Wednesday, January 6, 2021

ଅନନ୍ୟା (ଭାଗ 20)

                ଖାଇବା ମଝିରେ ବାରମ୍ବାର ତାଙ୍କ ମୁହଁକୁ ଦିବ୍ୟାଶା ଚାହୁଁଥିବାର ଦେଖି ଅନସୂୟା ମୃଦୁ ହସି ପଚାରିଲେ,କଣ ଏତେ ଦେଖୁଛୁଲୋ ମା ?ଦିବ୍ୟାଶା ଲାଜେଇ ଯାଇ ମୁହଁ ତଳକୁ ପୋତି ,'ନାଇଁ,କିଛି ନାହିଁ' କହି,ଖାଇବାରେ ମନ ଦେଲା  |ଦୁହେଁ ଖାଇ ସାରିବା ପରେ ଦିବ୍ୟାଶା କହିଲା, ଆଜି ମୁଁ ସବୁ ରୋଷେଇ କରିବି,ଆପଣ ଖାଲି ମତେ ଗାଇଡ କରିବେ |ଅନସୂୟା ହସି ହସି କହିଲେ,ହଉ ଠିକ ଅଛି,ଆମେ ଅଳ୍ପ ଆଇଟମ କରିବା ଆଉ ବେଶି ସମୟ ଗପିବା |ତାଙ୍କ କଥା ଶୁଣି ଦିବ୍ୟାଶା ଖୁସି ହୋଇଗଲା |

               ଗପୁ ଗପୁ କେତେବେଳେ ରୋଷେଇ ସରିଗଲା,ଦୁହିଁଙ୍କୁ ଜଣା ପଡିଲାନି |ଶେଷରେ ଅନସୂୟା  ସାଲାଡ଼ ପାଇଁ କାକୁଡି,ପିଆଜ ଇତ୍ୟାଦି  କାଟିବାକୁ ଯିବାବେଳେ, ଅନିଷ ସେଠାକୁ ଆସି,ତାଙ୍କ ହାତରୁ ସବୁ ସରଞ୍ଜାମ ଛଡେଇ,ଦିବ୍ୟାଶା ସହାୟତାରେ  କାକୁଡି ପିଆଜ କାଟି ସାଲାଡ଼ ପ୍ରସ୍ତୁତ କଲା | ଖାଇବା ଟେବଲରେ ବି ତିନିଜଣ ଢିଙ୍କିଶାଳରୁ ଢେଙ୍କାନାଳ ଯାଏଁ,ଖୁବ ଗପିଲେ |ସମସ୍ତେ ଖାଇ ସାରିବା ପରେ ଅନସୂୟାଙ୍କ ଶତ ବାରଣ ସତ୍ତ୍ୱେ,ଦିବ୍ୟାଶା ରୋଷେଇଘର ପରିଷ୍କାର କରି,ସବୁ ବାସନ ମାଜିଦେଲା |ଚାରିଟା ବେଳେ ଅନସୂୟା ଚା' ତିଆରି କଲେ |ତିନିଜଣ ଚା' ପିଇବା ପରେ,ଅନିଷ ଦିବ୍ୟାଶାକୁ ଛାଡିବାକୁ ବାହାରିଲା |ଯିବାବେଳେ ଅନସୂୟା କହିଲେ,ଶୀଘ୍ର ଆସିବୁ,ବାବା ଫେରିବା ବେଳ ହେଲାଣି |

             ଯିବା ବାଟରେ ଅନିଷ କହିଲା, ଦେବୁ.ଦିନସାରା ତମେ ଆମ ଘରେ ରହିଲ, ମୋ  ସାଙ୍ଗେ କେତେ ସମୟ ଏକଲା ରେ କଥା ହୋଇଛ କହିଲ ?ଦିବ୍ୟାଶା କହିଲା,ଆଣ୍ଟି ମତେ ଡାକିଥିଲେ ନାଁ ?ତେଣୁ ଆଜି ଦିନଟା ତାଙ୍କ ପାଇଁ ଥିଲା |ଜାଣିଛ,ମତେ ଆଜି କେତେ ଖୁସି ଲାଗୁଛି ?ଭଗବାନ କରନ୍ତୁ ,ଆଜି ଦିନଟି ପରି ସାରା ବର୍ଷ ଏମିତି ଖୁସିରେ ବିତିଯାଉ |ଅନିଷ କହିଲା,ସେମିତି କୁହନା,ତାହେଲେ ତମର ସିନା ଭଲ ହେବ,ମୁଁ ବରବାଦ ହୋଇଯିବି |ଦିବ୍ୟାଶା ଚକିତ ହୋଇ କହିଲା,ଏମିତି କାହିଁକି କହିଲ ??ମୁଁ କଣ ଭୁଲ କଥା କହିଲି ?ଅନିଷ କହିଲା,ଏମିତି ମଜାରେ କହିଲି,ଡୋଣ୍ଟ ମାଇଣ୍ଡ  |ତାପରେ ସେ କଥାର ମୋଡ଼ ବଦଳେଇ କହିଲା,ଆଛା କହିଲ,ମମିଙ୍କର କଣ ତମକୁ ସବୁଠାରୁ ବେଶି ଭଲ ଲାଗିଲା?ଦିବ୍ୟାଶା ସାଙ୍ଗେ ସାଙ୍ଗେ କହିଲା,ସବୁଠାରୁ ବେଶି ଭଲ ଲାଗିଲା,ତାଙ୍କର ସୁନ୍ଦର ହସ,ଆଉ ତାଠାରୁ ବେଶି ଭଲ ଲାଗିଲା,ତାଙ୍କର ଅତି ସୁନ୍ଦର ଗୋଲାକାର ସିନ୍ଦୂର ଟୋପା |ସକାଳର ସୂର୍ଯ୍ୟ ପରି ସେ ସବୁବେଳେ ଦାଉ ଦାଉ ହୋଇ ଜଳୁଥାଏ ;ସତେ ଯେମିତି ସାକ୍ଷାତ ମା ବିମଳା,ସେଇଠି ଆବିର୍ଭାବ ହୋଇଛନ୍ତି !!ସଙ୍ଗେ ସଙ୍ଗେ ନିଜ ଭୁଲ ସୁଧାରି ସେ କହିଲା,ସିନ୍ଦୂର ଟୋପାକୁ ଖୁଣିବା କଥା ନୁହେଁ,କହୁ କହୁ କହିଦେଲି,ପ୍ଲିଜ ଆଣ୍ଟିଙ୍କୁ ଏକଥା କହିବନି |(କ୍ରମଶଃ)

                

                

No comments:

Post a Comment