Saturday, October 29, 2022

ଅଭଙ୍ଗା କଣ୍ଢେଇ (ଭାଗ 27)

                  ବସୁଧା ଦୁଇଟି ପ୍ଲେଟରେ ଖାଇବା  ଆଣୁଥିବାର ଦେଖି ଅକ୍ଷର କହିଲା,ତମେ ଏପର୍ଯ୍ୟନ୍ତ କାହିଁକି ଖାଇ ନଥିଲ ?ବସୁଧା କହିଲା,ମୋ ମନ ଯାହା ହେଉଛି ନା,ଖାଇବା କଥା ଛାଡ଼,ପାଣି ପିଇବାକୁ ବି ଇଚ୍ଛା ହେଉନି  |ତମେ ଯଦି ଖାଇ ସାରିଥାଆନ୍ତ ,ତାହାଲେ ମୁଁ ,ଖାଇ ସାରିଛି ବୋଲି ତମକୁ ମିଛ କହିଥାନ୍ତି |କିନ୍ତୁ  ତମେ ନଖାଇବା କଥା ଶୁଣି ମୋର ଖାଇବାକୁ ମନ ହେଲା,ସେଥିପାଇଁ  ଦୁଇଜଣଙ୍କ ପାଇଁ ନେଇ ଆସିଲି  |ଅକ୍ଷର କହିଲା,ହଉ,ଜୀବନ ବଞ୍ଚେଇବା ପାଇଁ ଟିକେ ଟିକେ ଖାଇଦେବା,କଣ କରିବା ?

               କିନ୍ତୁ ଦୁଇଜଣଙ୍କ ପାଇଁ ବସୁଧା ଯେତିକି ଖାଦ୍ୟ ଆଣିଥିଲା,ତାର ଅଧା ମଧ୍ୟ ଦୁହେଁ ଖାଇ ପାରିଲେ ନାହିଁ |ବସୁଧା ବଳି ପଡିଥିବା ଖାଦ୍ୟ ଟିଫିନରେ ରଖି, ଦୁଇଗ୍ଲାସ ପାଣି ପିଇ ଶୋଇପଡ଼ିଲା |ସବୁଦିନ ଖାଇ ସାରିବାପରେ ସେ ସାଙ୍ଗେ ସାଙ୍ଗେ ବାସନ ମାଜି ରୋଷେଇଘର ସଫା ସୁତୁରା କରିବା ପରେ ଅନ୍ୟ କାମରେ ହାତ ଦିଏ  |ସେଦିନ କିନ୍ତୁ ତାର ହାତରେ କାମ ଲାଗୁନଥିଲା  |ଅକ୍ଷର ଖାଇ ସାରିବାପରେ ସୋଫାରେ ବସି ଟିଭି ଦେଖୁ ଦେଖୁ ନିଘୋଡ଼ ନିଦରେ ଶୋଇ ପଡିଲା |

             ବସୁଧାର ନିଦ ଭାଙ୍ଗିବା ବେଳକୁ ସନ୍ଧ୍ୟା ଆଗତ ପ୍ରାୟ |ସେ ତର ତର ହୋଇ ଉଠି ପ୍ରଥମେ ରୋଷେଇଘରକୁ ଯାଇ ବଳିଥିବା ଖାଦ୍ୟକୁ ଫ୍ରିଜରେ ରଖିଲା ଓ  ସବୁ ବାସନ ମାଜି ରୋଷେଇଘର ପୋଛି ପରିଷ୍କାର କରିଦେଲା |ତାପରେ ଧୂପ ଦେଇ ଚା ତିଆରି କରି ଅକ୍ଷରକୁ ଉଠାଇଲା |ଅକ୍ଷର ପରେ ଚା ପିଇବ କହି ପୁଣି ଶୋଇ ପଡିଲା |ଏକୁଟିଆ ଚା ପିଇବାକୁ ବସୁଧାର ଇଚ୍ଛା ହେଲାନାହିଁ |ସେ ତିଆରି କରିଥିବା ଚା' ଫ୍ଲାସ୍କରେ ରଖି ପୁଣି ବିଛଣାରେ ତାର ଅବଶ ଶରୀରକୁ ଲୋଟାଇ ଦେଲା |ତାର ଆଖି ଟିକେ ଲାଗି ଆସିବା ବେଳକୁ ଘନ ଘନ କଲିଂ ବେଲ ଶବ୍ଦ ଶୁଣି ସେ ଚମକି ପଡି ଉଠି ବସିଲା ଓ  ଦୌଡ଼ି ଯାଇ କବାଟ ଖୋଲିଦେଲା |ତାକୁ ଆଶ୍ଚର୍ଯ୍ୟ ଚକିତ କରି ବାହାରେ କାଞ୍ଚନ ଓ ବିପ୍ଳବ ଛିଡା ହୋଇଥିଲେ |ସେ  ସେମାନଙ୍କୁ ଘର ଭିତରକୁ ଆସିବାକୁ କହି, ଭୂମିଷ୍ଠ ପ୍ରଣାମ କଲା  |କଲିଂ ବେଲ  ଶବ୍ଦ ଶୁଣି ଅକ୍ଷର ମଧ୍ୟ ଉଠି ପଡିଲା ଓ ସମ୍ମୁଖରେ ଅଚାନକ ସେମାନଙ୍କୁ ଦେଖି  ଶଙ୍କିତ ହୋଇ ପଚାରିଲା ,କଣ ହେଲା ଭାଇ ?ବୋଉ ବି ଆସିଛି,କଥା କଣ ?ବିପ୍ଳବ କହିଲା,ଆମକୁ ବସିବାକୁ କହିବୁ ନା ଏମିତି ପ୍ରଶ୍ନ ପଚାରି ଚାଲିଥିବୁ ?ଅକ୍ଷର ଲଜ୍ଜିତ ହୋଇ କହିଲା,  ବଦଳି ଅର୍ଡର ପାଇବା ପରଠାରୁ ମୋର ମୁଣ୍ଡ କାମ କରୁନି,ମତେ କ୍ଷମା କରିଦେବ |ଏହା କହି ସେ ଦୁଇଜଣଙ୍କୁ ନେଇ ସୋଫାରେ ବସାଇ ପଚାରିଲା,ବୋଉ,ଚା ପିଇବୁ ?କାଞ୍ଚନ ମୁଣ୍ଡ ହଲାଇ ନାହିଁ କରି ତାଙ୍କ ବ୍ୟାଗରୁ ଏକ କାଗଜ କାଢି ଅକ୍ଷରକୁ ଦେଇ କହିଲେ,ନେ ୟାକୁ ପଢ଼ |ଅକ୍ଷର ହାତ ପଛକୁ କରି କହିଲା,କଣ ନକହିଲେ ମୁଁ ନେବିନି |କାଞ୍ଚନ ବିରକ୍ତ ହୋଇ କହିଲେ,ତୁ ଆଗେ ପଢ଼,ୟା ଭିତରେ ବାଘ ଭାଲୁ କିଛି ନାହିଁ |ଈଶ୍ୱରଙ୍କୁ ସ୍ମରଣ କରି କାଗଜଟି କାଞ୍ଚନଙ୍କ ହାତରୁ ନେଇ ସେ ଖୋଲି ପଢିଲା |କାର୍ଯ୍ୟାଳୟ ଆଦେଶ ଅନୁସାରେ ଅନ୍ୟାଦେଶ ପର୍ଯ୍ୟନ୍ତ ତାର ଟ୍ରାନ୍ସ୍ଫର ଅର୍ଡର ବାତିଲ ହୋଇଥିବା କଥା ସେଥିରେ ଲେଖାଥିଲା |ସେ ଖୁସିରେ ଡେଇଁପଡ଼ି କାଞ୍ଚନଙ୍କୁ କୁଣ୍ଢେଇ ପକାଇ କହିଲା,ବସୁ ଦୌଡ଼ି ଆସ,ଦେଖ ବୋଉ ଆମପାଇଁ କଣ ସପ୍ରାଇଜ ଆଣିଛି |ରୋଷେଇଘରେ ଚା ତିଆରି କରୁଥିବା ବସୁଧା ଅକ୍ଷର କଥା ଶୁଣି ଦୌଡ଼ି ଆସିଲା |ଅକ୍ଷର ତା ହାତକୁ ବାତିଲ ଆଦେଶନାମା ବଢ଼େଇ  କାଞ୍ଚନଙ୍କ ପାଦତଳେ ଲମ୍ବା ହୋଇ ଶୋଇ ପଡିଲା ଓ  ତାଙ୍କ ଦୁଇ ପାଦକୁ ଜାବୁଡି ଧରି ବାରମ୍ବାର ମୁଣ୍ଡିଆ ମାରି ଚାଲିଲା  | ବସୁଧା  ଅଫିସ ଆଦେଶନାମା ପଢିବା ପରେ ,ତାର ମଧ୍ୟ ଆନନ୍ଦର ସୀମା ରହିଲା ନାହିଁ |ସେ  ଅକ୍ଷର ସହିତ ତାଳ ଦେଇ, କାଞ୍ଚନଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କରୀ କହିଲା,ବୋଉ,ଆପଣଙ୍କୁ ଆମର କୋଟି କୋଟି ପ୍ରଣାମ  |ଏହି ଅଭୂତପୂର୍ବ ଘଟଣାକ୍ରମରେ ଆଖିରୁ ତାର  ଅନର୍ଗଳ ଆନନ୍ଦାଶୃ ଝରି ଯାଉଥିଲା |କାଞ୍ଚନ କହିଲେ,ଆଉ ଯାତ୍ରା କରନି,ଉଠ ,ଚା ସିଆଡେ ପୋଡି ଯିବଣି |ତାଙ୍କ କଥା ଶୁଣି ବସୁଧା ଧଡପଡ ହୋଇ ଉଠି ପଡିଲା ଓ କହିଲା,ବୋଉ ଆଜି ରହିଯାଆନ୍ତୁ |ତା କଥା ଶୁଣି କାଞ୍ଚନ କହିଲେ,ସେମିତି କହିଲେ,ମୁଁ ଏଇ ସାଙ୍ଗେ ସାଙ୍ଗେ ଚାଲିଯିବି |ବସୁଧା ହାତଯୋଡ଼ି କହିଲା,ଭୁଲ ହୋଇଗଲା,ଆଉ କହିବିନି,ମୁଁ  ଆସୁଛି |ଏହା  କହି ସେ ରୋଷେଇଘରକୁ ଗଲା ଓ ପୂର୍ବରୁ ତିଆରି କରିଥିବା ଚା ଏକାଠି ମିଶାଇ ସମାନ କରି ଚାରିଟି କପରେ ଛାଣିଦେଲା |ନିଜ କପଟି  ରଖି ବିସ୍କୁଟ ସହିତ ବାକି ତିନିଟି କପ ସେମାନଙ୍କୁ ଦେଇ ଆସି ଯୁଦ୍ଧକାଳୀନ ଭିତ୍ତିରେ  ସମସ୍ତଙ୍କ ପାଇଁ ରୋଷେଇ ଆରମ୍ଭ କଲା |

             ଚା ପିଉ ପିଉ କାଞ୍ଚନ କହିଲେ,ଆମର ଡେରି ହୋଇଯିବ,ଡ୍ରାଇଭର ଆସିବାକୁ ରାଜି ହେଉ ନଥିଲା |ତାକୁ ଆଜି ଫେରିବାର ପ୍ରତିଶୃତି ଦେଇ ବହୁତ କଷ୍ଟରେ ଆଣିଛୁ |ଡ୍ରାଇଭର  କଥା ଶୁଣି ଅକ୍ଷର ବସୁଧା ପାଖକୁ ଯାଇ ପଚାରିଲା,ବସୁ,ଆଉ ଚା ଅଛି ?ଡ୍ରାଇଭର କଥା ମୋର ମନେ ନଥିଲା |ବସୁଧା ତା ପାଇଁ ରଖିଥିବା ଚା କପ ଅକ୍ଷରକୁ ଦେଇ କହିଲା,ୟାକୁ ଦେଇଦିଅ,ମୁଁ ପରେ ମୋ ପାଇଁ ବନେଇ ଦେବି |ହଉ କହି ଅକ୍ଷର ଚା କପ ନେଇ ଚାଲିଗଲା |ଗୋଟିଏ  ମିନିଟ ପରେ ଫେରିଆସି ନିଜ କପରୁ ଅଧା ଚା ବସୁଧାକୁ ଦେଇ କହିଲା,ୟାକୁ ପିଇଦିଅ | 

              ବିପ୍ଳବ କହିଲା,ଆମର ଡେରି ହୋଇଯିବ,ଯେତେ ଶୀଘ୍ର ଆମେ ଏଠାରୁ ବାହାରିବୁ,ଆମପାଇଁ ସେତେ ଭଲ |ଅକ୍ଷର    କହିଲା,ହଉ ଯିବ ତ,ମତେ ଆଗେ କୁହ,ଏତେ ବଡ଼ ଅସମ୍ଭବକୁ  କେମିତି ସମ୍ଭବ କରିପାରିଲ ? ବିପ୍ଳବ କହିଲା,ବସୁ ଯେତେବେଳେ ବୋଉକୁ ଫୋନ କରିଥିଲା,ସେଇ ଫୋନ ଖୁଡି ଉଠାଇଥିଲେ |ତୋର କୋରାପୁଟ  ବଦଳି ହୋଇଥିବା ଖବର ଶୁଣି ସେ  ଭାରି ବ୍ୟସ୍ତ ହେଲେ ଓ ସେଇକ୍ଷଣି  ଭୁବନେଶ୍ୱର ଆସିବା ପାଇଁ ଜିଦ୍ଦି କଲେ |ଅଫିସରେ ଆମ କଥା କେହି ଶୁଣିବେ ନାହିଁ ବୋଲି ଆମେ ଜାଣିଥିଲୁ |ତେଣୁ ସିଧା ଆମେ ସେକ୍ରେଟେରୀଙ୍କୁ ଭେଟି  ତାଙ୍କୁ ସବୁକଥା କହିଲୁ |ଖୁଡି ତାଙ୍କର ସବୁ ଔଷଧ ପ୍ରେସକ୍ରିପସନ,ବିଲ ଇତ୍ୟାଦି ଦେଖାଇ ପୁଅ ଚାଲିଗଲେ ସେ କେମିତି ଅସହାୟ ହୋଇ ପଡିବେ,ସେକଥା କାନ୍ଦି କାନ୍ଦି ତାଙ୍କୁ କହିଲେ |ସେକ୍ରେଟେରୀ ଅତ୍ୟନ୍ତ ବିଜ୍ଞ,ସତ୍ୟନିଷ୍ଠ ଓ ଦୟାଳୁ ବ୍ୟକ୍ତି ବୋଲି ଆମେ ତାଙ୍କର ବ୍ୟବହାରରୁ ଜାଣିପାରିଲୁ | ସେ ନିମିଷକେ ସବୁକଥା ବୁଝିପାରି ଆମକୁ ଆଶ୍ୱାସନା ଦେଇ ବାହାରେ ଅପେକ୍ଷା କରିବାକୁ କହିଲେ |କିଛି ସମୟ ପରେ ସେ ଆମକୁ ଡାକି ତୁମ ନିର୍ଦ୍ଦେଶକଙ୍କୁ ଦେଖା କରିବାକୁ କହିଲେ |ଆମେ ତୋ ଅଫିସରେ ପହଞ୍ଚିବା ବେଳକୁ ତୁ ଘରକୁ ଚାଲିଆସିଥିଲୁ |ନିର୍ଦ୍ଦେଶକଙ୍କୁ ଭେଟିବାରୁ ସେ  ଆମକୁ ଅପେକ୍ଷା କରିବାକୁ କହିଲେ ଓ  ତାଙ୍କ ପି.ଏ ଙ୍କ  ଦ୍ୱାରା ବଦଳି ବାତିଲ ଆଦେଶ ଈଶୁ କରି ଆମ ହାତରେ ଧରାଇଦେଲେ |ବିପ୍ଳବ ବନେଇ ଚୁନେଇ ବିସ୍ତୃତ ଭାବରେ ତାଙ୍କର ବିଜୟ କାହାଣୀ ବ୍ୟାଖ୍ୟା କରୁଥିଲା |ସେ ଯେଉଁଠି ଛାଡି ଯାଉଥିଲା,କାଞ୍ଚନ ତାକୁ ମନେ ପକାଇ ଦେଉଥିଲେ |ସେମାନଙ୍କ ଗପ ସରି ନଥିବା ବେଳେ ବସୁଧା କାଞ୍ଚନ,ବିପ୍ଳବ ଓ ଡ୍ରାଇଭରଙ୍କ ପାଇଁ ଡାଇନିଂ ଟେବଲରେ ଖାଇବା ବାଢ଼ିଦେଲା |ଅକ୍ଷର ନେହୁରା ହୋଇ କହିଲା,ବୋଉ ତୋ ଗୋଡତଳେ ପଡୁଛି,ଟିକେ କଣ ଖାଇଦେଇ ଯାଆ |ବିପ୍ଳବ କହିଲା,ହଁ ଖୁଡି ଆମେ ଖାଇଦେଇ ଯିବା,ବିଚରା ଡ୍ରାଇଭର କେତେବେଳୁ ଆସିଲାଣି,ସିଏ ବି ଆମ ସାଙ୍ଗରେ ଉପାସ ଅଛି |କାଞ୍ଚନ ଆଉ ମନା କଲେ ନାହିଁ |ବସୁଧା ରୁଟି ଡାଲମା ସହିତ ଭଜା ତିଆରି କରିଥିଲା |ତିନିଜଣ ଖୁସିରେ ପେଟପୁରା ଖାଇଲେ |ବିପ୍ଳବ କହିଲା,ଯାହା କୁହ ପଛକେ,ଖାନା ଏକଦମ ଅମୃତ ପରି ଲାଗୁଛି |ତା କଥାକୁ ଡ୍ରାଇଭର ମୁଣ୍ଡ ହଲାଇ ସମର୍ଥନ କରିବାର ଦେଖି କାଞ୍ଚନ ହସିଦେଲେ |

             ସେମାନେ ଖାଇସାରି ବାହାରିବା ବେଳକୁ ରାତି ଦଶଟା ପାଖାପାଖି ହୋଇ ଯାଇଥିଲା |ସମସ୍ତେ ଗାଡ଼ିରେ ବସିବା ବେଳକୁ ବସୁଧାର କଣ ମନେ ପଡିଯିବାରୁ ସେ ଡ୍ରାଇଭରକୁ କହିଲା,ଗୋଟିଏ ମିନିଟ ରୁହନ୍ତୁ,ମୁଁ ସାଙ୍ଗେ ସାଙ୍ଗେ ଆସୁଛି |ଏହାକହି ସେ ଭିତରକୁ ଦୌଡ଼ି ଯାଇ ଦଶହରା ଉପଲକ୍ଷେ ସେମାନଙ୍କ ପାଇଁ କିଣିଥିବା ଲୁଗାପଟା ଆଣି କାଞ୍ଚନଙ୍କୁ ଦେଇ କହିଲା,ବୋଉ,ଏସବୁ ଦଶହରା ପାଇଁ |ଏଥିରେ ଥିବା ଘନନୀଳ ରଙ୍ଗର ଶାଢ଼ୀ ଟି  ଆପଣଙ୍କର | ବାଇକରେ ଏତେ ଗୁଡ଼ା ଜିନିଷ ନେବାପାଇଁ ଅସୁବିଧା ହେବ,ଗାଡି ଯାଉଛି ତ ସେଥିପାଇଁ ଦେଇଦେଲି | କାଞ୍ଚନ କିଛି କହିବା ପୂର୍ବରୁ ବିପ୍ଳବ କହିଲା,ହଉ ଠିକ ଅଛି |ଏଥର ଆମେ ଆସୁଛୁ ,ବହୁତ ଡେରି ହେଲାଣି |(କ୍ରମଶଃ)

             

No comments:

Post a Comment