Wednesday, October 12, 2022

ଅଭଙ୍ଗା କଣ୍ଢେଇ (22)

                  ଅକ୍ଷର ଖୁସି ମନରେ ହୋଟେଲ ଆଡକୁ ବାଇକ ମୋଡ଼ିବାକୁ ଯାଇ ଅଟକିଗଲା |ବସୁଧା କହିଲା,କଣ ହେଲା ?ଅକ୍ଷର କହିଲା,ତମେ ଠିକ କହୁଥିଲ,ଚାଲ,ଘରେ ଯାଇ ଖାଇବା |ବସୁଧା ବିସ୍ମିତ ହୋଇ କହିଲା,ପୁଣି କଣ ହେଲା ?

                 ଅକ୍ଷର କହିଲା,ଦେଖ,ଏବେ ଦଶଟା ବାଜିଲାଣି |ଆମେ ଖାଇବା ଅର୍ଡର ଦେଇ,ଅଧଘଣ୍ଟାଏ ଅପେକ୍ଷା କରିବା |ଖାଇସାରି ଘରକୁ ଫେରିବାବେଳକୁ ଅତି କମରେ ବାରଟା ରୁ କମ ହେବନି |ତାପରେ ଆମ ହାତରେ କେତେଟା ବ୍ୟାଗ ଅଛି ଦେଖୁଛ ?ସମୁଦାୟ ଆଠଟା |ତାକୁ ବୋହି ବୋହି ନେବା,ପୁଣି ଆଣିବା,ଆମପାଇଁ କଷ୍ଟକର ବ୍ୟାପାର ହୋଇ ପଡିବ  |ତେଣୁ ଉଚିତ ହେବ,ସୁନାପିଲାଟି ପରି ଘରକୁ ଯାଇ ଯାହା ରାନ୍ଧିଛ,ଖାଇ ଦେବା |

         ବସୁଧା କହିଲା,ତମେ କେତେ ଖୁସିରେ ଖାଇବାକୁ ମନ କରିଥିଲ ,ବ୍ୟାଗ ପାଇଁ ମନ ପରିବର୍ତ୍ତନ କରିବା,ମତେ ଭଲ ଲାଗୁନାହିଁ |ତମେ ଗୋଟିଏ କାମ କର,ମୁଁ ଏଇଠି ଅଛି,ତମେ ଯାଇ ଖାଲି ତମ ପସନ୍ଦର ଆମିଷ ତରକାରି ନେଇଆସ,ରୁଟି ସାଙ୍ଗେ ଖାଇବ |ଅକ୍ଷର ଆଖି ବଡ଼ ବଡ଼ କରି କହିଲା,କଣ କହିଲ ?ତମକୁ ଏକୁଟିଆ ଛାଡି ମୁଁ ଯିବି ?ଯଦି ପୁଣି ତମକୁ ତମ ଘର ଲୋକ ଆସି ନେଇଯିବେ,ମୁଁ କଣ କରିବି ?ପାଖରେ ଥିବା କିଛି ଲୋକ ଅକ୍ଷର କଥା ଶୁଣି ହସୁଥିଲେ |ଅକ୍ଷରର କିନ୍ତୁ ସେଥି  ପ୍ରତି ନଜର ନଥିଲା |ବସୁଧା ଲାଜେଇଯାଇ ଆସ୍ତେ କରି କହିଲା,ଏଠାରେ ଏତେ ଗହଳି ହୋଇଛି,ଏମିତି ସାହସ କାହାର ହେବ ?ଅକ୍ଷର କହିଲା,ମତେ ଆଉ ଜ୍ଞାନ ଦିଅନା,ସେ ଭୁଲ ମୁଁ ଆଉଥରେ ଦୋହରାଇବାକୁ ଚାହେଁନା |ଏହା କହି ସେ ଦ୍ରୁତ ଗତିରେ ବାଇକ ଛୁଟାଇ ଅଧଘଣ୍ଟାରେ ଘରେ ପହଞ୍ଚି ଗଲା |

         ବସୁଧାର  ମନ ଦୁଃଖ ହୋଇଗଲା |କେତେ ଖୁସିରେ ହୋଟେଲରେ ଭଲ ଜିନିଷ ଖାଇବାକୁ ମନ କରିଥିଲେ,ଏବେ ସାଧା ଖାଦ୍ୟରେ ସନ୍ତୁଷ୍ଟ ହେବାକୁ ପଡିବ |ତଥାପି ତା ମନ ବୁଝୁ ନଥିଲା |ଅକ୍ଷର ବ୍ୟାଗରୁ ଲୁଗାପଟା କାଢି ସଜାଡି ରଖୁଥିବାବେଳେ ସେ ଫ୍ରୀଜରୁ ଅଣ୍ଡା ଆଣି ତା ପସନ୍ଦର ମସଲାଦାର ଆମଲେଟ ତିଆରି କଲା ଓ ତରକାରି ଗରମ କରି ସେଥିରେ ପିଆଜ,ଲଙ୍କା ଓ ଧନିଆପତ୍ର ଚୁନା ଚୁନା କରି କାଟି ପକାଇଦେଲା |ଏତିକିବେଳେ ଅକ୍ଷର  ରୋଷେଇଘରକୁ ଆସି କହିଲା,ଏତେ ବାସନା ହେଉଛି,କଣ ରାନ୍ଧୁଛ ?ବସୁଧା କହିଲା,କିଛି ନାହିଁ,ତରକାରି ଗରମ କରୁଥିଲି,ଚାଲ ଖାଇବା |

           ଖାଇବା ଟେବଲରେ ଅଣ୍ଡା ଆମଲେଟ ଦେଖି,ଅକ୍ଷର ଖୁସି ହୋଇଗଲା ଓ ସଙ୍ଗେ ସଙ୍ଗେ ସେଥିରୁ ଅଳ୍ପ ନେଇ ପାଟିରେ ଭର୍ତ୍ତି କରି କହିଲା,କେତେ ବଢିଆ ବନେଇଛ ବସୁ ,ବେକାରଟାରେ ମୁଁ ହୋଟେଲରେ ଖାଇବାକୁ କହୁଥିଲି |ଆଉ ତମର ନିରାମିଷ ତରକାରି ବି' ଅପୂର୍ବ ,ବାଃ ବାଃ ,ସତରେ ତମ ହାତରେ ଯାଦୁ ଅଛି |ବସୁଧା ଅବିଶ୍ୱସନୀୟ କଣ୍ଠରେ କହିଲା,ସତରେ କହୁଛ ନା ମଜା କରୁଛ ?ଅକ୍ଷର କହିଲା,ସତ କହିଲେ ତମକୁ ବିଶ୍ୱାସ ହେଉନି ?ତମେ ନିଜେ ଚାଖି ଦେଖ,ସତ କହୁଛି କି ମିଛ କହୁଛି,ଜାଣି ପାରିବ !ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ଯଦି ରାନ୍ଧଣା ପ୍ରତିଯୋଗିତାରେ ତମେ ଭାଗ ନେବ, ନିଶ୍ଚୟ ପ୍ରଥମ ସ୍ଥାନ ଅଧିକାର କରିବ |

    ବସୁଧା କହିଲା,ମତେ ତମେ ଭଲପାଅ ,ସେଥିପାଇଁ ମୁଁ ଯାହା ରାନ୍ଧିଦେଲେ,ତମକୁ ଭଲ ଲାଗୁଛି,ଏହାର ମାନେ ନୁହେଁ ଯେ,ମୋ ରାନ୍ଧଣା ସମସ୍ତଙ୍କୁ ଭଲ ଲାଗିବ !ଅକ୍ଷର କହିଲା,ମୋ ମନ କହୁଛି,ତମକୁ ସେମିତି ପ୍ଲାଟଫର୍ମ ମିଳିଲେ,ତମେ ନିଶ୍ଚୟ ତମର ଦକ୍ଷତା ପ୍ରତିପାଦନ କରିପାରିବ |

        ବସୁଧା କହିଲା,ସକାଳର ଖାଦ୍ୟ ରାତିରେ ଖାଇବାକୁ ଭଲ ଲାଗିବନି ବୋଲି ମୁଁ ମନ ଦୁଃଖରେ ଥିଲି,କିନ୍ତୁ ତମେ ଓଲଟା ମତେ ଫାର୍ଷ୍ଟ କ୍ଲାସ ଫାର୍ଷ୍ଟ କରିଦେଲ !କିନ୍ତୁ ଏମିତି ପ୍ରଶଂସା କଲେ ତମର କ୍ଷତି ହେବ |ଅକ୍ଷର ଆଶ୍ଚର୍ଯ୍ୟ ହୋଇ କହିଲା,କାହିଁକି ?ବସୁଧା ହସି ହସି କହିଲା,କାହିଁକିନା ,ମୁଁ ଅତି ଖୁସିରେ ଅଧିକ ପ୍ରକାର ଆଇଟମ ରାନ୍ଧିବି,ତମେ ମତେ ଜିନିଷ ଯୋଗେଇ ଯୋଗେଇ ଥକି ଯିବ |

       ତା କଥା ଶୁଣି,ଅକ୍ଷର ହୋ ହୋ ହୋଇ ହସି ଉଠି କହିଲା,ଓଃ ଏଇକଥା ?ହୋଟେଲଠାରୁ ଭଲ ଜିନିଷ ଯଦି ଘରେ ଖାଇବାକୁ  ମିଳିଯାଏ ,ତାହାଲେ ଖର୍ଚ୍ଚ କରିବାରେ ଅସୁବିଧା ରହିଲା କେଉଁଠି ??

         କିଛି ସମୟ ପୂର୍ବରୁ ହୋଟେଲରେ ଖାଇବାକୁ ମନ କରି ନିରାଶ  ହୋଇଥିବା ଅକ୍ଷରକୁ ଖୁସି ମନରେ ଖାଉଥିବାର ଦେଖି ବସୁଧାର ଆନନ୍ଦର ସୀମା ନଥିଲା |ଏମିତିରେ ଅତି ସାଧାରଣ ଜିନିଷକୁ ଅସାଧାରଣ କରି ରାନ୍ଧିବାରେ ତାର ଦକ୍ଷତା ଥିବା କଥା ଅନେକଙ୍କ ମୁହଁରୁ ଶୁଣିଥିଲା  | କିନ୍ତୁ ଅକ୍ଷର ମୁହଁରୁ ପ୍ରଶଂସା ଶୁଣିବା ତା ପାଇଁ ନିଆରା ଥିଲା |ନିଜର ପ୍ରିୟ ମଣିଷକୁ ହାତ ରନ୍ଧା ରୋଷେଇରେ ସନ୍ତୁଷ୍ଟ କରିବାର ସୌଭାଗ୍ୟ କେତେଜଣଙ୍କୁ ମିଳିଥାଏ ?କିନ୍ତୁ ଏକାବେଳକେ ଏତେ ପ୍ରଶଂସା ସେ ହଜମ କରିପାରୁନଥିଲା |କଥାର ଦିଗକୁ ବଦଳାଇ ସେ କହିଲା,କାଲିର ପ୍ରୋଗ୍ରାମ କଣ ରଖିଛ ?

          ଅକ୍ଷର କହିଲା,କିଛିନାହିଁ,ତମେ କୁହ,ତମେ ଯାହା କହିବ,ତାହା କରିବା |ବସୁଧା କହିଲା,ଛାତ ଉପରେ କିଛି ଗଛ ଲଗାଇବାକୁ ଇଚ୍ଛା ହେଉଛି |ବର୍ତ୍ତମାନ ପାଇଁ ତୁଳସୀ ଗଛ ଓ ଅଳ୍ପ କିଛି ଫୁଲ ଗଛ ରଖିବା,ପରେ ଧୀରେ ଧୀରେ ବଢାଇବା ,କଣ କହୁଛ ?ଅକ୍ଷର କହିଲା,ଭଲ କଥା କହୁଛ,କିନ୍ତୁ ଏବେ ନୁହେଁ |ବସୁଧା ପଚାରିଲା,କାହିଁକି ?

          ଅକ୍ଷର  କହିଲା,ଆମେ ଯେତେବେଳେ ବାହାରକୁ ବୁଲିଯିବା,ଗଛରେ କିଏ ପାଣି ଦେବ ?କାହାକୁ ଆମେ ଖୋସାମତ କରିବା ?ବସୁଧା କହିଲା,ଆଚ୍ଛା !ଏମିତି କଥା ?କେଉଁଠିକି ଯିବାପାଇଁ ଯୋଜନା କରିଛ ,କହିବ କି ?ଅକ୍ଷର କହିଲା,ସେକଥା ଆମେ ଦୁଇଜଣ ମିଶି ନିଷ୍ପତ୍ତି ନେବା ,ଏବେ ଆଉ ଗୋଟେ ରୁଟି ଦିଅ |(କ୍ରମଶଃ)

           

No comments:

Post a Comment