Monday, June 1, 2020

ପ୍ରଭୁକୃପା

               

                ବାସନ୍ତୀ ଯେତେବେଳେ ବାହାହୋଇ ଶାଶୁଘରକୁ ଗଲା,ସେତେବେଳେ ତାକୁ ଚଉଦ ବର୍ଷ ବୟସ ହୋଇଥିଲା |ସେ ଖୁବ ପରିଶ୍ରମୀ,ଚଞ୍ଚଳ ଓ ଖୁସିମିଜାଜ ଥିଲା |ସେଥିପାଇଁ ଶାଶୁଘରେ ତାକୁ ସମସ୍ତେ ଭାରି ଭଲ ପାଉଥିଲେ | ନଈ ପାଖରେ ତାର ଶାଶୁଘର ଥିଲା |ଯେଉଁ ଦିନ ନଈରୁ ମାଛ ଧରାହୋଇ ଆସୁଥିଲା, ସେଦିନ ମାଛର ପରିମାଣ ଦେଖି ବାସନ୍ତୀର ଆଖି ପାଉ ନଥିଲା |ସମସ୍ତଙ୍କୁ ବାଣ୍ଟି ଦେବା ପରେ ଘର ପାଇଁ ଯେତିକି ରହୁଥିଲା,ତାକୁ ଚାରିଦିନ ଲଗାତାର ଖାଇଲେ ସରିବନି |କିନ୍ତୁ ସେମାନେ ତାକୁ ଦିନକରେ ,ଅତି ବେଶୀ ହେଲେ ଦେଢ଼ ଦିନରେ ଖାଇ ଦେଉଥିଲେ |ମାଛ ବାସନ୍ତୀର ଅତି ପ୍ରିୟ ଥିଲା |ସେ ସମସ୍ତଙ୍କ ମନଜାଣି ଏମିତି ବାଗେଇ ରାନ୍ଧି ଦେଉଥିଲା ଯେ ତାଟିଆଏ ଖାଇବା ଲୋକ ଚାରି ତାଟିଆ ଖାଇ ଦେଉଥିଲେ |ଶାଶୁଘରେ ବାସନ୍ତୀ ଖୁବ ଖୁସିରେ ଥିଲା |କିନ୍ତୁ ତାର ଏତେ ସୁଖ ଦଇବ ସହିଲା ନାହିଁ |ବର୍ଷ ଦୁଇଟା ନ ପୂରୁଣୁ ସର୍ପାଘାତରେ ସ୍ୱାମୀ ତାର ଆର ପୁରକୁ ଚାଲିଗଲା | ସେଇଦିନଠାରୁ ସମସ୍ତଙ୍କ ଦୃଷ୍ଟିରେ ସେ ଅଶୁଭ ପାଲଟି ଗଲା |ଯେଉଁ ଶାଶୁ ତାକୁ ଏତେ ଗେହ୍ଲା କରି ମୁଣ୍ଡ ଉପରେ ବସେଇ ଥିଲେ,ସେ ଆଉ ତା ମୁହଁକୁ ଚାହିଁଲେ ନାହିଁ |ଯାଉଣୁ ଆସୁଣୁ ସମସ୍ତଙ୍କ ଠାରୁ ଦୂର ଦୂର ମାର ମାର ଶୁଣି ଶୁଣି ସେ ଏକ ମାଟି ପିଂଡୁଳାରେ ପରିଣତ ହୋଇଗଲା | 
              ତାପରେ ସେ ସବୁଦିନ ପାଇଁ ବାପଘରକୁ ଚାଲି ଆସିଲା |ବାପା ବୋଉ ବଞ୍ଚିଥିବା ବେଳେ ସବୁ କିଛି ଠିକ ଥିଲା |କିନ୍ତୁ ସେମାନେ ଯିବାପରେ ଭାଇ ଭାଉଜ ତାର ଶତ୍ରୁ ପାଲଟି ଗଲେ |ଘରର ଯାବତୀୟ କାମ କରିବା ସଙ୍ଗେ ସଙ୍ଗେ ସେ ପୁତୁରା ଝିଆରୀଙ୍କ ବୋଲହାକ କରୁଥିଲା |ତା  ସତ୍ତ୍ୱେ ତା ସ୍ଥିତି ଜଣେ କ୍ରୀତଦାସୀ  ଠାରୁ ମଧ୍ୟ ନ୍ୟୁନ ଥିଲା |ଏତେବଡ ଦୁନିଆଁରେ ତାର ସମସ୍ତେ ଥାଇ ମଧ୍ୟ  ମନକଥା ଖୋଲି କହିବା ପାଇଁ  କେହି ଜଣେ ବି ତାର ନିଜର ନଥିଲେ |ବିଧବା ହେବା ପରେ ଖାଦ୍ୟ ଉପରେ ତାର ଅଙ୍କୁଶ ଲାଗି ଯାଇଥିଲା |ଆମିଷ ଭୋଜନ କରିବା ଦୂରର କଥା,ପିଆଜ ରସୁଣ ମଧ୍ୟ ତାପାଇଁ ବାରଣ ଥିଲା |ପ୍ରଥମେ ପ୍ରଥମେ ଆମିଷ ରନ୍ଧା ହେବାବେଳେ ନିଜ ଅଜାଣତରେ ସେ ସେଠାକୁ ଆକର୍ଷିତ ହୋଇ ଚାଲି ଯାଉଥିଲା |ସେଥିପାଇଁ ତାକୁ ବହୁତ କଟୂ କଥା ଶୁଣିବାକୁ ପଡୁଥିଲା |କିନ୍ତୁ ବୟସ ବଢିବା ସଙ୍ଗେ ସଙ୍ଗେ ସେ ନିଜକୁ ସେଥିରୁ ନିବୃତ କରାଇ ପାରିଥିଲା |ଏମିତି ଦୁଃଖ କଷ୍ଟ ଭିତରେ ଗତି କରି ତାକୁ ପଚାଶ ବର୍ଷ ହେବା ବେଳକୁ ସେ ନିଜ ବୟସ ଠାରୁ ଦଶ/ପନ୍ଦର ବର୍ଷ ଅଧିକ ଦିଶୁଥିଲା |
             ଦିନେ ବାସନ୍ତୀ ଲକ୍ଷ୍ୟ କଲା,ତା ଡାହାଣ ବାହୁରେ ବଥଟିଏ ବାହାରିଛି |ସେଥିରେ ଛେପ ମାରି,ଗରମ ହଳଦୀ ଇତ୍ୟାଦି ମାରି ଯାହା ଯେତେ କଲେ ବି ତାହା କମିବା ପରିବର୍ତ୍ତେ ବଢିବାକୁ ଲାଗିଲା |ଆସ୍ତେ ଆସ୍ତେ ତାର ଆକୃତି ବେଲ ଫଳ ପରି ହୋଇଗଲା |ଗାଁ ଡାକ୍ତରଙ୍କୁ ଦେଖାଇବାରୁ ସେ କହିଲେ,ଏହା ଟ୍ୟୁମର ,କ୍ୟାନ୍ସର ହେବାର ଅଧିକ ସମ୍ଭାବନା ରହିଛି |ଭଲ ଡାକ୍ତରଖାନାକୁ ଯାଇ  ଗୁଡାଏ ଟେଷ୍ଟ  କରିବାପାଇଁ ସେ ଲେଖିଦେଲେ |ଭାଇ ତା ରୋଗ କଥା ଜାଣି କହିଲା,ପାଞ୍ଚ ଟଙ୍କା ଦଶ ଟଙ୍କା ନୁହେଁ,ଏଥିରେ ଲକ୍ଷ୍ ଲକ୍ଷ ଟଙ୍କା ଖର୍ଚ୍ଚ ହେବ,ମୋ ପାଖରେ ଏତେ ଟଙ୍କା ନାହିଁ |ପୁଣି କହିଲା,ଟଙ୍କା ଖର୍ଚ୍ଚ କରିବା ପରେ ରୋଗୀ ଯେ ବଞ୍ଚିବ,ତାର କିଛି ଗ୍ୟାରେଣ୍ଟି ନାହିଁ |ବାସନ୍ତୀର ବି ବଞ୍ଚିବା ପ୍ରତି ମୋହ ତୁଟି ଯାଇଥିଲା |କିନ୍ତୁ ମୃତ୍ୟୁ ପୂର୍ବରୁ ଶ୍ରୀକ୍ଷେତ୍ର ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାର ଭାରି ଇଛା ହେଲା |ତା ପାଖରେ ଯାହା ଜମା ପୁଞ୍ଜି ଥିଲା,ସବୁ ଏକାଠି କରି ଦିନେ ସେ କାହାକୁ କିଛି ନକହି ରାତି ପାହିବା ପୂର୍ବରୁ ତାର ନିତ୍ୟକର୍ମ ସାରି ଘରୁ ବାହାରି ଚାଲିଗଲା |ଅଧା ବାଟରେ ସେ ପଚାରି ପଚାରି ପୁରୀ ଅଭିମୂଖେ ଯାଉଥିବା ବସରେ ଯାଇ ପୁରୀରେ ପହଁଚିଲା |
                ବାସନ୍ତୀ ତା ଜୀବନରେ କେବେ ପୁରୀ ଆସିନଥିଲା | ବଡ଼ଦାଣ୍ଡରେ ପହଞ୍ଚିବାକ୍ଷଣି ତା ତନୁମନରେ  ଏକ ଅପୂର୍ବ   ଶିହରଣ ଖେଳିଗଲା ଓ  ସେ  ହୃଦୟରେ ଏକ ଅଜଣା  ଉନ୍ମାଦନା ଅନୁଭବ କଲା |ପାଗଳୀଙ୍କ ପରି ସେ ବଡଦାଣ୍ଡର ଧୂଳି ନିଜ ଦେହ ମୁଣ୍ଡରେ ବୋଳି ହେଲା | ସେଦିନ ଖୁବ ଭଲରେ ତାର କାଳିଆ ଦର୍ଶନ ହେଲା |ପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ସେ କହିଲା,ଢେର ହୋଇଗଲା ପ୍ରଭୁ,ଏଥର ଏଇ ପାପୀ ଜୀବନରୁ ମତେ ମୁକ୍ତି ଦିଅ,ଆଉ ସହି ପାରୁନି |ଏତେଦିନ ପରେ  ଅନ୍ତର ତଳର ବ୍ୟଥା ପ୍ରଭୁଙ୍କ ନିକଟରେ ପ୍ରକାଶ କରି ଆଖି ଦୁଇଟିରୁ ତାର ଅବିରତ ଲୁହଧାରା ଝରି ଯାଉଥିଲା |ଏମିତି କେତେ ସମୟ ସେ ସେହିପରି ବସି ରହିଥିଲା |ହଠାତ ସେ ଶୁଣି ପାରିଲା,କେହି ଯେପରି କହୁଛନ୍ତି,'ସଂସାରେ ଥିବ ଯେତେଦିନ,ଆନନ୍ଦ କରୁଥିବ ମନ ' |ସେ ଆଖି ଖୋଲି ଚାହିଁ ଦେଖିଲା,କେହି ତା ପାଖରେ ନାହାନ୍ତି |ତାକୁ ଲାଗିଲା.ସ୍ୱୟଂ ପ୍ରଭୁ ଯେମିତି ଆସି ତାକୁ କହିଗଲେ,ସଂସାରରେ ତୁ ଯେତେଦିନ ବଞ୍ଚିଛୁ,ତୋର ଯାହା ଖୁସି,ତୁ ତାହା କର |ସେ ଖୁସି ମନରେ ଠାକୁରଙ୍କୁ ଆଉଥରେ ମୁଣ୍ଡିଆ ମାରି ସେଠାରୁ ଚାଲି ଆସିଲା |ସେତେବେଳକୁ ସଞ୍ଜ ହେବା ଉପରେ |ସେମିତି ଚାଲୁ ଚାଲୁ ସନ୍ଧ୍ୟା ଯାଇ ରାତି ହେଲା |ତାକୁ ସେତେବେଳେ ପ୍ରବଳ  ଭୋକ ହେଉଥିଲା ;ସକାଳ ପହରୁ ସେ ପାଣି ଟୋପାଏ ତୁଣ୍ଡରେ ଦେଇ ନଥିଲା |କ୍ଲାନ୍ତ ହୋଇ ସେ ଏକ ଢ଼ାବା ପାଖରେ ପହଞ୍ଚି ସେଠାରେ ପଡିଥିବା ବେଞ୍ଚରେ ବସି ପଡିଲା  |ଖାଦ୍ୟ ପରଶୁ ଥିବା ପିଲାଟି ତାକୁ ଗମାତରେ କହିଲା,ମାଉସୀ,ପଖାଳ ଭାତ,ମାଛ ଭଜା ଅଛି,ଖାଇବ ?ବାସନ୍ତୀ ଦୋ ଦୋ ପାଞ୍ଚ ହେଉଥିଲା.କିନ୍ତୁ ତାର ମନେ ପଡିଗଲା,ଠାକୁର କହିଛନ୍ତି.ଯାହା ଖୁସି ,ତାହା କରିବୁ | ସବୁ ଠାକୁରଙ୍କ ଇଛା ଭାବି ସେ ଖୁସିରେ ହଁ କହି,ମନବୋଧ କରି ପଖାଳ ଭାତ, ମାଛ ଭଜା ଖାଇ  ଦୀର୍ଘ ଦିନର ଅତୃପ୍ତ ଆଶା ପୂରଣ କଲା |
                  ପିଲାଦିନୁ ବାସନ୍ତୀ ସଙ୍ଗୀତ ପ୍ରେମୀ ଥିଲା ଓ ଗୀତ ଗାଇବାକୁ ଖୁବ ଭଲ ପାଉଥିଲା |କିନ୍ତୁ ବାହାହେବା ପରେ ସେ ତାର ସଙ୍ଗୀତ ନିଶାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲା |ଏବେ ଈଶ୍ୱରଙ୍କ ପ୍ରେମରେ ନିମଜ୍ଜିତ ହୋଇ ସେ ତାର ସଙ୍ଗୀତ ଜୀବନକୁ ପୁଣି ଥରେ ଫେରି ଆସିଲା |ବଡ଼ଦାଣ୍ଡରେ ଠାକୁରଙ୍କ ଭଜନ ଗାଇବା ବେଳେ ଅନେକ ପଥଚାରୀ ତାର ସୁମଧୁର ସଙ୍ଗୀତ ଶୁଣି ତାକୁ କିଛି ପଇସା ଦେଇ ଯାଉଥିଲେ |ରାତିରେ ସେ ତାହାକୁ ଏକାଠି କରି ଆନନ୍ଦରେ ପେଟପୁରା ଭୋଜନ କରୁଥିଲା |ତା ଅଇଁଠା ଖାଦ୍ୟ ଖାଇବା ପାଇଁ ଦୁଇଟି କୁକୁର ସବୁଦିନ ଆସି ତା ପାଖରେ ପହଞ୍ଚି ଯାଉଥିଲେ |ସେମାନଙ୍କୁ ଖାଇବାକୁ ଦେବାବେଳେ ସେ ମନରେ ଅସୀମ ଆନନ୍ଦ ଅନୁଭବ କରୁଥିଲା |କ୍ରମେ ସେ ଦୁଇଜଣ ତାର ସବୁଦିନିଆ ସାଥୀ ହୋଇଗଲେ |ସେ ଯୁଆଡେ ଯାଉଥିଲା,ସେମାନେ ତାର ପଛେ ପଛେ ଯାଉଥିଲେ |ରାତିରେ ଶୋଇବାବେଳେ ସେ ଦୁଇଜଣ  ସଶସ୍ତ୍ର ପ୍ରହରୀ ପରି ତାକୁ ଜଗି ରହୁଥିଲେ |କୁକୁର ଦୁଇଟି ତାକୁ ସ୍ନେହପୂର୍ଣ୍ଣ ନୟନରେ ଚାହିଁ ରହିବା,ତା ଗୋଡ ହାତ ଚାଟି  ତା ପାଖରେ ଘଷି ହେବା ଓ ତାକୁ ଗୋଡ଼େ ଗୋଡ଼େ ଜଗି ରହିବା ତା ପାଇଁ ସ୍ୱପ୍ନ  ସଦୃଶ ଥିଲା  ଓ  ଏହା ତାକୁ ସ୍ୱର୍ଗୀୟ ସୁଖ ପ୍ରଦାନ କରୁଥିଲା | 
                   ଏମିତି ଭାବରେ ଛ' ମାସ ବିତିଗଲା |ନୂତନ ଜୀବନଯାପନ ଶୈଳୀରେ ମଜ୍ଜି ଯାଇ  ସେ ତା ରୋଗ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲା |ଦିନେ ହଠାତ ସେକଥା ତାର ମନେ ପଡିଯିବାରୁ ସେ ତାର ବଥ ଉଠିଥିବା ସ୍ଥାନକୁ ଆଉଁସିଲା |କିନ୍ତୁ ସେଠାରେ ବଥର ଚିହ୍ନ ବର୍ଣ୍ଣ ନଥିଲା |ସେ ଆଶ୍ଚର୍ଯ୍ୟ ହୋଇ ବାରମ୍ବାର ସେ ସ୍ଥାନକୁ ହାତ ମାରି ଖୋଜିଲା |ଥରେ ବାମ ହାତ ଓ ଆଉ ଥରେ ଡାହାଣ ହାତକୁ ପରୀକ୍ଷା କରି ସେ ଦୃଢ ନିଶ୍ଚିତ ହେଲା ଯେ ତା ରୋଗ ଭଲ ହୋଇ ଯାଇଛି |କିନ୍ତୁ ଏହା ସମ୍ଭବ ହେଲା କିପରି ?ଏହି ବିଷୟରେ ସେ ଯେତେ ଯେତେ  ଚିନ୍ତା କଲା,ପ୍ରଭୁଙ୍କ ଅପାର କରୁଣା କଥା ଅବଗତ ହୋଇ ସେତେ ସେତେ ଭାବବିହ୍ୱଳ ହେଲା |ତା ହୃଦୟର ଗଭୀରତମ ପ୍ରଦେଶରୁ ଏକ ସ୍ୱର ବାହାରି ଆସି କ୍ରମେ ତାହା  କୋହରେ ପରିଣତ ହୋଇଗଲା ଓ ସେ ବୁକୁ ଫଟାଇ କାନ୍ଦି କାନ୍ଦି କହିଲା,କାଳିଆ,ମୁଁ ଶୁଣିଥିଲି ତୋ ଦେଶକୁ ଆସିଲେ ଭକ୍ତର ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଯାଏ  |କିନ୍ତୁ ମତେ ତୋ ପାଖକୁ ଆଣିବା  ପାଇଁ ତୁ ଯେପରି ମିଛ ରୋଗ ତିଆରି କରି ଏଠିକି ଡାକି ଆଣିଲୁ,ମୁଁ ଅଭାଗିନୀ  କେଉଁ ଭାଷାରେ ତତେ ମୋର କୃତଜ୍ଞତା ଜଣାଇବି !!ମୋ ପରି ପାପୀ ମଣିଷ ପାଇଁ ତୋର ଏଇ କୃପା ମୋର କେଉଁ ଜନ୍ମର ପୁଣ୍ୟର ଫଳ ମୁଁ ଚିନ୍ତା ସୁଦ୍ଧା କରି ପାରୁନି | ତତେ ଦେବାପାଇଁ  ମୋ ପାଖରେ ଲୁହ ଛଡ଼ା ଆଉ କିଛି ନାହିଁ  |ଖାଲି ଏତିକି ଦୟା କର,ପର ଜନ୍ମରେ କୀଟ ପତଙ୍ଗ ରୂପେ ଜନ୍ମ ନେଲେ ବି ମତେ ତୋରି ପାଖରେ ରଖିବୁ ;ମୁଁ ତତେ ଚାହିଁ ଚାହିଁ,ତୋରି ପାଖରେ ଘୁରି ବୁଲୁଥିବି !!!ମମତା ମହାନ୍ତି |
            

No comments:

Post a Comment