Saturday, October 1, 2022

ଅଭଙ୍ଗା କଣ୍ଢେଇ (20)

                     ସକାଳେ ବସୁଧାର ନିଦ ଭାଙ୍ଗିବା  ବେଳକୁ ସାତଟା ବାଜି ଯାଇଥିଲା |ସେ ଧଡପଡ ହୋଇ ବିଛଣାରୁ ଉଠି ଦେଖିଲା,ଅକ୍ଷର ବ୍ୟସ୍ତ ହୋଇ ଏପଟ ସେପଟ ହେଉଛି ଓ ବାରମ୍ବାର କାହାକୁ ଫୋନ କରୁଛି |ସେ ତାକୁ ପଚାରିଲା,କାହାକୁ ଫୋନ କରୁଛ ?ଅକ୍ଷର କହିଲା,ସେ ପ୍ୟାକର ଆଣ୍ଡ ମୁଭର ପିଲା ଛଅଟା ବେଳେ ଆସିବ ବୋଲି କହିଥିଲା,ଆସି ସାତଟା ବାଜିଲାଣି,ଆସୁନି,ଫୋନ ସୁଇଚ ଅଫ କରି ବସିଛି !!ବସୁଧା କହିଲା,ସେ କଣ ଜଣେ ଅଛି?ଆଉ କାହାକୁ ଡାକ |ଏହା କହି ସେ ତା ମୋବାଇଲ ଦେଖି ଏକ ନମ୍ବରକୁ କଲ କରିବାକୁ ଅକ୍ଷରକୁ କହିଲା |ଅକ୍ଷର କହିଲା,ତମେ ଏଇ ନମ୍ବର କେଉଁଠୁ ପାଇଲ ?ବସୁଧା ତାର ମୋବାଇଲ କାଢି ସେମାନେ ଉଠାଇଥିବା ଏକ ସେଲ୍ଫି କୁ ଜୁମ କରି ଦେଖାଇଲା |ସେମାନଙ୍କ ପଛପଟେ ଏକ ମୁଭର ଓ ପ୍ୟାକର ସଂସ୍ଥାର ବିଜ୍ଞାପନ ଦିଆ ଯାଇଥିଲା ଯେଉଁଥିରେ ସେମାନଙ୍କୁ ଯୋଗାଯୋଗ କରିବାପାଇଁ ଦୁଇଟି ମୋବାଇଲ ନମ୍ବର ଦିଆଯାଇଥିଲା |ଅକ୍ଷର ଫୋନ କଲା ଓ ସେମାନେ ସାଙ୍ଗେ ସାଙ୍ଗେ ଆସୁଛନ୍ତି ବୋଲି କହିଲେ |ଅକ୍ଷର ଖୁସି ହୋଇଗଲା କିନ୍ତୁ ସେମାନେ ନ  ଆସିବା ପର୍ଯ୍ୟନ୍ତ ସେ ନିଶ୍ଚିନ୍ତ ହୋଇ ପାରୁନଥିଲା |

                  ପାଞ୍ଚ ମିନିଟ ପରେ ଯେତେବେଳେ ସଂସ୍ଥାର କର୍ମଚାରୀ ଆସି କଲିଂ ବେଲ  ଚିପିଲେ ,ତାଙ୍କୁ ଦେଖି ଅକ୍ଷର ଖୁସି ହୋଇଗଲା | କହିଲା,ଏଥିରୁ ଜାଣୁଥା,ମୁଁ କାହିଁକି ତମପାଇଁ ପାଗଳ ହୋଇଯାଇଥିଲି!ତମପରି ଝିଅ ଦୁନିଆରେ ମିଳିବା ମୁସ୍କିଲ  |ବସୁଧା ସ୍ମିତ ହସି କହିଲା,ସେତିକି ଥାଉ,ପ୍ରଶଂସା କରିବାର ଗୋଟିଏ ସୀମା ଥାଏ |ଅକ୍ଷର କହିଲା,ତମକୁ ମିଛ ପ୍ରଶଂସା ଲାଗୁଛି ?ଜାଣିଛ,ତମେ ମୋର କେତେବଡ଼ ବୋଝକୁ ହାଲୁକା କରିଦେଲ !!ବସୁଧା କହିଲା,ହଉ ହେଲା,ଏଥର ଭଲରେ ଯାଇ ଭଲରେ ଆସ |ଯିବା ପୂର୍ବରୁ ଅକ୍ଷର  ଟେବଲ ଉପରେ ଥିବା ପ୍ୟାକେଟକୁ ଇଙ୍ଗିତ କରି କହିଲା,ତମପାଇଁ ଇଡ଼ିଲି ଆଣିଛି,ମୋ ପାଇଁ ଅପେକ୍ଷା ନକରି ଖାଇଦେବ |ମନେ ରହିଲା ?ବସୁଧା ପଚାରିଲା,ତମେ ଖାଇଛ ?ଅକ୍ଷର କହିଲା,ଗୋଟେ ଖାଇଛି,ଏତେ ସକାଳୁ ଭୋକ ନାହିଁ |ହଉ,କବାଟ ଦିଅ,ମୁଁ ଆସୁଛି |

                  ଅକ୍ଷର ଯିବାପରେ ବସୁଧା କବାଟ ଦେଇ ଆଉ ଟିକେ ବିଛଣାରେ ଗଡି ପଡିଲା |ଆହୁରି ଘଣ୍ଟାଏ ଶୋଇ ପଡିବାପାଇଁ ତାର ଇଚ୍ଛା ହେଉଥିଲା |କିନ୍ତୁ ନିଜ ଇଚ୍ଛାକୁ ଦମନ କରି ,ସେ ଶୀଘ୍ର ଶୀଘ୍ର ତାର  ନିତ୍ୟକର୍ମ ଶେଷ କରିବା ପାଇଁ  ବାଥରୁମକୁ ଯିବାବେଳେ,କଲିଂ ବେଲ ବାଜିଉଠିଲା |ସେ ଫେରିଆସି କବାଟ ଖୋଲିଲା |ଆଗନ୍ତୁକା ସେହି ଦୁଇଜଣ ଭଦ୍ରମହିଳାଙ୍କ  ଭିତରୁ ଜଣେ ଥିଲେ,ଯିଏ ସେମାନଙ୍କୁ ପାର୍କରେ ଭେଟି ଲକ୍ଷ୍ମୀପୂଜା ଚାନ୍ଦା ଆଦାୟ କରିଥିଲେ |ବସୁଧା କିଛି କହିବା ପୂର୍ବରୁ ଭଦ୍ରମହିଳା କହିଲେ,ମର୍ଣ୍ଣିଙ୍ଗ ୱାକରୁ ଫେରୁଥିଲି ,ଭାବିଲି,ତମକୁ ରିସିଟ ଦେଇଯିବି |ଏହାକହି ସେ ତାଙ୍କ ଛୋଟ ପର୍ସରୁ ରସିଦ କାଢି ତା ହାତକୁ ବଢ଼ାଇ ଦେଲେ ଓ  ଚେୟାରରେ ବସି ପଡି କହିଲେ,ଶୋଷ ହେଉଛି,ଟିକିଏ ପାଣି ଦେବ ?ହଁ କହି ବସୁଧା ପାଣି ବୋତଲରୁ ପାଣି ଢାଳି ତାଙ୍କୁ ଦେଲା |ସେ ଢକ ଢକ କରି ପିଇ ସାରିବା ପରେ ଆଉ ଏକ ଗ୍ଲାସ ପାଣି ପିଇଲେ |ପଚାରିଲେ,ଅଖି ଏତେ ସକାଳୁ କୁଆଡେ ଗଲା ?ବସୁଧା ଉତ୍ତର ନଦେଇ ନୀରବ ରହିବା ଦେଖି ସେ କହିଲେ,ପୁରୁଣା ଘରୁ ଜିନିଷ ପତ୍ର ଆଣିବାକୁ ବୋଧେ ଯାଇଛି,ସେ ମୁଭର ଆଣ୍ଡ ପ୍ୟାକର ପିଲା ସାଙ୍ଗରେ ତାକୁ ଯିବାର ଦେଖିଲି |

          ବସୁଧା କହିଲା,ହଁ,ଆପଣଙ୍କ ଅନୁମାନ ଠିକ |ଆଣ୍ଟି,ଆପଣଙ୍କ ନାଁ ମୁଁ ଜାଣି ପାରିଲିନି |ଭଦ୍ରମହିଳା କହିଲେ,ପିଙ୍କି ନାନୀ କହିଲେ  ସମସ୍ତେ ଜାଣିଯିବେ |ତୁମ ନାଁ କଣ ?

"ବସୁଧା" |ବସୁଧା ଉତ୍ତର ଦେଲା |ତାପରେ ସେ ଅନର୍ଗଳ କଲୋନୀ ଲୋକଙ୍କ ବିଷୟରେ ଗପି, ଶେଷରେ ବସୁଧାର  ଘର,ପିତାମାତା,ଭାଇ ଭଉଣୀ ଇତ୍ୟାଦି ସମସ୍ତଙ୍କ ବିଷୟରେ ଗୋଟି ଗୋଟି ପଚାରି ଚାଲିଲେ |ବସୁଧାର ଧୈର୍ଯ୍ୟଚ୍ୟୁତି ଘଟିଲା |ସେ କହିଲା,ଆଣ୍ଟି ,ମତେ ଜୋରରେ ଦୁଇ ମାଡ଼ିଲାଣି,କିଛି ଖରାପ ଭାବିବେନି,ଆପଣ ଗଲେ ମୁଁ କବାଟ ଦେଇ,ଲାଟ୍ରିନ ଯିବି |ତା କଥା ଶୁଣି ପିଙ୍କି ବିରକ୍ତ ହୋଇ କହିଲେ,ହଉଲୋ ମା,ମୁଁ ଯାଉଛି |ସେ ଯିବାପରେ ବସୁଧା କବାଟ ବନ୍ଦ କରି,ଶାନ୍ତିର ନିଃଶ୍ୱାସ ମାରିଲା |ସେତେବେଳକୁ ଆଠଟା ବାଜି ସାରିଥିଲା  |ପିଙ୍କି ଆଣ୍ଟି ତାର  ବ୍ୟକ୍ତିଗତ ଜୀବନ ବିଷୟରେ  ଅଯଥା ଆଗ୍ରହ ଦେଖାଇ ଏତେ ସମୟ ନଷ୍ଟ କରିଥିବାରୁ ସେ ତାଙ୍କ ଉପରେ ମନେ ମନେ ଭୀଷଣ ବିରକ୍ତ ହେଲା |ଭାବିଲା,ଝମେଲା ଛାଇ ପରି ତାର ପିଚ୍ଛା ଧରିଛି,ଛାଡିବାର ନାମ ନେଉନାହିଁ,କେବେ ଏଥିରୁ ମୁକ୍ତି ମିଳିବ କେଜାଣି !

          ଗାଧୋଇ ସାରି ସେ ଶୁନ୍ୟ ଦେବତାଙ୍କୁ ପ୍ରଣାମ କଲା ଓ  ପୁଣି ବେଡ଼ ଉପରେ ତାର ଶରୀରକୁ ଲୋଟାଇ ଦେଲା |ରହି ରହି ପିଙ୍କି ଆଣ୍ଟିଙ୍କ କଥା ତାର ମନେ ପଡୁଥିଲା |ଅନ୍ୟର ବ୍ୟକ୍ତିଗତ ଜୀବନରେ ଅନଧିକାର ଭାବେ ପ୍ରବେଶ କରିବା ଓ  ତାର ଦୁର୍ବଳତା ଜାଣି ସେ ବିଷୟରେ ମସଲା ପକାଇ ଚର୍ଚ୍ଚା କରିବାକୁ  ଅନେକ ଲୋକଙ୍କୁ ଭାରି ଭଲ ଲାଗେ  |ସେ ଦୀର୍ଘଶ୍ଵାସ ନେଲା |ଟେବଲ ଉପରେ ଇଡ଼ିଲି ସମ୍ବର ପ୍ୟାକେଟ ସେମିତି ଥୁଆ ହୋଇଥିଲା, ଅକ୍ଷରର ଅନୁପସ୍ଥିତିରେ ତାକୁ ଆଦୌ ଖାଇବାକୁ ଇଚ୍ଛା ହେଉନଥିଲା |ବାରଟା ପାଖାପାଖି ଅକ୍ଷର ଫେରିଲା |ତାର ମୁହଁ ଶୁଖି କଳାକାଠ ପଡି ଯାଇଥିଲା |ବସୁଧା ଜାଣିଲା,ଅକ୍ଷର ସେପର୍ଯ୍ୟନ୍ତ କିଛି ଖାଇନି |ସେ କହିଲା,ତମକୁ ଭୋକ ଲାଗୁଛି  ନା ?ଅକ୍ଷର କହିଲା,ହଁ,କିନ୍ତୁ କାମ ସରିଲେ ସିନା ଖାଇବା |ବସୁଧା କହିଲା,ସେମାନେ ପ୍ୟାକିଂ ଖୋଲି ଜିନିଷ ରଖୁ ରଖୁ ଆମେ ଚଟାପଟ ଖାଇଦେବା,ମତେ ବି ଭାରି ଭୋକ ଲାଗୁଛି  |

       ଅକ୍ଷର କହିଲା,ବାରଟା ବାଜିଲାଣି,ତମେ ଏପର୍ଯ୍ୟନ୍ତ ଖାଇନ ?ବସୁଧା ତା ପ୍ରଶ୍ନର ଉତ୍ତର ନଦେଇ,ପ୍ୟାକେଟ ଖୋଲି,ପେପର ପ୍ଲେଟରେ ଦୁଇଜଣଙ୍କ ପାଇଁ ନେଇ ଆସିଲା |ଅକ୍ଷର ଆଉ କିଛି କହିବା ପୂର୍ବରୁ,ସମ୍ବରରେ ଇଡ଼ିଲି ବୁଡେଇ ଅକ୍ଷର ପାଟିରେ ପୁରେଇ ଦେଇ ବସୁଧା କହିଲା,ଗୋଟିଏ ଇଡ଼ିଲି ଖାଇଛ ବୋଲି ତମେ ମତେ ମିଛ କହିଥିଲ ନା ?ମୁଗ୍ଧ ଦୃଷ୍ଟିରେ ଅକ୍ଷର ତାକୁ ଚାହିଁ ମୁଣ୍ଡ ହଲାଇ ଇଶାରାରେ କହିଲା,ହଁ |(କ୍ରମଶଃ)

         

No comments:

Post a Comment