ଶୃତି ଓ ଇତିଙ୍କ ପାଇଁ ତାଙ୍କ ପିତାମାତା ନୀଳକଣ୍ଠ ଓ ସୁଲତା ଈଶ୍ୱର ସଦୃଶ ଥିଲେ |ଶୃତି ସବୁବେଳେ କହୁଥିଲା,ଆମେ କେବଳ ଭଗବାନଙ୍କ ଫଟ ଓ ମୂର୍ତ୍ତି ଦେଖୁଛୁ |କିନ୍ତୁ ପ୍ରକୃତ ଈଶ୍ୱର ଆମ ବାପା ମାଆ ସ୍ଵଦେହରେ ଆମ ପାଖରେ ରହି,ଆମକୁ ତାଙ୍କ ନିଃସ୍ୱାର୍ଥପର ଭଲପାଇବାରେ ବୁଡେଇ ରଖିଛନ୍ତି |ତାଙ୍କ ବଦଳରେ ଆଉ କାହାକୁ ଈଶ୍ୱର ବୋଲି ମାନିବାକୁ ଆମ ମନ ଚାହୁଁନି |ସୁଲତା ଶିକ୍ଷୟତ୍ରୀ ଥିବାବେଳେ ନୀଳକଣ୍ଠ କେନ୍ଦ୍ର ସରକାରଙ୍କ ଅଧୀନରେ ଉଚ୍ଚପଦସ୍ଥ କର୍ମଚାରୀ ଥିଲେ |ନୀଳକଣ୍ଠ ଜଣେ ଉଦାରମନା,ପରୋପକାରୀ ଓ ଖୁସି ମିଜାଜର ବ୍ୟକ୍ତି ଥିଲେ |ଦୁହେଁ ଚାକିରୀ କରୁଥିବାରୁ ଦୁଇ ଝିଅଙ୍କୁ ସେମାନେ ଆତ୍ମନିର୍ଭରଶୀଳ ଓ ସ୍ୱାଧୀନଚେତା ଭାବରେ ଗଢି ତୋଳିଥିଲେ |ଉଭୟ ଶୃତି ଓ ଇତି ବାପା ମାଆଙ୍କ କଥାକୁ କେବେ ତଳେ ପକାଇ ଦେଉ ନଥିଲେ କି ତାଙ୍କ ମନରେ ଦୁଃଖ ଦେଉ ନଥିଲେ |ନୀଳକଣ୍ଠଙ୍କୁ ଲମ୍ବା କେଶ ପସନ୍ଦ ଥିବାରୁ ଶୃତି ତାର ସୁନ୍ଦର କେଶକୁ ଅଣ୍ଟା ପର୍ଯ୍ୟନ୍ତ ରଖିଥିଲା |ଇତି ତା ମାଆଙ୍କ ପସନ୍ଦ ଅନୁଯାୟୀ କାନ୍ଧ ପର୍ଯ୍ୟନ୍ତ ଚୁଟି ରଖିଥିଲା |ଦୁହେଁ ଭଲ ପଢୁଥିଲେ |ଶୃତି ଇଞ୍ଜିନିଅରିଂ ପରେ ଆଇ.ଟି କମ୍ପାନୀରେ ଯୋଗ ଦେଲା ;ଇତି ବାଛିନେଲା ବ୍ୟାଙ୍କିଙ୍ଗ ଲାଇନ |ବାପା ମାଆ ଯେଉଁଠି ଥିଲେ,ପିଲାମାନେ ସେହି ସହରରେ ଚାକିରୀ କଲେ,ବିବାହ ପରେ ସେହିଠାରେ ରହିଲେ |ଅନେକ ଦିନ ଗୋଟିଏ ସ୍ଥାନରେ ରହିବା ହେତୁ ନୀଳକଣ୍ଠ ଓ ସୁଲତାଙ୍କର ସେହି ସ୍ଥାନ ପ୍ରତି ଅହେତୁକ ମାୟା ଆସି ଯାଇଥିଲା |ତେଣୁ ସେଠାରେ ଘର କିଣି ସେମାନେ ସେହି ସ୍ଥାନର ସ୍ଥାୟୀ ବାସିନ୍ଦା ହୋଇଗଲେ |
କାହାରି ପ୍ରତି ଘୃଣା ଭାବ ରଖି ନଥିବା ,ସମସ୍ତଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ଥିବା ସେମାନଙ୍କ ପରିବାରରେ ଦିନେ ଗ୍ରହଣ ଲାଗିଗଲା |ସଦା ନିରୋଗୀ ନୀଳକଣ୍ଠ ଥରେ ଅଜଣା ବ୍ୟାଧିର ଶୀକାର ହେଲେ |ଖବର ପାଇ ଝିଅ ଦୁଇଜଣ ଆସି ବାପାଙ୍କର ସବୁ ପ୍ରକାର ଡାକ୍ତରୀ ପରୀକ୍ଷା କରାଇଲେ |ପରୀକ୍ଷାରୁ ଜଣା ପଡିଲା,ନୀଳକଣ୍ଠଙ୍କ ଫୁସଫୁସରେ କ୍ୟାନ୍ସର ହୋଇଛି ଓ ତାହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି |ଡାକ୍ତର କହିଲେ,ଧୂମପାନ ନ କରୁଥିଲେ ବି,ବାୟୁ ପ୍ରଦ୍ୟୁଷଣ,ରେଡ଼ିଅମ ,ଆଜବେଷ୍ଟସ ତଥା କିଛି ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା ଯୋଗୁଁ, ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା ଥାଏ |ଯାହା ବି ହେଉ,ବାପାଙ୍କୁ କ୍ୟାନ୍ସର ହୋଇଛି ଓ ତାଙ୍କୁ ଯେମିତି ହେଲେ ସୁସ୍ଥ କରିବାକୁ ପଡିବ ମନସ୍ଥ କରି ଦୁଇ ଝିଅ ପ୍ରାଣପଣେ ଲାଗି ପଡିଲେ |ସେତେବେଳେ ଶୃତିର ଦୁଇ ବର୍ଷର ଛୋଟ ପୁଅଟିଏ ଓ ଇତି ସନ୍ତାନ ସମ୍ଭବା ଥିଲା |ବନ୍ଧୁବାନ୍ଧବ,ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ଏକଥା ଜଣେଇ, ବିପଦ ସମୟରେ ସେମାନଙ୍କ ପାଖରେ ଛିଡା ହେବ ପାଇଁ,ଦୁହେଁ ଆକୁଳ ନିବେଦନ କଲେ |କିନ୍ତୁ ଆଜିର ଏହି କାର୍ଯ୍ୟବ୍ୟସ୍ତ ଦୁନିଆରେ ନିଜ ପାଇଁ ଯାହାର ସମୟ ନାହିଁ,ସିଏ ବା କେମିତି ଅନ୍ୟକୁ ତାର ମୂଲ୍ୟବାନ ସମୟ ଦେଇ ପାରିବ !!ମାଆ,ଝିଅ,ଜ୍ୱାଇଁ ଏକାଠି ହୋଇ ନୀଳକଣ୍ଠଙ୍କ ଚିକିତ୍ସାରେ ଲାଗି ପଡିଲେ |କିନ୍ତୁ ସମସ୍ତଙ୍କୁ ଶୋକସାଗରରେ ଭସାଇ,ବର୍ଷକ ଭିତରେ ବାପା ଅଫେରା ରାଇଜକୁ ଚାଲିଗଲେ |ସେଦିନ ମାଆ ,ଝିଅ ପରସ୍ପରକୁ ଆଲିଙ୍ଗନ କରି ବହୁତ କାନ୍ଦିଥିଲେ,ଯାହାର ଶେଷ ନଥିଲା |
ମୃତ୍ୟୁ ଖବର ପାଇବା ପରେ ଅସଂଖ୍ୟ ଲୋକଙ୍କ ସମବେଦନାର ସୁଅ ଛୁଟିଲା |ଯେହେତୁ ସେମାନଙ୍କର ପୁଅ ନଥିଲା,ଜ୍ଞାତି କୁଟୁମ୍ବ ଓ ତାଙ୍କ ପ୍ରତିନିଧି ସେଠାକୁ ଆସି ନିୟମ ମୁତାବକ ପୁତୁରା,ଭଣଜା ,ଦିଅର ଇତ୍ୟାଦି ଜଣେ ପୁରୁଷ ସଦସ୍ୟଙ୍କ ଦ୍ୱାରା ମୁଖାଗ୍ନି ତଥା ଶୁଦ୍ଧିକ୍ରିୟା କରିବାକୁ ପରାମର୍ଶ ଦେଲେ |ସେତେବେଳେ ସାନଝିଅ ଇତି କହିଲା,ଆମେ ଯେତେବେଳେ ବିପଦରେ ପଡିଥିଲୁ,ସେତେବେଳେ ଆପଣମାନେ ଆମପାଖରେ ନଥିଲେ |ଆଜି ଯେତେବେଳେ ଆମର ସବୁକିଛି ଶେଷ ହୋଇଯାଇଛି,ସେତେବେଳେ ଆପଣମାନେ କାହିଁକି ପରାମର୍ଶର ପାହାଡ଼ ଗଦେଇ ପକାଉଛନ୍ତି ?ତାକୁ ଚୁପ ହେବାକୁ କହି ଶୃତି କହିଲା,ସେ ଆମର ବାପା ଥିଲେ |ଜ୍ୟେଷ୍ଠ ସନ୍ତାନ ହିସାବରେ ଅନ୍ତ୍ୟେଷ୍ଟିକ୍ରିୟା ଅଧିକାର ସର୍ବ ପ୍ରଥମେ ମୋର ରହିଛି |ମୁଁ ମୋ ଅଧିକାର ଆଉ କାହାକୁ ଦେଇ ପାରିବି ନାହିଁ |ସମସ୍ତେ ଛିଃ ଛାକର କରି,କି ଯୁଗ ହେଲାରେ କହି ସେଠାରୁ ଚାଲିଗଲେ |
ଶୃତି ଯାହା କହିଥିଲା,ତାହାହିଁ କଲା |ନିଜ ପ୍ରିୟ ପିତାଙ୍କୁ ମୁଖାଗ୍ନି ଦେବା ସହିତ ଚଉଦ ଦିନ ପର୍ଯ୍ୟନ୍ତ ଉପବାସ ରହି,ବିଧି ଅନୁଯାୟୀ ସବୁ କ୍ରିୟା କର୍ମ କଲା |ଦଶାହ କର୍ମ ବେଳକୁ ଯେତେବେଳେ ସେ ତା ବାପାଙ୍କର ଅତି ପ୍ରିୟ କେଶ ଗୁଚ୍ଛ କାଟି ସେ ଲଣ୍ଡିତ ମସ୍ତକ ହେଲା,ସେତେବେଳେ ଆଖିରୁ ତାର ଧାରା ଶ୍ରାବଣ ଝରି ଯାଉଥିଲା |ଚଉଦ ଦିନ ପରେ ପିତାଙ୍କର ଚିତାଭସ୍ମକୁ ପବିତ୍ର ଗଙ୍ଗା ନଦୀରେ ରେ ବିସର୍ଜନ କରି ସମସ୍ତେ ଆତ୍ମସନ୍ତୋଷ ଲାଭ କଲେ |ଦୁଇ ଭଉଣୀଙ୍କ ଏହି ସମୟୋପଯୋଗୀ ସାହସିକ ପଦକ୍ଷେପକୁ ସେମାନଙ୍କ ସ୍ୱାମୀଙ୍କ ପୂର୍ଣ୍ଣ ସମର୍ଥନ ରହିଥିଲା |ଶୃତିର ପରିବାରଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରି ମୁଖ୍ୟ ପୁରୋହିତ କିପରି ଏହାକୁ ସ୍ୱୀକୃତି ଦେଲେ ବୋଲି କେତେକ ପଚାରିବାରୁ ସେ କହିଲେ,ଆମର ସନାତନ ଧର୍ମ ସ୍ତ୍ରୀ ପୁରୁଷ ମଧ୍ୟରେ କୌଣସି ଭେଦଭାବ ରଖିନାହିଁ |ପୂର୍ବ କାଳରେ ଆମ ସମାଜ ସ୍ତ୍ରୀ କୈନ୍ଦ୍ରିକ ଥିଲା;ସେତେବେଳେ ସ୍ତ୍ରୀ ମାନେ ବିଦ୍ୟାଧ୍ୟୟନ ସହିତ ଯଜ୍ଞ ଆଦି ସମସ୍ତ କାର୍ଯ୍ୟ କରି ପାରୁଥିଲେ |ସମୟକ୍ରମେ ଅନ୍ୟ ଧର୍ମ ପ୍ରଭାବରେ ଆସି ଆମ ସମାଜ ପୁରୁଷ କୈନ୍ଦ୍ରିକ ହୋଇଗଲା ଓ ସ୍ତ୍ରୀ ସମସ୍ତ କାର୍ଯ୍ୟ କରି ପାରୁଥିବା ଏକ ଦାସୀର ସ୍ଥାନ ନେଇ, ଉପଭୋଗ୍ୟର ବସ୍ତୁ ପାଲଟି ଗଲା |ଆମ ଶାସ୍ତ୍ରରେ ଯେଉଁମାନଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା କରିବାର ଅଧିକାର ଦିଆଯାଇଛି, ସେହି ତାଲିକାରେ ସ୍ତ୍ରୀ ଓ ଝିଅଙ୍କ ନାମ ଅନ୍ତର୍ଭୁକ୍ତ ଅଛି |ଲୋକଙ୍କ ଅଜ୍ଞାନତା କାରଣରୁ ସେମାନେ ଏ ବିଷୟରେ ଜାଣି ପାରୁନାହାନ୍ତି | ଶ୍ରାଦ୍ଧ ଶ୍ରଦ୍ଧାରୁ ଉତ୍ପନ୍ନ ହୋଇଛି ;ଆଉ ଶ୍ରଦ୍ଧାର ତେଜ ଏତେ ଅଧିକ ଯେ ସେ ଏକକାଳୀନ ଶତ ସୂର୍ଯ୍ୟର ତେଜକୁ ଭେଦ କରିବାର କ୍ଷମତା ରଖିଛି |ମମତା ମହାନ୍ତି |
No comments:
Post a Comment