Saturday, May 23, 2020

ବାପଘର

ଵାପଘର
--------
ନଣନ୍ଦ ଭାଉଜଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ।ଦୁହେଁ ଦୁହିଁଙ୍କୁ ପ୍ରାଣଭରି ଭଲ ପାଆନ୍ତି । ଶାଢ଼ୀ ହେଉ ବା ଡ୍ରେସ ହେଉ ବା ଯେ କୌଣସି ସୌକିନ ଜିନିଷ ହେଉ ନଣନ୍ଦ ନିଜ ପାଇଁ କିଣିଲେ ଭାଉଜ ପାଇଁ କିଣିବା ଟା ନିଶ୍ଚିତ ।ଭାଉଜ ମଧ୍ୟ ସେଇଆ କରେ ।ଉଭୟଙ୍କ ଗୋଟିଏ ଲେଖାଏଁ ପୁଅ ।ଦୁହେଁ ଭୁବନେଶ୍ବରରେ ରହନ୍ତି ।ନଣନ୍ଦ ଘର ନୟାପଲ୍ଲୀ ରେ ଓ ଭାଇ ଭାଉଜଙ୍କ ଘର ଶୈଳଶ୍ରୀବିହାରରେ ।ରବିବାର ହେଲେ ଭାଉଜ ନଣନ୍ଦ ଘରକୁ ବୁଲି ଆସେ ।ନଣନ୍ଦ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ରାନ୍ଧେ ।ସମସ୍ତେ ଏକାଠି ଖାଆନ୍ତି ।ନଣନ୍ଦ ଯେତେବେଳେ ଯେଉଁ ସ୍ଥାନକୁ ବୁଲିବାକୁ ଯାଏ, ତା ସାଙ୍ଗରେ ଭାଉଜକୁ ନିଏ ।ଭାଉଜ କହେ ନଣନ୍ଦ ମୋର ନିଶ୍ୱାସ ଆଉ ନଣନ୍ଦ କହେ ଭାଉଜ ମୋର ପୂର୍ଵ ଜନ୍ମର ଭଉଣୀ ।
ସେଥର ରଜ ପର୍ବ ସମସ୍ତେ ଏକାଠି ଧୁମ୍ ଧାମ ରେ ପାଳିବାକୁ ମନସ୍ଥ କଲେ ।
ଭାଉଜଙ୍କ ଏକାନ୍ତ ଅନୁରୋଧରେ ନଣନ୍ଦ ପୁଅକୁ ନେଇ ଭାଇ ଭାଉଜଙ୍କ ଘରେ ରଜ ମନେଇବାକୁ ଆସିଲା ।ଦୁହିଁଙ୍କର ସାଙ୍ଗ ସାଥୀ ଏକଜୁଟ ହୋଇ ଅନେକ ମଉଜ କଲେ ।ରଜ ଦ୍ବିତୀୟ ଦିନ ଅଳ୍ପ ଅଳ୍ପ ବର୍ଷା ହେଉଥାଏ ।ଦୁହେଁ ମିଶି ପକୁଡ଼ି ଛାଣିଲେ ।ପକୁଡ଼ି ଖାଉ ଖାଉ ନଣନ୍ଦ କହିଲା,ଭାଉଜ ,ମୋ ପୁଅ ମତେ ସବୁବେଳେ କହେ,ମାମୁଁଘର ଲୋକ ସମସ୍ତେ ଭଲ, ଡାଡିଙ୍କ ଘର ଲୋକ କେହି ଭଲ ନୁହନ୍ତି ।କଥା ଶେଷ କରି ସେ ମୁରୁକି ହସି ଭାଉଜ ମୁଁହକୁ ଚାହିଁଲା ।ଭାଉଜ ସେମିତି ମୁରୁକି ହସି କହିଲା, କାହିଁକି ସେକଥା କହୁଛ ।ମୋ ପୁଅ ପରା ମତେ ସବୁବେଳେ କହେ,ଚାଲ ଆମେ ମାମୁଁ ଘରେ ରହିବା, ଜେଜେ ଜେଜେମା ଙ୍କ ଘର ଲୋକ କେହି ଭଲ ନୁହନ୍ତି ।କଥା ଶେଷ କରି ସେ ଜିଭ କାମୁଡ଼ି ପକାଇଲା ।ଦୁହେଁ ଦୁହିଙ୍କ ମୁହଁକୁ କିଛି ସମୟ ନିର୍ବାକ ହୋଇ ଚାହିଁ ରହିଲେ ।ତାପରେ ନଣନ୍ଦ କିଛି ନକହି ନିଜ ଘରକୁ ଚାଲି ଆସିଲା |ସେ ହୃଦୟଙ୍ଗମ କରୁଥିଲା ,ଶାଶୁଘରେ ଅଖଣ୍ଡ ସୁଖ ସୌଭାଗ୍ୟ ପ୍ରାପ୍ତ ହେଲେବି, ଜଣେ ନାରୀ ପାଇଁ ସବୁବେଳେ ବାପଘର ହିଁ ସର୍ବଶ୍ରେଷ୍ଠ ହୋଇଥାଏ |ମମତା ମହାନ୍ତି |

No comments:

Post a Comment