Friday, January 1, 2021

ଅନନ୍ୟା (ଭାଗ 18)

                 ଦିବ୍ୟାଶା ସେମିତି କାନ୍ଦୁ କାନ୍ଦୁ କହିଲା,ଆଣ୍ଟି,ସେ ମୋ ଉପରେ ରାଗି ଯାଇଛନ୍ତି ;ମୁଁ କାଲିଠାରୁ ତାଙ୍କୁ ଫୋନ କରୁଛି,ସେ ଫୋନ ଉଠାଉ ନାହାନ୍ତି;ଏବେ ଫୋନ ସୁଇଚ ଅଫ କରିଦେଲେ |ତା କଥା ଶୁଣି,ଅନସୂୟାଙ୍କ ହୃତସ୍ପନ୍ଦନ ବଢିଗଲା |ସେ କହିଲେ,କଣ ହୋଇଛି ମତେ କହ,ମୁଁ ତାକୁ ପଚାରିବି |

                   ଦିବ୍ୟାଶା କହିଲା,ଆମ ସାଙ୍ଗରେ ଶିଖର ଭାଇ ଯିବେ ବୋଲି ମୁଁ ଜାଣିଥିଲି |କିନ୍ତୁ ତାଙ୍କ ସାଙ୍ଗରେ ତାଙ୍କର ଆଉ ଦୁଇଜଣ ସାଙ୍ଗ ଯିବେ ବୋଲି ଜାଣି ନଥିଲି |ସେମାନେ ସେଇଠି ବହୁତ ଫଟ ଉଠେଇଲେ; ମୁଁ ସେମାନଙ୍କ ସାଙ୍ଗେ ଫଟ ଉଠାଇବାକୁ ମନା କରିଦେଲି,ମାଉସୀ ବାଧ୍ୟ କରିବାରୁ,ଖାଲି ଗୋଟେ ଗୃପ ଫଟରେ ଥିଲି |ସେଇ ଫଟ ଦେଖି ସେ ମୋ ଉପରେ ଭୀଷଣ ରାଗି ଯାଇଛନ୍ତି |ଅନସୂୟା ପଚାରିଲେ,ଉମେଶ ସେଠାକୁ ଯାଇଥିଲା ?

                     ଉମେଶ ନାଁ ଶୁଣି ଦିବ୍ୟାଶା ସହମି ଗଲା ; କିଛି ସମୟ ରହି କହିଲା,ଆପଣ ତା କଥା ଜାଣିଛନ୍ତି ?ଅନସୂୟା କହିଲେ,ଭଲଭାବେ ଜାଣିଛି |ସେ ଯାଇଥିଲା ?ଦିବ୍ୟାଶା କହିଲା,ନାଁ ସେ ଆସି ନଥିଲା |ସେ କହୁଛନ୍ତି,ଉମେଶ ଆସିବ ବୋଲି ମିଛ କଥା କହି ,ଶିଖରର ଦୁଇ ସାଙ୍ଗ ଯାଇଥିଲେ |ଦିବ୍ୟାଶା ପୁଣି କାନ୍ଦି କାନ୍ଦି କହିଲା,ଏକଥା ପୂରା ମିଛ ଆଣ୍ଟି,ଶ୍ଵେତା ଉମେଶକୁ ଦେଖିଥିଲା |ସେ କାହିଁକି ସେଠିକି ଗଲାନି,ମୁଁ ସେକଥା ଜାଣିନି |ମୋର ଖାଲି ଗୋଟେ ଭୁଲ ହୋଇଗଲା,ମୁଁ ମାଉସୀଙ୍କ ଅନୁରୋଧକୁ ଟାଳି ନପାରି,ଗୃପ ଫଟରେ ରହିଗଲି |ଆପଣ ତାଙ୍କୁ ଟିକେ ବୁଝେଇ ଦିଅନ୍ତୁ,ମୁଁ ସେମିତିକା ଝିଅ ନୁହେଁ |ଅନସୂୟା ତାକୁ ସାନ୍ତ୍ୱନା ଦେଇ କହିଲେ,ହଉ ତୁ କାନ୍ଦନା, ମୁଁ ତାକୁ ବୁଝେଇ ଦେବି |

                      ଅନସୂୟା ଫୋନ ବନ୍ଦ କଲା ବେଳକୁ ଦେଖିଲେ ,ଅନିଷ କୁଆଡେ ଯିବାକୁ ବାହାରିଛି |ସେ ପଚାରିଲେ,କୁଆଡେ ଯାଉଛୁ ?ଅନିଷ କହିଲା,ଯାଉଛି ବୁଲି,କାହିଁକି ?ଅନସୂୟା କହିଲେ,ରହ,ତୋ ସାଙ୍ଗରେ କଥା ଅଛି |ଅନିଷ କହିଲା,ମୁଁ ଜାଣିଛି ତମେ ମତେ କଣ କହିବ,ହେଲେ ମୁଁ ସେ ବେକାର ମିଛ କଥା ଶୁଣିବାକୁ ଚାହୁଁନି |ଅନସୂୟା ତା ହାତ ଧରି ଟାଣି ଆଣି,ତା ଗାଲରେ ଆସ୍ତେ କରି ଚଟକଣା ମାରି କହିଲେ,ତତେ ମାଡ଼ ଦରକାର ହେଲାଣି |

                     ଅନିଷ କହିଲା,ସିଏ  କଣ ମିଛ କଥା ଗୁଡା ତମ ଆଗରେ ଗପିଗଲା,ଆଉ ତମେ ତାକୁ ବିଶ୍ୱାସ କରିଗଲ ?ଅନସୂୟା କହିଲେ,ହଁ ମୁଁ ତା କଥାକୁ ବିଶ୍ୱାସ କଲି, କାରଣ ମୁଁ ତାକୁ ଭଲପାଏ |ଆଉ ଯେଉଁଠି ଭଲପାଇବା ଥାଏ, ସେଇଠି ବିଶ୍ୱାସ ଓ ଭରସା ବସା ବାନ୍ଧି ରହିଥାଏ |ଆନି ମତେ ଯାହା କହିଲା,ତା କଥାରେ ଟିକିଏ ବି ମିଛ ନଥିଲା |ତୁ ପିକନିକ କୁ ଯାଇ ପାରିଲୁନି,ଉମେଶ ସେଠାକୁ ଆସିଲାନି ,ତା ଉପରେ ସେ ଗୃପ ଫଟରେ ହସି ହସି ଫଟ ଉଠେଇଛି,ଏସବୁ ତତେ ବହୁତ ବାଧିଛି |ହେଲେ ଏଥିରେ ସେ ବିଚାରୀର ଦୋଷ କଣ ?ସିଏ ତ ଏକୁଟିଆ ହଷ୍ଟେଲରେ ରହି ପାରି ନଥାନ୍ତା,ଯେମିତି ହେଲେ ତାକୁ ଯିବାକୁ ପଡ଼ିଥାଆନ୍ତା |ଏବେ ନୂଆବର୍ଷ ପାଇଁ ଆଣ୍ଟି ସୋସିଆଲ ମାନଙ୍କୁ ପୋଲିସ ଧରି ନେଉଛି |ଉମେଶ ନାଆଁରେ କେତେ କେଶ ଅଛି,ତାକୁ ଯଦି ପୋଲିସ ଧରି ନେଇଥାଏ ଓ ଯଦି ସେ ସେଇଥିପାଇଁ ସେଠାକୁ ଯାଇ ପାରି ନଥାଏ ,ତେବେ ?

                    ତାଙ୍କ କଥା ଶୁଣି ଅନିଷ ଥମ କରି ରହିଯାଇ କଣ ଚିନ୍ତା କରିବା ପରି କହିଲା,ତାହେଲେ ମୁଁ କଣ ଭୁଲ କରିଛି ?ଅନସୂୟା କହିଲେ,ଭୁଲ ନୁହେଁ,ତୁ ଅପରାଧ କରିଛୁ |ତୁ ଏବେ ତା ସାଙ୍ଗରେ କଥା କହ,ମୁଁ ତାକୁ କଲ କରୁଛି |ଅନିଷ ତାଙ୍କ ହାତ ଧରି ପକାଇ କହିଲା,ମୁଁ ତା ସାଙ୍ଗେ କଥା ହେବି,ତମେ ବ୍ୟସ୍ତ ହୁଅନା |ଅନସୂୟା ସେଠାରୁ ଯାଉ ଯାଉ ଫେରିଆସି କହିଲେ,ତାକୁ କହିବୁ,ସେ କାଲି ଆମ ଘରେ ଖାଇବ |ଅନିଷ ଆଶ୍ଚର୍ଯ୍ୟ ହୋଇ କହିଲା,ଆଉ ବାବା ???

                     ଅନସୂୟା କହିଲେ,ନୂଆବର୍ଷ ପାଇଁ କାଲି ବାବା ତାଙ୍କ ଅଫିସ ସାଙ୍ଗ ମାନଙ୍କ ସାଙ୍ଗରେ ପିକନିକ ଯିବେ |ତୁ ତାକୁ ଆଣିବୁ ଆଉ ବେଳାବେଳି ଛାଡିଦେବୁ |ଅନିଷ ଆଖି ବଡ଼ ବଡ଼ କରି କହିଲା,ତା ମାନେ ସବୁଯାକ ପ୍ଲସ ପଏଣ୍ଟ ତମେ ତାକୁ ଦେଇଦେଲ ?ମତେ କଣ ମିଳିଲା ?ଅନସୂୟା ବିରକ୍ତ ହୋଇ କହିଲେ, ତତେ ଛତୁ ମିଳିଲା |ତୁ ଏତିକି ମନେ ରଖିଥା,ଯେଉଁଥିରେ ମୁଁ ସାକ୍ଷୀ ରହିଛି,ତାକୁ କେବେହେଲେ ନଷ୍ଟ ହେବାକୁ ଦେବିନି |(କ୍ରମଶଃ) 

              

No comments:

Post a Comment