Thursday, October 20, 2022

ଅଭଙ୍ଗା କଣ୍ଢେଇ (ଭାଗ 24)

                     ଅକ୍ଷର ଭାବବିହ୍ୱଳ ହୋଇ ଆଉ କଣ କହି ଆସୁଥିବାବେଳେ କଲିଂ ବେଲ ବାଜିଲା |ବସୁଧା ତୁରନ୍ତ ଉଠି କବାଟ ଖୋଲି ଦେଖିଲା,ବାହାରେ ପିଙ୍କି ଆଣ୍ଟି ଓ ତାଙ୍କ ଦଶ ବର୍ଷର ପୁଅ ଲକି ଛିଡା ହୋଇଛନ୍ତି |ଲକିର ହାତକୁ ପିଙ୍କି ଆଣ୍ଟି ଜୋରରେ ଜାବୁଡି ଧରିଥିବାବେଳେ ଲକି ତାଙ୍କ ହାତରୁ ମୁକୁଳି ଯିବା ପାଇଁ ଟାଣି ଓଟାରି ହେଉଥିଲା |ବସୁଧା କବାଟ ଖୋଲିବାକ୍ଷଣି ପିଙ୍କି ଲକିର ହାତ ଟାଣି ଭିତରକୁ ନେଇ ଆସି  କବାଟ ବନ୍ଦ କରିଦେଲେ |ତାଙ୍କର ଏପରି ଆଚରଣରେ ବସୁଧା ଆଶ୍ଚର୍ଯ୍ୟ ହୋଇ ପଚାରିଲା,କଣ ହୋଇଛି ?ପିଙ୍କି ବିରକ୍ତ ହୋଇ କହିଲେ,ଏଇ ଦୁଷ୍ଟକୁ ଦେଖୁଛ,କେମିତି ହେଉଛି ? ଛକ ପାଖରେ ନୂଆ ସ୍ନାକ୍ସ ସେଣ୍ଟର ଆରମ୍ଭ ହୋଇନି ଯେ,ଆମ କାଳ ଦିନ ଆରମ୍ଭ ହୋଇଛି !ଘରେ ଯାହା ଖାଇବାକୁ ଦେଲେ,ତା ମନକୁ ପାଉନି,ସେଇ ପିଜା,ବର୍ଗର,ପେଟିସ ଉପରେ ତାର ମନ |ସମୟ ଅସମୟ କିଛି ନାହିଁ,ଯେତେବେଳେ ସୁଯୋଗ ପାଉଛି,ସେଇଠିକି  ଦୌଡୁଛି !ଦିନେ ଅଧେ ଖାଇଲେ ଚଳିବ ,ୟା ବୋଲି ସବୁଦିନ ?ତାକୁ ଖାଇ ଖାଇ  ଭାତ ,ରୁଟିକୁ ବି ସେ ଛିଃ କରି ସାରିଲାଣି |ଏବେ ତାକୁ ଦୋକାନ ପାଖରୁ ଧରି ଆଣିଲି |ତମ ପାଖକୁ ଆଣିଛି,ତାକୁ ଟିକେ ବୁଝାଇ ଦେବ ତ !

                ବସୁଧା ଲକି ପାଖକୁ ଯିବା କ୍ଷଣି ସେ ପିଙ୍କିଙ୍କ ପଛରେ ମୁହଁ ଲୁଚାଇ ଦେଲା |ବସୁଧା ବେସିନରେ ହାତ ଧୋଇ ଆସି,ତା କାନରେ ଫୁସ ଫୁସ ସ୍ୱରରେ  କହିଲା,ମୁଁ ତୋ ପାଇଁ ଗୋଟିଏ ବଢିଆ ଜିନିଷ ରଖିଛି,ଆସ,ଦେଖିବୁ |ସେ ତା ହାତ ଧରି ରୋଷେଇଘରକୁ ନେଇଗଲା ଓ ପଚାରିଲା,ଏଗ ରୋଲ ଖାଇବୁ ?ଲକି ସାଙ୍ଗେ ସାଙ୍ଗେ ମୁଣ୍ଡ ହଲାଇ ହଁ କହିଲା |ବସୁଧା ତାକୁ ରୋଷେଇଘରେ ପଡିଥିବା ଷ୍ଟୁଲ ରେ ବସାଇ ଷ୍ଟୋଭରେ ଦୁଇଟା ତାୱା ବସାଇ ଏକା ସାଙ୍ଗରେ ଦୁଇଟି ରୋଲ ତିଆରି କଲା | ରୋଲ ଦୁଇଟି ପ୍ଲେଟରେ ରଖି ପଛକୁ ଚାହିଁ ଦେଖିଲା,ସେଠାରେ ଲକି ନାହିଁ |ସେ ପିଙ୍କିଙ୍କ ପାଖରେ ବସିଥିଲା |ମାଆ ପୁଅଙ୍କୁ ଦୁଇଟି ପ୍ଲେଟ ଧରାଇ କହିଲା,ଖାଆନ୍ତୁ,ଆଉ କୁହନ୍ତୁ କେମିତି ଲାଗୁଛି |ପିଙ୍କି ଗୋଟିଏ ପ୍ଲେଟ ଫେରାଇ ଦେଇ କହିଲେ ,ଆମେ ଗୋଟିଏ ଖାଇଦେବୁ,ତମେ ଅନ୍ୟଟି ନେଇଯାଅ |ବସୁଧା ସେହି ପ୍ଲେଟ ଅକ୍ଷରକୁ ଦେଇ କହିଲା,ତମେ ଖାଇଦିଅ |ଅକ୍ଷରର ଆଉ ଗୋଟିଏ ଖାଇବାକୁ ଇଚ୍ଛା ହେଉଥିଲା,ତେଣୁ ସେ ଖୁସିରେ ଖାଇବାକୁ ଲାଗିଲା |ବସୁଧା ରୋଷେଇଘରକୁ ଯାଇ,ଶେଷ ଦୁଇଟି ରୋଲ ତିଆରି କରିବାକୁ ଲାଗିଲା |ଏତିକିବେଳେ ଲକି ତା ପାଖକୁ ଆସି କହିଲା,ଦିଦି,ମୁଁ ଆଉ ଗୋଟେ ଖାଇବି |ବସୁଧା ହସିଦେଇ କହିଲା,ହଉ ତୁ ମାମା ପାଖରେ ବସିଥା,ମୁଁ ନେଇକରି ଯାଉଛି |

                ସେ ଲକିକୁ ରୋଲ ଦେବାବେଳେ ପିଙ୍କି କହିଲେ,ତମେ ତ ବଢିଆ ବନାଉଛ,ୟୁ ଟ୍ୟୁବ ଦେଖି କରୁଛ କି ?ବସୁଧା କିଛି କହିବା ପୂର୍ବରୁ ଅକ୍ଷର କହିଲା,ସେ ନିଜେ ଗୋଟେ ୟୁ ଟ୍ୟୁବ,ତାର କେଉଁଠୁ ଶିଖିବା ଦରକାର ନାହିଁ |ପିଙ୍କି ଆଶ୍ଚର୍ଯ୍ୟ ହୋଇ କହିଲେ,ମାନେ ?ଅକ୍ଷର କହିଲା,ମାନେ କିଛି ନାହିଁ,ଅତି ସାଧାରଣ ଜିନିଷକୁ ଅସାଧାରଣ କରି ବନେଇବାର କଳା ତାକୁ ଈଶ୍ୱର ଦେଇଛନ୍ତି !

           ପିଙ୍କି କହିଲେ,ଭଲ କଥା ତ !!ଆଜିକାଲି ଯୁଗରେ ଝିଅମାନେ ରୋଷେଇ କରିବାକୁ ଚାହୁଁ ନଥିବାବେଳେ ଏପରି ରୁଚି ଓ ଆଗ୍ରହ ଅତି ବିରଳ !ବସୁଧା କହିଲା,ନା ସେମିତି କିଛି ନୁହେଁ ଆଣ୍ଟି,ମୁଁ ଟିକେ ଭଲ ଖାଇବାକୁ ଭଲ ପାଏ,ତେଣୁ ବିଭିନ୍ନ ପ୍ରଣାଳୀରେ ଭଲ ଭଲ ଆଇଟମ ତିଆରି କରିବାକୁ ଚେଷ୍ଟା କରେ |ଆପଣଙ୍କୁ ଭଲ ଲାଗିଲା,ସେଥିପାଇଁ ବହୁତ ଧନ୍ୟବାଦ |

             ପିଙ୍କି କହିଲେ,ଅଙ୍କଲ ଭାରି ଖାଦ୍ୟ ପ୍ରିୟ,ଆମେ ଏତେ ଭଲ ଜିନିଷ ଖାଇଛୁ ବୋଲି ଜାଣିଲେ ..........ତାଙ୍କ କଥା ନ ସରୁଣୁ ବସୁଧା ରୋଷେଇଘରକୁ ଯାଇ,ତା ନିଜପାଇଁ ରଖିଥିବା ରୋଲ କୁ ଯତ୍ନରେ ପ୍ୟାକ କରି ପିଙ୍କିଙ୍କୁ  ଦେଇ କହିଲା,ନିଅନ୍ତୁ ଆଣ୍ଟି,ମନଖୋଲି କହିଦେଲେ ,ମତେ ବହୁତ ଭଲ ଲାଗିଲା |ପିଙ୍କି ସୌଜନ୍ୟ ଦୃଷ୍ଟିରୁ କହିଲେ,ତୁମ ପାଇଁ ରଖିଛ ନା ,ଆମକୁ ସବୁ ଖୁଆଇ ଦେଲ |ବସୁଧା କହିଲା,ବହୁତ ଅଛି,ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ |

             ପିଙ୍କି ଧନ୍ୟବାଦ ଜଣାଇ ଯିବାପରେ ଅକ୍ଷର କହିଲା,ଭଲ ଦେଶ ସେବା କରୁଛ !ତାଙ୍କ ପାଇଁ ତମେ ଆଜି ଉପାସ ରହିଲ ,କଣ ଦରକାର ଥିଲା,ଏତେ ବଦାନ୍ୟତା ଦେଖାଇବା ?ବସୁଧା ଆକଟ କରି କହିଲା,ସେମିତି କୁହନା,ଜଣଙ୍କୁ କିଛି ଜିନିଷ ଦେଇସାରି ତାଙ୍କ ସଦିଛା  ମିଳିବାପରେ ପଛରେ ଏମିତି କହିବା ଭଲ ନୁହେଁ |ଅକ୍ଷର କହିଲା,ହଉ ବାବା,ମୋର ଭୁଲ ହୋଇଯାଇଛି  |ଆସ ସାଙ୍ଗହୋଇ ରୋଲ ଖାଇବା |ବସୁଧା ମନା ନକରି ଅକ୍ଷର ସହିତ ଖାଇବାକୁ ଲାଗିଲା |

            ଖାଇସାରି ପ୍ଲେଟ ନେବାବେଳେ ବସୁଧା  କହିଲା,ଆଜି ଲଞ୍ଚରେ କଣ ଖାଇବ ? ଅକ୍ଷର କହିଲା,ମୁଁ ଯାଉଛି ଚିକେନ ଆଣିବି,ଆଜିର  ଚିକେନ ମୁଁ ତିଆରି କରିବି |ବସୁଧା ଖୁସି ହୋଇ କହିଲା,ମୋର ପରମ ସୌଭାଗ୍ୟ  |ଆଜି ତାହାଲେ ମୁଁ ଖୁସିରେ ପେଟେ ଖାଇବି  |ଅକ୍ଷର କହିଲା,ତମେ କିନ୍ତୁ ମସଲା ଓ ଆଉ ଯାହା ଦରକାର,ସବୁ ରେଡି କରି ରଖିଥିବ|ବସୁଧା ହସି ହସି କହିଲା,ଓକେ,ନୋ ପ୍ରବ୍ଲେମ |ତମ ଆଦେଶ ପାଳନ କରିବାପାଇଁ,ମୁଁ ସବୁବେଳେ ପ୍ରସ୍ତୁତ ହୋଇ ରହିଛି |(କ୍ରମଶଃ)

No comments:

Post a Comment