Friday, January 1, 2021

ଅନନ୍ୟା (ଭାଗ 17)

                                     ନୂଆବର୍ଷକୁ ସ୍ୱାଗତ ଜଣେଇବା  ପାଇଁ,ଅନିଷ ଖୁବ ଉତ୍ସାହିତ ଥିଲା |ଡିସେମ୍ବର ତିରିଶ ତାରିଖରେ ଶ୍ଵେତା, ଦିବ୍ୟାଶା ଓ ତାର ଅନ୍ୟ ସାଙ୍ଗମାନେ ମଉସା ମାଉସୀଙ୍କ ସହିତ ପିକନିକ ଯିବାର ଥିଲା | ଅନିଷର ବନ୍ଧୁ ତଥା ମାଉସୀଙ୍କ ପୁଅ ଶିଖର ମଧ୍ୟ ସେମାନଙ୍କ ସହିତ ଯାଉଥିବାରୁ,ଅନିଷ ତାଙ୍କ ସାଙ୍ଗରେ ଯିବାପାଇଁ, ଅନସୂୟାଙ୍କୁ ରାଜି କରାଇ ନେଇଥିଲା | କିନ୍ତୁ ପିକନିକ ପୂର୍ବଦିନ ସେ ଅନସୂୟାଙ୍କୁ କହିଲା,ମମି,ମୁଁ ପିକନିକ ଯାଉନି |ଅନସୂୟା କହିଲେ,କାହିଁକି ?କଣ ଅସୁବିଧା ହେଲା ??

                                      ଅନିଷ କହିଲା,ମୁଁ ତମକୁ ଗୋଟେ କଥା କହିବାକୁ ଭୁଲିଯାଇଛି |ଯେଉଁଦିନ ମୁଁ ଆନିକୁ ଆଣିବାକୁ ବସଷ୍ଟାଣ୍ଡ ଯାଇଥିଲି,ସେଦିନ ଗୋଟିଏ ଘଟଣା ଘଟିଥିଲା |ଏହା କହି ସେ ସେଦିନ ଉମେଶ କିପରି ଭବାନିପାଟଣାରୁ ତା ପିଛା କରି ଏକ ବସରେ ଭୁବନେଶ୍ୱର ଆସିଥିଲା ଓ ତାଙ୍କ କଲେଜ ହଷ୍ଟେଲ ପର୍ଯ୍ୟନ୍ତ ଯାଇଥିଲା,ତାହା ବିସ୍ତୃତ ଭାବେ ବର୍ଣ୍ଣନା କରି କହିଲା,ଉମେଶ ପରେ ଭବାନୀପାଟଣା ଫେରିଯାଇ,ଆନିର ବୋଉଙ୍କୁ ସବୁକଥା କହିଥିଲା |ସେ ଏହାକୁ ବିଶ୍ୱାସ ନ କରିବାରୁ ଉମେଶ କହିଥିଲା,ଆମ ଦୁହିଁଙ୍କ ଫଟ ଦେଖାଇ,ତା କଥା ସତ ବୋଲି ପ୍ରମାଣିତ କରିବ |ଏବେ ସେ ଭୁବନେଶ୍ଵର ଆସି ମଉସା ମାଉସୀଙ୍କ ଘର ଆଗରେ ପଇଁତରା ମାରୁଥିବାର ଦେଖିଛି ବୋଲି ଶ୍ଵେତା କହୁଥିଲା |ସେ ଯେତେବେଳେ ଆସି ଗଲାଣି,ସେମାନଙ୍କୁ ପିଛା କରି ପିକନିକ ସ୍ଥଳକୁ ଯିବାର ସମ୍ଭାବନା ରହିଛି |ତେଣୁ ସେ ପିକନିକ ନ ଯିବାପାଇଁ ମନସ୍ଥ କରିଛି |ତା କଥା ଶୁଣି ଅନସୂୟା କପାଳରେ ହାତ ପିଟି କହିଲେ,ତୁ କି ଦୁର୍ବୁଦ୍ଧି କରି,ନିଆଁରେ ଗୋଡ଼ ପୁରାଇଲୁରେ ବାପା,ମୁଁ ଏବେ କଣ କରିବି,ତୋ ପାଇଁ ଚିନ୍ତା କରି କରି,ମୁଣ୍ଡ ପିଟି ମରିଯିବି !

                                    ଅନିଷ କହିଲା,ମମି ସେମିତି ହୁଅନା |ସେ ଦୁଇ/ତିନିଦିନ ସେମିତି ହୋଇ ପଳେଇବ |ତାପରେ ଚୁପଚାପ ରହିବ,ଅଯଥା କାହିଁକି ବ୍ୟସ୍ତ ହେଉଛ ?ଅନସୂୟା କହିଲା,ସେ ଭଳିଆ ପିଲାଙ୍କୁ ବିଶ୍ୱାସ ନାହିଁରେ ବାପା |ପେପରରେ ସବୁଦିନ କେମିତି ନିଉଜ ବାହାରୁଛି,ତୁ କଣ ଜାଣିନୁ ?

                                       ଅନିଷ କହିଲା,ଓହୋଃ ମମି,ସବୁବେଳେ ନିଉଜ ଦେଖି,ପଢି,ତୁମ ମୁଣ୍ଡ ଖରାପ ହୋଇଗଲାଣି |ମୁଁ ଏତେ ଟେନ୍ସନରେ ଅଛି,ତମେ ଏମିତି ହେଲେ,ମୋ ଟେନ୍ସନ ଆହୁରି ବଢି ଯିବନି ?ଅନସୂୟା ନିଜକୁ ସମ୍ଭାଳି କହିଲେ,ଠିକ ଅଛି |ଏଇ ଦୁଇଦିନ ତୁ କୁଆଡେ ଯାଆନା,ଚୁପଚାପ ଘରେ ବସି ପାଠପଢା କର | ଅନିଷ କହିଲା,ମୁଁ ବି ସେଇଆ କହିବାକୁ ଯାଉଥିଲି ମମି,ତମେ ଖାଲି ବ୍ୟସ୍ତ ହେଉଛ !

                                           ସେଦିନ ରାତିରେ ଭୋକ ଲାଗୁନି କହି ଅନିଷ ଅଳ୍ପ ଖାଇ ଶୋଇ ପଡିଲା |ତା ପରଦିନ ବି ସେ ସେମିତି ଭଲରେ ଖାଇଲା ନାହିଁ ଓ ଖୁବ ବିଷାଦଗ୍ରସ୍ତ ଜଣା ପଡୁଥିଲା |ସୁନ୍ଦର ମୁହଁଟି ତାର ଶୁଖିଯାଇ ମଳିନ ଦିଶୁଥିଲା |ଅନସୂୟା ଯେତେ ପଚାରିଲେ ବି ସେ ତାର କାରଣ କହୁନଥିଲା |କଣ କରିବି ଭାବି ଭାବି ତାଙ୍କର  ଚିନ୍ତା ବଢିଗଲା ଓ ସେ ଦିବ୍ୟାଶାକୁ ଫୋନ କରିବାକୁ ଭାବୁ ଭାବୁ ଵିଦ୍ୟାଶା ତାଙ୍କୁ ଫୋନ କଲା  |ଅନସୂୟା ହ୍ୟାଲୋ କହିବା ମାତ୍ରେ ସେ କାନ୍ଦି କାନ୍ଦି କହିଲା,ଆଣ୍ଟି ପ୍ରଣାମ |ଅନସୂୟା ଡରିଯାଇ କହିଲେ,କଣ ହେଲା ?ତୁ କାନ୍ଦୁଛୁ କାହିଁକି ?? (କ୍ରମଶଃ)

No comments:

Post a Comment