Tuesday, December 29, 2020

ଅନନ୍ୟା (ଭାଗ 15)

                          ଆଦିକନ୍ଦଙ୍କ କଟୂ ବାକ୍ୟ ଶୁଣି ଅନସୂୟା ମନ ଦୁଃଖରେ ଭରିଗଲା  ଓ ପ୍ରତିଥର ପରି ସେ ବାହାରକୁ ଆସି ତାଙ୍କ ପ୍ରିୟ ଫୁଲ ଗଛ ଗୁଡିକୁ ସ୍ପର୍ଶ କରି ମନେ ମନେ ସେମାନଙ୍କୁ ତାଙ୍କ ହୃଦୟର କଥା କହିବାକୁ ଲାଗିଲେ |ଏହି ସମୟରେ ଅନିଷ ଆସି ତାଙ୍କ ପାଖରେ ପହଞ୍ଚି କହିଲା,ମମି,ତମେ ଏଇଠି ?ମୁଁ ତମକୁ କେତେ ଖୋଜି ସାରିଲିଣି |ଆସିଲ ଶୀଘ୍ର,ଖାଇବାକୁ ଦେବ,ମତେ ଭାରି ଭୋକ କଲାଣି |ଅନସୂୟା କହିଲେ,ଏତେ ବଡ଼ ପିଲା ହେଲୁଣି,ନିଜ ହାତରେ ଆଣି ଖାଇ ପାରୁନୁ ?ରୋଷେଇ ଘରକୁ ଯାଆ,ଯାହା ଇଛା ହେବ,ବାଢ଼ି ଆଣି ଖାଇବୁ |

                           ଅନିଷ ତାଙ୍କ କାନ୍ଧରେ ହାତ ଘୁରେଇ ଆଣି କହିଲା,ବାବା କଣ କହିଲେ ବୋଲି ତମେ ମନ ଦୁଃଖ କରୁଛ ନାଁ ?ବାବା ସବୁବେଳେ ସେମିତି କହନ୍ତି |ଅଫିସରେ ତ କାହାକୁ କିଛି କହି ପାରନ୍ତି ନାହିଁ,ସବୁ ରାଗ ଆମ ଉପରେ ଝାଡ଼ନ୍ତି |ଆସ ଆସ,ନିଜ ହାତରେ  ବାଢ଼ି ଖାଇଲେ,ମତେ ଖାଇବା ବିଷ ପରି ଲାଗେ  |ଆସ ବା !ତମେ ମୁହଁ ଶୁଖେଇଲେ,ତମ ମୁହଁ ଜମା ଭଲ ଦିଶେନା  |ଅନିଷ ତାଙ୍କୁ ଏକରକମ ଭିତରକୁ ଭିଡି  ନେଇଗଲା |

                             ଅନସୂୟାଙ୍କ ସବୁ ଦୁଃଖ  କୁଆଡେ ମିଳେଇ ଗଲା |ସେ ଅନିଷ କୁ ଖାଇବାକୁ ଦେଇ,ମଧ୍ୟାନ୍ନ ଭୋଜନ ପ୍ରସ୍ତୁତିରେ ଲାଗି ପଡିଲେ |ଲଞ୍ଚ ଖାଇ ସାରିବା ପରେ ଅନିଷ ଗଡ଼ପଡ଼ ହେଉ ହେଉ ଶୋଇ ପଡିଲା  ଓ ଏପଟେ ଆଦିକନ୍ଦ ମଧ୍ୟ ଶୋଇ ପଡିଲେ |ସେତେବେଳେ ଅନସୂୟା ଗେଟରେ ଚାବି ପକେଇ ମିତା ମାଡାମଙ୍କ ଘରକୁ ଗଲେ |

                                ତାଙ୍କୁ ଦେଖି ମିତା ମାଡାମ କୋଟିନିଧି ପାଇବା ପରି ହେଲେ |ଅନସୂୟାଙ୍କୁ ଲାଗିଲା,ସତେ ଯେମିତି ସେ ତାଙ୍କୁ ଅପେକ୍ଷା କରି ବସିଥିଲେ |କହିଲେ,ଆଜି ଘରେ ମୁଁ ଏକୁଟିଆ ଅଛି,ମନଖୋଲି  କଥା ହୋଇ ପାରିବା |ଏଣୁ ତେଣୁ ଅନେକ ଗପୁ ଗପୁ ଅନସୂୟା କହିଲେ,ଶୁଣିଲି,ପୁଅ ବାହାଘର ଠିକ ହୋଇ ଯାଇଛି |ତାଙ୍କ କଥା ଶୁଣି ଖୁସିରେ ଗଦ ଗଦ ହୋଇ ମିତା କହିଲେ,ହଁ ,ଠିକ ଶୁଣିଛନ୍ତି'ଦେଖିଲେଣି,ଅସଲ କଥା କହିବାକୁ ମୁଁ ଭୁଲି ଯାଇଛି  |ଝିଅଟି  ଗତବର୍ଷ ବି.ଟେକ କରିବା ପରେ ପୁନେରେ ଚାକିରୀ କରୁଛି |ଏହା କହି ସେ ଝିଅର ଫଟ ଦେଖାଇଲେ |ଫଟ ଦେଖୁ ଦେଖୁ ଅନସୂୟା କହିଲେ,ଝିଅଟି ଗୋଟିଏ ଚାଉଳରେ ଗଢା ,ଅପୂର୍ବ ସୁନ୍ଦରୀ,ଏକା ସାଙ୍ଗରେ ଲକ୍ଷ୍ମୀ ସରସ୍ୱତୀଙ୍କ ମିଳନ !ବହୁତ ବଢିଆ ,ପୁଅର ପସନ୍ଦ ନାଁ ଆପଣଙ୍କ ପସନ୍ଦ ??

                                ତାଙ୍କ କଥା ଶୁଣୁ ଶୁଣୁ ମିତାଙ୍କ ମୁଖମଣ୍ଡଳର ରେଖା କୁଞ୍ଚିତ ହୋଇଗଲା |ଏ ପ୍ରକାର ପ୍ରଶ୍ନ ଅନସୂୟାଙ୍କ ଠାରୁ ଶୁଣିବାକୁ ସେ ବୋଧହୁଏ ଆଶା କରିନଥିଲେ |ସେ କହିଲେ,ପାଠ ପଢା ମଝିରେ ମତେ ଲଫଡା କଥା ଭଲ ଲାଗେନା |ଘର କଥା କଣ କହିବି ଭଉଣୀ,ଇଞ୍ଜିନିଅରିଂ ପଢିବା ବେଳେ ପୁଅ ଗୋଟିଏ ଝିଅକୁ ଧରି ଆମ ଘରକୁ ଆସୁଥିଲା |ପ୍ରଥମେ ତ ତା ସାଙ୍ଗ କହି ମତେ ଫାଙ୍କି  ଦେଉଥିଲା;ପରେ ଯେତେବେଳେ ଜାଣିଲି,ତା ସାଙ୍ଗେ ଚକ୍କର ଚାଲିଛି,ମୋ ବ୍ରହ୍ମ ଜଳିଲା |ଦିନେ ମୁଁ ସେ ଝିଅ ଆଗରେ ତାକୁ ଯାଚ୍ଛାତା ଶୋଧିଗଲି  ଆଉ ତାକୁ ସଫା ସଫା କହିଦେଲି,ଯାହା କରୁଛୁ କର,ବୋହୂ ହେବ,ମୋ ପସନ୍ଦରେ |ପୁଅ ମୋର ଏତେ ରାଗ କେବେ ଦେଖି ନଥିଲା |ସେମିତି ଚୁପ ଚାପ ଛିଡା ହୋଇ ମୋର ସବୁକଥା ଶୁଣିଲା,କିଛି କହିଲାନି  |ସେଇ ଦିନଠାରୁ ମୁଣ୍ଡ ଉଠାଇ ସେ କାହାକୁ ଚାହିଁନି ;ତାର ବହି ଭଲ କି ସେ ଭଲ | ଏଇ ଧନ୍ଦାରେ ପଶି,କେତେ ପିଲାଙ୍କ ଜୀବନ ନଷ୍ଟ ହୋଇ ଯାଇଛି |ଆପଣ କହିଲେ,ମାଆ ହୋଇ ମୁଁ କଣ କେବେ ସେକଥା ଘଟିବାକୁ  ଦେଇଥାନ୍ତି ?ତାଙ୍କର ପ୍ରତ୍ୟେକଟି କଥା ଅନସୂୟାଙ୍କ ହୃଦୟରେ କମ୍ପନ ସୃଷ୍ଟି କରୁଥିଲା |ସବୁ  ଶୁଣି ସେ କେବଳ ନୀରବରେ ମୁଣ୍ଡ ହଲାଉ ଥିଲେ |

                                  କେତେ ସମୟ ପରେ ମିତାଙ୍କ ମନେ ପଡିଗଲା,ସେ ଅନସୂୟାଙ୍କୁ ଚା' କି ସରବତ କିଛି ଦେଇ ନାହାନ୍ତି |ସେ କହିଲେ,ଦେଖିଲେ ଭଉଣୀ ,ମୋ ମୁଣ୍ଡରେ ଆଉ ବୁଦ୍ଧି ନାହିଁ,ସବୁ ସରି ଗଲାଣି |ଚା' ଫ୍ଲାସ୍କରେ ରଖିଛି,ଆପଣଙ୍କୁ ଦେବାକୁ ମନେ ନାହିଁ |ଅନସୂୟା ତାଙ୍କ ହାତ ଧରି ପକେଇ କହିଲେ,ଥାଉ,ଏବେ ତ ଖିଆ ହୋଇଛି,ଆଉ ଟିକେ ଯାଉ |'ଉହୁଁ!ଏ କେମିତି କଥା' କହି ମିତା ଭିତରକୁ ଚାଲିଗଲେ |ଅନସୂୟା ପୁଣି ଥରେ  ଝିଅର ଫଟ ମନ ପୁରେଇ ଦେଖିବାରେ ଲାଗିଲେ |

                                   ହଠାତ କାହାର ପାଦଶବ୍ଦ ଶୁଣି ଅନସୂୟା ମୁଣ୍ଡ ଟେକି ଚାହିଁଲେ |ମିତାଙ୍କ ସାନପୁଅ ଅଭି ଥରେ  ଫଟକୁ ଓ ଆଉଥରେ ଅନସୂୟାଙ୍କୁ ଚାହିଁ,ଭିତରକୁ ଚାଲିଗଲା |ଭିତରେ ମାଆ ପୁଅଙ୍କ କଥୋପକଥନ ଅନସୂୟାଙ୍କୁ ସ୍ପଷ୍ଟ ଶୁଭା ଯାଉଥିଲା |ଅଭି କହୁଥିଲା,ମାମା,ମୁଁ ତମକୁ କହିଥିଲି ନାଁ,ଭାଇକୁ  ନ ପଚାରି ଏତେବଡ଼ ଡିସିଜନ ନିଅନା,ହେଲେ,ତମେ ମୋ କଥା ଜମା ଶୁଣୁନ |

ମିତା:ତୁ କାଲିକା ମେଞ୍ଚଡ଼ ଟୋକା,ମତେ ବୁଦ୍ଧି ଶିଖାଉଛୁ ?

ଅଭି:ହଉ,ଯେତେବେଳେ ଲୋକଙ୍କ ଆଗରେ ଅପଦସ୍ଥ ହେବ,ସେତେବେଳେ ମୋ କଥା ମନେ ପକେଇବ ଯେ |

ମିତା:କାହିଁକି ସେ ବାଜେ କଥା ଗପୁଛୁ ?  ବିଜୁ କେବେହେଲେ ମୋ କଥାରେ ଅରାଜି ହବନି,ମୁଁ ତାକୁ ଭଲକରି ଜାଣିଛି  |

                        ଅଭି କହିଲା,ମୁଁ କେମିତି ତମକୁ କହିବି ମାମା ଯେ ଭାଇ ଅଲରେଡ଼ି ଜ୍ୟୋତ୍ସ୍ନା ଦିଦିକୁ ବାହା ହୋଇ ସାରିଲାଣି |ମିତା କହିଲେ,ତୁ ମିଛ କହୁଛୁ |ଅଭି କହିଲା,ମିଛ ନୁହେଁ,ପୂରା ସତ |ତମେ ଭାବିଥିଲ,ସେମାନଙ୍କୁ ଗାଳି ଦେବାପରେ ଦୁହିଁଙ୍କ ସମ୍ପର୍କ ତୁଟି ଯାଇଛି |କିନ୍ତୁ ସେମାନଙ୍କର ସମ୍ପର୍କ ପୂର୍ବ ପରି  ରହିଥିଲା |ଜ୍ୟୋତ୍ସ୍ନା ଦିଦି ଆଗ ୟୁ.ଏସ.ଏ.ଗଲେ|ତାପରେ ଭାଇ ଗଲା  |ଆଉ ସେମାନେ ଇଣ୍ଡିଆ ଫେରିବେନି |ଏବେ ଦୁଇଦିନ ତଳେ ସେମାନେ ବାହା ହୋଇ ଯାଇଛନ୍ତି |ବିଶ୍ୱାସ ହେଉନି ଯଦି ତାଙ୍କ ବାହାଘର ଫଟ ଦେଖ,ଆଜି ଭାଇ ପଠେଇଛି | ଏହାପରେ କଣ ଗୋଟେ ତଳେ ପଡ଼ିବାର ଶବ୍ଦ ଶୁଣାଗଲା |

                        ଆଉ ସେଠାରେ ଗୋଟିଏ ମିନିଟ ବି ଅଧିକ ରହିବାକୁ ଅନସୂୟା ଉଚିତ ମନେକଲେ ନାହିଁ ;ନିଃଶବ୍ଦରେ ସେ ସେଠାରୁ ଚାଲି ଆସିଲେ |(କ୍ରମଶଃ) 

No comments:

Post a Comment