Wednesday, June 10, 2020

ଲାଲ ଆଲମିରା ଓ କଳା ବ୍ୟାଗ |

                     ଅଫିସରୁ ଫେରିବା ପରେ ଭଡ଼ାଘର ଛାତ ଉପରେ ଅନ୍ୟମନସ୍କ ହୋଇ ଶିଖର ଛିଡା ହୋଇ ଅନେକ କଥା ଚିନ୍ତା କରୁଥିଲା |ଆଜି ଦିନସାରା କାହିଁକି କେଜାଣି ତାର ଅନ୍ତରଙ୍ଗ ବନ୍ଧୁ ମାନସ କଥା ବହୁତ ମନେ ପଡୁଛି |ତାର ସଦା ଗମ୍ଭୀର ଓ ଉଦାସ ମୁହଁଟି ବାରମ୍ବାର ତା ଆଖି ଆଗରେ ନାଚି ଯାଉଥିଲା |ବଲାଙ୍ଗୀର ଅଫିସରେ  ଯୋଗ ଦେବାର ପାଖାପାଖି ଦୁଇମାସ ହେଲାଣି,କିନ୍ତୁ ନୂତନ ପରିବେଶରେ ସେ  ନିଜକୁ  ଆଦୌ ଖାପ ଖୁଆଇ ପାରୁନଥିଲା |ପିଲା ଦୁଇଜଣ ଭୁବନେଶ୍ୱରରେ ପଢୁଥିବାରୁ,ସ୍ତ୍ରୀ ଓ ପିଲାମାନଙ୍କୁ ଶ୍ୱଶୁରଘର ହେପାଜତରେ ଛାଡ଼ିଦେଇ ନିଶ୍ଟିନ୍ତରେ ସେ ଏଠାକୁ ଚାଲି ଆସିଛି | ଶାଖା ଅଫିସକୁ ସେ ପଦୋନ୍ନତି ପାଇ ଆସିଥିଲେହେଁ ଅଫିସର ସମସ୍ତେ  ଭଲଭାବେ ଜାଣିଥିଲେ, ତାକୁ ପ୍ରମୋଶନ ନୁହେଁ ବରଂ ପନିଶମେଣ୍ଟ ଦିଆଯାଇଛି |କାରଣ ପ୍ରମୋଶନ ପରେ ତାକୁ ପୋଷ୍ଟ ସହିତ ଏଠାକୁ ପଠାଇ ଦିଆଯାଇଛି |
                   ଶିଖରର ଦୋଷ ଏତିକି ଥିଲା,ସେ  ଅଫିସର ସବୁଠାରୁ ଲୋକପ୍ରିୟ କର୍ମଚାରୀ ଥିଲା |ତା ପାଖକୁ ଯିଏ କାମ ନେଇ ଆସୁଥିଲା,ସେ ଚା' ପିଆଇ  ନୁହେଁ,ବରଂ ତାଠାରୁ ଚା' ପିଇ  ଯାଉଥିଲା |ସମସ୍ତେ ଭଲଭାବେ ଜାଣିଥିଲେ,ଯେ କୌଣସି କାମ ପାଇଁ ଶିଖରକୁ ଥରେ କହିଦେଲେ,ଆଉ ତାକୁ ଦ୍ୱିତୀୟ ଥର ଅନୁରୋଧ କରିବାକୁ ପଡେନାହିଁ | ସୁଇପର,ଚପରାଶି ଇତ୍ୟାଦି ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ  ପ୍ରତି ତାର ଦରଦ ରହିଥିଲା ଓ ସେ ସେମାନଙ୍କ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରୁଥିଲା  |ତାର ଏହି ଦୁର୍ଗୁଣ(?) ଉପରିସ୍ଥ ଅଫିସରଙ୍କୁ ଙ୍କୁ ସୁହାଉ  ନଥିଲା ,ତେଣୁ ତାକୁ ଏ ପ୍ରକାର ପନିଶମେଣ୍ଟ |ଆଜି ଦିନସାରା ମାନସ କଥା ଓ ତା ସାଙ୍ଗେ ବିତାଇ ଥିବା ମୁହୂର୍ତ୍ତ ସବୁ  ବାରମ୍ବାର ମନେ ପଡୁଥିଲା | ମାନସ ତାର ଘନିଷ୍ଠ ସହଯୋଗୀ ଥିଲା |ସେ ଯେତେବେଳେ ଫାଇଲ ଖୋଜୁଥାଏ ,ମାନସ ଜାଣିବା ପରି ତା ପାଖକୁ ତତକ୍ଷଣାତ ଆସି  ,କି ଫାଇଲ ଖୋଜୁଛନ୍ତି କୁହନ୍ତୁ,ମୁଁ ଖୋଜିଦେବି କହି,ମାନସ ମୁହଁରୁ କଥା ନସରୁଣୁ ସେ ଫାଇଲ ଖୋଜିବା ଆରମ୍ଭ କରି ଦେଉଥିଲା  ଓ ସମ୍ପୃକ୍ତ ଫାଇଲଟି ନ ମିଳିବା ପର୍ଯ୍ୟନ୍ତ ସେ ସେଠାରୁ ଯାଉ ନଥିଲା |ଶିଖରର ସଫଳତା ପଛରେ ମାନସର ବଡ଼ ସହଯୋଗ ରହିଥିଲା |ପରିବାରର ଆୟ ବଢ଼ାଇବା ପାଇଁ ମାନସ ସୁଧ କାରବାର କରୁଥିଲା |ସୁନା ବନ୍ଧକ ରଖି ସେ ଟଙ୍କା ଧାର ଦେଉଥିଲା |ସବୁ ଋଣ ପରିଶୋଧ ହେବାପରେ ସେ ବନ୍ଧକ ରଖିଥିବା ସୁନା ଫେରସ୍ତ ଦେଉଥିଲା |ଏମିତି ଭାବୁ ଭାବୁ ତା ମୋବାଇଲ ବାଜି ଉଠିଲା |ଭୁବନେଶ୍ୱରରୁ  ପ୍ରଭାକର ବାବୁ ଫୋନ କରିଥିଲେ |ଶିଖର ହାଲୋ କହିବା କ୍ଷଣି ସେପଟୁ ପ୍ରଭାକର ବାବୁ ବ୍ୟସ୍ତ ହୋଇ କହିଲେ,ବଡ଼ ଅନର୍ଥ ହୋଇ ଯାଇଛି ଶିଖର ବାବୁ, ମାନସ ବାବୁ ବ୍ରେନ ଷ୍ଟ୍ରୋକରେ ଚାଲିଗଲେ |ଆମେ ଏବେ ତାଙ୍କ ଘରେ ଅଛୁ | ସ୍ତ୍ରୀ ପିଲା ତାଙ୍କର କାନ୍ଦି କାନ୍ଦି ବେହାଲ ,ବଡ ଦୁଃଖ ଲାଗୁଛି |ଶିଖର କଣ କହି ଆସୁଥିବାବେଳେ ପ୍ରଭାକର ବାବୁଙ୍କ ଫୋନ କଟିଗଲା |ଶିଖର ବି ଭାବାବେଗରେ କାନ୍ଦି ପକାଇଲା | ଘଣ୍ଟାକୁ ଚାହିଁ ଦେଖିଲା,ରାତି ସାଢ଼େ ନଅ  ହୋଇଛି |ସେ ଘରକୁ ଆସି ନଖାଇ ସେମିତି ଶୋଇ ପଡିଲା |
                  ଅର୍ଦ୍ଧରାତ୍ରୀରେ କବାଟରେ ଠକ ଠକ ଶବ୍ଦ ଶୁଣି ହଠାତ ତା ନିଦ ଭାଙ୍ଗିଗଲା |ସେ ତା ହାତ ପାଖରେ ଥିବା ସୁଇଚ ଅନ କଲା |କେହି କୁଆଡେ ନଥିଲେ ;ଖୋଲା ଝରକାର କବାଟ ପବନରେ ବାଡେଇ ହେଉଥିଲା |ଶିଖର ମନେ ପକାଇଲା,ସିଏ ତ ଶୋଇବା ବେଳେ ସବୁ ଝରକା ବନ୍ଦ  କରିଥିଲା,ଝରକା ଖୋଲିଲା କେମିତି ?ପୁଣି  ଭାବିଲା,ହୁଏତ ଅନ୍ୟମନସ୍କତା ବଶତଃ ସେ ଝରକା ବନ୍ଦ  କରିବା ଭୁଲି ଯାଇଥିବ |ସେ ଝରକା ବନ୍ଦ କରି ପୁଣି ଶୋଇବାକୁ ଚେଷ୍ଟା କଲା |କିନ୍ତୁ ତା ଆଖିରୁ ନିଦ ଉଭେଇ ଯାଇଥିଲା |ଯେତେ ଆଖି ବୁଜିଲେ ବି ବାରମ୍ବାର ତାର ମାନସ କଥା ମନେ ପଡୁଥିଲା |ମାନସ ବହୁତ ମିତଵ୍ୟୟୀ ଥିଲା |ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିଲେ  ଦଶ ଥର ଚିନ୍ତା କରୁଥିଲା |ଘରୁ ଯାହା ଖାଇ କରି ଆସୁଥିଲା,ସେତିକି |ଅଫିସରେ ଜଳଖିଆ ଖାଉ ନଥିଲା, ଭୋକ ହେଲେ ପାଣି ପିଇଦେଉଥିଲା |ଶିଖର ଘରୁ ଟିଫିନ ଆଣୁଥିଲା |ତା ସହିତ ଟିଫିନ ଖାଇବାକୁ ସେ  ମାନସକୁ ବାଧ୍ୟ କରୁଥିଲା |କିନ୍ତୁ ପ୍ରାୟ ଦିନ ଟିଫିନ ଆୱାର ପୂର୍ବରୁ ମାନସ ଅନ୍ତର୍ଦ୍ଧାନ ହୋଇ ଯାଉଥିଲା |ଶିଖର ଯେଉଁଦିନ ଭଲ ଖାଇବା ଆଣୁଥିଲା,ସେଦିନ ଜାଣିଶୁଣି ସେ ତାକୁ କାମରେ ବ୍ୟସ୍ତ ରଖୁଥିଲା |ସେଦିନ ମାନସ ତାକୁ ଆଉ ଫାଂକି ଦେଇ ପାରୁ ନଥିଲା |ମାନସ ତା ସହିତ ଖାଇଲେ,ତାକୁ ଅନେକ ଆତ୍ମତୃପ୍ତି ମିଳୁଥିଲା |କିନ୍ତୁ ତାର ଅଚାନକ ବଦଳି,ମାନସର ଅସମୟ ମୃତ୍ୟୁ,ସବୁ ଯେମିତି ଈଶ୍ୱରଙ୍କ ଅଭିଶାପ ପରି ତାକୁ ଲାଗୁଥିଲା | 
                  ଶିଖର ଆସିବା ପରେ ତା ସ୍ଥାନରେ ପ୍ରଭାକର ବାବୁଙ୍କୁ ଦାୟିତ୍ତ୍ୱ ଦିଆଯାଇଥିଲା |ତେଣୁ ସେ ତା ପରଦିନ ପ୍ରଭାକର ବାବୁଙ୍କୁ ଫୋନ କରି ମାନସ ବିଷୟରେ ପଚାରିଲା |ଯେତେ ଶୀଘ୍ର ସମ୍ଭବ,ମାନସର  ସବୁ ପ୍ରାପ୍ୟ  ଯେପରି ତାର ପରିବାରକୁ ମିଳିଯିବ,ସେଥିପାଇଁ ଚେଷ୍ଟା କରିବାକୁ ସେ ତାଙ୍କୁ ବହୁତ ଅନୁରୋଧ କଲା |ଦିନସାରା ତାକୁ ଖାଇବାକୁ ଇଛା ହେଉ ନଥିଲା |ରାତିରେ ଦୁଇପଟ ପାଉଁରୁଟି ଖାଇ ସେ ଶୋଇ ପଡିଲା |ସେଦିନ ରାତିରେ ବି ସେଇ ଏକାପରି ଘଟଣା ଘଟିଲା |ତାର ମନ କହୁଥିଲା,ନିଶ୍ଚୟ କିଛି ଅସୁବିଧା ହୋଇଛି | ଭୁବନେଶ୍ୱର ଯାଇ ମାନସର ପରିବାରକୁ ଭେଟିବା ପାଇଁ ସ୍ଥିର କରି ସେ ସପ୍ତାହେ ପାଇଁ ଛୁଟି ଦରଖାସ୍ତ ଦେଲା |କିନ୍ତୁ ତା ଠାରୁ ଦାୟିତ୍ତ୍ୱ ନେବାପାଇଁ କେହି ନଥିବାରୁ ତାର ଛୁଟି ଦରଖାସ୍ତ ନାମଞ୍ଜୁର ହୋଇଗଲା |ପନ୍ଦର ଦିନ ପରେ ଦ୍ୱିତୀୟ ଶନିବାର ଓ ରବିବାରକୁ ମିଶାଇ ତାକୁ ସପ୍ତାହେ ଛୁଟି ମିଳିଲା |ସେଦିନ ଗୁରୁବାର ଥିଲା |ଶୁକ୍ରବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ଯିବା ପାଇଁ ସେ ମନସ୍ଥ କଲା  |କିଛିଦିନ ହେବ ଭଲରେ ଶୋଇ ପାରି ନଥିବାରୁ ସେଦିନ ଅଫିସରୁ ଫେରି ଶୀଘ୍ର ଖାଇ ଶୋଇ ପଡିଲା |ଠିକ ରାତି ଗୋଟାଏ ରେ ସେମିତି ଝରକା ଖୋଲିବାର ଆବାଜ ସହ ଖସ ଖସ ଶବ୍ଦ ଶୁଣି ସେ ଆଖି ଖୋଲି ଚାହିଁଲା |ତାକୁ ସ୍ପଷ୍ଟ ଜଣାଗଲା  ତାର ସାମ୍ନାରେ ମାନସ ଏକ ଧଳା ସାର୍ଟ ପିନ୍ଧି ଛିଡା ହୋଇଛି |ସେ ପୁଣି ଦେଖିଲା,ମାନସ  ଏକ ଲାଲ ରଙ୍ଗର ଆଲମିରା ଓ ସେଥିରେ ଥିବା ଏକ କଳା ରଙ୍ଗର ବ୍ୟାଗ କୁ ଇଙ୍ଗିତ କରୁଛି |ଶିଖର  ଲାଇଟ ଅନ କଲା |କିନ୍ତୁ ସେତେବେଳକୁ ଛାୟାମୂର୍ତ୍ତି ଅଦୃଶ୍ୟ ହୋଇ ସାରିଥିଲା |ସେ ବୁଲିପଡ଼ି ଦେଖିଲା,ଝରକା ଖୋଲା ଅଛି  | କିଛି ସମୟ ପରେ  ଉଠି ସେ ଝରକା ବନ୍ଦ  କଲା, ପାଣି ପିଇଲା ଓ ତାପରେ ଶୋଇବାକୁ ଚେଷ୍ଟା କଲା |କିନ୍ତୁ ଆଉ ତାକୁ ନିଦ ହେଲା ନାହିଁ, ସେମିତି ଚାହିଁ ଚାହିଁ ସେ ରାତି ପୁହାଇ ଦେଲା |
                   ଶନିବାର ସକାଳେ ଘରେ ପହଞ୍ଚି ଶୀଘ୍ର ଶୀଘ୍ର  ନିତ୍ୟକର୍ମ ଶେଷକରି ,ଜଳଖିଆ ଖାଇ ସେ ଶୋଇପଡ଼ିଲା |ନିଦ ଭାଙ୍ଗିବା ବେଳକୁ ଦିନ ଦୁଇଟା  | ଲଞ୍ଚ ଖାଇ ସେ ପୁଣି ଆଉ ଥରେ ଶୋଇ ପଡିଲା |ସନ୍ଧ୍ୟା ବେଳେ ଉଠି  ବଜାର ଆଡେ ଘେରାଏ ବୁଲି ଆସିବା ପରେ ତାକୁ ଟିକିଏ ଭଲ ଲାଗିଲା  |ସେଦିନ ରାତିରେ କୌଣସି ଅସ୍ୱାଭାବିକ ଘଟଣା ଘଟିଲା ନାହିଁ |ସକାଳେ ଉଠି,ଶାନ୍ତିରେ ନିଃଶ୍ୱାସ ମାରି  ଭାବିଲା,ବିପଦ ଟଳିଗଲା |କିନ୍ତୁ ତା ଧାରଣା ଭୁଲ ଥିଲା |ସେଦିନ ରାତି ଗୋଟାଏ ପାଖାପାଖି ସେହିପରି ଅସ୍ୱାଭାବିକ ଶବ୍ଦ ଶୁଣି ତା ନିଦ ଭାଙ୍ଗିଗଲା |ମାନସର ଛାୟାମୂର୍ତ୍ତି ସେହିପରି ଭାବରେ ଲାଲ ରଙ୍ଗର ଆଲମିରା ଓ ସେଥିରେ ଥିବା ଏକ କଳା ବ୍ୟାଗକୁ ଇଙ୍ଗିତ କରିବା ପରେ ସେଠାରୁ ଅଦୃଶ୍ୟ ହୋଇଗଲା |ପାଖରେ ସ୍ତ୍ରୀ ନିର୍ମଳା ନିଶ୍ଚିନ୍ତରେ ଶୋଇଥିଲା |ଏତେ ଜୋର ଆବାଜ ତା ନିଦ୍ରାରେ ବାଧା ସୃଷ୍ଟି କରି ପାରି ନଥିଲା |
                 ପରଦିନ ଅଫିସ ଯାଇ ପ୍ରଭାକର ବାବୁଙ୍କ ଠାରୁ ମାନସ ବିଷୟରେ ଖବର ନେଲା |ତାର କେଉଁ କେଉଁ କାମ ହୋଇଛି ଓ କେଉଁ କାମ ବାକି ପଡିଛି,ସେ ବିଷୟରେ ପଚାରିବାରୁ ପ୍ରଭାକର ବାବୁ କହିଲେ,ଅଫିସ ତରଫରୁ କିଛି ବାକିଆ ନାହିଁ,ସେମାନେ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଲେ ଯାହା କିଛି ପ୍ରୋସେସ ହେବ |ଏତିକିବେଳେ ସୁଇପର ରା଼ମିଆ ତାକୁ ଗୋଟିଏ କଣକୁ ଡାକିନେଇ କହିଲା,ସେ ମାନସ ବାବୁଙ୍କ ପାଖରେ ସୁନା ଚେନ  ବନ୍ଧା ପକେଇ ପାଞ୍ଚ ହଜାର ଟଙ୍କା ଧାର ନେଇଥିଲା |ଏରିଅର ପାଇବା ପରେ  ସେ ଟଙ୍କା ଶୁଝିଦେଲା |ଯେଉଁଦିନ ତାକୁ ଚେନ ଫେରାଇବା  କଥା,ସେଇଦିନ ସେ ଚାଲିଗଲେ |ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲା,ମୋର ସୁନା ଚେନ  ବୁଡିଗଲା ସାର |ଶିଖର କହିଲା,ଗୋଟେ ଲୋକର ଜୀବନ ଚାଲିଗଲା,ତମ ପାଇଁ ଚେନ  ବଡ଼ ହୋଇଗଲା ?ତମେ ନ୍ୟାୟରେ ଥିଲେ,ଆଜି ନହେଲେ କାଲି,ଯେଉଁ ବାଟରେ ହେଲେ ବି ତମ ଜିନିଷ ତମକୁ ମିଳିଯିବ | ରା଼ମିଆ ଅବାକ ହୋଇ ଶିଖରକୁ ଚାହିଁଲା |କହିଲା,ସାର ଆପଣ ପୁଣି ଏମିତି କହିଲେ ?ଶିଖର ତା ପିଠି ଥାପୁଡ଼େଇ କହିଲା,ତମେ ମାନସ ବାବୁଙ୍କ  ଘର ଦେଖିଛ ?ରା଼ମିଆ କହିଲା,ଦେଖିଛି ଆଜ୍ଞା |ଶିଖର କହିଲା,ମୋ ସାଙ୍ଗରେ ଏବେ ଆସି ପାରିବ ?ମୁଁ ତାଙ୍କ ଘର ଦେଖିନି |ରା଼ମିଆ କୁ ବାଇକ ପଛରେ ବସାଇ ଶିଖର ମାନସ ଘରକୁ ଗଲା |ସେତେବେଳେ ପିଲାମାନେ ସ୍କୁଲ ଯାଇଥିଲେ,ମାନସର ସ୍ତ୍ରୀ ପ୍ରଭା ଏକୁଟିଆ ଘରେ ଥିଲା |ପ୍ରଭାର ମଳିନ ମୁଖମଣ୍ଡଳ ଓ ଜୀର୍ଣ୍ଣ ଶୀର୍ଣ୍ଣ ଚେହେରା  ଦେଖି ଶିଖର ର ହୃଦୟ ବିଗଳିତ ହୋଇଗଲା |ସେ  ନିଜ ପରିଚୟ ଦେବା ପରେ ପ୍ରଭା ତାକୁ ନମସ୍କାର କଲା |କହିଲା,ହଁ,ସେ ଆପଣଙ୍କ କଥା ସବୁବେଳେ କହୁଥିଲେ |ଏମିତି ହଠାତ ସେ କିପରି ଅସୁସ୍ଥ ହୋଇଗଲା ବୋଲି ଶିଖର ପଚାରିବାରୁ ପ୍ରଭା କହିଲା, ପିଲାଙ୍କ ଭବିଷ୍ୟତ ପାଇଁ ତାଙ୍କର ବହୁତ ଚିନ୍ତା ଥିଲା  |ଉଚ୍ଚ ରକ୍ତଚାପ ହେବାପରେ ଡାକ୍ତର ତାଙ୍କୁ ନିୟମିତ ଔଷଧ ଖାଇବାକୁ କହିଥିଲେ,କିନ୍ତୁ ଦେହ ଔଷଧିଆ ହୋଇଯିବ ବୋଲି ସେ ଔଷଧ ଖାଉ ନଥିଲେ |ଶିଖର କହିଲା,ମାନସର  ସୁଧ କାରବାର ବିଷୟରେ ଆପଣ ଜାଣିଛନ୍ତି ?ପ୍ରଭା କହିଲା,ହଁ ଜାଣିଛି |କିନ୍ତୁ ସେ କାହାଠାରୁ କଣ ନିଅନ୍ତି ବା କଣ ଦିଅନ୍ତି,ସେ ବିଷୟରେ ମତେ କେବେ କିଛି କହୁ ନଥିଲେ |ଶିଖର ଏଥର ତାର ଶେଷ ପ୍ରଶ୍ନ ପଚାରିଲା,ଆପଣଙ୍କ ଘରେ ଲାଲ ରଙ୍ଗର ଆଲମିରା ଅଛି ?ଶିଖର କଥାଶୁଣି ପ୍ରଭା ଆଶ୍ଚର୍ଯ୍ୟ ହୋଇ କହିଲା,ହଁ ଅଛି|କିନ୍ତୁ ଆପଣ କାହିଁକି ଏକଥା ପଚାରିଲେ ? ଉତ୍ତରରେ ଶିଖର,ମାନସ ମୃତ୍ୟୁ ପରେ ଘଟି ଯାଇଥିବା ଅସ୍ୱାଭାବିକ ଘଟଣା ବିଷୟରେ ଖୋଲି କହିଲା  |ଶେଷରେ କହିଲା,ମୁଁ ଖାଲି ମୋର ସନ୍ଦେହ ଦୂର କରିବାକୁ ଆସିଛି |ପ୍ରଭା ତା କଥା ଶୁଣି ହତବାକ ହୋଇଗଲା |ସେ ଆଲମିରା ଖୋଲି ବହୁତ ଖୋଜିବା ପରେ ଆଲମିରାର ସବା ତଳ ଥାକରେ ଏକ ପୁରୁଣା ପ୍ୟାଣ୍ଟ ଭିତରେ ଥିବା  କଳା ରଙ୍ଗର  ବ୍ୟାଗ ଖୋଜି ଆଣି ଶିଖର ହାତକୁ ବଢ଼ାଇବା ବେଳେ ଶିଖର କହିଲା,ଆପଣ ନିଜେ ଖୋଲନ୍ତୁ |ପ୍ରଭା  ଥର ଥର ହାତରେ ବ୍ୟାଗ ଖୋଲିଲା |ସେଥିରେ ମାନସର ଆଧାର କାର୍ଡ,ପାନ କାର୍ଡ,ବ୍ୟାଙ୍କ ପାସ୍ବୁକ ଓ ଏଟିଏମ କାର୍ଡ ସହିତ ରା଼ମିଆ ର ସୁନା ଚେନ ଏକ କାଗଜରେ ଗୁଡା ହୋଇ ତା ଉପରେ 'ରା଼ମିଆ' ଲେଖାହୋଇ  ସଯତ୍ନେ ରହିଥିଲା |ତା ଭିତରେ ଆଉ ଏକ ଛୋଟ ଗିଫ୍ଟ ପ୍ୟାକେଟ ମଧ୍ୟ ଥିଲା |ତା ଉପରେ ସୁନ୍ଦର  ଅକ୍ଷରରେ ଲେଖାଥିଲା',ଉଇଥ ଲଭ ,ଟୁ ମାଇଁ ପ୍ରଭା '|ପ୍ରଭା  ପ୍ୟାକେଟ ଖୋଲି ଦେଖିଲା ,ନୂଆ ଡିଜାଇନର ଅତି ସୁନ୍ଦର ହଳେ କାନଫୁଲ |ପ୍ରଭାର ପ୍ରତିକ୍ରିୟାକୁ ଦେଖିବାକୁ ଅପେକ୍ଷା ନକରି ଶିଖର ନିଜ ଲୁହକୁ ରୋକି' ଧଡ଼ କରି ସେଠାରୁ ଉଠି ଚାଲି ଆସିଲା |
               ସେଦିନ ଠାରୁ ଇତି ମଧ୍ୟରେ ଅନେକ ଦିନ ବିତି ଯାଇଛି ,  ଆଉ କେବେବି  ମାନସର ଆତ୍ମା ଶିଖରକୁ  ଭେଟିବାକୁ ଆସିନାହିଁ   |ମମତା ମହାନ୍ତି |
              
               
                     
                      

No comments:

Post a Comment