Tuesday, July 7, 2020

ଇଭାର ଭାଇ

ଇଭା ର ଭାଇ
   ଇଭା ତିନି ବର୍ଷର ଚୁଲୁବୁଲି ଝିଅଟିଏ ।ସେ ତା ଭାଇ ସାତ୍ତ୍ଵିକ କୁ ବହୁତ  ଭଲ ପାଏ ।ସାତ୍ତ୍ଵିକ ତା ଠାରୁ ତିନି ବର୍ଷ ବଡ଼ ।ଭାଇ ପ୍ରତି ତାର ନିଆରା ଭଲପାଇବା ଦେଖି ମା ଓ  ବାବା ମଜାରେ କହନ୍ତି,ସାତ୍ତ୍ଵିକ  ଯେଉଁଠି ,ଇଭା ସେଇଠି ।
            ଇଭା ଯେତେବେଳେ ନୂଆ ନୂଆ ଗୁରୁଣ୍ଡିବା ଆରମ୍ଭ କଲା, ସବୁବେଳେ  ସେ ଗୁରୁଣ୍ଡି ଗୁରୁଣ୍ଡି,ସାତ୍ତ୍ଵିକ  ପାଖରେ ପହଞ୍ଚି ଯାଉଥିଲା ଓ ସେ ଯେଉଁ ଜିନିଷ ଧରି ଖେଳୁଥିଲା,ସେହି ଜିନିଷ ତା ଠାରୁ ଛଡ଼ାଉ ଥିଲା ।ଛୋଟ ଛୁଆ ବୋଲି ସାତ୍ତ୍ଵିକ ସେହି ଜିନିଷ ତାକୁ ଦେଇ,ନିଜେ ଅଲଗା ଜିନିଷରେ ଖେଳୁଥିଲା ।ପୁଣି ସେ ବର୍ଷକର ହୋଇଥିବା ବେଳେ ଯେତେବେଳେ ନୂଆ ନୂଆ ଚାଲିବାକୁ ଚେଷ୍ଟା କଲା,ସେତେବେଳେ  ପ୍ରଥମେ ସେ ତା ଭାଇ ର ହାତ ଧରି ଚାଲିଥିଲା । ସେତେବେଳେ ଖିଲି ଖିଲି ହସି ସେ ଖୁସିରେ ଫାଟି ପଡୁଥିଲା ।ତାର ସବୁଠାରୁ ବଡ଼ ସାଙ୍ଗ ଥିଲା, ତା ଭାଇ ସାତ୍ତ୍ଵିକ ।
           ଇଭା ର 'ଇ' ଅକ୍ଷର ଭାରି ପ୍ରିୟ ।କାରଣ ସେ ଗେହ୍ଲାରେ ତା ବାବାଙ୍କୁ ଡାକୁଥିଲା, 'ବାବି',ମାଆ କୁ 'ମାମି',ଜେଜେଙ୍କୁ 'ଜେଜି',ଦାଦାଙ୍କୁ 'ଦାଦି' ଇତ୍ୟାଦି ।ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ହେଲେ,ସେ ଲମ୍ବେଇ ଫେଣେଇ ଏତେ ଉପକ୍ରମ ଦେଉଥିଲା ଯେ, ପ୍ରଶ୍ନ କରିଥିବା ଲୋକର ମୁଣ୍ଡ ବାଇଆ  ହୋଇ ଯାଉଥିଲା ।ସାତ୍ତ୍ଵିକ ର ଲେଗୋ ରେ ଭାରି ଆଗ୍ରହ ଥିଲା।ସେ ଦିନେ  ତା ଷ୍ଟଡ଼ି ରୁମରେ  ଧ୍ୟାନମଗ୍ନ ହୋଇ ଗୋଟିଏ ଏୟାରପ୍ଲେନ୍ ତିଆରି କରୁଥିବା ବେଳେ ଇଭା ତା ପଛ ପଟୁ ଲୁଚି ଲୁଚି ଆସି ସବୁ ଘାଣ୍ଟି ଦେଲା ।ଏତେ କଷ୍ଟରେ ତିଆରି କରିଥିବା ଲେଗୋ ଭାଙ୍ଗି ଯିବାରୁ,ସାତ୍ତ୍ଵିକ ଭେଁ କରି କାନ୍ଦି ତାକୁ ଗୋଟେ ଚାପୁଡ଼ା କଷି ଦେଲା ।ଇଭା ଚାପୁଡ଼ା ବାଜିଥିବା ସ୍ଥାନକୁ ଆଉଁସି ଭାଇ ପାଖରେ ବସି ଜୋରରେ କାନ୍ଦିବାକୁ ଲାଗିଲା ।ତା କାନ୍ଦ ଶୁଣି ମା' ସେଠାକୁ ଦୌଡ଼ି ଆସିଲେ ।ଇଭା କାନ୍ଦି କାନ୍ଦି ଭାଇ ଆଡକୁ ହାତ ଦେଖାଇଲା ।ମା' ବିରକ୍ତ ହୋଇ ସାତ୍ତ୍ଵିକ କୁ ଗାଳି ଦେଇ ,ମାରିବାକୁ ହାତ ଉଠେଇଲେ ।ଏହା ଦେଖି,ଖଟ ଉପରେ ବସିଥିବା ଇଭା ତଳକୁ ଡେଇଁ ,ଗୋଡ଼ ହାତ ଛାଟି ପିଟି ହୋଇ ଆହୁରି ଜୋରରେ ଭୋ ଭୋ ହୋଇ କାନ୍ଦିଲା ।ମା' ଭାବିଲେ,କେଉଁଠି ବୋଧେ ବାଜି ଗଲା, ସେଥିପାଇଁ କାନ୍ଦୁଛି।କିନ୍ତୁ ନାଁ, ସେସବୁ କିଛି ବି ନଥିଲା  ।ତା ଭାଇକୁ ମା' କାହିଁକି ଗାଳିଦେଲେ,ସେଇଥିପାଇଁ ସେ ଏତେ କରୁଣ ଭାବରେ କାନ୍ଦୁଥିଲା ।ବାଧ୍ୟ ହୋଇ ମା' ସାତ୍ତ୍ଵିକ କୁ କୋଳରେ ବସାଇ ଗେଲ କଲେ ।ସେତେବେଳେ ଇଭା କାନ୍ଦ ବନ୍ଦ କରି,ସୁନା ପିଲାଟି ପରି ମାଆ ଙ୍କ କୋଳରେ ବସି ପଡ଼ିଲା ଓ  ଭାଇ କାନ୍ଧରେ ହାତ ରଖି ତାକୁ ଗେଲ କଲା ।ଖାଲି  ଏହି ଗୋଟିଏ ଘଟଣା ନୁହେଁ,ଯେବେ ବି ସାତ୍ତ୍ଵିକ କୁ କୌଣସି କାରଣ ପାଇଁ ଗାଳି ମନ୍ଦ କରାଯାଉଥିଲା ,ସାତ୍ତ୍ଵିକ କାନ୍ଦିବା ପୂର୍ବରୁ,ଇଭା ଗଗନ ପବନ କମ୍ପେଇ କାନ୍ଦିବା ଆରମ୍ଭ କରିଦେଉଥିଲା  ।ସାତ୍ତ୍ଵିକ ତାକୁ ମାରୁ ପିଟୁ ଯାହା କରୁ,ତା ପାଇଁ 'ଭାଇ ଇଜ ବେଷ୍ଟ'।ତେଣୁ ଇଭା ଘରେ ଅଛି ମାନେ ସାତ୍ତ୍ଵିକ ସୁରକ୍ଷିତ ।
            ମେ ମାସ କୋଡିଏ ତାରିଖରେ ସାତ୍ତ୍ଵିକ ର ସାଙ୍ଗ ରୋମା ର ଜନ୍ମଦିନ ଥିଲା । ସେଦିନ ଇଭା,ସାତ୍ତ୍ଵିକ ଓ ସେମାନଙ୍କ ବାବା,ମା ରୋମା ଘରକୁ ଯାଇଥିଲେ ।ସେମାନଙ୍କ ବ୍ୟତିତ ସେମାନଙ୍କର ଆହୁରି ଅନେକ ସାଙ୍ଗ ସେଠାକୁ ଆସିଥିଲେ ।ସାତ୍ତ୍ଵିକ ତା ସାଙ୍ଗ ମାନଙ୍କ ସହିତ ମିଶି ବହୁତ ଖେଳିଲା ଓ ମଜା କଲା ।ଇଭା  ତା ସାଙ୍ଗ ମାନଙ୍କ ସାଙ୍ଗରେ ନ ଖେଳି ତା ଭାଇ ଓ ତାର ସାଙ୍ଗ ମାନଙ୍କ ସହିତ  ଖେଳିବାକୁ ଚାହୁଁଥିଲା । ସାତ୍ତ୍ଵିକ ତାକୁ କହିଲା, ତୁ ଯା, ତୋ ସାଙ୍ଗ ମାନଙ୍କ ସାଙ୍ଗେ ଖେଳିବୁ ।ଇଭା  ରାଗିଯାଇ,ଭାଇ ପାଖକୁ ଆସି ଜୋରରେ ତା ଚୁଟି ଭିଡ଼ି ତାକୁ ଠେଲି ଦେଲା।ସାତ୍ତ୍ଵିକ ର ମୁଣ୍ଡ କାନ୍ଥରେ ପିଟି ହୋଇଗଲା ।ସେ କଇଁ କଇଁ ହୋଇ କାନ୍ଦିଲା ।ତା କାନ୍ଦ ଶୁଣି ବାବା ମା ସେଠାକୁ ଦୌଡ଼ି ଆସିଲେ ।ଇଭା ସେଠାରେ ମୁହଁ ଶୁଖେଇ ଛିଡା ହୋଇଥିଲା ।ବାବା ସାତ୍ତ୍ଵିକ କୁ ବୁଝାଇ କହିଲେ,ତୁ କାନ୍ଦନା ।ଇଭା କଥା ମାନୁନି,ସବୁବେଳେ ତତେ ମାରୁଛି ।ତାକୁ ଆଜି ଏଇଠି ଛାଡ଼ି ଦେଇ ଆମେ ଚାଲିଯିବା ।ତାଙ୍କ କଥା ଶୁଣି ଇଭା ମୁହଁ ଶୁଖେଇ ସେଇଠି ବସି ରହିଲା,ଆଉ ହଲ ଚଲ ହେଲାନାହିଁ ।
           ଅପରାହ୍ନ ୪ଟା ବେଳେ ଜନ୍ମଦିନ ପାର୍ଟି ସରିଯିବା  ପରେ, ସମସ୍ତେ ଘରକୁ ଯିବାକୁ ବାହାରିଲେ ।ସେତେବେଳେ ରୋମା ର ମମି କହିଲେ,ଇଭା ଭଲ ଝିଅ, ଆମେ ତାକୁ ରଖିଦେବୁ ।ବାବା ହସି ହସି କହିଲେ,ହଁ ରଖି ଦିଅନ୍ତୁ ।ଏହି ସମୟରେ  ସମସ୍ତେ ଦେଖିଲେ,ସାତ୍ତ୍ଵିକ ଧଇଁ ସଇଁ ହୋଇ ଇଭା କୁ ଟେକି ଟେକି ଆଣୁଛି ।ସେ ବାବାଙ୍କ ପାଖରେ ପହଞ୍ଚି କହିଲା,ବାବା,ଶୀଘ୍ର କାର ଷ୍ଟାର୍ଟ କର,ଆମେ ଘରକୁ ପଳେଇବା,ନହେଲେ ସେମାନେ ଇଭା କୁ ରଖିଦେବେ ।ଇଭା ବି ଡରିଯାଇ ଭାଇ କଥାରେ ତାଳ ଦେଇ ମୁଣ୍ଡ ହଲାଇ ହଁ କହୁଥିଲା  ।
              ସେଦିନ  ଖେଳି ଖେଳି ସାତ୍ତ୍ଵିକ ବହୁତ ହାଲିଆ ହୋଇ ପଡ଼ିଥିଲା ।ତେଣୁ ଘରକୁ ଫେରି  ସେ ଶୋଇ ପଡ଼ିଲା ।କିନ୍ତୁ ଇଭା ର ମନ  ଲେଗୋ ରେ ଥିଲା ।ସେ ଭାଇ ର ଷ୍ଟଡ଼ି ରୁମକୁ ଯାଇ ଭାଇ ଅତି ଯତ୍ନରେ ବନେଇ ଥିବା ଉଡାଜାହାଜ କୁ ନିରିଖେଇ ଦେଖିବାକୁ ଲାଗିଲା ।ସେ ଯେତେ ତାକୁ ଦେଖୁଥିଲା,ତାକୁ ସେତେ ଭଲ ଲାଗୁଥିଲା ।ଏମିତି ଦେଖୁ ଦେଖୁ ସେ ସେହି ସୁନ୍ଦର ଯାନ ର  ତଳ ବୋତାମ କୁ ଚିପି ଦେଲା ।ଚାହୁଁ ଚାହୁଁ ଗୋଟିଏ ଅଦ୍ଭୁତ ଘର୍ଘର ଶବ୍ଦ କରି ତାହା ଧୀରେ ଧୀରେ ବଡ଼ ହୋଇ ବିରାଟ ଆକାର ଧାରଣ କଲା ।ସେ ଖୁସିରେ ତା ଭିତରକୁ ଯାଇ,ଡ଼୍ରାଇଭିଂ ସିଟରେ ବସି ପଡ଼ିଲା । ତା ପଛେ ପଛେ ସାତ୍ତ୍ଵିକ  ଆସି ତା ପାଖରେ ବସି ପଡ଼ିଲା ।ସେ ଯେମିତି ଉପର ବୋତାମ କୁ ଚିପି ଦେଇଛି,ତାହା ଉଡି ବାକୁ ଲାଗିଲା ।ଖୁସିରେ ଇଭା ତାଳି ମାରି କହିଲା, ଭାଇ,ଆହୁରି ଉପରକୁ ଚାଲ ।ଦୁହେଁ ତଳକୁ ଚାହିଁ ଦେଖିଲେ,ମଣିଷ ସବୁ ପିମ୍ପୁଡ଼ି ପରି ଦେଖା ଯାଉଛନ୍ତି ।ସାତ୍ତ୍ଵିକ କହିଲା,ଜାଣିଛୁ ଇଭା,ଏଇ ଉଡାଜାହାଜ  ଆକାଶରେ ଉଡିଵ,ଆଉ ମାଟିରେ ଗଡ଼ିଵ ।ଇଭା ଖୁସି ହୋଇ ବାଃ ବାଃ କହିବା  ସମୟରେ  ଦେଖିଲା, ଆକାଶରେ ବିରାଟ ବିରାଟ ପକ୍ଷୀ ଉଡୁଛନ୍ତି ।ସେମାନଙ୍କର ବଡ଼ ବଡ଼ ଥଣ୍ଟ, ବଡ଼ ବଡ଼ ଗୋଡ଼ ଆଉ ବଡ଼ ବଡ଼ ଡେଣା ଥିଲା।ସେମାନେ ତାଙ୍କ ଆଡକୁ ମାଡ଼ି ଆସିବା ଦେଖି  ସାତ୍ତ୍ଵିକ ଡରିଗଲା ।କହିଲା, ଇଭା,ଆମେ ଏବେ କଣ କରିବା ?ଇଭା କହିଲା, ଭାଇ,ଜମା ଡରନା, ମୁଁ ଅଛି ନାଁ ?ତୁ ମୋ ଜାଗାରେ ବସ,ମୁଁ ତାଙ୍କୁ ମାରି ଭଗେଇ ଦେବି ।ସାତ୍ତ୍ଵିକ ଷ୍ଟିଅରିଂ ଧରିଲା ।ଯେମିତି ସେ ପକ୍ଷୀମାନେ  ସେମାନଙ୍କ ଆଡକୁ ମାଡ଼ି ଆସିଲେ,ଇଭା ଗୋଟି ଗୋଟି କରି ସବୁ ପକ୍ଷୀ ଙ୍କର ଲାଞ୍ଜ କୁ ଧରି ବୁଲେଇ ବୁଲେଇ ଫୋପାଡ଼ି ଦେଲା ।ସାତ୍ତ୍ଵିକ ମଝି ବୋତାମ ଚିପି ବାରୁ ତାଙ୍କ ଯାନ ଟି ତଳକୁ ଖସିଲା ଓ  ଏକ ଭୟାନକ ଜଙ୍ଗଲ ଭିତରେ ରହିଗଲା ।ଇଭା କହିଲା,ଇଏ ତ ଜଙ୍ଗଲ ,ଆମେ କଣ କରିବା ।ସାତ୍ତ୍ଵିକ କହିଲା,ଯେତେ ଶୀଘ୍ର ପାରିବା, ଆମେ ଏଠାରୁ ପଳେଇବା ।ସେ ସାଇଡ ବୋତାମ ଚିପିଲା ।ତାଙ୍କର ଯାନ ଖୁବ ଜୋରରେ ଚାଲିଲା ।କିନ୍ତୁ ସେତିକିବେଳେ ଦଳେ ଡାଇନୋସର ଗୋଟିଏ ବୁଦା ଭିତରୁ ବାହାରି ଆସି ତାଙ୍କୁ ଆକ୍ରମଣ କଲେ ।ସାତ୍ତ୍ଵିକ ଯାନକୁ ସାଙ୍ଗେ ସାଙ୍ଗେ ଉପରକୁ ଉଠାଇ ନେଲା ।ଡାଇନୋସର ମାନେ ଆଉ କିଛି କରି ପାରିଲେ ନାହିଁ, ଖାଲି ତାଙ୍କୁ  ରାଗିକରି ଚାହିଁ ରହିଲେ ।ଏଥର ସାତ୍ତ୍ଵିକ ଏକ  ସହରରେ ତାର ଯାନକୁ ଲ୍ୟାଣ୍ଡ କଲା ।ସେଠାରେ ବଡ଼ ବଡ଼ ଖେଳପଡ଼ିଆ, ପାର୍କ ଓ ମଲ ଥିଲା ।ଦୁହେଁ ଖେଳପଡ଼ିଆରେ ଖେଳିଲେ ଓ ପାର୍କରେ ବୁଲିଲେ ।କେତେସମୟ ପରେ ଇଭା କହିଲା,ଭାଇ ମତେ ଭୋକ ଲାଗିଲାଣି,ଚାଲ ଖାଇବା ।ସାତ୍ତ୍ଵିକ ଇଭାକୁ ଏକ ବଡ଼ ମଲ କୁ ନେଇଗଲା ।ସେଠାରେ ସେମାନେ ପିଜା ଖାଇଲେ ଓ ଜୁସ୍ ପିଇଲେ ।ତାପରେ ସେମାନେ ମଲ ସାରା ବୁଲିଲେ ।ଭାଇ  ତା ପସନ୍ଦର ଖେଳନା ଓ ଚକଲେଟ କିଣିଲା ।ଇଭା  କିଣିଲା ଗୋଟିଏ କୁହୁକ କାର ।
           ସେତେବେଳେ ସଞ୍ଜ ହୋଇ ଆସୁଥିଲା । ସେମାନେ ବାହାରକୁ ଆସି ତାଙ୍କ ଉଡାଜାହାଜରେ  ବସିବାକୁ ଯାଇ ଦେଖିଲେ,ଡ଼୍ରାଇଭିଂ ସିଟରେ ଗୋଟେ ହାଲୋୱୀନ ବସିଛି ।ଇଭା ରାଗିଯାଇ ତା କୁହୁକ କାରକୁ ହାଲୋୱୀନ ଉପରକୁ ଫିଙ୍ଗିଦେଲା ।ସାଙ୍ଗେ ସାଙ୍ଗେ  ହାଲୋୱୀନ ଦେହରୁ ଧୂଆଁ ବାହାରି ସେ ଗୋଟିଏ ମାଟି ପିଣ୍ଡୁଳା ହୋଇ ତଳେ ପଡ଼ିଗଲା ।ଇଭା କହିଲା,ଭାଇ ଶୀଘ୍ର ଆସ,ଡେରି କଲେ ୱୀଚ ଆଣ୍ଟି ଆସିଯିବ  ।ସାତ୍ତ୍ଵିକ ଉଡାଜାହାଜ  ରେ ବସି ପୁଣି ଓହ୍ଲାଇ ପଡ଼ିଲା ।ଇଭା ପଚାରିଲା,କଣ ହେଲା ଭାଇ ?ସାତ୍ତ୍ଵିକ କହିଲା,ମୁଁ ତୋ ପାଇଁ ଗୋଟିଏ ରୋବଟ କିଣି ଥିଲି,ସେଇଟା ସିକ୍ୟୁରିଟି ପାଖରେ ଛାଡ଼ିଦେଇ ଆସିଛି ।ତୁ ଥା, ମୁଁ ସାଙ୍ଗେ ସାଙ୍ଗେ ଆସୁଛି ।ସାତ୍ତ୍ଵିକ ଯେମିତି  ଯିବାକୁ ବାହାରିଲା, ୱୀଚ ଆଣ୍ଟି ଆସି ତାକୁ ଧରି ପକେଇଲା ।ଇଭା ଦୌଡ଼ି ଯାଇ,ୱୀଚ ଆଣ୍ଟି ପେଟରେ ଜୋରରେ ଗୋଟେ ଗୋଇଠା ମାରିଲା ।ୱୀଚ ଆଣ୍ଟି ସାତ୍ତ୍ଵିକ ର  ହାତ ଛାଡ଼ି ତଳେ  ପଡ଼ିଗଲା ।ସାଙ୍ଗେ ସାଙ୍ଗେ ଇଭା  ଭାଇ ହାତ ଧରି ଟାଣି ଆଣିଲା ଓ ଦୁହେଁ ଯାନ ରେ ବସି ପଡ଼ିଲେ ।ଇଭା ବୋତାମ ଚିପି ଦେବାରୁ,ଯାନ ଉଡିଲା ।
             ଦୁହେଁ ଉଡି ଉଡି ଆସି ତାଙ୍କ ଘର ପାଖରେ ପହଁଚିଲେ ।ବାହାରେ ବାବା ଓ ମା ଛିଡା ହୋଇଥିଲେ ।ସେମାନଙ୍କୁ ଦେଖି ଖୁସିରେ ଇଭା ପାଟି କଲା,ବାବି,ମାମି ।ହେଲେ ତା ପାଟି ଖୋଲୁ ନଥିଲା ।ସେ ଜୋର ଦେଇ ପାଟି କରିବା ବେଳକୁ ତା ନିଦ ଭାଙ୍ଗିଗଲା ।ସେ ଦେଖିଲା, ପାଖରେ ମା ବସି ତାକୁ ଆଉଁସି ଦେଇ ପଚାରୁଛନ୍ତି,କଣ ହେଲା, ମା' ??ସ୍ବପ୍ନ ଦେଖୁଥିଲୁ ??ସନ୍ଧ୍ୟା ହେଲାଣି, ମୁହଁ, ହାତ, ଗୋଡ଼ ଧୋଇ କରି ଆସ,ପ୍ରାର୍ଥନା କରିବା ।ଇଭା ଭାଇ ର ଲେଗୋ ସାଙ୍ଗେ ଖେଳି ଖେଳି କେତେବେଳେ ଶୋଇ ପଡ଼ିଛି,ଜାଣି ପାରି ନଥିଲା ।ଏତେ ସୁନ୍ଦର ସ୍ୱପ୍ନ ଭାଙ୍ଗି ଯିବାରୁ ତା ମନ ଦୁଃଖ ହେଲା ।ଉଡାଜାହାଜ କୁଆଡେ ଗଲା ବୋଲି ଖୋଜିବା ବେଳକୁ ସେ ଦେଖିଲା, ଭାଇ ତାକୁ ଧରି କାନ୍ଦୁଛି ।ତା ଅତି ଆଦରର ଭାଇ କାନ୍ଦୁଥିବାର ଦେଖି,ଇଭା ବି କାନ୍ଦିବାକୁ ଲାଗିଲା ।ଦୁଇଜଣଙ୍କ କାନ୍ଦ ରେ ଘର କମ୍ପିଲା ।ମା ବାବା ଦୌଡ଼ି ଆସି ପଚାରିଲେ,କଣ ହେଲା ?ସାତ୍ତ୍ଵିକ କାନ୍ଦି କାନ୍ଦି କହିଲା, ମୋ ଲେଗୋ ଇଭା ଭାଙ୍ଗିଦେଲା ।ସାତ୍ତ୍ଵିକକୁ ବାବା ବୁଝାଇ କୋଳକୁ ନେଲେ ।ଇଭାକୁ କୋଳରେ ଧରି ମା' ପଚାରିଲେ,ତୋର କଣ ହେଲା ମା ??ଇଭା ସେମିତି କାନ୍ଦି କାନ୍ଦି ସାତ୍ତ୍ଵିକ ଆଡକୁ ହାତ ଦେଖାଇ କହିଲା, ଭାଇ  କାନ୍ଦିଲା ।ବାବା ମା ବୁଝିଲେ,ଇଭା ସାତ୍ତ୍ଵିକ ର ଲେଗୋ ଭାଙ୍ଗି ଦେଇ ଥିବାରୁ ସେ କାନ୍ଦୁଥିଲା ;ଭାଇର  କାନ୍ଦ ଦେଖି ଇଭା କାନ୍ଦୁଥିଲା ।ମମତା ମହାନ୍ତି ।
              
             

No comments:

Post a Comment