Tuesday, July 7, 2020

ଆଇଶାର ବେଷ୍ଟ ଫ୍ରେଣ୍ଡ

ଆଇଶା ର ବେଷ୍ଟ ଫ୍ରେଣ୍ଡ 
       ଆଇଶା ର ମାମା ଓ ବାବା  ଆଇ ଟି କମ୍ପାନୀ ରେ ଚାକିରୀ କରନ୍ତି ।ଦୁହେଁ ସବୁବେଳେ ତାଙ୍କ କାମରେ ବ୍ୟସ୍ତ ରହନ୍ତି ।ବାବା ତ ପ୍ରାୟ ବେଳେ  ସଣ୍ଡେ ରେ ବି ଅଫିସ ଯାଆନ୍ତି ।ସେମାନେ ତାକୁ ସବୁଦିନ  ସକାଳ ନଅଟା ରେ ଲୋଟସ  ଡେ଼ କେୟାର କମ ପ୍ରି ସ୍କୁଲରେ ରେ ଛାଡ଼ିଦେଇ  ଅଫିସ  ଯାଆନ୍ତି ।ସେଠାରେ ଆଇଶା ର  ବହୁତ ଫ୍ରେଣ୍ଡ ଥାଆନ୍ତି ।ସେମାନଙ୍କ ଭିତରେ ନାଁସ୍ତିଆକୁ ସେ ବହୁତ ଭଲ ପାଉଥିଲା ।ଦୁହେଁ ସ୍କୁଲରେ  ସବୁ ପିଲାମାନଙ୍କ ସହିତ ମିଶି ପ୍ରାର୍ଥନା କରୁଥିଲେ  ।ତାପରେ ଯୋଗ ଓ ଏକ୍ସରସାଇଜ କରିବା ପରେ ମାମ୍ ଆସି ପାଠ ପଢାଉ ଥିଲେ  ।ଶେଷରେ ଜନ ଗଣ ମନ ବୋଲା ହେବା ପରେ ସେମାନେ ଘରୁ ଆଣିଥିବା ଲଞ୍ଚ ଖାଉଥିଲେ ।ଆଇଶା ଓ ନାଁସ୍ତିଆ ସାଙ୍ଗ ହୋଇ ଖାଉଥିଲେ  ।ଆଇଶା ନାଁସ୍ତିଆ କୁ ଖୁଆଇ ଦେଉଥିଲାଓ ନାଁସ୍ତିଆ ବି ଆଇଶା କୁ ଖୁଆଇ ଦେଉ ଥିଲା ।ତାପରେ ଦୁହେଁ କିଛି ସମୟ ଖେଳି ଶୋଇ ପଡୁଥିଲେ  ଓ ଚାରିଟା ବେଳକୁ ଉଠି  ସବୁ ପିଲାମାନଙ୍କ ସହିତ ମିଶି  ସ୍ନାକ୍ସ ଖାଇ ଖେଳୁଥିଲେ   ।ନାଁସ୍ତିଆ ର ମାମା ପ୍ରଥମେ  ତାକୁ ନେବାକୁ ଆସୁଥିଲେ ।ଆଇଶା ର ମାମା ଆସୁ ଆସୁ ଛଅଟା ବାଜିଯାଉ ଥିଲା ।
               ଦିନେ ନାଁସ୍ତିଆ ର ମାମା ବେଳାବେଳି ତାକୁ ନେବାକୁ ଆସିଗଲେ ।ସେତେବେଳେ ନାଁସ୍ତିଆ ଓ ଆଇଶା ଖେଳୁଥିଲେ ।ନାଁସ୍ତିଆ ଯିବାକୁ ବାହାରିବା ବେଳେ ଆଇଶା ବହୁତ କାନ୍ଦିଲା ଓ ତା ସାଙ୍ଗରେ ଯିବା ପାଇଁ ବାହାରିଲା । ତେଣୁ ନାଁସ୍ତିଆ ର ମାମା ଆଇଶା ର ମାମାଙ୍କୁ ଫୋନ କଲେ ।ଆଇଶା ର ମାମା କହିଲେ,ହଉ ସେ ଯାଉ,ମୁଁ ତାକୁ ଅଫିସରୁ ଫେରିବା ବେଳେ ନେଇ ଆସିବି ।ଏକଥା ଶୁଣି ନାଁସ୍ତିଆ ଆଇଶାକୁ ଖୁସିରେ କୁଣ୍ଢେଇ ପକେଇଲା ।
                 ନାଁସ୍ତିଆ ଘରକୁ ଯାଇ ଆଇଶା ବହୁତ ଖେଳିଲା ।ତାର ମାମା ତାଙ୍କୁ କେକ୍,ପିଜା ଓ ଜୁସ୍ ଖାଇବାକୁ ଦେଲେ ।ଛଅଟା ବେଳେ ଆଇଶା ର ମାମା ଆସିଲେ ।ସେତେବେଳେ ଆଇଶା ସାଙ୍ଗରେ ଯିବା ପାଇଁ ନାଁସ୍ତିଆ କାନ୍ଦିଲା ।ଆଇଶା ର ମାମା ନାଁସ୍ତିଆ ର ମାମାଙ୍କୁ  କହିଲେ,ହଉ ସେ ଆସୁ,ଆପଣ ଘଣ୍ଟାଏ ପରେ ଆସି ତାକୁ ନେଇଯିବେ ।ନାଁସ୍ତିଆ ର ମାମା ରାଜି ହେଲେ ।ନାଁସ୍ତିଆ ଖୁସିରେ ନାଚି ନାଚି ଆଇଶା ସାଙ୍ଗରେ ଆସିଲା ।ରାତିରେ କୁକ୍ ଅଙ୍କଲ ରୁଟି ଓ ଚିକେନ ରାନ୍ଧି ଥିଲେ ।ଆଇଶା ଓ ନାଁସ୍ତିଆ ମଜାରେ ଖାଇଲେ ।ନାଁସ୍ତିଆ ର ମାମା ଯେତେବେଳେ ତାକୁ ନେବାକୁ ଆସିଲେ,ନାଁସ୍ତିଆ କହିଲା,ମୁଁ ଯିବିନି ।ଆଇଶା ର ମାମା ତାକୁ ବୁଝାଇ କହିଲେ,ତୁ ଆଜି ଯା, ଆମେ ସଣ୍ଡେ ରେ ସାଙ୍ଗ ହୋଇ ବୁଲିବାକୁ ଯିବା ।ନାଁସ୍ତିଆ କହିଲା,ପ୍ରମିଜ କର ।ଆଇଶା ର ମାମା ପ୍ରମିଜ କରିବାରୁ ସେ  ଖୁସିରେ  ତା ମାମାଂକ ସାଙ୍ଗରେ ଚାଲି ଗଲା।
             ସଣ୍ଡେ ରେ  ଆଇଶା,ନାଁସ୍ତିଆ ଓ ସେମାନଙ୍କ ବାବା ମାମା ସାଙ୍ଗହୋଇ ପାର୍କକୁ ବୁଲିବାକୁ ଗଲେ ।ସେଦିନ ନାଁସ୍ତିଆ ଓ ଆଇଶା ଖୁବ ଖେଳିଲେ,ଖାଇଲେ ଓ ମଜା କଲେ । ଆଇଶା ର ଗୋଟିଏ ଟେଡି ବିଅର ଥିଲା ।ତାକୁ ସେ ନାମ ଦେଇଥିଲା,'ଆନିଆ' ।ଆନିଆ କୁ ଆଇଶା ବହୁତ ଭଲ ପାଉଥିଲା ଓ ସେ ଯୁଆଡେ ଯାଉଥିଲା,ତାକୁ ସାଙ୍ଗରେ ନେଇ ଯାଉଥିଲା ।ସେଦିନ ବି ଆଇଶା ଆନିଆ କୁ ନେଇ ଯାଇଥିଲା ।ନାଁସ୍ତିଆ ଆନିଆ କୁ ଦେଖି ଭାରି ଖୁସି ହେଲା,କହିଲା,ମୁଁ ଆନିଆ କୁ ନେବି ।ଆଇଶା ଏକଥା ଶୁଣି ସିଧା ମନା କରିଦେଲା ।କହିଲା, ମୋ ଆନିଆ କୁ ମୁଁ କାହାକୁ ଦେବିନି ।ନାଁସ୍ତିଆ ରାଗିଯାଇ ତା ସାଙ୍ଗେ କଟି ପକାଇ ଦେଲା ।ଏହା ଦେଖି ଆଇଶା କାନ୍ଦିଲା ଓ ଆ  ନିଆ କୁ ତାକୁ ଦେଇ କହିଲା,ଏଥର ମୋ ସାଙ୍ଗେ ମିଟି ହୋଇଯା ।ନାଁସ୍ତିଆ ତାର ଦୁଇ ଆଙ୍ଗୁଠି ମୋଡ଼ି ଆଇଶା କୁ ଦେଖାଇଲା ।ଆଇଶା ତାକୁ ଚଟ କରି ଖୋଲି ଦେଲା ଓ ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ପକେଇଲେ ।ନାଁସ୍ତିଆ ଯିବାବେଳେ ଆଇଶା ହାତରେ ଆନିଆ କୁ ରଖି କହିଲା,ତୁ ମୋର ବେଷ୍ଟ ଫ୍ରେଣ୍ଡ,ମୁଁ କେବେହେଲେ ତତେ ଦୁଃଖ ଦେବିନି ।
              ତା ପରବର୍ଷ ଆଇଶା ର ସିନିଅର କେଜି ରେ  ନାମ ଲେଖା ହେଲା ।ସେଠାରେ ରିୟା ଓ ସାନ୍ଭି ତାର ନୂଆ ଫ୍ରେଣ୍ଡ ହେଲେ ।ନାଁସ୍ତିଆ କିନ୍ତୁ  ତାର ନୂଆ ଘରକୁ ଚାଲିଗଲା ଓ ଘର ପାଖ ସ୍କୁଲରେ ପଢ଼ିଲା ।ଗଲାବେଳେ ସେ ଆଇଶା କୁ କହିଲା, ତୁ ମନ ଦୁଃଖ କରିବୁନି,ଆମେ ସବୁ ରବିବାର ଏକାଠି ହେବା ଓ ସାଙ୍ଗ ହୋଇ ଖେଳିବା । ସେହି ବର୍ଷ  ଆଇଶା ର ମାମା ଘରୁ ଅଫିସ କାମ କରିବା ଆରମ୍ଭ କଲେ ।ସବୁଦିନ ବାରଟା ରେ ଆଇଶା ର ସ୍କୁଲ ଛୁଟି ହେଉଥିଲା ।ସେତେବେଳେ ମାମା ଆଇଶା କୁ ସ୍କୁଲରୁ ନେଇ ଆସୁଥିଲେ ।ମାମାଂକ ସାଙ୍ଗରେ ଖାଇ ସାରିବା ପରେ,ଦିନସାରା ଆଇଶା ଆପାର୍ଟମେଂଟର ଉପର ମହଲା ତାଙ୍କ ଘର ବାଲ୍କୋନି ରେ ବସି ତଳେ ଖେଳୁଥିବା ପିଲାମାନଙ୍କୁ ଦେଖୁଥିଲା ।ସେମାନେ ଖୁବ ଜୋରରେ ପାଟି କରି ଖେଳୁଥିଲେ ଓ ଧୂଳିରେ ଗଡ଼ି ଯାଉଥିଲେ ।ସେମାନଙ୍କୁ ଦେଖି ଆଇଶାକୁ ବି ସେମିତି ଖେଳିବାକୁ ଇଛା ହେଉଥିଲା ।କିନ୍ତୁ ସେ ସେଠାକୁ ଖେଳିବାକୁ ଯାଇ ପାରୁନଥିଲା କାରଣ ତଳେ ଡଷ୍ଟବିନ୍ ଡ୍ରମ୍ ଥିଲା ଓ ସେ ସ୍ଥାନ ବି ଏତେ ସଫା ସୁତୁରା ନଥିଲା ।ଆଇଶା କୁ ବାରମ୍ବାର ଥଣ୍ଡା ଓ ଜ୍ୱର ହେଉ ଥିବାରୁ ତାର ମାମା ତାକୁ ପାଣି,ଧୂଳି ଓ କାଦୁଅ ଘାଣ୍ଟିବାକୁ ମନା କରିଥିଲେ ।
                 ଦିନେ ଅଫିସରେ ମାମାଂକ କାମ ପଡ଼ିଲା ଓ ସେ ଅଫିସ ଗଲେ ।ସେଦିନ ଆଇଶା ର ବାବା ଘରେ ରହି ଅଫିସ କାମ କଲେ ।ଯେତେବେଳେ ବାବା ତାକୁ ସ୍କୁଲରୁ ଆଣିବାକୁ ଗଲେ,ସେତେବେଳେ ଝିପି ଝିପି ବର୍ଷା ହେଉଥିଲା ।ବାବା ଡାହାଣ ହାତରେ ଛତା ଧରି ବାମ ପଟେ ତାକୁ କାଖକରି  ଆଣିଲେ ।ଗେଟ ଆଉ ଅଳ୍ପ ବାଟ ଅଛି,ବାବାଙ୍କର ଅଫିସରୁ ଫୋନ ଆସିଲା ।ବାବା ଲିଫ୍ଟ ପାଖରେ ତାକୁ ଓହ୍ଲାଇ କହିଲେ,ତୁ ଏଇଠି ଛିଡା ହୋଇଥା,କୁଆଡେ ଯିବୁନି ।ବାବା ଯେମିତି ଫୋନରେ ବ୍ୟସ୍ତ ହୋଇଗଲେ,ଆଇଶା ଚୁପ କରି ଯେଉଁ ଜାଗାରେ ପାଣି ଜମା ହୋଇଥିଲା,ସେଇଠି ଛପର ଛପର ହୋଇ ମନ ଖୁସିରେ ଡେଇଁଲା ।ପାଣି ଛିଟିକି ତାର ସାରା ଡ୍ରେସ କାଦୁଅ ହୋଇଗଲା ।କେତେ ସମୟ ଏମିତି ଖେଳିବା ପରେ ହଠାତ ସେ ବୁଲି ପଡ଼ି ଚାହିଁ ଦେଖିଲା ,ବାବା ତାକୁ ରାଗିକରି ଏକ ଲୟରେ ଚାହିଁଛନ୍ତି ।ଆଇଶା ଡରି ଯାଇ ବାବାଙ୍କୁ ଚାହିଁଲା ।ସେ ଜାଣି ପାରିଲା,ଆଜି ନିଶ୍ଚେ ବାବା ତାକୁ ମାରିବେ ।ଭୟରେ ତା ଆଖିରୁ ଲୁହ ଝରି ଆସୁଥିଲା ।କିନ୍ତୁ ବାବା ତା ପାଖକୁ ଆସି ତାରି ପରି କାଦୁଅରେ  ଛପର ଛପର ହୋଇ ଡେଇଁଲେ ଆଉ ହସି ହସି କହିଲେ,ମୁଁ ମୋ ପିଲାଦିନ କଥା ମନେ ପକାଇ ମଜା ନେଉଛି,ତୁ ତୋ ପିଲାଦିନ ର  ମଜା ଭଲକରି ନେ,ଆଉ ଏଇ ଦିନ ଆସିବ ନାହିଁ ।ତାଙ୍କ ସାଙ୍ଗରେ ଆପାର୍ଟମେଂଟର ଆଉ କେତେ ପିଲା ଆସି ନାଚିଲେ ।ସମସ୍ତଙ୍କ ଡ୍ରେସ ଖରାପ ହୋଇଗଲା ।ବର୍ଷା ଛାଡ଼ିବାରୁ ସମସ୍ତେ ଘରକୁ ଫେରି ଆସିଲେ।ବାବା ଆଇଶା କୁ ପୋଛି ପାଛି ତାର ଡ୍ରେସ ଚେଞ୍ଜ କରି ଶୁଖିଲା ଡ୍ରେସ ପିନ୍ଧେଇ ଦେଲେ ।ନିଜେ ବି ଡ୍ରେସ ଚେଞ୍ଜ କଲେ ।ତାପରେ ଦୁହେଁ ଗରମ ଗରମ ସୁପ୍ ପିଇଲେ ।ଆଇଶା କୁ ଏସବୁ ଭାରି ଭଲ ଲାଗୁଥିଲା ।ସେ ଖୁସିରେ ବାବାଙ୍କୁ ଚାହିଁ କହିଲା, ଆଇ ଲଭ ୟୁ,ବାବା,ୟୁ ଆର ମାଇଁ ବେଷ୍ଟ ଫ୍ରେଣ୍ଡ !!!😊😊😊ମମତା ମହାନ୍ତି ।

No comments:

Post a Comment