Friday, November 11, 2022

ଅଭଙ୍ଗା କଣ୍ଢେଇ (ଭାଗ 29)

                 ଲକି ଡାକ୍ତରଖାନା ଯିବା କଥା ଶୁଣି ବସୁଧା ମଧ୍ୟ ବହୁତ ବ୍ୟସ୍ତ ହେଲା |କହିଲା,ସକାଳେ ଜ୍ୱର ଥିଲା ବୋଲି କହୁଥିଲା,ଖରାରେ ସାଇକେଲ ଚଲାଇ ପେଟ ଗରମ ହୋଇ ବୋଧେ ସେମିତି ହୋଇଛି,ଡାକ୍ତରଖାନା ଯାଇଛି ମାନେ ସେମାନେ ଚିକିତ୍ସା କରି ଭଲ କରିଦେବେ |ଅକ୍ଷର କହିଲା,ପିଙ୍କି ଆଣ୍ଟି ଗୋଟେ ମହିଳା ଗୃପ ର ପ୍ରେସିଡେଣ୍ଟ ହୋଇଛନ୍ତି,ଅଙ୍କଲ ବି ତାଙ୍କ ଅଫିସ ଆସୋସିଏସନର ଜଣେ  ବଡ଼ ନେତା |ଦୁଇଜଣଯାକ ତାଙ୍କ କାମରେ ବ୍ୟସ୍ତ ଥାଇ ଗୋଟିଏ ବୋଲି ପୁଅକୁ ଆଦୌ ଧ୍ୟାନ ଦିଅନ୍ତି ନାହିଁ |କେବେଠାରୁ ଶୁଣୁଛି ତାକୁ ଜ୍ୱର ହେଉଛି,ସେମାନେ ମେଡ଼ିସିନ ଦୋକାନୀକୁ ପଚାରି ଔଷଧ ନେଇ ଆସୁଛନ୍ତି,ଜ୍ୱର ପୂରା ଭଲ ନହୋଇ କିଛିଦିନ ପରେ ପୁଣି ବାହାରୁଛି |

               ବସୁଧା ମନଧ୍ୟାନ ଦେଇ ଅକ୍ଷର କଥା ଶୁଣିଲା,କିଛି ଉତ୍ତର ଦେଲାନାହିଁ |ଅକ୍ଷର ପଚାରିଲା,କଣ ହେଲା ,କିଛି କହିଲନି ଯେ ?ବସୁଧା କହିଲା,ଭାବୁଛି ,ଆମକୁ ସବୁବେଳେ ଖାଲି ଏମିତି ଖରାପ କଥା ଶୁଣିବାକୁ ମିଳୁଛି |ଆଉ କଣ ଆମର ଭଲଦିନ ଆସିବନି ? ଅକ୍ଷର ମୁହଁ ଶୁଖେଇ କହିଲା,ଆମେ ଯେଉଁ କାଣ୍ଡ କଲୁ  ,ସେଥିପାଇଁ ସାରା ଦୁନିଆ ଆମ ବିରୁଦ୍ଧରେ ଛିଡା ହୋଇଛି,ଏଥିରେ ଆମର ଭଲଦିନ ଆସିବ କେମିତି ?ବସୁଧା ଅକ୍ଷରକୁ ଚାହିଁଲା |ସେ ଅତି ଦୁଃଖରେ ଶୂନ୍ୟକୁ ଚାହିଁରହିଥିଲା |ସେ ତାର ଦୁଇହାତ ଅକ୍ଷର ଗଳାରେ ବେଢ଼ାଇ କହିଲା,ଯାହା ଯାଇଛି ଯାଇଛି,ସେଥିପାଇଁ ଚିନ୍ତା କରି କିଛି ଲାଭ ନାହିଁ |ତମର ଅଫିସ ଟିକେ ନର୍ମାଲ କୁ ଆସିଯାଉ,ନୂଆବର୍ଷରେ ବୁଲିବାକୁ ଯିବା |ଅକ୍ଷର କହିଲା,ନୂଆବର୍ଷରେ ଛୁଟି କାହିଁ ଯେ ଯିବା ?ଏଇ ଦଶହରାରେ ଯିବାର କଥା ଥିଲା,କିନ୍ତୁ ଗାଆଁକୁ ନଗଲେ ଅସୁନ୍ଦର ହେବ |ବସୁଧା କହିଲା,କିଛି ନହେଲେ ଆମେ ପୁରୀ ଯାଇ ବୁଲି ଆସିବା |ଅକ୍ଷର ଖୁସି ହୋଇ କହିଲା,ଠିକ କହିଛ,ପୁରୀ ଯିବା କଥା ତମେ ମତେ ମନେ ପକେଇ ଦେଲ,ମୁଁ ଭୁଲି ଯାଇଥିଲି |ଜଗନ୍ନାଥଙ୍କ ପାଖରେ ପୁରୀ ଯିବି ବୋଲି କେତେ ମାନସିକ କରିଥିଲି,ଗଣ୍ଡଗୋଳିଆ ପରିସ୍ଥିତିରେ ସେକଥା ପୂରା ପାସୋରି ଯାଇଥିଲି |ଏଇ ରବିବାର ଭୋରରୁ ପୁରୀ ଯିବା |

              ପରଦିନ ଅକ୍ଷର ଅଫିସ ଯିବାପରେ ବସୁଧା ବହି ଖଣ୍ଡେ ଧରି ପଢୁଥିବାବେଳେ ଗାଆଁରୁ ଦୀପାର ଫୋନ ଆସିଲା |ସେ କହିଲା,ତମେମାନେ ବଢିଆ  ଶାଢ଼ୀ ଆଉ ଡ୍ରେସ ପଠେଇଛ |ସମସ୍ତଙ୍କ ମନକୁ ପାଇଛି |ଏଥରକ ଜାଣ ,ପୂରା ଦଶହରା ପରି ଲାଗୁଛି |ତୁମ ଦୁଇଜଣଙ୍କୁ ବହୁତ ବହୁତ ଧନ୍ୟବାଦ |ବସୁଧା ପଚାରିଲା,ବୋଉଙ୍କ ମନକୁ ଶାଢ଼ୀ ପାଇଲା ?ଦୀପା କହିଲା,ଖୁଡିଙ୍କୁ କଣ ଭଲ ଲାଗେ ନଲାଗେ ସେକଥା ସ୍ୱୟଂ ଭଗବାନ ବି ଜାଣିପାରିବେ ନାହିଁ |ତାପରେ ସେ ଚାପା ଗଳାରେ କହିଲା,ତୁ  ଯାହା ରାନ୍ଧିଥିଲୁ,ସମସ୍ତଙ୍କୁ ଭଲ ଲାଗିଲା,କିନ୍ତୁ ଖୁଡୀ କଣ କହିଲେ ଜାଣିଛୁ ? କହିଲେ,ଭୋକ ବେଳେ ଆମ୍ବିଳା ତୋରାଣି ସୁଆଦ |ବସୁଧା ହସି ହସି କହିଲା,ଶାଶୁ ବୋହୂକୁ ବେଶି ପ୍ରଶଂସା କଲେ,ବୋହୂର  ମୁହଁ ବଢିଯାଏ ବୋଲି ସମସ୍ତେ କହନ୍ତି,ତେଣୁ ବୋଉ ଯାହା କହିଲେ,ଠିକ କହିଲେ |ଦୀପା କହିଲା,ଆରେ,ତୁ ତ ଭଲ କଥା କହୁଛୁ  !ଆଚ୍ଛା ,ଦଶହରାରେ ଗାଆଁକୁ ଆସିବ ଟି ?ବସୁଧା କହିଲା,ତମେମାନେ ଚାହିଁଲେ ଯିବି,ନହେଲେ କାହିଁକି ଯିବି ?ଦୀପା କହିଲା,କାହାପାଇଁ ନହେଲା ନାହିଁ,ତମେମାନେ ମୋ ପାଇଁ ଆସ,ଭଲ ଲାଗିବ | ବସୁଧା କହିଲା,ନିଶ୍ଚୟ ଅପା,ମୁଁ ତୁମପାଇଁ ଯିବି |ଏଇଠୁ ଆଉ କଣ ନେବାର ଅଛି କହିଲେ,ମୁଁ ସାଙ୍ଗରେ ନେଇ ଯିବି |ଭଲ ଭଲ ରୋଷେଇ କରି ଖାଇବା ଆଉ ମଜା କରିବା |ଦୀପା କହିଲା,ତୁ ତ ମୋ ମନକଥା କହିଦେଲୁ |ହଉ ଫୋନ ରଖିଲି,ପରେ କଥା ହେବା |

    ଫୋନ ରଖୁ ରଖୁ କଲିଂ ବେଲ ବାଜିଲା |ବସୁଧା କବାଟ ଖୋଲି ଯାହାକୁ ଦେଖିଲା,ନିଜକୁ ବିଶ୍ୱାସ କରି ପାରିଲାନାହିଁ |ବାହାରେ ସାନ ଭଉଣୀ ଅମୃତା ଦୋଷୀଙ୍କ ପରି ଛିଡା ହୋଇଥିଲା |ବସୁଧା ଆଶ୍ଚର୍ଯ୍ୟ ହୋଇ କହିଲା,ତୁ ଏକୁଟିଆ ଆସିଛୁ ?ଅମୃତା ଟିକିଏ ଘୁଞ୍ଚିଗଲା |ତା ପଛରେ ସୁଦୀକ୍ଷା ଲୁଚିଥିଲା |ବସୁଧା କୁ ଦେଖି ସେ ଖିଲି ଖିଲି ହୋଇ ହସି ଉଠିଲା |ତା ହାତରେ ବୋଝେ ବହି ଓ ନୋଟ ବୁକ ଥିଲା |ତଳେ ମଧ୍ୟ ଆହୁରି ଦୁଇଟି ଥାକ ରହିଥିଲା |ବସୁଧା କିଛି ପଚାରିବା ପୂର୍ବରୁ ସେ କହିଲା,ତୋର ସବୁ ବହି ଖାତା ଆମେ ନେଇ ଆସିଛୁ ,ତୁ ଭଲରେ ପଢି ପରୀକ୍ଷା ଦେବୁ |ଦୁଇ ଭଉଣୀ  ମିଶି ସବୁ ବହି ଖାତା ଭିତରକୁ ନେଇ ଆସିଲେ |ବସୁଧା କହିଲା,ତମେ ଏଠିକି ଆସିଛ ବୋଲି ବାବା ମାମା  ଜାଣିଛନ୍ତି ?ଅମୃତା କହିଲା,ବାବା କହିବାରୁ ଆମେ ତତେ ତୋର ଅମାନତ ଦେବାକୁ ଆସିଲୁ |ନହେଲେ କେମିତି ଆସିଥାନ୍ତୁ ?ଦୈତାରୀ ଅଟୋରେ ଆସିଛୁ ,ତାରି ଅଟୋରେ ଫେରିଯିବୁ |ଏହା କହି ସେମାନେ ଯିବାକୁ ବାହାରିଲେ | ବସୁଧା ବ୍ୟସ୍ତ ହୋଇ ସେମାନଙ୍କୁ ଘର ଭିତରକୁ ଭିଡି ଆଣି କହିଲା,ସେମିତି କେମିତି ହେବ ?ଟିକେ ବସ,ଉପରବେଳା ଯିବ |ସୁଦୀକ୍ଷା କହିଲା,ବାବାଙ୍କର କଡା  ଆଦେଶ ଅଛି, ବେଶି ସମୟ ଆମେ ରହି ପାରିବୁ ନାହିଁ,ଆମକୁ ସାଙ୍ଗେ ସାଙ୍ଗେ ଯିବାକୁ ପଡିବ  |ବସୁଧା ଆଖିରୁ ଟପ ଟପ ହୋଇ ଅବିରତ ଲୁହଧାର  ଝରି ପଡିଲା |ସେ ଅଭିମାନରେ କହିଲା,ତାହାଲେ କାହିଁକି ଆସୁଥିଲ ?ଏମିତିରେ ମତେ ତ କୋରାପୁଟ ପଠେଇ ସାରିଥିଲ !!ଅମୃତା କହିଲା,ବାବାଙ୍କୁ ନପଚାରି ମାମୁଁ ସେମିତି କରିଥିଲେ  |ଆଉ କିଛି ନକରିବା ପାଇଁ ବାବା ତାଙ୍କୁ ତାଗିଦ କରିଛନ୍ତି |ସେଥିପାଇଁ ମାମୁଁ ରାଗିଯାଇ ଆମ ଘରକୁ ଆସୁନାହାନ୍ତି |ତୁ ଜାଣିଛୁ ?ତୁ ଗଲାଦିନୁଁ ବାବା ଆଉ ଘରକୁ ଆମିଷ ଆଣୁନାହାନ୍ତି |ତାଙ୍କ ମୁହଁରୁ ହସ କୁଆଡେ ଚାଲି ଯାଇଛି !!ତାଙ୍କ ଚେହେରା ଶୁଖି କଳାକାଠ ପଡ଼ିଗଲାଣି |ଏତେଗୁଡାଏ କଥା ବସୁଧା ହଜମ କରି ପାରିଲା ନାହିଁ |ସେ କଇଁ କଇଁ ହୋଇ କାନ୍ଦି କୋହଭରା କଣ୍ଠରେ କହିଲା,ମୁଁ ବଡ଼ ଭୁଲ କରିଦେଇଛି,ବାବା ମାମାଙ୍କୁ କହିବୁ,ମତେ କ୍ଷମା କରିଦେବେ |ଅମୃତା କହିଲା,ଯାହା ନ କରିବା  କଥା କରି ସାରିଲୁଣି, ଏବେ ଆଉ କ୍ଷମା ମାଗିଲେ  କଣ ହେବ ?ସୁଦୀକ୍ଷା କହିଲା,ନା ,ମ ଦେଇ,ତୁ କାହିଁକି ବ୍ୟସ୍ତ ହେଉଛୁ ?ପରୀକ୍ଷା ଦେଇ ଭଲରେ ପାଶ କର,ଆଉ ପରୀକ୍ଷାଫଳ ଦେଖାଇ ବାବା ମାମାଙ୍କୁ କ୍ଷମା ମାଗ ,ସେମାନେ ନିଶ୍ଚୟ କ୍ଷମା କରିଦେବେ | ବସୁଧା କହିଲା,ମତେ ଏତେଦିନ ଅପେକ୍ଷା କରିବାକୁ ପଡିବ ?ଯଦି ମୁଁ ପାଶ ନକରେ ,ତାହାଲେ ?ଅମୃତା କହିଲା,ସେଇଟା ତୋ ଉପରେ ନିର୍ଭର କରେ |ସତକୁ ସତ ସେମାନେ ଆଉ ରହିଲେନି ,ଦୈତାରୀ ଅଟୋରେ ଚାଲିଗଲେ |

           ସନ୍ଧ୍ୟାରେ ଅକ୍ଷର ଘରକୁ ଫେରିବା ପରେ ତାର ଖୁସି ମୁହଁକୁ ଦେଖି, ସବୁକିଛି ଭଲ  ବୋଲି ବସୁଧା ଅନୁମାନ କଲା |ତଥାପି ଦିନଟି କେମିତି କଟିଲା ବୋଲି ସେ ଅକ୍ଷରକୁ ପଚାରିଲା |ଅକ୍ଷର କିଛି କହିବା ପୂର୍ବରୁ  ଟେବଲ ଉପରେ ଥିବା ବହି ଓ ନୋଟ ବୁକରେ  ତାର ନଜର ପଡିଗଲା |ସେ ସେଗୁଡିକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା,ଏସବୁ  କୁଆଡୁ ଆସିଲା ?ବସୁଧା ତାକୁ ସବୁ କଥା କହିଲା ଓ ଅମୃତା କିପରି ତାକୁ ପରୀକ୍ଷାଫଳ ସହିତ ବାବା ମାମାଙ୍କୁ କ୍ଷମା ମାଗିବାକୁ କହିଛି ,ସେକଥା ମଧ୍ୟ କହିଲା |ଅକ୍ଷର କିଛି ସମୟ ଚିନ୍ତା କରି କହିଲା,ଯଦି କ୍ଷମା ମାଗିବାର ଅଛି,ତାହାଲେ ପରୀକ୍ଷା ଦେବା ପୂର୍ବରୁ କ୍ଷମା ମାଗି ତାଙ୍କ ଆଶୀର୍ବାଦ ନିଅ |ଏମିତିକି ମୁଁ ଚାହୁଁଛି,ତମେ ତାଙ୍କର କ୍ଷମା ଓ ଆଶୀର୍ବାଦ ସହ  ପାଠପଢା ଆରମ୍ଭ କଲେ ଆହୁରି ଭଲ ହେବ |(କ୍ରମଶଃ)   

                 

No comments:

Post a Comment