Monday, December 30, 2019

ନିଶୀଥ ଜ୍ୟୋତ୍ସ୍ନା [୧୧]

                      ପରଦିନ ଭୋର ପାଂଚ ଟା ପୂର୍ବରୁ ବନହଂସୀର ନିଦ ଭାଂଗିଗଲା |ସେ ଆଖିଖୋଲି ଚାହିଁଲା |ତା ଉପରେ ଗୋଡ଼ ଲଦି ଅନୁପମ ନିଶ୍ଚିନ୍ତରେ ଶୋଇ ଯାଇଥିଲା |ସେ ଅତି ଧୀରେ ନିଜକୁ ମୁକୁଳାଇ ଈଶ୍ବରଂକ ଉଦ୍ଦେଶ୍ୟରେ ପ୍ରଣାମ କରି ଉଠିପଡିଲା |ବେଡରୁମର କବାଟ ଆଉଜାଇ ଦେଇ ସେ ମୂଳିକୁ ଉଠାଇ ନିଜେ ଗାଧୋଇବାକୁ ଚାଲିଗଲା ଓ କେଶ ମୁକୁଳାକରି ସାୱାର ତଳେ  ଆଖି ବନ୍ଦକରି ଛିଡା ହୋଇଗଲା |କେତେ ସମୟପରେ ଅନୁପମର କଣ୍ଠସ୍ବର ଶୁଣି ସେ ଚମକି ପଡି ଆଖି ଖୋଲିଲା |ଅନୁପମ କହୁଥିଲା,ବୁନୁ,କେତେ ଗାଧୋଉଛ ?ଜ୍ବର ହେଲେ ତମ କଥା ବୁଝିବ କିଏ ?ବନହଂସୀ ସଂଗେ ସଂଗେ ଘୁଂଚିଯାଇ,ସାୱାର ବନ୍ଦ କରିଦେଲା |
                ବାଥରୁମରୁ ଫେରିବାପରେ ଦେଖିଲା,ଅନୁପମ ଚିନ୍ତିତ ମୁଦ୍ରାରେ ଚେୟାରରେ ବସିଛି |ବୁନୁକୁ ଦେଖି କହିଲା,ବୁନୁ,ଚା' ଦେଲ |ମୋର ଡେରି ହେଲାଣି |ବନହଂସୀ ଅନୁପମକୁ ଚା' ଦେଇ ରୋଷେଇଘରକୁ ଗଲା ଓ ଅନୁପମ ପାଇଁ ଜଳଖିଆ ପ୍ରସ୍ତୁତ କଲା |ଅନୁପମ ଖୁବ ଶୀଘ୍ର ତାର ନିତ୍ୟକର୍ମ ଶେଷକରି ଆସି ଦେଖିଲା,ଡାଇନିଂ ଟେବଲରେ ପରଟା ଓ ଭଜା ରଖା ହୋଇଛି |ସେ ବିରକ୍ତ ହୋଇ କହିଲା,ୟେ କଣ ?ତମେ କଣ ଜାଣନା,ମୁଁ ଏତେ ଶୀଘ୍ର କିଛି ଖାଏନା ବୋଲି ?ନିଅ ୟାକୁ ନେଇଯା |ବନହଂସୀ କହିଲା,ଗାଧୋଇ ସାରି କିଛି ନଖାଇଲେ,ପେଟ ଗରମ ହୋଇଯିବ ,ଖଣ୍ଡେ ହେଲେ,ପରଟା ଖାଅ |ଅନୁପମ ବିରକ୍ତ ହୋଇ କହିଲା,ଶୀଘ୍ର ୟାକୁ ନେଇଯାଅ ,ନହେଲେ ଫୋପାଡି ଦେବି |ବନହଂସୀ ଦୁଇହାତରେ ଯଥାକ୍ରମେ ଜଳଖିଆ ପ୍ଲେଟ ଓ ପାଣି ଗ୍ଲାସ ଆଣୁଥିବାବେଳେ,ଅନୁପମ ତା ହାତରୁ ଗ୍ଲାସ ନେଇ ପାଣି ପିଇଦେଲା ଓ ଖାଲି ଗ୍ଲାସ ବନହଂସୀ ହାତକୁ ବଢାଇଦେଇ ସିଗାରେଟରେ ଅଗ୍ନି ସଂଯୋଗ କଲା |ବନହଂସୀ ରୋଷେଇଘରେ ଜଳଖିଆ ପ୍ଲେଟ ରଖିଦେଇ ଘୋଡାଇ ଦେଲା |ଦୁଃଖରେ ତାର କଣ୍ଠ ରୁଦ୍ଧ ହୋଇଯାଉଥିଲା |
              ଅନୁପମ ତା ପାଖକୁ ଆସି କହିଲା,କଣ କରୁଛ ?ଯିବା ଆସିବାବେଳେ ଏମିତି ଫଣ ଫଣ ହେଲେ ଭଲ ଲାଗେନା |ତମେ ଜାଣିଛ,ମୋ ଯିବାଟା କେତେ ଜରୁରୀ |ଏପର୍ଯ୍ୟନ୍ତ ମୋ ବ୍ରିଫକେଶ ସଜଡା ହେଲାନି |ବନହଂସୀ ନିଜ କୋହକୁ ଚାପି,ସଂଗେ ସଂଗେ ଯାଇ ତା ହିସାବରେ ଅନୁପମର ସମସ୍ତ ଦରକାରୀ ଜିନିଷ ସଜାଡି ରଖିଦେଲା |ଅନୁପମ ଆସି ସେଠାରେ ପହଂଚିଲା |କହିଲା,ମୁଁ ଜାଣେ ତମ ଦ୍ବାରା କିଛି ହୋଇପାରିବନି |ସେ ବ୍ରିଫକେଶ ଖାଲିକରି ସେଥିରେ ଦୁଇହଳ ପ୍ୟାଣ୍ଟସାର୍ଟ ,ଟ୍ରାଉଜର ,ପଂଜାବୀ,ଟାୱେଲ ,ବ୍ରଶ,ଟୁଥପେଷ୍ଟ ଓ ଶେଷରେ ଦୁଇ ପ୍ୟାକେଟ ସିଗାରେଟ ଅତି ସୁନ୍ଦର କରି ସଜାଡି ରଖିଲା |କହିଲା,ବୁନୁ ଯାଉଛି,ଚାରି ପାଂଚଦିନ ଭିତରେ ଫେରି ଆସିବି |ଟେକ୍ କେଆର |ପାଖରେ  ମୂଳି ଛିଡା ହୋଇଥିଲା |ତାକୁ ଦେଖି ଅନୁପମ ବିରକ୍ତ ହୋଇ କହିଲା,କଣ ଦେଖୁଛୁ ?କିଛି କାମ ନାହିଁ ??ମୂଳି ସେଠାରୁ ଚାଲିଗଲା |ସେ ଯିବାପରେ ଅନୁପମ ବନହଂସୀକୁ ନିଜ ନିବିଡ଼ ବାହୁବନ୍ଧନରେ ଆବଦ୍ଧ କରି ତା ଅଧରରେ ନିଜ ଉଷ୍ମ ଅଧର ମିଶାଇ ଦେଲା |କହିଲା,ଯାଉଛି,ବାଏ |
              ସେ ଯିବାପରେ କବାଟ ବନ୍ଦକଲା ବନହଂସୀ |ତାପରେ ବିଛଣାରେ ଶୋଇ ଆଖିରୁ ଅନର୍ଗଳ ଲୁହଧାର ଝରାଇ ଦେଲା |
              ସେଦିନ ରାତି ଆଠଟା ସୁଦ୍ଧା ପର୍ଶୁରାମ ଆସି ପହଂଚିଗଲା |ତାକୁ ଦେଖି ବନହଂସୀକୁ କେମିତି କେମିତି ଲାଗିଲା |ତାର ମୁଖମଣ୍ଡଳ ଆବଶ୍ୟକତାଠାରୁ ଅଧିକ ନିରୀହ ଥିଲା |ତାର ମନେପଡିଲା,ମା କହୁଥିଲେ,ଏମିତିକା ଲୋକଂକ କ୍ରିମିନାଲ ବ୍ୟାକଗ୍ରାଉଣ୍ଡ ବେଶୀ ଥାଏ |ସେ ଭାବିଲା,ଛାଡ଼,ଯାହା ହେବାର ଥିବ,ଦେଖାଯିବ |
                ସେ ଦୁଇଜଣଂକୁ ଖାଇବାକୁ ଦେଇ,ସବୁ ଘରର କବାଟ ଓ ଝରକା ଭଲରୂପେ ବନ୍ଦକଲା ଓ ଆବଶ୍ୟକ ସ୍ଥଳେ ତାଲା ପକାଇଲା |ସେମାନେ ଶୋଇବା ପୂର୍ବରୁ ହିଁ ସେ ନିଜ ରୁମକୁ ଯାଇ ଭିତରୁ ଲକ କରି ଶୋଇପଡିଲା |ଆଖି ବନ୍ଦ କରିବାମାତ୍ରକେ ଆଜେ ବାଜେ ଅନେକ ଭାବନା ତା ଚତୁଃପାର୍ଶ୍ବରେ ଘୁରି ବୁଲିଲେ |ରୁବି ମାଡାମଂକ କଥା ତାର ମନେପଡିଲା |ସେ ମନେ ମନେ ସ୍ଥିର କଲା,କାଲି ତାଂକଠାରୁ ବହି ଖଣ୍ଡିଏ ମାଗି ଆଣିବ |ଏଇପରି ଭାବୁ ଭାବୁ ଅନେକ ରାତିରେ ତା ଆଖିକୁ ନିଦ ଆସିଲା |
                 ଅର୍ଦ୍ଧରାତ୍ରିରେ ଝଣ କରି କଣ ଗୋଟିଏ ଭାଂଗିବା ଶବ୍ଦରେ ତା ନିଦ ଭାଂଗିଗଲା |ସେ ଆଖିଖୋଲି ଚାହିଁ ଦେଖିଲା,ଚତୁର୍ଦ୍ଦିଗ ଅନ୍ଧକାର |ପାୱାର କଟ ହୋଇଛି ଭାବି  କଡ଼ ଲେଉଟାଇ ଶୋଇବା ସମୟରେ ସେ କାହାର ଅସ୍ପଷ୍ଟ କଥାବାର୍ତ୍ତା ଶୁଣିପାରିଲା | ଧୀରେ ଉଠି କବାଟରେ କାନଦେଇ ସେମାନଂକ କଥା ଶୁଣିବାକୁ ଚେଷ୍ଟା କଲା |କିନ୍ତୁ ସ୍ପଷ୍ଟଭାବେ ସେ କିଛି ଶୁଣି ପାରିଲା ନାହିଁ |ତାର ହୃତସ୍ପନ୍ଦନ ବଢ଼ିଗଲା |ନୀରବରେ ସେ ଇଶ୍ବରଂକୁ ପ୍ରାର୍ଥନା କଲା |କିଛି ସମୟପରେ କବାଟ ଖୋଲା ହେବାର ଶବ୍ଦ ଶୁଭାଗଲା ,ତାପରେ ସବୁ ଯେମିତି ଚୁପଚାପ |ରାତି ପାହିବା ପର୍ଯ୍ୟନ୍ତ ତା ଆଖିରେ ନିଦ ନଥିଲା |(କ୍ରମଶଃ }

Saturday, December 28, 2019

ନିଶୀଥ ଜ୍ୟୋତ୍ସ୍ନା (୧୦)

                          ମୂଳି ଭଂଗା ପ୍ଲେଟ ଉଠାଇ ଘର ସଫା କରୁଥିଲା |ସେ ତା ସହିତ ମିଶି ଘର ସଫା କଲା |  ମୂଳି ଆଗରେ ସେ ନିଜକୁ ଅତି ଛୋଟ ମନେକରୁଥିଲା |
              ଢୋକେ ପାଣି ପିଇ କାନ୍ଦି କାନ୍ଦି ସେ ବିଛଣାରେ ନିଜ ଅବଶ ଶରୀରକୁ ଲୋଟାଇ ଦେଲା  | ତାକୁ ଛାଇନିଦ  ଘାରି ଆସୁଥିଲା  |ହଠାତ କାହାର କରସ୍ପର୍ଶରେ ତା ନିଦ ଭାଂଗିଗଲା |ସେ ଉଠି ଦେଖିଲା,ଅନୁପମ ପାଖରେ ଛିଡାହୋଇ ହସୁଛି |ତାକୁ ଦେଖି ବନହଂସୀ ଆଖିରୁ ଅନର୍ଗଳ ଲୁହଧାର ଝରିଗଲା |ଅନୁପମ ତା ଆଖିରୁ ଲୁହ ପୋଛି କହିଲା,ପ୍ଲିଜ୍ କାନ୍ଦନା |ପୁଣି ତା ମୁହଁକୁ ଦୁଇହାତରେ ଟେକି କହିଲା,ଆଉ ଜମା ଟୋପାଏ ବି ଲୁହ ଆଖିରୁ ଝରିବନି, ତାହେଲେ ମୁଁ ପୁଣି ଚାଲିଯିବି |ବନହଂସୀ ବହୁ କଷ୍ଟରେ ନିଜ ଲୁହକୁ ରୋକିନେଇ ସେଠାରୁ ଚାଲିଯାଉଥିଲା |ତାକୁ ଜୋର କରି ଆଣି ନିଜ ପାଖରେ ବସାଇ ଅନୁପମ କହିଲା,ଶୁଣ,ଶୀଘ୍ର ରେଡି ହୁଅ ,କାମ ଅଛି,ବାହାରକୁ ଯିବା |ମୁଁ କୋଡିଏ ମିନିଟ ସମୟ ଦେଲି,ଅରାଜିର ପ୍ରଶ୍ନ ନାହିଁ |ମୁଁ ସାଂଗେ ସାଂଗେ ଆସୁଛି,ଆସିଲା ବେଳକୁ ତମେ ରେଡି ହୋଇନଥିଲେ,ମୁଁ ପୁଣି ଅନର୍ଥ ସୃଷ୍ଟି କରିବି |
               ସଂଗେ ସଂଗେ ଅନୁପମ ଚାଲିଗଲା |ବନହଂସୀ ଆଖିରୁ ପୁଣି ଲୁହଧାର ଛୁଟିବାକୁ ଲାଗିଲା |ସେ ଆଉ ଅନୁପମକୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନଥିଲା |ଖୁବ୍ ଶୀଘ୍ର ଗୋଡ,ହାତ,ମୁହଁ ଧୋଇ ନେଇ ସେ ଠାକୁରଂକ ପାଖରେ ସନ୍ଧ୍ୟାବତୀ ଦେଲା |ପରେ ସାମାନ୍ୟ ମେକଅପ ନେଇ ଏକ ରକ୍ତବର୍ଣ୍ଣର ସିଫନ ଶାଢୀ ପିନ୍ଧିଲା ଓ ଶେଷରେ ଏକ ସିନ୍ଦୂର ଟୋପା ଲଗାଇବା ବେଳକୁ ଅନୁପମ ଆସି ତା ହାତକୁ ଟାଣିଦେଲା |ତା ହାତରୁ ସିନ୍ଦୂର ଫରୁଆ ଖସିପଡି ଘରସାରା ବିଛାଡି ହୋଇ ପଡିଲା |ସେ କିଛି କହିବା ପୂର୍ବରୁ ଅନୁପମ ଚଢା ଗଳାରେ କହିଲା,ଏସବୁ କଣ ଯାତ୍ରା ଆରମ୍ଭ କଲଣି ?ଶୀଘ୍ର ସେ ଶାଢୀ ଚେଂଜ କର |ସେ ସୁଟକେଶ ଖୋଲି,ନିଜେ ବନହଂସୀକୁ ଉପହାର ଦେଇଥିବା କଳାରଂଗର ସାଲୁଆର କମିଜ କାଢି ବନହଂସୀକୁ ଦେଇ କହିଲା,ୟାକୁ ପିନ୍ଧ |ଆଉ ସେ ସିନ୍ଦୂର ଲଗାଇବନି |ମତେ ସେସବୁ ଭଲ ଲାଗେନା |ବନହଂସୀ ନିଜର କୋହ ସମ୍ବରଣ କରି ଅନୁପମର ଆଦେଶ ପାଳନ କଲା |ରୁମ୍ ବାହାରକୁ ଆସିବାପରେ ତାକୁ ଲକ୍ଷ୍ୟକରି ଚାପା ହସିଲା ଅନୁପମ |ମୂଳିକୁ କହିଲା,ଆମେ ଆସୁଛୁ |ଘର ଛାଡି କୁଆଡେ ଯିବୁନି |ମୋ ପାଟି ନଶୁଣିଲେ,କବାଟ ଖୋଲିବୁନି |ବୁଝିଲୁ ?ମୁଣ୍ଡ ହଲାଇଲା ମୂଳି |
                 ଅନୁପମ ବାଇକ ଛୁଟାଇ ନୂଆକରି ଖୋଲିଥିବା ଏକ ଥ୍ରୀ ଷ୍ଟାର ହୋଟେଲ ସମ୍ମୁଖରେ ରହିଲା |ବନହଂସୀ ଅନୁପମକୁ ଲକ୍ଷ୍ୟ କରୁଥିଲା |ସେ ଅତି ସୁନ୍ଦର ପଦକ୍ଷେପ ପକାଇ ଅଗ୍ରସର ହେଉଥିଲା |ଏଇ ସମୟରେ ସେ ଅନେକ ନମସ୍କାର ଓ ଅଭିନନ୍ଦନର ପ୍ରତ୍ୟୁତ୍ତର ଦେଉଥାଏ |ସେ ବନହଂସୀକୁ ନେଇ ଏକ ଛୋଟ କ୍ୟାବିନରେ ପ୍ରବେଶ କଲା ଓ ମେନୁ ଦେଖି ନିଜ ପସନ୍ଦର ଖାଦ୍ୟ ବରାଦ କଲା |ସକାଳୁ ଭୋକିଲା ପେଟରେ ରହିଥିବା ବନହଂସୀର ଭୋକ ମରିଯାଇଥିଲା |କିନ୍ତୁ ଅନୁପମ ଭୟରେ ସେ ବିନା ପ୍ରତିବାଦରେ ସେସବୁ ଉଦରସ୍ଥ କଲା |ଅନୁପମ ପୁଣି ଖାଦ୍ୟ ପାଇଁ ଅର୍ଡର ଦେବା ବେଳକୁ ସେ ମିନତିଭରା କଣ୍ଠରେ କହିଲା,ମୁଁ ଆଉ ଖାଇ ପାରିବିନି |ଅନୁପମ ଦୁଷ୍ଟାମୀ  ହସ ଫିଂଗିଦେଇ କହିଲା,ଖାଇବା ଏଇମାତ୍ର ଆରମ୍ଭ ହୋଇଛି,ଆଉ ତମେ କହୁଛ,ଖାଇ ପାରିବିନି ?ତମକୁ ଖାଇବାକୁ ହିଁ ପଡିବ |
              ନିଶ୍ବାସ ବନ୍ଦକରି ସେ ଅନୁପମର ଆଦେଶ ପାଳନ କଲା |ତାପରେ ପାଣିଗ୍ଲାସେ ପିଇଦେଇ ଚେୟାରକୁ ଆଉଜି ବସିଲା |ଅନୁପମ ଅଳ୍ପହସି ଆଇସକ୍ରିମ ପାଇଁ ଅର୍ଡର ଦେଲା |ବନହଂସୀ ଅନୁପମକୁ ସ୍ଥିର ଦୃଷ୍ଟିରେ ଚାହିଁଲା;ପ୍ରତିବାଦର ସ୍ବର ତାଠାରେ ମିଳାଇ ଯାଇଥିଲା |
             ସେଠାରୁ ଫେରିବାପରେ ଅନୁପମ ବନହଂସୀକୁ ନିକଟସ୍ଥ ସିନେମା ହଲ କୁ ଆଣିଲା |ବନହଂସୀ କହିଲା,ନଅଟା ବାଜିଲାଣି,ମୂଳି ତେଣେ ବ୍ୟସ୍ତ ହେଉଥିବ |ଅନୁପମ ବେପରୁୱା କଣ୍ଠରେ କହିଲା,ଲେଟ ହିମ ୱେଟ୍ |କୋଉ ଆକାଶ ଛିଣ୍ଡି ପଡୁଛି !!
            ଘରକୁ ଫେରିବାବେଳକୁ ରାତି ବାରଟା |କଲିଂ ବେଲରେ ଚାପ ଦେଇ ମୂଳିକୁ ଜୋରରେ ଡାକିଲା ଅନୁପମ |କିଛି ସମୟପରେ ମୂଳି କବାଟ ଖୋଲିଦେଇ ଟିକିଏ ଦୂରରେ ଛିଡା ହୋଇ ଆଖିରୁ ଲୁହ ପୋଛିଲା |ଅନୁପମ ବିରକ୍ତ ହୋଇ କହିଲା,ଘରେ କବାଟ ଦେଇ ତତେ ଏମିତି ଡର ଲାଗୁଥିଲା ?ତାକୁ ଜଗିବାକୁ ତତେ ଆଣିଲି |ଏବେ ତତେ ଜଗିବାକୁ କଣ ଗାଁ ଲୋକଂକୁ ଡାକିବି ?ଆହୁରି ବିରକ୍ତ ହୋଇ ଅନୁପମ କେତେ କଣ ଗଡବଡ ହେଲା |ଭିତରକୁ ଆସି ଘରର ଘରର ଝରକା ସବୁ ଖୋଲିଦେଇ ନିଜ ଡ୍ରେସ ଚେଂଜ କଲା |ମୂଳିକୁ ଡାକି ପଚାରିଲା,ତୁ ଖାଇଛୁ ?ସେ ମୁଣ୍ଡ ହଲାଇବା ଦେଖି ରାଗିଯାଇ କହିଲା,ମୁଣ୍ଡ ହଲାଉଛୁ କଣ ?ପାଟିରେ ଚାବି ପଡିଛି ?ପରିଷ୍କାର କରି କହ,ହଁ କି ନାଁ |
            ମୂଳି କ୍ଷୀଣ ସ୍ବରରେ ଉତ୍ତର ଦେଲା,ନାଁ |
            ଅନୁପମ କହିଲା,କାହିଁକି ଖାଇଲୁନି ?ତତେ ତ ରୋଷେଇ ଆସେ ,ଘରେ ସବୁ ଜିନିଷ ଅଛି |ଆଛା,ଠିକ ଅଛି |ସେ ହୋଟେଲରୁ ମୂଳିପାଇଁ ଆଣିଥିବା ରୁଟି ତରକାରୀ ମୂଳିକୁ ଦେଇ କହିଲା,ୟାକୁ ଖାଇ ଶୋଇପଡିବୁ |ମୂଳି ସେଠାରୁ ଚାଲିଗଲା |
            ବନହଂସୀ ମନରୁ ସମସ୍ତ ବିଷାଦ ଦୂର ହୋଇଯାଇଥିଲା |ସେ ବାଥରୁମରୁ ଫେରି ନିଜ ପୋଷାକ ବଦଳାଇଲା |ସେ ସମୟରେ ଅନୁପମ ସିଗାରେଟ ଟାଣି ନିବିଷ୍ଟ ମନରେ କଣ ଚିନ୍ତା କରୁଥିଲା |ବନହଂସୀ ନିଜର ଦୁଇହାତ ଅନୁପମ ଗଳାରେ ଛନ୍ଦି କହିଲା,କଣ ଚିନ୍ତା କରୁଛ ?ଅନୁପମ ବନହଂସୀକୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲା,ବୁନୁ,ମୁଁ କାଲି ସକାଳେ କୋରାପୁଟ ଯିବି |ଫେରିବି ଚାରିଦିନ ପରେ |ବନହଂସୀର ହୃଦୟରେ ହଠାତ୍ ବଜ୍ରପାତ ହେଲା ଯେପରି |ତାର ବାହୁବନ୍ଧନ ଶିଥିଳ ହୋଇଗଲା |
               ଅନୁପମ କହିଲା,ପାର୍ଟିକାମ |ଚାରିଦିନ ଚାହୁଁ ଚାହୁଁ ବିତିଯିବ |ଟିକିଏ ଆଲର୍ଟ ହୋଇ ରହିବ |ଆମ ପାର୍ଟି ଅଫିସ ପିଅନ ପର୍ଶୁରାମକୁ କହିଛି,ସେ ଆସି ରାତିରେ ଶୋଇବ |ଶୋଇବା ପୂର୍ବରୁ ସବୁ ରୁମରେ ତାଲା ପକାଇବ |ବେଡରୁମ ଖୋଲା ରଖିବନି,ଭିତରୁ ଭଲ କରି ବନ୍ଦକରି ଶୋଇବ |ଯାହା କିଛି ଜିନିଷ ଦରକାର ହେବ,ପର୍ଶୁରାମ ହାତରେ ମଗାଇବ |କିନ୍ତୁ ସେ ରୁବି ମାଡାମଂକ ଘରକୁ ଆଦୌ ଯିବନି |ଆଇ ଡୋଣ୍ଟ ଲାଇକ ହର |ବନହଂସୀ ମୌନ ହୋଇ ସବୁ ଶୁଣି ଯାଉଥିଲା |ଅନୁପମ କହିଲା,ଚୁପ ହୋଇ ବସିଲ କଣ ?ଯାଇ ଦେଖ,ମୂଳି ଖାଇଲା କି ନାହିଁ |ନିଦ ଲାଗିଲାଣି,ସକାଳୁ ଶୀଘ୍ର ଉଠିବାକୁ ପଡିବ |
               ବନହଂସୀର ହୃଦୟ ପୁଣି ଏକ ରୁଦ୍ଧ ଶୋକରେ ପୂର୍ଣ୍ଣ ହୋଇଗଲା |ପ୍ରବଳ ଆବେଗ ନେଇ ଝରିଯାଉଥିବା ସଂଗୀତର ମୂର୍ଛନା ହଠାତ୍ ବନ୍ଦ ହୋଇଗଲା ଯେପରି |ସେ ଉଠି ଦେଖିଲା,ମୂଳି ଖାଇସାରି ପାଣି ପିଉଛି |ସେ ଶୋଇବାକୁ ଯିବାପରେ ବନହଂସୀ ଲାଇଟ ଅଫ କରି ଚାଲି ଆସିଲା |ରାତିରେ ଅନୁପମ ତାକୁ ଅନେକ ମିଠା କଥା କହି ଆଦର କଲା |ସେ ଶୋଇସାରିବା ପରେ ବନହଂସୀ ଉଠି ଅନୁପମର ନିଦ୍ରିତ ମୁହଁକୁ ଝୁଂକିପଡି ଦେଖିଲା,କେତେ ସୁନ୍ଦର ଏଇ ଅନୁପମ, ଅଥଚ ......|ଆଖିରୁ ତାର ଉଷ୍ମ ଲୁହଧାରା ଅବିରତ ଝରି ଆସିଲା |ସେ ମୁହଁ ବୁଲାଇ ଶୋଇବାକୁ ଚେଷ୍ଟା କଲା |(କ୍ରମଶଃ )

Friday, December 27, 2019

ନିଶୀଥ ଜ୍ୟୋତ୍ସ୍ନା (୯)

                         ଘଣ୍ଟା କଣ୍ଟା ଦୁଇ ଅତିକ୍ରମ କରିବା ପରେ ବନହଂସୀ ଜାଣିପାରିଲା,ଅନୁପମର ଫେରିବାରେ ଡେରି ହୋଇପାରେ |ମୂଳି ଅନେକବେଳୁ ଖାଇ ସାରିଥିଲା |ଏ ପ୍ରକାର ନିରୋଳା ଜୀବନ ତା ପାଇଁ ଏକାନ୍ତ ଦୁର୍ବିସହ |ତାର ମନେ ପଡିଲା,ସୁରେଶ ବାବୁ କହୁଥିଲେ,ପଛପଟେ ରୁବିଅପା ନାମ୍ନୀ ଜଣେ ସ୍ନେହୀ ଭଦ୍ରମହିଳା ରହୁଛନ୍ତି |ସେ ମୂଳିକୁ ଘର ଜଗାଇ,ବାରିପଟ କବାଟ ଖୋଲି ରୁବିଅପାଂକ କବାଟରେ କରାଘାତ କଲା |ଅଳ୍ପ ସମୟପରେ କବାଟ ଖୋଲିଗଲା |ବନହଂସୀ ଦେଖିଲା,ଚାରି ପାଂଚ ବର୍ଷର ଚୁଲୁବୁଲି ଝିଅଟିଏ ଓ ତା ପଛରେ ଜଣେ ଅତି ସୁନ୍ଦରୀ ଶୁଭ୍ରବର୍ଣ୍ଣା ତରୁଣୀ ଛିଡା ହୋଇଛନ୍ତି |ସେ ହସି ହସି କହିଲେ,ବାରିପଟେ କାହିଁକି ଆସିଲେ ?ସେପଟେ ବଡ଼ ଅସନା |ବନହଂସୀ କହିଲା,ଜାଣିଛି,ହେଲେ,ଏଇପଟେ ପାଖ ହେବବୋଲି ଚାଲିଆସିଲି |ମୁଁ ଆପଣଙ୍କ ବିଷୟରେ ଜାଣିନଥିଲି,କିଛିଦିନ ତଳେ ସୁରେଶ ବାବୁ ଆପଣଙ୍କ ବିଷୟରେ କହୁଥିଲେ,ଆଜି ସେଇକଥା ମନେପଡିଲା,ତେଣୁ ଚାଲିଆସିଲି |ସୁରେଶ ନାମ ଶୁଣିବା ମାତ୍ରେ ରୁବିଅପାଂକ ସତେଜ ମୁହଁଟି ହଠାତ୍ ମଉଳି ଗଲା |ତାଂକର ଏହି କ୍ଷଣିକ ଭାବାନ୍ତର ବନହଂସୀ ନଜରରୁ ବାଦ ଗଲାନାହିଁ |
                     କଥାବାର୍ତ୍ତା ଛଳରେ ସେ ଜାଣିଲା,ଭଦ୍ରମହିଳା ସ୍ଥାନୀୟ କନଭେଣ୍ଟ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି |ତାଂକର ଏକମାତ୍ର କନ୍ୟାସନ୍ତାନ,ଯାହାର ଡାକନାମ 'ଗୁଡି' |ସ୍ବାମୀ ଇଲେକ୍ଟ୍ରିକାଲ ଇଂଜିନିଅର |ସମ୍ପ୍ରତି ତାଂକର ପୋଷ୍ଟିଂ ସମ୍ବଲପୁରରେ |ବାହାର ପଟକୁ ଥିବା ଛୋଟିଆ କୋଠରୀରେ ସ୍କୁଲର ମାଳୀ ଦମ୍ପତ୍ତି ରହନ୍ତି |ସୁବିଧା ଅସୁବିଧା ସମୟରେ ସେ ସେମାନଂକ ଉପରେ ନିର୍ଭର କରିଥାନ୍ତି |
                ବନହଂସୀ ଲକ୍ଷ୍ୟ କଲା,କୋଠରୀଗୁଡିକ ବେଶ ପରିଷ୍କାର ପରିଛନ୍ନ |ଯେଉଁଠି ଯାହା ରହିବା କଥା,ସବୁ ଠିକ ସ୍ଥାନରେ ରହିଛି |ନିକଟସ୍ଥ ବୁକ ସେଲ୍ଫ ରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ବ ବହି ସଜ୍ଜିତ ହୋଇ ରହିଛି |ରୁବି ତାକୁ ଗୋଟିଏ ଇଂଗ୍ଲିଶ ପୁସ୍ତକ ଦେଇ କହିଲେ,ୟାକୁ ପଢୁଥାଅ,ମୁଁ ଆସୁଛି |ବନହଂସୀ ବହି ଉପରେ ଆଖି ବୁଲାଇ ଆଣିଲା,'Men are from Mars,Women are from Venus' .ଲେଖକ ,John Gray .ସେ କୌତୁହଳ ବଶତଃ ବହିର ପୃଷ୍ଠା ଓଲଟାଇବାରେ ଲାଗିଲା  ଓ ଗୋଟିଏ ସ୍ଥାନରେ ତାର ଦୃଷ୍ଟି ଅଟକି ଗଲା |ସେ ପଢିଲା,'I imagine that men are from Mars and Women are from Venus ...both the Martians & Venusians forgot that they are from different planets and were supposed to be different.....without the awareness that we were supposed to be different,men & women are at odds with each other .,ଏକା ନିଶ୍ବାସରେ ପଢି ଯାଉଥିବାବେଳେ ପଛପଟରେ କାହାର ସ୍ପର୍ଶ ପାଇ ବୁଲିଚାହିଁଲା |ଗୁଡି ହସୁଥିଲା |କହିଲା,ଆଣ୍ଟି,ଆସ ଆମ ଗାର୍ଡେନ ଦେଖିବ |ସେ ବହି ଟେବଲ ଉପରେ ରଖିଦେଇ ଗୁଡି ସାଂଗରେ ଗଲା |ଫୁଲବଗିଚା ର ସୌନ୍ଦର୍ଯ୍ୟ ଓ ସାଜସଜ୍ଜା ଦେଖି ସେ ବିଭୋର ହୋଇଗଲା |ବଗିଚାର ଉଭୟ ପାର୍ଶ୍ବରେ ସୁଦୃଶ୍ୟ ଫୁଲକୁଣ୍ଡ ଗୁଡିକରେ ବିଭିନ୍ନ କିସମର ଗଛ ଲାଗିଥିଲା |ଟିକିଏ ଭିତରକୁ ମନିପ୍ଲାଣ୍ଟ ଲତା ଅତି ସୁନ୍ଦର ଭାବେ ମୋଡିହୋଇ ମାଡିଥିଲା |ଏହା ଛଡା ରଜନୀଗନ୍ଧା,ହେନା,ଯୁଇ,ମନ୍ଦାର ଇତ୍ୟାଦି ଅନେକ ଜଣା ଅଜଣା ଫୁଲଗଛ ର ଅପୂର୍ବ ସମାରୋହ ଅବର୍ଣନୀୟ ଥିଲା |ସେ କିଛିକ୍ଷଣ ଅନ୍ୟମନସ୍କ ହୋଇଗଲା |ସେ ଭାବିଲା,ଏହି ସୁନ୍ଦର ଫୁଲପରି ରୁବିଅପା ମଧ୍ୟ ବହୁତ ସୁନ୍ଦର |ତାଂକର କଥାବାର୍ତ୍ତା,ଚାଲିଚଳଣ,ସବୁକିଛି ମନୋମୁଗ୍ଧକର |ତାର ଧ୍ୟାନଭଂଗ ହେଲା,ମୂଳି ଆସି ଖବର ଦେଲା,ଅନୁପମ ଆସିଯାଇଛି ଓ ତାକୁ ଖୋଜୁଛନ୍ତି |ସେ ତର ତର ହୋଇ ରୁବିଅପାଂକୁ କହି ମୂଳି ପଛେ ପଛେ ଚାଲିଆସିଲା |
                   ଘରେ ପହଂଚିବାମାତ୍ରେ ସେ ଅନୁପମର ବିରକ୍ତିଭରା ମୁଖମଣ୍ଡଳ ଲକ୍ଷ୍ୟ କଲା | ତାକୁ ନଜରଅନ୍ଦାଜ କରି ,ଆସ୍ତେ କରି ବାରିପଟ କବାଟରେ କିଲିଣିଦେଇ ସେ ଚାଲିଆସିଲା |ଅନୁପମ କହିଲା,ଶୀଘ୍ର ଖାଇବାକୁ ବାଢିଲ,ମତେ ଭୀଷଣ ଭୋକ ଲାଗୁଛି |ବନହଂସୀ ସଂଗେ ସଂଗେ ଖାଇବା ଗରମ କରି,ଡାଇନିଂ ଟେବଲରେ ବାଢିଦେଲା |ଏକ ସାଂଗରେ ଦୁଇଟା ପ୍ଲେଟ ଦେଖି ଅନୁପମ ପଚାରିଲା,ଦୁଇଜଣଂକ ପାଇଁ ବାଢିଛ କଣ ?ତମେ ଏ ଯାଏଁ ଖାଇନ ?
                ବନହଂସୀ ମୃଦୁ ହସି କହିଲା,ଏକୁଟିଆ ଖାଇବାକୁ ଇଚ୍ଛା ହେଲାନି |ତାର ଉତ୍ତରରେ ଅନୁପମର ମୁଣ୍ଡ ଉପରକୁ ରାଗ ଚଢିଗଲା |ସେ ହାତ ଛିଂଚାଡି ଟେବଲ ଉପରୁ ଭାତ ପ୍ଲେଟ ଫୋପାଡି ଦେଲା |ପ୍ଲେଟ  ଖଣ୍ଡ ଖଣ୍ଡ ହୋଇ ଭାଂଗି,ଘର ସାରା ବିଛାଡି ହୋଇ ପଡିଲା |ସେ କ୍ରୋଧ ଜର୍ଜରିତ ସ୍ବରରେ କହିଲା,ତମେ ଭାବିଛ କଣ ?ମୁଁ ସବୁବେଳେ ତମକୁ ଚାହିଁ ବସିଥିବି ?ସେ ମାଇଚିଆ କାମ ମୋ ଦ୍ବାରା ହେବନି |ୟା ତା ଘରେ ଗପିବାକୁ ସମୟ ଅଛି,ଖାଇବାକୁ ସମୟ ନାହିଁ ?ସଂଗେ ସଂଗେ ଦେହରେ ସାର୍ଟ ଗଳାଇ ସେ ବାଇକ ଷ୍ଟାର୍ଟ କରି ଚାଲିଗଲା |
                ବନହଂସୀ ବିଛଣାରେ ମୁହଁ ମାଡି ଭୋ ଭୋ ହୋଇ କାନ୍ଦି ଉଠିଲା |ଏତେଦିନ ଧରି ଯେଉଁ ସ୍ବର୍ଗସୁଖରେ ବୁଡି ରହି ନିଜକୁ ସୌଭାଗ୍ୟବତୀ ବୋଲି ମନେ କରୁଥିଲା,ତାହା ନିମିଷକରେ ଦୁଃଖନଈର ଅତଳ ଗର୍ଭରେ  ଯେମିତି ବୁଡିଗଲା !!!(କ୍ରମଶଃ )

Wednesday, December 25, 2019

ନିଶୀଥ ଜ୍ୟୋତ୍ସ୍ନା (୮)

                              ସେ ଯିବାପରେ ଅନୁପମ କିଛିକ୍ଷଣ ବନହଂସୀକୁ ଚାହିଁଲା,ତାପରେ ଆସି ବିଛଣାରେ ମୁହଁମାଡି ଶୋଇପଡିଲା |ବନହଂସୀ ଠାକୁରପୂଜା ଶେଷକରି ଆସି ଅନୁପମ ପାଖରେ ବସିଲା ଓ ତା ପିଠିରେ ହାତ ରଖି ଆଉଁସି ଦେଲା |ଅନୁପମ ବନହଂସୀକୁ କଣେଇ ଚାହିଁଲା |ତାପରେ ଚିତ୍ ହୋଇ ଶୋଇ କହିଲା,ମୋ ଉପରେ ରାଗିଛ ? ପୁଣି କହିଲା,ସୁରେଶ ଯାହା କହିଗଲା,ସେଥିପାଇଁ ମତେ ଘୃଣା କରୁଛ ??
             ବନହଂସୀ କହିଲା,ଅତୀତର ଘଟଣା ଏବେ ମୋ ପାଇଁ ମୃତ ,ଯାହାକୁ ମୁଁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଛି |ମୁଁ ଯେଉଁ ପଥକୁ ଆପଣାର କରି ନେଇଛି,ତାର ସୌନ୍ଦର୍ଯ୍ୟ ମତେ ଆତ୍ମହରା କରିଛି |ଭାବୁଛି,ମୋ ଜୀବନର ଏଇ ଦ୍ବିତୀୟ ପର୍ଯ୍ୟାୟରେ ମୁଁ ଅଧିକ ସୁଖୀ ହୋଇଛି |ତମେ ସୁରେଶ ବାବୁଂକୁ କହିଦେବ,ତୁମ ବିରୁଦ୍ଧରେ କିଛି କହି ସେ ମତେ ତୁମଠାରୁ କେବେବି ଅଲଗା  କରିପାରିବେ ନାହିଁ |
                ଅନୁପମର ଚକ୍ଷୁ ଦ୍ବୟ ଉଜ୍ଜଳ ହୋଇ ଉଠିଲା |ସେ ବନହଂସୀର ମୁହଁକୁ ନିଜ ମୁହଁରେ ଚାପି ଧରି କହିଲା,ବୁନୁ,ତମେ କେତେ ଭଲ...,ହେଲେ ମୁଁ ଜମା ଭଲ ନୁହେଁ... |ବହୁତ ଖରାପ |
                 ଦଶଟା ବେଳକୁ ଜଳଖିଆ ଖାଇ ସେ ପାର୍ଟି ଅଫିସ ଉଦ୍ଦେଶ୍ୟରେ ବାହାରିଲା |ସେ ଭାବିଥିଲା,ଏ ବିଷୟ ଆନନ୍ଦ ବାବୁଂକ କାନକୁ ନେବ |କିନ୍ତୁ ଠିକ ଗେଟ ପାଖରେ ହିଁ ପୂର୍ବରୁ ଅପେକ୍ଷା କରି ରହିଥିବା ସୁରେଶ ତାକୁ କୁଣ୍ଢେଇ ପକାଇ କହିଲା,ଆଇ ଆମ ଭେରି ସରି ଅନୁ,ରିଅଲି ଭେରି ସରି |ଆଇ ବେଗ୍ ୟୋର ପାର୍ଡନ |ଆସି ସକାଳେ ଯାହା କଲି,ସେଥିପାଇଁ ମୁଁ ଖୁବ୍ ଅନୁତପ୍ତ |ଆଉଦିନେ ଏମିତି ଭୁଲ ହେବନି |ଆଇ ପ୍ରମିଜ |ମତେ କ୍ଷମା କରିବୁନି ଅନୁ ?ଦୁଃଖପୂର୍ଣ୍ଣ ନୟନ ଓ କାତର କଣ୍ଠରେ ସୁରେଶ ପଚାରୁଥିଲା |
              ତା କଥା ଶୁଣି, ଅନୁପମର କ୍ରୋଧ ଖଣ୍ଡ ଖଣ୍ଡ ବରଫ ପରି ତରଳିବାକୁ ଲାଗିଲା |ସେ ଜାଣି ପାରିଲାନି,ସୁରେଶର  ଅନ୍ତର ଭିତରେ କିପରି ପ୍ରତିଶୋଧର ନିଆଁ ଜଳୁଛି  |ସେ କହିଲା,ମଣିଷ ରାଗ ମୁଡରେ ଥିବାବେଳେ ସେମିତି ବହୁତ କିଛି ହୋଇଯାଏ |ଛାଡ,ପଛକଥା ଭୁଲି ଆମେ ପୁଣି ଦୋସ୍ତ ହୋଇଯିବା |ଏହା କହି ସେ  ନିଜର ଡାହାଣହାତ ସୁରେଶ କାନ୍ଧରେ ପକାଇ ତାକୁ ନିଜ ଆଡକୁ ଆଉଜାଇ ଆଣିବା ବେଳକୁ,ଛୁଂଚି ପରି କଣ ଗୋଟାଏ ତା ହାତରେ ଫୁଟିଗଲା |ସେ ହାତ କାଢି ଆଣିବାବେଳେ ସୁରେଶ ପଚାରିଲା,କଣ ହେଲା ?ଅନୁପମ କହିଲା,କଣ ଗୋଟେ ଫୋଡି ହୋଇଗଲା ପରି ଲାଗିଲା |ସୁରେଶର ମୁହଁ ଶୁଖିଗଲା |ସେ ଗୋଟାଏ ପିନ କଣ୍ଟା କାଢି ଅନୁପମକୁ ଦେଖାଇଲା |କହିଲା,ଆସିଲାବେଳେ ସାର୍ଟରେ ଖେଣ୍ଟା ଲାଗିଗଲା,ଏଇ ପିନ ଟା ଲଗାଇ ଦେଇଥିଲି |ଅନୁପମ ସ୍ବାଭାବିକ କଣ୍ଠରେ କହିଲା,ଠିକ ଅଛି,ଚାଲ୍ ଯିବା |
                ସେଦିନ,କର୍ମୀ ମାନଂକ ଗସ୍ତ କର୍ମ ବିଷୟରେ ଆଲୋଚନା ହେଲା |ସୁରେଶ ଅନୁପମକୁ ଅନୁରୋଧ କରି କହିଲା,ମୋର ମାଆଂକ ଦେହ ଭଲ ରହୁନି;ତୁ ଟିକିଏ ସାରଂକୁ କହି ପାଖାପାଖି ଏରିଆ ଦେବୁ, ତାହେଲେ ମୁଁ ମାଆଂକ ଖବର ଅନ୍ତତଃ ବୁଝି ପାରିବି |
             ଅନୁପମ ବିରକ୍ତ ହୋଇ କହିଲା,ତୁ କହୁନୁ ?ମାଆଂକର ଦେହ ଯଦି ଏତେ ଖରାପ,ତାହେଲେ ପାର୍ଟି ଛାଡିଦେ |ମୁଁ ତ ପୁଣି ନୂଆ ବାହା ହୋଇଛି |ସ୍ତ୍ରୀ କୁ ଏକୁଟିଆ ଚାକର ପିଲା ପାଖରେ ଛାଡି ଦୂରକୁ ଯିବାକୁ ମୋର କଣ ଇଛା ହେଉଛି ?ବର୍ତ୍ତମାନ ଚରମ ପରୀକ୍ଷାର ସମୟ,ଏ ସମୟର ସଦୁପଯୋଗ ନକଲେ,ଆଉ ଦ୍ବିତୀୟ ଥର ପାଇଁ ଏ ସୁଯୋଗ ଆସିବନି |ଆମ ସମସ୍ତଂକ ମିଳିତ ପ୍ରଚେଷ୍ଟା ହିଁ ବିଜୟର ଦ୍ବାର ଉନ୍ମୁକ୍ତ କରିବ |
               ଅନୁପମର ଏକ ଏକ ବାକ୍ୟ ସୁରେଶର ହୃଦୟରେ ତୀର ପରି ଭେଦକରି ଯାଉଥିଲା  ଓ କ୍ରୋଧାଗ୍ନିରେ ଶରୀର ତାର ଜଳି ଉଠୁଥିଲା |ତାର କହିବାକୁ ଇଛା ହେଉଥିଲା,ସ୍ତ୍ରୀ ନାଁ ଆଉ କଣ !କୋଉଠୁ ଗୋଟାଏ ଝିଅଟାକୁ ଉଠେଇ ଆଣି କହୁଛି ମୋ ସ୍ତ୍ରୀ ,ପୁଣି ନୂଆ ବାହା ହୋଇଛି,ନିର୍ଲଜ କେଉଁଠିକାର !!!କିନ୍ତୁ ସେ ସେମିତି କିଛି ବି କହି ପାରିଲା ନାହିଁ,ଓଠ ଚିପି କ୍ରୋଧ ସମ୍ବରଣ କଲା |(କ୍ରମଶଃ)

ନିଶୀଥ ଜ୍ୟୋତ୍ସ୍ନା (୭)

                         ଆନନ୍ଦ ଦାସ ଅନୁପମ ପିଠିରେ ହାତ ଥାପୁଡେଇ କହିଲେ,ଅନୁ,ଶାନ୍ତ ହୁଅ |ଏ ବୟସରେ ଏମିତି କିଛି ଆଡଭେଂଚର କରିବାକୁ ମନହୁଏ |ଛାଡ଼, ଯାହା ହୋଇଗଲା ତାକୁ ଭୁଲି ଆମେ ଆଗକୁ ଆଗେଇବା |କିନ୍ତୁ ଏଥରକ ଆମକୁ ଜଗି ରଖି ଚାଲିବାକୁ ପଡିବ ,କାରଣ , ଆମର ଗୋଟିଏ ଭୁଲ ଆମପାଇଁ ଆତ୍ମଘାତୀ ହୋଇଯିବ |ସେତେବେଳେ ଶତଚେଷ୍ଟା କଲେ ବି ଜନମତକୁ ଆମ ସପକ୍ଷରେ ଆଣିବା ପାଇଁ ଆମେ ସମର୍ଥ ହୋଇପାରିବା ନାହିଁ |
                   ସେ ଟିକିଏ ରହି କହିଲେ,ମୁଁ ଖବର ପାଇଛି,ପ୍ରଜାମଣ୍ଡଳ ପାର୍ଟିର କିଛି ସଦସ୍ୟ ଦଳ ବିରୁଦ୍ଧରେ ଲାଗିଛନ୍ତି |ତୁମେ ଜାଣ,ସମାଜର ସବୁ ସ୍ତରରେ କେତେଜଣ ଲୋକ ବା ଗୋଟିଏ କ୍ଷୁଦ୍ର ସୁବିଧାବାଦୀ ଗୋଷ୍ଠୀ ବରାବର ମୁଣ୍ଡ ଟେକନ୍ତି ଆଉ ଅଧିକାଂଶ ସମୟରେ ସେଇମାନଂକ ହାତରେ ହିଁ କ୍ଷମତା ରହେ |ସେହି ସୁଯୋଗର ସଦବ୍ୟବହାର କରି ସେମାନେ ନିଜେ କିଭଳି ସମସ୍ତଂକ ଠାରୁ ଭଲରେ ରହିବେ,ଏହି ଚେଷ୍ଟାରେ ଥାଆନ୍ତି ଓ ଏଥିପାଇଁ ସେମାନେ ଅତି କୃତଘ୍ନ ହୋଇ ବେଳେବେଳେ ଅତି ଉପକାର କରିଥିବା ବନ୍ଧୁ ପ୍ରତି ବିଶ୍ବାସଘାତକତା କରିବାକୁ ପଛାନ୍ତି ନାହିଁ |
            ଅନୁପମ କହିଲା,ସାର୍ ସେମାନେ  ଠିକ ଏଇ ସୁରେଶ ପରି ;ବଡ଼ କୃତଘ୍ନ ସେ |ସୁରେଶ ଚିତ୍କାର କରି କହିଲା,ବି କେଆରଫୁଲ ଅନୁ,କଥା କହିବା ପୂର୍ବରୁ ଭାବିଚିନ୍ତି କହ |କୃତଘ୍ନ ମୁଁ ନାଁ ତୁ ?ତୋର ପେଡି ଖୋଲିଦେଲେ ତୋ ଅବସ୍ଥା କଣ ହେବ,ଜାଣିଛୁ ?ତୁ ଗୋଟାଏ ବନ୍ଧୁହନ୍ତା,ନିମକହାରାମ୍ ସୈତାନ |ଅନୁପମ ଆହୁରି  ଜୋରରେ ଚିତ୍କାର କରି କହିଲା,ସଟ୍ ଅପ |
               ଆନନ୍ଦ ଦାସ ହାତଯୋଡି କହିଲେ,ଏସବୁ କଣ ହେଉଛି ?ମୋର ଏତେ ଦିନର ଶ୍ରମ,ସାଧନା କଣ ବ୍ୟର୍ଥ ହୋଇଯିବ?ତୁମେମାନେ ଶେଷ ସମୟରେ ଏମିତି କାମ କଲେ,ଆମ ବିରୋଧୀ ଗୋଷ୍ଠୀ ନାକରେ ଲୁଗା ଦେଇ ହସିବେ |ପାର୍ଟି ବିଷୟରେ ଆଲୋଚନା ହେବାବେଳେ ବ୍ୟକ୍ତିଗତ ବିଷୟରେ କିଛି ବି ଆଲୋଚନା ହେବ ନାହିଁ |ମୁଁ ଆଗାମୀ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରି ରଖିଛି ,ଆଜି ସେ ବିଷୟରେ ଆଲୋଚନା କରିବା |ଡିନର ପୂର୍ବରୁ କେହି  ଘରକୁ ଯିବ ନାହିଁ  |
                ଆଲୋଚନା ଶେଷ ହେଉ ହେଉ ରାତି ବାର |ଅନୁପମର ବନହଂସୀ କଥା ବହୁତ ମନେ ପଡିଲା |ସେ ନଖାଇ ଦ୍ରୁତଗତିରେ ବାଇକ ଛୁଟାଇ ଘରେ ପହଂଚିଗଲା |କଲିଂବେଲରେ ହାତଦେବା ପୂର୍ବରୁ ବାଇକ ଶବ୍ଦ ଶୁଣି ବନହଂସୀ ଦରଜା ଖୋଲି ଦେଇଥିଲା |ଅନୁପମ  ତାକୁ ଲକ୍ଷ୍ୟ କଲା |ତାର ସୁନ୍ଦର ମୁହଁ ଟି ଝାଉଁଳି ପଡିଥିଲା |ସେ ପଚାରିଲା,ତମେ ଖାଇ ସାରିଛ ?ବନହଂସୀ ମୁଣ୍ଡ ହଲାଇ ନାହିଁ କଲା |ଅନୁପମ ଉଚ୍ଚ ଗଳାରେ କହିଲା,ରାତି ସାଢ଼େବାର ହେଲାଣି,ତମେ ଏପର୍ଯ୍ୟନ୍ତ ଖାଇନ ?ଦେଖ ବୁନୁ,ମୁଁ ତମକୁ ବାରମ୍ବାର କହି ଆସିଛି ଓ ଏବେ ମଧ୍ୟ କହୁଛି,ମୋ ପାଇଁ ଅପେକ୍ଷା କରିବନି |ବି ପ୍ରାକ୍ଟିକାଲ |ପୁଣି ବନହଂସୀର ଉଦାସ ମୁହଁକୁ ଚାହିଁ ନରମ ଗଳାରେ କହିଲା,ତମର ଦେହ ଖରାପ ହେଲେ,ମତେ ପ୍ରେରଣା ଦବ କିଏ ?ମୁଁ କାହା ଭରସାରେ ବାଟ ଚାଲିବି ??ମୂଳି ଖାଇଛି ?ବନହଂସୀ ହଁ କହିବାରୁ ସେ କହିଲା,ହଉ ତମେ ଖାଇବା ବାଢ଼,ମୁଁ ସାଂଗେ ସାଂଗେ ଆସୁଛି |ସେ ଗାଧୋଇ ଫ୍ରେଶ ହୋଇ ଆସିବା ବେଳକୁ,ବନହଂସୀ ଖାଇବା ବାଢି ଦେଇଥିଲା |ପ୍ଲେଟରେ ଚକୁଳି ପିଠା ସହିତ ମଟନ କଷା ଦେଖି ସେ ଖୁସି ହୋଇ କହିଲା,ଆରେ ବାବା,ଇଏତ ବିରାଟ ଆୟୋଜନ |ଦୁହେଁ ଏକାଠି ଖାଇ ବସିଲେ |
              ଖାଇବାବେଳେ ସେ ତାର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଅନେକ ଗପିଲା |ପରବର୍ତ୍ତୀ ନିର୍ବାଚନ ପାଇଁ ମଝିରେ ଖୁବ କମ ସମୟ ରହିଲା |ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିବ,ନହେଲେ ଦୀର୍ଘଦିନର ଯୋଜନା ଫସର ଫାଟିଯିବ |କହିବାକୁ ଗଲେ,ପାର୍ଟିର ରାଜନୈତିକ ମୃତ୍ୟୁ ଘଟିବ |ବନହଂସୀ କହିଲା,ମତେ କଣ କରିବାକୁ ପଡିବ ?ଅନୁପମ ସ୍ମିତ ହସି କହିଲା,ତମେ ଯେ ମୋର ସବୁ ଉତ୍ସାହ ଉଦ୍ଦୀପନାର ପ୍ରାଣକେନ୍ଦ୍ର ହେବ |ମୋର ଘରକୁ ଫେରିବାରେ ଡେରି ହୋଇଯାଇପାରେ,ତମକୁ ନକହି ଦୀର୍ଘଦିନ ଆବସେଣ୍ଟ ରହିପାରେ କିମ୍ବା କେତେବେଳେ ଅକସ୍ମାତ ରାତିଅଧରେ ଆସି କବାଟ ଠକ ଠକ କରି ତମକୁ ବିରକ୍ତ କରିପାରେ |କଥା ବନ୍ଦ କରି ବନହଂସୀକୁ ଚାହିଁ କହିଲା,କଣ ଡର ଲାଗୁଛି ?ସେଇଥିପାଇଁ ତ ତମ ବାପା ମୋ ସହିତ ବାହାଘରକୁ ନାପସନ୍ଦ କରୁଥିଲେ |ଏ ଲାଇଫ ବଡ଼ ରିସ୍କି,ବଡ଼ କଷ୍ଟ |କିନ୍ତୁ ଏ ନିଶାକୁ ସହଜରେ ଛାଡି ହୁଏନା |ମଣିଷ ତା ଜୀବନରେ ପରର ଉପକାର ଓ ଦେଶସେବା କରି ଯେତେ ସୁଖ ପାଏ,ସେତେ ସୁଖ ଅନ୍ୟ କୌଣସିଥିରୁ ପାଏନା |ସେଥିପାଇଁ ସେ ବେଳେବେଳେ ସାଂସାରିକ ସୁଖକୁ ମଧ୍ୟ ତୁଚ୍ଛ କରିଦିଏ |ବନହଂସୀ କହିଲା,ତା ମାନେ ଦରକାର ପଡିଲେ,ତମେ ମତେ ବି ତୁଚ୍ଛ କରିଦେବ ?
          ଅନୁପମ କହିଲା,ମୁଁ ସେକଥା କେତେବେଳେ କହିଲି ?ବଡ଼ ଲୋକ କହିଛନ୍ତି,'A man has no character,no soul,no life,apart from his thoughts and deeds".ବନହଂସୀ ମୃଦୁ ହସି କହିଲା,ଆଉ ଗୋଟେ କଥା ବି ବଡଲୋକ କହିଛନ୍ତି,'Hasty climbers have sudden falls'.ଅନୁପମ ହସିଦେଇ କହିଲା,ଆରେ ବାଃ !ଯାହା ଭାବିଥିଲି,ତମେ ଏତେ ବୋକୀ ନୁହଁ |ମୁଁ କିନ୍ତୁ ମୋ ସବୁକାମ ଶୀଘ୍ର କରିବାକୁ ଭଲପାଏ |ମୋ ପାଇଁ ବିଳମ୍ବ ଅସହ୍ୟ |
               ଦୁଇଜଣ ଏମିତି ଗପୁ ଗପୁ ରାତି ତିନି ଟା ବାଜିଗଲା |ବନହଂସୀ କହିଲା,ଆଉ ଟିକେ ପରେ ସକାଳ ହୋଇଯିବ,ତମେ ଏବେ ଶୋଇପଡ଼ |ଅନୁପମ କହିଲା,ମତେ ଦଶଟା ପୂର୍ବରୁ ଉଠାଇବନି,କିନ୍ତୁ ଆମ ପାର୍ଟିର କେହି ଆସିଲେ,ସାଂଗେ ସାଂଗେ ଉଠାଇ ଦେବ |
                 ଡେରିରେ ଶୋଇଥିଲେ ବି ସକାଳ ପାଂଚଟା ରେ ବନହଂସୀର ନିଦ ଭାଂଗିଗଲା |ସେ ଉଠି ନିଜର ନିତ୍ୟକର୍ମ ଶେଷକରି ଠାକୁର ପୂଜା କରିବାବେଳକୁ,କଲିଂବେଲ ବାଜି ଉଠିଲା  |ସେ କବାଟ ଖୋଲି ଦେଖିଲା,ବାହାରେ ସୁରେଶ ଛିଡା ହୋଇଛି |ତାକୁ ଦେଖି ସୁରେଶ କହିଲା,ଭାଉଜ ନମସ୍କାର |ଅନୁକୁ ଟିକିଏ ଡାକି ଦିଅନ୍ତୁ,କାମ ଅଛି |ବନହଂସୀ କହିଲା,ଆପଣ ପରେ ଆସନ୍ତୁ,ସେ ଶୋଇଛନ୍ତି |
              ସୁରେଶ କହିଲା,ଭାଉଜ,ଆପଣ ରୁବି ଅପାଂକ ଘରକୁ ଗଲେଣି ?ବନହଂସୀ ମୁଣ୍ଡ ହଲାଇ ନାହିଁ କଲା |କହିଲା,ଏକୁଟିଆ କୁଆଡେ ଯିବାକୁ ମତେ ଭଲ ଲାଗେନା |ସୁରେଶ ସ୍ନେହଭରା କଣ୍ଠରେ କହିଲା,ସେ ଜଣେ ଟିଚର |ମଣିଷ ଗଢିବା ହେଲା,ତାଂକର ପେଷା |ଏମିତି ବି ସେ ଓ ତାଂକର ଝିଅ ସେଠାରେ ରହନ୍ତି |ସମ୍ବଲପୁରରେ ତାଂକ ସ୍ବାମୀଂକ ଚାକିରୀ,ମାସେ କି ଦୁଇମାସରେ ଥରେ ଆସନ୍ତି |ତାଂକ ସାଂଗେ ପରିଚୟ ହେଲେ ତମେ ଆଉ ଏକୁଟିଆ ବସି ବସି  ବୋର୍ ହେବନି,ସେ ମଧ୍ୟ ଖୁସି ହେବେ |ଆଛା ମୁଁ ଯାଉଛି,ମୁଁ ଆସିଥିଲି ବୋଲି ଅନୁକୁ କହିଦେବେ |
               ଦ୍ରୁତ ପଦକ୍ଷେପରେ କିଛିବାଟ ଯାଇ ସେ ପୁଣି ଫେରିଆସି କହିଲା,ଭାଉଜ,କ୍ଷମା କରିବେ |ମତେ ଏକଥା କହିବାକୁ ଭୀଷଣ ଲାଜ ଲାଗୁଛି ଯେ,ଆପଣଂକୁ ଅପହରଣ କରିବାପାଇଁ,ଅନୁ ମତେ ପଚାଶ ହଜାର ଟଂକା ଦେଇଥିଲା |ସେତେବେଳେ ଯେଉଁ ପ୍ରକାର ପରିସ୍ଥିତି ଥିଲା,ମୁଁ ରାଜିହୋଇ ଯାଇଥିଲି |ଏବେ ମୁଁ ମୋ ବିବେକ ଦଂଶନରେ ମର୍ମାହତ ହୋଇ ସେ ଟଂକା ଫେରାଇଦେବା ପାଇଁ ଆସିଥିଲି |ପକେଟରୁ ନୋଟ ବିଡା ବାହାର କରି ବନହଂସୀ ଆଡକୁ ସୁରେଶ ବଢାଇ କହିଲା,ଦୟାକରି ଏହାକୁ ରଖନ୍ତୁ  |ସୁରେଶର ବାକ୍ୟ ଗୁଡିକ ବନହଂସୀ ହୃଦୟରେ ତୀର ପରି ଭେଦ କରିଯାଉଥିଲା |ସେ କହିଲା,ଆପଣ ଯାହାଠାରୁ ସୁପାରୀ ନେଇଥିଲେ,ଦୟାକରି ତାଂକ ସାଂଗରେ ଏ ବିଷୟରେ ଆଲୋଚନା କରନ୍ତୁ ଓ ଏଇ ମୂହୁର୍ତ୍ତରେ ଏଠାରୁ ଚାଲିଯାଆନ୍ତୁ |ଏକଥା କହି  ବୁଲିଯିବାବେଳକୁ ସେ ଦେଖିଲା,ସେଠାରେ ଅନୁପମ ଛିଡା ହୋଇଛି |ସେ ଆଗେଇ ଆସି ସୁରେଶକୁ ଜୋରରେ ଏକ ଚଟକଣା ମାରି କହିଲା,ସ୍କାଉଣ୍ଡ୍ରେଲ !ହିଂସାରେ ଜଳିଯାଉଛି |ସବୁପ୍ରକାର ଟ୍ରିକ୍ସ ମୋଠାରେ ଆପ୍ଲାଏ କରି ଫେଲ ମାରି,ଏଥରକ ବୁନୁ ପାଖରେ ପୌରୁଷ ଦେଖାଇବାକୁ ଚାଲି ଆସିଲୁ .,ନୁହେଁ ?ଗେଟ୍ ଆଉଟ୍ | ଆଉଦିନେ ଏଠାକୁ ଆସିଲେ,ତୋ ଗୋଡ଼ ହାତ କାଟି ଫୋପାଡି ଦେବି |
               ସୁରେଶ ନୋଟବିଡା ପକେଟରେ ଭର୍ତ୍ତି କରି କହିଲା,ହଉ କଥା ରହିଲା ,କେତେଦିନ ଏ ସୁଖ ରହିଵ,ମୁଁ ଦେଖିବି |ଆଜିର ବ୍ୟବହାର ପାଇଁ,ତତେ ସାରାଜୀବନ ପସ୍ତେଇବାକୁ ପଡିବ |(କ୍ରମଶଃ )

Monday, December 23, 2019

ନିଶୀଥ ଜ୍ୟୋତ୍ସ୍ନା (୬)

                    କିଛିଦିନ ବିଭିନ୍ନ ସ୍ଥାନ ବୁଲାବୁଲି କରି ଫେରିଆସିବା ପରେ ସୁରେଶ ସେମାନଂକପାଇଁ ଠିକ କରି ରଖିଥିବା ଦୁଇ କୋଠରୀ ବିଶିଷ୍ଟ ଏକ ଛୋଟ ଭଡାଘରେ ସେମାନେ ରହିଲେ |ଘରେ ଦୁଇଜଣ ଚଳିବାପରି ସମସ୍ତ ବ୍ୟବସ୍ଥା ସେଠାରେ ଥିଲା ଓ ଘରର ସାଜସଜ୍ଜା ମଧ୍ୟ ସୁନ୍ଦର ଥିଲା |ମୂଳି ନାମକ ଏକ ଏଗାର/ବାର ବର୍ଷର  ପିଲାକୁ ସେଠାରେ ଘରକାମ କରିବାପାଇଁ ସୁରେଶ ଆଣିଲା | ଗଲାବେଳେ ସେ ବନହଂସୀକୁ କହିଲା,ଆପଣଙ୍କ ଘର ପଛପଟେ ମୋର ଜଣେ ରିଲେଟିଭ,ରୁବିଦିଦିଂକ ଘର |ବୋର୍ ହେଲେ ତାଂକ ଘରକୁ ଯିବେ,ସେମାନେ ବହୁତ ଭଲଲୋକ |
                      କିଛିଦିନ ବେଶ ସୁରୁଖୁରୁରେ କଟିଗଲା |ବନହଂସୀ ପାଇଁ ଏସବୁ ଏକ ନୂତନପ୍ରକାର ଅନୁଭୂତି ଥିଲା |ଅନୁପମର ଗଭୀର ପ୍ରେମ ତା ଅନ୍ତରର ସମସ୍ତ ଦୁଃଖ ଗ୍ଲାନିକୁ ଧୋଇ ଦେଲା |କ୍ରମେ ସେ ଅନୁଭବ କରିବାକୁ ଆରମ୍ଭ କଲା ଯେ ଅନୁପମ ବିନା ତା ଜୀବନ ବ୍ୟର୍ଥ ହୋଇଯାଇଥାଆନ୍ତା |
                  ସେଦିନ ଖୁବ ସକାଳୁ କଲିଂବେଲ ଆବାଜ ଶୁଣି ବନହଂସୀର ନିଦ ଭାଂଗିଗଲା |ସେ ଉଠି ଦେଖିଲା, ମୂଳି କବାଟ ଖୋଲି ଦେଇଛି |ବାହାରେ ସୁରେଶ ଛିଡା ହୋଇଥିଲା |ତାକୁ ଦେଖି ସେ କହିଲା,ଭାଉଜ ନମସ୍କାର ;ଟିକିଏ ଅନୁକୁ ଡାକିଦେବେ |ବନହଂସୀ ବୁଲିଯିବା ବେଳକୁ ଦେଖିଲା,ପଛରେ ଅନୁପମ ଛିଡା ହୋଇଛି |ସୁରେଶ କହିଲା,ଏତେଦିନ ହେଲାଣି,ତୁ ପାର୍ଟି ଅଫିସ ଯାଇନୁ |ଆନନ୍ଦ ବାବୁ ଭାରି ବ୍ୟସ୍ତ ହେଉଛନ୍ତି,ଭାଉଜ ଗୁଣି କରିଦେଲେ ନାଁ କଣ ?
 ଅନୁପମ ବିରକ୍ତ ହୋଇ କହିଲା,ବାଜେ କଥାଗୁଡା କାହିଁକି କହୁଛୁ ?ସୁରେଶ କହିଲା,ଏତେବେଳକୁ ବିରକ୍ତ ହେବୁନି ତ ଆଉ କଣ କରିବୁ ?ଯେତେବେଳେ କାମ ଥିଲା,ସୁରେଶ |କାମ ସରିଗଲେ,ସୁରେଶ କିଏ ନାଁ ଅନୁପମ କିଏ !ଅନୁପମ କହିଲା,କାହିଁକି ସେମିତି ହେଉଛୁ ?କଣ ପାଇଁ ଆସିଛୁ କହ |ସୁରେଶ କହିଲା,ଆନନ୍ଦ ସାର୍ ଡାକିଛନ୍ତି,ତତେ ବର୍ତ୍ତମାନ ଯିବାକୁ ପଡିବ |ଇଲେକସନ ପାଖେଇ ଆସିଲାଣି |ମଝିରେ ଆଉ କେତେଟା ମାସ |ତୁ ଏମିତି ବସିଗଲେ,ଚଳିଵ ?ମଉଜ କରିବାପାଇଁ ତ ସାରାଜୀବନ ପଡିଛି |
          ଅନୁପମ ରାଗିଯାଇ କହିଲା,ପୁଣି ସେ ବେକାର କଥା କହିଲୁ ?ତୁ ଯା |ମୁଁ ଟିକିଏ ପରେ ଯିବି |
         ସୁରେଶ କହିଲା,ହଉ ଯାଉଛି,ତୋ ଇଛା ହେଲେ ଯିବୁ,ନହେଲେ ନାହିଁ ,ମୋର କଣ ଅଛି ?
ସେ ଯିବାପରେ ଅନୁପମ ଗମ୍ଭୀର ହୋଇ ଫେରିଆସି ବିଛଣାରେ ବସିଲା |ତାପରେ କହିଲା,ବୁନୁ, ଦେଖିଲ,କେତେଟା ବାଜିଛି ?ବନହଂସୀ ଘଣ୍ଟା ଦେଖି କହିଲା,ସାଢ଼େ ପାଂଚ |ଉତ୍ତର ଶୁଣି ସେ ପୁଣି ବିଛଣାରେ ଶୋଇ ପଡିଲା ଓ ନରମ କଣ୍ଠରେ ଡାକିଲା,ବୁନୁ !ବନହଂସୀ ଆସି ଅନୁପମ ପାଖରେ ବସିଲା |ଅନୁପମ କହିଲା,ଟିକିଏ ଗୋଡ଼ ଘଷି ଦେଲ |ବନହଂସୀ ଗୋଡ଼ ଘଷିବାବେଳେ ଅନୁପମ କହିଲା,ବୁନୁ,ଏଇ କେତେଦିନ ହେଲା ରାଜନୀତିକୁ ମୁଁ ପୁରା ଭୁଲି ଯାଇଥିଲି,ସୁରେଶ ଆସି ମନେ ପକାଇ ଦେଲା |ମତେ ଏବେ ଯିବାକୁ ପଡିବ |ଫେରୁ ଫେରୁ ରାତି ହୋଇପାରେ |ଡେରିହେଲେ,ମୋପାଇଁ ଅପେକ୍ଷା ନକରି ତମେ ଖାଇଦେଇଥିବ |ବ୍ୟସ୍ତ ହବନି,ଦେଖ,ତମର ବିନା ସହଯୋଗରେ ମୁଁ କୌଣସି କାମରେ ସଫଳ ହୋଇ ପାରିବିନାହିଁ |
   ବନହଂସୀ କହିଲା,ଠିକ ଅଛି,ମୁଁ ଯାଉଛି |
    ଅନୁପମ ପଚାରିଲା,କୁଆଡେ ?
     'ଗାଧୋଇବାକୁ' |'ବହୁତ ଡେରି ହେଲାଣି' |ବନହଂସୀ ଉତ୍ତର ଦେଲା |ଅନୁପମ କହିଲା,ସେ ତ ଘଣ୍ଟାକର କଥା |ଆଗ ମତେ କପେ ଚା' ଦିଅ,ତାପରେ ଯାହା କରୁଛ କର |ଫାଷ୍ଟକ୍ଲାସ ଚା' କରିବ,ଯେମିତି ଆଜି ଦିନ ଟା ଭଲରେ କଟିବ |ବନହଂସୀ ହସିଦେଇ ଚାଲିଗଲା |
        ଅନୁପମକୁ ଚା' ଦେଇସାରି ବନହଂସୀ ଅତି ଶୀଘ୍ର ନିଜ ନିତ୍ୟକର୍ମ ଶେଷକରି ଆସି ଦେଖିଲା,ଅନୁପମ ଯିବାପାଇଁ ପ୍ରସ୍ତୁତ ହୋଇ ଛିଡା ହୋଇଛି |ତାକୁ ଦେଖି ଅନୁପମ କହିଲା,ଏତେ ଡେରି କଲ ?ମୁଁ ଯାଉଛି ,ଫେରିବାକୁ ଡେରି ହୋଇପାରେ |ମତେ ଅପେକ୍ଷା ନକରି ତମେ ଡିନର ଖାଇ ଦେଇଥିବ |
           ଅନୁପମ ପାର୍ଟି ଅଫିସରେ ପହଂଚିବା ବେଳକୁ ସମସ୍ତେ ଆସି ସାରିଥିଲେ ଓ  ଆନନ୍ଦ ସାର୍ ଦଳର କର୍ମକର୍ତ୍ତାଂକ ସହ ଆଲୋଚନା କରୁଥିଲେ |ଅନୁପମକୁ ଦେଖି ସେ ତା ଉପରେ ଗୁଡାଏ ବର୍ଷିଗଲେ ଓ କହିଲେ,ମୋର ତୋ ଉପରେ ଏତେ ବିଶ୍ବାସ ଥିଲା,ତୁ ସେସବୁ ଭାଂଗି ଚୁରମାର କରିଦେଲୁ |ଜାଣିଛୁ,ଏଥିରେ ତୋର ଆଉ ଆମ ଦଳର କେତେ କ୍ଷତି ହେଲା ?
  ଅନୁପମ ହାତଯୋଡି କହିଲା,ଆଇ ଆମ ସରି ସାର୍ |ଦେଖିବେ,ଏଥର ସବୁ ଠିକ ଚାଲିବ |ଆନନ୍ଦ ବାବୁ ଗମ୍ଭୀର ହୋଇ କହିଲେ,କିଛି ଠିକ ଚାଲିବନି |ଏଥର ଆଦର୍ଶର ବାର୍ତ୍ତା ନେଇ ତୁ କେଉଁ ମୁହଁରେ ପ୍ରଚାର କରିବୁ ?
  ଅନୁପମ କହିଲା,କଣ କହୁଛନ୍ତି ସାର୍ ?ତା ବୋଲି ମୁଁ ମୋର ପ୍ରଣୟିନୀକୁ ବାହାହୋଇ ପାରିବିନି ?ପାର୍ଟି ପାଇଁ ପ୍ରେମର ଗଳା ଚିପି ଦେବି ?ମୋର କଣ ପର୍ସନାଲ ଲାଇଫ ବୋଲି କିଛିନାହିଁ ?ମୁଁ ବି ତ ଗୋଟେ ମଣିଷ !!ଏକ୍ସକ୍ୟୁଜ ମି ସାର୍ |
            ସୁରେଶ କହିଲା,ସାର୍ ଠିକ କଥା କହୁଛନ୍ତି,ଅନୁ |ଏପରି ମନୋବୃତ୍ତି ନେଇ ରାଜନୀତି କୁ ଆସିବା ତୋର ଉଚିତ ନଥିଲା |ଅନ୍ୟକୁ ଆଦର୍ଶର କଥା କହିବା ପୂର୍ବରୁ ନିଜକୁ ଆଦର୍ଶ ଦେଖାଇବାକୁ ପଡେ |
             ଅନୁପମ ତାତ୍ସଲ୍ୟ କରି ସୁରେଶକୁ କହିଲା,ତୋର ଓଜନ କେତେ ମୁଁ ଜାଣିଛି |ତୁ ଯେଉଁଠି ସାଂଗକୁ ଭଲ ଉପଦେଶ ଦେବା ପରିବର୍ତ୍ତେ ତାକୁ ଫସେଇ ଟଂକା ନେବାର ବାଟ ସୃଷ୍ଟି  କରୁ,ସେଠାରେ ତୋ କଥାର ମୂଲ୍ୟ  କଣ ?ଯାହା ହୋଇଛି,ଠିକ ହୋଇଛି |ଆଇ ଡୋଣ୍ଟ କେଆର |ମତେ ଇଛା ହେଲେ ପାର୍ଟିରେ ରଖିବେ,ନହେଲେ ନାହିଁ |ସେ ଉଠି ଛିଡା ହେଲା |(କ୍ରମଶଃ )

Sunday, December 22, 2019

ନିଶୀଥ ଜ୍ୟୋତ୍ସ୍ନା (୫ )

                    ବନହଂସୀ ନିକଟରୁ ଫେରିବା ପରେ ଅନୁପମର ହୃଦୟ ଭାରାକ୍ରାନ୍ତ ହୋଇଯାଇଥିଲା |ସେ ବନହଂସୀ ପାଖରେ ଦୁର୍ବଳ ହେବାକୁ ଇଛା ନକରି ଗୁଡାଏ ଭାଷଣ ଦେଇଦେଲା ସିନା,ଶତଚେଷ୍ଟା ସତ୍ତ୍ବେ  ନିଜକୁ ବୁଝାଇ ପାରୁନଥିଲା |ଜୀବନରେ ଇଏ ତାର ସବୁଠାରୁ ବଡ଼ ପରାଜୟ |ତାର ଦୃଢ ବିଶ୍ବାସ ଥିଲା,ଜୀବନରେ ଥରେ ପରାଜୟ ସ୍ବୀକାର କଲେ,ମନ କେବଳ ପରାଜୟ ଆଡକୁ ହିଁ ଧାଇଁଯାଏ |ସେଦିନ ରାତିରେ ସେ ଆକଣ୍ଠ ଡ୍ରିଂକ କଲା ଓ ମାତାଲ ଅବସ୍ଥାରେ ସୁରେଶକୁ ନିଜ ମନକଥା ଖୋଲି କହିଦେଲା |ସୁରେଶ ପାଇଁ ଏହା ସୁବର୍ଣ୍ଣସୁଯୋଗ ଥିଲା |ସେ ନିଜର ଦୁଷ୍ଟବୁଦ୍ଧି ପ୍ରୟୋଗ କରି,ପରଦିନ ସକାଳେ  ନିଜ ପ୍ଲାନ ବିଷୟରେ ଅନୁପମକୁ ଅବଗତ କରାଇଲା |କିନ୍ତୁ ଏଥିରେ ଏକ ସର୍ତ୍ତ ରହିଲା,କାର୍ଯ୍ୟରେ ସଫଳତା ମିଳିଲେ,ସୁରେଶ କିଛି ମୋଟା ଅଂକର ଅର୍ଥ ପାଇବ |ସୁରେଶର ଯୁକ୍ତି ଥିଲା, କାର୍ଯ୍ୟଟି ଖୁବ୍ ଜଟିଳ ଓ ଏଥିରେ ସଫଳତା ମିଳିବା ସହଜ କଥା ନୁହେଁ |ଏଥିପାଇଁ ସେ ଦାବି କରିଥିବା ଅର୍ଥର ପରିମାଣ  ଖୁବ୍ କମ |ଅନୁପମ ସୁରେଶର ପିଠି ଥାପୁଡାଇ କହିଲା,ମଂଜୁର ଦୋସ୍ତ ,କିନ୍ତୁ ସେ କାମ ଆଜିହିଁ ହେବା ଦରକାର |ଏହି ପ୍ରସ୍ତାବରେ ରାଜି ହେବାବେଳେ ଅନୁପମ ଭୁଲିଗଲା ଯେ ଏଇ କାର୍ଯ୍ୟକଳାପ ତାର ରାଜନୈତିକ ଆକାଶରେ ସବୁଦିନପାଇଁ ଏକ ଧୂମକେତୁ ହୋଇ ଉଭା ହେବ |କ୍ଷଣିକ ଆବେଗରେ ସେ ତାର ଭଲମନ୍ଦ ବିଚାର କରିବା ଶକ୍ତି ହରାଇ ବସିଥିଲା |
                ସେଦିନ ଅପରାହ୍ନରେ ବନହଂସୀର ବାନ୍ଧବୀ ସୁଲତା,ତା ନିକଟରେ ପହଂଚି କହିଲା,ବୁନୁ,ଆଜି କାହିଁକି କଲେଜ ଗଲୁନି ?ଦେହ ଭଲ ନାହିଁ ?ବନହଂସୀର ମୁହଁରେ କାରୁଣ୍ୟର ଛାପ ବାରିହେଉଥିଲା |ସେ ଫିକା ହସି କହିଲା,ଏମିତି ଗଲିନି,ତୁ କୁଆଡେ ଆସିଲୁ?ସୁଲତା କହିଲା,ତତେ ଦେଖିବାକୁ ,ଆ ଯିବା |ବନହଂସୀ ଚମକି ପଡି କହିଲା,କୁଆଡେ ?ସୁଲତା କହିଲା,ଡରନା ଲୋ,ଚାଲ ବାହାରେ ଗପିବା,ବନ୍ଦ ଘରେ ଅଣନିଃଶ୍ବାସୀ ଲାଗୁଛି |ବନହଂସୀ ସୁଲତା ସହ ବାହାରକୁ ଆସିଲା |କଥାବାର୍ତ୍ତା ଛଳରେ ସେ ତାକୁ ଗେଟ ବାହାରକୁ ଡାକି ଆଣି ବିଦାୟ ନେବା ସମୟରେ ସେଠାରେ ଅପେକ୍ଷା କରିଥିବା କାର ଭିତରୁ ଜଣେ ମୁଖାପିନ୍ଧା ବ୍ୟକ୍ତି ଆସି ବନହଂସୀକୁ ଜୋର କରି କାରରେ ବସି ନେଇ ଚାଲିଗଲେ |
           ସୁଲତା କାନ୍ଦି କାନ୍ଦି ଭିତରକୁ ଦୌଡିଯାଇ ବନହଂସୀର ମାଆଂକୁ ଏହି ଖବର ଦେଲା |କିଛିକ୍ଷଣ ମଧ୍ୟରେ ଏକଥା ଚାରିଆଡେ ପ୍ରଘଟ ହୋଇଗଲା |ଖବର ପାଇ ବନହଂସୀର ପିତା ସରୋଜ ଅଫିସରୁ ଆସି ପହଂଚିଗଲେ |ତାଂକର ଦୁଇଟି କନ୍ୟା ସନ୍ତାନ ଥିଲେ |ସେଥିମଧ୍ୟରୁ ବନହଂସୀ ସାନ |ବଡ଼ ଝିଅ ରାଜହଂସୀ ଅନେକ ଦିନରୁ ବିବାହ କରି ସାରିଛି |ଏହି କାଣ୍ଡର ଖଳନାୟକ ଅନୁପମ ବୋଲି ସେ ଠିକ ଭାବେ ଜାଣିପାରୁଥିଲେ |ସେ ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ଏତଲା ଦେଲେ |
            କିଛିଦିନପରେ ସେ ବନହଂସୀ ପାଖରୁ ଏକ ଚିଠି ଆସିଲା |ସେ ଲେଖିଥିଲା,ପୂଜନୀୟ ବାପା ମା,ମୋର ଭୂମିଷ୍ଠ ପ୍ରଣାମ ନେବେ |ଆପଣଙ୍କ ପାଇଁ ମୁଁ ଅନେକ ଦୁର୍ନାମ ଆଣିଦେଇଛି |ଏ ଚିଠି ପାଇବାପରେ ଆପଣ ଧରି ନେବେ ଯେ ବନହଂସୀ ବୋଲି ଆପଣଙ୍କର ଯେଉଁ ଝିଅ ଥିଲା,ସେ ଜନ୍ମ ହେବା ପରେ ପରେ ମରିଯାଇଛି |ଇତି|ଅଭାଗିନୀ,ବୁନୁ |
             ଚିଠି ପଢି ଉଭୟ ସରୋଜ ଓ ବନହଂସୀର ମା ଦୀପା ଉଚ୍ଚ ସ୍ବରରେ କାନ୍ଦି ଉଠିଲେ |ରାଜହଂସୀ ସେଠାରେ ଥିଲା |ସେ ଚିଠି ପଢି କହିଲା,ବାପା,ତମେ ବୁନୁ ବାହାଘର ଅନୁପମ ସଂଗେ କରିବାକୁ ମନା କରିବାରୁ ଦୁହେଁ ମିଶି ଏ କାମ କରିଛନ୍ତି |ନିଜ ଝିଅ ଏଥିରେ ସମ୍ପୃକ୍ତ ଥିବା ଆଶଂକା କରି ସରୋଜ ଥାନାରେ ଦେଇଥିବା ଏତଲା ପ୍ରତ୍ୟାହାର କରି ଆଣିଲେ |
               ଅନୁପମର ବନ୍ଧୁମାନେ ସେମାନଂକ ବିବାହର ସମସ୍ତ ଆୟୋଜନ କରିଥିଲେ |ବନହଂସୀ ଏ ଘଟଣାରେ ଭାଂଗି ପଡିଲେ ମଧ୍ୟ ବାଧା ଦେଇପାରୁନଥିଲା |ଅନୁପମ କହିଲା,ବୁନୁ .ତମର ଇଛା ଥିଲା ବୋଲି ମୁଁ ତମକୁ ଜୋର କରି ନେଇ ଆସିଲି |ତମେ ଏବେ ଚାହିଁଲେ,ମୁଁ ପୋଲିସ ନିକଟରେ ଆତ୍ମସମର୍ପଣ କରି ତମକୁ ଅଂକଲ ଆଣ୍ଟିଂକ ପାଖରେ ଛାଡିଦେଇ ଆସିବି |ବନହଂସୀ ଆଖିରୁ ଟୋପା ଟୋପା ହୋଇ ଅନେକ ଟୋପା ଲୁହ ଝରି ପଡିଲା |ସେ କହିଲା,ମୁଁ ଅନେକ ଦିନରୁ ତମର ହୋଇ ସାରିଥିଲି |କିନ୍ତୁ ଏମିତି ଲୁଚି ଆସିବା ଭଲ ହେଲାନି |
                 ଅନୁପମ କହିଲା,ବୁନୁ ,ତମକୁ ନପାଇଥିଲେ, ଜୀବନରେ ବଂଚିବାର ମୂଲ୍ୟ କିଛି ନଥାନ୍ତା |ତୁମେ ଜାଣନା ଏହାଦ୍ବାରା ମୋର କେତେବଡ କ୍ଷତି ହୋଇଛି |ମୋ ରାଜନୈତିକ ଜୀବନରେ ସବୁଦିନପାଇଁ ଏହା ଗୋଟିଏ କଳାଦାଗ ହୋଇ ରହିଯିବ |ଏଥିପାଇଁ ମତେ ଲୋକଂକୁ ଉତ୍ତର ଦେବାକୁ ପଡିବ |ଆନନ୍ଦ ସାରଂକ ପାଖରେ ମୁଁ ମୁହଁ ଦେଖାଇ ପାରିବିନି |କିନ୍ତୁ ମୁଁ ନିରୁପାୟ ଥିଲି |ହୃଦୟର ଭାବପ୍ରବଣତା ଆଗରେ ସବୁକିଛି ହାର ମାନିଲା |ଆଜି ତମେ ଶପଥ କରି କୁହ,କେବେବି ମୋ ଭଲପାଇବା ପ୍ରତି କପଟ କରିବନି,ସ୍ନେହ ମମତା ଡୋରିରେ ମୋ ହୃଦୟକୁ ବାନ୍ଧିଦେବ,ଯେମିତିକି ମୁଁ ଆଉ ଲଗାମଛଡା ହେବିନାହିଁ |ତାର ଆଖି ଲୁହ ଛଳ ଛଳ ହୋଇଗଲା |ବନହଂସୀ ବିଚଳିତ ହୋଇଗଲା |ସେ ଅନୁପମ ଆଖିରୁ ଲୁହ ପୋଛି କହିଲା,ମୋ ଉପରେ ବିଶ୍ବାସ ରଖ |(କ୍ରମଶଃ )
           

ନିଶୀଥ ଜ୍ୟୋତ୍ସ୍ନା (ଚାରି )

                    ବିଛଣାରେ ଏପଟ ସେପଟ ହୋଇ କେତେବେଳେ ରାତି ପାହିଗଲା,ସେ ଜାଣି ପାରିଲାନି |ଭୋର ବେଳକୁ ଆଖିପତା ତାର ବୁଜି ହୋଇଆସିଲା,ନିଦ ଭାଂଗିବା ବେଳକୁ ଦିନ ସାଢ଼େ ଏଗାର |ସେତେବେଳକୁ ଆନନ୍ଦ ବାବୁ ଦିଲ୍ଲୀ ଯାଇ ସାରିଥିଲେ |ମୁହଁଧୋଇ ସେ ପାର୍ଟି ଅଫିସକୁ ଗଲା |ସେଠାରୁ ବାଇକ ନେଇ ସେ ସିଧା ନିଜ ଘରକୁ ଗଲା |ଘରେ ପହଂଚି ପ୍ରଥମେ  ଅଶୋକକୁ ଦେଖିବାକୁ ଗଲା |ସେ ପୂର୍ବାପେକ୍ଷା  ସୁସ୍ଥ ଦିଶୁଥିଲା |ଶରୀର ଅସୁସ୍ଥ ହେବାର କାରଣ ସମ୍ପର୍କରେ ଅଶୋକ କହିଲା,ତାର ଫୁଡ ପଏଜନ ହୋଇ ଯାଇଥିଲା |ସେ ନିଜ ରୁମକୁ ଯାଇ ପୋଷାକ ବଦଳାଇ ବାଥରୁମକୁ ପଶିଗଲା |ଗାଧୋଇ ଆସିବାପରେ ତାକୁ ଫ୍ରେଶ ଲାଗୁଥିଲା |ତାକୁ ପ୍ରବଳ ଭୋକ ଲାଗୁଥିଲା |କଣ ରନ୍ଧା ହେଉଛି,ଦେଖିବାକୁ ସେ ରୋଷେଇଘରକୁ ଗଲା |ସେଠାରେ ପୂଜାରୀ ରୋଷେଇ କରୁଥିବାବେଳେ ଅଜନ୍ତା ପାଖରେ ଥାଇ କିଛି ବତାଉଥିଲେ |ତାକୁ ଦେଖି ସେ କହିଲେ,ଲଂଚ ଟାଇମ ହୋଇ ଗଲାଣି,ତୁ ଖାଇଦେ |ଅନୁପମ କହିଲା,ହଁ ମମ୍, ଅତି ଶୀଘ୍ର ମୋପାଇଁ ବାଛି ବାଛି ଟେଷ୍ଟି ଖାନା ବାଢିଦିଅ,ମତେ ଭାରି ଭୋକ ହେଉଛି |ଅଜନ୍ତା ତା ପାଇଁ ଖାଇବା ବାଢୁ ବାଢୁ ପଚାରିଲେ,କାଲି କେଉଁଠି ଥିଲୁ ?ଅନୁପମ ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା,ଆନନ୍ଦ ସାରଂକ ଘରେ |ଅଜନ୍ତା କହିଲେ,ମୁଁ ସେଇଆ ଭାବିଥିଲି |ହଉ,ତୋର ଯାହା ଇଚ୍ଛା,ତାହା କର |ସେ ତା ପାଇଁ ଖାଦ୍ୟ ପ୍ଲେଟରେ ନେଇ ଆସିଲେ |
                  ଅନୁପମ ଖାଉ ଖାଉ କହିଲା,ମାମା,ମୁଁ ଗୋଟିଏ ଝିଅକୁ ଦେଖିଛି,ଭାରି ଭଲ ଝିଅ,ତମେ ରାଜି ହେଲେ.....|ଅଜନ୍ତା ହସି ଦେଇ କହିଲେ,ମୋ ରାଜି ଅରାଜିରେ କଣ ଅଛି?ମୁଁ ଡାଡିଂକୁ କହିବି,ସେ ରାଜିହେଲେ ପ୍ରସ୍ତାବ ପକେଇବା |
            ଅନୁପମ କହିଲା,ଡାଡ୍ ରାଜି ହେବେନି |
            - କାହିଁକି,କଣ ହୋଇଛି ?
            - ସେ ଖଣ୍ଦାୟତ ଘର,ମଧ୍ୟବିତ୍ତ ପରିବାରର ଝିଅ |ଅଜନ୍ତା ଦୀର୍ଘ ନିଃଶ୍ବାସ ପକାଇ କହିଲେ,ମୁଁ ଏବେ କରିବି କଣ ?ଏମିତି ଜାଗାରେ ଝିଅ ପସନ୍ଦ କରିବୁ,ଯେଉଁଠି ଅରାଜିର ପ୍ରଶ୍ନ ନଥିବ |
           ଅନୁପମ ବିରକ୍ତ ହୋଇ କହିଲା,ମୁଁ ଜାଣେ,ମୋ ବାହାଘରରେ ବାଜା ବାଜିବନି, ବାଣ ଫୁଟିବନି କି ପୁରୋହିତ ମନ୍ତ୍ର ପଢିବନି |ଛାଡ଼,ତମକୁ କହି କିଛି ଲାଭ ନାହିଁ |ଖାଇ ସାରି,ମୁହଁ ଧୋଇ, ଟାୱେଲରେ ମୁହଁ,ହାତ ପୋଛି ସେ ନିଜ ରୁମକୁ ଫେରି ପୋଷାକ ପରିବର୍ତ୍ତନ କଲା |ତାପରେ ବାହାରକୁ ଆସି ବାଇକ ଷ୍ଟାର୍ଟ କରି ୟୁନିଭରସିଟି ଅଭିମୂଖେ ଗାଡି ଛୁଟାଇଲା |ଆନନ୍ଦ ଦାସଂକ କଲେଜ ସ୍ବୀକୃତି ପାଇବାକୁ ଯାଉଛି,ଏ ବିଷୟରେ କଣ ଅଗ୍ରଗତି ହେଲା,ତାକୁ ସେକଥା ବୁଝିବାକୁ ପଡିବ |
           ସୁରେଶ ବାହାରେ ବସି ସିଗାରେଟ ଟାଣୁଥିଲା |ଅନୁପମକୁ ଦେଖି କହିଲା,ହ୍ୟାଲୋ ଅନୁ,କଣ ଖବର ?ଅନୁପମ ତା ପାଖକୁ ଆସି କହିଲା,କଲେଜ ଖବର ବୁଝିବାକୁ ଆସିଲି |ତୁ ସେଇ କାମରେ ଏଇଠି ନାଁ ଅନ୍ୟ କୌଣସି କାମରେ ?
           ସୁରେଶ ପ୍ରଜାମଣ୍ଡଳର ପାର୍ଟି ସମ୍ପାଦକ ଓ ଅନୁପମର ପ୍ରତିଦ୍ବନ୍ଦୀ |ଏକଦା ତାର ଏକନିଷ୍ଠ କାର୍ଯ୍ୟକଳାପ ପାଇଁ ସେ ଆନନ୍ଦ ଦାସଂକ ପ୍ରିୟପାତ୍ର ହୋଇଥିଲା |କିନ୍ତୁ ଅନୁପମ ଆସିବାପରେ ସବୁକିଛି ବଦଳି ଯାଇଛି |ବର୍ତ୍ତମାନ ଅନୁପମର ବିନା ସହାୟତାରେ ଆନନ୍ଦ ବାବୁ କିଛି କରୁନାହାନ୍ତି |ଫ୍ଲାଇଟରୁ ଓଲ୍ହାଇବା ପରେ ସେ ପ୍ରଥମେ ଅନୁପମକୁ ଖୋଜନ୍ତି ଓ କୌଣସି କାର୍ଯ୍ୟକ୍ରମ ସ୍ଥିର କରିବାବେଳେ ତାଂକ ଦକ୍ଷିଣପାର୍ଶ୍ବରେ ଅନୁପମ ଥାଏ |ଏଥିପାଇଁ ଅନ୍ୟମାନଂକ ମନରେ ମଧ୍ୟ ଏକ ହାଲକା ଧରଣର ଈର୍ଷାଭାବ ରହିଛି |କିନ୍ତୁ ସୁରେଶ ପାଇଁ ଏହା ଏକାବେଳକେ ଅସହ୍ୟ |ତା ଆଖିରେ ବର୍ତ୍ତମାନ ଜଳ ଜଳ ହୋଇ ଦିଶିଲାଣି ଯେ ତାଂକ ପାର୍ଟି କ୍ଷମତାକୁ ଆସିଲେ,ଅନୁପମ ଡେପୁଟି ସି.ଏମ. କିମ୍ବା କୌଣସି ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ ମିନିଷ୍ଟର ହେବ |ତଥାପି ଓଠ ଚିପି ତାକୁ ସବୁ ସହିବାକୁ ପଡେ |କାରଣ ଆନନ୍ଦ ବାବୁଂକୁ ରଗାଇଲେ,ସବୁକିଛି ଓଲଟପାଲଟ ହୋଇଯିବ |କିନ୍ତୁ ଅନ୍ତର ମଧ୍ୟରେ ଅନୁପମକୁ ଧରାଶାୟୀ କରିବାପାଇଁ ସେ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନଥିଲା |ସେ ଜାଣିଲା,ଦୁହେଁ ୟୁନିଭରସିଟିକୁ ଏକା ଉଦ୍ଦେଶ୍ୟରେ ଆସିଛନ୍ତି |କହିଲା,ଏ କାମ ଟା ଆନନ୍ଦ ସାର୍ ତତେ ଦେଇଥିଲେ,ତୁ ଏତେବେଳକୁ ହଲି ହଲି ଆସୁଛୁ ?
            ଅନୁପମ ବେପରୁୱା କଣ୍ଠରେ କହିଲା,ଆସିଲି ତ କଣ ହେଲା ?ତୁ ଆଗରୁ ଆସି କଣ ଏମିତି ଛିଣ୍ଡେଇ ପକେଇଛୁ ଶୁଣେ ?ସୁରେଶ ତାକୁ ଏକ ଲମ୍ବା ବିବରଣୀ ଦେଇ, ଫାଇଲର ବର୍ତ୍ତମାନ ପୋଜିସନ ବିଷୟରେ କହିଲା ଓ ଅନୁପମକୁ ତୃପ୍ତ ଦୃଷ୍ଟିରେ ଚାହିଁଲା |ଅନୁପମ ସ୍ମିତ ହସି କହିଲା,ତୋ ଦ୍ବାରା ଯଦି କାମ ଟା ହୋଇ ପାରୁଥାଆନ୍ତା ତାହାଲେ ଆନନ୍ଦ ସାର୍ ମତେ ସେ ଦାୟିତ୍ତ୍ବ ଦେଇ ନଥାନ୍ତେ |କଥା ଶେଷକରି ସେ ସେଠାରୁ ଦ୍ରୁତଗତିରେ ଚାଲିଗଲା |ତାର ଯିବା ବାଟକୁ ଚାହିଁ ସୁରେଶ କ୍ରୋଧରେ ଜଳି ଉଠିଲା |ଭି.ସି.ଜରୁରୀକାଳିନ ମିଟିଂରେ ବ୍ୟସ୍ତ ,ସେଇଥିପାଇଁ ସେ ଅପେକ୍ଷା କରିଥିଲା |ଅନୁପମ କଣ କରୁଛି ଦେଖିବା ପାଇଁ ସେ ଭିତରକୁ ଗଲା |କିନ୍ତୁ ଅନୁପମ କେଉଁଠାରେ ଯେପରି ହଜି ଯାଇଥିଲା |ସମ୍ଭାବ୍ୟ ସ୍ଥାନଗୁଡିକ ଦେଖିସାରିବା ପରେ ସେ ଭି.ସିଂକ ରୁମ ଆଡକୁ ଗଲା |ସେଠାରେ ଅନୁପମ ଭି.ସିଂକ ସହିତ ଆଲୋଚନାରତ ଥିଲା |ମନ ଊଣା କରି ସେ ସେଠାରୁ ଧୀରେ ଧୀରେ ଅପସରି ଗଲା  |
             ଭି.ସିଂକ ସହିତ ଆଲୋଚନା ସଫଳ ହୋଇଥିବାରୁ ଅନୁପମ ଖୁସିମନରେ ଫେରିଲା |କିଛିଦିନ ଭିତରେ ଆନନ୍ଦ ସାରଂକ କଲେଜ ସ୍ବୀକୃତି ପାଇବାକୁ ଯାଉଛି |ନିଜ ହାତଘଣ୍ଟାକୁ ସେ ଚାହିଁଲା |ଜୁନ ଦଶ |ଆନନ୍ଦ ସାର୍ ଫେରିବାକୁ ଆହୁରି ସାତଦିନ ବାକି ଅଛି |ୟା ଭିତରେ ବନହଂସୀ ସହିତ ଦେଖା ହେବା ଦରକାର |ଯୋଗକୁ ବନହଂସୀ ମୁହଁ ଶୁଖେଇ କେତେବେଳଠାରୁ ତାକୁ ଅପେକ୍ଷା କରି ଛିଡା ହୋଇଥିଲା |ତାକୁ ଦେଖି ଅନୁପମ ମନ ଖୁସିରେ ଭରିଗଲା |କିନ୍ତୁ ଏ ଖୁସି କ୍ଷଣସ୍ଥାୟୀ ଥିଲା |ବନହଂସୀଠାରୁ ଜାଣିଲା, ଅନୁପମର ମଉସା ମାଉସୀ ବିବାହ ପ୍ରସ୍ତାବ ନେଇ ବନହଂସୀଂକ ଘରକୁ ଯାଇଥିଲେ କିନ୍ତୁ ତାର ପିତା ମାତା ଅନୁପମ ସହିତ ବିବାହ ହୋଇ ପାରିବନି ବୋଲି ରୋକଠୋକ୍ ଜଣେଇ ଦେଲେ |ଅନୁପମର ମୁଣ୍ଡରେ ବଜ୍ରପାତ ହେଲା ଯେପରି |କିନ୍ତୁ ନିଜକୁ ସମ୍ଭାଳି ନେଇ ସେ କହିଲା,ଭଲ ହେଲା ,ମୋ ପରି ଗୋଟାଏ ଲଫଂଗାକୁ ବାହାହୋଇ ତମେ କାହିଁକି ଅଯଥା ରିସ୍କ ନେବ !ଆଛା ,ମୁଁ ଯାଉଛି |ବନହଂସୀ ଆଖିରୁ ଅନେକ ଲୁହ ଧାର ଝରି ପଡିଲା |ସେ କହିଲା,ତମେ ଏଥିରେ ଖୁସି ?
              ଅନୁପମ କହିଲା,ଦେଖ ବୁନୁ,ସତକଥା କହିଲେ,ତମେ ମନଦୁଃଖ କରିଵ |ତୁମେ ଜାଣ,ରାଜନୀତି ହେଉଛି,ମୋର ଫାଷ୍ଟ ଲଭ୍,ତାପରେ ଆଉ ଯାହା |ମୋ ପାଇଁ 'ପ୍ରେମ' ଟାଇମ ପାସ ପାଇଁ ଗୋଟାଏ ପନ୍ଥା |ତେଣୁ ସେଥିପାଇଁ ମୁଁ ଅଯଥା ଗୁଡାଏ ଟଣାଓଟରା ବା କଷ୍ଟ କରିବାକୁ ଇଚ୍ଛା କରେନା |ତମେ ବୋଧହୁଏ ଜାଣନା,ତମେ ମୋ ଜୀବନକୁ ଆସିବା ପୂର୍ବରୁ ମୁଁ ଅନେକ ତରୁଣୀଂକୁ ଭେଟିଛି ଓ ଜୀବନକୁ ଖୁବ୍ ଉପଭୋଗ କରିଛି |କିନ୍ତୁ ତମ ସହିତ ସାକ୍ଷାତ ଥିଲା,ଏକଦମ ଭିନ୍ନ -ତମକୁ ହରାଇବା କଥା ମୁଁ ସ୍ବପ୍ନରେ ସୁଦ୍ଧା ଭାବିପାରୁନି |ହେଲେ ବର୍ତ୍ତମାନ ମୁଁ ଯେଉଁ କ୍ଷେତ୍ରରେ ପାଦ ଥାପିଛି,ସେଠାରେ ଏ ପିଲାଳିଆମି ଶୋଭା ପାଏନା |ଗୁଡ ବାଏ ବୁନୁ |(କ୍ରମଶଃ )
               

Saturday, December 21, 2019

ନିଶୀଥ ଜ୍ୟୋତ୍ସ୍ନା (ତିନି)

                      ସନ୍ଧ୍ୟାରେ ଅନୁପମର ପିତାମାତା ହିମାଂଶୁ ଓ ଅଜନ୍ତା ଆସିବାପରେ ଯାଇ ନିଜ କର୍ତ୍ତବ୍ୟରୁ ବିରତି ପାଇଲା |ରାତିରେ ପାର୍ଟିର ଜରୁରୀକାଳୀନ ମିଟିଂ ଥିବାରୁ ସେ ସେଠାକୁ ଚାଲିଗଲା |
                        ମିଟିଂ ରେ ଆନନ୍ଦ ଦାସ ଅନୁପମକୁ ମୃଦୁ ଭର୍ତ୍ସନା କରି କହିଲେ,ଅନୁ,ତୁ ନିଜ କାମରେ ଘୋର ଅବହେଳା କରୁଛୁ |ବର୍ତ୍ତମାନ ହେଉଛି,କୃସିଆଲ ପିରିୟଡ |ଏତିକିବେଳେ ତୁ ଏମିତି ଢିଲା ହେଲେ ଚଳିଵ ?କାଲି ଆମର କେତେଗୁଡିଏ ପ୍ରୋଗ୍ରାମ୍ ଅଛି,ତାକୁ ଯେମିତି ହେଉ ସକସେସଫୁଲ କରିବାକୁ ପଡିବ ;  ନହେଲେ ଆମେ ବଦନାମ ହୋଇଯିବା |ତୁ ଆଜି ସେ ଏମ.ଏଲ୍.ଏ.କୁ ସାଂଗରେ ନେଇ କଣ ସବୁ ଆରେଂଜମେଣ୍ଟ ହୋଇଛି ତଦାରଖ କରିବୁ |ମୁଁ କାଲି ସକାଳେ ଯିବି,ସେଇଠି ତୋ ସାଂଗରେ ଦେଖା ହେବ |
                    ଏତେସବୁ କାର୍ଯ୍ୟକ୍ରମ ଭିତରେ ତାର ଆଉ ବନହଂସୀ ସାଂଗେ  ଦେଖା ହୋଇ ପାରିଲାନାହିଁ |ସଭାରେ ସହସ୍ରାଧିକ ଜନ ସମାବେଶ ହୋଇଥିଲା |ପ୍ରିୟନେତା ଆନନ୍ଦ ଦାସଂକୁ ପାଛୋଟି ନେବାପାଇଁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରତିକ୍ଷା କରିଥିଲେ |ଆନନ୍ଦ ଦାସ ଭାଷଣ ଦେବା ପୂର୍ବରୁ ଅନୁପମକୁ କିଛି କହିବାକୁ ପଡିଥିଲା |ସେ କହିଲା,ବନ୍ଧୁଗଣ,ଆମ ଅଂଚଳର ଦୁର୍ଦ୍ଦଶା କଥା କହିଲେ ନସରେ |ପିଇବା ପାଇଁ ପାଣି ମୁନ୍ଦାଏ ନାହିଁ,ଚାଉଳ ମିଳୁନାହିଁ,କାମଧନ୍ଦା ନାହିଁ |ଗତ ନିର୍ବାଚନରେ ଲୋକେ ଶାସକଦଳକୁ ଭୋଟ ଦେଇ ନଥିଲେ ବୋଲି,ଗ୍ରାମରେ ନଳକୂପ ମରାମତି ହେଲାନାହିଁ |ଗ୍ରାମମୁଣ୍ଡରେ ଉଠା ଜଳସେଚନ ପଏଣ୍ଟରେ ବିଜୁଳି ସଂଯୋଗ କରାଯାଉଥିବାବେଳେ,ଆଭ୍ୟନ୍ତରୀଣ ଅଂଚଳରେ ତାହା କରାଯାଉନାହିଁ |ଗ୍ରାମରେ ଥିବା ଦଳପୂର୍ଣ୍ଣ ପୋଖରୀ ଲୋକେ ବ୍ୟବହାର କରୁଛନ୍ତି ଓ ଏହାର ଦୂଷିତ ପାନୀ ପିଇ ରୋଗରେ ପଡୁଛନ୍ତି |ଶାସକଦଳ ସମର୍ଥକ ଖୋଲାଖୋଲି ପ୍ରଚାର କରୁଛନ୍ତି ଯେ ଗ୍ରାମବାସୀମାନେ ସେମାନଂକୁଭୋଟ ଦେଇ ନଥିବାରୁ,ଏଠାରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯିବନାହିଁ |ଲୋକଂକ ଦୁଃଖଦୁର୍ଦ୍ଦଶା ବଢି ଚାଲିଥିବାବେଳେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରାଯାଉଛି |ବର୍ତ୍ତମାନ ଆମ ରାଜ୍ୟରେ ଗ୍ରାମାଂଚଳ ଲୋକେ ପାନୀୟଜଳ ପାଇଁ ଛଟପଟ ହେଉଛନ୍ତି,ବିଜୁଳିବତୀ ନାହିଁ,ଲୋକେ କାମ ପାଉନାହାନ୍ତି ,ସେଥିପ୍ରତି ସରକାରଂକ ଦୃଷ୍ଟି ନାହିଁ,ଅଥଚ  କୋଟି କୋଟି ଟଂକା ବ୍ୟୟରେ ସହର ସଜେଇବା କାମ ଚାଲିଛି |ସରକାରୀବାବୁ ମାନେ ସରକାରୀ ସମ୍ପତ୍ତି ଆତ୍ମସାତ୍ କରି ମାଲାମାଲ ହେଉଛନ୍ତି |ଯେଉଁମାନେ ଆଜି କ୍ଷମତା ବଳରେ ଧରାକୁ ସରା ମଣୁଛନ୍ତି,ସେମାନେ କେବେହେଲେ ବେଶିଦିନ କ୍ଷମତାରେ ତିଷ୍ଠି ରହି ପାରିବେନି |ଆଜିଠାରୁ ତାଂକର ପତନର ଦିନ ଆରମ୍ଭ ହୋଇଗଲା ବୋଲି ଜାଣନ୍ତୁ |ଆମକୁ ଏ ପ୍ରକାର ଅନ୍ୟାୟ,ଅନୀତି,ଅବିଚାର ଓ ପକ୍ଷପାତିତା ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡିବ |ସେଦିନ ଆଉ ବେଶିଦିନ ନାହିଁ,ଯେଉଁଦିନ ଆମେ ସମସ୍ତେ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକଜୁଟ ହୋଇ ଆମ ଅଂଚଳର ବିକାଶ ଦିଗରେ ଆଗେଇ ଯିବା |ବର୍ତ୍ତମାନ ମୋ ସହିତ ସ୍ବର ମିଳାଇ ଆପଣମାନେ ଏକସ୍ବରରେ କୁହନ୍ତୁ,'ପ୍ରଜାମଣ୍ଡଳ ଜିନ୍ଦାବାଦ' |ଖୁବ୍ ଜୋରରେ 'ଜିନ୍ଦାବାଦ' ଧ୍ବନି ପ୍ରତିଧ୍ବନିତ ହୋଇ ଉଠିଲା |ଆନନ୍ଦ ଦାସ ଆନନ୍ଦିତ ହୋଇଗଲେ |ସେ ପ୍ରଶଂସାପୂର୍ଣ୍ଣ ଦୃଷ୍ଟିରେ ଅନୁପମକୁ ଚାହିଁ ନିଜ ବକ୍ତବ୍ୟ ଆରମ୍ଭ କଲେ |ତାଂକର ପ୍ରତିଟି ବକ୍ତବ୍ୟକୁ ଶ୍ରୋତାମାନେ କରତାଳି ଦ୍ବାରା ସମର୍ଥନ ଜଣାଇଲେ |ସଭାକାର୍ଯ୍ୟ ଶେଷହେବା ପରେ ପାର୍ଟି ଗାଡିରେ ସମସ୍ତେ ଭୁବନେଶ୍ବର ଫେରି ଆସିଲେ |ପାର୍ଟି ଅଫିସରେ ରାତ୍ରୀ ଭୋଜନ ହେଲା |ନାନାପ୍ରକାର ଖୁସିଗପ ମଧ୍ୟରେ ଆନନ୍ଦ ଦାସ କହିଲେ,ଅନୁ,ଆଜିର 'ଗଣତନ୍ତ୍ର' ପେପର ଦେଖିଛୁ ?ଅନୁପମ କହିଲା,ହଁ ସାର୍ ଦେଖିଛି  |ଆନନ୍ଦ ବାବୁ କହିଲେ,ସେଥିରେ 'ବନ୍ଦେ ମାତରଂ' ପାର୍ଟିର କେହି ଜଣେ ମୋ ନାଁରେ ଗୁଡାଏ ଲେଖିଛି |ଅନୁପମ କହିଲା,ହଁ ,ମୁଁ ପଢିଛି |ତାର ଠିକଣା ଜବାବ ମୋ ପାଖରେ ଅଛି |ଯେବେ ଦେଖାହେବ,ଗୋଟାଏ ମୁଥ ମାରିବି ଯେ ତାର ସବୁଯାକ ଦାନ୍ତ ଝଡିଯିବ |ସେ ଆଉ ଦିନେ 'ପ୍ରଜାମଣ୍ଡଳ'ର କାହାରି ନାମରେ ଲେଖିବାର ଦୁଃସାହସ କରିବନି |ଆନନ୍ଦ ଦାସ ମୃଦୁ ହସି କହିଲେ,ଏତେ ଉତ୍ୟକ୍ତ ହେଲେ ଚଳିବନି |ଆମକୁ ଭାବିଚିନ୍ତି ଧିରେ ସୁସ୍ଥେ ଅଗ୍ରସର ହେବାକୁ ପଡିବ |କାରଣ କ୍ଷମତା ହାସଲ ଆମର ଏକମାତ୍ର ଉଦ୍ଦେଶ୍ୟ ନୁହେଁ |ଆମେ ଚାହୁଁ ଓଡିଶାର ସର୍ବାଂଗୀନ ଉନ୍ନତି |ଆମ ପାଇଁ ଦଳ ନୁହେଁ,ଓଡିଶାବାସୀ ବଡ଼ |ସମସ୍ତ ପ୍ରକାର ସ୍ବାର୍ଥକୁ ଉର୍ଦ୍ଧ୍ବରେ ରଖି ଆମେ କାମ କରିବା |ସେ ବରିଷ୍ଠ ପାର୍ଟି ସମ୍ପାଦକ ଶରତ ରାଉତଂକୁ କହିଲେ,ମୁଁ କାଲି ଦିଲ୍ଲୀ ଯିବି,ଫେରିବି ସତରରେ |ଅଠର ତାରିଖ ଦିନ ଆମର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ |ତୁମେ ଏହା ଭିତରେ ସମସ୍ତ ପ୍ରସ୍ତୁତି ଶେଷ କରିଥିବ |
                ଭୋଜନ ଶେଷ ହେବା ବେଳକୁ ରାତି ଗୋଟାଏ ହୋଇ ଯାଇଥିଲା |ଅନୁପମର ଆଉ ଘରକୁ ଫେରିବାକୁ ଇଛା ହେଉନଥିଲା |ତାର ମନୋଭାବ ଲକ୍ଷ୍ୟ କରି ଆନନ୍ଦ ବାବୁ କହିଲେ,ଅନୁ,ରାତି ବେଶୀ ହେଲାଣି,ତୁ ଆ' ଆମଘରେ ଶୋଇବୁ |ସଂଗେ ସଂଗେ ଅନୁପମ ରାଜି ହୋଇଗଲା |ଅନ୍ୟ କେତେଜଣ ସହକର୍ମୀଂକ ମନରେ ଈର୍ଷା ଜନ୍ମାଇ ସେ ତାଂକ କାରରେ ଉଠିଲା |
                     ଆନନ୍ଦ ଦାସ ଏକଦା ବଛା ବଛା କେତେଜଣ କୋଟିପତିଂକ ମଧ୍ୟରେ ଅନ୍ୟତମ ଥିଲେ |ସେ ନିଃସନ୍ତାନ |ପତ୍ନୀ ଅନେକ ଦିନରୁ ମୃତ୍ୟୁବରଣ କରିଛନ୍ତି |ତାପରେ ସେ ଏକପ୍ରକାର ସନ୍ୟାସ ଜୀବନଯାପନ କରୁଛନ୍ତି |ତାଂକ ଦୃଷ୍ଟିରେ  ରାଜନୀତିରେ କଳୁଷତାର ସ୍ଥାନ ନାହିଁ ଓ ଜଣେ ରାଜନୀତିଜ୍ଞର ପ୍ରଥମ ଯୋଗ୍ୟତା ହେଲା ସତଚରିତ୍ର , ଦ୍ବିତୀୟଟି ହେଲା,ନିଃସ୍ବାର୍ଥପରତା |
                   ଅନୁପମ ଗାଡିରେ ବସି ଏକପ୍ରକାର ଢୁଳାଉ ଥିଲା |ତା ନିଜ ବାଇକ ପାର୍ଟି ଅଫିସରେ ପଡି ରହିଥିଲା |ଆନନ୍ଦ ବାବୁଂକ କରସ୍ପର୍ଶରେ ତା ନିଦ ଭାଂଗିଗଲା |ସେ ମୁରୁକି ହସି ପୁଣି ଢୁଳାଇଲା |
                   ଅନୁପମ ଉପରେ ଆନନ୍ଦ ବାବୁଂକ ପ୍ରଗାଢ଼ ବିଶ୍ବାସ ଥିଲା |ଟିକିଏ ପ୍ରଶିକ୍ଷଣ ଦେଲେ ସେ ଯେ ଜଣେ ଦକ୍ଷ ନେତା ହୋଇପାରିବ,ଏ ଭରସା ତାଂକର ଥିଲା |ଘରେ ପହଁଚିବା ପରେ ଗୃହ ପରିଚାରକ ତା ପାଇଁ ଉଦ୍ଦିଷ୍ଟ ଥିବା କୋଠରୀକୁ ଖୋଲି ବିଛଣା ଚାଦର ଓ ତକିଆ ଖୋଳ ବଦଳାଇ ଦେଲା |ଅନୁପମ ବିଛଣାରେ ନିଜ ଅବଶ ଶରୀରକୁ ଲୋଟାଇ ଦେଲା |କିନ୍ତୁ ତା ଆଖିକୁ ନିଦ ଆସୁନଥିଲା |ରହି ରହି ବନହଂସୀ କଥା ବହୁତ ମନେ ପଡୁଥିଲା |ତା ଜୀବନରେ ଯେତେ ଝିଅ ଆସିଛନ୍ତି,ସମସ୍ତଂକ ଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ |ତା ଠାରେ ଉଗ୍ରତା ନାହିଁ,ବରଂ ଭରି ରହିଛି,ଏକ ସ୍ନିଗ୍ଧ କୋମଳତା |ହଠାତ ତା ମନକୁ ଭାବନା ଆସିଲା,ସେ ବନହଂସୀକୁ ବିବାହ କରିଗଲେ,କ୍ଷତି କଣ ?ତା ମନ ଅସ୍ଥିର ହୋଇ ଉଠିଲା  |ଶୋଇବାକୁ ଶତ ଚେଷ୍ଟା କରି ମଧ୍ୟ ସେ ଶୋଇପାରୁନଥିଲା |ରାତି କ୍ରମେ ବଢି ଚାଲିଥିଲା |(କ୍ରମଶଃ )
             

ନିଶୀଥ ଜ୍ୟୋତ୍ସ୍ନା (ଦୁଇ)

                           ବନହଂସୀ ଆସୁଥିଲା |ଅନେକ ଦୂରରୁ ତାକୁ ଦେଖି ଅନୁପମ ଓଠରେ ହସ ଖେଳିଗଲା |ସେ ଭାବିଲା,ଏଇ ଝିଅକୁ ସେ ପୁଣି ପ୍ରତାରିତ କରିବ !କି ଅସମ୍ଭବ କଥା !! ଏମିତି ଏକ ସରଳ ସୁନ୍ଦର ଝିଅକୁ ନିଜ ମନର ମାନସୀ ରୂପେ କଳ୍ପନା କରି ସେ କେତେ ଯେ ସ୍ବପ୍ନ ଦେଖିଛି !!!
                 ସେଦିନ ତାର ବନ୍ଧୁ ରଣଜିତ ପଚାରିଥିଲା,କିରେ ତୁ ପ୍ରକୃତରେ ବାହାହବୁ ନାଁ ଏମିତି ଫାଜିଲ ଝିଅଂକ ପଛରେ ଗୋଡେଇ ତୋ ଯୌବନ ପାହିଯିବ !ଉତ୍ତରରେ ଅନୁପମ କହିଥିଲା,ଭାବିଛି,ବାହା ହେବିନି ..କାଳେ ଯଦି ମୋ ଭଳି ମୋ ସ୍ତ୍ରୀ ହୋଇଥିବ !!ରଣଜିତ ଆଶ୍ଚର୍ଯ୍ୟ ହୋଇ କହିଥିଲା,ତୋର ଯେମିତି ଚରିତ୍ର,ତୁ କେମିତି ଭଲ ସ୍ତ୍ରୀ ପାଇବାକୁ ଆଶା କରୁଛୁ ଯେ ?ଅନୁପମ ଉତ୍ତରରେ କହିଥିଲା,ମୁଁ ଏମିତି ଏକ ସ୍ତ୍ରୀ ଚାହେଁ,ଯାହାକୁ ପାଇଲେ,ମୋ ଚରିତ୍ର ମନକୁ ମନ ସଂଶୋଧନ ହୋଇଯିବ |
               ରଣଜିତ ତାତ୍ସଲ୍ୟ କରି କହିଥିଲା,ତୁ ଯେଉଁ ପାପ କରିଛୁ,ଭଲ ଜିନିଷ ମିଳିଲେ ବି ତୁ ତାକୁ ଭୋଗ କରି ପାରିବୁନାହିଁ |...
    ସାଂଗମାନେ ଏମିତି ବହୁତ କଥା କହନ୍ତି |ତାଂକ କଥାକୁ ସେ ଗୁରୁତ୍ବ ଦିଏନାହିଁ |ଭବିଷ୍ୟତରେ କଣ ହେବ ,ସେଥିପାଇଁ ବର୍ତ୍ତମାନଠାରୁ ଚିନ୍ତାକରି ଲାଭ କଣ ?
                  ବନହଂସୀ ପହଂଚିଗଲା |ତାକୁ ହାତଘଣ୍ଟା ଦେଖାଇ କହିଲା,କେତେଟା ବାଜିଛି ଦେଖିଲ ?ମୁଁ ଘଣ୍ଟାଏ ହେଲାଣି ଅପେକ୍ଷା କରିଛି |ବନହଂସୀ ମୃଦୁ ହସି କାନଧରି କହିଲା,'ସରି' |ଅନୁପମ ହସିଲା |ତାର ମନେ ହେଉଥିଲା,ବନହଂସୀର ସରଳତା ତା ମନରେ ଥିବା ସମସ୍ତ ଆବିଳତାକୁ ଧୋଇ ନେଉଛି ଯେମିତି |ସେ ବାଇକ ଷ୍ଟାର୍ଟ କଲା |ପଛରେ ବନହଂସୀ ବସିଲା |ତାକୁ ସେ ନିଜ ଘରକୁ ନେଇ ଆସିଲା |ବ୍ୟବସାୟ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ  ତାର ପିତାମାତା ଉଭୟ ବମ୍ବେ ଯାଇଥିବାରୁ,ତା ପାଇଁ ଏହା ଥିଲା,ସୁବର୍ଣ୍ଣସୁଯୋଗ |
                 ବନହଂସୀ ଅନୁପମର ସୁଦୃଶ୍ୟ ବହୁତଳପ୍ରାସାଦ ଦେଖୁଥିଲା |ଏହାର ଚତୁଃପାର୍ଶ୍ବରେ ଏକ ସୁନ୍ଦର ଉପବନ ଘେରି ରହିଥିଲା |ତାର ମୁଗ୍ଧ ଦୃଷ୍ଟିକୁ ଚାହିଁ ହସିଲା ଅନୁପମ |କହିଲା,ଭିତରକୁ ଚାଲ,ଆହୁରି ବହୁତ ଜିନିଷ ଦେଖିବାପାଇଁ ଅଛି  |ବନହଂସୀ ପଚାରିଲା,ଘରେ କେହି ନାହାନ୍ତି?ଅନୁପମ କହିଲା,ନିହାତି ଫାଂକା ଅବଶ୍ୟ ନୁହେଁ |ଚାକର ପୂଜାରୀ ଅଛନ୍ତି ,ମାଳୀ ବି ଅଛି |ସାନଭାଇ ୟୁ.ଏସ.ଏ.ରେ ଏମ.ବି.ଏ.କରୁଛି |ମଝିଆ ଭାଇ ବାହାରକୁ ଯାଇଛି,ଯେ କୌଣସି ମୁହୂର୍ତ୍ତରେ ଆସିପାରେ |
             ବନହଂସୀ ପୁଣି ପଚାରିଲା,ମାଉସୀ ନାହାନ୍ତି ?
          ଅନୁପମ ତାର ଭ୍ରମ ସଂଶୋଧନ କରି କହିଲା,ମାଉସୀ ନୁହେଁ,କୁହ 'ଆଣ୍ଟି' |ମମ୍ ଡାଡ୍ ଦୁଇଜଣ ବମ୍ବେ ଯାଇଛନ୍ତି,ଗୋଟେ ଷ୍ଟୋର୍ ଆଇଟମ ର ମାଟେରିଆଲ୍ ଆସେସମେଣ୍ଟ ବିଷୟରେ ଡିସ୍କସନ କରିବାକୁ ,କି ଏମିତି କଣ ହୋଇଥିବ |ଅଶୋକକୁ ପଚାରିଲେ,ସେ ଡିଟେଲସ କହିଦେବ |
             ବନହଂସୀ କହିଲା,ତମେ ଘରର ବଡପୁଅ ,ଏ ବିଷୟରେ କିଛି ଜାଣିନ ??
          ଅନୁପମ କହିଲା,ଦେଖ ବୁନୁ ,ମୋର ଯେଉଁଥିରେ ଆଗ୍ରହ ନଥାଏ,ମୁଁ ସେଥିରେ ମୁଣ୍ଡ ପୁରାଏ ନାହିଁ |ପଲିଟିକସ୍ ମୋର ଫେଭୋରାଇଟ ସବଜେକ୍ଟ |କମ୍ପାନୀ କାମ ବଡ ଜଂଜାଳ |ସମସ୍ତଂକୁ ଆଜ୍ଞା ଆପଣ କହିବାକୁ ପଡିବ,ଘୁଷ୍ ଦେବାକୁ ପଡିବ,ଝାଳନାଳ ହୋଇ କମ୍ପିଟିସନ କରିବାକୁ ପଡିବ |ମୋର ସେ ଝାମେଲାରେ ପଶିବାର ନାହିଁ କି ସେ କାମ କରିବାର ନାହିଁ |
               ବନହଂସୀ ସହିତ ସେ ଉପର ମହଲାକୁ ଗଲା ଓ ସେଠାରେ ନିଜ ରୁମର ଚାବି ଖୋଲିଲା |ବନହଂସୀ କହିଲା,ଏଇଠି ମତେ ଅଣନିଃଶ୍ବାସୀ ଲାଗୁଛି |ତଳେ ଗାର୍ଡେନରେ କେତେ ସୁନ୍ଦର ଫୁଲ ଫୁଟିଛି,ଚାଲ ସେଇଠି ବସିବା |ଅନୁପମ ରୁମର୍ ତାଲା ଖୋଲି କବାଟ ଖୋଲି ସାରିଥିଲା |ସେ ବନହଂସୀ କଥାର ଉତ୍ତର ନଦେଇ,ରୁମର୍ ସବୁ ଝରକା ଖୋଲି ଦେଲା |ପ୍ରଚୁର ଆଲୋକ ଓ ପବନ ରୁମ ଭିତରକୁ ପଶିଆସିଲା |ସେ କହିଲା,ଜାଣିଛ,ମୁଁ ତମକୁ କାହିଁକି ଏଠିକି ଆଣିଛି ?ବନହଂସୀ ମୁଣ୍ଡ ହଲାଇ କହିଲା,ନାଁ-ତୁମେ କୁହ |
               ଅନୁପମ ବନହଂସୀ ମୁହଁକୁ ଗଭୀର ଭାବରେ ନୀରିକ୍ଷଣ କରି କହିଲା,ଆଛା ବୁନୁ,ମୁଁ ଯଦି ତମକୁ ଏଠାରେ ବନ୍ଦୀ କରି କିଛି ଖରାପ କାମ କରେ,ତମେ କଣ କରିବ ?ବନହଂସୀ ସ୍ମିତ ହସି କହିଲା,ତମେ ମତେ ପରୀକ୍ଷା କରୁଛ ନାଁ ?ଶୁଣ,ମୋ ଜୀବନରେ ଆଜିପର୍ଯ୍ୟନ୍ତ ସେମିତି କିଛି ଅପ୍ରୀତିକର ଦୁର୍ଘଟଣା ଘଟିନି |ଅନେକ ବିପଦ ଆସିଛି,କିନ୍ତୁ ମୁଁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛି |ମତେ ଲାଗେ ,କେଉଁ ଏକ ଅଦୃଶ୍ୟ ଶକ୍ତି ଯେପରି ମତେ ରକ୍ଷା କରି ଚାଲିଛି |ତା କଥା ଶୁଣି ଅନୁପମର ମୁହଁ ଶୁଖିଗଲା |ସେ କହିଲା,ଏସବୁ ବେକାର କଥା |ମୁଁ ଏହାକୁ ବିଶ୍ବାସ କରେନାହିଁ |ଆଛା ଆଜି ପରୀକ୍ଷା କରିବା ?
              ବନହଂସୀ ଅନୁପମ କଥା ବୁଝି ପାରୁନଥିଲା |ଅନୁପମ କିନ୍ତୁ ମତୁଆଲା ହୋଇ ଯାଇଥିଲା |ଅନେକ ତରୁଣୀଂକୁ ପ୍ରେମ କରି ସେ ପ୍ରେମର ଅର୍ଥ କେବଳ ଶଯ୍ୟାସୁଖ ବୋଲି ବୁଝିଥିଲା |ବନହଂସୀ ଯେଉଁ ସ୍ତରରେ ତାକୁ ଭଲ ପାଉଥିଲା,ତାହା ତା ନିକଟରେ ଅତି ପୁରୁଣା ହୋଇଯାଇଥିଲା |ସେ ପିପାସୁ ଦୃଷ୍ଟିରେ ବନହଂସୀକୁ ଚାହିଁଲା |କିନ୍ତୁ କିଛି ଅଘଟଣ ଘଟିବା ପୂର୍ବରୁ ଅକସ୍ମାତ ଅଶୋକ ସେଠାରେ ଆସି ପହଂଚିଲା ଓ ସେଇଠି ବସି ପଡି ଗୁଡାଏ ବାନ୍ତି କଲା |ଅନୁପମ ଦୌଡିଯାଇ ତାର ପିଠି ଆଉଁସି ଦେଲା ଓ ବନହଂସୀକୁ ପାଣିଗ୍ଲାସେ ଆଣିବାକୁ କହିଲା |ସେ ଅଶୋକକୁ ପାଣି ପିଆଇ ତା ମୁହଁ ଧୋଇଦେଲା ଓ ତାକୁ ଟେକିନେଇ ନିଜ ବେଡରେ ଶୁଆଇ ଦେଲା |ଅଶୋକ ଦେହରେ ଉତ୍ତାପ ଥିଲା ଓ ସେ ଜ୍ବରରେ  ଥରୁଥିଲା |ଅନୁପମ ତାକୁ ଚାଦର ଘୋଡାଇ ଚାକରକୁ ଡାକି ଚଟାଣ ପରିଷ୍କାର କରିବାକୁ କହିଲା |ବନହଂସୀ ସ୍ତବ୍ଧ ହୋଇ ଏସବୁ ଦେଖୁଥିଲା |ଅନୁପମ ତାକୁ କହିଲା,ପ୍ଲିଜ ଡୋଣ୍ଟ ମାଇଣ୍ଡ ବୁନୁ,ତମେ ଏକୁଟିଆ ଯାଇ ପାରିବ ?ତଳେ କିଏ ଥିବ,କହିବ ଅଟୋ ଡାକିଦେବ |
            ବନହଂସୀ କହିଲା,ତମେ ବ୍ୟସ୍ତ ହୁଅନା,ମୁଁ ଠିକ ଯାଇପାରିବି |(କ୍ରମଶଃ)

ନିଶୀଥ ଜ୍ୟୋତ୍ସା

    ( ମୋର  ପୁରୁଣା ଉପନ୍ୟାସ 'ନିଶୀଥ ଜ୍ୟୋତ୍ସ୍ନା' କିଛି ପାଠକ/ପାଠିକା ପଢିଛନ୍ତି ;ଯେଉଁମାନେ  ପଢିନାହାନ୍ତି,ସେମାନଂକ ପାଇଁ ମୋର ଏହା ଏକ ଛୋଟିଆ ପ୍ରୟାସ  |ପାଠକ/ପାଠିକାମାନଂକୁ ପଢିବାକୁ ଭଲ  ଲାଗିଲେ ମୋ ଲେଖନୀ ସାର୍ଥକ ହେବ  |)
                                                         (ଏକ )
                  ଶିଳ୍ପପତି ହିମାଂଶୁ ମିଶ୍ରଂକର ତିନି ପୁତ୍ରଂକ ମଧ୍ୟରୁ ଅନୁପମ ଥିଲା,ଜେଷ୍ଠ ପୁତ୍ର |ଅତି ମେଧାବୀ ଛାତ୍ର ନହେଲେ ମଧ୍ୟ ସେ ମାଟ୍ରିକ ପର୍ଯ୍ୟନ୍ତ ଭଲ ପଢୁଥିଲା ଓ ଅଶୀ ଶତାଂଶ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇଥିଲା ଓ ତାପରେ କଲେଜରେ ସାଇନ୍ସ ନେଇ ପଢୁଥିଲା |କିନ୍ତୁ କଲେଜରେ ପାଦ ଦେଉ ଦେଉ ସେ କ୍ରମେ ଜଣେ ଅପ୍ରତିଦ୍ବନ୍ଦୀ ଛାତ୍ର ନେତା ହୋଇ ଉଠିଲା |ପିତାଂକର ଶତ ବାରଣ ସତ୍ତ୍ବେ ସେ ଏଥିରୁ ଓହରି ପାରିନଥିଲା |  ସେ କଲେଜ ୟୁନିଅନର ସଭାପତି ଥିଲା |ସ୍ନାତକୋତ୍ତର ଶ୍ରେଣୀରେ ମଧ୍ୟ ସେ ଏକ ନମ୍ବର ଛାତ୍ର ନେତା ଥିଲା |ପିତାଂକ ବ୍ୟବସାୟରେ ତାର ତିଳେ ମାତ୍ର ଆଗ୍ରହ ନଥିଲା |
                     କଲେଜ ଜୀବନରେ ସେ ସରିତା ନାମ୍ନୀ ଏକ ଅତି ସୁନ୍ଦରୀ ମେଧାବୀ ଝିଅକୁ ଭଲ ପାଉଥିଲା  |ବାପା ତାର ଥିଲେ,ଚିଫ୍ ମେଡିକାଲ ଅଫିସର |ଆଇ.ଏସ.ସି.ପାଶ କରିବା ବର୍ଷ ହିଁ ସରିତା ପ୍ରଥମ ଚାନ୍ସରେ ମେଡିକାଲ ପାଇଥିଲା  |ଅନ୍ୟପକ୍ଷରେ ଅନୁପମ ତୃତୀୟ ଶ୍ରେଣୀରେ ପାଶ୍ କରିଥିଲା |ଲଜ୍ଜାରେ କିଛିଦିନ ସେ ସରିତାକୁ ମୁହଁ ଦେଖାଇପାରିନଥିଲା |ତାପରେ ସରିତା ତାକୁ ପ୍ରତ୍ୟାଖାନ କରିଥିଲା |ଅନୁପମ ବରଂ ଏଥିରେ ଆନନ୍ଦିତ ହୋଇଥିଲା ;କାରଣ ସରିତା ତାକୁ ଅନେକ ଜଂଜାଳରୁ ମୁକ୍ତ କରିଥିଲା |
                   ଅନୁପମ ଯେଉଁ ପରିବାରରେ ଜନ୍ମ ଗ୍ରହଣ କରିଥିଲା,ସେହି ପରିବାରରେ ସମସ୍ତେ ଜୀବନକୁ ଉପଭୋଗ କରିବାକୁ ଶିଖିଥିଲେ |ଅନୁପମ ଶରୀରରେ ସେହି ରକ୍ତ ପ୍ରବାହିତ ହେଉଥିଲା |ଦିନେ ଚନ୍ଦ୍ରିକା କହିଥିଲା,ମୁଁ ତମକୁ ବହୁତ ଭଲପାଏ ........|ଅନୁପମ ଶେଷ ମୁହୂର୍ତ୍ତରେ କେବଳ ହସିଥିଲା |ସେ ହସ ତା ନିଜକୁ ମଧ୍ୟ ନିଷ୍ଠୁର ମନେ ହୋଇଥିଲା |ଉତ୍ତରରେ ସେ କେବଳ ଏତିକି କହିଥିଲା,ଭଲପାଇବା କଣ ସେ ଜାଣିନି,ବୁଝିନି | ଏହାପରେ  ମଲ୍ଲୀ,ଜୁଇ,ରଜନୀଗନ୍ଧା ଇତ୍ୟାଦି ଅନେକ  ଫୁଲ ତା ଜୀବନ ବଗିଚାରେ ଫୁଟିଛନ୍ତି,ସେମାନଂକ ନାଁ ମନେ ରଖିବା ସେ ଆବଶ୍ୟକ ମନେ କରିନି |ଏ ଗୋଟିଏ ନିଶା |ନିଶା ଥିବାବେଳେ ସବୁ ଭଲଲାଗେ,ନିଶା ଛାଡିଗଲେ,ସବୁ ଭୁଲି ହୋଇଯାଏ |
               ସେଦିନର ଘଟଣା ଅଲଗା ଥିଲା | ସେଦିନ  ପାର୍ଟି କାମରେ କଟକ ଯାଇ ,ସେଠାରେ କାମ ଶେଷକରି ସେ  ବସରେ ଭୁବନେଶ୍ବର ଫେରୁଥିଲା |ତା ସହିତ ପାର୍ଟିର ଆଉ ଦୁଇଜଣ ସମବୟସ୍କ କର୍ମୀ ଥିଲେ  |ଯିବା ବାଟରେ ଏକ ଷ୍ଟପେଜରେ କେତେଜଣ ତରୁଣୀ ବସକୁ ଉଠିଲେ | ସେମାନଂକ ମଧ୍ୟରେ ଅପୂର୍ବ ସୁନ୍ଦରୀ ବନହଂସୀକୁ ଆବିଷ୍କାର କରି ସେ ଚଂଚଳ ହୋଇ ଉଠିଲା |ଏକ ପାଷାଣ ପ୍ରତିମା ଜୀବନ୍ୟାସ ପାଇଛି ଯେପରି |ଫିକା ବାଇଗଣୀ ରଂଗର ସାଲୁଆର ସୁଟ ସାଂଗକୁ ଗାଢ଼ ବାଇଗଣୀ ରଂଗର ଉତ୍ତରୀ |ଲମ୍ବା ବେଣୀରେ ଏକ ଅର୍ଦ୍ଧ ପ୍ରସ୍ଫୁଟିତ ଗୋଲାପ ଫୁଲ |ଓଠରେ ଫିକା ହସ,ଯାହା ତା ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିଲା |ସେ ଅନୁମାନ କଲା,ସେମାନେ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଛାତ୍ରୀ ହେବେ ନିଶ୍ଚୟ |ସେଇକ୍ଷଣି ତା ମୁଣ୍ଡରେ ଏକ ଦୁଷ୍ଟ ବୁଦ୍ଧି ଖେଳିଗଲା |ସେ ଆସ୍ତେକରି ତାର ଆଗ ସିଟରେ ବସିଥିବା ବନହଂସୀର କବରୀରୁ ଫୁଲଟିକୁ କାଢିନେଲା ଏବଂ ତାକୁ ସମସ୍ତଂକ ଆଗରେ ଦେଖାଇ ହାତରେ ଖେଳି ଖେଳି ତଳକୁ ଓଲ୍ହାଇ ଗଲା |ବନହଂସୀ ଏକଥା ଜାଣିପାରିଥିଲା |କିନ୍ତୁ ଅନୁପମର ଦୁର୍ଦ୍ଦାନ୍ତ ଚେହେରା ଦେଖି ପ୍ରତିବାଦ କରିବାକୁ ସାହସ କରିପାରିନଥିଲା |ପରଦିନ ନିଜ ବାଇକରେ ଯାଇ ମହିଳା କଲେଜ ପାଖାପାଖି ତିନି ଚାରି ରାଉଣ୍ଡ ମାରିବା ପରେ ବନହଂସୀର ଦେଖା ପାଇଲା |ସେମାନେ ଏକତ୍ର ହୋଇ ବସ ଷ୍ଟପେଜ ନିକଟକୁ ଆସୁଥିଲେ |ଅନୁପମ ବନହଂସୀ ନିକଟକୁ ଯାଇ ବାଇକର ବ୍ରେକ କଷିଦେଲା |ଦଳକ ଯାକ ଝିଅ ଚମକି ପଡି ଘୁଂଚି ଗଲେ |ଏଇ ଅବସରରେ ଫୁଲଟି ବନହଂସୀକୁ ଦେଇ ସେ କହିଲା,ଏକ୍ସକ୍ୟୁଜ୍ ମି,ଫୁଲଟା ଫେରେଇ ଦେଲି |ତାପରେ ସେ ସାଂଗେ ସାଂଗେ ବାଇକ ଷ୍ଟାର୍ଟ କରି ଚାଲିଗଲା |ଅନେକ ତରୁଣୀଂକ ସହ ସମ୍ପର୍କ ସ୍ଥାପନ କରି ଅନୁପମ ସେମାନଂକ ମନସ୍ତତ୍ତ୍ବ ସମ୍ବନ୍ଧରେ ଖୁବ୍ ଭଲ ଭାବରେ ଅବଗତ ଥିଲା |ତେଣୁ ବନହଂସୀକୁ କାବୁ କରିବାକୁ ତାକୁ ବେଶୀ ଡେରି ଲାଗିନଥିଲା |
              ବନହଂସୀ ଥିଲା ଯୁକ୍ତ ତିନି କଳାର ଛାତ୍ରୀ |ଏକ ମଧ୍ୟବିତ୍ତ ପରିବାରର ଦ୍ବିତୀୟା କନ୍ୟା ଥିଲା ସେ |ତା ସହିତ ମାତ୍ର କେତୋଟି ଦିନର ପରିଚୟ ପରେ ଅନୁପମ ଜାଣି ନେଇଥିଲା ଯେ ସେ ଭୁଲ ଜାଗାରେ ଆସି ପହଂଚିଛି |କାରଣ ଅନୁପମର ସମ୍ପୂର୍ଣ୍ଣ ବିପରୀତ ସ୍ବଭାବ ଥିଲା ବନହଂସୀର |ସୁନ୍ଦର ଚେହେରା ସହିତ ସେ ଥିଲା,ଫୁଲ ପରି ନିଷ୍ପାପ ଓ ନମ୍ର |ଅନ୍ୟ ଝିଅମାନଂକ ପରି ସେ ଯେପରି ପରିଚୟ ପରେ ଖୁବ୍ ଶୀଘ୍ର ଅନ୍ତିମ ଆଡକୁ ଅଗ୍ରସର ହୋଇଯାଏ,ଏଥରକ ସେପରି ହୋଇ ପାରିଲାନି |ଅନ୍ୟପକ୍ଷରେ ପାର୍ଟି କାମପାଇଁ ସେ ସବୁବେଳେ ବ୍ୟସ୍ତ ରହୁଥିଲା |ତାର ପାର୍ଟି ବିଧାନସଭାରେ ବିରୋଧୀ ଦଳ ଥିଲା |ପାର୍ଟିକୁ ସୁଦୃଢ କରିବା ପାଇଁ ଦଳନେତାଂକ ଅନେକ ଗସ୍ତ କାର୍ଯ୍ୟରେ ସେ ସମ୍ପୃକ୍ତ ରହୁଥିଲା |ତାପରେ ଦୁର୍ଭିକ୍ଷ,ବାତ୍ୟା,ବନ୍ୟା,ଘରପୋଡି,ବିବାହ,ବ୍ରତ ଆଦିରେ ସାହାଯ୍ୟ ଦେବା,ବିଭିନ୍ନ ପ୍ରକାର ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିବା ଇତ୍ୟାଦି ଅନେକ କାର୍ଯ୍ୟର ଦାୟିତ୍ତ୍ବ ତାକୁ ନେବାକୁ ପଡୁଥିଲା |କାରଣ ତାର ଅନେକ ବଦଗୁଣ ସତ୍ତ୍ବେ ସେ ଜଣେ ନିଷ୍ଠାପର ଓ ସଚ୍ଚୋଟ କର୍ମୀ ଥିଲା ଯେଉଥିପାଇଁ ଦଳର ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଦାସଂକର ଅତ୍ୟନ୍ତ ବିଶ୍ବାସଭାଜନ ଓ ପ୍ରିୟପାତ୍ର ଥିଲା |ବିଧାନସଭାର କାର୍ଯ୍ୟକାଳ ଆଉ ଦୁଇବର୍ଷ ବାକିଥିଲା |ତେଣୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଦଳର ପ୍ରଥମ ତଥା ପ୍ରଧାନ କାର୍ଯ୍ୟ ଥିଲା ଓ ଏଥିପାଇଁ ଦଳର ସମସ୍ତ କର୍ମୀ ଏକଜୁଟ ହୋଇ କାର୍ଯ୍ୟ କରିବା ମଧ୍ୟ ନିହାତି ଜରୁରୀ ଥିଲା |
                  ଏସବୁ ଭିତରେ ବି ଅନୁପମ ସମୟ କରି ବନହଂସୀକୁ ଦେଖା କରୁଥିଲା |ତାର ସୌନ୍ଦର୍ଯ୍ୟ ଓ ସରଳତା ପାଖରେ ସେ ହାର ମାନିଥିଲା |ଅନୁପମ ପୁଣି ପ୍ରେମରେ ପଡିଯାଇଛି ଶୁଣି ତାର ଅନେକ ଘନିଷ୍ଠ ବନ୍ଧୁ ତାକୁ ସତର୍କ କରାଇ କହିଥିଲେ,ବନହଂସୀ ଯେମିତି ଝିଅ,ତୋ ପ୍ରତାରଣା ସାହି ନପାରି ଆତ୍ମହତ୍ୟା କରିଦେବ |ତୁ ପୁଣି ସେ ଦୁର୍ବୁଦ୍ଧି କରନା |କାରଣ ଅତୀତରେ ଏମିତି ଏକ ଗଣ୍ଡଗୋଳିଆ ପରିସ୍ଥିତିରେ ଗୋଟିଏ ଝିଅ ଆତ୍ମହତ୍ୟା କରିଥିଲା ଯେଉଥିପାଇଁ ତା ବିରୁଦ୍ଧରେ ଝିଅଘର କୋର୍ଟରେ କେଶ୍ କରିଥିଲେ ଓ ସେ ଏଥିପାଇଁ ଅନେକ ବଦନାମ ମଧ୍ୟ ହୋଇଥିଲା |ପରେ ପିତାଂକ ଉଭୟ ଆର୍ଥିକ ଓ ରାଜନୈତିକ ଚାପ ଯୋଗୁଁ ଅନେକ କଷ୍ଟରେ ସେ ସେଥିରୁ ମୁକ୍ତ ହୋଇଥିଲା ଯଦିଓ ସେ ଦୋଷୀ ନୁହେଁ ବୋଲି ସବୁବେଳେ ଯୁକ୍ତି କରି ଆସିଛି |(କ୍ରମଶଃ )
                     
             
                 
                        

Saturday, December 14, 2019

ପଡୋଶୀ

                        ରାତି ପାହିଲେ ଛାତ ଉପରେ ପ୍ରକାଶ ଓ ସୁଧୀରଂକ ଦେଖାଚାହାଁ ହେଉଥିଲା  ;ଦୁହେଁ ଦୁହିଁକୁ ସୁପ୍ରଭାତ କହୁଥିଲେ  ଓ ଅଳ୍ପ କିଛି ବାର୍ତ୍ତାଳାପ ପରେ ନିଜ ନିଜର ନିତ୍ୟକର୍ମ କରିବାକୁ ଚାଲି ଆସୁଥିଲେ  |ଦୁଇ ବିପରୀତମୁଖୀ ଟୁ ଆର ଏ ,ଦ୍ୱିତାଲା   ଆପାର୍ଟମେଣ୍ଟରେ ଦୁହେଁ ଉପର ମହଲାରେ ରହୁଥିଲେ  |ବାଡିପଟ ଝରକା ଖୋଲି ପ୍ରାୟ ବେଳେ ଦୁହିଂକ ସହଧର୍ମିଣୀ ମେଘା  ଓ ଗୀତା କଥା ହେଉଥିଲେ   |ଦୁଇ ବନ୍ଧୁ ନିଜ  ସୁବିଧା ଅନୁସାରେ ଅଫିସ ଯାଉଥିଲେ  କିନ୍ତୁ ଅଫିସ ଛୁଟି ହେବାପରେ ଦୁହେଁ ନିଶ୍ଚିତଭାବରେ ଏକା ସାଂଗରେ ଅଫିସରୁ ଫେରୁଥିଲେ   |ଜଣକର କିଛି କାମ ଥିଲେ,ସେ ଅନ୍ୟ ଜଣକ ପାଇଁ ଅପେକ୍ଷା କରୁଥିଲେ  |ସେକ୍ରେଟାରୀଏଟ ରେ ଏକା ଡିପାର୍ଟମେଣ୍ଟରେ ଦୁହେଁ ବରିଷ୍ଠ ସହାୟକ ଥିଲେ |ସୁଧୀରଂକ ଆପାର୍ଟମେଣ୍ଟ ପଛରେ ପ୍ରକାଶଂକ ଆପାର୍ଟମେଣ୍ଟ ଥିଲା |ଜଣେ ଜଣକ ଘରକୁ ଯିବାର ହେଲେ  ପ୍ରାୟ ଦଶ ମିନିଟର ରାସ୍ତା ଚାଲିବାକୁ ପଡୁଥିଲା |କିଛି ମାସ ପରେ ପ୍ରକାଶଂକ ପାଖ ଫ୍ଲାଟ୍ ଟି ଖାଲି ହେବାର ଥିଲା | ସେଇଟି ନେଇ ପ୍ରକାଶଂକ ଘର ପାଖରେ ରହିବା ପାଇଁ ସୁଧୀରଂକ ଭାରି ଇଚ୍ଛା ଥିଲା |ସେଥିପାଇଁ ସେ ବହୁତ ଚେଷ୍ଟା ମଧ୍ୟ କରୁଥିଲେ |କିନ୍ତୁ ଶେଷ ମୁହୁର୍ତ୍ତରେ ସେଇ ଘରଟି ଅନ୍ୟ ଡିପାର୍ଟମେଣ୍ଟର ଆଉ ଜଣେ ଯୋଗାଡିଆ ବ୍ୟକ୍ତି,ବିନୟ ବାବୁଂକୁ ଆଲଟ ହୋଇଗଲା |
                ବିନୟ ବାବୁଂକ ଦୁଇ ବିବାହ ଯୋଗ୍ୟା ଝିଅ ଓ ଗୋଟିଏ ପୁଅ ଥିଲେ |ପୁଅ ବିଜୁ ବି.ଏ.ପାଶ କରି ବେକାର ଥିଲା | ଅବସର ପୂର୍ବରୁ ଗୋଟିଏ ଝିଅ ଓ ଅବସର ପରେ ଅନ୍ୟ ଝିଅଟିର ବିବାହ କରିବାକୁ ତାଂକର ଯୋଜନା ଥିଲା |କିନ୍ତୁ ଅର୍ଥାଭାବ ଯୋଗୁଁ ତାହା ସମ୍ଭବପର ହୋଇପାରୁ ନଥିଲା |ସେମାନଂକ  ମେଳାପୀ ସ୍ଵଭାଵ  କାରଣରୁ ଖୁବ୍ କମ ଦିନରେ ସୁଧୀରଂକ ପରିବାରକୁ  ପଛରେ ପକେଇ , ଦେଖୁ ଦେଖୁ  କେତେ ଜନ୍ମର ସମ୍ପର୍କ ପରି ଦୁଇ ପରିବାର ମଧ୍ୟରେ ଘନିଷ୍ଠ ବନ୍ଧୁତା ଗଢି ଉଠିଲା |ସୁଧୀର ଏହା ଦେଖି ଭାରି ମନଦୁଃଖ କରୁଥିଲେ ଓ ବେଳେବେଳେ କହି ପକାଉ ଥିଲେ,ଭାଇ,ଟିକେ ହୁସିଆରରେ ଚଳୁଥିବ |ପ୍ରକାଶ ବି ତାଂକୁ ସେହିପରି ଢଂଗରେ ଉତ୍ତର ଦେଉଥିଲେ,ଭାଇ,ତମେ ବି ଟିକେ ହିଂସା କରିବା ପ୍ରକୃତି ଛାଡିଦିଅ  | ଦୁଇ ଘରେ ଯାହାବି ରନ୍ଧା ହେଉଥିଲା,ସମସ୍ତେ ଭାଗ ବାଣ୍ଟି ଖାଉଥିଲେ |ବିନୟଂକ ସ୍ତ୍ରୀ ନୀତା, ମେଘାଂକୁ ଭାଉଜ ବୋଲି ଡାକୁଥିଲେ  ଓ ମେଘା ମଧ୍ୟ ନିଜ ନଣନ୍ଦ ପରି ତାଂକୁ ବହୁତ ଭଲ ପାଉଥିଲେ | ବିଜୁର ପ୍ରକାଶଂକ ଘରେ ଅବାଧ ପ୍ରବେଶ ଥିଲା ଓ ସେ ତାଂକ ବୋଲହାକ କରିବାକୁ ଭାରି ଭଲ ପାଉଥିଲା |ପ୍ରକାଶଂକ  ଏକମାତ୍ର ଝିଅ ମାନାର ବାହାଘରପାଇଁ  ଲୁଗାକିଣା ଠାରୁ ଆରମ୍ଭ କରି ଗହଣା କିଣା ପର୍ଯ୍ୟନ୍ତ ସବୁଥିରେ ମେଘାଂକ ସହିତ  ନୀତା ଥିଲେ |ବାହାଘର ଦିନ ବିନୟଂକ ପରିବାରର ସମସ୍ତ ସଦସ୍ୟ ରାତି ଅନିଦ୍ରା ହୋଇ ସାହାଯ୍ୟ ସହଯୋଗ କରିଥିଲେ |ଅତିଥି ମାନେ ଦେଉଥିବା ଗିଫ୍ଟ ର ତାଲିକା ସାନଝିଅ ବିନି ଲେଖୁଥିଲା |ସବୁକିଛି ଠିକ ଠାକ୍ ଚାଲିଥିବାବେଳେ ବର ଆସିବାବେଳକୁ ସୁନା ଜିନିଷ ଥିବା ଗିଫ୍ଟ ବ୍ୟାଗ ମିଳି ନଥିଲା |ବହୁତ ଖୋଳତାଡ ହେବା ପରେବି ସୁନା ଥିବା ବ୍ୟାଗ କୁଆଡେ ଗଲା,କେହି ଜାଣିପାରି ନଥିଲେ  |ସୁଧୀର ସେତେବେଳେ କହିଥିଲେ,ଟିକିଏ ପଡିଶାଘର ପ୍ରତି ନଜର ରଖ |କିନ୍ତୁ ସେସବୁ  ଠାଉରିଆ ଚୋରଂକ କାର୍ଯ୍ୟ  ଭାବି ସେମାନେ କପାଳକୁ ନିନ୍ଦି ନୀରବ ରହିଥିଲେ |
               ମେଘା ସର୍ବଗୁଣସମ୍ପନ୍ନା ଥିଲେ |ଘରର ସବୁକାମ କରିବା ବ୍ୟତିତ ସେ ଗାଁ କଥା ମଧ୍ୟ ବୁଝୁଥିଲେ |ନିଜେ ଗାଁକୁ ଯାଇ ଚାଉଳ,ମୁଗ,ବିରି ଇତ୍ୟାଦି ଆଣୁଥିଲେ |ସେଥିରୁ କିଛି ଝିଅ ମାନାକୁ  ଦେବା ପରେ, ଅର୍ଦ୍ଧାଧିକ ବିନୟଂକ ଭାଗରେ ପଡୁଥିଲା | କଲୋନୀର ପଚାଶରୁ ଉର୍ଦ୍ଧ୍ୱ  ସଦସ୍ୟାଂକୁ ନେଇ ମେଘା ଏକ ଚିଟଫଣ୍ଡ ସଂସ୍ଥା ସୁଚାରୁ ରୂପେ ଚଳାଉ ଥିଲେ |ସଦସ୍ୟା ମାନେ ସେଥିରୁ ୠଣ ନେଉଥିଲେ ଓ ପ୍ରତି ମାସରେ ତାହାକୁ କିସ୍ତି ହିସାବରେ ପରିଶୋଧ କରୁଥିଲେ |ବର୍ଷ ଶେଷରେ ଦଶହରାକୁ ସଦସ୍ୟାମାନେ ମୂଳ ଟଂକାର ଦୁଇଗୁଣରୁ ଅଧିକ ଲାଭାଂଶ ପାଇ ଖୁସି ହୋଇ ଯାଉଥିଲେ |ବାହାଘରରେ ମେଘା  ମାନାକୁ ଦଶଭରି ପାଖାପାଖି ସୁନା ଅଳଂକାର ଦେଇଥିଲେ |ତାର ଶାଶୁ ମଧ୍ୟ ସୁନା ହାର,ଚୁଡି ଓ କାନଫୁଲର ଏକ ସୁନ୍ଦର ସେଟ ଦେଇଥିଲେ | ସେମାନେ ରହୁଥିବା ଭଡାଘରେ ଚୋରୀ ହୋଇଯିବା ଭୟରେ ମାନା ଅଳ୍ପକିଛି ପିନ୍ଧି ବାକି ସବୁ ମେଘାଂକ ପାଖରେ ରଖିଥିଲା |ଯେତେବେଳେ ଅଳଂକାର ପିନ୍ଧିବାର ଆବଶ୍ୟକତା ପଡୁଥିଲା,ସେ ମେଘାଂକ ପାଖରୁ ଆଣି ପିନ୍ଧୁଥିଲା ଓ ଫେରିବାବେଳେ ତାକୁ ରଖିଦେଇ ଆସୁଥିଲା |ସବୁଦିନ ପରି ସେଦିନ ପ୍ରକାଶ ଅଫିସ ଯିବାପରେ,  ମେଘା ବାହାର ଦରଜା ବନ୍ଦ କରି ଛାତ ଉପରକୁ ଲୁଗା  ଶୁଖାଇବାକୁ ଗଲେ |ସାଂଗେ ସଂଗେ ଲୁଗା ଶୁଖାଇ ଆସୁଥିବାରୁ,ସେ ସବୁବେଳେ କବାଟରେ ତାଲା ନଦେଇ,କେବଳ ବାହାରପଟେ କିଳିଣି ଦେଇ ଯାଉଥିଲେ  |ସେଦିନ ମଧ୍ୟ ସେ ସେହିପରି କଲେ ଓ ଲୁଗା ଶୁଖେଇ ଫେରିବାବେଳକୁ ହଠାତ୍  ନୀତା  ତାଂକ ପାଖରେ ପହଂଚି ଗପ ଜମେଇ ଦେଲେ |ଯେତେଥର ମେଘା ଘରକୁ ଆସିବାକୁ କହୁଥିଲେ,ନୀତା ଟିକିଏ ରୁହ କହି ଅଟକାଇ ଦେଉଥିଲେ |କେତେବେଳେ ମେଘାଂକ ମନେପଡିଲା,,ସେ ଗ୍ୟାସରେ କ୍ଷୀର ବସେଇ ଦେଇଛନ୍ତି,ଚୁଲା ବନ୍ଦ କରିବାକୁ ମନେନାହିଁ |ସେଇକଥା ନୀତାଂକୁ କହି ସେ ତର ତର ହୋଇ ଘରକୁ ଚାଲିଆସିଲେ |କବାଟ ଖୋଲି ରୋଷେଇ ଘରକୁ ଯାଇ ସେ ପ୍ରଥମେ ଗ୍ୟାସ ଚୁଲା ଅଫ କଲେ ଓ ବେଡରୁମକୁ ଆସି ବିଛଣା ଉପରେ ଗୋଡ଼ ଲମ୍ବେଇ ବସିବା ବେଳକୁ ଦେଖିଲେ,ଆଲମିରା ଖୋଲା ଅଛି |ସେ ତତକ୍ଷଣାତ୍ ଉଠି ଆଲମିରା ଖୋଲି ଦେଖିଲେ ,ଲକର ଖୋଲା ଅଛି ଓ ସେଥିରେ ଥିବା ସୁନାଗହଣା ନାହିଁ |ସେ ପାଗଳ ପ୍ରାୟ ହୋଇ ନୀତାଂକୁ ଡାକିଲେ |ନୀତା କହିଲେ,ଆମେ ଗପୁଥିବା ବେଳେ ବୋଧେ କେହି ଆସି ନେଇ ଯାଇଛି |ଖବର ପାଇ ପ୍ରକାଶ, ସୁଧୀରଂକ ସହ  ଆସି ପହଂଚିଲେ | ପୋଲିସକୁ ମଧ୍ୟ ଖବର ଦିଆଗଲା |ପୋଲିସ ଆସି କେତେଗୁଡିଏ ପଏଣ୍ଟ ଉପରେ ପ୍ରଶ୍ନ ପଚାରିଲା ;ସୁନାଗହଣା ବ୍ୟାଂକ ଲକରରେ କାହିଁକି ରଖା ଯାଇନଥିଲା ,ସୁନା ସେଠାରେ ରହିଛି ବୋଲି ଆଉ କିଏ କିଏ ଜାଣିଥିଲେ ,ସେ ବାହାରୁ କିଳିଣି ମାରି ସବୁଦିନ ଯାଆନ୍ତି ନାଁ କେବଳ ସେହିଦିନ ଯାଇଥିଲେ,ତାଂକର କାହା ଉପରେ ସନ୍ଦେହ ହେଉଛି ଇତ୍ୟାଦି ଇତ୍ୟାଦି | ଉତ୍ତରରେ ପ୍ରକାଶ କହିଲେ,ଆମ ଦୁଆର ସବୁବେଳେ ସମସ୍ତଂକ ପାଇଁ ଖୋଲା ଥାଏ ଓ  ଆମ ଘରର ସବୁ ସନ୍ଧି ସମସ୍ତଂକୁ ଜଣା |ଆଉ କେତୋଟି ପ୍ରଶ୍ନ ପଚାରି ପୋଲିସ ପ୍ରକାଶଂକୁ ଥାନାକୁ ଆସିବାକୁ କହି ଚାଲିଗଲା |ସୁଧୀର ସେଠାରେ ରହି ସବୁକଥା ଶୁଣୁଥିଲେ |ବିନୟଂକ ପରିବାରର ପ୍ରକାଶଂକ ଘରେ ଅବାଧ ଚଳପ୍ରଚଳ,ଘଟଣା ଦିନ ନୀତା ମେଘାଂକୁ ଅକାରଣେ ଛାତ ଉପରେ ଅଟକାଇ ରଖିବା,ସୁନାଗହଣା ଚୋରୀ ହେବା ଓ ତାପରେ ବିଜୁର ଦେଖା ନମିଳିବା,ସବୁ କେମିତି ତାଂକୁ ଅଜୀବ ଲାଗୁଥିଲା |
                        ସମସ୍ତେ ଯିବାପରେ ମାନାର ସୁନାଗହଣା କେମିତି ଫେରାହେବ ବୋଲି ମେଘା ପଚାରିବାରୁ ପ୍ରକାଶ କହିଲେ,ସମସ୍ୟା ତୁମେ ସୃଷ୍ଠି କରିଛ,ସମାଧାନ ତୁମକୁ ହିଁ କରିବାକୁ ପଡିବ,ମୁଁ ତମକୁ ଗୋଟିଏ ଟଂକାର ସାହାଯ୍ୟ କରି ପାରିବି ନାହିଁ |ମେଘା ଏ ବିଷୟରେ ବହୁତ ଭାବି ନିଜର କର୍ତ୍ତବ୍ୟ ପନ୍ଥା ସ୍ଥିର କରିନେଲେ |ସେ ତାଂକ ଚିହ୍ନା ସୁନାଦୋକାନୀକୁ ସମୁଦୁଣୀ ଦେଇଥିବା ଅବିକଳ ସେଇ ଡିଜାଇନର ଗହଣା ସେଟ ପାଇଁ ଅର୍ଡର ଦେଲେ |ଗହଣା ତିଆରି ହୋଇ ସାରିବା ପରେ, ସେଟ ସହିତ ତାଂକର ନିଜ ସୁନା ଗହଣା ମିଶାଇ ମାନାକୁ ଦେଇଦେଲେ ଓ କହିଲେ,ଆଉ ଯାହା ରହିଲା,ଧୀରେ ଧୀରେ ଦେଇଦେବି |ଦଶହରା ପୂର୍ବରୁ ଚିଟଫଣ୍ଡ ଟଂକା ନେବାପାଇଁ ସମସ୍ତେ ମିଟିଂ ଡାକିବାକୁ କହିଲେ |କିନ୍ତୁ ମେଘା ଯେତେବେଳେ ଆଜି କାଲି କହି ଦିନ ଗଡେଇ ଚାଲିଲେ,ସେତେବେଳେ ସମସ୍ତଂକ ମନରେ ସନ୍ଦେହ ସୃଷ୍ଟି  ହେଲା |ସେମାନେ ଦଳ ଦଳ ହୋଇ ଆସି ପ୍ରତ୍ୟେକ ଦିନ ତାଂକ ଘରେ ହଂଗାମା କଲେ |ମେଘା ପ୍ରକାଶଂକୁ ନେହୁରା ହୋଇ କହିଲେ,ଚିଟଫଣ୍ଡ ଟଂକା ମୁଁ ଖର୍ଚ୍ଚ କରି ଦେଇଛି,ମତେ ଲକ୍ଷେ ଟଂକା ଦିଅ,ନହେଲେ ମୁଁ ବେଜ୍ଜିତ ହୋଇଯିବି |ପ୍ରକାଶ କହିଲେ,ଖର୍ଚ୍ଚ କରିବାପୂର୍ବରୁ ମତେ ପଚାରିନଥିଲ,ଏବେ କାହିଁକି ପଚାରୁଛ ??ଯାହା ଇଚ୍ଛା ତାହା କର,ମତେ କିଛି କୁହନା |
                        ସେଦିନ ରାତିସାରା ମେଘାଂକ ଆଖିକୁ ନିଦ ଆସିଲା ନାହିଁ |ସେ ଯେତେ ଭାବୁଥିଲେ,ତାଂକ ଆଖିରୁ ସେତେ ଲୁହଧାରା ଝରି  ଯାଉଥିଲା |ରାତି ତିନିଟା ବେଳକୁ ଉଠି ସେ ତାଂକର ନିତ୍ୟକର୍ମ ଶେଷକରି ଠାକୁର ପୂଜା କଲେ |ପ୍ରକାଶଂକ ପାଇଁ ଚା ତିଆରି କରି ଫ୍ଲାସ ରେ ରଖିଲେ ,ବ୍ରେକଫାଷ୍ଟ ଓ ଲଂଚ ତିଆରି କରି ସବୁ ସଜାଡି ରଖିଦେଲେ |ପ୍ରକାଶ ଉଠିବା ପରେ ତାଂକୁ କହିଲେ,ମୁଁ ଗାଁକୁ ଯାଉଛି ,ଚାବି ଏଇଠି ଟଂଗା ହୋଇଛି |ପ୍ରକାଶ କହିଲେ, ଗାଁରେ ଶୀତ ପଡିଛି,ତମର ଶାଲ୍ ଓ ସ୍ଵେଟର  ନେଇଯିବ |ତାଂକ କଥା ଶୁଣି ମେଘାଂକ ଆଖିରୁ ଦୁଇଧାର ଲୁହ ଝରିଗଲା |ସେ ତାକୁ ସନ୍ତର୍ପଣରେ ପୋଛି, ହଉ  କହି ଗାଁକୁ  ଚାଲିଗଲେ |ସଂଧ୍ୟାରେ ଗାଁରୁ ଖବର ଆସିଲା,ତାଂକ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ଲେଖି,ମେଘା ଆତ୍ମହତ୍ୟା କରିଛନ୍ତି |
         ଏହି ଦୁର୍ଘଟଣାର ଚାରିମାସ ପରେ,ସୁଧୀରଂକ ଆଶଂକାକୁ ସତ୍ୟ ପ୍ରମାଣିତ କରି , ବିନୟଂକ ବଡଝିଅର ବାହାଘର ଖୁବ୍ ଧୁମଧାମରେ ଅନୁଷ୍ଠିତ ହେଲା |ଇତି ମଧ୍ୟରେ ଅନେକ ବର୍ଷ ବିତି ଗଲାଣି |ଆଜିବି ସୁଧୀର ତାଂକର ଅତିପ୍ରିୟ ମେଘାଅପାଂକୁ ବହୁତ ମନେ ପକାନ୍ତି ଆଉ ଭାବନ୍ତି,ଯଦି ପ୍ରକାଶଂକ  ପାଖଘରଟି ବିନୟଂକ ବଦଳରେ ତାଂକୁ ମିଳି ଥାଆନ୍ତା ତାହେଲେ ହୁଏତ ତାଂକ ଅପା  ଆଜି ପର୍ଯ୍ୟନ୍ତ ବଂଚି ଥାନ୍ତେ ଓ ତାଂକ ଅନାବିଳ ସ୍ନେହ ଶ୍ରଦ୍ଧାରେ ସେ ନିଜକୁ ଧନ୍ୟ ମଣୁଥାନ୍ତେ |...ମମତା ମହାନ୍ତି |           |