କୁମାରପୂର୍ଣ୍ଣିମା ପର୍ବ ଯେତେ ଯେତେ ନିକଟତର ହେଉଥିଲା ,ଅନିଷ ସେତିକି ସେତିକି ଉତ୍ଫୁଲ୍ଲିତ ଜଣା ପଡୁଥିଲା |ଏହାର କାରଣ ଅନସୂୟାଙ୍କୁ ଭଲରୂପେ ଜଣା ଥିଲା ;ତା ପରଦିନ ଯେ ଦିବ୍ୟାଶାର ଭୁବନେଶ୍ୱର ଆସିବାର କଥା ଥିଲା !କିନ୍ତୁ କଣପାଇଁ କେଜାଣି କୁମାରପୂର୍ଣ୍ଣିମା ପୂର୍ବଦିନ ଅନିଷ ଖୁବ ଉଦାସ ହୋଇଗଲା |ଅନସୂୟା ତାକୁ ପଚାରିଲେ,କଣ ହୋଇଛି ବାବୁ ?ମୁହଁ କାହିଁକି ଶୁଖି ଯାଇଛି ?ଦେହ ଭଲ ଲାଗୁନି କି ??ଏହା କହି,ଜ୍ୱର ହୋଇଛି ନାଁ ଜାଣିବା ପାଇଁ,ସେ ତା ଦେହରେ ହାତ ମାରିଲେ |ଅନିଷ କହିଲା,ନାଁ ମମି,ମୋ ଦେହ,ଭଲ ଅଛି |ଚାରିଦିନ ହେଲାଣି ଆନି ଆଉ ତା ଘରର ସମସ୍ତଙ୍କୁ ଭାଇରାଲ ଫିଭର ହୋଇଛି ଯେ,ଛାଡିବାର ନାଁ ଧରୁନି |ତେଣୁ ସେ ଆଉ ତା ସାଙ୍ଗମାନଙ୍କ ସାଙ୍ଗେ ଆସି ପାରିବନି |
:ତାହେଲେ ସେ କେମିତି ଆସିବ?ତାକୁ କିଏ ଛାଡିବାକୁ ଆସିବ ?ଅନସୂୟା ପଚାରିଲେ |ଅନିଷ କହିଲା,ତା ଦେହ ଭଲ ହେବାପରେ ସପ୍ତାହେ ପରେ ବୋଧେ ଆସିବ,ସେତେବେଳେ ଜଣା ପଡିବ |ଅନସୂୟା କହିଲେ,ଦେହ ଥିଲେ,ରୋଗ ଅଛି,ଭାଇରାଲ ଫିଭର ଭଲ ହେବା ପାଇଁ ସମୟ ଲାଗେ |ତୁ ବ୍ୟସ୍ତ ହୁଅନା,ଆଉ ଦୁଇ/ଚାରିଦିନ ଭିତରେ ସମସ୍ତେ ଭଲ ହୋଇଯିବେ |ଖାଲି ଏକଲା କେମିତି ଏତେ ବାଟ ଆସିବ,ସେଇ ଗୋଟିଏ ଚିନ୍ତା |
ସପ୍ତାହେ ପରେ ଅନିଷ ,ଅନସୂୟାଙ୍କୁ କହିଲା,ମମି,ଏବେ ସେମାନେ ସମସ୍ତେ ଭଲ ହୋଇ ଗଲେଣି |ଆନି ରବିବାର ଦିନ ଆସିବ |
:ସେ ଟ୍ରେନ ରେ ଆସିବ ?ଅନସୂୟା ପଚାରିଲେ |
:ନାଁ |ଟ୍ରେନ ଟିକେଟ ମିଳିଲାନି ;ନାଇଟ ବସରେ ଆସିବ,ସକାଳ ସାଢେ ଛ'ଟା ରେ ବରମୁଣ୍ଡା ବସଷ୍ଟାଣ୍ଡରେ ବସ ପହଞ୍ଚିବ |
:ହଉ ଠିକ ଅଛି |ଏତିକି କହି ଅନସୂୟା ସେଠାରୁ ଚାଲିଗଲେ |
ଦିବ୍ୟାଶାର ଏତେ ସକାଳୁ ଆସିବାଟାକୁ ସେ ସାଧାରଣ ଭାବେ ନେଇଥିଲେ | କିନ୍ତୁ ସେଦିନର ଓଡ଼ିଆ ଟିଭି ଚ୍ୟାନେଲ ରେ ବାରମ୍ବାର ପ୍ରସାରିତ ହେଉଥିବା ଏକ ମର୍ମନ୍ତୁଦ ସମ୍ବାଦ ତାଙ୍କୁ ଭୟଭୀତ କରିଦେଲା | ରାତ୍ରୀ ବସରେ ଏକୁଟିଆ ଆସିଥିବା ଝିଅଟିକୁ ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ଭୀଷଣ ଜୋରରେ ଝାଡା ମାଡ଼ିଥିଲା | ଟୟଲେଟ କେଉଁଠି ଅଛି ବୋଲି ସେ ଯାହାକୁ ପଚାରିଥିଲା ,ସେ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲା |ସମ୍ବାଦ ଶୁଣି,ପରିସ୍ଥିତିକୁ କଳ୍ପନା କରି,ସେ ଏତେ ଡରିଗଲେ ଯେ,ତାଙ୍କୁ ଲାଗୁଥିଲା ,ସତେ ଅବା ଏଇ ସାଙ୍ଗେ ସାଙ୍ଗେ ତାଙ୍କର ହୃଦଘାତ ହୋଇଯିବ ! ସେ ଅନିଷ କୁ ଡାକିଲେ |କିନ୍ତୁ ସେ ଘରେ ନଥିଲା |ତାଙ୍କୁ ଭାରି ବ୍ୟସ୍ତ ଲାଗୁଥିଲା | ଥଣ୍ଡା ପାଣି ଗ୍ଲାସେ ପିଇ ସେ ବିଛଣାରେ ଗଡି ପଡିଲେ |କିନ୍ତୁ ତାଙ୍କୁ ଭଲ ଲାଗୁ ନଥିଲା | ବାହାରକୁ ଯାଇ ସେ ଟିକିଏ ବୁଲାଚଲା କଲେ |ଏହି ସମୟରେ ଅନିଷ ଆସିଲା |କିନ୍ତୁ ମନେ ମନେ ସେ ଯାହା ଭାବିଥିଲେ,ତାହା ତାକୁ କହି ପାରିଲେ ନାହିଁ |ଅନିଷ ଘର ଭିତରକୁ ଯିବାପରେ ସେ ତା ପଛେ ପଛେ ଯାଇ ପଚାରିଲେ,ଚା' ପିଇବୁ ?ଅନିଷ ଖୁସି ହୋଇ କହିଲା,ହଁ ମମି,ପ୍ଲିଜ |
ଦୁହେଁ ଚା' ପିଉଥିବା ବେଳେ ଅନସୂୟା କହିଲେ,ଆଜି ତ ଗୁରୁବାର,ଆନି ଆସିବାକୁ ଆଉ ଦୁଇଦିନ ରହିଲା,ନୁହେଁ ?ଅନିଷ ମୁଣ୍ଡ ଟୁଙ୍ଗାରି ହଁ କହିଲା |
:ଏତେ ସକାଳୁ ସେ କେମିତି ହଷ୍ଟେଲକୁ ଆସିବ?ତା ସାଙ୍ଗରେ ଆଉ କିଏ ଅଛି ?ଅନସୂୟା ପଚାରିଲେ |ଅନିଷ କହିଲା,ସେଇଠି ସବୁବେଳେ ମାଳ ମାଳ ଅଟୋ ଥାଏ ,ସେ ସେଇଥିରେ ଚାଲି ଆସିବ |ତା କଥା ଶୁଣି,ଅନସୂୟା ଚି଼ହଁକି ଉଠି କହିଲେ,ସେମିତି ଭୁଲ ତୁ କଦାପି କରିବୁନି |ତୁ ନିଜେ ତାକୁ ତୋ ବାଇକରେ ନେଇ, ହଷ୍ଟେଲରେ ଛାଡି ଦେଇ ଆସିବୁ |ତାର ଟିକିଏ ବି ଅନିଷ୍ଟ ମୁଁ ସହି ପାରିବି ନାହିଁ |ଏତିକି କହି ସେ ଜୋରରେ ନିଃଶ୍ୱାସ ନେଲେ |
ଅନିଷ ଚା' କପ ଟେବଲ ଉପରେ ରଖି,ଶାନ୍ତ ସ୍ୱରରେ କହିଲା,ମୁଁ ବି ସେଇଆ ଭାବୁଥିଲି ମମି |କାଳେ ତମେ ମନା କରିବ,ସେଥିପାଇଁ କିଛି,କହୁ ନଥିଲି |ୟୁ ଆର ଗ୍ରେଟ ମମି,ଆଇ ଲଭ ୟୁ |(କ୍ରମଶଃ)
No comments:
Post a Comment