Friday, July 24, 2020

ଦେଉଳର ମୁଣ୍ଡି

                     ଦୀପ୍ତି ତାଙ୍କର ଦୁଇପୁଅ ରାଜେଶ ଓ ରାକେଶଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ |ତାଙ୍କ ପାଇଁ ପିଲା ଦୁଇଜଣ ହିଁ ସବୁକିଛି ଥିଲେ |ତାଙ୍କର ଦିନ ରାତି କେବଳ ପିଲାଙ୍କ ଚିନ୍ତାରେ ବିତୁଥିଲା   |ପିଲାମାନଙ୍କର ରୁଚି ଅନୁଯାୟୀ  ସେ ସବୁଦିନ ନୂଆ ନୂଆ ପ୍ରକାର ଖାଦ୍ୟ  ପ୍ରସ୍ତୁତ କରି ସେମାନଙ୍କ ଲଞ୍ଚ ବକ୍ସରେ ଦେଉଥିଲେ |ସ୍କୁଲରେ ସେମାନେ କେମିତି ପଢୁଛନ୍ତି ଓ ସେମାନଙ୍କ ପାଇଁ ଆଉ ଅଧିକ କଣ କରାଯାଇ ପାରିବ,ଏହି ବିଷୟରେ ଶ୍ରେଣୀ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହ ସବୁବେଳେ ଆଲୋଚନା କରୁଥିଲେ ଓ ସେମାନେ ଦେଉଥିବା ପ୍ରସ୍ତାବକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ |ପିଲାମାନଙ୍କୁ  ସ୍କୁଲରେ ଛାଡିବା ଓ ସ୍କୁଲ ଛୁଟି ହେଲେ ନିରାପଦରେ ଘରକୁ ଆଣିବା ତାଙ୍କର ଦୈନନ୍ଦିନ କର୍ତ୍ତବ୍ୟରେ ପରିଣତ ହୋଇ ଯାଇଥିଲା |ଏତେ ସବୁ ଭିତରେ ସେ ଅନ୍ୟମାନଙ୍କ ପରି ଘଣ୍ଟା ଘଣ୍ଟା ଠାକୁର ପୂଜା କରିବାକୁ ସମୟ ପାଉନଥିଲେ | ତାଙ୍କ ପାଇଁ ଈଶ୍ୱର ପୂଜା ଗୌଣ ଥିଲା,ମୂଖ୍ୟ ଥିଲା,ପିଲାମାନଙ୍କୁ ଭଲ ଶିକ୍ଷା ଦେଇ,ଭଲ ମଣିଷ କରିବା |ସେଥିପାଇଁ ତାଙ୍କ ସ୍ୱାମୀ ସ୍ୱରୂପଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଥିଲା | 
                      ତାଙ୍କର ନିରବିଛିନ୍ନ ଉଦ୍ୟମ ଫଳରେ ପିଲାମାନେ ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢି ଭଲ ଚାକିରୀ କଲେ |ଏଥିରେ ଦିପ୍ତୀଙ୍କ ଗର୍ବ ଓ ଆନନ୍ଦର ସୀମା ନଥିଲା |ତଥାପି ତାଙ୍କ ବ୍ୟସ୍ତତା କମି ନଥିଲା |ନୂଆ ଜାଗାରେ ପିଲାମାନେ କେମିତି ଚଳୁଛନ୍ତି,ସେମାନଙ୍କ ଦେହ ପା' ଭଲ ଅଛି କି ନାଁ ଜାଣିବା ପାଇଁ,ସେ ସବୁଦିନ ନିଶ୍ଚିତ ଭାବରେ ଥରେ ,ଏକ ନିର୍ଦ୍ଦିଷ୍ଟ ସମୟରେ ଫୋନ କରି ତାଙ୍କ ଭଲ ମନ୍ଦ ପଚାରି ବୁଝୁଥିଲେ |ତାଙ୍କ ପାଇଁ ପିଲାମାନେ ସବୁବେଳେ ଛୋଟ ହୋଇ ରହିଯାଇଥିଲେ |ଚାକିରୀ କରିବାପରେ ପୁଅ ମାନଙ୍କ ପାଇଁ ଯେତେବେଳେ ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା,ସେତେବେଳେ  ପିଲାମାନେ ଏବେ ଛୋଟ ଅଛନ୍ତି  କହି ସେ ପ୍ରସ୍ତାବ ଆଡେଇ ଯାଉଥିଲେ  |କିନ୍ତୁ ଯେଉଁଦିନ ରାଜେଶ ନିଜେ ତା କଲେଜ ଜୀବନର ସାଥୀ ଶୁଭ୍ରାକୁ ବାହା ହେବା ପାଇଁ ତାଙ୍କୁ କହିଲା,ସେହିଦିନ ତାଙ୍କ  ପାଦ ତଳୁ ମାଟି ଖସିଯିବା ପରି  ଲାଗିଲା  |ସେଠାରେ କୌଣସିମତେ ତାର ବାହାଘର ହୋଇ ପାରିବନି ଓ ସେ ଯେଉଁଠି ସ୍ଥିର କରିବେ,ସେହିଠାରେ ବାହାଘର ହେବ  ବୋଲି ସେ ରାଜେଶକୁ ରୋକ ଠୋକ ଜଣେଇ ଦେଲେ |ଦୀପ୍ତିଙ୍କୁ ମନେଇ ମନେଇ ତିନିବର୍ଷ ବିତିଗଲା |ଶେଷରେ ରାକେଶ ଦୀପ୍ତିଙ୍କୁ ବହୁତ ବୁଝାଇଲା ଓ କହିଲା,ଭାଇ ସେ ଝିଅ ଛଡା ଆଉ କାହାକୁ ବାହା ହେବେନାହିଁ |ଭାଇଙ୍କ ମନରେ ଦୁଃଖ ଦିଅନା |ମୁଁ ବରଂ ତମ ପସନ୍ଦର ଝିଅ ବାହାହେବି |ରାକେଶର ଏହି କଥା କାମ ଦେଲା ଓ ଦୀପ୍ତି ରାଜି ହୋଇହେଲେ | ଶୁଭ୍ରା ତାଙ୍କ ଘରକୁ ବୋହୁ ହୋଇ ଆସିଲା |କିନ୍ତୁ ଶୁଭ୍ରାର ଶତ ଚେଷ୍ଟା ସତ୍ତ୍ୱେ ଦୀପ୍ତି  କେବେବି ତାକୁ  ଭଲପାଇ ପାରିଲେ ନାହିଁ |ଶୁଭ୍ରା ଓ ରାଜେଶ ଦୁହେଁ ଏକା ଅଫିସରେ ପୁନେ ରେ ଚାକିରୀ କରୁଥିଲେ |ଛୁଟି ମିଳିଲେ ଦୁହେଁ ଘରକୁ ଛୁଟି ଆସୁଥିଲେ |କିନ୍ତୁ ଶୁଭ୍ରାର ରୋଷେଇ ଠାରୁ ଆରମ୍ଭ କରି ତାର ଚାଲିଚଳନ ପର୍ଯ୍ୟନ୍ତ କିଛି ବି ଦୀପ୍ତିଙ୍କୁ ପସନ୍ଦ ନଥିଲା |କଥା କଥାକେ ସେ ଶୁଭ୍ରାର ଦୋଷ ତ୍ରୁଟି ବାହାର କରୁଥିଲେ | ସମ୍ପର୍କ ଏତେ ତିକ୍ତ ହୋଇଯାଇଥିଲା ଯେ ରାଜେଶର ଝିଅ ଜନ୍ମବେଳେ ସେ ତା ପାଖକୁ ଯାଇ ନଥିଲେ |ସ୍ୱାମୀ ସ୍ୱରୂପ ଇଚ୍ଛାକରି ବି କିଛି କରିପାରି ନଥିଲେ,କାରଣ ଘରେ ଦିପ୍ତୀଙ୍କ କଥା ରହୁଥିଲା,ସେ କେବଳ ନିମିତ୍ତ ମାତ୍ର ଥିଲେ |
           ରାକେଶ ଅତ୍ୟନ୍ତ ମାତୃଭକ୍ତ ଥିଲା |ସେ ସବୁବେଳେ କହୁଥିଲା,ଜୀବନରେ ସବୁ ଋଣ ଶୁଝି ହେବ,କିନ୍ତୁ ମାତୃଋଣ ଶୁଝି ହେବନାହିଁ |ଦିପ୍ତୀଙ୍କ ପସନ୍ଦରେ ସେ  ପ୍ରୀତି କୁ ବାହା ହେଲା |ପ୍ରୀତି ଇଞ୍ଜିନିଅର ଥିଲା ଓ ସେହି  ସହରରେ ଚାକିରୀ କରୁଥିଲା |ସେ କିନ୍ତୁ ଶୁଭ୍ରା ପରି ଅନିନ୍ଦ୍ୟ ସୁନ୍ଦରୀ ନଥିଲା |ଏଥିପାଇଁ ରାକେଶ ମନ ଟିକେ ଊଣା ଥିଲା |ସେହିପରି, ପୁଅର ଚାକିରୀକୁ ଦେଖି ଯୌତୁକ ଆକାରରେ ଅତି କମରେ ଚାରିଚକିଆ ଯାନ ପାଇବାକୁ ଆଶା ରଖିଥିବା ଦୀପ୍ତି,ତାହା ନ ପାଇ  ନିରାଶ ହୋଇଥିଲେ ଓ ସେ ସେଥିପାଇଁ ଅସନ୍ତୁଷ୍ଟ ଥିଲେ |ପ୍ରୀତି ଅତ୍ୟନ୍ତ ପରିଶ୍ରମୀ  ଥିଲା ଓ ସୁସ୍ୱାଦୁ ଖାଦ୍ୟ ରାନ୍ଧିବାରେ ପ୍ରବୀଣା ଥିଲା |ସେ ଭୋରରୁ ଉଠି ଘରର ସମସ୍ତଙ୍କ ପାଇଁ ସକାଳର ଜଳଖିଆ ଓ ଲଞ୍ଚ ପ୍ରସ୍ତୁତ କରୁଥିଲା |ସେ ଓ ରାକେଶ ବ୍ରେକଫାଷ୍ଟ ଖାଇ ଟିଫିନ ବକ୍ସ ରେ ଲଞ୍ଚ ନେଇ ଅଫିସ ଯାଉଥିଲେ |ଅଫିସରୁ ଫେରିବା ପରେ ସେ ରାତି ପାଇଁ ଡିନର କରୁଥିଲା |ଦୀପ୍ତି ତାକୁ ଏଥିରେ ସାହାଯ୍ୟ କରୁ ନଥିଲେ |ସବୁକିଛି ଠିକଠାକ  ଥିବାବେଳେ ,ଅଧିକାଂଶ ସମୟରେ  ତାଙ୍କ ଘରେ ଚାରିଚକିଆ ଯାନକୁ ନେଇ କଳି ଲାଗୁଥିଲା |ଯେତେବେଳେ ଦୀପ୍ତି ଏହି ବିଷୟ ଉଠାଉ ଥିଲେ,ରାକେଶ ମାଆଙ୍କ ପକ୍ଷ ନେଉଥିଲା  ଓ ପ୍ରୀତିର ବାପାଙ୍କୁ ଭିକାରୀ ,କୃପଣ ଇତ୍ୟାଦି ମନ୍ତବ୍ୟ ଦେଉଥିଲା |ଏପରି କଳି, ଝଗଡ଼ା ଓ ନିଜ ପିତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୀତିକୁ ବହୁତ ଦୁଃଖ ଦେଉଥିଲା ଓ ସେ ରାଗିଯାଇ ତା ବାପଘରକୁ ଚାଲି ଯାଉଥିଲା |କିନ୍ତୁ ସେଠାରେ ପହଞ୍ଚି ସେ ରାକେଶ କୁ ଝୁରି ହେଉଥିଲା | ଦୁଇ/ଚାରିଦିନ ପରେ ସବୁ ଅଭିମାନ ଭୁଲି,ପୁଣି ଶାଶୁଘରକୁ ସେ ଫେରି ଆସୁଥିଲା ଓ  ସେମାନଙ୍କୁ ଦେଖି ଫିକ କରି ହସି ଦେଉଥିଲା |ରାକେଶ ପ୍ରତି ଥିବା ପ୍ରୀତିର ଏହି ଦୁର୍ବଳତା ସମସ୍ତଙ୍କୁ ଭଲ ଭାବେ ଜଣା ଥିଲା |ଦୁଇ ତିନି ମାସରେ ଥରେ ଘରେ ଏହିପରି ଡ୍ରାମା ପ୍ରାୟ ଲାଗି ରହୁଥିଲା |
                ଚାରିଚକିଆ ଯାନ ସେମାନଙ୍କ କଳିର ମୁଖ୍ୟ କାରଣ ଥିବା ଅନୁଭବ କରି,ପ୍ରୀତି ସମସ୍ତଙ୍କୁ ଚକିତ କରିଦେଇ ରାକେଶର ଜନ୍ମ ଦିନରେ ତାର ମନ ପସନ୍ଦ ରଙ୍ଗର ଏକ  କାର କିଣି ତାକୁ ଗିଫ୍ଟ ଦେଲା  |ତାକୁ ନପଚାରି ବ୍ୟାଙ୍କ ଲୋନ କରି କାର  କିଣି ଥିବାରୁ ରାକେଶ ପ୍ରୀତି ଉପରେ ଭୀଷଣ ବିରକ୍ତ ହେଲା |କିନ୍ତୁ ପ୍ରୀତି ତାକୁ ବୁଝାଇ ଦେଇ କହିଲା,ଏଇଟା ତା ତରଫରୁ ଜନ୍ମ ଦିନର ଭେଟି |ରାକେଶ ବୁଝିଗଲା ,କିନ୍ତୁ ଦିପ୍ତୀଙ୍କ ଅସନ୍ତୋଷ ଜାରି ରହିଲା |କାରଣ ପ୍ରୀତିର ବାପା କାର ଦିଅନ୍ତୁ ବୋଲି ସେ ଚାହୁଁଥିଲେ |
                ପ୍ରୀତିର ପିଲାଟିଏ ଜନ୍ମ ହେବା ପରେ ଦୀପ୍ତି ତାକୁ ରୋକଠୋକ କହିଦେଇଥିଲେ ଯେ ସେ ତା ପିଲାର ଘୁଅ ମୂତ କରି ପାରିବେନି,ତା ଇଛା ହେଲେ ସେ ଚାକିରୀ ରଖୁ କି ଛାଡୁ,ତାଙ୍କର ସେଥିରେ କିଛି ଯାଏ ଆସେ ନାହିଁ |କିନ୍ତୁ ପ୍ରୀତି ତା ଭବିଷ୍ୟତର ସୁରକ୍ଷା ଦୃଷ୍ଟିରୁ  ଚାକିରୀ ଛାଡିବାକୁ ଚାହୁଁ ନଥିଲା |ଯେତେଦିନ ସମ୍ଭବ,ସେ ଛୁଟିରେ ରହିଲା |ପୁଅ ଦୁଇବର୍ଷ ପାଖାପାଖି ହେବାପରେ ସେ ତାକୁ ଡେ କେଆରରେ ଛାଡି ଚାକିରୀରେ ଯୋଗ ଦେଲା | କାମ ମଝିରେ ଫୁରସତ ପାଇଲେ,ସେ ଅଫିସରୁ ସ୍କୁଟିରେ ଆସି ପୁଅକୁ ଦେଖି,କ୍ଷୀର ପିଆଇ ପୁଣି ଚାଲିଯାଉଥିଲା |ତା ସହିତ ସେ ଘରକାମରେ ହେଳା କରୁ ନଥିଲା |ଏହିପରି ହାଡଭଙ୍ଗା ପରିଶ୍ରମ କରି ପ୍ରୀତି କ୍ରମେ ମାନସିକ ଓ ଶାରୀରିକ ସ୍ଥରରେ ଦୁର୍ବଳ ହୋଇଗଲା |
               ଦିନେ ସେ ପୁଅକୁ ନେଇ ଅଫିସ ବାହାରୁଥିବା ବେଳେ,ରୋଷେଇଘର କାହିଁକି ସଜଡା ହୋଇନି କହି ଦୀପ୍ତି କଳି ଆରମ୍ଭ କରିଦେଲେ |କିଛି ନବୁଝି ରାକେଶ ଆସି ଦିପ୍ତୀଙ୍କ ସହିତ ମିଶି ତା ପୁରୁଣା ଗାଳି ଆରମ୍ଭ କରିଦେଲା |ଏଥିରେ ପ୍ରୀତିର ଧୈର୍ଯ୍ୟଚ୍ୟୁତି ଘଟିଲା ଓ ସେ ବୁକୁ ଫଟାଇ ଭୋ ଭୋ ହୋଇ ବହୁତ କାନ୍ଦିଲା |ଶେଷରେ  କହିଲା,ଯେଉଁଠି ସ୍ନେହ ଶ୍ରଦ୍ଧାର କିଛି ମୂଲ୍ୟ ନାହିଁ ଓ ଯେଉଁଠି ସବୁବେଳେ କଥା କଥାକେ ତା ବାପାମାଆଙ୍କୁ ଗାଳି  ଦିଆ ଯାଉଛି, ସେଇଠି ସେ ଆଉ  ରହିବନାହିଁ |ସେ ଭିତରକୁ ଯାଇ ତାର ଲୁଗାପଟା ନେଇ ଅଟୋରେ ଚାଲି ଆସିଲା |ସମସ୍ତେ ଜାଣିଥିଲେ,ପ୍ରୀତି ଅଧିକ ସମୟ ରାଗି ପାରେନା ଓ ସବୁଥର ପରି ଦୁଇଦିନ ପରେ ସେ ଚାଲି ଆସିବ |କିନ୍ତୁ ଦୁଇଦିନ ଯାଇ ଦୁଇବର୍ଷ ହୋଇଗଲା ପଛକେ,ପ୍ରୀତି ଆଉ ଫେରିଲା ନାହିଁ |କାଳେ କିଏ ତାକୁ ଯୋଗାଯୋଗ କରିବ,ସେଥିପାଇଁ ସେ ସମସ୍ତଙ୍କ ଫୋନ ବ୍ଲକ କରିଦେଇଥିଲା |
                 ଦିନେ ଦିପ୍ତୀଙ୍କ ପିଲାଦିନର ସାଙ୍ଗ ସବିତା ତା ପାଖକୁ ଆସିଥିଲେ |ତା ଆଗରେ ଦୀପ୍ତି ତାଙ୍କର ଦୁଃଖ ବଖାଣି କହିଲେ,ପିଲାଙ୍କ ପାଇଁ ମୁଁ କଣ ନକରିଛି,ହେଲେ କେତେ ଜନ୍ମ ପାପ କରିଥିଲି ଯେ ଦୁଇଟା ଯାକ ବୋହୂ ମୋର ଖରାପ ପଡିଲେ |ସବିତା ଦିପ୍ତୀଙ୍କ ଠାରୁ ସବୁ ଶୁଣି କହିଲେ,ତୁ ଏତେ କଷ୍ଟରେ ଦେଉଳ ଗଢ଼ିଲୁ ସିନା, ସେଥିରେ ମୁଣ୍ଡି ମାରିବାକୁ ଭୁଲିଗଲୁ |ସବିତାଙ୍କ କଥା ଶୁଣି,ଦୀପ୍ତି ଆଶ୍ଚର୍ଯ୍ୟ ହୋଇ କହିଲେ,ତା ମାନେ କଣ ?ସବିତା ତାଙ୍କୁ ବୁଝାଇ କହିଲେ,ତୁ ପିଲାଙ୍କୁ ବହୁ କଷ୍ଟ କରି ମଣିଷ କଲୁ |କିନ୍ତୁ ସେମାନେ କେମିତି ସୁଖଶାନ୍ତିରେ ରହିବେ ସେକଥା ଭୁଲିଗଲୁ |ପିଲାମାନଙ୍କ ପାରିବାରିକ ସୁଖ ଶାନ୍ତି ଦେଉଳର ମୁଣ୍ଡି ମାରିବା ସହିତ ସମାନ |ତୁ ଦେଉଳ ତିଆରି କରିଛୁ ସତ ,କିନ୍ତୁ ସେଥିରେ ମୁଣ୍ଡି ମାରି ଦଧିନଉତି ବସାଇବାକୁ ଭୁଲି ଯାଇଛୁ |ଯେଉଁଦିନ ଏହି କାମ ତୁ କରିବୁ,ସେହିଦିନ ତୁ ପ୍ରକୃତ ସୁଖ ଅନୁଭବ କରିବୁ ଓ ତୋର ଅଧା ଗଢ଼ା ଦେଉଳ ସମ୍ପୂର୍ଣ୍ଣ ହେଲା ବୋଲି ଜାଣିବୁ |ପିଲାଙ୍କ ସଂସାର ଭାଙ୍ଗିକରି ନୁହେଁ,ସୁନ୍ଦର ଭାବରେ ଗଢ଼ି କରି ହିଁ  ପ୍ରକୃତ ଆନନ୍ଦ ମିଳିଥାଏ  |ସବିତାଙ୍କ କଥା ଶୁଣି ଦିପ୍ତୀଙ୍କ ପାଟିରୁ ଭାଷା ହଜି ଯାଇଥିଲା |ସେ ଜାଣିପାରୁଥିଲେ,ବୋହୂ ମାନଙ୍କୁ ନିଜର ନକରି  ସେ ପରୋକ୍ଷରେ ନିଜ ପିଲାମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି |
                 ଏହି ଘଟଣାର ପନ୍ଦର ଦିନ ପରେ ଦିନେ ରାକେଶ ଅଫିସରୁ ଫେରି ଘର ଭିତରୁ ଛୋଟ ପିଲାର ପାଟି ଶୁଣି ଭାବୁଥିଲା,ବୋଧେ ଘରକୁ କିଏ କୁଣିଆ ଆସିଛନ୍ତି |କିନ୍ତୁ ତା ଆସିବା ଜାଣି ଦୀପ୍ତି ତା ହାତ ଧରି ଭିତରକୁ ନେଇଗଲେ |ପ୍ରୀତି ଓ ତା ପୁଅ ସେଠାରେ ଖେଳୁଥିଲେ |ରାକେଶଙ୍କୁ ଦେଖି,ପ୍ରୀତି ତାର ସେଇ ପୁରୁଣା ଷ୍ଟାଇଲରେ ଫିକ କରି ହସିଦେଲା |ପୁଅ ବୋହୂଙ୍କ ପୁନର୍ମିଳନ ଦେଖି ଦୀପ୍ତି ଆନନ୍ଦରେ ଆତ୍ମହରା ହୋଇଯାଉଥିଲେ |ସେ ସ୍ୱରୂପଙ୍କୁ  କହିଲେ,ଆଜି ମୁଁ ମୋ ଦେଉଳରେ ମୁଣ୍ଡି ମାରି ପାରିଛି  |ରାଜେଶ ଓ ଶୁଭ୍ରାଙ୍କ ମାନଭଞ୍ଜନ କରି ତାଙ୍କୁ ପାଖକୁ ଆଣିବା  ପରେ ମୁଣ୍ଡି ଉପରେ ଦଧିନଉତି ବସାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ବୋଲି ଜାଣିବି  |ସେ ହସୁଥିଲେ ,ଖୁବ ଖୁସିରେ |ତାଙ୍କ ସହିତ ତାଳ ଦେଇ ସ୍ୱରୂପ ମଧ୍ୟ ହସୁଥିଲେ |ମମତା ମହାନ୍ତି |
                   
                 
                
              
                  






No comments:

Post a Comment