Monday, January 18, 2021

ଅନନ୍ୟା (ଭାଗ 24)

              ନୂତନ ଚାକିରୀରେ ଯୋଗ ଦେଇ,ଅନିଷ ବହୁତ ଖୁସି ଥିଲା |ଅଫିସରୁ ଫେରିବାପରେ ସେ ଦିବ୍ୟାଶା ଓ ଅନସୂୟାଙ୍କ ସହିତ ପ୍ରତିଦିନ କଥା ହେଉଥିଲା |ପୁଅର ସଫଳତା ପାଇଁ ଉଭୟ ଆଦିକନ୍ଦ ଓ ଅନସୂୟା ବହୁତ ଖୁସି ଥିଲେ |ଇତି ମଧ୍ୟରେ କାର୍ଯ୍ୟାଳୟରେ ଆଦିକନ୍ଦଙ୍କ ଓଜନ ବଢିଯାଇଥିଲା |ଯେଉଁ ଅଫିସରମାନେ ତାଙ୍କ ସହିତ ଦିନେ ଦୂରତା ରକ୍ଷା କରି ଚଳୁଥିଲେ, ସେମାନେ ତାଙ୍କ ସହିତ ଏକାଠି ଚା' ପିଇବାକୁ ଆମନ୍ତ୍ରଣ କଲେ |ଫାଇଲରେ ସେ ଦେଉଥିବା ନୋଟକୁ ପ୍ରାଧାନ୍ୟ ଦିଆ ଯାଉଥିଲା  ଓ ବିଭିନ୍ନ ମିଟିଂରେ ସେ ଦେଉଥିବା ମତାମତକୁ ଗୁରୁତ୍ତ୍ଵ ମଧ୍ୟ ଦିଆ ଯାଉଥିଲା  |ସେ ଯେଉଁଦିନ ଅଫିସରୁ ଫେରି ଖୁସିରେ ଏକଥା ଅନସୂୟାଙ୍କୁ କହିଲେ,ଅନସୂୟା ତତକ୍ଷଣାତ କହିଲେ,ଟିକେ ଜଗି ରଖି ଚଳୁଥିବ ଧନ ,କାରଣ ହଠାତ ମଣିଷର ବ୍ୟବହାରରେ ପରିବର୍ତ୍ତନ ଆସିଲେ,ତାଙ୍କର କିଛି ଗୋପନ ଉଦ୍ଦେଶ୍ୟ ଅଛି ବୋଲି ଜାଣିବ |ଆଦିକନ୍ଦ ବିରକ୍ତ ହୋଇ କହିଲେ,ମତେ ତମେ ସବୁବେଳେ ନେଗେଟିଭ ମାଇଣ୍ଡ ବୋଲି କୁହ,ପ୍ରକୃତରେ ତମର  ନିଜର  ନେଗେଟିଭ ମାଇଣ୍ଡ |ଅନସୂୟା କହିଲେ,ହଉ ଠିକ ଅଛି,ପଛରେ ଚେଙ୍କ ପାଇଲେ,ମୋ କଥା ସତ କି ମିଛ ଜାଣିବ ଯେ !

             ଦିନେ ଅନିଷ ଅନସୂୟାଙ୍କ ସହିତ କଥା ହେଉ ହେଉ କହିଲା,ମମି,ମତେ ଏଇଠି ଜମା ଭଲ ଲାଗୁନି |ଏଠିକାର ଚା' ତମ ସ୍ପେଶାଲ ଚା' ପରି ଟେଷ୍ଟି ନୁହେଁ |ତମ ହାତରନ୍ଧା ରୋଷେଇ,ମଧୁ ଦୋକାନର ବରା,ଆଳୁଚପ,ବିପିନ ମଉସାଙ୍କ ଚିକେନ ରୋଲ ଆଉ ଗୁପ୍ଚୁପ କଥା ସବୁବେଳେ ମନେ ପଡୁଛି |ସବୁଠାରୁ ବେଶି ମୋର ତମକଥା ମନେ ପଡୁଛି |ଭୁବନେଶ୍ୱର କଥା ଭାବି ଭାବି,ଦିନେ ଦିନେ ରାତିରେ ମତେ ନିଦ ହେଉନି |କାଲିଠାରୁ ମତେ ଜ୍ୱର ହୋଇଛି,ମୋ ମୁଣ୍ଡରେ ପାଣିପଟି ଦେବାପାଇଁ ମୋ ପାଖରେ କେହି ନାହାନ୍ତି |ଅନିଷ ଠାରୁ ଏକଥା ଶୁଣି ଅନସୂୟା କାନ୍ଦି ପକେଇଲେ,କହିଲେ,ଡାକ୍ତର ଦେଖେଇ ମେଡ଼ିସିନ ଖାଇଛୁ ବାପା ?ଅନିଷ କହିଲା,ଯେଉଁ ଜ୍ୱର ଔଷଧ ସାଙ୍ଗରେ ଆଣିଥିଲି,ତାକୁ ଖାଇଛି,ଅଧିକା ହେଲେ,ଡାକ୍ତରଙ୍କ ପାଖକୁ ଯିବି |ତମେ ବ୍ୟସ୍ତ ହୁଅନା,ଏତେ ଦୂରରେ ଥାଇ ତମେ ବି କଣ କରି ପାରିବ ? ହଉ ମୁଁ ରହୁଛି,କହି ସେ ଫୋନ କାଟିଦେଲା |

              ଅନସୂୟାଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦିଶୁଥିଲା |କଣ କରିବେ ନ କରିବେ ଭାବି ଭାବି ତାଙ୍କ ମୁଣ୍ଡ କଣ ହୋଇ ଯାଉଥିଲା  |ସେ କେବଳ ଅବିରାମ କାନ୍ଦି ଚାଲିଥିଲେ |ଅଚାନକ ତାଙ୍କ କାନ୍ଦ ବୋବାଳି  ଶୁଣି,ଆଦିକନ୍ଦ ତାଙ୍କ ପାଖକୁ ଆସି ପଚାରିଲେ, କଣ ହେଲା ??କାନ୍ଦୁଛ କାହିଁକି ???ଅନସୂୟା ସେମିତି କାନ୍ଦୁ କାନ୍ଦୁ ଅସ୍ପଷ୍ଟ ଭାଷାରେ ଯାହା କହିଲେ,ସେଥିରୁ ଆଦିକନ୍ଦ ସବୁ ବୁଝିଗଲେ |ସେ କହିଲେ,ନୂଆ ଜାଗାକୁ ଯାଇଛି,ଆଡ଼ଜଷ୍ଟ ହେବାପାଇଁ,ସମୟ ଲାଗିବ |ତମେ ଏମିତି ବ୍ୟସ୍ତ ହେଲେ କେମିତି ହେବ ?କିନ୍ତୁ ଅନସୂୟାଙ୍କ ମାଆ ମନ ବୁଝୁ ନଥିଲା |

                ଦୁଇଘଣ୍ଟା ପରେ ଦିବ୍ୟାଶା ତାଙ୍କୁ ଫୋନ କରି,ଥର ଥର କଣ୍ଠରେ କହିଲା,ଆଣ୍ଟି,ମୁଁ ଘଣ୍ଟାଏ ହେଲାଣି,କଲ କରୁଛି, ସେ ଜମା ଫୋନ ଉଠାଉ ନାହାନ୍ତି |ତା କଥା ଶୁଣି ଭୟରେ ଅନସୂୟାଙ୍କ ଛାତି ଧଡ଼ ଧଡ଼ ହେଲା |ସେ ନିଜକୁ ଯଥା ସମ୍ଭବ ଶାନ୍ତ ରଖି କହିଲେ,ହଉ ତୁ ଫୋନ ରଖ,ମୁଁ ଚେଷ୍ଟା କରୁଛି |ତାପରେ ଅନସୂୟା ଯେତେ ଥର ଫୋନ କଲେ,ପ୍ରତ୍ୟେକ ଥର ନୋ  ରିପ୍ଲାଏ ଆସିଲା |ସେ ଦୌଡ଼ିଯାଇ ଆଦିକନ୍ଦଙ୍କୁ କହିଲେ,ପୁଅ ମୋର ଫୋନ ଉଠାଉ ନାହିଁ,ଦେଖ ତାର କଣ ହେଲା |ଆଉ ତାଙ୍କର ଧୈର୍ଯ୍ୟ ରହିଲା ନାହିଁ,ସେ ପାଗଳୀଙ୍କ ପରି ବାଉଳି ଚାଉଳି ହେବାରେ ଲାଗିଲେ |ଆଦିକନ୍ଦ ନିଜେ ଫୋନ କରି ଦେଖିଲେ,ସତକୁ ସତ ଅନିଷ ଫୋନ ଉଠାଉ ନାହିଁ |ସେ କଣ ଭାବି,ମୋବାଇଲରୁ ଗୋଟିଏ ନମ୍ବର କାଢି,କଲ କଲେ |ସେ ଅନିଷର ରୁମ ମେଟ ଅକ୍ଷୟ ଥିଲା |ସେ କହିଲା,ହଁ ତାର ଜ୍ୱର ଥିଲା,ମେଡ଼ିସିନ ଖାଇବା ପରେ ଟିକେ କମିଥିଲା  |ସେ କାହିଁକି ଫୋନ ଉଠାଉନି,ମୁଁ ଦେଖୁଛି |(କ୍ରମଶଃ)

            

No comments:

Post a Comment