Saturday, November 5, 2022

ଅଭଙ୍ଗା କଣ୍ଢେଇ (ଭାଗ 28)

                   କାଞ୍ଚନ ଓ ବିପ୍ଳବ ଯିବାପରେ ଅକ୍ଷର ବସୁଧାକୁ କହିଲା,ବହୁତ ରାତି ହେଲାଣି,ଏଥର ଆମର ଖାଇବା ବାଢି ଦିଅ |କାଲି ପୁଣି ଅଫିସ ଯିବାର ଅଛି |ବସୁଧା ସମ୍ମତ୍ତି ଜଣାଇ ରୋଷେଇଘରକୁ ଗଲା |କିନ୍ତୁ ଖାଇବା ଆଣିବାରେ ଡେରି ହେବାର ଦେଖି ଅକ୍ଷର ରୋଷେଇଘରକୁ ଯାଇ ଦେଖିଲା,ବସୁଧା ଅଣ୍ଡା ଆମଲେଟ କରୁଛି |ଅକ୍ଷର କିଛି କହିବା ପୂର୍ବରୁ ବସୁଧା କହିଲା,ଭଜା ସରିଯାଇଛି,ଡାଲମା ଅଳ୍ପ ଅଛି,ସେଥିପାଇଁ ଅଣ୍ଡା ଭାଜିଲି |ଅକ୍ଷର ସ୍ମିତ ହସି କହିଲା,ରୁଟି ଅଛି ନା ସିଏ ବି ସରିଯାଇଛି ?ବସୁଧା କହିଲା,ରୁଟି ଅଳ୍ପ ଅଛି |ସକାଳର ଭାତ,ତରକାରୀ  ଅଛି,ସବୁ ମିଶେଇ ଖାଇଦେବା |ଅକ୍ଷର କହିଲା,ହଉ ଯାହା ଆଣୁଛ ଆଣ ,କିନ୍ତୁ ଶୀଘ୍ର ଆଣ ,ଦିନସାରା କିଛି ଖିଆ ହୋଇନି,ଭୋକରେ ପେଟ ଜଳିଲାଣି  |ବସୁଧା ତା ଷ୍ଟାଇଲରେ ପିଆଜ,କଞ୍ଚାଲଙ୍କା,ଧନିଆପତ୍ର ଓ ଅଣ୍ଡା ମିଶାଇ ସକାଳର ଭାତରେ ଫ୍ରାଏଡ ରାଇସ ତିଆରି କଲା |ତା ସହିତ ବଳିଥିବା ରୁଟି,ଡାଲମା ଓ  ତରକାରିରେ ମସଲା ଛୁଙ୍କ ଦେଇ ନେଇ ଆସିଲା |ଅକ୍ଷର ଖୁସି ହୋଇ କହିଲା,ବାଃ ! ପୁରା ଜମାଣିଆ ହେଲା |ବଦଳି ଆଦେଶ ବାତିଲ ହେବା ଖୁସି ସହିତ  ଉପବାସ ଜନିତ କ୍ଷୁଧା ସେମାନଙ୍କ ରାତ୍ରି ଭୋଜନକୁ ଅଧିକ ସୁସ୍ୱାଦୁ କରି ଦେଇଥିଲା !!

           ଖାଇବା ମଝିରେ ବସୁଧା କହିଲା,ବୋଉ ଆମପାଇଁ ଆଜି ସାକ୍ଷାତ ଦୁର୍ଗା ମାତା ପାଲଟିଗଲେ |ଏତେବଡ଼  ଅସମ୍ଭବ କାମକୁ ସେ କେମିତି ସମ୍ଭବ କରି ପାରିଲେ,ସତରେ ତାଙ୍କୁ ମାନିବାକୁ ପଡିବ  !!ବାହାରକୁ ସେ ଯେତେ କଠୋର ଦିଶୁଥିଲେ ହେଁ,ଅନ୍ତର ତାଙ୍କର ଅତି କୋମଳ !ଦୟା,କ୍ଷମା,କରୁଣାର ଜୀବନ୍ତ ପ୍ରତିମୂର୍ତ୍ତି ସେ | ତାଙ୍କୁ ଯେତେ ପ୍ରଶଂସା କଲେ ବି,କମ ହେବ   |ଅକ୍ଷର କହିଲା,ମାଆର ହୃଦୟ ସବୁବେଳେ ତାର ସନ୍ତାନ ପାଇଁ ବିଗଳିତ ହୁଏ  |ପିଲାର ମଙ୍ଗଳ ପାଇଁ ସେ ସବୁକିଛି କରିପାରେ |ଆଜି ସେ ଯାହା କଲା,ତା ନିଜ ପୁଅ ପାଇଁ କଲା,ତା ସ୍ଥାନରେ ଯେ କେହି ଥିଲେ ବି,ବୋଧେ ସେଇଆ କରିଥାଆନ୍ତା |

         ବସୁଧା କହିଲା,ଏମିତି କହି ତାଙ୍କ ବିରାଟ କାର୍ଯ୍ୟକୁ ଗୌଣ କରି ଦିଅନା |ସେ ମତେ ମାରନ୍ତୁ,ହାଣନ୍ତୁ ,କାଟନ୍ତୁ,ଯାହା କିଛି ବି  କରନ୍ତୁ, ମୋ ପାଇଁ ସେ କିନ୍ତୁ ଜଣେ ମହିୟସୀ ନାରୀ,ମୋ ସ୍ୱାମୀଙ୍କର ମାଆ , ତାଙ୍କର ସ୍ଥାନ ସବୁବେଳେ ମୋ ମଥା ଉପରେ ରହିବ  | ଦେଖିବ,ଆଜି ନହେଲେ କାଲି,ସେ ନିଶ୍ଚୟ ମତେ କୋଳେଇ ନେବେ |

          ଅକ୍ଷର କହିଲା,ତାହାଲେ ତମକୁ  ନିରାଶ ହେବାକୁ ପଡିବ |କାରଣ ବୋଉ ଭାରି ଏକଜିଦ୍ଦିଆ ,ସେ କେବେହେଲେ ତାର ନିଷ୍ପତ୍ତି ବଦଳାଏ ନାହିଁ |ବସୁଧା କହିଲା,ଯଦି ଏମିତି କଥା,ତାହାଲେ ମୁଁ ବି ମୋର ନିଷ୍ପତ୍ତି ବଦଳାଇବି ନାହିଁ |ଅକ୍ଷର ଆଶ୍ଚର୍ଯ୍ୟ ହୋଇ କହିଲା,ମାନେ ?ବସୁଧା ସ୍ମିତ ହସି କହିଲା,ମାନେ ଆଉ କଣ ?ମୁଁ ବି ସେମିତି ତାଙ୍କୁ ଆପଣେଇବାର ଚେଷ୍ଟା ଚାଲୁ ରଖିବି,ଦେଖିବା କାହାର ଜିଦ୍ଦି ରହୁଛି ?ତା କଥା ଶୁଣି ହୋ ହୋ ହୋଇ ଅକ୍ଷର ହସି ଉଠିଲା ଓ ହସୁ ହସୁ ତା ତଣ୍ଟିରେ ଖାଦ୍ୟ ଅଟକି କାଶ ହେଲା |ବସୁଧା ତାକୁ ପାଣି ପିଇବାକୁ ଦେଇ ମୁଣ୍ଡ ଥାପୁଡେ଼ଇଲା |କିଛି ସମୟ ପରେ କାଶ ବନ୍ଦ ହୋଇଗଲା |ବସୁଧା କହିଲା,ଏଥର ଖାଇବା ବେଳେ କଥା ବନ୍ଦ ,ଚୁପ ହୋଇ ଖାଅ | 

            ଶୋଇବାବେଳେ ବସୁଧା କହିଲା,ଏଥର ତମକୁ ଅଫିସରେ ବହୁତ ହୁସିଆରିରେ ଚଳିବାକୁ ପଡିବ |ଅକ୍ଷର ପଚାରିଲା,କାହିଁକି ?ବସୁଧା କହିଲା,ତାଙ୍କ କଥା ରହିଲା ନାହିଁ,ତମେ ଉପରୁ ଚାପ  ପକେଇ ବଦଳି ବାତିଲ କରିଦେଲ,ଏଇଟା ତାଙ୍କପାଇଁ ବହୁତ ବଡ଼ ଅପମାନ ଓ  ତାଙ୍କୁ ନିଶ୍ଚୟ ବାଧିଥିବ |ତେଣୁ ସେମାନେ ଛୋଟ ଛୋଟ କଥାରେ ଦୋଷ କାଢି,ତମକୁ ହଇରାଣ କରିବାପାଇଁ  ଚେଷ୍ଟା କରିବେ |ଅକ୍ଷର ଗମ୍ଭୀର ହୋଇ କହିଲା,ହଁ,ମୁଁ ଜାଣିଛି |ସେମାନଙ୍କୁ ସେ ସୁଯୋଗ ନଦେବା ପାଇଁ ଚେଷ୍ଟା କରିବି |ଅକ୍ଷରର କଥା ଶେଷ ନହେଉଣୁ,ବାହାରେ ଆମ୍ବୁଲାନ୍ସ ଆସିବାର ହର୍ନ ଶୁଭିଲା |ସେ କହିଲା,ଏତେ ରାତିରେ କାହାର ଦେହ ଖରାପ ହେଲା ?କୌତୁହଳ ବଶତଃ  ଘଟଣା କଣ ଜାଣିବା ପାଇଁ ସେ କବାଟ ଖୋଲି ବାହାରକୁ ଗଲା |କିଛି ସମୟ ପରେ ଫେରିଆସି ବ୍ୟସ୍ତ ହୋଇ ବସୁଧାକୁ କହିଲା,ବସୁ ,ଜାଣିଛ ?ଲକିର  ଦେହ ବହୁତ ଖରାପ,ତା ନାକରୁ ରକ୍ତ ବୋହିବା ବନ୍ଦ ହେଉନି,ତେଣୁ ସେମାନେ ତାକୁ ଆମ୍ବୁଲାନ୍ସ ରେ ନେଇ ଡାକ୍ତରଖାନା ଗଲେ |(କ୍ରମଶଃ)

No comments:

Post a Comment