Sunday, January 10, 2021

ଅନନ୍ୟା (ଭାଗ 22)

         ଭାଲେଣ୍ଟାଇନ ଡେ ଆସିଲା ଓ ଚାଲିଗଲା |କିନ୍ତୁ ସେଦିନ ଦିବ୍ୟାଶାକୁ ଅନିଷ କଣ ଦେଲା,ସେ ବିଷୟ ଗୁପ୍ତ ରହିଗଲା |ଅନସୂୟା ପଚାରିବାରୁ,ସମୟ ଆସିଲେ ସେକଥା କହିବ ବୋଲି ଅନିଷ କହିଲା  |ଅନସୂୟା ମଧ୍ୟ ତାକୁ ସେ ବିଷୟରେ ଆଉ ବାଧ୍ୟ କଲେ ନାହିଁ |ଦିବ୍ୟାଶାର ନଡ଼ିଆ ଭାରି ପ୍ରିୟ ଥିଲା |ସେ ନଡ଼ିଆ ପଡିଥିବା ସବୁ ତରକାରୀ ଓ ପିଠାକୁ ବହୁତ ଭଲ ପାଉଥିଲା |ଅନସୂୟା ଏକଥା ଜାଣିଥିଲେ |ତେଣୁ ପୂଜା ପର୍ବ ଥାଉ ବା ନଥାଉ ଜାଣିଶୁଣି ସେ ନଡ଼ିଆ ପକେଇ ପିଠା ଓ ତରକାରୀ ତିଆରି କରୁଥିଲେ ଓ ତାକୁ ଅନିଷ ହାତରେ ଦିବ୍ୟାଶା ପାଖକୁ ପଠାଉ ଥିଲେ |

          କେତେ ମାନ,ଅଭିମାନ,ଦୁଃଖ ,ସୁଖ  ଓ ଆନନ୍ଦ ଉଲ୍ଲାସରେ  କେମିତି ଦୁଇଟି ବର୍ଷ ବିତିଗଲା,ଆଦୌ ଜଣା ପଡିଲା ନାହିଁ |ଭଲ ନମ୍ବର ରଖି,ଅନିଷ ବି,ଟେକ.ପାଶ କଲା ଓ ପରେ ପରେ ,ପୁନେର ଏକ କମ୍ପାନୀରେ ଚାକିରୀ କରିବା ପାଇଁ ତା ପାଖକୁ  ନିଯୁକ୍ତିପତ୍ର ଆସିଗଲା |ତାର ଏହି କୃତିତ୍ତ୍ୱରେ ସମସ୍ତେ ଖୁସି ଥିଲେହେଁ,ପୁଅ ତାଙ୍କୁ ଛାଡି ଦୂର ସ୍ଥାନକୁ ଚାଲିଯିବ ଭାବି ଅନସୂୟାଙ୍କ ଅନ୍ତର ଦୁଃଖରେ ଫାଟି ପଡୁଥିଲା | 

          ପୁନେ ଯିବାଦିନ ରେଳ ଷ୍ଟେସନରେ ଅନିଷ କୁ ଛାଡିବା ପାଇଁ ଉଭୟ ଆଦିକନ୍ଦ ଓ ଅନସୂୟା ଗଲେ |ସେଠାରେ  ଅପେକ୍ଷା କରିଥିବା ଅନିଷ ର ପ୍ରାୟ କୋଡ଼ିଏରୁ ଉର୍ଦ୍ଧ ସାଙ୍ଗ ଆଦିକନ୍ଦ ଓ ଅନସୂୟାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କରିବା ସଙ୍ଗେ  ସଙ୍ଗେ ଅନିଷକୁ  ଘେରିଯାଇ ଅଭିନନ୍ଦନ ଜଣାଇଲେ |ଅନେକ ରୋକିବା ସତ୍ତ୍ୱେ ଅନସୂୟାଙ୍କ ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା |ଏହି ସମୟରେ ସେ ଅନୁଭବ କଲେ,କେହି ଯେପରି ତାଙ୍କ ପାଦ ଦୁଇଟିକୁ ଜାବୁଡି ଧରିଛି |ସେ ଚମକି ପଡି ଚାହିଁ ଦେଖିଲେ,ଦିବ୍ୟାଶା,ଶ୍ଵେତା ଓ ତାର ଆଉ ଦୁଇଜଣ ସାଙ୍ଗ ତାଙ୍କୁ ମୁଣ୍ଡିଆ ମାରୁଛନ୍ତି |ସେ ସେମାନଙ୍କୁ କୋଳେଇ ନେଇ, ଠାରି ଦେବାରୁ,ସେମାନେ ଆଦିକନ୍ଦଙ୍କୁ ମଧ୍ୟ ଭୂମିଷ୍ଠ ପ୍ରଣାମ କଲେ |ସେମାନଙ୍କୁ ଦେଖି,ଆଦିକନ୍ଦ ତଟସ୍ଥ ହୋଇ ଯାଉଥିଲେ |ସେ କିଛି ପଚାରିବା  ପୂର୍ବରୁ ଅନସୂୟା ସେମାନଙ୍କ ପରିଚୟ ଦେଇ କହିଲେ,ଇଏ  ଆନି,ଇଏ ଶ୍ଵେତା ଆଉ ଏଇ ଦୁଇଜଣ ହେଲେ ...'ଇତି ଓ ଶୁଭ୍ରା',ତାଙ୍କ ପାଟିରୁ କଥା ଛଡେଇ ଶ୍ଵେତା କହିଲା |ଶ୍ଵେତା ପାଟିରୁ କଥା ନ ସରୁଣୁ,ବିକଟ ଶବ୍ଦ କରି ଟ୍ରେନ ଆସି ପହଞ୍ଚିଗଲା ଓ ଟ୍ରେନ ଭିତରକୁ ଯିବାପାଇଁ ଉପସ୍ଥିତ ଯାତ୍ରୀଙ୍କ ମଧ୍ୟରେ  ଧାଁ ଧପଡ଼ ଲାଗିଗଲା | ଅନିଷ  କହିଲା,ମମି, ବାବା,ମୁଁ ଯାଉଛି,ତୁମେମାନେ ଦେହର ଯତ୍ନ ନେବ,ଯାହା କିଛି ହେଲେ ମତେ ଜଣେଇବ |ଅନସୂୟା ଆଉ ନିଜକୁ ରୋକି ନପାରି ତାକୁ କୁଣ୍ଢେଇ  ପକେଇ ଭୋ କିନା କାନ୍ଦି ଉଠିଲେ |ଆଦିକନ୍ଦ କହିଲେ,ପୁଅ ଏତେ ଦୂରକୁ ପ୍ରଥମଥର ପାଇଁ  ଯାଉଛି,ଏମିତି କନ୍ଦାକଟା କଲେ ତା ଅବସ୍ଥା କଣ ହେବ,ଚିନ୍ତା କରିଛ ?ଅନସୂୟା କାନ୍ଦୁ କାନ୍ଦୁ କହିଲେ,ମୁଁ ହେଲେ ତା ସାଙ୍ଗରେ ଯାଇଥାନ୍ତି,ପୁଅ ମୋର  ଅଜଣା ସହରରେ କେମିତି ଏକୁଟିଆ ଚଳିବ !1ଅନିଷ କହିଲା,ମୋ ସାଙ୍ଗମାନେ ସେଇଠି ଅଛନ୍ତି,କିଛି ଅସୁବିଧା ହେବନି ମମି ,ତମେ ଜମା ବ୍ୟସ୍ତ ହୁଅନା |ସେ ଅନସୂୟାଙ୍କ କାନ୍ଧରେ ହାତ ରଖି ତାଙ୍କୁ କିଛି ଦୂରକୁ ନେଇଯାଇ କହିଲା,ମୋ ଦେବୁ ତମକୁ ଲାଗିଲା ମମି ...ଏତିକି କହୁ କହୁ ତାର ଆଖିରେ ଲୁହ ଜକେଇ ଆସିଲା |ସେ ମୁହଁ ବୁଲେଇ ନିଗିଡି ଆସୁଥିବା ଲୁହଧାରାକୁ ପୋଛିଦେଲା ଓ ଦୁଇଜଣଙ୍କ ପାଦ ଛୁଇଁ  ପ୍ରଣାମ କରି ଟ୍ରେନ ଭିତରକୁ ପଶିଗଲା |(କ୍ରମଶଃ)

No comments:

Post a Comment