Monday, August 10, 2020

ସବୁକିଛି ବଦଳିଗଲା !!!

             କିଛିମାସ  ତଳେ ପ୍ରକାଶ, ଶିଖା ଓ ସେମାନଙ୍କର ତିନିବର୍ଷର ପୁଅ ବୁବୁନ ଖୁବ ଖୁସିରେ ଥିଲେ |ଦିନକୁ ଦୁଇବେଳା କାମବାଲୀ ଓ କୁକ ଆସୁଥିଲେ |ପୁଅକୁ ଡେ କେଆରରେ ନିରାପଦରେ ଛାଡି ଦୁହେଁ ଅଫିସ ଯାଉଥିଲେ |ସନ୍ଧ୍ୟା ଛଅଟା ପୂର୍ବରୁ ଶିଖା ଅଫିସରୁ ଫେରି ପୁଅକୁ ନେଇ ଘରକୁ ଆସୁଥିଲା |ତାର ପୋଷାକ ବଦଳାଇ ତାକୁ ଖୁଆଇ ସାରିବା ପରେ ସେ ତା ସହିତ କିଛି ସମୟ ଖେଳୁଥିଲା ଓ ତାକୁ ପଢାଉଥିଲା |ଇତି ମଧ୍ୟରେ ଉଭୟ କାମବାଲୀ ଓ କୁକ ଆସି ସେମାନଙ୍କ କାମ ଶେଷ କରି ଚାଲି ଯାଉଥିଲେ ଓ ପ୍ରକାଶ ମଧ୍ୟ ଅଫିସରୁ ଆସି ଯାଉଥିଲା |ସମସ୍ତେ ଏକାଠି ଖାଉଥିଲେ |ତାପରେ ବୁବୁନ କିଡ଼ସ ଭିଡିଓ ଦେଖୁଥିଲା ଓ ସେମାନେ ଦେଶ ବିଦେଶର ନିଉଜ ଶୁଣୁଥିଲେ |ସମସ୍ୟା ଭିତରେ ଏତିକି ଥିଲା,ପୁଅକୁ ପ୍ରାୟବେଳେ ଜ୍ୱର,କାଶ,ସର୍ଦ୍ଦି ଲାଗି ରହୁଥିଲା |ଶିଖା ଓ ପ୍ରକାଶଙ୍କର  ମଧ୍ୟ ବେଳେ ବେଳେ ଗଳା ସଂକ୍ରମଣ ହେଉଥିଲା |ଏହାଛଡା  ଆଉ ଯାହା ସମସ୍ୟା ଥିଲା,ତାହା ସେମାନଙ୍କର ଆୟତ୍ତ|ଧୀନ  ଥିଲା |
              ମାର୍ଚ୍ଚ ମାସରେ ଲକ ଡାଉନ ହେବାପରେ ସେମାନଙ୍କ  ଜୀବନଧାରା  ସମ୍ପୂର୍ଣ୍ଣ ଭାବରେ ବଦଳିଗଲା |କରୋନା ଭାଇରସର ଭୟାଭୟତା ପାଇଁ,କାମବାଲୀ  ଓ କୁକଙ୍କ ଆସିବା ବନ୍ଦ ହୋଇଗଲା  |ଅନିର୍ଦ୍ଦିଷ୍ଟ କାଳ ପାଇଁ,ପୁଅର ସ୍କୁଲ ଛୁଟି ହୋଇଗଲା ଓ ସେମାନେ ଦୁଇଜଣ ୱାର୍କ ଫ୍ରମ ହୋମ କରିବାକୁ ଲାଗିଲେ |ପ୍ରଥମେ ପ୍ରଥମେ ପରିବର୍ତ୍ତିତ ଜୀବନ ଶୈଳୀର ଖୁବ ମଜା ସେମାନେ ଉଠାଉଥିଲେ |କାରଣ  କୁକ ର ଅଧିକ ତେଲ ମସଲାଯୁକ୍ତ ଏକପ୍ରକାର ହାତରନ୍ଧା ସବୁଦିନ  ଖାଇ ସେମାନେ ବିରକ୍ତ ହୋଇଯାଇଥିଲେ |ଲକଡାଉନ ଯୋଗୁଁ ଯେହେତୁ ସେମାନଙ୍କ ପାଖରେ ପ୍ରଚୁର ସମୟ ଥିଲା,ସେମାନେ ପ୍ରତିଦିନ ନିଜ ପସନ୍ଦର ଖାଦ୍ୟ ରାନ୍ଧି ଖୁବ ଖୁସିରେ ଖାଉଥିଲେ |ସେହିପରି କାମବାଲୀ ନ ଆସିବାରୁ ଯଦିଓ ସେମାନେ ବହୁତ ହଇରାଣ ହେଉଥିଲେ,କିନ୍ତୁ ସେ ଅନୁପସ୍ଥିତ ଥିବାବେଳେ ସେମାନେ ଯେପରି ମିଳିମିଶି କାମ କରୁଥିଲେ ସବୁଦିନ ସେହିପରି କାମ କରିବା ଧୀରେ ଧୀରେ ସେମାନଙ୍କର ଅଭ୍ୟାସରେ ପଡିଯାଇଥିଲା |ଘର ପୂର୍ବାପେକ୍ଷା ବେଶି  ପରିଷ୍କାର ପରିଚ୍ଛନ୍ନ ରହୁଥିବାର ସେମାନେ ଅନୁଭବ କରୁଥିଲେ | ପୁଅ ବୁବୁନ ସବୁଦିନ ବାବା ମାଆଙ୍କୁ ପାଖରେ ପାଇଁ ତାର ଖୁସିର ସୀମା ନଥିଲା |ସବୁଠାରୁ ବଡ଼ ଆଶ୍ୱାସନାର ବିଷୟ ଥିଲା,ସବୁବେଳେ ଅସୁସ୍ଥ ରହୁଥିବା ପୁଅର କ୍ରମାଗତ ଥଣ୍ଡା,ଜ୍ୱର ଓ ସର୍ଦ୍ଦି କୁଆଡେ ଉଭେଇ ଯାଇଥିଲା |ସେମାନେ ଦୁଇଜଣ ବି ସମ୍ପୂର୍ଣ୍ଣ ସୁସ୍ଥ ଥିଲେ | 
             କିନ୍ତୁ ଦୁଇମାସ ପରେ ଏହି ଖୁସି ଆଉ ରହିଲା ନାହିଁ |  ଶାରୀରିକ ପରିଶ୍ରମ ନଥାଇ  ନିତି ନିତି  ଗରିଷ୍ଠ ଖାଦ୍ୟ ଖାଇବା ଫଳରେ  ଶରୀରର ଓଜନ ବଢିବା ସଙ୍ଗେ ସଙ୍ଗେ ବଦ ହଜମୀ ଆରମ୍ଭ ହୋଇଗଲା ଓ ଆଉ ସେ ଖାଦ୍ୟ ପ୍ରତି ଆଗପରି ସ୍ପୃହା ରହିଲା ନାହିଁ |କ୍ରମେ ସେମାନଙ୍କୁ କମ ତେଲ ମସଲା ଯୁକ୍ତ ସାତ୍ତ୍ଵିକ ଖାଦ୍ୟ ଖାଇବାକୁ ବେଶି ଭଲ ଲାଗିଲା |ଫୁରସତ ମିଳିଲେ,ନିଜ ସାଙ୍ଗସାଥୀଙ୍କ ସହ ମନଖୋଲା କଥା ହେଲେ,ବହୁତ ଖୁସି ଲାଗେ |କିନ୍ତୁ ଏଠାରେ ଆନନ୍ଦ ଅପେକ୍ଷା ବିପଦ ବେଶି ସମ୍ଭାବନା ଥିଲା  |କାରଣ ଗପୁ ଗପୁ ଯଦି ପାଟିରୁ କିଛି ଅନାବଶ୍ୟକ କଥା ବାହାରି ପଡିବ ତାହେଲେ କଥା ସରିଲା |ପୁଣି  ତାହା  ଯଦି କାହା ବିରୁଦ୍ଧରେ କୁହା ଯାଇଥିବ ଓ ସେ କଥା ଯଦି ସମ୍ପୃକ୍ତ ବ୍ୟକ୍ତିର କାନରେ ପଡ଼ିଯାଇ ଥିବ,ତାହେଲେ ହୁଏତ ଭବିଷ୍ୟତରେ ମୁକାବିଲା ଅଥବା କ୍ଷମା ପ୍ରାର୍ଥନା କରିବାକୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ   |ତା ଠାରୁ ବରଂ  ଟିଭିରେ ନିଜ ପସନ୍ଦର ପ୍ରୋଗ୍ରାମ ଦେଖିବା ସବୁଠାରୁ ଭଲ |ଏବେ ଲକ ଡାଉନରେ କରୋନା ଭାଇରସ ଗୌଣ,ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ମୁଖ୍ୟ ସମ୍ବାଦ ପାଲଟିଛି |ସବୁ ନିଉଜ ଚାନେଲରେ ସେଇ ଏକ ସମ୍ବାଦ |ପ୍ରକାଶ ଓ ଶିଖା ସୁଶାନ୍ତ ହତ୍ୟା (?)ରହସ୍ୟ ଜାଣିବା ପାଇଁ ସବୁ ଚାନେଲ ଘୁରେଇ ଘୁରେଇ କେବଳ ସେହି ସମ୍ବାଦ ଶୁଣୁଥିଲେ |ଶିଖା କହିଲା,ଆଜି ଯଦି ସୁଶାନ୍ତର ମା ବଞ୍ଚିଥାଆନ୍ତେ,ନିର୍ଭୟାର ମାଆଙ୍କ ପରି ଆକାଶ ପାତାଳ ଏକାକାର  କରି,ଏତେବେଳକୁ ହତ୍ୟାକାରୀକୁ ହାତକଡ଼ି  ପିନ୍ଧେଇ ସାରନ୍ତେଣି |ପ୍ରକାଶ କହିଲା,ଆପଣା ଦୋଷେ ପ୍ରାଣୀ ମରେ |ବାଘ ଗୂମ୍ଫାରେ ପଶିବା ପାଇଁ ତାକୁ କିଏ କହୁଥିଲା ?ବାଘୁଣୀ କଣ ଏତେ ବୋକି ହୋଇଛି ଯେ,ଆପେ ଆପେ ଆସିଥିବା ଶିକାରକୁ ଛାଡ଼ିଦେବ ?ଶିଖା କହିଲା,ଯେଉଁଦିନ ଅଙ୍କିତା ସାଙ୍ଗେ ତାର ବ୍ରେକଅପ ହେଲା,ସେବେଠାରୁ ମୁଁ ଜାଣିଥିଲି,ତାର ଆଉ ଭଲଗତି ନାହିଁ |ପ୍ରକାଶ କହିଲା,ବୁଝିଲ,ଇଏ ହେଉଛି,ମାୟାନଗରୀ |ଏଠାରେ କେହି କାହା ପାଖରେ ବେଶିଦିନ ରହନ୍ତି ନାହିଁ |ଶିଖା କହିଲା,ଯାହା ବି ହେଉ,ନ୍ୟାୟ ଅନ୍ୟାୟ ବୋଲି କିଛି ଅଛି ନାଁ ନାହିଁ ?ପ୍ରକାଶ କହିଲା,ଦୁଇଜଣଙ୍କ ରିଲେସନସିପ ଆରମ୍ଭ ହେଉ ହେଉ,ପୁରା ଫାମିଲି ଟଙ୍କା ଲୁଟିବା ପାଇଁ,ଆସି ତା ଘରେ ହାଜର !ୟେ କି ପ୍ରକାର ସଂସ୍କାର ?ଶିଖା କହିଲା,ଏବେ ଲିଭ ଇନ ରିଲେସନସିପରେ ରହିବା ପୂର୍ବରୁ ସମସ୍ତେ ଶହେ ଥର ଚିନ୍ତା କରିବେ |ପ୍ରକାଶ କହିଲା,ଯାହା କୁହ ପଛକେ,ସ୍ତ୍ରୀ ଜାତିର ମାୟା ବୁଝିବା ଭାରି କଷ୍ଟ |ଶିଖା ରାଗିଯାଇ କହିଲା,ଦିଶା କୁ କିଏ ମାରିଲା ?ସେ ଗୋଟେ ପୁରୁଷକୁ ଅନ୍ଧ ପରି ବିଶ୍ୱାସ କରି ଫସି ଯାଇଥିଲା |ଏମିତି କଥା କଟାକଟି ରେ ଦୁଇଜଣଙ୍କ ଭିତରେ ବାକ ବିତଣ୍ଡା ଆରମ୍ଭ ହୋଇଗଲା |ଶେଷରେ ପୁଅର କାନ୍ଦ ଶୁଣି ସେମାନଙ୍କ କଳିରେ ପୂର୍ଣ୍ଣଛେଦ ପଡିଲା | ସ୍କୁଲ ଥିଲାବେଳେ ପୁଅ ଦିନସାରା ଖୁବ ଖେଳୁଥିଲା |ଦିନେ ଦିନେ ସ୍କୁଲରୁ ଆସିବା ପାଇଁ ରାଜି ହେଉ ନଥିଲା |ପୁଣି ଘରକୁ ଫେରିବା ପରେ ପଡୋଶୀ ଘର ପିଲାଙ୍କ ସାଙ୍ଗେ ମଧ୍ୟ ଖେଳୁଥିଲା |ପିଲାମାନଙ୍କ ଭିତରେ ଖୁବ ଆନ୍ତରିକତା ଥିଲା |ଏବେ ସ୍କୁଲ ବନ୍ଦ |କରୋନା ଭାଇରସକୁ ଡରି,କେହି ତାଙ୍କ ପିଲାଙ୍କୁ ବାହାରକୁ ଖେଳିବାକୁ ଛାଡ଼ୁନାହାନ୍ତି |  
                  ଶିଖା ପୁଅକୁ କୋଳକୁ ନେଲା |ତାକୁ ଖାଇବାକୁ ଦେଲା |କିନ୍ତୁ ସେ ଖାଇବାକୁ ନୁହେଁ,ପଡୋଶୀ ଘର ପୁଅ,ରିତୁଲ ସାଙ୍ଗେ ଖେଳିବାକୁ ଚାହୁଁଥିଲା |ଶିଖା ତାକୁ ବୁଝାଇ କହିଲା,ବାବୁରେ,ବାହାରେ କରୋନା ଭାଇରସ ଜାଗିଛି,ତାକୁ ଡରି କେହି ବାହାରକୁ ଆସୁ ନାହାନ୍ତି |ତୁ କେମିତି ଯିବୁ ?ବୁବୁନ ଆହୁରି ଚାଲାକ ଥିଲା |ସେ କହିଲା,ମୁଁ ବାହାରକୁ ଯିବିନି,ରିତୁଲ ଆମ ଘରକୁ ଆସିବ |ପ୍ରକାଶ ବିରକ୍ତ ହୋଇ କହିଲା,ତାକୁ ଜିଦ୍ଦିଆ କରେଇଛ,ଏବେ ସମ୍ଭାଳ |ବାଧ୍ୟ ହୋଇ ଶିଖା ଇଣ୍ଟରକମରେ ରିତୁଲ ଘରକୁ ଫୋନ କଲା |ଫୋନ ରିତୁଲର ବାବା ଉଠେଇଲେ | ଶିଖାର କଣ୍ଠ ସ୍ୱର ଶୁଣି,ତାଙ୍କ ସ୍ତ୍ରୀଙ୍କୁ ଫୋନ ଦେଲେ |ଶିଖା କହିଲା,ଟିକେ ଅଧଘଣ୍ଟା ପାଇଁ,ରିତୁଲ କୁ ଆମ ଘରକୁ ଛାଡ଼ିବେ ?ବୁବୁନ ଖେଳିବାକୁ କହୁଛି |ନହେଲେ,ଆପଣ ଯଦି ଚାହିଁବେ,ମୁଁ ତାକୁ ଆପଣଙ୍କ ଘରେ ଛାଡ଼ିଦେବି |ସେତେବେଳେ,ରିତୁଲ ର ପାଟି ଶୁଭୁଥିଲା |କିନ୍ତୁ ତାର ମାଆ 'ସେ ଏବେ ଶୋଇଛି' କହି ଫୋନ ରଖିଦେଲେ |ଶିଖା ତା ପୁଅକୁ ଚାହିଁଲା |ସେ ଅତି ଆତୁର ହୋଇ ମାଆକୁ ଚାହିଁଥିଲା |ଶିଖା ତାକୁ କାଖେଇ କହିଲା,ଆମେ ଆଜି ଲୁଚକାଳି,ଦୌଡ଼ା ଦୌଡ଼ି ଓ ଆଉ ଯେତେ ସାରା ଖେଳ ଅଛି,ସବୁ ଖେଳିବା |ତୁ ରାଜି ?ସବୁ ବୁଝିବା ପରି ବୁବୁନ ସମ୍ମତ୍ତିସୂଚକ ମୁଣ୍ଡ ହଲେଇ,ଶିଖାକୁ କୁଣ୍ଢେଇ ପକାଇଲା |ତାପରେ ଦୁହେଁ ଖେଳିବାକୁ ଲାଗିଲେ |ପ୍ରକାଶ ଭାବୁଥିଲା,ଏମିତି ଖରାପ ସମୟ ଆସିବ ବୋଲି କେହି ହେଲେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରି ନଥିଲେ ; କରୋନା ପାଇଁ ସବୁକିଛି ବଦଳିଗଲା !!!!!ମମତା ମହାନ୍ତି |  
               

No comments:

Post a Comment