Monday, December 30, 2019

ନିଶୀଥ ଜ୍ୟୋତ୍ସ୍ନା [୧୧]

                      ପରଦିନ ଭୋର ପାଂଚ ଟା ପୂର୍ବରୁ ବନହଂସୀର ନିଦ ଭାଂଗିଗଲା |ସେ ଆଖିଖୋଲି ଚାହିଁଲା |ତା ଉପରେ ଗୋଡ଼ ଲଦି ଅନୁପମ ନିଶ୍ଚିନ୍ତରେ ଶୋଇ ଯାଇଥିଲା |ସେ ଅତି ଧୀରେ ନିଜକୁ ମୁକୁଳାଇ ଈଶ୍ବରଂକ ଉଦ୍ଦେଶ୍ୟରେ ପ୍ରଣାମ କରି ଉଠିପଡିଲା |ବେଡରୁମର କବାଟ ଆଉଜାଇ ଦେଇ ସେ ମୂଳିକୁ ଉଠାଇ ନିଜେ ଗାଧୋଇବାକୁ ଚାଲିଗଲା ଓ କେଶ ମୁକୁଳାକରି ସାୱାର ତଳେ  ଆଖି ବନ୍ଦକରି ଛିଡା ହୋଇଗଲା |କେତେ ସମୟପରେ ଅନୁପମର କଣ୍ଠସ୍ବର ଶୁଣି ସେ ଚମକି ପଡି ଆଖି ଖୋଲିଲା |ଅନୁପମ କହୁଥିଲା,ବୁନୁ,କେତେ ଗାଧୋଉଛ ?ଜ୍ବର ହେଲେ ତମ କଥା ବୁଝିବ କିଏ ?ବନହଂସୀ ସଂଗେ ସଂଗେ ଘୁଂଚିଯାଇ,ସାୱାର ବନ୍ଦ କରିଦେଲା |
                ବାଥରୁମରୁ ଫେରିବାପରେ ଦେଖିଲା,ଅନୁପମ ଚିନ୍ତିତ ମୁଦ୍ରାରେ ଚେୟାରରେ ବସିଛି |ବୁନୁକୁ ଦେଖି କହିଲା,ବୁନୁ,ଚା' ଦେଲ |ମୋର ଡେରି ହେଲାଣି |ବନହଂସୀ ଅନୁପମକୁ ଚା' ଦେଇ ରୋଷେଇଘରକୁ ଗଲା ଓ ଅନୁପମ ପାଇଁ ଜଳଖିଆ ପ୍ରସ୍ତୁତ କଲା |ଅନୁପମ ଖୁବ ଶୀଘ୍ର ତାର ନିତ୍ୟକର୍ମ ଶେଷକରି ଆସି ଦେଖିଲା,ଡାଇନିଂ ଟେବଲରେ ପରଟା ଓ ଭଜା ରଖା ହୋଇଛି |ସେ ବିରକ୍ତ ହୋଇ କହିଲା,ୟେ କଣ ?ତମେ କଣ ଜାଣନା,ମୁଁ ଏତେ ଶୀଘ୍ର କିଛି ଖାଏନା ବୋଲି ?ନିଅ ୟାକୁ ନେଇଯା |ବନହଂସୀ କହିଲା,ଗାଧୋଇ ସାରି କିଛି ନଖାଇଲେ,ପେଟ ଗରମ ହୋଇଯିବ ,ଖଣ୍ଡେ ହେଲେ,ପରଟା ଖାଅ |ଅନୁପମ ବିରକ୍ତ ହୋଇ କହିଲା,ଶୀଘ୍ର ୟାକୁ ନେଇଯାଅ ,ନହେଲେ ଫୋପାଡି ଦେବି |ବନହଂସୀ ଦୁଇହାତରେ ଯଥାକ୍ରମେ ଜଳଖିଆ ପ୍ଲେଟ ଓ ପାଣି ଗ୍ଲାସ ଆଣୁଥିବାବେଳେ,ଅନୁପମ ତା ହାତରୁ ଗ୍ଲାସ ନେଇ ପାଣି ପିଇଦେଲା ଓ ଖାଲି ଗ୍ଲାସ ବନହଂସୀ ହାତକୁ ବଢାଇଦେଇ ସିଗାରେଟରେ ଅଗ୍ନି ସଂଯୋଗ କଲା |ବନହଂସୀ ରୋଷେଇଘରେ ଜଳଖିଆ ପ୍ଲେଟ ରଖିଦେଇ ଘୋଡାଇ ଦେଲା |ଦୁଃଖରେ ତାର କଣ୍ଠ ରୁଦ୍ଧ ହୋଇଯାଉଥିଲା |
              ଅନୁପମ ତା ପାଖକୁ ଆସି କହିଲା,କଣ କରୁଛ ?ଯିବା ଆସିବାବେଳେ ଏମିତି ଫଣ ଫଣ ହେଲେ ଭଲ ଲାଗେନା |ତମେ ଜାଣିଛ,ମୋ ଯିବାଟା କେତେ ଜରୁରୀ |ଏପର୍ଯ୍ୟନ୍ତ ମୋ ବ୍ରିଫକେଶ ସଜଡା ହେଲାନି |ବନହଂସୀ ନିଜ କୋହକୁ ଚାପି,ସଂଗେ ସଂଗେ ଯାଇ ତା ହିସାବରେ ଅନୁପମର ସମସ୍ତ ଦରକାରୀ ଜିନିଷ ସଜାଡି ରଖିଦେଲା |ଅନୁପମ ଆସି ସେଠାରେ ପହଂଚିଲା |କହିଲା,ମୁଁ ଜାଣେ ତମ ଦ୍ବାରା କିଛି ହୋଇପାରିବନି |ସେ ବ୍ରିଫକେଶ ଖାଲିକରି ସେଥିରେ ଦୁଇହଳ ପ୍ୟାଣ୍ଟସାର୍ଟ ,ଟ୍ରାଉଜର ,ପଂଜାବୀ,ଟାୱେଲ ,ବ୍ରଶ,ଟୁଥପେଷ୍ଟ ଓ ଶେଷରେ ଦୁଇ ପ୍ୟାକେଟ ସିଗାରେଟ ଅତି ସୁନ୍ଦର କରି ସଜାଡି ରଖିଲା |କହିଲା,ବୁନୁ ଯାଉଛି,ଚାରି ପାଂଚଦିନ ଭିତରେ ଫେରି ଆସିବି |ଟେକ୍ କେଆର |ପାଖରେ  ମୂଳି ଛିଡା ହୋଇଥିଲା |ତାକୁ ଦେଖି ଅନୁପମ ବିରକ୍ତ ହୋଇ କହିଲା,କଣ ଦେଖୁଛୁ ?କିଛି କାମ ନାହିଁ ??ମୂଳି ସେଠାରୁ ଚାଲିଗଲା |ସେ ଯିବାପରେ ଅନୁପମ ବନହଂସୀକୁ ନିଜ ନିବିଡ଼ ବାହୁବନ୍ଧନରେ ଆବଦ୍ଧ କରି ତା ଅଧରରେ ନିଜ ଉଷ୍ମ ଅଧର ମିଶାଇ ଦେଲା |କହିଲା,ଯାଉଛି,ବାଏ |
              ସେ ଯିବାପରେ କବାଟ ବନ୍ଦକଲା ବନହଂସୀ |ତାପରେ ବିଛଣାରେ ଶୋଇ ଆଖିରୁ ଅନର୍ଗଳ ଲୁହଧାର ଝରାଇ ଦେଲା |
              ସେଦିନ ରାତି ଆଠଟା ସୁଦ୍ଧା ପର୍ଶୁରାମ ଆସି ପହଂଚିଗଲା |ତାକୁ ଦେଖି ବନହଂସୀକୁ କେମିତି କେମିତି ଲାଗିଲା |ତାର ମୁଖମଣ୍ଡଳ ଆବଶ୍ୟକତାଠାରୁ ଅଧିକ ନିରୀହ ଥିଲା |ତାର ମନେପଡିଲା,ମା କହୁଥିଲେ,ଏମିତିକା ଲୋକଂକ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ବେଶୀ ଥାଏ |ସେ ଭାବିଲା,ଛାଡ଼,ଯାହା ହେବାର ଥିବ,ଦେଖାଯିବ |
                ସେ ଦୁଇଜଣଂକୁ ଖାଇବାକୁ ଦେଇ,ସବୁ ଘରର କବାଟ ଓ ଝରକା ଭଲରୂପେ ବନ୍ଦକଲା ଓ ଆବଶ୍ୟକ ସ୍ଥଳେ ତାଲା ପକାଇଲା |ସେମାନେ ଶୋଇବା ପୂର୍ବରୁ ହିଁ ସେ ନିଜ ରୁମକୁ ଯାଇ ଭିତରୁ ଲକ କରି ଶୋଇପଡିଲା |ଆଖି ବନ୍ଦ କରିବାମାତ୍ରକେ ଆଜେ ବାଜେ ଅନେକ ଭାବନା ତା ଚତୁଃପାର୍ଶ୍ବରେ ଘୁରି ବୁଲିଲେ |ରୁବି ମାଡାମଂକ କଥା ତାର ମନେପଡିଲା |ସେ ମନେ ମନେ ସ୍ଥିର କଲା,କାଲି ତାଂକଠାରୁ ବହି ଖଣ୍ଡିଏ ମାଗି ଆଣିବ |ଏଇପରି ଭାବୁ ଭାବୁ ଅନେକ ରାତିରେ ତା ଆଖିକୁ ନିଦ ଆସିଲା |
                 ଅର୍ଦ୍ଧରାତ୍ରିରେ ଝଣ କରି କଣ ଗୋଟିଏ ଭାଂଗିବା ଶବ୍ଦରେ ତା ନିଦ ଭାଂଗିଗଲା |ସେ ଆଖିଖୋଲି ଚାହିଁ ଦେଖିଲା,ଚତୁର୍ଦ୍ଦିଗ ଅନ୍ଧକାର |ପାୱାର କଟ ହୋଇଛି ଭାବି  କଡ଼ ଲେଉଟାଇ ଶୋଇବା ସମୟରେ ସେ କାହାର ଅସ୍ପଷ୍ଟ କଥାବାର୍ତ୍ତା ଶୁଣିପାରିଲା | ଧୀରେ ଉଠି କବାଟରେ କାନଦେଇ ସେମାନଂକ କଥା ଶୁଣିବାକୁ ଚେଷ୍ଟା କଲା |କିନ୍ତୁ ସ୍ପଷ୍ଟଭାବେ ସେ କିଛି ଶୁଣି ପାରିଲା ନାହିଁ |ତାର ହୃତସ୍ପନ୍ଦନ ବଢ଼ିଗଲା |ନୀରବରେ ସେ ଇଶ୍ବରଂକୁ ପ୍ରାର୍ଥନା କଲା |କିଛି ସମୟପରେ କବାଟ ଖୋଲା ହେବାର ଶବ୍ଦ ଶୁଭାଗଲା ,ତାପରେ ସବୁ ଯେମିତି ଚୁପଚାପ |ରାତି ପାହିବା ପର୍ଯ୍ୟନ୍ତ ତା ଆଖିରେ ନିଦ ନଥିଲା |(କ୍ରମଶଃ }

Saturday, December 28, 2019

ନିଶୀଥ ଜ୍ୟୋତ୍ସ୍ନା (୧୦)

                          ମୂଳି ଭଂଗା ପ୍ଲେଟ ଉଠାଇ ଘର ସଫା କରୁଥିଲା |ସେ ତା ସହିତ ମିଶି ଘର ସଫା କଲା |  ମୂଳି ଆଗରେ ସେ ନିଜକୁ ଅତି ଛୋଟ ମନେକରୁଥିଲା |
              ଢୋକେ ପାଣି ପିଇ କାନ୍ଦି କାନ୍ଦି ସେ ବିଛଣାରେ ନିଜ ଅବଶ ଶରୀରକୁ ଲୋଟାଇ ଦେଲା  | ତାକୁ ଛାଇନିଦ  ଘାରି ଆସୁଥିଲା  |ହଠାତ କାହାର କରସ୍ପର୍ଶରେ ତା ନିଦ ଭାଂଗିଗଲା |ସେ ଉଠି ଦେଖିଲା,ଅନୁପମ ପାଖରେ ଛିଡାହୋଇ ହସୁଛି |ତାକୁ ଦେଖି ବନହଂସୀ ଆଖିରୁ ଅନର୍ଗଳ ଲୁହଧାର ଝରିଗଲା |ଅନୁପମ ତା ଆଖିରୁ ଲୁହ ପୋଛି କହିଲା,ପ୍ଲିଜ୍ କାନ୍ଦନା |ପୁଣି ତା ମୁହଁକୁ ଦୁଇହାତରେ ଟେକି କହିଲା,ଆଉ ଜମା ଟୋପାଏ ବି ଲୁହ ଆଖିରୁ ଝରିବନି, ତାହେଲେ ମୁଁ ପୁଣି ଚାଲିଯିବି |ବନହଂସୀ ବହୁ କଷ୍ଟରେ ନିଜ ଲୁହକୁ ରୋକିନେଇ ସେଠାରୁ ଚାଲିଯାଉଥିଲା |ତାକୁ ଜୋର କରି ଆଣି ନିଜ ପାଖରେ ବସାଇ ଅନୁପମ କହିଲା,ଶୁଣ,ଶୀଘ୍ର ରେଡି ହୁଅ ,କାମ ଅଛି,ବାହାରକୁ ଯିବା |ମୁଁ କୋଡିଏ ମିନିଟ ସମୟ ଦେଲି,ଅରାଜିର ପ୍ରଶ୍ନ ନାହିଁ |ମୁଁ ସାଂଗେ ସାଂଗେ ଆସୁଛି,ଆସିଲା ବେଳକୁ ତମେ ରେଡି ହୋଇନଥିଲେ,ମୁଁ ପୁଣି ଅନର୍ଥ ସୃଷ୍ଟି କରିବି |
               ସଂଗେ ସଂଗେ ଅନୁପମ ଚାଲିଗଲା |ବନହଂସୀ ଆଖିରୁ ପୁଣି ଲୁହଧାର ଛୁଟିବାକୁ ଲାଗିଲା |ସେ ଆଉ ଅନୁପମକୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନଥିଲା |ଖୁବ୍ ଶୀଘ୍ର ଗୋଡ,ହାତ,ମୁହଁ ଧୋଇ ନେଇ ସେ ଠାକୁରଂକ ପାଖରେ ସନ୍ଧ୍ୟାବତୀ ଦେଲା |ପରେ ସାମାନ୍ୟ ମେକଅପ ନେଇ ଏକ ରକ୍ତବର୍ଣ୍ଣର ସିଫନ ଶାଢୀ ପିନ୍ଧିଲା ଓ ଶେଷରେ ଏକ ସିନ୍ଦୂର ଟୋପା ଲଗାଇବା ବେଳକୁ ଅନୁପମ ଆସି ତା ହାତକୁ ଟାଣିଦେଲା |ତା ହାତରୁ ସିନ୍ଦୂର ଫରୁଆ ଖସିପଡି ଘରସାରା ବିଛାଡି ହୋଇ ପଡିଲା |ସେ କିଛି କହିବା ପୂର୍ବରୁ ଅନୁପମ ଚଢା ଗଳାରେ କହିଲା,ଏସବୁ କଣ ଯାତ୍ରା ଆରମ୍ଭ କଲଣି ?ଶୀଘ୍ର ସେ ଶାଢୀ ଚେଂଜ କର |ସେ ସୁଟକେଶ ଖୋଲି,ନିଜେ ବନହଂସୀକୁ ଉପହାର ଦେଇଥିବା କଳାରଂଗର ସାଲୁଆର କମିଜ କାଢି ବନହଂସୀକୁ ଦେଇ କହିଲା,ୟାକୁ ପିନ୍ଧ |ଆଉ ସେ ସିନ୍ଦୂର ଲଗାଇବନି |ମତେ ସେସବୁ ଭଲ ଲାଗେନା |ବନହଂସୀ ନିଜର କୋହ ସମ୍ବରଣ କରି ଅନୁପମର ଆଦେଶ ପାଳନ କଲା |ରୁମ୍ ବାହାରକୁ ଆସିବାପରେ ତାକୁ ଲକ୍ଷ୍ୟକରି ଚାପା ହସିଲା ଅନୁପମ |ମୂଳିକୁ କହିଲା,ଆମେ ଆସୁଛୁ |ଘର ଛାଡି କୁଆଡେ ଯିବୁନି |ମୋ ପାଟି ନଶୁଣିଲେ,କବାଟ ଖୋଲିବୁନି |ବୁଝିଲୁ ?ମୁଣ୍ଡ ହଲାଇଲା ମୂଳି |
                 ଅନୁପମ ବାଇକ ଛୁଟାଇ ନୂଆକରି ଖୋଲିଥିବା ଏକ ଥ୍ରୀ ଷ୍ଟାର ହୋଟେଲ ସମ୍ମୁଖରେ ରହିଲା |ବନହଂସୀ ଅନୁପମକୁ ଲକ୍ଷ୍ୟ କରୁଥିଲା |ସେ ଅତି ସୁନ୍ଦର ପଦକ୍ଷେପ ପକାଇ ଅଗ୍ରସର ହେଉଥିଲା |ଏଇ ସମୟରେ ସେ ଅନେକ ନମସ୍କାର ଓ ଅଭିନନ୍ଦନର ପ୍ରତ୍ୟୁତ୍ତର ଦେଉଥାଏ |ସେ ବନହଂସୀକୁ ନେଇ ଏକ ଛୋଟ କ୍ୟାବିନରେ ପ୍ରବେଶ କଲା ଓ ମେନୁ ଦେଖି ନିଜ ପସନ୍ଦର ଖାଦ୍ୟ ବରାଦ କଲା |ସକାଳୁ ଭୋକିଲା ପେଟରେ ରହିଥିବା ବନହଂସୀର ଭୋକ ମରିଯାଇଥିଲା |କିନ୍ତୁ ଅନୁପମ ଭୟରେ ସେ ବିନା ପ୍ରତିବାଦରେ ସେସବୁ ଉଦରସ୍ଥ କଲା |ଅନୁପମ ପୁଣି ଖାଦ୍ୟ ପାଇଁ ଅର୍ଡର ଦେବା ବେଳକୁ ସେ ମିନତିଭରା କଣ୍ଠରେ କହିଲା,ମୁଁ ଆଉ ଖାଇ ପାରିବିନି |ଅନୁପମ ଦୁଷ୍ଟାମୀ  ହସ ଫିଂଗିଦେଇ କହିଲା,ଖାଇବା ଏଇମାତ୍ର ଆରମ୍ଭ ହୋଇଛି,ଆଉ ତମେ କହୁଛ,ଖାଇ ପାରିବିନି ?ତମକୁ ଖାଇବାକୁ ହିଁ ପଡିବ |
              ନିଶ୍ବାସ ବନ୍ଦକରି ସେ ଅନୁପମର ଆଦେଶ ପାଳନ କଲା |ତାପରେ ପାଣିଗ୍ଲାସେ ପିଇଦେଇ ଚେୟାରକୁ ଆଉଜି ବସିଲା |ଅନୁପମ ଅଳ୍ପହସି ଆଇସକ୍ରିମ ପାଇଁ ଅର୍ଡର ଦେଲା |ବନହଂସୀ ଅନୁପମକୁ ସ୍ଥିର ଦୃଷ୍ଟିରେ ଚାହିଁଲା;ପ୍ରତିବାଦର ସ୍ବର ତାଠାରେ ମିଳାଇ ଯାଇଥିଲା |
             ସେଠାରୁ ଫେରିବାପରେ ଅନୁପମ ବନହଂସୀକୁ ନିକଟସ୍ଥ ସିନେମା ହଲ କୁ ଆଣିଲା |ବନହଂସୀ କହିଲା,ନଅଟା ବାଜିଲାଣି,ମୂଳି ତେଣେ ବ୍ୟସ୍ତ ହେଉଥିବ |ଅନୁପମ ବେପରୁୱା କଣ୍ଠରେ କହିଲା,ଲେଟ ହିମ ୱେଟ୍ |କୋଉ ଆକାଶ ଛିଣ୍ଡି ପଡୁଛି !!
            ଘରକୁ ଫେରିବାବେଳକୁ ରାତି ବାରଟା |କଲିଂ ବେଲରେ ଚାପ ଦେଇ ମୂଳିକୁ ଜୋରରେ ଡାକିଲା ଅନୁପମ |କିଛି ସମୟପରେ ମୂଳି କବାଟ ଖୋଲିଦେଇ ଟିକିଏ ଦୂରରେ ଛିଡା ହୋଇ ଆଖିରୁ ଲୁହ ପୋଛିଲା |ଅନୁପମ ବିରକ୍ତ ହୋଇ କହିଲା,ଘରେ କବାଟ ଦେଇ ତତେ ଏମିତି ଡର ଲାଗୁଥିଲା ?ତାକୁ ଜଗିବାକୁ ତତେ ଆଣିଲି |ଏବେ ତତେ ଜଗିବାକୁ କଣ ଗାଁ ଲୋକଂକୁ ଡାକିବି ?ଆହୁରି ବିରକ୍ତ ହୋଇ ଅନୁପମ କେତେ କଣ ଗଡବଡ ହେଲା |ଭିତରକୁ ଆସି ଘରର ଘରର ଝରକା ସବୁ ଖୋଲିଦେଇ ନିଜ ଡ୍ରେସ ଚେଂଜ କଲା |ମୂଳିକୁ ଡାକି ପଚାରିଲା,ତୁ ଖାଇଛୁ ?ସେ ମୁଣ୍ଡ ହଲାଇବା ଦେଖି ରାଗିଯାଇ କହିଲା,ମୁଣ୍ଡ ହଲାଉଛୁ କଣ ?ପାଟିରେ ଚାବି ପଡିଛି ?ପରିଷ୍କାର କରି କହ,ହଁ କି ନାଁ |
            ମୂଳି କ୍ଷୀଣ ସ୍ବରରେ ଉତ୍ତର ଦେଲା,ନାଁ |
            ଅନୁପମ କହିଲା,କାହିଁକି ଖାଇଲୁନି ?ତତେ ତ ରୋଷେଇ ଆସେ ,ଘରେ ସବୁ ଜିନିଷ ଅଛି |ଆଛା,ଠିକ ଅଛି |ସେ ହୋଟେଲରୁ ମୂଳିପାଇଁ ଆଣିଥିବା ରୁଟି ତରକାରୀ ମୂଳିକୁ ଦେଇ କହିଲା,ୟାକୁ ଖାଇ ଶୋଇପଡିବୁ |ମୂଳି ସେଠାରୁ ଚାଲିଗଲା |
            ବନହଂସୀ ମନରୁ ସମସ୍ତ ବିଷାଦ ଦୂର ହୋଇଯାଇଥିଲା |ସେ ବାଥରୁମରୁ ଫେରି ନିଜ ପୋଷାକ ବଦଳାଇଲା |ସେ ସମୟରେ ଅନୁପମ ସିଗାରେଟ ଟାଣି ନିବିଷ୍ଟ ମନରେ କଣ ଚିନ୍ତା କରୁଥିଲା |ବନହଂସୀ ନିଜର ଦୁଇହାତ ଅନୁପମ ଗଳାରେ ଛନ୍ଦି କହିଲା,କଣ ଚିନ୍ତା କରୁଛ ?ଅନୁପମ ବନହଂସୀକୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲା,ବୁନୁ,ମୁଁ କାଲି ସକାଳେ କୋରାପୁଟ ଯିବି |ଫେରିବି ଚାରିଦିନ ପରେ |ବନହଂସୀର ହୃଦୟରେ ହଠାତ୍ ବଜ୍ରପାତ ହେଲା ଯେପରି |ତାର ବାହୁବନ୍ଧନ ଶିଥିଳ ହୋଇଗଲା |
               ଅନୁପମ କହିଲା,ପାର୍ଟିକାମ |ଚାରିଦିନ ଚାହୁଁ ଚାହୁଁ ବିତିଯିବ |ଟିକିଏ ଆଲର୍ଟ ହୋଇ ରହିବ |ଆମ ପାର୍ଟି ଅଫିସ ପିଅନ ପର୍ଶୁରାମକୁ କହିଛି,ସେ ଆସି ରାତିରେ ଶୋଇବ |ଶୋଇବା ପୂର୍ବରୁ ସବୁ ରୁମରେ ତାଲା ପକାଇବ |ବେଡରୁମ ଖୋଲା ରଖିବନି,ଭିତରୁ ଭଲ କରି ବନ୍ଦକରି ଶୋଇବ |ଯାହା କିଛି ଜିନିଷ ଦରକାର ହେବ,ପର୍ଶୁରାମ ହାତରେ ମଗାଇବ |କିନ୍ତୁ ସେ ରୁବି ମାଡାମଂକ ଘରକୁ ଆଦୌ ଯିବନି |ଆଇ ଡୋଣ୍ଟ ଲାଇକ ହର |ବନହଂସୀ ମୌନ ହୋଇ ସବୁ ଶୁଣି ଯାଉଥିଲା |ଅନୁପମ କହିଲା,ଚୁପ ହୋଇ ବସିଲ କଣ ?ଯାଇ ଦେଖ,ମୂଳି ଖାଇଲା କି ନାହିଁ |ନିଦ ଲାଗିଲାଣି,ସକାଳୁ ଶୀଘ୍ର ଉଠିବାକୁ ପଡିବ |
               ବନହଂସୀର ହୃଦୟ ପୁଣି ଏକ ରୁଦ୍ଧ ଶୋକରେ ପୂର୍ଣ୍ଣ ହୋଇଗଲା |ପ୍ରବଳ ଆବେଗ ନେଇ ଝରିଯାଉଥିବା ସଂଗୀତର ମୂର୍ଛନା ହଠାତ୍ ବନ୍ଦ ହୋଇଗଲା ଯେପରି |ସେ ଉଠି ଦେଖିଲା,ମୂଳି ଖାଇସାରି ପାଣି ପିଉଛି |ସେ ଶୋଇବାକୁ ଯିବାପରେ ବନହଂସୀ ଲାଇଟ ଅଫ କରି ଚାଲି ଆସିଲା |ରାତିରେ ଅନୁପମ ତାକୁ ଅନେକ ମିଠା କଥା କହି ଆଦର କଲା |ସେ ଶୋଇସାରିବା ପରେ ବନହଂସୀ ଉଠି ଅନୁପମର ନିଦ୍ରିତ ମୁହଁକୁ ଝୁଂକିପଡି ଦେଖିଲା,କେତେ ସୁନ୍ଦର ଏଇ ଅନୁପମ, ଅଥଚ ......|ଆଖିରୁ ତାର ଉଷ୍ମ ଲୁହଧାରା ଅବିରତ ଝରି ଆସିଲା |ସେ ମୁହଁ ବୁଲାଇ ଶୋଇବାକୁ ଚେଷ୍ଟା କଲା |(କ୍ରମଶଃ )

Friday, December 27, 2019

ନିଶୀଥ ଜ୍ୟୋତ୍ସ୍ନା (୯)

                         ଘଣ୍ଟା କଣ୍ଟା ଦୁଇ ଅତିକ୍ରମ କରିବା ପରେ ବନହଂସୀ ଜାଣିପାରିଲା,ଅନୁପମର ଫେରିବାରେ ଡେରି ହୋଇପାରେ |ମୂଳି ଅନେକବେଳୁ ଖାଇ ସାରିଥିଲା |ଏ ପ୍ରକାର ନିରୋଳା ଜୀବନ ତା ପାଇଁ ଏକାନ୍ତ ଦୁର୍ବିସହ |ତାର ମନେ ପଡିଲା,ସୁରେଶ ବାବୁ କହୁଥିଲେ,ପଛପଟେ ରୁବିଅପା ନାମ୍ନୀ ଜଣେ ସ୍ନେହୀ ଭଦ୍ରମହିଳା ରହୁଛନ୍ତି |ସେ ମୂଳିକୁ ଘର ଜଗାଇ,ବାରିପଟ କବାଟ ଖୋଲି ରୁବିଅପାଂକ କବାଟରେ କରାଘାତ କଲା |ଅଳ୍ପ ସମୟପରେ କବାଟ ଖୋଲିଗଲା |ବନହଂସୀ ଦେଖିଲା,ଚାରି ପାଂଚ ବର୍ଷର ଚୁଲୁବୁଲି ଝିଅଟିଏ ଓ ତା ପଛରେ ଜଣେ ଅତି ସୁନ୍ଦରୀ ଶୁଭ୍ରବର୍ଣ୍ଣା ତରୁଣୀ ଛିଡା ହୋଇଛନ୍ତି |ସେ ହସି ହସି କହିଲେ,ବାରିପଟେ କାହିଁକି ଆସିଲେ ?ସେପଟେ ବଡ଼ ଅସନା |ବନହଂସୀ କହିଲା,ଜାଣିଛି,ହେଲେ,ଏଇପଟେ ପାଖ ହେବବୋଲି ଚାଲିଆସିଲି |ମୁଁ ଆପଣଙ୍କ ବିଷୟରେ ଜାଣିନଥିଲି,କିଛିଦିନ ତଳେ ସୁରେଶ ବାବୁ ଆପଣଙ୍କ ବିଷୟରେ କହୁଥିଲେ,ଆଜି ସେଇକଥା ମନେପଡିଲା,ତେଣୁ ଚାଲିଆସିଲି |ସୁରେଶ ନାମ ଶୁଣିବା ମାତ୍ରେ ରୁବିଅପାଂକ ସତେଜ ମୁହଁଟି ହଠାତ୍ ମଉଳି ଗଲା |ତାଂକର ଏହି କ୍ଷଣିକ ଭାବାନ୍ତର ବନହଂସୀ ନଜରରୁ ବାଦ ଗଲାନାହିଁ |
                     କଥାବାର୍ତ୍ତା ଛଳରେ ସେ ଜାଣିଲା,ଭଦ୍ରମହିଳା ସ୍ଥାନୀୟ କନଭେଣ୍ଟ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି |ତାଂକର ଏକମାତ୍ର କନ୍ୟାସନ୍ତାନ,ଯାହାର ଡାକନାମ 'ଗୁଡି' |ସ୍ବାମୀ ଇଲେକ୍ଟ୍ରିକାଲ ଇଂଜିନିଅର |ସମ୍ପ୍ରତି ତାଂକର ପୋଷ୍ଟିଂ ସମ୍ବଲପୁରରେ |ବାହାର ପଟକୁ ଥିବା ଛୋଟିଆ କୋଠରୀରେ ସ୍କୁଲର ମାଳୀ ଦମ୍ପତ୍ତି ରହନ୍ତି |ସୁବିଧା ଅସୁବିଧା ସମୟରେ ସେ ସେମାନଂକ ଉପରେ ନିର୍ଭର କରିଥାନ୍ତି |
                ବନହଂସୀ ଲକ୍ଷ୍ୟ କଲା,କୋଠରୀଗୁଡିକ ବେଶ ପରିଷ୍କାର ପରିଛନ୍ନ |ଯେଉଁଠି ଯାହା ରହିବା କଥା,ସବୁ ଠିକ ସ୍ଥାନରେ ରହିଛି |ନିକଟସ୍ଥ ବୁକ ସେଲ୍ଫ ରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ବହି ସଜ୍ଜିତ ହୋଇ ରହିଛି |ରୁବି ତାକୁ ଗୋଟିଏ ଇଂଗ୍ଲିଶ ପୁସ୍ତକ ଦେଇ କହିଲେ,ୟାକୁ ପଢୁଥାଅ,ମୁଁ ଆସୁଛି |ବନହଂସୀ ବହି ଉପରେ ଆଖି ବୁଲାଇ ଆଣିଲା,'Men are from Mars,Women are from Venus' .ଲେଖକ ,John Gray .ସେ କୌତୁହଳ ବଶତଃ ବହିର ପୃଷ୍ଠା ଓଲଟାଇବାରେ ଲାଗିଲା  ଓ ଗୋଟିଏ ସ୍ଥାନରେ ତାର ଦୃଷ୍ଟି ଅଟକି ଗଲା |ସେ ପଢିଲା,'I imagine that men are from Mars and Women are from Venus ...both the Martians & Venusians forgot that they are from different planets and were supposed to be different.....without the awareness that we were supposed to be different,men & women are at odds with each other .,ଏକା ନିଶ୍ବାସରେ ପଢି ଯାଉଥିବାବେଳେ ପଛପଟରେ କାହାର ସ୍ପର୍ଶ ପାଇ ବୁଲିଚାହିଁଲା |ଗୁଡି ହସୁଥିଲା |କହିଲା,ଆଣ୍ଟି,ଆସ ଆମ ଗାର୍ଡେନ ଦେଖିବ |ସେ ବହି ଟେବଲ ଉପରେ ରଖିଦେଇ ଗୁଡି ସାଂଗରେ ଗଲା |ଫୁଲବଗିଚା ର ସୌନ୍ଦର୍ଯ୍ୟ ଓ ସାଜସଜ୍ଜା ଦେଖି ସେ ବିଭୋର ହୋଇଗଲା |ବଗିଚାର ଉଭୟ ପାର୍ଶ୍ବରେ ସୁଦୃଶ୍ୟ ଫୁଲକୁଣ୍ଡ ଗୁଡିକରେ ବିଭିନ୍ନ କିସମର ଗଛ ଲାଗିଥିଲା |ଟିକିଏ ଭିତରକୁ ମନିପ୍ଲାଣ୍ଟ ଲତା ଅତି ସୁନ୍ଦର ଭାବେ ମୋଡିହୋଇ ମାଡିଥିଲା |ଏହା ଛଡା ରଜନୀଗନ୍ଧା,ହେନା,ଯୁଇ,ମନ୍ଦାର ଇତ୍ୟାଦି ଅନେକ ଜଣା ଅଜଣା ଫୁଲଗଛ ର ଅପୂର୍ବ ସମାରୋହ ଅବର୍ଣନୀୟ ଥିଲା |ସେ କିଛିକ୍ଷଣ ଅନ୍ୟମନସ୍କ ହୋଇଗଲା |ସେ ଭାବିଲା,ଏହି ସୁନ୍ଦର ଫୁଲପରି ରୁବିଅପା ମଧ୍ୟ ବହୁତ ସୁନ୍ଦର |ତାଂକର କଥାବାର୍ତ୍ତା,ଚାଲିଚଳଣ,ସବୁକିଛି ମନୋମୁଗ୍ଧକର |ତାର ଧ୍ୟାନଭଂଗ ହେଲା,ମୂଳି ଆସି ଖବର ଦେଲା,ଅନୁପମ ଆସିଯାଇଛି ଓ ତାକୁ ଖୋଜୁଛନ୍ତି |ସେ ତର ତର ହୋଇ ରୁବିଅପାଂକୁ କହି ମୂଳି ପଛେ ପଛେ ଚାଲିଆସିଲା |
                   ଘରେ ପହଂଚିବାମାତ୍ରେ ସେ ଅନୁପମର ବିରକ୍ତିଭରା ମୁଖମଣ୍ଡଳ ଲକ୍ଷ୍ୟ କଲା | ତାକୁ ନଜରଅନ୍ଦାଜ କରି ,ଆସ୍ତେ କରି ବାରିପଟ କବାଟରେ କିଲିଣିଦେଇ ସେ ଚାଲିଆସିଲା |ଅନୁପମ କହିଲା,ଶୀଘ୍ର ଖାଇବାକୁ ବାଢିଲ,ମତେ ଭୀଷଣ ଭୋକ ଲାଗୁଛି |ବନହଂସୀ ସଂଗେ ସଂଗେ ଖାଇବା ଗରମ କରି,ଡାଇନିଂ ଟେବଲରେ ବାଢିଦେଲା |ଏକ ସାଂଗରେ ଦୁଇଟା ପ୍ଲେଟ ଦେଖି ଅନୁପମ ପଚାରିଲା,ଦୁଇଜଣଂକ ପାଇଁ ବାଢିଛ କଣ ?ତମେ ଏ ଯାଏଁ ଖାଇନ ?
                ବନହଂସୀ ମୃଦୁ ହସି କହିଲା,ଏକୁଟିଆ ଖାଇବାକୁ ଇଚ୍ଛା ହେଲାନି |ତାର ଉତ୍ତରରେ ଅନୁପମର ମୁଣ୍ଡ ଉପରକୁ ରାଗ ଚଢିଗଲା |ସେ ହାତ ଛିଂଚାଡି ଟେବଲ ଉପରୁ ଭାତ ପ୍ଲେଟ ଫୋପାଡି ଦେଲା |ପ୍ଲେଟ  ଖଣ୍ଡ ଖଣ୍ଡ ହୋଇ ଭାଂଗି,ଘର ସାରା ବିଛାଡି ହୋଇ ପଡିଲା |ସେ କ୍ରୋଧ ଜର୍ଜରିତ ସ୍ବରରେ କହିଲା,ତମେ ଭାବିଛ କଣ ?ମୁଁ ସବୁବେଳେ ତମକୁ ଚାହିଁ ବସିଥିବି ?ସେ ମାଇଚିଆ କାମ ମୋ ଦ୍ବାରା ହେବନି |ୟା ତା ଘରେ ଗପିବାକୁ ସମୟ ଅଛି,ଖାଇବାକୁ ସମୟ ନାହିଁ ?ସଂଗେ ସଂଗେ ଦେହରେ ସାର୍ଟ ଗଳାଇ ସେ ବାଇକ ଷ୍ଟାର୍ଟ କରି ଚାଲିଗଲା |
                ବନହଂସୀ ବିଛଣାରେ ମୁହଁ ମାଡି ଭୋ ଭୋ ହୋଇ କାନ୍ଦି ଉଠିଲା |ଏତେଦିନ ଧରି ଯେଉଁ ସ୍ବର୍ଗସୁଖରେ ବୁଡି ରହି ନିଜକୁ ସୌଭାଗ୍ୟବତୀ ବୋଲି ମନେ କରୁଥିଲା,ତାହା ନିମିଷକରେ ଦୁଃଖନଈର ଅତଳ ଗର୍ଭରେ  ଯେମିତି ବୁଡିଗଲା !!!(କ୍ରମଶଃ )

Wednesday, December 25, 2019

ନିଶୀଥ ଜ୍ୟୋତ୍ସ୍ନା (୮)

                              ସେ ଯିବାପରେ ଅନୁପମ କିଛିକ୍ଷଣ ବନହଂସୀକୁ ଚାହିଁଲା,ତାପରେ ଆସି ବିଛଣାରେ ମୁହଁମାଡି ଶୋଇପଡିଲା |ବନହଂସୀ ଠାକୁରପୂଜା ଶେଷକରି ଆସି ଅନୁପମ ପାଖରେ ବସିଲା ଓ ତା ପିଠିରେ ହାତ ରଖି ଆଉଁସି ଦେଲା |ଅନୁପମ ବନହଂସୀକୁ କଣେଇ ଚାହିଁଲା |ତାପରେ ଚିତ୍ ହୋଇ ଶୋଇ କହିଲା,ମୋ ଉପରେ ରାଗିଛ ? ପୁଣି କହିଲା,ସୁରେଶ ଯାହା କହିଗଲା,ସେଥିପାଇଁ ମତେ ଘୃଣା କରୁଛ ??
             ବନହଂସୀ କହିଲା,ଅତୀତର ଘଟଣା ଏବେ ମୋ ପାଇଁ ମୃତ ,ଯାହାକୁ ମୁଁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଛି |ମୁଁ ଯେଉଁ ପଥକୁ ଆପଣାର କରି ନେଇଛି,ତାର ସୌନ୍ଦର୍ଯ୍ୟ ମତେ ଆତ୍ମହରା କରିଛି |ଭାବୁଛି,ମୋ ଜୀବନର ଏଇ ଦ୍ବିତୀୟ ପର୍ଯ୍ୟାୟରେ ମୁଁ ଅଧିକ ସୁଖୀ ହୋଇଛି |ତମେ ସୁରେଶ ବାବୁଂକୁ କହିଦେବ,ତୁମ ବିରୁଦ୍ଧରେ କିଛି କହି ସେ ମତେ ତୁମଠାରୁ କେବେବି ଅଲଗା  କରିପାରିବେ ନାହିଁ |
                ଅନୁପମର ଚକ୍ଷୁ ଦ୍ବୟ ଉଜ୍ଜଳ ହୋଇ ଉଠିଲା |ସେ ବନହଂସୀର ମୁହଁକୁ ନିଜ ମୁହଁରେ ଚାପି ଧରି କହିଲା,ବୁନୁ,ତମେ କେତେ ଭଲ...,ହେଲେ ମୁଁ ଜମା ଭଲ ନୁହେଁ... |ବହୁତ ଖରାପ |
                 ଦଶଟା ବେଳକୁ ଜଳଖିଆ ଖାଇ ସେ ପାର୍ଟି ଅଫିସ ଉଦ୍ଦେଶ୍ୟରେ ବାହାରିଲା |ସେ ଭାବିଥିଲା,ଏ ବିଷୟ ଆନନ୍ଦ ବାବୁଂକ କାନକୁ ନେବ |କିନ୍ତୁ ଠିକ ଗେଟ ପାଖରେ ହିଁ ପୂର୍ବରୁ ଅପେକ୍ଷା କରି ରହିଥିବା ସୁରେଶ ତାକୁ କୁଣ୍ଢେଇ ପକାଇ କହିଲା,ଆଇ ଆମ ଭେରି ସରି ଅନୁ,ରିଅଲି ଭେରି ସରି |ଆଇ ବେଗ୍ ୟୋର ପାର୍ଡନ |ଆସି ସକାଳେ ଯାହା କଲି,ସେଥିପାଇଁ ମୁଁ ଖୁବ୍ ଅନୁତପ୍ତ |ଆଉଦିନେ ଏମିତି ଭୁଲ ହେବନି |ଆଇ ପ୍ରମିଜ |ମତେ କ୍ଷମା କରିବୁନି ଅନୁ ?ଦୁଃଖପୂର୍ଣ୍ଣ ନୟନ ଓ କାତର କଣ୍ଠରେ ସୁରେଶ ପଚାରୁଥିଲା |
              ତା କଥା ଶୁଣି, ଅନୁପମର କ୍ରୋଧ ଖଣ୍ଡ ଖଣ୍ଡ ବରଫ ପରି ତରଳିବାକୁ ଲାଗିଲା |ସେ ଜାଣି ପାରିଲାନି,ସୁରେଶର  ଅନ୍ତର ଭିତରେ କିପରି ପ୍ରତିଶୋଧର ନିଆଁ ଜଳୁଛି  |ସେ କହିଲା,ମଣିଷ ରାଗ ମୁଡରେ ଥିବାବେଳେ ସେମିତି ବହୁତ କିଛି ହୋଇଯାଏ |ଛାଡ,ପଛକଥା ଭୁଲି ଆମେ ପୁଣି ଦୋସ୍ତ ହୋଇଯିବା |ଏହା କହି ସେ  ନିଜର ଡାହାଣହାତ ସୁରେଶ କାନ୍ଧରେ ପକାଇ ତାକୁ ନିଜ ଆଡକୁ ଆଉଜାଇ ଆଣିବା ବେଳକୁ,ଛୁଂଚି ପରି କଣ ଗୋଟାଏ ତା ହାତରେ ଫୁଟିଗଲା |ସେ ହାତ କାଢି ଆଣିବାବେଳେ ସୁରେଶ ପଚାରିଲା,କଣ ହେଲା ?ଅନୁପମ କହିଲା,କଣ ଗୋଟେ ଫୋଡି ହୋଇଗଲା ପରି ଲାଗିଲା |ସୁରେଶର ମୁହଁ ଶୁଖିଗଲା |ସେ ଗୋଟାଏ ପିନ କଣ୍ଟା କାଢି ଅନୁପମକୁ ଦେଖାଇଲା |କହିଲା,ଆସିଲାବେଳେ ସାର୍ଟରେ ଖେଣ୍ଟା ଲାଗିଗଲା,ଏଇ ପିନ ଟା ଲଗାଇ ଦେଇଥିଲି |ଅନୁପମ ସ୍ବାଭାବିକ କଣ୍ଠରେ କହିଲା,ଠିକ ଅଛି,ଚାଲ୍ ଯିବା |
                ସେଦିନ,କର୍ମୀ ମାନଂକ ଗସ୍ତ କର୍ମ ବିଷୟରେ ଆଲୋଚନା ହେଲା |ସୁରେଶ ଅନୁପମକୁ ଅନୁରୋଧ କରି କହିଲା,ମୋର ମାଆଂକ ଦେହ ଭଲ ରହୁନି;ତୁ ଟିକିଏ ସାରଂକୁ କହି ପାଖାପାଖି ଏରିଆ ଦେବୁ, ତାହେଲେ ମୁଁ ମାଆଂକ ଖବର ଅନ୍ତତଃ ବୁଝି ପାରିବି |
             ଅନୁପମ ବିରକ୍ତ ହୋଇ କହିଲା,ତୁ କହୁନୁ ?ମାଆଂକର ଦେହ ଯଦି ଏତେ ଖରାପ,ତାହେଲେ ପାର୍ଟି ଛାଡିଦେ |ମୁଁ ତ ପୁଣି ନୂଆ ବାହା ହୋଇଛି |ସ୍ତ୍ରୀ କୁ ଏକୁଟିଆ ଚାକର ପିଲା ପାଖରେ ଛାଡି ଦୂରକୁ ଯିବାକୁ ମୋର କଣ ଇଛା ହେଉଛି ?ବର୍ତ୍ତମାନ ଚରମ ପରୀକ୍ଷାର ସମୟ,ଏ ସମୟର ସଦୁପଯୋଗ ନକଲେ,ଆଉ ଦ୍ବିତୀୟ ଥର ପାଇଁ ଏ ସୁଯୋଗ ଆସିବନି |ଆମ ସମସ୍ତଂକ ମିଳିତ ପ୍ରଚେଷ୍ଟା ହିଁ ବିଜୟର ଦ୍ବାର ଉନ୍ମୁକ୍ତ କରିବ |
               ଅନୁପମର ଏକ ଏକ ବାକ୍ୟ ସୁରେଶର ହୃଦୟରେ ତୀର ପରି ଭେଦକରି ଯାଉଥିଲା  ଓ କ୍ରୋଧାଗ୍ନିରେ ଶରୀର ତାର ଜଳି ଉଠୁଥିଲା |ତାର କହିବାକୁ ଇଛା ହେଉଥିଲା,ସ୍ତ୍ରୀ ନାଁ ଆଉ କଣ !କୋଉଠୁ ଗୋଟାଏ ଝିଅଟାକୁ ଉଠେଇ ଆଣି କହୁଛି ମୋ ସ୍ତ୍ରୀ ,ପୁଣି ନୂଆ ବାହା ହୋଇଛି,ନିର୍ଲଜ କେଉଁଠିକାର !!!କିନ୍ତୁ ସେ ସେମିତି କିଛି ବି କହି ପାରିଲା ନାହିଁ,ଓଠ ଚିପି କ୍ରୋଧ ସମ୍ବରଣ କଲା |(କ୍ରମଶଃ)

ନିଶୀଥ ଜ୍ୟୋତ୍ସ୍ନା (୭)

                         ଆନନ୍ଦ ଦାସ ଅନୁପମ ପିଠିରେ ହାତ ଥାପୁଡେଇ କହିଲେ,ଅନୁ,ଶାନ୍ତ ହୁଅ |ଏ ବୟସରେ ଏମିତି କିଛି ଆଡଭେଂଚର କରିବାକୁ ମନହୁଏ |ଛାଡ଼, ଯାହା ହୋଇଗଲା ତାକୁ ଭୁଲି ଆମେ ଆଗକୁ ଆଗେଇବା |କିନ୍ତୁ ଏଥରକ ଆମକୁ ଜଗି ରଖି ଚାଲିବାକୁ ପଡିବ ,କାରଣ , ଆମର ଗୋଟିଏ ଭୁଲ ଆମପାଇଁ ଆତ୍ମଘାତୀ ହୋଇଯିବ |ସେତେବେଳେ ଶତଚେଷ୍ଟା କଲେ ବି ଜନମତକୁ ଆମ ସପକ୍ଷରେ ଆଣିବା ପାଇଁ ଆମେ ସମର୍ଥ ହୋଇପାରିବା ନାହିଁ |
                   ସେ ଟିକିଏ ରହି କହିଲେ,ମୁଁ ଖବର ପାଇଛି,ପ୍ରଜାମଣ୍ଡଳ ପାର୍ଟିର କିଛି ସଦସ୍ୟ ଦଳ ବିରୁଦ୍ଧରେ ଲାଗିଛନ୍ତି |ତୁମେ ଜାଣ,ସମାଜର ସବୁ ସ୍ତରରେ କେତେଜଣ ଲୋକ ବା ଗୋଟିଏ କ୍ଷୁଦ୍ର ସୁବିଧାବାଦୀ ଗୋଷ୍ଠୀ ବରାବର ମୁଣ୍ଡ ଟେକନ୍ତି ଆଉ ଅଧିକାଂଶ ସମୟରେ ସେଇମାନଂକ ହାତରେ ହିଁ କ୍ଷମତା ରହେ |ସେହି ସୁଯୋଗର ସଦବ୍ୟବହାର କରି ସେମାନେ ନିଜେ କିଭଳି ସମସ୍ତଂକ ଠାରୁ ଭଲରେ ରହିବେ,ଏହି ଚେଷ୍ଟାରେ ଥାଆନ୍ତି ଓ ଏଥିପାଇଁ ସେମାନେ ଅତି କୃତଘ୍ନ ହୋଇ ବେଳେବେଳେ ଅତି ଉପକାର କରିଥିବା ବନ୍ଧୁ ପ୍ରତି ବିଶ୍ବାସଘାତକତା କରିବାକୁ ପଛାନ୍ତି ନାହିଁ |
            ଅନୁପମ କହିଲା,ସାର୍ ସେମାନେ  ଠିକ ଏଇ ସୁରେଶ ପରି ;ବଡ଼ କୃତଘ୍ନ ସେ |ସୁରେଶ ଚିତ୍କାର କରି କହିଲା,ବି କେଆରଫୁଲ ଅନୁ,କଥା କହିବା ପୂର୍ବରୁ ଭାବିଚିନ୍ତି କହ |କୃତଘ୍ନ ମୁଁ ନାଁ ତୁ ?ତୋର ପେଡି ଖୋଲିଦେଲେ ତୋ ଅବସ୍ଥା କଣ ହେବ,ଜାଣିଛୁ ?ତୁ ଗୋଟାଏ ବନ୍ଧୁହନ୍ତା,ନିମକହାରାମ୍ ସୈତାନ |ଅନୁପମ ଆହୁରି  ଜୋରରେ ଚିତ୍କାର କରି କହିଲା,ସଟ୍ ଅପ |
               ଆନନ୍ଦ ଦାସ ହାତଯୋଡି କହିଲେ,ଏସବୁ କଣ ହେଉଛି ?ମୋର ଏତେ ଦିନର ଶ୍ରମ,ସାଧନା କଣ ବ୍ୟର୍ଥ ହୋଇଯିବ?ତୁମେମାନେ ଶେଷ ସମୟରେ ଏମିତି କାମ କଲେ,ଆମ ବିରୋଧୀ ଗୋଷ୍ଠୀ ନାକରେ ଲୁଗା ଦେଇ ହସିବେ |ପାର୍ଟି ବିଷୟରେ ଆଲୋଚନା ହେବାବେଳେ ବ୍ୟକ୍ତିଗତ ବିଷୟରେ କିଛି ବି ଆଲୋଚନା ହେବ ନାହିଁ |ମୁଁ ଆଗାମୀ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରି ରଖିଛି ,ଆଜି ସେ ବିଷୟରେ ଆଲୋଚନା କରିବା |ଡିନର ପୂର୍ବରୁ କେହି  ଘରକୁ ଯିବ ନାହିଁ  |
                ଆଲୋଚନା ଶେଷ ହେଉ ହେଉ ରାତି ବାର |ଅନୁପମର ବନହଂସୀ କଥା ବହୁତ ମନେ ପଡିଲା |ସେ ନଖାଇ ଦ୍ରୁତଗତିରେ ବାଇକ ଛୁଟାଇ ଘରେ ପହଂଚିଗଲା |କଲିଂବେଲରେ ହାତଦେବା ପୂର୍ବରୁ ବାଇକ ଶବ୍ଦ ଶୁଣି ବନହଂସୀ ଦରଜା ଖୋଲି ଦେଇଥିଲା |ଅନୁପମ  ତାକୁ ଲକ୍ଷ୍ୟ କଲା |ତାର ସୁନ୍ଦର ମୁହଁ ଟି ଝାଉଁଳି ପଡିଥିଲା |ସେ ପଚାରିଲା,ତମେ ଖାଇ ସାରିଛ ?ବନହଂସୀ ମୁଣ୍ଡ ହଲାଇ ନାହିଁ କଲା |ଅନୁପମ ଉଚ୍ଚ ଗଳାରେ କହିଲା,ରାତି ସାଢ଼େବାର ହେଲାଣି,ତମେ ଏପର୍ଯ୍ୟନ୍ତ ଖାଇନ ?ଦେଖ ବୁନୁ,ମୁଁ ତମକୁ ବାରମ୍ବାର କହି ଆସିଛି ଓ ଏବେ ମଧ୍ୟ କହୁଛି,ମୋ ପାଇଁ ଅପେକ୍ଷା କରିବନି |ବି ପ୍ରାକ୍ଟିକାଲ |ପୁଣି ବନହଂସୀର ଉଦାସ ମୁହଁକୁ ଚାହିଁ ନରମ ଗଳାରେ କହିଲା,ତମର ଦେହ ଖରାପ ହେଲେ,ମତେ ପ୍ରେରଣା ଦବ କିଏ ?ମୁଁ କାହା ଭରସାରେ ବାଟ ଚାଲିବି ??ମୂଳି ଖାଇଛି ?ବନହଂସୀ ହଁ କହିବାରୁ ସେ କହିଲା,ହଉ ତମେ ଖାଇବା ବାଢ଼,ମୁଁ ସାଂଗେ ସାଂଗେ ଆସୁଛି |ସେ ଗାଧୋଇ ଫ୍ରେଶ ହୋଇ ଆସିବା ବେଳକୁ,ବନହଂସୀ ଖାଇବା ବାଢି ଦେଇଥିଲା |ପ୍ଲେଟରେ ଚକୁଳି ପିଠା ସହିତ ମଟନ କଷା ଦେଖି ସେ ଖୁସି ହୋଇ କହିଲା,ଆରେ ବାବା,ଇଏତ ବିରାଟ ଆୟୋଜନ |ଦୁହେଁ ଏକାଠି ଖାଇ ବସିଲେ |
              ଖାଇବାବେଳେ ସେ ତାର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଅନେକ ଗପିଲା |ପରବର୍ତ୍ତୀ ନିର୍ବାଚନ ପାଇଁ ମଝିରେ ଖୁବ କମ ସମୟ ରହିଲା |ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିବ,ନହେଲେ ଦୀର୍ଘଦିନର ଯୋଜନା ଫସର ଫାଟିଯିବ |କହିବାକୁ ଗଲେ,ପାର୍ଟିର ରାଜନୈତିକ ମୃତ୍ୟୁ ଘଟିବ |ବନହଂସୀ କହିଲା,ମତେ କଣ କରିବାକୁ ପଡିବ ?ଅନୁପମ ସ୍ମିତ ହସି କହିଲା,ତମେ ଯେ ମୋର ସବୁ ଉତ୍ସାହ ଉଦ୍ଦୀପନାର ପ୍ରାଣକେନ୍ଦ୍ର ହେବ |ମୋର ଘରକୁ ଫେରିବାରେ ଡେରି ହୋଇଯାଇପାରେ,ତମକୁ ନକହି ଦୀର୍ଘଦିନ ଆବସେଣ୍ଟ ରହିପାରେ କିମ୍ବା କେତେବେଳେ ଅକସ୍ମାତ ରାତିଅଧରେ ଆସି କବାଟ ଠକ ଠକ କରି ତମକୁ ବିରକ୍ତ କରିପାରେ |କଥା ବନ୍ଦ କରି ବନହଂସୀକୁ ଚାହିଁ କହିଲା,କଣ ଡର ଲାଗୁଛି ?ସେଇଥିପାଇଁ ତ ତମ ବାପା ମୋ ସହିତ ବାହାଘରକୁ ନାପସନ୍ଦ କରୁଥିଲେ |ଏ ଲାଇଫ ବଡ଼ ରିସ୍କି,ବଡ଼ କଷ୍ଟ |କିନ୍ତୁ ଏ ନିଶାକୁ ସହଜରେ ଛାଡି ହୁଏନା |ମଣିଷ ତା ଜୀବନରେ ପରର ଉପକାର ଓ ଦେଶସେବା କରି ଯେତେ ସୁଖ ପାଏ,ସେତେ ସୁଖ ଅନ୍ୟ କୌଣସିଥିରୁ ପାଏନା |ସେଥିପାଇଁ ସେ ବେଳେବେଳେ ସାଂସାରିକ ସୁଖକୁ ମଧ୍ୟ ତୁଚ୍ଛ କରିଦିଏ |ବନହଂସୀ କହିଲା,ତା ମାନେ ଦରକାର ପଡିଲେ,ତମେ ମତେ ବି ତୁଚ୍ଛ କରିଦେବ ?
          ଅନୁପମ କହିଲା,ମୁଁ ସେକଥା କେତେବେଳେ କହିଲି ?ବଡ଼ ଲୋକ କହିଛନ୍ତି,'A man has no character,no soul,no life,apart from his thoughts and deeds".ବନହଂସୀ ମୃଦୁ ହସି କହିଲା,ଆଉ ଗୋଟେ କଥା ବି ବଡଲୋକ କହିଛନ୍ତି,'Hasty climbers have sudden falls'.ଅନୁପମ ହସିଦେଇ କହିଲା,ଆରେ ବାଃ !ଯାହା ଭାବିଥିଲି,ତମେ ଏତେ ବୋକୀ ନୁହଁ |ମୁଁ କିନ୍ତୁ ମୋ ସବୁକାମ ଶୀଘ୍ର କରିବାକୁ ଭଲପାଏ |ମୋ ପାଇଁ ବିଳମ୍ବ ଅସହ୍ୟ |
               ଦୁଇଜଣ ଏମିତି ଗପୁ ଗପୁ ରାତି ତିନି ଟା ବାଜିଗଲା |ବନହଂସୀ କହିଲା,ଆଉ ଟିକେ ପରେ ସକାଳ ହୋଇଯିବ,ତମେ ଏବେ ଶୋଇପଡ଼ |ଅନୁପମ କହିଲା,ମତେ ଦଶଟା ପୂର୍ବରୁ ଉଠାଇବନି,କିନ୍ତୁ ଆମ ପାର୍ଟିର କେହି ଆସିଲେ,ସାଂଗେ ସାଂଗେ ଉଠାଇ ଦେବ |
                 ଡେରିରେ ଶୋଇଥିଲେ ବି ସକାଳ ପାଂଚଟା ରେ ବନହଂସୀର ନିଦ ଭାଂଗିଗଲା |ସେ ଉଠି ନିଜର ନିତ୍ୟକର୍ମ ଶେଷକରି ଠାକୁର ପୂଜା କରିବାବେଳକୁ,କଲିଂବେଲ ବାଜି ଉଠିଲା  |ସେ କବାଟ ଖୋଲି ଦେଖିଲା,ବାହାରେ ସୁରେଶ ଛିଡା ହୋଇଛି |ତାକୁ ଦେଖି ସୁରେଶ କହିଲା,ଭାଉଜ ନମସ୍କାର |ଅନୁକୁ ଟିକିଏ ଡାକି ଦିଅନ୍ତୁ,କାମ ଅଛି |ବନହଂସୀ କହିଲା,ଆପଣ ପରେ ଆସନ୍ତୁ,ସେ ଶୋଇଛନ୍ତି |
              ସୁରେଶ କହିଲା,ଭାଉଜ,ଆପଣ ରୁବି ଅପାଂକ ଘରକୁ ଗଲେଣି ?ବନହଂସୀ ମୁଣ୍ଡ ହଲାଇ ନାହିଁ କଲା |କହିଲା,ଏକୁଟିଆ କୁଆଡେ ଯିବାକୁ ମତେ ଭଲ ଲାଗେନା |ସୁରେଶ ସ୍ନେହଭରା କଣ୍ଠରେ କହିଲା,ସେ ଜଣେ ଟିଚର |ମଣିଷ ଗଢିବା ହେଲା,ତାଂକର ପେଷା |ଏମିତି ବି ସେ ଓ ତାଂକର ଝିଅ ସେଠାରେ ରହନ୍ତି |ସମ୍ବଲପୁରରେ ତାଂକ ସ୍ବାମୀଂକ ଚାକିରୀ,ମାସେ କି ଦୁଇମାସରେ ଥରେ ଆସନ୍ତି |ତାଂକ ସାଂଗେ ପରିଚୟ ହେଲେ ତମେ ଆଉ ଏକୁଟିଆ ବସି ବସି  ବୋର୍ ହେବନି,ସେ ମଧ୍ୟ ଖୁସି ହେବେ |ଆଛା ମୁଁ ଯାଉଛି,ମୁଁ ଆସିଥିଲି ବୋଲି ଅନୁକୁ କହିଦେବେ |
               ଦ୍ରୁତ ପଦକ୍ଷେପରେ କିଛିବାଟ ଯାଇ ସେ ପୁଣି ଫେରିଆସି କହିଲା,ଭାଉଜ,କ୍ଷମା କରିବେ |ମତେ ଏକଥା କହିବାକୁ ଭୀଷଣ ଲାଜ ଲାଗୁଛି ଯେ,ଆପଣଂକୁ ଅପହରଣ କରିବାପାଇଁ,ଅନୁ ମତେ ପଚାଶ ହଜାର ଟଂକା ଦେଇଥିଲା |ସେତେବେଳେ ଯେଉଁ ପ୍ରକାର ପରିସ୍ଥିତି ଥିଲା,ମୁଁ ରାଜିହୋଇ ଯାଇଥିଲି |ଏବେ ମୁଁ ମୋ ବିବେକ ଦଂଶନରେ ମର୍ମାହତ ହୋଇ ସେ ଟଂକା ଫେରାଇଦେବା ପାଇଁ ଆସିଥିଲି |ପକେଟରୁ ନୋଟ ବିଡା ବାହାର କରି ବନହଂସୀ ଆଡକୁ ସୁରେଶ ବଢାଇ କହିଲା,ଦୟାକରି ଏହାକୁ ରଖନ୍ତୁ  |ସୁରେଶର ବାକ୍ୟ ଗୁଡିକ ବନହଂସୀ ହୃଦୟରେ ତୀର ପରି ଭେଦ କରିଯାଉଥିଲା |ସେ କହିଲା,ଆପଣ ଯାହାଠାରୁ ସୁପାରୀ ନେଇଥିଲେ,ଦୟାକରି ତାଂକ ସାଂଗରେ ଏ ବିଷୟରେ ଆଲୋଚନା କରନ୍ତୁ ଓ ଏଇ ମୂହୁର୍ତ୍ତରେ ଏଠାରୁ ଚାଲିଯାଆନ୍ତୁ |ଏକଥା କହି  ବୁଲିଯିବାବେଳକୁ ସେ ଦେଖିଲା,ସେଠାରେ ଅନୁପମ ଛିଡା ହୋଇଛି |ସେ ଆଗେଇ ଆସି ସୁରେଶକୁ ଜୋରରେ ଏକ ଚଟକଣା ମାରି କହିଲା,ସ୍କାଉଣ୍ଡ୍ରେଲ !ହିଂସାରେ ଜଳିଯାଉଛି |ସବୁପ୍ରକାର ଟ୍ରିକ୍ସ ମୋଠାରେ ଆପ୍ଲାଏ କରି ଫେଲ ମାରି,ଏଥରକ ବୁନୁ ପାଖରେ ପୌରୁଷ ଦେଖାଇବାକୁ ଚାଲି ଆସିଲୁ .,ନୁହେଁ ?ଗେଟ୍ ଆଉଟ୍ | ଆଉଦିନେ ଏଠାକୁ ଆସିଲେ,ତୋ ଗୋଡ଼ ହାତ କାଟି ଫୋପାଡି ଦେବି |
               ସୁରେଶ ନୋଟବିଡା ପକେଟରେ ଭର୍ତ୍ତି କରି କହିଲା,ହଉ କଥା ରହିଲା ,କେତେଦିନ ଏ ସୁଖ ରହିଵ,ମୁଁ ଦେଖିବି |ଆଜିର ବ୍ୟବହାର ପାଇଁ,ତତେ ସାରାଜୀବନ ପସ୍ତେଇବାକୁ ପଡିବ |(କ୍ରମଶଃ )

Monday, December 23, 2019

ନିଶୀଥ ଜ୍ୟୋତ୍ସ୍ନା (୬)

                    କିଛିଦିନ ବିଭିନ୍ନ ସ୍ଥାନ ବୁଲାବୁଲି କରି ଫେରିଆସିବା ପରେ ସୁରେଶ ସେମାନଂକପାଇଁ ଠିକ କରି ରଖିଥିବା ଦୁଇ କୋଠରୀ ବିଶିଷ୍ଟ ଏକ ଛୋଟ ଭଡାଘରେ ସେମାନେ ରହିଲେ |ଘରେ ଦୁଇଜଣ ଚଳିବାପରି ସମସ୍ତ ବ୍ୟବସ୍ଥା ସେଠାରେ ଥିଲା ଓ ଘରର ସାଜସଜ୍ଜା ମଧ୍ୟ ସୁନ୍ଦର ଥିଲା |ମୂଳି ନାମକ ଏକ ଏଗାର/ବାର ବର୍ଷର  ପିଲାକୁ ସେଠାରେ ଘରକାମ କରିବାପାଇଁ ସୁରେଶ ଆଣିଲା | ଗଲାବେଳେ ସେ ବନହଂସୀକୁ କହିଲା,ଆପଣଙ୍କ ଘର ପଛପଟେ ମୋର ଜଣେ ରିଲେଟିଭ,ରୁବିଦିଦିଂକ ଘର |ବୋର୍ ହେଲେ ତାଂକ ଘରକୁ ଯିବେ,ସେମାନେ ବହୁତ ଭଲଲୋକ |
                      କିଛିଦିନ ବେଶ ସୁରୁଖୁରୁରେ କଟିଗଲା |ବନହଂସୀ ପାଇଁ ଏସବୁ ଏକ ନୂତନପ୍ରକାର ଅନୁଭୂତି ଥିଲା |ଅନୁପମର ଗଭୀର ପ୍ରେମ ତା ଅନ୍ତରର ସମସ୍ତ ଦୁଃଖ ଗ୍ଲାନିକୁ ଧୋଇ ଦେଲା |କ୍ରମେ ସେ ଅନୁଭବ କରିବାକୁ ଆରମ୍ଭ କଲା ଯେ ଅନୁପମ ବିନା ତା ଜୀବନ ବ୍ୟର୍ଥ ହୋଇଯାଇଥାଆନ୍ତା |
                  ସେଦିନ ଖୁବ ସକାଳୁ କଲିଂବେଲ ଆବାଜ ଶୁଣି ବନହଂସୀର ନିଦ ଭାଂଗିଗଲା |ସେ ଉଠି ଦେଖିଲା, ମୂଳି କବାଟ ଖୋଲି ଦେଇଛି |ବାହାରେ ସୁରେଶ ଛିଡା ହୋଇଥିଲା |ତାକୁ ଦେଖି ସେ କହିଲା,ଭାଉଜ ନମସ୍କାର ;ଟିକିଏ ଅନୁକୁ ଡାକିଦେବେ |ବନହଂସୀ ବୁଲିଯିବା ବେଳକୁ ଦେଖିଲା,ପଛରେ ଅନୁପମ ଛିଡା ହୋଇଛି |ସୁରେଶ କହିଲା,ଏତେଦିନ ହେଲାଣି,ତୁ ପାର୍ଟି ଅଫିସ ଯାଇନୁ |ଆନନ୍ଦ ବାବୁ ଭାରି ବ୍ୟସ୍ତ ହେଉଛନ୍ତି,ଭାଉଜ ଗୁଣି କରିଦେଲେ ନାଁ କଣ ?
 ଅନୁପମ ବିରକ୍ତ ହୋଇ କହିଲା,ବାଜେ କଥାଗୁଡା କାହିଁକି କହୁଛୁ ?ସୁରେଶ କହିଲା,ଏତେବେଳକୁ ବିରକ୍ତ ହେବୁନି ତ ଆଉ କଣ କରିବୁ ?ଯେତେବେଳେ କାମ ଥିଲା,ସୁରେଶ |କାମ ସରିଗଲେ,ସୁରେଶ କିଏ ନାଁ ଅନୁପମ କିଏ !ଅନୁପମ କହିଲା,କାହିଁକି ସେମିତି ହେଉଛୁ ?କଣ ପାଇଁ ଆସିଛୁ କହ |ସୁରେଶ କହିଲା,ଆନନ୍ଦ ସାର୍ ଡାକିଛନ୍ତି,ତତେ ବର୍ତ୍ତମାନ ଯିବାକୁ ପଡିବ |ଇଲେକସନ ପାଖେଇ ଆସିଲାଣି |ମଝିରେ ଆଉ କେତେଟା ମାସ |ତୁ ଏମିତି ବସିଗଲେ,ଚଳିଵ ?ମଉଜ କରିବାପାଇଁ ତ ସାରାଜୀବନ ପଡିଛି |
          ଅନୁପମ ରାଗିଯାଇ କହିଲା,ପୁଣି ସେ ବେକାର କଥା କହିଲୁ ?ତୁ ଯା |ମୁଁ ଟିକିଏ ପରେ ଯିବି |
         ସୁରେଶ କହିଲା,ହଉ ଯାଉଛି,ତୋ ଇଛା ହେଲେ ଯିବୁ,ନହେଲେ ନାହିଁ ,ମୋର କଣ ଅଛି ?
ସେ ଯିବାପରେ ଅନୁପମ ଗମ୍ଭୀର ହୋଇ ଫେରିଆସି ବିଛଣାରେ ବସିଲା |ତାପରେ କହିଲା,ବୁନୁ, ଦେଖିଲ,କେତେଟା ବାଜିଛି ?ବନହଂସୀ ଘଣ୍ଟା ଦେଖି କହିଲା,ସାଢ଼େ ପାଂଚ |ଉତ୍ତର ଶୁଣି ସେ ପୁଣି ବିଛଣାରେ ଶୋଇ ପଡିଲା ଓ ନରମ କଣ୍ଠରେ ଡାକିଲା,ବୁନୁ !ବନହଂସୀ ଆସି ଅନୁପମ ପାଖରେ ବସିଲା |ଅନୁପମ କହିଲା,ଟିକିଏ ଗୋଡ଼ ଘଷି ଦେଲ |ବନହଂସୀ ଗୋଡ଼ ଘଷିବାବେଳେ ଅନୁପମ କହିଲା,ବୁନୁ,ଏଇ କେତେଦିନ ହେଲା ରାଜନୀତିକୁ ମୁଁ ପୁରା ଭୁଲି ଯାଇଥିଲି,ସୁରେଶ ଆସି ମନେ ପକାଇ ଦେଲା |ମତେ ଏବେ ଯିବାକୁ ପଡିବ |ଫେରୁ ଫେରୁ ରାତି ହୋଇପାରେ |ଡେରିହେଲେ,ମୋପାଇଁ ଅପେକ୍ଷା ନକରି ତମେ ଖାଇଦେଇଥିବ |ବ୍ୟସ୍ତ ହବନି,ଦେଖ,ତମର ବିନା ସହଯୋଗରେ ମୁଁ କୌଣସି କାମରେ ସଫଳ ହୋଇ ପାରିବିନାହିଁ |
   ବନହଂସୀ କହିଲା,ଠିକ ଅଛି,ମୁଁ ଯାଉଛି |
    ଅନୁପମ ପଚାରିଲା,କୁଆଡେ ?
     'ଗାଧୋଇବାକୁ' |'ବହୁତ ଡେରି ହେଲାଣି' |ବନହଂସୀ ଉତ୍ତର ଦେଲା |ଅନୁପମ କହିଲା,ସେ ତ ଘଣ୍ଟାକର କଥା |ଆଗ ମତେ କପେ ଚା' ଦିଅ,ତାପରେ ଯାହା କରୁଛ କର |ଫାଷ୍ଟକ୍ଲାସ ଚା' କରିବ,ଯେମିତି ଆଜି ଦିନ ଟା ଭଲରେ କଟିବ |ବନହଂସୀ ହସିଦେଇ ଚାଲିଗଲା |
        ଅନୁପମକୁ ଚା' ଦେଇସାରି ବନହଂସୀ ଅତି ଶୀଘ୍ର ନିଜ ନିତ୍ୟକର୍ମ ଶେଷକରି ଆସି ଦେଖିଲା,ଅନୁପମ ଯିବାପାଇଁ ପ୍ରସ୍ତୁତ ହୋଇ ଛିଡା ହୋଇଛି |ତାକୁ ଦେଖି ଅନୁପମ କହିଲା,ଏତେ ଡେରି କଲ ?ମୁଁ ଯାଉଛି ,ଫେରିବାକୁ ଡେରି ହୋଇପାରେ |ମତେ ଅପେକ୍ଷା ନକରି ତମେ ଡିନର ଖାଇ ଦେଇଥିବ |
           ଅନୁପମ ପାର୍ଟି ଅଫିସରେ ପହଂଚିବା ବେଳକୁ ସମସ୍ତେ ଆସି ସାରିଥିଲେ ଓ  ଆନନ୍ଦ ସାର୍ ଦଳର କର୍ମକର୍ତ୍ତାଂକ ସହ ଆଲୋଚନା କରୁଥିଲେ |ଅନୁପମକୁ ଦେଖି ସେ ତା ଉପରେ ଗୁଡାଏ ବର୍ଷିଗଲେ ଓ କହିଲେ,ମୋର ତୋ ଉପରେ ଏତେ ବିଶ୍ବାସ ଥିଲା,ତୁ ସେସବୁ ଭାଂଗି ଚୁରମାର କରିଦେଲୁ |ଜାଣିଛୁ,ଏଥିରେ ତୋର ଆଉ ଆମ ଦଳର କେତେ କ୍ଷତି ହେଲା ?
  ଅନୁପମ ହାତଯୋଡି କହିଲା,ଆଇ ଆମ ସରି ସାର୍ |ଦେଖିବେ,ଏଥର ସବୁ ଠିକ ଚାଲିବ |ଆନନ୍ଦ ବାବୁ ଗମ୍ଭୀର ହୋଇ କହିଲେ,କିଛି ଠିକ ଚାଲିବନି |ଏଥର ଆଦର୍ଶର ବାର୍ତ୍ତା ନେଇ ତୁ କେଉଁ ମୁହଁରେ ପ୍ରଚାର କରିବୁ ?
  ଅନୁପମ କହିଲା,କଣ କହୁଛନ୍ତି ସାର୍ ?ତା ବୋଲି ମୁଁ ମୋର ପ୍ରଣୟିନୀକୁ ବାହାହୋଇ ପାରିବିନି ?ପାର୍ଟି ପାଇଁ ପ୍ରେମର ଗଳା ଚିପି ଦେବି ?ମୋର କଣ ପର୍ସନାଲ ଲାଇଫ ବୋଲି କିଛିନାହିଁ ?ମୁଁ ବି ତ ଗୋଟେ ମଣିଷ !!ଏକ୍ସକ୍ୟୁଜ ମି ସାର୍ |
            ସୁରେଶ କହିଲା,ସାର୍ ଠିକ କଥା କହୁଛନ୍ତି,ଅନୁ |ଏପରି ମନୋବୃତ୍ତି ନେଇ ରାଜନୀତି କୁ ଆସିବା ତୋର ଉଚିତ ନଥିଲା |ଅନ୍ୟକୁ ଆଦର୍ଶର କଥା କହିବା ପୂର୍ବରୁ ନିଜକୁ ଆଦର୍ଶ ଦେଖାଇବାକୁ ପଡେ |
             ଅନୁପମ ତାତ୍ସଲ୍ୟ କରି ସୁରେଶକୁ କହିଲା,ତୋର ଓଜନ କେତେ ମୁଁ ଜାଣିଛି |ତୁ ଯେଉଁଠି ସାଂଗକୁ ଭଲ ଉପଦେଶ ଦେବା ପରିବର୍ତ୍ତେ ତାକୁ ଫସେଇ ଟଂକା ନେବାର ବାଟ ସୃଷ୍ଟି  କରୁ,ସେଠାରେ ତୋ କଥାର ମୂଲ୍ୟ  କଣ ?ଯାହା ହୋଇଛି,ଠିକ ହୋଇଛି |ଆଇ ଡୋଣ୍ଟ କେଆର |ମତେ ଇଛା ହେଲେ ପାର୍ଟିରେ ରଖିବେ,ନହେଲେ ନାହିଁ |ସେ ଉଠି ଛିଡା ହେଲା |(କ୍ରମଶଃ )

Sunday, December 22, 2019

ନିଶୀଥ ଜ୍ୟୋତ୍ସ୍ନା (୫ )

                    ବନହଂସୀ ନିକଟରୁ ଫେରିବା ପରେ ଅନୁପମର ହୃଦୟ ଭାରାକ୍ରାନ୍ତ ହୋଇଯାଇଥିଲା |ସେ ବନହଂସୀ ପାଖରେ ଦୁର୍ବଳ ହେବାକୁ ଇଛା ନକରି ଗୁଡାଏ ଭାଷଣ ଦେଇଦେଲା ସିନା,ଶତଚେଷ୍ଟା ସତ୍ତ୍ବେ  ନିଜକୁ ବୁଝାଇ ପାରୁନଥିଲା |ଜୀବନରେ ଇଏ ତାର ସବୁଠାରୁ ବଡ଼ ପରାଜୟ |ତାର ଦୃଢ ବିଶ୍ବାସ ଥିଲା,ଜୀବନରେ ଥରେ ପରାଜୟ ସ୍ବୀକାର କଲେ,ମନ କେବଳ ପରାଜୟ ଆଡକୁ ହିଁ ଧାଇଁଯାଏ |ସେଦିନ ରାତିରେ ସେ ଆକଣ୍ଠ ଡ୍ରିଂକ କଲା ଓ ମାତାଲ ଅବସ୍ଥାରେ ସୁରେଶକୁ ନିଜ ମନକଥା ଖୋଲି କହିଦେଲା |ସୁରେଶ ପାଇଁ ଏହା ସୁବର୍ଣ୍ଣସୁଯୋଗ ଥିଲା |ସେ ନିଜର ଦୁଷ୍ଟବୁଦ୍ଧି ପ୍ରୟୋଗ କରି,ପରଦିନ ସକାଳେ  ନିଜ ପ୍ଲାନ ବିଷୟରେ ଅନୁପମକୁ ଅବଗତ କରାଇଲା |କିନ୍ତୁ ଏଥିରେ ଏକ ସର୍ତ୍ତ ରହିଲା,କାର୍ଯ୍ୟରେ ସଫଳତା ମିଳିଲେ,ସୁରେଶ କିଛି ମୋଟା ଅଂକର ଅର୍ଥ ପାଇବ |ସୁରେଶର ଯୁକ୍ତି ଥିଲା, କାର୍ଯ୍ୟଟି ଖୁବ୍ ଜଟିଳ ଓ ଏଥିରେ ସଫଳତା ମିଳିବା ସହଜ କଥା ନୁହେଁ |ଏଥିପାଇଁ ସେ ଦାବି କରିଥିବା ଅର୍ଥର ପରିମାଣ  ଖୁବ୍ କମ |ଅନୁପମ ସୁରେଶର ପିଠି ଥାପୁଡାଇ କହିଲା,ମଂଜୁର ଦୋସ୍ତ ,କିନ୍ତୁ ସେ କାମ ଆଜିହିଁ ହେବା ଦରକାର |ଏହି ପ୍ରସ୍ତାବରେ ରାଜି ହେବାବେଳେ ଅନୁପମ ଭୁଲିଗଲା ଯେ ଏଇ କାର୍ଯ୍ୟକଳାପ ତାର ରାଜନୈତିକ ଆକାଶରେ ସବୁଦିନପାଇଁ ଏକ ଧୂମକେତୁ ହୋଇ ଉଭା ହେବ |କ୍ଷଣିକ ଆବେଗରେ ସେ ତାର ଭଲମନ୍ଦ ବିଚାର କରିବା ଶକ୍ତି ହରାଇ ବସିଥିଲା |
                ସେଦିନ ଅପରାହ୍ନରେ ବନହଂସୀର ବାନ୍ଧବୀ ସୁଲତା,ତା ନିକଟରେ ପହଂଚି କହିଲା,ବୁନୁ,ଆଜି କାହିଁକି କଲେଜ ଗଲୁନି ?ଦେହ ଭଲ ନାହିଁ ?ବନହଂସୀର ମୁହଁରେ କାରୁଣ୍ୟର ଛାପ ବାରିହେଉଥିଲା |ସେ ଫିକା ହସି କହିଲା,ଏମିତି ଗଲିନି,ତୁ କୁଆଡେ ଆସିଲୁ?ସୁଲତା କହିଲା,ତତେ ଦେଖିବାକୁ ,ଆ ଯିବା |ବନହଂସୀ ଚମକି ପଡି କହିଲା,କୁଆଡେ ?ସୁଲତା କହିଲା,ଡରନା ଲୋ,ଚାଲ ବାହାରେ ଗପିବା,ବନ୍ଦ ଘରେ ଅଣନିଃଶ୍ବାସୀ ଲାଗୁଛି |ବନହଂସୀ ସୁଲତା ସହ ବାହାରକୁ ଆସିଲା |କଥାବାର୍ତ୍ତା ଛଳରେ ସେ ତାକୁ ଗେଟ ବାହାରକୁ ଡାକି ଆଣି ବିଦାୟ ନେବା ସମୟରେ ସେଠାରେ ଅପେକ୍ଷା କରିଥିବା କାର ଭିତରୁ ଜଣେ ମୁଖାପିନ୍ଧା ବ୍ୟକ୍ତି ଆସି ବନହଂସୀକୁ ଜୋର କରି କାରରେ ବସି ନେଇ ଚାଲିଗଲେ |
           ସୁଲତା କାନ୍ଦି କାନ୍ଦି ଭିତରକୁ ଦୌଡିଯାଇ ବନହଂସୀର ମାଆଂକୁ ଏହି ଖବର ଦେଲା |କିଛିକ୍ଷଣ ମଧ୍ୟରେ ଏକଥା ଚାରିଆଡେ ପ୍ରଘଟ ହୋଇଗଲା |ଖବର ପାଇ ବନହଂସୀର ପିତା ସରୋଜ ଅଫିସରୁ ଆସି ପହଂଚିଗଲେ |ତାଂକର ଦୁଇଟି କନ୍ୟା ସନ୍ତାନ ଥିଲେ |ସେଥିମଧ୍ୟରୁ ବନହଂସୀ ସାନ |ବଡ଼ ଝିଅ ରାଜହଂସୀ ଅନେକ ଦିନରୁ ବିବାହ କରି ସାରିଛି |ଏହି କାଣ୍ଡର ଖଳନାୟକ ଅନୁପମ ବୋଲି ସେ ଠିକ ଭାବେ ଜାଣିପାରୁଥିଲେ |ସେ ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ଏତଲା ଦେଲେ |
            କିଛିଦିନପରେ ସେ ବନହଂସୀ ପାଖରୁ ଏକ ଚିଠି ଆସିଲା |ସେ ଲେଖିଥିଲା,ପୂଜନୀୟ ବାପା ମା,ମୋର ଭୂମିଷ୍ଠ ପ୍ରଣାମ ନେବେ |ଆପଣଙ୍କ ପାଇଁ ମୁଁ ଅନେକ ଦୁର୍ନାମ ଆଣିଦେଇଛି |ଏ ଚିଠି ପାଇବାପରେ ଆପଣ ଧରି ନେବେ ଯେ ବନହଂସୀ ବୋଲି ଆପଣଙ୍କର ଯେଉଁ ଝିଅ ଥିଲା,ସେ ଜନ୍ମ ହେବା ପରେ ପରେ ମରିଯାଇଛି |ଇତି|ଅଭାଗିନୀ,ବୁନୁ |
             ଚିଠି ପଢି ଉଭୟ ସରୋଜ ଓ ବନହଂସୀର ମା ଦୀପା ଉଚ୍ଚ ସ୍ବରରେ କାନ୍ଦି ଉଠିଲେ |ରାଜହଂସୀ ସେଠାରେ ଥିଲା |ସେ ଚିଠି ପଢି କହିଲା,ବାପା,ତମେ ବୁନୁ ବାହାଘର ଅନୁପମ ସଂଗେ କରିବାକୁ ମନା କରିବାରୁ ଦୁହେଁ ମିଶି ଏ କାମ କରିଛନ୍ତି |ନିଜ ଝିଅ ଏଥିରେ ସମ୍ପୃକ୍ତ ଥିବା ଆଶଂକା କରି ସରୋଜ ଥାନାରେ ଦେଇଥିବା ଏତଲା ପ୍ରତ୍ୟାହାର କରି ଆଣିଲେ |
               ଅନୁପମର ବନ୍ଧୁମାନେ ସେମାନଂକ ବିବାହର ସମସ୍ତ ଆୟୋଜନ କରିଥିଲେ |ବନହଂସୀ ଏ ଘଟଣାରେ ଭାଂଗି ପଡିଲେ ମଧ୍ୟ ବାଧା ଦେଇପାରୁନଥିଲା |ଅନୁପମ କହିଲା,ବୁନୁ .ତମର ଇଛା ଥିଲା ବୋଲି ମୁଁ ତମକୁ ଜୋର କରି ନେଇ ଆସିଲି |ତମେ ଏବେ ଚାହିଁଲେ,ମୁଁ ପୋଲିସ ନିକଟରେ ଆତ୍ମସମର୍ପଣ କରି ତମକୁ ଅଂକଲ ଆଣ୍ଟିଂକ ପାଖରେ ଛାଡିଦେଇ ଆସିବି |ବନହଂସୀ ଆଖିରୁ ଟୋପା ଟୋପା ହୋଇ ଅନେକ ଟୋପା ଲୁହ ଝରି ପଡିଲା |ସେ କହିଲା,ମୁଁ ଅନେକ ଦିନରୁ ତମର ହୋଇ ସାରିଥିଲି |କିନ୍ତୁ ଏମିତି ଲୁଚି ଆସିବା ଭଲ ହେଲାନି |
                 ଅନୁପମ କହିଲା,ବୁନୁ ,ତମକୁ ନପାଇଥିଲେ, ଜୀବନରେ ବଂଚିବାର ମୂଲ୍ୟ କିଛି ନଥାନ୍ତା |ତୁମେ ଜାଣନା ଏହାଦ୍ବାରା ମୋର କେତେବଡ କ୍ଷତି ହୋଇଛି |ମୋ ରାଜନୈତିକ ଜୀବନରେ ସବୁଦିନପାଇଁ ଏହା ଗୋଟିଏ କଳାଦାଗ ହୋଇ ରହିଯିବ |ଏଥିପାଇଁ ମତେ ଲୋକଂକୁ ଉତ୍ତର ଦେବାକୁ ପଡିବ |ଆନନ୍ଦ ସାରଂକ ପାଖରେ ମୁଁ ମୁହଁ ଦେଖାଇ ପାରିବିନି |କିନ୍ତୁ ମୁଁ ନିରୁପାୟ ଥିଲି |ହୃଦୟର ଭାବପ୍ରବଣତା ଆଗରେ ସବୁକିଛି ହାର ମାନିଲା |ଆଜି ତମେ ଶପଥ କରି କୁହ,କେବେବି ମୋ ଭଲପାଇବା ପ୍ରତି କପଟ କରିବନି,ସ୍ନେହ ମମତା ଡୋରିରେ ମୋ ହୃଦୟକୁ ବାନ୍ଧିଦେବ,ଯେମିତିକି ମୁଁ ଆଉ ଲଗାମଛଡା ହେବିନାହିଁ |ତାର ଆଖି ଲୁହ ଛଳ ଛଳ ହୋଇଗଲା |ବନହଂସୀ ବିଚଳିତ ହୋଇଗଲା |ସେ ଅନୁପମ ଆଖିରୁ ଲୁହ ପୋଛି କହିଲା,ମୋ ଉପରେ ବିଶ୍ବାସ ରଖ |(କ୍ରମଶଃ )
           

ନିଶୀଥ ଜ୍ୟୋତ୍ସ୍ନା (ଚାରି )

                    ବିଛଣାରେ ଏପଟ ସେପଟ ହୋଇ କେତେବେଳେ ରାତି ପାହିଗଲା,ସେ ଜାଣି ପାରିଲାନି |ଭୋର ବେଳକୁ ଆଖିପତା ତାର ବୁଜି ହୋଇଆସିଲା,ନିଦ ଭାଂଗିବା ବେଳକୁ ଦିନ ସାଢ଼େ ଏଗାର |ସେତେବେଳକୁ ଆନନ୍ଦ ବାବୁ ଦିଲ୍ଲୀ ଯାଇ ସାରିଥିଲେ |ମୁହଁଧୋଇ ସେ ପାର୍ଟି ଅଫିସକୁ ଗଲା |ସେଠାରୁ ବାଇକ ନେଇ ସେ ସିଧା ନିଜ ଘରକୁ ଗଲା |ଘରେ ପହଂଚି ପ୍ରଥମେ  ଅଶୋକକୁ ଦେଖିବାକୁ ଗଲା |ସେ ପୂର୍ବାପେକ୍ଷା  ସୁସ୍ଥ ଦିଶୁଥିଲା |ଶରୀର ଅସୁସ୍ଥ ହେବାର କାରଣ ସମ୍ପର୍କରେ ଅଶୋକ କହିଲା,ତାର ଫୁଡ ପଏଜନ ହୋଇ ଯାଇଥିଲା |ସେ ନିଜ ରୁମକୁ ଯାଇ ପୋଷାକ ବଦଳାଇ ବାଥରୁମକୁ ପଶିଗଲା |ଗାଧୋଇ ଆସିବାପରେ ତାକୁ ଫ୍ରେଶ ଲାଗୁଥିଲା |ତାକୁ ପ୍ରବଳ ଭୋକ ଲାଗୁଥିଲା |କଣ ରନ୍ଧା ହେଉଛି,ଦେଖିବାକୁ ସେ ରୋଷେଇଘରକୁ ଗଲା |ସେଠାରେ ପୂଜାରୀ ରୋଷେଇ କରୁଥିବାବେଳେ ଅଜନ୍ତା ପାଖରେ ଥାଇ କିଛି ବତାଉଥିଲେ |ତାକୁ ଦେଖି ସେ କହିଲେ,ଲଂଚ ଟାଇମ ହୋଇ ଗଲାଣି,ତୁ ଖାଇଦେ |ଅନୁପମ କହିଲା,ହଁ ମମ୍, ଅତି ଶୀଘ୍ର ମୋପାଇଁ ବାଛି ବାଛି ଟେଷ୍ଟି ଖାନା ବାଢିଦିଅ,ମତେ ଭାରି ଭୋକ ହେଉଛି |ଅଜନ୍ତା ତା ପାଇଁ ଖାଇବା ବାଢୁ ବାଢୁ ପଚାରିଲେ,କାଲି କେଉଁଠି ଥିଲୁ ?ଅନୁପମ ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା,ଆନନ୍ଦ ସାରଂକ ଘରେ |ଅଜନ୍ତା କହିଲେ,ମୁଁ ସେଇଆ ଭାବିଥିଲି |ହଉ,ତୋର ଯାହା ଇଚ୍ଛା,ତାହା କର |ସେ ତା ପାଇଁ ଖାଦ୍ୟ ପ୍ଲେଟରେ ନେଇ ଆସିଲେ |
                  ଅନୁପମ ଖାଉ ଖାଉ କହିଲା,ମାମା,ମୁଁ ଗୋଟିଏ ଝିଅକୁ ଦେଖିଛି,ଭାରି ଭଲ ଝିଅ,ତମେ ରାଜି ହେଲେ.....|ଅଜନ୍ତା ହସି ଦେଇ କହିଲେ,ମୋ ରାଜି ଅରାଜିରେ କଣ ଅଛି?ମୁଁ ଡାଡିଂକୁ କହିବି,ସେ ରାଜିହେଲେ ପ୍ରସ୍ତାବ ପକେଇବା |
            ଅନୁପମ କହିଲା,ଡାଡ୍ ରାଜି ହେବେନି |
            - କାହିଁକି,କଣ ହୋଇଛି ?
            - ସେ ଖଣ୍ଦାୟତ ଘର,ମଧ୍ୟବିତ୍ତ ପରିବାରର ଝିଅ |ଅଜନ୍ତା ଦୀର୍ଘ ନିଃଶ୍ବାସ ପକାଇ କହିଲେ,ମୁଁ ଏବେ କରିବି କଣ ?ଏମିତି ଜାଗାରେ ଝିଅ ପସନ୍ଦ କରିବୁ,ଯେଉଁଠି ଅରାଜିର ପ୍ରଶ୍ନ ନଥିବ |
           ଅନୁପମ ବିରକ୍ତ ହୋଇ କହିଲା,ମୁଁ ଜାଣେ,ମୋ ବାହାଘରରେ ବାଜା ବାଜିବନି, ବାଣ ଫୁଟିବନି କି ପୁରୋହିତ ମନ୍ତ୍ର ପଢିବନି |ଛାଡ଼,ତମକୁ କହି କିଛି ଲାଭ ନାହିଁ |ଖାଇ ସାରି,ମୁହଁ ଧୋଇ, ଟାୱେଲରେ ମୁହଁ,ହାତ ପୋଛି ସେ ନିଜ ରୁମକୁ ଫେରି ପୋଷାକ ପରିବର୍ତ୍ତନ କଲା |ତାପରେ ବାହାରକୁ ଆସି ବାଇକ ଷ୍ଟାର୍ଟ କରି ୟୁନିଭରସିଟି ଅଭିମୂଖେ ଗାଡି ଛୁଟାଇଲା |ଆନନ୍ଦ ଦାସଂକ କଲେଜ ସ୍ବୀକୃତି ପାଇବାକୁ ଯାଉଛି,ଏ ବିଷୟରେ କଣ ଅଗ୍ରଗତି ହେଲା,ତାକୁ ସେକଥା ବୁଝିବାକୁ ପଡିବ |
           ସୁରେଶ ବାହାରେ ବସି ସିଗାରେଟ ଟାଣୁଥିଲା |ଅନୁପମକୁ ଦେଖି କହିଲା,ହ୍ୟାଲୋ ଅନୁ,କଣ ଖବର ?ଅନୁପମ ତା ପାଖକୁ ଆସି କହିଲା,କଲେଜ ଖବର ବୁଝିବାକୁ ଆସିଲି |ତୁ ସେଇ କାମରେ ଏଇଠି ନାଁ ଅନ୍ୟ କୌଣସି କାମରେ ?
           ସୁରେଶ ପ୍ରଜାମଣ୍ଡଳର ପାର୍ଟି ସମ୍ପାଦକ ଓ ଅନୁପମର ପ୍ରତିଦ୍ବନ୍ଦୀ |ଏକଦା ତାର ଏକନିଷ୍ଠ କାର୍ଯ୍ୟକଳାପ ପାଇଁ ସେ ଆନନ୍ଦ ଦାସଂକ ପ୍ରିୟପାତ୍ର ହୋଇଥିଲା |କିନ୍ତୁ ଅନୁପମ ଆସିବାପରେ ସବୁକିଛି ବଦଳି ଯାଇଛି |ବର୍ତ୍ତମାନ ଅନୁପମର ବିନା ସହାୟତାରେ ଆନନ୍ଦ ବାବୁ କିଛି କରୁନାହାନ୍ତି |ଫ୍ଲାଇଟରୁ ଓଲ୍ହାଇବା ପରେ ସେ ପ୍ରଥମେ ଅନୁପମକୁ ଖୋଜନ୍ତି ଓ କୌଣସି କାର୍ଯ୍ୟକ୍ରମ ସ୍ଥିର କରିବାବେଳେ ତାଂକ ଦକ୍ଷିଣପାର୍ଶ୍ବରେ ଅନୁପମ ଥାଏ |ଏଥିପାଇଁ ଅନ୍ୟମାନଂକ ମନରେ ମଧ୍ୟ ଏକ ହାଲକା ଧରଣର ଈର୍ଷାଭାବ ରହିଛି |କିନ୍ତୁ ସୁରେଶ ପାଇଁ ଏହା ଏକାବେଳକେ ଅସହ୍ୟ |ତା ଆଖିରେ ବର୍ତ୍ତମାନ ଜଳ ଜଳ ହୋଇ ଦିଶିଲାଣି ଯେ ତାଂକ ପାର୍ଟି କ୍ଷମତାକୁ ଆସିଲେ,ଅନୁପମ ଡେପୁଟି ସି.ଏମ. କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ ମିନିଷ୍ଟର ହେବ |ତଥାପି ଓଠ ଚିପି ତାକୁ ସବୁ ସହିବାକୁ ପଡେ |କାରଣ ଆନନ୍ଦ ବାବୁଂକୁ ରଗାଇଲେ,ସବୁକିଛି ଓଲଟପାଲଟ ହୋଇଯିବ |କିନ୍ତୁ ଅନ୍ତର ମଧ୍ୟରେ ଅନୁପମକୁ ଧରାଶାୟୀ କରିବାପାଇଁ ସେ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନଥିଲା |ସେ ଜାଣିଲା,ଦୁହେଁ ୟୁନିଭରସିଟିକୁ ଏକା ଉଦ୍ଦେଶ୍ୟରେ ଆସିଛନ୍ତି |କହିଲା,ଏ କାମ ଟା ଆନନ୍ଦ ସାର୍ ତତେ ଦେଇଥିଲେ,ତୁ ଏତେବେଳକୁ ହଲି ହଲି ଆସୁଛୁ ?
            ଅନୁପମ ବେପରୁୱା କଣ୍ଠରେ କହିଲା,ଆସିଲି ତ କଣ ହେଲା ?ତୁ ଆଗରୁ ଆସି କଣ ଏମିତି ଛିଣ୍ଡେଇ ପକେଇଛୁ ଶୁଣେ ?ସୁରେଶ ତାକୁ ଏକ ଲମ୍ବା ବିବରଣୀ ଦେଇ, ଫାଇଲର ବର୍ତ୍ତମାନ ପୋଜିସନ ବିଷୟରେ କହିଲା ଓ ଅନୁପମକୁ ତୃପ୍ତ ଦୃଷ୍ଟିରେ ଚାହିଁଲା |ଅନୁପମ ସ୍ମିତ ହସି କହିଲା,ତୋ ଦ୍ବାରା ଯଦି କାମ ଟା ହୋଇ ପାରୁଥାଆନ୍ତା ତାହାଲେ ଆନନ୍ଦ ସାର୍ ମତେ ସେ ଦାୟିତ୍ତ୍ବ ଦେଇ ନଥାନ୍ତେ |କଥା ଶେଷକରି ସେ ସେଠାରୁ ଦ୍ରୁତଗତିରେ ଚାଲିଗଲା |ତାର ଯିବା ବାଟକୁ ଚାହିଁ ସୁରେଶ କ୍ରୋଧରେ ଜଳି ଉଠିଲା |ଭି.ସି.ଜରୁରୀକାଳିନ ମିଟିଂରେ ବ୍ୟସ୍ତ ,ସେଇଥିପାଇଁ ସେ ଅପେକ୍ଷା କରିଥିଲା |ଅନୁପମ କଣ କରୁଛି ଦେଖିବା ପାଇଁ ସେ ଭିତରକୁ ଗଲା |କିନ୍ତୁ ଅନୁପମ କେଉଁଠାରେ ଯେପରି ହଜି ଯାଇଥିଲା |ସମ୍ଭାବ୍ୟ ସ୍ଥାନଗୁଡିକ ଦେଖିସାରିବା ପରେ ସେ ଭି.ସିଂକ ରୁମ ଆଡକୁ ଗଲା |ସେଠାରେ ଅନୁପମ ଭି.ସିଂକ ସହିତ ଆଲୋଚନାରତ ଥିଲା |ମନ ଊଣା କରି ସେ ସେଠାରୁ ଧୀରେ ଧୀରେ ଅପସରି ଗଲା  |
             ଭି.ସିଂକ ସହିତ ଆଲୋଚନା ସଫଳ ହୋଇଥିବାରୁ ଅନୁପମ ଖୁସିମନରେ ଫେରିଲା |କିଛିଦିନ ଭିତରେ ଆନନ୍ଦ ସାରଂକ କଲେଜ ସ୍ବୀକୃତି ପାଇବାକୁ ଯାଉଛି |ନିଜ ହାତଘଣ୍ଟାକୁ ସେ ଚାହିଁଲା |ଜୁନ ଦଶ |ଆନନ୍ଦ ସାର୍ ଫେରିବାକୁ ଆହୁରି ସାତଦିନ ବାକି ଅଛି |ୟା ଭିତରେ ବନହଂସୀ ସହିତ ଦେଖା ହେବା ଦରକାର |ଯୋଗକୁ ବନହଂସୀ ମୁହଁ ଶୁଖେଇ କେତେବେଳଠାରୁ ତାକୁ ଅପେକ୍ଷା କରି ଛିଡା ହୋଇଥିଲା |ତାକୁ ଦେଖି ଅନୁପମ ମନ ଖୁସିରେ ଭରିଗଲା |କିନ୍ତୁ ଏ ଖୁସି କ୍ଷଣସ୍ଥାୟୀ ଥିଲା |ବନହଂସୀଠାରୁ ଜାଣିଲା, ଅନୁପମର ମଉସା ମାଉସୀ ବିବାହ ପ୍ରସ୍ତାବ ନେଇ ବନହଂସୀଂକ ଘରକୁ ଯାଇଥିଲେ କିନ୍ତୁ ତାର ପିତା ମାତା ଅନୁପମ ସହିତ ବିବାହ ହୋଇ ପାରିବନି ବୋଲି ରୋକଠୋକ୍ ଜଣେଇ ଦେଲେ |ଅନୁପମର ମୁଣ୍ଡରେ ବଜ୍ରପାତ ହେଲା ଯେପରି |କିନ୍ତୁ ନିଜକୁ ସମ୍ଭାଳି ନେଇ ସେ କହିଲା,ଭଲ ହେଲା ,ମୋ ପରି ଗୋଟାଏ ଲଫଂଗାକୁ ବାହାହୋଇ ତମେ କାହିଁକି ଅଯଥା ରିସ୍କ ନେବ !ଆଛା ,ମୁଁ ଯାଉଛି |ବନହଂସୀ ଆଖିରୁ ଅନେକ ଲୁହ ଧାର ଝରି ପଡିଲା |ସେ କହିଲା,ତମେ ଏଥିରେ ଖୁସି ?
              ଅନୁପମ କହିଲା,ଦେଖ ବୁନୁ,ସତକଥା କହିଲେ,ତମେ ମନଦୁଃଖ କରିଵ |ତୁମେ ଜାଣ,ରାଜନୀତି ହେଉଛି,ମୋର ଫାଷ୍ଟ ଲଭ୍,ତାପରେ ଆଉ ଯାହା |ମୋ ପାଇଁ 'ପ୍ରେମ' ଟାଇମ ପାସ ପାଇଁ ଗୋଟାଏ ପନ୍ଥା |ତେଣୁ ସେଥିପାଇଁ ମୁଁ ଅଯଥା ଗୁଡାଏ ଟଣାଓଟରା ବା କଷ୍ଟ କରିବାକୁ ଇଚ୍ଛା କରେନା |ତମେ ବୋଧହୁଏ ଜାଣନା,ତମେ ମୋ ଜୀବନକୁ ଆସିବା ପୂର୍ବରୁ ମୁଁ ଅନେକ ତରୁଣୀଂକୁ ଭେଟିଛି ଓ ଜୀବନକୁ ଖୁବ୍ ଉପଭୋଗ କରିଛି |କିନ୍ତୁ ତମ ସହିତ ସାକ୍ଷାତ ଥିଲା,ଏକଦମ ଭିନ୍ନ -ତମକୁ ହରାଇବା କଥା ମୁଁ ସ୍ବପ୍ନରେ ସୁଦ୍ଧା ଭାବିପାରୁନି |ହେଲେ ବର୍ତ୍ତମାନ ମୁଁ ଯେଉଁ କ୍ଷେତ୍ରରେ ପାଦ ଥାପିଛି,ସେଠାରେ ଏ ପିଲାଳିଆମି ଶୋଭା ପାଏନା |ଗୁଡ ବାଏ ବୁନୁ |(କ୍ରମଶଃ )
               

Saturday, December 21, 2019

ନିଶୀଥ ଜ୍ୟୋତ୍ସ୍ନା (ତିନି)

                      ସନ୍ଧ୍ୟାରେ ଅନୁପମର ପିତାମାତା ହିମାଂଶୁ ଓ ଅଜନ୍ତା ଆସିବାପରେ ଯାଇ ନିଜ କର୍ତ୍ତବ୍ୟରୁ ବିରତି ପାଇଲା |ରାତିରେ ପାର୍ଟିର ଜରୁରୀକାଳୀନ ମିଟିଂ ଥିବାରୁ ସେ ସେଠାକୁ ଚାଲିଗଲା |
                        ମିଟିଂ ରେ ଆନନ୍ଦ ଦାସ ଅନୁପମକୁ ମୃଦୁ ଭର୍ତ୍ସନା କରି କହିଲେ,ଅନୁ,ତୁ ନିଜ କାମରେ ଘୋର ଅବହେଳା କରୁଛୁ |ବର୍ତ୍ତମାନ ହେଉଛି,କୃସିଆଲ ପିରିୟଡ |ଏତିକିବେଳେ ତୁ ଏମିତି ଢିଲା ହେଲେ ଚଳିଵ ?କାଲି ଆମର କେତେଗୁଡିଏ ପ୍ରୋଗ୍ରାମ୍ ଅଛି,ତାକୁ ଯେମିତି ହେଉ ସକସେସଫୁଲ କରିବାକୁ ପଡିବ ;  ନହେଲେ ଆମେ ବଦନାମ ହୋଇଯିବା |ତୁ ଆଜି ସେ ଏମ.ଏଲ୍.ଏ.କୁ ସାଂଗରେ ନେଇ କଣ ସବୁ ଆରେଂଜମେଣ୍ଟ ହୋଇଛି ତଦାରଖ କରିବୁ |ମୁଁ କାଲି ସକାଳେ ଯିବି,ସେଇଠି ତୋ ସାଂଗରେ ଦେଖା ହେବ |
                    ଏତେସବୁ କାର୍ଯ୍ୟକ୍ରମ ଭିତରେ ତାର ଆଉ ବନହଂସୀ ସାଂଗେ  ଦେଖା ହୋଇ ପାରିଲାନାହିଁ |ସଭାରେ ସହସ୍ରାଧିକ ଜନ ସମାବେଶ ହୋଇଥିଲା |ପ୍ରିୟନେତା ଆନନ୍ଦ ଦାସଂକୁ ପାଛୋଟି ନେବାପାଇଁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରତିକ୍ଷା କରିଥିଲେ |ଆନନ୍ଦ ଦାସ ଭାଷଣ ଦେବା ପୂର୍ବରୁ ଅନୁପମକୁ କିଛି କହିବାକୁ ପଡିଥିଲା |ସେ କହିଲା,ବନ୍ଧୁଗଣ,ଆମ ଅଂଚଳର ଦୁର୍ଦ୍ଦଶା କଥା କହିଲେ ନସରେ |ପିଇବା ପାଇଁ ପାଣି ମୁନ୍ଦାଏ ନାହିଁ,ଚାଉଳ ମିଳୁନାହିଁ,କାମଧନ୍ଦା ନାହିଁ |ଗତ ନିର୍ବାଚନରେ ଲୋକେ ଶାସକଦଳକୁ ଭୋଟ ଦେଇ ନଥିଲେ ବୋଲି,ଗ୍ରାମରେ ନଳକୂପ ମରାମତି ହେଲାନାହିଁ |ଗ୍ରାମମୁଣ୍ଡରେ ଉଠା ଜଳସେଚନ ପଏଣ୍ଟରେ ବିଜୁଳି ସଂଯୋଗ କରାଯାଉଥିବାବେଳେ,ଆଭ୍ୟନ୍ତରୀଣ ଅଂଚଳରେ ତାହା କରାଯାଉନାହିଁ |ଗ୍ରାମରେ ଥିବା ଦଳପୂର୍ଣ୍ଣ ପୋଖରୀ ଲୋକେ ବ୍ୟବହାର କରୁଛନ୍ତି ଓ ଏହାର ଦୂଷିତ ପାନୀ ପିଇ ରୋଗରେ ପଡୁଛନ୍ତି |ଶାସକଦଳ ସମର୍ଥକ ଖୋଲାଖୋଲି ପ୍ରଚାର କରୁଛନ୍ତି ଯେ ଗ୍ରାମବାସୀମାନେ ସେମାନଂକୁଭୋଟ ଦେଇ ନଥିବାରୁ,ଏଠାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯିବନାହିଁ |ଲୋକଂକ ଦୁଃଖଦୁର୍ଦ୍ଦଶା ବଢି ଚାଲିଥିବାବେଳେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରାଯାଉଛି |ବର୍ତ୍ତମାନ ଆମ ରାଜ୍ୟରେ ଗ୍ରାମାଂଚଳ ଲୋକେ ପାନୀୟଜଳ ପାଇଁ ଛଟପଟ ହେଉଛନ୍ତି,ବିଜୁଳିବତୀ ନାହିଁ,ଲୋକେ କାମ ପାଉନାହାନ୍ତି ,ସେଥିପ୍ରତି ସରକାରଂକ ଦୃଷ୍ଟି ନାହିଁ,ଅଥଚ  କୋଟି କୋଟି ଟଂକା ବ୍ୟୟରେ ସହର ସଜେଇବା କାମ ଚାଲିଛି |ସରକାରୀବାବୁ ମାନେ ସରକାରୀ ସମ୍ପତ୍ତି ଆତ୍ମସାତ୍ କରି ମାଲାମାଲ ହେଉଛନ୍ତି |ଯେଉଁମାନେ ଆଜି କ୍ଷମତା ବଳରେ ଧରାକୁ ସରା ମଣୁଛନ୍ତି,ସେମାନେ କେବେହେଲେ ବେଶିଦିନ କ୍ଷମତାରେ ତିଷ୍ଠି ରହି ପାରିବେନି |ଆଜିଠାରୁ ତାଂକର ପତନର ଦିନ ଆରମ୍ଭ ହୋଇଗଲା ବୋଲି ଜାଣନ୍ତୁ |ଆମକୁ ଏ ପ୍ରକାର ଅନ୍ୟାୟ,ଅନୀତି,ଅବିଚାର ଓ ପକ୍ଷପାତିତା ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡିବ |ସେଦିନ ଆଉ ବେଶିଦିନ ନାହିଁ,ଯେଉଁଦିନ ଆମେ ସମସ୍ତେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକଜୁଟ ହୋଇ ଆମ ଅଂଚଳର ବିକାଶ ଦିଗରେ ଆଗେଇ ଯିବା |ବର୍ତ୍ତମାନ ମୋ ସହିତ ସ୍ବର ମିଳାଇ ଆପଣମାନେ ଏକସ୍ବରରେ କୁହନ୍ତୁ,'ପ୍ରଜାମଣ୍ଡଳ ଜିନ୍ଦାବାଦ' |ଖୁବ୍ ଜୋରରେ 'ଜିନ୍ଦାବାଦ' ଧ୍ବନି ପ୍ରତିଧ୍ବନିତ ହୋଇ ଉଠିଲା |ଆନନ୍ଦ ଦାସ ଆନନ୍ଦିତ ହୋଇଗଲେ |ସେ ପ୍ରଶଂସାପୂର୍ଣ୍ଣ ଦୃଷ୍ଟିରେ ଅନୁପମକୁ ଚାହିଁ ନିଜ ବକ୍ତବ୍ୟ ଆରମ୍ଭ କଲେ |ତାଂକର ପ୍ରତିଟି ବକ୍ତବ୍ୟକୁ ଶ୍ରୋତାମାନେ କରତାଳି ଦ୍ବାରା ସମର୍ଥନ ଜଣାଇଲେ |ସଭାକାର୍ଯ୍ୟ ଶେଷହେବା ପରେ ପାର୍ଟି ଗାଡିରେ ସମସ୍ତେ ଭୁବନେଶ୍ବର ଫେରି ଆସିଲେ |ପାର୍ଟି ଅଫିସରେ ରାତ୍ରୀ ଭୋଜନ ହେଲା |ନାନାପ୍ରକାର ଖୁସିଗପ ମଧ୍ୟରେ ଆନନ୍ଦ ଦାସ କହିଲେ,ଅନୁ,ଆଜିର 'ଗଣତନ୍ତ୍ର' ପେପର ଦେଖିଛୁ ?ଅନୁପମ କହିଲା,ହଁ ସାର୍ ଦେଖିଛି  |ଆନନ୍ଦ ବାବୁ କହିଲେ,ସେଥିରେ 'ବନ୍ଦେ ମାତରଂ' ପାର୍ଟିର କେହି ଜଣେ ମୋ ନାଁରେ ଗୁଡାଏ ଲେଖିଛି |ଅନୁପମ କହିଲା,ହଁ ,ମୁଁ ପଢିଛି |ତାର ଠିକଣା ଜବାବ ମୋ ପାଖରେ ଅଛି |ଯେବେ ଦେଖାହେବ,ଗୋଟାଏ ମୁଥ ମାରିବି ଯେ ତାର ସବୁଯାକ ଦାନ୍ତ ଝଡିଯିବ |ସେ ଆଉ ଦିନେ 'ପ୍ରଜାମଣ୍ଡଳ'ର କାହାରି ନାମରେ ଲେଖିବାର ଦୁଃସାହସ କରିବନି |ଆନନ୍ଦ ଦାସ ମୃଦୁ ହସି କହିଲେ,ଏତେ ଉତ୍ୟକ୍ତ ହେଲେ ଚଳିବନି |ଆମକୁ ଭାବିଚିନ୍ତି ଧିରେ ସୁସ୍ଥେ ଅଗ୍ରସର ହେବାକୁ ପଡିବ |କାରଣ କ୍ଷମତା ହାସଲ ଆମର ଏକମାତ୍ର ଉଦ୍ଦେଶ୍ୟ ନୁହେଁ |ଆମେ ଚାହୁଁ ଓଡିଶାର ସର୍ବାଂଗୀନ ଉନ୍ନତି |ଆମ ପାଇଁ ଦଳ ନୁହେଁ,ଓଡିଶାବାସୀ ବଡ଼ |ସମସ୍ତ ପ୍ରକାର ସ୍ବାର୍ଥକୁ ଉର୍ଦ୍ଧ୍ବରେ ରଖି ଆମେ କାମ କରିବା |ସେ ବରିଷ୍ଠ ପାର୍ଟି ସମ୍ପାଦକ ଶରତ ରାଉତଂକୁ କହିଲେ,ମୁଁ କାଲି ଦିଲ୍ଲୀ ଯିବି,ଫେରିବି ସତରରେ |ଅଠର ତାରିଖ ଦିନ ଆମର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ |ତୁମେ ଏହା ଭିତରେ ସମସ୍ତ ପ୍ରସ୍ତୁତି ଶେଷ କରିଥିବ |
                ଭୋଜନ ଶେଷ ହେବା ବେଳକୁ ରାତି ଗୋଟାଏ ହୋଇ ଯାଇଥିଲା |ଅନୁପମର ଆଉ ଘରକୁ ଫେରିବାକୁ ଇଛା ହେଉନଥିଲା |ତାର ମନୋଭାବ ଲକ୍ଷ୍ୟ କରି ଆନନ୍ଦ ବାବୁ କହିଲେ,ଅନୁ,ରାତି ବେଶୀ ହେଲାଣି,ତୁ ଆ' ଆମଘରେ ଶୋଇବୁ |ସଂଗେ ସଂଗେ ଅନୁପମ ରାଜି ହୋଇଗଲା |ଅନ୍ୟ କେତେଜଣ ସହକର୍ମୀଂକ ମନରେ ଈର୍ଷା ଜନ୍ମାଇ ସେ ତାଂକ କାରରେ ଉଠିଲା |
                     ଆନନ୍ଦ ଦାସ ଏକଦା ବଛା ବଛା କେତେଜଣ କୋଟିପତିଂକ ମଧ୍ୟରେ ଅନ୍ୟତମ ଥିଲେ |ସେ ନିଃସନ୍ତାନ |ପତ୍ନୀ ଅନେକ ଦିନରୁ ମୃତ୍ୟୁବରଣ କରିଛନ୍ତି |ତାପରେ ସେ ଏକପ୍ରକାର ସନ୍ୟାସ ଜୀବନଯାପନ କରୁଛନ୍ତି |ତାଂକ ଦୃଷ୍ଟିରେ  ରାଜନୀତିରେ କଳୁଷତାର ସ୍ଥାନ ନାହିଁ ଓ ଜଣେ ରାଜନୀତିଜ୍ଞର ପ୍ରଥମ ଯୋଗ୍ୟତା ହେଲା ସତଚରିତ୍ର , ଦ୍ବିତୀୟଟି ହେଲା,ନିଃସ୍ବାର୍ଥପରତା |
                   ଅନୁପମ ଗାଡିରେ ବସି ଏକପ୍ରକାର ଢୁଳାଉ ଥିଲା |ତା ନିଜ ବାଇକ ପାର୍ଟି ଅଫିସରେ ପଡି ରହିଥିଲା |ଆନନ୍ଦ ବାବୁଂକ କରସ୍ପର୍ଶରେ ତା ନିଦ ଭାଂଗିଗଲା |ସେ ମୁରୁକି ହସି ପୁଣି ଢୁଳାଇଲା |
                   ଅନୁପମ ଉପରେ ଆନନ୍ଦ ବାବୁଂକ ପ୍ରଗାଢ଼ ବିଶ୍ବାସ ଥିଲା |ଟିକିଏ ପ୍ରଶିକ୍ଷଣ ଦେଲେ ସେ ଯେ ଜଣେ ଦକ୍ଷ ନେତା ହୋଇପାରିବ,ଏ ଭରସା ତାଂକର ଥିଲା |ଘରେ ପହଁଚିବା ପରେ ଗୃହ ପରିଚାରକ ତା ପାଇଁ ଉଦ୍ଦିଷ୍ଟ ଥିବା କୋଠରୀକୁ ଖୋଲି ବିଛଣା ଚାଦର ଓ ତକିଆ ଖୋଳ ବଦଳାଇ ଦେଲା |ଅନୁପମ ବିଛଣାରେ ନିଜ ଅବଶ ଶରୀରକୁ ଲୋଟାଇ ଦେଲା |କିନ୍ତୁ ତା ଆଖିକୁ ନିଦ ଆସୁନଥିଲା |ରହି ରହି ବନହଂସୀ କଥା ବହୁତ ମନେ ପଡୁଥିଲା |ତା ଜୀବନରେ ଯେତେ ଝିଅ ଆସିଛନ୍ତି,ସମସ୍ତଂକ ଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ |ତା ଠାରେ ଉଗ୍ରତା ନାହିଁ,ବରଂ ଭରି ରହିଛି,ଏକ ସ୍ନିଗ୍ଧ କୋମଳତା |ହଠାତ ତା ମନକୁ ଭାବନା ଆସିଲା,ସେ ବନହଂସୀକୁ ବିବାହ କରିଗଲେ,କ୍ଷତି କଣ ?ତା ମନ ଅସ୍ଥିର ହୋଇ ଉଠିଲା  |ଶୋଇବାକୁ ଶତ ଚେଷ୍ଟା କରି ମଧ୍ୟ ସେ ଶୋଇପାରୁନଥିଲା |ରାତି କ୍ରମେ ବଢି ଚାଲିଥିଲା |(କ୍ରମଶଃ )
             

ନିଶୀଥ ଜ୍ୟୋତ୍ସ୍ନା (ଦୁଇ)

                           ବନହଂସୀ ଆସୁଥିଲା |ଅନେକ ଦୂରରୁ ତାକୁ ଦେଖି ଅନୁପମ ଓଠରେ ହସ ଖେଳିଗଲା |ସେ ଭାବିଲା,ଏଇ ଝିଅକୁ ସେ ପୁଣି ପ୍ରତାରିତ କରିବ !କି ଅସମ୍ଭବ କଥା !! ଏମିତି ଏକ ସରଳ ସୁନ୍ଦର ଝିଅକୁ ନିଜ ମନର ମାନସୀ ରୂପେ କଳ୍ପନା କରି ସେ କେତେ ଯେ ସ୍ବପ୍ନ ଦେଖିଛି !!!
                 ସେଦିନ ତାର ବନ୍ଧୁ ରଣଜିତ ପଚାରିଥିଲା,କିରେ ତୁ ପ୍ରକୃତରେ ବାହାହବୁ ନାଁ ଏମିତି ଫାଜିଲ ଝିଅଂକ ପଛରେ ଗୋଡେଇ ତୋ ଯୌବନ ପାହିଯିବ !ଉତ୍ତରରେ ଅନୁପମ କହିଥିଲା,ଭାବିଛି,ବାହା ହେବିନି ..କାଳେ ଯଦି ମୋ ଭଳି ମୋ ସ୍ତ୍ରୀ ହୋଇଥିବ !!ରଣଜିତ ଆଶ୍ଚର୍ଯ୍ୟ ହୋଇ କହିଥିଲା,ତୋର ଯେମିତି ଚରିତ୍ର,ତୁ କେମିତି ଭଲ ସ୍ତ୍ରୀ ପାଇବାକୁ ଆଶା କରୁଛୁ ଯେ ?ଅନୁପମ ଉତ୍ତରରେ କହିଥିଲା,ମୁଁ ଏମିତି ଏକ ସ୍ତ୍ରୀ ଚାହେଁ,ଯାହାକୁ ପାଇଲେ,ମୋ ଚରିତ୍ର ମନକୁ ମନ ସଂଶୋଧନ ହୋଇଯିବ |
               ରଣଜିତ ତାତ୍ସଲ୍ୟ କରି କହିଥିଲା,ତୁ ଯେଉଁ ପାପ କରିଛୁ,ଭଲ ଜିନିଷ ମିଳିଲେ ବି ତୁ ତାକୁ ଭୋଗ କରି ପାରିବୁନାହିଁ |...
    ସାଂଗମାନେ ଏମିତି ବହୁତ କଥା କହନ୍ତି |ତାଂକ କଥାକୁ ସେ ଗୁରୁତ୍ବ ଦିଏନାହିଁ |ଭବିଷ୍ୟତରେ କଣ ହେବ ,ସେଥିପାଇଁ ବର୍ତ୍ତମାନଠାରୁ ଚିନ୍ତାକରି ଲାଭ କଣ ?
                  ବନହଂସୀ ପହଂଚିଗଲା |ତାକୁ ହାତଘଣ୍ଟା ଦେଖାଇ କହିଲା,କେତେଟା ବାଜିଛି ଦେଖିଲ ?ମୁଁ ଘଣ୍ଟାଏ ହେଲାଣି ଅପେକ୍ଷା କରିଛି |ବନହଂସୀ ମୃଦୁ ହସି କାନଧରି କହିଲା,'ସରି' |ଅନୁପମ ହସିଲା |ତାର ମନେ ହେଉଥିଲା,ବନହଂସୀର ସରଳତା ତା ମନରେ ଥିବା ସମସ୍ତ ଆବିଳତାକୁ ଧୋଇ ନେଉଛି ଯେମିତି |ସେ ବାଇକ ଷ୍ଟାର୍ଟ କଲା |ପଛରେ ବନହଂସୀ ବସିଲା |ତାକୁ ସେ ନିଜ ଘରକୁ ନେଇ ଆସିଲା |ବ୍ୟବସାୟ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ  ତାର ପିତାମାତା ଉଭୟ ବମ୍ବେ ଯାଇଥିବାରୁ,ତା ପାଇଁ ଏହା ଥିଲା,ସୁବର୍ଣ୍ଣସୁଯୋଗ |
                 ବନହଂସୀ ଅନୁପମର ସୁଦୃଶ୍ୟ ବହୁତଳପ୍ରାସାଦ ଦେଖୁଥିଲା |ଏହାର ଚତୁଃପାର୍ଶ୍ବରେ ଏକ ସୁନ୍ଦର ଉପବନ ଘେରି ରହିଥିଲା |ତାର ମୁଗ୍ଧ ଦୃଷ୍ଟିକୁ ଚାହିଁ ହସିଲା ଅନୁପମ |କହିଲା,ଭିତରକୁ ଚାଲ,ଆହୁରି ବହୁତ ଜିନିଷ ଦେଖିବାପାଇଁ ଅଛି  |ବନହଂସୀ ପଚାରିଲା,ଘରେ କେହି ନାହାନ୍ତି?ଅନୁପମ କହିଲା,ନିହାତି ଫାଂକା ଅବଶ୍ୟ ନୁହେଁ |ଚାକର ପୂଜାରୀ ଅଛନ୍ତି ,ମାଳୀ ବି ଅଛି |ସାନଭାଇ ୟୁ.ଏସ.ଏ.ରେ ଏମ.ବି.ଏ.କରୁଛି |ମଝିଆ ଭାଇ ବାହାରକୁ ଯାଇଛି,ଯେ କୌଣସି ମୁହୂର୍ତ୍ତରେ ଆସିପାରେ |
             ବନହଂସୀ ପୁଣି ପଚାରିଲା,ମାଉସୀ ନାହାନ୍ତି ?
          ଅନୁପମ ତାର ଭ୍ରମ ସଂଶୋଧନ କରି କହିଲା,ମାଉସୀ ନୁହେଁ,କୁହ 'ଆଣ୍ଟି' |ମମ୍ ଡାଡ୍ ଦୁଇଜଣ ବମ୍ବେ ଯାଇଛନ୍ତି,ଗୋଟେ ଷ୍ଟୋର୍ ଆଇଟମ ର ମାଟେରିଆଲ୍ ଆସେସମେଣ୍ଟ ବିଷୟରେ ଡିସ୍କସନ କରିବାକୁ ,କି ଏମିତି କଣ ହୋଇଥିବ |ଅଶୋକକୁ ପଚାରିଲେ,ସେ ଡିଟେଲସ କହିଦେବ |
             ବନହଂସୀ କହିଲା,ତମେ ଘରର ବଡପୁଅ ,ଏ ବିଷୟରେ କିଛି ଜାଣିନ ??
          ଅନୁପମ କହିଲା,ଦେଖ ବୁନୁ ,ମୋର ଯେଉଁଥିରେ ଆଗ୍ରହ ନଥାଏ,ମୁଁ ସେଥିରେ ମୁଣ୍ଡ ପୁରାଏ ନାହିଁ |ପଲିଟିକସ୍ ମୋର ଫେଭୋରାଇଟ ସବଜେକ୍ଟ |କମ୍ପାନୀ କାମ ବଡ ଜଂଜାଳ |ସମସ୍ତଂକୁ ଆଜ୍ଞା ଆପଣ କହିବାକୁ ପଡିବ,ଘୁଷ୍ ଦେବାକୁ ପଡିବ,ଝାଳନାଳ ହୋଇ କମ୍ପିଟିସନ କରିବାକୁ ପଡିବ |ମୋର ସେ ଝାମେଲାରେ ପଶିବାର ନାହିଁ କି ସେ କାମ କରିବାର ନାହିଁ |
               ବନହଂସୀ ସହିତ ସେ ଉପର ମହଲାକୁ ଗଲା ଓ ସେଠାରେ ନିଜ ରୁମର ଚାବି ଖୋଲିଲା |ବନହଂସୀ କହିଲା,ଏଇଠି ମତେ ଅଣନିଃଶ୍ବାସୀ ଲାଗୁଛି |ତଳେ ଗାର୍ଡେନରେ କେତେ ସୁନ୍ଦର ଫୁଲ ଫୁଟିଛି,ଚାଲ ସେଇଠି ବସିବା |ଅନୁପମ ରୁମର୍ ତାଲା ଖୋଲି କବାଟ ଖୋଲି ସାରିଥିଲା |ସେ ବନହଂସୀ କଥାର ଉତ୍ତର ନଦେଇ,ରୁମର୍ ସବୁ ଝରକା ଖୋଲି ଦେଲା |ପ୍ରଚୁର ଆଲୋକ ଓ ପବନ ରୁମ ଭିତରକୁ ପଶିଆସିଲା |ସେ କହିଲା,ଜାଣିଛ,ମୁଁ ତମକୁ କାହିଁକି ଏଠିକି ଆଣିଛି ?ବନହଂସୀ ମୁଣ୍ଡ ହଲାଇ କହିଲା,ନାଁ-ତୁମେ କୁହ |
               ଅନୁପମ ବନହଂସୀ ମୁହଁକୁ ଗଭୀର ଭାବରେ ନୀରିକ୍ଷଣ କରି କହିଲା,ଆଛା ବୁନୁ,ମୁଁ ଯଦି ତମକୁ ଏଠାରେ ବନ୍ଦୀ କରି କିଛି ଖରାପ କାମ କରେ,ତମେ କଣ କରିବ ?ବନହଂସୀ ସ୍ମିତ ହସି କହିଲା,ତମେ ମତେ ପରୀକ୍ଷା କରୁଛ ନାଁ ?ଶୁଣ,ମୋ ଜୀବନରେ ଆଜିପର୍ଯ୍ୟନ୍ତ ସେମିତି କିଛି ଅପ୍ରୀତିକର ଦୁର୍ଘଟଣା ଘଟିନି |ଅନେକ ବିପଦ ଆସିଛି,କିନ୍ତୁ ମୁଁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛି |ମତେ ଲାଗେ ,କେଉଁ ଏକ ଅଦୃଶ୍ୟ ଶକ୍ତି ଯେପରି ମତେ ରକ୍ଷା କରି ଚାଲିଛି |ତା କଥା ଶୁଣି ଅନୁପମର ମୁହଁ ଶୁଖିଗଲା |ସେ କହିଲା,ଏସବୁ ବେକାର କଥା |ମୁଁ ଏହାକୁ ବିଶ୍ବାସ କରେନାହିଁ |ଆଛା ଆଜି ପରୀକ୍ଷା କରିବା ?
              ବନହଂସୀ ଅନୁପମ କଥା ବୁଝି ପାରୁନଥିଲା |ଅନୁପମ କିନ୍ତୁ ମତୁଆଲା ହୋଇ ଯାଇଥିଲା |ଅନେକ ତରୁଣୀଂକୁ ପ୍ରେମ କରି ସେ ପ୍ରେମର ଅର୍ଥ କେବଳ ଶଯ୍ୟାସୁଖ ବୋଲି ବୁଝିଥିଲା |ବନହଂସୀ ଯେଉଁ ସ୍ତରରେ ତାକୁ ଭଲ ପାଉଥିଲା,ତାହା ତା ନିକଟରେ ଅତି ପୁରୁଣା ହୋଇଯାଇଥିଲା |ସେ ପିପାସୁ ଦୃଷ୍ଟିରେ ବନହଂସୀକୁ ଚାହିଁଲା |କିନ୍ତୁ କିଛି ଅଘଟଣ ଘଟିବା ପୂର୍ବରୁ ଅକସ୍ମାତ ଅଶୋକ ସେଠାରେ ଆସି ପହଂଚିଲା ଓ ସେଇଠି ବସି ପଡି ଗୁଡାଏ ବାନ୍ତି କଲା |ଅନୁପମ ଦୌଡିଯାଇ ତାର ପିଠି ଆଉଁସି ଦେଲା ଓ ବନହଂସୀକୁ ପାଣିଗ୍ଲାସେ ଆଣିବାକୁ କହିଲା |ସେ ଅଶୋକକୁ ପାଣି ପିଆଇ ତା ମୁହଁ ଧୋଇଦେଲା ଓ ତାକୁ ଟେକିନେଇ ନିଜ ବେଡରେ ଶୁଆଇ ଦେଲା |ଅଶୋକ ଦେହରେ ଉତ୍ତାପ ଥିଲା ଓ ସେ ଜ୍ବରରେ  ଥରୁଥିଲା |ଅନୁପମ ତାକୁ ଚାଦର ଘୋଡାଇ ଚାକରକୁ ଡାକି ଚଟାଣ ପରିଷ୍କାର କରିବାକୁ କହିଲା |ବନହଂସୀ ସ୍ତବ୍ଧ ହୋଇ ଏସବୁ ଦେଖୁଥିଲା |ଅନୁପମ ତାକୁ କହିଲା,ପ୍ଲିଜ ଡୋଣ୍ଟ ମାଇଣ୍ଡ ବୁନୁ,ତମେ ଏକୁଟିଆ ଯାଇ ପାରିବ ?ତଳେ କିଏ ଥିବ,କହିବ ଅଟୋ ଡାକିଦେବ |
            ବନହଂସୀ କହିଲା,ତମେ ବ୍ୟସ୍ତ ହୁଅନା,ମୁଁ ଠିକ ଯାଇପାରିବି |(କ୍ରମଶଃ)

ନିଶୀଥ ଜ୍ୟୋତ୍ସା

    ( ମୋର  ପୁରୁଣା ଉପନ୍ୟାସ 'ନିଶୀଥ ଜ୍ୟୋତ୍ସ୍ନା' କିଛି ପାଠକ/ପାଠିକା ପଢିଛନ୍ତି ;ଯେଉଁମାନେ  ପଢିନାହାନ୍ତି,ସେମାନଂକ ପାଇଁ ମୋର ଏହା ଏକ ଛୋଟିଆ ପ୍ରୟାସ  |ପାଠକ/ପାଠିକାମାନଂକୁ ପଢିବାକୁ ଭଲ  ଲାଗିଲେ ମୋ ଲେଖନୀ ସାର୍ଥକ ହେବ  |)
                                                         (ଏକ )
                  ଶିଳ୍ପପତି ହିମାଂଶୁ ମିଶ୍ରଂକର ତିନି ପୁତ୍ରଂକ ମଧ୍ୟରୁ ଅନୁପମ ଥିଲା,ଜେଷ୍ଠ ପୁତ୍ର |ଅତି ମେଧାବୀ ଛାତ୍ର ନହେଲେ ମଧ୍ୟ ସେ ମାଟ୍ରିକ ପର୍ଯ୍ୟନ୍ତ ଭଲ ପଢୁଥିଲା ଓ ଅଶୀ ଶତାଂଶ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିଲା ଓ ତାପରେ କଲେଜରେ ସାଇନ୍ସ ନେଇ ପଢୁଥିଲା |କିନ୍ତୁ କଲେଜରେ ପାଦ ଦେଉ ଦେଉ ସେ କ୍ରମେ ଜଣେ ଅପ୍ରତିଦ୍ବନ୍ଦୀ ଛାତ୍ର ନେତା ହୋଇ ଉଠିଲା |ପିତାଂକର ଶତ ବାରଣ ସତ୍ତ୍ବେ ସେ ଏଥିରୁ ଓହରି ପାରିନଥିଲା |  ସେ କଲେଜ ୟୁନିଅନର ସଭାପତି ଥିଲା |ସ୍ନାତକୋତ୍ତର ଶ୍ରେଣୀରେ ମଧ୍ୟ ସେ ଏକ ନମ୍ବର ଛାତ୍ର ନେତା ଥିଲା |ପିତାଂକ ବ୍ୟବସାୟରେ ତାର ତିଳେ ମାତ୍ର ଆଗ୍ରହ ନଥିଲା |
                     କଲେଜ ଜୀବନରେ ସେ ସରିତା ନାମ୍ନୀ ଏକ ଅତି ସୁନ୍ଦରୀ ମେଧାବୀ ଝିଅକୁ ଭଲ ପାଉଥିଲା  |ବାପା ତାର ଥିଲେ,ଚିଫ୍ ମେଡିକାଲ ଅଫିସର |ଆଇ.ଏସ.ସି.ପାଶ କରିବା ବର୍ଷ ହିଁ ସରିତା ପ୍ରଥମ ଚାନ୍ସରେ ମେଡିକାଲ ପାଇଥିଲା  |ଅନ୍ୟପକ୍ଷରେ ଅନୁପମ ତୃତୀୟ ଶ୍ରେଣୀରେ ପାଶ୍ କରିଥିଲା |ଲଜ୍ଜାରେ କିଛିଦିନ ସେ ସରିତାକୁ ମୁହଁ ଦେଖାଇପାରିନଥିଲା |ତାପରେ ସରିତା ତାକୁ ପ୍ରତ୍ୟାଖାନ କରିଥିଲା |ଅନୁପମ ବରଂ ଏଥିରେ ଆନନ୍ଦିତ ହୋଇଥିଲା ;କାରଣ ସରିତା ତାକୁ ଅନେକ ଜଂଜାଳରୁ ମୁକ୍ତ କରିଥିଲା |
                   ଅନୁପମ ଯେଉଁ ପରିବାରରେ ଜନ୍ମ ଗ୍ରହଣ କରିଥିଲା,ସେହି ପରିବାରରେ ସମସ୍ତେ ଜୀବନକୁ ଉପଭୋଗ କରିବାକୁ ଶିଖିଥିଲେ |ଅନୁପମ ଶରୀରରେ ସେହି ରକ୍ତ ପ୍ରବାହିତ ହେଉଥିଲା |ଦିନେ ଚନ୍ଦ୍ରିକା କହିଥିଲା,ମୁଁ ତମକୁ ବହୁତ ଭଲପାଏ ........|ଅନୁପମ ଶେଷ ମୁହୂର୍ତ୍ତରେ କେବଳ ହସିଥିଲା |ସେ ହସ ତା ନିଜକୁ ମଧ୍ୟ ନିଷ୍ଠୁର ମନେ ହୋଇଥିଲା |ଉତ୍ତରରେ ସେ କେବଳ ଏତିକି କହିଥିଲା,ଭଲପାଇବା କଣ ସେ ଜାଣିନି,ବୁଝିନି | ଏହାପରେ  ମଲ୍ଲୀ,ଜୁଇ,ରଜନୀଗନ୍ଧା ଇତ୍ୟାଦି ଅନେକ  ଫୁଲ ତା ଜୀବନ ବଗିଚାରେ ଫୁଟିଛନ୍ତି,ସେମାନଂକ ନାଁ ମନେ ରଖିବା ସେ ଆବଶ୍ୟକ ମନେ କରିନି |ଏ ଗୋଟିଏ ନିଶା |ନିଶା ଥିବାବେଳେ ସବୁ ଭଲଲାଗେ,ନିଶା ଛାଡିଗଲେ,ସବୁ ଭୁଲି ହୋଇଯାଏ |
               ସେଦିନର ଘଟଣା ଅଲଗା ଥିଲା | ସେଦିନ  ପାର୍ଟି କାମରେ କଟକ ଯାଇ ,ସେଠାରେ କାମ ଶେଷକରି ସେ  ବସରେ ଭୁବନେଶ୍ବର ଫେରୁଥିଲା |ତା ସହିତ ପାର୍ଟିର ଆଉ ଦୁଇଜଣ ସମବୟସ୍କ କର୍ମୀ ଥିଲେ  |ଯିବା ବାଟରେ ଏକ ଷ୍ଟପେଜରେ କେତେଜଣ ତରୁଣୀ ବସକୁ ଉଠିଲେ | ସେମାନଂକ ମଧ୍ୟରେ ଅପୂର୍ବ ସୁନ୍ଦରୀ ବନହଂସୀକୁ ଆବିଷ୍କାର କରି ସେ ଚଂଚଳ ହୋଇ ଉଠିଲା |ଏକ ପାଷାଣ ପ୍ରତିମା ଜୀବନ୍ୟାସ ପାଇଛି ଯେପରି |ଫିକା ବାଇଗଣୀ ରଂଗର ସାଲୁଆର ସୁଟ ସାଂଗକୁ ଗାଢ଼ ବାଇଗଣୀ ରଂଗର ଉତ୍ତରୀ |ଲମ୍ବା ବେଣୀରେ ଏକ ଅର୍ଦ୍ଧ ପ୍ରସ୍ଫୁଟିତ ଗୋଲାପ ଫୁଲ |ଓଠରେ ଫିକା ହସ,ଯାହା ତା ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିଲା |ସେ ଅନୁମାନ କଲା,ସେମାନେ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଛାତ୍ରୀ ହେବେ ନିଶ୍ଚୟ |ସେଇକ୍ଷଣି ତା ମୁଣ୍ଡରେ ଏକ ଦୁଷ୍ଟ ବୁଦ୍ଧି ଖେଳିଗଲା |ସେ ଆସ୍ତେକରି ତାର ଆଗ ସିଟରେ ବସିଥିବା ବନହଂସୀର କବରୀରୁ ଫୁଲଟିକୁ କାଢିନେଲା ଏବଂ ତାକୁ ସମସ୍ତଂକ ଆଗରେ ଦେଖାଇ ହାତରେ ଖେଳି ଖେଳି ତଳକୁ ଓଲ୍ହାଇ ଗଲା |ବନହଂସୀ ଏକଥା ଜାଣିପାରିଥିଲା |କିନ୍ତୁ ଅନୁପମର ଦୁର୍ଦ୍ଦାନ୍ତ ଚେହେରା ଦେଖି ପ୍ରତିବାଦ କରିବାକୁ ସାହସ କରିପାରିନଥିଲା |ପରଦିନ ନିଜ ବାଇକରେ ଯାଇ ମହିଳା କଲେଜ ପାଖାପାଖି ତିନି ଚାରି ରାଉଣ୍ଡ ମାରିବା ପରେ ବନହଂସୀର ଦେଖା ପାଇଲା |ସେମାନେ ଏକତ୍ର ହୋଇ ବସ ଷ୍ଟପେଜ ନିକଟକୁ ଆସୁଥିଲେ |ଅନୁପମ ବନହଂସୀ ନିକଟକୁ ଯାଇ ବାଇକର ବ୍ରେକ କଷିଦେଲା |ଦଳକ ଯାକ ଝିଅ ଚମକି ପଡି ଘୁଂଚି ଗଲେ |ଏଇ ଅବସରରେ ଫୁଲଟି ବନହଂସୀକୁ ଦେଇ ସେ କହିଲା,ଏକ୍ସକ୍ୟୁଜ୍ ମି,ଫୁଲଟା ଫେରେଇ ଦେଲି |ତାପରେ ସେ ସାଂଗେ ସାଂଗେ ବାଇକ ଷ୍ଟାର୍ଟ କରି ଚାଲିଗଲା |ଅନେକ ତରୁଣୀଂକ ସହ ସମ୍ପର୍କ ସ୍ଥାପନ କରି ଅନୁପମ ସେମାନଂକ ମନସ୍ତତ୍ତ୍ବ ସମ୍ବନ୍ଧରେ ଖୁବ୍ ଭଲ ଭାବରେ ଅବଗତ ଥିଲା |ତେଣୁ ବନହଂସୀକୁ କାବୁ କରିବାକୁ ତାକୁ ବେଶୀ ଡେରି ଲାଗିନଥିଲା |
              ବନହଂସୀ ଥିଲା ଯୁକ୍ତ ତିନି କଳାର ଛାତ୍ରୀ |ଏକ ମଧ୍ୟବିତ୍ତ ପରିବାରର ଦ୍ବିତୀୟା କନ୍ୟା ଥିଲା ସେ |ତା ସହିତ ମାତ୍ର କେତୋଟି ଦିନର ପରିଚୟ ପରେ ଅନୁପମ ଜାଣି ନେଇଥିଲା ଯେ ସେ ଭୁଲ ଜାଗାରେ ଆସି ପହଂଚିଛି |କାରଣ ଅନୁପମର ସମ୍ପୂର୍ଣ୍ଣ ବିପରୀତ ସ୍ବଭାବ ଥିଲା ବନହଂସୀର |ସୁନ୍ଦର ଚେହେରା ସହିତ ସେ ଥିଲା,ଫୁଲ ପରି ନିଷ୍ପାପ ଓ ନମ୍ର |ଅନ୍ୟ ଝିଅମାନଂକ ପରି ସେ ଯେପରି ପରିଚୟ ପରେ ଖୁବ୍ ଶୀଘ୍ର ଅନ୍ତିମ ଆଡକୁ ଅଗ୍ରସର ହୋଇଯାଏ,ଏଥରକ ସେପରି ହୋଇ ପାରିଲାନି |ଅନ୍ୟପକ୍ଷରେ ପାର୍ଟି କାମପାଇଁ ସେ ସବୁବେଳେ ବ୍ୟସ୍ତ ରହୁଥିଲା |ତାର ପାର୍ଟି ବିଧାନସଭାରେ ବିରୋଧୀ ଦଳ ଥିଲା |ପାର୍ଟିକୁ ସୁଦୃଢ କରିବା ପାଇଁ ଦଳନେତାଂକ ଅନେକ ଗସ୍ତ କାର୍ଯ୍ୟରେ ସେ ସମ୍ପୃକ୍ତ ରହୁଥିଲା |ତାପରେ ଦୁର୍ଭିକ୍ଷ,ବାତ୍ୟା,ବନ୍ୟା,ଘରପୋଡି,ବିବାହ,ବ୍ରତ ଆଦିରେ ସାହାଯ୍ୟ ଦେବା,ବିଭିନ୍ନ ପ୍ରକାର ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିବା ଇତ୍ୟାଦି ଅନେକ କାର୍ଯ୍ୟର ଦାୟିତ୍ତ୍ବ ତାକୁ ନେବାକୁ ପଡୁଥିଲା |କାରଣ ତାର ଅନେକ ବଦଗୁଣ ସତ୍ତ୍ବେ ସେ ଜଣେ ନିଷ୍ଠାପର ଓ ସଚ୍ଚୋଟ କର୍ମୀ ଥିଲା ଯେଉଥିପାଇଁ ଦଳର ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଦାସଂକର ଅତ୍ୟନ୍ତ ବିଶ୍ବାସଭାଜନ ଓ ପ୍ରିୟପାତ୍ର ଥିଲା |ବିଧାନସଭାର କାର୍ଯ୍ୟକାଳ ଆଉ ଦୁଇବର୍ଷ ବାକିଥିଲା |ତେଣୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଦଳର ପ୍ରଥମ ତଥା ପ୍ରଧାନ କାର୍ଯ୍ୟ ଥିଲା ଓ ଏଥିପାଇଁ ଦଳର ସମସ୍ତ କର୍ମୀ ଏକଜୁଟ ହୋଇ କାର୍ଯ୍ୟ କରିବା ମଧ୍ୟ ନିହାତି ଜରୁରୀ ଥିଲା |
                  ଏସବୁ ଭିତରେ ବି ଅନୁପମ ସମୟ କରି ବନହଂସୀକୁ ଦେଖା କରୁଥିଲା |ତାର ସୌନ୍ଦର୍ଯ୍ୟ ଓ ସରଳତା ପାଖରେ ସେ ହାର ମାନିଥିଲା |ଅନୁପମ ପୁଣି ପ୍ରେମରେ ପଡିଯାଇଛି ଶୁଣି ତାର ଅନେକ ଘନିଷ୍ଠ ବନ୍ଧୁ ତାକୁ ସତର୍କ କରାଇ କହିଥିଲେ,ବନହଂସୀ ଯେମିତି ଝିଅ,ତୋ ପ୍ରତାରଣା ସାହି ନପାରି ଆତ୍ମହତ୍ୟା କରିଦେବ |ତୁ ପୁଣି ସେ ଦୁର୍ବୁଦ୍ଧି କରନା |କାରଣ ଅତୀତରେ ଏମିତି ଏକ ଗଣ୍ଡଗୋଳିଆ ପରିସ୍ଥିତିରେ ଗୋଟିଏ ଝିଅ ଆତ୍ମହତ୍ୟା କରିଥିଲା ଯେଉଥିପାଇଁ ତା ବିରୁଦ୍ଧରେ ଝିଅଘର କୋର୍ଟରେ କେଶ୍ କରିଥିଲେ ଓ ସେ ଏଥିପାଇଁ ଅନେକ ବଦନାମ ମଧ୍ୟ ହୋଇଥିଲା |ପରେ ପିତାଂକ ଉଭୟ ଆର୍ଥିକ ଓ ରାଜନୈତିକ ଚାପ ଯୋଗୁଁ ଅନେକ କଷ୍ଟରେ ସେ ସେଥିରୁ ମୁକ୍ତ ହୋଇଥିଲା ଯଦିଓ ସେ ଦୋଷୀ ନୁହେଁ ବୋଲି ସବୁବେଳେ ଯୁକ୍ତି କରି ଆସିଛି |(କ୍ରମଶଃ )
                     
             
                 
                        

Saturday, December 14, 2019

ପଡୋଶୀ

                        ରାତି ପାହିଲେ ଛାତ ଉପରେ ପ୍ରକାଶ ଓ ସୁଧୀରଂକ ଦେଖାଚାହାଁ ହେଉଥିଲା  ;ଦୁହେଁ ଦୁହିଁକୁ ସୁପ୍ରଭାତ କହୁଥିଲେ  ଓ ଅଳ୍ପ କିଛି ବାର୍ତ୍ତାଳାପ ପରେ ନିଜ ନିଜର ନିତ୍ୟକର୍ମ କରିବାକୁ ଚାଲି ଆସୁଥିଲେ  |ଦୁଇ ବିପରୀତମୁଖୀ ଟୁ ଆର ଏ ,ଦ୍ୱିତାଲା   ଆପାର୍ଟମେଣ୍ଟରେ ଦୁହେଁ ଉପର ମହଲାରେ ରହୁଥିଲେ  |ବାଡିପଟ ଝରକା ଖୋଲି ପ୍ରାୟ ବେଳେ ଦୁହିଂକ ସହଧର୍ମିଣୀ ମେଘା  ଓ ଗୀତା କଥା ହେଉଥିଲେ   |ଦୁଇ ବନ୍ଧୁ ନିଜ  ସୁବିଧା ଅନୁସାରେ ଅଫିସ ଯାଉଥିଲେ  କିନ୍ତୁ ଅଫିସ ଛୁଟି ହେବାପରେ ଦୁହେଁ ନିଶ୍ଚିତଭାବରେ ଏକା ସାଂଗରେ ଅଫିସରୁ ଫେରୁଥିଲେ   |ଜଣକର କିଛି କାମ ଥିଲେ,ସେ ଅନ୍ୟ ଜଣକ ପାଇଁ ଅପେକ୍ଷା କରୁଥିଲେ  |ସେକ୍ରେଟାରୀଏଟ ରେ ଏକା ଡିପାର୍ଟମେଣ୍ଟରେ ଦୁହେଁ ବରିଷ୍ଠ ସହାୟକ ଥିଲେ |ସୁଧୀରଂକ ଆପାର୍ଟମେଣ୍ଟ ପଛରେ ପ୍ରକାଶଂକ ଆପାର୍ଟମେଣ୍ଟ ଥିଲା |ଜଣେ ଜଣକ ଘରକୁ ଯିବାର ହେଲେ  ପ୍ରାୟ ଦଶ ମିନିଟର ରାସ୍ତା ଚାଲିବାକୁ ପଡୁଥିଲା |କିଛି ମାସ ପରେ ପ୍ରକାଶଂକ ପାଖ ଫ୍ଲାଟ୍ ଟି ଖାଲି ହେବାର ଥିଲା | ସେଇଟି ନେଇ ପ୍ରକାଶଂକ ଘର ପାଖରେ ରହିବା ପାଇଁ ସୁଧୀରଂକ ଭାରି ଇଚ୍ଛା ଥିଲା |ସେଥିପାଇଁ ସେ ବହୁତ ଚେଷ୍ଟା ମଧ୍ୟ କରୁଥିଲେ |କିନ୍ତୁ ଶେଷ ମୁହୁର୍ତ୍ତରେ ସେଇ ଘରଟି ଅନ୍ୟ ଡିପାର୍ଟମେଣ୍ଟର ଆଉ ଜଣେ ଯୋଗାଡିଆ ବ୍ୟକ୍ତି,ବିନୟ ବାବୁଂକୁ ଆଲଟ ହୋଇଗଲା |
                ବିନୟ ବାବୁଂକ ଦୁଇ ବିବାହ ଯୋଗ୍ୟା ଝିଅ ଓ ଗୋଟିଏ ପୁଅ ଥିଲେ |ପୁଅ ବିଜୁ ବି.ଏ.ପାଶ କରି ବେକାର ଥିଲା | ଅବସର ପୂର୍ବରୁ ଗୋଟିଏ ଝିଅ ଓ ଅବସର ପରେ ଅନ୍ୟ ଝିଅଟିର ବିବାହ କରିବାକୁ ତାଂକର ଯୋଜନା ଥିଲା |କିନ୍ତୁ ଅର୍ଥାଭାବ ଯୋଗୁଁ ତାହା ସମ୍ଭବପର ହୋଇପାରୁ ନଥିଲା |ସେମାନଂକ  ମେଳାପୀ ସ୍ଵଭାଵ  କାରଣରୁ ଖୁବ୍ କମ ଦିନରେ ସୁଧୀରଂକ ପରିବାରକୁ  ପଛରେ ପକେଇ , ଦେଖୁ ଦେଖୁ  କେତେ ଜନ୍ମର ସମ୍ପର୍କ ପରି ଦୁଇ ପରିବାର ମଧ୍ୟରେ ଘନିଷ୍ଠ ବନ୍ଧୁତା ଗଢି ଉଠିଲା |ସୁଧୀର ଏହା ଦେଖି ଭାରି ମନଦୁଃଖ କରୁଥିଲେ ଓ ବେଳେବେଳେ କହି ପକାଉ ଥିଲେ,ଭାଇ,ଟିକେ ହୁସିଆରରେ ଚଳୁଥିବ |ପ୍ରକାଶ ବି ତାଂକୁ ସେହିପରି ଢଂଗରେ ଉତ୍ତର ଦେଉଥିଲେ,ଭାଇ,ତମେ ବି ଟିକେ ହିଂସା କରିବା ପ୍ରକୃତି ଛାଡିଦିଅ  | ଦୁଇ ଘରେ ଯାହାବି ରନ୍ଧା ହେଉଥିଲା,ସମସ୍ତେ ଭାଗ ବାଣ୍ଟି ଖାଉଥିଲେ |ବିନୟଂକ ସ୍ତ୍ରୀ ନୀତା, ମେଘାଂକୁ ଭାଉଜ ବୋଲି ଡାକୁଥିଲେ  ଓ ମେଘା ମଧ୍ୟ ନିଜ ନଣନ୍ଦ ପରି ତାଂକୁ ବହୁତ ଭଲ ପାଉଥିଲେ | ବିଜୁର ପ୍ରକାଶଂକ ଘରେ ଅବାଧ ପ୍ରବେଶ ଥିଲା ଓ ସେ ତାଂକ ବୋଲହାକ କରିବାକୁ ଭାରି ଭଲ ପାଉଥିଲା |ପ୍ରକାଶଂକ  ଏକମାତ୍ର ଝିଅ ମାନାର ବାହାଘରପାଇଁ  ଲୁଗାକିଣା ଠାରୁ ଆରମ୍ଭ କରି ଗହଣା କିଣା ପର୍ଯ୍ୟନ୍ତ ସବୁଥିରେ ମେଘାଂକ ସହିତ  ନୀତା ଥିଲେ |ବାହାଘର ଦିନ ବିନୟଂକ ପରିବାରର ସମସ୍ତ ସଦସ୍ୟ ରାତି ଅନିଦ୍ରା ହୋଇ ସାହାଯ୍ୟ ସହଯୋଗ କରିଥିଲେ |ଅତିଥି ମାନେ ଦେଉଥିବା ଗିଫ୍ଟ ର ତାଲିକା ସାନଝିଅ ବିନି ଲେଖୁଥିଲା |ସବୁକିଛି ଠିକ ଠାକ୍ ଚାଲିଥିବାବେଳେ ବର ଆସିବାବେଳକୁ ସୁନା ଜିନିଷ ଥିବା ଗିଫ୍ଟ ବ୍ୟାଗ ମିଳି ନଥିଲା |ବହୁତ ଖୋଳତାଡ ହେବା ପରେବି ସୁନା ଥିବା ବ୍ୟାଗ କୁଆଡେ ଗଲା,କେହି ଜାଣିପାରି ନଥିଲେ  |ସୁଧୀର ସେତେବେଳେ କହିଥିଲେ,ଟିକିଏ ପଡିଶାଘର ପ୍ରତି ନଜର ରଖ |କିନ୍ତୁ ସେସବୁ  ଠାଉରିଆ ଚୋରଂକ କାର୍ଯ୍ୟ  ଭାବି ସେମାନେ କପାଳକୁ ନିନ୍ଦି ନୀରବ ରହିଥିଲେ |
               ମେଘା ସର୍ବଗୁଣସମ୍ପନ୍ନା ଥିଲେ |ଘରର ସବୁକାମ କରିବା ବ୍ୟତିତ ସେ ଗାଁ କଥା ମଧ୍ୟ ବୁଝୁଥିଲେ |ନିଜେ ଗାଁକୁ ଯାଇ ଚାଉଳ,ମୁଗ,ବିରି ଇତ୍ୟାଦି ଆଣୁଥିଲେ |ସେଥିରୁ କିଛି ଝିଅ ମାନାକୁ  ଦେବା ପରେ, ଅର୍ଦ୍ଧାଧିକ ବିନୟଂକ ଭାଗରେ ପଡୁଥିଲା | କଲୋନୀର ପଚାଶରୁ ଉର୍ଦ୍ଧ୍ୱ  ସଦସ୍ୟାଂକୁ ନେଇ ମେଘା ଏକ ଚିଟଫଣ୍ଡ ସଂସ୍ଥା ସୁଚାରୁ ରୂପେ ଚଳାଉ ଥିଲେ |ସଦସ୍ୟା ମାନେ ସେଥିରୁ ୠଣ ନେଉଥିଲେ ଓ ପ୍ରତି ମାସରେ ତାହାକୁ କିସ୍ତି ହିସାବରେ ପରିଶୋଧ କରୁଥିଲେ |ବର୍ଷ ଶେଷରେ ଦଶହରାକୁ ସଦସ୍ୟାମାନେ ମୂଳ ଟଂକାର ଦୁଇଗୁଣରୁ ଅଧିକ ଲାଭାଂଶ ପାଇ ଖୁସି ହୋଇ ଯାଉଥିଲେ |ବାହାଘରରେ ମେଘା  ମାନାକୁ ଦଶଭରି ପାଖାପାଖି ସୁନା ଅଳଂକାର ଦେଇଥିଲେ |ତାର ଶାଶୁ ମଧ୍ୟ ସୁନା ହାର,ଚୁଡି ଓ କାନଫୁଲର ଏକ ସୁନ୍ଦର ସେଟ ଦେଇଥିଲେ | ସେମାନେ ରହୁଥିବା ଭଡାଘରେ ଚୋରୀ ହୋଇଯିବା ଭୟରେ ମାନା ଅଳ୍ପକିଛି ପିନ୍ଧି ବାକି ସବୁ ମେଘାଂକ ପାଖରେ ରଖିଥିଲା |ଯେତେବେଳେ ଅଳଂକାର ପିନ୍ଧିବାର ଆବଶ୍ୟକତା ପଡୁଥିଲା,ସେ ମେଘାଂକ ପାଖରୁ ଆଣି ପିନ୍ଧୁଥିଲା ଓ ଫେରିବାବେଳେ ତାକୁ ରଖିଦେଇ ଆସୁଥିଲା |ସବୁଦିନ ପରି ସେଦିନ ପ୍ରକାଶ ଅଫିସ ଯିବାପରେ,  ମେଘା ବାହାର ଦରଜା ବନ୍ଦ କରି ଛାତ ଉପରକୁ ଲୁଗା  ଶୁଖାଇବାକୁ ଗଲେ |ସାଂଗେ ସଂଗେ ଲୁଗା ଶୁଖାଇ ଆସୁଥିବାରୁ,ସେ ସବୁବେଳେ କବାଟରେ ତାଲା ନଦେଇ,କେବଳ ବାହାରପଟେ କିଳିଣି ଦେଇ ଯାଉଥିଲେ  |ସେଦିନ ମଧ୍ୟ ସେ ସେହିପରି କଲେ ଓ ଲୁଗା ଶୁଖେଇ ଫେରିବାବେଳକୁ ହଠାତ୍  ନୀତା  ତାଂକ ପାଖରେ ପହଂଚି ଗପ ଜମେଇ ଦେଲେ |ଯେତେଥର ମେଘା ଘରକୁ ଆସିବାକୁ କହୁଥିଲେ,ନୀତା ଟିକିଏ ରୁହ କହି ଅଟକାଇ ଦେଉଥିଲେ |କେତେବେଳେ ମେଘାଂକ ମନେପଡିଲା,,ସେ ଗ୍ୟାସରେ କ୍ଷୀର ବସେଇ ଦେଇଛନ୍ତି,ଚୁଲା ବନ୍ଦ କରିବାକୁ ମନେନାହିଁ |ସେଇକଥା ନୀତାଂକୁ କହି ସେ ତର ତର ହୋଇ ଘରକୁ ଚାଲିଆସିଲେ |କବାଟ ଖୋଲି ରୋଷେଇ ଘରକୁ ଯାଇ ସେ ପ୍ରଥମେ ଗ୍ୟାସ ଚୁଲା ଅଫ କଲେ ଓ ବେଡରୁମକୁ ଆସି ବିଛଣା ଉପରେ ଗୋଡ଼ ଲମ୍ବେଇ ବସିବା ବେଳକୁ ଦେଖିଲେ,ଆଲମିରା ଖୋଲା ଅଛି |ସେ ତତକ୍ଷଣାତ୍ ଉଠି ଆଲମିରା ଖୋଲି ଦେଖିଲେ ,ଲକର ଖୋଲା ଅଛି ଓ ସେଥିରେ ଥିବା ସୁନାଗହଣା ନାହିଁ |ସେ ପାଗଳ ପ୍ରାୟ ହୋଇ ନୀତାଂକୁ ଡାକିଲେ |ନୀତା କହିଲେ,ଆମେ ଗପୁଥିବା ବେଳେ ବୋଧେ କେହି ଆସି ନେଇ ଯାଇଛି |ଖବର ପାଇ ପ୍ରକାଶ, ସୁଧୀରଂକ ସହ  ଆସି ପହଂଚିଲେ | ପୋଲିସକୁ ମଧ୍ୟ ଖବର ଦିଆଗଲା |ପୋଲିସ ଆସି କେତେଗୁଡିଏ ପଏଣ୍ଟ ଉପରେ ପ୍ରଶ୍ନ ପଚାରିଲା ;ସୁନାଗହଣା ବ୍ୟାଂକ ଲକରରେ କାହିଁକି ରଖା ଯାଇନଥିଲା ,ସୁନା ସେଠାରେ ରହିଛି ବୋଲି ଆଉ କିଏ କିଏ ଜାଣିଥିଲେ ,ସେ ବାହାରୁ କିଳିଣି ମାରି ସବୁଦିନ ଯାଆନ୍ତି ନାଁ କେବଳ ସେହିଦିନ ଯାଇଥିଲେ,ତାଂକର କାହା ଉପରେ ସନ୍ଦେହ ହେଉଛି ଇତ୍ୟାଦି ଇତ୍ୟାଦି | ଉତ୍ତରରେ ପ୍ରକାଶ କହିଲେ,ଆମ ଦୁଆର ସବୁବେଳେ ସମସ୍ତଂକ ପାଇଁ ଖୋଲା ଥାଏ ଓ  ଆମ ଘରର ସବୁ ସନ୍ଧି ସମସ୍ତଂକୁ ଜଣା |ଆଉ କେତୋଟି ପ୍ରଶ୍ନ ପଚାରି ପୋଲିସ ପ୍ରକାଶଂକୁ ଥାନାକୁ ଆସିବାକୁ କହି ଚାଲିଗଲା |ସୁଧୀର ସେଠାରେ ରହି ସବୁକଥା ଶୁଣୁଥିଲେ |ବିନୟଂକ ପରିବାରର ପ୍ରକାଶଂକ ଘରେ ଅବାଧ ଚଳପ୍ରଚଳ,ଘଟଣା ଦିନ ନୀତା ମେଘାଂକୁ ଅକାରଣେ ଛାତ ଉପରେ ଅଟକାଇ ରଖିବା,ସୁନାଗହଣା ଚୋରୀ ହେବା ଓ ତାପରେ ବିଜୁର ଦେଖା ନମିଳିବା,ସବୁ କେମିତି ତାଂକୁ ଅଜୀବ ଲାଗୁଥିଲା |
                        ସମସ୍ତେ ଯିବାପରେ ମାନାର ସୁନାଗହଣା କେମିତି ଫେରାହେବ ବୋଲି ମେଘା ପଚାରିବାରୁ ପ୍ରକାଶ କହିଲେ,ସମସ୍ୟା ତୁମେ ସୃଷ୍ଠି କରିଛ,ସମାଧାନ ତୁମକୁ ହିଁ କରିବାକୁ ପଡିବ,ମୁଁ ତମକୁ ଗୋଟିଏ ଟଂକାର ସାହାଯ୍ୟ କରି ପାରିବି ନାହିଁ |ମେଘା ଏ ବିଷୟରେ ବହୁତ ଭାବି ନିଜର କର୍ତ୍ତବ୍ୟ ପନ୍ଥା ସ୍ଥିର କରିନେଲେ |ସେ ତାଂକ ଚିହ୍ନା ସୁନାଦୋକାନୀକୁ ସମୁଦୁଣୀ ଦେଇଥିବା ଅବିକଳ ସେଇ ଡିଜାଇନର ଗହଣା ସେଟ ପାଇଁ ଅର୍ଡର ଦେଲେ |ଗହଣା ତିଆରି ହୋଇ ସାରିବା ପରେ, ସେଟ ସହିତ ତାଂକର ନିଜ ସୁନା ଗହଣା ମିଶାଇ ମାନାକୁ ଦେଇଦେଲେ ଓ କହିଲେ,ଆଉ ଯାହା ରହିଲା,ଧୀରେ ଧୀରେ ଦେଇଦେବି |ଦଶହରା ପୂର୍ବରୁ ଚିଟଫଣ୍ଡ ଟଂକା ନେବାପାଇଁ ସମସ୍ତେ ମିଟିଂ ଡାକିବାକୁ କହିଲେ |କିନ୍ତୁ ମେଘା ଯେତେବେଳେ ଆଜି କାଲି କହି ଦିନ ଗଡେଇ ଚାଲିଲେ,ସେତେବେଳେ ସମସ୍ତଂକ ମନରେ ସନ୍ଦେହ ସୃଷ୍ଟି  ହେଲା |ସେମାନେ ଦଳ ଦଳ ହୋଇ ଆସି ପ୍ରତ୍ୟେକ ଦିନ ତାଂକ ଘରେ ହଂଗାମା କଲେ |ମେଘା ପ୍ରକାଶଂକୁ ନେହୁରା ହୋଇ କହିଲେ,ଚିଟଫଣ୍ଡ ଟଂକା ମୁଁ ଖର୍ଚ୍ଚ କରି ଦେଇଛି,ମତେ ଲକ୍ଷେ ଟଂକା ଦିଅ,ନହେଲେ ମୁଁ ବେଜ୍ଜିତ ହୋଇଯିବି |ପ୍ରକାଶ କହିଲେ,ଖର୍ଚ୍ଚ କରିବାପୂର୍ବରୁ ମତେ ପଚାରିନଥିଲ,ଏବେ କାହିଁକି ପଚାରୁଛ ??ଯାହା ଇଚ୍ଛା ତାହା କର,ମତେ କିଛି କୁହନା |
                        ସେଦିନ ରାତିସାରା ମେଘାଂକ ଆଖିକୁ ନିଦ ଆସିଲା ନାହିଁ |ସେ ଯେତେ ଭାବୁଥିଲେ,ତାଂକ ଆଖିରୁ ସେତେ ଲୁହଧାରା ଝରି  ଯାଉଥିଲା |ରାତି ତିନିଟା ବେଳକୁ ଉଠି ସେ ତାଂକର ନିତ୍ୟକର୍ମ ଶେଷକରି ଠାକୁର ପୂଜା କଲେ |ପ୍ରକାଶଂକ ପାଇଁ ଚା ତିଆରି କରି ଫ୍ଲାସ ରେ ରଖିଲେ ,ବ୍ରେକଫାଷ୍ଟ ଓ ଲଂଚ ତିଆରି କରି ସବୁ ସଜାଡି ରଖିଦେଲେ |ପ୍ରକାଶ ଉଠିବା ପରେ ତାଂକୁ କହିଲେ,ମୁଁ ଗାଁକୁ ଯାଉଛି ,ଚାବି ଏଇଠି ଟଂଗା ହୋଇଛି |ପ୍ରକାଶ କହିଲେ, ଗାଁରେ ଶୀତ ପଡିଛି,ତମର ଶାଲ୍ ଓ ସ୍ଵେଟର  ନେଇଯିବ |ତାଂକ କଥା ଶୁଣି ମେଘାଂକ ଆଖିରୁ ଦୁଇଧାର ଲୁହ ଝରିଗଲା |ସେ ତାକୁ ସନ୍ତର୍ପଣରେ ପୋଛି, ହଉ  କହି ଗାଁକୁ  ଚାଲିଗଲେ |ସଂଧ୍ୟାରେ ଗାଁରୁ ଖବର ଆସିଲା,ତାଂକ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ଲେଖି,ମେଘା ଆତ୍ମହତ୍ୟା କରିଛନ୍ତି |
         ଏହି ଦୁର୍ଘଟଣାର ଚାରିମାସ ପରେ,ସୁଧୀରଂକ ଆଶଂକାକୁ ସତ୍ୟ ପ୍ରମାଣିତ କରି , ବିନୟଂକ ବଡଝିଅର ବାହାଘର ଖୁବ୍ ଧୁମଧାମରେ ଅନୁଷ୍ଠିତ ହେଲା |ଇତି ମଧ୍ୟରେ ଅନେକ ବର୍ଷ ବିତି ଗଲାଣି |ଆଜିବି ସୁଧୀର ତାଂକର ଅତିପ୍ରିୟ ମେଘାଅପାଂକୁ ବହୁତ ମନେ ପକାନ୍ତି ଆଉ ଭାବନ୍ତି,ଯଦି ପ୍ରକାଶଂକ  ପାଖଘରଟି ବିନୟଂକ ବଦଳରେ ତାଂକୁ ମିଳି ଥାଆନ୍ତା ତାହେଲେ ହୁଏତ ତାଂକ ଅପା  ଆଜି ପର୍ଯ୍ୟନ୍ତ ବଂଚି ଥାନ୍ତେ ଓ ତାଂକ ଅନାବିଳ ସ୍ନେହ ଶ୍ରଦ୍ଧାରେ ସେ ନିଜକୁ ଧନ୍ୟ ମଣୁଥାନ୍ତେ |...ମମତା ମହାନ୍ତି |           |
                

Monday, November 18, 2019

ସ୍ୱାମୀଙ୍କ ପ୍ରିୟ

                       ପୁଅ ଦୁଇଟି ଛୋଟ ଥିବାବେଳେ ରମାର ସ୍ୱାମୀଙ୍କ  ଅକାଳ ବିୟୋଗ ଘଟିଥିଲା  | ଗାଁରେ ସେମାନଂକର ସଂଯୁକ୍ତ ପରିବାର ଥିଲା  |ଗାଁରେ  ରହିଲେ, ପିଲାଂକୁ ମଣିଷ କରିପାରିବ ନାହିଁ ଭାବି, ସେ ନିଜ ଭାଗର କିଛି ଜମି ବିକ୍ରୀ କରି ସହର ପାଖାପାଖି ଏକ ଅଂଚଳକୁ ଆସି  ସେଠାରେ ଏକ ବଖୁରିଆ ଏକ ପୁରୁଣା ଘର କିଣି  ରହିବାକୁ ଲାଗିଲା |ସ୍ୱାମୀଙ୍କ  ଠାରୁ ଶିଖିଥିବା ସୁଧ କାରବାର ତା ରୋଜଗାରର ଉତ୍ସ ଥିଲା |ରମା ସ୍ୱଭାବରେ  ଖୁବ୍ ଦୃଢମନା ଓ କଡାମିଜାଜର ଥିଲା ଓ ପିଲାମାନଂକୁ ସେ କଠୋର ଶୃଂଖଳାରେ ରଖିଥିଲା |ତାର କଡାଶାସନ ଦେଖି ସେଠାରେ ଥିବା ସାଇପଡିଶା ତାକୁ ମଜାରେ 'ଷ୍ଟ୍ରିକ୍ଟ ବୋଉମା' ବୋଲି ଡାକୁଥିଲେ |ରମାର ସୁଧ କାରବାର ଭଲରେ ଚାଲୁଥିଲା ଓ ପିଲାମାନେ ମଧ୍ୟ ଭଲ   ପଢୁଥିଲେ |
                    ବଡପୁଅ ଆଶୀଷ  ଶିକ୍ଷା ଶେଷ କରିବାପରେ ବିଦେଶରେ ଚାକିରୀ କରିବାର ସୁଯୋଗ ପାଇଲା |ସାନପୁଅ ଆନନ୍ଦ  ପାଖରେ ଥିବା ଏକ ଶିଳ୍ପାନୁଷ୍ଠାନରେ ଚାକିରୀ କଲା  |ପିଲା ମାନଂକ ସଫଳତାରେ ରମା ଉତଫୁଲ୍ଲ ଥିଲା ଓ ତାର ଖାତିର ମଧ୍ୟ ବଢିଯାଇଥିଲା |ସେ ତାର ପୁରୁଣା ଘର ମରାମତି କରି ଅଧିକା ଦୁଇଟି ବଖରା ବାହାର କଲା ଓ ତାକୁ ସୁନ୍ଦର ଭାବେ ସଜେଇଲା |କିନ୍ତୁ ତାର ସବୁ ସୁଖ ଫିକା ପଡିଗଲା ସେତେବେଳେ ,ଯେତେବେଳେ ସେ ଜାଣିବାକୁ ପାଇଲା,ଆଶୀଷ  ସୋଫିଆ ନାମ୍ନୀ ଏକ ବିଦେଶିନୀକୁ ସେଠାରେ ବିବାହ କରିଛି | କିଛିଦିନ ସେ ମନମାରି ଘରେ ବସି ରହିଲା ଓ ଅତି ଦୁଃଖରେ ତାକୁ ଜ୍ୱର  ହୋଇଗଲା ମଧ୍ୟ |କିନ୍ତୁ ଅନ୍ତର ମଧ୍ୟରେ ଭାଙ୍ଗି  ପଡିଥିଲେ ବି ନିଜ ଦୁଃଖକୁ ସେ ବାହାରେ ପ୍ରକାଶ କରୁ ନଥିଲା |ତଥାପି ନିନ୍ଦୁକ ମାନେ ତାକୁ ଦେଖେଇ ଶୁଣେଇ କହୁଥିଲେ,ଭାରି ଷ୍ଟ୍ରିିକ୍ଟ ଦେଖେଇ ହେଉଥିଲା,ଏବେ  ଆଛା କରି ପାନେ ପାଇଛି |ବର୍ଷକ ପରେ ଆଶୀଷ ସୋଫିଆକୁ ନେଇ ଆସିଲା |ରମା ମନସ୍ଥିର କରି ବୋହୂକୁ ଘର ଭିତରକୁ ପାଛୋଟି ନେଲା |ବିଦେଶିନୀ ବୋହୂକୁ ଦେଖିବା ପାଇଁ ସେଠାରେ ସାଇ ପଡିଶାଂକ ସହ ଅଜଣା ଲୋକଂକ ମଧ୍ୟ ସମାଗମ ହେଲା |ସୋଫିଆ ଅତ୍ୟନ୍ତ ସୁନ୍ଦରୀ ଓ ନମ୍ର ସ୍ୱଭାବର  ଥିଲା |କେହିଜଣେ ସୋଫିଆକୁ ଖଣ୍ଡି ଇଂରାଜୀ ରେ ପଚାରିଦେଲା,ତାକୁ ଏଇ ସ୍ଥାନ କେମିତି ଲାଗୁଛି |ଉତ୍ତରରେ ସୋଫିଆ କହିଲା, ସେ  ତାର ସ୍ୱାମୀଙ୍କୁ  ବହୁତ ଭଲ ପାଏ |ଯେହେତୁ ଏଇ ସ୍ଥାନ ତା ସ୍ୱାମୀଙ୍କ  ଜନ୍ମଭୂମି ,ତେଣୁ  ତାହା ତାକୁ ବହୁତ ଭଲ ଲାଗୁଛି |କେତେଜଣ ତାକୁ ପଚାରିବାକୁ ଚାହୁଁ ଥିଲେ,ସେ ଗୋମାଂସ ଖାଏ କି ନାହିଁ,ପୂର୍ବରୁ ତାର ଆଉ କେତେଜଣ ବୟଫ୍ରେଣ୍ଡ ଥିଲେ,ଇତ୍ୟାଦି ଇତ୍ୟାଦି |ରମା ଏପରି କିଛି ଘଟିବ ବୋଲି ଜାଣିଥିଲା |ସେ ସୋଫିଆକୁ ଭିତରକୁ ପଠାଇ ସେମାନଂକୁ ତାଗିଦ କରି କହିଲା,ସେ ମୋ ବୋହୂ ନୁହେଁ,ମୋ ପୁଅର ସ୍ତ୍ରୀ |ଆନନ୍ଦ ଯାହାକୁ ବାହା ହେବ,ସେ ହେବ ମୋ ବୋହୂ |ସେତେବେଳେ ତମ ସାଂଗେ ମୋର କଥାବାର୍ତ୍ତା |
                     ଆଶୀଷ ଫେରିଯିବାପରେ ରମା ଆନନ୍ଦ ପାଇଁ ମନ ମୁତାବକ ବୋହୂ ଖୋଜିବାରେ ଲାଗିପଡିଲା |ଦୁଇବର୍ଷ ପରେ ସେ ତା ଚେଷ୍ଟାରେ ସଫଳ ହେଲା |ଝିଅଟିର ନାଁ ଡଲି ,ପିତାମାତାଂକ ଏକମାତ୍ର ସନ୍ତାନ,ଭାବି ସମୁଦୀ ସରକାରୀ ଦପ୍ତରରେ ଚାକିରୀ କରୁଥିଲେ |ରମା ବହୁତ ଖୁସି ଥିଲା |ଘରକୁ ଫେରି ତାର ପ୍ରିୟ ବାନ୍ଧବୀ ମିତାକୁ ଭାବି ବୋହୂ ବିଷୟରେ ଅନେକ ବଖାଣିଲା |ଶେଷରେ କହିଲା,ଆମ ଦେଶରେ ଫରେନ ପରି ଏତେ ଗୋରୀ ଝିଅ କାହୁଁ  ମିଳିବେ !ଯାହା ମିଳିଛି,ମୋ ପାଇଁ ଢେର |ଯଥା ସମୟରେ ବାହାଘର ହେଲା |ବିବାହ ଉତ୍ସବରେ ଯୋଗ ଦେବା ପାଇଁ,ବିଦେଶରୁ ଆଶୀଷ ଓ ସୋଫିଆ ଆସିଥିଲେ |ସାଂଗରେ ଛୋଟ ଝିଅ ଇଶା ଥିଲା | ଭାଉଜ ହିସାବରେ ମଂଗନ ହାଣ୍ଡି ବସେଇବା ଠାରୁ ଆରମ୍ଭ କରି ପାଣି ତୋଳା ଇତ୍ୟାଦି ସବୁ କାମ  ରମା ଯେମିତି କହୁଥିଲା,ସେମିତି ସେ ଅତି ଆଗ୍ରହରେ କରୁଥିଲା |ବାହାଘର ଦିନ ନାଲି  ଶାଢୀ , ସିନ୍ଦୂର ଓ ଶଂଖା ପିନ୍ଧି  ସେ ଦେବୀ ପରି ଦିଶୁଥିଲା | ଯେତିକି ଦିନ ସେ ଓଡିଶାରେ ଥିଲା,ତା ପାଖରେ ସ୍ତ୍ରୀ ଲୋକଂକ ଗହଳି ଜମୁଥିଲା |ଏଥରକ ସେ ଖଣ୍ଡି ଓଡିଆରେ ଇଂଲିଶ ମିଶେଇ କହୁଥିଲା |କଥାବାର୍ତ୍ତାବେଳେ ସେ ଗୋଟିଏ କଥା ବାରମ୍ବାର କହୁଥିଲା,ଯାହା ତା ସ୍ୱାମୀଙ୍କ  ପ୍ରିୟ,ତାହା ତାର ମଧ୍ୟ ପ୍ରିୟ |
                  ଡଲିକୁ ରମା ବହୁତ ଭଲ ପାଉଥିଲା | ଭଲ ବୋହୂ ହେବାପାଇଁ ଯାହା ଯାହା ଦରକାର, ସବୁ ସେ ତାକୁ ଶିଖାଉ ଥିଲା |ତା ଠାରୁ ଟ୍ରେନିଂ ପାଇ ଡଲି ଭୋର ଚାରିଟାରୁ ଉଠି ଘର ପାଇଟି ସହ ନିତ୍ୟକର୍ମ ଶେଷ କରି ଛଅଟା ସୁଦ୍ଧା ଠାକୁର ପୂଜା କରିବାକୁ ବସି ଯାଉଥିଲା |ପ୍ରଥମରୁ ରୋଷେଇ ଏତେ ଭଲଭାବେ କରି ପାରୁ ନଥିଲେ ବି ରମା ଠାରୁ ସେ କଳା ମଧ୍ୟ ଧୀରେ ଧୀରେ ଶିଖିଗଲା |ତାର ସୁଗୁଣ ଓ ଆତିଥ୍ୟରେ ମୁଗ୍ଧ ହୋଇ ସମସ୍ତେ ଧନ୍ୟ ଧନ୍ୟ କହୁଥିଲେ |ବର୍ଷକ ପରେ ଡଲିର ପୁଅଟିଏ ହେଲା |ତାଂକ ଘରେ ଆନନ୍ଦ ଲହରୀ ଖେଳିଗଲା |ଖୁବ୍ ଧୁମଧାମରେ ରମା ପୁଅର ଏକୋଇଶିଆ କଲା |ସେ  ପୁଅକୁ ସମ୍ଭାଳୁ ଥିବାବେଳେ ଡଲି ଘର କାମ କରୁଥିଲା |ପୁଅକୁ ଚାରିମାସ ହୋଇଥିବାବେଳେ ଦିନେ  ଡଲି ମାଆଂକ ଗୁରୁତର ଅସୁସ୍ଥତାର ଖବର ଆସିଲା |କାନ୍ଦି କାନ୍ଦି ଡଲି ତା ବାପଘରକୁ ଗଲା |କିନ୍ତୁ ମାଆ ତାର ଆଉ ସୁସ୍ଥ ହେଲେ ନାହିଁ ,ଅଳ୍ପଦିନ ପରେ ତାଂକ ଦେହାନ୍ତ ହୋଇଗଲା |ତାଂକର ଶୁଦ୍ଧିକ୍ରିୟାରେ ରମା ଓ ଆନନ୍ଦ ପୂର୍ଣ୍ଣ  ପ୍ରାଣରେ ସହଯୋଗ କରିଥିଲେ |ଆଉ କିଛିଦିନ ବାପଘରେ ରହିବାକୁ ଡଲି କହିବାରୁ ମା ପୁଅ ଦୁହେଁ ଫେରି ଆସିଲେ |କିନ୍ତୁ ମାସେ ନୁହେଁ ଦୁଇମାସ ନୁହେଁ ଛଅ ମାସ ପରେ ବି ଡଲି ଆଉ ଫେରିଲା ନାହିଁ | ରମାର ଉଦ୍ବିଗ୍ନତା  ବଢିଗଲା |ସେ ଆନନ୍ଦକୁ ଏ ବିଷୟରେ ପଚାରିଲା |ଆନନ୍ଦ କହିଲା,ମୁଁ ବହୁତ ଥର ଗଲିଣି ବୋଉମା ,ସେ ତା ବାପାଂକୁ ଏକୁଟିଆ ଛାଡି ଆସିବାକୁ ରାଜି ହେଉନାହିଁ |ରମା ମୁଣ୍ଡ ଚକ୍କର ଖାଇଲା |ସେ ନିଜେ ସମୁଦୀଂକ ଘରକୁ ଯାଇ ଏଇ ବିଷୟରେ ଆଲୋଚନା କରିବାପାଇଁ ସ୍ଥିର କଲା |ପରବର୍ତ୍ତୀ ରବିବାର ଦିନ ମା ପୁଅ ଦୁହେଁ ଗଲେ |ଆଲୋଚନାବେଳେ ସମୁଦୀ କହିଲେ,ମୋର ଏକୁଟିଆ ଚଳିବାରେ କିଛି ଅସୁବିଧା ନାହିଁ ,ମୁଁ ତ ପୁଣି ଅଫିସ ଯାଉଛି |କିନ୍ତୁ ଡଲି କାହିଁକି ଯିବାକୁ ରାଜି ହେଉନି, ତାକୁ ପଚାରନ୍ତୁ |ଡଲି କହିଲା, ମା ଥିଲାବେଳେ ବାପା ପାଣି ଗ୍ଲାସେ ବି ଉଠାଉ ନଥିଲେ |ମୋ ଛଡା ବାପାଂକର ଦୁନିଆଁରେ ଆଉ କେହି ନାହିଁ |ତାଂକୁ ଏକୁଟିଆ ଛାଡି ମୁଁ କଦାପି ଯାଇ ପାରିବି ନାହିଁ |ତମର ଯଦି ଚଳିବାରେ ଅସୁବିଧା ହେଉଛି,ତୁମେ ଦୁହେଁ ବରଂ ଏଠାକୁ ଚାଲି ଆସ ,ଏଇଠି ଆମେ ଏକାଠି ରହିବା | ନିରାଶ ହୋଇ ଦୁହେଁ ଫେରି ଆସିଲେ |ବାଟରେ ରମା ଆନନ୍ଦକୁ କହିଲା,ତୁ  ଭଲରେ ରହିବୁ ବୋଲି ବହୁତ ଦେଖି ଚାହିଁ ଡଲିକୁ ବାଛିଥିଲି,ହେଲେ ଏମିତି ସମୟ ଆସିବ ବୋଲି ମୁଁ କେବେବି ଭାବି ନଥିଲି |ଏକଥା କହୁ କହୁ ରମା ଆଖିରୁ ଧାର ଧାର ଲୁହ  ଝରି ଯାଉଥିଲା |ଆନନ୍ଦ ବି ବହୁତ ଦୁଃଖିତ ଥିଲା |ସେ କହିଲା,ଯିଏ ଆମକଥା ଓ ପିଲାର ଭବିଷ୍ୟତ କଥା ଭାବୁନି, ସେଭଳି ସ୍ତ୍ରୀ ମୋର ଦରକାର ନାହିଁ  ;ମୁଁ ତାକୁ ଡିଭୋର୍ସ କରିଦେବି |ତା କଥା  ଶୁଣି ରମା ଜିଭ କାମୁଡି କହିଲା,ଆଉ ଦିନେ ସେମିତି କଥା କହିବୁ ନାହିଁ |ତତେ ସିନା ଆଉ ଗୋଟିଏ ସ୍ତ୍ରୀ ମିଳିବ,ହେଲେ ମୋ ନାତିକୁ ଆଉ ବାପା ମିଳିବ ନାହିଁ |ତୁ ବରଂ ଯାଇ ସେଇଠି ରହିଯା ,ମୋର କିଛି ଆପତ୍ତି ନାହିଁ |ଲୋକେ କିଏ କଣ କହିଵେ,ସେକଥା ଚିନ୍ତା କରନା,ଆମ ଦୁଃଖ ମୁଣ୍ଡେଇବାକୁ କଣ ସେମାନେ ଆସିବେ ? ରମା ସିନା ଏକଥା କହିଦେଲା ,କିନ୍ତୁ ଏହା ସମସ୍ୟାର ସମାଧାନ ନଥିଲା |ଅତ୍ୟଧିକ ଚିନ୍ତାକରି   ଦିନକୁ ଦିନ ତା ଶରୀର  କ୍ଷୀଣ ହେବାରେ ଲାଗିଲା |କ୍ରମେ ସେ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଗଲା | ନାନା ପ୍ରକାର ଚିକିତ୍ସା ସତ୍ତ୍ୱେ  ରମା  ଆରୋଗ୍ୟ ନହେବାରୁ ଆନନ୍ଦ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନେଲା ଓ ସେଠାରେ ତାର ଚିକିତ୍ସା ଆରମ୍ଭ କଲା  |ରମା କିନ୍ତୁ ଜାଣିଥିଲା ତା ରୋଗର ଔଷଧ ନାହିଁ  ଓ ଏବେ ସେ କେବଳ ମୃତ୍ୟୁପଥର ଯାତ୍ରୀ |
                     ଅର୍ଦ୍ଧଚେତନ ଅବସ୍ଥାରେ ଡାକ୍ତରଖାନା ବିଛଣାରେ ପଡି ରହିଥିବାବେଳେ ଦିନେ କାହାର ଏକ ସୁମଧୁର କଣ୍ଠସ୍ୱର  ଶୁଭିଲା,'ବୋଉମା' |ଚମକି ପଡି ନିଜକୁ ପ୍ରକୃତିସ୍ଥ କରିବାବେଳେ ଆଉଥରେ ତାକୁ ଶୁଭିଲା,'ବୋଉମା' |ସେ ଆଖି ଖୋଲି ଚାହିଁ ଦେଖିଲା,ପାଖରେ   ସୋଫିଆ ଛିଡା ହୋଇଛି  |ରମା ଆଖିରୁ ଅନର୍ଗଳ ଲୁହ ଧାର ଝରିଗଲା |ସେ ଥର ଥର କଣ୍ଠରେ କହିଲା,ତୁ କାହିଁକି ଆସିଲୁ ମା,ମୁଁ ଆଉ ବଂଚିବନି |ସୋଫିଆ ରମା  ପାଖରେ ବସି ତା ପାଟିରେ ହାତ ରଖି ଶୁଦ୍ଧ ଓଡିଆରେ କହିଲା,ସେମିତି କୁହନ୍ତୁ ନାହିଁ ବୋଉମା,ଆପଣ ମୋ ସ୍ୱାମୀଙ୍କ  ଅତି ପ୍ରିୟ,ମୋପାଇଁ ଦୁର୍ମୂଲ୍ୟ ; ଆପଣଙ୍କୁ  ଆମପାଇଁ ବଞ୍ଚିବାକୁ ପଡିବ,ବହୁତ ଦିନ ...  |.....ମମତା ମହାନ୍ତି |

Wednesday, October 23, 2019

ନିଜ ପସନ୍ଦର ଜୀବନ

                    ଆଦିତ୍ୟ ଓ ଆଶା ଏକା ଅଫିସରେ  ଚାକିରୀ କରୁଥିଲେ  |ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିଲେ ଓ ବାହା ହେବାପାଇଁ ନିଷ୍ପତ୍ତି ନେଇଥିଲେ |ପ୍ରଥମରୁ ଆଶାର ଆଦିତ୍ୟ ପ୍ରତି କୌଣସି ରୁଚି ନଥିଲା |ଘର ତିଆରି ଟିଫିନ ଖାଇବା  ଓ ସବୁବେଳେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା ତା ଅଭ୍ୟାସରେ ପଡି ଯାଇଥିଲା |କିନ୍ତୁ ଗୋଟିଏ ଦିନର ଘଟଣା ସେମାନଂକ  ଭିତରେ ସମ୍ପର୍କର ସୂତ୍ରପାତ କରିଥିଲା  |ଥରେ ଅଫିସ  ଦ୍ବାରା ଆୟୋଜିତ ଏକ ପିକନିକ ପାର୍ଟିରେ ସେମାନେ ସମସ୍ତେ ନଦୀ ପାହାଡ ଘେରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଓଡିଶାର  ଏକ ସ୍ଥାନକୁ ବୁଲି ଯାଇଥିଲେ |ସେଠାରେ ନୌକାବିହାର କରିବାବେଳେ ଅସାବଧାନବଶତଃ ହଠାତ ଆଶା ପାଣିକୁ ଖସି ପଡିଲା  |ଆଦିତ୍ୟ ପହଁରା ଜାଣିଥିଲା ଓ ସେ ଆଗପଛ କିଛି ବିଚାର ନକରି ପାଣି ଭିତରକୁ ଡେଇଁ ଆଶାକୁ ଉଦ୍ଧାର କରିଥିଲା |ନୂଆ ଜୀବନ ପାଇଥିବା ଆଶା ସେହିଦିନଠାରୁ ଆଦିତ୍ୟକୁ ନିଜ ଇହକାଳ ଓ ପରକାଳର ଦେବତା ବୋଲି ମାନି ନେଇଥିଲା |ଆଦିତ୍ୟ ଆଶା ସହିତ ତାର ସମ୍ପର୍କ ବିଷୟରେ ଘରେ ଜଣାଇ ନଥିଲା ଯଦିଓ  ମାତୃହରା ଆଶା ତାର ବାପାଂକୁ ଆଦିତ୍ୟ ବିଷୟରେ ସବୁକଥା  କହିଥିଲା |ବିବାହ ପାଇଁ ଆଦିତ୍ୟର ଘରଲୋକଂକ ଚାପ ବଢୁଥିଲା ଓ ସେମାନେ ବହୁ ଝିଅଂକ ଫଟୋ ଓ ବାୟୋଡାଟା ତା ପାଖକୁ ପଠାଉଥିଲେ |ଦିନେ  ଏକ ଘଟଣାକ୍ରମରେ ସେ ଜାଣିପାରିଲା ଆଶା ବୟସରେ ତାଠାରୁ ଏକଦିନ ବଡ | ତା ମନ ଭାଂଗିଗଲା ଓ ସେ ଆଶା ଠାରୁ ଦୂରେଇ ଗଲା | କାରଣ ସେ କେବେବି ଏକ ବୟସ୍କା ଝିଅକୁ ବିବାହ କରିବାକୁ ଚାହୁଁ ନଥିଲା |ସେ ଏକଥା ମଧ୍ୟ ଆଶାକୁ ଜଣାଇ ଆଉ ତା ସହିତ ସମ୍ପର୍କ ରଖିବା ସମ୍ଭବପର ନୁହେଁ ବୋଲି ମୁହଁ ଖୋଲି କହିଦେଲା |ତାପରେ ସେ  ପିତାମାତା ମନୋନୀତ କରିଥିବା କେତୋଟି ପ୍ରସ୍ତାବ ଭିତରୁ ତାଠାରୁ ଆଠବର୍ଷ ସାନ,ଅତ୍ୟନ୍ତ ସୁନ୍ଦରୀ  ନିତ୍ୟାକୁ ପସନ୍ଦ କଲା  |
                 ତା ବାହାଘରର ତାରିଖ,ସମୟ ଓ ସ୍ଥାନ କିମ୍ବା ତା ଘର ବିଷୟରେ ସେ ଆଶାକୁ କହି ନଥିଲେହେଁ ତାକୁ ଚକିତ କରିଦେଇ, ସେ ବରବେଶ ହୋଇ ବାହାରୁଥିବା ସମୟରେ ହିଁ ଆଶା ଆସି ସେଠାରେ ପହଂଚି ଗଲା | ତାକୁ ଦେଖି ଆଦିତ୍ୟ ଭୟରେ ଜଡସଡ଼ ହୋଇଗଲା |ସେ ସଂଗେ ସଂଗେ  ପୋଲିସ ବିଭାଗରେ ଚାକିରୀ କରୁଥିବା ତାର ଦାଦାଂକୁ ଫୋନ କରି  କହିଲା,ମୋ ପଛରେ ଆମ ଅଫିସର ଗୋଟିଏ ଝିଅ ପଡିଥିଲା | ସେ ଏବେ  ଆମ ଘରକୁ ଚାଲି ଆସିଛି ,କାଳେ ଗଣ୍ଡଗୋଳ କରିବ, ଟିକିଏ ଦେଖିବ |ଦାଦା ଆଦିତ୍ୟ କୁ ଆଶ୍ବାସନା ଦେଇ କହିଲେ,ତୁ ନିଶ୍ଚିନ୍ତ ରହ,ମୁଁ ଅତି ଗୋପନରେ ତାକୁ ବିଦା  କରିଦେବି,କେହି ଜାଣି ପାରିବେନି |କିନ୍ତୁ ସେପରି କିଛି ଘଟିଲା ନାହିଁ |ଦାଦା ଆସିବା ପୂର୍ବରୁ ଆଶା ତା ବରବେଶ ଦେଖି କେତେବେଳେ ଚାଲିଗଲା,କେହି ଜାଣି ପାରିଲେ ନାହିଁ |
                ବାହାଘର ପାଇଁ ନେଇଥିବା ଛୁଟି ସରିବା ପରେ ଆଦିତ୍ୟ  ଚାକିରୀରେ ଯୋଗ ଦେବା ପରେ ଜାଣିବାକୁ ପାଇଲା,ଆଶା  ଚାକିରୀରୁ ଇସ୍ତଫା ଦେଇ ଚାଲିଯାଇଛି  | ତାହା ତାପାଇଁ ଏକ ବଡ ଆଶ୍ବାସନାର ବିଷୟ ଥିଲା |ବାହାଘରର ପ୍ରଥମ କେଇମାସ ଆଦିତ୍ୟ ପାଇଁ ସୁବର୍ଣ୍ଣ ସମୟ ଥିଲା | କିନ୍ତୁ ପରେ ସମୟ ବଦଳିବାକୁ ଲାଗିଲା |ମିଷ୍ଟଭାଷୀ ନିତ୍ୟା ଯେତେବେଳେ ରାଗିଯାଇ ବିକଟାଳ ରଡି ଛାଡି ଜିନିଷପତ୍ର ଫୋପଡା ଫିଂଗା କରୁଥିଲା, ସେ ଭୟରେ ଘର ଛାଡି ବାହାରକୁ ଚାଲିଆସୁଥିଲା |ଆଦିତ୍ୟ ମିତବ୍ୟୟୀ ଥିବାବେଳେ ନିତ୍ୟା ବଦଖର୍ଚ୍ଚୀ ଥିଲା  ଓ ବେଳେବେଳେ ବଜେଟ ବାହାରେ ଅଧିକା ଖର୍ଚ୍ଚ କରି ଆଦିତ୍ୟକୁ ଅସୁବିଧାରେ ପକାଇ ଦେଉଥିଲା |ନିତ୍ୟା ନିଜକୁ ସ୍ପଷ୍ଟବାଦୀ କହି ଅନେକ ସମୟରେ ରୋକଠୋକ୍ କଥା କହିଦେଉଥିଲା ଯାହା ଫଳରେ ଅଯଥା ଶତ୍ରୁତା ସୃଷ୍ଟି ହେଉଥିଲା |ଏହା  ଆଦିତ୍ୟକୁ ଆଦୌ ଭଲ ଲାଗୁନଥିଲେ ବି ଧୀରେ ଧୀରେ ପରିସ୍ଥିତି ସହିତ ଖାପ୍ ଖୁଆଇ ଚଳିବା ସେ ଶିଖି ଯାଇଥିଲା |  ସେମାନଂକ ଯୋଡି କିନ୍ତୁ ତାଂକ କଲୋନୀର ସର୍ବଶ୍ରେଷ୍ଠ  ଯୋଡି ଥିଲା |ସାଜିସୁଜି ହୋଇ ଦୁହେଁ ବାହାରକୁ ବାହାରିଲେ,ନଦେଖିବା ଲୋକ ସେମାନଂକୁ ଘଡିଏ ଚାହିଁ ରହୁଥିଲେ  |
                  ସେମାନଂକ ଏକମାତ୍ର ପୁତ୍ର ଆହ୍ବାନ  ବିଦେଶରେ ଉଚ୍ଚଶିକ୍ଷା ଲାଭକରି ସେ ସେହିଠାରେ ଚାକିରୀ କଲା |ନିଜର ପିତାମାତାଂକ ପରି ସେ ମଧ୍ୟ ଖୁବ୍ ସୁନ୍ଦର ଥିଲା |ତାକୁ ମ୍ୟାଚ କରିବା ପରି ଏକ ସୁନ୍ଦରୀ ଝିଅ ସନ୍ଧାନରେ ଦୁହେଁ ଥିବାବେଳେ ଦିନେ ଆହ୍ବାନ ତା ପସନ୍ଦର ଝିଅକୁ ଘରକୁ ଆଣି, ସେମାନଂକ ସହ ପରିଚୟ କରାଇ ଦେଲା |ତାକୁ ଦେଖୁ ଦେଖୁ ନିତ୍ୟାର ଅକଲ ଗୁଡୁମ ହୋଇଗଲା  |ସେ ଥିଲା ତାର ଅନ୍ତରଂଗ ବାନ୍ଧବୀ ରୀତାର ଝିଅ 'ଶ୍ରେୟା' |ଦୁହେଁ ଏକା ସ୍କୁଲରେ ପଢୁଥିଲେ ଓ ଶ୍ରେୟା ଆହ୍ବାନ ଠାରୁ ଦୁଇବର୍ଷ ସିନିଅର ଥିଲା | ଶ୍ରେୟା ଭଲ ଝିଅ ବୋଲି ନିତ୍ୟା   ଜାଣିଥିଲା ଓ ସବୁବେଳେ ପରିହାସରେ ରୀତାକୁ 'ଏପରି ଝିଅ ଭାଗ୍ୟରେ ଥିଲେ,ମିଳେ' ବୋଲି ମନ୍ତବ୍ୟ ଦେଉଥିଲା |କିନ୍ତୁ ତା ପରି ଝିଅକୁ  ବୋହୂ ରୂପରେ କଳ୍ପନା କରିବା ମଧ୍ୟ ନିତ୍ୟା ପାଇଁ ଅସମ୍ଭବ ଥିଲା |ସେ ମନେ ମନେ ସ୍ଥିର କଲା,ଯେମିତି ହେଉ ପଛକେ,ତାକୁ ଆହ୍ବାନକୁ ବୁଝାଇ ବାଟକୁ ଆଣିବାକୁ ପଡିବ |ତା ପରଦିନ ସଂଧ୍ୟାରେ ଅନୁକୂଳ ସମୟ ଦେଖି ସେ ଆହ୍ବାନକୁ ଡାକି ତାକୁ ପାଖରେ ବସାଇ କହିଲା ,ବାବୁରେ,ତୋ ପାଇଁ ଝିଅର ଅଭାବ ନାହିଁ,ତୁ ଏମିତି ବୟସ୍କା ଝିଅଟିକୁ କାହିଁକି ବାଛିଲୁ ?ଏବେବି ସମୟ ଅଛି,ତୁ ତୋ ମତ ପରିବର୍ତ୍ତନ କର |ତାଂକ କଥା ଶୁଣି ଆହ୍ବାନ ରାଗିଯାଇ କହିଲା,ମମି,ଜୀବନ ଚାରିଦିନିଆ,ଆଉ ଏଇ ଚାରିଦିନ ମୁଁ ମୋ ପସନ୍ଦର ଜୀବନ ଜିଇଁବାକୁ ଚାହୁଁଛି |ମୋପାଇଁ,ଜାତି,ଜାତକ,ବୟସ,ଅର୍ଥ,ସୌନ୍ଦର୍ଯ୍ୟ କିଛି ବି ଗୁରୁତ୍ବପୂର୍ଣ ନୁହେଁ, ଗୁରୁତ୍ବପୂର୍ଣ ହେଉଛି,ସୁଖ ଶାନ୍ତିର ଜୀବନ |ଘରେ ଚବିଶ ଘଣ୍ଟା ଝଗଡା କରି ବାହାରେ 'ମେଡ ଫର ଇଚ ଅଦର 'ପୁରସ୍କାର ନେବା ପାଇଁ ମତେ ଭଲ ଲାଗେନା |ମୁଁ ଯେମିତି ଝିଅ ଚାହୁଁଥିଲି,ମତେ ସେମିତି ଝିଅ ମିଳିଯାଇଛି,ଏଣୁ ତେଣୁ କଥା କହି,ତମେ ମୋ ମନକୁ ଭାଂଗି ଦେଇ ପାରିବ ନାହିଁ |
            ଅନ୍ୟ ରୁମରେ ବସି ଆଦିତ୍ୟ ମା' ପୁଅଂକ କଥାବାର୍ତ୍ତା ଶୁଣୁଥିଲା |ସେଥିରେ ତାର କିଛି କହିବାର ନଥିଲା |ମନଦୁଃଖରେ ନିତ୍ୟା ସେଠାରୁ ଯାଇ ଟିଭି ଖୋଲି ପ୍ରବଚନ ଶୁଣିବାକୁ ଲାଗିଲା |ଆଦିତ୍ୟ ମନେ ମନେ ହସୁଥିଲା |ଏହି ସମୟରେ ଏକ ସୁନ୍ଦର ସୁଲଳିତ କଣ୍ଠସ୍ବର ଭାସି ଆସିଲା |ତାକୁ ଲାଗିଲା,ଏହି ସ୍ବର ଯେମିତି ତାର ଅତି ପରିଚିତ |କୌତୂହଳୀ ହୋଇ ସେ ଟିଭି ପାଖକୁ ଗଲା ଓ ଟିଭି ପରଦାରେ ଶ୍ବେତ ବସ୍ତ୍ର ପରିହିତା ଆଶାକୁ ଦେଖି ସେ ନିଜକୁ ବିଶ୍ବାସ କରି ପାରିଲାନାହିିଁ |ସେ ଭାବିଲା,ହୁଏତ ଏହା ତା ମନର ଭ୍ରମ ହୋଇପାରେ,ଆଶା ପୁଣି ପ୍ରବଚନ !!ଅସମ୍ଭବ |ଏଇକଥାକୁ ସେ ଭୁଲି ଯାଇଥାନ୍ତା ଯଦି ସେଦିନ ପାର୍କରେ ତାର ପୁରାତନ ବନ୍ଧୁ ନାରାୟଣ ସହିତ ଦେଖା ହୋଇ ନଥାନ୍ତା |ସବୁଦିନ ପରି ମଣିଂ ୱାକ ସାରି  ପାର୍କରେ ବସିଥିବା ବେଳେ ଅକସ୍ମାତ ନାରାୟଣ ଆସି ତା ପାଖରେ ବସି ପଡିଲା |ଦୁହେଁ କେତେ କାଳର ଗପ ପେଡି ଖୋଲିଦେଲେ |କଥା ମଝିରେ ନାରାୟଣ ପଚାରିଲା,ଆଛା ଆଦି,ତୋର କେବେ ଆଶା କଥା ମନେ ପଡ଼େନା ?ଆଦିତ୍ୟ ମନଦୁଃଖରେ କହିଲା,ଆଗରୁ ଅଳ୍ପ ଅଳ୍ପ ମନେପଡ଼ୁଥିଲା,ଏବେ ସବୁଦିନ ମନେ ପଡୁଛି |ମୁଁ ଯେଉଁ ପାପ କରିଛି,ତାର ପ୍ରାୟଶ୍ଚିତ ନାହିଁ |ଏଇ କିଛିଦିନ ତଳେ ଗୋଟିଏ ଧାର୍ମିକ ଚାନେଲରେ ଅବିକଳ ତାରି ପରି ଝିଅଟିଏ ପ୍ରବଚନ ଦେଉଥିବାର ଦେଖିଲି |ଏହା ମୋର ମତିଭ୍ରମ ଛଡା ଆଉ କଣ ହୋଇପାରେ କହିଲୁ ?ନାରାୟଣ କହିଲା,ମତିଭ୍ରମ ନୁହେଁ ପ୍ରକୃତରେ ସେ ପ୍ରବଚନ ଦେଉଛି |ତା କଥା ଶୁଣି ଆଦିତ୍ୟ ଆକାଶରୁ ଖସି ପଡିଲା ଯେମିତି |ଅସ୍ପଷ୍ଟ କଣ୍ଠରେ ସେ କହିଲା,ସେ ଏମିତି କାହିଁକି କଲା ??ନାରାୟଣ କହିଲା,ଆଶାଂକ ପରିବାର ଆନନ୍ଦମୟୀ ମାତାଂକ ଭକ୍ତ |ଯେତେବେଳେ ଯେଉଁଠାରେ ପ୍ରାକୃତିକ ଦୁର୍ବିପାକ ଇତ୍ୟାଦି ହୁଏ,ସେମାନଂକ ସଂସ୍ଥା ସେଠାକୁ ଯାଇ ରିଲିଫ ବାଣ୍ଟିବା ସହିତ ଅନ୍ୟାନ୍ୟ ସାହାଯ୍ୟ ସହାୟତା କରନ୍ତି |ସେଇ ହିସାବରେ ଆଶା ପିଲାଦିନୁ ଆଧ୍ୟାତ୍ମିକ ମାର୍ଗ  ପ୍ରତି ଆକୃଷ୍ଟ ଥିଲା |ଏକାଦଶ ଶ୍ରେଣୀରେ ପଢୁଥିବାବେଳେ ଅଚାନକ ତା ମାଆଂକ ମୃତ୍ୟୁ ହୋଇଯିବାରୁ ସେ ଜୀବନ ପ୍ରତି ବିତସ୍ପୃହ ହୋଇ ସନ୍ୟାସିନୀ ହେବାପାଇଁ ଦିନେ ସମସ୍ତଂକ ଅଗୋଚରରେ ସେଠାକୁ ଚାଲିଯାଇଥିଲା |ପରେ ତା ବାପା ସେକଥା ଜାଣିପାରି ବହୁତ କଷ୍ଟରେ ତାକୁ ବୁଝାଇ ସୁଝାଇ ଘରକୁ ଆଣିଥିଲେ |ତୁ ତାକୁ ବାହା ହେବାକୁ ମନା କରିଦେବା ପରେ ସେ ମାନସିକ ସନ୍ତୁଳନ ହରାଇ ପୁଣି ଆଧ୍ୟାତ୍ମିକ ମାର୍ଗ ବାଛିନେଲା | ଖୁସିର କଥା,ଏଥରକ  ତା ବାପା ମଧ୍ୟ ତା ସହିତ ଥିଲେ |ତତେ ବାହାହୋଇ ନପାରି ଝୁରି ଝୁରି ଜୀବନ କାଟିବା  ଅପେକ୍ଷା ନିଜ ପସନ୍ଦର ଜୀବନ ବାଛିନେଇ ସେ ଭଲ କରିଛି  |.....
By--Mamata Mohanty.23-10-2019

Thursday, October 17, 2019

ରାଜ ଯୋଟକ

                        ଘରେ ପହଂଚି ମେନକାଂକ ହାତକୁ ମାଛ ବ୍ୟାଗଟି ବଢାଇ ଦେଇ ଗୋବିନ୍ଦ ଖୁସି ମନରେ କହିଲେ,ହୁଳହୁଳି ପକାଅ,ପୁଷି ବାହାଘର ଫାଇନାଲ ହୋଇଗଲା |ମେନକା ଠାକୁରଂକ ଉଦ୍ଦେଶ୍ୟରେ ହାତଯୋଡି କହିଲେ,ଯାହାହେଉ,ଭଗବାନ ବଡଲୋକ ,ଆମ ଡାକ ଶୁଣିଲେ | ପିଲାଟି ବ୍ୟାଂକରେ ଚାକିରୀ କରେ,ଭବିଷ୍ୟତରେ ପଦୋନ୍ନତିର ସୁଯୋଗ ଅଛି  ,ଏକମାତ୍ର ଭଉଣୀ ବିବାହିତା ,ଜାତକ ମଧ୍ୟ ରାଜଯୋଟକ ପଡିଛି |ସବୁଠାରୁ ବଡକଥା ହେଲା,ସେମାନଂକର ଡିମାଣ୍ଡ କିଛି ନାହିଁ |ଦୁଃଖ ଭିତରେ ଏତିକି,ପିଲାଟି ବାପା ଛେଉଣ୍ଡ,ବର୍ଣ୍ଣ ଟିକିଏ କଳା  |ମଣିଷ ହାତରେ ତ କିଛି ନଥାଏ,ଯାହା ଠାକୁରଂକ ଇଚ୍ଛା |ବିବାହର ଶେଷ ତିଥି ଆଉ ଅଳ୍ପଦିନ ବାକି ଥିବାବେଳେ  ଅଚାନକ ବିବାହ ପ୍ରସ୍ତାବ ଆସିବା ଓ ସଂଗେ ସଂଗେ ଚୂଡାନ୍ତ ହୋଇଯିବା,ଈଶ୍ୱରଙ୍କ  ଚମତ୍କାରୀ ଓ ଆଶୀର୍ବାଦ ବୋଲି ସେମାନେ ଭାବୁଥିଲେ |
                         ସ୍ତ୍ରୀ ମେନକା ଓ ଏକମାତ୍ର ଝିଅ ପୁଷିକୁ ନେଇ ଗୋବିନ୍ଦଂକ ଏକ ସୁଖୀ ସଂସାର ଥିଲା |ଗୋବିନ୍ଦ ଅତ୍ୟନ୍ତ ଆମିଷ ପ୍ରିୟ ଥିଲେ |ଆମିଷ ଖାଇବାବେଳେ ସେ ଓଷା,ବାର,ବ୍ରତ ମାନୁ ନଥିଲେ |ସେ ଭାବୁଥିଲେ,ମନରେ ଆମିଷ ଖାଇବାର ଇଚ୍ଛା ଥାଇ ତାହାକୁ ଓଷା,ବ୍ରତ ନାମରେ ଦମନ କରିବା ଠାରୁ ବଳି ମହାପାପ ଆଉ କିଛି ନାହିଁ |ପୁଷିକୁ  ମଧ୍ୟ ଗୋବିନ୍ଦଂକ ପରି  ଆମିଷ ବିନା ଖାଦ୍ୟ ରୁଚୁ ନଥିଲା |ସୁରୁଖୁରୁରେ ନିର୍ବନ୍ଧ ସରିବା ପରେ ଜଣା ପଡିଲା,ପୁଅଘର ନିରାମିଷାସୀ |ଏପରିକି ସେମାନଂକ ଘରେ ପିଆଜ ରସୁଣ ମଧ୍ୟ ପଶେ ନାହିଁ |ସେମାନେ ମଧ୍ୟ ତାଂକ ଝିଅ ଉଷାକୁ ତାଂକ ବାବାଂକ ଅନୁଗାମୀ ପରିବାରରେ  ବିବାହ ଦେଇଥିଲେ |ଆମିଷ ପ୍ରିୟ ଗୋବିନ୍ଦଂକ ପାଇଁ ଏହା କୌଣସି ବଜ୍ରାଘାତ ଠାରୁ କମ୍ ନଥିଲା |କିନ୍ତୁ ଅନ୍ୟାନ୍ୟ ସବୁ ବିଷୟ ଭଲ ଥାଇ କେବଳ ଏହି ଗୋଟିଏ ବିଷୟ ପାଇଁ ବାହାଘର ଭାଂଗି ଦେବାକୁ ସେ  ଚାହୁଁ ନଥିଲେ |ଶାଶୁଘରକୁ ବିଦା ହେଲାବେଳେ ପୁଷି ଯେତେବେଳେ କାନ୍ଦି କାନ୍ଦି ଗୋବିନ୍ଦଂକୁ କହିଲା, ବାପା, ସବୁଦିନପାଇଁ ତମେ ମୋର ଆଇଁଷ ଖାଇବା ଛଡେଇ ଦେଲ,ସେତେବେଳେ ଗୋବିନ୍ଦ ନିଜ କାନ୍ଦକୁ ରୋକି ପାରି ନଥିଲେ |
                    ବାହାଘରର ପନ୍ଦର ଦିନ ପରେ ପୁଷି ବାପଘରକୁ ବୁଲି ଆସିଲା |ସେତେବେଳେ ସକାଳ,ଦ୍ୱିପହର ,ରାତି ଭୋଜନରେ ଆମିଷ ଖାଇ ପୁଷିର ମନ ଖୁସି ହୋଇଗଲା |ତା ଖୁସି ଦେଖି ଗୋବିନ୍ଦ ଓ ମେନକାଂକ ମନ ମଧ୍ୟ ଖୁସି ହେଲା  |ବାପଘରକୁ ଯିବାପାଇଁ ସେପରି କିଛି କଟକଣା ନଥିବାରୁ ପୁଷି ପ୍ରାୟ ବେଳେ ବାପଘରକୁ ଯାଇ ତାର ପ୍ରିୟ ଖାଦ୍ୟ ଖାଇ ଆସୁଥିଲା |କିନ୍ତୁ ତାର ଏପରି ବାରମ୍ବାର ବାପଘରକୁ ଯିବା ଓ ସେଠାରେ ଆମିଷ ଖାଇ ଆସିବାକୁ ଉଷାକୁ  ଆଦୌ ଭଲ ଲାଗୁ ନଥିଲା |ଦିନେ ସେ ତାର ରାଗ ଉଦ୍ଗୀରଣ କରି କହିଲା,ରୁପ ମୋହରେ ପଡି ଆଗପଛ କିଛି ନବିଚାରିି ତରତର ହୋଇ ଘରକୁ  ବୋହୂ ଆଣି , ଆମ ଚୌଦପୁରୁଷର ସଂସ୍କାର ଭୁଲିଗଲ ?ସେମାନଂକର ଚାର ବିଚାର କିଛି ନାହିଁ, ବିନା ଆଇଁଁଷରେ ସେମାନେ ଚଳି ପାରନ୍ତି ନାହିଁ,ସେପରି ଘରୁ ବୋହୂ ଆଣିବା କଣ ଦରକାର ଥିଲା ?ଏ ମହାମାନ୍ୟା ପୁଣି ଖାସ୍ ଆଇଁଷ ଖାଇବା ପାଇଁ ଘନ ଘନ ବାପଘରକୁ ଦୌଡୁଛନ୍ତି,ଟିକିଏ ବି ତାଂକ ଉପରେ ଅଂକୁଶ ନାହିଁ,ଏଘରୁ ଲକ୍ଷ୍ମୀ ଛାଡିଗଲେଣି ,ଛିଃ ଛିଃ ୟାଂକ ହାତରୁ ପୁଣି ପିତୃୃ ପୁରୁଷ ପାଣି ପିଇବେ !!ପୁଷି ସେତିକିବେଳେ ଘରକୁ ଫେରୁଥିଲା |ସେ ଆସିବା ଜାଣି ମା ନିର୍ମଳା ଉଷାକୁ  ଚୁପ୍ ହୋଇ ଯିବାକୁ ଯେତେ ଇଂଗିତ କରୁଥାନ୍ତି,ଉଷା ବା କେଉଁ ଚୁପ୍ ଚୁପ୍ ରହିବା ଝିଅ !ସେ ଜାଣି ଶୁଣି ସେମିତି କହି ଚାଲିଥାଏ |ପୁଷି ସବୁ ଶୁଣିଲା ଓ ଚୁପ ଚାପ ନିଜ ରୁମକୁ ଚାଲିଗଲା |ଅତି ଦ୍ରୁତ ବେଗରେ ଯାଉଥିବା ଯାନ  ହଠାତ୍ ଧକ୍କା ଖାଇ ନିଜ ଗତିପଥ ବଦଳାଇ ଦେବା ପରି ପୁଷି   ନିଜ ସ୍ୱପ୍ନର  ଦୁନିଆଁରୁ ବାହୁଡି ଆସିଲା |ବାପଘରେ ବିତେଇ ଦେଇଥିବା ଜୀବନ ତା ପାଇଁ ଅତୀତ ଓ ଶାଶୁଘରର ସଂସ୍କାର ଓ  ଚଳଣି ତାପାଇଁ ଏକମାତ୍ର ସତ୍ୟ ବୋଲି ସେ  ଅନୁଭବ କଲା |
                   ପୁଷିର ଏକମାତ୍ର ପୁଅ ସମ୍ବିତ  ଅତ୍ୟନ୍ତ ମେଧାବୀ ଓ ଖାଇବା  ସୌକୀନ ଥିଲା |ସବୁଦିନ ଚିକ୍କଣ ଖାନା ନହେଲେ,ସେ ଖାଦ୍ୟ ଥାଳି ପାଖରେ ବସୁ ନଥିଲା |ଅନ୍ୟ ଭାବରେ କହିବାକୁ ଗଲେ,ତାକୁ ଖାଇବାକୁ ଡାକିଲେ,ତାର ପ୍ରଥମ ପ୍ରଶ୍ନ ରହୁଥିଲା,ଆଜି କଣ ରନ୍ଧା ହୋଇଛି |ମେନୁ ଶୁଣିବା ପରେ ସେ ତାହା ଖାଇବ କି ନାହିଁ ବିଚାର କରୁଥିଲା |  ଗୋଟିଏ ଥର ଦଶହରା ଛୁଟିରେ ଉଷା ତାର ଦୁଇ ପିଲା ଓ ସ୍ୱାମୀ  ବିମଳଂକ ସହ ବାପଘର ବୁଲି ଆସିଥିଲା |ପଦୋନ୍ନତି ପରେ ସୁଶାନ୍ତ ପ୍ରାୟତଃ ରାଜ୍ୟ ବାହାରେ ରହୁଥିଲା ଓ ସେଥର ଦଶହରା ଛୁଟିରେ ସେ ଘରକୁ ଆସିପାରି ନଥିଲା |ଘରକୁ କେହି ଆସିଲେ,ସମ୍ବିତ ଜୁହାର ଟିଏ ପକାଇ ତା ପଢା ଘରେ ପଶିଯାଏ |
ତାର ପାଠ ଭଲ କି ସେ ଭଲ |ଉଷା ଓ ବିମଳଂକୁ ଦେଖି ସେ ସାଷ୍ଟାଂଗ ପ୍ରଣିପାତ କରି ତା ପାଠପଢାରେ ଲାଗିଗଲା | ନବମୀ ତିଥିରେ ସମସ୍ତେ  ଦୁର୍ଗାପୂଜା ଦେଖିବାକୁ ବାହାରିଲେ |ସମ୍ବିତକୁ ଡାକିବାରୁ ସେ ପାଠପଢା ଆଳ ଦେଖାଇ ରହିଗଲା |ସହରରେ ଦେବୀଂକ ମୂର୍ତ୍ତୀ,ତୋରଣ ଓ ଅପୂର୍ବ ସାଜସଜ୍ଜା ଦେଖି ଘରକୁ ଫେରିବା ବେଳକୁ ରାତି ଦଶ |କବାଟରେ ହାତ ମାରୁ ମାରୁ,ଦର ଆଉଜା କବାଟ ଆପେ ଆପେ ଖୋଲିଗଲା |ଉଷା କାହାକୁ କିଛି ନକହି ଅତି ସନ୍ତର୍ପଣରେ ସମ୍ବିତ କଣ କରୁଛି ଦେଖିବାକୁ ତା  ପଢାଘର କବାଟ ଖୋଲିଦେବା କ୍ଷଣି  ସାମ୍ନାରେ  ସାପ ଦେଖିବା ପରି  ଚମକି ପଡି ଏକ ଚିତ୍କାର କରି ଉଠିଲା |ଛାନିଆ ହୋଇ ସମସ୍ତେ ସେଠାକୁ ଦୌଡିଯାଇ ଦେଖିଲେ,ସମ୍ବିତର ପଢା ଟେବଲ ଉପରେ ଏକ ପ୍ଲେଟରେ  ତନ୍ଦୁରୀ ଚିକେନ ରହିଛି ଓ ସେ ଆରାମରେ ବସି ଖାଉଛି  |ତାର ଆମିଷ ଖାଇବାକୁ ଉଷା ସହଜରେ ହଜମ କରି ପାରୁ ନଥିଲା ଓ  ତାକୁ ଭୟାର୍ତ୍ତ ଭାବରେ  ଚାହିଁ ରହିଥିଲା  |ବିମଳ ପରିସ୍ଥିତିକୁ ହୃଦୟଂଗମ କରି କହିଲା,ୟାକୁ ଦେଖି ଏମିତି କଣ  ହେଉଛ ?ମୁଁ ତ ନନ୍ ଭେଜ ଖାଏ  |ଘରେ ସିନା ତମେ ବାରଣ କର,ହେଲେ ବାହାରେ ମୁଁ ମୋ ମନ ଇଚ୍ଛା ସବୁ  ଖାଏ |କେଉଁ ଚଉଦ ପୁରୁଷ ଅମଳରୁ କିଏ କଣ ବିଧି ରଖିଥିଲା ବୋଲି ଆମେ ନିଜ ଆତ୍ମାକୁ ସନ୍ତେଇ ତାକୁ ପାଳନ କରି ଚାଲିଥିବୁ,ତାର କିଛି ମାନେ ନାହିଁ |ସେ ସମ୍ବିତକୁ କହିଲା,ତୁ ଖା,କାହାରି କଥା ଶୁଣନା | ରୁମ କବାଟ ଆଉଜାଇ ଦେଇ ସେ  କହିଲା,ତାର ଏଇନା ଖାଇବା, ପିନ୍ଧିବା ବୟସ |ତା ଇଚ୍ଛା ବିରୁଦ୍ଧରେ ତା ଉପରେ କିଛି ଲଦିଦେଲେ ଫଳ ଭୟଂକର ହେବ | ସୁଶାନ୍ତ ପାଖରେ ଏହି ଖବର ପହଂଚିଲା |ସେ ମଧ୍ୟ ବିମଳ ପରି ଏହାକୁ ଅତି ହାଲୁକା ଭାବରେ ନେଲା |ସେହିଦିନ ଠାରୁ ସମ୍ବିତର ଆମିଷ ଭୋଜନ ଉପରେ ଥିବା କଟକଣା ଉଠିଗଲା
                    ସମ୍ବିତ ସୁଚାରୂ ରୂପେ ନିଜ କୋର୍ସ ଶେଷ କରି ଏକ ବହୁଦେଶୀୟ କମ୍ପାନୀରେ ନିଯୁକ୍ତି ପାଇଲା |ଦିନେ   ସୁଶାନ୍ତ ବ୍ୟାଂକରୁ ଫେରିବା ପରେ ଖୁବ୍ ଖୁସିରେ ପୁଷିକୁ କହିଲା,ଆମ ବ୍ୟାଂକର ମୋହିତକୁ ତମେ ଜାଣିଛ ନାଁ ?ପୁଷି କହିଲା,ହଁ ଜାଣିଛି ,କଣ ହେଲା କୁହ |ସୁଶାନ୍ତ କହିଲା,ତାଂକର ଝିଆରୀ ଗତବର୍ଷ ବ.ଟେକ୍ କରି ବାଂଗାଲୋରରେ ଅମୁକ କମ୍ପାନୀରେ ଚାକିରୀ କରୁଛି |ହାଇଟ ପାଂଚ ଫୁଟ୍ ଚାରି ଇଂଚ,ତୋଫା ଗୋରା,ଗୋଟିଏ ଚାଉଳରେ ଗଢା ;ପୁଣି ଜାତକ ରାଜ ଯୋଟକ ପଡିଛି |ମୁଁ ଭାବୁଛି,ଆମ ସମ୍ବିତ ରାଜି ହୋଇଯିବ |ପୁଷି କିଛି ସମୟ ଚିନ୍ତା କରି କହିଲା,ସେ ଆମିଷାସୀ କି ନିରାମିଷାଶୀ  ପଚାରିଛ ?ସୁଶାନ୍ତ କହିଲା,ନାଁ .,ସେକଥା ପଚାରିବାକୁ ତ ଭୁଲିଗଲି |ପୁଷି କହିଲା,ଆଗ ସେଇଟା ପଚାରି ଆସ |ବାହାଘରରେ ଆନ୍ୟାନ୍ୟ ମେଳକ ଅପେକ୍ଷା ଖାଦ୍ୟ ମେଳକ ହେଉଛି ଶ୍ରେଷ୍ଠ ମେଳକ ,ତାପରେ ଆଉ ଯାହା  |  ତା  କଥା ଶୁଣି ସୁଶାନ୍ତ ଦୀର୍ଘ ତିରିଶ  ବର୍ଷ ତଳର କଥା ମନେ ପକେଇଲା ,ଆଉ ଭାବୁଥିଲା,ପୁଷି ବୋଧହୁଏ ଠିକ କହୁଛି |ମମତା ମହାନ୍ତି |
           

                   
                

Wednesday, September 18, 2019

ପୁଅ ଶିଖାଇଲା ବୁଦ୍ଧି

                  ଦେଶସାରା ଟ୍ରାଫିକ ନିୟମ କଡାକଡି ଭାବରେ ଲାଗୁ ହୋଇଛି |କେତେ ରାଜ୍ୟ ଏହାକୁ ଲାଗୁ କରି ନାହାନ୍ତି ଓ ଅନ୍ୟ କେତେକ ରାଜ୍ୟ ଆଇନରେ  କିଛି କୋହଳ କରି ଲାଗୁ କରିଛନ୍ତି |ଆମ ଓଡିଶା କଥା ନିଆରା |ଏହି ଆଇନ ଲାଗୁ କରିବାରେ ଏହା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି |ଏହାକୁ ବିରୋଧ କରି ରାଜ୍ୟରେ ଭୀଷଣ ଜନ ଅସନ୍ତୋଷ  |ବିଭିନ୍ନ ଗଣମାଧ୍ୟମ /ସୋସିଆଲ ମିଡିଆ ନିଆଁରେ ଘିଅ ଢାଳିଵା ପରି ଖବର ପ୍ରସାରଣ କରୁଛନ୍ତି  |ଏସବୁକୁ ଦୃଷ୍ଟିରେ ରଖି ସରକାର ତିନିମାସ ପାଇଁ ଆଇନକୁ କୋହଳ କରିଛନ୍ତି  |ଆମ ପୁଅ ବୋହୂ ବାଂଗାଲୋରରେ ଚାକିରୀ କରୁଛନ୍ତି |  ସ୍ବାମୀ ପୁଅକୁ ଫୋନ କରି ତାର ଗାଡି କାଗଜ ଠିକ ଠାକ୍ ଅଛି ନାଁ ନାହିଁ ପଚାରିଲେ |ପୁଅ କହିଲା,ଏଇଠି ଆମର ପ୍ରାୟ ବେଳେ ଚେକିଂ ହୁଏ |ତେଣୁ ଆମେ ବାଇକରେ ଯିବାବେଳେ  ନିଶ୍ଚିତଭାବରେ ହେଲମେଟ ପିନ୍ଧୁ ଓ କାରରେ ଯିବାବେଳେ ସିଟ ବେଲ୍ଟ ବାନ୍ଧୁ |ଖାଲି ଏତିକି ନୁହେଁ, ଗାଡିର ଭାଲିଡ ଲାଇସେନ୍ସ,ଇନ୍ସୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ  ସବୁବେଳେ ମୋ ପର୍ସରେ  ଥାଏ | ଠିକ ସମୟରେ ଗ୍ୟାସ ବୁକିଂ କରିବା କି ମୋବାଇଲ ରିଚାର୍ଜ କରିବା ପଛକେ ଭୁଲି ଯାଇ ପାରେ କିନ୍ତୁ ଠିକ ସମୟରେ ଗାଡି କାଗଜ ଅପଡେଟ କରିବା କେବେ ଭୁଲେ ନାହିଁ କାରଣ ଏହା ସହିତ ଆମ ସମ୍ମାନ ଓ ପରିବାରର ସୁରକ୍ଷା ଜଡିତ ରହିଛି |
By--Mamata Mohanty.,9437133391.

Thursday, September 12, 2019

ଭାଇ ମୋର କଳାଠାକୁର

              ସଞ୍ଜୟ  ତାର ଭାଇ ବିଜୟ ଓ ଭାଉଜ ରୂପାଙ୍କୁ  ବହୁତ ଭଲ ପାଉଥିଲା | |ପିତାମାତାଙ୍କ  ବିୟୋଗ  ପରେ ସେ ଦୁଇଜଣ ତା ପାଇଁ ଜୀବନ୍ତ ପିତାମାତା ଥିଲେ |ବିଜୟ ମଧ୍ୟ ସଞ୍ଜୟକୁ ନିଜ ପୁଅପରି ସ୍ନେହ କରୁଥିଲା |ଆଦରରେ ତାକୁ ତାର ଡାକ ନାମ 'ସଞ୍ଜୁ 'ବୋଲି ନ ଡାକି 'ବା' ବୋଲି ଡାକୁଥିଲା |ଏକଦା ଗାଁରେ ତାଙ୍କର  ଅନେକ ଜମିବାଡି ଥିଲା  | କିନ୍ତୁ ବାପା ବଡବାପାଙ୍କ  ଭିତରେ ଜମିବାଡି  ଓ ଅନ୍ୟାନ୍ୟ ବାବଦରେ  ଗୋଟିକ ପରେ ଗୋଟିଏ ମକଦ୍ଦମା  ହୋଇ  ଅନେକ ମୂଲ୍ୟବାନ ଜମି ବିକ୍ରୀ ହୋଇ ଯାଇଥିଲା |ନିଜ ଭୁଲ ବୁଝି ବାପା ବଡବାପା ପରସ୍ପର ସହିତ ଆପୋଷ ବୁଝାମଣା କରିବା ବେଳକୁ ଲେଡି ଗୁଡ କହୁଣୀକୁ ବୋହି ଯାଇଥିଲା | ସେହି ଚିନ୍ତାରେ ବାପା ଅକାଳରେ ଚାଲି ଯାଇଥିଲେ ଓ ତାଙ୍କ  ପରେ ପରେ ବୋଉ ମଧ୍ୟ ଇହଧାମରୁ ବିଦାୟ ନେଇଥିଲା |ଉଭୟଙ୍କ   ଦେହାନ୍ତ ପରେ ସେମାନଙ୍କ  ଭାଗ୍ୟାକାଶରେ କଳାବାଦଲ ଘୋଟି ଆସିଥିଲା |ସେତେବେଳେ ବିଜୟର ପୁଅ ଓ ଝିଅ ଅତି ଛୋଟ ଥିଲେ ଓ ସଞ୍ଜୟ  ସ୍କୁଲରେ ପଢୁଥିଲା |ବିଜୟ ଗାଁ ସ୍କୁଲରେ ଶିକ୍ଷକତା କରୁଥିଲା |ତା ସହିତ ସେ ଦୁଇବେଳା ଟ୍ୟୁସନ କରି ବହୁତ କଷ୍ଟରେ ପରିବାର ଚଳାଉ ଥିଲା |ପିନ୍ଧିବାକୁ ତା ପାଖରେ ହଳେ  ସାର୍ଟ ପ୍ୟାଣ୍ଟ ବ୍ୟତୀତ  ଦ୍ଵିତୀୟ  କିଛି ନଥିଲା |  ଭାଇ ଭାଇ ମଧ୍ୟରେ ସମ୍ପର୍କ କିନ୍ତୁ ଅତି ନିବିଡ ଥିଲା |ସଞ୍ଜୟ  ବି.ଏ.ପାଶ କରିବା ପରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲା |ଯେଉଁଦିନ ସେ କନିଷ୍ଠ କିରାଣୀ ଚାକିରୀ ପାଇଁ ମନୋନୀତ ହେବାର ସମ୍ବାଦ ଆସିଲା ସେଦିନ ଅତି ଖୁସିରେ ବିଜୟ  କାନ୍ଦି ପକେଇ ଥିଲା  |
                ବିଜୟର ସ୍ତ୍ରୀ ରୂପା ଅତ୍ୟନ୍ତ ସୁନ୍ଦରୀ ଓ ଗୁଣବତୀ ଥିଲା |ଶାଶୁ ଶିଖେଇ ଯାଇଥିବା ପୂଜାପର୍ବକୁ ସେ ଅତି ନିଷ୍ଠାର ସହିତ ପାଳନ କରୁଥିଲା |ସଞ୍ଜୟ  ପାଇଁ ସେ ଥିଲା  ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ  |ସଞ୍ଜୟ  ଚାକିରୀ କରିବାପରେ ପରିବାରର ଅଭାବ ଅସୁବିଧା କ୍ରମଶଃ ସୁଧୁରିବାରେ ଲାଗିଲା |ଦରମା ପାଇବା ପରେ  ଘରକୁ ଆସି ସମସ୍ତ ଟଙ୍କା  ସେ ଭାଉଜଙ୍କୁ  ଦେଉଥିଲା |ଯେତେବେଳେ ଦରକାର ହେଉଥିଲା,ସେ ତାଙ୍କ  ଠାରୁ ମାଗି ନେଉଥିଲା | ଚାକିରୀ କରିବାର କିଛିବର୍ଷ ପରେ ସଞ୍ଜୟର ବିବାହ କଥା ଚିନ୍ତା କରାଗଲା |ସଞ୍ଜୟକୁ ଏକଥା ପଚାରିବାରୁ ସେ ସଫା ସଫା କହିଦେଲା,ମୁଁ ଝିଅ ଦେଖିବାକୁ ଯିବିନି,ଭାଉଜ ଯେଉଁଠି ଠିକ କରିବେ,ସେଇଠି ବାହା ହେବି |କାରଣ ତାର ଦୃଢ ବିଶ୍ୱାସ  ଥିଲା,ଭାଉଜ ଯେମିତି ଅପୂର୍ବ ସୁନ୍ଦରୀ,ତାପାଇଁ ସେମିତି ଝିଅ ପସନ୍ଦ କରିବେ |ସେଇଆ ହେଲା |ରୂପା କିନ୍ତୁ ସଞ୍ଜୟ  ପାଇଁ ଏମିତି ଝିଅ ଖୋଜୁଥିଲା,ଯେଉଁଠାରେ ଭଲ ଯୌତୁକ ମିଳିବ ଓ ସେହି ଟଙ୍କାରେ ବାହାଘର ଖର୍ଚ୍ଚ ଉଠିଯିବ |ତାଛଡା ସେ ଚାହୁଁଥିଲା,ଏମିତି ଝିଅକୁ ସେ ତାର ଯାଆ କରିବ,ସେ ଯେପରି ତା କଥାରେ ଉଠ ବସ ହେଉଥିବ !ତା ବାପଘର ଗାଁରେ ତାର ଜଣେ ଦୂର ସମ୍ପର୍କୀୟ ମଉସାଙ୍କ  ଝିଅ  ଥିଲା,ଯିଏ ମାଟ୍ରିକ ଫେଲ୍ ହୋଇଥିଲା  ଓ ଅତିରିକ୍ତ ମୋଟି ଯୋଗୁଁ ତା ବାହାଘର ହୋଇପାରୁ ନଥିଲା |ମଉସାଙ୍କ  କାନରେ ଏହି ପ୍ରସ୍ତାବ ପଡିବା କ୍ଷଣି  ସେ ଆନନ୍ଦରେ ଆତ୍ମହରା  ହୋଇ ବାହାଘରରେ କଣ କଣ ଯୌତୁକ ଦେବେ,ତାର ଲମ୍ବା ତାଲିକା ମୁହେଁ ମୁହେଁ ଗାଇ ଗଲେ |ଅନ୍ୟାନ୍ୟ ଖର୍ଚ୍ଚ ବ୍ୟତୀତ  ନଗଦ ଦୁଇଲକ୍ଷ ଟଙ୍କା  ଦେବାପାଇଁ ପ୍ରସ୍ତୁତ ଥିବା କଥା ମଧ୍ୟ କହିଲେ |ମୋଟ ଉପରେ ସେ ଏପରି ଲୋଭନୀୟ ପ୍ରସ୍ତାବକୁ ହାତଛଡା କରିବାକୁ ଚାହୁଁ ନଥିଲେ କାରଣ ସଞ୍ଜୟର ସରକାରୀ ଚାକିରୀ ଵ୍ୟତୀତ ସେ ସୁଦର୍ଶନ ଓ ଅମାୟିକ ଥିଲା  |ଅନ୍ୟ ପକ୍ଷରେ ଦୀର୍ଘ କାଳ ଦାରିଦ୍ର୍ୟରେ ଘାଣ୍ଟି ହୋଇଥିବା ରୂପା ପାଇଁ  ପ୍ରସ୍ତାବଟି ମଧ୍ୟ କମ୍  ଲୋଭନୀୟ ନଥିଲା |ଘରକୁ ଫେରି ବିଜୟ ଯେଉଁ ଭାଷାରେ ବୁଝିବ,ସେଇ ଭାଷାରେ ସେ ତାକୁ ଭଲଭାବରେ ବୁଝାଇ ଦେଲା  ଓ ବିଜୟ ରାଜି ହୋଇଗଲା |ବିଜୟ ବି ଚାହୁଁ ଥିଲା,ଚିହ୍ନା ପରିଚୟ ଭିତରେ ବାହାଘର ହେଲେ ଦୁଇ ଯାଆ ଦୁଇ ଭଉଣୀ ପରି ଚଳିବେ |ଏଣେ  ଝିଅଟି ରୂପାର ସମ୍ପର୍କୀୟା ଜାଣି ,ସେ ତାଙ୍କ  ପରି ଅନିନ୍ଦ୍ୟ ସୁନ୍ଦରୀ ହୋଇଥିବା କଳ୍ପନା କରି ସଞ୍ଜୟ   ସୁଖ ସ୍ୱପ୍ନରେ  ବିଭୋର ହୋଇ ଯାଇଥିଲା |
                   ବାହାଘରରେ ସଞ୍ଜୟ  ଖୋଲାହାତରେ ଖର୍ଚ୍ଚ କରିଥିଲା |ରୂପା ପାଇଁ ତା ପସନ୍ଦର ପାଟ ଆଣିଥିଲା |ଭାଇ ଓ ପୁତୁରା ଝିଆରୀଙ୍କ  ପାଇଁ ମଧ୍ୟ ଭଲ ପୋଷାକ କରିଥିଲା |ବାହାଘର ଭୋଜିଭାତ ସବୁକିଛି ତା ଖର୍ଚ୍ଚରେ ହୋଇଥିଲା |କିନ୍ତୁ ବାହାଘର ପରେ ସ୍ତ୍ରୀ କାଜଲକୁ ଦେଖି ତାର ସବୁ ସୁଖସ୍ୱପ୍ନ  ଧୂଳିସାତ୍ ହୋଇଯାଇଥିଲା   |ଭାଉଜ ତା ପାଇଁ ଏପରି ଝିଅ ପସନ୍ଦ କରିବା କଥା ସେ ସ୍ୱପ୍ନରେ  ସୁଦ୍ଧା କଳ୍ପନା କରି ପାରି ନଥିଲା |ଦୁଃଖରେ ସେ ସପ୍ତାହେ କାଳ  ବାହାରେ ବାହାରେ ବୁଲିଲା ଓ ବାହାରେ ଶୋଇଲା |କିନ୍ତୁ କିଛିଦିନ ପରେ ସେ ନିଜ ମନକୁ ବୁଝାଇ ଦେଲା |ସେ ଭାବିଲା, ଭାଉଜ ତାର ମାତୃତୂଲ୍ୟ ;ତାପାଇଁ ଯେଉଁ ଝିଅ ପସନ୍ଦ କରିଛନ୍ତି,ହୁଏତ ତା ଭଲ ପାଇଁ କରିଥିବେ |କାରଣ ରୂପା ସବୁବେଳେ ଉଦାହରଣ ଦେଇ କହୁଥିଲା,'ଖୁଣ ଯେଉଁଠି,ଗୁଣ ସେଇଠି ' | କାଜଲ  ଧୀରେ ଧୀରେ ନିଜକୁ ପରିବାର ସଙ୍ଗେ  ଖାପ୍ ଖୁଆଇ ଚଳିବା ଶିଖିଗଲା |ବିଜୟର  ପୁଅ ବଡ ଓ  ଝିଅ ସାନ ଥିବାବେଳେ ସଞ୍ଜୟର  ଝିଅ ବଡ, ପୁଅ ସାନ ଥିଲା |ସଞ୍ଜୟ  ବଡଭାଇଙ୍କ  ପୁଅକୁ ବଡପୁଅ , ଝିଅକୁ ବଡଝିଅ ଓ  ତା ନିଜପୁଅକୁ ସାନପୁଅ ,ଝିଅକୁ ସାନଝିଅ ବୋଲି କହୁଥିଲା |ଭାଇଙ୍କ  ପୁଅ ଝିଅ ଅତ୍ୟନ୍ତ ଶାନ୍ତଶିଷ୍ଟ ଓ ପାଠପଢାରେ ତେଜ ଥିବାବେଳେ ତାର ନିଜ ପିଲା ଦୁଇଜଣ ଅତି ଦୁଷ୍ଟ ଓ ସେପରି ଭଲ ପଢୁନଥିଲେ |କିନ୍ତୁ ସେ କେବେହେଲେ ନିଜ ପିଲାଙ୍କ  ପାଇଁ ବ୍ୟସ୍ତ ହେଉନଥିଲା ;ବରଂ ଭାଇଙ୍କ  ପିଲା ଭଲ ପଢୁଛନ୍ତି ବୋଲି ଖୁବ୍ ଗର୍ବିତ ଥିଲା |ଯେତେବେଳେ ସେ ଦୁଇ ଯାଆଙ୍କ ପାଇଁ ଶାଢ଼ୀ ,ଗହଣା ବା ଅନ୍ୟ ଯେ କୌଣସି ଜିନିଷ ଆଣୁଥିଲା ,ପ୍ରଥମେ ସେ ତାହାକୁ ରୂପାକୁ ଦେଖାଇ ସେ ପସନ୍ଦ କରିବା ପରେ ଅନ୍ୟଟି କାଜଲକୁ ଦେଉଥିଲା ।     
              କାଜଲ ଘରର ପ୍ରାୟ ସବୁ କାମ ଏକୁଟିଆ କରୁଥିଲା  ।ପିଲା ମାନଙ୍କୁ ଗାଧୋଇ,ଖୁଆଇ,ଡ୍ରେସ ପିନ୍ଧାଇ ସ୍କୁଲ ପଠାଇବା କାମ ବି କାଜଲ ର ଥିଲା।ବଡ଼  ପିଲା ଦୁଇଜଣ ଟ୍ୟୁସନ ଯାଉଥିଲେ ।ତେଣୁ ବିଛଣା ରେ ଶୋଇ ଟିଭି ସିରିଏଲ ଦେଖିବା ଓ କାଜଲ ର ଦୋଷ ତୃଟି ବାହାର କରିବା ଛଡ଼ା ରୂପାର ଆଉ ବିଶେଷ କିଛି କାମ ନଥିଲା ।ଅଳସୁଆ ହୋଇ ବସି ରହିବା କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ହେଉ,କ୍ରମଶଃ ତାକୁ ଆଂଠୁ  ଗଣ୍ଠି ବାତ ରୋଗ ଆକ୍ରମଣ କଲା ।ତାକୁ ଘଷା ମୋଡା କରିବା କାମ ମଧ୍ୟ କାଜଲର ଥିଲା |  ଅତି ଗେହ୍ଲା ହୋଇ କମ ପଢ଼ି ଥିବାରୁ କାଜଲ ମନରେ ଦୁଃଖ  ରହିଥିଲା ।ତେଣୁ ସେ ତା ପିଲାଙ୍କୁ କଠୋର ଅନୁଶାସନରେ ରଖିଥିଲା ଓ ସେମାନେ ପଢିବାବେଳେ ନିଶ୍ଚିତ ଭାବରେ ସେମାନଙ୍କ ପାଖରେ ବସୁଥିଲା ।ଦିନେ କାଜଲ ଦେଖିଲା ବଡ଼ଝିଅ ମୀନା କ୍ଷୀରଵାଲାର  ବାଳୁଙ୍ଗା ପୁଅ ସହିତ ଫୁସୁର ଫୁସୁର ହେଉଛି।ତାକୁ ଏକଥା ଭଲ ଲାଗିଲା ନାହିଁ ।ସେ ରୂପାକୁ ଏଇ ବିଷୟରେ ଜଣାଇବାରୁ ଘରେ ପ୍ରଳୟ ହେଲା ।ତା ପିଲାଙ୍କୁ ସହି ନପାରି କାଜଲ ଏପରି ମିଛ ଚୁଗୁଲି କରୁଛି ବୋଲି ସେ ବିଜୟ ଓ ସଞ୍ଜୟକୁ  କହିଲା ।ଧୀରେ ଧୀରେ କଥା ବଢ଼ିଲା ।ରୂପା ରାଗିଯାଇ କାଜଲକୁ କହିଲା,ତାଡକା ଅସୁରୁଣୀ ପରି ଚେହେରା ସେଥିରେ ମିଛେଇ,କଳି କାଣ୍ଡେଇ ; ତା ବାପା ଯୌତୁକ ଲୋଭ ଦେଖେଇ ମତେ ବାନ୍ଧି ପକେଇଲା ବୋଲି ସିନା,ନହେଲେ ଇଏ ,ସଞ୍ଜୟଙ୍କ  ପାଦଧୂଳିକୁ ସରି ନୁହେଁ |ଯେମିତି ଚେହେରା ସେମିତି ଗୁଣ |  ଘଟଣା କଣ  ନ ବୁଝି ସଞ୍ଜୟ  ମଧ୍ୟ ରୂପାର ପକ୍ଷ ନେଇ କାଜଲକୁ ଗାଳି ଗୁଲଜ କଲା |ଏତେ  କଟୂ କଥା କାଜଲ ପାଇଁ ଅତ୍ୟନ୍ତ ଅପମାନଜନକ ଥିଲା |ବିଦା ହୋଇ ଶାଶୁଘରକୁ ଆସିଲା ବେଳେ ସେ ଯେତିକି କାନ୍ଦି ନଥିଲା,ସେଦିନ ତାଠାରୁ ଢେର ଅଧିକ ଗୁଣ ସେ କାନ୍ଦିଲା |  କଥା  ଏମିତି ବଢ଼ି ଯାଇଥିଲା ଯେ ବିଜୟ ସେମାନଙ୍କୁ ଅଲଗା ଘରଭଡ଼ା ନେଇ ରହିବାକୁ କହିଲା ।ସଞ୍ଜୟ କିନ୍ତୁ ବିଜୟକୁ ରୋକଠୋକ୍ ଶୁଣାଇ ଦେଲା, ସେ ତା ସ୍ତ୍ରୀ ପିଲାଙ୍କୁ ଛାଡିଦେଵ ପଛକେ,ଭାଇଙ୍କୁ ଛାଡ଼ି ରହି ପାରିବ ନାହିଁ ।କିନ୍ତୁ ବିଜୟ ସଞ୍ଜୟ କୁ ଅଳ୍ପଦିନ ପାଇଁ ଅଲଗା ରହିବା ପାଇଁ ଅନୁରୋଧ କଲା।
                ସଞ୍ଜୟ  ଅଲଗା ରହିଲା ସିନା ,ତା ମନ କିନ୍ତୁ ସବୁବେଳେ ଭାଇ ଭାଉଜଙ୍କ ପାଖରେ ଥିଲା ।ସବୁଦିନ ଅଫିସରୁ ଫେରିବା ସମୟରେ ସେ ସେମାନଙ୍କୁ ନିଶ୍ଚିତଭାବରେ ଦେଖା କରି ଆସୁଥିଲା ।ସେ ଆମିଷ ପ୍ରିୟ ଥିବାରୁ , ଭାଇଙ୍କ  ଘରେ ଆମିଷ ରନ୍ଧା ହେବା ଦିନ ସେଠାରେ ଖାଇ ଦେଇ ଆସୁଥିଲା ।ନିଜ ଦରମାର ଅଧା ସେ ରୂପାକୁ ଦେଉଥିଲା ଓ ବାକି ଅଧା ଦରମାରେ ସେମାନେ ଚଳୁଥିଲେ  ।କାଜଲ କେବେହେଲେ ସଞ୍ଜୟର ଦରମା ଟଙ୍କା  ବିଷୟରେ ତାକୁ ପଚାରୁ ନଥିଲା |ବରଂ ସଞ୍ଜୟ  ତାକୁ ଯେତେ କମ୍ ଟଙ୍କା  ଦେଲେ ବି ସେ ସେତିକିରେ ସୁରୁଖୁରୁରେ ଘର ଚଳାଇ ଦେଉଥିଲା  ଓ ତାର ସମସ୍ତ ଧ୍ୟାନ ପିଲାଙ୍କ  ଉପରେ ଥିଲା  |ଏହା ଭିତରେ ବିଜୟ ପରିବାରରେ ଅନେକ ଘଟଣା ଘଟିଗଲା |ଦିନେ ବଡଝିଅ ମୀନା କ୍ଷୀରବାଲାର ସେଇ ବାଳୁଙ୍ଗା  ପୁଅ ସାଙ୍ଗରେ  ଘରଛାଡି ଚାଲିଗଲା |ତାର କିଛିଦିନ ପରେ ବଡପୁଅ ସୁମନ ଯୁକ୍ତଦୁଇ ପରୀକ୍ଷା ଅଧାରୁ ଆସି ଘରେ ପହଞ୍ଚିଲା  ଓ ଆଉ ପରୀକ୍ଷା ଦେବନାହିଁ ବୋଲି ଜିଦ୍ଦି ଧରିଲା |ତା କଥା ଶୁଣି ରୂପାର ରାଗ ପଞ୍ଚମକୁ ଉଠିଗଲା |ସେ ଗୋଟିଏ ବଡ ବେତ ଆଣି ସୁମନକୁ ଜୋରରେ ଦୁଇ/ତିନି ପାହାର କଷି ଦେଇ କହିଲା,ପରୀକ୍ଷା ଦେବୁନି ଯଦି,ଘର ଛାଡି ଚାଲିଯା |ଏହା କହି ବେତ ଫୋପାଡି ଘର ଭିତରକୁ ଯାଇ ବହୁତ କାନ୍ଦିଲା |କିଛିସମୟ ପରେ ବାହାରକୁ ଆସି ଦେଖେ ତ ,ସୁମନ ନାହିଁ | ତାର ମନିପର୍ସ,ଘଣ୍ଟା,ମୋବାଇଲ ଓ ବ୍ୟାଗ ଇତ୍ୟାଦି ଛାଡିଦେଇ ସୁମନ ସତକୁ ସତ ଚାଲିଯାଇଥିଲା |ସେଇ ଯେ ଗଲା,ଆଉ ଫେରିଲାନି କି ତାର କିଛି ଖୋଜଖବର ସେମାନେ ପାଇଲେ ନାହିଁ |
                ଭାଇ ଭାଉଜଙ୍କ  ଦୁଃଖ ସମୟରେ ସଞ୍ଜୟ  ପ୍ରାୟବେଳେ ସେମାନଙ୍କ  ଘରେ ରହୁଥିଲା ଓ ସେମାନଙ୍କୁ  ଆଶ୍ୱାସନା  ଦେଉଥିଲା |ସମୟ ଗଡି ଚାଲିଲା |କାଜଲର ନିରବିଛିନ୍ନ ଉଦ୍ୟମ ଯୋଗୁଁ ସଞ୍ଜୟର ପିଲାମାନେ କ୍ରମଶଃ ଭଲ ପଢିଲେ  |ସାନଝିଅ ନୀନା ଗ୍ରାଜୁଏସନ ପରେ ପି .ଜି.କରିବା ସମୟରେ ତାପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିଲା ଓ ସେହିଠାରେ ତାର ବିବାହ ହେଲା |ନୀନା ବିବାହରେ ବିଜୟ ଓ ରୂପା ଯଥାକ୍ରମେ କର୍ତ୍ତା ଓ କର୍ତ୍ତୀ ହୋଇ କନ୍ୟାଦାନ କଲେ |ସାନପୁଅ କଲ୍ୟାଣ ଇଂଜିନିଅରିଂ ଶେଷ ବର୍ଷରେ କ୍ୟାମ୍ପସ ସିଲେକ୍ସନରେ ଗୋଟିଏ ବଡ କମ୍ପାନୀରେ ଚାକିରୀ ପାଇଗଲା |
           ଦିନେ ଅଫିସ ଅଧାରୁ ଧଇଁ ସଇଁ ହୋଇ ଘରକୁ ଆସି ସଞ୍ଜୟ  କାଜଲକୁ କାନ୍ଦି କାନ୍ଦି କହିଲା,ଡାଇବେଟିସରେ ଭାଉଜଙ୍କ  ଦୁଇଟି ଯାକ କିଡିନୀ ନଷ୍ଟ ହୋଇଯାଇଛି ;ଅତିଶୀଘ୍ର ଗୋଟିଏ କିଡନୀ ପ୍ରତିରୋପଣ ନହେଲେ,ଭାଉଜଙ୍କୁ  ବଞ୍ଚାଇବା  ମୁସ୍କିଲ ହୋଇ ପଡିବ |ତା କଥା ଶୁଣି କାଜଲ କହିଲା,ତମେ ମନଦୁଃଖ କରନାହିଁ 'ଅପାଙ୍କର କିଛି ହେବନି ;ମୁଁ କିଡନୀ ଦେବି |ସେ ପୁଣି କହିଲା,ଅପାଙ୍କର ଓ ମୋର ଗୋଟିଏ ବ୍ଲଡ ଗୃପ  |ମୁଁ ଭାବୁଛି ବୋଧେ ଡାକ୍ତର' ହଁ' କହିଦେବେ |କାଜଲର କଥା ଠିକ ଥିଲା |ତାର କିଡନୀ ରେ ରୂପା ବଞ୍ଚିଗଲା ଓ ଯେଉଁଦିନ ଡାକ୍ତର ତାକୁ ବିପଦମୁକ୍ତ ବୋଲି ଘୋଷଣା କଲେ,ସେଦିନ ଅତି ଆନନ୍ଦରେ ସଞ୍ଜୟ  ଆଖିରୁ ଲୁହ ଝରି ଆସିଲା |ସେ ବିଜୟକୁ କହିଲା,ଭାଇ ବାହାଘର ପରେ କାଜଲକୁ ଦେଖି ମୁଁ ଭାବିଥିଲି, ତୁମେ ଦୁହେଁ ମତେ ଧୋକା ଦେଇଛ |କିନ୍ତୁ ଏବେ ଜାଣୁଛି ସାରା ଜୀବନ ତମେ କେବଳ ମୋ ଭଲ ହିଁ କରିଛ |ଠାକୁର ବୋଲି ଯଦି ଦୁନିଆଁରେ କିଛି ଥାଏ,ତାହାଲେ ମୋପାଇଁ ସେ ହେଉଛ ତମେ;ତମେ ମୋର 'କଳା ଠାକୁର ' |
               ଏ ପଟେ ରୂପା ଅନୁତାପ ନିଆଁରେ ଦଗ୍ଧ ହୋଇ ଅତୀତରେ ସଞ୍ଜୟ ଓ କାଜଲଙ୍କ ପ୍ରତି କରିଥିବା ଅନ୍ୟାୟ କଥା ଭାବି ଆଖିରୁ ଲୁହ ଝରାଉଥିଲା  | ନିଜର ସରଳତା ପାଇଁ ସଞ୍ଜୟର ସବୁ ଅଶୁଭ ଶୁଭ ପାଲଟିଗଲା ଓ ତାର ସବୁକିଛି  ଶୁଭ ଥାଇ ବି ଅଶୁଭ ପାଲଟି ଗଲା |ତା ପାଖରେ  ବର୍ତ୍ତମାନ କୃତ କର୍ମର ଫଳ ଭୋଗିବା ଛଡ଼ା ଆଉ କିଛି ରାସ୍ତା ନଥିଲା    |ପିଲାଦିନେ ଜେଜେମା ବୋଲୁଥିବା ଢଗ କଥା ତାର ମନେ ପଡୁଥିଲା |' "ଲୀଳା କରୁଥାଇ ଅଦୃଶ୍ୟରେ ରହି,ନାମ ତାର ଅଟେ ଜଗତସାଇଁ "|(ସମାପ୍ତ)
  
     
           
             
                   
          

Friday, June 14, 2019

ଏମିତି କାହିଁକି ହୁଏ ???

            ଦିଲ୍ଲୀରେ ଏମ.ବି.ଏ. କରିବାବେଳେ ବୀରୁ ଓ ନୀତାଂକ ପରିଚୟ ହୁଏ |ଏହାପରେ ଦୁହିଁକ ସମ୍ପର୍କରେ ନିବିଡ଼ତା ଆସେ ଓ ଉଭୟେ ଜାତି,ଧର୍ମ ଓ ଭାଷାର ଉର୍ଦ୍ଧ୍ବକୁ ଉଠି ବିବାହ କରନ୍ତି |ଉଭୟଂକ ପିତାମାତା ପିଲାମାନଂକ ଖୁସିରେ ପ୍ରତିବନ୍ଧକ ନସାଜି ଏହି ବିବାହକୁ ସ୍ବୀକୃତି ଦିଅନ୍ତି |ଦୁହେଁ ଆଇ.ଟି.କମ୍ପାନୀରେ ଚାକିରୀ କରୁଥିଲେ ଓ ବୀରୁ ଥିଲା ତା ପିତାମାତାଂକ ଏକମାତ୍ର ସନ୍ତାନ | ସବୁକିଛି ଠିକଠାକ୍ ଚାଲୁଥିଲା |ସମସ୍ୟା ସେତିକିବେଳେ ଆରମ୍ଭ ହେଲା ଯେତେବେଳେ ଅବସର ଗ୍ରହଣ କରିବାପରେ ବୀରୁର ପିତାମାତା ସେମାନଂକ ପାଖରେ ସ୍ଥାୟୀ ଭାବରେ ରହିବାପାଇଁ ମନସ୍ଥ କଲେ |ଏହି ପ୍ରସ୍ଥାବ ନୀତାକୁ ଆଦୌ ମଂଜୁର ନଥିଲା |  ଶାଶୁ ଶ୍ବଶୁରଂକ ଅନେକ ବୁଝାମଣା ସତ୍ତ୍ବେ କାହିଁକି କେଜାଣି ନୀତା ସେମାନଂକୁ ଆଦୌ ସହ୍ୟ କରିପାରୁନଥିଲା ଓ ଘରେ ସେମାନଂକ ଉପସ୍ଥିତି ତାପାଇଁ ବୋଝ ସଦୃଶ ଥିଲା |ଦିନେ ସେଇକଥା ପାଇଁ ଦୁଇଜଣଂକ ଭିତରେ ଯୁକ୍ତିତର୍କ ଲାଗିଲା |ବୀରୁ ନୀତାକୁ ବୁଝାଇବାକୁ ଯାଇ କହିଲା,ଆମେ ଦୁହେଁ ଚାକିରୀ କରୁଛୁ ;ଭବିଷ୍ୟତରେ ଆମର ପିଲାଛୁଆ ହେଲେ ଆମ ପାଖରେ ତ କେହି ରହିବା ଦରକାର,ଏକଥା ତମେ ବୁଝୁନ କାହିଁକି ?ବୀରୁ କଥା ଶୁଣି ନୀତା ରାଗିଯାଇ କହିଲା,ତାହେଲେ ମୋକଥା ଶୁଣ,ମୋର ପିଲା ଜନ୍ମ କରିବା ଦରକାର ନାହିଁ, କି ମୋ ପାଖରେ କେହି ରହିବା ଦରକାର ନାହିଁ  |କଥା ବଢି ବଢି ଗୁରୁତର ଆକାର ଧାରଣ କଲା  ଓ ଶେଷରେ ପରିଣତି ହେଲା,ଛାଡପତ୍ର !!
          ବ୍ରାହ୍ମଣ ଘରର ସର୍ବଗୁଣସମ୍ପନ୍ନା ଝିଅ ମିତୁ ଇଂଜିନିଅର ଥିଲା ଓ ଏକ ଭଲ କମ୍ପାନୀରେ ଚାକିରୀ କରୁଥିଲା |ସେମାନଂକ ପରିବାର ସମ୍ପୂର୍ଣ୍ଣ ଭାବେ ନିରାମିଷାସୀ ଥିଲେ |ମିତୁର ଅଫିସରେ ଜଣେ ଖଣ୍ଡାୟତ ପିଲା ମିତୁକୁ ବିବାହ କରିବାପାଇଁ ବହୁତ ଆଗ୍ରହୀ ଥିଲା |ସେ ମଧ୍ୟ ନିରାମିଷାସୀ ଥିଲା |କିନ୍ତୁ  ମିତୁର ପିତାମାତା ଜାତି ଉପରେ ସାଲିସ କରିବାକୁ ଚାହୁଁ ନଥିଲେ | ଶେଷରେ ଏକ କୁଳୀନ ବ୍ରାହ୍ମଣ ଘରର ଜ୍ୟେଷ୍ଠପୁତ୍ରଂକ ସହିତ ତାର ବାହାଘର ମହାସମାରୋହରେ ଅନୁଷ୍ଠିତ ହୋଇଗଲା |ମିତୁର ଶାଶୁ ଶ୍ବଶୁର  ବାହାଘର କଥାବାର୍ତ୍ତା ବେଳେ  ଆସବାବ ପତ୍ର ନଦେଇ ସେ ବାବଦକୁ କ୍ୟାଶ ଦେବାପାଇଁ କହିଥିଲେ |ସେଇ ଅନୁସାରେ ମିତୁର ବାପା ପାଂଚଲକ୍ଷ ଟଂକାର ଚେକ୍ ସେମାନଂକୁ ଦେଇଥିଲେ କିନ୍ତୁ ତାହା ସେମାନଂକ ପାଇଁ ଯଥେଷ୍ଟ ନଥିଲା  |ଶ୍ବଶୁର ଘରୁ ଏକ ଦାମୀ କାର ପାଇବା ପାଇଁ ମିତୁର ସ୍ବାମୀ ରୂପେଶଂକର ମଧ୍ୟ ବହୁତ ଇଚ୍ଛା ଥିଲା |କିନ୍ତୁ ତାହା ନମିଳିବାରୁ ତାଂକ ମନରେ ଅଶାନ୍ତି ଜମାଟ ବାନ୍ଧିଥିଲା |ବାହାଘର ପାଇଁ ନେଇଥିବା ଛୁଟି ଶେଷହେବାପରେ ମିତୁ ଚାକିରୀରେ ଯୋଗ ଦେଲା ଓ ପୂର୍ବପରି ତାର ସ୍ବାଭାବିକ ଜୀବନଯାପନ ଆରମ୍ଭ କରିବାକୁ ଚେଷ୍ଟା କଲା |କିନ୍ତୁ ସେ କ୍ରମେ ଅନୁଭବ କଲା  ଯେତେ ଯାହା କଲେବି ଘରେ କେହି ତାହା ଉପରେ ସନ୍ତୁଷ୍ଟ ନାହାନ୍ତି |ଏହାର ମୂଳ କାରଣ ଖୋଜିବାକୁ ତାକୁ ବେଶି କଷ୍ଟ କରିବାକୁ ପଡିଲା ନାହିଁ |ଦିନେ ଶାଶୁ କହୁ କହୁ କହିଦେଲେ ,ପୁଅପାଇଁ କେତେ ପ୍ରସ୍ତାବ ଆସୁଥିଲା ;ଆମେ କାଂଗାଳ ଘରେ ବନ୍ଧୁ ବାନ୍ଧି କ୍ଷତିରେ ପଡିଲୁ |ରୂପେଶ ମଧ୍ୟ ମିତୁ ବାପାଂକୁ କଂଜୁସ ଓ ମଖିଚୁସ କହିବାକୁ ପଛେଇଲା ନାହିଁ |ରୂପେଶଂକ ମନ ରଖିବାପାଇଁ ସେ ବ୍ୟାଂକରୁ ଲୋନ ନେଇ ତାଂକ ପସନ୍ଦ ଅନୁସାରେ ଏକ କାର କିଣି ଦେଇଥିଲା |ଶାଶୁଂକୁ ସନ୍ତୁଷ୍ଟ କରିବାପାଇଁ ସେ ତାଂକୁ ମଝିରେ ମଝିରେ ଦାମୀ ଗହଣା ଓ ଶାଢୀ ଉପହାର ଦେଉଥିଲା |ତଥାପି ତାହା ସେମାନଂକ ପାଇଁ ପର୍ଯ୍ୟାପ୍ତ ନଥିଲା |ସହର ଭିତରେ ଏକ ଭଲ ଜମି ଦେବାପାଇଁ ସେମାନେ ମିତୁର ବାପାଂକୁ କହିଲେ କିନ୍ତୁ ମିତୁ ଏହାର ଘୋର ବିରୋଧ କଲା |ସେ କହିଲା, ଜମି ଓ ଘର ଆମ ଦୁହିଁକ ଦରମା ଟଂକାରେ ହୋଇପାରିବ  ;ସେଥିପାଇଁ ମୁଁ ମୋ ବାପାଂକୁ ବନ୍ଧା ପକେଇ ପାରିବି ନାହିଁ |ଏଥିପାଇଁ ଘରେ ପ୍ରାୟ ପ୍ରତ୍ୟେକ ଦିନ ମତାନ୍ତର ଓ ମନାନ୍ତର ହେଉଥିଲା  |ମିତୁର ଶାଶୁଘର ଆମିଷ ପ୍ରିୟ ଥିଲେ |ସୋମବାର ଓ ଗୁରୁବାରକୁ ବାଦ ଦେଇ ଅନ୍ୟ ଦିନ ମାନଂକରେ ଯେମିତି ହେଉ ଘରେ  ଆମିଷ ରନ୍ଧା ହେଉଥିଲା ଓ ମିତୁକୁ ତାହା ରାନ୍ଧିବାକୁ ପଡୁଥିଲା |ପିଲାଦିନୁ ଆମିଷ ଭୋଜନ କରିନଥିବା ମିତୁ ପାଇଁ ଏହା ଏକ ନିର୍ଯ୍ୟାତନା ଛଡା ଆଉ କିଛି ନଥିଲା |ନିଜ ସ୍ବଭାବର ସମ୍ପୂର୍ଣ୍ଣ ବିପରୀତ ଝିଅଟିକୁ ବିବାହ କରି ରୂପେଶ ଭାବୁଥିଲେ ସେ ଠକି ଯାଇଛନ୍ତି |ଏସବୁ ସତ୍ତ୍ବେ ସେମାନଂକର ପୁଅଟିଏ ହେଲା |କିନ୍ତୁ ପୁଅର ଦାୟିତ୍ତ୍ବ ନେବାପାଇଁ ମିତୁର ଶାଶୁ ରୋକଠୋକ୍ ମନାକରିଦେଇ କହିଲେ,ମୁଁ ପୋଇଲି କାମ କରିପାରିବି ନାହିଁ |ପ୍ରଥମେ ପ୍ରଥମେ ମିତୁ ଚାକିରୀ ଛାଡି ପୁଅର ଲାଳନପାଳନ କରିବ ବୋଲି ଭାବିଥିଲା କିନ୍ତୁ ପରେ ନିଜ ଭବିଷ୍ୟତର ସୁରକ୍ଷା ଦୃଷ୍ଟିରୁ ସେହି ଭାବନାରୁ ଓହରି ଗଲା |ପିଲାକୁ  ଆଠମାସ ହେବାପରେ ସେ ତାକୁ ଡେ କେଆରରେ ଛାଡି ଚାକିରୀରେ ଯୋଗ ଦେଲା |ସେଥିପାଇଁ ତାକୁ ପ୍ରତିଦିନ ରାତି ତିନିଟାରୁ ଉଠି ନିଜ କାମ ସହିତ ପିଲା କାମ ଓ ରୋଷେଇବାସ ଶେଷ କରି ନଅ ଟା ସୁଦ୍ଧା ଘରୁ ବାହାରିବାକୁ ପଡୁଥିଲା |ତାର ଏସବୁ କାର୍ଯ୍ୟକଳାପ ଶାଶୁଘର ଲୋକଂକ ପାଇଁ ଅସହ୍ୟ ଥିଲା |ସେମାନେ ଭାବୁଥିଲେ,ମିତୁ ତା ବାପାଂକ ପ୍ରରୋଚନାରେ ଏସବୁ କାମ କରୁଛି |ରାତି ପାହିଲେ ଶାଶୁଂକ ବୋଲିବାଣୀ ଆରମ୍ଭ ହେଉଥିଲା ଓ ସେ ଦେଖେଇ ଶୁଣେଇ ମିତୁକୁ ଅନେକ କଥା କହୁଥିଲେ |ସହିବାର ସୀମା ଅତିକ୍ରମ କରିବାପରେ ଦିନେ ମିତୁ ପାଟି ଖୋଲିଲା ଓ ସେହିଦିନ ଘରେ ଖଣ୍ଡପ୍ରଳୟ ହୋଇଗଲା |ସେଦିନ ସେ ପୁଅକୁ ଧରି ଘରୁ ବାହାରିବାବେଳେ ରୂପେଶ  'ଆଉ ଏ ଘରକୁ ଫେରିବନି' କହି ଧଡ଼ କରି କବାଟ ବନ୍ଦ କରିଦେଲେ |ସତକୁ ସତ ମିତୁ  ଆଉ  ଶାଶୁଘରକୁ ଫେରିଲା ନାହିଁ କି କେହି ତାକୁ ଫେରାଇ ନେବାକୁ ଆସିଲେ ନାହିଁ  | ଏବେ ତା ପୁଅକୁ ପାଂଚବର୍ଷ ଓ ସେ ତା ପୁଅପାଇଁ ବଂଚିବା ଶିଖି ଯାଇଛି |
             ଭଲ ଘର,ଭଲ ଚାକିରୀ ଦେଖି କିଶୋର ଓ ସଂଗୀତା ନିଜ ଏକମାତ୍ର ଝିଅ ଅର୍ଚ୍ଚିତାର ବାହାଘର ମାନସ ସହିତ କରିଥିଲେ |ବାହାଘର ପରେ ସେମାନେ ମାନସର ନେତାଗିରି ବିଷୟରେ ଜାଣିବାକୁ ପାଇଲେ, ଯାହାକି ସେମାନଂକର ଆଦୌ ପସନ୍ଦ ନଥିଲା |ମାନସର ପିତାମାତା ଏକ ଅନୁନ୍ନତ ଗାଁରେ ରହୁଥିଲେ |ଟିକିଏ ଛୁଟି ମିଳିଲେ ମାନସ ଗାଁକୁ ଯାଉଥିଲା |ସେଠାକାର ଲୋକ ପ୍ରତିନିଧିଂକ ସହ ତାର ଭଲ ସମ୍ପର୍କ ଥିଲା |ସେମାନଂକ ସହଯୋଗରେ ସେ ଗାଁରେ ପକ୍କା ରାସ୍ତା ନିର୍ମାଣ କରିବା,ସ୍କୁଲ,କଲେଜ,ପୋଷ୍ଟ ଅଫିସ,ଡାକ୍ତରଖାନା ଇତ୍ୟାଦି ସ୍ଥାପନ  କରିବାରେ ସଫଳତା ଅର୍ଜନ କରିଥିଲା |  ଯେବେବି ତାର ଗାଁକୁ ଯିବାର ହେଉଥିଲା,ସେ  ଅର୍ଚ୍ଚିତାକୁ ତା ବାପଘରେ ଛାଡି ବିନା ଟେନସନରେ ଗାଁକୁ ଯାଇ ତା କାମ କରୁଥିଲା | ଏମିତି ବି ଅର୍ଚ୍ଚିତାର ବାପାଂକ ଘର ସେ ରହୁଥିବା ଘରଠାରୁ ପାଂଚ ମିନିଟର ରାସ୍ତା ଥିଲା |ଅର୍ଚ୍ଚିତା ଘରେ ରଜ ଓ କୁମାର ପୂର୍ଣିମା ଖୁବ୍ ଧୁମଧାମରେ ପାଳନ କରାଯାଏ |ଗୋଟିଏ ଥର ରଜରେ ମାନସ ଗାଁକୁ ଯିବାପାଇଁ ନିଜ ପ୍ରସ୍ତୁତି ଆରମ୍ଭ କରିଦେଲା |ଅର୍ଚ୍ଚିତା କହିଲା,ଏଇଥର ରଜ ଆମେ ଭୁବନେଶ୍ବରରେ ମନେଇବା ;ତମେ ଗାଁକୁ ଯାଅନା |ତା କଥା ଶୁଣି ମାନସ ଭୀଷଣ ବିରକ୍ତ ହୋଇ କହିଲା,ତମର ସିନା ବାପା ମା ପାଖରେ ଅଛନ୍ତି,ତମେ ତାଂକୁ ସବୁବେଳେ ଦେଖୁଛ ,ହେଲେ ମୋ ବାପା ମା ଗାଁରେ ଅଛନ୍ତି,ମୁଁ ରଜ ,କୁଆଁରପୁନେଇରେ ଗାଁକୁ ଯିବିନି ତ ଆଉ କେତେବେଳେ ଯିବି ?ମୋ ଆସିବା ବାଟକୁ ସେମାନେ ଚାହିଁ ବସିଥିବେ |ମାନସ ଯିବାପରେ ଅର୍ଚ୍ଚିତା ଅନେକ କାନ୍ଦିଲା |ତାକୁ ଏଇଥିପାଇଁ ବେଶି ଦୁଃଖ ଲାଗିଲା ଯେ ସବୁଥର ପରି ସେ ତାକୁ ବାପାଂକ ଘରେ ନଛାଡି ତର ତର ହୋଇ ଗାଁରୁ ଆସିଥିବା  ତା ପିଲାଦିନର ସାଂଗ ସହିତ ଚାଲିଗଲା  |ସଂଧ୍ୟାରେ  ଅର୍ଚ୍ଚିତା ବାପାଂକ ଘରେ ପହଂଚି ସବୁକଥା କହି ତାଂକ ଆଗରେ ବହୁତ  କାନ୍ଦିଲା |କିଶୋର ଓ ସଂଗୀତା ତାକୁ ବୁଝେଇଲେ  ଓ   ମାନସକୁ ପାନେ ଦେବାପାଇଁ ଚିନ୍ତା କଲେ |ଦୁଇଦିନ ପାଇଁ ଗାଁକୁ ଯିବାକୁ କହି ମାନସ ସେଠାରେ ପୁରା ଚାରିଦିନ ରହିଗଲା |ପଂଚମ ଦିନ ରାତି ନଅଟାରେ ଅର୍ଚ୍ଚିତାକୁ ନେବାକୁ ସେ କିଶୋରଂକ ଘରେ ପହଂଚିଲା |ମାନସ ଆସିବା ଜାଣି ଅର୍ଚ୍ଚିତା ଚୁପଚାପ୍ ଚାଦରରେ ମୁହଁ ଘୋଡେଇ ଶୋଇ ପଡିଲା |ମାନସ  ସହିତ ଗାଁର ଆଉ ଦୁଇଜଣ ଲୋକ ଥିଲେ |ସେ  କହିଲା,ସେମାନେ ଘରୁ ସକାଳୁ ବାହାରି ଆସିଲେଣି,କିନ୍ତୁ କଲେଜର କିଛି  କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଟକିଯାଇଥିଲେ;ଏପର୍ଯ୍ୟନ୍ତ କିଛି ଖାଇ ପାରି ନାହାନ୍ତି |କିଶୋରଂକ ଉପରେ ତା କଥାର କିଛି ପ୍ରଭାବ ପଡିଲା ନାହିଁ |ସେ  କହିଲେ,ଅର୍ଚ୍ଚିତା ଶୋଇ ପଡିଲାଣି,ଏବେ ଆଉ ସେ ଯାଇ ପାରିବ ନାହିଁ ;ଖାଇସାରି  କାଲି ଉପରବେଳା ଯିବ |ଅର୍ଚ୍ଚିତା ଶୋଇ ପଡିଥିବା କଥା ଶୁଣି ମାନସ ବିଶ୍ବାସ କଲା ନାହିଁ |ନିଜେ ଆସି ଦେଖିବା ପରେ ବିଶ୍ବାସ କଲା  |ସୌଜନ୍ୟତା  ଦୃଷ୍ଟିରୁ ତାଂକ ଘରେ ଖାଇଦେଇ ଯିବାପାଇଁ କିଶୋର କହୁଥିଲେ  କିନ୍ତୁ ମାନସ ମନାକରି ଘର ଚାବିନେଇ ଚାଲିଗଲା |ଅର୍ଚ୍ଚିତା ସେମାନଂକ କଥା ଶୁଣୁଥିଲା |ସେମାନେ ଦିନସାରା ଖାଇ ନାହାନ୍ତି ଶୁଣି ତାର  ସବୁ ରାଗ କୁଆଡେ ମିଳେଇ ଗଲା |ରାତି ସାରା ତାକୁ ଆଉ ନିଦ ହେଲାନାହିଁ |ଭୋର ପାଂଚଟା ହେବାକ୍ଷଣି ସେ ତାର ବ୍ୟାଗ ଧରି ଘରକୁ ଯିବାକୁ ବାହାରିଲା |ସେତେବେଳେ କିଶୋର ଗଛରୁ ଫୁଲ ତୋଳୁଥିଲେ |ଅର୍ଚ୍ଚିତାକୁ ଦେଖି କହିଲେ,ଆରେ ମା' ତୁ ଯାଉଛୁ ?'ହଁ ବାପା' କହି ଅର୍ଚ୍ଚିତା ଗେଟର କିଳିଣି ବନ୍ଦକରି ଦ୍ରୁତ ପଦକ୍ଷେପରେ ଚାଲିଗଲା |ତା ଯିବାବାଟକୁ ଚାହିଁ କିଶୋର ମନକୁ ମନ କହିଲେ,ଆପଣା ସୁନା ତ ଭେଣ୍ଡି,ମୁଁ କହିବି କାହାକୁ ?
By Mamata Mohanty.14.06.2019
             

Sunday, April 28, 2019

'ରୋଜି'

              (ଯେଉଁ ପ୍ରିୟ ପାଠକ /ପାଠିକା ମାନେ "ବୋହୂର ନାଁ 'ରୋଜି'"ରେ ରୋଜିକୁ ବହୁତ ଭଲପାଇ ତା ବିଷୟରେ ଅଧିକ ଜାଣିବାକୁ ଚାହିଁଥିଲେ,ସେମାନଂକ ପାଇଁ ମୋର ଏହି କାହାଣୀ 'ରୋଜି' |)
    ଭାଇମାନଂକ ଅପେକ୍ଷା,  ରୋଜି ତାର ଭଉଣୀମାନଂକୁ ବେଶି ଭଲ ପାଉଥିଲା |ତିନିଭଉଣୀ ଏକାଠି ବୁଲିବା,ସିନେମା ଦେଖିବା ଓ ରାତିରେ ଗୋଟିଏ ଖଟରେ ଶୋଇ ଅନେକ ରାତି ଯାଏ ଗପସପ କରିବାକୁ   ଭାରି ଭଲ ପାଉଥିଲେ |ସମୟ ଗଡି ଚାଲିଲା |ବଡଭଉଣୀ ଲିଜା ବାହା ହୋଇଯିବା ପରେ ଆଗପରି ଆଉ ତିନିଭଉଣୀଙ୍କ ମଉଜମସ୍ତି ଚାଲିପାରିଲାନାହିଁ |କିନ୍ତୁ ଲିଜା ସେଇ ଜାମସେଦପୁରରେ ବିବାହ କରିଥିବାରୁ ପ୍ରାୟବେଳେ ବାପଘରକୁ ବୁଲି ଆସୁଥିଲା |ଦଶହରା ପର୍ବ ସେମାନଂକ ପାଇଁ ମିଳନର ପର୍ବ ଥିଲା ଓ ଏହାକୁ ସେମାନେ ଖୁବ ଯାକଜମକରେ ପାଳନ କରୁଥିଲେ |ଲିଜା ଯେତେବେଳେ  ବାପଘରକୁ ଆସୁଥିଲା ,  ସମସ୍ତଂକ  ପାଇଁ ନୂଆ ପୋଷାକ ଆଣୁଥିଲା |ଲିଜା ଆଣିଥିବା ପୋଷାକ ଉପରେ ରୋଜିର ଭାରି ଲୋଭ ଥିଲା ଓ ସମସ୍ତେ  ମନାକରିବା ସତ୍ତ୍ବେ ସେ ସେଇଦିନହିଁ  ତା ପାଇଁ ଆଣିଥିବା ପୋଷାକ ପିନ୍ଧି ପକାଉଥଲା ଓ ଆଉ ଗୋଟିଏ ପୋଷାକ ପାଇଁ ଅଳି କରୁଥିଲା ||ଲିଜାର ସ୍ବାମୀ ସୌରଭ ଜଣେ ଇଂଜିନିୟର ଓ ଦେଖିବାକୁ ଖୁବ୍ ସୁନ୍ଦର,ଶାନ୍ତ ଓ ଭଦ୍ରବ୍ୟକ୍ତି  ଥିଲେ |ବିବାହର ପ୍ରଥମ ରାତ୍ରିରେ ହିଁ ସେ ଲିଜାକୁ ନିଜ ଅତୀତ ବିଷୟରେ କହିଦେଇଥିଲେ |ତାଂକର ସହପାଠିନୀ ସ୍ବପ୍ଣା ତାଂକ ଜୀବନର ପ୍ରଥମ ପ୍ରେମ ଥିଲା ଓ ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିଲେ |କିନ୍ତୁ ଦୁଇଜଣଂକ ଜାତି ଭିନ୍ନ ଥିବାରୁ ଦୁହିଁକ ପରିବାର ସେମାନଂକ ବିବାହକୁ ବିରୋଧ କରିଥିଲେ  |ଏପରିକି ସୌରଭ ସ୍ବପ୍ନାକୁ ବିବାହ କରିବା ପାଇଁ ଘରେ ଜିଦ୍ଦି କରିବାରୁ ତାଂକ ପିତା ଆତ୍ମହତ୍ୟାର ଧମକ ଦେଇଥିଲେ |ପ୍ରଥମେ ସ୍ବପ୍ନା ବାହା ହୋଇଯାଇଥିଲା ;ତାପରେ ସୌରଭ ବିବାହ କରିଥିଲା ଲିଜାକୁ |ସୌରଭ ଲିଜାକୁ ସଫା ସଫା କହିଦେଇଥିଲା,ସେ ତା ଜୀବନର ପ୍ରଥମ ପ୍ରେମକୁ କଦାପି ଭୁଲି ପାରିବନାହିଁ ଓ ସ୍ବପ୍ନାର ସ୍ଥାନରେ  ଆଉ କାହାକୁ ସେ ବସାଇ ପାରିବନାହିଁ |ଏହା ଭିତରେ ସେମାନଂକର ପୁଅଟିଏ ହୋଇଥିଲା ଓ ଲିଜାର ବିଶ୍ବାସ ଥିଲା,ସମୟକ୍ରମେ ପୁତ୍ର ସ୍ନେହରେ ସୌରଭ ତା ଅତୀତକୁ ଭୁଲିଯିବ |
               ଲିଜା ବିବାହର କିଛିବର୍ଷ ପରେ ଏକ ସଂପନ୍ନ ପରିବାରରେ ସୁଦୂର ଦିଲ୍ଲୀରେ ପୂଜାର ବିବାହ ହୋଇଗଲା |ପୂଜାର ସ୍ବାମୀ ଅବିନାଶଂକ ଅନେକ ସଦଗୁଣ ଭିତରେ ଏକ ବଦଗୁଣ ଥିଲା |ସେ ଅତ୍ୟନ୍ତ  କ୍ରୋଧୀ ଥିଲେ ଓ ଯେ କୌଣସି ବିଷୟ ତାଂକ ପସନ୍ଦ ମୁତାବକ ନହେଲେ  କ୍ରୋଧରେ ନିଜ ହିତାହତ ଜ୍ଞାନ ହରାଇ  ହାତ ଉଠାଇ ଦେଉଥିଲେ | ବେଳେବେଳେ ଘରୁ ବାହାରି ଚାଲିଯାଉଥିଲେ ଓ ଦିନ ଦିନ ଧରି ଘରକୁ ଫେରୁ ନଥିଲେ  |ପୂଜାର ବାପଘରକୁ ଯିବା ତାଂକର ଆଦୌ ପସନ୍ଦ ନଥିଲା |କିନ୍ତୁ କେବେ କେମିତି ଜାମସେଦପୁର ଗଲେ ସେ ପୂଜା ସହିତ ମାତ୍ର ଦିନକ ପାଇଁ ଯାଉଥିଲେ | ବାପଘରକୁ ଆସିବାରେ ଲିଜାର କିନ୍ତୁ କୌଣସି ପ୍ରତିବନ୍ଧକ ନଥିଲା | ରୋଜିକୁ ସେ  ତା ପ୍ରାଣଠାରୁ ଅଧିକ ଭଲପାଉଥିଲା  | ରୋଜି ମଧ୍ୟ ତାକୁ ବହୁତ ଭଲ ପାଉଥିଲା ଓ ତା ମାଆଂକ ପରେ ସେ ତାର ଦ୍ବିତୀୟ ମା' ଥିଲା |
                ବାହାହୋଇଯିବା ପରେ  ରୋଜି ବର୍ଷକୁ ଥରେ ଦଶହରାକୁ  ଜାମସେଦପୁରକୁ ଆସୁଥିଲା |  ସେଠାରେ ତାର ପ୍ରଧାନ ଆକର୍ଷଣ ଥିଲା ତା ଗେଲ୍ହୀଭଉଣୀ ଲିଜା  |ସେଠାରେ ପହଁଚିବା ପରେ ସେ ତାର ଶାଶୁଘର କଥା ସମ୍ପୂର୍ଣ୍ଣ ଭୁଲି ଯାଉଥିଲା |ଦୁହେଁ ମନଇଚ୍ଛା ବୁଲୁଥିଲେ ,ଗୁପଚୁପ , ଆଳୁଚପ୍ ଖାଉଥିଲେ , ଦଶହରା ପାଇଁ ଢେର୍ ସାରା ପୋଷାକ କିଣୁଥିଲେ ଓ ଡେରି ରାତି ଯାଏଁ ଚେଇଁ ଗପୁଥିଲେ |ରୋଜି ବାହାଘରର ଦ୍ବିତୀୟ ବର୍ଷର କଥା |ସେତେବେଳେ ତାର ପ୍ରଥମ ସନ୍ତାନ ଜନ୍ମ ହେବାର ଥିଲା ଓ ସେଥିପାଇଁ ସେ ଦଶହରାର ମାସକ ପୂର୍ବରୁ ବାପଘରକୁ ଆସିଥିଲା |ସେହିବର୍ଷ ଦଶହରା ଯାଇ କୂମାରପୂର୍ଣିମା ଆସିଲା କିନ୍ତୁ ଲିଜା ଆସିଲାନାହିଁ | ବ୍ୟସ୍ତ ହୋଇ ବଡଭାଇ ତା ଘରକୁ ଗଲେ ଓ ଦୁଇଦିନ ପରେ ଲିଜା ଓ ତା ପୁଅକୁ ନେଇ ଘରେ ପହଂଚିଲେ  |ରୋଜିକୁ ଦେଖି ଲିଜା ତାକୁ କୁଣ୍ଢେଇ ଅନେକ କାନ୍ଦିଲା |ପରେ ଜଣା ପଡିଲା ସୌରଭ ଅଫିସ କାର୍ଯ୍ୟରେ ବମ୍ବେ ଯାଇଥିବା ବେଳେ ସେଠାରେ ଅକସ୍ମାତ ସ୍ବପ୍ନାକୁ  ଭେଟିଥିଲା  | ବିବାହର ବର୍ଷକ ପରେ ସ୍ବପ୍ନା ବିଧବା ହୋଇଯାଇଥିଲା ଓ ତାର ଗୋଟିଏ ଝିଅ ଥିଲା |ସେ ସେହିଠାରେ ଏକ ସଫ୍ଟୱେର କମ୍ପାନୀରେ ଚାକିରୀ କରୁଥିଲା |ସ୍ବପ୍ନାକୁ ଦେଖି ସୌରଭର ଅତୀତର ଅଭୁଲା ସ୍ମୃତି ଜାଗ୍ରତ ହୋଇଯାଇଥିଲା  ଓ ସେ ଆଉ ତାକୁ ହରାଇବାକୁ ଚାହୁଁନଥିଲା |ଘରକୁ ଫେରି ସେ ଲିଜାକୁ ସବୁକଥା କହିଥିଲା ଓ ଆପୋଷ ବୁଝାମଣା ଭିତ୍ତିରେ ତାକୁ ଛାଡପତ୍ର ଦେବାପାଇଁ ଆକୁଳ ନିବେଦନ କରିଥିଲା  |ବହୁତ ଚିନ୍ତା କରି ଲିଜା ସୌରଭ କଥାରେ ରାଜି ହୋଇଯାଇଥିଲା |ଛାଡପତ୍ର ଦେବାପାଇଁ ଲିଜା ରାଜି ହୋଇଛି ଜାଣି ଘରେ ସମସ୍ତେ  ବିରୋଧ କରିଥିଲେ କିନ୍ତୁ ଲିଜା କାହାରି କଥା ଶୁଣି ନଥିଲା |ସେ କହିଥିଲା, ତାଂକର ପ୍ରଥମ ପ୍ରେମ ମୁଁ ତାଂକୁ ଫେରାଇ ଦେବି |ସେ ଖୁସିରେ ରୁହନ୍ତୁ,ତାଂକ ଖୁସିରେ ମୋ ଖୁସି |ତାହାହିଁ ହେଲା |ସୌରଭକୁ ଛାଡପତ୍ର ଦେଇ ଲିଜା ସବୁଦିନ ପାଇଁ ପୁଅ ସହିତ ବାପଘରକୁ ଚାଲିଆସିଲା |
                କିନ୍ତୁ ସୌରଭ ଥିଲା ଲିଜାର ପ୍ରଥମ ପ୍ରେମ ଓ ସେ ତାକୁ ଶୟନେ,ସ୍ବପନେ,ଜାଗରଣେ ଝୁରି ହେଉଥିଲା |କ୍ରମେ ଏହାର ପ୍ରଭାବ ତାର ମନ ଓ ଶରୀର ଉପରେ ପଡିଲା |  ଧୀରେ ଧୀରେ ତାକୁ ଅନେକ ବ୍ୟାଧି ଗ୍ରାସ କଲା ଓ ଛାଡପତ୍ର ନେବାର  ବର୍ଷକ ଭିତରେ  ତାର ମୃତ୍ୟୁ ହୋଇଗଲା !! ଲିଜାର ବିପର୍ଯ୍ୟୟ ଓ ଆକସ୍ମିକ ମୃତ୍ୟୁରେ ଅବିନାଶ ଅନେକ ବଦଳି ଯାଇଥିଲେ |ସେ ପୂଜା ଓ ପିଲାମାନଂକ ସହ ବାରମ୍ବାର ଜାମସେଦପୁର ଆସି ସେମାନଂକ ଦୁଃଖରେ ସାମିଲ ହୋଇଥିଲେ ଓ ଲିଜାର ପୁଅକୁ ସବୁଦିନପାଇଁ ନିଜ ପାଖକୁ ନେଇ ତାର ଦାୟିତ୍ତ୍ବ ବହନ କରିଥିଲେ |ଲିଜାକୁ ହରାଇ ରୋଜି ପାଷାଣ ପାଲଟି ଯାଇଥିଲା |ଲିଜା ଭଲପାଉଥିବା ଗୁପଚୁପ ଓ ତାର ଅତିପ୍ରିୟ ନୀଳ ରଂଗକୁ ସେ ସବୁଦିନପାଇଁ ପରିତ୍ୟାଗ କରିଥିଲା | ଯେବେବି ସେ ଜାମସେଦପୁର ଆସୁଥିଲା,ଦୁଇ/ତିନିଦିନରୁ ଅଧିକ ଦିନ ରହିପାରୁନଥିଲା ;ସବୁବେଳେ ଲିଜାର ସ୍ମୃତି ତାକୁ ବ୍ୟସ୍ତ ବିବ୍ରତ କରୁଥିଲା |
               ରୋଜିର ସ୍ବାମୀ ସୁବ୍ରତ  ପୁସ୍ତକପ୍ରେମୀ ଥିଲେ |ତାଂକର ଭଲଖାଇବା ଓ ଭଲ ପିନ୍ଧିବାରେ କୌଣସି ରୁଚି ନଥିଲା |ଭଲ ବହିଟିଏ ପାଇଲେ ସେ ସେ ରାତି ରାତି ଉଜାଗର ହୋଇ ତାକୁ ପଢୁଥିଲେ |ଘରର କୌଣସି ଦାୟିତ୍ତ୍ବ ସେ ବୁଝୁ ନଥିଲେ |ପିଲାମାନେ କଣ ଖାଇବେ,କଣ ପିନ୍ଧିବେ,କେମିତି ସ୍କୁଲ ଯିବେ ଓ ବଜାରରୁ କଣ ସଉଦାପତ୍ର ଆସିଵ,ସବୁ ରୋଜି ବୁଝୁଥିଲା |ଏପରିକି ପିଲାଂକର ଜନ୍ମ ତାରିଖ ତାଂକୁ ଜଣା ନଥିଲା |ବଡଝିଅ ଅରୁଣା ପଦାର୍ଥବିଜ୍ଞାନରେ ସ୍ନାତକୋତ୍ତର କରି ଅଧ୍ୟାପିକା ହୋଇଥିଲା  |ତାର ବିବାହରେ ଅନେକ ଜାନିଯୌତୁକ ଦେଇ ସେମାନେ ନିଃସ୍ବ ପ୍ରାୟ ହୋଇଯାଇଥିଲେ |ସାନଝିଅ ଶେଫାଳୀ ଇଂଜିନିୟରିଂ ପରେ ବଡ଼ କମ୍ପାନୀରେ ନିଯୁକ୍ତି ପାଇଥିଲା |ତା ବାହାଘର କିପରି କରିବେ,ସେଇ ଚିନ୍ତାରେ ଥିବାବେଳେ ସୁବ୍ରତଂକ ବନ୍ଧୁ ମିହିର କହିଲେ, ଯୁଗ କେତେ ଆଗେଇଲାଣି,ଆପଣ ନିଜ ଜାତିରେ ଜ୍ବାଇଁ କରି କେତେ ଆଉ ନିଜକୁ ବରବାଦ କରିବେ |କେବଳ ଭଲ ପିଲା ଖୋଜନ୍ତୁ,ଆଉ ସବୁ ଭୁଲିଯାଆନ୍ତୁ |ସୁବ୍ରତ କହିଲେ ,କିନ୍ତୁ ସେମିତି ପିଲା ମୁଁ ପାଇବି କେଉଁଠୁ  ?ସେତେବେଳେ ମିହିର ନିଜ ପୁଅପାଇଁ ପ୍ରସ୍ତାବ ଦେଇଥିଲେ |ସେ ମଧ୍ୟ ଇଂଜିନିୟର ଥିଲା ଓ ପିତାମାତାଂକର ଏକମାତ୍ର ସନ୍ତାନ ଥିଲା |ସୁବ୍ରତ ଆଗପଛ ବିଚାର ନକରି ହଁ କହିଦେଲେ ଓ ବିନା ଜାତକ ଓ ଯୌତୁକରେ ବିବାହ ହୋଇଗଲା |
                ଦୁଇଝିଅଂକ ବିବାହ ପରେ ରୋଜି ମାନସିକ ସ୍ତରରେ ଖୁବ୍ ଏକାକିନୀ ହୋଇଯାଇଥିଲା  |ସୁବ୍ରତ ସବୁବେଳେ ତାଂକର ପୁସ୍ତକ ଓ ସାଂଗ ସାଥୀଂକ ମେଳରେ ବ୍ୟସ୍ତ ରହୁଥିଲେ  |କିନ୍ତୁ ରୋଜି ସବୁବେଳେ   ଲିଜାକୁ ଝୁରି ହେଉଥିଲା |ଯେତେବେଳେ ତା  କଥା ବେଶି ବେଶି ମନେପଡି ମନ ତାର ଆକୁଳ ଯନ୍ତ୍ରଣାରେ ଘାଣ୍ଟି ହେଉଥିଲା, ସେତେବେଳେ ସେ ଲିଜା ଭଲପାଉଥିବା  ଗୁପଚୁପ  ଅତି ଯତ୍ନରେ ତିଆରି କରି  ସାଇ ପଡିଶାଂକ ଭିତରେ ବାଣ୍ଟିଦେଉଥିଲା  | ତାକୁ ଖାଇ ସେମାନେ ଯେତେବେଳେ ରୋଜିକୁ  ପ୍ରଶଂସାରେ ପୋତି ପକାଉଥିଲେ ,ସେତେବେଳେ ରୋଜିର ମନେହେଉଥିଲା  ,ସତେ ଯେମିତି ଲିଜା ତାକୁ କହୁଛି,ଭଲ ଲାଗୁଛିଲୋ ରୋଜି !......
By Mamata Mohanty .28.04.2019.

Tuesday, April 2, 2019

ବୋହୂର ନାଁ 'ରୋଜି'

            ଚାରିଭାଇ ଓ ତିନିଭଉଣୀଙ୍କ ମଧ୍ୟରେ ରୋଜି ସମସ୍ତଂକ ଠାରୁ ସାନ ଥିଲା |ତାକୁ ଛାଡି ଅନ୍ୟ ସବୁ ଭାଇଭଉଣୀ ବାହା ହୋଇ ସାରିଥିଲେ |  ସେ ଦ୍ବାଦଶଶ୍ରେଣୀରେ ପଢୁଥିବାବେଳେ  ବଡଭାଉଜଂକ ମାତାଂକ ଦେହାନ୍ତ ହେଲା |ଅନ୍ତେଷ୍ଟିକ୍ରିୟାରେ ଯୋଗଦେବାପାଇଁ  ବାପା ମାଆଂକ ସହିତ ରୋଜି ପ୍ରଥମଥର ପାଇଁ ସମ୍ବଲପୁର ଆସିଥିଲା |   ଏକାଦଶାହରେ ଯୋଗଦେବା ନିମନ୍ତେ  ପଡୋଶୀମାନଂକୁ ନିମନ୍ତ୍ରଣ କରିବାପାଇଁ ବଡଭାଇ ଓ  ବାପା ଯାଉଥିଲେ | ବାପା ବାସୁଦେବ ଯୁଆଡେ ଯାଉଥିଲେ ରୋଜି ତାଂକ ସହିତ ଯାଉଥିଲା |  ସେତେବେଳେ ଭାଉଜଂକ ଦୂର ସମ୍ପର୍କୀୟ ବିନୟଂକ ପିତା ସେମାନଂକ ଘରଠାରୁ କିଛି ଦୂରରେ ରହୁଥିଲେ |ସେମାନଂକୁ କାର୍ଡ଼ ଦେବାପାଇଁ ବାସୁଦେବ ଉପରମହଲାରେ ଥିବା ତାଂକ ଘରକୁ ଯାଇଥିଲେ ଓ ରୋଜି କାରରେ ଏକୁଟିଆ ବସିଥିଲା |ସେମାନଂକୁ ନିମନ୍ତ୍ରଣ କରି ବାସୁଦେବ ଫେରି ଆସିବାବେଳେ ସୌଜନ୍ୟତା ଦୃଷ୍ଟିରୁ ବାଟୋଇ ଦେବାପାଇଁ ବିନୟଂକ ପିତାମାତା ତଳକୁ ଆସିଥିଲେ |ସେଠାରେ କାର ଭିତରେ ବସିଥିବା ଅପୂର୍ବ ସୁନ୍ଦରୀ ରୋଜିକୁ ଦେଖି ବିନୟଂକ ମାତା ବୀଣାଂକ ଆଖିର ପଲକ  ପଡି ନଥିଲା |ଜୀବନରେ ଏତେ ସୁନ୍ଦରୀ ଝିଅଟିକୁ ସେ ପ୍ରଥମଥର ପାଇଁ ଦେଖୁଥିଲେ |ସେ ବାସୁଦେବଂକୁ ପଚାରିଲେ,ଇଏ ଆପଣଂକ ଝିଅ ନାଁ ?ବାସୁଦେବ ହଁ କହିବାରୁ ସେ କହିଲେ,ଝିଅ ଆସିଛି,ଆପଣ ତାକୁ ଭିତରକୁ ନଆଣି ଏକୁଟିଆ ଚାଲି ଆସିଲେ ?ଆମେ ତାକୁ ସେମିତି ଖାଲି ଖାଲିରେ ଯିବାକୁ ଦେବୁନି |ତାକୁ ଭିତରକୁ ଡାକନ୍ତୁ,ସେ ଯେମିତି ହେଲେ ପାଣି ଟିକିଏ ପିଇ ଯିବ |ବାସୁଦେବଂକ ଅନେକ ବାରଣ ସତ୍ତ୍ବେ ରୋଜି ତାଂକ ସହିତ ବିନୟଂକ  ଘରକୁ ଯାଇଥିଲା |ସେତେବେଳେ ବିନୟଂକ ବିବାହିତା ସାନଭଉଣୀ ସୁନନ୍ଦା କୌଣସି କାମରେ ବାପଘରକୁ ବୁଲି ଆସିଥିଲା |ମା ଝିଅଂକ କଥୋପକଥନ ରୋଜିକୁ ଶୁଭୁଥିଲା |ବୀଣା ଝିଅ ସୁନନ୍ଦାକୁ କହୁଥିଲେ  ,ତାକୁ କିଛି  ରାଗ ଜିନିଷ ଦବୁନି.,କ୍ଷୀରରେ ଚିନି ମିଶେଇ ଦେବୁ |ସୁନନ୍ଦା କ୍ଷୀରରେ ଭଲକରି ଚିନି ମିଶେଇ ରୋଜିକୁ  ପିଇବାକୁ ଦେଇଥିଲା  ଓ ତାପରେ ସେମାନେ ଫେରି ଆସିଥିଲେ |
                ସେତେବେଳେ ବାସୁଦେବ ଜାମସେଦପୁରରେ ଚାକିରୀ କରୁଥିଲେ ଓ ସେହିଠାରେ ଘରକରି ସ୍ଥାୟୀ ଭାବରେ ରହୁଥିଲେ  |ଚୌଦଦିନ ପରେ ସବୁ କାର୍ଯ୍ୟକ୍ରମ ଶେଷହେବାପରେ ସେମାନେ ଜାମସେଦପୁର୍ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ |ସେଦିନ ସକାଳେ କାହାକୁ କିଛି ଖବର ନଦେଇ ଅକସ୍ମାତ ବୀଣା ଓ ସୁନନ୍ଦା ଆସି ସେମାନଂକ ଘରେ ପହଂଚିଗଲେ |ସେତେବେଳେ ରୋଜି ମୁଣ୍ଡଧୋଇ ଗାଧୋଇ ଗାଧୁଆଘରୁ ବାହାରୁଥିଲା |ଜଂଘ ପର୍ଯ୍ୟନ୍ତ ଲମ୍ବିଥିବା ତାର ଉନ୍ମୁକ୍ତ କେଶରାଶି ଓ ସଦ୍ୟସ୍ନାତା ଚେହେରାର ଚମକ ଦେଖି ବୀଣା ମନ୍ତ୍ରମୁଗ୍ଧ ହୋଇଯାଇଥିଲେ |ସେ ରୋଜିକୁ ଦେଖି କହିପକାଇଲେ,ମା ଆମେ ଖାଲି ତତେ ଦେଖିବାକୁ ଆସିଛୁ,ତୋ ବାପା ମା ହଁ କହିଲେ,ଆମେ ତତେ ଏଇ ସାଂଗେ ସାଂଗେ ଆମଘରକୁ ବୋହୂ କରି ନେଇଯିବୁ |ତାଂକର ଅକସ୍ମାତ ଏପରି ପ୍ରସ୍ତାବରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |ଯାହାହେଉ, ପରେ ଏଇ ବିଷୟରେ ପରେ କଥା ହେବା କହି ବାସୁଦେବ ଜାମସେଦପୁର ଫେରିଆସିଥିଲେ |
                ବିନୟ ଏକ ସରକାରୀ କଲେଜରେ ଅଧ୍ୟାପକ ଥିଲେ |ସାନଭାଇ ବିନୋଦ ସେତେବେଳେ କଲେଜରେ ପଢୁଥିଲା ଓ ଏକମାତ୍ର ସାନଭଉଣୀ ସୁନନ୍ଦା ବିବାହିତା ଥିଲା |ବୀଣା କେବଳ ରୋଜିକୁ ହିଁ ନିଜ ବୋହୂ କରିବାକୁ ମନସ୍ଥିର କରି ନେଇଥିଲେ |ଅପରପକ୍ଷରେ ଝିଅକୁ ଏତେଶୀଘ୍ର ବିବାହ ଦେବାପାଇଁ ବାସୁଦେବଂକ ଆଦୌ ଇଚ୍ଛା ନଥିଲା |କିନ୍ତୁ ରୋଜିର ମା ତୃପ୍ତି କହୁଥିଲେ,ପିଲାଟି ଅଧ୍ୟାପକ ଅଛି,ସେମାନଂକର ଛୋଟ ପରିବାର ଓ ଆମ ଚିହ୍ନାଜଣା ଭିତରେ ;ତାପରେ ପ୍ରଥମ ସୁଯୋଗ ସୁବର୍ଣ୍ଣସୁଯୋଗ ବୋଲି କଥା  ରହିଛି |ତେଣୁ ପ୍ରସ୍ତାବକୁ ମନା ନକରିବାକୁ ସେ ବାସୁଦେବଂକୁ ବୁଝାଉଥିଲେ |ବାସୁଦେବଂକ ଅନାଗ୍ରହ ସତ୍ତ୍ବେ,ବୀଣାଂକ ପରିବାର ଓ ବନ୍ଧୁବାନ୍ଧବ ରୋଜିକୁ ଦେଖି ସାରିବା ପରେ ଶେଷରେ ବିନୟ ଆସିଥିଲେ |ପ୍ରଥମଦେଖାରେ ବାସୁଦେବ ସେ କେତେ ଦରମା ପାଉଛନ୍ତି ବୋଲି ବିନୟଂକୁ ସିଧାସଳଖ ପଚାରିଥିଲେ |ବିନୟ ଉତ୍ତର ଦେବାପରେ ବାସୁଦେବ କହିଥିଲେ,ଏତିକି ତ ଆମ ଗାଁର ମଜୁରିଆ  ରୋଜଗାର କରିପାରୁଛି  |ତାଂକ କଥା ଶୁଣି ବିନୟ ଅତି ଭଦ୍ରଭାବେ ଉତ୍ତର ଦେଇଥିଲେ, ମଣିଷର ବ୍ୟକ୍ତିତ୍ତ୍ବ ଅର୍ଥ ଉପରେ ନୁହେଁ  ,ଆଉ କେତେକ ଦିଗ ଉପରେ ନିର୍ଭର କରେ,ସେଥିରୁ ଶିକ୍ଷାଗତ ଯୋଗ୍ୟତା ଅନ୍ୟତମ | ଆମ ଦୁହିଁକ ଶିକ୍ଷାଗତ ଯୋଗ୍ୟତାରେ ଆକାଶପାତାଳ ଫରକ ରହିଛି ସାର୍ ||ବିନୟଂକ କଥା ଶୁଣି ବାସୁଦେବ ଖୁସି ହୋଇଥିଲେ |  |ଶେଷରେ ବୈଶାଖମାସର ଏକ ଶୁଭତିଥିରେ  ବିନୟଂକ ସହିତ ରୋଜିର ବାହାଘର ହେଲା |ଝିଅକୁ ବିଦା କରିବାବେଳେ ବାସୁଦେବ ସମୁଦୀଂକୁ କହିଥିଲେ,ଝିଅ ମୋର ରୋଷେଇବାସ କିଛି ଜାଣିନି |ତାପରେ ଆମଘର ଓ ଆପଣଂକ ଘର ରୋଷେଇ ସମ୍ପୂର୍ଣ୍ଣ ଭିନ୍ନ |ଆପଣ ତାକୁ ଏତେ ଶୀଘ୍ର ପୁଅ ପାଖକୁ ନଛାଡି ଆପଣଂକ ଘର ଚଳଣୀ,ରନ୍ଧାବଢା ଇତ୍ୟାଦି ଶିଖେଇବା ପରେ ଛାଡିବେ | ଆଉମଧ୍ୟ ଝିଅ ତାଂକର ଆଳୁଚପ୍ ଓ ମୁଢି ଚାଟ୍ ଖାଇବାକୁ ଭଲପାଏ ବୋଲି କହିବାକୁ ସେ ଭୁଲି ନଥିଲେ |
               ରୋଜିକୁ ତାର ଶାଶୁ ଶ୍ବଶୁର ବହୁତ ଭଲ ପାଉଥିଲେ |ଶାଶୁଘରେ ରହୁ ରହୁ ସେ କ୍ରମାଗତ ପାଂଚବର୍ଷ ରହିଗଲା |ବିନୟ କେବଳ ଖରା ଛୁଟି ଓ ଦଶହରା ଛୁଟିରେ ସେଠାକୁ ଆସୁଥିଲେ |ବୀଣା ପରିବା କାଟିବା ,ମସଲା ବାଟିବା ଇତ୍ୟାଦି କାମ କରି ଦିଅନ୍ତି,ରୋଜି ରୋଷେଇ କରେ |ଭାତ ଖାଇ ଶ୍ବଶୁର ଅଫିସ ଯାଆନ୍ତି ,ଦିଅର ଯାଆନ୍ତି କଲେଜ |ଶାଶୁ ଖାଉ ଖାଉ ଦିନ ଗୋଟାଏ ହୋଇଯାଏ |ତା ପୂର୍ବରୁ ସେ ରୋଜିକୁ ଖାଇବାକୁ ଦେଇ ଦିଅନ୍ତି |ଶ୍ବଶୁର ଆଶୁତୋଷ ଭାତ ଖାଇବାବେଳେ ଭାତ,ଡାଲି ତରକାରୀ ଇତ୍ୟାଦି ଯାହାବି ତାଂକୁ ପରଷା ହୋଇଥାଏ ,ସବୁଥିରୁ ଟିକେ ଟିକେ ନେଇ ଗୋଟିଏ ଗୁଣ୍ଡା କରି ସେଇ ପ୍ରଥମ ଗୁଣ୍ଡା ଟି ଅତି ଆଦରରେ ରୋଜିକୁ ଖୁଆଇ ଦେଉଥିଲେ  |ଅଫିସରୁ ଫେରିବାବେଳେ ପ୍ରାୟ ଦିନ ରୋଜିପାଇଁ ଆଳୁଚପ୍ ଆଣୁଥିଲେ |ଦିନେ ଦିନେ ରୋଜି କହେ ଆଳୁଚପ୍ ଭଲପାଏ ବୋଲି କଣ ସବୁଦିନ ଖାଇବାକୁ ଭଲ ଲାଗିବ ବାବା ?ଆଶୁତୋଷ ହସିଦେଇ କହନ୍ତି,ତାହାଲେ ଆଉ କଣ ଆଣିବି କହ ?ରୋଜି କହେ ନାଁ ବାବା,କିଛିବି ଆଣନ୍ତୁ ନାହିଁ |କିନ୍ତୁ ଆଶୁତୋଷ କେବେବି ଆଳୁଚପ୍ ଆଣିବାକୁ ଭୁଲୁ ନଥିଲେ |ରୋଜି କେବେହେଲେ ତାର ଶାଶୁ ଶ୍ବଶୁରଂକୁ 'ବାବା' 'ମା' ବ୍ୟତିତ ଅନ୍ୟ ନାମରେ ସମ୍ବୋଧନ କରୁନଥିଲା |ଶୁଣିବା ଲୋକ ବେଳେବେଳେଏକଥା ଭାବି ଦ୍ବନ୍ଦରେ ପଡିଯାଉଥିଲେ ଯେ ସେ ନିଜ ବାବା ମାଆଂକ ବିଷୟରେ କହୁଛି ନାଁ ଶାଶୁ ଶ୍ବଶୁରଂକ ବିଷୟରେ କହୁଛି !! ବୀଣା ସବୁଦିନ ରୋଜି  କେଶରେ ତେଲ ଲଗାଇ ବେଣୀ ବାନ୍ଧି ଦେଉଥିଲେ |ଯେଉଁଦିନ ଚୁଟି ସଫା କରିବା ଦରକାର ପଡ଼େ ସେ ନିଜେ ତା କେଶରେ ସାବୁନ ଲଗାଇ ଚୁଟି ସଫା କରୁଥିଲେ ,କାରଣ ସେ ଜାଣିଥିଲେ, ରୋଜି ଏକୁଟିଆ ତା କେଶର ଯତ୍ନ ନେଇ ପାରିବନାହିଁ |ରୋଜି ସିନେମା ଦେଖିବାକୁ ଭଲପାଏ ବୋଲି ମଝିରେ ମଝିରେ ସମସ୍ତେ ସାଂଗହୋଇ ସିନେମା ଦେଖିବାକୁ ଯାଉଥିଲେ |ଏତେ ଭଲ ମଣିଷଂକ ଭିତରେ ରୋଜିର ନଣନ୍ଦ ସୁନନ୍ଦା କିନ୍ତୁ ତାପାଇଁ ଅବୁଝା ହୋଇ ରହି ଯାଇଥିଲା |ସେ କେବେବି ରୋଜିକୁ ଭଲ ପାଇ ପାରୁନଥିଲା କି କେହି ତାର ପ୍ରଶଂସା କଲେ,ତାକୁ ହଜମ କରିପାରୁ ନଥିଲା |ପିଲାଂକର ଗ୍ରୀଷ୍ମ ଅବକାଶ ହେଲେ ସେ ତାର ତିନି ପିଲାଂକ ସହ ବାପଘରକୁ ଆସୁଥିଲା |ସେଠାରେ ସେ ଭଲ ଭଲ ଖାଇବା ଜିନିଷ ବନେଇବା ପାଇଁ ରୋଜିକୁ କହୁଥିଲା |ରୋଜି ମଧ୍ୟ ପରମଆନନ୍ଦରେ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ସେମାନଂକୁ ଖୁଆଉଥିଲା |କିନ୍ତୁ ବାପା ମା ରୋଜିକୁ ଏତେ ଭଲପାଇବାକୁ ସେ ଆଦୌ ସହିପାରୁ ନଥିଲା |ବେଳେବେଳେ କହିଦେଉଥିଲା,ତାକୁ ଏତେ ମୁଣ୍ଡରେ ବସାଅନାହିଁ,କଚଡ଼ା ଖାଇବ |ତାକୁ ବୀଣା ତ କିଛି କହନ୍ତି ନାହିଁ,କିନ୍ତୁ ଆଶୁତୋଷ  ବାଧିଲାଭଳି କହି ଦିଅନ୍ତି,ତୁ ତୋ ଶାଶୁଘର କଥା ବୁଝ,ବାପଘର କଥାରେ ମୁଣ୍ଡ ଖେଳେଇବା ଦରକାର ନାହିଁ |ସୁନନ୍ଦା କହେ,ହଉ,ମୋ କଥା ଏବେ ଭଲ ଲାଗୁନି,ପଛରେ ପସ୍ତେଇବ |
                   ସେତେବେଳେ ଗ୍ୟାସ ଚୂଲା ନଥିଲା |କାଠ ଚୂଲିରେ ସବୁ ରନ୍ଧା ହେଉଥିଲା |କାଠ ଚୂଲି ରନ୍ଧା ଭାରି ସୁଆଦ ;ବିଶେଷ କରି ଗରମ ଗରମ ରୁଟିର ସ୍ବାଦ ନିଆରା |ସୁନନ୍ଦା ରୁଟି ସେକା ସମୟକୁ ଅପେକ୍ଷା କରିଥାଏ |ଯେମିତି ରୋଜି ରୁଟି ତିଆରି କରିବା ଆରମ୍ଭ କରେ ,ସେତିକିବେଳେ ସେ ପିଲାମାନଂକ ସହିତ ଗରମ ଗରମ ରୁଟି ତରକାରୀ ଖାଇବାକୁ ବରାଦ କରେ  |ବାପଘରେ ଝିଅ କାମ କରେନା,ତେଣୁ ସେ କୌଣସି କାମରେ ରୋଜିକୁ ସାହାଯ୍ୟ କରୁନଥିଲା  |ଶୁଖିଲା କାଠରେ ରୋଷେଇ କରିବା ସହଜ କିନ୍ତୁ ଯେତେବେଳେ ଓଦା କାଠ ପଡିଯାଉଥିଲା ,ଫୁଂଖନଳାରେ ଫୁଂଖି ଫୁଂଖି ରୋଜି  ନୟାନ୍ତ ହୋଇଯାଉଥିଲା  |ପାଂଚବର୍ଷ ଭିତରେ ଆଗପଛ ହୋଇ ରୋଜିର ଦୁଇଟି ପିଲା ହେଲେ |ସେତେବେଳେ ତାର ଜଂଜାଳ ଆହୁରି ବଢ଼ିଗଲା |ପିଲାମାନେ ପଢ଼ିବାପାଇଁ ଆଖପାଖରେ ଭଲ ସ୍କୁଲ ନଥିଲା |ସାନପୁଅର ବିବାହପରେ  ରୋଜିକୁ ବିନୟ ସହିତ ସହରକୁ ଛାଡିବାପାଇଁ ବୀଣା ଓ ଆଶୁତୋଷ  ରାଜିହେଲେ |ସହରକୁ ଆସି ସ୍ଥାନୀୟ ସ୍କୁଲରେ ପିଲାମାନଂକ ନାମ ଲେଖା ହେଲା |କିନ୍ତୁ ସାନବୋହୁ ଶାଶୁ ଶ୍ବଶୁରଂକ ପାଖରେ ରହିବାକୁ ରାଜିହେଲା ନାହିଁ |ଅଳ୍ପଦିନପରେ ବିନୋଦ ସହିତ ସେ ତା କାର୍ଯ୍ୟ କ୍ଷେତ୍ରକୁ ଚାଲିଗଲା |ତାର ଦୁଇବର୍ଷ ପରେ ଆଶୁତୋଷ  ଚାକିରୀରୁ ଅବସର ନେଲେ |ସେ ସେତେବେଳେ ରୋଜିକୁ ଅନୁରୋଧ କରି କହିଲେ,ମା,ଘରେ ଏକୁଟିଆ ଭଲ ଲାଗୁନି;ତୁ ଅଳ୍ପଦିନପାଇଁ ଏଠାକୁ ଆସ |ରୋଜି ଖୁସିମନରେ ଅଳ୍ପଦିନ ପାଇଁ ଶାଶୁ ଶ୍ବଶୁରଂକ ପାଖକୁ ଆସି ସବୁଦିନ ପାଇଁ ରହିଗଲା | ସେଠାରେ ଥିବା ସରକାରୀ  ସ୍କୁଲରେ ପିଲାଂକ ନାମ ଲେଖାଗଲା |
                   ସେତେବେଳେ ଦଶହରା ଛୁଟି ହୋଇଥାଏ |ବାପାଂକ ଘରକୁ ଯିବାପାଇଁ ରୋଜିର ମନହେଲା |ତା ମନକଥା ଜାଣି ଆଶୁତୋଷ  ରୋଜି ଓ ପିଲାମାନଂକୁ ଜାମସେଦପୁରରେ ଛାଡିଦେଇ ଆସିବା ପାଇଁ ବିନୟକୁ କହିଲେ |ବାପଘର ଯିବବୋଲି ରୋଜିର ମନ ଆକାଶରେ ଉଡୁଥିଲା |ଯିବାବେଳେ ସେ ଯେତେବେଳେ ଶ୍ବଶୁରଂକୁ ପ୍ରଣାମ କଲା,ସେ କାନ୍ଦି ପକାଇ କହିଲେ,ତୁ ଶୀଘ୍ର ଚାଲିଆସିବୁ ମା,ମତେ ଭଲ ଲାଗୁନି |ବୀଣା ଆକଟ କରି କହିଲେ,ତାକୁ ସେମିତି କୁହନା,ସେ ଭଲରେ ଯାଇ ଭଲରେ ଆସୁ |ଅଧା ବାଟରେ ରୋଜି ବିନୟଂକୁ କହିଲା,ବାବାଂକ ମୁହଁ କେମିତି କଳା ଦିଶୁଥିଲା,ଚାଲ ଫେରିଯିବା,ମତେ କାହିଁକି ଭଲ ଲାଗୁନି |ବିନୟ କହିଲେ,ଆଜି ବାବା ବେଶି ଖରାରେ ବୁଲିଛନ୍ତି,ସେଥିପାଇଁ ସେମିତି ଦେଖାଯାଉଛନ୍ତି,ତମେ ବ୍ୟସ୍ତ ହୁଅନା |ସେମାନେ  ଜାମସେଦପୁରରେ ପହଂଚିବାର ଦୁଇଦିନପରେ ବିନୟଂକ ଜଣେ ବନ୍ଧୁ ରୋଜିକୁ ଫୋନ୍ କରି ,ଆଶୁତୋଷଂକୁ ହସ୍ପିଟାଲରେ ଆଡମିଶନ କରାଯାଇଥିବା କଥା କହିଲେ |ଖବର ପାଇ ରୋଜି ବ୍ୟସ୍ତ ହୋଇ ଯିବାକୁ ବାହାରିଲା |ରୋଜିର ମା କହିଲେ,ତୁ ଏବେ ଆସିଛୁ,ଆଉ କିଛିଦିନ ରହ |ବେଶି ସିରିଅସ ହେଲେ,ବିନୟ ନିଶ୍ଚେ ଫୋନ୍ କରିବେ;ତାଛଡା ଛୋଟ ପିଲା ଦୁଇଟିଂକୁ ଧରି ତୁ ଏକୁଟିଆ ଯିବୁ କେମିତି ?କିନ୍ତୁ ରୋଜି ନଛୋଡବନ୍ଧା ଥିଲା |ସେ କହିଲା,ବାବାଂକ ଦେହ ନିଶ୍ଚୟ ବେଶି ଖରାପ ହୋଇଛି,ନହେଲେ ମତେ ଏତେ ବ୍ୟସ୍ତ ଲାଗନ୍ତା ନାହିଁ |କାହାରି କଥା ନଶୁଣି ରୋଜି ପିଲାଂକୁ ଧରି ବାହାରିଲା |ବାଟରେ ଖାଇବା ପାଇଁ ମା ସେମାନଂକ ପାଇଁ କିଛି ଖାଇବା ଜିନିଷ ପ୍ୟାକ କରିଦେଲେ |ସେତେବେଳେ ଦଶହରା ସମୟ; ଟିକେଟ ମିଳିଲା ନାହିଁ |ବାଧ୍ୟ ହୋଇ ସେମାନେ ଜେନେରାଲ ବଗିରେ ଉଠିଲେ |ଟ୍ରେନରେ ଯାତ୍ରୀ ଭରପୁର ଥିଲେ ଓ ସେଠାରେ ଗୋଡ ପକେଇବାକୁ ଜାଗା ନଥିଲା |ରୋଜି ପିଲାମାନଂକୁ ଛାତିରେ ଆଉଜାଇ ଦିନ ଦଶଟାରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ଟୟଲେଟ ପାଖରେ ତଳେ ବସିଥିଲା |ତିନିଜଣ ଯାକ କେହି  ଟିକିଏ ପାଣି ପିଇ ନଥିଲେ କି ବାଥରୁମ ଯାଇ ନଥିଲେ |ସମ୍ବଲପୁରରେ ପହଂଚି ସେ ଦେଖିଲା,ଘରେ ଚାବି ପଡିଛି |ପାଖ ଘରେ ରହୁଥିବା ତାଂକ ପଡୋଶୀ ତଥା ତାର ଘନିଷ୍ଠ ବାନ୍ଧବୀ ରୀମା କୁ ପଚାରି ବୁଝିଲା,ଦୁଇ କିଲୋମିଟର ଦୂରରେ ଥିବା ତାଂକର ଜଣେ ସମ୍ପର୍କୀୟଂକ ଘରେ ଚାବି ଅଛି |ରୋଜି  ରୀମାକୁ ସଂକ୍ଷେପରେ ପିଲାଂକ କଥା କହି, ଘରେ ମା ଦେଇଥିବା ଖାଇବା ଜିନିଷ ସହ  ପିଲାମାନଂକୁ ତା ପାଖରେ  ଛାଡି ସେଠାକୁ ଛୁଟିଲା |ସେଠାରୁ  ଚାବି ଆଣି ସେ ପିଲାଂକୁ ନେଇ ଘରକୁ ଗଲା ଓ ନିଜେ ଗାଧୋଇବା ସହ ପିଲାମାନଂକୁ ଗାଧୋଇ ଦେଇ ପୁଣି ରୀମା ପାଖରେ  ପିଲାଂକୁ ଛାଡି ଡାକ୍ତରଖାନା ଗଲା |ସେ ସମ୍ବଲପୁର ଆସିବା ଖବର ବିନୟଂକୁ ଜଣା ନଥିଲା | ଅପ୍ରତ୍ୟାଶିତ ଭାବରେ ରୋଜିକୁ ହଠାତ୍  ସେଠାରେ ଦେଖି ସେ  ନିଜ କୋହ ସମ୍ବରଣ କରିପାରିନଥିଲେ ଓ ତାକୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦିଥିଲେ |ରୋଜିକୁ ଦେଖି ବୀଣାଂକ ଆଖିରୁ ମଧ୍ୟ ଆନନ୍ଦାଶ୍ରୁ ଝରି ଯାଇଥିଲା |ରୋଜି ବୀଣାଂକୁ ଉଠାଇ ତାଂକ ସ୍ଥାନରେ ନିଜେ ବସିଲା  | ଟ୍ରେନରେ ବସିବା ସମୟରୁ ସେ କିଛି ଖାଇ ନଥିଲା |ସେଇ ଯେ ଡାକ୍ତରଖାନା ଆସିଲା,ଆଉ ଘରକୁ ଫେରିଲା ନାହିଁ |ବିନା ଗାଧୁଆରେ ସେଇ ଖଣ୍ଡିଏ ଶାଢୀ ପିନ୍ଧି ସେ କେବଳ ଚା ବିସ୍କୁଟ ଖାଇ ପାଂଚଦିନ ରହିଗଲା |ସାଲାଇନ ନେବାବେଳେ ଆଶୁତୋଷ  ହାତ ଛାଟି ଦେଉଥିବାରୁ,ସେ ନିଜ ହାତ ପାପୁଲିରେ ତାଂକ ହାତ ମୁଠାକୁ ଚାପି ଧରିଥିଲା |ପାଂଚଦିନ ପରେ ଯେତେବେଳେ ଆଶୁତୋଷ  ସବୁଦିନପାଇଁ ଆଖି ବୁଜିଦେଲେ,ସେତେବେଳେ ତାଂକ ହାତମୁଠାରୁ ରୋଜିର ହାତ କାଢିବା ପାଇଁ ନର୍ସ ଓ ଡାକ୍ତରଂକ ପାଇଁ ଏକ ଅସମ୍ଭବ ବ୍ୟାପାର ହୋଇ ପଡିଥିଲା |
              ଏହାପରେ  ସମସ୍ତେ ସମ୍ବଲପୁର ଘର ଛାଡି ବିନୟଂକ ପାଖକୁ ଚାଲି ଆସିଲେ |ପିଲାମାନଂକ ମେଳରେ ବୀଣା ଖୁବ୍ ଖୁସିରେ ରହୁଥିଲେ |ବର୍ଷକ ପରେ ସୁନନ୍ଦାର ସ୍ବାମୀ ଦେବକାନ୍ତଂକ ହୃଦଘାତରେ ମୃତ୍ୟୁ ହୋଇଗଲା |ସୁନନ୍ଦା ଶିକ୍ଷୟତ୍ରୀ ଚାକିରୀ କରୁଥିଲା |ତେଣୁ ଘରେ ପିଲାଂକୁ ଜଗିବାପାଇଁ ସେ ବୀଣାଂକୁ ସାଂଗରେ ନେବାପାଇଁ ଜିଦ୍ଦି କଲା |ଝିଅ ହଇରାଣ ହେଉଥିବାର ଦେଖିଲେ,କେଉଁ ମା' ବା ଧୈର୍ଯ୍ୟ ଧରି ରହିପାରିବ !ସେ ସୁନନ୍ଦା ସହିତ ଯିବାପାଇଁ ରାଜି ହେଲେ |ଯିବାବେଳେ ରୋଜି ସୁନନ୍ଦାକୁ କହିଲା,ମାଆଂକ ଯତ୍ନ ନେବ,ତାଂକୁ କିଛି କାମ କରିବାକୁ ଦେବନି |ରୋଜି ମୁହଁରୁ ଏକଥା ଶୁଣି ସୁନନ୍ଦା ରାଗରେ ଫଁ ଫଁ ହେଲା |କହିଲା, ମୁଁ ଝିଅ ହୋଇ ମା କଥା ବୁଝି ପାରିବିନି,ତମେ ବୋହୂ ହୋଇ ମୋଠାରୁ ଅଧିକା ବୁଝିବ ?ସୀମା ଟପିଯାଅ ନାହିଁ, ଦେଖି ଚାହିଁ କଥାବାର୍ତ୍ତା କର |କିନ୍ତୁ ରୋଜି ଯାହା ସନ୍ଦେହ କରୁଥିଲା,ତାହା ହୋଇଥିଲା |ବୀଣା ଘରର ସବୁ କାମ କରିବା ସଂଗେ ସଂଗେ ପିଲାଂକୁ ସ୍କୁଲରୁ ନେବା ଆଣିବା କରୁଥିଲେ |ମଝିରେ ମଝିରେ ରୋଜି ବୀଣାଂକୁ ଦେଖିବାକୁ ପିଲାମାନଂକ ସହ ଯାଉଥିଲା |ଯିବାବେଳେ ବୀଣାଂକ ଅତିପ୍ରିୟ ଦହିବରା ଆଳୁଦମ୍ ବା ଅନ୍ୟକିଛି ସୁସ୍ବାଦୁ ବ୍ୟଞ୍ଜନ ନିଜ ହାତରେ ତିଆରି କରି ନେଇ ଯାଉଥିଲା |କିନ୍ତୁ ଖାଦ୍ୟପ୍ରିୟ ବୀଣା ସେସବୁ ଦେଖି କହୁଥିଲେ,ମୋର ଏସବୁ ହଜମ ହେଉନି ମା,ତୁ ମୋପାଇଁ କିଛି ଆଣନା |ରୋଜି ସୁନନ୍ଦା କୁ କହେ,ମା କାହିଁକି ଖାଉନାହାନ୍ତି, ତାଂକୁ ନେଇ ଭଲ ଡାକ୍ତରଂକୁ ଦେଖାଅ  |ସୁନନ୍ଦା ଉତ୍ତର ଦିଏ,ସେ ପାଣି ଜମା ପିଉନି,ଖାଦ୍ୟ ହଜମ ହେବ କେମିତି ?ତାର କିଛି ରୋଗ ନାହିଁ ,ତାକୁ ଭଗବାନ ସବୁବେଳପାଇଁ ସୁସ୍ଥ ଶରୀର ଦେଇଛନ୍ତି |
            ଡିସେମ୍ବରର ଏକ ଶୀତୁଆ ସକାଳରେ ରୋଜି ସକାଳର ସବୁ କାମ ସାରି ଜଳଖିଆ ଖାଇବାକୁ ଯାଉଥିବାବେଳେ ସୁନନ୍ଦାର ଫୋନ ଆସିଲା |ସେ ହାଲୋ କହିବା ମାତ୍ରକେ ସେପଟୁ ସୁନନ୍ଦାର ରୁକ୍ଷ ସ୍ବର ଶୁଭିଲା,ଭାଉଜ କଣ କରୁଛ ?ରୋଜି କହିଲା,କଣ ଆଉ କରିବି,ଖାଇବାକୁ ଯାଉଥିଲି |ସୁନନ୍ଦା ଉତ୍ୟକ୍ତ ହୋଇ କହିଲା,ତମେ ଖାଉଥା,ଇଆଡେ ମା ର କଣ ହେଲାଣି,ସେ ଖବର ରଖିଛ ??ରୋଜି ବ୍ୟସ୍ତ ହୋଇ କହିଲା,ତମେ ନକହିଲେ,ଆମେ କେମିତି ଜାଣିବୁ ?ମା  ଦେହ ଭଲନାହିଁ କହି ସୁନନ୍ଦା ଫୋନ କାଟିଦେଲା |ରୋଜି ଆଉ ଜଳଖିଆ ଖାଇଲା ନାହିଁ |ବିନୟଂକୁ କହିଲା,ଶୀଘ୍ର ଚାଲ,ମାଆଂକ ଦେହ ଭଲନାହିଁ,ସୋନୁ ଫୋନ କରିଥିଲେ |ଦୁହେଁ ସଂଗେ ସଂଗେ ଟାକ୍ସିରେ ଯାଇ ସୁନନ୍ଦା ଘରେ ପହଂଚିଗଲେ |ରୋଜିକୁ ଦେଖୁ ଦେଖୁ ବୀଣା କହିଲେ,ମା' ମୋର କିଛି ହୋଇନି,ମତେ ତୋ ପାଖକୁ ନେଇଯା,ସେଇଠି ରହିଲେ ମୋ ଦେହ ଭଲ ହୋଇଯିବ |ରୋଜି କହିଲା,ମା ବ୍ୟସ୍ତ ହୁଅନା |ଡାକ୍ତରଂକୁ ଦେଖାଇ ଆମେ ଚାଲିଆସିବା  | ଡାକ୍ତରଖାନାରେ ନାନାପ୍ରକାର ପରୀକ୍ଷାନିରୀକ୍ଷା ପରେ ଜଣା ପଡିଲା,ବୀଣାଂକ ଫୁସଫୁସରେ ପାଣି ଜମିବା ସଂଗେ ସଂଗେ ଲିଭରରେ ଟ୍ୟୁମର ହୋଇଛି |ଡାକ୍ତରଂକ ପରାମର୍ଶ ଅନୁସାରେ ବୀଣାଂକୁ ସେଠାରେ ଆଡମିଶନ କରାଗଲା |ତାଂକ ପାଖରେ ରୋଜି ରହିଲା,ଆଉ ଘରକୁ ଗଲାନାହିଁ |ଡାକ୍ତରଖାନାରେ ରୋଜିକୁ ବୀଣା ମୁହୁର୍ତ୍ତକ ପାଇଁ ଛାଡୁନଥିଲେ |ପ୍ରାୟବେଳେ ତା କୋଳରେ ମୁଣ୍ଡ ରଖି ଶୋଉଥିଲେ |ଟିକିଏ ନର୍ମାଲ ଅବସ୍ଥାକୁ ଆସିଲେ,ଡାକ୍ତର ଅପରେସନ କରିବା କଥା କହୁଥିଲେ |କିନ୍ତୁ ସେ ଅବସ୍ଥା ଆଉ ଆସିଲାନାହିଁ ;ମାସେ କାଳ ବ୍ୟାଧି ସହିତ ସଂଗ୍ରାମ କରି ଶେଷରେ ସେ ରୋଜି କୋଳରେ ହିଁ ଆଖି ବୁଜିଦେଲେ |
                  ନିଜର ଏକାକିନୀ ମୁହୁର୍ତ୍ତରେ  ଶାଶୁ ଶ୍ବଶୁରଂକ କଥା ରୋଜିର ବହୁତ ମନେପଡ଼େ ;ଭାବେ କେଉଁଠାରେ ତାର ଅଜାଣତରେ କାଳେ କିଛି ଭୁଲ ରହିଗଲା !!!
By Mamata Mohanty.02-04-2019