ଅକ୍ଷରର କୋରାପୁଟ ବଦଳି ହୋଇଯିବା କଥା ଶୁଣି ବସୁଧାର ସବୁ ସୁଖ ସ୍ୱପ୍ନ କ୍ଷଣକେ ଯେପରି ଭାଙ୍ଗି ଚୁରମାର ହୋଇଗଲା |ଯେତେ ଖରାପ ପରିସ୍ଥିତି ଆସୁନା କାହିଁକି ,ଆମେ ଦୃଢତାର ସହ ତାର ମୁକାବିଲା କରିବା କଥା ଆଗରୁ ସେ ଯେତିକି ଦମ୍ଭରେ କହୁଥିଲା , ସେ ସବୁ କୁଆଡେ ଉଭେଇ ଯାଇଥିଲା | ସେ କାନ୍ଦି କାନ୍ଦି ବଡ଼ବୋଉଙ୍କୁ ଫୋନ କଲା |କିନ୍ତୁ ଫୋନ ନୋ ରିପ୍ଲାଏ ଆସିଲା | ସେ ବ୍ୟସ୍ତ ହୋଇ ସେମିତି ଲଗାତାର ଫୋନ କରି ଚାଲିଥିଲା |ସେତେବେଳେ ଉଭୟ ସୁବାସିନୀ ଓ ଦୀପା ବାହାରେ କାର୍ଯ୍ୟବ୍ୟସ୍ତ ଥିଲେ |ବାରମ୍ବାର ଫୋନ ଆସିବାର ଦେଖି ଘରେ ଥିବା କାଞ୍ଚନ ଚଞ୍ଚଳ ପଦକ୍ଷେପରେ ଆସି ଫୋନ ଉଠାଇ ହ୍ୟାଲୋ କହିବା ମାତ୍ରେ ସେପଟୁ ବସୁଧାର କାନ୍ଦୁରା ସ୍ୱର ଶୁଭିଲା,ସେ କହୁଥିଲା,ବଡ଼ବୋଉ,ୟାଙ୍କର କୋରାପୁଟ ବଦଳି ହୋଇ ଯାଇଛି |ଆଗକୁ ଆଉ କିଛି କହି ନପାରି ସେ କେବଳ କାନ୍ଦି ଚାଲିଥିଲା |ସେତେବେଳେ ସେଠାକୁ ସୁବାସିନୀ ଆସି ପଚାରିଲେ,କିଏ ଫୋନ କରିଛି ? କାଞ୍ଚନ କିଛି ନକହି ତାଙ୍କ ହାତକୁ ମୋବାଇଲ ବଢ଼େଇ ଦେଲେ |କିନ୍ତୁ ସୁବାସିନୀ ଯେତେ ପ୍ରଶ୍ନ କଲେ ବି,ବସୁଧା ତାଙ୍କୁ କିଛି ନକହି କେବଳ କାନ୍ଦି ଚାଲିଥିଲା |ଏହାପରେ ସେ ଫୋନ କାଟିଦେଲା |ସୁବାସିନୀ କାଞ୍ଚନଙ୍କୁ ପଚାରିଲେ, ତାର କଣ ହେଲା ?ସେ କାନ୍ଦୁଛି କାହିଁକି ?"ଅଖି ର କୋରାପୁଟ ବଦଳି ହୋଇ ଯାଇଛି"ଶାନ୍ତ ସ୍ୱରରେ ଏତିକି କହି କାଞ୍ଚନ ସେଠାରୁ ଚାଲିଗଲେ |ତାପରେ ସୁବାସିନୀ ସାଙ୍ଗେ ସାଙ୍ଗେ ଅକ୍ଷରକୁ ଫୋନ ଲଗାଇଲେ |କିନ୍ତୁ ତାର ଫୋନ ସୁଇଚ ଅଫ ଆସୁଥିଲା |
ଏପଟେ ବସୁଧା ଅକ୍ଷରର ବଦଳି ସମ୍ବାଦରେ ବ୍ୟତିବ୍ୟସ୍ତ ହୋଇ,ବିଛଣାରେ ମୁହଁ ମାଡି ଶୋଇ କଇଁ କଇଁ ହୋଇ କାନ୍ଦି କେତେ କଣ ଭାବି ଯାଉଥିଲା | ବାପା ମାମୁଁ ରାଗିଯାଇ ତାକୁ ଏପରି ଶାସ୍ତି ଦେବେ ବୋଲି ,ସେ କଳ୍ପନା ସୁଦ୍ଧା କରି ପାରିନଥିଲା |ମନେ ମନେ ସେ କହିଲା,ବାପା,ମୁଁ ବଡ଼ ଭୁଲ କରିଥିଲି,ସେଥିପାଇଁ ତମେ ମତେ ଶାସ୍ତି ଦେଇ ଭଲ କରିଛ |କିନ୍ତୁ ତମକୁ ମୋର ଏତିକି ମିନତି,ଆଉ ମୋ ଉପରେ ରାଗ ନରଖି,ତମର ଅତି ଆଦରର ବସୁ କୁ ଏଇ ଜନ୍ମ ପାଇଁ କ୍ଷମା କରିଦେବ |କେତେ ସମୟ ଏହିପରି ଦୁଃଖୀ ରହିବା ପରେ ସେ ତା ମନକୁ ଦୃଢ଼ କଲା ଓ ବେସିନରେ ମୁହଁ ଧୋଇ ଆସି ନିଜ ଭାବନାର ଦିଗ ବଦଳାଇ ଦେଲା |କାରଣ ସେ ଭଲଭାବେ ଜାଣିଥିଲା,ସେ ଭାଙ୍ଗି ପଡିଲେ,ତାକୁ ଦେଖି ଅକ୍ଷର ମଧ୍ୟ ଭାଙ୍ଗି ପଡିବ |କବାଟ ଖୋଲି ସେ ବାରଣ୍ଡାରେ ଛିଡ଼ାହୋଇ ବାହାରେ ବିଛାଡ଼ି ହୋଇ ପଡିଥିବା ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜକୁ ଲକ୍ଷ୍ୟ କଲା |ମାଆ କହୁଥିଲେ,କୁଆଁର ପୁନେଇ ଡାଲାରେ କାଳେ ଶୀତ ଆସେ |କିନ୍ତୁ ଏ ପର୍ଯ୍ୟନ୍ତ ଶୀତ ଆସିବା ଦୂରର କଥା,ଖରାର ପ୍ରକୋପ କମିନାହିଁ |
ଏହି ସମୟରେ ହଠାତ ଲକି ଉପରେ ତାର ନଜର ପଡିଲା | ସେ ତା ସାଇକେଲଟି ଧରି ଏ ମୁଣ୍ଡରୁ ସେ ମୁଣ୍ଡ ଘୁରି ବୁଲୁଥିଲା | ମଝିରେ ମଝିରେ ପାଖରେ ଥିବା ଟ୍ୟାପରୁ ପାଣି ପିଇ ପୁଣି ସାଇକେଲ ଚଲାଉ ଥିଲା |ବସୁଧା ତାକୁ ଅଟକାଇ ଦେଇ ପଚାରିଲା,ତୁ ଆଜି ସ୍କୁଲ ନଯାଇ ଖରାରେ ଅମୁହାଁ ବୁଲୁଛୁ,ପୁଣି ଏ ଗନ୍ଧିଆ ପାଣି ପିଉଛୁ ?କଣ ପାଇଁ ସ୍କୁଲ ଯାଇନୁ ?ଲକି କହିଲା,ମତେ ଜ୍ୱର ହୋଇଛି,ସେଥିପାଇଁ ମାମା ସ୍କୁଲ ଯିବାକୁ ମନା କଲେ |ବସୁଧା କହିଲା,ଜ୍ୱରରେ ଏମିତି ଖରାରେ ବୁଲନ୍ତି ?କୁଆଡେ ତୋ ମାମା ଗଲେ ?ଲକି କହିଲା,ମାମା ଘରେ ନାହାନ୍ତି,ସେ ଲକ୍ଷ୍ମୀପୂଜା ମିଟିଂ କୁ ଯାଇଛନ୍ତି |ବସୁଧା ଲକି କପାଳରେ ହାତ ଦେଇ ଦେଖିଲା,ପ୍ରକୃତରେ ତା ଦେହରେ ଜ୍ୱର ଥିଲା |ସେ କୋମଳ କଣ୍ଠରେ କହିଲା,ଲକି ବାବା,ଏମିତି ଖରାରେ ବୁଲିଲେ ତୋ ଜ୍ୱର ଆହୁରି ବଢ଼ିଯିବ,ପୁଣି ବାହାର ଟ୍ୟାପ ପାଣି ପିଉଛୁ ,ଜାଣିଛୁ ,ତୋ ଦେହ ପାଇଁ ସେ କେତେ କ୍ଷତିକାରକ ?ଲକି କହିଲା,ହଁ ମୁଁ ଜାଣିଛି,ଆମଘର ଉପର ମହଲାରେ | ଶୋଷ ହେଲେ କେତେ ଥର ମୁଁ ଉପରକୁ ଯିବି ?ବସୁଧା କହିଲା,ତାହାଲେ ଆସ,ଆମ ଘରେ ବସିବୁ ,ମାମା ଆସିଲେ ଯିବୁ |ଲକି ମୁଣ୍ଡ ହଲାଇ କହିଲା,ନା ,ମୁଁ ତମ ଘରକୁ ଯିବିନି,ମାମା ଆସିଲେ ମୁଁ ଜାଣି ପାରିବିନି |ଏତିକି କହୁ କହୁ ସେ ଜୋରରେ ସାଇକେଲ ଚଲାଇ ଚାଲିଗଲା |
ବସୁଧା ନିରାଶ ହୋଇ ଘରକୁ ଯିବା ବେଳକୁ ଅକ୍ଷର ଆସି ପହଞ୍ଚିଗଲା |ମୁହଁଟି ତାର ଶୁଖି ଯାଇଥିଲା |ସେ ଏତେଶୀଘ୍ର ଅଫିସରୁ ଫେରିବାର ଦେଖି ବସୁଧା ଆଶ୍ଚର୍ଯ୍ୟ ହୋଇଗଲା |ଅକ୍ଷର ଭିତରକୁ ଆସି କବାଟ ବନ୍ଦ କଲା ଓ ଫ୍ୟାନ ତଳେ ବସି ଦୀର୍ଘଶ୍ଵାସ ଛାଡିଲା |ବସୁଧା ପଚାରିଲା,ଏତେ ଶୀଘ୍ର ଆସିଗଲ ଯେ ?ଅକ୍ଷର କହିଲା,ଆଉ କଣ କରିଥାନ୍ତି ?ସେମାନେ ମୋ ପୋଷ୍ଟ ସହିତ ମତେ କୋରାପୁଟ ପଠେଇଛନ୍ତି |କାଳେ ପ୍ରେସର ପକେଇ ବଦଳି ବାତିଲ କରିଦେବି ସେଥିପାଇଁ ଆଜି ରିଲିଭ ବି କରିଦେଇଛନ୍ତି |ମୋ ଟ୍ରାନ୍ସ୍ଫର ଅର୍ଡ଼ରରେ ହିଁ ମୋ ରିଲିଭ ଅର୍ଡର ଅଛି |ପକେଟରୁ ଅଫିସ ଅର୍ଡର କାଢି ଅକ୍ଷର ବସୁଧାକୁ ଦେଲା |ତାକୁ ପଢୁ ପଡୁ ବସୁଧା ଆଖିରେ ଲୁହ ଜକେଇ ଆସିଲା ଓ ସେ ନିଜକୁ ରୋକି ପାରିଲା ନାହିଁ |ସେ କାନ୍ଦିବା ଦେଖି,ଅକ୍ଷର ଆଖିକୁ ମଧ୍ୟ ଲୁହ ଚାଲି ଆସିଲା |ସେ ବାଷ୍ପାରୁଦ୍ଧ କଣ୍ଠରେ କହିଲା,ଦେଖିଲ,ସେମାନେ କେମିତି ପ୍ରତିଶୋଧ ନେଲେ ?ବସୁଧା ଲୁହ ପୋଛି କହିଲା,ତମେ ମନଦୁଃଖ କରନା ,ଆମେ କୋରାପୁଟ ଯିବା |ସେଠିକି ଥରେ ଗଲେ,ଆଉ ଆସି ପାରିବା ନାହିଁ,ନହେଲା ନାହିଁ,ସେଠାରେ ସମସ୍ତେ ଯେମିତି ରହୁଛନ୍ତି,ଆମେ ସେମିତି ରହିବା |
ଅକ୍ଷର କହିଲା,ସେହି ପ୍ରୋଜେକ୍ଟରେ ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାକୁ ସରକାର ଆଦେଶ ଦେଇଛନ୍ତି |ତା ସତ୍ତ୍ୱେ ବି ସେମାନେ କାରସାଦି କରି ମୋ ପୋଷ୍ଟ ସହିତ ମତେ ସେଠିକି ପଠେଇ ଦେଲେ !!
ବସୁଧା କିଛି ନକହି ଅକ୍ଷରର ବ୍ୟାଗ ଖୋଲି ସେଥିରୁ ତାର ଲଞ୍ଚ ବକ୍ସ କାଢିଲା |କାରଣ ସେ ଭଲଭାବେ ଜାଣିଥିଲା ଏପରି ପରିସ୍ଥିତିରେ ଅକ୍ଷର କଦାପି ଲଞ୍ଚ ଖାଇ ନଥିବ |ତାର ଅନୁମାନ ସତ୍ୟ ଥିଲା |ସେ ପଚାରିଲା,ଏବେ ଖାଇବ ?ଅକ୍ଷର କହିଲା,ନା ବସୁ ,ଖାଇବାକୁ ଜମା ଇଛା ହେଉନି,ଯଦି ପାରିବ ,ଚା' ଟିକେ ଦିଅ,ପିଇବି |ବସୁଧା କହିଲା,ସେମିତି କେମିତି ହେବ ?ଲଞ୍ଚ ଖାଇବା ସମୟରେ ତମେ ଚା' ପିଇବ ?ଇଚ୍ଛା ନହେଉ ପଛକେ,ଅଳ୍ପ କିଛି ଖାଇଦିଅ |ଏହା କହି ସେ ରୋଷେଇ ଘରକୁ ଯାଇ ଲଞ୍ଚ ବକ୍ସରେ ଥିବା ଖାଦ୍ୟକୁ ଗରମ କରି ଦୁଇଟି ପ୍ଲେଟରେ ନେଇ ଆସିଲା |କାରଣ ମନ ଅଶାନ୍ତି ଯୋଗୁ ତାର ମଧ୍ୟ ଖାଇବାକୁ ଇଚ୍ଛା ହେଉନଥିଲା |
ବସୁଧାକୁ ଦୁଇଟି ପ୍ଲେଟରେ ଖାଦ୍ୟ ଆଣିବାର ଦେଖି ଅକ୍ଷର କହିଲା,ତମେ ଏପର୍ଯ୍ୟନ୍ତ ଖାଇ ନଥିଲ କାହିଁକି ? ବସୁଧା ଧୀର ସ୍ୱରରେ କହିଲା,ମତେ ବିଲକୁଲ ଭୋକ ନାହିଁ, ତମେ ଯଦି ଖାଇ ସାରିଥାନ୍ତ,ତାହାଲେ ମୁଁ ଜମା ଖାଇ ନଥାନ୍ତି ,ମିଛରେ ଖାଇ ସାରିଛି ବୋଲି ତମକୁ କହିଥାନ୍ତି | (କ୍ରମଶଃ)
No comments:
Post a Comment