Saturday, January 18, 2020

ନିଶୀଥ ଜ୍ୟୋତ୍ସ୍ନା (୨୬ ଓ 27)

                     ସେଦିନ ରାତି ଦଶଟାରେ ଅନୁପମ ଘରକୁ ଫେରିଲା |ଖୁସିରେ ସେ ଉଛୁଳି ଉଠୁଥିଲା |ଘରେ ପହଂଚି  ଆନନ୍ଦାତିଶଯ୍ୟରେ ବନହଂସୀକୁ ଟେକି ପକାଇ କହିଲା,ବୁନୁ,ଆଜି ମୋର  ଅତି ଆନନ୍ଦର ଦିନ |ଜାଣିଛ,କଣ ହୋଇଛି ?ମୁଁ 'ପ୍ରଜାମଣ୍ଡଳ'ର ୟୁଥ ପ୍ରେସିଡେଣ୍ଟ ରୂପେ ମନୋନୀତ ହେଲି ଆଉ ସୁରେଶକୁ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ,ଛଅବର୍ଷ ପାଇଁ ପାର୍ଟିରୁ ସସପେଣ୍ଡ କରାଗଲା |ଯେଉଁ ଗାତ ସେ ମୋ ପାଇଁ ଖୋଳୁଥିଲା,ସେଇ ଗାତରେ ସେ ନିଜେ ପଡିଲା |ଆଉ ଗୋଟେ ଖୁସି ଖବର ବି ମୁଁ ତମପାଇଁ ଆଣିଛି |ଶାନ୍ତି ଦିଦିଂକ ପାଖ ଫ୍ଲାଟ ଖାଲି ହୋଇଯାଇଛି,ଆଉ  ଦୁଇଦିନ ପରେ ଆମେ ସେଠିକି ଚାଲିଯିବା |କାଲିଠାରୁ ତମେ ପାକିଂ ଆରମ୍ଭ କରିଦିଅ |
                   ବନହଂସୀ କହିଲା,ସେସବୁ ଠିକ |ମୁଁ କିନ୍ତୁ ରାତିରେ ଏକୁଟିଆ ରହି ପାରିବିନି |ଅନୁପମ କହିଲା,ସେଇଠି ଆଦୌ ଭୟ ନାହିଁ,ଚବିଶ ଘଣ୍ଟା ସିକ୍ୟୁରିଟି |ସେ ଜାଗା ଦେଖିଲେ,ତମ ମନ ଖୁସି ହୋଇଯିବ |ଶାନ୍ତି ଦିଦିଂକୁ ତମେ ଜାଣିଛ,ସେ ସବୁବେଳେ ଆମ ପାଖରେ ରହିବେ  |ମୁଁ ନଥିଲାବେଳେ ତମେ ଯାଇଁ ତାଂକଘରେ ଶୋଇପଡିବ |ନହେଲେ ତାଂକ ଝିଅ ଆସି ତମ ପାଖରେ ଶୋଇପଡିବ |ବନହଂସୀ ମନେ ମନେ ଭାବୁଥିଲା,ତାପାଇଁ,ପୁଣି  ଗୋଟିଏ ନୂଆ ସମସ୍ୟା ଆରମ୍ଭ ହୋଇଗଲା |ନୂଆ ବାତାବରଣରେ ସେ କିପରି ଭାବରେ ତାଳମେଳ ରକ୍ଷା କରିପାରିବ,ତା କେବଳ ସମୟ ହିଁ କହିବ |ଅନୁପମ ପୁଣି କହିଲା,କାଲି ଆମ ପାର୍ଟି ଅଫିସରେ ବିରାଟ ସ୍ୱାଗତ  ସମାରୋହ  ଉତ୍ସବ ହେବ |ମୁଁ ଦିନସାରା ସେଇଠି ରହିବି ,ତମେ ପ୍ଲିଜ ଟିକେ ଆଡଜଷ୍ଟ  କରିନେବ,ଗୋଟେ ଦି'ଟା ପେଗ ଅଧିକା ହୋଇଗଲେ,ମାଇଣ୍ଡ କରିବନି  |ବନହଂସୀ କହିଲା,ଯାହା ତମ ଇଚ୍ଛା |
                        କିନ୍ତୁ ସେଦିନ ଅନୁପମ ଘରକୁ ଶୀଘ୍ର ଫେରିଆସିଲା |କହିଲା,ବୁନୁ,ଆଜି ଘରେ ଆମେ ଗ୍ରାଣ୍ଡ ସେଲିବ୍ରେସନ କରିବା |ଏହା କହିବା ସଂଗେ ସଂଗେ ସେ ତା ବ୍ୟାଗରୁ ଦୁଇଟା ମଦ ବୋତଲ ବାହାର କଲା |ବନହଂସୀ ର ଆଖି ବଡ ବଡ ହୋଇଗଲା |ସେ କହିଲା,କଣ ଦୁଇଟା ଯାକ ବୋତଲ ଏକା ସାଙ୍ଗରେ ପିଇଦେବ ?ତମ ଜୀବନ ଆଉ ରହିବ ଟି ?ୟାକୁଇ କଣ ସେଲିବ୍ରେସନ କହନ୍ତି ?ଅନୁପମ ରାଗରେ ପାଚିଗଲା |କହିଲା,ତମେ କାହାକୁ ସୁଖ ଦେବା ଜାଣିନ କି କାହାର ସୁଖ ସହି ପାରନି |ଛିଃ !!ତମ ସାଙ୍ଗେ କଥାବାର୍ତ୍ତା କରିବା ହିଁ ଭୁଲ |ତମକୁ କଥା କହି ଆସେନା |ଏମିତି ମଦ ଖାଇ କେତେ ଲୋକ ମରିଯାଉଛନ୍ତି !ବୁଝିଲ,ୟାରି ଉପରେ ଦେଶର ଅର୍ଥନୀତି ନିର୍ଭର କରୁଛି |ବନହଂସୀ ନିଃଶବ୍ଦରେ ସେଠାରୁ ଚାଲିଯାଉଥିବାବେଳେ ଅନୁପମ କହିଲା,ଶୁଣ,କିଛି ରାନ୍ଧନା |ମୁଁ ହୋଟେଲରୁ ଆଣୁଛି,ଖାଇବା |ତା ମତାମତକୁ ଅପେକ୍ଷା ନକରି ଅନୁପମ ସେଠାରୁ ଝଡ଼ବେଗରେ ଚାଲିଗଲା ଓ ଘଣ୍ଟାଏ ଭିତରେ ଫେରିଆସିଲା |ସାଙ୍ଗରେ ମଟନ ବିରିୟାନୀ,କଚମ୍ବର,ଚିଲି ଚିକେନ ଓ ନାନ ର ଏକ ବଡ଼ ପ୍ୟାକେଟ ଆଣିଥିଲା |କହିଲା,ଥଣ୍ଡା ହୋଇଯିବ,ସାଙ୍ଗେ ସାଙ୍ଗେ ଖାଇଦେବା |ପୁଣି ଟିକିଏ ଚିନ୍ତା କରି କହିଲା,ଟିକେ ରୁହ,ମୁଁ ଟିକିଏ ଫ୍ରେଶ ହୋଇଯାଏ,ତାପରେ ଖାଇବା |
                       ବାଥରୁମରେ ଗାଧୋଇ,ନିଜର ଘରୋଇ ପୋଷାକ ପିନ୍ଧି ସେ ଆସିଲା |ଗ୍ଲାସରେ ମଦ ଢାଳି ସେ ଏକାସାଙ୍ଗରେ ଦୁଇଗ୍ଲାସ ପିଇଦେଲା |ତାପରେ ଗୋଡ଼ ଉପରେ ଗୋଡ଼ ରଖି ଆରାମରେ ବସି ସିଗାରେଟ ଟାଣି,ସେଦିନର ଘଟଣା ବର୍ଣ୍ଣନା କରିବାକୁ ଲାଗିଲା |କିଭଳି ପରିସ୍ଥିତିରେ ତାକୁ ୟୁଥ ପ୍ରେସିଡେଣ୍ଟ କରାଗଲା,ଆନନ୍ଦବାବୁ କିପରି ତାର ତାରିଫ କଲେ,ସୁରେଶକୁ କିପରି ଅପମାନିତ କରାଗଲା,ସବୁ ବନେଇ ଚୁନେଇ ସେ ଦୀର୍ଘ ସମୟ ଧରି ଗପିବାକୁ ଲାଗିଲା |ତାପରେ ଖାଇବା ପର୍ବ ଆରମ୍ଭ ହେଲା |ଖାଇବାବେଳେ ମଧ୍ୟ ତାର କଥା ଶେଷ ହେଲାନାହିଁ |ଯେତେବେଳେ ସେ ଆଉ କଥା କହିପାରିଲାନି,କଥା ଗୁଡିକ ଢ଼ୋକି ହୋଇଗଲା,ସେତିକିବେଳେ ତାର ଗପ ବନ୍ଦ ହେଲା |ସେତେବେଳକୁ ରାତି ଗୋଟାଏ |ବନହଂସୀ ତଟସ୍ଥ ହୋଇ ତାର ସମସ୍ତ କଥା ଶୁଣୁଥିଲା |ଅନୁପମ ହାତଧୋଇ ସାଙ୍ଗେ ସାଙ୍ଗେ ବିଛଣାରେ ଶୋଇପଡ଼ିଲା |ଦଶ ମିନିଟ ମଧ୍ୟରେ ହିଁ ସେ ଗାଢ଼ ନିଦ୍ରାରେ ଶୋଇ ଘୁଙ୍ଗୁଡ଼ି ମାରିବାରେ ଲାଗିଲା |
                       ପରଦିନ ଖୁବ ସକାଳୁ କଲିଂବେଲ ଆବାଜ ଶୁଣି ବନହଂସୀ ର  ନିଦ ଭାଙ୍ଗିଗଲା |ନିଦ ମଳ ମଳ ଆଖିରେ ସେ ଘଣ୍ଟାକୁ ଚାହିଁ ଦେଖିଲା,ପାଞ୍ଚଟା ଦଶ |କବାଟ ଖୋଲି ଦେଖିଲା,ସରସ୍ୱତୀ ଛିଡା ହୋଇଛି |ସେ ବିରକ୍ତ ହୋଇ କହିଲା,ବାସନ ମାଜିବ ବୋଲି କଣ ରାତିରେ ଟିକେ ଶୁଆଇ ଦବନି ?ସରସ୍ୱତୀ ମୁହଁ ଶୁଖାଇ କହିଲା,ରୁବିଦିଦି ଘରକୁ ଯାଇଥିଲି ଯେ,କବାଟ ବାଡେଇ ବାଡେଇ ଜମା ଉଠିଲାନି |ସେଇଥିପାଇଁ ଏଠିକି ଚାଲି ଆସିଲି |ମୁଁ ଯାଉଛି,ସାତଟାରେ ଆସିବି |ବନହଂସୀ କହିଲା,ଆସିଲଣି ଯେତେବେଳେ,ଫେରିଯିବ କାହିଁକି ?ସରସ୍ୱତୀ ଖୁସିହୋଇ ବାସନ ମାଜିବାରେ ଲାଗିଲା |ବାସନ ମାଜିବା ଅଧାରୁ କହିଲା,କଣ କହିବି ଲୋ ଦିଦି,ରାତିସାରା ଶୋଇନି |ବନହଂସୀ ପଚାରିଲା,କାହିଁକି ?
     --ବୁଢ଼ା ପେଟେ ମାଲ ପକେଇ ରାତିସାରା ବକର ବକର ହେଲା |ମୋ ନାତୁଣୀ କୁ ଚାରି ପାଞ୍ଚ ଗୋଇଠା ମାରିଲା |ତାପରେ ଖାଇକି ଶୁଇଲା ଯେ,ଘୁଙ୍ଗୁଡ଼ି ଶବଦରେ ଆମେ ଶୁଇ ପାରିଲୁନି |
                   ବନହଂସୀ ତା କଥା ଶୁଣି ନିରୁତ୍ତର ରହିଲା |କିଛିସମୟ ପରେ ପଚାରିଲା,ତମ ସ୍ୱାମୀ କି କାମ କରନ୍ତି ?ସରସ୍ୱତୀ କହିଲା,କୁକୁଡ଼ା ଦୁକାନରେ ଜଗି ହଜାରେ ପାଉଚି |ସେଇ ଟଙ୍କା ତା ମଦ ଖରଚକୁ ନଅଣ୍ଟ ,ପୁଣି ମୋ ଠୁ ମାଗିକି ନିଏ |ବନହଂସୀ କହିଲା,ତାଙ୍କୁ ଟଙ୍କା ଦେବାକୁ ମନା କରିଦିଅ |ସରସ୍ୱତୀ ଜିଭ କାମୁଡି କହିଲା,ହେଏ ,ମାରି ପକେଇବ ଲୋ ଦିଦି |
                    ବନହଂସୀ ନିଜ କୌତୁହଳ ଦମନ କରିନପାରି କହିଲା,ତମେ ତାର ଗୋଟିଏ ନାଁ ସେ ଆଉ କାହାକୁ ରଖିଛି ?ସରସ୍ୱତୀ ଚିଡ଼ିଯାଇ କହିଲା,ଶୁନ ଦିଦି,ବଡ଼ନୁକ  ହଉ କି ଛୁଟ ନୁକ ହଉ,ମଦୁଆ ଯିଏ,ବେ**ଆ ସିଏ  |ବୁଝିଲୁ ?ବାସନ ମାଜିସାରି ତର ତର ହୋଇ ଘର ଓଳାଇ ସରସ୍ୱତୀ ଚାଲିଗଲା |ତା କଥା ବନହଂସୀ କାନରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା |
                    ସେଦିନ ଅପରାହ୍ନରେ ଆସିଲାବେଳକୁ ସରସ୍ଵତୀର ମିଞ୍ଜାସ  ଭଲ ଥିଲା,ବୋଧହୁଏ ଖରାବେଳେ ଟିକେ ଭଲରେ ଶୋଇ ପଡିଥିଲା |ବନହଂସୀକୁ ଦେଖି ହସି ପକାଇ କହିଲା,ଦିଦି,ତତେ ଡ୍ରେସ ଭାରି ମାନୁଛି ,ତୁ ସବୁବେଳେ ଡ୍ରେସ ପିନ୍ଧିବୁ,ତୋ ଶାଶୁ ବି ପିନ୍ଧେ |ବନହଂସୀ ମୁରୁକି ହସି କହିଲା,ତମେ ଡ୍ରେସ ପିନ୍ଧ ?ସରସ୍ୱତୀ ମୁଣ୍ଡ ହଲାଇ କହିଲା,ହୁଁ |ତୋ ଶାଶୁ ମତେ ଚାରିହଲ ଡ୍ରେସ ଦେଇଛି |ଶୀତଦିନେ ପିନ୍ଧେ |ମତେ ରୂପା ହାର ଦେଇଚି,ଚୁଡ଼ି ଦେଇଚି,ଷ୍ଟିଲ ବାସନ ଚାରିସେଟ ଦେଇଚି |ବାବୁ ବି ବଢ଼ିଆ ନୁକ |ମତେ ଡାକେ ସୀମନ୍ତି |ହେଲେ ମାଲ ପିଇଲେ ସେ ଖରାପ ହେଇଯାଏ |ମା'କୁ ବହୁତ ମାରେ |ମୁଁ ସେତେବେଲେ ମଝିରେ ଛିଡା ହେଇଯାଏ,ବାବୁ ଠପ କିନା ରହିଯାଏ |ମା' ମତେ ଭାରି ଭଲପାଏ |ଦିନେ ଦିନେ ମା'ବହୁତ କାନ୍ଦେ,ତିନି ଚାରିଦିନ ଉପାସ ରୁହେ|ବାବୁ ଜମା ବୁଝାଏନା |
                 ବନହଂସୀ ପଚାରିଲା,ହେଲେ ବାବୁ ମାଆକୁ ମାରେ କାହିଁକି ?ସରସ୍ୱତୀ କହିଲା,ବଡ଼ ଘର ବଡ଼ ଗୁମର ଲୋ |ବାବୁର କେତେ ମାଇକିନା ଅଛି |ମା' ଜାଣିଲେ,ଆକଟ କରେ |ବାବୁ ଖାଲି ଗୋଇଠା ମାରେ,ଭାରି ଦୁଷ୍ଟ,ଅସୁର ପରିକା |ବନହଂସୀ କହିଲା,ଏବେ ଭଲ କହୁଥିଲ,ପୁଣି ଏବେ ଖରାପ କହୁଛ ?
                     ସରସ୍ୱତୀ ଅନର୍ଗଳ ଗପି ଯାଉଥିଲା |କହିଲା,ଅନୁବାବୁ ବି ତା ବାପା ପରିକା |ରୁବିଦିଦି ର ସାନଭଉଣୀ କେତେ ସୁନ୍ଦର ଲୋ |ତା ପେଟରେ ପିଲା କରିଦେଲା |କହିଲା,ବା' ହବନି |ସେ ବେକରେ ରଶି ଦେଇ ମରିଗଲା |କଥା ଶେଷକରି ସରସ୍ୱତୀ କାନ୍ଦି ପକାଇଲା |କହିଲା,ଦିଦି ଲୋ,ତତେ ଦେଖି ଭାରି ଦୁଃଖ ଲାଗୁଚି |ତାକୁ ଜଗିଥିବୁ |ବାବୁର ସାନ ଭାଇ ଦିଟା ମା ପରି ଭାରି ଭଲ |ଏ ବାବୁ ତା ବାପା ପରି ଭାରି ଦୁଷ୍ଟ |କଥାରେ ଅଛି ପରା,ଯିମିତି ହଉ ଜଣେ,ବାପା କଳା ନେଇ ଜନମିବ |ବନହଂସୀ କହିଲା,ଏ ବାବୁ ତାହାଲେ ତାଙ୍କ ବାପାଙ୍କ ପରି ?ସରସ୍ୱତୀ ଜିଭ କାମୁଡି କହିଲା,ତୁ କଣ ଜାଣିନୁ ଯେ ମୁଁ କଇବି  ?ମୋ ପେଟରୁ କଥା କାଢ଼ିବାକୁ ଏକଥା ପଚାରିଲୁ,ନୁହଁ ?
                   ବନହଂସୀ କହିଲା,ତମର କୋଉ ପୁଅ ତାଙ୍କ ବାପାଙ୍କ ପରି ହୋଇଛି କହିଲ ?ସରସ୍ୱତୀ ଚଟ କରି କହିଲା,ବଡ଼ପୁଅ |ଘରେ ଗୁଟେ ପଇସା ରଖୁନି ଲୋ,କଣ କଇବି |ମୋ ଦୁଃଖ ମତେ ଜଣା |ଦେଖ,ମତେ ଆସି ଷାଠିଏ ଟପିଲା |ମୁଁ ପରଘରେ ପାଇଟି କରୁଛି |ଏମିତି ମଲାଯାକେ ଖଟୁଥିବି ଲୋ,ମୋ ଦୁଃଖ କେଇ ନେବେନି |ବନହଂସୀ ର ମନଦୁଃଖ ହୋଇଗଲା |ପଚାରିଲା,ତମର ଝିଅ ନାହିଁ ?
                   ସରସ୍ୱତୀ ଦୀର୍ଘନିଃଶ୍ବାସ ଛାଡି କହିଲା,ମୁଁ ତ ବଡ଼ପାପୀ,ମୋର ଝିଅ କାହୁଁ ଆସିବ ?ଆମ ଜାତିରେ ଯା'ର ଯେତେ ଝିଅ,ସେ ସେତେ ଧନୀ |ଝିଅ ମାଗିବାକୁ କେତେ ନୁକ ଆସନ୍ତି |ଛାଡ଼ ଛାଡ଼ |ବନହଂସୀ କହିଲା,ମଦ ପିଇବନି ବୋଲି ସ୍ୱାମୀଙ୍କୁ ମନା କରୁନ ?ସରସ୍ୱତୀ କହିଲା,କଇଚି ଲୋ କଇଚି |ସେ କଇଲା,ବାବୁ ନୁକ ସଅକରେ ଡେଲି ପିଉସେନ୍ତି,ମୁଁ ଏତେ ଖଟୁଚି,ଦିନେ ଦିନେ ପିଇଦେଲେ କିସ ହେଇଗଲା ?
                     ବନହଂସୀ ମନେ ମନେ ଭାବିଲା,ଠିକ କହିଛି ସେ |ବଡ଼ ଲୋକମାନେ ଯେଉଁ ପନ୍ଥା ଅବଲମ୍ବନ କରନ୍ତି,ସାଧାରଣ ଲୋକ ସେହି ପନ୍ଥା ଅନୁସରଣ କରନ୍ତି,ସେ ଭଲ ହେଉ ବା ମନ୍ଦ ହେଉ |ସରସ୍ୱତୀ ଚାଲିଗଲା |ଅଳ୍ପ ସମୟ ପରେ ଫେରିଆସି କହିଲା,ଭୁଲି ଯାଇଥିଲି ଲୋ,ରୁବିଦିଦି ଡାକିଚି,ଯିବୁ |
                                                           (27)
                      ତା ପରଦିନ ଅନୁପମ ପାର୍ଟି ଅଫିସକୁ ଯିବା  ପରେ ସେ ରୁବିଂକ ଘରକୁ ଗଲା |ସେ ରୁବିଂକୁ  ଶାନ୍ତିଦିଦିଂକ ପାଖ ଫ୍ଲାଟକୁ ଯିବା କଥା କହିଲା |ତା କଥା ଶୁଣି ରୁବି ଗମ୍ଭୀର ହୋଇଗଲେ |ଅନେକ ସମୟପରେ କହିଲେ,ତୁ  ଶାନ୍ତି ଦିଦିଂକ ଝିଅକୁ ଦେଖିଛୁ ?ବନହଂସୀ କହିଲା,ନାଁ,ମୁଁ ଆଉ କେତେବେଳେ ଦେଖିଲି ?ରୁବି କହିଲେ,ତୁ ସନ୍ଧ୍ୟା ପରେ ଆସେ, ଗୁଡି ଶୋଇ  ସାରିବାପରେ, ତତେ ଗୋଟିଏ ଜିନିଷ ଦେଖେଇବି |ବନହଂସୀ ସେଠାରୁ ଚାଲିଆସିଲା ଓ ସନ୍ଧ୍ୟା  ଦେଇସାରିବା ପରେ ପୁଣି ତାଂକ ଘରକୁ ଗଲା |ଗୁଡିକୁ ଶୀଘ୍ର ଖୁଆଇ,ସେ ଶୋଇବା ପରେ ରୁବି କହିଲେ,ମୁଁ ଆଜି ତତେ ଏମିତି ଗୋଟିଏ ଜିନିଷ ଦେଖେଇବି,ଯାହାକୁ ଦେଖିବା ପାଇଁ ତୋର ଧୈର୍ଯ୍ୟ ରହିବା ଦରକାର |ବନହଂସୀର ଉତ୍କଣ୍ଠା ବଢି ଯାଇଥିଲା |ସେ କହିଲା,ମୁଁ ନିଶ୍ଚିତ ଭାବରେ ଦେଖିବି,ମୋର ଧୈର୍ଯ୍ୟ ଥାଉ ବା ନଥାଉ |
                    ଗୁଡି ଶୋଇଥିବା ରୁମର କବାଟ ଆଉଜାଇ ଦେଇ ସେ ବନହଂସୀକୁ ଡ୍ରଇଂରୁମକୁ ନେଇଗଲେ |ସେଠାରେ  କମ୍ପ୍ୟୁଟର ଅନ କରି ଏକ ସିଡି ଲଗାଇଲେ |ତାହା ଗୋଟିଏ ବିବାହୋତ୍ସବର ଭିଡିଓ ରେକଡିଂ ଥିଲା |ସେଥିରେ ଜଲି ଓ ଅନୁପମ ଏକତ୍ର ନୃତ୍ୟ କରିବାର ଦୃଶ୍ୟ ରହିଥିଲା |ଆଉ ଗୋଟିଏ ସିଡିରେ ଏକ ଜନ୍ମଦିନ ପାର୍ଟିରେ ଅନୁପମ ଓ ଜଲି  ଥିଲେ |ବନହଂସୀ କହିଲା,ଏ ସବୁ ତ ମୁଁ ଆଗରୁ ଦେଖି ସାରିଛି | ୟାକୁ ଦେଖି ମୋର ଅଧୈର୍ଯ୍ୟ ହେବାର କି କାରଣ ଅଛି ?
                      ରୁବି କହିଲେ,ଏସବୁ ରେକଡିଂ ଅନୁର ଜ୍ଞାତସାରରେ ହୋଇଛି |ତାର ଅଜ୍ଞାତସାରରେ ମଧ୍ୟ କିଛି ଦୃଶ୍ୟ ରେକଡିଂ କରାଯାଇଛି |ଦେଖିବୁ ?ବନହଂସୀ କୌତୁହଳୀ ହୋଇ କହିଲା,ନିଶ୍ଚୟ |
                       ଏଥର ରୁବି ପ୍ଲେ ଆରମ୍ଭ କଲେ |ଗୋଟିଏ ହୋଟେଲର ଏକ କୋଠରୀର ଦୃଶ୍ୟ |ରୁମ ଭିତରକୁ ଅନୁପମ ପ୍ରବେଶ କଲା,ସାଂଗରେ ଏକ ସୁନ୍ଦରୀ ତରୁଣୀ |ରୁବି କହିଲେ,ୟେ ଶାନ୍ତି ଦିଦିଂକ ଝିଅ |ବନହଂସୀର ପାଦତଳୁ ମାଟି ଖସିଯିବାପରି ଲାଗୁଥିଲା |ତାପରେ ଆରମ୍ଭ ହେଲା,ବିଭିନ୍ନ ଭଂଗୀରେ ଦୁହିଂକ ମିଳନର ଦୃଶ୍ୟ |ବିସ୍ତୃତଭାବେ ଏକ ଗୁପ୍ତ କ୍ଲୋଜ ସର୍କିଟ କ୍ୟାମେରାରେ ସେସବୁ ରେକଡିଂ କରାଯାଇଥିଲା |ବନହଂସୀର ଧୈର୍ଯ୍ୟଚ୍ୟୁତି ଘଟିଲା |ଆଉ ସେ ନିଜକୁ ସମ୍ଭାଳି ପାରିଲାନି |ଧଡ଼ କରି ଉଠି ଛିଡା ହୋଇଗଲା ଓ ଏକମୁହାଁ ହୋଇ ଘରକୁ ଚାଲିଆସିଲା |ବହୁତ କଷ୍ଟରେ କବାଟ ଖୋଲିବା କଥା ତାର ମନେଥିଲା |ତାପରେ ସେ ସେଇ ଦୁଆର ମୁହଁରେ ଅଚେତନ ହୋଇ ପଡିଗଲା |
                       ତାର ଚେତା ଫେରିବାବେଳକୁ ନର୍ସିଂହୋମର ଏକ ଶଯ୍ୟାରେ ନିଜକୁ ଆବିଷ୍କାର କଲା |ନିକଟରେ ତାର ପିତାମାତା ଓ ଭଉଣୀ ବସିଥିଲେ |ସାମ୍ନାରେ  ଅନୁପମ ଗାଲରେ ହାତଦେଇ ଛିଡା ହୋଇଥିଲା |ଅନୁପମକୁ ଦେଖି ବନହଂସୀ କ୍ରୋଧ ଓ ଘୃଣାରେ ଥରିଉଠିଲା |ସେ ହାତ ଛିଂଚାଡି ସାଲାଇନ୍ ଛୁଂଚି ଖୋଲିବାକୁ ଚେଷ୍ଟା କଲା |ଅନୁପମ ଆସି ତା ହାତ ଚାପି ଧରିଲା |ବନହଂସୀ କହିଲା,ମା' ତାଂକୁ କହିଦିଅ,ସେ ଏଠାରୁ ଚାଲିଯିବେ |ମୁଁ ତାଂକ ମୁହଁ ଦେଖିବାକୁ ଚାହେଁନା |
                      ବନହଂସୀର ମା' ଆଖିର ଇଶାରାରେ ଅନୁପମକୁ ସେଠାରୁ ଚାଲିଯିବାକୁ କହିଲେ |ଅନୁପମ ସେଠାରୁ ଚାଲିଗଲା |ତା ଯିବା ବାଟକୁ ଥରେ ଚାହିଁ ବନହଂସୀ ଆଖିପତା ବୁଜିଦେଲା |ତାର ମୁଦ୍ରିତ ଆଖି ଦୁଇଟିରୁ ଅନବରତ ଲୁହ ଝରୁଥିଲା |ତାପରେ ସେ ଧୀରେ ଧୀରେ ଆଖିଖୋଲି ମାଆଂକୁ ଚାହିଁ କହିଲା,ମା' ତମ ଅଭିଶାପର ଫଳ ମୁଁ ଆଜି ଭୋଗୁଛି |ମା' ତା ମୁହଁରେ ହାତ ଦେଇ କହିଲେ,ତୁ ପାଗଳୀଂକ ପରି   କଣ କହୁଛୁ ?ଅନୁ ଭଲପିଲା |ତାର କିଛି ଦୋଷ ନାହିଁ |ଏ ଦୁନିଆଁରେ ବହୁତ ପ୍ରକାର ଲୋକ ଅଛନ୍ତି |ତୁ ଯେଉଁମାନଂକୁ ତୋ ଅତି ନିଜର ବୋଲି ଭାବୁଛୁ,ସେଇମାନେହିଁ ତୋର ଶତ୍ରୁ |ଶୁଣ,ଆମେ ତତେ ଅଭିଶାପ ଦେଇନୁ |ତୋ ଉପରେ ନିଶ୍ଚିତଭାବରେ ଆମର ରାଗ ଥିଲା |କିନ୍ତୁ ଆମେ ଏବେ ଜାଣୁଛୁ,ଅନୁ ବହୁତ ଭଲପିଲା |ବନହଂସୀ କହିଲା,ତମେ କିଛି ଜାଣିନ ମା'
ମା ତାକୁ ରୋକିଦେଇ କହିଲେ,ତୁ କିଛି ଜାଣିନୁ |ତୁ କଣ କେବେ ଏକଥା ବିଶ୍ବାସ କରିବୁ ଯେ,ରୁବି ଆଉ ସୁରେଶ ମିଶି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏସବୁ ଷଡଯନ୍ତ୍ର କରୁଥିଲେ ବୋଲି !
                     ବନହଂସୀ କହିଲା,ରୁବିଅପା ବହୁତ ଭଲ ମା' |ତମେ ତାଂକୁ ଜାଣିନ ,ତାଂକରି ପାଇଁ.........
                       ମା' କହିଲେ,ତାଂକରି ପାଇଁ ତୋର ଏ ଅବସ୍ଥା |ସୁରେଶ ରୁବିର ଦୂର ସମ୍ପର୍କୀୟ ଭାଇ |ଯେବେଠାରୁ ଆନନ୍ଦ ଦାସ ଅନୁପମକୁ ଲିଫ୍ଟ ଦେଲେ,ସେବେଠାରୁ ସୁରେଶ ଅନୁପମର ଶତ୍ରୁ ହୋଇଯାଇଛି |ଆଉ ଯେଉଁଦିନ ଅନୁପମ ୟୁଥ ପ୍ରେସିଡେଣ୍ଟ ହେଲା,ସେଦିନ ସୁରେଶ ପାଗଳପ୍ରାୟ ହୋଇଯାଇଥିଲା |ରୁବି ଘରେ ଯାହାସବୁ ଦେଖିଲୁ,ସବୁ ଜାଲ ଓ ନକଲି |ରୁବିକୁ ପୋଲିସ ଆରେଷ୍ଟ କରିଛି ଓ ସେ ସବୁକଥା ସ୍ଵୀକାର  କରିଯାଇଛି |
                       ବନହଂସୀର ମୁଣ୍ଡରେ କିଛି ପ୍ରବେଶ କରିପାରୁନଥିଲା |ତା ପରଦିନ ଟିକିଏ ସୁସ୍ଥ ଅନୁଭବ କଲାପରେ ଧୀରେ ଧୀରେ ସବୁକଥା ଜାଣିବାକୁ ପାଇଲା |ସେ ସୁରେଶକୁ ସନ୍ଦେହ କରୁଥିଲା ଓ ଅନୁପମ ରୁବିକୁ ସନ୍ଦେହ କରୁଥିଲା |କିନ୍ତୁ ଦୁହେଁ ଜାଣିନଥିଲେ ଯେ ଉଭୟେ ମିଶି ଅନୁପମ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ |ଏଥିପାଇଁ ସେମାନେ ବନହଂସୀକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ |ରୁବିଂକ ପରାମର୍ଶକ୍ରମେ ତାଂକ ଘର ପାଖାପାଖି ଘରଟି ସୁରେଶ ଅନୁପମ ପାଇଁ ଠିକ କରିଥିଲା |ରାଜହଂସୀ କହୁଥିଲା,ସେଦିନ ସେ ବେହୋସ ହୋଇ ଅନେକସମୟ ଯାଏଁ ପଡିରହି  ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥାନ୍ତା ଯଦି ଠିକ ସମୟରେ ସରସ୍ୱତୀ  ଆସି ଖବର ଦେଇ ନଥାନ୍ତା |ସରସ୍ୱତୀ  କିଛି ଉପାୟ ନପାଇ ତା ସ୍ୱାମୀକୁ  ପାର୍ଟି ଅଫିସକୁ ପଠାଇ ଅନୁପମକୁ ଡକାଇ ଆଣିଥିଲା |ସେ ହିଁ କହିଥିଲା,ରୁବିଂକ ଘରେ ଗୋଟାଏ ଲଂଗଳା ସିନେମା ଦେଖି ତାର ଏ ଅବସ୍ଥା ହୋଇଛି |ସଂଗେ ସଂଗେ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ସେ ନକଲି  ଫିଲ୍ମ ସହିତ ଅନ୍ୟ କେତୋଟି କ୍ୟାସେଟ ରୁବିଂକ ଘରୁ ଜବତ କରାଯାଇଛି |କିନ୍ତୁ ୟା ଭିତରେ ଗର୍ଭପାତ ହୋଇ ତା ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା |
                     ଦୁଇଦିନ ପରେ ଅନୁପମ ଏକ ଦଶ ଏଗାର ବର୍ଷର ଝିଅକୁ ନେଇ ପହଂଚିଲା |କହିଲା,ଇଏ ଶାନ୍ତି ଦିଦିଂକ ଝିଅ |ବନହଂସୀ ଆଶ୍ଚର୍ଯ୍ୟ ହୋଇଗଲା |ଏତେ ଛୋଟ ଝିଅ--କିନ୍ତୁ ସିଡିରେ ରୁବିଅପା ଯାହାକୁ ଶାନ୍ତି ଦିଦିଂକ ଝିଅ ବୋଲି ଚିହ୍ନାଇ ଦେଇଥିଲେ,ସେ ଜଣେ ସ୍ବାସ୍ଥ୍ୟବତୀ ଯୁବତୀ ଥିଲା |ଅନୁପମ କହିଲା,ଏଇ ତାଂକର ଗୋଟିଏ ବୋଲି ଝିଅ |ତମେ ପରକଥା ବିଶ୍ୱାସ  କଲ,ମୋକଥା ବିଶ୍ୱାସ  କଲନାହିଁ |ଜଲି ସେଇପରି ଝିଅ ଥିଲାବୋଲି ମୁଁ ତାଠାରୁ ଦୂରେଇ ଯାଇଥିଲି |କଥାଟା ଏତେ ଅସୁନ୍ଦର ଯେ ମୁଁ ଇଚ୍ଛା କରି ବି ତମକୁ କହିପାରିନଥିଲି |ତେବେ କଥା ଯେତେବେଳେ ଏତେ ଦୂର ଗଲାଣି,ସତକଥା ଏବେ କହୁଛି,ଶୁଣ |ପ୍ରକୃତରେ ଜଲି ପ୍ରେଗନାଣ୍ଟ ଥିଲା |କିନ୍ତୁ ସେଥିପାଇଁ ସୁରେଶ ଦାୟୀ ଥିଲା |ଯେତେବେଳେ ଜଲି ସୁରେଶକୁ ବିବାହ ପାଇଁ ବାଧ୍ୟ କଲା,ସେତେବେଳେ ସେ ସିଧା ମନା କରିଦେଲା ଆଉ ତାକୁ ତାର ଅନ୍ତରଂଗ ମୂହୁର୍ତ୍ତର ସିଡି ଦେଖାଇ ବ୍ଲାକମେଲ୍ କରିବାକୁ ଲାଗିଲା |ଜଲି ଏଥିରେ ବ୍ୟଥିତ ହୋଇ ଆତ୍ମହତ୍ୟା କଲା |କିନ୍ତୁ ସୁରେଶ କାଳ୍ପନିକ କାହାଣୀ କହି ରୁବିଂକ ମନରେ ଧାରଣା ସୃଷ୍ଟି କଲା ଯେ ସେଥିପାଇଁ ତା ଭିଣୋଇ ମାନେ,ରୁବିଅପାଂକ ସ୍ୱାମୀ  ଦାୟୀ |ସେଥିପାଇଁ ମୁଁ ଯେତେବେଳେ ଡି.ଏନ.ଏ. ଟେଷ୍ଟ ପାଇଁ କୋର୍ଟକୁ ଆବେଦନ କଲି ସେତେବେଳେ ସେମାନେ ଏହାକୁ ସାମାଜିକ  ପ୍ରତିଷ୍ଠା ର ଆଳ ଦେଖାଇ କୋର୍ଟରୁ କେଶ ପ୍ରତ୍ୟାହାର କରି ଆଣିଲେ |ଅଥଚ ଲୋକଂକ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହେଲା ଯେ ମୋ ଡାଡି ତାଂକ ଅର୍ଥବଳରେ ଏସବୁ କାମ କରାଇ ନେଲେ |ମିଛକଥା କହି ଦିନେ ଲୋକଂକୁ ଭୁଲାଇ ଦେଇ ହେବ କିନ୍ତୁ ସବୁଦିନ ପାଇଁ ନୁହେଁ |ରୁବିଅପା ନିଜ ଗାତ ନିଜେ ଖୋଳିଛନ୍ତି |ଏବେ ଯାହା କିଛି ହେବ,ସବୁ ପାଇଁ ସେ ନିଜେ ହିଁ ଦାୟୀ ହେବେ |
                  ବନହଂସୀ ଅନୁପମକୁ କିଛିସମୟ ଚାହିଁଲା |ତାପରେ ଆଖିପତା ବନ୍ଦ କରିଦେଲା |ରୁବିଅପାଂକ କଥା ତାର ଗୋଟି ଗୋଟି ହୋଇ ମନେ ପଡୁଥିଲା |ଏତେ ସୁନ୍ଦର କଥାବାର୍ତ୍ତା ,ତା ଭିତରେ ଏତେ ଛଳନା !!
                     ଅନୁପମ ଆସି ବନହଂସୀ ପାଖରେ ବସିପଡି,  ତା ହାତମୁଠାକୁ ନିଜ ହାତମୁଠାରେ ଚାପି ଧରି କହିଲା,ବୁନୁ,ତମେ କେବେହେଲେ ବିଶ୍ୱାସ  କରିବନି,ତମର ଏଇ ଦୁର୍ଘଟଣା ଦିନଠାରୁ ମୁଁ ଆଦୌ ଡ୍ରିଂକ କରିନାହିଁ |ମୁଁ ମଧ୍ୟ ମମିଂକ ପାଖରେ ଶପଥ କରିଛି ଯେ ଆଉ କେବେହେଲେ ଡ୍ରିଂକ କରିବିନି |ହେଲେ,ମୋର ଅନୁରୋଧ,ମତେ ଟିକିଏ ହେଲ୍ପ କରିବ |ପିଲାଦିନୁ ବେପରୁୱା ହୋଇ ମୁଁ ବିଗିଡି ଯାଇଛି |ତମ ସହଯୋଗ ପାଇଲେ,ସବୁ ଠିକ ହୋଇଯିବ |ତମେ ମତେ ଅନେକ ଚାନ୍ସ ଦେଇଛ,ଭାବିନିଅ,ଇଏ ଲାଷ୍ଟ ଚାନ୍ସ |
                  ବନହଂସୀ ଅନୁପମକୁ ଚାହିଁଲା |ସତରେ କଣ ୟେ ଅନୁପମର ଅନ୍ତରର କଥା ?ଏଇ ସମୟରେ ସମୁଦାୟ କୋଠରୀଟି ଏକ ଅପୂର୍ବ ମହକରେ ଭରିଗଲା |ବନହଂସୀ ବୁଲି ଚାହିଁଲା |ସେ ଧଳାଛାଇଟି ତା ସମୁଖ  ଦେଇ ଅପସରି ଗଲା |ଏଥରକ ସେ ହସୁଥିଲା ଓ ତା ଅସ୍ପଷ୍ଟ ମୁହଁଟି 'ଜଲି' ପରି ଦିଶୁଥିଲା  |ସେମିତି ହସୁ ହସୁ ସେ କୋଠରିରୁ ଅଦୃଶ୍ୟ ହୋଇଗଲା |ହୁଏତ ସେ କହୁଥିଲା,ଅନୁପମ ଏଥରକ ମିଛ କହୁନାହିଁ,ତୁ ମାନିଯାଆ .......|(ସମାପ୍ତ)  

No comments:

Post a Comment