Thursday, December 6, 2018

ଭାଇ

                    ଆଜି ସାନଭାଇ ଟୁନୁର ଏକାଦଶାହ |ଶବ ସଂସ୍କାର ଠାରୁ ଆରମ୍ଭକରି ଏପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବେଶ ସୁରୁଖୁରୁରେ ଓ ଆଡମ୍ବରରେ ଜିତୁ କରିଛି |ବନ୍ଧୁବାନ୍ଧବ,ସାଂଗସାଥୀ,ସାଇ ପଡିଶା ଆଦି ସମସ୍ତଂକ ମୁହଁରେ ତାର ଭୁରି ଭୁରି ପ୍ରଶଂସା 'ଭାଇ ହେବ ତ ଏମିତି |ମାସେକାଳ ଡାକ୍ତରଖାନାରେ ଅଖିଆଅପିଆ ପଡି, ଭାଇର ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରି,ପୁଣି ତାର ଅନ୍ତେଷ୍ଟିକ୍ରିୟାରେ ହାତଖୋଲି ଖର୍ଚ୍ଚ କରିବା କଣ ସହଜ ହୋଇଛି ?ଆଜିକାଲି କେଉଁ ଭାଇ ଏମିତି କରୁଛି ?ଲୋକେ କହନ୍ତି,କାଳେ ମାଆ ପେଟରୁ ଶତ୍ରୁ ଜନ୍ମ ହୁଏ,ସବୁ ବେକାର କଥା ,ବହି ଲେଖା କଥା |ନିଜର ଆଖିଦେଖା,ଅନୁଭବ ହିଁ ସର୍ବଶ୍ରେଷ୍ଠ ସତ୍ୟ |'
                            ଜିତୁ ଭଲ ପଢୁଥିଲା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ସ୍ଥାନ ପାଇ ବଡ ଚାକିରୀ କରିଥିଲା |ସେମିତି ଭଲଘରୁ ସ୍ତ୍ରୀ ମଧ୍ୟ ତାକୁ ମିଳିଥିଲା |ସ୍ତ୍ରୀ ଗୀତା ଓ ଦୁଇପୁଅ ଝିଅକଂ ସହିତ ସେ ଖୁବ ଶାନ୍ତିରେ ସହରରେ ରହିଥିଲା |ତାର ଆଉ ଦୁଇଜଣ ବଡ ଭଉଣୀ ସେହି ସହର ମଧ୍ୟରେ ବାହାହୋଇ ଅଲଗା ଅଲଗା ସ୍ଥାନରେ ରହୁଥିଲେ |ଟୁନୁ ବି ଛୋଟିଆ ନଥିଲା |ସେ ଥିଲା,ଭାତ୍ରୁଭକ୍ତ ଭରତ |ଭାଇର ଯିଏ ଶତ୍ରୁ ଥିଲା ,ସେ ତାର ମଧ୍ୟ ଶତ୍ରୁ ଥିଲା |ଭାଇ ପାଇଁ ସେ ନିଜର ପରମମିତ୍ରକୁ ଶତ୍ରୁ କରିବାକୁ ପଛାଉ ନଥିଲା |କିନ୍ତୁ ସେ  ପାଠପଢାରେ ଦୁର୍ବଳ ଥିଲା |କଷ୍ଟେ ମଷ୍ଟେ ବି.ଏ.ପାଶ କରି , ରାଜ୍ୟ ବାହାରେ ଛୋଟିଆ ଚାକିରୀଟିଏ କରି  ସେ ସେଥିରେ ସନ୍ତୁଷ୍ଟ ରହିଥିଲା |ଯେତେବେଳେ ନିଜ ପସନ୍ଦର ଝିଅ ନୀନା କୁ ବାହାହେବାପାଇଁ ସେ ଘରେ ଜିଦ୍ଦି କଲା,ବାପା ରୋକଠୋକ୍ ମନାକରିଦେଲେ |ସେତେବେଳେ ଜିତୁ ବାପାଂକୁ ସମର୍ଥନ କିମ୍ବା ବିରୋଧ ନକରି ନୀରବ ରହିଥିଲା |ଶେଷରେ  ତାର ଦୁଇ ଭଉଣୀ ମିଶି ତାର ବାହାଘର ଯେନତେନ ପ୍ରକାରେଣ କରିଥିଲେହେଁ ଟେଣ୍ଟ ହାଉସକୁ ଦେବାପାଇଁ ଟଂକା ନିଅଣ୍ଟ ପଡିବାରୁ ସେ ନିଜ  ବାହାଘର ପାଇଁ କିଣିଥିବା  ଚେନ୍ ବିକି ସେ ଟଂକା ଭରଣା କରିଥିଲା | |ତା ପୁଅ ପାଂଚବର୍ଷର ହୋଇଥିବାବେଳେ ସେ ଏକ ସଡକ  ଦୁର୍ଘଟଣାରେ ଗୁରୁତର ହୋଇଗଲା |ଏଥିରୁ ଆରୋଗ୍ୟ ହେବାପାଇଁ ତାକୁ ଅନେକଦିନ ଲାଗିଗଲା ଓ ଆରୋଗ୍ୟ ଲାଭ କରି ସାରିବା ପରେ  ସେ ପୂର୍ବପରି ଆଉ  କାମ କରିପାରିଲା ନାହିଁ  | ସେ ସେଠାରୁ ଫେରି ଆସି  ଜିତୁ ପାଖରେ ରହିବାକୁ ଲାଗିଲା |ପରେ ତାକୁ ଏକ ଛୋଟ ଚାକିରୀ ମଧ୍ୟ ମିଳିଗଲା |ପୂର୍ବ ଚାକିରୀ କରୁଥିବାବେଳେ, କିଛି ଟଂକା ସଂଚୟ କରି ସେ ଭୁବନେଶ୍ବର ଉପକଣ୍ଠରେ ବାରଶହ ବର୍ଗଫୁଟର ଏକ ଜମି କିଣିଥିଲା ଓ ତାହା ତାର ଏକମାତ୍ର ସମ୍ବଳ ଥିଲା  | କିଛିଦିନ ଭଲରେ ରହିବା ପରେ ପରେ ଗୀତା ଓ ନୀନାଂକ ସମ୍ପର୍କ କ୍ରମେ ତିକ୍ତ ହୋଇଗଲା |ଅତି ଛୋଟ ଛୋଟ କଥାକୁ ନେଇ ପ୍ରତିଦିନ ଦୁଇଜଣଂକ ଭିତରେ କଳି ଲାଗୁଥିଲା |ଦିନେ ବିରକ୍ତ ହୋଇ ଜିତୁ ଟୁନୁକୁ କହିଲା,ତୁ ଅଲଗା ଘରଭଡା ନେଇ ରହ |ଏଠି ରହିଲେ,ତମକୁ ଅସୁବିଧା ଓ ମତେ ବି ଅସୁବିଧା |ଟୁନୁ କହିଲା,ମୁଁ  ଏତେ କମ୍ ଦରମା ପାଉଛି ; ଘରଭଡା ଟଂକା ଦେବାପରେ  ମୋ ପାଖରେ ଆଉ କଣ ରହିବ ଯେ ମୁଁ  ଖାଇବି ?ସେଥିରେ ପୁଣି ଆଗକୁ ପିଲାର ପାଠପଢା ଖର୍ଚ୍ଚ ଅଛି |ଜିତୁ କହିଲା,ବସ୍ତି ଭିତରେ ଅଳ୍ପ ଟଂକାରେ ଭଡାଘର ମିଳୁଛି |ପିଲା ବଡ ହେଲେ,ତା  କଥା ବୁଝିବା ,କିନ୍ତୁ ଏକାଠି ଆଉ ରହିବା ସମ୍ଭବ ନୁହେଁ |ଟୁନୁ ସବୁ ବୁଝିଲା,କିଛିଦିନ ଭିତରେ ଭଡାଘରଟିଏ ବୁଝି ସେ ସେଠାକୁ ଚାଲିଗଲା |
          ଏତେସବୁ ପରେ ବି ଜିତୁ ସହିତ ଟୁନୁର ସମ୍ପର୍କ ପୂର୍ବପରି ଥିଲା |ଭାଇ କଥା ମନେପଡିଲେ,ସେ ମଝିରେ ମଝିରେ ଯାଇ ତା ସହିତ ଦେଖାକରି ଆସୁଥିଲା |କିନ୍ତୁ ତାଂକ ଘରକୁ ଟୁନୁର ଯିବା ଆସିବା ଗୀତାର ପସନ୍ଦ ନଥିଲା |ତାର ସନ୍ଦେହ ଥିଲା,କାଳେ ଟୁନୁ ଦେଖା କରିବା ଆଳରେ ଜିତୁଠାରୁ ଟଂକା ନେବାପାଇଁ ଆସୁଥାଇପାରେ |ସେ ସେଥିପାଇଁ  ଟୁନୁ ଆସିଲେ ଜିତୁର ପାଖ ଛାଡୁ ନଥିଲା |ଦୁଇ ଭଉଣୀ ତା ପାଖକୁ ମଝିରେ ମଝିରେ ଆସୁଥିଲେ |ଯିବାବେଳେ କେବେ କେମିତି ପାଁଶହ/ହଜାରେ ନୀନା ହାତରେ ଗୁଂଜି ଦେଇ ଯାଉଥିଲେ |ଟୁନୁ ତାର  ଆର୍ଥିକ ସମସ୍ୟାର  ମୁକାବିଲା କରିବା ପାଇଁ ଅତି ସରଳ ଜୀବନଯାପନ କରୁଥିଲା |ଘରେ କେବଳ ଭାତ ଡାଲି ରନ୍ଧା ହେଉଥିଲା |ରାତିରେ ସେହି ଡାଲି ସହିତ ସେମାନେ ରୁଟି ଖାଉଥିଲେ |ବିଭିନ୍ନ ପର୍ବପର୍ବାଣୀ ହେଉ ବା ଯେ କୌଣସି ଭଲଦିନ ହେଉ ,ଘରେ ଠାକୁରଂକ ପାଖରେ କେବଳ ଦୀପ ଟିଏ ଜଳାଇବା ବ୍ୟତିତ ଅନ୍ୟ କିଛି ହେଉ ନଥିଲା  |ଅସୁବିଧାବେଳେ ସେ ପ୍ରଥମେ ପ୍ରଥମେ ଜିତୁ ଓ ତାର ଦୁଇ ଭଉଣୀଙ୍କ ଠାରୁ ଟଂକା ଧାର ଆଣୁଥିଲା | ସେ ଟଂକା ସୁଝି ନପାରିବାରୁ ସେମାନେ ବି ଆଉ ଟଂକା ଦେଲେ ନାହିଁ |ପୁଅ ପଢା ଖର୍ଚ୍ଚ ଭରଣା କରିବା ପାଇଁ  ନୀନା ଆଖପାଖ ପିଲାଂକୁ ଟିଉସନ କରିବା ସଂଗେ ସଂଗେ ପାଖ ସିଲେଇ ଦୋକାନରୁ ଅର୍ଡର ଆଣି ଶାଢୀ ଫଲ ସିଲେଇ କରୁଥିଲା |ପୁଅ ଅଜୁ ପାଖ ଓଡିଆ ମାଧ୍ୟମ ସ୍କୁଲରେ ପଢୁଥିଲା ଓ ସେ  ସବୁବେଳେ କ୍ଲାସରେ ପ୍ରଥମ ହେଉଥିଲା |ସବୁ ପିତାମାତାଂକ ପରି ଟୁନୁ ମନରେ ମଧ୍ୟ ଅଜୁ ପାଇଁ ଅନେକ ସ୍ବପ୍ନ ଥିଲା |ତାର ଇଚ୍ଛା ଥିଲା,ପୁଅ ତାର ଇଂଜିନିୟର ହେବ |ପୁଅ ମୁନା ବି ତାକୁ ନିରାଶ କରି ନଥିଲା |ପ୍ରଥମ ଚାନ୍ସରେ ସେ ସରକାରୀ ଇଂଜିନିୟରିଂ କଲେଜରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା |ପରୀକ୍ଷା ଫଳ ବାହାରିବା ଦିନ ସ୍ବାମୀ ସ୍ତ୍ରୀ ଦୁହେଁ  ଅନେକ ଆନନ୍ଦାଶ୍ରୁ ବୁହାଇ ଥିଲେ |ଏହି ଖୁସି ଖବର ଜିତୁକୁ ଦେଇ ତା  ପାଖରୁ କିଛି ଆର୍ଥିକ ସହାୟତା ପାଇବାପାଇଁ ଟୁନୁ ତା ଘରକୁ ଦୌଡି ଯାଇଥିଲା |ଜିତୁ କିନ୍ତୁ ଏହି ଖବର ଶୁଣି ଖୁସି ହେବା ପରିବର୍ତ୍ତେ ରାଗରେ ଗର ଗର ହୋଇ କହିଥିଲା,ଏବେ ମୋ ଘର ତିଆରି ଚାଲିଛି,ଆଗକୁ ଝିଅ ବାହାଘର ଅଛି |ପୁଣି ପୁଅ ପାଇଁ ଭଲ କୋଚିଂ ଦେଇ,ତାକୁ ଲାଇନରେ ଛାଡିବାର ଅଛି |ଟୁନୁ ନିରାଶ ହୋଇ ଫେରିଆସି,ଶେଷରେ ତାର ଜମିଟିକୁ ବିକ୍ରୀ କରିଦେଲା |ଜମି ବିକ୍ରୀ ଟଂକା ହାତରେ ଧରି ସେ ସେଦିନ ବହୁତ କାଂଦିଥିଲା |କିନ୍ତୁ ନୀନା ତାକୁ ବୁଝାଇ କହିଥିଲା,ପୁଅ ଯଦି ମଣିଷ ନହେବ,ଜମି,ଘରବାଡି ଥାଇ ଲାଭ କଣ ?ମୁନା ଆମର ସମ୍ପତ୍ତି |ଭଗବାନ ଆମକୁ ଯୋଗ୍ୟ ପୁଅଟିଏ ଦେଇଛନ୍ତି,ସେତିକି ଆମପାଇଁ ଯଥେଷ୍ଟ |
                 ସମୟ ଗଡି ଚାଲିଲା | ମୁନାର ପାଠପଢା ଖର୍ଚ୍ଚ ତୁଲେଇବା ପାଇଁ, ଟୁନୁ ଧୀରେ ଧୀରେ ନିଜ ଖାଇବା ପରିମାଣ କମେଇ ଦେଲା |ପୂର୍ବରୁ ସେ ରାତିରେ ଚାରିପଟ ରୁଟି ଖାଉଥିଲା |ତାହା କମି କମି ତିନି,ଦୁଇ ହୋଇ  ଏକରେ ପହଂଚିଲା |ଶେଷରେ ସେ ଆଉ ଦିନରେ ନଖାଇ ରାତିରେ ଥରେ ମାତ୍ର ଖାଇଲା |ନୀନାର ଯେତେ ପ୍ରକାର ଅନୁରୋଧକୁ ସେ ଆଉ ଖାତିର ନକରି ତାକୁ ଆଖି ଦେଖେଇଲା |ଦିନେ ମୁନା ଖବର ଦେଲା,ସେ କ୍ୟାମ୍ପସ ରେ ସିଲେକ୍ସନ ହୋଇଯାଇଛି |ସେଦିନ ତାଂକ ପରିବାର ପାଇଁ ଅତ୍ୟନ୍ତ ଖୁସିର ଦିନ ଥିଲା  |ସେମାନଂକର ଏତେ ପରିଶ୍ରମ ସାର୍ଥକ ହୋଇଥିବାରୁ ଈଶ୍ବରଂକୁ କୋଟି କୋଟି କୃତଜ୍ଞତା ଜଣାଇ ପାଖ ମନ୍ଦିରରେ ଘିଅ ଦୀପ ଜାଳିଲେ |ଘରକୁ ଫେରି ସେଦିନ ନୀନା ଖୁସି ମନରେ ଯାହା ରାନ୍ଧିଲା,ତାକୁ ଟୁନୁ ସଂତୋଷରେ ପେଟ ଭରି ଖାଇଲା |ଅର୍ଦ୍ଧରାତ୍ରୀରେ ଟୁନୁର ଭୀଷଣ ପେଟବ୍ୟଥା ହେଲା |ଯାହା ଯେତେ ଉପଚାର କଲେବି ଆଦୌ ଉପଶମ ହେଲାନାହିଁ |ପଡୋଶୀଙ୍କ ସହାୟତାରେ ନୀନା  ତାକୁ ସ୍ଥାନୀୟ ଡାକ୍ତରଖାନା ନେଇଗଲା |ସେ ଭାବିଥିଲା ମାମୁଲି ପେଟବ୍ୟଥା ,ବଦହଜମୀ ହୋଇଛି ବୋଲି |କିନ୍ତୁ ଡାକ୍ତର ସବୁଦିନ ଗୋଟିଏ ଗୋଟିଏ ରୋଗର ନାମ କହିବାରୁ ତାର ହୋସ ଉଡିଗଲା |ନିରୁପାୟ ହୋଇ ସେ ଜିତୁକୁ ଖବର ଦେଲା |ଜିତୁ ଆସି ଦେଖେତ ଟୁନୁର ଅବସ୍ଥା ଗୁରୁତର | ଭଲ ଚିକିତ୍ସା ପାଇଁ ସେ ତାକୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କଲା |ସେଠାରେ ଜଣାପଡିଲା,ଦୀର୍ଘ ଦୁଇବର୍ଷ ଧରି ଟୁନୁ ଉପଯୁକ୍ତ ଖାଦ୍ୟ ନଖାଇବାରୁ ତାର ଶରୀରର ମୁଖ୍ୟ ଅଂଶଗୁଡିକ କାର୍ଯ୍ୟ କରିବା ବନ୍ଦ କରିଦେଇଛନ୍ତି |ସେତେବେଳେ ଜିତୁ ନୀନାକୁ ବହୁତ ଭର୍ତ୍ସନା କରି କହିଲା,ପଇସା ସଂଚିବା ପାଇଁ ସେ ଟୁନୁକୁ ଖାଇବାକୁ ନଦେଇ ମରଣ ମୁହଁକୁ ଠେଲି ଦେଇଛି | ଆଖିରୁ ଲୁହ ଢାଳିଵା ବ୍ୟତିତ ନୀନାର ଆଉ କିଛି ଉପାୟ  ନଥିଲା  |ଜିତୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରି ଟୁନୁକୁ ଆବଶ୍ୟକୀୟ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେଲା  | କିନ୍ତୁ ଦୁଇମାସ କାଳ ରୋଗ ସାଂଗେ ଲଢି ଲଢି ଶେଷରେ ହାରିଗଲା ଟୁନୁ ............|
                 ବନ୍ଧୁବାନ୍ଧବ ବିଦା ହୋଇଯିବାପରେ ଘର ଖାଲି ହୋଇଗଲା |ସେଦିନ ନୀନା  ଏକଲୟରେ ଟୁନୁର ବିରାଟ ଫଟ କୁ ଚାହିଁ ରହିଥିଲା |ହଠାତ୍ ତା  ହୃଦୟରେ ଚାପି ହୋଇ ରହିଥିବା  ଦୁଃଖ, ଧୈର୍ଯ୍ୟର ବାଡ ବନ୍ଧ ଡ଼େଇଁ,ଦୀର୍ଘଦିନ ଧରି ଶୁଖି  ଯାଇଥିବା  ଆଖିଦେଇ   ଅନବରତ ଝରିବାକୁ ଲାଗିଲା |ଏତେଦିନ ପରେ ସେ ଅନୁଭବ କରୁଥିଲା,ତା ପାଖରେ ଆଉ ତା ପିଲାଦିନର ସାଥୀ ଟୁନୁ ନାହିଁ,ସେ ବିଧବା ହୋଇ ଯାଇଛି !!ଜୀବନରେ ଏତେ କଷ୍ଟକରି ,ସୁଖଭୋଗ କରିବା ସମୟ ଆସିବାବେଳକୁ ସେ ଆଉ ଜୀବିତ ରହିଲେ ନାହିଁ |ନୀନାକୁ ଏପରି କାନ୍ଦୁ ଥିବାର ଦେଖି,ସୀମା ଆସି ତାକୁ ଅନେକ ଆଶ୍ବାସନା ଦେଇ କହିଲା,କାନ୍ଦୁଛୁ କାହିଁକି ?ଟୁନୁ ଏତେ ଭଲ ବୋଲି,ତାଂକର ସବୁକାମ ଭଲରେ ହୋଇଗଲା ,କାହାରି କିଛି ଅଭିଯୋଗ ନାହିଁ,ସମସ୍ତେ ଖୁସିରେ ଆଶୀର୍ବାଦ ଦେଇକରି  ଗଲେ |ବହୁକଷ୍ଟରେ ନିଜ କୋହ ସମ୍ବରଣ କରି ନୀନା କହିଲା,ଅପା,ଏତିକି ସାହାଯ୍ୟ ଆମକୁ ଦୁଇବର୍ଷ ଆଗରୁ ମିଳିଥିଲେ,  ଆଜି ମୋ ମଥାରେ ସିନ୍ଦୂର ଥାଆନ୍ତା !!!
By-Mamata Mohanty.06-12-2018
 ବି:ଦ୍ର:-କାହାଣୀ ଓ ଚରିତ୍ର ସମ୍ପୂର୍ଣ୍ଣ କାଲ୍ପନିକ |ଏହାକୁ ସତ ମନେ ନ କରିବାକୁ ପାଠକ/ପାଠିକା ମାନଂକୁ ମୋର ବିନମ୍ର ନିବେଦନ |               

No comments:

Post a Comment