Sunday, July 12, 2020

ବଡ଼ ମାଆ

          ବାହାଘରର ତିନିବର୍ଷ ପରେ ସୁଷମା ଗାଆଁକୁ ଯାଉଥିଲା |ସେ ଓ ସ୍ୱାମୀ ବିପ୍ଳବ ଦୁହେଁ ହାଇଦ୍ରାବାଦରେ ଚାକିରୀ କରନ୍ତି  |ଗାଆଁକୁ ଆସିବାପାଇଁ ଶାଶୁ ଶ୍ୱଶୁର ବାରମ୍ବାର କହୁଥିଲେ ବି,କାମ ପ୍ରେସର ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ସୁଷମା ଗାଆଁକୁ ଯାଇପାରିନଥିଲା | ଏଥରକ କିନ୍ତୁ ସେ ଯିବାପାଇଁ  ବାଧ୍ୟ |କାରଣ,ଗାଁ ଘର ପ୍ରତିଷ୍ଠା ହେବ |ନଗଲେ,ନଚଳେ |ଛ'ମାସ ଆଗରୁ ଛୁଟି ବଞ୍ଚେଇ ରଖିବା ପାଇଁ ଶାଶୁ କହିଥିଲେ |
           ସେମାନେ ତିନିବୋହୂ ଥିଲେ |ବଡ ଯାଆ ନିରୂପମା ,ମଝିଆ ଯାଆ ଅନୁପମା,ଆଉ ସାନ ଯାଆ ସେ ନିଜେ |ବଡ଼ଯାଆଙ୍କ ଦୁଇଝିଅ,ମଝିଆଙ୍କ ଗୋଟିଏ ପୁଅ |ନିରୂପମା ଅତି ଶାନ୍ତଶିଷ୍ଟ,ପ୍ରତିବାଦ ନକରି,ନୀରବରେ ସବୁ ସହିଯାଆନ୍ତି  |ଅନୁପମା ହାତେ ମାପି ଚାଖଣ୍ଡେ ଚାଲନ୍ତି |କିନ୍ତୁ ସୁଷମା ଟିକେ ଭିନ୍ନ ଧରଣର |ସେ  ସବୁକିଛି ଆଡ଼ଜଷ୍ଟ କରିନିଏ, କିନ୍ତୁ  ଭୋକ ଓ ନିଦ ସହି ପାରେନାହିଁ |ଏହି ଦୁଇଟା ଜିନିଷ ଠିକ ସମୟରେ ନହେଲେ,ତାର କେହି ପ୍ରିୟ ନୁହନ୍ତି | |ଅନୁପମା ଓ ସୁଷମା ମନଖୋଲି  କଥା ହୋଇପାରନ୍ତି |ଘରପ୍ରତିଷ୍ଠା ପାଇଁ ସେ କେଉଁଦିନ ଯିବ ବୋଲି ସୁଷମା ଅନୁପମାକୁ ପଚାରୁଥିଲା |ଅନୁପମା କହିଲା,ଯାହାବି ହେଲେ ,ଦୁଇଦିନ ଆଗରୁ ଆମକୁ ଯିବାକୁ ପଡିବ |କିନ୍ତୁ ଯିବାବେଳେ ସାଙ୍ଗରେ ଗ୍ୟାସ ବଟିକା,ଓ.ଆର.ଏସ.ପାଉଡର,ଓ ସଫିସିଏଣ୍ଟ ବିସ୍କିଟ ନେବାକୁ ଭୁଲିବୁନି |ସୁଷମା କହିଲା,ବିସ୍କିଟ କଥା ଜାଣିଲି,କିନ୍ତୁ ଅନ୍ୟ ଜିନିଷ ଦୁଇଟା କାହିଁକି ନେବି ଜାଣିପାରିଲିନି |ଅନୁପମା କହିଲା,କାଳେ ଦରକାର ହୋଇପାରେ ,ତୁ ପାରିବୁ ଯଦି ନେବୁ,ନହେଲେ,ମୁଁ ନେଇଛି,ଚଳିଯିବ  |ଅନୁପମା କହୁଛି ମାନେ,ନିଶ୍ଚୟ କିଛି କାରଣ ଥିବ,ଏହା ଭାବି ସୁଷମା  ସବୁ ଜିନିଷ ଯୋଗାଡ଼ କରି ରଖିଲା |ବିସ୍କିଟ ଅପେକ୍ଷା ସୁଷମାକୁ ଛତୁଆ ବେଶି ଭଲଲାଗେ କାରଣ ଅଫିସ ଯିବାବେଳେ ସେମାନେ ଦୁଇଜଣ ପ୍ରାୟ ସବୁଦିନ,ଛତୁଆ ଖାଇ ଯାଆନ୍ତି  |ଦରକାରବେଳେ କାମରେ ଆସିବ ଭାବି,ସେ ଯଥେଷ୍ଟ ପରିମାଣର ଛତୁଆ ମଧ୍ୟ ନେଇଗଲା |
           ସୁଷମା  ଗାଁରେ ପହଞ୍ଚିବା ବେଳକୁ ,ଅପରାହ୍ନ ଚାରିଟା ହୋଇଯାଇଥିଲା |ସେତେବେଳେ ଦୁଇଯାଆ ଓ ଶାଶୁ ଏକାଠି ଖାଇ ବସିଥିଲେ |ସୁଷମା ପଚାରିଲା,ଏତେ ଡେରିରେ  ଲଞ୍ଚ ଖାଉଛ ?ଏବେ ତ ଚା' ବିସ୍କିଟ ଖାଇବା ସମୟ !ତା କଥା ଶୁଣି ଦୁଇଯାଆ ପରସ୍ପରକୁ ଚାହିଁ ହସିଲେ ଓ ପୁଣି ଖାଇବାରେ ମନ ଦେଲେ |ବିପ୍ଳବ କହିଲା,ଇଏ କଣ ଟାଉନ କଥା ହୋଇଛି ?ଗାଆଁରେ ବହୁତ କାମ,ଏମିତି ଡେରି ହୋଇଯାଏ |ରାତିରେ ତିନିଯାଆ ମିଶି ନଅ ଟା ସୁଦ୍ଧା ରୋଷେଇ ସାରିଦେଲେ |ସୁଷମା କହିଲା,ନଅଟା ବାଜିଲାଣି,ଆଉ ଡେରି କରିବାନି,ସମସ୍ତେ ଏକା ସାଙ୍ଗରେ ଖାଇଦେବା |ଅନୁପମା ତାକୁ ଧୀର ଗଳାରେ କହିଲା,ଏବେ ଆମେ ଖାଇ ପାରିବାନି |ସୁଷମା ବିସ୍ମିତ ହୋଇ ପଚାରିଲା,କାହିଁକି ? ଅନୁପମା କହିଲା,ଏଇଠି ସବୁ କଥା ନୀତି ନିୟମ ଅନୁସାରେ ହୁଏ |ବାପା  ନଖାଇବା ପର୍ଯ୍ୟନ୍ତ ଆମେ କେହି ଖାଇ ପାରିବାନି |ସୁଷମା କହିଲା,ବାପାଙ୍କୁ ଖାଇବାକୁ ଦେଇଦେବା,ତାପରେ ଆମେ ସମସ୍ତେ ଖାଇଦେବା,ଅସୁବିଧା କଣ ଅଛି ?ଅନୁପମା କହିଲା, ସାଢେ ଦଶଟା ଆଗରୁ ବାପା ଖାଆନ୍ତିନି | ଆମ ପାଳି ପଡିବାବେଳକୁ ସାଢେ ଏଗାର ହୋଇଯିବ |ସୁଷମାକୁ ବହୁତ ଭୋକ ହେଉଥିଲା | ସେ ଆଉ ସମ୍ଭାଳି ନପାରି ,ସାଙ୍ଗରେ ଆଣିଥିବା  ଛତୁଆ ଖାଇଦେଇ,ଟିକିଏ ଢୁଳାଉ ଢୁଳାଉ ତାକୁ ନିଦ ଆସିଗଲା |ତା ନିଦ ଭାଙ୍ଗି ନଥାନ୍ତା,ଯଦି ତାକୁ ନିରୂପମା ଉଠାଇ ନଥାନ୍ତେ  |ସେ ନିଦ ମଳ ମଳ ଆଖି ମକଚି କହିଲା,କାହିଁକି ଉଠେଇଲ ?ନିରୁପମା କହିଲେ,ଖାଇବା ବଢ଼ା ହେଲାଣି,ଆସ,ଖାଇବୁ |ସୁଷମା ଘଣ୍ଟା ଦେଖିଲା,ବାରଟା ବାଜିବାକୁ ଯାଉଛି  |ସେ ନିରୂପମାଙ୍କ ସହିତ ଗଲା |କିନ୍ତୁ କିଛି ଖାଇଲା ନାହିଁ |କହିଲା,ରାତିରେ ଦଶଟା ପରେ ମୁଁ ଆଉ ଖାଏନି |ତମେମାନେ ଖାଅ,ପଛରେ ଦରକାର ପଡିଲେ,ମୁଁ ଦେବି |ସେ ନଖାଇବାରୁ ଶାଶୁଙ୍କ ମନଦୁଃଖ ହେଲା |
           ରାତିରେ ତିନିଯାଆ ଓ ପିଲାମାନେ ଏକାଠି ଶୋଇଲେ |ସେତେବେଳକୁ ରାତି ଗୋଟାଏ ଉପରେ | ସେ ଶୋଇବାରେ କିଛି ଆନନ୍ଦ ନଥିଲା |କାରଣ, ଘରର ବୋହୂ ହିସାବରେ,ସମସ୍ତଙ୍କୁ ଭୋର ଚାରିଟାରୁ ଉଠି,ବାସି ପାଇଟି ସହିତ ନିଜ ନିତ୍ୟକର୍ମ ଶେଷ କରିବାର ଥିଲା |ସକାଳେ ତିନି ଯାଆଙ୍କ ନିତ୍ୟକର୍ମ ସରିବା ପରେ,ସୁଷମା ଛତୁଆ ଚକଟି ଦେଲା |ତିନିଜଣ ପେଟେ ଖାଇ,ସେଦିନର ବ୍ରେକଫାଷ୍ଟ ପରଟା ଓ ଗୁଗୁନି ତିଆରି କରିବାରେ ଲାଗିଗଲେ |ଶ୍ୱଶୁର ଏଗାରଟାରେ ସକାଳ ଜଳଖିଆ ଖାଇବା ପରେ ଅନ୍ୟମାନେ ଖାଇଲେ |ସୁଷମା ଟିକିଏ ଡେରି କରି,ଗୋଟାଏ ବେଳେ ତାର ଜଳଖିଆକୁ ଲଞ୍ଚ ଭାବରେ  ଖାଇଲା |ଚାରିଟା ବେଳେ ଯେତେବେଳେ ଅନ୍ୟମାନେ ଲଞ୍ଚ ଖାଉଥିଲେ,ସେ ସେତେବେଳେ ବିସ୍କିଟ ଓ ଚା' ଖାଇଲା |ରାତି ରୋଷେଇ ସରିବା ପରେ ସେ ଖରାବେଳର ଭାତ ତରକାରୀ ଆରାମରେ ଖାଇ ତାର ରାତି ଭୋଜନ ସାରିଦେଲା  |ଏଇ ସିଷ୍ଟମ ଅନୁପମାକୁ ଭଲ ଲାଗିଲା |ଘରପ୍ରତିଷ୍ଠା ଶେଷହେବା ପରେ ସେ ମଧ୍ୟ ସୁଷମା ଟିମରେ ଯୋଗଦେଲା |
            ଚତୁର୍ଥ ଦିନ ସୁଷମା ଶାଶୁଙ୍କୁ ନିରୋଳାରେ କହିଲା,ବୋଉ,ଆଉ ମୁଁ ଗାଆଁକୁ ଆସିବିନି |ଏଇଟା ଶେଷ |ଶାଶୁ ବ୍ୟସ୍ତ ହୋଇ କହିଲେ,କାହିଁକି ?ସୁଷମା କହିଲା,ଆପଣ ଲଞ୍ଚ ସମୟରେ ବ୍ରେକଫାଷ୍ଟ ଖାଉଛନ୍ତି,ଯେତେବେଳେ ଚା' ବିସ୍କିଟ ଖାଇବାକଥା,ସେତେବେଳେ ଭାତ ଖାଉଛନ୍ତି,ପୁଣି ଅଧରାତିରେ ଡିନର ଖାଉଛନ୍ତି |ସବୁଠାରୁ ବଡ଼ଦୁଃଖ ହେଉଛି,ଆମେ ରାତିରେ ଦୁଇଘଣ୍ଟା ବି ଶୋଇପାରୁନୁ |ଏଥିରେ ଆମ ଦେହରେ ବଳ କେଉଁଠୁ ଆସିବ ?ସବୁଦିନ ଗ୍ୟାସ ଓ ମୁଣ୍ଡବିନ୍ଧା ଔଷଧ ଖାଇ ଖାଇ ଆମ ଦେହ ଖରାପ ହୋଇଗଲାଣି |ଗାଆଁକୁ ଆସିବି ବୋଲି ମୁଁ କେତେ ଖୁସି ହେଉଥିଲି |ଏବେ ଭାବୁଛି,ଏଠିକି ଆସିବା,ଆମପାଇଁ ଗୋଟେ ବଡ଼  ପନିଶମେଣ୍ଟ |ସେ ସାଙ୍ଗରେ ଆଣିଥିବା ଔଷଧ ଇତ୍ୟାଦି ଶାଶୁଙ୍କୁ ଦେଖାଇଲା |ଶାଶୁ ବୁଝିଲେକି ନାହିଁ କେଜାଣି,ତା ପିଠି ଥାପୁଡ଼େଇ  ସେଠାରୁ ଚାଲିଗଲେ |ସୁଷମା ଆସନ୍ନ ଯୁଦ୍ଧପାଇଁ ପ୍ରସ୍ତୁତ ହୋଇଗଲା | ଭାବିଲା,ଯାହା ହେବ,ଦେଖାଯିବ |ଭୋକ ହେଲେ,ୟାଡୁ ସାଡୁ ଖାଇ ଚଳେଇ ହେବ,କିନ୍ତୁ ନିଦ କଷ୍ଟ ଅସମ୍ଭାଳ |
             ରାତିରେ ତିନି ଯାଆ ରୋଷେଇ କରୁଥିବାବେଳେ,ଶାଶୁ ଶ୍ଵଶୁରଙ୍କୁ କହିଲେ,ତମେ ଏତେ କଷ୍ଟକରି ନୂଆ ଘର କାହିଁକି କଲ ?ସୁଷ କହୁଛି,ଆଉ ଗାଆଁକୁ ଆସିବନି |ତାଙ୍କ କଥା ଶୁଣି ଶ୍ୱଶୁର ଚମକି ପଡିଲେ |ସତେକି ଶାଶୁ ଏକ ବଡ଼ ବୋମା ଫୁଟେଇ ଦେଇଛନ୍ତି !ସେ କହିଲେ,କାହିଁକି ସେ ଏମିତି କହିଲା ?ଶାଶୁ କହିଲେ,କାହିଁକି ସେ କହିବନି ଶୁଣେ ??ସେମାନେ ଦିନ ବାରଟାରେ ଭାତ ଖାଆନ୍ତି,ରାତିରେ ଆଠଟାରେ ଖାଇ,ଦଶଟା ସୁଦ୍ଧା ଶୋଇ ପଡନ୍ତି |କାହିଁକିନା ତାଙ୍କୁ ସବୁଦିନ ଭୋରରୁ ଉଠିବାକୁ ପଡେ |ଏଇଠି ଆମର ଭାତ ଖାଇବା ସମୟରେ  ଜଳଖିଆ ଖାଉଛୁ ,ଚା'ଖାଇବା ସମୟରେ ଭାତ ଖାଉଛୁ,ପୁଣି ଅଧରାତିରେ ଡିନର ଖାଉଛୁ |ତମେ ସିନା ରାତି ଗୋଟାଏରେ ଶୋଇ ସକାଳ ଆଠଟାରେ ଉଠୁଛ,ସେମାନେ ଦିନସାରା ଖଟି ଖଟି ରାତିରେ ଦୁଇଘଣ୍ଟା ବି ଶୋଇ ପାରୁନାହାନ୍ତି |କୋଉ ଖୁସିରେ ସେମାନେ ଗାଆଁକୁ ଆସିବେ ?ମୁଁ ବି କହୁଛି,ସେମାନେ ଏତେ କଷ୍ଟ ପାଇବା ଦରକାର ନାହିଁ କି ଗାଆଁକୁ ଆସିବା ଦରକାର ନାହିଁ |ଶ୍ୱଶୁର କହିଲେ,ତାହେଲେ କଣ ସବୁ ମୋ ଦୋଷ ?ଶାଶୁ କହିଲେ,ଆଉ କାହା ଦୋଷ ?ତମେ ନଖାଇବା ଯାଏଁ କେହି ଖାଇ ପାରିବେନି କି ତମେ ବିଛଣାକୁ ନଯିବା ଯାଏଁ କେହି ଶୋଇ ପାରିବେ ନାହିଁ |ମୁଁ କହି କହି ଥକିଲି, ତମେ ଶୁଣିଲ ନାହିଁ |ଏବେ ପିଲାମାନେ ବିଲକୁଲ ଆସିବା ବନ୍ଦ କରିଦେଲେ,ଏକୁଟିଆ ବସି ଘରକୁ ଚାଟୁଥିବ |
              ଶ୍ଵଶୁରଙ୍କ ସବୁ କଥାରେ ଆଖି ବୁଜି 'ହଁ' ମାରୁଥିବା ଶାଶୁଙ୍କ ଉଗ୍ର ମୂର୍ତ୍ତି ଦେଖି,ଶ୍ୱଶୁର ଦବିଗଲେ |କିଛି ନକହି,ସେ ସେଠାରୁ ଉଠି ଚାଲିଗଲେ |ବିପ୍ଳବ ବିରକ୍ତ ହୋଇ ରୋଷେଇଘରକୁ ଆସି, ସୁଷମାକୁ କହିଲା,ଆଉ ଦିନ କେଇଟା ସମ୍ଭାଳି ପାରିଲ ନାହିଁ,ଶେଷରେ ତମ ବିଶ୍ୱରୂପ ଦେଖେଇ ଦେଲ ?ଏବେ ଯାହା ହେବ,ତମେ ସମ୍ଭାଳିବ |କିଛିସମୟ ପରେ, ଶ୍ୱଶୁର ସେଠାକୁ ଆସି ହସି ହସି କହିଲେ,ରୋଷେଇ ସରିଲାଣି କି ମା' ?ନିରୂପମା ଓ ଅନୁପମା ଉଭୟ ଏକାସାଙ୍ଗରେ କହି ପକାଇଲେ,ହଁ ବାପା |ଶ୍ୱଶୁର କହିଲେ,ତାହେଲେ ଆଉ ଡେରି କାହିଁକି ?ଏକା ସାଙ୍ଗରେ ସମସ୍ତଙ୍କ ପାଇଁ ବାଢ,ସମସ୍ତେ ସାଙ୍ଗ ହୋଇ ଖାଇବା |ଅଳ୍ପ କଥାରେ ରାଗି ଯାଉଥିବା ଶ୍ଵଶୁରଙ୍କ ଶାନ୍ତ ମୂର୍ତ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ |ସେଦିନ ଶ୍ୱଶୁର ଭାରି ଖୁସି ଥିଲେ |କହିଲେ,କାଲିଠାରୁ ବ୍ରେକଫାଷ୍ଟ ପାଇଁ ଏତେବଡ଼ ଆୟୋଜନ କରିବା ଦରକାର ନାହିଁ |ଚୁଡା,ଗୁଡ଼,କଦଳୀ,ଦହି ଛତୁଆ ଖାଇ କାମ ଚଳେଇ ଦେବା  | ତାପରେ ଶୀଘ୍ର  ରୋଷେଇ ସାରିଦେଲେ, ଆମେ ବାରଟାରେ ସମସ୍ତେ ସାଙ୍ଗ ହୋଇ ଖାଇଦେବା |ଖାଇ ସାରି  ସମସ୍ତେ ଘଣ୍ଟାଏ  ରେଷ୍ଟ ନେଇଯିବ |ଚାରିଟା ବେଳେ ଚା' ସାଙ୍ଗରେ କିଛି ଚିଟିମିଟି ଖାଇ ଟିକେ ଆରାମରେ ଗପସପ କରି,ଆଜି ପରି ରାତି ରୋଷେଇ ଶୀଘ୍ର ଶେଷ କରି ଏମିତି ଏକାଠି ଖାଇବା |ତାପରେ ଯାହାକୁ ଯେମିତି ସୁବିଧା ହେବ,ସେ ଶୋଇବ କିମ୍ବା ଅନ୍ୟ କାମ କରିବ |ତଳ ସାହିର ବୁଲି ମା' କାମ ପାଇଁ ବହୁତ ନେହୁରା ହେଉଛି |ସେ କାଲିଠାରୁ ସକାଳ ସଂଜେ ଆସି ବାସନ ମାଜି ଘର ଓଳେଇ ଦେବ | ସେ ପୁଣି  କହିଲେ,ତମର ଯେତେବେଳେ ଯାହା ଅସୁବିଧା ହେବ,ମନ କଥା ମନରେ ନରଖି,ଏମିତି ସୁଷ ପରି ମନ ଖୋଲି କହିବ |ନହେଲେ ମୁଁ ଜାଣିବି କେମିତି ?ଆଉ ଶୁଣ, ପ୍ରତିବର୍ଷ ପର୍ବ ପର୍ବାଣୀରେ ଗାଆଁକୁ ଆସିବାକୁ ଭୁଲିବନି |ତାଙ୍କ କଥା ଶୁଣି ସ୍ତ୍ରୀ,ପୁଅ,ବୋହୂ ,ସମସ୍ତଙ୍କ ମନ ଖୁସି |ଗର୍ବରେ ବିପ୍ଳବର ଛାତି କୁଣ୍ଢେମୋଟ ହୋଇଗଲା |
               ସେଦିନ ପ୍ରଥମଥର ପାଇଁ ବୋହୂ ମାନେ ରାତି ଏଗାରଟାରେ ଶୋଇବାକୁ ଗଲେ |ନିରୂପମା ସୁଷମାକୁ କହିଲେ,ଯାହାହେଉ,ତୁ ମନକଥା ଖୋଲି କହିଦେଲୁ,ଭଲ ହେଲା |ନହେଲେ ତ ଆମେ ଡେଲି ଔଷଧ ଖାଇ ମରୁଥିଲୁ |ତୁ ଆଜିଠାରୁ ଆମର ସାନ ଯାଆ ନୁହେଁ ,ଆମର ବଡ଼ ମାଆ !!!!ମମତା ମହାନ୍ତି |
             
             

           
            

No comments:

Post a Comment