Monday, January 11, 2021

ଅନନ୍ୟା (ଭାଗ 23)

             ଟ୍ରେନ ଆଖି ଆଗରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ସେହି ଦିଗକୁ ଅନସୂୟା ସେମିତି ଲୁହଭରା ଆଖିରେ ଚାହିଁ ରହିଥିଲେ |ଦିବ୍ୟାଶା ହାତର ସ୍ପର୍ଶ ପାଇଁ,ସେ ପ୍ରକୃତିସ୍ଥ ହୋଇ ତା ଆଡକୁ ଚାହିଁଲେ |ତାର ଆଖି ଦୁଇଟି ମଧ୍ୟ ନାଲି ପଡି ଯାଇଥିଲା |ସେ କହିଲା,ଚାଲନ୍ତୁ ଆଣ୍ଟି,ଘରକୁ ଯିବା |ଦିବ୍ୟାଶାକୁ କେତେ କଣ କହିବାକୁ ତାଙ୍କର ଇଛା ହେଉଥିଲା; କିନ୍ତୁ ପାଖରେ ଆଦିକନ୍ଦ ଥିବାରୁ,ସେ କିଛି କହି ପାରିଲେ ନାହିଁ |ସେଠାରେ ଉପସ୍ଥିତ ଥିବା ଅନିଷର ସାଙ୍ଗମାନେ କହିଲେ,ଅଙ୍କଲ,ଆଣ୍ଟି ବ୍ୟସ୍ତ ହୁଅନ୍ତୁ ନାହିଁ,କିଛିଦିନ ପରେ ଆପଣମାନେ ତା ପାଖକୁ ଯାଇ ବୁଲି ଆସିବେ |ଯଦି କହିବେ,ଆମେ ବି ଆପଣମାନଙ୍କ ସହିତ ଯିବୁ |ଆଦିକନ୍ଦ ହସିଦେଇ କହିଲେ,ନାଁ ନାଁ ,ଆମେ କଣ ଛୋଟ ପିଲା ହୋଇଛୁ ?ହଉ ଚାଲ,ସମସ୍ତେ  ଜୁସ ପିଇବା,ତାପରେ ଘରକୁ ଯିବା |କିନ୍ତୁ ଜୁସ ପିଇବାକୁ କେହି ରାଜି ହେଲେନାହିଁ |ସେମାନଙ୍କୁ ବିଦାୟ ଜଣେଇ ସମସ୍ତେ ଚାଲିଗଲେ |ଅଟୋରେ ବସିବା ବେଳକୁ ଅନସୂୟାଙ୍କ ଦୃଷ୍ଟି  ହଠାତ ଦିବ୍ୟାଶା ଉପରେ ପଡିଗଲା |ସେ ବୋଧହୁଏ ତାଙ୍କରି ପାଇଁ ଅପେକ୍ଷା କରିଥିଲା |ଅନସୂୟାଙ୍କ ନଜର ତା ଉପରେ ପଡିବା  କ୍ଷଣି ସେ ମୁଣ୍ଡ ନୁଆଁଇ ନମସ୍କାର କଲା ଓ ହାତ ହଲାଇ ଶେଷ ବିଦାୟ ଜଣାଇଲା |

              ବାଟରେ ଆଦିକନ୍ଦ ପଚାରିଲେ,ଆରେ ସେ ଝିଅଟି ସହିତ ତମର ଏତେ ଘନିଷ୍ଠ ସମ୍ପର୍କ କେମିତି ହେଲା ?ସିଏ ତ ତମକୁ ଜମା ଛାଡୁ ନଥିଲା,କଥା କଣ ?ମୁଁ ତ କିଛି ବୁଝି ପାରୁନି |ଅନସୂୟା କହିଲେ,ବହୁତ କଥା ନକହି ବି ବୁଝା ପଡ଼ିଯାଏ |ଆଦିକନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,ମାନେ ?ଅନସୂୟା କହିଲେ,ମାନେ ହେଉଛି,ତାକୁ ମୁଁ ମୋର ବୋହୁ କରିବାକୁ ମନେ ମନେ ସ୍ଥିର କରିଛି |ଆଦିକନ୍ଦ ବିରକ୍ତ ହୋଇ କହିଲେ,କି ମୁସ୍କିଲ କଥା,ଅନୁକୁ ଏବେ ଜମା ବାଇଶ ବର୍ଷ,ଆଜି ଚାକିରୀ କରିବାକୁ ଗଲା,ଏବେଠାରୁ ତା ପାଇଁ ଝିଅ ଖୋଜି ସାରିଲଣି ?ତମ ମୁଣ୍ଡ ଠିକ ଅଛି ତ ?ଅନସୂୟା କହିଲେ,ତମେ ଜାଣିନ,ଆଗରୁ ବୁକ ନକଲେ,ପଛକୁ ଆଉ ଭଲ ଝିଅ ମିଳିବେ ନାହିଁ |ଆମବେଳେ ଭଲ ପୁଅଟିଏ ଦେଖିଲେ,ଝିଅର ବାପାମାଆ ଆଗପଛ ନ ବିଚାରି ଛଞ୍ଚାଣ ପରି ଝାମ୍ପି ପଡୁଥିଲେ; ଏବେ କିନ୍ତୁ ସମ୍ପୂର୍ଣ୍ଣ ଓଲଟା |ଭଲ ଝିଅଟିଏ ପାଇବା ପାଇଁ,ମୁଣ୍ଡ ବାଡେଇ ବାଡେଇ ପୁଅର ବାପାମାଆଙ୍କ  ମୁଣ୍ଡରେ ଆବୁ ବାହାରି ପଡୁଛି |

              ଆଦିକନ୍ଦ କହିଲେ,ବୁଝିଲ,ଆଜିକାଲି ଦୁନିଆଁ ବଦଳି ଗଲାଣି,ତା ସହିତ ତାଳ ଦେଇ,ପିଲାମାନଙ୍କ ଚରିତ୍ର ବି ବଦଳି ଗଲାଣି |ଏବେ ଯେଉଁଠି ଦେଖିବ,ପୁଅଝିଅ ମାଳ ମାଳ ହୋଇ ଏକାଠି ବୁଲୁଥିବେ |କିନ୍ତୁ ସେମାନଙ୍କ ଭିତରେ ପବିତ୍ର ସମ୍ପର୍କ ନଥିବ |ପାଠ ପଢ଼ୁଥିବା ଯାକେ ଏକାଠି ଥିବେ,ଯେମିତି ପାଠପଢା ସରିଯିବ,ଯିଏ ଯାହା ବାଟରେ ଚାଲିଯିବେ |କେତେଜଣ ବାପାମାଆଙ୍କ ଇଛାରେ ବାହାହେବେ,କେତେଜଣ ପୁରୁଣା ସାଥି ବଦଳେଇ ନୂଆ ସାଥି ବାଛିବେ,ଆଉ କେତେଜଣ ଏମିତି ବାଛୁ ବାଛୁ ଆଉ ବାହା ନହୋଇ ରହିଯିବେ  |ଖୁବ କମ ତାଙ୍କ ଫାର୍ଷ୍ଟ ଲଭ କୁ ବାହା ହୁଅନ୍ତି;ପୁଣି ବାହା ହେଉ ହେଉ ଦିନ କେଇଟାରେ କେତେଜଣଙ୍କର ଡିଭୋର୍ସ ବି ହୋଇଯାଏ |ବୁଝଲ,ଏଇ ରାସ୍ତାରେ ବହୁତ କଣ୍ଟା ;ତମକୁ ସିନା ଖୁସି ଲାଗୁଛି,ମତେ ଭୀଷଣ ଭୟ |ଅନସୂୟା ରାଗିଯାଇ କହିଲେ,ତମର ଏଇ କଥାକୁ ମତେ ଭାରି ଚିଡ଼ି ଲାଗେ ,କେଉଁ କଥାକୁ ଭଲ ମନରେ ଦେଖିବା ତମ ଜନ୍ମ ଜାତକରେ ନାହିଁ | ଭଲଭାବେ ଜାଣିଥା,ମୋ ଆନି ସେମିତିକା ଝିଅ ନୁହେଁ,ସେ କୋଟିକରେ ଗୋଟିଏ |

             ଆଦିକନ୍ଦ କହିଲେ,ଆନି ଆନି ବୋଲି କଣ କହୁଛ ?ତାର ପୂରା ନାଁ କଣ ?ତାଙ୍କ କଥା ଶୁଣି ଅନସୂୟାଙ୍କ ମୁହଁରେ ହସ ଖେଳିଗଲା |ସେ କହିଲେ,ତା ନାଁ ଦିବ୍ୟାଶା ;କିନ୍ତୁ ମୁଁ ତା ନାଁ ଦେଇଛି,'ଅନନ୍ୟା ',ଆଉ ଗେହ୍ଲାରେ ତାକୁ ଡାକେ 'ଆନି' |ତାଙ୍କ ମୁହଁରୁ କଥା ନ ସରୁଣୁ  ମୋବାଇଲ ରିଂ ହେଲା |ଅନସୂୟା  ଫୋନ ଉଠାଇ ଦେଖିଲେ,ଦିବ୍ୟାଶାର ଫୋନ |ସେ ଆଦିକନ୍ଦଙ୍କ ଆଡକୁ ତୀର୍ଯ୍ୟକ ଦୃଷ୍ଟି ନିକ୍ଷେପ କରି,କଅଁଳ ସ୍ୱରରେ କହିଲେ,ହ୍ୟାଲୋ |ସେପଟୁ ଦିବ୍ୟାଶା କହୁଥିଲା,ଆଣ୍ଟି ମୁଁ ପହଞ୍ଚିଗଲି |ଆପଣ ଘରେ ପହଞ୍ଚିଲେ,ମତେ ଜଣେଇବେ |(କ୍ରମଶଃ)  

No comments:

Post a Comment