Friday, October 14, 2022

ଅଭଙ୍ଗା କଣ୍ଢେଇ (ଭାଗ 23)

                      ସବୁଦିନ ଦୁଇଟି ରୁଟି ଖାଉଥିବା ଅକ୍ଷର ଆଜି ଏକାବେଳକେ ଚାରିଟି ରୁଟି ଅସୀମ ତୃପ୍ତିରେ ଖାଉଥିବାର ଦେଖି ବସୁଧାର ମନ ଆନନ୍ଦରେ ଭରିଗଲା  |ସେ  ଉତ୍ଫୁଲ୍ଲିତ ହୋଇ,ବଳିଥିବା ଶେଷ ଦୁଇଟି ରୁଟିରୁ ଗୋଟିଏ ଅକ୍ଷର ପ୍ଲେଟରେ ଓ ଅନ୍ୟଟି  ନିଜ ପ୍ଲେଟରେ ରଖି କହିଲା, ଖାଇଦିଅ,ସରିଯିବ,ଆଉ କାହିଁକି ସକାଳକୁ ରଖିବା ?ଅକ୍ଷର ପ୍ରତିବାଦ କରି କହିଲା,ତମେ ଖାଅ,  ମତେ କଣ ସବୁ ଦେଇ ଦେଉଛ ?ବସୁଧା ତାର ପ୍ଲେଟକୁ ଇଙ୍ଗିତ କରି କହିଲା,ଦେଖୁନ,ମୁଁ ବି ଗୋଟେ ନେଇଛି |ଅକ୍ଷର ପଚାରିଲା,ସବୁ ସରିଲା ନା ଆଉ ଅଛି ?ବସୁଧା ମୁରୁକି ହସି କହିଲା,ସବୁ ସରିଗଲା ,ଆଉ ନାହିଁ | କାଲି ବ୍ରେକଫାଷ୍ଟରେ କଣ ଖାଇବ ଏବେଠାରୁ କହିଦିଅ  |

            ଅକ୍ଷର କହିଲା,ଯାହା ତମ ଇଚ୍ଛା ,ଏମିତିକା ଟେଷ୍ଟି ଯାହା ବି ରାନ୍ଧି ପାରିବ  |ବସୁଧା କହିଲା,ତଥାପି,ଦୁଇ ତିନିଟା ଅପ୍ସନ ଦିଅ |ଅକ୍ଷର ବିନା ଦ୍ଵିଧାରେ କହିଲା,ମୋର ଏଗ ରୋଲ ଦରକାର |ସେଥିପାଇଁ ଯାହା ଜିନିଷ ଦରକାର ଘରେ ଅଛି ନା ନାହିଁ,ଦେଖିଦିଅ,ନଥିଲେ,ମୁଁ କାଲି ସକାଳେ ନେଇ ଆସିବି |ହଉ କହି ବସୁଧା ଦୁଇଜଣଙ୍କ ବାସନ ନେଇ ଚାଲିଗଲା |

              ପରଦିନ ବଡି ଭୋରରୁ ବସୁଧା ଉଠି ଶୀଘ୍ର ଶୀଘ୍ର ତାର ନିତ୍ୟକର୍ମ ଶେଷ କରି ଅକ୍ଷର ବରାଦ ଦେଇଥିବା ଜଳଖିଆ ତିଆରି କରିବାପାଇଁ ତାର ପ୍ରସ୍ତୁତି ଆରମ୍ଭ କରିଦେଲା |  ନୂଆ ପ୍ରଣାଳୀରେ ଭିନ୍ନ ସ୍ୱାଦର ଏଗ ରୋଲ ବନେଇବା ପାଇଁ ସେ ରାତିରୁ ଯୋଜନା କରି ସାରିଥିଲା |ରବିବାର ଛୁଟିଦିନ ଥିବାରୁ ଦଶଟା ପୂର୍ବରୁ ନ ଉଠିବାପାଇଁ ଅକ୍ଷର ମନ ସ୍ଥିର କରିଥିଲା |କିନ୍ତୁ ରୋଷେଇଘରୁ ଆସୁଥିବା ମସଲାର ବାସ୍ନା ତାକୁ ଅଧିକ ସମୟ ଶୋଇବାକୁ ଦେଲାନାହିଁ |ସେ ସେହି ଅପୂର୍ବ ସୁଗନ୍ଧ ଆଘ୍ରାଣ କରି ବସୁଧା ପାଖକୁ ଆସି କହିଲା,ବସୁ ,ଆଜି ରବିବାର,ଏତେ ଶୀଘ୍ର ବ୍ରେକଫାଷ୍ଟ ତିଆରି କରିବା କଣ ଦରକାର ଥିଲା ?ମୋ ଆଖିରେ ଆଜି ବହୁତ ନିଦ,ମୁଁ ଆଉ ଟିକିଏ ଶୋଇଥାନ୍ତି  |ବସୁଧା ସ୍ମିତ ହସି କହିଲା,ଜମା ବ୍ୟସ୍ତ ହୁଅନା,ଏବେ ଏଗ ରୋଲ ତିଆରି କରୁନି, କେବଳ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି ,ତମେ ଯେତେବେଳେ ଖାଇବାକୁ କହିବ,ମୁଁ ଫଟାଫଟ ତିଆରି କରିଦେବି |ଏବେ ଯାଅ ,ଯେତେ ଇଚ୍ଛା ,ସେତେ ଶୁଅ  |ବସୁଧା କଥା ଶୁଣି,ଅକ୍ଷର ଯନ୍ତ୍ରଚାଳିତ ପରି ଶୋଇବାକୁ ଚାଲିଗଲା |ବସୁଧା ମଧ୍ୟ ତାର ପ୍ରାରମ୍ଭିକ ପ୍ରସ୍ତୁତି ଶେଷ କରି ,ରୋଷେଇଘର କବାଟ ଆଉଜାଇ ଦେଇ ବିନା ଶବ୍ଦରେ  ଟିଭି ଦେଖିବାକୁ ଲାଗିଲା |କିନ୍ତୁ କିଛି ସମୟ ଟିଭି ଦେଖିବାପରେ ତା ଆଖିକୁ  ତନ୍ଦ୍ରା ଘାରି ଆସିଲା ଓ ସେ  ଢୁଳାଉ ଢୁଳାଉ ସୋଫାରେ ଶୋଇପଡ଼ିଲା |

             ହଠାତ ଖଡଖଡ ଶବ୍ଦରେ ତାର ନିଦ ଭାଙ୍ଗିଗଲା | ସେ ଆଖି ଖୋଲି ଦେଖିଲା ଅକ୍ଷର କେତେବେଳୁ ଉଠି ଦାନ୍ତ ବ୍ରସ କରୁଛି |ସେ ସଙ୍ଗେ ସଙ୍ଗେ ଉଠି,ମୁହଁ ଧୋଇ ,ରୋଷେଇଘରକୁ ଯାଇ ତାର କାମରେ ଲାଗିପଡ଼ିଲା |  ଦଶ ମିନିଟ ମଧ୍ୟରେ ସେ ଅକ୍ଷର ସାମ୍ନାରେ ପ୍ଲେଟରେ ଗୋଟିଏ  ରୋଲ ରଖି କହିଲା,ୟାକୁ ଚାଖ ଓ ଲୁଣ ଠିକ ଅଛି ନା ନାହିଁ କୁହ |ଅକ୍ଷର କହିଲା,ସବୁ ଠିକ ଥିବ, ତୁମପାଇଁ ବି ଆଣ ,ସାଙ୍ଗ ହୋଇ ଖାଇବା |ବସୁଧା କହିଲା,ସେମିତି ହେଲେ ଥଣ୍ଡା ହୋଇଯିବ,ତମେ ଆଉ ଟେଷ୍ଟ ଜାଣି ପାରିବନି |ଅକ୍ଷର କହିଲା,ନ ଜାଣି ପାରିଲେ ନାହିଁ,ମୁଁ ଏକୁଟିଆ ଖାଇ ପାରିବି ନାହିଁ |ବସୁଧା ଆଉ ଯୁକ୍ତି ନ କରି ଦୁଇଜଣଙ୍କ ପାଇଁ ନେଇ ଆସିଲା |ଅକ୍ଷର କହିଲା,ତମେ ପ୍ରଥମେ ଚାଖିକରି କୁହ,କେମିତି ଲାଗୁଛି ?ବସୁଧା କହିଲା,ଇଏ କି ଓଲଟା କଥା ?ବରାଦ ତମର,ଚାଖିବି ମୁଁ ?ହଉ ଠିକ ଅଛି,ଏହା କହି ସେ ଖାଇବା ଆରମ୍ଭ କଲା |ତା ସହିତ ତାଳ ଦେଇ,ଅକ୍ଷର ଖାଉ ଖାଉ କହିଲା,ବଢିଆ ଲାଗୁଛି ବସୁ ,ଯାହାକୁ କୁହନ୍ତି,ଏକଦମ ସୁପର !!ତମେ ଏଗ ରୋଲ ଅଟାରେ କରିଛ,ବାହାରେ ମଇଦାରେ କରୁଛନ୍ତି,ଅନେକ ଲୋକ ସ୍ୱାସ୍ଥ୍ୟ ପାଇଁ ମଇଦା ପରିବର୍ତ୍ତେ ଅଟାକୁ ପସନ୍ଦ କରୁଛନ୍ତି |ଏଇଟା ହିଁ ତମ ରନ୍ଧାର ବିଶେଷତ୍ତ୍ୱ !ମୁଁ କଣ ଭାବିଛି ଜାଣିଛ ?ଆମେ ଗୋଟେ ଅନଲାଇନ ଘର ତିଆରି ଖାଦ୍ୟ ହୋମ ଡେଲିଭରି ବିଜିନେସ କରିବା | ତମେ ଯେମିତି ରାନ୍ଧୁଛ ନା,ରାତାରାତି ସେଲିବ୍ରିଟି ପାଲଟିଯିବ  ! 

          ବସୁଧା କହିଲା,ଶେଷରେ ଏଇ ଖାଇବା ବିଜିନେସ ତମ ମନକୁ ଆସିଲା ?ଏଇଟା କଣ ଚାଲିବ ?ଅକ୍ଷର କହିଲା,ଚାଲିବ ମାନେ ?ଦୌଡିବ କୁହ |ସାରା  ପୃଥିବୀରେ ଏକମାତ୍ର  ଖାଦ୍ୟ ଏମିତି ଗୋଟିଏ ଜିନିଷ ଯାହା ସମସ୍ତଙ୍କର ଦରକାର ଏବଂ ଯେଉଁଥିରେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ |ତାପରେ ବାହାର ଖାଦ୍ୟ ଅପେକ୍ଷା ଘର ରନ୍ଧା ଖାଦ୍ୟର ଚାହିଦା ବେଶୀ |ମୁଁ ଏମିତି ବହୁତ ଲୋକଙ୍କୁ ଜାଣିଛି,ଯେଉଁମାନେ ରାତିରେ କ୍ଲାନ୍ତ ଶ୍ରାନ୍ତ ହୋଇ ଅଫିସରୁ ଫେରି ଖାଇବାକୁ ପାଆନ୍ତି ନାହିଁ |କାରଣ ଘରକୁ ଫେରିବା ପରେ ବି ସେମାନଙ୍କୁ ଅଫିସ କାମ କରିବାକୁ ପଡିଥାଏ |ସେହିଭଳି ଲୋକ ଅନଲାଇନ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି |ସେମାନେ ଯଦି ତମ ହାତରନ୍ଧା ଖାଦ୍ୟର ସ୍ୱାଦ ଥରେ ପାଇଯିବେ,ଆଉ ଅନ୍ୟ ଖାଦ୍ୟରେ ମନ ବଳାଇବେ ନାହିଁ |

         ବସୁଧା ଲାଜୁରା ହୋଇ କହିଲା,ମୋ ଉପରେ ତମର ଏତେ ବିଶ୍ୱାସ ?ଅକ୍ଷର କହିଲା,ବିଶ୍ୱାସ ନଥିଲେ,ମୁଁ କଣ ତମକୁ ଭଣ୍ଡେଇବା ପାଇଁ ଏତେ କଥା କହୁଛି ?ସୁଦୁ ପାଗଳୀ !!ବସୁଧା କହିଲା,ତାହାଲେ ତମେ କଣ ଚାକିରୀ ଛାଡ଼ିଦେବ ?ଅକ୍ଷର କହିଲା,ଉହୁଁ,ଚାକିରୀ ଛାଡିବା ଦରକାର ନାହିଁ |ଆମେ ଆରମ୍ଭରୁ କେବଳ ଚାରି ପାଞ୍ଚଜଣଙ୍କ ପାଇଁ ରାତ୍ରିଭୋଜନ ତିଆରି କରିବା | ତମେ ରାନ୍ଧିବ ଆଉ ମୁଁ ଅଫିସରୁ ଫେରିବା ପରେ,ହୋମ ଡେ଼ଲିଭରୀ କରିବି |ମୁଁ କାହିଁକି ଏଥିରେ ଏତେ ଆଗ୍ରହ ଦେଖାଉଛି ତାର କାରଣ  ମତେ ପଚାର |

"କାହିଁକି ?"ବସୁଧା ସାଙ୍ଗେ ସାଙ୍ଗେ ପଚାରିଲା |

"କାହିଁକିନା,ମୁଁ ଚାହେଁ ମୋ ବସୁର ଏହି ବିରଳ ପ୍ରତିଭାର ବିକାଶ ହେଉ,ସମସ୍ତେ ତାର ଗୁଣକୁ ଚିହ୍ନନ୍ତୁ ,ଜାଣନ୍ତୁ, ବଣମଲ୍ଲୀ ପରି ସେ ଅକାଳରେ ବଣରେ ଫୁଟି ମଉଳି ନ ଯାଉ,ଭାବବିହ୍ୱଳ କଣ୍ଠରେ ଅକ୍ଷର ଉତ୍ତର ଦେଲା  |(କ୍ରମଶଃ)

             

    

           

No comments:

Post a Comment