Tuesday, February 19, 2019

ଜାତକ ମେଳକ

               ପୁଅ ବାହାଘର ପାଇଁ ମା ସାରଦାଂକ ଗୋଟିଏ ସର୍ତ୍ତ ରହିଥିଲା;ତା ହେଲା ଉପଯୁକ୍ତ ଜାତକ ମେଳକ ହେବା ପରେ ହିଁ ବାହାଘର ହେବ |ସେତେବେଳେ ଏହି  ସର୍ତ୍ତ କାହାପାଇଁ କଷ୍ଟକର ମନେହେଉ ନଥିଲା |କିନ୍ତୁ ସମୟ ଗଡିବା ସଂଗେ ସଂଗେ ଏହା ଏକ ପ୍ରଧାନ ସମସ୍ୟା ହୋଇ ଉଭା ହେଲା |ଯେତେବେଳେ ଝିଅଟି ସବୁଦିଗରୁ ସମସ୍ତଂକୁ ଭଲ ଲାଗୁଥିଲା,ସେତେବେଳେ ଜାତକ ପଡୁନଥିଲା ,ପୁଣି ଯେତେବେଳେ ଜାତକ ପଡୁଥିଲା,ସେତେବେଳେ ଝିଅ ପସନ୍ଦ ହେଉନଥିଲା |ବେଶ କିଛିବର୍ଷ ଏମିତି ପାଲା ଚାଲିବାପରେ ସାରଦା ତାଂକ ସର୍ତ୍ତରୁ ଓହରି ଯିବାପାଇଁ ବାଧ୍ୟ ହେଲେ |ଦିନେ ସେ ମଧ୍ୟ ଅନ୍ୟମାନଂକ ସହ ସ୍ୱର  ମିଳାଇ କହିଲେ,ଜଗନ୍ନାଥଧାମରେ ଜାତକ ମିଳାଇବାର ଆବଶ୍ୟକତା ନାହିଁ ,କାରଣ 'ସର୍ବ ମଂଗଳ ଜଗନ୍ନାଥ' |ସେହି ଅନୁସାରେ ବିବାହ ପ୍ରସ୍ତାବ ଆଗେଇ ଚାଲିଲା ଓ କିଛିଦିନ ମଧ୍ୟରେ ସମସ୍ତଂକ ମନଲାଖି ଝିଅ ସହିତ ବିନା ଜାତକ ମେଳକରେ ସୁରୁଖୁରୁରେ ବାହାଘର ହୋଇଗଲା |ସେତେବେଳେ  ସ୍ୱାମୀ  ଆଶୁତୋଷ ସାରଦାଂକୁ କହିଥିଲେ,ଜାତକ ନ ମିଶେଇ ବାହାଘର ହୋଇଛି ମାନେ ଭବିଷ୍ୟତରେ ଯେ କୌଣସି ପରିସ୍ଥିତି ଉପୁଜୁ ନାଁ କାହିଁକି, କେବେହେଲେ ଜାତକ ଦେଖିବା କଥା କହିଵ ନାହିଁ |ସାରଦା ମଧ୍ୟ ଏଥିରେ ରାଜି ହୋଇଥିଲେ |
              ପୁଅ ବାହାଘର ପରି ଝିଅ ବାହାଘର ମଧ୍ୟ ବିନା ଜାତକ ମେଳକରେ କରିବାପାଇଁ  ଉଭୟ ମନସ୍ଥିର କରିଥିଲେ |କିନ୍ତୁ ପୁଅଘର ବିନା ଜାତକ ମେଳକରେ ବିବାହ କରିବାକୁ ରାଜି ହେଲେ ନାହିଁ |ଝିଅ ସୁନ୍ଦରୀ.ଶିକ୍ଷିତା ଓ ଗୁଣବତୀ ହୋଇଥିଲେ ମଧ୍ୟ ତା ଜାତକରେ କି କି ଦୋଷ ଥିଲା କେଜାଣି ଜାତକ ପଡିବା ପରେ ସବୁ ପ୍ରସ୍ତାବ ଭାଂଗିଯାଉଥିଲା  |ଦିନେ ମନଦୁଃଖରେ ସାରଦା ତାଂକ ବାନ୍ଧବୀ ସଂଯୁକ୍ତାଂକୁ ଏକଥା କହିଲେ |ସଂଯୁକ୍ତା ସବୁଶୁଣି କହିଲେ,ତେବେ ତ ବେଳହୁଁ ପ୍ରତିକାର କରିବାକୁ ପଡିବ |ସାରଦା କହିଲେ, କେମିତି କଣ କରିବାକୁ ହେବ କହ,ତୁ ଯାହା କହିବୁ,ମୁଁ ତାହା କରିବି |ସଂଯୁକ୍ତା କହିଲେ,ତୁ ଖାଲି ଝିଅର ଜାତକ ମତେ ଦେ,ତାପର କଥା ମୋ ଉପରେ ଛାଡିଦେ |ସେମିତି ହେଲା |ସପ୍ତାହେ ପରେ ସଂଯୁକ୍ତା ଝିଅର ଏକ ନୂଆ ଜାତକ ପ୍ରସ୍ତୁତ କରି ସାରଦାଂକ ହାତରେ ଧରେଇ ଦେଲେ ଓ ତାଂକୁ ଆଶ୍ୱାସନା  ଦେଇ କହିଲେ,ଏଥରକ ଆଉ କିଛି ଅସୁବିଧା ହେବନି |ସାରଦା ଦୋ ଦୋ ପାଂଚ ହୋଇ କହିଲେ,ଆମେ କିଛି ଭୁଲ କରୁନୁ ତ ?ସଂଯୁକ୍ତା କହିଲେ,ଜମା ନୁହେଁ |ଯୋଡି ମେଳକ ଭଗବାନ କରିଥାନ୍ତି,ଆମେ କେବଳ ନିମିତ୍ତ ମାତ୍ର |ତାପରେ ପଣ୍ଡିତ ଯେଉଁ  ଜାତକ ତିଆରି କରୁଛନ୍ତି, ତାହା ଶତ ପ୍ରତିଶତ ସତ ବୋଲି ଆମେ କଣ ଗ୍ୟାରେଣ୍ଟି ଦେଇ ପାରିବା ?
               ନୂତନ ଜାତକରେ ବିବାହ ପ୍ରସ୍ତାବ ପଡିଲା ଓ ଖୁବ କମ ଦିନରେ ଝିଅ ବାହାଘର ହୋଇଗଲା |ଏବେ ସାରଦା ଓ ଆଶୁତୋଷଂକ ପୁଅ ଝିଅଂକ ବାହାଘର ଦଶବର୍ଷରୁ ଉର୍ଦ୍ଧ୍ୱ  ହୋଇ ଗଲାଣି |ଦୁହେଁ ଖୁବ ଖୁସିରେ  ଅଛନ୍ତି,କୌଣସି ଦୁଷ୍ଟଗ୍ରହ କିମ୍ବା ଦଶା ଅନ୍ତର୍ଦଶା,ସେମାନଂକ ବୈବାହିକ ଜୀବନରେ ପ୍ରତିବନ୍ଧକ ସୃଷ୍ଟି କରିପାରିନାହାନ୍ତି |ସେମାନେ କେବଳ ଗୋଟିଏ ନୀତି ଆପଣେଇ ଥାଆନ୍ତି ;'ପରୋପକାର ସ୍ୱର୍ଗାୟ ,ପାପାୟ ପରପୀଡ଼ନାୟ' |ମମତା ମହାନ୍ତି |


No comments:

Post a Comment