Friday, January 8, 2021

ଅନନ୍ୟା (ଭାଗ 21)

         ସନ୍ଧ୍ୟାବେଳେ ଘରେ ପହଞ୍ଚି, ଆଦିକନ୍ଦ ଅନସୂୟାଙ୍କୁ ପଚାରିଲେ,ଅନୁ କାହିଁ ?କୋଉଠି  ଦେଖା ଯାଉନି ତ ?ତାକୁ କେଉଁଠିକି ପଠେଇଛ ??ଅନସୂୟା କହିଲେ,ସେ ଶୋଇଛି |ହଠାତ ଘରେ ପଶୁ ପଶୁ  ତାକୁ ଖୋଜୁଛ,କଥା କଣ ?ଆଦିକନ୍ଦ ତାଙ୍କ ପ୍ରଶ୍ନ ଆଡେଇ ଯାଇ କହିଲେ,ସନ୍ଧ୍ୟାବେଳେ ଶୋଇଛି କଣ ?ତାକୁ ଉଠେଇ ଦିଅ |ଅନସୂୟା କହିଲେ,ହଁ ସେ ଏଇନା ଉଠିଯିବ,ତମେ ଆଗ ଧୋଇ ଧାଇ ହୋଇ ତମ କାମ ସାର, ଦିନସାରା ତା କଥା ଭାବୁଥିଲ ନାଁ କଣ ?

         ଆଦିକନ୍ଦ ଗାଧୋଇ ଆସି ଅନସୂୟାଙ୍କୁ କହିଲେ,ଅଦା,ଗୋଲମରିଚ ପକେଇ କଡା ନାଲି ଚା' କପେ ଦେଲ,ମୁଣ୍ଡ ଭୀଷଣ ବିନ୍ଧୁଛି |ଏଇ ପିକନିକ ଫିକନିକ କାମ ମୋ ଦ୍ୱାରା ହେବନି ବୋଲି ଯେତେ କହିଲେ ବି,ସେମାନେ କଣ ଶୁଣିଲେ ?କଣ ନାଁ ପ୍ରମୋଶନକୁ ସେମାନେ ଭଲରେ ସେଲିବ୍ରେଟ କରିବେ |ଅଫିସରେ ଏତେ ଲୋକ ପ୍ରମୋଶନ ପାଇଲେ,ଏକା  ମୋରି ବେଳକୁ ଏତେ ତାମସା !!ଅନସୂୟା ତାଙ୍କୁ ଚା' ଦେବାପରେ ସେ ପୁଣି କହିଲେ,ମୋ ପାଇଁ ରୋଷେଇ କରିବନି; ମୋ ଦେହ ଭଲ ଲାଗୁନି,ମୁଁ ଆଜି ରାତିରେ କିଛି ଖାଇବିନି |

         ଦୁଇକପ  ଚା' ପିଇସାରି ନିଜ କ୍ଲାନ୍ତ ଶରୀରକୁ ବିଛଣାରେ ଲୋଟାଇ ଦେଇ ଆଦିକନ୍ଦ କହିଲେ,ଜାଣିଛ,ଆମ ଅଫିସ ର  ସୁଧୀର ବାବୁ କହୁଥିଲେ,ଆଜି ଆମ ଅନୁ କାଳେ ତା ବାଇକ ପଛରେ ଗୋଟେ  ଝିଅକୁ ବସେଇ କୁଆଡେ ଯାଉଥିଲା  |ତାଙ୍କ ପାଟିରୁ କଥା ନ ସରୁଣୁ,ଅନସୂୟା ଚିହିଁକି ଉଠି କହିଲେ,କିଏ ମ ଏଡେ  ସତିଆ !ଦିନସାରା ପୁଅ ମୋର ଘରେ ବସିଛି,ମିଛ କଥା କହିବାକୁ ତାଙ୍କୁ ଆଉ ଲୋକ ମିଳିଳେଣି ନାଁ କଣ ?ଆଦିକନ୍ଦ କହିଲେ,ହଉ ଛାଡ଼ ସେକଥା, ମୁଁ ଏବେ ଶୋଉଛି,ଆଉ ମତେ ଉଠେଇବ ନାହିଁ ; ଗଲାବେଳେ ଲାଇଟ ଅଫ କରିଦେବ |

           ଅନସୂୟା ଜାଣିଲେ,ପୁଅ ନାଆଁରେ ଅପବାଦ ଶୁଣି ଆଦିକନ୍ଦଙ୍କୁ ଭଲ ଲାଗିନି |କିନ୍ତୁ ସିଏ ବା କଣ କରି ପାରିବେ ?ମିଛ କହିବା ଛଡା ତାଙ୍କର ଆଉ ଦ୍ଵିତୀୟ ପନ୍ଥା ନଥିଲା  |ସେ ଲାଇଟ ଅଫ କରି ଆସ୍ତେ କରି କବାଟ ଆଉଜେଇ ଦେଇ ଚାଲି ଆସିଲେ |ରୋଷେଇଘରକୁ ଆସି,ନିଜ ପାଇଁ କପରେ ଚା' ଢ଼ାଳିଲା ବେଳକୁ ଅନିଷ ଆସି କହିଲା,ମତେ ବି କପେ ଚା' ଦିଅ ମମି |ଅନସୂୟା ତା ପାଇଁ ଆଉ ଗୋଟିଏ କପରେ ଚା' ଢାଳି କହିଲେ,ତୁ କେତେବେଳେ ଉଠିଲୁ ?ଅନିଷ ମୃଦୁ ହସି କହିଲା,ମୁଁ ଶୋଇ ନଥିଲି,ଏମିତି ଟିକେ ଗଡ଼ପଡ଼ ହେଉଥିଲି |କିଛି ସମୟ ପରେ ସେ କଅଁଳ ସ୍ୱରରେ କହିଲା,ମମି,ମୋ ପାଇଁ ତମକୁ ମିଛ କହିବାକୁ ପଡୁଛି  ନାଁ ?ଅନସୂୟା ବିରସ ମନରେ କହିଲେ,ହଁ,କଣ କରିବା  |ଅନିଷ କହିଲା,କିନ୍ତୁ ଦିନେ ନାଁ ଦିନେ ବାବା ସତକଥା ଜାଣିବେ,ସେତେବେଳେ କଣ କରିବ ?ଅନସୂୟା ବିରକ୍ତ ହୋଇ କହିଲେ,ସେତେବେଳେ ଛେନା ଗୁଡ଼ କରିବି; ତୋର ଏତେ ମୁଣ୍ଡ ଖେଳେଇବା  ଦରକାର ନାହିଁ ; ପାଠ ପଢି ଭଲ ନମ୍ବର ଆଣି ଚାକିରୀ କର, ତାପରେ ଦେଖିବା କଣ ହେଉଛି |ଅନିଷ ହସି ଦେଇ କହିଲା,ଓ.କେ.ମମ |

               ଅନସୂୟାଙ୍କୁ ଦେଇଥିବା କଥା ରକ୍ଷା କରି,ଅନିଷ ମନୋଯୋଗ ଦେଇ ଅଧିକ ରାତି ପର୍ଯ୍ୟନ୍ତ ପଢୁଥିଲା |ଦିନେ ସେ ଅନସୂୟାଙ୍କୁ କହିଲା,ମମି,ତମେ ଦେଇଥିବା ପକେଟ ମନି ରୁ ମୁଁ କିଛି,ସେଭ କରିଛି,ତମେ ଯଦି ମତେ ଆଉ କିଛି ସାହାଯ୍ୟ କରନ୍ତ,ତାହେଲେ  ଆନିକୁ ଭାଲେଣ୍ଟାଇନ ଡେ ରେ କିଛି ପ୍ରେଜେଣ୍ଟ କରନ୍ତି |ଅନସୂୟା ପଚାରିଲେ,କଣ ଏମିତି ଗିଫ୍ଟ ଦେବୁ ଯେ ମତେ ମାଗିବା ପର୍ଯ୍ୟନ୍ତ କଥା ଗଲା ?ଅନିଷ କହିଲା,କହିବି ମମି,ମୋ ସୁନା ମମିଙ୍କୁ କହିବିନି ତ ଆଉ କାହାକୁ କହିବି?କିନ୍ତୁ ଏବେ ନୁହେଁ |ଅନସୂୟା କହିଲେ,ଠିକ ଅଛି,କେତେ ଦେଲେ ଚଳିବ ?ଅନିଷ କୁଣ୍ଠିତ ସ୍ୱରରେ କହିଲା,ଦୁଇ ହଜାର ଟଙ୍କା |ଅନସୂୟା ତାକୁ ଚାହିଁଲେ ;କଣ ଭାବି କହିଲେ,ହଉ ଦେବି ,କିନ୍ତୁ ଆର ସପ୍ତାହରେ |ତାଙ୍କ ଉତ୍ତର ଶୁଣି ଅନିଷ ଖୁସି ହୋଇ କହିଲା,ଥ୍ୟାଙ୍କ ୟୁ ମମି |(କ୍ରମଶଃ)

          

No comments:

Post a Comment