Monday, January 4, 2021

ଅନନ୍ୟା (ଭାଗ 19)

         ରବିବାର ଦିନ ନୂଆବର୍ଷ ପଡୁଥିଲା | ଶନିବାର ରାତିରେ ଡିନର ଖାଇ ଆଦିକନ୍ଦ ତାଙ୍କ ବନ୍ଧୁମାନଙ୍କ ସହିତ ପିକନିକ ସ୍ଥଳକୁ ବାହାରିଗଲେ ଓ କହିଗଲେ,ରବିବାର ସନ୍ଧ୍ୟା ସୁଦ୍ଧା ଘରେ ଆସି ପହଞ୍ଚିଯିବେ |ସେ ଯିବାପରେ ଅନସୂୟା ତାଙ୍କର ଆତ୍ମୀୟସ୍ୱଜନ ଓ ଚିହ୍ନା ପରିଚୟ ଥିବା ସମସ୍ତଙ୍କୁ ଆଗତୁରା ନବବର୍ଷର ଅଭିନନ୍ଦନ ଜଣାଇ ଦେଲେ |କାରଣ ସେ ଜାଣିଥିଲେ,ସକାଳକୁ ଏହି କାମ ବାକି ରଖିଲେ,ଆଉ ରୋଷେଇବାସ ହୋଇ ପାରିବ ନାହିଁ କି ସେ ଜଳଖିଆ ମଧ୍ୟ ଖାଇ ପାରିବେ ନାହିଁ | ରାତି ବାରଟା ରେ ନୂତନ ବର୍ଷକୁ ଅଭିନନ୍ଦନ ଜଣାଇ ସାଙ୍ଗମାନଙ୍କ ସହ ଖୁସିଗପ କରି,ବିଛଣାକୁ ଯିବା ବେଳକୁ ଗୋଟାଏ ବାଜି ସାରିଥିଲା |ସେ ଶୋଇବାକୁ ଅନେକ ଚେଷ୍ଟା କଲେ ବି ତାଙ୍କ ଆଖିରୁ ନିଦ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା |ଏମିତି ବି ଆଦିକନ୍ଦଙ୍କ ଅନୁପସ୍ଥିତିରେ  ଭଲରେ ନ ଖାଇ ପାରିବାର ଓ ନ ଶୋଇ ପାରିବାର ବଦଭ୍ୟାସ ତାଙ୍କର ରହିଥିଲା |ଏପଟ ସେପଟ କଡ଼ ଲେଉଟାଇ ରାତି ପାହିଗଲା |

          ସକାଳେ  ସେ ଶୀଘ୍ର ତାଙ୍କର ନିତ୍ୟକର୍ମ ଶେଷକରି ବାହାରେ ଲୁଗା ଶୁଖେଇବାକୁ ଯାଇ  ଦେଖିଲେ,ଗେଟ ପାଖରେ ମିତା ଚିନ୍ତାଗ୍ରସ୍ତ ହୋଇ ଛିଡା ହୋଇଛନ୍ତି |ଅନସୂୟାଙ୍କୁ ଦେଖୁ ଦେଖୁ ସେ କହିଲେ,ଭଉଣୀ,ସେଦିନ ଆପଣଙ୍କୁ ଚା' ଦେଇ ପାରିଲିନି |ମୋ ଦୁଃଖ କଥା ତ ଆପଣ ତ ସବୁ ଜାଣିଥିବେ |ବହୁତ କଷ୍ଟରେ ନିଜ ମନକୁ ବୁଝେଇଛି |କିନ୍ତୁ ଆଜି ନୂଆବର୍ଷରେ ଯେମିତି ହେଲେ ଆମ ଘରକୁ ଚା' ପିଇବାକୁ ଆସିବେ ;କୁହନ୍ତୁ,ଆସିବେ ନାଁ ?ଅନସୂୟା ତାଙ୍କ କଥା ଶୁଣି ଭାବବିହ୍ଵଳ ହୋଇ କହିଲେ,ହଁ,ମୁଁ  ନିଶ୍ଚିତ ଭାବରେ ଯିବି |ତାପରେ କିଛି ସମୟ ଭାବି କହିଲେ,ଏବେ ଗଲେ ଚଳିବ ?ମିତା ଖୁସି ହୋଇ କହିଲେ,ଆପଣ ତ ମୋ ମନକଥା କହିଦେଲେ !!

            ଅନସୂୟା ଭିତରକୁ ଯାଇ ଦେଖିଲେ,ଅନିଷ ଶୋଇଛି |ସେ ତାକୁ ନ ଉଠାଇ ଗେଟରେ ଚାବିଦେଇ ମିତାଙ୍କ ଘରକୁ ଆସି ତାଙ୍କର ଦୁଇ ହାତ ନିଜ ହାତରେ ମିଶାଇ  କହିଲେ, "ହାପି ନିୟୁ ଇୟର"|ଉତ୍ତରରେ ମିତା ତାଙ୍କୁ କୁଣ୍ଢେଇ ପକେଇ ପ୍ରତ୍ୟତ୍ତର ଜଣାଇଲେ |ଦୁହେଁ ଚା' ପିଉ ପିଉ ମିତା କହିଲେ,ଭାବିଥିଲି ପିଲାଙ୍କୁ  ପାଠ ପଢ଼େଇ,ସେମାନେ ରୋଜଗାରକ୍ଷମ ହେବାପରେ ଭଲ ଝିଅଟିଏ ଦେଖି ବାହାଘର କରିଦେଲେ, ମୋ ଦାୟିତ୍ତ୍ୱ ସରିଯିବ |କିନ୍ତୁ ଏବେ ଜାଣୁଛି ,ଏଇ ଭାବନା  ମୋର ଠିକ ନଥିଲା |ପିଲା ପାଠ ପଢିବା ଯାଏଁ ଆମ ଦାୟିତ୍ତ୍ୱ ;ତାପରେ ସେ କି ଚାକିରୀ କରିବେ,କାହାକୁ ବାହାହେବେ ତାହା ତାଙ୍କର ଦାୟିତ୍ତ୍ୱ |ଏଇ କଥା ବୁଝି ପାରିଲିନି ବୋଲି ପୁଅ ମୋର ମୋ ଠାରୁ ଦୂରେଇ ଗଲା !ଅନସୂୟା କହିଲେ,ଆଉ ସେକଥା ଭାବି ନୂଆବର୍ଷରେ ମନଦୁଃଖ କରନ୍ତୁ ନାହିଁ |ଦେଖିବେ,ପୁଣି ଆପଣଙ୍କ ସଂସାରକୁ ସୁଖ ଫେରି ଆସିବ |ମିତା ଦୀର୍ଘଶ୍ଵାସ ନେଇ କହିଲେ,ମୁଁ ତ ମୋର ଭୁଲ ମାନି ଯାଇଛି,ତେଣିକି ପୁଅର ଇଛା |ଅନସୂୟା କହିଲେ,ଆପଣ ଏମିତି କହି ନିଜକୁ ଏତେବଡ଼ ଅପରାଧୀ ବୋଲି ଭାବନ୍ତୁ ନାହିଁ |ସମୟ କୁ ଅପେକ୍ଷା କରନ୍ତୁ,ସବୁ ଠିକ ହୋଇଯିବ |

              ଭାରିମନ ନେଇ ଘରକୁ ଫେରି,ସେ ସୋଫାରେ ବସି ପଡିଲେ ଓ ମନେ ମନେ ମିତା ମାଡାମଙ୍କ କଥା ଚିନ୍ତା କରିବାକୁ ଲାଗିଲେ  |ଅନିଷ ଯେତେବେଳେ ଗାଧୋଇବାକୁ ଗଲା, ସେତେବେଳେ ଯାଇଁ  ତାଙ୍କ ଧ୍ୟାନ ଭାଙ୍ଗିଲା |ସେ ରୋଷେଇଘରକୁ ଯାଇ ଚଟାପଟ ଉପମା ତିଆରି କରିଦେଲେ |ଅନିଷ ଉପମା ଖାଇ ଦିବ୍ୟାଶାକୁ ଆଣିବାକୁ ଯିବାପରେ ସେ ମଧ୍ୟାନ୍ନଭୋଜନ ପାଇଁ, ପରିବା,ଚାଉଳ ଓ ମସଲା ଇତ୍ୟାଦି ସଜାଡ଼ି ରଖିଲେ | କେତେ ସମୟ ପରେ ତାଙ୍କର ମନେ ପଡିଲା,ସେ  ଜଳଖିଆ ଖାଇ ନାହାନ୍ତି |ଗୋଟିଏ ପ୍ଲେଟ ନେଇ ଉପମା ବାଢ଼ିବାକୁ ଯିବା ସମୟରେ ଗେଟ ଖୋଲିବା ଶବ୍ଦ ଶୁଣି ସେ ବାହାରକୁ ଯାଇ ଦେଖିଲେ,ଏକ ଅପୂର୍ବ ଠାଣିରେ ଦିବ୍ୟାଶା ଗେଟ ଖୋଲି ଭିତରକୁ ଆସୁଛି |ସେ ଦେଇଥିବା ଗୋଲାପୀ ରଙ୍ଗର ଡ୍ରେସ ଦିବ୍ୟାଶା ପିନ୍ଧିଥିଲା ଓ ଶାମ୍ପୂ ଦିଆ  ଲମ୍ବା  କୁଞ୍ଚିତ କେଶରୁ ତାର  ବୁନ୍ଦା ବୁନ୍ଦା ପାଣି ଝରି ପଡୁଥିଲା | 

              ଅନସୂୟା ତା ପାଖକୁ ଯାଇ ତାକୁ ଏକପ୍ରକାର କୋଳେଇ ଭିତରକୁ ନେଇ ଆସିଲେ |ସେ ଜାଣିଥିଲେ,ପଡୋଶୀଙ୍କ ଶାଣିତ ଦୃଷ୍ଟିକୁ ଏଡ଼ାଇବା ପାଇଁ,ଜାଣିଶୁଣି ଅନିଷ ତା ସହିତ ଆସିନି |ସେ ପଚାରିଲେ,ତୁ କିଛି ଖାଇନୁ ନାଁ ?ଦିବ୍ୟାଶା ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ କହିଲା,ନାଁ ଖାଇନି ;ଆପଣ କେମିତି ଜାଣିଲେ ?ଅନସୂୟା ହସିଦେଇ କହିଲେ,ଏଇଥିପାଇଁ ଯେ,ମୁଁ ବି ଏପର୍ଯ୍ୟନ୍ତ ଖାଇନି |ଚାଲ, ସାଙ୍ଗ ହୋଇ ଖାଇଦେବା; ତାପରେ ଯେଉଁ କଥା | (କ୍ରମଶଃ)

            

No comments:

Post a Comment