Saturday, January 18, 2020

ନିଶୀଥ ଜ୍ୟୋତ୍ସ୍ନା (୨୬ ଓ 27)

                     ସେଦିନ ରାତି ଦଶଟାରେ ଅନୁପମ ଘରକୁ ଫେରିଲା |ଖୁସିରେ ସେ ଉଛୁଳି ଉଠୁଥିଲା |ଘରେ ପହଂଚି  ଆନନ୍ଦାତିଶଯ୍ୟରେ ବନହଂସୀକୁ ଟେକି ପକାଇ କହିଲା,ବୁନୁ,ଆଜି ମୋର  ଅତି ଆନନ୍ଦର ଦିନ |ଜାଣିଛ,କଣ ହୋଇଛି ?ମୁଁ 'ପ୍ରଜାମଣ୍ଡଳ'ର ୟୁଥ ପ୍ରେସିଡେଣ୍ଟ ରୂପେ ମନୋନୀତ ହେଲି ଆଉ ସୁରେଶକୁ ଦଳବିରୋଧୀ କାର୍ଯ୍ୟ ଯୋଗୁଁ ,ଛଅବର୍ଷ ପାଇଁ ପାର୍ଟିରୁ ସସପେଣ୍ଡ କରାଗଲା |ଯେଉଁ ଗାତ ସେ ମୋ ପାଇଁ ଖୋଳୁଥିଲା,ସେଇ ଗାତରେ ସେ ନିଜେ ପଡିଲା |ଆଉ ଗୋଟେ ଖୁସି ଖବର ବି ମୁଁ ତମପାଇଁ ଆଣିଛି |ଶାନ୍ତି ଦିଦିଂକ ପାଖ ଫ୍ଲାଟ ଖାଲି ହୋଇଯାଇଛି,ଆଉ  ଦୁଇଦିନ ପରେ ଆମେ ସେଠିକି ଚାଲିଯିବା |କାଲିଠାରୁ ତମେ ପାକିଂ ଆରମ୍ଭ କରିଦିଅ |
                   ବନହଂସୀ କହିଲା,ସେସବୁ ଠିକ |ମୁଁ କିନ୍ତୁ ରାତିରେ ଏକୁଟିଆ ରହି ପାରିବିନି |ଅନୁପମ କହିଲା,ସେଇଠି ଆଦୌ ଭୟ ନାହିଁ,ଚବିଶ ଘଣ୍ଟା ସିକ୍ୟୁରିଟି |ସେ ଜାଗା ଦେଖିଲେ,ତମ ମନ ଖୁସି ହୋଇଯିବ |ଶାନ୍ତି ଦିଦିଂକୁ ତମେ ଜାଣିଛ,ସେ ସବୁବେଳେ ଆମ ପାଖରେ ରହିବେ  |ମୁଁ ନଥିଲାବେଳେ ତମେ ଯାଇଁ ତାଂକଘରେ ଶୋଇପଡିବ |ନହେଲେ ତାଂକ ଝିଅ ଆସି ତମ ପାଖରେ ଶୋଇପଡିବ |ବନହଂସୀ ମନେ ମନେ ଭାବୁଥିଲା,ତାପାଇଁ,ପୁଣି  ଗୋଟିଏ ନୂଆ ସମସ୍ୟା ଆରମ୍ଭ ହୋଇଗଲା |ନୂଆ ବାତାବରଣରେ ସେ କିପରି ଭାବରେ ତାଳମେଳ ରକ୍ଷା କରିପାରିବ,ତା କେବଳ ସମୟ ହିଁ କହିବ |ଅନୁପମ ପୁଣି କହିଲା,କାଲି ଆମ ପାର୍ଟି ଅଫିସରେ ବିରାଟ ସ୍ୱାଗତ  ସମାରୋହ  ଉତ୍ସବ ହେବ |ମୁଁ ଦିନସାରା ସେଇଠି ରହିବି ,ତମେ ପ୍ଲିଜ ଟିକେ ଆଡଜଷ୍ଟ  କରିନେବ,ଗୋଟେ ଦି'ଟା ପେଗ ଅଧିକା ହୋଇଗଲେ,ମାଇଣ୍ଡ କରିବନି  |ବନହଂସୀ କହିଲା,ଯାହା ତମ ଇଚ୍ଛା |
                        କିନ୍ତୁ ସେଦିନ ଅନୁପମ ଘରକୁ ଶୀଘ୍ର ଫେରିଆସିଲା |କହିଲା,ବୁନୁ,ଆଜି ଘରେ ଆମେ ଗ୍ରାଣ୍ଡ ସେଲିବ୍ରେସନ କରିବା |ଏହା କହିବା ସଂଗେ ସଂଗେ ସେ ତା ବ୍ୟାଗରୁ ଦୁଇଟା ମଦ ବୋତଲ ବାହାର କଲା |ବନହଂସୀ ର ଆଖି ବଡ ବଡ ହୋଇଗଲା |ସେ କହିଲା,କଣ ଦୁଇଟା ଯାକ ବୋତଲ ଏକା ସାଙ୍ଗରେ ପିଇଦେବ ?ତମ ଜୀବନ ଆଉ ରହିବ ଟି ?ୟାକୁଇ କଣ ସେଲିବ୍ରେସନ କହନ୍ତି ?ଅନୁପମ ରାଗରେ ପାଚିଗଲା |କହିଲା,ତମେ କାହାକୁ ସୁଖ ଦେବା ଜାଣିନ କି କାହାର ସୁଖ ସହି ପାରନି |ଛିଃ !!ତମ ସାଙ୍ଗେ କଥାବାର୍ତ୍ତା କରିବା ହିଁ ଭୁଲ |ତମକୁ କଥା କହି ଆସେନା |ଏମିତି ମଦ ଖାଇ କେତେ ଲୋକ ମରିଯାଉଛନ୍ତି !ବୁଝିଲ,ୟାରି ଉପରେ ଦେଶର ଅର୍ଥନୀତି ନିର୍ଭର କରୁଛି |ବନହଂସୀ ନିଃଶବ୍ଦରେ ସେଠାରୁ ଚାଲିଯାଉଥିବାବେଳେ ଅନୁପମ କହିଲା,ଶୁଣ,କିଛି ରାନ୍ଧନା |ମୁଁ ହୋଟେଲରୁ ଆଣୁଛି,ଖାଇବା |ତା ମତାମତକୁ ଅପେକ୍ଷା ନକରି ଅନୁପମ ସେଠାରୁ ଝଡ଼ବେଗରେ ଚାଲିଗଲା ଓ ଘଣ୍ଟାଏ ଭିତରେ ଫେରିଆସିଲା |ସାଙ୍ଗରେ ମଟନ ବିରିୟାନୀ,କଚମ୍ବର,ଚିଲି ଚିକେନ ଓ ନାନ ର ଏକ ବଡ଼ ପ୍ୟାକେଟ ଆଣିଥିଲା |କହିଲା,ଥଣ୍ଡା ହୋଇଯିବ,ସାଙ୍ଗେ ସାଙ୍ଗେ ଖାଇଦେବା |ପୁଣି ଟିକିଏ ଚିନ୍ତା କରି କହିଲା,ଟିକେ ରୁହ,ମୁଁ ଟିକିଏ ଫ୍ରେଶ ହୋଇଯାଏ,ତାପରେ ଖାଇବା |
                       ବାଥରୁମରେ ଗାଧୋଇ,ନିଜର ଘରୋଇ ପୋଷାକ ପିନ୍ଧି ସେ ଆସିଲା |ଗ୍ଲାସରେ ମଦ ଢାଳି ସେ ଏକାସାଙ୍ଗରେ ଦୁଇଗ୍ଲାସ ପିଇଦେଲା |ତାପରେ ଗୋଡ଼ ଉପରେ ଗୋଡ଼ ରଖି ଆରାମରେ ବସି ସିଗାରେଟ ଟାଣି,ସେଦିନର ଘଟଣା ବର୍ଣ୍ଣନା କରିବାକୁ ଲାଗିଲା |କିଭଳି ପରିସ୍ଥିତିରେ ତାକୁ ୟୁଥ ପ୍ରେସିଡେଣ୍ଟ କରାଗଲା,ଆନନ୍ଦବାବୁ କିପରି ତାର ତାରିଫ କଲେ,ସୁରେଶକୁ କିପରି ଅପମାନିତ କରାଗଲା,ସବୁ ବନେଇ ଚୁନେଇ ସେ ଦୀର୍ଘ ସମୟ ଧରି ଗପିବାକୁ ଲାଗିଲା |ତାପରେ ଖାଇବା ପର୍ବ ଆରମ୍ଭ ହେଲା |ଖାଇବାବେଳେ ମଧ୍ୟ ତାର କଥା ଶେଷ ହେଲାନାହିଁ |ଯେତେବେଳେ ସେ ଆଉ କଥା କହିପାରିଲାନି,କଥା ଗୁଡିକ ଢ଼ୋକି ହୋଇଗଲା,ସେତିକିବେଳେ ତାର ଗପ ବନ୍ଦ ହେଲା |ସେତେବେଳକୁ ରାତି ଗୋଟାଏ |ବନହଂସୀ ତଟସ୍ଥ ହୋଇ ତାର ସମସ୍ତ କଥା ଶୁଣୁଥିଲା |ଅନୁପମ ହାତଧୋଇ ସାଙ୍ଗେ ସାଙ୍ଗେ ବିଛଣାରେ ଶୋଇପଡ଼ିଲା |ଦଶ ମିନିଟ ମଧ୍ୟରେ ହିଁ ସେ ଗାଢ଼ ନିଦ୍ରାରେ ଶୋଇ ଘୁଙ୍ଗୁଡ଼ି ମାରିବାରେ ଲାଗିଲା |
                       ପରଦିନ ଖୁବ ସକାଳୁ କଲିଂବେଲ ଆବାଜ ଶୁଣି ବନହଂସୀ ର  ନିଦ ଭାଙ୍ଗିଗଲା |ନିଦ ମଳ ମଳ ଆଖିରେ ସେ ଘଣ୍ଟାକୁ ଚାହିଁ ଦେଖିଲା,ପାଞ୍ଚଟା ଦଶ |କବାଟ ଖୋଲି ଦେଖିଲା,ସରସ୍ୱତୀ ଛିଡା ହୋଇଛି |ସେ ବିରକ୍ତ ହୋଇ କହିଲା,ବାସନ ମାଜିବ ବୋଲି କଣ ରାତିରେ ଟିକେ ଶୁଆଇ ଦବନି ?ସରସ୍ୱତୀ ମୁହଁ ଶୁଖାଇ କହିଲା,ରୁବିଦିଦି ଘରକୁ ଯାଇଥିଲି ଯେ,କବାଟ ବାଡେଇ ବାଡେଇ ଜମା ଉଠିଲାନି |ସେଇଥିପାଇଁ ଏଠିକି ଚାଲି ଆସିଲି |ମୁଁ ଯାଉଛି,ସାତଟାରେ ଆସିବି |ବନହଂସୀ କହିଲା,ଆସିଲଣି ଯେତେବେଳେ,ଫେରିଯିବ କାହିଁକି ?ସରସ୍ୱତୀ ଖୁସିହୋଇ ବାସନ ମାଜିବାରେ ଲାଗିଲା |ବାସନ ମାଜିବା ଅଧାରୁ କହିଲା,କଣ କହିବି ଲୋ ଦିଦି,ରାତିସାରା ଶୋଇନି |ବନହଂସୀ ପଚାରିଲା,କାହିଁକି ?
     --ବୁଢ଼ା ପେଟେ ମାଲ ପକେଇ ରାତିସାରା ବକର ବକର ହେଲା |ମୋ ନାତୁଣୀ କୁ ଚାରି ପାଞ୍ଚ ଗୋଇଠା ମାରିଲା |ତାପରେ ଖାଇକି ଶୁଇଲା ଯେ,ଘୁଙ୍ଗୁଡ଼ି ଶବଦରେ ଆମେ ଶୁଇ ପାରିଲୁନି |
                   ବନହଂସୀ ତା କଥା ଶୁଣି ନିରୁତ୍ତର ରହିଲା |କିଛିସମୟ ପରେ ପଚାରିଲା,ତମ ସ୍ୱାମୀ କି କାମ କରନ୍ତି ?ସରସ୍ୱତୀ କହିଲା,କୁକୁଡ଼ା ଦୁକାନରେ ଜଗି ହଜାରେ ପାଉଚି |ସେଇ ଟଙ୍କା ତା ମଦ ଖରଚକୁ ନଅଣ୍ଟ ,ପୁଣି ମୋ ଠୁ ମାଗିକି ନିଏ |ବନହଂସୀ କହିଲା,ତାଙ୍କୁ ଟଙ୍କା ଦେବାକୁ ମନା କରିଦିଅ |ସରସ୍ୱତୀ ଜିଭ କାମୁଡି କହିଲା,ହେଏ ,ମାରି ପକେଇବ ଲୋ ଦିଦି |
                    ବନହଂସୀ ନିଜ କୌତୁହଳ ଦମନ କରିନପାରି କହିଲା,ତମେ ତାର ଗୋଟିଏ ନାଁ ସେ ଆଉ କାହାକୁ ରଖିଛି ?ସରସ୍ୱତୀ ଚିଡ଼ିଯାଇ କହିଲା,ଶୁନ ଦିଦି,ବଡ଼ନୁକ  ହଉ କି ଛୁଟ ନୁକ ହଉ,ମଦୁଆ ଯିଏ,ବେ**ଆ ସିଏ  |ବୁଝିଲୁ ?ବାସନ ମାଜିସାରି ତର ତର ହୋଇ ଘର ଓଳାଇ ସରସ୍ୱତୀ ଚାଲିଗଲା |ତା କଥା ବନହଂସୀ କାନରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା |
                    ସେଦିନ ଅପରାହ୍ନରେ ଆସିଲାବେଳକୁ ସରସ୍ଵତୀର ମିଞ୍ଜାସ  ଭଲ ଥିଲା,ବୋଧହୁଏ ଖରାବେଳେ ଟିକେ ଭଲରେ ଶୋଇ ପଡିଥିଲା |ବନହଂସୀକୁ ଦେଖି ହସି ପକାଇ କହିଲା,ଦିଦି,ତତେ ଡ୍ରେସ ଭାରି ମାନୁଛି ,ତୁ ସବୁବେଳେ ଡ୍ରେସ ପିନ୍ଧିବୁ,ତୋ ଶାଶୁ ବି ପିନ୍ଧେ |ବନହଂସୀ ମୁରୁକି ହସି କହିଲା,ତମେ ଡ୍ରେସ ପିନ୍ଧ ?ସରସ୍ୱତୀ ମୁଣ୍ଡ ହଲାଇ କହିଲା,ହୁଁ |ତୋ ଶାଶୁ ମତେ ଚାରିହଲ ଡ୍ରେସ ଦେଇଛି |ଶୀତଦିନେ ପିନ୍ଧେ |ମତେ ରୂପା ହାର ଦେଇଚି,ଚୁଡ଼ି ଦେଇଚି,ଷ୍ଟିଲ ବାସନ ଚାରିସେଟ ଦେଇଚି |ବାବୁ ବି ବଢ଼ିଆ ନୁକ |ମତେ ଡାକେ ସୀମନ୍ତି |ହେଲେ ମାଲ ପିଇଲେ ସେ ଖରାପ ହେଇଯାଏ |ମା'କୁ ବହୁତ ମାରେ |ମୁଁ ସେତେବେଲେ ମଝିରେ ଛିଡା ହେଇଯାଏ,ବାବୁ ଠପ କିନା ରହିଯାଏ |ମା' ମତେ ଭାରି ଭଲପାଏ |ଦିନେ ଦିନେ ମା'ବହୁତ କାନ୍ଦେ,ତିନି ଚାରିଦିନ ଉପାସ ରୁହେ|ବାବୁ ଜମା ବୁଝାଏନା |
                 ବନହଂସୀ ପଚାରିଲା,ହେଲେ ବାବୁ ମାଆକୁ ମାରେ କାହିଁକି ?ସରସ୍ୱତୀ କହିଲା,ବଡ଼ ଘର ବଡ଼ ଗୁମର ଲୋ |ବାବୁର କେତେ ମାଇକିନା ଅଛି |ମା' ଜାଣିଲେ,ଆକଟ କରେ |ବାବୁ ଖାଲି ଗୋଇଠା ମାରେ,ଭାରି ଦୁଷ୍ଟ,ଅସୁର ପରିକା |ବନହଂସୀ କହିଲା,ଏବେ ଭଲ କହୁଥିଲ,ପୁଣି ଏବେ ଖରାପ କହୁଛ ?
                     ସରସ୍ୱତୀ ଅନର୍ଗଳ ଗପି ଯାଉଥିଲା |କହିଲା,ଅନୁବାବୁ ବି ତା ବାପା ପରିକା |ରୁବିଦିଦି ର ସାନଭଉଣୀ କେତେ ସୁନ୍ଦର ଲୋ |ତା ପେଟରେ ପିଲା କରିଦେଲା |କହିଲା,ବା' ହବନି |ସେ ବେକରେ ରଶି ଦେଇ ମରିଗଲା |କଥା ଶେଷକରି ସରସ୍ୱତୀ କାନ୍ଦି ପକାଇଲା |କହିଲା,ଦିଦି ଲୋ,ତତେ ଦେଖି ଭାରି ଦୁଃଖ ଲାଗୁଚି |ତାକୁ ଜଗିଥିବୁ |ବାବୁର ସାନ ଭାଇ ଦିଟା ମା ପରି ଭାରି ଭଲ |ଏ ବାବୁ ତା ବାପା ପରି ଭାରି ଦୁଷ୍ଟ |କଥାରେ ଅଛି ପରା,ଯିମିତି ହଉ ଜଣେ,ବାପା କଳା ନେଇ ଜନମିବ |ବନହଂସୀ କହିଲା,ଏ ବାବୁ ତାହାଲେ ତାଙ୍କ ବାପାଙ୍କ ପରି ?ସରସ୍ୱତୀ ଜିଭ କାମୁଡି କହିଲା,ତୁ କଣ ଜାଣିନୁ ଯେ ମୁଁ କଇବି  ?ମୋ ପେଟରୁ କଥା କାଢ଼ିବାକୁ ଏକଥା ପଚାରିଲୁ,ନୁହଁ ?
                   ବନହଂସୀ କହିଲା,ତମର କୋଉ ପୁଅ ତାଙ୍କ ବାପାଙ୍କ ପରି ହୋଇଛି କହିଲ ?ସରସ୍ୱତୀ ଚଟ କରି କହିଲା,ବଡ଼ପୁଅ |ଘରେ ଗୁଟେ ପଇସା ରଖୁନି ଲୋ,କଣ କଇବି |ମୋ ଦୁଃଖ ମତେ ଜଣା |ଦେଖ,ମତେ ଆସି ଷାଠିଏ ଟପିଲା |ମୁଁ ପରଘରେ ପାଇଟି କରୁଛି |ଏମିତି ମଲାଯାକେ ଖଟୁଥିବି ଲୋ,ମୋ ଦୁଃଖ କେଇ ନେବେନି |ବନହଂସୀ ର ମନଦୁଃଖ ହୋଇଗଲା |ପଚାରିଲା,ତମର ଝିଅ ନାହିଁ ?
                   ସରସ୍ୱତୀ ଦୀର୍ଘନିଃଶ୍ବାସ ଛାଡି କହିଲା,ମୁଁ ତ ବଡ଼ପାପୀ,ମୋର ଝିଅ କାହୁଁ ଆସିବ ?ଆମ ଜାତିରେ ଯା'ର ଯେତେ ଝିଅ,ସେ ସେତେ ଧନୀ |ଝିଅ ମାଗିବାକୁ କେତେ ନୁକ ଆସନ୍ତି |ଛାଡ଼ ଛାଡ଼ |ବନହଂସୀ କହିଲା,ମଦ ପିଇବନି ବୋଲି ସ୍ୱାମୀଙ୍କୁ ମନା କରୁନ ?ସରସ୍ୱତୀ କହିଲା,କଇଚି ଲୋ କଇଚି |ସେ କଇଲା,ବାବୁ ନୁକ ସଅକରେ ଡେଲି ପିଉସେନ୍ତି,ମୁଁ ଏତେ ଖଟୁଚି,ଦିନେ ଦିନେ ପିଇଦେଲେ କିସ ହେଇଗଲା ?
                     ବନହଂସୀ ମନେ ମନେ ଭାବିଲା,ଠିକ କହିଛି ସେ |ବଡ଼ ଲୋକମାନେ ଯେଉଁ ପନ୍ଥା ଅବଲମ୍ବନ କରନ୍ତି,ସାଧାରଣ ଲୋକ ସେହି ପନ୍ଥା ଅନୁସରଣ କରନ୍ତି,ସେ ଭଲ ହେଉ ବା ମନ୍ଦ ହେଉ |ସରସ୍ୱତୀ ଚାଲିଗଲା |ଅଳ୍ପ ସମୟ ପରେ ଫେରିଆସି କହିଲା,ଭୁଲି ଯାଇଥିଲି ଲୋ,ରୁବିଦିଦି ଡାକିଚି,ଯିବୁ |
                                                           (27)
                      ତା ପରଦିନ ଅନୁପମ ପାର୍ଟି ଅଫିସକୁ ଯିବା  ପରେ ସେ ରୁବିଂକ ଘରକୁ ଗଲା |ସେ ରୁବିଂକୁ  ଶାନ୍ତିଦିଦିଂକ ପାଖ ଫ୍ଲାଟକୁ ଯିବା କଥା କହିଲା |ତା କଥା ଶୁଣି ରୁବି ଗମ୍ଭୀର ହୋଇଗଲେ |ଅନେକ ସମୟପରେ କହିଲେ,ତୁ  ଶାନ୍ତି ଦିଦିଂକ ଝିଅକୁ ଦେଖିଛୁ ?ବନହଂସୀ କହିଲା,ନାଁ,ମୁଁ ଆଉ କେତେବେଳେ ଦେଖିଲି ?ରୁବି କହିଲେ,ତୁ ସନ୍ଧ୍ୟା ପରେ ଆସେ, ଗୁଡି ଶୋଇ  ସାରିବାପରେ, ତତେ ଗୋଟିଏ ଜିନିଷ ଦେଖେଇବି |ବନହଂସୀ ସେଠାରୁ ଚାଲିଆସିଲା ଓ ସନ୍ଧ୍ୟା  ଦେଇସାରିବା ପରେ ପୁଣି ତାଂକ ଘରକୁ ଗଲା |ଗୁଡିକୁ ଶୀଘ୍ର ଖୁଆଇ,ସେ ଶୋଇବା ପରେ ରୁବି କହିଲେ,ମୁଁ ଆଜି ତତେ ଏମିତି ଗୋଟିଏ ଜିନିଷ ଦେଖେଇବି,ଯାହାକୁ ଦେଖିବା ପାଇଁ ତୋର ଧୈର୍ଯ୍ୟ ରହିବା ଦରକାର |ବନହଂସୀର ଉତ୍କଣ୍ଠା ବଢି ଯାଇଥିଲା |ସେ କହିଲା,ମୁଁ ନିଶ୍ଚିତ ଭାବରେ ଦେଖିବି,ମୋର ଧୈର୍ଯ୍ୟ ଥାଉ ବା ନଥାଉ |
                    ଗୁଡି ଶୋଇଥିବା ରୁମର କବାଟ ଆଉଜାଇ ଦେଇ ସେ ବନହଂସୀକୁ ଡ୍ରଇଂରୁମକୁ ନେଇଗଲେ |ସେଠାରେ  କମ୍ପ୍ୟୁଟର ଅନ କରି ଏକ ସିଡି ଲଗାଇଲେ |ତାହା ଗୋଟିଏ ବିବାହୋତ୍ସବର ଭିଡିଓ ରେକଡିଂ ଥିଲା |ସେଥିରେ ଜଲି ଓ ଅନୁପମ ଏକତ୍ର ନୃତ୍ୟ କରିବାର ଦୃଶ୍ୟ ରହିଥିଲା |ଆଉ ଗୋଟିଏ ସିଡିରେ ଏକ ଜନ୍ମଦିନ ପାର୍ଟିରେ ଅନୁପମ ଓ ଜଲି  ଥିଲେ |ବନହଂସୀ କହିଲା,ଏ ସବୁ ତ ମୁଁ ଆଗରୁ ଦେଖି ସାରିଛି | ୟାକୁ ଦେଖି ମୋର ଅଧୈର୍ଯ୍ୟ ହେବାର କି କାରଣ ଅଛି ?
                      ରୁବି କହିଲେ,ଏସବୁ ରେକଡିଂ ଅନୁର ଜ୍ଞାତସାରରେ ହୋଇଛି |ତାର ଅଜ୍ଞାତସାରରେ ମଧ୍ୟ କିଛି ଦୃଶ୍ୟ ରେକଡିଂ କରାଯାଇଛି |ଦେଖିବୁ ?ବନହଂସୀ କୌତୁହଳୀ ହୋଇ କହିଲା,ନିଶ୍ଚୟ |
                       ଏଥର ରୁବି ପ୍ଲେ ଆରମ୍ଭ କଲେ |ଗୋଟିଏ ହୋଟେଲର ଏକ କୋଠରୀର ଦୃଶ୍ୟ |ରୁମ ଭିତରକୁ ଅନୁପମ ପ୍ରବେଶ କଲା,ସାଂଗରେ ଏକ ସୁନ୍ଦରୀ ତରୁଣୀ |ରୁବି କହିଲେ,ୟେ ଶାନ୍ତି ଦିଦିଂକ ଝିଅ |ବନହଂସୀର ପାଦତଳୁ ମାଟି ଖସିଯିବାପରି ଲାଗୁଥିଲା |ତାପରେ ଆରମ୍ଭ ହେଲା,ବିଭିନ୍ନ ଭଂଗୀରେ ଦୁହିଂକ ମିଳନର ଦୃଶ୍ୟ |ବିସ୍ତୃତଭାବେ ଏକ ଗୁପ୍ତ କ୍ଲୋଜ ସର୍କିଟ କ୍ୟାମେରାରେ ସେସବୁ ରେକଡିଂ କରାଯାଇଥିଲା |ବନହଂସୀର ଧୈର୍ଯ୍ୟଚ୍ୟୁତି ଘଟିଲା |ଆଉ ସେ ନିଜକୁ ସମ୍ଭାଳି ପାରିଲାନି |ଧଡ଼ କରି ଉଠି ଛିଡା ହୋଇଗଲା ଓ ଏକମୁହାଁ ହୋଇ ଘରକୁ ଚାଲିଆସିଲା |ବହୁତ କଷ୍ଟରେ କବାଟ ଖୋଲିବା କଥା ତାର ମନେଥିଲା |ତାପରେ ସେ ସେଇ ଦୁଆର ମୁହଁରେ ଅଚେତନ ହୋଇ ପଡିଗଲା |
                       ତାର ଚେତା ଫେରିବାବେଳକୁ ନର୍ସିଂହୋମର ଏକ ଶଯ୍ୟାରେ ନିଜକୁ ଆବିଷ୍କାର କଲା |ନିକଟରେ ତାର ପିତାମାତା ଓ ଭଉଣୀ ବସିଥିଲେ |ସାମ୍ନାରେ  ଅନୁପମ ଗାଲରେ ହାତଦେଇ ଛିଡା ହୋଇଥିଲା |ଅନୁପମକୁ ଦେଖି ବନହଂସୀ କ୍ରୋଧ ଓ ଘୃଣାରେ ଥରିଉଠିଲା |ସେ ହାତ ଛିଂଚାଡି ସାଲାଇନ୍ ଛୁଂଚି ଖୋଲିବାକୁ ଚେଷ୍ଟା କଲା |ଅନୁପମ ଆସି ତା ହାତ ଚାପି ଧରିଲା |ବନହଂସୀ କହିଲା,ମା' ତାଂକୁ କହିଦିଅ,ସେ ଏଠାରୁ ଚାଲିଯିବେ |ମୁଁ ତାଂକ ମୁହଁ ଦେଖିବାକୁ ଚାହେଁନା |
                      ବନହଂସୀର ମା' ଆଖିର ଇଶାରାରେ ଅନୁପମକୁ ସେଠାରୁ ଚାଲିଯିବାକୁ କହିଲେ |ଅନୁପମ ସେଠାରୁ ଚାଲିଗଲା |ତା ଯିବା ବାଟକୁ ଥରେ ଚାହିଁ ବନହଂସୀ ଆଖିପତା ବୁଜିଦେଲା |ତାର ମୁଦ୍ରିତ ଆଖି ଦୁଇଟିରୁ ଅନବରତ ଲୁହ ଝରୁଥିଲା |ତାପରେ ସେ ଧୀରେ ଧୀରେ ଆଖିଖୋଲି ମାଆଂକୁ ଚାହିଁ କହିଲା,ମା' ତମ ଅଭିଶାପର ଫଳ ମୁଁ ଆଜି ଭୋଗୁଛି |ମା' ତା ମୁହଁରେ ହାତ ଦେଇ କହିଲେ,ତୁ ପାଗଳୀଂକ ପରି   କଣ କହୁଛୁ ?ଅନୁ ଭଲପିଲା |ତାର କିଛି ଦୋଷ ନାହିଁ |ଏ ଦୁନିଆଁରେ ବହୁତ ପ୍ରକାର ଲୋକ ଅଛନ୍ତି |ତୁ ଯେଉଁମାନଂକୁ ତୋ ଅତି ନିଜର ବୋଲି ଭାବୁଛୁ,ସେଇମାନେହିଁ ତୋର ଶତ୍ରୁ |ଶୁଣ,ଆମେ ତତେ ଅଭିଶାପ ଦେଇନୁ |ତୋ ଉପରେ ନିଶ୍ଚିତଭାବରେ ଆମର ରାଗ ଥିଲା |କିନ୍ତୁ ଆମେ ଏବେ ଜାଣୁଛୁ,ଅନୁ ବହୁତ ଭଲପିଲା |ବନହଂସୀ କହିଲା,ତମେ କିଛି ଜାଣିନ ମା'
ମା ତାକୁ ରୋକିଦେଇ କହିଲେ,ତୁ କିଛି ଜାଣିନୁ |ତୁ କଣ କେବେ ଏକଥା ବିଶ୍ବାସ କରିବୁ ଯେ,ରୁବି ଆଉ ସୁରେଶ ମିଶି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏସବୁ ଷଡଯନ୍ତ୍ର କରୁଥିଲେ ବୋଲି !
                     ବନହଂସୀ କହିଲା,ରୁବିଅପା ବହୁତ ଭଲ ମା' |ତମେ ତାଂକୁ ଜାଣିନ ,ତାଂକରି ପାଇଁ.........
                       ମା' କହିଲେ,ତାଂକରି ପାଇଁ ତୋର ଏ ଅବସ୍ଥା |ସୁରେଶ ରୁବିର ଦୂର ସମ୍ପର୍କୀୟ ଭାଇ |ଯେବେଠାରୁ ଆନନ୍ଦ ଦାସ ଅନୁପମକୁ ଲିଫ୍ଟ ଦେଲେ,ସେବେଠାରୁ ସୁରେଶ ଅନୁପମର ଶତ୍ରୁ ହୋଇଯାଇଛି |ଆଉ ଯେଉଁଦିନ ଅନୁପମ ୟୁଥ ପ୍ରେସିଡେଣ୍ଟ ହେଲା,ସେଦିନ ସୁରେଶ ପାଗଳପ୍ରାୟ ହୋଇଯାଇଥିଲା |ରୁବି ଘରେ ଯାହାସବୁ ଦେଖିଲୁ,ସବୁ ଜାଲ ଓ ନକଲି |ରୁବିକୁ ପୋଲିସ ଆରେଷ୍ଟ କରିଛି ଓ ସେ ସବୁକଥା ସ୍ଵୀକାର  କରିଯାଇଛି |
                       ବନହଂସୀର ମୁଣ୍ଡରେ କିଛି ପ୍ରବେଶ କରିପାରୁନଥିଲା |ତା ପରଦିନ ଟିକିଏ ସୁସ୍ଥ ଅନୁଭବ କଲାପରେ ଧୀରେ ଧୀରେ ସବୁକଥା ଜାଣିବାକୁ ପାଇଲା |ସେ ସୁରେଶକୁ ସନ୍ଦେହ କରୁଥିଲା ଓ ଅନୁପମ ରୁବିକୁ ସନ୍ଦେହ କରୁଥିଲା |କିନ୍ତୁ ଦୁହେଁ ଜାଣିନଥିଲେ ଯେ ଉଭୟେ ମିଶି ଅନୁପମ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ |ଏଥିପାଇଁ ସେମାନେ ବନହଂସୀକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ |ରୁବିଂକ ପରାମର୍ଶକ୍ରମେ ତାଂକ ଘର ପାଖାପାଖି ଘରଟି ସୁରେଶ ଅନୁପମ ପାଇଁ ଠିକ କରିଥିଲା |ରାଜହଂସୀ କହୁଥିଲା,ସେଦିନ ସେ ବେହୋସ ହୋଇ ଅନେକସମୟ ଯାଏଁ ପଡିରହି  ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥାନ୍ତା ଯଦି ଠିକ ସମୟରେ ସରସ୍ୱତୀ  ଆସି ଖବର ଦେଇ ନଥାନ୍ତା |ସରସ୍ୱତୀ  କିଛି ଉପାୟ ନପାଇ ତା ସ୍ୱାମୀକୁ  ପାର୍ଟି ଅଫିସକୁ ପଠାଇ ଅନୁପମକୁ ଡକାଇ ଆଣିଥିଲା |ସେ ହିଁ କହିଥିଲା,ରୁବିଂକ ଘରେ ଗୋଟାଏ ଲଂଗଳା ସିନେମା ଦେଖି ତାର ଏ ଅବସ୍ଥା ହୋଇଛି |ସଂଗେ ସଂଗେ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ସେ ନକଲି  ଫିଲ୍ମ ସହିତ ଅନ୍ୟ କେତୋଟି କ୍ୟାସେଟ ରୁବିଂକ ଘରୁ ଜବତ କରାଯାଇଛି |କିନ୍ତୁ ୟା ଭିତରେ ଗର୍ଭପାତ ହୋଇ ତା ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା |
                     ଦୁଇଦିନ ପରେ ଅନୁପମ ଏକ ଦଶ ଏଗାର ବର୍ଷର ଝିଅକୁ ନେଇ ପହଂଚିଲା |କହିଲା,ଇଏ ଶାନ୍ତି ଦିଦିଂକ ଝିଅ |ବନହଂସୀ ଆଶ୍ଚର୍ଯ୍ୟ ହୋଇଗଲା |ଏତେ ଛୋଟ ଝିଅ--କିନ୍ତୁ ସିଡିରେ ରୁବିଅପା ଯାହାକୁ ଶାନ୍ତି ଦିଦିଂକ ଝିଅ ବୋଲି ଚିହ୍ନାଇ ଦେଇଥିଲେ,ସେ ଜଣେ ସ୍ବାସ୍ଥ୍ୟବତୀ ଯୁବତୀ ଥିଲା |ଅନୁପମ କହିଲା,ଏଇ ତାଂକର ଗୋଟିଏ ବୋଲି ଝିଅ |ତମେ ପରକଥା ବିଶ୍ୱାସ  କଲ,ମୋକଥା ବିଶ୍ୱାସ  କଲନାହିଁ |ଜଲି ସେଇପରି ଝିଅ ଥିଲାବୋଲି ମୁଁ ତାଠାରୁ ଦୂରେଇ ଯାଇଥିଲି |କଥାଟା ଏତେ ଅସୁନ୍ଦର ଯେ ମୁଁ ଇଚ୍ଛା କରି ବି ତମକୁ କହିପାରିନଥିଲି |ତେବେ କଥା ଯେତେବେଳେ ଏତେ ଦୂର ଗଲାଣି,ସତକଥା ଏବେ କହୁଛି,ଶୁଣ |ପ୍ରକୃତରେ ଜଲି ପ୍ରେଗନାଣ୍ଟ ଥିଲା |କିନ୍ତୁ ସେଥିପାଇଁ ସୁରେଶ ଦାୟୀ ଥିଲା |ଯେତେବେଳେ ଜଲି ସୁରେଶକୁ ବିବାହ ପାଇଁ ବାଧ୍ୟ କଲା,ସେତେବେଳେ ସେ ସିଧା ମନା କରିଦେଲା ଆଉ ତାକୁ ତାର ଅନ୍ତରଂଗ ମୂହୁର୍ତ୍ତର ସିଡି ଦେଖାଇ ବ୍ଲାକମେଲ୍ କରିବାକୁ ଲାଗିଲା |ଜଲି ଏଥିରେ ବ୍ୟଥିତ ହୋଇ ଆତ୍ମହତ୍ୟା କଲା |କିନ୍ତୁ ସୁରେଶ କାଳ୍ପନିକ କାହାଣୀ କହି ରୁବିଂକ ମନରେ ଧାରଣା ସୃଷ୍ଟି କଲା ଯେ ସେଥିପାଇଁ ତା ଭିଣୋଇ ମାନେ,ରୁବିଅପାଂକ ସ୍ୱାମୀ  ଦାୟୀ |ସେଥିପାଇଁ ମୁଁ ଯେତେବେଳେ ଡି.ଏନ.ଏ. ଟେଷ୍ଟ ପାଇଁ କୋର୍ଟକୁ ଆବେଦନ କଲି ସେତେବେଳେ ସେମାନେ ଏହାକୁ ସାମାଜିକ  ପ୍ରତିଷ୍ଠା ର ଆଳ ଦେଖାଇ କୋର୍ଟରୁ କେଶ ପ୍ରତ୍ୟାହାର କରି ଆଣିଲେ |ଅଥଚ ଲୋକଂକ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହେଲା ଯେ ମୋ ଡାଡି ତାଂକ ଅର୍ଥବଳରେ ଏସବୁ କାମ କରାଇ ନେଲେ |ମିଛକଥା କହି ଦିନେ ଲୋକଂକୁ ଭୁଲାଇ ଦେଇ ହେବ କିନ୍ତୁ ସବୁଦିନ ପାଇଁ ନୁହେଁ |ରୁବିଅପା ନିଜ ଗାତ ନିଜେ ଖୋଳିଛନ୍ତି |ଏବେ ଯାହା କିଛି ହେବ,ସବୁ ପାଇଁ ସେ ନିଜେ ହିଁ ଦାୟୀ ହେବେ |
                  ବନହଂସୀ ଅନୁପମକୁ କିଛିସମୟ ଚାହିଁଲା |ତାପରେ ଆଖିପତା ବନ୍ଦ କରିଦେଲା |ରୁବିଅପାଂକ କଥା ତାର ଗୋଟି ଗୋଟି ହୋଇ ମନେ ପଡୁଥିଲା |ଏତେ ସୁନ୍ଦର କଥାବାର୍ତ୍ତା ,ତା ଭିତରେ ଏତେ ଛଳନା !!
                     ଅନୁପମ ଆସି ବନହଂସୀ ପାଖରେ ବସିପଡି,  ତା ହାତମୁଠାକୁ ନିଜ ହାତମୁଠାରେ ଚାପି ଧରି କହିଲା,ବୁନୁ,ତମେ କେବେହେଲେ ବିଶ୍ୱାସ  କରିବନି,ତମର ଏଇ ଦୁର୍ଘଟଣା ଦିନଠାରୁ ମୁଁ ଆଦୌ ଡ୍ରିଂକ କରିନାହିଁ |ମୁଁ ମଧ୍ୟ ମମିଂକ ପାଖରେ ଶପଥ କରିଛି ଯେ ଆଉ କେବେହେଲେ ଡ୍ରିଂକ କରିବିନି |ହେଲେ,ମୋର ଅନୁରୋଧ,ମତେ ଟିକିଏ ହେଲ୍ପ କରିବ |ପିଲାଦିନୁ ବେପରୁୱା ହୋଇ ମୁଁ ବିଗିଡି ଯାଇଛି |ତମ ସହଯୋଗ ପାଇଲେ,ସବୁ ଠିକ ହୋଇଯିବ |ତମେ ମତେ ଅନେକ ଚାନ୍ସ ଦେଇଛ,ଭାବିନିଅ,ଇଏ ଲାଷ୍ଟ ଚାନ୍ସ |
                  ବନହଂସୀ ଅନୁପମକୁ ଚାହିଁଲା |ସତରେ କଣ ୟେ ଅନୁପମର ଅନ୍ତରର କଥା ?ଏଇ ସମୟରେ ସମୁଦାୟ କୋଠରୀଟି ଏକ ଅପୂର୍ବ ମହକରେ ଭରିଗଲା |ବନହଂସୀ ବୁଲି ଚାହିଁଲା |ସେ ଧଳାଛାଇଟି ତା ସମୁଖ  ଦେଇ ଅପସରି ଗଲା |ଏଥରକ ସେ ହସୁଥିଲା ଓ ତା ଅସ୍ପଷ୍ଟ ମୁହଁଟି 'ଜଲି' ପରି ଦିଶୁଥିଲା  |ସେମିତି ହସୁ ହସୁ ସେ କୋଠରିରୁ ଅଦୃଶ୍ୟ ହୋଇଗଲା |ହୁଏତ ସେ କହୁଥିଲା,ଅନୁପମ ଏଥରକ ମିଛ କହୁନାହିଁ,ତୁ ମାନିଯାଆ .......|(ସମାପ୍ତ)  

Thursday, January 16, 2020

ନିଶୀଥ ଜ୍ୟୋତ୍ସ୍ନା (୨୫)

                           ସେଦିନ ଡେରି ରାତିରେ ଅନୁପମ କ୍ଲାନ୍ତହୋଇ ଘରକୁ ଫେରିଲା |ଟିଭି ଦେଖୁ ଦେଖୁ ସେ ଶୋଇପଡିଲା ଓ କିଛିସମୟ ପରେ ଘୁଂଗୁଡି ମାରିବା ଆରମ୍ଭ କଲା |ବନହଂସୀ ଟିଭି ବନ୍ଦ କରି କାନରେ ତୁଳାଦେଇ ଶୋଇବାକୁ ଚେଷ୍ଟା କଲା |
                           ପରଦିନ ସକାଳେ ରୁବି ତାଂକର କାମବାଲିକୁ ବନହଂସୀ ପାଖକୁ ପଠାଇ ଦେଇଥିଲେ |ଜୀର୍ଣ୍ଣ ଶୀର୍ଣ୍ଣ , କୃଷ୍ଣବର୍ଣ୍ଣ ଓ ଅଳ୍ପ ଉଚ୍ଚତା ବିଶିଷ୍ଟ ଚେହେରା |ବନହଂସୀ ସେତେବେଳକୁ ଉଠି ତା ରୁଟିନ କାର୍ଯ୍ୟ ଶେଷକରି ଗାଧୋଇବାକୁ ଯାଉଥିଲା |ତାକୁ ଦେଖି ସେ ପଚାରିଲା,ତମ ନାଁ କଣ ?
          _ସରସ୍ୱତୀ  |
          _ଗାଁ ?
          _ଫୁଲବାଣୀ
          _କେତେ ଟଂକା ନେବ ?
                             ସେ ହସି ହସି କହିଲା,ଇମା,କି କାମ କରିବି,କହୁନୁ ?ବନହଂସୀ କହିଲା,ବାସନ ମାଜିବ,ଘର ଓଳେଇବ,ପୋଛିବ,ଏତିକି |ସେ ଚିନ୍ତାକରି କହିଲା,ପନ୍ଦରଶ' |ବନହଂସୀ କୁଣ୍ଠିତ ସ୍ୱରରେ  କହିଲା,ଏତେ ଟଂକା କଣ କହୁଛ ?ଆମେ ତ ଦୁଇଜଣ,କେତେ କାମ ଯେ ?ସେ କହିଲା,ମୁଇଁ ତ ଗରୀବ ନୁକ ,ତୋ ଠୁ ନେଲେ ସିନା ଚଲିବି ?
                              ବନହଂସୀ କହିଲା,ଠିକ ଅଛି |କାଲି କେତେବେଳେ ଆସିବ ?ସେ କିଛି କହିବା ପୂର୍ବରୁ ସେଠାରେ ଅନୁପମ ପହଂଚିଲା |ତାକୁ ଦେଖି ସରସ୍ୱତୀ  ଖୁସିରେ ଗଦଗଦ ହୋଇ କହିଲା,ବାବୁ,ତୁ ଏଠି ?ଆକୁଇ ବା' ହେଇଚୁ ?ମତେ ତ କେଇ କଇନି |ଅନୁପମ ପ୍ରସଂଗ ବଦଳାଇ କହିଲା,ତୁ ଆଗ କହ,ତୁ ଏଇଠି କେମିତି ?ସରସ୍ୱତୀ  କିନ୍ତୁ ନଛୋଡବନ୍ଧା |କହିଲା,ମା କହୁଥେଲା,ପୁଅ ବା'ହେଲେ ମତେ ଡାକିବ |ମୁଁ ଆଠଦିନ ରଇଥାନ୍ତି,ଟଂକା,ଲୁଗା ନେଇଥାନ୍ତି |ମା' ମତେ କାଇଁକି ଡାକିଲାନି ?ଅନୁପମ କହିଲା,ଠିକ ଅଛି,ତତେ ସବୁ ଦିଆଯିବ |ଏଥର ହେଲା ?ତଥାପି ସରସ୍ଵତୀର ମନ ବୁଝୁନଥିଲା |ଅନୁପମ ପଚାରିଲା,ଆଜିଠାରୁ କାମ କରିବୁ ?ସରସ୍ୱତୀ  କହିଲା,ଘର ଦେଖିବାକୁ ଆଇଥେଲି,କାଲିଠୁ ଆସିବି |ରୁବି ଦିଦି ଘରକୁ ପାଂଚଟାରେ ଯାଏ,ତୋ ଘରକୁ ଛଅଟାରେ ଆସିବି |
                                ବନହଂସୀ ତାକୁ କଲିଂବେଲ ଦେଖାଇ କହିଲା,ଯେତେବେଳେ ଆସିବ,ୟାକୁ ଚିପିଲେ,ମୁଁ କବାଟ ଖୋଲିବି |ମୁଣ୍ଡ ହଲାଇ ସରସ୍ୱତୀ  ଚାଲିଗଲା |ମୁହଁଟି ତାର ଶୁଖି ଯାଇଥିଲା |
                                 ସେ ଯିବାପରେ ଅନୁପମ କହିଲା,ଇଏ ଭାରି ବିଶ୍ୱାସୀ  |ଆମ ଘରେ ବହୁତଦିନ ରହିଥିଲା |ହେଲେ ତା ବୁଢା ମଦ ପିଇ ସବୁବେଳେ ଗଣ୍ଡଗୋଳ କରିବାରୁ ମମି ତାକୁ ବାହାର କରିଦେଲେ |ତା ସାଂଗେ ବେଶି କଥା ହେବନି |ଛୋଟ ଲୋକଂକଠାରୁ ଡିଷ୍ଟାନ୍ସ ମେଂଟେନ କରି ରହିବା ଭଲ |ଟିକିଏ ରହି ସେ କହିଲା,ଆଛା ,ଆଜି ନୁନ ସୋ ଯିବ ?ଭଲ ପିକ୍ଚର ଆସିଛି |
                                ବନହଂସୀ ପଚାରିଲା,ଆମେ ଦୁଇଜଣ ନାଁ ଆମସାଂଗରେ ଆଉ କିଏ ଯିବ ?
                                 ଅନୁପମ କହିଲା,ମିଲି ଯିବ ବୋଲି,କାଲିଠାରୁ ମୋ ସାଂଗରେ ଲଗାଇଛି |ଛୁଆଟା କହୁଛି ଯେତେବେଳେ,ତାକୁ ନେଇଯିବା |ବନହଂସୀ ବିସ୍ମିତ ହୋଇ ପଚାରିଲା,ସତକୁ ସତ କଣ ସେ ଏତେ ଛୁଆ ?ଅନୁପମ କହିଲା,ଛୁଆ ନୁହେଁ ଆଉ କଣ ?କାଲି ସକାଳେ ମୋ ଆଗରେ ଲଂଗଳା ହୋଇ ଡେଉଁଥିଲା,ମୋ ଝିଅ ଭଳି ସେ |
                                     ବନହଂସୀ କହିଲା,ତାହେଲେ ତମେ ବାପ ଝିଅ ପିକଚର ଦେଖି ଯାଅ,ମୁଁ ଟିଭିରେ ଦେଖିବି |ଅନୁପମ କହିଲା,ଏଇ କଥାତ ତମେ କହିବ |ଠିକ ଅଛି,ପଛରେ ମତେ କହିବନି,ଭଲ ପିକଚର ଟା ମିସ କଲି ବୋଲି |ବନହଂସୀ ଦୃଢସ୍ୱରରେ  ଉତ୍ତର ଦେଲା,ନାଁ |
                                     ଠିକ ଏଗାରଟା ବେଳକୁ ମିଲି ଅପରୂପ ସାଜସଜ୍ଜାରେ ସଜ୍ଜିତ ହୋଇ,ଓଠରେ ଲିପଷ୍ଟିକର ଗାଢ଼ ପ୍ରଲେପ ଦେଇ,ଅପୂର୍ବଠାଣୀରେ ଆସି ପହଂଚିଗଲା |ବନହଂସୀକୁ ଦେଖି କହିଲା,ଭାଉଜ,ଏପର୍ଯ୍ୟନ୍ତ ରେଡି ହୋଇନ ?ଅନୁପମ କହିଲା,ଭାଉଜ ଯିବନି,ସେ ଘରେ ଟିଭି ଦେଖିବ |ବନହଂସୀ ପଚାରିଲା,ଖାଇବା ବାଢିବି ?
                                      ଅନୁପମ କହିଲା,ହଁ ବାଢ଼ |ଏକାସାଂଗରେ ତିନିଜଣଂକ ପାଇଁ ବାଢ଼ |ବନହଂସୀ କହିଲା,ନାଁ,ମତେ ଏବେ ଭୋକ ନାହିଁ,ବେଶି ଭୋକ ଲାଗିଲେ ଖାଇବି |ଅନୁପମ କହିଲା,ଯାହା ତମ ଇଚ୍ଛା |
                                        ଭାତ ବାଢ଼ିବାକୁ ଯିବା ସମୟରେ ରୋଷେଇଘରଟି ଏକ ଅପୂର୍ବ ମହକରେ ଭରିଗଲା |ବନହଂସୀ ଆତ୍ମବିଭୋର  ହୋଇ ସେ ସୁଗନ୍ଧ ଆଘ୍ରାଣ କରିବାସମୟରେ ଖଡ କରି ଗୋଟାଏ ଶବ୍ଦ ଶୁଣି ସେ କଣେଇ ଚାହିଁଲା |ମିଲି ଶୋଇବାଘରେ ଅନୁପମର ବ୍ୟାଗ ଖୋଲୁଥିଲା |କୌତୁହଳ ଦମନ କରିନପାରି ସେ ପରଦା ଫାଂକରେ ଦେଖିଲା,ମିଲି ଯେମିତି ତା ବ୍ୟାଗରୁ କିଛି କାଢି ଅନୁପମ ବ୍ୟାଗରେ ରଖିଦେଲା |ବନହଂସୀର ସନ୍ଦେହ ବଢ଼ିଗଲା |ସେ ନିଜର ଭାବନା ଗୋପନରଖି ଦୁଇଜଣଂକ ପାଇଁ ଡାଇନିଂ ଟେବଲରେ ବାଢିଦେଲା |
                                      ଚଳଚଂଚଳ ଝରଣାଟିଏ ପରି ମିଲି ଚେୟାର ଟାଣି ଅନୁପମ ପାଖରେ ଲାଗିକରି ବସିପଡିଲା |ଖାଇବାବେଳେ ଅକାରଣରେ ସେ ଅନୁପମ ଉପରେ ଲୋଟି ପଡୁଥିଲା  |ଏଇ ଅବସରରେ ବନହଂସୀ ଅନୁପମର ବ୍ୟାଗ ଖୋଲି ଦେଖିଲା, ଧଳା ପ୍ୟାକେଟଟିଏ |ପର ମୂହୁର୍ତ୍ତରେ ତାର ସନ୍ଦେହ ହେଲା,ୟେ ବ୍ରାଉନସୁଗାର ନୁହେଁ ତ ?ତାର ହୃଦୟ ଥରିଉଠିଲା |ତାର ମନେହେଲା,ଅନୁପମ ଉପରେ ପ୍ରତିଶୋଧ ନେବାପାଇଁ ହୁଏତ ସୁରେଶ ମିଲିକୁ ବ୍ୟବହାର କରୁଥାଇପାରେ |ସୁରେଶ ଯେଉଁ ସ୍ତରର ବ୍ୟକ୍ତି,ତା ପକ୍ଷରେ କିଛି ବି ଅସମ୍ଭବ ନୁହେଁ |ଅନୁପମର ଦୁର୍ବଳ ଅଂଗ ଉପରେ ଆଘାତ କରି ସେ ତାର ଇଚ୍ଛା ପୂର୍ଣ୍ଣ କରିବାର ସ୍ୱପ୍ନ  ଦେଖୁଛି |ଏଇ ଚିନ୍ତା ତା ମନକୁ ଆସିବାକ୍ଷଣି ତା ଆଖି ଆଗରେ ଏକ ଅସ୍ପଷ୍ଟ ଛାୟା ମୂର୍ତ୍ତି ଅପସରିଯିବା ଅନୁଭବ କରିପାରିଲା |ସେ ନିଜକୁ ପ୍ରକୃତିସ୍ଥ କରିବାବେଳେ ଅପରପାର୍ଶ୍ୱରୁ  ଛାୟା ମୂର୍ତ୍ତିଟି ପୁଣି ତାର ସମୁଖ  ଦେଇ ଅତିକ୍ରମ କରିଗଲା |ସେ ଏଥର ଦୃଢ ନିଶ୍ଚିତ ହୋଇଗଲା |ପ୍ୟାକେଟ ଟିକୁ ଅତି ସନ୍ତର୍ପଣରେ ଆଣି ବ୍ୟାଗକୁ  ପୂର୍ବପରି ବନ୍ଦକରି ଯଥାସ୍ଥାନରେ ରଖିଦେଲା |ତାପରେ ତାକୁ ଗୋପନରେ ଆଣି ରୋଷେଇଘରେ ଲୁଚାଇ ରଖିଦେଲା |
                                      ଅନୁପମ ଓ ମିଲି ଖାଇ ସାରିବାପରେ ସିନେମା ଦେଖିବାକୁ ଚାଲିଗଲେ |ସେମାନେ ଯିବାପରେ କବାଟ ବନ୍ଦ କରି ଅନୁପମର ସେହି ବ୍ୟାଗଟି ଅଛି ନାଁ ନାହିଁ ସେ ଦେଖିବାକୁ ଗଲା |ପ୍ରକୃତରେ ଅନୁପମ ସେହି ବ୍ୟାଗଟି ସାଂଗରେ ନେଇ ଯାଇଥିଲା |ସେ ସଂଗେ ସଂଗେ ରୋଷେଇଘରୁ ପ୍ୟାକେଟ ନେଇ ତାକୁ ଖୋଲି ପାଇଖାନାରେ ପକାଇ ଫ୍ଲସ କରିଦେଲା ଓ ଖାଲି ପ୍ୟାକେଟକୁ ପୋଡିଦେଲା |ତାପରେ ତା ଅବଶ ଶରୀରକୁ ବିଛଣାରେ ଲୋଟାଇଦେଲା |କେତେ ସମୟପରେ ସେ ରୋଷେଇଘରକୁ ଆସି ସବୁଥିରୁ ଅଳ୍ପ ଅଳ୍ପ ଗୋଟିଏ ପ୍ଲେଟରେ ଆଣି ଖାଇଦେଇ ପୁଣି ଶୋଇପଡିଲା |ନିଦ ଭାଂଗିବାବେଳକୁ ସନ୍ଧ୍ୟା ଆଗତପ୍ରାୟ |ସେପର୍ଯ୍ୟନ୍ତ ଅନୁପମ ଫେରିନଥିଲା |ରାତି ବାରଟା ପାଖାପାଖି ଅନୁପମର ବାଇକ ଶବ୍ଦ ଶୁଭିଲା |ସେ ଝରକା ଖୋଲି ଦେଖିଲା,ଅନୁପମ ଆସିଛି |ସେ କବାଟ ଖୋଲିଦେଲା |ଅନୁପମ ଭିତରେ ପ୍ରବେଶ କଲା,ମୁହଁ ତାର ଶୁଖି କଳାକାଠ ପଡିଯାଇଥିଲା |
                                        ବନହଂସୀ ପଚାରିଲା,କଣ ହେଲା ?ଏମିତି କଣ ଦେଖା ଯାଉଛ ?ଅନୁପମ ଥକା ମାରି ଚେୟାରରେ ବସିପଡି କହିଲା,ଆଉ କଣ ଫିଲ୍ମ ଦେଖିହେଲା ?
                                        ବନହଂସୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା,ମାନେ ?
                                       _ମାନେ ଆଉ କଣ ?ଠିକ ସିନେମାହଲ୍ ଗେଟ୍ ପାଖରେ ପୋଲିସ ଘେରାଉ କରି,ମୋ ବ୍ୟାଗ,ବାଇକ,ଡ୍ରେସ ସବୁକିଛି ଖାନତଲାସ କଲେ |ପୂରା ଗୋଟାଏ ପ୍ଲାଟୁନ |ତମେ ଶୁଣିଲେ ଆଶ୍ଚର୍ଯ୍ୟ ହେବ,ସେମାନଂକୁ କିଏ ଖବର ଦେଇଛି,ମୋ ପାଖରେ ବ୍ରାଉନସୁଗାର ଅଛି ବୋଲି |ମୁଁ ଯେତେ ବୁଝାଇଲି,ସେମାନେ ବିଶ୍ବାସ କରିବାକୁ ନାରାଜ |ଆନନ୍ଦ ସାରଂକୁ ଫୋନ କଲି,କେତେ ପାଲା ଲାଗିଲା |ଏବେ ସେସବୁ କ୍ଲିଅର କରି ଆସିଛି |
                                   ବନହଂସୀ ନିଜର ଦୃଷ୍ଟି ଅନୁପମ ଆଖିରେ ନିବଦ୍ଧ କରି କହିଲା,ମୁଁ ଭାବୁଛି,ପୋଲିସର ସନ୍ଦେହ ଠିକ ଥିଲା |ଅନୁପମ ରାଗିଉଠି କହିଲା,ତା ମାନେ ତମେ କହୁଛ,ମୁଁ ଗୋଟାଏ ବ୍ରାଉନସୁଗାର ଦଲାଲ ?ବନହଂସୀ ଓଠ ଚିପି ହସି କହିଲା,ନାଁ,ମୁଁ ସେକଥା କହୁନି |ମୁଁ ଖାଲି ତମକୁ ଚେତାଇ ଦେବାକୁ କହୁଛି ଯେ,ନାରୀମାନଂକ ପ୍ରତି ଥିବା ତମର ଅସୀମ ଦୁର୍ବଳତା,ତମକୁ ଦିନେ ବରବାଦ କରିଦେବ |ଅନୁପମ ପ୍ରଚଣ୍ଡ ରାଗରେ ଥରି ଉଠିଲା |କହିଲା,ମୁଁ ଦିନ ସାରା ଖାଇନି |ତମେ ମତେ ସାନ୍ତ୍ଵନା  ଦେବା ପରିବର୍ତ୍ତେ ଉପଦେଶ ଦେଉଛ ?
                                  ବନହଂସୀ ଧୀର ଗଳାରେ କହିଲା,ଏତେ ରାଗନି,ମୋ କଥା ଧୈର୍ଯ୍ୟ ଧରି ଶୁଣ |ତାପରେ ସେ ମିଲି ଆଣିଥିବା ବ୍ରାଉନସୁଗାର ର କାହାଣୀ ଗୋଟି ଗୋଟି କରି ବର୍ଣ୍ଣନା  କରିଗଲା |ଅନୁପମ ଆକାଶରୁ ଖସିପଡିଲା ଯେମିତି |ବନହଂସୀ କହିଲା,ପୋଲିସ ଭୟରେ ମୁଁ କିଛି ପ୍ରମାଣ ରଖିନାହିଁ ;କେବଳ ଏତିକି ଛଡା |ଗୋଟିଏ ଛୋଟ ପୁଡିଆ ଆଣି ସେ ଅନୁପମକୁ ଦେଖାଇଲା |ଅନୁପମ ବାକଶୁନ୍ୟ ହୋଇଯାଇଥିଲା |ବନହଂସୀ କହିଲା,ମୁଁ ସେଇକ୍ଷଣି ମିଲିକୁ ଧରାପକାଇ ଦେଇଥାନ୍ତି |କିନ୍ତୁ ମୋର ଭୟହେଲା ,ଏଥିରେ ତମେ ଆହୁରି ବିପଦରେ ପଡିବ |ଚାଣକ୍ୟ କହିଛନ୍ତି,ଯାହା ସହିତ ଥରେ ଶତୃତା ହୋଇଥିବ,ପୁନର୍ବାର ତା ସହିତ ମିତ୍ରତା ସ୍ଥାପନ କରିବନାହିଁ |
                              ଅନୁପମର ସମସ୍ତ ଶକ୍ତି କିଏ ଯେପରି ହରଣ କରି ନେଇଥିଲା |ସେ ମନେପକାଇବାକୁ ଚେଷ୍ଟା କଲା,ପୋଲିସ ତାକୁ ପଚାରୁଥିବା ବେଳେ ମିଲି କଣ କରୁଥିଲା |ସତେ ତ !ମିଲି ସେଠାରୁ କେତେବେଳେ ଖସି ଚାଲିଯାଇଛି,ସେକଥା ସେ ଜାଣିନି |ସେ ବନହଂସୀକୁ ପରମ ଆଦରରେ ଆଲିଂଗନ କରି ପକାଇଲା |ତା ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଥିଲା |ସେ କହିଲା,ବୁନୁ ମୋର !ତମେ ସାକ୍ଷାତ ଦେବୀ ପ୍ରତିମା,କେଉଁ ଜନ୍ମର ପୁଣ୍ୟ ବଳରେ ମୁଁ ତମକୁ ପାଇଛି |ହେଲେ ମୁଁ ଅପଦାର୍ଥ,ଅଯୋଗ୍ୟ,କୁଳାଙ୍ଗାର ,ତମ ଜୀବନକୁ ନଷ୍ଟ କରିଦେଲି |(କ୍ରମଶଃ)


ନିଶୀଥ ଜ୍ୟୋତ୍ସ୍ନା (୨୪)

                   ଅନୁପମ କହିଲା,ହଉ ସେ ସାହିତ୍ୟିକ,ଇମୋଶନାଲ କଥା ଛାଡି ଏଣିକି ଟିକେ ପ୍ରାକ୍ଟିକାଲ ହୁଅ |ସେ ଉଠି ସମ୍ବାଦପତ୍ର ପଢାରେ ବ୍ୟସ୍ତ ରହିଲା |  ବନହଂସୀର ହୃଦୟ ବିଷର୍ଣ୍ଣତାରେ  ଭରିଗଲା |ତାକୁ ଲାଗିଲା,ସେ ଯେମିତି ଅନୁପମ ପାଖରେ ଏକ ଅଦରକାରୀ ବସ୍ତୁ ପାଲଟି ଯାଇଛି |କେଜାଣି କାହିଁକି ରୁବିଂକ କଥା ତାର ବହୁତ ମନେପଡିଲା |ସେଦିନ ରାତିରେ ଅଧା ଶୋଇ,ଅଧା ଚେଇଁ ତାର ରାତି ବିତିଗଲା |ଟିକିଏ ପାହାନ୍ତା ହୋଇ ଆସିବାବେଳକୁ ସେ ଉଠିପଡିଲା |ନିତ୍ୟକର୍ମ ଶେଷକରି ସେ ଠାକୁରଂକ ପାଖରେ ଧ୍ୟାନରେ ବସିପଡିଲା |ଏମିତି ଅନେକସମୟ ଅତିବାହିତ ହେବାପରେ ତାର ଧ୍ୟାନଭଂଗ କରି କଲିଂବେଲ ବାଜିଉଠିଲା |ସେ କବାଟ ଖୋଲିଦେଲା |ଚଂଚଳ ଝରଣାଟିଏ ପରି ମିଲି ଭିତରକୁ ପଶିଆସିଲା |ବନହଂସୀର ମନ ପୁଣି ଉଦାସ ହୋଇଗଲା |ସେ ମୁହଁରେ ଜବରଦସ୍ତ ହସ ଫୁଟାଇ କହିଲା,କୁଆଡେ ଆସିଲ ?ମିଲି ଟିକିଏ ଉଚ୍ଚ ଗଳାରେ କହିଲା,ଅନୁଭାଇ କଣ କରୁଛନ୍ତି ଯେ ?ମୋର ତାଂକପାଖେ କାମ ଅଛି |ବନହଂସୀକୁ ଲାଗିଲା,ମିଲି ଯେମିତି ଜାଣି ଶୁଣି ଅନୁପମ ଶୁଣି ପାରିବାପରି ଗଳାରେ କଥା କହୁଛି |ତା ପାଟି ଶୁଣି ଅନୁପମ ନିଦ ମଳ ମଳ ଆଖିରେ ଉଠିଆସିଲା |ବିରକ୍ତ ହୋଇ ପଚାରିଲା,ସକାଳୁ ସକାଳୁ କୁଆଡେ ଆସିଗଲୁ ?ମିଲି ଅନୁପମର ହାତଧରି କହିଲା,ପ୍ଲିଜ ଅନୁଭାଇ,ମୋ ଉପରେ ରାଗନା |ମତେ ଟିକିଏ ମୋ ସାଂଗଘରେ ଛାଡିଦେବ,ଭାଇ ମନାକରି ଚାଲିଗଲେ |ଅନୁପମ କହିଲା,ଆଜି ମୁଁ ଯାଇ ପାରିବିନି,ତୁ ଅଟୋରେ  ଚାଲିଯା |ମିଲି ବ୍ୟସ୍ତ ହୋଇ କହିଲା,ତମ ଗୋଡତଳେ ପଡୁଛି,ଅନୁଭାଇ,ପ୍ଲିଜ ମତେ ହେଲ୍ପ କର,ଏଇ ଥରଟିଏ |ଅନୁପମ କହିଲା,ଠିକ ଅଛି,ଅଧଘଣ୍ଟା ୱେଟ କର |ମୁଁ ଚା' ପିଇନି,ପେପର ପଢିନି |ମିଲି କହିଲା,ପାଂଚ ମିନିଟ ଲାଗିବ ଅନୁଭାଇ,ପ୍ଲିଜ ମନା କରନା |
                  ବନହଂସୀ ଚା' ନେଇ ଆସି ପହଂଚିଗଲା,କହିଲା,ଚା' ପିଇସାର,ତାପରେ ଯୁଆଡେ ଯିବ |ଅନୁପମ କହିଲା,ମୁଁ ଆସେ ଚା'ପିଇବି |ସେ କେବଳ ଦାନ୍ତ ବ୍ରସ କରି ଚାଲିଗଲା |ବନହଂସୀ କବାଟ ବନ୍ଦ କରି ବିଛଣାରେ ଗଡିପଡିଲା |ରାତିରେ ଭଲକରି ଶୋଇ ନଥିବା ଯୋଗୁଁ ତା ଆଖିକୁ ନିଦ୍ରା ଘାରିଆସିଲା ଓ ସେ ଗଭୀର ନିଦ୍ରାରେ ଶୋଇପଡିଲା |ଏମିତି କେତେସମୟ ଶୋଇବାପରେ ଏକ ଦୁଃସ୍ୱପ୍ନ  ଦେଖି ତାର ନିଦ ଭାଂଗିଗଲା |ସେତେବେଳେ ଦିନ ବାରଟା ବାଜୁଥିଲା ଓ ତାକୁ ଭୀଷଣ ଭୋକ ଲାଗୁଥିଲା |ସେ ବିସ୍କୁଟ ଖାଇ ପାଣି ପିଇଲା |ଅନୁପମ ସେ ପର୍ଯ୍ୟନ୍ତ ଫେରିନଥିଲା |କ୍ରମେ ସନ୍ଧ୍ୟା ହେଲା |ସେ ସନ୍ଧ୍ୟାବତୀ ଦେଇ ପ୍ରେସର କୁକରରେ ଏକସଂଗେ ଚାଉଳ,ଡାଲି ଓ ଆଳୁ ସିଝାଇ ଘିଅରେ ବଘାରି ଖାଇବାକୁ ଚେଷ୍ଟା କଲା କିନ୍ତୁ ଅଳ୍ପ କିଛି ଖାଇବା ପରେ ତାର ଭୋକ ମରିଗଲା |ସେ ସେସବୁ ଡଷ୍ଟବିନରେ ଫୋପାଡିଦେଇ ପାଣି ପିଇଲା |କ୍ରୋଧରେ ତାର ଅନ୍ତରାତ୍ମା ଥରି ଉଠୁଥିଲା |ବହୁତ ହୋଇଗଲା |ଏଣିକି ସେ ଅନୁପମକୁ ମୁକ୍ତି ଦେଇଦେବ |ଯିଏ ସ୍ୱାଧୀନତାର ସ୍ୱାଦ  ଚାଖିଛି,ତାକୁ ସ୍ୱର୍ଣ୍ଣ ପଂଜୁରୀର ମୋହ କେବେହେଲେ ଆକୃଷ୍ଟ କରିପାରିବନି |ତାର ଇଚ୍ଛାହେଉଥିଲା,ରୁବିଂକ ଘରକୁ ଯିବାପାଇଁ |କିନ୍ତୁ ତାର ସ୍ୱାଭିମାନ  ତାକୁ ବାଧା ଦେଲା |ରାତିରେ ସବୁ ଲାଇଟ ଅନ କରି,କବାଟ ଝରକା ଭଲଭାବେ ବନ୍ଦ କରି ସେ କୌଣସିମତେ ରାତି ପୁହାଇ ଦେଲା |
             ପରଦିନ ସକାଳେ ଅନୁପମ ଆସିଲା |ବନହଂସୀକୁ ଚାହିଁ ସେ ଦୋଷୀଂକ ପରି ହସୁଥିଲା |ତା ପାଟିରୁ ମଦ ଗନ୍ଧ ଆସୁଥିଲା |ବନହଂସୀ ଘୃଣାରେ ମୁହଁ ବୁଲାଇ କହିଲା,ସାଂଗ ଘର କଣ ଇଂଲଣ୍ଡ ନାଁ ଆମେରିକାରେ ଯେ ଛାଡିଦେଇ ଆସୁ ଆସୁ ଏତେ ଡେରି ହୋଇଗଲା ?ଅନୁପମ ସେହିପରି ହସୁ ହସୁ କହିଲା,ସବୁ ସେଇ ମିଲି ପାଇଁ |ମିଛରେ ସାଂଗଘରେ ଛାଡିବାକୁ କହି,ତା ଘରକୁ ନେଇଗଲା |କାଲି ତାର ବାର୍ଥଡେ ଥିଲା |ଅଂକଲ,ଆଣ୍ଟି ଜମା ଛାଡିଲେନି |ବନହଂସୀ କହିଲା,ତାହେଲେ ସେ କଥାକୁ ଗୋପନ ରଖି ତମକୁ ଏକୁଟିଆ ଡାକି ନେଇଯିବାର ରହସ୍ୟ କଣ ?ମୁଁ ଗଲେ,ତାଂକର କଣ ଅସୁବିଧା ହୋଇଥାନ୍ତା ?
               ଅନୁପମ ବିରକ୍ତ ହୋଇ କହିଲା,ମତେ ଭିତରକୁ ଯିବାକୁ ଦେବ ନାଁ,ଏମିତି ଦୁଆର ମୁହଁରେ ଜେରା କରୁଥିବ ?ବନହଂସୀକୁ ଆଡେଇଦେଇ,ସେ ଭିତରକୁ ଚାଲିଗଲା  | ଯିବାବେଳେ ତା ମୁହଁର ତୀବ୍ର ମଦଗନ୍ଧ ଅନୁଭବ କରିପାରିଲା,ବନହଂସୀ |ସେ ଅନୁପମ ନିକଟକୁ ଯାଇ ପଚାରିଲା,ତମେ ମିଲି ଘରୁ ସିଧା ଆସୁଛ ?
                ଅନୁପମ ଭୃ କୁଂଚିତ କରି କହିଲା,କାହିଁକି ?କଣ ହେଲା ?
                 ବନହଂସୀ କହିଲା,ମିଲି ତମକୁ କେତେ ବୋତଲ ମଦ ପିଆଇଲା ?
                'ମାନେ' ?ଅନୁପମ ବନହଂସୀଠାରୁ ଏପରି କଥା ଶୁଣିବ ବୋଲି ଆଶା କରିନଥିଲା |
                 ବନହଂସୀ ବିଦୃପ ଭରା କଣ୍ଠରେ କହିଲା,ମାନେ ଟା  ତମେ ଭଲକରି ଜାଣିଛ |ସେଠାରୁ ସେ ଚାଲିଗଲା |ଅନୁପମ ସ୍ମିତ ହସି ବନହଂସୀ ପଛେ ପଛେ ଯାଇ କହିଲା,ଏଇ ବୁନୁ,ପ୍ଲିଜ ରାଗନା |ଏସବୁ ଜିନିଷ ସେମାନେ ଘରେ ତିଆରି କରନ୍ତି |ଖାଣ୍ଟି ଅଂଗୁର ରସ |ବହୁତ ଦିନ ପରେ ଚାଖିଲି |ତାକୁ ତ ପିଇ ଟିକେ ଢୁଳେଇ ପଡିଥିଲି |ବନହଂସୀ କହିଲା,ତମର ସୁରେଶବାବୁଂକ ସହିତ ଶତ୍ରୁତା ଅଛି |ତମେ କଣ ଭାବୁନ ଯେ ସେମାନେ  ମିଲି ଦ୍ୱାରା  କିଛି ଅଘଟଣ ଘଟାଇ ପାରନ୍ତି ବୋଲି ?ଅନୁପମ କହିଲା,ନାଁ,ନାଁ,ସେମାନେ ବରଂ ସୁରେଶ ଠାରୁ ମତେ ଅଧିକ ଭଲ ପାଆନ୍ତି |ବହୁତ ସ୍ନେହୀ ପରିବାର |ତମେ ବୋଧେ ମିଲିକୁ ହିଂସା କରି  ଏମିତି କହୁଛ |
              ବନହଂସୀ ଅଭିମାନରେ ଫାଟି ପଡିଲା ଓ ଗୁମ ମାରି ବସିପଡିଲା |ଏମିତି ବି ସେ ବେଶୀ ରାଗିଗଲେ,ତା ଓଠର ଭାଷା ହଜିଯାଏ |ଅନୁପମ ସେଠାରୁ ଚାଲିଆସି ଫୁଲ ଭଲ୍ୟୁମରେ ଟିଭି ଲଗାଇ ପ୍ରତ୍ୟେକ ନ୍ୟୁଜ ଚାନେଲ ଅଦଳ ବଦଳ କରି ଦେଖିବାକୁ ଲାଗିଲା |କିଛିସମୟ ପରେ ସେ ସିଗାରେଟ ଟାଣି,ବାଥରୁମକୁ ଚାଲିଗଲା |ସେଠାରେ ତାର ନିତ୍ୟକର୍ମ ଶେଷକରି ଫେରିଆସି ନିଜର ପୋଷାକ ପରିବର୍ତ୍ତନ କରି ମଧୁର କଣ୍ଠରେ କହିଲା,ବୁନୁ,ଶୁଣ |ବନହଂସୀ ଶୁଣି ନଶୁଣିବା ପରି ହୋଇ ବିଛଣାରେ ପଡି ରହିଲା |ଅନୁପମ ସେ ରୁମକୁ ଆସି କହିଲା,ଆରେ ଶୋଇ ପଡିଲ ନାଁ କଣ !ଶୁଣ,ଡ୍ରେସ୍ ଚେଂଜ କରି ଆସ,ବୁଲି ଆସିବା |ବନହଂସୀ ସେମିତି ମୁହଁମାଡି ଶୋଇ କହିଲା,ମୋର କେଉଁଠିକି ଯିବାର ନାହିଁ |ଅନୁପମ ନୀରବ ରହି କିଛିକ୍ଷଣ ଚିନ୍ତା କଲା |କହିଲା,ହଉ ତାହାଲେ କବାଟ ଦିଅ ,ମୁଁ ଆଜି ଖାଇବିନି,ଆସୁ ଆସୁ ଡେରି ହେବ |ସେ ଚାଲିଗଲା |ସେ ଯିବାପରେ ଫୁଲି ଫୁଲି କାନ୍ଦି ଉଠିଲା,ବନହଂସୀ |କିଛିସମୟ ପରେ ଉଠି ମୁହଁ ଧୋଇ କବାଟ ବନ୍ଦ କଲା |ତାପରେ ଚାବି ପକାଇ ରୁବିଂକ ଘରକୁ ଗଲା |ରୁବି ଗୁଡିକୁ ପଢ଼ାଉଥିଲେ |ବନହଂସୀକୁ ଦେଖି ପଚାରିଲେ,ଆଜି ଅବେଳରେ ?ଅନୁପମ ଆସିନି କି ?
               ଏବେ ଗଲେ |ସଂକ୍ଷିପ୍ତ ଉତ୍ତର ଦେଲା ବନହଂସୀ |ଚା' ପିଇବୁ ?ରୁବି ପଚାରିଲେ |ଅନ୍ୟଦିନ ହୋଇଥିଲେ,ବନହଂସୀ ମନା କରିଥାନ୍ତା |କିନ୍ତୁ କେଜାଣି କାହିଁକି ତାର ଚା' ପିଇବାକୁ ଇଚ୍ଛା ହେଲା |କେହି ଯଦି ସ୍ନେହରେ ତାକୁ କିଛି ଯାଚୁଛି,ସେ ମନା କରିବ କାହିଁକି ?ସେ ସ୍ମିତ ହସି,ହଁ କହିଲା |ରୁବି ଚା' ଆଣିଦେଲେ |ବନହଂସୀ ଚା' ପିଉ ପିଉ କହିଲା,ଅପା,ତମର କାମବାଲିକୁ କହିବ,ଆମ ଘରେ କାମ କରିବ,ମୋ ଦେହ ଏବେ ଭଲ ରହୁନି,କାମ କରିବାକୁ ଇଚ୍ଛା ହେଉନି |ରୁବି କହିଲେ,ତୁ ଟିକିଏ ଆଗରୁ କହିଲୁନି ?ଏଇ ସାଂଗେ ସାଂଗେ ସେ କାମ ସାରି ଗଲା |ବନହଂସୀ କହିଲା,ଏତେ ବ୍ୟସ୍ତ କାହିଁକି ?ତମେ ତାକୁ କାଲି କହିଦେବ,ସେ ତା ପରଦିନଠାରୁ ଆସିବ |
                ରୁବି ବନହଂସୀକୁ ନିରୀକ୍ଷଣ କରି କହିଲେ,କଣ ହୋଇଛି ?ଜ୍ବର ?
                 ବନହଂସୀ କହିଲା,ନାଁ,ଏମିତି |
                 ରୁବି କହିଲେ,ବୁଝିଲି |ଇ.ଡି.ଡି କେବେ କହିଲୁ ?
                 ବନହଂସୀ କହିଲା,ସେ ବହୁତ ଡେରି ଅଛି |କିନ୍ତୁ ଇଏ ବର୍ତ୍ତମାନ ପିଲା ଚାହାନ୍ତିନି |ଭାବୁଛି,କଣ କରିବି |ରୁବି ଉତକ୍ଷିପ୍ତ ହୋଇ କହିଲେ,ସେ କେବେବି ପିଲା ଚାହେଁନା କି ଚାହିଁବନି |ଏମିତି ସାରା ଜୀବନ ତାକୁ ଖେଳିବାକୁ ମଜା ଲାଗେ |
                 ବନହଂସୀ କିଛି ପ୍ରତିକ୍ରିୟା ପ୍ରକାଶ ନକରି ଚା' ପିଉଥିଲା |ରୁବି ପରକ୍ଷଣରେ ପ୍ରକୃତିସ୍ଥ ହୋଇ କହିଲେ,ମୋ ସୁନା ଭଉଣୀ,କିଛି ଭାବିବୁନି |କହୁ କହୁ କଣ କହିଦେଲି |ଅନୁପମ ଠିକ କହୁଛନ୍ତି |ତତେ ବି ଏବେ  କେତେ ବୟସ !ତାପରେ ଏସବୁ ପାଇଁ ଜଣେ ମୁରବୀ ସ୍ଥାନୀୟ ଲୋକ ସବୁବେଳେ ଦରକାର |ବନହଂସୀ ନିର୍ଲିପ୍ତ ନିର୍ବିକାର କଣ୍ଠରେ କହିଲା,ଛାଡ ସେକଥା |ଆଛା ହଉ ମୁଁ ଯାଉଛି |ଚା'ପାଇଁ ଧନ୍ୟବାଦ |(କ୍ରମଶଃ)

Wednesday, January 15, 2020

ନିଶୀଥ ଜ୍ୟୋତ୍ସ୍ନା (୨୩)

                   ପ୍ରାୟ ଦୁଇଘଣ୍ଟାପରେ ସେମାନେ ଆସି ଘରେ ପହଂଚିଗଲେ |ବନହଂସୀକୁ ଲାଗିଲା,ସତେ ଅବା ଯୁଗଟେ ଗଲା |ସେ ଧୀରେ ଉଠି ପର୍ସରୁ ଚାବି କାଢି ଘରର ତାଲା ଖୋଲି ଭିତରକୁ ଗଲା |ଅନୁପମ ଜିପ ଲକ କରି ଆସି ଦେଖିଲା,ବନହଂସୀ ଘର ଓଳାଉଛି |ସେ କହିଲା,ବୁନୁ,ମୋ ଦେହ ଭଲ ଲାଗୁନି |ମୁଁ ଏବେ ଟିକେ ଶୋଇବି |ତମେ ରୋଷେଇ କରିବନାହିଁ,ଆମେ ହୋଟେଲରେ ଖାଇଦେବା |ନୀରବରେ ସମ୍ମତ୍ତି ଜଣାଇ,ବନହଂସୀ ପୁଣି ଘର ଓଳାଇବାରେ ମନଦେଲା |ଅନୁପମ ବିଛଣାଚାଦର ଓ ତକିଆ ଝାଡି ବେଡରେ ପକାଇଲା |ତାପରେ ପୋଷାକ ବଦଳାଇ,ଗୋଡହାତ ଧୋଇ ବିଛଣାରେ ଲୋଟିପଡିଲା |ବନହଂସୀ କଣେଇ ଚାହିଁ ଦେଖିଲା,ସତକୁ ସତ ଅନୁପମ ଶୋଇଗଲାଣି |ସେ ମଧ୍ୟ ନିଜ କାମ ଶେଷକରି ଆସି ଅନୁପମ ପାଖରେ ଶୋଇପଡିଲା |
                  ଏମିତି କେତେ ସମୟପରେ ସେ ହଠାତ୍ ଚମକିପଡି ଉଠିବସିଲା |ଚାହିଁ ଦେଖିଲା,ଅନୁପମ ତାକୁ ଜୋରରେ ହଲାଇ ଉଠାଉଛି |ଅନୁପମ କହିଲା,ଦିନ ଦୁଇଟା ବାଜିଲାଣି,ମୁଁ ସିନା ରାତି ଅନିଦ୍ରା ହୋଇଥିଲି ,ତମେ କଣ ସମୁଦ୍ରରେ ନିଆଁ ଲିଭାଉ ଥିଲ ?ଭୋକରେ ପେଟ ଜଳିଲାଣି,ଶୀଘ୍ର ବାହାର,ଯିବା |ବନହଂସୀ ଅଳସ ପଦକ୍ଷେପରେ ଉଠି,ମୁହଁହାତ ଧୋଇ ଖୁବ୍ ଶୀଘ୍ର ପ୍ରସ୍ତୁତ ହୋଇଗଲା |କବାଟ ବନ୍ଦ କରି ଚାବି ଦେବାବେଳକୁ,ତା ମୁଣ୍ଡ ବୁଲାଇଲା ଓ ସେ ମୁଣ୍ଡରେ ହାତ ଦେଇ ସେଠାରେ ବସିପଡିଲା |ତାପରେ ଗଳ ଗଳ ହୋଇ ଗୁଡାଏ ବାନ୍ତି କରି ପକାଇଲା |ଅନୁପମ ତା ପିଠି ଆଉଁସି ତାକୁ ଭିତରକୁ ଟେକି ନେଇଗଲା |ତା ମୁହଁଧୋଇ ,ପିଇବା ପାଇଁ ପାଣିଦେଲା |କହିଲା,ତମ ବଳ ଜଣା ପଡିଗଲା |ତମେ ଆଉ ଯିବା ଦରକାର ନାହିଁ |ମୁଁ ଯାଉଛି,ଖାଇବା ନେଇ ଆସିବି |ବନହଂସୀ କିଛି ଉତ୍ତର ଦେଲା ନାହିଁ |ଅନୁପମ ଚାଲିଗଲା |କିଛି ସମୟପରେ ବନହଂସୀ ଉଠି ଦେଖିଲା,ଦରଜା ଖୋଲା ଅଛି,ବାନ୍ତିରେ ମାଛି ଉଡୁଛନ୍ତି ଓ ଦୁର୍ଗନ୍ଧରେ ନାକ ଫାଟି ଯାଉଛି |ସେ ଫିନାଇଲ ପକାଇ ସେ ସ୍ଥାନ ପରିଷ୍କାର କଲା |ମୁଣ୍ଡ ତାର ସେମିତି ବୁଲାଉଥିଲା |ସେ ଧୀରେ ଧୀରେ ଯାଇ ଦରଜା ଆଉଜାଇ ଦେଲା ଓ ବିଛଣାରେ ଶୋଇବାକୁ ଯିବା ବେଳକୁ ପୁଣି ବାନ୍ତି ମାଡିଲା |ଏଥରକ ସେ ଯାଇ ବେସିନରେ ବାନ୍ତି କଲା ;ଅନର୍ଗଳ ବାନ୍ତି |ମୁହଁ ଧୋଇବା ବେଳକୁ ଅନୁପମ ଆସିଗଲା |ବନହଂସୀକୁ ଦେଖି ଆଶଂକାରେ ତା ହୃଦୟ ଥରିଗଲା |କହିଲା,ମନା କରୁଥିଲି,ଗାଁକୁ ଯିବାପାଇଁ,ଏବେ ମଜା ପାଅ |ମୁଁ ଖାଇବା ନେଇ ଆସିଛି,ଖାଇକରି ଶୋଇପଡ଼ |କିନ୍ତୁ ବନହଂସୀକୁ ଭୋକ ଲାଗୁନଥିଲା |ସେ କେବଳ ପାଣି ପିଇ ଶୋଇପଡିଲା |ଅନୁପମ ବିରକ୍ତ ହୋଇ ଅଳ୍ପ କିଛି ଖାଇ ଉଠିଗଲା |ବନହଂସୀ ନିରୁପାୟ ଥିଲା |ଅନ୍ୟ ସମୟ ହୋଇଥିଲେ,ସେ ନିଜ ଅନିଚ୍ଛାସତ୍ତ୍ବେ ଓଠରେ ହସ ଫୁଟାଇ ଖାଇବାକୁ ଚେଷ୍ଟା କରିଥାନ୍ତା |କିନ୍ତୁ ଆଜି ସେ ଭିନ୍ନ ମଣିଷଟିଏ ପାଲଟି ଯାଇଥିଲା ଯେପରି |ଏମିତି ଆଖି ବୁଜି ତାକୁ ନିଦ ହୋଇଗଲା |ନିଦ ଭାଂଗିବାବେଳକୁ ଦେଖିଲା,ପାଖରେ ଅନୁପମ ଚିନ୍ତାମଗ୍ନ ହୋଇ ବସିଛି |ସେ ଆଖି ଖୋଲିବା ଦେଖି,ଅନୁପମ ତା କପାଳରେ ହାତ ବୁଲାଇ ଆଣିଲା |ପଚାରିଲା,ଭଲ ଲାଗୁଛି ?ସ୍ମିତ ହସିଲା ସେ |ଅନୁପମ ସବୁ ଜିନିଷ ଯଥା ସ୍ଥାନରେ ସଜାଡି ରଖି ,ଘର ପରିଷ୍କାର କରି ଦେଇଥିଲା |ସେ ଧୀରେ ଧୀରେ ଉଠି ବସିଲା |ଅନୁପମ କହିଲା,ଚାଲ,ଯିବା |
           ବନହଂସୀ ବିସ୍ମିତ ହୋଇ ପଚାରିଲା,କୁଆଡେ ?
            ଅନୁପମ ଉତ୍ତର ଦେଲା,ଡକ୍ଟରଂକ ପାଖକୁ,ଆଉ କୁଆଡେ ?
            ଲେଡି ଡକ୍ଟର ଅତ୍ୟନ୍ତ ସୁନ୍ଦରୀ,ବ୍ୟବହାର କୁଶଳୀ ଓ ମିଷ୍ଟ ଭାଷିଣୀ ଥିଲେ |ଭଗବାନ ତାଂକଠାରେ ରୂପ ଗୁଣର ସଂଯୋଗ କରି ଦେଇଥିଲେ |ସେ କହିଲେ,ବ୍ୟସ୍ତ ହେବାର କିଛି ନାହିଁ,ଖୁବ୍ ଶୀଘ୍ର ଆପଣ ବାପା ହେବାକୁ ଯାଉଛନ୍ତି |ଏହା ଶୁଣି ଅନୁପମ ଆକାଶରୁ ଖସି ପଡିଲା ଯେମିତି |ସେ ଯେ ଏ ସମ୍ବାଦରେ ସନ୍ତୁଷ୍ଟ ନୁହେଁ,ତା ମୁହଁରୁ ସ୍ପଷ୍ଟ ଜଣା ପଡୁଥିଲା |ଡକ୍ଟର କହିଲେ,ମେଡିସିନ ଲେଖି ଦେଉଛି,ଦିନେ ଦୁଇଦିନ ଭିତରେ ଭଲ ଲାଗିବ |କିନ୍ତୁ ରେଗୁଲାର ଚେକଅପ କରାଇବେ,ଠିକ ସମୟରେ ମେଡିସିନ ଖାଇବେ,ରେଷ୍ଟ ଈଶ୍ବରଂକ ଇଚ୍ଛା |
           ଡକ୍ଟରଂକଠାରୁ ଫେରିବାପରେ ଅନୁପମ କହିଲା,ବୁନୁ,ଏବେ ମୋ ପ୍ରୋବଲେମ ବଢ଼ିଗଲା,ଜାଣିପାରୁନି,କଣ କରିବି |ବନହଂସୀ ଜାଣି ପାରିଲା,ତା ମାତୃତ୍ତ୍ବ,ଅନୁପମକୁ ଚିନ୍ତାଗ୍ରସ୍ତ କରି ପକାଇଛି |ସେ କହିଲା,ବ୍ୟସ୍ତ ହୁଅନା,ତମେ ମତେ ଯାହା କରିବାକୁ କହିବ,ମୁଁ ସବୁ କରିବାକୁ ପ୍ରସ୍ତୁତ ଅଛି |ମୁଁ ଚାହେଁନା ତମେ ମୋପାଇଁ ହଇରାଣ ହୁଅ ବୋଲି |ଅନୁପମ କହିଲା,ମତେ ଭୁଲ ବୁଝନା ବୁନୁ,ଆକଚୁଆଲି ମୁଁ କଣ କରିବି ବା ମତେ କଣ କରିବା ଉଚିତ,ମୁଁ କିଛି ସ୍ଥିର କରି ପାରୁନି |
           ଘରେ ପହଂଚି ସବୁଦିନ ପରି ସେ ଗାଡି ବାହାରେ ରଖିଲାନାହିଁ |ଭିତରକୁ ଗାଡି ନେଇ ଆସିଲା |ବନହଂସୀ ପଚାରିଲା,ଆଉ କୁଆଡେ ଯିବନି ?ଅନୁପମ ମନା କଲା |ଲୁଗା ପାଲଟି ସେ ବିଛଣାରେ ଶୋଇପଡିଲା |ଅନୁପମ ମଧ୍ୟ ଆସି ଛୋଟ ଶିଶୁଟିଏ ପରି ତା ପାଖରେ ଗୁଂଜିହୋଇ ଶୋଇପଡିଲା |ବନହଂସୀ ଆଖିରେ କିନ୍ତୁ ନିଦ ନଥିଲା |ସେ ଦେଖିଲା,ଅନୁପମ ମୁହଁମାଡି ଶୋଇ ପାଦ ହଲାଉଛି |ନଶୋଇ ଗଭୀର ଭାବରେ ଚିନ୍ତା କରିବାର ଲକ୍ଷଣ ଇଏ |ସେ ଅନୁପମ କାନ ପାଖରେ ମୁହଁ ରଖି କହିଲା,କାଲି କେତେ ତାରିଖ ମନେ ଅଛି ?ଅନୁପମ ବନହଂସୀ ଆଡକୁ ଚାହିଁଲା |ପଚାରିଲା,କେତେ ତାରିଖ ?ବନହଂସୀ ମୃଦୁ ହସି କହିଲା,ଏପ୍ରିଲ କୋଡିଏ,ଆମ ପ୍ରଥମ ବିବାହ ବାର୍ଷିକୀ |ଅନୁପମ ବିରକ୍ତ ହୋଇ କହିଲା,ବାହାଘର କେତେବେଳେ ହେଲା ଯେ ତାର ବାର୍ଷିକୀ ପାଳନ ହେବ ?ତା କଥା ଶୁଣି ବନହଂସୀର ଆଶ୍ଚର୍ଯ୍ୟଚକିତ ଚକ୍ଷୁ ବିସ୍ଫାରିତ ହୋଇଗଲା |ଅନୁପମ ସଂଗେ ସଂଗେ ତା ବାକ୍ୟକୁ ସଜାଡି ନେଇ କହିଲା,ଆରେ ତମେ ଡରିଗଲ ନାଁ କଣ ?ମୁଁ ଏମିତି ଜୋକ୍ କରୁଥିଲି |ବନହଂସୀ କାନ୍ଦି କାନ୍ଦି କହିଲା,ତମେ ଜମାରୁ ଜୋକ୍ କରୁନଥିଲ;ତମେ କଣ ଜାଣିଥିଲ,ଟାଇମ ପାସ ପାଇଁ ଯାହାକୁ ଉଠାଇ ଆଣିଥିଲ,ସେ ତମ ଗଳାରେ ନାଗସାପ ପରି ଝୁଲି ତମକୁ ଦଂଶନ କରିବ ବୋଲି ??(କ୍ରମଶଃ)

Monday, January 13, 2020

ନିଶୀଥ ଜ୍ୟୋତ୍ସ୍ନା (୨୨)

                   ବାଟରେ ସେମାନଂକ ସାଂଗେ କଥାହୋଇ ଅନୁପମ ଜାଣିଲା,ମହାରଣା ସାରଂକ ଉପରେ ରାଗରଖି କୁସୁମପୁରର ଯୁବକସଂଘ ତାଂକୁ ପାନେ ଦେବାପାଇଁ ସୁଯୋଗ ଖୋଜୁଥିଲେ |କାଲି ମହାରଣା ସାର୍ ସ୍କୁଲ  କାର୍ଯ୍ୟରେ ବ୍ୟସ୍ତ ରହି  ରାତି  ହୋଇଗଲା |ସ୍କୁଲରୁ ଫେରିବାବେଳେ ଦଳେ ପିଲା ଛୁରୀ,ଲାଠି ଓ ରଶି ସହ ତାଂକୁ ଆକ୍ରମଣ କଲେ |ସମସ୍ତଂକ ମୁହଁରେ ମୁଖା ଥିଲା ଓ ସେମାନେ କେବଳ ଅଂଡରୱେର ପିନ୍ଧିଥିଲେ |ପ୍ରଥମେ ସାର୍ ଭୁତ ଭାବି ବେହୋସ ହୋଇଗଲେ |ଏଇ ଅବସରରେ ସେମାନେ ତାଂକ ମୁହଁରେ ଚୂନ,କଳା ବୋଳି ତାଂକର ଅଧା ନିଶ କାଟିଦେଲେ |ଚୁଟି କାଟିବାବେଳେ ସାରଂକ ହୋସ ଆସିଗଲା | ସେ ପାଟି କରିବାରୁ,ସେଇବାଟେ ଯାଉଥିବା କେତେଜଣ ଦୌଡି ଆସିବାରୁ ସେମାନେ ନଦୀ ପହଁରି ଚାଲିଗଲେ |ଗ୍ରାମବାସୀଙ୍କ ସହ ଆଲୋଚନା ବିଫଳ ହେବାରୁ ସେମାନେ ଥାନାରେ ଏତଲା ଦେବାକୁ ଯାଉଥିଲେ |
              ଅନୁପମକୁ ହସ ମାଡୁଥିଲେ ବି କୌଣସିମତେ ନିଜକୁ ରୋକିନେଲା |ସେ ଗମ୍ଭୀର ହୋଇ କହିଲା,ବାସ୍ତବିକ,ବଡ଼ ଦୁଃଖର କଥା |ହେଲେ କୁସୁମପୁର ଯୁବକସଂଘ ପିଲା କଦାପି ଏ କାମ କରିନଥିବେ |ତାଂକ ନାଁ ନେଇ କେତେଜଣ ଅସାମାଜିକ ଦୁବୃର୍ତ୍ତ ଏ କାମ କରିଥିବେ |ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ |ସତ୍ୟ କେବେ ଲୁଚି ରହେନା |ସବୁକଥା ଖୁବ୍ ଶୀଘ୍ର ଜଣା ପଡିଯିବ |ହେଲେ ଆପଣମାନେ ପୁଲିସ ପାଖକୁ କାହିଁକି ଯାଉଥିଲେ ?
              ଲଣ୍ଠନଧାରୀ ଭଦ୍ରବ୍ୟକ୍ତି ,ଯାହାଂକ ନାମ ଭଜମନ ,କହିଲେ,ଏଇଟା ଆମ ଗାଁର ମର୍ଯ୍ୟାଦାର ପ୍ରଶ୍ନ,ଆମେ ନଯିବୁ କିଆଁ ?ଅନୁପମ କହିଲା,ଏଇଥିପାଇଁ ମୁଁ କହେ,ଆପଣମାନଂକ ମୁଣ୍ଡରେ ଗୋବର ଅଛି |କିଓ, ପୁଲିସ କଣ କରିବ ?ଅସଲ ନାଟର ଗୋବର୍ଦ୍ଧନ ହେଉଛି,ପୁଲିସ |ଏପଟେ କଳି ଲଗାଇ ସେପଟେ ମୀମାଂସା କରିବ, ଫାଣ୍ଡିକୁ ଦୌଡାଇ ଖର୍ଚ୍ଚାନ୍ତ କରାଇ ପ୍ରାଣ ନେବ |
             ଭଜମନ କହିଲେ,ତାହେଲେ ଏବେ କରିବା କଣ ?ଅନୁପମ କହିଲା,ଆମେ ଆମ ଭିତରେ ଆଲୋଚନା କରିବା,ଯଦି ଆମ ଭିତରେ କିଛି ଭୁଲ ବୁଝାମଣା ହୋଇଥିବ,ତାକୁ ସୁଧାରି ,ଦୁଇ ପକ୍ଷକୁ ସୁହାଇବା ଭଳି କିଛି ଗୋଟାଏ ବାଟ ବାହାର କରିବା ;କଣ କହୁଛନ୍ତି ?ଭଜମନ ନିଜ ଅନ୍ୟ ସାଥୀମାନଂକ ସହ ଆଲୋଚନା କଲେ ଓ ଏଥିରେ ରାଜି ଅଛନ୍ତି ବୋଲି ସଂକେତ ଦେଲେ |ସମାଧାନର ରାସ୍ତା ମିଳି ଯିବାରୁ ଅନୁପମ ଖୁସି ହେଲା |
              କୁସୁମପୁରରେ ପହଂଚିବାପରେ,କେତେଜଣ ମହିଳା ବନହଂସୀକୁ ଆଦରର ସହ ପାଛୋଟି ନେଲେ |ସେଠାରେ ସେ ଜଣଂକ ଘରେ ରହିବାର ବନ୍ଦୋବସ୍ତ ହେଲା |ରାତିରେ ଗରମ ଭାତ,ଡାଲମା,ଖଟା ଓ ଆଚାର |ବନହଂସୀକୁ ତାହା ଅମୃତ ପରି ଲାଗୁଥିଲା |ଭୋରରୁ ଉଠିବା ବନହଂସୀର ଅଭ୍ୟାସ |କିନ୍ତୁ,ଯେଉଁ ସମୟରେ ସେ ଉଠେ,ତାର ଯଥେଷ୍ଟ ପୂର୍ବରୁ ଘରର ସମସ୍ତ ସଦସ୍ୟ ଉଠି ସାରିଥିଲେ ଓ ଅତି ଶୃୃଂଖଳାର ସହ ଗୋଟିକ ପରେ ଗୋଟିଏ କାମ ସୁରୁଖୁରୁରେ କରି ଚାଲିଥିଲେ  |ଗୃହ ମାଲିକ ଗ୍ରାମର ସରପଂଚ ଥିଲେ |ତାଂକର ଦୁଇଝିଅ ଓ ଦୁଇ ପୁଅ |ସ୍ତ୍ରୀ କୁନ୍ତଳା ଅତ୍ୟନ୍ତ ସୁନ୍ଦରୀ |ସେ ବନହଂସୀକୁ ପଚାରିଲେ,ତୁ ଆମ ବ୍ରାହ୍ମଣ ଘର ଝିଅଟି ?ତୋ ଭାଇ ଭଉଣୀ କଣ ?ପୁଣି କହିଲେ,ଆମେ କଣ ନେତ୍ରୀ ଦେଖିନୁ ନାଁ ଭାଷଣ ଶୁଣିନୁ ?ହେଲେ ତତେ ଦେଖିଲେ ତ ସେମିତି ନେତ୍ରୀ ପରି ଜଣା ପଡୁନି |ବୟସ ବି କମ ଜଣା ପଡୁଛି |ଏ ବାଟ ବଡ଼ କଣ୍ଟା ଝଣ୍ଟା,ତୁ ଏ ବାଟରେ ଆସିଲୁ କାଇଁକି ?
               ବନହଂସୀ ଚୁପଚାପ ତାଂକ କଥା ଶୁଣୁଥିଲା,କିଛି ଉତ୍ତର ଦେଉନଥିଲା |ସେ ପୁଣି କହିଲେ,ଲୋକଂକ ମୁହଁରେ ନିଆଁ |ସୋରିଷ ଫୁଟିଲେ କହିବେ,ତାଳ ଫୁଟିଲା |କଥା କଣ କି ,ତୁ କାଳେ ଅନୁଂକୁ ବାହା ହୋଇନୁ ,ସିଏ ତତେ ସେମିତି ଉଠେଇ ଆଣିଛି |ବାପା,ମା ,କୋଟିପତି,କେତେ ଜାକଜମକରେ ପୁଅ ବାହାଘର କରିଥାନ୍ତେ,ଏକାଥରକେ,ଆଠ ଦଶଖଣ୍ଡ ଗାଁ ଉଠୁଥାନ୍ତା,ପଡୁଥାନ୍ତା |ହେଲେ,ଇଏ କଣ କଲେ ?ଏ ଭଳିଆ ଲୋକ ନେତାହେଲେ,ତାଂକୁ କିଏ ମାନିବେ ?ଅନର୍ଗଳ କଥା କହୁ କହୁ,ସେ ବନହଂସୀର ଶୁଖିଲା ମୁହଁ ଦେଖି ଅଟକି ଗଲେ |କହିଲେ,ମୋ କଥାରେ ମାନ କଲୁ କି ?ତୁ ପରା ନେତ୍ରୀ ହେବାକୁ ମନ ବଳାଇଛୁ ?ଲୋକଂକ କଥାକୁ ଧରି ବସିଲେ ଚଳିବୁ କେମିତି ?ସେ ଏହା କହି ବନହଂସୀର ହାତଧରି ଭିତରକୁ ନେଇଗଲେ ଓ ପିଢାଟିଏ ପକାଇ କହିଲେ,ବସ ଏଇଠି |କହୁ କହୁ,ରୋଷେଇଘରକୁ ଯାଇ,ପଖାଳ ଓ ଶାଗଭଜା ନେଇଆସିଲେ |ଆଗ କରି ବନହଂସୀକୁ ଗୋଟାଏ ଗୁଣ୍ଡା ଖୁଆଇ,ପାଟିରେ ଟିକିଏ ଶାଗ ମାଡିଦେଇ କହିଲେ,ୟେ ଯେତେବେଳେ ସରପଂଚ ପାଇଁ ପ୍ରାର୍ଥୀ ହେଲେ,ସେତେବେଳେ ମୁଁ ନିଜେ ଘର ଘର ବୁଲି ମାଇପି,ମରଦ ସମସ୍ତଂକୁ ଭୋଟ ଦେବାପାଇଁ କହିଥିଲି |ଟିକିଏ ରହି ବନହଂସୀକୁ କହିଲେ,ତୁ ଖାଉନୁ କାହିଁକି |ବନହଂସୀ ଏଥର ପାଟି ଖୋଲିଲା |କହିଲା,ଆପଣ ଖାଇଲେଣି ?କୁନ୍ତଳା କହିଲେ,ଆଉ ଟିକିଏ ପରେ ଖାଇବି,ମତେ କଣ ଏଇନା ଭୋକ ଲାଗୁଛି ?
               ବନହଂସୀ କହିଲା,ଆପଣ ତ ଅନେକବେଳୁ ଗାଧୋଇ ସାରିଲେଣି,ନଖାଇଲେ,ଦେହ ଖରାପ ହେବନି ?କୁନ୍ତଳା କହିଲେ,ପାଟିରେ ଟିକିଏ ଲୁଣ ମାରିଦେଇ,ଗିଲାସେ ପାଣି ପିଇଦେଲେ ଆଉ ଭୋକ ନଥାଏ |ଏ ବୟସରେ କଣ ଏତେ ଭୋକ ଥାଏ ?ବନହଂସୀ  ନିଜ ସୁକ୍ଷ୍ମ ନୟନରେ କୁନ୍ତଳାଂକୁ ପୁଣିଥରେ ଲକ୍ଷ୍ୟ କଲା |କେତେ ବୟସ ହେବ ତାଂକର !ତାଂକର ଘନକୃଷ୍ଣ କେଶ,ମୀନ ନୟନର ଜ୍ୟୋତି ଓ ଛୋଟ ଛୋଟ ଡାଳିମ୍ଵ ସଦୃଶ ଦନ୍ତପଂକ୍ତିର ସୌନ୍ଦର୍ଯ୍ୟ ଦେଖି କିଏ କହିବ,ତାଂକର ବୟସ ତିରିଶ ଟପି ଯାଇଛି ବୋଲି !!ସେ ପଚାରିଲା,ମଉସା କୁଆଡେ ଯାଇଛନ୍ତି ?
             କୁନ୍ତଳା କହିଲେ,ସକାଳୁ ଗାଧୋଇ କୁଆଡେ ଚାଲି ଯାଇଛନ୍ତି |ନାଁ ଦିଅଁ ପୂଜା ହୋଇଛି ନାଁ ଖିଆ |ଘରୁ ଖାଇ ଘୋଡା ଆଗରେ ଦୌଡିବାକୁ କଣ ଭଲ ଲାଗୁଛି,କେଜାଣି !!ବନହଂସୀ ଏଥର କୁନ୍ତଳାଂକ ନଖାଇବା ରହସ୍ୟ ଜାଣିପାରିଲା |ସେ ଚୁପଚାପ ଖାଇବାରେ ମନଦେଲା |କୁନ୍ତଳା କହି ଚାଲିଥିଲେ,ଲୋକଂକ ପାଇଁ ଏତେ ଖଟି ଲାଭ କଣ ?ଗୋଟାଏ ଲୋକକୁ ନେତା କରିବା ଆଗରୁ ଖାଲି ତାର ସୁଗୁଣଗୁଡା ଦେଖା ଯାଉଥିବ |ନେତା କରିଦେଲା ପରେ ସବୁ ଓଲଟି ପଡିବେ |ପରଶମଣି ପରି ସଭିଂକ ଇଚ୍ଛା ପୂର୍ଣ୍ଣ କରିବାକୁ ପଡିବ,ତାନହେଲେ ନେତା ହୋଇଯିବେ,ତାଂକର ଘୋର ଶତ୍ରୁ |ଲାଂଚୁଆ,ମିଛୁଆ ଆଦି କେତେ କଣ ଉପାଧିରେ ପୋତି ଦେବେ |ୟାଂକୁ ସରପଂଚ କରିବାପାଇଁ ଗାଁ ସାରା ଲୋକେ ଲାଗି ପଡିଥିଲେ |ୟାଂକ ମୁହଁରୁ ହଁ ପଦୁଟିଏ ଶୁଣିବା ପାଇଁ କମ ଖୁସାମଦ କରୁନଥିଲେ |ହେଲେ ଦେଖ,ସରପଂଚ ହେବାର ଦୁଇମାସ ନଯାଉଣୁ କହିଲେ କଣ ନାଁ କଲେଜ ପଇସା ଖାଇ,ଝିଅ ବାହାଘର କଲା |ଶେଷୋକ୍ତ  ବାକ୍ୟ ପୂର୍ଣ୍ଣ ହେବା ପୂର୍ବରୁ ବାହାରେ କାହାର କଣ୍ଠସ୍ବର ଶୁଭିଲା,ନନା ଅଛନ୍ତି ?ଭିତରୁ କୁନ୍ତଳା କହିଲେ,କିଏ ??
              ବାହାରୁ ଶୁଭିଲା,ମୁଁ ସୁରେଶ |ନାଁ ଟା ଶୁଣି ବନହଂସୀର ଖାଦ୍ୟ  ତଣ୍ଟିରେ ଅଟକି ଗଲା |କୁନ୍ତଳା ଉଠିଯିବା ବେଳେ ସେ ଠାରିଦେଇ ତାଂକୁ କହିଲା,ସେ ଅଛି ବୋଲି ଯେମିତି ସେ ନକହନ୍ତି |କୁନ୍ତଳା କହିଲେ,ତୁ କଣ ପାଗଳ ହେଲୁ ?ସେ ଚାଲିଗଲେ |କିଛିସମୟପରେ ଫେରିଆସି କହିଲେ,ଲୋକଟାକୁ ଦେଖିଲେ ମୋ ହାଡ ଜଳେ |ତାଂକ ନାଁରେ କଣ ସେ ନକହିଛି !!ଏବେ ଭଲେଇ ହୋଇ କହୁଛି କଣ ନାଁ ନାନୀ !
              ବନହଂସୀ ପଚାରିଲା,ମଉସାଂକୁ ଖୋଜୁଥିଲେ ?କୁନ୍ତଳା କହିଲେ,ତାଂକରି ପାଖରୁ ଶୁଣିକରି ଆସିଲା,ତୁ ଏଇଠି ଅଛୁ ବୋଲି |ଆସିଥିଲା,ତତେ ଦେଖା କରିବାପାଇଁ |ତତେ ଭାଉଜ ବୋଲି ଡାକୁଛି ତ !ହେଲେ ଆଗରେ ଭାଉଜ ଡାକି ପଛରେ କିଳା ମାରିବାରେ ଏ ଭଦ୍ରବ୍ୟକ୍ତି ଧୂରନ୍ଧର |ବନହଂସୀ ନୀରବରେ ଖାଇବାରେ ମନ ଦେଲା |କୁନ୍ତଳା କହିଲେ,ହଁ,ମୁଁ କଣ କହୁଥିଲି ଟି ?ପଇସା ଖାଇବା କଥା |ୟେ କଣ ହଟିଯିବା ଲୋକ ?ହିସାବପତ୍ର ସବୁ ଆଣି ଦେଖେଇଦେଲେ |ସମସ୍ତେ ଚୁପ ,କହିବେ କଣ !ବନହଂସୀ ପଖାଳ ଖାଇ ତୋରାଣି ପିଇଲା |ଏହି ସମୟରେ ବାହାରୁ କୁନ୍ତଳାଂକ ସ୍ବାମୀ ନୀଳକଣ୍ଠ ଓ ଅନୁପମର କଣ୍ଠସ୍ବର ଶୁଭିଲା |ସେମାନେ ଘରେ ପ୍ରବେଶ କରିବା ପୂର୍ବରୁ ବନହଂସୀ ଅଇଁଠା ଉଠାଇ ଗୋବର କପଡାରେ ସେ ସ୍ଥାନ ପୋଛିଦେଲା |ଆଗପଛ ହୋଇ ନୀଳକଣ୍ଠବାବୁ ଓ ଅନୁପମ ପହଂଚିଗଲେ |ନୀଳକଣ୍ଠ କହିଲେ,ଅନୁ ଆସିଛି,ତା ପାଇଁ ବାଢ଼ |ତାର ଆଚାର ଖାଇବାରେ ମନ ଅଛି,ତାକୁ ଆଚାର ଦଵ |କୁନ୍ତଳା ଚଟ କରି ସେଠାରୁ ଚାଲିଗଲେ |
            କବାଟ ଫାଂକରୁ ବନହଂସୀ ଅନୁପମକୁ ଦେଖୁଥିଲା |ସେ ଖାଇବାବେଳେ ଖୋଜିବା ଖୋଜିବା ଦୃଷ୍ଟିରେ ଚାରିଆଡକୁ ଚାହୁଁଥିଲା |ବୋଧହୁଏ ସେ ବନହଂସୀକୁ ଖୋଜୁଥିଲା |ଏହି ଭାବନା ମନକୁ ଆସିବା କ୍ଷଣି ସେ ଉଲ୍ଲସିତ ହେଲା |
              ନୀଳକଣ୍ଠ ପଚାରିଲେ,ବୋହୂ କୁଆଡେ ଯାଇଛି କି ?କୁନ୍ତଳା କହିଲେ,ମ' ସିଏ କଣ ଆଉ ବୋହୂ ହୋଇ ଅଛି ?ତାକୁ ତ ତମେ ନେତ୍ରୀ କରିସାରିଲଣି !ନୀଳକଣ୍ଠ କହିଲା,ଭଲ ନାଁ-ସ୍ତ୍ରୀ ଲୋକମାନେ ଘରକୋଣରେ ବସି ରହିଲେ,ଦେଶ ଆଗେଇବ କେମିତି ?ତମେ ମୋପାଇଁ ଏଥର କେତେ ପରିଶ୍ରମ କରିଛ କହିଲ ?ଅନୁପମ ମୃଦୁ ହସି କହିଲା,ନାନୀ ଆମର କୋଟିକରେ ଗୋଟିଏ |କୁନ୍ତଳା ମୁହଁ ମୋଡି କହିଲେ,ତମେ ନାନୀ ଡାକ,ସେ ଡାକୁ ମାଉସୀ |ଅନୁପମ କହିଲା,ବୁଝିଲ ନାନୀ,ତମେ ହେଲ ଗୋଟିଏ ୟୁନିଭରସାଲ ଫିଗର |ତମକୁ ଯାହା ଡାକିଲେ ବି ସୁଟ କରିବ |କୁନ୍ତଳା କହିଲେ,ଯା ଯା ସେମିତି ତେଲିଆ କଥା କୁହନା |ତମେ ତ ତାକୁ କିଛି ଶିଖେଇନ |ଫଟ କରି ଗାଁକୁ ନେଇ ଆସିଲ,କଣ ନାଁ ପ୍ରଚାର କରିବ,ତମର ସବୁ କାମ ସେଇଆ |ତାଂକ କଥା ଶୁଣି ଅନୁପମ କ୍ଷୁବ୍ଧ ହେଲା ,କିନ୍ତୁ ନିରୁତ୍ତର ରହିଲା |
            ନୀଳକଣ୍ଠ କହିଲେ,ବାଇଗଣ ଭାଜିଦିଅ ,ଶାଗ ଥଣ୍ଡା ହୋଇଗଲାଣି |ଦୂରରୁ ବନହଂସୀ ଲକ୍ଷ୍ୟ କରୁଥିଲା,ଅନୁପମ ଗମ୍ଭୀର ହୋଇ ଯଥାସମ୍ଭବ ଶୀଘ୍ର ଖାଉଛି |କୁନ୍ତଳା ପ୍ଲେଟରେ ବାଇଗଣ ଭଜା ଦେଲେ,ତା ସହିତ ମଂଜି ବଡିଭଜା ମଧ୍ୟ ଦେଲେ |କିନ୍ତୁ ଅନୁପମ ତାକୁ ନଖାଇ,କେବଳ ପଖାଳ ଓ ଆଚାର ଖାଇ ଉଠିଗଲା |ମୁହଁହାତ ଧୋଇ ସେ ସିଧା ବନହଂସୀ ଥିବା କୋଠରୀକୁ ଆସିଲା |କହିଲା,ତମେ ଏଇଠି ?ସୁରେଶ କହୁଛି,ତମେ କାଳେ ଭାଷଣ ଦେବାକୁ ଯାଇଛ |ତା କଥା ଶୁଣି ବନହଂସୀ ହସି ପକାଇଲା |ଅନୁପମ କହିଲା,ତମେ ଖାଇଛ ?ଅନୁପମ ଆଖିରେ ଆଖି ମିଶାଇ ବନହଂସୀ ସମ୍ମତ୍ତି ଜଣାଇଲା |ଅନୁପମ ବିରକ୍ତ ହୋଇ କହିଲା,କହୁନ,ଖାଇଛ ନା ନାହିଁ ?ଏ କଣ ମଜା କରିବାର ସମୟ ?
            ବନହଂସୀ କହିଲା,ଖାଇ ସାରିଛି |ଏଇନା କୁନ୍ତଳା ନାନୀ ମତେ ଜୋରକରି ଖୁଆଇ ଦେଲେ |ତାପରେ ତ ତମେ ଆସିଲ |ତାର ଉତ୍ତରରେ ଅନୁପମ ସନ୍ତୁଷ୍ଟ ହେଲା |କହିଲା,ଠିକ ଅଛି,ତମେ ବାହାର,ମୁଁ ଅଧଘଣ୍ଟା ଭିତରେ ଆସୁଛି |କିନ୍ତୁ ବନହଂସୀକୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡିଲା ନାହିଁ |ପାଂଚ ମିନିଟ ଭିତରେ ହିଁ ଅନୁପମ ଜିପ ନେଇ ଫେରିଆସିଲା |ସଯତ୍ନରେ ମୁଣ୍ଡରେ ଓଢ଼ଣା ଦେଇ ବନହଂସୀ ଦ୍ବାରବନ୍ଧ ଅତିକ୍ରମ କରିବାବେଳେ ଦେଖିଲା,ଅନୁପମ ପାଖରେ ସୁରେଶ ବସିଛି |ବନହଂସୀର ସରାଗ ମଉଳି ଗଲା |ସେ ଜିପ ପାଖରେ ପହଁଚିବା କ୍ଷଣି ଅନୁପମ ସୁରେଶକୁ ପଛରେ ବସିବାକୁ କହିଲା |ତା କଥାରେ ସୁରେଶର ମୁହଁର ରଂଗ ବଦଳି ଗଲା |ଏହା ବନହଂସୀ ଆଖିରୁ ବାଦ ଗଲାନାହିଁ |ତାକୁ ଲୁଚାଇବା ପାଇଁ ସେ ହସି ପକାଇ କହିଲା,ମୋର କାମ ଅଛି,ମୁଁ ଆଜି ଯିବିନି,ତମେ ଯାଅ |ସୁରେଶ ଓହ୍ଲାଇ ଗଲା |ସଂଗେ ସଂଗେ ବନହଂସୀ ଅନୁପମ ପାଖରେ ବସିପଡିଲା |ଅନୁପମ କହିଲା,କିନ୍ତୁ ତୁ ତ କହୁଥିଲୁ,ତୋର ସାରଂକ ପାଖରେ ଜରୁରୀ କାମ ଅଛି,ମୋ ସାଂଗରେ ଯିବୁ ବୋଲି ?ସୁରେଶ କହିଲା,କହିଲି ବୋଲି କଣ ଭୁଲ ହୋଇଗଲା ?ପରେ ଗଲେ ଚଳିଵ |ଅନୁପମ କହିଲା,କଣ ସେ ଅର୍ଜେଣ୍ଟ କାମ ଟା ଶୁଣେ ?ଏଥର ସୁରେଶ ରୀତିମତ ବିଗିଡିଯାଇ କହିଲା,ମୋ କାମ କଥା ମୁଁ ଜାଣେ |ମାଇଣ୍ଡ ୟୋର ୱନ ବିଜିନେସ |ତୁ ସିନା ସାରଂକ ଡାହାଣ ହାତ ଯେ ତତେ ସ୍ପେସାଲ ଜିପ ମିଳିବ,ଆମେ ତ ତଳତଳିଆ ଲୋକ,ଆମର ଏତେ ଥାଟ କଣ ଦରକାର ?ଅନୁପମର କଥା ଶୁଣିବାକୁ ଅପେକ୍ଷା ନକରି ସେ ସେଠାରୁ ଚାଲିଗଲା |
              ସେମାନେ ଯିବାକୁ ବାହାରିବାବେଳେ ଗୁପ୍ତଖବର ଆସିଲା,ବାଟରେ ଶାସକଦଳର କେତେଜଣ ଅନୁପମକୁ ଆକ୍ରମଣ କରିବାକୁ ଜଗିଛନ୍ତି |ତେଣୁ ଜିପ ସହିତ ବାଇକରେ ବଡ ବଡ ଠେଂଗା ଧରି କୋଡିଏରୁ ଉର୍ଦ୍ଧ୍ବ ବାଇକ ଆରୋହୀ ଗଲେ |ବାଟରେ ଗଲାବେଳେ ସେମାନେ ବିଭିନ୍ନ ସ୍ଲୋଗାନ ଦେଇ ଯାଉଥିଲେ |ସେମାନେ ଅନୁପମକୁ ନିରାପଦ ସ୍ଥାନରେ ଛାଡି ଫେରିଗଲେ |(କ୍ରମଶଃ)
         

Friday, January 10, 2020

ନିଶୀଥ ଜ୍ୟୋତ୍ସ୍ନା (୨୧)

                    ଖାଇସାରିବା ପରେ ଅନୁପମ ଗୋଡ଼ ଦୁଇଟି ଟେବଲ ଉପରେ ରଖି ଚେୟାରକୁ ଆଉଜି ସିଗାରେଟ ଟାଣୁଥିଲା |ଉପରକୁ ଧୂଆଁ ଛାଡୁ ଛାଡୁ ସେ ଆଖି ବୁଜି ଗଭୀର ଭାବନାରେ ମଜ୍ଜି ଯାଇଥିଲା |ବନହଂସୀ ସେ ରୁମକୁ ଆସି ତାକୁ କ୍ଷଣେ ଚାହିଁଲା,କହିଲା,ଟିକିଏ ରେଷ୍ଟ ନିଅ ଭଲଲାଗିବ |
                ଅନୁପମ କହିଲା,ଆଉ ଏ ଜୀବନରେ ରେଷ୍ଟ ଅଛି ?କେତେଦିନ ବିତିଗଲାଣି,ଆଉ କେତେଟା ଦିନ ଅଛି,ଯାଉ ଏମିତି |ବନହଂସୀ ଆହତ ସ୍ବରରେ କହିଲା,ଏମିତି କଣ କହୁଛ ?ଅନୁପମ କହିଲା,ବୁନୁ,ତମେ ମୋ ରାସ୍ତାରେ ପ୍ରତିବନ୍ଧକ ହୁଅନା |ବନହଂସୀ ଅନୁପମ ଦୃଷ୍ଟିରେ ଦୃଷ୍ଟି ମିଳାଇ କହିଲା,ମୁଁ ତମ ରାସ୍ତାରେ ପ୍ରତିବନ୍ଧକ ହେଉଛି ?
                ଅନୁପମ କହିଲା,ନୁହେଁ ଆଉ କଣ ?ଯେଉଁଦିନ ଠାରୁ ମତେ ନକହି ପ୍ରସେସନରେ ଗଲ,ସେଇଦିନଠାରୁ ମୋ ବିରୁଦ୍ଧରେ ଅପପ୍ରଚାର ଆରମ୍ଭ ହୋଇଛି ;ମୁଁ କାଳେ ମୋ ସ୍ବାର୍ଥ ପାଇଁ ତମକୁ ବ୍ୟବହାର କରୁଛି |ବନହଂସୀ କହିଲା,ତମେ ରାଜନୀତିରେ ପଶି ଅପପ୍ରଚାର କୁ ଭୟ କରୁଛ ?ତାହେଲେ ତମେ ପାହାଡ ଉପରକୁ ଚଢିବ କେମିତି ?ତମକୁ କାନରେ ତୁଳାଦେଇ ହିଁ ପାହାଡ ଉପରକୁ ଯିବାକୁ ପଡିବ |ତା ନହେଲେ ତମେ ବି ପଥର ପାଲଟିଯିବ,ଆଉ ବୁଲବୁଲ ଚଢେଇକୁ ଆଣିପାରିବନାହିଁ |ଅନୁପମ କହିଲା,ମୁଁ ଥିଓରୀରେ ବିଶ୍ବାସ କରେନା ବୁନୁ |ରାଜନୀତି ତୁମ ପାଇଁ ନୁହେଁ |
                ବନହଂସୀ କହିଲା,ଯାହା ହେବ ଦେଖାଯିବ |ବେଶିହେଲେ ମତେ ମାରିଦେବେ |ଏମିତି ତ ମଣିଷ ଅମର ନୁହେଁ |କାଲି ମରିଥାନ୍ତି,ଆଜି ମରିବି |ମରଣ ସୁନିଶ୍ଚିତ,ସେଥିପାଇଁ ମୋର ଭୟ ନାହିଁ |ଅନୁପମ ଫିକା ହସି କହିଲା,ଏସବୁ ପିଲାଳିଆମୀ ଛାଡ଼ |ବି ପ୍ରାକ୍ଟିକାଲ |ତମେ ସିନା ରାଜନୀତି କଣ,ନୂଆ ନୂଆ ଜାଣୁଛ,ସେଥିପାଇଁ ଏତେ ଭାବପ୍ରବଣତା ଦେଖାଉଛ |କିନ୍ତୁ ରାଜନୀତି କଣ ମୁଁ ଜାଣେ |ଏଠି ଭାବପ୍ରବଣତାର ଆଦୌ ସ୍ଥାନ ନାହିଁ |ଏ ହେଉଛି,କ୍ଷମତାର ଖେଳ |ସେଥିପାଇଁ କେତେ ସ୍ତ୍ରୀ ଲୋକଂକ ମଥାରୁ ସିନ୍ଦୂର ଲିଭିଯାଏ,କେତେ ପିତାମାତା ଅନାଥ ହୁଅନ୍ତି,ପୁଣି ....ତାକୁ କୁହାଇ ନଦେଇ ତା ପାଟି ବୁଜି ଧରିଲା,ବନହଂସୀ |ଅନୁପମ କହିଲା,ଏଥିରେ ଦୁଃଖ କରିବାର କଣ ଅଛି ?ହୁଏତ ମୁଁ ବଳି ପଡିପାରେ ନଚେତ ରକ୍ଷା ପାଇଯାଇପାରେ ;ସେଇଟା ଚାନ୍ସ ର କଥା |ଆମଦେଶର ସ୍ବାଧିନତା କଥା ଚିନ୍ତା କର |ଦେଶପାଇଁ ବଳି ପଡିଲେ କିଏ ଆଉ କ୍ଷମତା ଉପଭୋଗ କଲେ କିଏ !!ଛାଡ ସେକଥା ,ଗୋଟିଏ ଜରୁରୀ କାମରେ ମୋର ଆଜି ଆନନ୍ଦ ସାରଂକ ଗାଁ କୁସୁମପୁର ଯିବାର ଅଛି | ତମେ ଯିବ ?ବନହଂସୀ ଅତି ଆଗ୍ରହରେ ମୁଣ୍ଡ ହଲାଇ କହିଲା,ହଁ |
             ତା ଉତ୍ତର ଶୁଣି ଅନୁପମ ମୂହୁର୍ତେ ଚିନ୍ତା କଲା,କହିଲା,ଠିକ ଅଛି,ତମେ ରେଡି ହୁଅ, ମୁଁ ଆସୁଛି |ସେ ଯାଇ ଖୁବ୍ ଶୀଘ୍ର ପାର୍ଟି ଜିପ ଆଣି ପହଂଚିଲା |ବନହଂସୀ ସେତେବେଳେ ତା ବ୍ୟାଗ ସଜାଡୁଥିଲା |ଅନୁପମ କହିଲା,ଯିବାକୁ ସାଂଗେ ସାଂଗେ ହଁ କହିଦେଲ,ସେଇଠି ରହିବ କେଉଁଠି ?କାହାକୁ ଚିହ୍ନିନ,ଜାଣିନ,କିଏ ପଦେ  କହିଦେଲେ,ସହି ପାରିବନି |କଣ କହୁଛ,ଯିବ ?ବନହଂସୀ କହିଲା,ହଁ ଯିବି |ଅନୁପମ କହିଲା,ବର୍ତ୍ତମାନ ଯେଉଁ ପରିସ୍ଥିତି,ଏକୁଟିଆ ଛାଡି ଗଲେ ବି ମୁସ୍କିଲ |ସିଆଡେ ରୁବିଅପା ତମ କାନରେ ଫୁଂକିଵାପାଇଁ ଅନେଇ ବସିଛନ୍ତି |ଯିବ ଯଦି ଶୀଘ୍ର ବାହାର,ହାତରେ ସମୟ ନାହିଁ |ବନହଂସୀ ଭିତରକୁ ଯାଇ ଅନୁପମର ସବୁଠାରୁ ଅଧିକ ପସନ୍ଦ ଶାଢୀ ପିନ୍ଧିଲା |ଅନୁପମ ସେମିତି କହି ଚାଲିଥିଲା,ସେଠାରେ ତମକୁ ଶାଢୀ ପିନ୍ଧିବାକୁ ପଡିବ ,ଆଡଜଷ୍ଟ ହୋଇ ଚଳିବାକୁ ପଡିବ |ନିପଟ ମଫସଲ ଅଂଚଳ,ସେଇଠି ଆଉ ସହରୀ କାଇଦା ଚଳିଵନି |ବନହଂସୀ କିଛି ଉତ୍ତର ଦେଉ ନଥିବାର ଦେଖି ସେ ବୁଲି ଚାହିଁଲା |ତାକୁ ଶାଢୀ ପିନ୍ଧା ବେଶରେ ଦେଖି ସେ ଖୁସି ହୋଇ କହିଲା,ଆରେ ବାଃ |ତମେ ତ ମୋ ଠାରୁ ବେଶୀ ହୁସିଆର ଦେଖୁଛି |ଆଉ ଗୋଟେ ଦୁଇଟା ଶାଢୀ ଅଧିକା ନେଇଥା,କାଳେ ରହିବାକୁ ପଡିବ |ବନହଂସୀ କହିଲା,ସବୁ ନେଇଛି,ତମର ବି ନେଇଛି,ଅନ୍ୟାନ୍ୟ ଯାହା ଦରକାର,ତାକୁ ବି ନେଉଛି |ତମେ ବ୍ୟସ୍ତ ହୁଅନା |ଅନୁପମ କହିଲା,ମୁଁ କାହିଁକି ବ୍ୟସ୍ତ ହେବି ?କିଛି ନନେଲେ ବି ମୁଁ ସେଠାରେ ଆରାମରେ ଚଳିଯାଇ ପାରିବି |ମୋର ଅଭ୍ୟାସ ଅଛି |
               ଜିପରେ ସେମାନେ ଦୁଇଜଣଂକ ବ୍ୟତିତ ଅନ୍ୟ କେହି ନଥିଲେ |ବନହଂସୀ ଅନୁପମ ପାଖରେ ଗୁଂଜିହୋଇ ବସିପଡିଲା |ତା ମନରେ ଏକ ଅଦ୍ଭୁତ ଶୀହରଣ ଜାତ ହେଉଥିଲା ଓ ତାକୁ ଖୁବ୍ ଖୁସି ଲାଗୁଥିଲା |ଅନୁପମ କହିଲା,ଘଟଣା କଣ ଜାଣିଛ ?ବନହଂସୀ ମୁହଁରେ ଚପଳ ହାସ୍ୟରେଖା ସୃଷ୍ଟି କରି କହିଲା,କଣ ?ଅନୁପମ କହିଲା,କୁସୁମପୁରରେ ଆନନ୍ଦ ସାର୍ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ |ଏବର୍ଷ ମାଟ୍ରିକ ପରୀକ୍ଷାରେ ସେଠାରେ ସବୁପିଲା ଫେଲ ହୋଇଛନ୍ତି |ଏଇଟା କେତେବଡ ଅପମାନ କଥା କହିଲ !ପିଲା ଯଦି ପାଠ ନପଢିବେ,ତାହେଲେ ଗାଁରେ ସ୍କୁଲ ରହିବ କାହିଁକି ?ଏବେ ଶୁଣାଯାଉଛି,ସ୍କୁଲର ଗଣିତ ଶିକ୍ଷକଂକ ପାଖରେ ଅଧିକାଂଶ ପିଲା ଟ୍ୟୁସନ ହୁଅନ୍ତି |ପିଲାଂକୁ  ପରୀକ୍ଷାରେ କପି ଦେବାର ଲୋଭ ଦେଖାଇ ସେ ପ୍ରତେକଂକଠାରୁ ଦୁଇଶହ ଲେଖାଏଁ ଟଂକା ନେଇଥିଲେ  |କିନ୍ତୁ ପରୀକ୍ଷା କଡାକଡି ହେବାରୁ ସେ ଆଉ କପି ଯୋଗାଇ ପାରିଲେ ନାହିଁ ଯାହା ଫଳରେ ପିଲା ଫେଲ ହୋଇଗଲେ |ଏହାକୁ ଇଶୁ କରି ଗାଁ ଲୋକେ କାଳେ ସାରଂକୁ ମାଡ଼ ମାରିଛନ୍ତି |ଏହାର ସମାଧାନ ପାଇଁ ସାର୍ ମତେ ପଠାଇଛନ୍ତି |ତମକୁ ମୋର ଉପଦେଶ,ସମସ୍ତେ ଯେପରି ଜାଣନ୍ତି,ଆମେ ଗାଁ ବୁଲିବାକୁ ଆସିଛୁ |ତାପରେ,ଆବଶ୍ୟକତାଠାରୁ ଅଧିକ କଥାବାର୍ତ୍ତା କରିବନି |ବନହଂସୀ ହସି ହସି କହିଲା,ଯଥା ଆଜ୍ଞା ଗୁରୁଦେବ |ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ |
                      ସହର ରାସ୍ତା ଛାଡି ଜିପ ଖୁବ ଶୀଘ୍ର ମଫସଲ ରାସ୍ତାରେ ଯିବାକୁ ଲାଗିଲା |କ୍ରମେ ଅପରାହ୍ନ ଉତ୍ତୀର୍ଣ ହୋଇଆସୁଥିଲା |ଶୀତଳ ପବନରେ ବନହଂସୀର ଆଖିପତା ବୁଜି ହୋଇଆସୁଥିଲା |ହଠାତ ଜୋରରେ ଗାଡିର ବ୍ରେକଦେଲା ଅନୁପମ |ଚମକିପଡି ବନହଂସୀ ଆଖିଖୋଲି ଅନୁପମକୁ ଚାହିଁଲା |ଅନୁପମ ଚିଡି ଉଠି କହିଲା,ତମେ ଶୋଇପଡୁଛ କାହିଁକି ?ବନହଂସୀ କହିଲା,ମତେ ଭଲ ଲାଗୁଛି |ଏମିତି ମୂହୁର୍ତ୍ତ ପାଇଁ ମୁଁ କେତେ ଯେ ସ୍ବପ୍ନ ଦେଖିଛି !ବେଳେବେଳେ ଗୋଟାଏ ଗୋଟାଏ ସ୍ବପ୍ନ ସତ ହୋଇଯାଏ,ନୁହେଁ ?ଅନୁପମ କହିଲା,ଦେଖ,ଜଂଗଲ ରାସ୍ତା ଆରମ୍ଭ ହୋଇଗଲାଣି |ଏଇଠି ଅସଂଖ୍ୟ ବିଷାକ୍ତ ସାପ ଅଛନ୍ତି |ଖାଲି ଗୋଟାଏ ଅଜଗର ଯଦି କୌଣସିମତେ ଆମ ଗାଡି ଉପରକୁ ଉଠିଆସେ,ତାହେଲେ କଥା ସରିଲା |ବନହଂସୀ ଭୟ କରିଗଲା ,ତାର ସବୁ ସ୍ବପ୍ନରେ ବ୍ରେକ ଲାଗିଗଲା |ସେ ନିଜ ମୁଣ୍ଡ ଉପରକୁ ଲୁଗା ଟାଣି ସ୍ଥିର ହୋଇ ବସିରହିଲା |
                     କିଛିବାଟ ଯିବାପରେ ଅନୁପମ  ଦୂରରୁ ଏକ ଆଲୋକରେଖା ଦେଖିପାରିଲା |ତା ସହିତ ଅନେକ ଲୋକଂକ କୋଳାହଳ ମଧ୍ୟ ଶୁଣିପାରିଲା |ସେ ସେହି ଦିଗକୁ ଗାଡି ନେଇ ଦେଖିଲା,କେତେଜଣ ଲୋକ ଟର୍ଚ୍ଚ ଲାଇଟ ଓ ଲଣ୍ଠନ ଜଳାଇ ଆସୁଛନ୍ତି |ସେମାନଂକ ସହିତ କଥାହୋଇ ସେ ଜାଣିପାରିଲା,ତାଂକ ଗାଁର ମହାରଣା ସାରଂକୁ କୁସୁମପୁର ଯୁବକସଂଘ ପିଲା ମାଡ ମାରିଥିବାରୁ ସେମାନେ ଥାନାକୁ ଏତଲା ଦେବାପାଇଁ ଯାଉଛନ୍ତି |ସେମାନଂକ ମଧ୍ୟରୁ ଲଣ୍ଠନ ଧରିଥିବା ବ୍ୟକ୍ତି କହିଲେ,ମହାରଣା ସାର୍ ଆମରି ଗାଁର ଲୋକ |ତାଂକର ଏତେ ବହପ,ଆମ ଲୋକଂକୁ ମାରିବେ ?ସେ ଜଣେ ଦୁଇଜଣଂକୁ ଚିହ୍ନିଛନ୍ତି ବୋଲି କହୁଛନ୍ତି,ପୋଲିସ ଆସିଲେ,ମାଡ ହେଲେ,ବଳେ ସତକଥା ବାହାରି ପଡିବନି ?
              ଅନୁପମ ପରିସ୍ଥିତି ହୃଦୟଂଗମ କରୁଥିଲା |ସେ କହିଲା,ଆପଣମାନେ ଗାଡିରେ ବସନ୍ତୁ,କୁସୁମପୁର ଯାଇ ଦେଖିବା,ଘଟଣା କଣ |ଲଣ୍ଠନ ଧରିଥିବା ବ୍ୟକ୍ତି କହିଲେ,ହେଲେ ବାବୁ,ତମେ କିଏ ?ଏକଥା କହି ସେ ଲଣ୍ଠନକୁ ଟେକି ଧରିଲେ |ଅନୁପମ ଉତ୍ତର ଦେଲା,ମୁଁ ଅନୁପମ |ମତେ ଚିହ୍ନିଛନ୍ତି ?ବ୍ୟକ୍ତି ଜଣକ କୃତ୍ୟ କୃତ୍ୟ ହୋଇ କହିଲେ,ଆମ ଅନୁବାବୁ,ଆନନ୍ଦ ବାବୁଂକ ଲୋକ ତ ?ଅନୁପମ ମୃଦୁହସି ମୁଣ୍ଡ ହଲାଇଲା |ବ୍ୟକ୍ତି ଜଣକ କହିଲେ,ମତେତ ସେମିତି ସେମିତି ଲାଗୁଥିଲା |ହେଲେ ପାଖରେ ମାଆଂକୁ ଦେଖି ଦୋ ଦୋ ପାଂଚ ହେଉଥିଲି |ଅନୁପମ କହିଲା,ମା ଆସିଛନ୍ତି,ଆପଣମାନଂକ ଗାଁ ଦେଖିବାପାଇଁ, ଆପଣଙ୍କ ସୁଖଦୁଃଖ,ଅଭାବ ଅସୁବିଧା ଜାଣିବାପାଇଁ |ଆମେ ପୁରୁଷଲୋକେ ଆସି ଆପଣମାନଂକ ସାଂଗେକଥାବାର୍ତ୍ତା ହୋଇ ଯାଉଛୁ |ହେଲେ,ଘରକଣରେ ଯେଉଁମାନେ ଦୁନିଆଁଯାକର ଖଟଣିକରି ଅଧାପେଟରେ ଶୋଉଛନ୍ତି,ତାଂକ ଦୁଃଖ ବୁଝିବ କିଏ ?ମା ଆସିଛନ୍ତି,ଘର ଘର ବୁଲି ସେମାନଂକ ସାଂଗେ ଚିହ୍ନା ପରିଚୟ ହେବେ |ସବୁକଥା ବୁଝି ଆପଣମାନଂକ ସମସ୍ୟା ବିଷୟରେ ଆନନ୍ଦବାବୁଂକୁ ଜଣାଇବେ |ଉପସ୍ଥିତ ବିପଦକୁ ଏଡାଇବା ପାଇଁ ଜାଣି ଶୁଣି ଅନୁପମ କଂଚାମିଛ କହିଗଲା |କିନ୍ତୁ ଏ କଥା ଖୁବ୍ କାମଦେଲା |ସେମାନେ ସାଷ୍ଟାଂଗପ୍ରଣିପାତ ହୋଇ  ଜିପ ପଛପଟକୁ ଉଠିଆସିଲେ |ଅନୁପମ କୁସୁମପୁର ଉଦ୍ଦେଶ୍ୟରେ ଗାଡି ଷ୍ଟାର୍ଟ କଲା |(କ୍ରମଶଃ)
               

ନିଶୀଥ ଜ୍ୟୋତ୍ସ୍ନା (୨୦)

                           ଅନୁପମର  ଚେତା ଫେରିବାପରେ ଦେଖିଲା ,ସେ ଡାକ୍ତରଖାନାରେ ଅଛି  ଓ ପାଖରେ ବନହଂସୀ ବସିଛି |ସେ ବ୍ୟସ୍ତ ହୋଇ ପଚାରିଲା,ବୁନୁ,ତମର କିଛି ହୋଇନି ତ ?ବନହଂସୀ କହିଲା,ନାଁ ,ମହିଳାକର୍ମୀମାନଂକର କିଛି କ୍ଷତି ହୋଇନି |ଅନୁପମ ପୁଣି କହିଲା,ତମେ ଚାଲିଯାଅ ବୁନୁ,ପ୍ଲିଜ |ବନହଂସୀ ଦୃଢ ସ୍ବରରେ ଉତ୍ତର ଦେଲା,ନାଁ, ମୁଁ ତମକୁ ଛାଡି କଦାପି ଯିବିନି |ଏବେ ତମେ କିଛି କୁହନା,ତମ ଦେହ ଭଲନାହିଁ |ନିରୁପାୟ ହୋଇ ଅନୁପମ ଆଖି ବୁଜିଦେଲା |
                           ଦୀର୍ଘ ଦଶଦିନପରେ ଅନୁପମ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା |କିନ୍ତୁ ସୁସ୍ଥ ହେବାପରେ ତାକୁ ଜେଲ ଯିବାକୁ ପଡିଲା |ଅନୁପମ ଡାକ୍ତରଖାନାରେ ଥିବାବେଳେ ଶାନ୍ତି ଦିଦି  ପ୍ରାୟବେଳେ ତା ପାଖରେ ଥିଲେ ଓ ତାକୁ ଅନେକ ସାହାଯ୍ୟ ସହଯୋଗ କରିଥିଲେ |ତାଂକଘରେ କିଛିଦିନ ରହିଯିବାପାଇଁ ସେ ବାଧ୍ୟ କରୁଥିଲେ |କିନ୍ତୁ ବନହଂସୀ ତାଂକ ନିକଟରେ ଆଉ ଋଣୀ ହୋଇ ରହିବାକୁ ଚାହୁଁନଥିଲା |ସେ ରୁବିଂକ ଘରକୁ ଫେରିଆସିଲା |ତାକୁ ଦେଖି ରୁବି ଆନନ୍ଦରେ କୁଣ୍ଢାଇ ପକାଇଲେ |କହିଲେ,ତୁ ୟେ କି ସିଦ୍ଧାନ୍ତ ନେଲୁ ବୁନୁ ?ଦେଶସେବା ପାଇଁ ରାଜନୀତି କରିବା ଲୋକ ଏ ଦେଶରେ ଖୁବ୍ କମ ଅଛନ୍ତି |ଏତେ ଅଳ୍ପ ବୟସରୁ ତୁ ଆଗପଛ ଚିନ୍ତା ନକରି ଯାହା କଲୁ,ତା କଣ ଉଚିତ ହେଲା ?
                          ବନହଂସୀ ଧୀରସ୍ବରରେ କହିଲା,ରୁବିଅପା,ମୁଁ ତ କହିଛି,ଉଚିତ,ଅନୁଚିତ,ପାପ,ପୁଣ୍ୟ,ଭଲମନ୍ଦ ଏସବୁ ମୋ ଆଗରେ ମୂଲ୍ୟହୀନ |ମୁଁ କେବଳ ତାଂକ ପଥ ଅନୁସରଣ କରିବି |ଏ ପର୍ଯ୍ୟନ୍ତ ମୋର କିଛି କ୍ଷତି ହୋଇନି |ଭବିଷ୍ୟତରେ କିଛି ହେବ ବୋଲି ମୁଁ ଆଶଂକା କରୁନି |
                         ରୁବିଂକ ଘରେ ସେ ଦୁଇଦିନ ରହିଗଲା | ଦ୍ବିତୀୟ ଦିନର ରାତ୍ରି ତା ପାଇଁ କାଳରାତ୍ରି ଥିଲା |ଅନେକପ୍ରକାର ଚିନ୍ତାରେ ତା ଆଖିକୁ ନିଦ ଆସୁନଥିଲା |ସେ ଖୋଲାଆଖିରେ ଅନ୍ଧାରକୁ ଦେଖିବାକୁ ଚେଷ୍ଟା କରୁଥିଲା |ହଠାତ୍ ଚାପା କଣ୍ଠସ୍ବର ଓ କିଛିଟା ଜୋର ପାଦଶବ୍ଦ ସେ ଶୁଣିପାରିଲା |ତାର ମନେହେଲା,କେହି ଯେପରି ପାଚେରୀ ଡେଇଁ ଘରେ ପ୍ରବେଶ କରିଛି |ତାର ହୃତସ୍ପନ୍ଦନ ବଢ଼ିଗଲା |ସେ ଧୀରେ ଉଠି ବେଡଲାଇଟ ଅଫ କରିଦେଇ, ତକିଆ ସହ ଖଟତଳେ ପଶିଗଲା ଓ ଶବ୍ଦହୀନ ଭାବେ ଶୋଇରହିଲା |ତାର ଅନୁମାନକୁ ସତ୍ୟ କରି ସ୍କାଇଲାଇଟ ବାଟଦେଇ ଟର୍ଚ୍ଚ ର ଆଲୋକ ବିଛଣା ଉପରେ ପଡିଲା ଓ ତାହା ଧୀରେଧୀରେ ଘରର ଚତୁଃପାର୍ଶ୍ବରେ ବୁଲିବାକୁ ଲାଗିଲା |ତାକୁ ଶୁଣାଗଲା,କେହି ଯେମିତି କହୁଛି,ସେ ଏଠି ନାହିଁ,ନିଶ୍ଚେ ଶାନ୍ତି ଦିଦିଂକ ଘରେ ଥିବ |ପୁଣି ଆଉ ଏକ ଚାପା କଣ୍ଠସ୍ବର ଶୁଭିଲା,ଶାନ୍ତିଦିଦି ତ କହିଲେ,ସେ ଚାଲିଆସିଛି ବୋଲି |
                        'ତାହେଲେ ଗଲା କୁଆଡେ ?'
                         ଏହି ସମୟରେ ଗୁଡି ଉଠି ସମ୍ଭବତଃ ଅନ୍ଧକାର ଦେଖି ଖୁବ୍ ଜୋରରେ କାନ୍ଦିଉଠିଲା |ପରମୂହୁର୍ତ୍ତରେ ବନହଂସୀ କେତେଗୁଡିଏ ପାଦଶବ୍ଦ ଓ ଦୌଡି ପଳାଇବାର ଶବ୍ଦ ଶୁଣିପାରିଲା |ସେ ସଂଗେ ସଂଗେ ଖଟତଳୁ ବାହାରିଆସି ନିଃଶବ୍ଦରେ ନିଜ ସ୍ଥାନରେ ଶୋଇପଡିଲା |ଗୁଡି,ମମି,ମମି ଡାକି କାନ୍ଦୁଥିଲା |ରୁବି ଟର୍ଚ୍ଚ ମାରିଲେ |ଡାକିଲେ,ବୁନୁ |ତାଂକର ତିନି ଚାରି ଡାକରେ ବୁନୁ ଉଠିବସିଲା ଓ କିଛି ନଜାଣିବା ପରି ହୋଇ ପଚାରିଲା,କଣ ହୋଇଛି ?
                           ରୁବି ପଚାରିଲେ,ବେଡଲାଇଟ କିଏ ଅଫ କଲା ?ତୁ କିଛି ସାଉଣ୍ଡ ଶୁଣି ପାରିଲୁ ?ବନହଂସୀ ମୁଣ୍ଡ ହଲାଇ ନାହିଁ କଲା |ରୁବି କହିଲେ,ହଉ ଶୋଇପଡ଼ |ସକାଳକୁ ଦେଖିବା |ବନହଂସୀ ବିନା ପ୍ରଶ୍ନରେ ଶୋଇପଡିଲା |ସକାଳେ ନିଦ ଭାଂଗିଵାବେଳକୁ ଦେଖିଲା,ଘରେ ଅନେକ ଗହଳି |ସେ ବାହାରକୁ ଯାଇ  ଦେଖିଲା,ସ୍କାଇଲାଇଟ ବାଟେ ଏକ ଦୌଡି ତଳକୁ ଝୁଲି ରହିଛି |ତା ପାଖରେ ତାଲା ଭାଂଗିବା ଯନ୍ତ୍ର,ଶାବଳ ଇତ୍ୟାଦି ଖେଳାଇହୋଇ ପଡିଛି |ବନହଂସୀର ପାଦତଳୁ ଭୂଇଁ ଖସିଯିବା ପରି ଲାଗୁଥିଲା |ସେ ଯଦି ସାମାନ୍ୟ ବୁଦ୍ଧି ଖର୍ଚ୍ଚକରି ଖଟତଳେ ପଶି ନଥାନ୍ତା,ତାହେଲେ ତା ଅବସ୍ଥା କଣ ହୋଇଥାନ୍ତା ଭାବି ସେ ଶିହିରୀ ଉଠିଲା |ସେଠାରେ ଉପସ୍ଥିତ ଥିବା ପଡୋଶୀମାନେ ଭିନ୍ନ ଭିନ୍ନ ମତ ଦେଉଥିଲେ |ସେମାନଂକ ପରାମର୍ଶକ୍ରମେ ରୁବି ଥାନାରେ ଲିଖିତ ରିପୋର୍ଟ ଦେଲେ |
                           ବନହଂସୀ ରୁବିଂକୁ କହିଲା,ଅପା.,ମୁଁ ଏଥର ଘରକୁ ଯାଉଛି | ରୁବି କହିଲେ,ରହ,ସାଂଗହୋଇ ଯିବା |ଦୁହେଁ ଘରେ ପହଂଚି ଦେଖିଲେ,ମୁଖ୍ୟଦ୍ବାର ତଡା ଯାଇଛି ଓ ସବୁ ରୁମ ଗୁଡିକର ତାଲା ଭଂଗାଯାଇଛି |ଘରର ସମସ୍ତ ଆସବାବପତ୍ର ଖେଳେଇ ହୋଇ ପଡିଛି |ରୁବିଂକୁ ଚାହିଁ ମୃଦୁ ହସିଲା,ବନହଂସୀ |ରୁବି କହିଲେ,ତୁ ହସୁଛୁ ?ବନହଂସୀ ସେହିପରି ହସୁ ହସୁ କହିଲା,ଆଉ କଣ କରିବି ?ଯାହା ହେବାର କଥା ହୋଇଗଲାଣି ,ମନଦୁଃଖ କରି ଲାଭ କଣ ?
                        ବାହାରେ ଜିପ ରହିବାର ଶବ୍ଦ ଶୁଭିଲା |ବନହଂସୀ ଝରକାବାଟେ ଚାହିଁ ଦେଖିଲା,ପାର୍ଟି ଗାଡିରୁ ଅନୁପମ ଓହ୍ଲାଉଛି |ସଂଗରେ ଆନନ୍ଦ ବାବୁ |ସେ ଆନନ୍ଦରେ ରୁବିଂକୁ କହିଲା,ଦେଖ ଅପା,ସେ ଆସିଲେଣି |
                             ଅନୁପମ ଭିତରକୁ ଆସି କହିଲା,ବୁନୁ,ଚା' ଆଣ ,ସାର୍ ଆସିଛନ୍ତି |ପର ମୂହୁର୍ତ୍ତରେ ଘରର ଅବସ୍ଥା ଲକ୍ଷ୍ୟ କରି କହିଲା,ଏ କଣ ହୋଇଛି ?ରୁବି ଇତିମଧ୍ୟରେ ସେଠାରୁ ଚାଲିଯାଇଥିଲେ |ବନହଂସୀ ଆନନ୍ଦ ବାବୁଂକୁ ଭୂମିଷ୍ଠ ପ୍ରଣାମ କଲା ଓ ସେମାନଂକ ପାଇଁ ଚା' ବସାଇଲା |ତାପରେ ସବୁ ଘଟଣା ଆମୂଳଚୁଳ ବର୍ଣନା କଲା |ସବୁଶୁଣି ଅନୁପମ ଚିନ୍ତାଗ୍ରସ୍ତ ହୋଇଗଲା |କହିଲା,ବୁଝିଲି,ସେମାନେ ପ୍ରଥମେ ଏଠାକୁ ଆସିଛନ୍ତି ଓ ତମକୁ ନପାଇ ରୁବିଅପାଂକ ଘରକୁ ଯାଇଛନ୍ତି |
                        ଆନନ୍ଦବାବୁ ସବୁ ଶୁଣୁଥିଲେ |କହିଲେ,ତୋର ତ ଅନେକ ଶତ୍ରୁ.,ତା ଭିତରୁ ଜଣେ କେହି ହୋଇଥିବ |ଅନୁପମ ବ୍ୟସ୍ତ ହୋଇପଡିଲା |କହିଲା,ତାମାନେ ଯେ କେହି ଏ କାର୍ଯ୍ୟ କରିଛି,ସେ କଦାପି ଚୁପ୍ ହୋଇ ବସିନଥିବ;ପୁଣି ଆଉ ଗୋଟିଏ ଯୋଜନାରେ ଲାଗି ପଡିଥିବ |ଆନନ୍ଦବାବୁ କହିଲେ,ଯେ ଏ କାମ କରିଛି ସେ ତୋର ଜଣାଶୁଣା ଓ ସେ ଭଲଭାବେ ଜାଣିଛି,ତୁ ଘରେ ନଥିଲେ,ବୁନୁ କେଉଁଠାରେ ରହେ |ଆଛା |ସେ ବିଷୟରେ ପରେ ଚିନ୍ତା କରିବା |ପ୍ରଥମେ ପୋଲିସକୁ ଖବର ଦେବାକୁ ପଡିବ |ମୁଁ ଏବେ ଯାଉଛି |ସେ ଯିବା ପୂର୍ବରୁ ବନହଂସୀ ତାଂକୁ ଚା' ଦେଲା ଓ ସେ ଚା' ପିଇ ଚାଲିଗଲେ |
                         ଅନୁପମ କହିଲା,ପୋଲିସ ଆସି ଇନକ୍ବାରି କରିବା ପୂର୍ବରୁ କିଛି ଜିନିଷ ନ ଛୁଇଁବା ଭଲ |ଏହାକହି ସେ ସେଠାରୁ ଚାଲିଯାଉଥିବାବେଳେ ଟେବଲ ତଳୁ ଏକ ଛୋଟ ପକେଟ ଡାଇରୀ ପାଇଲା |ତାର ପୃଷ୍ଠା ଓଲଟାଇ ସେ ଦେଖିଲା,ସେଥିରେ କେତୋଟି ମୋବାଇଲ ନମ୍ବର ଓ ଅନେକ ସଂକ୍ଷିପ୍ତ ଠିକଣା ଲେଖା ଅଛି |ତନ୍ମଧ୍ୟରୁ ସୁରେଶର ମୋବାଇଲ ନମ୍ବର ଅନ୍ୟତମ ଥିଲା |ସୁରେଶ କେତେଟଂକା ଦେଇଛି ଓ ତାଠାରୁ ଆଉ କେତେଟଂକା ପାଇବାର ଅଛି,ତା ମଧ୍ୟ ଲେଖା ଥିଲା |ଅନୁପମ ମଧ୍ୟରେ ସନ୍ଦେହ ସୃଷ୍ଟି ହେଲା |ପ୍ରକୃତରେ କଣ ସୁରେଶ ସୁପାରିଦେଇ ଏ କାର୍ଯ୍ୟ କରାଇଛି ?ତଥାପି ତାର ବିଶ୍ବାସ ହେଉନଥିଲା |ହୁଏତ ସୁରେଶର କେହି ଶତ୍ରୁ,ସେମାନଂକ  ମଧ୍ୟରେ ଅଧିକ ତିକ୍ତତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡାଇରୀ ଟି ଜାଣିଶୁଣି ସେଠାରେ ପକାଇ ଦେଇ ପାରିଥାଏ |ସେ ଚିନ୍ତାନ୍ଵିତ ହୋଇ ସେଠାରୁ ବୁଲିପଡିବାବେଳକୁ ଦେଖିଲା,ପଛରେ ବନହଂସୀ ଛିଡା ହୋଇଛି |ସେ କହିଲା,ପ୍ଲିଜ ବୁନୁ,ମୋ ପଛରେ ସି.ଆଇ.ଡି. ପରି ଲାଗନା,ମୁଁ ବହୁତ ଟେନସନରେ ଅଛି |
                     ବନହଂସୀ କହିଲା,ମୁଁ ତମ ପଛରେ ଲାଗୁନି |ମୁଁ ଜାଣିବାକୁ ଚାହୁଁଛି,କିଏ ସେ ଭଦ୍ରଲୋକ,ଯାହାର ମୋ ଉପରେ ଏତେ ଦୟା |ଅନୁପମ କହିଲା,ତମ ପାଠ କଣ କହୁଛି ?ବନହଂସୀ ଚଟାପଟ ଉତ୍ତର ଦେଲା,ଅତି ସିମ୍ପଲ |ପ୍ରଥମ ସନ୍ଦେହ ଯିବ ନିଜ ପରିବାର ଉପରେ,ମାନେ ଏଠି ତମ ଉପରେ |ତାପରେ ଯିବ ଆମର ଅତି ନିକଟ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଂକ ଉପରେ |ଏମାନେ ସନ୍ଦେହମୁକ୍ତ ହୋଇସାରିବା ପରେ ହିଁ ତୃତୀୟ ସନ୍ଦେହର ପ୍ରଶ୍ନ ଉଠିବ |ପ୍ରଥମେ ଦେଖିବା,ପ୍ରଥମ ସନ୍ଦେହ ,ମାନେ ତମ ଉପରେ |ଆକ୍ରମଣ ହୋଇଛି ତମ ଅନୁପସ୍ଥିତିରେ |ତେଣୁ ତମେ ସନ୍ଦେହ ପରିସରକୁ ଆସୁନାହଁ |ଦ୍ବିତୀୟ ସନ୍ଦେହ ଆସୁଛି,ତମର କୌଣସି ପୂର୍ବତନ ପ୍ରିୟ ବନ୍ଧୁଂକ ଉପରେ,ଯାହା ସହିତ ତମର ଶତ୍ରୁତା ହୋଇଛି ଏବଂ ଯେ ମତେ ତା ବାଟର କଣ୍ଟା ମନେକରି ,ମତେ ଶେଷକରି ତମ ଉପରେ ପ୍ରତିଶୋଧ ନେବାକୁ ଚାହୁଁ ଥାଇପାରେ |
                 ଏଥର ଅନୁପମ ସତକୁ ସତ ରାଗିଗଲା |କହିଲା,ତମର ବାଜେକଥା ଶୁଣିବାକୁ ମୋର ସମୟ ନାହିଁ
ଶୀଘ୍ର ରୋଷେଇ ସାରି ଖାଇବାକୁ ଦିଅ, ଭୋକ କଲାଣି |(କ୍ରମଶଃ)

Thursday, January 9, 2020

ନିଶୀଥ ଜ୍ୟୋତ୍ସ୍ନା (୧୯)

                     ଭୋର ଚାରିଟାବେଳେ ବନହଂସୀର ନିଦ ଭାଂଗିଗଲା |ସେ ଆଉ ନଶୋଇ ବିଛଣାରେ ଉଠିବସିଲା |ଅଳ୍ପସମୟପରେ ରୁବି ଉଠି ତାଂକକାମରେ ଲାଗିଗଲେ |ବନହଂସୀ ରୁବିଂକୁ କହିଲା,ଅପା .,ମୁଁ ଯାଉଛି |
                     ରୁବି  ପଚାରିଲେ,କୁଆଡେ ?ବନହଂସୀ ହସିକରି କହିଲା,ଘରକୁ |
                     ରୁବି ପୁଣି ପଚାରିଲେ,କାହିଁକି ?
                     ବନହଂସୀ କହିଲା,ତୁମେ ଦୁଇଜଣ ସ୍କୁଲ ଚାଲିଯିବ,ମୁଁ ଏକୁଟିଆ କଣ କରିବି ?ତାପରେ ମୋର ସେଠାରେ କାମଅଛି |ଘର ଝାଡୁ ହେବ,ଠାକୁର ପୂଜା ହେବ,ଇତ୍ୟାଦି ଅନେକ କାମ |
                     ରୁବି କହିଲେ,ଠିକ ଅଛି,ତୁ ଯା |ତୋ କାମ ସାରି ଚାଲି ଆସିବୁ |ଘରର ଡୁପ୍ଲିକେଟ ଚାବି ସେ ବନହଂସୀକୁ ଦେଇ କହିଲେ,ତୋ ପାଇଁ,ଜଳଖିଆ ରଖିଛି,ଖାଇବୁ |ମୁଁ ଆସିଲେ ପ୍ରେସର କୁକରରେ ଗରମ ଗରମ ରାନ୍ଧି ଖାଇବା  |
                     ବନହଂସୀ ହସିଲା |କହିଲା,ଠିକ ଅଛି |ତମେ ଫେରିବ କେତେବେଳେ ?
                      ରୁବି କହିଲେ,ଠିକ ବାରଟା ପନ୍ଦରରେ |ଟିକିଏ ବି ଡେରି ହେବନି |ବନହଂସୀ କହିଲା,ହଉ ମୁଁ ଯାଉଛି |ସେ ଡୁପ୍ଲିକେଟ ଚାବି ଓ ନିଜ ଘରର ଚାବି ନେଇ ଚାଲିଆସିଲା |ସେଠାରେ ନିଜର ନିତ୍ୟକର୍ମ ଶେଷକରି ସେ କିଛିସମୟ ଡ୍ରଇଂ ରୁମରେ ବସିଲା |ତାର ମନେହେଲା,ହୁଏତ ଅନୁପମ ଆସୁଥିବ |ଭାବନାରେ ବାଧାଦେଇ ବାଇକ ଶବ୍ଦ ଶୁଣି ସେ ଝରକାବାଟେ ଚାହିଁଲା |ସତକୁ ସତ ଅନୁପମ ଆସିଥିଲା |ବନହଂସୀ ସଂଗେ ସଂଗେ ଯାଇ କବାଟ ଖୋଲିଦେଇ ଏକଲୟରେ ଅନୁପମକୁ ଚାହିଁଲା |ଅନୁପମ ହସୁଥିଲା |ସେ ହସରେ ଜୀବନ ନଥିଲା ଯେପରି |ସେ ଭିତରେ ପ୍ରବେଶ କରିବାପରେ ବନହଂସୀ କବାଟ ବନ୍ଦ କରିଦେଲା |
                       ଅନୁପମ ସଂଗେ ସଂଗେ ଆସି ବାଥରୁମରେ ପଶିଗଲା |ଭିତରୁ ପାଟିକରି କହିଲା,ବୁନୁ.,ମୋ ଟାୱେଲ ଟା ଦିଅ ତ |ବନହଂସୀ ତଉଲିଆ ବଢାଇଦେବା ଅବସରରେ ଦେଖିଲା,ଅନୁପମ ଦାନ୍ତ ବ୍ରସ କରୁଛି |ଅନୁପମ କହିଲା,ମୁଁ ଗାଧୋଇ ସାରି ସାଂଗେ ସାଂଗେ ଆସୁଛି ,ତମେ ଚା' କରି ରଖିଥାଅ |ଏକଥା କହିବା ସଂଗେ ସଂଗେ ସେ ମୁହଁ ଧୋଇବାକୁ ଲାଗିଲା |
                       ବନହଂସୀ ସସପିନରେ କପେ ପାଣି ମାପି ଚା' ବସାଇଲା |ପାଣି ଫୁଟି ଆସିବାବେଳକୁ ଅନୁପମ ବାଥରୁମରୁ ବାହାରି ଆସିଲା |ସେ ଚା' ପ୍ରସ୍ତୁତ କରି ଆଣି ଟେବଲ ଉପରେ ରଖିଦେଲା |ଅନୁପମ ଜଲଦି ଜଲଦି ଚା' ପିଇ ନିଜ ପୋଷାକ ପିନ୍ଧିନେଲା |
                        ବନହଂସୀ ପଚାରିଲା,କଣ ହୋଇଛି ?ଅନୁପମ କହିଲା,ଆଜି ଉପରବେଳା ଆମର ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି |ଜନସାଧାରଣଙ୍କ ସହଯୋଗରେ ବିରାଟ ଶୋଭାଯାତ୍ରା ବାହାରିବ |ଆଜିର ପେପର ଯଦି ପଢିନାହଁ ତାହେଲେ,ପଢିନିଅ |ବିସ୍ତୃତ ବିବରଣୀ ପ୍ରକାଶ ପାଇଛି |ମୋର କହିବାକୁ ସମୟ ନାହିଁ,ମୁଁ ଯାଉଛି |
                         ବନହଂସୀ କହିଲା,ମୁଁ ପଢିଥିଲି,ପ୍ରଜାମଣ୍ଡଳର ମହିଳାକର୍ମୀ ଓ ଛାତ୍ରକର୍ମୀ ମଧ୍ୟ ଏଥିରେ ସାମିଲ ହେବେ ?ଅନୁପମ କହିଲା,ହଁ ,ସମସ୍ତଂକୁ ଯିବାପାଇଁ କୁହାଯାଇଛି |ବନହଂସୀ ପୁଣି ପଚାରିଲା,ପ୍ରସେସନ କେଉଁଠୁ ବାହାରିବ ?ଅନୁପମ କହିଲା,ପାର୍ଟି ଅଫିସରୁ |ବନହଂସୀ ପୁଣି ପଚାରିଲା,ମହିଳାମାନଂକ ପ୍ରସେସନ ବି କଣ ପାର୍ଟି ଅଫିସରୁ ବାହାରିବ ?
                         ଅନୁପମ ଉତ୍ତରଦେଲା, ହଁ |ହେଲେ ତାଂକୁ ଏକଜୁଟ କରି ଆଣିବା ଦାୟିତ୍ତ୍ବ ଶାନ୍ତି ଦିଦିଂକର |ତାଂକ ଘରପାଖରୁ ପ୍ରସେସନ ବାହାରି ଆମ ପାର୍ଟିଅଫିସ ପର୍ଯ୍ୟନ୍ତ ଆସିବ,ତାପରେ ଆମେ ସମସ୍ତେ ଏକାଠି ଯିବୁ |ଅନୁପମ ଚାଲିଗଲା |ସେ ଯିବାପରେ ଖୁବ୍ ଶୀଘ୍ର ବନହଂସୀ ନିଜ କର୍ମପନ୍ଥା ସ୍ଥିର କରିନେଲା |ଅରୁଆଚାଉଳ ,ଡାଲି ଓ ପରିବା ମିଶାଇ ଖେଚୁଡି ରାନ୍ଧି ଖାଇନେଲା |ତାପରେ ଏକ ଧଳାଶାଢୀ ପିନ୍ଧି ଅତି ସାଧାରଣ ବେଶରେ ବାହାରିଗଲା |
                          ରୁବି ଠିକ ସମୟରେ ପହଂଚି ଦେଖିଲେ,ବନହଂସୀ ନାହିଁ |ସେ ବାରିପଟେ ଡାକିଲେ,କିଛି ଜବାବ ମିଳିଲାନି |ପୁଣି ଦାଣ୍ଡପଟେ ବୁଲିଯାଇ ଦେଖିଲେ,ଚାବି ପଡିଛି |ତାଲାରେ ଏକ ଛୋଟିଆ କାଗଜ ଗୁନ୍ଥା ହୋଇଥିଲା |ସେଥିରେ ଲେଖାଥିଲା,ରୁବିଅପା,ଯାଉଛି |ଡେରିରେ ଆସିବି,ତମେ ଖାଇନେବ |ବୁନୁ |
                          ଶୋଭାଯାତ୍ରାର ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହୋଇଥିଲା |ଶାନ୍ତିଦିଦିଂକୁ ସମସ୍ତେ ଅପେକ୍ଷା କରିଥିଲେ |ଡେରି ହେଉଥିବାରୁ ଅନୁପମ ବିରକ୍ତହୋଇ ଗୋଟିକ ଉପରେ ଗୋଟିଏ ସିଗାରେଟ ଟାଣି ଚାଲିଥିଲା |ହଠାତ୍ ସ୍ଲୋଗାନ ଶୁଣାଗଲା |ପାର୍ଟିଅଫିସ ନିକଟତର ହେବାରୁ ସେମାନେ ବୋଧହୁଏ ସ୍ଲୋଗାନ ଦେଉଥିଲେ |ଆନନ୍ଦବାବୁ ଅନୁପମକୁ କହିଲେ,ଆଉ ଡେରି କାହିଁକି କରୁଛ ?ଶୀଘ୍ର ପ୍ରସେସନ ଆରମ୍ଭ କର |ୟାକୁ ଲିଡ୍ କରିବେ,ଆମ ମହିଳା କର୍ମୀମାନେ |ଇତିମଧ୍ୟରେ ମହିଳା କର୍ମୀମାନେ ପହଂଚି ଯାଇଥିଲେ |ଶାନ୍ତିଦିଦି ଆସି ଆନନ୍ଦବାବୁଂକୁ କହିଲେ,ସାର୍ .,କ୍ଷମା କରିବେ |ଏମାନଂକୁ ଏକଜୁଟ କରି ଆଣୁ ଆଣୁ ଡେରି ହୋଇଗଲା |ଆନନ୍ଦବାବୁ କହିଲେ,କିଛି ଚିନ୍ତା ନାହିଁ |ତୁମେମାନେ ଆଗରେ ଚାଲ |ଏତିକିବେଳେ ଅନୁପମର ଦୃଷ୍ଟି ବନହଂସୀ ଉପରେ ପଡିଲା |ସେ ସମସ୍ତଂକ ଆଗରେ ଥିଲା |ଧଳାଶାଢୀ ପିନ୍ଧି ଓଢଣା ପକାଇ ସେ କାନିର ଶେଷପ୍ରାନ୍ତ ଅଣ୍ଟାରେ ଖୋସିଥିଲା |ଲଲାଟରେ ଉଜ୍ଜଳ ଲାଲ ରଂଗର ସିନ୍ଦୂରବିନ୍ଦୁ ଅନୁପମକୁ  ଯେପରି ଉପହାସ କରୁଥିଲା |ସେ ତା ପାଖକୁ ଯାଇ ଚାପା କ୍ରୋଧରେ କହିଲା,ତମେ କାହିଁକି ଆସିଛ ?ଶାନ୍ତି ଦିଦି କହିଲେ,ଥାଉ ଥାଉ |ଆଉ ଅଧିକ କ୍ରୋଧ ପ୍ରକାଶ କରିବା ଦରକାର ନାହିଁ |ଅନ୍ୟକୁ ଆଦର୍ଶ ଦେଖାଇବା ପାଇଁ ଉପଦେଶ ଦେବା ପୂର୍ବରୁ,ନିଜକୁ ପ୍ରଥମେ ସେହି ଆଦର୍ଶ ଅବଲମ୍ବନ କରିବାକୁ ହୁଏ,ସେକଥା ଭୁଲିଯାଇଛ ବୋଧହୁଏ |ତମେ ଜାଣନା,ତମ ଅଜାଣତରେ ତମେ କେତେବଡ଼ ଭଲକାମ କରି ପକାଇଛ |ଛାଡ |ସେ ସବୁ କଥା,ଏଠାରେ ଆଲୋଚନା କରିବା ଠିକ ନୁହେଁ |କିନ୍ତୁ ମନେ ରଖିଥାଅ, ବୁନୁ ତମର ଉପଯୁକ୍ତ ସହଧର୍ମିଣୀ |
                        ଅନୁପମ ନୀରବରେ ସେଠାରୁ ଅପସରିଯାଇ ଆନନ୍ଦବାବୁଂକୁ କହିଲା,ସାର୍ ଡେରି ହେଉଛି |
                        ଆନନ୍ଦବାବୁ ସ୍ଲୋଗାନ ଦେଲେ,
                        ପ୍ରଜାମଣ୍ଡଳ --ଜିନ୍ଦାବାଦ
                        ଅରାଜକତା--ଦୂରହେଉ 
                        ପୋଲିସ ଜୁଲୁମ --ବନ୍ଦ ହେଉ
                        ଇନକିଲାବ---ଜିନ୍ଦାବାଦ |
                ଶୋଭାଯାତ୍ରା ଆଗେଇ ଚାଲିଲା |କିନ୍ତୁ ଅନୁପମର ସମସ୍ତ ଉତ୍ସାହ ମଉଳି ଯାଇଥିଲା |ସେ ରହି ରହି ବନହଂସୀ ଆଡେ ଚାହୁଁଥିଲା |ବନହଂସୀ କିନ୍ତୁ ନିର୍ବିକାର,ନିର୍ଭୟ ଚିତ୍ତରେ ଆଗେଇ ଚାଲିଥିଲା |
                 ଠିକ ବିଧାନସଭା ସମ୍ମୁଖରେ ହିଁ ଲାଠିଚାଳନା ଆରମ୍ଭ ହୋଇଗଲା |ପୋଲିସର ଲୁହବୁହା ଗ୍ୟାସ ଓ ନିର୍ମମ ଲାଠି ପ୍ରହାରରେ ଯିଏ ଯୁଆଡେ ପାରିଲେ,ଛିନ୍ ଛତ୍ର ହୋଇ ପଳାୟନ କରିବାକୁ ଲାଗିଲେ |ଅନୁପମ କିନ୍ତୁ ବନହଂସୀକୁ ଖୋଜୁଥିଲା |ଏଇ ସମୟରେ ତା ମୁଣ୍ଡରେ ଜୋରରେ ଲାଠିମାଡ଼ ହେଲା |ସେ ସେଇଠାରେ ଚେତାହରାଇ ପଡିଗଲା |(କ୍ରମଶଃ)
                      

Wednesday, January 8, 2020

ନିଶୀଥ ଜ୍ୟୋତ୍ସ୍ନା (୧୮)

                  ଡାଇନିଂ ଟେବଲରେ ସମସ୍ତଂକ ପାଇଁ ବନହଂସୀ ଖାଦ୍ୟ ବାଢିଦେଲା |ମିଲି ଓ ଅନୁପମ ଗୋଟିଏ ଥାଳିରେ ଖାଇଲେ |ତରତର କରି ନିଜ ଖାଇବା ଶେଷକରି ବନହଂସୀ ଉଠିଗଲା |ତାପରେ ସେମାନଂକର ଯାହା  ଦରକାର ବାଢିଦେଇ, ରୋଷେଇଘର ସଜାଡିଦେଲା |ତାର କାମ ଶେଷ ହେବାପରେ ସେ ବେଡରୁମକୁ ଗଲା |ସେଠାରେ ମିଲି ଓ ଅନୁପମ ଗପସପ ହେଉଥିଲେ |ବନହଂସୀକୁ ଦେଖି ମିଲି କହିଲା,ଏଇତ ଭାଉଜ ଆସିଲେଣି |ବନହଂସୀ ମୃଦୁ ହସି କହିଲା,କଣ ହୋଇଛି ?
                   ମିଲି କହିଲା,କିଛି ହୋଇନି |ଅନୁଭାଇ ଶୋଇ ପଡିବାକୁ କହୁଥିଲେ |ମୁଁ କହିଲି,ଭାଉଜ ଆସିଲେ,ସାଂଗହୋଇ ଶୋଇବା |ବନହଂସୀ କହିଲା,ତମେ ଶୁଅ,ମୋର ଶୋଇବାର ନାହିଁ |ମିଲି କହିଲା, କାମ ତ ନାହିଁ |ଏମିତି ଖାଲିଟାରେ ବସି କଣ କରିବ ?ବନହଂସୀ କହିଲା,ଯାହାହେଲେ କରିବି,କିନ୍ତୁ ଶୋଇବିନି |ଖରାବେଳେ ଏମିତି ଅଳସୁଆ ହୋଇ ଶୋଇବାରୁ,ମା' ଲକ୍ଷ୍ମୀ କୋପକରି ଯେତେସବୁ ପ୍ରାକୃତିକ ଦୁର୍ବିପାକ ଓଡିଶା ଉପରେ ଲଦି ଦେଉଛନ୍ତି |ଅନୁପମ କହିଲା,ହଉ,ବହୁତ ଭାଷଣ ଦେଲଣି |ଏଥର ଦୟାକରି ଶୁଅ,ନହେଲେ ଯାଅ,ମୁଁ ଟିକେ ଶୋଇବି |ବନହଂସୀ ସେଠାରୁ ଚାଲିଆସିଲା ଓ ରୁବିଂକ ଘରୁ ଆଣିଥିବା ବହି ପଢିବା ଆରମ୍ଭ କଲା |ବହିପଢ଼ାରେ ସେ ଅନେକସମୟ ମଜ୍ଜିଗଲା |ହଠାତ୍ ସେ ଅନୁଭବ କଲା,ଚତୁର୍ଦ୍ଦିଗ କ୍ରମଶଃ ଅନ୍ଧକାର ହୋଇ ଆସୁଛି |ସେଇ ଅନ୍ଧକାର ଭିତରେ ତାକୁ ଦେଖାଗଲା,ଏକ ଧଳାଛାଇ ତା ସମ୍ମୁଖରେ ଛିଡାହୋଇ ତାକୁ ଏକ ଲୟରେ ଚାହିଁରହିଛି |ଆଖିମଳି ତାକୁ ଭଲଭାବେ ଦେଖିବା ପୂର୍ବରୁ ଛାଇ ଟି ଅଦୃଶ୍ୟ ହୋଇଗଲା |ଏହାକୁ ମନର ଭ୍ରମ ମନେକରି ସେ ବହିପଢା ସେତିକିରେ ଶେଷକରି ଉଠିଲା | ଘଣ୍ଟାକୁ ଚାହିଁ ଦେଖିଲା,ସାଢ଼େପାଂଚ ବାଜିବା ଉପରେ |ଅନୁପମ ସେପର୍ଯ୍ୟନ୍ତ ଶୋଇଥିଲା |ସେ ମୁହଁଧୋଇ ପାଣି ପିଇଲା ଓ ତିନି ଜଣଂକ ପାଇଁ ଚା' ବସାଇଲା |ଅନୁପମକୁ ଉଠାଇବାକୁ ଇଚ୍ଛାକରି ସେ ତା ପାଖକୁ ଗଲା |ସେଠାରେ ପହଂଚି ଦେଖିଲା,ଅନୁପମ ଗଭୀର ନିଦ୍ରାରେ ଶୋଇଯାଇଛି ଓ ତା କୋଳରେ ମୁଣ୍ଡ ଗୁଂଜି ମିଲି ଛୋଟ ଶିଶୁଟିଏ ପରି ଶୋଇଛି |ସେ ସେଠାରୁ ଚାଲିଆସିଲା |ଚା' ଛାଣି ଥର୍ମୋଫ୍ଲାସ୍କରେ ଭର୍ତ୍ତି କଲା |ତାପରେ ନିଜ ପୋଷାକ ପରିବର୍ତ୍ତନ କରି ସନ୍ଧ୍ୟାଧୂପ ଦେଲା |ଶଂଖନାଦ ଶବ୍ଦରେ ଅନୁପମ ଉଠିପଡିଲା |ବନହଂସୀ ପ୍ରାର୍ଥନା ଶେଷକରି ଠାକୁରଙ୍କୁ ପ୍ରଣତି ଜଣାଇବା ପରେ  ଦେଖିଲା,ସେଠାରେ ଅନୁପମ ଅପରାଧୀଂକ ପରି ଛିଡାହୋଇ ତାକୁ ଚାହିଁ ରହିଛି ,ସତେ ଯେପରି ସେ ଏକ ଗୁରୁତର ଅପରାଧ କରି ପକାଇଛି !ସେ ପଚାରିଲା,କଣ ହେଲା ?ଅନୁପମ କହିଲା,ଏକୁଟିଆ ଚା' ପିଇଦେଲ,ମତେ ଡାକିଲନି ?ବନହଂସୀ ସ୍ମିତ ହସି କହିଲା,କେମିତି ଜାଣିଲ,ମୁଁ ଚା' ପିଇ ସାରିଛି ବୋଲି ?ଅନୁପମ ତା କଥା ବିଶ୍ବାସ ନକରି ରୁଷିକରି ଚାଲିଗଲା |
                       କ୍ଷଣକ ମଧ୍ୟରେ ବନହଂସୀର ସମସ୍ତ ଅବସାଦ ଦୂର ହୋଇଗଲା |ସେ ଫ୍ଲାସ୍କ ଆଣି କପରେ ଚା' ଢାଳିଲା |ଅନୁପମକୁ ଚା' ଦେଇସାରିବା ପରେ ମିଲି ଆସି ପହଂଚିଲା |କହିଲା,ଭାଉଜ,ମୋ ପାଇଁ ଚା' କରିଛ ?ସ୍ମିତ ହସି ସମ୍ମତି ଜଣାଇ,ବନହଂସୀ ତାକୁ କପେ ଚା' ଦେଲା ଓ ନିଜେ ଚା' ପିଇଲା |ଅନୁପମ ପଚାରିଲା,ଆଉ ଚା' ଅଛି ?ବନହଂସୀ ପଚାରିଲା ,ଆଉ ଚା' ପିଇବ ?
                     ଅନୁପମ କହିଲା,ହଁ ,ଆଜି ଚା' ଟା ଭଲଲାଗୁଛି |ତା ଚା'କପରେ ଚା' ଭରି ଦେବାପରେ ଫ୍ଲାସ୍କରୁ ଚା' ଶେଷ ହୋଇଗଲା |ଅନୁପମ କହିଲା,କଣ ମାପିକରି କରିଥିଲନା କଣ ?ମିଲି କହିଲା,ସତରେ ଭାଉଜ,ତମର ତୁଳନା ନାହିଁ |ଅନୁପମ କହିଲା,ହଉ,ବେଶୀ ପ୍ରଶଂସା କରନା |ଚାଲ,ତତେ ଘରେ ଛାଡିଦେଇ ଆସିବି,ମୋର ବହୁତ କାମ ଅଛି |ଅନୁପମ ଯିବାବେଳେ କହିଲା,ବୁନୁ,ମିଲିକୁ ତା ଘରେ ଛାଡିଦେଇ,ମୁଁ ମୋ କାମରେ ଯିବି |ଯଦି ମୋର ଯିବା ଦରକାର ନହୁଏ,ତାହେଲେ ମୁଁ ନଅଟା ସୁଦ୍ଧା ଫେରିଆସିବି |ନଅଟାରୁ ଅଧିକା ହେଲେ,ତମେ ଚାବି ପକେଇ,ରୁବିଅପା ଘରକୁ ଚାଲିଯିବ |
                   ବନହଂସୀ କହିଲା,କାହିଁକି ??ପୁଣି କାହିଁକି ସେଠିକି ଯିବି ?ଏତେ ଘଟଣା ଘଟିବା ପରେ ବି ତମେ କେମିତି ଯିବାପାଇଁ କହୁଛ ?ଅନୁପମ ଅପ୍ରସ୍ତୁତ ହୋଇ କହିଲା,ଠିକ ଅଛି,ନଗଲେ ଏକୁଟିଆ ଶୋଇବ |ବନହଂସୀ ପଚାରିଲା,ତମେ କାଲି ଫେରିବ ?
                     ଅନୁପମ ଚିଡିଯାଇ କହିଲା,ସେକଥା ମୁଁ କହି ପାରିବିନି |କାଲି ଫେରିପାରେ,ପହରଦିନ ଫେରିପାରେ କିମ୍ବା ଚାରି ପାଂଚ ଦିନପରେ ଫେରିପାରେ |ତମେ ମୋ ପାଇଁ ଅପେକ୍ଷା କରିବନି |ସେମାନଂକୁ ବଳାଇଦେଇ ଆସି ବନହଂସୀ କବାଟ ବନ୍ଦ କରିଦେଲା ଓ ତାପରେ ଆରାମରେ ବିଛଣାରେ ବସି ରୁବିଂକ ଠାରୁ ଆଣିଥିବା ବହି ଖୋଲି ପଢିଲା |
                   'It is true that a wife can do much to help her husband,but she must realize that even she cannot change his whole personality .Many women have made the serious mistake of urging their husbands on to activities that are really beyond their capacity .Their only reason is to satisfy some foolish ambition.It is far better for a man to be happy & satisfied in his work than to overreach himself & perhaps ruin his health & future by trying to live up unreasonable standards .Many a woman has become widow because her husband has worn himself out trying to her demands for things the family could not afford .'ସେ ବହି ବନ୍ଦକରି ମୁହଁ ମାଡି ବିଛଣାରେ ଶୋଇପଡିଲା |ତାର ମୁଦ୍ରିତ ନୟନପ୍ରାନ୍ତ ଦେଇ ଦୁଇଧାର ଲୁହ ଗଡି ଆସିଲା |
                  କେତେସମୟ ପରେ ହଠାତ୍ କଲିଂବେଲ ର ଘନ ଘନ ଶବ୍ଦରେ ସେ ଉଠିବସିଲା |କାନପାରି ଶୁଣିଲା,କେଉଁଠି କିଛି ଶବ୍ଦ ନାହିଁ |ପ୍ରକୃତିସ୍ଥ ହୋଇ ସେ ପୁଣି କଲିଂବେଲ ଶବ୍ଦକୁ ଅପେକ୍ଷା କଲା |କିନ୍ତୁ କୁଆଡେ କିଛି ଶବ୍ଦ ନଥିଲା |ଏହି ସମୟରେ ଧଳା ଛାଇ ଟି ତା ପାଖଦେଇ ଚାଲିଗଲା |ତା ମନରେ ଭୟ ଜମାଟ ବାନ୍ଧିଗଲା |ସେ କାନ୍ଥଘଣ୍ଟାକୁ ଚାହିଁ ଦେଖିଲା,ରାତି ସାଢ଼େନଅ |ଆଜି ତାହେଲେ ଅନୁପମ  ଫେରିବନି |ସେ ବାରଣ୍ଡାକୁ ଆସି ଦେଖିଲା,ରୁବିଂକ ଘରେ ଲାଇଟ ଜଳୁଛି |ସେ ପାଟିକରି ଡାକିଲା,ରୁବିଅପା,ରୁବିଅପା |
                 ରୁବି ତାର ଡାକ ଶୁଣିପାରିଲେ |ପଚାରିଲେ,ବୁନୁ,ଡାକୁଛୁ ?ବନହଂସୀ କହିଲା,ହଁ,କବାଟ ଖୋଲ |ରୁବି କବାଟ ଖୋଲି ପଚାରିଲେ,କଣ ହେଲା ?ବନହଂସୀ କହିଲା,ତମେ ଛିଡା ହୋଇଥାଅ,ମୁଁ ସାଂଗେ ସାଂଗେ ଆସୁଛି |ସେ ଭିତରକୁ ଆସି ବଳକା ଥିବା ପକୁଡି ଓ ତରକାରୀ ଟିଫିନରେ ଭର୍ତ୍ତି କଲା ଓ ତାକୁ ନେଇ,ଘରେ ଚାବି ଦେଇ ଚାଲିଆସିଲା |ରୁବି ପଚାରିଲେ,କଣ ଆଣିଛୁ ?ବନହଂସୀ ହସିକରି କହିଲା,ଘରକୁ ଚାଲ,କହିବି |ରୁବି କବାଟ ବନ୍ଦ କରି ଆସିଲେ |କହିଲେ,ଅନୁ ଆଜି ଆସିବନି ?ବନହଂସୀ କହିଲା,କହିଥିଲେ,ରାତି ନଅଟା ରୁ ଅଧିକା ହେଲେ ଆଜି ଆଉ ଫେରିବେନି |
                 ରୁବି କହିଲେ,ତୁ କଣ କହୁଛୁ,ମୁଁ ବୁଝିପାରୁନି |ଆଣିଛୁ କଣ ?ବନହଂସୀ କହିଲା,ପକୁଡି ଆଉ ତରକାରୀ |ରୁବି ପଚାରିଲେ,ଅନୁ କୁଆଡେ ଯାଇଛି ?ବନହଂସୀ କହିଲା,ତାଂକର ସବୁବେଳେ ପାର୍ଟି କାମ,ତମେ ତ ଜାଣିଛ |ରୁବି ପୁଣି ପଚାରିଲେ,କେବେ ଫେରିବ ?
               ବନହଂସୀ କହିଲା,ଓହୋ ଅପା,କେତେ ପଚାରୁଛ ?ରାତି ଦଶଟା ହେଲାଣି,ଆସ ଖାଇ ଶୋଇପଡିବା |ରୁବି କହିଲେ,ଆମେ ଖାଇ ସାରିଲୁଣି, ବୁନୁ |ଗୁଡି ଖାଇକରି କେତେବେଳୁ ଶୋଇ ପଡିଛି |ତୁ ଆଉ ଟିକିଏ ଡେରି କରିଥିଲେ,ମୁଁ ବି' ଶୋଇ ପଡିଥାନ୍ତି |
               ବନହଂସୀ ହସିକରି କହିଲା,ସେଇଥିପାଇଁ ପରା  ଠାକୁର ମତେ  ଉଠାଇଦେଲେ |କହିଲେ,ଶୀଘ୍ର ଯା',ନହେଲେ ରୁବିଅପା ଶୋଇପଡିବେ |ରୁବି କହିଲେ,କଣ ଆଣିଛୁ ଦେଖି ?ବନହଂସୀ ଟିଫିନ ଖୋଲିଦେଲା |ରୁବି କହିଲେ,ଏତେ ଗୁଡାଏ ଆଣିଛୁ ?କଣ କରିବା ?ବନହଂସୀ କହିଲା,ମତେ ବି ଭୋକ ନାହିଁ |ରୁବି କହିଲେ,ସେ ମାଳିକୁ ସବୁ ଦେଇଦେବା |ଗରୀବ ଲୋକଟା,କିଛି ଖାଇଯାଉ |
              ବନହଂସୀ କହିଲା,ଯାହା ତୁମ ଇଚ୍ଛା |ସେ ଗୋଡ଼,ହାତ,ମୁହଁ ଧୋଇ ପୋଛି ହୋଇ ଆସି ଗୁଡି ପାଖରେ ଶୋଇପଡିଲା |ରୁବି କିଛିସମୟ ପରେ ଆସି କହିଲେ,ତୁ କଣ ସେମିତି ଖାଲିପେଟରେ ଶୋଇବୁ ?ଆ' କଣ ଟିକେ ହେଲେ ଖାଇବୁ |ବନହଂସୀକହିଲା,ଅପା ,ମୁଁ କିଛି ଖାଇବିନି |ଦିନସାରା ମୁଁ ବହୁତ ଖାଇଛି |ଏବେ ଜମା ଭୋକ ନାହିଁ |ତମେ ବ୍ୟସ୍ତ ହୁଅନା |
              ରୁବି ଚାଲିଗଲେ ଓ କିଛିସମୟ ପରେ ଆସି ଶୋଇବାଘର କବାଟ ଭିତରୁ ବନ୍ଦକଲେ |ବନହଂସୀ ଗୁଡି ପାଖରେ ଗୁଂଜିହୋଇ ଶୋଇ ପଡିଥିଲା |ରୁବି ଡାକିଲେ, ବୁନୁ |ବନହଂସୀ ଆଖିଖୋଲି କଡ ଲେଉଟାଇ ଚାହିଁଲା |ରୁବି କହିଲେ,ତୁ ଶୋଇନୁ ?ବନହଂସୀ ହସିକରି କହିଲା,ଦିନସାରା ଶୋଇଥିଲି,ନିଦ ଆସିବ କୁଆଡୁ ?ରୁବି କହିଲେ,ଆଜି ଆମ ସ୍କୁଲରେ ପାର୍ଟି ଥିଲା |ଖାଇକରି ଫେରିବାବେଳକୁ ସନ୍ଧ୍ୟା ହୋଇଗଲା |ଆସିବାବେଳେ ଦେଖିଲି,ଅନୁପମ ଗୋଟିଏ ଝିଅକୁ ନେଇ ହୋଟେଲ 'ସଂଗମ'କୁ ଗଲା |ବନହଂସୀ କହିଲା,ସେ ମିଲି ହୋଇଥିବ,ଗୋଟାଏ ଲାଲ ଡ୍ରେସ ପିନ୍ଧିଥିଲା ତ ?ରୁବି ମୁଣ୍ଡ ହଲାଇ ସମ୍ମତ୍ତି ଜଣାଇଲେ |ବନହଂସୀ କହିଲା,ସେ ସୁରେଶ ବାବୁଂକ ସାନଭଉଣୀ |ମତେ ଦେଖିବାପାଇଁ ଆଜି ଆସିଥିଲା |ଦିନସାରା ଥିଲା |ତାପରେ ତାକୁ ସେ ଛାଡିବାକୁ ନେଲେ |ମିଲି ଭାରି ଖାଦ୍ୟପ୍ରିୟ ;ତାକୁ ଖୁଆଇବାକୁ ସେ ହୋଟେଲକୁ ନେଇଥିବେ |
             ରୁବି କହିଲେ,ତୁ ମୋର ସାନଭଉଣୀ ପରି |ତତେ ମୁଁ କଣ କହିବି ?ସେ ଦୁଇଜଣ ଯେମିତି ଭାବରେ ହୋଟେଲକୁ ଯାଉଥିଲେ,ମନେହେଉଥିଲା,ସେମାନେ ଭାଇ ଭଉଣୀ ନୁହଁନ୍ତି,ବରଂ ପ୍ରେମିକ ପ୍ରେମିକା |ବନହଂସୀ ପ୍ରତିବାଦ କରି କହିଲା,ମିଛକଥା |ସେ ଖୋଲା ହୃଦୟର ଲୋକ ବୋଲି ତାଂକ ନାଁ ରେ ଏମିତି ବହୁତ କଥା ଶୁଣାଯାଏ |ତାର ଏ ପ୍ରକାର ଉତ୍ତରରେ ରୁବିଂକ ଆଖିରୁ ଲୁହଧାର ଝରିଆସିଲା |ବନହଂସୀ ଆଶ୍ଚର୍ଯ୍ୟ ହୋଇ କହିଲା,ତମେ କାନ୍ଦୁଛ ଅପା ?ରୁବି ଲୁହ ପୋଛି କହିଲେ,ତୋର ଏଇ ଅପା ଡାକରେ ମୋର ଜଲି କଥା ବହୁତ ମନେପଡେ |ମତେ ଲାଗେ,ମୁଁ ଗୋଟିଏ ଜଲିକୁ ହରାଇ ଆଉ ଗୋଟିଏ ଜଲିକୁ ପାଇଛି |ତୁ ଆଜି ଯେଉଁ କଥା କହି ଆତ୍ମସନ୍ତୋଷ ପାଉଛୁ,ମୋ ଜଲି ବି ଦିନେ ସେଇକଥା କହି ନିଜକୁ ସାନ୍ତ୍ବନା ଦେଉଥିଲା |ଅଥଚ ତାକୁ ଶେଷରେ ଆତ୍ମହତ୍ୟା କରିବାକୁ ପଡିଲା |ନିଜ ବାକ୍ୟର ଶେଷଧାଡି କହିବା ବେଳକୁ,ରୁବି ପ୍ରବଳ ଦୁଃଖରେ ଭାଂଗି ପଡିଲେ |ସେ ପୁଣି କହିଲେ,ମୁଁ ଜାଣେନା ତୋ ପାଇଁ ମୋ ମନ ଭିତରେ କାହିଁକି ଏତେ ଆସକ୍ତି ସୃଷ୍ଟି ହୋଇଛି |କିନ୍ତୁ ସବୁବେଳେ ମୋ ଅନ୍ତର ଭିତରେ କିଏ ଯେମିତି କହୁଛି,ତୁ ବି ଦିନେ ମତେ ଠକିଦେଇ ଚାଲିଯିବୁ |ପୁଣି କାନ୍ଦି ଉଠିଲେ ରୁବି |ବନହଂସୀ ତାଂକ ଆଖିରୁ ଲୁହ ପୋଛି ଧୀରଗଳାରେ କହିଲା,ତମେ କାନ୍ଦନା ଅପା |ଏମିତି ହେଲେ,ମୁଁ ଆଉ ତୁମ ପାଖକୁ ଆସିବିନି |ସେ ଉଠିଯାଇ ଲାଇଟ ଅଫ କରି ରୁବିଂକ ପାଖରେ ଶୋଇ କହିଲା,ଅପା,ତମେ ଜାଣ,କେଉଁ ପରିସ୍ଥିତିରେ ମୋ ବାହାଘର ହୋଇଛି,ଯେଉଁ ବାହାଘରରେ ବାଇଦ ବାଜିନି,ଭୋଜିଭାତ ହୋଇନି କି ପୁରୋହିତ ମନ୍ତ୍ରପାଠ କରିନି |ମୁଁ ଏସବୁ କଥା କଳ୍ପନା ବି କରିନଥିଲି |କିନ୍ତୁ ସେ ଭାବପ୍ରବଣତା ଆଜି ମୋର ନାହିଁ |ମୋର ନିର୍ଲଜ ମୁହଁ ନେଇ ମୁଁ ଆଉ ବାପାମାଆଂକ ପାଖକୁ ଫେରିଯାଇ ପାରିବିନାହିଁ |ଯେଉଁମାନେ ମୋ ଶାଶୁ ଶ୍ବଶୁର ହେବାକଥା,ତାଂକୁ ଦିନେହେଲେ ଦେଖିନି |ମୋ ଆଗରେ ବର୍ତ୍ତମାନ ଦୁଇଟି ରାସ୍ତା |ଗୋଟିଏ ହେଲା ମୋ ବର୍ତ୍ତମାନର ଜୀବନ ଓ ଅନ୍ୟଟି ହେଲା ମୃତ୍ୟୁ |ମୋ ବର୍ତ୍ତମାନର ଜୀବନରେ ଶେଷପର୍ଯ୍ୟନ୍ତ ମୁଁ ସଂଗ୍ରାମ କରି ବଂଚିବାକୁ ଚେଷ୍ଟା କରୁଛି |ଜାଣେନା ଆଗକୁ ମୋ ପାଇଁ କଣ ରହିଛି |
               ରୁବି କହିଲେ,ତୁ ଯେଉଁ ଆଦର୍ଶର କଥା କହୁଛୁ,ସେ ଯୁଗ ଅନେକ ଦିନରୁ ଚାଲିଯାଇଛି,ବୁନୁ |ଆଜିର ଯୁଗରେ ସୀତା ନାହାନ୍ତି କି ରାମଚନ୍ଦ୍ର ମଧ୍ୟ ନାହାନ୍ତି |ନ୍ୟାୟ ପାଇଁ,ସ୍ବାଧିନତା ପାଇଁ ଆଜିକାଲି କି ସ୍ତ୍ରୀ କି ପୁରୁଷ,ସମସ୍ତଂକୁ ସଂଗ୍ରାମ କରିବାକୁ ପଡୁଛି |ବନହଂସୀ ଶୁଷ୍କ ହସି କହିଲା,ମୁଁ ଏତେକଥା ବୁଝେନା ଅପା |ମୋ ଜାଣିବାରେ ,ଭଗବାନଂକ ବ୍ୟତିତ ଅନ୍ୟ କାହାକୁ ପ୍ରେମଦାନ କଲେ,ସେ ପ୍ରେମ ଅପାତ୍ରରେ ଦାନ ପରି ହୁଏ |ଆମେ ସମସ୍ତେ ଜୀବନ ରଂଗମଂଚର ଅଭିନେତା ଓ ଅଭିନେତ୍ରୀ ; ଅଭିନୟ କରିବାକୁ ଯାଇ ସେ ଚରିତ୍ରକୁ ନିଜର ବୋଲି ଭାବି ବସିଲେ,ଗୁରୁତର ଭୁଲ ହୋଇଯାଏ |କିନ୍ତୁ ଅଭିନୟ କରିବା ଟା ବେଳେବେଳେ ଖୁବ୍ କଷ୍ଟକର ହୋଇପଡେ,ନୁହେଁ ଅପା ???(କ୍ରମଶଃ)
                  

ନିଶୀଥ ଜ୍ୟୋତ୍ସ୍ନା (୧୭)

                        ପରଦିନ ଖୁବ୍ ଡେରିରେ ବନହଂସୀର ନିଦ ଭାଂଗିଲା |ସେ ଉଠି ଦେଖିଲା,ଅନୁପମ ନାହିଁ |ଘଣ୍ଟା କୁ ଚାହିଁ ଦେଖିଲା,ସାଢ଼େ ଆଠ ବାଜୁଛି |ତା ମନ ଖରାପ ହୋଇଗଲା |ଏତେ ଡେରିରେ ସେ କେବେ ଉଠେନା |ଧୀରେ ଧୀରେ ଯାଇ ଡ୍ରଇଂ ରୁମର ପରଦା ଫାଂକରୁ ଦେଖିଲା,ଅନୁପମ ଖବରକାଗଜ ପଢୁଛି ଓ କେତେକ ସ୍ଥାନରେ ଅଣ୍ଡରଲାଇନ କରୁଛି |ସେ ଝାଡୁ ଆଣି ଘର ଓଳାଇବାବେଳକୁ ଅନୁପମ କହିଲା,ଥାଉ,ମୁଁ ଓଳାଇ ସାରିଛି |ବନହଂସୀ ଆଶ୍ଚର୍ଯ୍ୟ ହୋଇ କହିଲା,ତମେ କାହିଁକି ଓଳାଇଲ ?ଅନୁପମ କହିଲା,କଣ ହେଲା ସେଇଠୁ ?ଶାସ୍ତ୍ର ଅଶୁଦ୍ଧ ହୋଇଗଲା ?ମୂଳିକୁ ତ ତମେ ବିଦାକଲ |ଏବେ ବାଧ୍ୟ ହୋଇ ତାରି କାମ ସବୁ ମତେ କରିବାକୁ ପଡିବ !
                     ବନହଂସୀ କହିଲା,ଏମିତି କଣ କହୁଛ ?ମୂଳି ତ କାଲି ଆସିବ |ଅନୁପମ କହିଲା,ସେ ମୂଳି କଥା ନୁହେଁ |ମୁଁ ଅଲଗା ଘର ଦେଖିସାରିଛି,ଖୁବ ଶୀଘ୍ର ସେଇଟା ଖାଲି ହେବ |ଆମେ ସେଠିକି ଚାଲିଯିବା |କିଛିଦିନ ଆଡଜଷ୍ଟ  କରିନେବା |ଆଛା ,ତମେ ଏବେ ଗାଧୋଇବାକୁ ଯିବ ନାଁ ?ମୁଣ୍ଡ ହଲାଇ ବନହଂସୀ ହଁ କହିଲା |ଅନୁପମ କହିଲା,ତା ପୂର୍ବରୁ ମତେ ଟିକେ ପ୍ଲିଜ୍ ଚା' ଦେଇପାରିବ ?
                     ବନହଂସୀ ସଂଗେ ସଂଗେ ଯାଇ,ଚା' ପ୍ରସ୍ତୁତ କରି ଅନୁପମକୁ ଦେଇ ଜଲଦି ଜଲଦି ତା ନିତ୍ୟକର୍ମ ଶେଷ କଲା |ସେତେବେଳକୁ ଅନୁପମର ପେପର ପଢା ସରିଥିଲା |ସେ ନରମଗଳାରେ ଡାକିଲା,ବୁନୁ |
                   ବନହଂସୀ ପାଣି ପିଉଥିଲା,ତା ତଣ୍ଟିରେ ପାଣି ଅଟକିଗଲା |ସେ ଜୋରରେ କାଶି ଛାତିରେ ହାତ ଦେଲା |ନାକରୁ କିଛି ପାଣି ବାହାରି ଆସିଲା | ପାଣି ପିଇବା ସେତିକିରେ ବନ୍ଦ ରଖି ସେ ଅନୁପମ ପାଖକୁ ଦୌଡିଆସିଲା |ଅନୁପମ ବିରକ୍ତ ହୋଇ ପଚାରିଲା,କଣ ହେଲା ?ବନହଂସୀ ସଲ୍ଲଜ ଭଂଗିରେ କହିଲା,କିଛିନାହିଁ ,କଣ ପାଇଁ ଡାକୁଥିଲ,କୁହ |ଅନୁପମ କହିଲା,ଡାକିଦେଲି ବୋଲି କଣ ଭୁଲ ହୋଇଗଲା ?ତମେ ପଡି ଉଠି ଧାଇଁବ ?ଗାଧୋଇ ସାରି ଖାଇଲ କଣ ?
                 ବନହଂସୀ କହିଲା,ଠାକୁରପୂଜା ସରିଲେ ଖାଇବି |
                  ଅନୁପମ କହିଲା,ଠିକ ଅଛି,ତମ କାମ ସରିଲେ,ପକୁଡି ଛାଣିବ,ଖାଇବା |ଆଜି ଆମର ମିଟିଂ ଅଛି,ମତେ ଶୀଘ୍ର ଯିବାକୁ ପଡିବ |ବନହଂସୀ କ୍ଷୀଣ ପ୍ରତିବାଦ ସ୍ବରରେ କହିଲା,ସକାଳୁ ସକାଳୁ କଣ ପକୁଡି ଖାଇବ,ଆଉ କଣ କରିବି କୁହ |
                 ଅନୁପମ ବିରକ୍ତ ସ୍ବରରେ କହିଲା,ଇଚ୍ଛା ନ ହେଉଛି ଯଦି,କିଛି କରନା |ସେ ସିଗାରେଟରେ ଅଗ୍ନି ସଂଯୋଗ କରି ବାଥରୁମକୁ ଚାଲିଗଲା |
                 ବନହଂସୀ ଠାକୁରପୂଜା ଶେଷକରି ନିଜ କାମରେ ଲାଗିଗଲା |କାମ ଅଧାରେ ସେ ଘର ଭିତରେ ବୁଲି ଆସିଲା |ଅନୁପମ ସେପର୍ଯ୍ୟନ୍ତ ବାଥରୁମରୁ ଫେରି ନଥିଲା |ଅନୁପମ ପଢୁଥିବା ଖବରକାଗଜ ଉଠାଇ ସେଥିରେ ଅଣ୍ଡରଲାଇନ କରାଯାଇଥିବା ସମ୍ବାଦ ଗୁଡିକ ପ୍ରତି ଦୃଷ୍ଟି ଦେଲା |
              'ଗ୍ରାମାଂଚଳ ପାନୀୟ ଜଳଯୋଗାଣ '
              'ରଂଗପୁର ଅଂଚଳର କ୍ଷୟକ୍ଷତି '
               'ଭିଜିଲାନ୍ସ ଇନ୍ସପେକ୍ଟରଂକୁ ମାଡ଼ '
                'ଶ୍ରମିକ କ୍ଷତିପୂରଣ ଆଇନର ସଂଶୋଧନ'
                'ସରକାରୀ ଡାକ୍ତରଖାନାରେ ଅବ୍ୟବସ୍ଥା '
               ଖବରକାଗଜର ପରବର୍ତ୍ତୀ ପୃଷ୍ଠା ଓଲଟାଇବାବେଳେ ଅନୁପମ ସେଠାକୁ ଆସି କହିଲା,ପ୍ୟାନରେ ତେଲ ଫୁଟୁଛି,ତମେ ଏଇଠି କଣ କରୁଛ ?
                  ବନହଂସୀ ଖବରକାଗଜ ରଖିଦେଇ,ସେଠାରୁ ତର ତର ହୋଇ ଯାଇ ଗୋଳାଯାଇଥିବା ବେସନ ତେଲରେ ପକାଇ ଛାଣିବାକୁ ଲାଗିଲା |
                    ଅନୁପମ ନିଜ ପୋଷାକ ପିନ୍ଧି ଡ୍ରଇଂରୁମକୁ ଯାଇ ବସିବାବେଳେ ବନହଂସୀ ଗରମପକୁଡି ନେଇ ପହଂଚିଲା |ସେଠାରେ ପ୍ଲେଟ ରଖି ଚାଲିଯିବାବେଳେ ଅନୁପମ ପଚାରିଲା,କୁଆଡେ ଯାଉଛ ?ବନହଂସୀ ଉତ୍ତର ଦେଲା,ପାଣି ଆଣୁଛି |ସେ ଦ୍ରୁତଗତିରେ ଯାଉ ଯାଉ କଲିଂବେଲ ଶବ୍ଦ ଶୁଣି ଅଟକିଗଲା |କବାଟ ଖୋଲିଦେବା ମାତ୍ରେ ହାସ୍ୟ ଝରଣା ସୃଷ୍ଟି କରି ଏକ ସ୍ବଳ୍ପ ବସ୍ତ୍ର ପରିହିତା ଝିଅଟିଏ ଭିତରକୁ ପଶିଆସିଲା |ଆଶ୍ଚର୍ଯ୍ୟ ହୋଇ ସେ ତାକୁ ଦେଖୁଥିବାବେଳେ ଅନୁପମ କହିଲା,ବୁନୁ,ଇଏ ମିଲି |ସୁରେଶର ସାନଭଉଣୀ |
                ମିଲି ହସରେ ଫାଟି ପଡି କହିଲା,ଭାଉଜ,ଓଳିଗି |ତମକୁ ଦେଖିବି ବୋଲି କେତେ ଝୁରି ହେଉଥିଲି,ଆଜି ସୁଯୋଗ ମିଳିଲା |ଅନୁପମ ପଚାରିଲା,ଘର କେମିତି ଚିହ୍ନିଲୁ ?ମିଲି କହିଲା,ଭାଇ ଛାଡିଦେଇ ଗଲେ |
                 ଅନୁପମ କହିଲା,ସୁରେଶ ଆସିଥିଲା ?ଘରକୁ କାହିଁକି ଆସିଲାନି ?ମିଲି କହିଲା,କଣ କାମରେ ଚାଲିଗଲେ,ଫେରିଲାବେଳେ ମତେ ଆସି ନେଇଯିବେ |
                 ଅନୁପମ କହିଲା,ଆସିଲୁ,ଭଲ କଲୁ |ଆ' ଖାଇବୁ |
             ମିଲି ବିନା ପ୍ରତିବାଦରେ ଅନୁପମ ପାଖରେ ପଡିଥିବା ଚେୟାରରେ ବସି ଖାଇବାକୁ ଲାଗିଲା |ଅନୁପମ କହିଲା,ବୁନୁ,ଆଉ ପକୁଡି ଛାଣ |
             ବନହଂସୀ ଚାଲିଗଲା |ପୁଣି ଆଉଥରେ ବେସନ ଗୋଳାଇ ପକୁଡି ଛାଣିବାବେଳେ ମିଲି ସେଠାକୁ ଆସି ତା ହାତଧରି ଅଟକାଇ ଦେଇ କହିଲା,ଭାଉଜ,ଆଉ ଛାଣନା |ଏତେ କିଏ ଖାଇବ କହିଲ ?ଖାଇ ଖାଇ ତ ସହଜେ ଏତେ ମୋଟି ହେଲିଣି |ନିଜେ ଗ୍ୟାସ ଅଫ କରି ତାକୁ ରୋଷେଇଘରୁ ଭିଡି ଭିଡି ନେଇ ଆସିଲା  ଓ ତା ପାଖ ଚେୟାରରେ ତାକୁ ବସାଇଦେଇ କହିଲା,ଏଥର ଖାଅ |ବନହଂସୀ ଖାଇବା ଆରମ୍ଭ କରି ଅଟକିଗଲା |ମିଲି ପଚାରିଲା,ପୁଣି କଣ ହେଲା ?ବନହଂସୀ କହିଲା,ମୁଁ ପାଣି ଆଣୁଛି |
              ଅନୁପମ କହିଲା,ପାଣି ଆଣୁଛ ଆଣୁଛ ବୋଲି ତ ଶହେଥର କହି ସାରିଲଣି,ତମ ପାଣି ଆଣିବା ଟା କେତେବେଳେ ହେବ ?ବନହଂସୀ ଚୁପଚାପ୍ ଚାଲିଗଲା ଓ ଟ୍ରେ ରେ ପାଣି ଟେବଲ ଉପରେ ରଖିଦେଲା |ଅନୁପମ ପାଣି ପିଇ ଉଠି ଛିଡାହେଲା |କହିଲା,ମୁଁ ଯାଉଛି |ମିଲି ଆଜି ଏଇଠି ଖାଇବ |ଯଦି ସୁରେଶ ଆସେ,ତାକୁ ଅଟକାଇ ରଖିବ |ଚାଲିଗଲା ଅନୁପମ |ସେ ଯିବାପରେ ମିଲି କହିଲା,ଭାଉଜ,ଏତେ ଗୁଡାଏ ପକୁଡି,ମୁଁ ଏକୁଟିଆ ଖାଇବି ?ତମେ ଖାଇବନି ?ବନହଂସୀ କହିଲା,ସକାଳୁ ତେଲ ଜିନିଷ ଖାଇବାକୁ ମତେ ଭଲ ଲାଗେନି |ସେ ପ୍ଲେଟରୁ ଗୋଟାଏ ପକୁଡି ଉଠାଇ ପାଟିରେ ଭର୍ତ୍ତି କରି ପାଣି ଗ୍ଲାସେ ପିଇଦେଲା |କହିଲା,ତମେ ଖାଉଥାଅ,ମୁଁ ଆସୁଛି |ମିଲିପାଇଁ ଗ୍ଲାସରେ ପାଣି ଢାଳି ଅବଶିଷ୍ଟ ଦୁଇଟି ଗ୍ଲାସ ସେ ନେଇ ଆସିଲା |
               ରୋଷେଇଘରକୁ ଆସି ସେ ରୋଷେଇ ଆରମ୍ଭ କଲା |ରୋଷେଇ ଅଧାଅଧି ହୋଇ ଆସିବାବେଳକୁ ତାର ମିଲିକଥା ମନେପଡିଲା |ସେ ମିଲି ପାଖକୁ ଯାଇ ଦେଖିଲା,ସେ ବିଛଣାରେ ଶୋଇ ବହି ପଢୁଛି |ତା ପାଖରେ ସେ ବସିଲା |ତାକୁ ଦେଖି ବିଛଣାରୁ ଉଠି ମିଲି ମୁରୁକି ହସିଲା |ବନହଂସୀ ପଚାରିଲା,କେଉଁ ସ୍କୁଲରେ ପଢୁଛ ?ମିଲି କହିଲା,ଏଇଟା ମୋର ଦ୍ବାଦଶ ହେଲା,ଡି.ଏ.ଭି.ରେ  ପଢୁଛି |ଏଥରକ ବନହଂସୀକୁ ଆଉକିଛି ପଚାରିବାକୁ ପଡିଲା ନାହିଁ  |ମିଲି କହୁଥିଲା ଓ ସେ ଶୁଣୁଥିଲା |ଯେମିତି ....ଅନୁଭାଇ କେତେ ଭଲ,କୁଆଡେ ବାହାରକୁ ଗଲେ,ତାପାଇଁ କିପରି ଭଲ ଭଲ ଜିନିଷ ଆଣି ଦିଅନ୍ତି ;ଅନୁଭାଇଂକ ସ୍ତ୍ରୀଂକୁ ଦେଖିବାକୁ ସେ କିପରି ବ୍ୟସ୍ତ ହେଉଥିଲା,ଇତ୍ୟାଦି ....ଇତ୍ୟାଦି |
          ମିଲି କଥାକହିବା ବେଳେ ତାକୁ ବନହଂସୀ ଲକ୍ଷ୍ୟ କରୁଥିଲା |ମିଲି ଖୁବ୍ ସ୍ବାସ୍ଥ୍ୟବତୀ |ବୟସ ଷୋହଳ ସତର ହୋଇପାରେ କିନ୍ତୁ ସୁଢଳ ସ୍ବାସ୍ଥ୍ୟ ଯୋଗୁଁ ଆହୁରି ଅଧିକ ବୟସ ମନେହେଉଥିଲା |ମୁହଁଟି ବେଶ ସୁନ୍ଦର |ତାର ଭାବନାରେ ବ୍ୟାଘାତ ଜନ୍ମାଇ ପ୍ରେସର କୁକରର ପ୍ରଥମ ହୁଇସିଲ ବାଜିଉଠିଲା |ସେ କହିଲା,ତମେ ବହି ପଢୁଥାଅ,ମୁଁ ଆସୁଛି |
              ଅନୁପମ ଆସିବାପରେ ସେ ଭାତ ବାଢ଼ିବାପାଇଁ ତିନିଟି ପ୍ଲେଟ ଆଣି ଧୋଇ ପରିଷ୍କାର କରି ପୋଛିଦେଲା |ଅନୁପମ ସେଠାରେ ପହଂଚି କହିଲା,ଏତେ ପ୍ଲେଟ କଣ ହେବ ?ଏକାଠି ସମସ୍ତଂକର ବାଢ଼,ମତେ ମିଲି ସାଂଗରେ ଗୋଟିଏ ପ୍ଲେଟରେ ଦେବ |
ବିଚାରୀ.,କେତେ କଷ୍ଟରେ ତମକୁ ଦେଖିବା ପାଇଁ ଏଠାକୁ ଦୌଡି ଆସିଛି |ଅନୁପମର ଆଦେଶ ପାଳନକଲା ବନହଂସୀ |ଜୀବନରେ ପ୍ରଥମଥର ପାଇଁ ସେ ନିଜକୁ ବୟସ୍କା ମନେକରୁଥିଲା |ସମସ୍ତ ଦୁଃଖକୁ ଛେପ ପରି ଢୋକି ଦେବାକୁ ସେ ମନେ ମନେ ପ୍ରତିଜ୍ଞା କରିଥିଲା |ଥରେ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କଲେ,ତାକୁ ବୀର ପରି ଲଢିବାକୁ ହିଁ ପଡିବ |(କ୍ରମଶଃ)

Monday, January 6, 2020

ନିଶୀଥ ଜ୍ୟୋତ୍ସ୍ନା (୧୬)

                 ବନହଂସୀ ହସିବାକୁ ଚେଷ୍ଟାକରି କହିଲା,କିଛି ନୁହେଁ, ତମେ ଶୋଇପଡ଼ |ରାତି ବହୁତ ହେଲାଣି |ସକାଳେ ପୁଣି ତମକୁ ଆସି କିଏ ଖୋଜିବେ |
                   ଅନୁପମ କହିଲା,ବୁନୁ,ଶୋଇବା ପ୍ରତି ମୋର ଆଦୌ ଆସକ୍ତି  ନାହିଁ |ଥରେ ରାଜନୀତିରେ ପ୍ରବେଶ କଲେ,ମଣିଷ ତାର ଭୋକ,ଶୋଷ,ନିଦ,ସବୁ ପାଶୋରି ପକାଏ |ବନହଂସୀ ଆଖି ବୁଜି ଶୋଇବାର ଛଳନା କଲା |ଅନୁପମ ଜୋରକରି ତାକୁ ହଲାଇଦେଇ କହିଲା,ବୁନୁ,ଶୋଇଗଲ ?ଏତେ ଶୀଘ୍ର ?ମୁଁ ପାଖରେ ଅଛି,ତମକୁ ନିଦ ଆସୁଛି ??ବନହଂସୀ ଆଖିଖୋଲି ବନହଂସୀକୁ ଚାହିଁଲା |ଏଇ ନାଁ ସେଇ ଅନୁପମ,ଯାହାର ପ୍ରେମ ଗୋଟାଏ ସୌକ !ଆଉ ଯିଏ ଅନେକ ଝିଅଂକୁ ଉପଭୋଗ କରିବାପରେ ଠକି ଦେଇଛି !!ଇଏ କଣ ସେଇ ଅନୁପମ ଯିଏ ରାଗିଗଲେ,ପଶୁପରି ବ୍ୟବହାର କରେ ??ସତରେ କଣ ଅନୁପମ ତାକୁ ସଚ୍ଚା ପ୍ରେମ କରେ ?ସତରେ କଣ ଅନୁପମର ତା ପ୍ରତି ଥିବା ଭଲପାଇବା ଚିରସ୍ଥାୟୀ ??ଅନୁପମ ବନହଂସୀକୁ ଆଦର କରି ଅସ୍ତବ୍ୟସ୍ତ କରିପକାଇଲା |ତାପରେ ମନଖୋଲା ହସ ହସି କହିଲା,ବୁନୁ,ମୋର ସମ୍ବଲପୁର ଯିବା ହେଲାନି |ଆନନ୍ଦ ସାର୍ ମତେ ଦିଲ୍ଲୀ ଯିବାପାଇଁ ବାଧ୍ୟ କଲେ |ଗଲି ମଧ୍ୟ |ଗୁଡାଏ ତିକ୍ତ ମଧୁର ଅନୁଭୂତି |ସେକଥା କଣ କହିବି ତମକୁ, ସିଏ ତ ନିତିଦିନିଆ ଘଟଣା |ହଁ |ଦିଲ୍ଲୀ ରୁ ତମପାଇଁ ଗୋଟାଏ ଜିନିଷ ଆଣିଥିଲି ,ମୋ ବ୍ରିଫକେଶ ଆଣିଲ |ବନହଂସୀ ଉଠିଯାଇ ବ୍ରିଫକେଶ ଆଣି ଅନୁପମ ହାତକୁ ବଢାଇ ଦେଲା |ଅନୁପମ ତାକୁ ଖୋଲି,ତା ଭିତରୁ ଏକ ଛୋଟ ପ୍ୟାକେଟ କାଢି ବନହଂସୀ ହାତକୁ ବଢ଼ାଇଦେଇ କହିଲା,ଖୋଲି ଦେଖ,ଆଗ ଲାଇଟ ଦିଅ |ବନହଂସୀ ଲାଇଟ ଅନ କରି,ପ୍ୟାକେଟ ଖୋଲି ତା ଭିତରୁ କଳାରଂଗର ଏକ ଅତି ସୁନ୍ଦର ମୋବାଇଲ ବାହାର କଲା |ତା ସହିତ ମୋବାଇଲ ସେଟ ର  କ୍ୟାସମେମୋ ଥିଲା |ସେଇଟା ବନହଂସୀ ଦେଖିବା ପୂର୍ବରୁ ଅନୁପମ ତା ହାତରୁ ଭିଡିନେଇ କହିଲା,ସେଇଟା ଦେଖନା |ସେ ହସୁଥିଲା |କହିଲା,ପସନ୍ଦ ହୋଇଛି ?
                 ବନହଂସୀ ଖୁସି ହୋଇ କହିଲା,ବଢିଆ ହୋଇଛି |ହେଲେ,ତମକୁ କଲ କଲାବେଳେ ,ତମ ମୋବାଇଲ ସୁଇଚ ଅଫ ନଥିଲେ ହେଲା |ଅନୁପମ ଗମ୍ଭୀର ହୋଇ କହିଲା,ମୁଁ ଜାଣେ,ତମେ ସେକଥା କହିଵ |ସେ ବିଛଣାରେ ନିଜ ଶରୀର ଲମ୍ବାଇ ଦେଲା |ବନହଂସୀ ମୋବାଇଲ ନିଜ ପର୍ସ ରେ  ରଖି ଆସି ଅନୁପମ ପାଖରେ ଶୋଇପଡିଲା |ଅନୁପମ କହିଲା,ଲାଇଟ ଅଫ କଲନି ?ସବୁକଥା ତମକୁ କହିଲେ,ତମେ ଯାଇ କରିବ ?ବନହଂସୀ ପୁଣି ଆଉଥରେ ଉଠି ଲାଇଟ ଅଫ କରି ଆସ୍ତେ କରି ଆସି ବିଛଣା ଧାରରେ ଶୋଇପଡିଲା |ଅନୁପମ କହିଲା,ପୁଣି ରୁଷିଗଲ ?କେତେ ଜଗି ରଖି କଥା କହିବି ?ଭଲ କରି ଶୁଅ,ନହେଲେ ପଡିଗଲେ ହାତ ଗୋଡ଼ ଖଣ୍ଡିଆ ହୋଇ ଡାକ୍ତରଖାନା ଯିବ |ତା କଥା ଶୁଣି ବନହଂସୀର ଓଠାରୁ ଆପେ ଆପେ ହସ ବାହାରି ପଡିଲା |ଅନୁପମ କହିଲା,ବୁନୁ,ଧୀରେ ଧୀରେ ମୋର ରାଜନୀତି ପ୍ରତି ଆଗ୍ରହ କମିଆସୁଛି  |କାହିଁକି ଜାଣିଛ ?ଆମ ଦେଶର ରାଜନୀତି ଅନେକାଂଶରେ ପାଶ୍ଚାତ୍ୟ ଦର୍ଶନ ଦ୍ବାରା ପ୍ରଭାବିତ |ସେଥିପାଇଁ ଆମେ ଗଣତନ୍ତ୍ର ର ସୁଫଳ ଅନୁଭବ କରି ପାରୁନୁ |ସୁଇଜରଲାଣ୍ଡ ରେ କିନ୍ତୁ ସବୁଠାରୁ ସୁନ୍ଦର ବ୍ୟବସ୍ଥା ରହିଛି |ଚାରିବର୍ଷରେ ଥରେ ଲୋକପ୍ରତିନିଧି ନିର୍ବାଚିତ ହୁଅନ୍ତି |କିନ୍ତୁ ସେଠାରେ ନିର୍ବାଚିତ ପ୍ରତିନିଧିମାନଂକ ମନମାନି ଚଳେନାହିଁ |ଲୋକମାନଂକ ସାର୍ବଭୌମତ୍ତ୍ବ ସେଠାରେ ଅକ୍ଷୁର୍ଣ ରହିଛି |ଯେ କୌଣସି ଆଇନ ପାର୍ଲାମେଣ୍ଟରେ ଗୃହୀତ ହେବ ପୂର୍ବରୁ ଜନସାଧାରଣଙ୍କ ମତାମତ ନିଆଯାଏ |ସେମାନଂକ ସ୍ବୀକୃତି ପରେ ଆଇନ କାର୍ଯ୍ୟକାରୀ ହୁଏ |ସେଥିପାଇଁ ସେଠାରେ ବହୁ ଭାଷାଭାଷୀ ଲୋକ ନିର୍ଭିଘ୍ନରେ ବାସ କରୁଛନ୍ତି |ଲୋକମାନଂକ ଭିତରେ ସହନଶୀଳତା ଓ ପରସ୍ପରପ୍ରତି ସମ୍ମାନବୋଧ ରହିଛି |ସେଠାରେ ଜଣେ ଜର୍ମାନ ତାର ଫରାସୀ ବନ୍ଧୁକୁ ଭେଟିଲେ,ଫରାସୀ ଭାଷାରେ କଥାବାର୍ତ୍ତା କରେ ଆଉ ଫରାସୀ ବନ୍ଧୁଜଣକ ତଂକୁ ଜର୍ମାନ ଭାଷାରେ ଉତ୍ତର ଦିଅନ୍ତି |ଧର୍ମକ୍ଷେତ୍ରରେ ବି ଠିକ ସେମିତି |ସେଠାରେ ଅନେକ ଚର୍ଚ୍ଚ ଅଛି ଯେଉଁଠି ପ୍ରୋଟେଷ୍ଟାଣ୍ଟ ଆଉ ରୋମାନ କ୍ୟାଥଲିକ ଏକାଠି ମିଳିମିଶି ପ୍ରାର୍ଥନା କରନ୍ତି |କିନ୍ତୁ ଆମ ଭାରତରେ ଦେଖ,ଠିକ ୟାର ଓଲଟା |ଯେତେ ସବୁ ଦଂଗା ହେଉଛି ,ସବୁ ଏଇ ଧର୍ମ ପାଇଁ |ସବୁ ଧର୍ମ ଏକ ବୋଲି କିଏ ବୁଝୁଛି ?ଲୋକେ ଉଚ୍ଚଶିକ୍ଷିତ ହେବାପରେ ନିଜର ଅନ୍ଧବିଶ୍ବାସ ତ୍ୟାଗ କରିବା ଦୂରେ ଥାଉ,ସେ ସବୁକୁ ଆହୁରି କୁତ୍ସିତ କରି ନିଜ ମନ ଭିତରେ  ଘୋଡେଇ ରଖିଛନ୍ତି |ରାଜନୀତି ଆଉ ଧର୍ମ ଦୁଇଟା ଯାକ ଅଲଗା ଜିନିଷ |କିନ୍ତୁ ଏବେ ଦେଖ,ଭୋଟବ୍ୟାଂକର ସୁରକ୍ଷା ପାଇଁ ଏମାନେ ରାଜନୀତି ସହିତ ଧର୍ମ ଓ ଜାତିକୁ ମିଶେଇ ସେଥିରୁ ଫାଇଦା ଉଠାଉଛନ୍ତି |
            ବନହଂସୀ କହିଲା,ହଉ ଛାଡ଼ ସେକଥା |ରାତି ବହୁତ ହେଲାଣି.ଶୋଇପଡ଼ ଏଥର |ଅନୁପମ ବିରକ୍ତହୋଇ କହିଲା,ମୁଁ ଏତେକଥା କହିଲି,ତାକୁ ଶୁଣିବାର ନାହିଁ,ତମେ କେବଳ ଶୋଇବା କଥା ଚିନ୍ତା କରି ଚାଲିଛ |ମନେରଖ,ତମରି ଭଳି କେତେଜଣ ଲୋକଂକ ପାଇଁ,ଭାରତର ଏଇ ଦୁରାବସ୍ଥା |ଦେଶ ସ୍ବାଧୀନତା ପାଇଁ କାହିଁକି ଏତେ ଲୋକ ମରୁଥିଲେ କେଜାଣି !!ଭୀଷଣ ବିରକ୍ତ ହୋଇ ସେ ମୁହଁ ବୁଲାଇ ଶୋଇବାକୁ ଚେଷ୍ଟାକଲା |
              ବନହଂସୀର ଆଖିରୁ ନିଦ ଉଭେଇ ଗଲା |ଏକ ଦୀର୍ଘନିଶ୍ବାସ ତା ନାକ ଦେଇ ବାହାରିଗଲା |ସେ ଭାବିଲା,ତାର ଅତୀତ ଗତ ହୋଇଛି | ବର୍ତ୍ତମାନକୁ ନେଇ ହିଁ ତାକୁ ବଂଚିବାକୁ ପଡିବ ,ଯେଉଁ ବର୍ତ୍ତମାନରେ କେବଳ ଅନୁପମ ଛଡା ତାର ଆଉ କେହି ନାହାନ୍ତି |ତା ସମ୍ମୁଖରେ ଏକମାତ୍ର କର୍ତ୍ତବ୍ୟ ରହିଛି,ତା ହେଲା,ଅନୁପମର ରୁଚି,ଚିନ୍ତାଧାରା ସହିତ ନିଜ ଜୀବନକୁ ସାମିଲ କରିନେବା |କିନ୍ତୁ ସେ କଣ ସତରେ ଅନୁପମର କର୍ମସଂଗିନୀ ହୋଇପାରିବ ??
               ହଠାତ୍ ତାର ମନେହେଲା,ତାର ଫୋଟକା ହୋଇଥିବା ପାଦରେ କଣ ଗୋଟାଏ ସଲ ସଲ ହେଉଛି |ସେ ଚମକିପଡି ଉଠିବସିଲା |ଦେଖିଲା,ଅନୁପମ ତାର ଫୋଟକାରେ  ଔଷଧ ମାଲିସ କରୁଛି ଓ ମନେ ମନେ ଗୁଣୁ ଗୁଣୁ ହୋଇ କହୁଛି,'ମୋ ବୁନୁର କିଛି ହେବନି '|ସେ ମନେ ମନେ ଉଲ୍ଲସିତ ହୋଇଗଲା |କିନ୍ତୁ ପରକ୍ଷଣରେ ତାର ମନେହେଲା,ଏ ସୁଖ କ୍ଷଣିକପାଇଁ |(କ୍ରମଶଃ )

Sunday, January 5, 2020

ନିଶୀଥ ଜ୍ୟୋତ୍ସ୍ନା (୧୫ )

                    ଅନୁପମର କଥାର ସ୍ରୋତ ଅଟକିଗଲା |ସେ କହିଲା,ମାନେ ?ବନହଂସୀ କହିଲା,ମୁଁ ସବୁ ବୁଝିଛି |ମତେ ସେକଥା ଆଗରୁ କହିଥିଲେ,ମୁଁ ରୁବିଅପାଂକ ଘରକୁ ଯାଇନଥାନ୍ତି |କିନ୍ତୁ ମୁଁ ଏଇଠି ଏକୁଟିଆ ,ଅସୁବିଧାବେଳେ ମୋ ପାଖରେ କେହି ନାହାନ୍ତି |ଚାଲ,ଏଇଠୁ ପଳେଇବା |ଅନୁପମ କହିଲା,ସେକଥା ମୁଁ ଭାବିସାରିଛି ;ଘର ବି ଖୋଜୁଛି |ଦେଖାଯାଉ କଣ ହେଉଛି |ବନହଂସୀ କହିଲା,ହଉ ଠିକ ଅଛି |ତମେ ଖାଇଛ ?ଅନୁପମ କହିଲା, ଖାଇଲି ଆଉ କେତେବେଳେ ?ସକାଳୁ ମୁଠାଏ ଭାତ ପେଟରେ ପଡିନି |
                 ବନହଂସୀ ନୀରବରେ ରୋଷେଇଘରକୁ ଚାଲିଗଲା |ଗ୍ୟାସ ଷ୍ଟୋଭ ଲଗାଇଲାବେଳକୁ ପଛେ ପଛେ ଆସି ଅନୁପମ ପହଂଚିଗଲା |ପଚାରିଲା,କଣ କରୁଛ ?
                 ବନହଂସୀ କହିଲା,ବେଶୀ ସମୟ ଲାଗିବନି |ପ୍ରେସର କୁକରରେ ଖେଚଡି,ଡାଲମା ଖୁବ୍ ଶୀଘ୍ର ହୋଇଯିବ |ଅନୁପମ କହିଲା,ରାତି ଆସି ବାରଟା ବାଜିଲାଣି,ଏତେବେଳେ ମୁଁ ଭାତ ଖାଇବି ?ତମ ମୁଣ୍ଡରେ ଟିକିଏ ହେଲେ ବୁଦ୍ଧି ନାହିଁ ଦେଖୁଛି |ତାର ରୁକ୍ଷ କଣ୍ଠସ୍ବର ଶୁଣି ବନହଂସୀର ହୃଦୟ ପୁଣି ଦୋହଲିଗଲା |ସେ କେବଳ ଅନୁପମକୁ ଚାହିଁରହିଲା |ଅନୁପମ ବାହାରକୁ ଯାଇ ସଂଗେ ସଂଗେ ଫେରିଆସିଲା |ହାତରେ ତାର ପଲିଥିନରେ ଗୁଡା ହୋଇଥିବା ଖାଦ୍ୟ ପ୍ୟାକେଟ ଥିଲା |କହିଲା,କେତେବେଳୁ ଆଣିଥିଲି,ଥଣ୍ଡା ହୋଇଯିବଣି |ବନହଂସୀ ପ୍ୟାକେଟ ଖୋଲି ଦେଖିଲା,ତନ୍ଦୁରୀ ରୋଟି ଓ ଚିଲି ଚିକେନ |ସେ ତାକୁ ଗରମ କରି ଦୁଇଟା ପ୍ଲେଟରେ ନେଇଆସିଲା |ପରମ ଆଗ୍ରହରେ ଅନୁପମ ତାକୁ ଉଦରସ୍ଥ କରିବାରେ ଲାଗିଲା |ପଚାରିଲା,କେମିତି ଲାଗୁଛି ?
            ବନହଂସୀ ଉତ୍ତର ଦେଲା,ଭଲ |
             ଅନୁପମ କହିଲା,ଭଲ ଲାଗିବନି ?କେଉଁଠୁ ଆଣିଛି,ଜାଣିଛ ?ସତରେ ବୁନୁ,ତମକୁ ଜମା ରୋଷେଇ କରି ଆସେନା,ଅଥଚ ମୁଁ ହେଉଛି,ଖାଇବାରେ ଓସ୍ତାଦ |କଥା କହୁ କହୁ ଅନୁପମ ଅଟକିଗଲା |କହିଲା,ଖାଉନ କାହିଁକି ?ବନହଂସୀ କହିଲା,ମୋ ରୋଷେଇ ତମକୁ ଭଲ ଲାଗେନା ?ଅନୁପମ କହିଲା,ନାଁ |ବନହଂସୀର ମୁହଁ ଶୁଖିଗଲା |ଅନୁପମ ତାକୁ ଚାହିଁ କହିଲା,ଦେଖ ବୁନୁ,କାହାକୁ ଖୁସି କରିବାପାଇଁ ମତେ ବନେଇ ଚୁନେଇ,ତେଲ ମାରି ମିଛକଥା କହି ଆସେନା |ମୁଁ ସବୁବେଳେ ସତକୁ ସତ ଆଉ ମିଛକୁ ମିଛ କହେ |ସେଥିପାଇଁ ମୋର ବହୁତ ଶତ୍ରୁ |ସତ କହିବାକୁ ଗଲେ ମୁଁ ସବୁବେଳେ ଭଲ ଖାନା ଖାଇ ଆସିଛି,ମତେ ଆଭେରେଜ ଖାନା ଭଲ ଲାଗେନା |ବନହଂସୀର ଆଖି ଲୁହ ଛଳ ଛଳ ହୋଇଉଠିଲା |ସେ କହିଲା,ମୁଁ ଆଗରୁ ରୋଷେଇ କରିନଥିଲି ,ଏଇଠି ଆସି ପ୍ରଥମକରି ରାନ୍ଧୁଛି |
                ଅନୁପମ କଥା ଛଡାଇ ନେଇ କହିଲା,ତେଣୁ କିଛି ଭୁଲ ଭାଲ ରହିବା ସ୍ବାଭାବିକ |କିନ୍ତୁ ଚତୁର ଗୃହିଣୀ କଣ କରେ ଜାଣିଛ ?ନିତି ନୂଆ ନୂଆ ଖାଦ୍ୟ ପରଷି,ସ୍ବାମୀର ମନ କିଣି ନିଏ |ବନହଂସୀର ଚକ୍ଷୁ ସମ୍ମୁଖରେ ଅନୁପମର  ଖାଦ୍ୟ ପଦାର୍ଥ ଫୋପାଡିବାର ଦୃଶ୍ୟ ଗୋଟିକ ପରେ ଗୋଟିଏ ଭାସି ଉଠିଲା |ସେ ନିଜ କୋହକୁ ଚାପି ଖାଇବାରେ ମନଦେଲା |ଅନୁପମ ପଚାରୁଥିଲା,ତମେ ଖାଉନ କାହିଁକି ?
                ବନହଂସୀ ଚାମଚ ଭର୍ତ୍ତି କରି ପାଟିରେ ପୁରାଇ ସଂଗେ ସଂଗେ ପାଣି ଗ୍ଲାସେ ପିଇଦେଇ କହିଲା,ମୋ ପେଟ ଫୁଲ୍ ହୋଇଗଲା |ସେ ଅନୁପମ ଉତ୍ତରକୁ ଅପେକ୍ଷା ନକରି ଯାଇ ବେସିନରେ ମୁହଁ ଧୋଇଲା |ଅନୁପମ ଖାଇବା ଶେଷକରି ପାଣି ପିଇଲା  | ସେ ଚେୟାରରୁ ଉଠିବାପରେ ବନହଂସୀ ପ୍ଲେଟ ଉଠାଇ, ଧୋଇଦେଇ ରୋଷେଇଘରେ ରଖି କବାଟ ବନ୍ଦ କଲା ଓ ଆଲୋକ ଲିଭାଇ ଦେଲା |
            ଅନୁପମ ସ୍ମିତ ହସି କହିଲା,ଶୋଇବାକୁ ରେଡି ନାଁ ?
             ଅନୁପମକୁ ନିରୀକ୍ଷଣ କଲା ବନହଂସୀ |କିଛି ଘଣ୍ଟା ପୂର୍ବର ଘଟଣାକୁ ସେ ଭୁଲିଯାଇଥିଲା ଯେମିତି |ନିଜର ଅବଶ ଦେହକୁ ବିଛଣାରେ ଲୋଟାଇ ସେ ଭାବୁଥିଲା,ଅନୁପମର ସ୍ବଭାବ ସେମିତି |ଶତ ଚେଷ୍ଟା କଲେ ମଧ୍ୟ ସେ ସେଥିରେ ପରିବର୍ତ୍ତନ ଆଣି ପାରିବନି |ତା ଠାରୁ ବରଂ ଭଲ,ତା ଖୁସି ପାଇଁ ନିଜକୁ ତିଳ ତିଳ କରି ଜାଳିଦେବା |ନିଜର ଶେଷ ଭାବନା ପଂକ୍ତିକୁ ମନେପକାଇ ସେ ଶିହିରୀ ଉଠିଲା |ନାଁ !!!ସେ ଯାହା କରିବ,ଖୁସି ମନରେ କରିବ |ନିଜକୁ ଦୁଃଖଦେଇ,ନିଜ ମନରେ ଅଶାନ୍ତି ସୃଷ୍ଟି କରି କାହାକୁ ସୁଖୀ କରିବାକୁ ଚେଷ୍ଟା କରିବା ଅର୍ଥ ,ପରୋକ୍ଷରେ ନିଜ ମନ ଭିତରେ ଅନ୍ୟ ବିରୁଦ୍ଧରେ ଘୃଣାଭାବ ସୃଷ୍ଟି କରିବା |ସିଏତ ସେଇଦିନୁ ମରି ସାରିଛି,ଯେଉଁଦିନ ଅନୁପମ ତାକୁ ହରଣଚାଳ କରି ଆଣିଛି |ଏଇ ଯେଉଁ ବନହଂସୀ ଚଳପ୍ରଚଳ ହେଉଛି,ସେ ଅତୀତର ସେଇ ହାସ୍ୟମୟୀ ,ଲାସ୍ୟମୟୀ ଓ ଭବିଷ୍ୟତ ପାଇଁ ଅନେକ ସ୍ବପ୍ନ ଦେଖୁଥିବା ବନହଂସୀ ନୁହେଁ,ତାର କବର ଉପରେ ଛିଡା ହୋଇଥିବା ଅନ୍ୟ ଏକ ନାରୀ,ଯେ ଅନୁପମର ସ୍ତ୍ରୀ ହୋଇଥିବାବେଳେ ସ୍ତ୍ରୀ ନୁହେଁ ,ସହଧର୍ମିଣୀ,ଅର୍ଦ୍ଧାଂଗିନୀ ମଧ୍ୟ କୁହାଯାଇ ନପାରେ |ଆଉ ପ୍ରେରଣାଦାୟିନୀ ???ତାର ହୃଦୟ ମଧ୍ୟରେ କମ୍ପନ ସୃଷ୍ଟି ହେଲ |ଯେଉଁ ରାଜନୀତି ପାଇଁ ଅନୁପମ ତାର ସବୁକିଛି ଉତ୍ସର୍ଗ କରିଦେଇଛି,ତା ପ୍ରତି ଅନେକ ଦିନରୁ ତାର ଘୃଣାଭାବ  ରହିଛି |ଖବରକାଗଜରେ ଏମାନଂକ ଅପକର୍ମ,ଦୁର୍ନୀତି ଓ ମିଥ୍ୟା ଭାଷଣ ଆଦି ପଢି ତା ମନରେ ସେହି ମୁଖାଧାରୀ ଲୋକଂକ ପ୍ରତି ଏକ ବିରାଗ ଭାବ ରହିଯାଇଛି  |ଅନୁପମକୁ ସେ ଚିହ୍ନିଥିଲା,ଏକ ସୁନ୍ଦର ,ସୁପୁରୁଷ ହିସାବରେ |ତା ଭିତରଟାକୁ ପରଖିବାକୁ ସେ ଆଦୌ ସମୟ ପାଇନଥିଲା |ନିଜର ଦୁର୍ବଳ ମୂହୁର୍ତ୍ତରେ ସେ ଅନେକ ସମୟରେ ନିଜକୁ ଧିକ୍କାର କରିଛି ଓ ନିଜର ଦୁର୍ବଳତାକୁ ଘୃଣା କରିଛି |ସେ ଯଦି ନିଜକୁ ସଂଯମର ଆବରଣ ଭିତରେ ଘୋଡାଇ ରଖି ପାରିଥାନ୍ତା,ତାହାଲେ ଆଜି ତାର ବର୍ତ୍ତମାନ ଏକ ଭିନ୍ନ ମୋଡ଼ ନେଇଥାନ୍ତା |କିନ୍ତୁ ଯାହା ଭାବି ନଥିଲା,ତାହା ହୋଇଯାଇଛି |ଆଜି ସେ ସବୁଦିଗରୁ ଉପେକ୍ଷିତା |ନାଁ ବାପା ମାଆଂକ ସ୍ନେହ ପାଇଲା,ନାଁ ତଥାକଥିତ ସ୍ବାମୀ ଅଥବା ଶାଶୁ ଓ ଶ୍ବଶୁର !!!
                'କଣ ଏତେ ଭାବୁଛ ?' ଅନୁପମର କଥା ଶୁଣି ତା ଭାବନାରେ ପୂର୍ଣ୍ଣଛେଦ ପଡିଗଲା |(କ୍ରମଶଃ)

Saturday, January 4, 2020

ନିଶୀଥ ଜ୍ୟୋତ୍ସ୍ନା (୧୪ )

                           ବନହଂସୀ ବଡ଼ କଷ୍ଟରେ ଗ୍ୟାସ ଷ୍ଟୋଭ ଅଫ କଲା  | ସେଠାରୁ ଆସିବାବେଳକୁ ହଠାତ ତା ମୁଣ୍ଡ ଘୁରାଇଦେଲା  ଓ ସେ ସେଇ ରୋଷେଇଘରେ ଅନର୍ଗଳ ବାନ୍ତି କରି ପକାଇଲା |ଅନେକସମୟ ପରେ ଉଠି ସେ  ବେସିନରେ ମୁହଁ ଧୋଇବାବେଳେ ବାରିପଟ କବାଟରେ କରାଘାତ ହେଲା |ସେ ଧୀରେ ଧୀରେ ଯାଇ କବାଟ ଖୋଲିଦେଇ ସେଇଠାରେ ସଂଜ୍ଞାହୀନହୋଇ ଟଳିପଡିଲା |
                 ରୁବି ଭିତରେ ପ୍ରବେଶକରି ବନହଂସୀର ଏପରି ଅବସ୍ଥା ଦେଖି ହତବାକ୍ ହୋଇ ପଡିଲେ |ସେ ତାଂକ ଦୁଇହାତରେ ତାକୁ ଟେକିନେଇ ବେଡରେ ଶୁଆଇଦେଲେ |ତାପରେ ରୋଷେଇଘରକୁ ଯାଇ ଦେଖିଲେ,ବାନ୍ତିରେ ଘର ଭାସୁଛି |ସେ ଘର ଧୋଇ ପରିଷ୍କାର କରିଦେଲେ |ଏହି ସମୟରେ ଗୁଡି ହାତରେ ଗୋଟିଏ ଟର୍ଚ୍ଚ ଧରି ଦୌଡି ଦୌଡି ଆସି କହିଲା,ମମି,ମତେ ଏକୁଟିଆ ଛାଡି ଏତେବେଳଯାଏଁ ରହିଗଲ ?ଗୁଡିକୁ ଆଦର କରି ରୁବି କହିଲେ,ତୋ ଆଣ୍ଟିଂକ ଦେହ ଭଲନାହିଁ |ତୁ ଏଇଠି ଥା ,ମୁଁ ସାଂଗେ ସାଂଗେ ଆସୁଛି |ଏହା କହି ଚାଲିଗଲେ ଓ ଘରେ ଚାବି ପକାଇ ତୁରନ୍ତ ଚାଲିଆସିଲେ |
                      ବନହଂସୀ ସ୍ଥିରହୋଇ ଆଖି ବୁଜି ଶୋଇଥିଲା |ରୁବି  ଗୋଟିଏ ନିଷ୍ପତ୍ତିରେ ପହଂଚିବା ପୂର୍ବରୁ ବାଇକ ରହିବା ଆବାଜ ଶୁଭାଗଲା |ପରେ ପରେ ଅନୁପମ ଭିତରେ ପ୍ରବେଶ  କଲା ଓ ସମ୍ମୁଖରେ ରୁବିଂକୁ ଦେଖି ନିଜ କ୍ରୋଧ ସମ୍ବରଣ କରି ପାରିଲାନାହିଁ |ସେ ତାତ୍ସଲ୍ୟଭରା କଣ୍ଠରେ ପଚାରିଲା,ପୁଣି କେଉଁ ନାଟକ ଖେଳିବାକୁ ଚାଲିଆସିଲ ?
            ରୁବି କହିଲେ,ବାହାନା ଦେଖାଇ ତମେ ସତ୍ୟକୁ ଘୋଡାଇ ରଖିପାରିବ ନାହିଁ |ତାପରେ ବନହଂସୀ ଆଡକୁ ହାତ ଦେଖାଇ କହିଲେ,ଦେଖ,ତମ ପାପର ଫଳ ଆଜି ବୁନୁ ଭୋଗୁଛି |
                ଅନୁପମ ସେମିତି ଚଢା ଗଳାରେ କହିଲା,ତାର କିଛି ହୋଇନି,ସବୁ ତମର ନାଟକ |
           ରୁବି କହିଲେ,ରୋଷେଇଘରକୁ  ଯାଅ ଦେଖିବ,ଏବେବି ବାନ୍ତିର ଦୁର୍ଗନ୍ଧ ଆସୁଛି |ଚେତା ହରାଇ ପଡିଥିଲା,ମୁଁ ତାକୁ ଟେକିଆଣି ଏଠାରେ ଶୁଆଇଛି |ତା ପାଦରେ ଗରମପାଣି ପଡି ଫୋଟକା ହୋଇଛି |ବିଶ୍ବାସ ହେଉନି ଯଦି ଦେଖ,କଣ, ୟେ ବି ମୋର ନାଟକ ??ଅନୁପମ କ୍ରୋଧରେ ଗର୍ଜନ କରି କହିଲା,ଭଲରେ ଭଲରେ କହୁଛି,ଏଠାରୁ ଚାଲିଯାଅ |ବୁନୁ ମୋର ସ୍ତ୍ରୀ |ତା ସାଂଗେ କେମିତି ବ୍ୟବହାର କଲି,ସେ ମୋର ପର୍ସନାଲ ମାଟର,ସେଥିରେ ତମର ମୁଣ୍ଡ ଖେଳାଇବା ଦରକାର ନାହିଁ |ରୁବି କହିଲେ,ଲାଜ ଲାଗୁନି,ସ୍ତ୍ରୀ ବୋଲି କହୁଛ ?ସ୍ତ୍ରୀ ର ମାନେ କଣ ତମେ ଜାଣିଛ ?ଏମିତି ସ୍ତ୍ରୀ ବୋଲି କହି ଆଉ କେତେ ଜଣଂକୁ ତମେ ହତ୍ୟା କରିବ ?ମୋ ଜଲିକୁ ହତ୍ୟାକରି ସିନା ଖସିଗଲ,ଏଥରକ ଆଉ ଖସିଯିବାର ସୁଯୋଗ ତମକୁ ମୁଁ  ଦେବିନି |
            ଅନୁପମ ତାଳି ମାରି କହିଲା,ବାଃ !!ଏକଦମ୍ ସୁପର ଆକ୍ଟିଂ |ନେତାମାନେ  ଯେମିତି ମିଛକୁ ସତ କହି ନିରୀହ ଲୋକଂକୁ ଭୁଆଁ ବୁଲାନ୍ତି,ତମେ ତ ସେମାନଂକୁ ବି  ବଳିଗଲ !!
             ରୁବି ଅନୁପମ କଥା ନଶୁଣି  କହିଲେ,ଜଲି ମୋର ଅତି ଗେହ୍ଲି ସାନଭଉଣୀ ଥିଲା |ତା ସହିତ ପ୍ରେମ କରିବାର ଛଳନାକରି ତମେ ତାର ସର୍ବସ୍ବ ଲୁଟି ନେଲ |ଯେତେବେଳେ ବିବାହ କଥା ଉଠିଲା,ତମେ ଆରାମରେ ଖସିଗଲ |କଣ ଦରକାର ଥିଲା,ଏ ସବୁର ?ଯୌନବାସନା ଚରିତାର୍ଥ କରିବାପାଇଁ ବେଶ୍ୟାଳୟ ଅଛି,ତମେ ସେଠିକି ନଯାଇ ନିରୀହ ଝିଅମାନଂକୁ ଶୀକାର କର କାହିଁକି ?
           ଅନୁପମ ଚିତ୍କାର କରି କହିଲା,ଏଇ ମୂହୁର୍ତ୍ତରେ ମୋ ଘରୁ ବାହାରିଯାଅ ,ନହେଲେ ...
  ନହେଲେ........ରୁବି ହସିକରି କହିଲେ,ନହେଲେ ମତେ ମଧ୍ୟ ଜଲି ପରି ହତ୍ୟା କରିବ,ନୁହେଁ ?ମୁଁ ଖୁସି |ମୃତ୍ୟୁକୁ ମୋର ତିଳେ ମାତ୍ର ଭୟ ନାହିଁ |କିନ୍ତୁ ଈଶ୍ବର ଅଛନ୍ତି |ସବୁ ପାପର ଫଳ ତମକୁ ଦିନେ ନାଁ ଦିନେ ଭୋଗ କରିବାକୁ ପଡିବ |
              ଅନୁପମ କହିଲା,ପାପପୁଣ୍ୟ ର ଦ୍ବାହି ଦେଉଛ,ଶୁଣ ତେବେ |ଜଲିକୁ ମୁଁ ହତ୍ୟା କରିନି |ମୋ ଛଡା ଜଲିର ଅନେକ ବୟଫ୍ରେଣ୍ଡ ଥିଲେ |ଆଉ ସେମାନଂକ ସାଂଗେ ଜଲିର କି ସମ୍ପର୍କ ଥିଲା,ତା  ତମେ ଭଲଭାବେ ଜାଣିଛ |ତାକୁ କିଏ ପ୍ରେଗନାଣ୍ଟ କରାଇଲା,ସେକଥା ମଧ୍ୟ ତମେ ଜାଣ କିନ୍ତୁ ବଳି ପକେଇଲ ମତେ |ତାର କାରଣ ତମକୁ ଜଣା |ମୁଁ ତ ଡି.ଏନ.ଏ.ଟେଷ୍ଟ ପାଇଁ ରାଜିଥିଲି |ତମେ କାହିଁକି ରାଜି ହେଲନି ?ରୁବି କହିଲେ,ତମେ ନିର୍ଦ୍ଦୋଷ କାରଣ ତମପାଖେ ପ୍ରଚୁର ଟଂକା ଅଛି |ଏଇପରି ଅନେକ ଝିଅଂକୁ ଉପଭୋଗ କରି ତମେ ରାସ୍ତାକଡକୁ ଫିଂଗି ଦେଇଛ |ଅର୍ଥବଳରେ ତମେ ସବୁ କିଛି କରିପାର |କିନ୍ତୁ ବୁନୁ ତମର କି ଅପରାଧ କରିଥିଲା ?ତା ଇଛା ବିରୁଦ୍ଧରେ ତାକୁ କିଡନାପ କରି,ବାହାଘରର ଫାର୍ସ କରି, ଡେଲି ଟର୍ଚର କରି ଚାଲିଛ ?କଣ ଉଦ୍ଦେଶ୍ୟ ତମର ?ଅନୁପମ କହିଲା,ଷ୍ଟପ ରୁବିଅପା,ଆଣ୍ଡ ପ୍ଲିଜ ଗେଟ ଆଉଟ |ରୁବି କହିଲେ,ନାଁ ମତେ ରୁବିଅପା ଡାକିବା ଅଧିକାର ତମର ନାହିଁ |ତମେ ଗୋଟାଏ ନରମାଂସ ଭକ୍ଷଣକାରୀ ପଶୁ |ତମ ହୃଦୟରେ ସ୍ନେହ,ପ୍ରେମ,ଦୟାମାୟାର ସ୍ଥାନ ନାହିଁ |ଆଜି ଯଦି ବୁନୁର କିଛି ହୋଇଯାଏ,ତାହେଲେ ମୁଁ ଜାଣିବି,ତାକୁ ହତ୍ୟା କରାଯାଇଛି ;ଏକ ଯୋଜନାବଦ୍ଧ ହତ୍ୟା |ଆଉ ସେଥିପାଇଁ ମୋର ସମସ୍ତ ଶକ୍ତି,ପୁଂଜି ବିନିଯୋଗ କରି ଲଢିବି |ଯଦି ପ୍ରକୃତରେ ସତ୍ୟ ଥିବ,ତାହେଲେ ଧର୍ମର ବିଜୟ ନିଶ୍ଚୟ ହେବ |
           ଗୁଡିକୁ କାନ୍ଧରେ ପକାଇ ରୁବି ଚାଲିଗଲେ |ବିଛଣାରେ ଶୋଇ ବନହଂସୀ ମୂଳରୁ ଶେଷ ପର୍ଯ୍ୟନ୍ତ ସବୁକଥା ଶୁଣୁଥିଲା |ଏଥରକ ତା ଆଖି ଆଗରେ ସବୁକଥା ପରିଷ୍କାର ହୋଇ ଉଠିଲା |ତା ହୃଦୟରେ ସେଇକ୍ଷଣି ଅଦ୍ଭୁତ ପ୍ରକାର ଶକ୍ତି ସଂଚାର ହେବାର ସେ ଅନୁଭବ କଲା |ସେ ବିଛଣାରୁ ଧୀରେ ଉଠି ଅନୁପମକୁ ଅତିକ୍ରମ କରିବାବେଳେ,ଅନୁପମ ତାକୁ ଅଟକାଇ ଦେଇ ପଚାରିଲା,କୁଆଡେ ଯାଉଛ ?କୌଣସି ଉତ୍ତର ନଦେଇ ବନହଂସୀ ପୁଣି ଯିବାକୁ ଉପକ୍ରମ କରିବାବେଳେ ଅନୁପମ ଜୋରକରି ତା ହାତ ଧରି ଭିଡି ଆଣି କହିଲା,ମୁଁ ମାନୁଛି,ମୁଁ ଦୁଷ୍ଟ,ପ୍ରତାରକ,ନଷ୍ଟ ଚରିତ୍ର |କିନ୍ତୁ ଯେଉଁ ଝିଅମାନେ ମୋ ନାଁରେ କଳଂକ ରଟନା କରୁଛନ୍ତି,ସେମାନେ ମଧ୍ୟ ଗୁଡ ଗାର୍ଲ ନଥିଲେ |ମୋ ଭଳି ଅନେକ ପୁଅଂକ ସହିତ ସେମାନେ ଖୁବ୍ ଖେଳିଛନ୍ତି ଆଉ ଶେଷରେ ନିଜେ ନିଜେ ନଷ୍ଟ ହୋଇଛନ୍ତି |ଏଥିରେ ମୋ ଦୋଷ କଣ ?କିନ୍ତୁ ବିଶ୍ବାସ କର,ତମ ସହିତ ପ୍ରେମରେ ମୋର ଆଦୌ ଛଳନା ନଥିଲା |ତମର ସରଳ ପବିତ୍ର ହୃଦୟ ପାଖରେ ମୁଁ ସରେଣ୍ଡର କରିଥିଲି |ମୁଁ ଆଗରୁ କହିଥିଲି,ଏବେ ମଧ୍ୟ କହୁଛି,ମୋ ଜୀବନ ପାଇଁ ତମ ଭଳି ଝିଅଟିଏ ମୁଁ ଅନେକ ଚାହିଁଥିଲି;ଯେ ମତେ ସଜାଡି ଦେବ,ମୋର ସମସ୍ତ ବଦଗୁଣକୁ ଆଡଜଷ୍ଟ କରିନେବ |ଯେଉଁ ଜଲି କଥା ରୁବିଅପା କହିଲେ,ସବୁ ଡାହା ମିଛ |ତା ବିଷୟରେ ଶୁଣିଲେ,ହୁଏତ ତମେ ବିଶ୍ବାସ କରି ନପାର,ମୁଁ ବି ସେକଥା କହି ମୋ ପାଟି ଖରାପ କରିବାକୁ ଚାହୁଁନି |ରୁବିଅପାଂକ ଘରକୁ ଯିବାପାଇଁ ମୁଁ ତମକୁ ଏଇଥିପାଇଁ ମନା କରୁଥିଲି |କାରଣ ସେ କେବେହେଲେ ମୋ ଭଲ ଚାହାନ୍ତି ନାହିଁ |ସେ ନିଶ୍ଚୟ ମୋ ବିରୁଦ୍ଧରେ ତମକୁ ଉସକେଉ ଥିବେ |ଏଇଟା ତାଂକ ପ୍ରକୃତି |ସେ ସିନା ମୋ ପାଖରେ ହାର ମାନିଗଲେ,କିନ୍ତୁ ଏଇନା ତମେ ତାଂକ ପାଖରେ ଭଲ ଅସ୍ତ୍ରଟିଏ ହୋଇ ତାଂକ ହାତ ମୁଠାକୁ ଚାଲିଯାଇଛ |ସେ ନିଶ୍ଚୟ ଏ ସୁଯୋଗର ସଦବ୍ୟବହାର କରିବେ |କରିବା ଆରମ୍ଭ କରି ସାରିଲେଣି ମଧ୍ୟ |ଛାଡ |ତମର ଟିକିଏ ଘୃଣା ମଧ୍ୟ ମୁଁ ସହି ପାରିବିନି ,ମାନେ ...ମୁଁ ତମକୁ କେମିତି ବୁଝାଇବି...ଜାଣି ପାରୁନି |କିନ୍ତୁ ମୁଁ ଏତିକି ଜାଣେ,ତମକୁ ହରାଇଲେ,ମୁଁ ପାଗଳ ହୋଇଯିବି.....ଆଉ ବଂଚି ପାରିବିନି |
           ଏ ଘରେ ମର୍ଡର ହୋଇଥିଲା,ସେକଥା ମୁଁ କେବେବି ବିଶ୍ବାସ କରିବିନି |ସବୁ ମିଛ କଥା |କିନ୍ତୁ ଏ ଘର ସୁରେଶ ଠିକ କରିଥିଲା,ହୁଏତ ଜାଣିଶୁଣି,ରୁବିଅପାଂକ ଘର ପାଖାପାଖି ଦେଖି |ଏ ତାର ସୁଚିନ୍ତିତ ପ୍ଲାନ ହୋଇପାରେ |ଏବେ ମୁଁ ଜାଣି ପାରୁଛି,ଈର୍ଷାକାତର ହୋଇ ସୁରେଶ ତାର ଭୟଂକର କାର୍ଯ୍ୟକଳାପ ଆରମ୍ଭ କରିଦେଇଛି |
           ବୁନୁ,ମତେ ବୁଝିବାକୁ ଚେଷ୍ଟା କର |ପିଲାଟି ଦିନରୁ ମୁଁ ଏମିତି ବଦରାଗୀ |ରାଗିଲା ବେଳେ ମୋର ହୋସ୍ ରହେନା |କିନ୍ତୁ ମୁଁ ହାର୍ଟଲେସ ନୁହେଁ |ମୋର ବି ହୃଦୟ ଅଛି |ମୁଁ ଭଲପାଇ ଜାଣେ,ଏକଦମ୍ ଟ୍ରୁ ଲଭ |ଆଉ ସେଇ ଭଲପାଇବାର ରାଣ ପକାଇ କହୁଛି,ଆଇ ଲଭ୍ ୟୁ |ଭାବାବେଗରେ ଅନୁପମ ଆଉ କଣ କହି ଆସୁଥିଲା,ବନହଂସୀ ତାକୁ ରୋକିଦେଇ କହିଲା,ସେତିକି କୁହ |(କ୍ରମଶଃ )

Friday, January 3, 2020

ନିଶୀଥ ଜ୍ୟୋତ୍ସ୍ନା (୧୩)

                           ସୁରେଶ ଯିବାପରେ ବନହଂସୀ କିଛିସମୟ ଗମ୍ଭୀର ହୋଇ ବସିଗଲା |ତାପରେ  ମୂଳିକୁ ଡାକି ପଚାରିଲା,ମୂଳି.,ଭଲକରି ମନେ ପକାଇଲୁ, କାଲି ରାତିରେ ଏଇ ବାବୁଂକ କଣ୍ଠସ୍ବର ବା ସେମିତି କିଛି ତୋର ମନେ ପଡୁଛି ?ବୋକାଂକ ପରି ମୂଳି ବନହଂସୀକୁ ଚାହିଁ ରହିଲା ,କିଛି ଉତ୍ତର ଦେଲାନାହିଁ |ବନହଂସୀ ଭିତରକୁ ଯାଇ ପର୍ସରୁ ଶହେ ଟଂକା ଆଣି ମୂଳିକୁ ଦେଇ କହିଲା,ତୁ କେତେଦିନ ହେଲା ଆସିଲୁଣି,ଯା ତୋ ବାପା ବୋଉଂକୁ ଦେଖି ଆସିବୁ |ପୁଣି ଅଲଗା ଶହେ ଟଂକା ଦେଇ କହିଲା,ଏତକ ତୋ ବୋଉଂକୁ ଦେବୁ |ହାତରେ ଟଂକା ଧରି ମୂଳି ସକ ସକ ହୋଇ କାନ୍ଦିଲା |ବନହଂସୀ ପଚାରିଲା,କାନ୍ଦୁଛୁ କାହିଁକି ?
                ମୂଳି ସେହିପରି କାନ୍ଦୁ କାନ୍ଦୁ କହିଲା,ମା' ମୋର ଭୁଲ ହୋଇଯାଇଛି ,କାଲି ରାତିରେ ଏଇ ସୁରେଶବାବୁ ଆସିଥିଲେ |ବନହଂସୀ ପଚାରିଲା,ତୁ ତାଂକୁ ଚିହ୍ନିଛୁ ?ମୂଳି କହିଲା,ମୁଁ ତାଂକ ଘରେ ଚାକିରିଆ ଥିଲି ମା' |ବନହଂସୀ ନିଜ ଉଦ୍ବେଗକୁ ଚାପିରଖି କହିଲା,ଠିକ ଅଛି,ବ୍ୟସ୍ତ ହ'ନା |ଆଜି ହେଲା ମଂଗଳବାର.ତୁ ଶନିବାରଦିନ ଚାଲିଆସିବୁ ,ବୁଝିଲୁ ?
                 ମୂଳି ଯିବାପରେ କିଛିସମୟ ଥକ୍କା ମାରି ବସିଗଲା,ବନହଂସୀ |ବଡ଼ପାଟି କରି ବୋଝେ କାନ୍ଦିବାକୁ ତାର ଇଚ୍ଛା ହେଉଥିଲା କିନ୍ତୁ ତା ଆଖିରୁ ଲୁହ ଶୁଖିଯାଇଥିଲା |ସେ ନିଜକୁ ନିଜେ ପଚାରୁଥିଲା,ଅନୁପମ କେବେ ଆସିବ?କେବେ?? ମନକୁ କ୍ରମଶଃ ସ୍ଥିର କରି ସେ ନିଜକୁ ନିଜ ଭିତରେ ହଜାଇଦେଲା |ଅନେକସମୟ ପରେ ପ୍ରକୃତିସ୍ଥ ହୋଇ ସେ ଦେଖିଲା,ଚତୁର୍ଦ୍ଦିଗରେ ଏକ ଫିକା ଅନ୍ଧକାର ଖେଳିଯାଇଛି |ସେ ଉଠିଲା |ସନ୍ଧ୍ୟା ହୋଇଛି,ତାକୁ ସଂଧ୍ୟା ଦେବାକୁ ପଡିବ |ପରମୂହୁର୍ତ୍ତରେ ତାର ହୃଦୟରୁ କୋହଭରା ଏକ ଦୀର୍ଘଶ୍ବାସ ବାହାରିଗଲା |ସନ୍ଧ୍ୟାଦୀପ ଜଳାଇ ସେ ମା' ଦୁର୍ଗାଦେବୀଂକୁ ପ୍ରଣାମ କରି ସ୍ତୋତ୍ର ଆବୃତ୍ତି କଲା,
                     'ଓଁ ଜ୍ଞାନିନାମପି ଚେତାଂସି ଦେବୀ ଭଗବତୀ ହିସା ,
                       ବଳାଦାକୃଶ୍ୟ ମୋହାୟ ମହାମାୟା ପ୍ରଯଚ୍ଚଃତି...........
      ପ୍ରାର୍ଥନା ପରେ ତା ମନ କିଂଚିତ ହାଲୁକା ହୋଇଥିବାର ସେ ଅନୁଭବ କଲା |ସେ ଚିନ୍ତା କରୁଥିଲା,ମହାପୁରୁଷମାନେ ଠିକ କହିଛନ୍ତି;ଈଶ୍ୱରଂକଠାରେ ସମଗ୍ର ସତ୍ତା ସମର୍ପଣ କରିଦେବାରେ ଯେଉଁ ସୁଖ ମିଳେ,ସେ ସୁଖ ଅନ୍ୟ କେଉଁଥିରୁ ମିଳେନାହିଁ |ସବୁ ପ୍ରେମଠାରୁ ଶ୍ରେଷ୍ଠ ଭଗବତ୍ ପ୍ରେମ |ତାଂକଠାରେ ବିଶ୍ବାସ ସ୍ଥାପନ କଲେ,ଆଉ କାହାକୁ ଭୟ କରିବାର ଆବଶ୍ୟକତା ରହେନାହିଁ |ସେ ସବୁ ଝରକା କବାଟ ବନ୍ଦକରି ତାଲା ପକାଇଲା ଓ ଗୃହଦେବୀଂକୁ ପ୍ରଣାମ ଜଣାଇ ରୁବିଂକ ଘରକୁ ଚାଲିଆସିଲା |
            ରୁବି ସେତେବେଳେ ପରଟା କରୁଥିଲେ |ତାଂକଠାରୁ ବେଲଣାପେଡି ଓ କାଠି ନେଇ ସେ ପରଟା ବେଲିଲା |କେତେସମୟ ପରେ ରୁବି ପଚାରିଲେ,ଆଜି ଚୁପଚାପ କାହିଁକି ?ପ୍ରଶ୍ନକରି ସେ ବନହଂସୀକୁ ଚାହିଁଲେ |ବନହଂସୀ ମୁହଁ ତଳକୁ କରି ନିରୁତ୍ତର ଥିଲା |ରୁବି ତାର ମୁହଁ ଉଠାଇ କହିଲେ,କିଛି କହୁନୁ କାହିଁକି ?କଣ ହେଲା ?ଉତ୍ତରରେ ବନହଂସୀର ବେଦନାଯୁକ୍ତ ଆଖି ଦୁଇଟିରୁ ଧାର ଧାର ହୋଇ ଅନେକଧାର ଲୁହ ଝରିପଡିଲା |ରୁବି ତା ହାତରୁ ବେଲଣା ପେଡି ଓ କାଠି ଛଡାଇନେଇ ତାକୁ ଅନ୍ୟ ରୁମକୁ ଭିଡିନେଇ ଆଦର କରି କହିଲେ,ତତେ ମୋ'ରାଣ ବୁନୁ,କହ କଣ ହୋଇଛି ?ବନହଂସୀ ସୁରେଶର ଭୂମିକାକୁ ବାଦ ଦେଇ ସମସ୍ତ ଘଟଣା ସଂକ୍ଷେପରେ ବର୍ଣନା କଲା |ରୁବି କହିଲେ,ଶୁଣିଥିଲି,ଅନୁପମ ତତେ ଜବରଦସ୍ତି ବାହା ହୋଇଛି,ଏକଥା କଣ ସତ ?
          ବନହଂସୀ ଆଖିରୁ ଲୁହ ପୋଛି କହିଲା,ନାଁ |ରୁବି ଆଶ୍ଚର୍ଯ୍ୟ ହୋଇ କହିଲେ,ତାହେଲେ ସତ କଣ ?ବନହଂସୀ କହିଲା,ମୁଁ ତାଂକୁ ଭଲ ପାଉଥିଲି ;ଯାହା କିଛି ହୋଇଛି,ସବୁ ମୋ ସମ୍ମତିରେ ହୋଇଛି |
         ରୁବିଂକ ମୁଖମଣ୍ଡଳର ଶୀରାପ୍ରଶିରା ଟାଣ ହୋଇଗଲା |ସେ କହିଲେ,ବୁଝିଲୁ ବୁନୁ,ମୁଁ ଜାଣେ,ଏଇଟା ତୋ ମନକଥା ନୁହେଁ |ତୋର ଏଇ ସରଳ ବିଶ୍ବାସର ଫାଇଦା ଉଠେଇ ଅନୁ ତତେ ବୋକା ବନେଇ ଚାଲିଛି |ମୁଁ ତତେ ଏବେ କିଛି କହୁନି,ପରେ ତୁ ସବୁ ଜାଣିପାରିବୁ |ବନହଂସୀ ପଚାରିଲା,ତାହେଲେ ତମେ ତାଂକୁ ଆଗରୁ ଜାଣିଛ ?ରୁବି କହିଲେ,ଖୁବ୍ ଭଲଭାବେ |
               ବନହଂସୀ କିଛିସମୟ ନୀରବରେ ଚିନ୍ତା କଲା |ତାପରେ କହିଲା,ଚାଲ ରୋଷେଇକାମ ସାରିଦେବା |ରୁବି କହିଲେ,ତୁ ଏବେ ବହି ପଢୁଥା,ମୁଁ ଆସୁଛି |ବନହଂସୀ କହିଲା,ପଛରେ ପଢିବି,ଏବେ ରୋଷେଇଘରକୁ ଯାଇ ବାକିକାମ ସାରିଦେବା |ରୁବି ତାକୁ ଗଭୀରଭାବେ ଲକ୍ଷ୍ୟ କଲେ |କହିଲେ,ହଉ ଚାଲ |
               ସେଦିନ ରାତିରେ କିଛି ଅଘଟଣ ଘଟିଲା ନାହିଁ |ତାପର ଦୁଇଦିନ ମଧ୍ୟ ଖୁବ୍ ସୁରୁଖୁରୁରେ କଟିଗଲା |ତୃତୀୟଦିନ ବନହଂସୀ କହିଲା,ଅପା,ମୋର ମନେହେଉଛି,ସେ ଆଜି ଆସିବେ |ମୁଁ ଘରକୁ ଯାଉଛି |ରୁବି ପଚାରିଲେ,ତୁ ଏକୁଟିଆ ରହିବୁ ?ବନହଂସୀ କହିଲା,ଏବେ ଆଉ ଭୟ ଲାଗୁନି |ରୁବି କହିଲେ,ହଉ ତୁ ଯା |ନଅଟା ବେଳକୁ ମୁଁ ଯିବି ,ଯଦି ଅନୁପମ ଆସିଥିବ ଭଲକଥା,ନହେଲେ ତୁ ଚାଲିଆସିବୁ |
            ବନହଂସୀ ଚାଲିଆସିଲା |ଘରର ସମସ୍ତ ଝରକା କବାଟ ଖୋଲିଦେଇ ପ୍ରତିଟି କୋଠରୀରେ ମୁକ୍ତବାୟୁ ପ୍ରବେଶ କରାଇଲା |ତାପରେ ମପରେ ସାରାଘର ପୋଛିବା ପରେ ଗାଧୋଇପଡି ପ୍ରାର୍ଥନାରେ ମଗ୍ନ ହୋଇଗଲା |ହଠାତ୍ କଲିଂବେଲ ଶବ୍ଦରେ ଘର ପ୍ରତିଧ୍ବନିତ ହୋଇ ଉଠିଲା |ସେ ଉତ୍ଫୁଲ୍ଲିତ ହୋଇ ଦୌଡି ଯାଉ ଯାଉ ଅଟକିଗଲା |ତାପରେ ପଚାରିଲା,କିଏ ?ଅନୁପମର କଣ୍ଠସ୍ବର ଶୁଭିଲା,ଖୋଲ |
         ସେ ସଂଗେ ସଂଗେ କବାଟ ଖୋଲିଦେଲା |ଭିତରେ ଅନୁପମ ପ୍ରବେଶ କଲା |ତା ପରେ ପରେ ଆଉ ଦୁଇଜଣ ଭଦ୍ରବ୍ୟକ୍ତି ମଧ୍ୟ ଆସିଲେ |ଅନୁପମ କହିଲା,ବୁନୁ,ଏ ଦୁଇଜଣ ମୋର ବନ୍ଧୁ |ଇଏ ହେଲା ସମୀର ଆଉ ଇଏ ଗିରୀଶ |ବନହଂସୀ ନମସ୍କାର ଜଣାଇଲା |ସେମାନେ ମଧ୍ୟ ପ୍ରତି ନମସ୍କାର ଜଣାଇଲେ |ସେ ସେଠାରୁ ଚାଲିଆସିଲା |ତା ପଛେ ପଛେ ଅନୁପମ ଆସି ପଚାରିଲା,ମୂଳି ନାହିଁକି ?ବନହଂସୀ କହିଲା,ନାଁ ସେ ତା ବାପା ବୋଉଂକୁ ଦେଖିବାକୁ ଯାଇଛି |
          ଅନୁପମ କହିଲା,ଘରକୁ ଯିବା କଣ ଏତେ ଜରୁରୀ ଥିଲା ?ପୁଣି ମୋ ଅନୁପସ୍ଥିତିରେ ?ବନହଂସୀ କହିଲା,ସେକଥା ପରେ କହିବି ,ବର୍ତ୍ତମାନ କଣ ଖାଇବ କୁହ |ଅନୁପମ କହିଲା,ଆମେ ସାଂଗେ ସାଂଗେ ଖାଇକରି ଆସିଛୁ |ତମେ ଖାଲି ତିନିକପ୍ କଫି କର |ବନହଂସୀ କହିଲା,ତିନିକପ୍ କାହିଁକି ?ଆଉ କପେ ମୁଁ ପିଇବିନି ?ଅନୁପମ ଈଷତ ବିରକ୍ତ ହୋଇ କହିଲା,ମୁଁ କଣ ମନା କଲି ?
    ବନହଂସୀ ଗ୍ୟାସ୍ ଷ୍ଟୋଭରେ ପାଣି ଗରମ କଲା |ଅନୁପମ ସେଠାକୁ ଆସି କହିଲା,ତମେ ଏଇଠି ଏକୁଟିଆ ଥିଲ ?ବନହଂସୀ କହିଲା,ସେ ବହୁତ କଥା;କହିଲେ,ରାତି ପାହିଯିବ |ତମେ ମତେ ପ୍ରଥମେ କହିଲ,ମୂଳି ଆଗରୁ ସୁରେଶ ବାବୁଂକ ଘରେ ଥିଲା ?ଅନୁପମ କହିଲା,ଥାଇପାରେ,ମୁଁ ଜାଣିନି |କଣ ହେଲା ?
       ବନହଂସୀ କହିଲା,ସେଦିନ ପର୍ଶୁରାମ ଆସି ଶୋଇଲା |ଦେଖିବାକୁ ନିରୀହ,କିନ୍ତୁ ଭାରି ସାଂଘାତିକ |ମୂଳି କହୁଥିଲା,ସେଦିନ ସେ ତାରରେ ତାଲା ଖୋଲି ବାହାରକୁ ଗଲା,ଆସିଲା,ଏମିତି ବହୁତ ରାତି ପର୍ଯ୍ୟନ୍ତ |ମୋ କବାଟକୁ ବି ଖୋଲିବାକୁ ଚେଷ୍ଟା କରିଥିଲା କିନ୍ତୁ ମୁଁ ଭିତରୁ ଲକ୍ କରିଥିଲି ବୋଲି ଖୋଲି ପାରିଲାନି |ମେନ୍ ସୁଇଚ ଅଫ କରି କାହାସାଂଗେ ଫୁସ୍ ଫୁସ୍ କଥା ହେଉଥିଲା |ଭୟରେ ରାତିରେ ମତେ ନିଦ ହେଲାନି |ସକାଳେ ମୂଳିକୁ ଲୋଭ ଦେଖାଇ ସବୁକଥା ଆଦାୟ କଲି |ସେଦିନ ରାତିରେ ସୁରେଶବାବୁ ପର୍ଶୁରାମ ପାଖକୁ ଆସିଥିଲେ |ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ରଖି ସେ ମୂଳିକୁ ଆମଘରେ ରଖାଇଛନ୍ତି |
           ଅନୁପମ କହିଲା,ତାପରେ ସେଇ ବାହାନାରେ ତମେ ଯାଇ ସେ ରୁବି ମାଡାମ୍ ଘରେ ଶୋଇଲ,ନୁହେଁ  ?ବନହଂସୀ ନରମ ଗଳାରେ କହିଲା,ରାତିରେ ସେ ଦୁଇନିଶୀଥ ଜ୍ୟୋତ୍ସ୍ନା (୧୩)ଜଣ ଯେମିତି ହେଲେ,ମତେ ଭାରି ଭୟ ଲାଗିଲା |ରୁବିଅପା ବାଧ୍ୟ କରିବାରୁ ମୁଁ ....
           'ଚୁପ୍ କର ' |କଥା ଅଧାରୁ ଚିତ୍କାର କରି ଅନୁପମ ହାତରେ ଧରିଥିବା ବହିକୁ ଷ୍ଟୋଭ ଉପରେ କଚାଡିଦେଲା |ସସପିନ ଓଲଟି ତଳେ ପଡିଲା |ଗରମ ପାଣି ବନହଂସୀ ପାଦରେ ପଡିଲା,ସେ ଯନ୍ତ୍ରଣାରେ ପାଦ ଘୁଂଚାଇନେଲା |ଅନୁପମ ସେ ଦିଗକୁ ଦୃଷ୍ଟି ନଦେଇ କହିଲା,ସୁରେଶ ଠିକ କହୁଥିଲା |ସ୍ତ୍ରୀ ଲୋକମାନଂକ ଶଯ୍ୟାସୁଖ ବ୍ୟତିତ ଜୀବନରେ ଆଉ କିଛି ଲକ୍ଷ୍ୟ ନଥାଏ |କିନ୍ତୁ ତମେ ଭାବନା ଯେ ସାରାଜୀବନ ଜଗିବସିବା ପାଇଁ ମୁଁ ତମକୁ ଆଣିଛି |ତମଭଳି କେତେ ଝିଅଂକୁ ମୁଁ ପାଦର ଚପଲ ଭଳି ଫିଂଗି ଦେଇଛି |ମତେ ଜବାବ ଦିଅ ,ବାରମ୍ବାର ମନାକରିବା ସତ୍ତ୍ବେ ତମେ କାହିଁକି ସେଠାକୁ ଯାଇଥିଲ ?ସବୁଗୁଡା ପ୍ରି ପ୍ଲାନଡ |ଏଇ ଭଣ୍ଡାମୀ ତମ ଘରେ ଚଳିବ,ମୋ ପାଖରେ ନୁହେଁ |
             ସ୍ତବ୍ଧ ହୋଇ ଅନୁପମର କଥା ବନହଂସୀ ଶୁଣି ଯାଉଥିଲା |ଅତ୍ୟଧିକ କ୍ରୋଧରେ ତାର ସୁନ୍ଦର ମୁହଁଟା କୁତ୍ସିତ ,କଦାକାର ଦେଖା ଯାଉଥିଲା |ତାପରେ ସେ ଯେମିତି ଆସିଥିଲା,ସେମିତି ଚାଲିଗଲା |(କ୍ରମଶଃ )

ନିଶୀଥ ଜ୍ୟୋତ୍ସ୍ନା (୧୨)

                        ଘଣ୍ଟାରେ ଛଅ ଟା ବାଜିବା ପରେ ସେ ଝରକା ଖୋଲି ବାହାରକୁ ଚାହିଁଲା |ସେତେବେଳେ କଲୋନୀ ଲୋକଂକ ମର୍ଣିଂ ୱାକରୁ ଫେରିବା ସମୟ ଥିଲା |ସେ କବାଟ ଖୋଲି ଦେଖିଲା,ମୂଳି ଓ ପର୍ଶୁରାମ ଏପଟ ସେପଟ ହେଉଛନ୍ତି |ତାକୁ ଦେଖି,ପର୍ଶୁରାମ କହିଲା,ମାଡାମ୍, ମୁଁ ଆପଣଂକୁ ଅପେକ୍ଷା କରିଥିଲି,ଯାଉଛି,ନମସ୍କାର |ବନହଂସୀ ନୀରବରେ ତା କଥା ଶୁଣିଲା,କିଛି ଉତ୍ତର ଦେଲାନାହିଁ |ସେ ପୁଣି ଫେରିଆସି କହିଲା,ଆପଣଙ୍କ କୋଲପ ବୋଧେ ଖରାପ ଅଛି,ହାତ ମାରୁ ମାରୁ ଖୋଲିଗଲା |ସେ ଆଉଥରେ ନମସ୍କାର କରି ଚାଲିଗଲା |ସେ ଯିବାପରେ ବନହଂସୀ ତାର ନିତ୍ୟକର୍ମ ଶେଷକରି ଜଳଖିଆ ପ୍ରସ୍ତୁତ କରି,ମୂଳିକୁ ଖାଇବାକୁ ଦେଲା |ସେ ଖାଉଥିବା ବେଳେ ବନହଂସୀ ପଚାରିଲା,କାଲି ରାତିରେ କିଛି ଅସୁବିଧା ହୋଇନି ତ ?ମୂଳି ଗଳାରେ ଖାଦ୍ୟ ଅଟକି ଗଲା |ସେ ଯୋରରେ କାଶି ଉଠିଲା |ବନହଂସୀ ତାକୁ ପାଣି ଦେଇ କହିଲା,ଭାବିକରି ରଖିଥା,ଖାଇ ସାରିଲା ପରେ କହିବୁ |ମୂଳି ଆଉ ନଖାଇ ଭୋ ଭୋ ହୋଇ କାନ୍ଦି ଉଠି କହିଲା,ମା' ମୁଁ ଆଉ ସେ ପର୍ଶୁ ଭାଇନା ପାଖରେ ଶୋଇବିନି |
             ବନହଂସୀ ପଚାରିଲା,ସେ କଣ ତତେ ମାରିଲେ ?ମୂଳି ମୁଣ୍ଡ ହଲାଇ ନାହିଁ କଲା |
              : ତେବେ  କଣ ଗାଳି ଦେଲେ ?ବନହଂସୀ ପୁଣି ପଚାରିଲା |
              ମୂଳି କହିଲା,ସେ ଗୋଟିଏ ତାରରେ କୋଲପ ଖୋଲି କେତେଥର ବାହାରକୁ ଗଲେ ଆଉ ଆସିଲେ |ତାପରେ ଜଣେ ଲୋକ ମଟର ସାଇକେଲରେ ଆସିଲେ |ତାଂକ ସାଂଗେ କଣ କଥାବାର୍ତ୍ତା କରି ମେନ ସୁଇଚ ମୋଡିଦେଲେ ,ଘର ଅନ୍ଧାର ହୋଇଗଲା |ତାପରେ ଦୁଇଜଣଯାକ ଯାଇ ତମ କବାଟରେ ହାତ ମାରିଲେ ,ମୁଁ ଏହାଦେଖି କାନ୍ଦିବାରୁ,ପର୍ଶୁ ଭାଇନା ମତେ ଗୋଟେ ଚାପୁଡା ମାରିଲେ |ମୁଁ ତଳେ ପଡିଗଲି |ମୋ ଗୋଡ଼  କାଚ ଗ୍ଲାସରେ ବାଜି ଭାଂଗିଗଲା |ବନହଂସୀ କିଛିସମୟ ଚିନ୍ତାକରି କହିଲା,କାଲି ରାତିରେ ଯେଉଁ ବାବୁ ଆସିଥିଲେ ତୁ ତାଂକୁ ଚିହ୍ନିଛୁ ?
         ମୂଳି କହିଲା,ଅନ୍ଧାରରେ ଭଲକରି ଦେଖିନି |ବନହଂସୀ ମୂଳିକୁ ସାନ୍ତ୍ବନା ଦେଇ କହିଲା,ଆଛା,ତାକୁ ମନା କରିଦେବା,ସେ ଏଇଠି ଶୋଇବା ଦରକାର ନାହିଁ |
           ସେଦିନ ଖୁବ୍ ଶୀଘ୍ର ରୋଷେଇ ସାରି ଉଭୟେ ଖାଇଲେ |ମୂଳିକୁ ଘର ଜଗାଇ ଦେଇ,ସେ ରୁବି ମାଡାମଂକ ବାରିପଟ ଦରଜାରେ କରାଘାତ କଲା |ନିଜେ ରୁବି ମାଡାମ୍ କବାଟ ଖୋଲିଲେ |ତାକୁ ଦେଖି ସ୍ମିତ ହସି କହିଲେ,ଭିତରକୁ ଆସ |ବନହଂସୀ ଭିତରେ ପ୍ରବେଶ କରି ଜଣେ ଭଦ୍ରବ୍ୟକ୍ତିଂକୁ ଦେଖି ସେଇଠି ଅଟକି ଗଲା |ରୁବି କହିଲେ,ସେ ମୋ ମିଷ୍ଟର |ବନହଂସୀ ହାତଯୋଡି ତାଂକୁ ନମସ୍କାର କଲା |ତାଂକୁ ଦେଖି ତାର ସମସ୍ତ ଉତ୍ସାହ ମଉଳି ଯାଇଥିଲା |ରୁବି କହିଲେ,ଛିଡା ହେଲ କଣ,ଆସ ବସ |ବନହଂସୀ କହିଲା,ଅପା ,ମୁଁ ଆଜି ଯାଉଛି,କାଲି ଆସିବି |ରୁବି କହିଲେ,ତତେ ମୁଁ ଆଜି ଛାଡି ଦେଇଥାନ୍ତି,କିନ୍ତୁ ଯେତେବେଳେ ଅପା ବୋଲି ଡାକିଲୁଣି,ତତେ ଛାଡିବାର ପ୍ରଶ୍ନ ଉଠୁନି |ତୁ ରହ,ଖାଇକରି ଯିବୁ |
             ବନହଂସୀ ପ୍ରତିବାଦ ଜଣାଇ କହିଲା,ନାଁ ଅପା ମୁଁ ଏଇ ସାଂଗେ ସାଂଗେ ଖାଇକରି ଆସିଛି ,ଆଉ ଖାଇବିନି |ତୁମର କାମ ସରିବାପରେ ମୁଁ ଆସିବି |
             ରୁବି କହିଲେ,ମୁଁ ଭଲକରି ଜାଣେ,ତୁ ଜମା ଆସିବୁନି |ବନହଂସୀ କହିଲା,ଏକୁଟିଆ ଖାଲିଟାରେ ବସିବାକୁ ଭଲ ଲାଗୁନି,ମତେ ଗୋଟେ ବହିଦିଅ |
            ରୁବି ପଚାରିଲେ,ଅନୁପମ ନାହାନ୍ତି କି ?
            ବନହଂସୀ ମୁଣ୍ଡ ହଲାଇ ନାହିଁ କଲା |
             :କୁଆଡେ ଯାଇଛନ୍ତି ?ରୁବି ପୁଣି ପ୍ରଶ୍ନ କଲେ |ବନହଂସୀ ଧୀର ସ୍ବରରେ କହିଲା,ଯାଇଛନ୍ତି ବାହାରକୁ,ଚାରି ପାଂଚଦିନ ପରେ ଫେରିବେ |ରୁବି କହିଲେ,ତା ମାନେ ତୁ ଏକୁଟିଆ ?ରାତିରେ ଡର ଲାଗୁନି ?ବନହଂସୀ କହିଲା,ଜଣେ ପିଲା ଅଛି,ରାତିରେ ଆଉଜଣେ ଲୋକ ଆସି ଶୋଉଛି,ଭୟ କଣ ?
              ରୁବି କହିଲେ,ମୁଁ ଥାଉ ଥାଉ ତତେ କଦାପି ଏକୁଟିଆ ରହିବାକୁ ଦେବିନି |ଏଥିପାଇଁ ମତେ ଅପା ବୋଲି ଡାକୁଛୁ ନାଁ ?ରୁବିଂକ ସ୍ବାମୀ ସେମାନଂକ ଆଲୋଚନାରେ ଭାଗ ନେଇ କହିଲେ,ତମେ ଜାଣିନ ରୁବି,ସେ ଏଇଠି ରହିଥାନ୍ତେ,କିନ୍ତୁ ମୁଁ ରହିବାରୁ ତାଂକୁ ଲାଜ ଲାଗୁଛି |ବନହଂସୀ କହିଲା,ନାଁ ନାଁ ତା ନୁହେଁ |
             ରୁବି କହିଲେ,ସେ ଆଜି ସଂଧ୍ୟାରେ ଚାଲିଯିବେ,ତେଣୁ ତୋର ଆଉ ରହିବାରେ କିଛି ଆପତ୍ତି ଅଛି ? ମୁଁ ଏତେ ବାଧ୍ୟ କରିବାର କାରଣ ହେଲା,ଏ ଅଂଚଳ ଭଲ ନୁହେଁ |ଆଦୌ ଭଲ ନୁହେଁ |ଟିକିଏ ରହି ରୁବି କହିଲେ,ଦୁଇବର୍ଷ ତଳେ ସେଇ ଘରେ ତୋ ପରି ଝିଅଟିକୁ ତା ସ୍ବାମୀ ଅନୁପସ୍ଥିତ ଥିବାର ସୁଯୋଗ ନେଇ,ମର୍ଡର କରାଯାଇଥିଲା |
          ରୁବିଂକ ଶେଷବାକ୍ୟ ଶୁଣି ବନହଂସୀ ଚମକି ପଡିଲା |ତା ମୁହଁ ରକ୍ତଶୂନ୍ୟ ହୋଇଗଲା |ରୁବି ପୁଣି କହିଲେ,ହଁ ବୁନୁ,ତା ପରଠାରୁ ସେ ଘରଟି ସେମିତି ଫାଂକା ପଡିଥିଲା |ବନହଂସୀର  ଗତ ରାତି କଥା ମନେପଡିଲା |ଅମାନିଆ ହୋଇ ତା ଆଖିରୁ କେତେ ଟୋପା ଲୁହ ଝରିପଡିଲା |ସେ କହିଲା,ମୁଁ ଆଜି ସନ୍ଧ୍ୟା ଦେଇସାରି ଚାଲିଆସିବି |ମୋ ସାଂଗରେ  ଚାକର ପିଲା ବି ଆସିପାରେ,ସେ ଭାରି ଡରୁଛି |
              ରୁବି ଟିକିଏ ଚିନ୍ତା କରି କହିଲେ,ହଉ ଠିକ ଅଛି |
      ବନହଂସୀ ସେଠାରୁ ଚାଲି ଆସିଲା |କିଛିସମୟ ପରେ କବାଟରେ କରାଘାତ ଶୁଣି ,କବାଟ ଖୋଲି ଦେଖିଲା,ସୁରେଶ ଛିଡା ହୋଇଛି |ତାକୁ ଦେଖି ସେ ମୁହଁରେ ଜବରଦସ୍ତି ହସ ଆଣି କହିଲା,ଏତେବେଳେ କୁଆଡେ ଚାଲି ଆସିଲେ ?ସୁରେଶ କୃତ୍ୟ କୃତ୍ୟ ହୋଇ କହିଲା,ଅନୁ ମତେ ଆପଣଙ୍କ ଖବର ବୁଝିବାକୁ କହିଥିଲା  ;କାଲି ପର୍ଶୁରାମ ଆସିଥିଲା,କିଛି ଅସୁବିଧା ହୋଇନି ତ ?
       ବନହଂସୀ କହିଲା,ପର୍ଶୁରାମ ଭଲ ପିଲାଟିଏ |ମୁଁ ରାତିସାରା ନିଶିନ୍ତରେ ଶୋଇଛି |ସକାଳେ ଉଠୁ ଉଠୁ ଛଅ |ତା ଉତ୍ତର  ଶୁଣି ସୁରେଶର ମୁଖମଣ୍ଡଳ ଫିକା ପଡିଗଲା,ଏହା ବନହଂସୀ ଚକ୍ଷୁରୁ ବାଦ ଗଲାନାହିଁ  |ବନହଂସୀ ପୁଣି କହିଲା,ଆଉ ପର୍ଶୁରାମ  ଆସିବା ଦରକାର ନାହିଁ ?ସୁରେଶ ଆଶ୍ଚର୍ଯ୍ୟ ହୋଇ କହିଲା,କାହିଁକି ?ବନହଂସୀ କହିଲା,ମୁଁ ଆଜିଠାରୁ ରୁବିଅପାଂକ ଘରେ ଶୋଇବି | ତା କଥା ଶୁଣି ସୁରେଶ ମୁହଁରେ ଏକ କୁଟିଳ ହସ ଫୁଟି ଉଠି ମିଳାଇ ଗଲା |ସେ ତର ତର ହୋଇ କହିଲା,ହଉ ତାହାଲେ ମୁଁ ଯାଉଛି ;ଅନୁ କହିଥିଲା ବୋଲି ଦେଖିବାକୁ ଚାଲି ଆସିଲି ,ନମସ୍କାର |କଥା ଶେଷକରି ସେ ସେଠାରୁ ଝଡ଼ ବେଗରେ ଚାଲିଗଲା |(କ୍ରମଶଃ)