Wednesday, October 5, 2022

ଅଭଙ୍ଗା କଣ୍ଢେଇ (21)

                      ଅକ୍ଷର ଆଉ ଖଣ୍ଡେ ଇଡ଼ିଲି ବସୁଧା ପାଟିରେ ଦେବାକୁ ଯିବାବେଳେ ଘରେ କାମରେ ବ୍ୟସ୍ତ ଥିବା ପ୍ୟାକର ଓ ମୁଭର ର ଦୁଇ କର୍ମଚାରୀଙ୍କ ଉପରେ ତାର ନଜର ପଡିଗଲା |ସେ ବସୁଧାକୁ ଠାରି ଦେଇ,ସେମାନଙ୍କୁ ମଧ୍ୟ ଇଡ଼ିଲି ଦେବାପାଇଁ କହିଲା |ବସୁଧା ତୁରନ୍ତ ଯାଇ ଦୁଇଟି ପ୍ଲେଟରେ ସେମାନଙ୍କୁ ଇଡ଼ିଲି ଦେବାବେଳେ ସେମାନେ ବିନମ୍ରତାର ସହ ମନା କରି କହିଲେ,ନାଇଁ ମାଡାମ,ଆମେ ସକାଳୁ ପେଟେ ପଖାଳ ଖାଇ କାମକୁ ଆସିଛୁ,କାମ ସରିଲେ,ଘରକୁ ଯାଇ,ଗରମ ଭାତ ଖାଇବୁ,ଏସବୁ ହୋଟେଲ ଖାଦ୍ୟ ଆମର ପସନ୍ଦ ନୁହେଁ  | ବସୁଧା ଫେରି ଆସି ଅକ୍ଷରକୁ କହିଲା,ଶୁଣିଲ ତ,ସେମାନେ କଣ କହିଲେ ?ସେମାନଙ୍କଠାରୁ ଆମର ବହୁତ କିଛି ଶିଖିବାର ଅଛି,ଆମେ ସିନା ଲୋଭରେ ବାହାର ଜିନିଷ ଖାଉଛୁ,ସେମାନେ କିନ୍ତୁ ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ପଇସା ବଞ୍ଚାଉଛନ୍ତି  |ତା ନହେଲେ,ହାଡଭଙ୍ଗା ଖଟଣି କରିବା ପାଇଁ ତାଙ୍କ ଦେହରେ ବଳ ଆସୁନଥାନ୍ତା |  ଅକ୍ଷର କହିଲା,ସେମାନେ ଯାହା ଭଲ ଭାବୁଛନ୍ତି,କରୁଛନ୍ତି ,ଆମେ ଯାହା ଭଲ ଭାବିବା,ସେଇଆ କରିବା  |

                      କାମ ସାରି ସେମାନେ ଯିବାପରେ ବସୁଧା ଭଲକରି ଘର ଝାଡ଼ି ,ଘର ଓଳାଇ ପୋଛି ଦେଲା |ତାପରେ ଗ୍ୟାସ ଲଗାଇ ପ୍ରଥମେ ମାପି କରି ଏକ କପ ଚା' ତିଆରି କଲା | ସେଇ ସମୟରେ ଅକ୍ଷର ଦୁଇ ରୁମରେ ଥିବା ଖଟରେ ବିଛଣା ଚାଦର ପକାଇ ଦେଲା |ବସୁଧା ତିଆରି କରିଥିବା କପେ ଚା' ଦୁହେଁ ଭାଗ ବାଣ୍ଟି ପିଇଲେ |ଅକ୍ଷର ପଚାରିଲା,ଏବେ କଣ କରିବ ?ବସୁଧା ସ୍ମିତ ହସି କହିଲା,ଏବେ ରୋଷେଇ କରିବି |ଅକ୍ଷର କହିଲା,ଆଜି ଲଞ୍ଚ ବାହାରେ ଖାଇଦେବା,ରାତିରେ ପଛେ ରୋଷେଇ କରିବ |ବସୁଧା କହିଲା,ନା ବାବା ନା,ଆଉ ବାହାରେ ଖାଇବାକୁ ଇଚ୍ଛା ନାହିଁ |ମୁଁ ଚଟାପଟ ଭାତ ଡାଲମା କରି ଦେବି |ଘରେ ପରିବା ,ଗ୍ରୋସରି ସବୁ ଅଛି,କାହିଁକି ବାହାରେ ଖାଇବା ?ଅକ୍ଷର କହିଲା,ହଉ ଠିକ ଅଛି,ଯାହା ତମର ଇଚ୍ଛା |

                 ବସୁଧା ଗୁଣୁ ଗୁଣୁ ହୋଇ ଗୀତ ଗାଇ ରୋଷେଇଘରକୁ ଚାଲିଗଲା |ସେ ଜାଣିଥିଲା,ଅକ୍ଷରର ଡାଲମା ପସନ୍ଦ ନୁହେଁ |ତେଣୁ ସେ ଭାତ ଡାଲି ସହିତ ତାର ପ୍ରିୟ ଆଳୁ ଭର୍ତ୍ତା ,କଲରା ଭଜା ଓ କାକୁଡି,ପିଆଜ,ଲେମ୍ବୁ,ଲଙ୍କା ମିଶାଇ ସାଲାଡ଼ କଲା |ରାତି ପାଇଁ ଅଟା ଦଳି,ପରିବା କାଟି ଫ୍ରିଜରେ ରଖିଦେଲା |ସେତିକି ସମୟ ଭିତରେ ଅକ୍ଷର ଶୋଇ ପଡିଥିଲା |ତାକୁ ଉଠାଇ ଡାଇନିଂ ଟେବଲରେ ଗରମ ଗରମ ଖାଦ୍ୟ ପରଷି ଦେଲା |ଅକ୍ଷର ବଢା ଯାଇଥିବା ଖାଦ୍ୟ ଦେଖି ଖୁସି ହୋଇ ରୋଷେଇଘରକୁ ଗଲା ଓ ଗୁଆଘିଅ ଆଣି ଭାତରେ ପକାଇ କହିଲା,ଏଇଟା ବୋଧେ ବାକି ରହି ଯାଇଥିଲା |

                ପେଟେ ଖାଇବା ପରେ ବସୁଧାର ବ୍ୟାଟେରୀ ଡାଉନ ହୋଇଯାଇଥିଲା |ସେ ବାସନ ମାଜି ,ରୋଷେଇଘର ପରିଷ୍କାର କରି,ସିଧା ଯାଇ ବିଛଣାରେ ଗଡି ପଡିଲା ଓ ସାଙ୍ଗେ ସାଙ୍ଗେ ତା ଆଖିକୁ ନିଦ ଚାଲି ଆସିଲା |

          ସଂଧ୍ୟାରେ ସେମାନଙ୍କର ବାହାରେ ବୁଲିବା କାର୍ଯ୍ୟକ୍ରମ ଥିଲା |ତେଣୁ ଚା' ପିଇବା ପରେ ବସୁଧା ଜଲଦି ଜଲଦି ରୁଟି ତରକାରି  କରିଦେଲା  |ଘର ପାଇଁ ଯାହା ଅତ୍ୟାବଶ୍ୟକ ତାର ଗୋଟିଏ ମୋଟାମୋଟି ଲିଷ୍ଟ ସେ  ବନେଇ ଥିଲା |ସେହି ଅନୁସାରେ ସେମାନେ ବିଭିନ୍ନ ସ୍ଥାନ ବୁଲି ସପିଂ କଲେ |ଅକ୍ଷର ଦୁଇଜଣଙ୍କ ପାଇଁ ଡ୍ରେସ କିଣିଲା |ବସୁଧା ଅକ୍ଷରକୁ ମନେ ପକାଇ ଦେଲା,ଆଗକୁ ଦଶହରା ଆସୁଛି,ତେଣୁ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଲୁଗାପଟା କିଣିବା |ଅକ୍ଷର ଖୁସି ହୋଇ କହିଲା,ସତ କଥା ତ,ମୁଁ ସେକଥା ଭୁଲି ଯାଇଥିଲି |ଦୁହେଁ  ସମସ୍ତଙ୍କ ମନକୁ ପାଇବା ଭଳି ପୋଷାକ ଇତ୍ୟାଦି କିଣିଲେ |ଏସବୁ କାମ ସରୁ ସରୁ ଦଶଟା ବାଜି ଯାଇଥିଲା |ଅକ୍ଷର କହିଲା,ଏତେ ଡେରି ହେଲାଣି,ଚାଲ ଖାଇଦେଇ ଘରକୁ ଯିବା |ବସୁଧା କହିଲା,ନା,ମୁଁ ରୋଷେଇ କରି ଆସିଛି,ସେସବୁ କଣ ହେବ ?ତା କଥା ଶୁଣି ଅକ୍ଷରର ମୁହଁ ଶୁଖିଗଲା |ବସୁଧା ତାର ମନୋଭାବକୁ ଲକ୍ଷ୍ୟ କରି କହିଲା.ହଉ ଠିକ ଅଛି,ଚାଲ ଖାଇବା |କିନ୍ତୁ ଯାହା ରାନ୍ଧିଛି,ତାକୁ ସକାଳେ ଖାଇବାକୁ ପଡିବ |ଅକ୍ଷର ହସି ହସି ହାତଯୋଡ଼ି କହିଲା,ତଵ ଆଜ୍ଞା ଶିରୋଧାର୍ଯ୍ୟ |(କ୍ରମଶଃ)

No comments:

Post a Comment