ଦିବ୍ୟାଶା ଓ ତା ସାଙ୍ଗମାନଙ୍କ କଥା ଭାବି ରାତି ସାରା ଅନସୂୟାଙ୍କ ଆଖିରେ ନିଦ ନଥିଲା |ରାତ୍ରୀକାଳୀନ ଦୀର୍ଘ ଟ୍ରେନ ଯାତ୍ରା,ସେଥିରେ ପୁଣି ଚାରିଜଣଯାକ ଝିଅ;ଆଜିକାଲି ଯୁଗ ଯାହା ହେଲାଣି , କାହାକୁ ବିଶ୍ୱାସ ନାହିଁ |ଏବେ ପୁଣି ଯେଉଁ କଦର୍ଯ୍ୟ ସମାଚାରମାନ ଶୁଣିବାକୁ ମିଳୁଛି,ମୁଣ୍ଡ ପିଟି ମରି ଯିବାକୁ ଇଛା ହେଉଛି |ଛାଡ଼,ଯାହା ଠାକୁରଙ୍କ ଇଛା;ରଖିଲେ ରଖିବେ,ମାରିଲେ,ମାରିବେ |ଏମିତି ଭାବୁ ଭାବୁ ତାଙ୍କ ଆଖି କାନ୍ଥ ଘଣ୍ଟା ଉପରେ ପଡିଗଲା |ଚାରିଟା ବାଜିବାକୁ ଯାଉଥିଲା |ଏତେବେଳେ ଆଉ କଣ ଶୋଇବି ଭାବି ସେ ଉଠି ପଡି ତାଙ୍କ ଦୈନନ୍ଦିନ କାମରେ ଲାଗି ପଡିଲେ |
ଘରକାମ କରିବା ପାଇଁ ଅନସୂୟା କାମବାଲୀ ରଖିନାହାନ୍ତି |କାରଣ ସେମାନଙ୍କ ସାଙ୍ଗେ ଗେଜେ ଗେଜେ ହୋଇ, ଅଯଥା ହୁଇସିଲ ମାରି ଟେନ୍ସନ ଆଣିବାକୁ ତାଙ୍କର ଇଛା ନାହିଁ |ଏମିତି ତ ପାନରୁ ଚୁନ ଖସିଲେ,ତାଙ୍କର ଟେନ୍ସନ ବଢିଯାଏ ;ସେଥିରେ ପୁଣି କାମବାଲୀ ମାନଙ୍କର ଦୌରାତ୍ମ୍ୟ ଦେଖି,ଶୁଣି ଓ ଅଙ୍ଗେ ନିଭେଇ ସେ ସେମାନଙ୍କୁ ବାଏ ବାଏ କରିଦେଇଛନ୍ତି |ଆଦିକନ୍ଦଙ୍କ ସାନଭାଇ ପିଲାମାନଙ୍କ ସହ ଗାଆଁରେ ରହନ୍ତି | ନିଜେ ବି ବାହାଘରର ପ୍ରଥମ ଦୁଇବର୍ଷ ଗାଆଁରେ ଥିଲେ |କିନ୍ତୁ ଅଫିସର କାମ ପ୍ରେସର ସହିତ ହୋଟେଲ ଜଳଖିଆ ଖାଇ ଆଦିକନ୍ଦଙ୍କ ଦେହ ବାରମ୍ବାର ଅସୁସ୍ଥ ହେବାରୁ,ବାଧ୍ୟ ହୋଇ ତାଙ୍କୁ ଭୁବନେଶ୍ୱର ଆସିବାକୁ ପଡିଲା |ଗାଆଁରୁ ଆସିଲାବେଳେ ଶାଶୁ କହିଥିଲେ,ଗାଆଁକୁ ଭୁଲିବୁନି;ସେ ତୋ ସ୍ୱାମୀର ଜନ୍ମ ଭୂଇଁ |ଯେତେବେଳେ ନୂଆ ଘର କରିବାକୁ ଇଛା ହେବ,ସେତେବେଳେ ଗାଆଁରେ ହିଁ ଘର କରିବୁ |ମୁଣ୍ଡ ଟୁଙ୍ଗାରି ତାଙ୍କ କଥାରେ ସେ ହଁ ଭରିଥିଲେ |ଆଜି ଶାଶୁ ନାହାନ୍ତି;ଶ୍ୱଶୁର ବି ଅନେକ ଦିନରୁ ଚାଲିଗଲେଣି |ଯେତେବେଳେ ଆଦିକନ୍ଦ ଭୁବନେଶ୍ୱରରେ ଘର କରିବା କଥା କହନ୍ତି,ସେତେବେଳେ ଶାଶୁଙ୍କ କଥା ତାଙ୍କର ମନେ ପଡ଼ିଯାଏ |ସେ କହନ୍ତି,ଆଜିକାଲି ସବୁ ଗାଁ ସହର ପରି ବିକଶିତ ହେଲାଣି,ସହରରେ ଘର କରି,ପର ଲୋକଙ୍କ ମେଳରେ ରହିବା ଅପେକ୍ଷା,ନିଜ ଲୋକଙ୍କ ପାଖରେ ଗାଆଁରେ ରହିବା ,ଶତଗୁଣେ ଶ୍ରେୟସ୍କର | ଅନିଷ ର ଜନ୍ମ ଏଇ ଭୁବନେଶ୍ୱରରେ ହୋଇଥିଲା |ଶାଶୁ ଶ୍ଵଶୁର ବଞ୍ଚିଥିବା ବେଳେ, ନିୟମିତ ସମୟ ବ୍ୟବଧାନରେ ସେ ଗାଆଁକୁ ଯାଉଥିଲେ,ସମସ୍ତେ ମିଶି ସେଠାରେ ବହୁତ ମଜା କରୁଥିଲେ |କିନ୍ତୁ ସମୟ ଚକ୍ରରେ ଶାଶୁ,ଶ୍ୱଶୁର ଚାଲିଗଲେ;ଅଫିସରେ ଆଦିକନ୍ଦଙ୍କ କାମ ପ୍ରେସର ବଢିବା ସଙ୍ଗେ ସଙ୍ଗେ ଅନିଷ ର ପାଠ ପଢା ପ୍ରେସର ମଧ୍ୟ ବଢିବାକୁ ଲାଗିଲା |ଏବେ କେତେବେଳେ କେମିତି ଦରକାର ପଡିଲେ,ଗାଆଁକୁ ଯାଉଛନ୍ତି |ବର୍ତ୍ତମାନ ଯେଉଁ ପଡୋଶୀ ଇତ୍ୟାଦି ମାନଙ୍କ ପାଖରେ ସେ ଅଛନ୍ତି,ସେମାନେ ତାଙ୍କର ନିଜର ନୁହନ୍ତି,କିନ୍ତୁ ଯେଉଁମାନେ ତାଙ୍କର ଅତି ନିଜର ସେ ସେମାନଙ୍କ ପାଖରେ ନାହାନ୍ତି !
ଆଠଟା ବାଜିବା ବେଳକୁ ତାଙ୍କର ସବୁ କାମ ସରି ଯାଇଥିଲା |ରବିବାର ବୋଲି ଉଭୟ ବାପା ପୁଅ ଶୋଇଛନ୍ତି |ଦିବ୍ୟାଶା ସାଢେ ଦଶଟାରେ ପହଞ୍ଚିବା ପାଇଁ ,ଆହୁରି ଅଢେଇ ଘଣ୍ଟା ବାକି ଅଛି |ତାଙ୍କୁ ଭାରି ବ୍ୟସ୍ତ ଲାଗୁଥିଲା |ସେ ବାହାରକୁ ଆସି ନିଜ ହାତରେ ଲଗାଇଥିବା ଫୁଲ ଗଛ ଗୁଡିକୁ ନିରୀକ୍ଷଣ କରିବାକୁ ଲାଗିଲେ |ଅନିଷ ପରି ଏଇ ଫୁଲଗଛ ଗୁଡିକ ମଧ୍ୟ ତାଙ୍କର ଅତି ପ୍ରିୟ |ତାଙ୍କ ବିନାନୁମତିରେ କେହି ଫୁଲ ଛିଣ୍ଡେଇ ନେବାକୁ ସେ ଆଦୌ ସହି ପାରନ୍ତି ନାହିଁ |ଏଇ ସମୟରେ ପଡୋଶୀ ଘରର ମିତା ମାଡାମ ଦେଖାହେଲେ |ତାଙ୍କର ଦୁଇ ପୁଅ |ଜଣେ ଚାକିରୀ କଲାଣି,ଆଉ ଜଣେ ପଢୁଛି |କହିଲେ,ଆପଣଙ୍କ ଘରକୁ ସେଦିନ ଯେଉଁ ଝିଅ ଦୁଇଜଣ ଆସିଥିଲେ,ସେମାନେ କଣ ଆପଣଙ୍କ ରିଲେଟିଭ ?ଅନସୂୟା ମନେ ମନେ ବିରକ୍ତ ହୋଇଗଲେ |ସେ ଜାଣିଲେ,ଏଇଠି ମିଛ ନକହିଲେ,ଆଉ ରକ୍ଷା ନାହିଁ | କହିଲେ,କାହିଁକି କଣ ହେଲା କି ?ମିତା ମାଡାମ କହିଲେ,ନାଇଁ ଏମିତି ପଚାରୁଥିଲି |ଅନସୂୟା କହିଲେ,ଜଣେ ମୋ ଝିଆରୀ ,ଆଉ ଜଣେ ତା ସାଙ୍ଗ |ମିତା ପୁଣି ପଚାରିଲେ ,ସେଇ ଯେଉଁ ପାତଳୀ ମଡେଲ ପରି ଚେହେରା ,ସିଏ ଆପଣଙ୍କ ଝିଆରୀ ?ଅନସୂୟା କହିଲେ,ନାଁ ,ସେ ମୋ ଝିଆରୀର ସାଙ୍ଗ |
:ସିଏ ବି କଣ କରଣ ?କଣ ପଢୁଛନ୍ତି ?କେଉଁଠି ରହନ୍ତି ??:
:ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି ,ଆପଣ ମତେ ଖାଲି କୁହନ୍ତୁ,କଣ ପାଇଁ ଏତେ ଡିଟେଲସ ପଚାରୁଛନ୍ତି ?ଅନସୂୟା ପଚାରିଲେ |
ମିତା କହିଲେ,ମୋ ଭାଇର ପୁଅ ପାଇଁ,ଏମିତିକା ଝିଅଟିଏ ଦରକାର|ଆପଣ ରାଜି ହେଲେ,ପ୍ରସ୍ତାବ ପକାନ୍ତି |ଅନସୂୟା କହିଲେ,ତାର ବୟସ ବହୁତ କମ,ଏହି ବର୍ଷ ଇଞ୍ଜିନିଅରିଂ ଆରମ୍ଭ କଲା | ସେ କାମ ନୁହଁ |ଏକଥା କହି,ସେ କାମର ବାହାନା କରି ,ଭିତରକୁ ଚାଲି ଆସି ମନକୁ ମନ ଗୁଣୁ ଗୁଣୁ ହୋଇ କହିଲେ,ଝିଅ ନାହିଁ,ଦୁଇପୁଅ ବୋଲି କେତେ ଗର୍ବ,ଅଥଚ,ସୁନ୍ଦର ଝିଅଟିଏ ଦେଖିଲେ,ଛଞ୍ଚାଣ ପରି ମାଡି ଆସୁଛନ୍ତି |
ଆଦିକନ୍ଦ ଉଠି,ତାଙ୍କ ନିତ୍ୟକର୍ମ ସାରି ମାର୍କେଟ ଚାଲିଗଲେ |ସାଢେ ଦଶଟା ଯାଇ ଏଗାରଟା ବାଜିବାକୁ ହେଲା,କିନ୍ତୁ ଦିବ୍ୟାଶାର କିଛି ଫୋନ ଆସୁ ନଥିଲା |ସେ ତାକୁ ଫୋନ କରିବାକୁ ଯିବାବେଳେ ଦିବ୍ୟାଶାର ଫୋନ ଆସିଲା |ସେ କହିଲା,ଆଣ୍ଟି ଜୁହାର,ଆମେ ଏଇନା ପହଞ୍ଚିଲୁ |ଅଟୋରେ ଘରକୁ ଯାଉଛୁ |ଅନସୂୟା ପଚାରିଲେ,ରାତିରେ କିଛି ଅସୁବିଧା ହୋଇନି ତ ?ସକାଳେ କଣ ଖାଇଲ ?ଦିବ୍ୟାଶା ହସି ହସି କହିଲା,ଆଣ୍ଟି,ଆପଣ ଯାହା ଦେଇଥିଲେ,ଏତେ ବଢିଆ ଲାଗିଲା ଯେ,ଖାଉ ଖାଉ ସବୁ ଖାଇଦେଲୁ ;ସେଇଟା ଆମର ଡିନର ହୋଇଗଲା |ମାଉସୀ ଯାହା ଡିନର ପାଇଁ ଦେଇଥିଲେ,ତାକୁ ଆଜି ସକାଳେ ଖାଇଲୁ |ଶୀତଦିନ କିଛି ଖରାପ ହୋଇ ନଥିଲା |ତାଙ୍କ କଥା ଶୁଣି ଅନସୂୟା ବି ହସି ପକାଇଲେ;ପଛକୁ ଚାହିଁ ଦେଖିଲେ,ଅନିଷ ହସୁଛି |ସେ ଫୋନ ବନ୍ଦକରିବା ପରେ ଅନିଷ କହିଲା,ଦେଖିଲ ମମି,ମୁଁ ଯାହା କହୁଥିଲି ସତ ହେଲା କି ନାହିଁ ??(କ୍ରମଶଃ)
No comments:
Post a Comment