Tuesday, April 2, 2019

ବୋହୂର ନାଁ 'ରୋଜି'

            ଚାରିଭାଇ ଓ ତିନିଭଉଣୀଙ୍କ ମଧ୍ୟରେ ରୋଜି ସମସ୍ତଂକ ଠାରୁ ସାନ ଥିଲା |ତାକୁ ଛାଡି ଅନ୍ୟ ସବୁ ଭାଇଭଉଣୀ ବାହା ହୋଇ ସାରିଥିଲେ |  ସେ ଦ୍ବାଦଶଶ୍ରେଣୀରେ ପଢୁଥିବାବେଳେ  ବଡଭାଉଜଂକ ମାତାଂକ ଦେହାନ୍ତ ହେଲା |ଅନ୍ତେଷ୍ଟିକ୍ରିୟାରେ ଯୋଗଦେବାପାଇଁ  ବାପା ମାଆଂକ ସହିତ ରୋଜି ପ୍ରଥମଥର ପାଇଁ ସମ୍ବଲପୁର ଆସିଥିଲା |   ଏକାଦଶାହରେ ଯୋଗଦେବା ନିମନ୍ତେ  ପଡୋଶୀମାନଂକୁ ନିମନ୍ତ୍ରଣ କରିବାପାଇଁ ବଡଭାଇ ଓ  ବାପା ଯାଉଥିଲେ | ବାପା ବାସୁଦେବ ଯୁଆଡେ ଯାଉଥିଲେ ରୋଜି ତାଂକ ସହିତ ଯାଉଥିଲା |  ସେତେବେଳେ ଭାଉଜଂକ ଦୂର ସମ୍ପର୍କୀୟ ବିନୟଂକ ପିତା ସେମାନଂକ ଘରଠାରୁ କିଛି ଦୂରରେ ରହୁଥିଲେ |ସେମାନଂକୁ କାର୍ଡ଼ ଦେବାପାଇଁ ବାସୁଦେବ ଉପରମହଲାରେ ଥିବା ତାଂକ ଘରକୁ ଯାଇଥିଲେ ଓ ରୋଜି କାରରେ ଏକୁଟିଆ ବସିଥିଲା |ସେମାନଂକୁ ନିମନ୍ତ୍ରଣ କରି ବାସୁଦେବ ଫେରି ଆସିବାବେଳେ ସୌଜନ୍ୟତା ଦୃଷ୍ଟିରୁ ବାଟୋଇ ଦେବାପାଇଁ ବିନୟଂକ ପିତାମାତା ତଳକୁ ଆସିଥିଲେ |ସେଠାରେ କାର ଭିତରେ ବସିଥିବା ଅପୂର୍ବ ସୁନ୍ଦରୀ ରୋଜିକୁ ଦେଖି ବିନୟଂକ ମାତା ବୀଣାଂକ ଆଖିର ପଲକ  ପଡି ନଥିଲା |ଜୀବନରେ ଏତେ ସୁନ୍ଦରୀ ଝିଅଟିକୁ ସେ ପ୍ରଥମଥର ପାଇଁ ଦେଖୁଥିଲେ |ସେ ବାସୁଦେବଂକୁ ପଚାରିଲେ,ଇଏ ଆପଣଂକ ଝିଅ ନାଁ ?ବାସୁଦେବ ହଁ କହିବାରୁ ସେ କହିଲେ,ଝିଅ ଆସିଛି,ଆପଣ ତାକୁ ଭିତରକୁ ନଆଣି ଏକୁଟିଆ ଚାଲି ଆସିଲେ ?ଆମେ ତାକୁ ସେମିତି ଖାଲି ଖାଲିରେ ଯିବାକୁ ଦେବୁନି |ତାକୁ ଭିତରକୁ ଡାକନ୍ତୁ,ସେ ଯେମିତି ହେଲେ ପାଣି ଟିକିଏ ପିଇ ଯିବ |ବାସୁଦେବଂକ ଅନେକ ବାରଣ ସତ୍ତ୍ବେ ରୋଜି ତାଂକ ସହିତ ବିନୟଂକ  ଘରକୁ ଯାଇଥିଲା |ସେତେବେଳେ ବିନୟଂକ ବିବାହିତା ସାନଭଉଣୀ ସୁନନ୍ଦା କୌଣସି କାମରେ ବାପଘରକୁ ବୁଲି ଆସିଥିଲା |ମା ଝିଅଂକ କଥୋପକଥନ ରୋଜିକୁ ଶୁଭୁଥିଲା |ବୀଣା ଝିଅ ସୁନନ୍ଦାକୁ କହୁଥିଲେ  ,ତାକୁ କିଛି  ରାଗ ଜିନିଷ ଦବୁନି.,କ୍ଷୀରରେ ଚିନି ମିଶେଇ ଦେବୁ |ସୁନନ୍ଦା କ୍ଷୀରରେ ଭଲକରି ଚିନି ମିଶେଇ ରୋଜିକୁ  ପିଇବାକୁ ଦେଇଥିଲା  ଓ ତାପରେ ସେମାନେ ଫେରି ଆସିଥିଲେ |
                ସେତେବେଳେ ବାସୁଦେବ ଜାମସେଦପୁରରେ ଚାକିରୀ କରୁଥିଲେ ଓ ସେହିଠାରେ ଘରକରି ସ୍ଥାୟୀ ଭାବରେ ରହୁଥିଲେ  |ଚୌଦଦିନ ପରେ ସବୁ କାର୍ଯ୍ୟକ୍ରମ ଶେଷହେବାପରେ ସେମାନେ ଜାମସେଦପୁର୍ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ |ସେଦିନ ସକାଳେ କାହାକୁ କିଛି ଖବର ନଦେଇ ଅକସ୍ମାତ ବୀଣା ଓ ସୁନନ୍ଦା ଆସି ସେମାନଂକ ଘରେ ପହଂଚିଗଲେ |ସେତେବେଳେ ରୋଜି ମୁଣ୍ଡଧୋଇ ଗାଧୋଇ ଗାଧୁଆଘରୁ ବାହାରୁଥିଲା |ଜଂଘ ପର୍ଯ୍ୟନ୍ତ ଲମ୍ବିଥିବା ତାର ଉନ୍ମୁକ୍ତ କେଶରାଶି ଓ ସଦ୍ୟସ୍ନାତା ଚେହେରାର ଚମକ ଦେଖି ବୀଣା ମନ୍ତ୍ରମୁଗ୍ଧ ହୋଇଯାଇଥିଲେ |ସେ ରୋଜିକୁ ଦେଖି କହିପକାଇଲେ,ମା ଆମେ ଖାଲି ତତେ ଦେଖିବାକୁ ଆସିଛୁ,ତୋ ବାପା ମା ହଁ କହିଲେ,ଆମେ ତତେ ଏଇ ସାଂଗେ ସାଂଗେ ଆମଘରକୁ ବୋହୂ କରି ନେଇଯିବୁ |ତାଂକର ଅକସ୍ମାତ ଏପରି ପ୍ରସ୍ତାବରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |ଯାହାହେଉ, ପରେ ଏଇ ବିଷୟରେ ପରେ କଥା ହେବା କହି ବାସୁଦେବ ଜାମସେଦପୁର ଫେରିଆସିଥିଲେ |
                ବିନୟ ଏକ ସରକାରୀ କଲେଜରେ ଅଧ୍ୟାପକ ଥିଲେ |ସାନଭାଇ ବିନୋଦ ସେତେବେଳେ କଲେଜରେ ପଢୁଥିଲା ଓ ଏକମାତ୍ର ସାନଭଉଣୀ ସୁନନ୍ଦା ବିବାହିତା ଥିଲା |ବୀଣା କେବଳ ରୋଜିକୁ ହିଁ ନିଜ ବୋହୂ କରିବାକୁ ମନସ୍ଥିର କରି ନେଇଥିଲେ |ଅପରପକ୍ଷରେ ଝିଅକୁ ଏତେଶୀଘ୍ର ବିବାହ ଦେବାପାଇଁ ବାସୁଦେବଂକ ଆଦୌ ଇଚ୍ଛା ନଥିଲା |କିନ୍ତୁ ରୋଜିର ମା ତୃପ୍ତି କହୁଥିଲେ,ପିଲାଟି ଅଧ୍ୟାପକ ଅଛି,ସେମାନଂକର ଛୋଟ ପରିବାର ଓ ଆମ ଚିହ୍ନାଜଣା ଭିତରେ ;ତାପରେ ପ୍ରଥମ ସୁଯୋଗ ସୁବର୍ଣ୍ଣସୁଯୋଗ ବୋଲି କଥା  ରହିଛି |ତେଣୁ ପ୍ରସ୍ତାବକୁ ମନା ନକରିବାକୁ ସେ ବାସୁଦେବଂକୁ ବୁଝାଉଥିଲେ |ବାସୁଦେବଂକ ଅନାଗ୍ରହ ସତ୍ତ୍ବେ,ବୀଣାଂକ ପରିବାର ଓ ବନ୍ଧୁବାନ୍ଧବ ରୋଜିକୁ ଦେଖି ସାରିବା ପରେ ଶେଷରେ ବିନୟ ଆସିଥିଲେ |ପ୍ରଥମଦେଖାରେ ବାସୁଦେବ ସେ କେତେ ଦରମା ପାଉଛନ୍ତି ବୋଲି ବିନୟଂକୁ ସିଧାସଳଖ ପଚାରିଥିଲେ |ବିନୟ ଉତ୍ତର ଦେବାପରେ ବାସୁଦେବ କହିଥିଲେ,ଏତିକି ତ ଆମ ଗାଁର ମଜୁରିଆ  ରୋଜଗାର କରିପାରୁଛି  |ତାଂକ କଥା ଶୁଣି ବିନୟ ଅତି ଭଦ୍ରଭାବେ ଉତ୍ତର ଦେଇଥିଲେ, ମଣିଷର ବ୍ୟକ୍ତିତ୍ତ୍ବ ଅର୍ଥ ଉପରେ ନୁହେଁ  ,ଆଉ କେତେକ ଦିଗ ଉପରେ ନିର୍ଭର କରେ,ସେଥିରୁ ଶିକ୍ଷାଗତ ଯୋଗ୍ୟତା ଅନ୍ୟତମ | ଆମ ଦୁହିଁକ ଶିକ୍ଷାଗତ ଯୋଗ୍ୟତାରେ ଆକାଶପାତାଳ ଫରକ ରହିଛି ସାର୍ ||ବିନୟଂକ କଥା ଶୁଣି ବାସୁଦେବ ଖୁସି ହୋଇଥିଲେ |  |ଶେଷରେ ବୈଶାଖମାସର ଏକ ଶୁଭତିଥିରେ  ବିନୟଂକ ସହିତ ରୋଜିର ବାହାଘର ହେଲା |ଝିଅକୁ ବିଦା କରିବାବେଳେ ବାସୁଦେବ ସମୁଦୀଂକୁ କହିଥିଲେ,ଝିଅ ମୋର ରୋଷେଇବାସ କିଛି ଜାଣିନି |ତାପରେ ଆମଘର ଓ ଆପଣଂକ ଘର ରୋଷେଇ ସମ୍ପୂର୍ଣ୍ଣ ଭିନ୍ନ |ଆପଣ ତାକୁ ଏତେ ଶୀଘ୍ର ପୁଅ ପାଖକୁ ନଛାଡି ଆପଣଂକ ଘର ଚଳଣୀ,ରନ୍ଧାବଢା ଇତ୍ୟାଦି ଶିଖେଇବା ପରେ ଛାଡିବେ | ଆଉମଧ୍ୟ ଝିଅ ତାଂକର ଆଳୁଚପ୍ ଓ ମୁଢି ଚାଟ୍ ଖାଇବାକୁ ଭଲପାଏ ବୋଲି କହିବାକୁ ସେ ଭୁଲି ନଥିଲେ |
               ରୋଜିକୁ ତାର ଶାଶୁ ଶ୍ବଶୁର ବହୁତ ଭଲ ପାଉଥିଲେ |ଶାଶୁଘରେ ରହୁ ରହୁ ସେ କ୍ରମାଗତ ପାଂଚବର୍ଷ ରହିଗଲା |ବିନୟ କେବଳ ଖରା ଛୁଟି ଓ ଦଶହରା ଛୁଟିରେ ସେଠାକୁ ଆସୁଥିଲେ |ବୀଣା ପରିବା କାଟିବା ,ମସଲା ବାଟିବା ଇତ୍ୟାଦି କାମ କରି ଦିଅନ୍ତି,ରୋଜି ରୋଷେଇ କରେ |ଭାତ ଖାଇ ଶ୍ବଶୁର ଅଫିସ ଯାଆନ୍ତି ,ଦିଅର ଯାଆନ୍ତି କଲେଜ |ଶାଶୁ ଖାଉ ଖାଉ ଦିନ ଗୋଟାଏ ହୋଇଯାଏ |ତା ପୂର୍ବରୁ ସେ ରୋଜିକୁ ଖାଇବାକୁ ଦେଇ ଦିଅନ୍ତି |ଶ୍ବଶୁର ଆଶୁତୋଷ ଭାତ ଖାଇବାବେଳେ ଭାତ,ଡାଲି ତରକାରୀ ଇତ୍ୟାଦି ଯାହାବି ତାଂକୁ ପରଷା ହୋଇଥାଏ ,ସବୁଥିରୁ ଟିକେ ଟିକେ ନେଇ ଗୋଟିଏ ଗୁଣ୍ଡା କରି ସେଇ ପ୍ରଥମ ଗୁଣ୍ଡା ଟି ଅତି ଆଦରରେ ରୋଜିକୁ ଖୁଆଇ ଦେଉଥିଲେ  |ଅଫିସରୁ ଫେରିବାବେଳେ ପ୍ରାୟ ଦିନ ରୋଜିପାଇଁ ଆଳୁଚପ୍ ଆଣୁଥିଲେ |ଦିନେ ଦିନେ ରୋଜି କହେ ଆଳୁଚପ୍ ଭଲପାଏ ବୋଲି କଣ ସବୁଦିନ ଖାଇବାକୁ ଭଲ ଲାଗିବ ବାବା ?ଆଶୁତୋଷ ହସିଦେଇ କହନ୍ତି,ତାହାଲେ ଆଉ କଣ ଆଣିବି କହ ?ରୋଜି କହେ ନାଁ ବାବା,କିଛିବି ଆଣନ୍ତୁ ନାହିଁ |କିନ୍ତୁ ଆଶୁତୋଷ କେବେବି ଆଳୁଚପ୍ ଆଣିବାକୁ ଭୁଲୁ ନଥିଲେ |ରୋଜି କେବେହେଲେ ତାର ଶାଶୁ ଶ୍ବଶୁରଂକୁ 'ବାବା' 'ମା' ବ୍ୟତିତ ଅନ୍ୟ ନାମରେ ସମ୍ବୋଧନ କରୁନଥିଲା |ଶୁଣିବା ଲୋକ ବେଳେବେଳେଏକଥା ଭାବି ଦ୍ବନ୍ଦରେ ପଡିଯାଉଥିଲେ ଯେ ସେ ନିଜ ବାବା ମାଆଂକ ବିଷୟରେ କହୁଛି ନାଁ ଶାଶୁ ଶ୍ବଶୁରଂକ ବିଷୟରେ କହୁଛି !! ବୀଣା ସବୁଦିନ ରୋଜି  କେଶରେ ତେଲ ଲଗାଇ ବେଣୀ ବାନ୍ଧି ଦେଉଥିଲେ |ଯେଉଁଦିନ ଚୁଟି ସଫା କରିବା ଦରକାର ପଡ଼େ ସେ ନିଜେ ତା କେଶରେ ସାବୁନ ଲଗାଇ ଚୁଟି ସଫା କରୁଥିଲେ ,କାରଣ ସେ ଜାଣିଥିଲେ, ରୋଜି ଏକୁଟିଆ ତା କେଶର ଯତ୍ନ ନେଇ ପାରିବନାହିଁ |ରୋଜି ସିନେମା ଦେଖିବାକୁ ଭଲପାଏ ବୋଲି ମଝିରେ ମଝିରେ ସମସ୍ତେ ସାଂଗହୋଇ ସିନେମା ଦେଖିବାକୁ ଯାଉଥିଲେ |ଏତେ ଭଲ ମଣିଷଂକ ଭିତରେ ରୋଜିର ନଣନ୍ଦ ସୁନନ୍ଦା କିନ୍ତୁ ତାପାଇଁ ଅବୁଝା ହୋଇ ରହି ଯାଇଥିଲା |ସେ କେବେବି ରୋଜିକୁ ଭଲ ପାଇ ପାରୁନଥିଲା କି କେହି ତାର ପ୍ରଶଂସା କଲେ,ତାକୁ ହଜମ କରିପାରୁ ନଥିଲା |ପିଲାଂକର ଗ୍ରୀଷ୍ମ ଅବକାଶ ହେଲେ ସେ ତାର ତିନି ପିଲାଂକ ସହ ବାପଘରକୁ ଆସୁଥିଲା |ସେଠାରେ ସେ ଭଲ ଭଲ ଖାଇବା ଜିନିଷ ବନେଇବା ପାଇଁ ରୋଜିକୁ କହୁଥିଲା |ରୋଜି ମଧ୍ୟ ପରମଆନନ୍ଦରେ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ସେମାନଂକୁ ଖୁଆଉଥିଲା |କିନ୍ତୁ ବାପା ମା ରୋଜିକୁ ଏତେ ଭଲପାଇବାକୁ ସେ ଆଦୌ ସହିପାରୁ ନଥିଲା |ବେଳେବେଳେ କହିଦେଉଥିଲା,ତାକୁ ଏତେ ମୁଣ୍ଡରେ ବସାଅନାହିଁ,କଚଡ଼ା ଖାଇବ |ତାକୁ ବୀଣା ତ କିଛି କହନ୍ତି ନାହିଁ,କିନ୍ତୁ ଆଶୁତୋଷ  ବାଧିଲାଭଳି କହି ଦିଅନ୍ତି,ତୁ ତୋ ଶାଶୁଘର କଥା ବୁଝ,ବାପଘର କଥାରେ ମୁଣ୍ଡ ଖେଳେଇବା ଦରକାର ନାହିଁ |ସୁନନ୍ଦା କହେ,ହଉ,ମୋ କଥା ଏବେ ଭଲ ଲାଗୁନି,ପଛରେ ପସ୍ତେଇବ |
                   ସେତେବେଳେ ଗ୍ୟାସ ଚୂଲା ନଥିଲା |କାଠ ଚୂଲିରେ ସବୁ ରନ୍ଧା ହେଉଥିଲା |କାଠ ଚୂଲି ରନ୍ଧା ଭାରି ସୁଆଦ ;ବିଶେଷ କରି ଗରମ ଗରମ ରୁଟିର ସ୍ବାଦ ନିଆରା |ସୁନନ୍ଦା ରୁଟି ସେକା ସମୟକୁ ଅପେକ୍ଷା କରିଥାଏ |ଯେମିତି ରୋଜି ରୁଟି ତିଆରି କରିବା ଆରମ୍ଭ କରେ ,ସେତିକିବେଳେ ସେ ପିଲାମାନଂକ ସହିତ ଗରମ ଗରମ ରୁଟି ତରକାରୀ ଖାଇବାକୁ ବରାଦ କରେ  |ବାପଘରେ ଝିଅ କାମ କରେନା,ତେଣୁ ସେ କୌଣସି କାମରେ ରୋଜିକୁ ସାହାଯ୍ୟ କରୁନଥିଲା  |ଶୁଖିଲା କାଠରେ ରୋଷେଇ କରିବା ସହଜ କିନ୍ତୁ ଯେତେବେଳେ ଓଦା କାଠ ପଡିଯାଉଥିଲା ,ଫୁଂଖନଳାରେ ଫୁଂଖି ଫୁଂଖି ରୋଜି  ନୟାନ୍ତ ହୋଇଯାଉଥିଲା  |ପାଂଚବର୍ଷ ଭିତରେ ଆଗପଛ ହୋଇ ରୋଜିର ଦୁଇଟି ପିଲା ହେଲେ |ସେତେବେଳେ ତାର ଜଂଜାଳ ଆହୁରି ବଢ଼ିଗଲା |ପିଲାମାନେ ପଢ଼ିବାପାଇଁ ଆଖପାଖରେ ଭଲ ସ୍କୁଲ ନଥିଲା |ସାନପୁଅର ବିବାହପରେ  ରୋଜିକୁ ବିନୟ ସହିତ ସହରକୁ ଛାଡିବାପାଇଁ ବୀଣା ଓ ଆଶୁତୋଷ  ରାଜିହେଲେ |ସହରକୁ ଆସି ସ୍ଥାନୀୟ ସ୍କୁଲରେ ପିଲାମାନଂକ ନାମ ଲେଖା ହେଲା |କିନ୍ତୁ ସାନବୋହୁ ଶାଶୁ ଶ୍ବଶୁରଂକ ପାଖରେ ରହିବାକୁ ରାଜିହେଲା ନାହିଁ |ଅଳ୍ପଦିନପରେ ବିନୋଦ ସହିତ ସେ ତା କାର୍ଯ୍ୟ କ୍ଷେତ୍ରକୁ ଚାଲିଗଲା |ତାର ଦୁଇବର୍ଷ ପରେ ଆଶୁତୋଷ  ଚାକିରୀରୁ ଅବସର ନେଲେ |ସେ ସେତେବେଳେ ରୋଜିକୁ ଅନୁରୋଧ କରି କହିଲେ,ମା,ଘରେ ଏକୁଟିଆ ଭଲ ଲାଗୁନି;ତୁ ଅଳ୍ପଦିନପାଇଁ ଏଠାକୁ ଆସ |ରୋଜି ଖୁସିମନରେ ଅଳ୍ପଦିନ ପାଇଁ ଶାଶୁ ଶ୍ବଶୁରଂକ ପାଖକୁ ଆସି ସବୁଦିନ ପାଇଁ ରହିଗଲା | ସେଠାରେ ଥିବା ସରକାରୀ  ସ୍କୁଲରେ ପିଲାଂକ ନାମ ଲେଖାଗଲା |
                   ସେତେବେଳେ ଦଶହରା ଛୁଟି ହୋଇଥାଏ |ବାପାଂକ ଘରକୁ ଯିବାପାଇଁ ରୋଜିର ମନହେଲା |ତା ମନକଥା ଜାଣି ଆଶୁତୋଷ  ରୋଜି ଓ ପିଲାମାନଂକୁ ଜାମସେଦପୁରରେ ଛାଡିଦେଇ ଆସିବା ପାଇଁ ବିନୟକୁ କହିଲେ |ବାପଘର ଯିବବୋଲି ରୋଜିର ମନ ଆକାଶରେ ଉଡୁଥିଲା |ଯିବାବେଳେ ସେ ଯେତେବେଳେ ଶ୍ବଶୁରଂକୁ ପ୍ରଣାମ କଲା,ସେ କାନ୍ଦି ପକାଇ କହିଲେ,ତୁ ଶୀଘ୍ର ଚାଲିଆସିବୁ ମା,ମତେ ଭଲ ଲାଗୁନି |ବୀଣା ଆକଟ କରି କହିଲେ,ତାକୁ ସେମିତି କୁହନା,ସେ ଭଲରେ ଯାଇ ଭଲରେ ଆସୁ |ଅଧା ବାଟରେ ରୋଜି ବିନୟଂକୁ କହିଲା,ବାବାଂକ ମୁହଁ କେମିତି କଳା ଦିଶୁଥିଲା,ଚାଲ ଫେରିଯିବା,ମତେ କାହିଁକି ଭଲ ଲାଗୁନି |ବିନୟ କହିଲେ,ଆଜି ବାବା ବେଶି ଖରାରେ ବୁଲିଛନ୍ତି,ସେଥିପାଇଁ ସେମିତି ଦେଖାଯାଉଛନ୍ତି,ତମେ ବ୍ୟସ୍ତ ହୁଅନା |ସେମାନେ  ଜାମସେଦପୁରରେ ପହଂଚିବାର ଦୁଇଦିନପରେ ବିନୟଂକ ଜଣେ ବନ୍ଧୁ ରୋଜିକୁ ଫୋନ୍ କରି ,ଆଶୁତୋଷଂକୁ ହସ୍ପିଟାଲରେ ଆଡମିଶନ କରାଯାଇଥିବା କଥା କହିଲେ |ଖବର ପାଇ ରୋଜି ବ୍ୟସ୍ତ ହୋଇ ଯିବାକୁ ବାହାରିଲା |ରୋଜିର ମା କହିଲେ,ତୁ ଏବେ ଆସିଛୁ,ଆଉ କିଛିଦିନ ରହ |ବେଶି ସିରିଅସ ହେଲେ,ବିନୟ ନିଶ୍ଚେ ଫୋନ୍ କରିବେ;ତାଛଡା ଛୋଟ ପିଲା ଦୁଇଟିଂକୁ ଧରି ତୁ ଏକୁଟିଆ ଯିବୁ କେମିତି ?କିନ୍ତୁ ରୋଜି ନଛୋଡବନ୍ଧା ଥିଲା |ସେ କହିଲା,ବାବାଂକ ଦେହ ନିଶ୍ଚୟ ବେଶି ଖରାପ ହୋଇଛି,ନହେଲେ ମତେ ଏତେ ବ୍ୟସ୍ତ ଲାଗନ୍ତା ନାହିଁ |କାହାରି କଥା ନଶୁଣି ରୋଜି ପିଲାଂକୁ ଧରି ବାହାରିଲା |ବାଟରେ ଖାଇବା ପାଇଁ ମା ସେମାନଂକ ପାଇଁ କିଛି ଖାଇବା ଜିନିଷ ପ୍ୟାକ କରିଦେଲେ |ସେତେବେଳେ ଦଶହରା ସମୟ; ଟିକେଟ ମିଳିଲା ନାହିଁ |ବାଧ୍ୟ ହୋଇ ସେମାନେ ଜେନେରାଲ ବଗିରେ ଉଠିଲେ |ଟ୍ରେନରେ ଯାତ୍ରୀ ଭରପୁର ଥିଲେ ଓ ସେଠାରେ ଗୋଡ ପକେଇବାକୁ ଜାଗା ନଥିଲା |ରୋଜି ପିଲାମାନଂକୁ ଛାତିରେ ଆଉଜାଇ ଦିନ ଦଶଟାରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ ଟୟଲେଟ ପାଖରେ ତଳେ ବସିଥିଲା |ତିନିଜଣ ଯାକ କେହି  ଟିକିଏ ପାଣି ପିଇ ନଥିଲେ କି ବାଥରୁମ ଯାଇ ନଥିଲେ |ସମ୍ବଲପୁରରେ ପହଂଚି ସେ ଦେଖିଲା,ଘରେ ଚାବି ପଡିଛି |ପାଖ ଘରେ ରହୁଥିବା ତାଂକ ପଡୋଶୀ ତଥା ତାର ଘନିଷ୍ଠ ବାନ୍ଧବୀ ରୀମା କୁ ପଚାରି ବୁଝିଲା,ଦୁଇ କିଲୋମିଟର ଦୂରରେ ଥିବା ତାଂକର ଜଣେ ସମ୍ପର୍କୀୟଂକ ଘରେ ଚାବି ଅଛି |ରୋଜି  ରୀମାକୁ ସଂକ୍ଷେପରେ ପିଲାଂକ କଥା କହି, ଘରେ ମା ଦେଇଥିବା ଖାଇବା ଜିନିଷ ସହ  ପିଲାମାନଂକୁ ତା ପାଖରେ  ଛାଡି ସେଠାକୁ ଛୁଟିଲା |ସେଠାରୁ  ଚାବି ଆଣି ସେ ପିଲାଂକୁ ନେଇ ଘରକୁ ଗଲା ଓ ନିଜେ ଗାଧୋଇବା ସହ ପିଲାମାନଂକୁ ଗାଧୋଇ ଦେଇ ପୁଣି ରୀମା ପାଖରେ  ପିଲାଂକୁ ଛାଡି ଡାକ୍ତରଖାନା ଗଲା |ସେ ସମ୍ବଲପୁର ଆସିବା ଖବର ବିନୟଂକୁ ଜଣା ନଥିଲା | ଅପ୍ରତ୍ୟାଶିତ ଭାବରେ ରୋଜିକୁ ହଠାତ୍  ସେଠାରେ ଦେଖି ସେ  ନିଜ କୋହ ସମ୍ବରଣ କରିପାରିନଥିଲେ ଓ ତାକୁ କୁଣ୍ଢାଇ ପକାଇ ଭୋ ଭୋ ହୋଇ କାନ୍ଦିଥିଲେ |ରୋଜିକୁ ଦେଖି ବୀଣାଂକ ଆଖିରୁ ମଧ୍ୟ ଆନନ୍ଦାଶ୍ରୁ ଝରି ଯାଇଥିଲା |ରୋଜି ବୀଣାଂକୁ ଉଠାଇ ତାଂକ ସ୍ଥାନରେ ନିଜେ ବସିଲା  | ଟ୍ରେନରେ ବସିବା ସମୟରୁ ସେ କିଛି ଖାଇ ନଥିଲା |ସେଇ ଯେ ଡାକ୍ତରଖାନା ଆସିଲା,ଆଉ ଘରକୁ ଫେରିଲା ନାହିଁ |ବିନା ଗାଧୁଆରେ ସେଇ ଖଣ୍ଡିଏ ଶାଢୀ ପିନ୍ଧି ସେ କେବଳ ଚା ବିସ୍କୁଟ ଖାଇ ପାଂଚଦିନ ରହିଗଲା |ସାଲାଇନ ନେବାବେଳେ ଆଶୁତୋଷ  ହାତ ଛାଟି ଦେଉଥିବାରୁ,ସେ ନିଜ ହାତ ପାପୁଲିରେ ତାଂକ ହାତ ମୁଠାକୁ ଚାପି ଧରିଥିଲା |ପାଂଚଦିନ ପରେ ଯେତେବେଳେ ଆଶୁତୋଷ  ସବୁଦିନପାଇଁ ଆଖି ବୁଜିଦେଲେ,ସେତେବେଳେ ତାଂକ ହାତମୁଠାରୁ ରୋଜିର ହାତ କାଢିବା ପାଇଁ ନର୍ସ ଓ ଡାକ୍ତରଂକ ପାଇଁ ଏକ ଅସମ୍ଭବ ବ୍ୟାପାର ହୋଇ ପଡିଥିଲା |
              ଏହାପରେ  ସମସ୍ତେ ସମ୍ବଲପୁର ଘର ଛାଡି ବିନୟଂକ ପାଖକୁ ଚାଲି ଆସିଲେ |ପିଲାମାନଂକ ମେଳରେ ବୀଣା ଖୁବ୍ ଖୁସିରେ ରହୁଥିଲେ |ବର୍ଷକ ପରେ ସୁନନ୍ଦାର ସ୍ବାମୀ ଦେବକାନ୍ତଂକ ହୃଦଘାତରେ ମୃତ୍ୟୁ ହୋଇଗଲା |ସୁନନ୍ଦା ଶିକ୍ଷୟତ୍ରୀ ଚାକିରୀ କରୁଥିଲା |ତେଣୁ ଘରେ ପିଲାଂକୁ ଜଗିବାପାଇଁ ସେ ବୀଣାଂକୁ ସାଂଗରେ ନେବାପାଇଁ ଜିଦ୍ଦି କଲା |ଝିଅ ହଇରାଣ ହେଉଥିବାର ଦେଖିଲେ,କେଉଁ ମା' ବା ଧୈର୍ଯ୍ୟ ଧରି ରହିପାରିବ !ସେ ସୁନନ୍ଦା ସହିତ ଯିବାପାଇଁ ରାଜି ହେଲେ |ଯିବାବେଳେ ରୋଜି ସୁନନ୍ଦାକୁ କହିଲା,ମାଆଂକ ଯତ୍ନ ନେବ,ତାଂକୁ କିଛି କାମ କରିବାକୁ ଦେବନି |ରୋଜି ମୁହଁରୁ ଏକଥା ଶୁଣି ସୁନନ୍ଦା ରାଗରେ ଫଁ ଫଁ ହେଲା |କହିଲା, ମୁଁ ଝିଅ ହୋଇ ମା କଥା ବୁଝି ପାରିବିନି,ତମେ ବୋହୂ ହୋଇ ମୋଠାରୁ ଅଧିକା ବୁଝିବ ?ସୀମା ଟପିଯାଅ ନାହିଁ, ଦେଖି ଚାହିଁ କଥାବାର୍ତ୍ତା କର |କିନ୍ତୁ ରୋଜି ଯାହା ସନ୍ଦେହ କରୁଥିଲା,ତାହା ହୋଇଥିଲା |ବୀଣା ଘରର ସବୁ କାମ କରିବା ସଂଗେ ସଂଗେ ପିଲାଂକୁ ସ୍କୁଲରୁ ନେବା ଆଣିବା କରୁଥିଲେ |ମଝିରେ ମଝିରେ ରୋଜି ବୀଣାଂକୁ ଦେଖିବାକୁ ପିଲାମାନଂକ ସହ ଯାଉଥିଲା |ଯିବାବେଳେ ବୀଣାଂକ ଅତିପ୍ରିୟ ଦହିବରା ଆଳୁଦମ୍ ବା ଅନ୍ୟକିଛି ସୁସ୍ବାଦୁ ବ୍ୟଞ୍ଜନ ନିଜ ହାତରେ ତିଆରି କରି ନେଇ ଯାଉଥିଲା |କିନ୍ତୁ ଖାଦ୍ୟପ୍ରିୟ ବୀଣା ସେସବୁ ଦେଖି କହୁଥିଲେ,ମୋର ଏସବୁ ହଜମ ହେଉନି ମା,ତୁ ମୋପାଇଁ କିଛି ଆଣନା |ରୋଜି ସୁନନ୍ଦା କୁ କହେ,ମା କାହିଁକି ଖାଉନାହାନ୍ତି, ତାଂକୁ ନେଇ ଭଲ ଡାକ୍ତରଂକୁ ଦେଖାଅ  |ସୁନନ୍ଦା ଉତ୍ତର ଦିଏ,ସେ ପାଣି ଜମା ପିଉନି,ଖାଦ୍ୟ ହଜମ ହେବ କେମିତି ?ତାର କିଛି ରୋଗ ନାହିଁ ,ତାକୁ ଭଗବାନ ସବୁବେଳପାଇଁ ସୁସ୍ଥ ଶରୀର ଦେଇଛନ୍ତି |
            ଡିସେମ୍ବରର ଏକ ଶୀତୁଆ ସକାଳରେ ରୋଜି ସକାଳର ସବୁ କାମ ସାରି ଜଳଖିଆ ଖାଇବାକୁ ଯାଉଥିବାବେଳେ ସୁନନ୍ଦାର ଫୋନ ଆସିଲା |ସେ ହାଲୋ କହିବା ମାତ୍ରକେ ସେପଟୁ ସୁନନ୍ଦାର ରୁକ୍ଷ ସ୍ବର ଶୁଭିଲା,ଭାଉଜ କଣ କରୁଛ ?ରୋଜି କହିଲା,କଣ ଆଉ କରିବି,ଖାଇବାକୁ ଯାଉଥିଲି |ସୁନନ୍ଦା ଉତ୍ୟକ୍ତ ହୋଇ କହିଲା,ତମେ ଖାଉଥା,ଇଆଡେ ମା ର କଣ ହେଲାଣି,ସେ ଖବର ରଖିଛ ??ରୋଜି ବ୍ୟସ୍ତ ହୋଇ କହିଲା,ତମେ ନକହିଲେ,ଆମେ କେମିତି ଜାଣିବୁ ?ମା  ଦେହ ଭଲନାହିଁ କହି ସୁନନ୍ଦା ଫୋନ କାଟିଦେଲା |ରୋଜି ଆଉ ଜଳଖିଆ ଖାଇଲା ନାହିଁ |ବିନୟଂକୁ କହିଲା,ଶୀଘ୍ର ଚାଲ,ମାଆଂକ ଦେହ ଭଲନାହିଁ,ସୋନୁ ଫୋନ କରିଥିଲେ |ଦୁହେଁ ସଂଗେ ସଂଗେ ଟାକ୍ସିରେ ଯାଇ ସୁନନ୍ଦା ଘରେ ପହଂଚିଗଲେ |ରୋଜିକୁ ଦେଖୁ ଦେଖୁ ବୀଣା କହିଲେ,ମା' ମୋର କିଛି ହୋଇନି,ମତେ ତୋ ପାଖକୁ ନେଇଯା,ସେଇଠି ରହିଲେ ମୋ ଦେହ ଭଲ ହୋଇଯିବ |ରୋଜି କହିଲା,ମା ବ୍ୟସ୍ତ ହୁଅନା |ଡାକ୍ତରଂକୁ ଦେଖାଇ ଆମେ ଚାଲିଆସିବା  | ଡାକ୍ତରଖାନାରେ ନାନାପ୍ରକାର ପରୀକ୍ଷାନିରୀକ୍ଷା ପରେ ଜଣା ପଡିଲା,ବୀଣାଂକ ଫୁସଫୁସରେ ପାଣି ଜମିବା ସଂଗେ ସଂଗେ ଲିଭରରେ ଟ୍ୟୁମର ହୋଇଛି |ଡାକ୍ତରଂକ ପରାମର୍ଶ ଅନୁସାରେ ବୀଣାଂକୁ ସେଠାରେ ଆଡମିଶନ କରାଗଲା |ତାଂକ ପାଖରେ ରୋଜି ରହିଲା,ଆଉ ଘରକୁ ଗଲାନାହିଁ |ଡାକ୍ତରଖାନାରେ ରୋଜିକୁ ବୀଣା ମୁହୁର୍ତ୍ତକ ପାଇଁ ଛାଡୁନଥିଲେ |ପ୍ରାୟବେଳେ ତା କୋଳରେ ମୁଣ୍ଡ ରଖି ଶୋଉଥିଲେ |ଟିକିଏ ନର୍ମାଲ ଅବସ୍ଥାକୁ ଆସିଲେ,ଡାକ୍ତର ଅପରେସନ କରିବା କଥା କହୁଥିଲେ |କିନ୍ତୁ ସେ ଅବସ୍ଥା ଆଉ ଆସିଲାନାହିଁ ;ମାସେ କାଳ ବ୍ୟାଧି ସହିତ ସଂଗ୍ରାମ କରି ଶେଷରେ ସେ ରୋଜି କୋଳରେ ହିଁ ଆଖି ବୁଜିଦେଲେ |
                  ନିଜର ଏକାକିନୀ ମୁହୁର୍ତ୍ତରେ  ଶାଶୁ ଶ୍ବଶୁରଂକ କଥା ରୋଜିର ବହୁତ ମନେପଡ଼େ ;ଭାବେ କେଉଁଠାରେ ତାର ଅଜାଣତରେ କାଳେ କିଛି ଭୁଲ ରହିଗଲା !!!
By Mamata Mohanty.02-04-2019

No comments:

Post a Comment