Wednesday, May 20, 2020

ପସନ୍ଦ

ପସନ୍ଦ 
-------
ସୀମା ବାହାଘର ଚୂଡ଼ାନ୍ତ ପର୍ଯ୍ୟାୟ ରେ ପହଂଚି ଥିଲା ।ପୁଅ ଇଂଜିନିୟରିଂ ପରେ ଏମ.ବି.ଏ.କରି ଏକ ବଡ଼ କମ୍ପାନୀରେ ଚାକିରୀ କରୁଥିଲା  ।ଦେଖିବାକୁ ସୁନ୍ଦର ।ସୀମା ମଧ୍ୟ ଅତ୍ୟନ୍ତ ସୁନ୍ଦରୀ ।ଇଂଜିନିୟରିଂ ପରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରୁଥିଲା  ।ତାର ଏକ ସର୍ତ୍ତ ଥିଲା, ଯେ ବିବାହ ଫାଇନାଲ ହେବା ପୂର୍ବରୁ ସେ ପୁଅ ସହିତ ପଦେ କଥା ହେବ ।ତାହାହିଁ ହେଲା ।ଦୁହିଁଙ୍କୁ ସୁବିଧା ହେବା ପରି ସ୍ଥାନ ଓ ସମୟ ନିରୂପଣ କରାଗଲା ।ପୁଅ ସୁବ୍ରତ ଆସିବା ପରେ ସୀମା ପଚାରିଲା,ଆପଣଙ୍କର ମତେ କିଛି ପଚାରିବାର ଅଛି ?ସୁବ୍ରତ କହିଲା,ନାଁ ।ଆପଣଙ୍କର ଯାହା ପଚାରିବା କଥା ପଚାରନ୍ତୁ ।ସୀମା କହିଲା,ଆପଣ ମଦ ପିଅନ୍ତି ?ସୁବ୍ରତ ସାବଲୀଳ କଣ୍ଠରେ ଉତ୍ତର ଦେଲା,ହଁ ।ତେବେ ସବୁବେଳେ ନୁହେଁ ।କେବେ କେମିତି ପାର୍ଟିରେ ଗୋଟେ ପେଗ୍ ପିଇ ଦିଏ ।ସୁବ୍ରତର  ଉତ୍ତର ଶୁଣି ସୀମାର ମୁଣ୍ଡ ଗରମ ହୋଇଗଲା ।ସେ ଏକ୍ସକ୍ୟୁଜ୍ ମି କହି ସେଠାରୁ ଉଠି ଚାଲି ଆସିଲା ।ସେ ମଦ୍ୟପାନ ତଥା ମଦୁଆମାନଙ୍କୁ ଅତ୍ୟନ୍ତ ଘୃଣା କରୁଥିଲା ।ପୁଅ ବିଷୟରେ କିଛି ନବୁଝି ବାହାଘର ଠିକ୍ କରିଥିବାରୁ ବାବା ମାଆଙ୍କ ଉପରେ ଭୀଷଣ ବିରକ୍ତ ହେଲା ।ସେ ବାହାଘର ଭାଙ୍ଗିଗଲା ।
ତାପରେ ସୀମାର ମନକୁ ପାଇବା ପରି ଏକ ପ୍ରସ୍ତାବ ଚୂଡ଼ାନ୍ତ ହେଲା ।ସେ ମଦ ସିଗାରେଟ ଦୂରର କଥା, ଚା କଫି ମଧ୍ୟ ପିଉ ନଥିଲା ଓ ସଂପୂର୍ଣ୍ଣ ନିରାମିଷାସି ଥିଲା ।ଏଇ ବାହାଘରରେ ସୀମା ବହୁତ ଖୁସି ଥିଲା ।ତାକୁ ଲାଗୁଥିଲା ସତେକି ଆକାଶର ଚାନ୍ଦ ତା ହାତରେ ଖସି ପଡ଼ିଛି ।କିନ୍ତୁ ବାହାଘର ପରେ ତାର ସବୁ ଆନନ୍ଦରେ ଭଟ୍ଟା ପଡ଼ିଗଲା ।ସ୍ୱାମୀ ପିୟୁଷ ଅତ୍ୟନ୍ତ କ୍ଷଣକୋପି ଓ ସନ୍ଦେହୀ ଥିଲେ ।ରାଗିଗଲେ ସେ ତା ଉପରକୁ ହାତ ଉଠାଇ ଦେଉଥିଲେ ।ଅଫିସର କୌଣସି ପୁରୁଷ ସହକର୍ମୀ  ତା ସହିତ କଥା ହେଲେ ସେ ଆଦୌ ବରଦାସ୍ତ କରିପାରୁ ନଥିଲେ ।କ୍ରମେ ପିୟୁଷଙ୍କ ସହ ତାର ବୈବାହିକ ଜୀବନ ନର୍କରେ ପରିଣତ ହୋଇଗଲା ।ବର୍ଷ ଦୁଇଟା ରେ ପରସ୍ପରଙ୍କ  ସହମତିରେ ଦୁହିଁଙ୍କର ଛାଡପତ୍ର ହୋଇଗଲା ।
ଆଜି ଫେସବୁକ ରେ ସୁବ୍ରତ ସହ ତାର ସ୍ତ୍ରୀ ଓ ପୁଅକୁ ଦେଖି ସେ କ୍ଷଣକ ପାଇଁ ଅଟକି ଗଲା ।ତା ସ୍ତ୍ରୀ ଏକ ମଡେଲ ପରି ଦିଶୁଥିଲା ।ଦିନେ ସେ ତାର ସରଳ ସ୍ଵୀକାରୋକ୍ତି  କୁ ଚରିତ୍ରହୀନତା ର ଆଖ୍ୟା ଦେଇ ସେ ଆଡେ଼ଇ ଦେଇଥିଲା,ଅଥଚ ଯାହାଙ୍କୁ  ଦେବତା ଭାବି ବିବାହ କରିଥିଲା, ସେ ତା ପାଇଁ ଦାନଵ ପାଲଟି ଯାଇଥିଲେ ।ସେ ହୃଦୟଙ୍ଗମ କରୁଥିଲା, ମଦ୍ୟପାନ କରିବା ନକରିବା କିମ୍ବା ନିରାମିଷ।ସି ହେବା ନହେବା ଉପରେ କେବେହେଲେ ମଣିଷର ଚରିତ୍ର ଓ ସ୍ଵଭାଵ  ନିର୍ଭର କରେନାହିଁ ।ମମତା ମହାନ୍ତି |

No comments:

Post a Comment