ଏତେ ରାତି ଯାଏଁ ତୁ  କଣ କରୁଛୁ ମା ? ପ୍ରିୟାଶା  କହିଲା,ମୁଁ ବି କାଲି ତମ ସାଙ୍ଗେ ଯିବି ମାମା |ଚାକିରୀ କରେ ବା ନକରେ ତମ ପାଖରେ ମୁଁ ସବୁଦିନ ପାଇଁ  ରହିବି | ତା କଥା ଶୁଣି,ମେନକା ତାକୁ ଖୁସିରେ କୁଣ୍ଢେଇ ପକେଇଲେ |ଆସିବା ବେଳେ ପ୍ରିୟାଶା ବିକାଶକୁ ଏକ ମେସେଜ ପଠେଇଲା,ଯେଉଁଥିରେ ସେ ଲେଖିଥିଲା,ତମ ମିଛ କୁ ସତ ଭାବି ମୁଁ ବହୁତ ବଡ଼ ଭୁଲ କରିଦେଲି  |ଏବେ ମୋ ପ୍ରାୟଶ୍ଚିତ ର ସମୟ ଆସିଛି | ତମେ ତମ  ସ୍ତ୍ରୀଙ୍କ ସହିତ  ଆନନ୍ଦରେ ରୁହ |ମୁଁ ଯାଉଛି,ମୋ ଅବଶିଷ୍ଟ ଜୀବନ ମୋ ଅତି ପ୍ରିୟ ବାବା ମାମାଙ୍କ ସହିତ କଟାଇବା  ପାଇଁ  |ଆମର ପରବର୍ତ୍ତୀ ସାକ୍ଷାତ କୋର୍ଟରେ ହେବ  |ଗୁଡ଼ ବାଏ |ମମତା ମହାନ୍ତି |

                

            

               


                 

No comments:

Post a Comment