Monday, June 8, 2020

ବଦରାଗି ଗେରସ୍ତ

                    ପ୍ରୀତିଶ ସହିତ ବିବାହ ପ୍ରସ୍ତାବ ପଡିବା ବେଳେ ମଧ୍ୟସ୍ଥି କହିଥିଲେ,ପିଲାଟି  ସବୁ ଦିଗରୁ ଭଲ କିନ୍ତୁ ଟିକିଏ ରାଗି  | ବାହାଘର ପରେ ନିତ୍ୟା ଜାଣିଲା,ପ୍ରୀତିଶ ଟିକିଏ ନୁହେଁ,ବରଂ ଭୟଙ୍କର ଭାବେ ରାଗି  ଓ ରାଗିଗଲେ ସେ ତାର ହିତାହତ ଜ୍ଞାନ ହରାଇ ବସେ |ଚତୁର୍ଥୀ ପୂର୍ବଦିନ ସାନଭାଇ ତାର ବେଭାର ନେଇ ଗାଆଁକୁ  ଆସିଥିଲା |ଭାଇକୁ ଦେଖୁ ଦେଖୁ ନିତ୍ୟାର ବାପଘର କଥା ଗୋଟି ଗୋଟି ହୋଇ  ମନେପଡିଗଲା ଓ ସେ ବହୁତ କାନ୍ଦିଲା  |ଏମିତିକି ସାନଭାଇ ଯିବାପରେ ମଧ୍ୟ ତାର  କାନ୍ଦ ବନ୍ଦ  ହେଲାନାହିଁ |ଯାଆ ,ନଣନ୍ଦ ସମସ୍ତେ ଆସି ତାକୁ ବୁଝାଇଲେ,କିନ୍ତୁ ସେ ବୁଝୁ ନଥିଲା  |ଶେଷରେ ପ୍ରୀତିଶ କେଉଁଠାରେ ଥିଲା,ଖବର ପାଇ ଝଡ଼ ପରି ସେଠାରେ ପହଞ୍ଚି ବଡ଼ ପାଟିରେ ନିତ୍ୟାକୁ କହିଲା,ସକାଳ ପହରୁ ଗୋଟାଏ ପାଲା ଚାଲିଛି |ଶୀଘ୍ର ଚୁପ ହେବ ନାଁ ନାହିଁ ?ତାର ଏତେବଡ଼ ପାଟି ଶୁଣି ଭୟରେ ନିତ୍ୟାର ଗଳା ଶୁଖିଗଲା ଓ ସାଙ୍ଗେ ସାଙ୍ଗେ ତାର କାନ୍ଦ ବନ୍ଦ ହୋଇଗଲା |ସେତେବେଳେ ନିତ୍ୟା ଭାବିଲା, କେମିତି ଲୋକ ସାଙ୍ଗରେ ବାପା ତାର ବାହାଘର କରିଦେଲେ ଯେ ତିନିଦିନ ନ ଯାଉଣୁ ତାଙ୍କର ଏପରି ଉଗ୍ର ମୂର୍ତ୍ତି,ଆହୁରି ଦିନ କାଳ ବାକି ଅଛି ! ସେଦିନ  ମନେ ମନେ ବହୁତ କାନ୍ଦିଥିଲା ଓ ମନ ଦୁଃଖରେ ଜୀବନ ହରାଇବା ପରି ନିଷ୍ପତ୍ତି ମଧ୍ୟ ନେଇ ସାରିଥିଲା |କିନ୍ତୁ ଘଣ୍ଟାଏ ନ ଯାଉଣୁ ପ୍ରୀତିଶ  ଗାଆଁର  ପ୍ରସିଦ୍ଧ ଦହିବରା ଆଳୁଦମ  ଆଣିଥିଲା |ତାକୁ ଘରେ ସମସ୍ତେ ଖୁସିରେ ଖାଇଥିଲେ |ପ୍ରୀତିଶ ନିଜେ ନିତ୍ୟା ପାଖରେ ବସି ଖାଇବା ସଙ୍ଗେ ସଙ୍ଗେ ନିତ୍ୟାକୁ ଖୁଆଇ ଦେଇଥିଲା |ଅଳ୍ପକେ ସନ୍ତୁଷ୍ଟ ହେଉଥିବା ନିତ୍ୟାର ଅଭିମାନ ଏତିକିରେ କୁଆଡେ ମିଳେଇ ଯାଇଥିଲା | ତାର ମନେ ପଡିଲା,  ବୋଉ  କହିଥିଲା ,ଝିଅ,କ୍ରୋଧକୁ ଅକ୍ରୋଧରେ ,ଘୃଣାକୁ ପ୍ରେମରେ ଓ କୃପଣକୁ ଦାନ ଦ୍ୱାରା ସନ୍ତୁଷ୍ଟ କରିବୁ |ଆଉ ବାପା  କହିଥିଲେ,ଭଗବାନ ଚାଲିବାକୁ ରାସ୍ତା ଦେଇଛନ୍ତି,ତୋର କାମ ହେଲା,ରାସ୍ତାରୁ କଣ୍ଟା ଝଣ୍ଟା କାଢି,ରାସ୍ତା ପରିଷ୍କାର କରି ଚାଲିବା  |
                 ପ୍ରୀତିଶର ହଠାତ ରାଗିବାର ଅନେକ କାରଣ ଥିଲା |ସେ ପରିଷ୍କାର ପରିଚ୍ଛନ୍ନତାକୁ ଭଲ ପାଉଥିଲା |ତେଣୁ ଘର ଯଦି ଟିକିଏ ଅସଜଡ଼ା କିମ୍ବା ଏପଟ ଜିନିଷ ସେପଟେ ରହି ଯାଉଥିଲା,ସେ ରାଗି ଯାଉଥିଲା |ତାର ଜିନିଷ ପତ୍ର କିଏ ଘାଣ୍ଟିଲେ କିମ୍ବା ତାର ମୋବାଇଲକୁ ଆସୁଥିବା ମେସେଜ ପଢିଲେ,ସେ ରାଗୁଥିଲା |ସେ  ଦୀର୍ଘ ସମୟ ଧରି ନ ଗାଧୋଇ ଓ ନଖାଇ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ କେହି ଯଦି ତାକୁ ଡେରି ହେଲାଣି,ଶୀଘ୍ର ଗାଧୋଇ ପଡ଼ ,ଖାଇବା ବୋଲି କହି ଦେଉଥିଲା,ସେ ରାଗିଯାଇ ପ୍ରଳୟ କରି ଦେଉଥିଲା |ସେ ପାଟି କରିବା ବେଳେ ତାଙ୍କ ଆପାର୍ଟମେଣ୍ଟ କମ୍ପି ଯାଉଥିଲା |ଏଥିରେ ନିତ୍ୟାକୁ ଦୁଃଖ ସହିତ ଲାଜ ଓ ଅପମାନ ଲାଗୁଥିଲା |ସେଇ ରାଗି ପ୍ରୀତିଶ ଯେତେବେଳେ ଭଲ ମୁଡ଼ ରେ ରହୁଥିଲା,ସେତେବେଳେ ନିତ୍ୟାକୁ ଲାଗୁଥିଲା,ସେ ପୃଥିବୀର ସର୍ବଶ୍ରେଷ୍ଠ ସ୍ୱାମୀ |କିନ୍ତୁ ଦୁଇ ତିନିଦିନ ପରେ ସେ ପୁଣି ତାର ଖରାପ ମୁଡ଼୍କୁ ଚାଲି ଯାଉଥିଲା |
               ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ଖୁବ ଖୁସିରେ ପାଳନ କରିବା ପାଇଁ ନିତ୍ୟାର  ଭାରି ଇଛା ଥିଲା |ସେଥିପାଇଁ ସେ ପ୍ରୀତିଶ କୁ ନ ଜଣାଇ ବହୁତ କିଛି ପ୍ଲାନ କରିଥିଲା |ଯୋଗକୁ କୌଣସି କାରଣ ବଶତଃ ଶ୍ୱଶୁର ତା ପୂର୍ବଦିନ ତାଙ୍କ ପାଖକୁ  ଆସିଲେ |ତାଙ୍କୁ ଦେଖି ନିତ୍ୟାର ସବୁ ଯୋଜନା ଫସର ଫାଟିଗଲା |ତଥାପି ସେ ଚାହୁଁଥିଲା,ପ୍ରୀତିଶ ସେଦିନ ଛୁଟି ନେଇ ଘରେ ରହିଲେ,ସେ ତା ମନ ପସନ୍ଦର ଖାଦ୍ୟ ରାନ୍ଧି ଖୁଆଇବ |କିନ୍ତୁ ପ୍ରୀତିଶର ରାଗ ମିଞ୍ଜାସକୁ କଳ୍ପନା କରି ସେ କିଛି କହି ପାରୁ ନଥିଲା  |ଏଥିପାଇଁ ସେ ବାରମ୍ବାର ଅନ୍ୟମନସ୍କ ହୋଇ ସବୁ କାମ ଭୁଲ ଭାଲ କରି ପକାଉ ଥିଲା |ପ୍ରୀତିଶର ବିବାହ ବାର୍ଷିକୀ କଥା ଆଦୌ ମନେ ନଥିଲା |ନିତ୍ୟାର ପରିବର୍ତ୍ତିତ ସ୍ଵଭାବକୁ ଦେଖି ସେ ଭାବୁଥିଲା,ଅସମୟରେ ବାପା ଆସିଥିବାରୁ ନିତ୍ୟା ବୋଧେ ଅଶାନ୍ତି ହେଉଛି |ସେ ଯେତେ ଯେତେ ସେକଥା ଭାବିବାକୁ ଲାଗିଲା,ତାର ଅଶାନ୍ତି ସେତେ ସେତେ ଚରମ ସୀମାରେ ପହଞ୍ଚିବାକୁ  ଲାଗିଲା |ଶେଷରେ ସେ ଆଉ ସମ୍ଭାଳି ନପାରି ଯାହା ହାତରେ ପଡିଲା,ଦୁମ ଦାମ କରି ସବୁ କଚାଡ଼ି ଭାଙ୍ଗିବାକୁ ଲାଗିଲା |ଶ୍ୱଶୁର ସେଠାକୁ ଆସି ତା ହାତକୁ ଧରି ପକାଇ କହିଲେ,କାହିଁକି ଏମିତି ହେଉଛୁ,କଣ ହେଲା ?ପ୍ରୀତିଶ ଆହୁରି ରାଗି କହିଲା, ତମେ ଅଦିନିଆ ଆସିଛ ବୋଲି କେମିତି ମୁହଁ ଫଣ ଫଣ କରିଛି,ଦେଖ |ମଣିଷକୁ ମାରିଦେବ ସେ |ଶ୍ୱଶୁର ବିରକ୍ତ ହୋଇ କହିଲେ,ସେ ସେମିତିକା ନୁହେଁ |ଆଜି ବୋଧେ କିଛି ଭଲ ଦିନ ଅଛି,ସେ ତତେ କଣ କହିବ କହିବ ବୋଲି ଭାବି କହି ପାରୁନି |ଏତିକି କଥାରେ ପ୍ରୀତିଶ ର ରାଗ ଥଣ୍ଡା ହୋଇଗଲା |ସେଦିନ ତାଙ୍କର ବିବାହ ବାର୍ଷିକୀ ବୋଲି ହଠାତ ତାର ମନେ ପଡିଗଲା |କିନ୍ତୁ ସେତେବେଳେ ତାର ଆଉ କିଛି କରିବାର ନଥିଲା,କାରଣ ତାର ରାଗ ସବୁ ଖୁସିକୁ ଶେଷ କରି ଦେଇଥିଲା |ନିତ୍ୟା ରାନ୍ଧିଥିବା ସୁସ୍ୱାଦୁ ଭୋଜନ ଖାଇ ସେ ଟିକିଏ ଡେରିରେ ସେଦିନ ଅଫିସ ଯାଇଥିଲା |
                 ସେମାନଙ୍କ  ବାହାଘର ପରର  ପ୍ରଥମ ରଜ କୌଣସି କାରଣ ବଶତଃ ପାଳନ କରାଯାଇ ପାରିନଥିଲା |ତେଣୁ ପରବର୍ତ୍ତୀ ରଜ  ଗାଆଁରେ  ଜାକଜମକରେ ପାଳନ କରିବା ପାଇଁ ସ୍ଥିର ହେଲା  |ଏହା ଶୁଣି ନିତ୍ୟାର ହୃତକମ୍ପ ଜାତ ହେଲା |ସେ ଜାଣିଲା,ଯାହା ଟିକେ ତାର ଇଜ୍ଜତ ମହତ ଅଛି,ତାହା ସମସ୍ତଙ୍କ ଆଗରେ ଯିବା ଥୟ |ରଜ ମନେଇବା ପାଇଁ ଆଗରୁ ଦିନେ ଓ ପଛରୁ ଦିନେ,ଏହିପରି ପାଖାପାଖି ସପ୍ତାହେ ଛୁଟି ନେଇ ସମସ୍ତେ ଆସିଲେ |ଖୁସିରେ ଶାଶୁ ଶ୍ଵଶୁରଙ୍କ ଗୋଡ଼ ତଳେ ଲାଗୁ ନଥାଏ |ତିନି ଭାଇଙ୍କ ଭିତରେ ନିତ୍ୟା  ସବା ସାନ ବୋହୂ ଥିଲା |ତେଣୁ ନିୟମ ଅନୁସାରେ   ଚୂଲି ପାଖରେ ବସି ଦିନ ତମାମ  ରୋଷେଇ କରିବା ଦାୟିତ୍ତ୍ୱ ତା ଉପରେ ପଡିଲା |ବଡ ଯାଆ ପରିବା କଟା କାଟି ଇତ୍ୟାଦିରେ ସାହାଯ୍ୟ କରୁଥିଲେ |ମଝିଆ ଯାଆଙ୍କ ଛୋଟ ଛୁଆ ଥିଲା,ତେଣୁ ସେ ବିଶେଷ କିଛି କରି ପାରୁନଥିଲେ |ଶାଶୁ ରୋଷେଇ ସରଞ୍ଜାମ ସଂଗ୍ରହ କରିବାରେ ବ୍ୟସ୍ତ ଥିଲେ |ଖାଇବାବେଳେ ପୁରୁଷ ଲୋକଙ୍କ ସହିତ ବଡ ଯାଆଙ୍କ ଦୁଇ ପିଲା ପ୍ରଥମେ ଖାଉଥିଲେ |ସେମାନେ ଖାଇ ସାରିବାପରେ ଯେହେତୁ ଥାଳିରେ ବହୁତ ଖାଦ୍ୟ ବଳି ଯାଉଥିଲା,ଶ୍ଵଶୁରଙ୍କ ଥାଳିରେ ଶାଶୁ ,ବଡ ଦେଢ଼ଶୂର ଓ ମଝିଆ ଦେଢ଼ଶୂରଙ୍କ ଥାଳିରେ ଯଥାକ୍ରମେ ବଡ଼ଯାଆ ଓ ମଝିଆ ଯାଆ ଖାଇ ଦେଉଥିଲେ |ଥାଳି ପୋଛି ଖାଇବା ପ୍ରୀତିଶର ଅଭ୍ୟାସ ଥିଲା |ତେଣୁ ଖାଇ ସାରିବାପରେ ସେ ଥାଳି ଉଠେଇ ନେଇ ଯାଉଥିଲା |ସମସ୍ତଙ୍କୁ ଖାଇବାକୁ ଦେଇ ସାରିବା ପରେ ନିତ୍ୟା ପାଇଁ ପ୍ରାୟ କିଛି ତରକାରୀ ବଳକା ରହୁ  ନଥିଲା |ସେ କଡେଇ ପୋଛି ଭାତ ଖାଉ ଥିଲା ଓ ମନେ ମନେ ଆଈ ଗାଉଥିବା ଗୀତ ଗାଉଥିଲା,'ଗେରସ୍ତର ଅଯୋଗ୍ୟ ପଣେ,ମାଈପ ଶୋଉଛି ସନ୍ତରା ବଣେ' |ପହିଲି ରଜ ଦିନ ପ୍ରୀତିଶ ଭୋରରୁ ଉଠି ମଝିଆ ଭାଇଙ୍କ ସହ ମାଛ ଆଣିବାକୁ ଗଲା |ଫେରିଲା ବେଳକୁ ସେମାନେ ପାଖାପାଖି  ପାଞ୍ଚ କେଜି ଓଜନର ବଡ଼ ଚିଙ୍ଗୁଡ଼ି ଆଣିଥିଲେ |ଭଲରେ ତାକୁ ଛଡା ଛଡି କରି ଲୁଣ ହଳଦୀ ଗୋଳା ହେବା ପରେ ପ୍ରୀତିଶ ଘୋଷଣା କଲା,ସେ ତରକାରୀ କରିବ |ତା କଥା ଶୁଣି ଘରେ ମୃଦୁ ଗୁଞ୍ଜନ ଖେଳିଗଲା |ପ୍ରୀତିଶକୁ ରୋଷେଇରେ ସାହାଯ୍ୟ କରିବା ପାଇଁ ସମସ୍ତେ ଆଗଭର ହୋଇ ବାହାରି ଆସିଲେ |ବଡ଼ ଯାଆ ମସଲା ବାଟିଦେଲେ ,ମଝିଆ ଯାଆ ପରିବା କାଟି ଦେଲେ |ପ୍ରୀତିଶ କହିଲା,ତମେ ଆଉ ଏଇଠି ଅଯଥା ଗହଳି କର ନାହିଁ,ମୁଁ ଡାକିଲେ ଆସିବ |ରାଗି ଗେରସ୍ତର କେତେବେଳେ କଣ ଦରକାର ପଡିବ,ଏଇଆ ଭାବି ନିତ୍ୟା ରୋଷେଇ ଘରର ଗୋଟିଏ କୋଣରେ ଜାକିଜୁକି ହୋଇ ଛିଡା ହୋଇଥାଏ |କିନ୍ତୁ ତାକୁ ବି ପ୍ରୀତିଶ ସେଠାରୁ ଘଉଡ଼େଇ ଦେଲା |ତରକାରୀ କରି ସାରିବା ପରେ ପ୍ରୀତିଶ ବଡ଼ ଯାଆଙ୍କୁ ଡାକି କହିଲା,ତମେ ଏଥର ଭାତ ,ଡାଲି ଯାହା କରିବା କଥା କର.ମୁଁ ଯାଉଛି |ତିନି ଯାଆ ଗପସପ କରି ରଜର ସ୍ପେଶାଲ ଆଇଟମ ବନେଇବାରେ ଲାଗି ପଡିଲେ |ଗୋଟାଏ ପୂର୍ବରୁ ରୋଷେଇ ସରିଗଲା |ପ୍ରୀତିଶ ଫୋନ କରି କହିଲା,ସେ ଫେରିବାରେ ଡେରି ହେବ,ତାପାଇଁ ଅପେକ୍ଷା ନକରି ଯେମିତି ସମସ୍ତେ ଖାଇଦେଇଥିବେ ନହେଲେ ସେ ଆଦୌ ଖାଇବନି |ଶାଶୁ ସବୁଜ ସଂକେତ ଦେବାରୁ ଖାଇବା ଆରମ୍ଭ ହେଲା |ପ୍ରୀତିଶ ଭାଗ ମାପ ଠିକ କରି ଖୁବ ସୁସ୍ୱାଦୁ ତରକାରୀ ରାନ୍ଧିଥିଲା |ତରକାରୀର ତାରିଫ ଶୁଣି ଓ ତାର ସୁମଧୁର ବାସ୍ନାରେ ଆତୁର ହୋଇ ଯେଉଁମାନେ ପ୍ରୀତିଶ ପାଇଁ ଅପେକ୍ଷା କରିବାକୁ ଭାବିଥିଲେ,ସେମାନେ ବି ଖାଇ ବସିଲେ |ସେମାନଙ୍କ ଖାଇବାରେ ବିରାମ ନଥିଲା କି ନିତ୍ୟାର ବାଢିବାରେ ବିରାମ ନଥିଲା |ଯେତେବେଳେ ମଝିଆ ଯାଆ ଆଉ ଚିଙ୍ଗୁଡ଼ି ତରକାରୀ ନିତ୍ୟାକୁ ଦେବାକୁ କହିଲେ ଓ ନିତ୍ୟା ହାତ ଠାରି ସଙ୍କେତ ଦେଇ ଆଉ ନାହିଁ ବୋଲି କହିଲା,ସେତେବେଳେ ସମସ୍ତଙ୍କ ଚେତା ପଶିଲା |ଏତେ ଖୁସିରେ  ଚିଙ୍ଗୁଡ଼ି ଆଣି ଅତି ଯତ୍ନରେ ତରକାରୀ କରିଥିବା ପ୍ରୀତିଶ ପାଇଁ କିଛି ନାହିଁ ?ଶାଶୁ ବିରକ୍ତ ହୋଇ ନିତ୍ୟାକୁ କହିଲେ,ତୁ ଜାଣିଛୁ ପୁଅ ମୋର ଖାଇନି,ତା ପାଇଁ ଆଗତୁରା କାହିଁକି ରଖିଲୁନି ?ନିତ୍ୟା ମୁଣ୍ଡରେ ଏତିକି ବୁଦ୍ଧି ନଥିଲା,ତେଣୁ ସେ ଦୋଷୀଙ୍କ ପରି ଛିଡା ହୋଇଥିଲା |ଏହି ସମୟରେ ପ୍ରୀତିଶ ଆସି ସେମାନଙ୍କ କଥା ଶୁଣି କହିଲା,ମୋପାଇଁ ତରକାରୀ ନାହିଁ ?ପୁଣି ପଚାରିଲା,ନିତ୍ୟା ଖାଇଛି ?କେହି ଜଣେ କହିଲେ,ନାଁ ସେ ବି ଖାଇନି |ପ୍ରୀତିଶ ହସିଦେଇ କହିଲା,ଠିକ ଅଛି,ଆମେ ହାଣ୍ଡି ପୋଛି ତରକାରୀ ଖାଇଦେବୁ,ଅସୁବିଧା କଣ ଅଛି ?ତାପରେ ଆଦେଶ ଦେବା ଭଙ୍ଗୀରେ କହିଲା,ଶୀଘ୍ର ଯାହା ଅଛି ବାଢ,ଭୀଷଣ ଭୋକ କଲାଣି |କେବଳ ଚିଙ୍ଗୁଡ଼ି ତରକାରୀ ସରି ଯାଇଥିଲା |ଆଉ ସବୁ ଠିକ ଠାକ ଥିଲା ||ନିତ୍ୟା ପ୍ରୀତିଶ ପାଇଁ ବାଢ଼ୁଥିବା ବେଳେ ସେଠାକୁ  ପ୍ରୀତିଶ ଆସି କହିଲା,ଆଉ ଯାତ୍ରା ନକରି ନିଜ ପାଇଁ ବି ବାଢ |ବହୁତ ଡେରି ହେଲାଣି  |ନିତ୍ୟା ଦୁଇଜଣଙ୍କ ପାଇଁ ବାଢିବା ବେଳେ ପ୍ରୀତିଶ ଶିକାରେ ରଖିଥିବା ଏକ ବଡ଼ ଷ୍ଟିଲ କଂସା ଆଣି ଖାଇବା ଥାଳି ପାଖରେ ରଖି ତା ଘୋଡଣି ଖୋଲି ନିତ୍ୟାକୁ ଦେଖାଇଲା |ସେଥିରେ ଭର୍ତ୍ତି ହୋଇ ଚିଙ୍ଗୁଡ଼ି ତରକାରୀ ଥିଲା |ପ୍ରୀତିଶ ନିର୍ଦ୍ଦେଶରେ ନିତ୍ୟା ତାକୁ ଗରମ କରି ଆଣିଲା |ଦୁହେଁ ଖାଉଥିବା ବେଳେ ବଡ ଯାଆ ଆମିଷ ଗନ୍ଧ ବାରି ସେଠାକୁ ଆସି କହିଲେ,ଆରେ ତମେ ଏତେବଡ଼ ଛୁପା ରୁସ୍ତମ ଆମେ ଜାଣି ନଥିଲୁ |ବେକାରଟାରେ ଗାଳି ଶୁଣି ଆମ ଖାଇବା ସୁଆଦ ସବୁ ପାଣିଚିଆ  ହୋଇଗଲା !!ସେହିଦିନ ଠାରୁ ନିତ୍ୟା ଖାଇବାବେଳେ ଆଉ ଅସୁବିଧା ହେଲା ନାହିଁ କାରଣ ପ୍ରୀତିଶ ଜାଣିଶୁଣି ସମସ୍ତଙ୍କ ପଛରେ ନିତ୍ୟା ସାଙ୍ଗରେ ଖାଉଥିଲା |ତାର ଏଇ ନୂତନ ଅବତାର ସମସ୍ତଙ୍କୁ ଆମୋଦପ୍ରମୋଦର  ଖୋରାକ ଯୋଗାଇଥିବା ବେଳେ ନିତ୍ୟା ପାଇଁ ଗର୍ବ ଓ ଗୌରବର ବିଷୟ ଥିଲା |
               ମାର୍ଚ୍ଚ ମାସରେ ଲକଡାଉନ ଆରମ୍ଭ ହୋଇଗଲା |ସହଜେ ପାନରୁ ଚୂନ ଖସିଲେ,ପ୍ରୀତିଶର ଟେନ୍ସନ ବଢିଯାଏ  ,ସେଥିରେ ପୁଣି ଘରେ ଗୃହବନ୍ଦୀ ପରି ରହି ସେ ଆହୁରି ଚିଡିଚିଡ଼ା ହେଲା |ଦିନେ ସେମିତି ବିରକ୍ତ ହୋଇ ପାଟିତୁଣ୍ଡ କରୁଥିବା ବେଳେ ପଡୋଶୀ ଭଦ୍ରବ୍ୟକ୍ତି କଲିଂ ବେଲ ଚିପିଲେ |ପ୍ରୀତିଶ କବାଟ ଖୋଲିବାରୁ ସେ କହିଲେ,ଭାଇ ଏ କାଳ ଲକଡାଉନରେ ଆମେ ସମସ୍ତେ ଟେନ୍ସନରେ ଅଛୁ |କାହାରି ବାହାରକୁ ବାହାରିବାର ଉପାୟ ନାହିଁ |ଆପଣ ଯଦି ସବୁବେଳେ ଏମିତି ଗର ଗର ହେବେ ତାହେଲେ ଆମେ କୁଆଡେ ଯିବୁ ?ଲକଡାଉନ ସମୟ ତକ ଦୟାକରି ନିଜକୁ ସମ୍ଭାଳନ୍ତୁ ନହେଲେ ବାଧ୍ୟ ହୋଇ ଆମେ ମୁଣ୍ଡ ପିଟି ମରିବୁ |ତାଙ୍କ କଥା ଶୁଣି ପ୍ରୀତିଶକୁ ବହୁତ ଖରାପ ଲାଗିଲା |ସେ ଧୀରେ ଧୀରେ ନିଜକୁ ବଦଳେଇବା ପାଇଁ ଚେଷ୍ଟା କଲା |ଆଜିକାଲି ତାର ମୁଡ଼ ଖରାପ ହେଲେ ସେ ତାର ପ୍ରିୟ ପୁରୁଣାଫିଲ୍ମ ସଙ୍ଗୀତ ଶୁଣି  ନିଜକୁ ହାଲୁକା କରିବା ପାଇଁ ଚେଷ୍ଟା କରୁଛି ଓ ଅଫିସ କାମ ନଥିଲେ,ନିତ୍ୟାକୁ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରୁଛି  |ଲକଡାଉନ ପାଇଁ ଯିଏ ଯେତେ ଦୁଃଖୀ ହୁଅନ୍ତୁ ନାଁ କାହିଁକି,ନିତ୍ୟା କିନ୍ତୁ ଭାରି ଖୁସି |କାରଣ ଅଳ୍ପ ଦିନ ପାଇଁ ହେଉ ପଛକେ ଏବେ ଘରେ ତାର ଖାଲି ଶାନ୍ତି ହିଁ ଶାନ୍ତି |ମମତା ମହାନ୍ତି |
             
                   




















































































ରୋଷେଇ ପ୍ରସ୍ତୁତିରେ ଲାଗି ପଡିଲା ଓ ସମସ୍ତଙ୍କ ମିଳିତ ସହଯୋଗରେ  ଖୁବ ଶୀଘ୍ର ରୋଷେଇ ସରିଗଲା |ପ୍ରୀତିଶ ଜାଣିଶୁଣି ସମସ୍ତଙ୍କ ପଛରେ ଖାଉଥିଲା |ତେଣୁ ନିତ୍ୟା ଖାଇବାବେଳେ ମନଖୁସିରେ ଖାଇ ପାରୁଥିଲା | ତାର  ଏହି ନୂତନ ଅବତାର ନିତ୍ୟା ପାଇଁ ଅନେକ ଗର୍ବ ଓ ଗୌରବର ବିଷୟ  ଥିଲା  |

                 
               
                     

No comments:

Post a Comment