Saturday, October 22, 2022

ଅଭଙ୍ଗା କଣ୍ଢେଇ (ଭାଗ 25)

                   ଚିକେନ କିଣି ଅକ୍ଷର ଘରକୁ ଫେରୁଥିବାବେଳେ ଲକିକୁ ସ୍ନାକ୍ସ ସେଣ୍ଟରରେ ପିଜା ଖାଉଥିବାର ଦେଖିଲା |ଅକ୍ଷର ତା ପାଖରେ ଗାଡି ଅଟକାଇ କହିଲା,ତୁ ପରା ଏବେ ରୋଲ ଖାଇଥିଲୁ, ଏତେ ଶୀଘ୍ର ପୁଣି ଭୋକ ହେଲା ?ଲକି କହିଲା,ମାମା ପିଜା ଖାଇବାକୁ ଟଙ୍କା ଦେଇଛନ୍ତି ?ଅକ୍ଷର ପଚାରିଲା,ମାମା କାହାନ୍ତି ?ଲକି କହିଲା,ମାମା ମିଟିଂ କୁ ଗଲେ |ଅକ୍ଷର ପୁଣି ପଚାରିଲା,ବାବା ??ଲକି ବେପରୁୱା ସ୍ୱରରେ କହିଲା,ବାବାଙ୍କର ଆଜି ଅଫିସରେ ଭୋଜି ଅଛି,ସେ ସେଇଠିକି ଗଲେ |ଅକ୍ଷର କହିଲା,ଓହୋଃ ,ସେଥିପାଇଁ ତତେ ଲାଞ୍ଚ ଦିଆଯାଇଛି,ନୁହେଁ ? ଲକି କିଛି ଉତ୍ତର ନଦେଇ ଖାଇବାରେ ମନ ଦେଲା |ଅକ୍ଷର ତା ପାଖକୁ ଯାଇ କହିଲା,ମୁଁ ଚିକେନ ଆଣିଛି,ଆମ ଘରକୁ ଚାଲ,ସମସ୍ତେ ମିଶିକରି ଖାଇବା |

                   ଚିକେନ ନାଁ ଶୁଣି ଲକିର ମୁହଁ କ୍ଷଣକ ପାଇଁ ଉଜ୍ଜ୍ୱଳ ହୋଇ ଉଠିଲା |କିନ୍ତୁ ପରମୁହୂର୍ତ୍ତରେ ସେ ମୁହଁ ଶୁଖାଇ କହିଲା,ନା ମୁଁ ତମ ଘରକୁ ଯିବିନି |ଅକ୍ଷର ପଚାରିଲା,କାହିଁକି ?ଲକି ଅତି ସରଳ ଭାବରେ ଉତ୍ତର ଦେଲା, ଦିଦି ବାବାଙ୍କ ପାଇଁ ଯେଉଁ ରୋଲ ଦେଇଥିଲେ,ତାକୁ ଦେଖି ବାବା ବହୁତ ରାଗିଲେ,ଆଉ ତାକୁ ନେଇ ଡଷ୍ଟବିନରେ ଫୋପାଡ଼ି ଦେଲେ |ନିଜେ ନ ଖାଇଲେ ନାହିଁ,ମତେ ହେଲେ ଦେଇଥାନ୍ତେ,ସେକଥା ବି କଲେନି |ତମ ଘରେ ଆଉଥରେ କିଛି ଖାଇଲେ,ମତେ ମାଡ଼ ଦେବେ ବୋଲି କହିଛନ୍ତି |ଅକ୍ଷର କହିଲା,ଆମେ କି ଦୋଷ କଲୁ ଯେ ?ଲକି କହିଲା,ମତେ ଏବେ ଜ୍ୱର ହୋଇଥିଲା ତ,ସେଥିପାଇଁ ବାହାର ଜିନିଷ ଖାଇବାକୁ ଡାକ୍ତର ମନା କରିଛନ୍ତି |ଅକ୍ଷର କହିଲା,ତାହାଲେ ତୁ ପିଜା କେମିତି ଖାଉଛୁ ?ଲକି କହିଲା,ଏମିତି ଥରେ ଥରେ ଖାଇଲେ କିଛି ହେବନି |ଅକ୍ଷର କହିଲା,ହଉ ତାହାଲେ,ତୁ ପିଜା ଖାଇ ମାମାଙ୍କୁ ଅପେକ୍ଷା କରିଥା,ସେ ଯେତେବେଳେ ଆସିବେ,ତାଙ୍କ ସାଙ୍ଗରେ ଘରକୁ ଯିବୁ  |ଲକି ପକେଟରୁ ଚାବି  କାଢି ଅକ୍ଷରକୁ ଦେଖାଇ କହିଲା,ମୋ ପାଖରେ ଚାବି ଅଛି ,ମୁଁ ଟିକେ ଖେଳିବି,ତାପରେ  ଘରକୁ ଯାଇ ଖାଇବି ,ମାମା ଆଜି ମୋପାଇଁ ବିରିୟାନୀ ରାନ୍ଧିଛନ୍ତି  |ଏହା କହି,ସେ ଦ୍ରୁତ ବେଗରେ ସାଏଁ କରି ତା ସାଇକେଲ ଚଲାଇ ସେଠାରୁ ଚାଲିଗଲା |

             ଅକ୍ଷରର ମନଦୁଃଖ ହୋଇଗଲା,ସେ ଭାରି ମନରେ ଘରକୁ ଫେରିଲା |ଘରେ ପହଞ୍ଚି  ଚିକେନ ବ୍ୟାଗଟି ବସୁଧା ହାତକୁ ବଢାଇବାବେଳେ ସେ  ପଚାରିଲା,କଣ ହୋଇଛି,ମୁହଁ ଏମିତି ଶୁଖିଲା ଦିଶୁଛି କାହିଁକି ?ଲକି କହିଥିବା କଥା ବସୁଧାକୁ ନ କହିବାକୁ ଅକ୍ଷର ଭାବିଥିଲା ||କିନ୍ତୁ ବସୁଧାର ପ୍ରଶ୍ନ ଆଗରେ ହାର ମାନି ସେ ସବୁକଥା କହିଦେଲା ଓ ଶେଷରେ କହିଲା,ବସୁ ,ବଡ଼ ଲୋକ କହିଛନ୍ତି,ନିଜକୁ କଷ୍ଟ ଦେଇ,କାହାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବ ନାହିଁ,,ତା ନହେଲେ ତୁମ ଦୁର୍ଦ୍ଦଶାର ସୀମା ରହିବ ନାହିଁ |ଦେଖ,ତମେ ନିଜେ ନଖାଇ,ତାଙ୍କୁ ରୋଲ ଦେଲ,ଅଥଚ ସେମାନେ ତାକୁ ଫୋପାଡ଼ି ଦେଲେ |ଏକରେ ଶ୍ରମ ନଷ୍ଟ,ଦୁଇରେ ଖାଦ୍ୟ ନଷ୍ଟ,ତିନିରେ ତମର ଅଧା ପେଟ ରହିଲା |ବସୁଧା କହିଲା,ସେ ମତେ ଅଙ୍କଲ ଙ୍କୁ ଦେବେ ବୋଲି କହି ମାଗିଲେ,ମୁଁ ତାଙ୍କୁ କେମିତି ନ ଦେଇଥାନ୍ତି କହିଲ ?ମାଆ ପୁଅ  ମନଖୁସିରେ ଖାଇଥିବାରୁ ମୁଁ ବହୁତ ଖୁସି |ତାପରେ ଯାହା ହେଲା ସେ ତାଙ୍କ ଘର କଥା,,ଆମେ ସେଥିରେ ମୁଣ୍ଡ ଖେଳାଇବା ନାହିଁ |ଆମେ ଏବେ ଧମାକାଦାର ଚିକେନ ଖାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବା,ନହେଲେ ସବୁ ପାଣି ଫାଟି ଯିବ |ଅକ୍ଷର ପଚାରିଲା,ତମେ ମସଲା ତିଆରି କରି ସାରିଛ ତ ?ବସୁଧା କହିଲା,ହଁ,ସେ ସବୁ କାମ କେବେଠାରୁ ସରିଛି,ତମର ଏବେ  ଚା' ପିଇବାର ଅଛି କି  ?

         ଅକ୍ଷର କହିଲା,ଆଉ ପଚାରିବାକୁ ଅଛି ?ତମେ ଚା' ଆଣ ,ମୁଁ ଡ୍ରେସ ଚେଞ୍ଜ କରି ,ଧୋଇ ଧାଇ ହୋଇ ସାଙ୍ଗେ ସାଙ୍ଗେ ଆସୁଛି |ବସୁଧା ଚା' ତିଆରି କରି ସାରିବା ବେଳକୁ ଅକ୍ଷର  ରୋଷେଇ ଘରେ ପହଞ୍ଚି ,ଟ୍ରେ ରେ ଦୁଇଟି କପ ସଜାଡି ରଖିଦେଲା |ବସୁଧା କହିଲା,ତମେ ଯାଅ,ମୁଁ ଚା' ନେଇ ଯାଉଛି |ଅକ୍ଷର ,ହଉ ଆସ କହି ସେଠାରୁ ଚାଲିଗଲା |

         ଦୁହେଁ ଚା' ପିଇବା ସମୟରେ ଅକ୍ଷର କହିଲା,ବସୁ,ମୁଁ ଚିକେନ ଅଧିକା ଆଣିଛି, ରାତି ପାଇଁ  ରଖିଦେବ |ଭାତ ବି ରାତି ପାଇଁ ଅଧିକ ରାନ୍ଧି ଦେଇଥିବ | ବସୁଧା ପଚାରିଲା,ରାତିରେ କୁଆଡେ ଯିବାର ଅଛି କି ?ଅକ୍ଷର କହିଲା,ନାଇଁ,କୁଆଡେ ଯିବାନି ,ଏମିତି କହିଲି |ବସୁଧା କହିଲା,କାଲି ପାଇଁ ଚିନ୍ତା ଲାଗୁଛି ନା ?ଅକ୍ଷର ମୁହଁ ଶୁଖାଇ କହିଲା,ହଁ ସେହିଭଳି |ବସୁଧା କହିଲା,ଯାହା ହେବାର ଥିବ ହେବ,ଆମେ ସାହସ ଓ ଧୈର୍ଯ୍ୟର ସହ ତାର ସାମ୍ନା କରିବା ଛଡା ଆମ ପାଖରେ ଆଉ କିଛି ବାଟ ନାହିଁ |ଅକ୍ଷର କହିଲା,ତମେ ଠିକ  କହିଛ,ଚାଲ ଯିବା,ରୋଷେଇ କରିବା |

           ବସୁଧା ଭାତ ରାନ୍ଧି ସାଲାଡ଼ ପ୍ରସ୍ତୁତ କଲା,ଏପଟେ ଅକ୍ଷର ଚିକେନ ତରକାରୀ କଲା |ଖାଇବାବେଳେ ଅକ୍ଷର ନିରବ ରହି,ଅନେକ କଥା ଚିନ୍ତା କରି ଚାଲିଥିଲା |କାଲି ଦିନଟି ଭଲରେ କଟିଗଲେ ,ଆଉ ତେଣିକି ବିପଦର ସମ୍ଭାବନା କମ ବୋଲି ତାକୁ ଲାଗୁଥିଲା |

             ପରଦିନ ଅକ୍ଷର ଅଳ୍ପ କିଛି ଜଳଖିଆ ଖାଇ, ସାଙ୍ଗରେ ଲଞ୍ଚ ବକ୍ସ ନେଇ ଠିକ ନଅଟା ବେଳକୁ ଅଫିସ ବାହାରିଲା  |ଯିବାବେଳେ ବସୁଧା ତାକୁ ମନେ ପକାଇ ଦେଇ କହିଲା,ଅଫିସରେ କଣ ହେଲା,ମତେ ଫୋନ କରି ଜଣାଇବାକୁ ଭୁଲିବ ନାହିଁ | ହଁ କହି ଅକ୍ଷର ଚାଲିଗଲା | ସେ ଯିବାପରେ ବସୁଧା ଜଳଖିଆ ଖାଇଲା ଓ  ତାର ସବୁ କାମ ଶେଷ କରି, ଅକ୍ଷର ଫୋନକୁ ଅପେକ୍ଷା କରିବାକୁ ଲାଗିଲା |ବାରଟାବେଳେ  ଅକ୍ଷରର  ଫୋନ ଆସିଲା  |ସେ ବିଚଳିତ ହୋଇ  କହୁଥିଲା,ବସୁ ,ସେମାନେ ମତେ କୋରାପୁଟ ଟ୍ରାନ୍ସ୍ଫର କରି ଦେଇଛନ୍ତି,ମୁଁ ବ୍ୟସ୍ତ ଅଛି,ପରେ କଥା ହେବି |ଏତିକି କହୁ କହୁ ତାର ଫୋନ କଟିଗଲା ଓ ପରେ ପରେ ସୁଇଚ ଅଫ ହୋଇଗଲା |(କ୍ରମଶଃ)

       


No comments:

Post a Comment