Saturday, October 29, 2022

ଅଭଙ୍ଗା କଣ୍ଢେଇ (ଭାଗ 27)

                  ବସୁଧା ଦୁଇଟି ପ୍ଲେଟରେ ଖାଇବା  ଆଣୁଥିବାର ଦେଖି ଅକ୍ଷର କହିଲା,ତମେ ଏପର୍ଯ୍ୟନ୍ତ କାହିଁକି ଖାଇ ନଥିଲ ?ବସୁଧା କହିଲା,ମୋ ମନ ଯାହା ହେଉଛି ନା,ଖାଇବା କଥା ଛାଡ଼,ପାଣି ପିଇବାକୁ ବି ଇଚ୍ଛା ହେଉନି  |ତମେ ଯଦି ଖାଇ ସାରିଥାଆନ୍ତ ,ତାହାଲେ ମୁଁ ,ଖାଇ ସାରିଛି ବୋଲି ତମକୁ ମିଛ କହିଥାନ୍ତି |କିନ୍ତୁ  ତମେ ନଖାଇବା କଥା ଶୁଣି ମୋର ଖାଇବାକୁ ମନ ହେଲା,ସେଥିପାଇଁ  ଦୁଇଜଣଙ୍କ ପାଇଁ ନେଇ ଆସିଲି  |ଅକ୍ଷର କହିଲା,ହଉ,ଜୀବନ ବଞ୍ଚେଇବା ପାଇଁ ଟିକେ ଟିକେ ଖାଇଦେବା,କଣ କରିବା ?

               କିନ୍ତୁ ଦୁଇଜଣଙ୍କ ପାଇଁ ବସୁଧା ଯେତିକି ଖାଦ୍ୟ ଆଣିଥିଲା,ତାର ଅଧା ମଧ୍ୟ ଦୁହେଁ ଖାଇ ପାରିଲେ ନାହିଁ |ବସୁଧା ବଳି ପଡିଥିବା ଖାଦ୍ୟ ଟିଫିନରେ ରଖି, ଦୁଇଗ୍ଲାସ ପାଣି ପିଇ ଶୋଇପଡ଼ିଲା |ସବୁଦିନ ଖାଇ ସାରିବାପରେ ସେ ସାଙ୍ଗେ ସାଙ୍ଗେ ବାସନ ମାଜି ରୋଷେଇଘର ସଫା ସୁତୁରା କରିବା ପରେ ଅନ୍ୟ କାମରେ ହାତ ଦିଏ  |ସେଦିନ କିନ୍ତୁ ତାର ହାତରେ କାମ ଲାଗୁନଥିଲା  |ଅକ୍ଷର ଖାଇ ସାରିବାପରେ ସୋଫାରେ ବସି ଟିଭି ଦେଖୁ ଦେଖୁ ନିଘୋଡ଼ ନିଦରେ ଶୋଇ ପଡିଲା |

             ବସୁଧାର ନିଦ ଭାଙ୍ଗିବା ବେଳକୁ ସନ୍ଧ୍ୟା ଆଗତ ପ୍ରାୟ |ସେ ତର ତର ହୋଇ ଉଠି ପ୍ରଥମେ ରୋଷେଇଘରକୁ ଯାଇ ବଳିଥିବା ଖାଦ୍ୟକୁ ଫ୍ରିଜରେ ରଖିଲା ଓ  ସବୁ ବାସନ ମାଜି ରୋଷେଇଘର ପୋଛି ପରିଷ୍କାର କରିଦେଲା |ତାପରେ ଧୂପ ଦେଇ ଚା ତିଆରି କରି ଅକ୍ଷରକୁ ଉଠାଇଲା |ଅକ୍ଷର ପରେ ଚା ପିଇବ କହି ପୁଣି ଶୋଇ ପଡିଲା |ଏକୁଟିଆ ଚା ପିଇବାକୁ ବସୁଧାର ଇଚ୍ଛା ହେଲାନାହିଁ |ସେ ତିଆରି କରିଥିବା ଚା' ଫ୍ଲାସ୍କରେ ରଖି ପୁଣି ବିଛଣାରେ ତାର ଅବଶ ଶରୀରକୁ ଲୋଟାଇ ଦେଲା |ତାର ଆଖି ଟିକେ ଲାଗି ଆସିବା ବେଳକୁ ଘନ ଘନ କଲିଂ ବେଲ ଶବ୍ଦ ଶୁଣି ସେ ଚମକି ପଡି ଉଠି ବସିଲା ଓ  ଦୌଡ଼ି ଯାଇ କବାଟ ଖୋଲିଦେଲା |ତାକୁ ଆଶ୍ଚର୍ଯ୍ୟ ଚକିତ କରି ବାହାରେ କାଞ୍ଚନ ଓ ବିପ୍ଳବ ଛିଡା ହୋଇଥିଲେ |ସେ  ସେମାନଙ୍କୁ ଘର ଭିତରକୁ ଆସିବାକୁ କହି, ଭୂମିଷ୍ଠ ପ୍ରଣାମ କଲା  |କଲିଂ ବେଲ  ଶବ୍ଦ ଶୁଣି ଅକ୍ଷର ମଧ୍ୟ ଉଠି ପଡିଲା ଓ ସମ୍ମୁଖରେ ଅଚାନକ ସେମାନଙ୍କୁ ଦେଖି  ଶଙ୍କିତ ହୋଇ ପଚାରିଲା ,କଣ ହେଲା ଭାଇ ?ବୋଉ ବି ଆସିଛି,କଥା କଣ ?ବିପ୍ଳବ କହିଲା,ଆମକୁ ବସିବାକୁ କହିବୁ ନା ଏମିତି ପ୍ରଶ୍ନ ପଚାରି ଚାଲିଥିବୁ ?ଅକ୍ଷର ଲଜ୍ଜିତ ହୋଇ କହିଲା,  ବଦଳି ଅର୍ଡର ପାଇବା ପରଠାରୁ ମୋର ମୁଣ୍ଡ କାମ କରୁନି,ମତେ କ୍ଷମା କରିଦେବ |ଏହା କହି ସେ ଦୁଇଜଣଙ୍କୁ ନେଇ ସୋଫାରେ ବସାଇ ପଚାରିଲା,ବୋଉ,ଚା ପିଇବୁ ?କାଞ୍ଚନ ମୁଣ୍ଡ ହଲାଇ ନାହିଁ କରି ତାଙ୍କ ବ୍ୟାଗରୁ ଏକ କାଗଜ କାଢି ଅକ୍ଷରକୁ ଦେଇ କହିଲେ,ନେ ୟାକୁ ପଢ଼ |ଅକ୍ଷର ହାତ ପଛକୁ କରି କହିଲା,କଣ ନକହିଲେ ମୁଁ ନେବିନି |କାଞ୍ଚନ ବିରକ୍ତ ହୋଇ କହିଲେ,ତୁ ଆଗେ ପଢ଼,ୟା ଭିତରେ ବାଘ ଭାଲୁ କିଛି ନାହିଁ |ଈଶ୍ୱରଙ୍କୁ ସ୍ମରଣ କରି କାଗଜଟି କାଞ୍ଚନଙ୍କ ହାତରୁ ନେଇ ସେ ଖୋଲି ପଢିଲା |କାର୍ଯ୍ୟାଳୟ ଆଦେଶ ଅନୁସାରେ ଅନ୍ୟାଦେଶ ପର୍ଯ୍ୟନ୍ତ ତାର ଟ୍ରାନ୍ସ୍ଫର ଅର୍ଡର ବାତିଲ ହୋଇଥିବା କଥା ସେଥିରେ ଲେଖାଥିଲା |ସେ ଖୁସିରେ ଡେଇଁପଡ଼ି କାଞ୍ଚନଙ୍କୁ କୁଣ୍ଢେଇ ପକାଇ କହିଲା,ବସୁ ଦୌଡ଼ି ଆସ,ଦେଖ ବୋଉ ଆମପାଇଁ କଣ ସପ୍ରାଇଜ ଆଣିଛି |ରୋଷେଇଘରେ ଚା ତିଆରି କରୁଥିବା ବସୁଧା ଅକ୍ଷର କଥା ଶୁଣି ଦୌଡ଼ି ଆସିଲା |ଅକ୍ଷର ତା ହାତକୁ ବାତିଲ ଆଦେଶନାମା ବଢ଼େଇ  କାଞ୍ଚନଙ୍କ ପାଦତଳେ ଲମ୍ବା ହୋଇ ଶୋଇ ପଡିଲା ଓ  ତାଙ୍କ ଦୁଇ ପାଦକୁ ଜାବୁଡି ଧରି ବାରମ୍ବାର ମୁଣ୍ଡିଆ ମାରି ଚାଲିଲା  | ବସୁଧା  ଅଫିସ ଆଦେଶନାମା ପଢିବା ପରେ ,ତାର ମଧ୍ୟ ଆନନ୍ଦର ସୀମା ରହିଲା ନାହିଁ |ସେ  ଅକ୍ଷର ସହିତ ତାଳ ଦେଇ, କାଞ୍ଚନଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କରୀ କହିଲା,ବୋଉ,ଆପଣଙ୍କୁ ଆମର କୋଟି କୋଟି ପ୍ରଣାମ  |ଏହି ଅଭୂତପୂର୍ବ ଘଟଣାକ୍ରମରେ ଆଖିରୁ ତାର  ଅନର୍ଗଳ ଆନନ୍ଦାଶୃ ଝରି ଯାଉଥିଲା |କାଞ୍ଚନ କହିଲେ,ଆଉ ଯାତ୍ରା କରନି,ଉଠ ,ଚା ସିଆଡେ ପୋଡି ଯିବଣି |ତାଙ୍କ କଥା ଶୁଣି ବସୁଧା ଧଡପଡ ହୋଇ ଉଠି ପଡିଲା ଓ କହିଲା,ବୋଉ ଆଜି ରହିଯାଆନ୍ତୁ |ତା କଥା ଶୁଣି କାଞ୍ଚନ କହିଲେ,ସେମିତି କହିଲେ,ମୁଁ ଏଇ ସାଙ୍ଗେ ସାଙ୍ଗେ ଚାଲିଯିବି |ବସୁଧା ହାତଯୋଡ଼ି କହିଲା,ଭୁଲ ହୋଇଗଲା,ଆଉ କହିବିନି,ମୁଁ  ଆସୁଛି |ଏହା  କହି ସେ ରୋଷେଇଘରକୁ ଗଲା ଓ ପୂର୍ବରୁ ତିଆରି କରିଥିବା ଚା ଏକାଠି ମିଶାଇ ସମାନ କରି ଚାରିଟି କପରେ ଛାଣିଦେଲା |ନିଜ କପଟି  ରଖି ବିସ୍କୁଟ ସହିତ ବାକି ତିନିଟି କପ ସେମାନଙ୍କୁ ଦେଇ ଆସି ଯୁଦ୍ଧକାଳୀନ ଭିତ୍ତିରେ  ସମସ୍ତଙ୍କ ପାଇଁ ରୋଷେଇ ଆରମ୍ଭ କଲା |

             ଚା ପିଉ ପିଉ କାଞ୍ଚନ କହିଲେ,ଆମର ଡେରି ହୋଇଯିବ,ଡ୍ରାଇଭର ଆସିବାକୁ ରାଜି ହେଉ ନଥିଲା |ତାକୁ ଆଜି ଫେରିବାର ପ୍ରତିଶୃତି ଦେଇ ବହୁତ କଷ୍ଟରେ ଆଣିଛୁ |ଡ୍ରାଇଭର  କଥା ଶୁଣି ଅକ୍ଷର ବସୁଧା ପାଖକୁ ଯାଇ ପଚାରିଲା,ବସୁ,ଆଉ ଚା ଅଛି ?ଡ୍ରାଇଭର କଥା ମୋର ମନେ ନଥିଲା |ବସୁଧା ତା ପାଇଁ ରଖିଥିବା ଚା କପ ଅକ୍ଷରକୁ ଦେଇ କହିଲା,ୟାକୁ ଦେଇଦିଅ,ମୁଁ ପରେ ମୋ ପାଇଁ ବନେଇ ଦେବି |ହଉ କହି ଅକ୍ଷର ଚା କପ ନେଇ ଚାଲିଗଲା |ଗୋଟିଏ  ମିନିଟ ପରେ ଫେରିଆସି ନିଜ କପରୁ ଅଧା ଚା ବସୁଧାକୁ ଦେଇ କହିଲା,ୟାକୁ ପିଇଦିଅ | 

              ବିପ୍ଳବ କହିଲା,ଆମର ଡେରି ହୋଇଯିବ,ଯେତେ ଶୀଘ୍ର ଆମେ ଏଠାରୁ ବାହାରିବୁ,ଆମପାଇଁ ସେତେ ଭଲ |ଅକ୍ଷର    କହିଲା,ହଉ ଯିବ ତ,ମତେ ଆଗେ କୁହ,ଏତେ ବଡ଼ ଅସମ୍ଭବକୁ  କେମିତି ସମ୍ଭବ କରିପାରିଲ ? ବିପ୍ଳବ କହିଲା,ବସୁ ଯେତେବେଳେ ବୋଉକୁ ଫୋନ କରିଥିଲା,ସେଇ ଫୋନ ଖୁଡି ଉଠାଇଥିଲେ |ତୋର କୋରାପୁଟ  ବଦଳି ହୋଇଥିବା ଖବର ଶୁଣି ସେ  ଭାରି ବ୍ୟସ୍ତ ହେଲେ ଓ ସେଇକ୍ଷଣି  ଭୁବନେଶ୍ୱର ଆସିବା ପାଇଁ ଜିଦ୍ଦି କଲେ |ଅଫିସରେ ଆମ କଥା କେହି ଶୁଣିବେ ନାହିଁ ବୋଲି ଆମେ ଜାଣିଥିଲୁ |ତେଣୁ ସିଧା ଆମେ ସେକ୍ରେଟେରୀଙ୍କୁ ଭେଟି  ତାଙ୍କୁ ସବୁକଥା କହିଲୁ |ଖୁଡି ତାଙ୍କର ସବୁ ଔଷଧ ପ୍ରେସକ୍ରିପସନ,ବିଲ ଇତ୍ୟାଦି ଦେଖାଇ ପୁଅ ଚାଲିଗଲେ ସେ କେମିତି ଅସହାୟ ହୋଇ ପଡିବେ,ସେକଥା କାନ୍ଦି କାନ୍ଦି ତାଙ୍କୁ କହିଲେ |ସେକ୍ରେଟେରୀ ଅତ୍ୟନ୍ତ ବିଜ୍ଞ,ସତ୍ୟନିଷ୍ଠ ଓ ଦୟାଳୁ ବ୍ୟକ୍ତି ବୋଲି ଆମେ ତାଙ୍କର ବ୍ୟବହାରରୁ ଜାଣିପାରିଲୁ | ସେ ନିମିଷକେ ସବୁକଥା ବୁଝିପାରି ଆମକୁ ଆଶ୍ୱାସନା ଦେଇ ବାହାରେ ଅପେକ୍ଷା କରିବାକୁ କହିଲେ |କିଛି ସମୟ ପରେ ସେ ଆମକୁ ଡାକି ତୁମ ନିର୍ଦ୍ଦେଶକଙ୍କୁ ଦେଖା କରିବାକୁ କହିଲେ |ଆମେ ତୋ ଅଫିସରେ ପହଞ୍ଚିବା ବେଳକୁ ତୁ ଘରକୁ ଚାଲିଆସିଥିଲୁ |ନିର୍ଦ୍ଦେଶକଙ୍କୁ ଭେଟିବାରୁ ସେ  ଆମକୁ ଅପେକ୍ଷା କରିବାକୁ କହିଲେ ଓ  ତାଙ୍କ ପି.ଏ ଙ୍କ  ଦ୍ୱାରା ବଦଳି ବାତିଲ ଆଦେଶ ଈଶୁ କରି ଆମ ହାତରେ ଧରାଇଦେଲେ |ବିପ୍ଳବ ବନେଇ ଚୁନେଇ ବିସ୍ତୃତ ଭାବରେ ତାଙ୍କର ବିଜୟ କାହାଣୀ ବ୍ୟାଖ୍ୟା କରୁଥିଲା |ସେ ଯେଉଁଠି ଛାଡି ଯାଉଥିଲା,କାଞ୍ଚନ ତାକୁ ମନେ ପକାଇ ଦେଉଥିଲେ |ସେମାନଙ୍କ ଗପ ସରି ନଥିବା ବେଳେ ବସୁଧା କାଞ୍ଚନ,ବିପ୍ଳବ ଓ ଡ୍ରାଇଭରଙ୍କ ପାଇଁ ଡାଇନିଂ ଟେବଲରେ ଖାଇବା ବାଢ଼ିଦେଲା |ଅକ୍ଷର ନେହୁରା ହୋଇ କହିଲା,ବୋଉ ତୋ ଗୋଡତଳେ ପଡୁଛି,ଟିକେ କଣ ଖାଇଦେଇ ଯାଆ |ବିପ୍ଳବ କହିଲା,ହଁ ଖୁଡି ଆମେ ଖାଇଦେଇ ଯିବା,ବିଚରା ଡ୍ରାଇଭର କେତେବେଳୁ ଆସିଲାଣି,ସିଏ ବି ଆମ ସାଙ୍ଗରେ ଉପାସ ଅଛି |କାଞ୍ଚନ ଆଉ ମନା କଲେ ନାହିଁ |ବସୁଧା ରୁଟି ଡାଲମା ସହିତ ଭଜା ତିଆରି କରିଥିଲା |ତିନିଜଣ ଖୁସିରେ ପେଟପୁରା ଖାଇଲେ |ବିପ୍ଳବ କହିଲା,ଯାହା କୁହ ପଛକେ,ଖାନା ଏକଦମ ଅମୃତ ପରି ଲାଗୁଛି |ତା କଥାକୁ ଡ୍ରାଇଭର ମୁଣ୍ଡ ହଲାଇ ସମର୍ଥନ କରିବାର ଦେଖି କାଞ୍ଚନ ହସିଦେଲେ |

             ସେମାନେ ଖାଇସାରି ବାହାରିବା ବେଳକୁ ରାତି ଦଶଟା ପାଖାପାଖି ହୋଇ ଯାଇଥିଲା |ସମସ୍ତେ ଗାଡ଼ିରେ ବସିବା ବେଳକୁ ବସୁଧାର କଣ ମନେ ପଡିଯିବାରୁ ସେ ଡ୍ରାଇଭରକୁ କହିଲା,ଗୋଟିଏ ମିନିଟ ରୁହନ୍ତୁ,ମୁଁ ସାଙ୍ଗେ ସାଙ୍ଗେ ଆସୁଛି |ଏହାକହି ସେ ଭିତରକୁ ଦୌଡ଼ି ଯାଇ ଦଶହରା ଉପଲକ୍ଷେ ସେମାନଙ୍କ ପାଇଁ କିଣିଥିବା ଲୁଗାପଟା ଆଣି କାଞ୍ଚନଙ୍କୁ ଦେଇ କହିଲା,ବୋଉ,ଏସବୁ ଦଶହରା ପାଇଁ |ଏଥିରେ ଥିବା ଘନନୀଳ ରଙ୍ଗର ଶାଢ଼ୀ ଟି  ଆପଣଙ୍କର | ବାଇକରେ ଏତେ ଗୁଡ଼ା ଜିନିଷ ନେବାପାଇଁ ଅସୁବିଧା ହେବ,ଗାଡି ଯାଉଛି ତ ସେଥିପାଇଁ ଦେଇଦେଲି | କାଞ୍ଚନ କିଛି କହିବା ପୂର୍ବରୁ ବିପ୍ଳବ କହିଲା,ହଉ ଠିକ ଅଛି |ଏଥର ଆମେ ଆସୁଛୁ ,ବହୁତ ଡେରି ହେଲାଣି |(କ୍ରମଶଃ)

             

Friday, October 28, 2022

ଅଭଙ୍ଗା କଣ୍ଢେଇ (ଭାଗ 26)

             ଅକ୍ଷରର କୋରାପୁଟ ବଦଳି ହୋଇଯିବା କଥା ଶୁଣି ବସୁଧାର ସବୁ ସୁଖ ସ୍ୱପ୍ନ କ୍ଷଣକେ ଯେପରି ଭାଙ୍ଗି ଚୁରମାର ହୋଇଗଲା |ଯେତେ  ଖରାପ ପରିସ୍ଥିତି ଆସୁନା କାହିଁକି ,ଆମେ ଦୃଢତାର ସହ ତାର ମୁକାବିଲା କରିବା କଥା ଆଗରୁ ସେ ଯେତିକି  ଦମ୍ଭରେ କହୁଥିଲା , ସେ ସବୁ  କୁଆଡେ ଉଭେଇ ଯାଇଥିଲା | ସେ କାନ୍ଦି କାନ୍ଦି ବଡ଼ବୋଉଙ୍କୁ   ଫୋନ କଲା |କିନ୍ତୁ ଫୋନ ନୋ ରିପ୍ଲାଏ ଆସିଲା | ସେ ବ୍ୟସ୍ତ ହୋଇ ସେମିତି  ଲଗାତାର ଫୋନ କରି ଚାଲିଥିଲା |ସେତେବେଳେ ଉଭୟ ସୁବାସିନୀ ଓ ଦୀପା ବାହାରେ କାର୍ଯ୍ୟବ୍ୟସ୍ତ ଥିଲେ |ବାରମ୍ବାର ଫୋନ ଆସିବାର ଦେଖି ଘରେ ଥିବା କାଞ୍ଚନ ଚଞ୍ଚଳ ପଦକ୍ଷେପରେ ଆସି ଫୋନ ଉଠାଇ ହ୍ୟାଲୋ କହିବା ମାତ୍ରେ ସେପଟୁ ବସୁଧାର କାନ୍ଦୁରା ସ୍ୱର ଶୁଭିଲା,ସେ କହୁଥିଲା,ବଡ଼ବୋଉ,ୟାଙ୍କର କୋରାପୁଟ ବଦଳି ହୋଇ ଯାଇଛି |ଆଗକୁ ଆଉ କିଛି କହି ନପାରି ସେ କେବଳ କାନ୍ଦି ଚାଲିଥିଲା |ସେତେବେଳେ ସେଠାକୁ ସୁବାସିନୀ ଆସି ପଚାରିଲେ,କିଏ ଫୋନ କରିଛି ? କାଞ୍ଚନ କିଛି ନକହି ତାଙ୍କ ହାତକୁ ମୋବାଇଲ ବଢ଼େଇ ଦେଲେ   |କିନ୍ତୁ ସୁବାସିନୀ ଯେତେ ପ୍ରଶ୍ନ କଲେ ବି,ବସୁଧା ତାଙ୍କୁ କିଛି ନକହି କେବଳ କାନ୍ଦି ଚାଲିଥିଲା |ଏହାପରେ ସେ ଫୋନ କାଟିଦେଲା |ସୁବାସିନୀ କାଞ୍ଚନଙ୍କୁ ପଚାରିଲେ, ତାର କଣ ହେଲା ?ସେ କାନ୍ଦୁଛି କାହିଁକି ?"ଅଖି ର କୋରାପୁଟ ବଦଳି ହୋଇ ଯାଇଛି"ଶାନ୍ତ ସ୍ୱରରେ ଏତିକି କହି କାଞ୍ଚନ ସେଠାରୁ ଚାଲିଗଲେ  |ତାପରେ ସୁବାସିନୀ ସାଙ୍ଗେ ସାଙ୍ଗେ ଅକ୍ଷରକୁ ଫୋନ ଲଗାଇଲେ |କିନ୍ତୁ ତାର ଫୋନ ସୁଇଚ ଅଫ ଆସୁଥିଲା |

            ଏପଟେ  ବସୁଧା ଅକ୍ଷରର ବଦଳି ସମ୍ବାଦରେ ବ୍ୟତିବ୍ୟସ୍ତ ହୋଇ,ବିଛଣାରେ ମୁହଁ ମାଡି ଶୋଇ କଇଁ କଇଁ ହୋଇ କାନ୍ଦି କେତେ କଣ ଭାବି ଯାଉଥିଲା  | ବାପା  ମାମୁଁ ରାଗିଯାଇ ତାକୁ ଏପରି ଶାସ୍ତି ଦେବେ  ବୋଲି ,ସେ କଳ୍ପନା ସୁଦ୍ଧା କରି ପାରିନଥିଲା |ମନେ ମନେ ସେ କହିଲା,ବାପା,ମୁଁ ବଡ଼ ଭୁଲ କରିଥିଲି,ସେଥିପାଇଁ ତମେ ମତେ ଶାସ୍ତି ଦେଇ ଭଲ କରିଛ |କିନ୍ତୁ  ତମକୁ ମୋର ଏତିକି  ମିନତି,ଆଉ ମୋ ଉପରେ ରାଗ ନରଖି,ତମର ଅତି ଆଦରର ବସୁ କୁ ଏଇ ଜନ୍ମ ପାଇଁ କ୍ଷମା କରିଦେବ  |କେତେ ସମୟ ଏହିପରି ଦୁଃଖୀ ରହିବା ପରେ ସେ ତା ମନକୁ ଦୃଢ଼ କଲା ଓ ବେସିନରେ  ମୁହଁ ଧୋଇ ଆସି ନିଜ ଭାବନାର ଦିଗ ବଦଳାଇ ଦେଲା |କାରଣ ସେ ଭଲଭାବେ ଜାଣିଥିଲା,ସେ ଭାଙ୍ଗି ପଡିଲେ,ତାକୁ ଦେଖି ଅକ୍ଷର ମଧ୍ୟ ଭାଙ୍ଗି ପଡିବ |କବାଟ ଖୋଲି ସେ ବାରଣ୍ଡାରେ ଛିଡ଼ାହୋଇ ବାହାରେ ବିଛାଡ଼ି ହୋଇ ପଡିଥିବା ସୂର୍ଯ୍ୟଙ୍କ ପ୍ରଚଣ୍ଡ ତେଜକୁ ଲକ୍ଷ୍ୟ କଲା |ମାଆ କହୁଥିଲେ,କୁଆଁର ପୁନେଇ ଡାଲାରେ କାଳେ ଶୀତ ଆସେ |କିନ୍ତୁ ଏ ପର୍ଯ୍ୟନ୍ତ ଶୀତ ଆସିବା ଦୂରର କଥା,ଖରାର ପ୍ରକୋପ କମିନାହିଁ |

           ଏହି ସମୟରେ  ହଠାତ ଲକି ଉପରେ ତାର ନଜର ପଡିଲା | ସେ ତା ସାଇକେଲଟି ଧରି ଏ ମୁଣ୍ଡରୁ ସେ ମୁଣ୍ଡ ଘୁରି ବୁଲୁଥିଲା | ମଝିରେ ମଝିରେ ପାଖରେ ଥିବା ଟ୍ୟାପରୁ ପାଣି ପିଇ ପୁଣି ସାଇକେଲ ଚଲାଉ ଥିଲା |ବସୁଧା ତାକୁ ଅଟକାଇ ଦେଇ  ପଚାରିଲା,ତୁ ଆଜି ସ୍କୁଲ ନଯାଇ ଖରାରେ ଅମୁହାଁ ବୁଲୁଛୁ,ପୁଣି ଏ ଗନ୍ଧିଆ ପାଣି ପିଉଛୁ ?କଣ ପାଇଁ ସ୍କୁଲ ଯାଇନୁ ?ଲକି କହିଲା,ମତେ ଜ୍ୱର ହୋଇଛି,ସେଥିପାଇଁ ମାମା ସ୍କୁଲ ଯିବାକୁ ମନା କଲେ |ବସୁଧା କହିଲା,ଜ୍ୱରରେ ଏମିତି ଖରାରେ ବୁଲନ୍ତି ?କୁଆଡେ ତୋ ମାମା ଗଲେ ?ଲକି କହିଲା,ମାମା ଘରେ ନାହାନ୍ତି,ସେ ଲକ୍ଷ୍ମୀପୂଜା ମିଟିଂ କୁ ଯାଇଛନ୍ତି |ବସୁଧା ଲକି କପାଳରେ ହାତ ଦେଇ ଦେଖିଲା,ପ୍ରକୃତରେ ତା ଦେହରେ ଜ୍ୱର ଥିଲା |ସେ କୋମଳ କଣ୍ଠରେ  କହିଲା,ଲକି ବାବା,ଏମିତି ଖରାରେ ବୁଲିଲେ ତୋ ଜ୍ୱର ଆହୁରି ବଢ଼ିଯିବ,ପୁଣି ବାହାର ଟ୍ୟାପ ପାଣି ପିଉଛୁ ,ଜାଣିଛୁ ,ତୋ ଦେହ ପାଇଁ ସେ କେତେ କ୍ଷତିକାରକ ?ଲକି କହିଲା,ହଁ ମୁଁ ଜାଣିଛି,ଆମଘର  ଉପର ମହଲାରେ | ଶୋଷ ହେଲେ କେତେ ଥର ମୁଁ ଉପରକୁ ଯିବି ?ବସୁଧା କହିଲା,ତାହାଲେ ଆସ,ଆମ ଘରେ ବସିବୁ ,ମାମା ଆସିଲେ ଯିବୁ |ଲକି ମୁଣ୍ଡ ହଲାଇ କହିଲା,ନା ,ମୁଁ ତମ ଘରକୁ ଯିବିନି,ମାମା ଆସିଲେ ମୁଁ ଜାଣି ପାରିବିନି |ଏତିକି କହୁ କହୁ ସେ ଜୋରରେ ସାଇକେଲ ଚଲାଇ ଚାଲିଗଲା |

           ବସୁଧା ନିରାଶ ହୋଇ ଘରକୁ ଯିବା ବେଳକୁ ଅକ୍ଷର ଆସି ପହଞ୍ଚିଗଲା |ମୁହଁଟି ତାର ଶୁଖି ଯାଇଥିଲା |ସେ  ଏତେଶୀଘ୍ର ଅଫିସରୁ ଫେରିବାର ଦେଖି ବସୁଧା ଆଶ୍ଚର୍ଯ୍ୟ ହୋଇଗଲା |ଅକ୍ଷର ଭିତରକୁ ଆସି କବାଟ ବନ୍ଦ କଲା ଓ ଫ୍ୟାନ ତଳେ ବସି ଦୀର୍ଘଶ୍ଵାସ ଛାଡିଲା |ବସୁଧା ପଚାରିଲା,ଏତେ ଶୀଘ୍ର ଆସିଗଲ ଯେ ?ଅକ୍ଷର କହିଲା,ଆଉ କଣ କରିଥାନ୍ତି ?ସେମାନେ ମୋ ପୋଷ୍ଟ ସହିତ ମତେ କୋରାପୁଟ ପଠେଇଛନ୍ତି |କାଳେ ପ୍ରେସର ପକେଇ  ବଦଳି ବାତିଲ କରିଦେବି ସେଥିପାଇଁ ଆଜି  ରିଲିଭ ବି  କରିଦେଇଛନ୍ତି |ମୋ ଟ୍ରାନ୍ସ୍ଫର ଅର୍ଡ଼ରରେ ହିଁ ମୋ  ରିଲିଭ ଅର୍ଡର ଅଛି   |ପକେଟରୁ ଅଫିସ ଅର୍ଡର କାଢି ଅକ୍ଷର ବସୁଧାକୁ ଦେଲା |ତାକୁ ପଢୁ ପଡୁ ବସୁଧା ଆଖିରେ ଲୁହ ଜକେଇ ଆସିଲା ଓ ସେ ନିଜକୁ ରୋକି ପାରିଲା ନାହିଁ |ସେ କାନ୍ଦିବା ଦେଖି,ଅକ୍ଷର ଆଖିକୁ ମଧ୍ୟ ଲୁହ ଚାଲି ଆସିଲା |ସେ ବାଷ୍ପାରୁଦ୍ଧ କଣ୍ଠରେ କହିଲା,ଦେଖିଲ,ସେମାନେ କେମିତି ପ୍ରତିଶୋଧ ନେଲେ ?ବସୁଧା ଲୁହ ପୋଛି କହିଲା,ତମେ ମନଦୁଃଖ କରନା  ,ଆମେ କୋରାପୁଟ ଯିବା |ସେଠିକି ଥରେ ଗଲେ,ଆଉ ଆସି ପାରିବା ନାହିଁ,ନହେଲା ନାହିଁ,ସେଠାରେ ସମସ୍ତେ ଯେମିତି ରହୁଛନ୍ତି,ଆମେ ସେମିତି ରହିବା |

             ଅକ୍ଷର କହିଲା,ସେହି ପ୍ରୋଜେକ୍ଟରେ ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାକୁ  ସରକାର ଆଦେଶ ଦେଇଛନ୍ତି  |ତା ସତ୍ତ୍ୱେ ବି  ସେମାନେ କାରସାଦି କରି ମୋ ପୋଷ୍ଟ ସହିତ ମତେ ସେଠିକି ପଠେଇ ଦେଲେ !!

           ବସୁଧା କିଛି ନକହି  ଅକ୍ଷରର ବ୍ୟାଗ ଖୋଲି ସେଥିରୁ ତାର ଲଞ୍ଚ ବକ୍ସ କାଢିଲା |କାରଣ ସେ ଭଲଭାବେ ଜାଣିଥିଲା ଏପରି ପରିସ୍ଥିତିରେ  ଅକ୍ଷର କଦାପି ଲଞ୍ଚ ଖାଇ ନଥିବ |ତାର ଅନୁମାନ ସତ୍ୟ ଥିଲା |ସେ ପଚାରିଲା,ଏବେ ଖାଇବ ?ଅକ୍ଷର କହିଲା,ନା ବସୁ ,ଖାଇବାକୁ ଜମା ଇଛା ହେଉନି,ଯଦି ପାରିବ ,ଚା' ଟିକେ ଦିଅ,ପିଇବି  |ବସୁଧା କହିଲା,ସେମିତି କେମିତି ହେବ ?ଲଞ୍ଚ ଖାଇବା ସମୟରେ ତମେ ଚା' ପିଇବ ?ଇଚ୍ଛା ନହେଉ ପଛକେ,ଅଳ୍ପ କିଛି  ଖାଇଦିଅ |ଏହା କହି ସେ ରୋଷେଇ ଘରକୁ ଯାଇ  ଲଞ୍ଚ ବକ୍ସରେ ଥିବା ଖାଦ୍ୟକୁ ଗରମ କରି  ଦୁଇଟି ପ୍ଲେଟରେ ନେଇ ଆସିଲା |କାରଣ ମନ ଅଶାନ୍ତି ଯୋଗୁ ତାର ମଧ୍ୟ  ଖାଇବାକୁ ଇଚ୍ଛା ହେଉନଥିଲା |

              ବସୁଧାକୁ ଦୁଇଟି ପ୍ଲେଟରେ ଖାଦ୍ୟ ଆଣିବାର ଦେଖି ଅକ୍ଷର କହିଲା,ତମେ ଏପର୍ଯ୍ୟନ୍ତ ଖାଇ ନଥିଲ କାହିଁକି ? ବସୁଧା ଧୀର ସ୍ୱରରେ କହିଲା,ମତେ ବିଲକୁଲ ଭୋକ ନାହିଁ, ତମେ ଯଦି ଖାଇ ସାରିଥାନ୍ତ,ତାହାଲେ ମୁଁ ଜମା ଖାଇ ନଥାନ୍ତି ,ମିଛରେ ଖାଇ ସାରିଛି ବୋଲି ତମକୁ କହିଥାନ୍ତି |   (କ୍ରମଶଃ)

              

Saturday, October 22, 2022

ଅଭଙ୍ଗା କଣ୍ଢେଇ (ଭାଗ 25)

                   ଚିକେନ କିଣି ଅକ୍ଷର ଘରକୁ ଫେରୁଥିବାବେଳେ ଲକିକୁ ସ୍ନାକ୍ସ ସେଣ୍ଟରରେ ପିଜା ଖାଉଥିବାର ଦେଖିଲା |ଅକ୍ଷର ତା ପାଖରେ ଗାଡି ଅଟକାଇ କହିଲା,ତୁ ପରା ଏବେ ରୋଲ ଖାଇଥିଲୁ, ଏତେ ଶୀଘ୍ର ପୁଣି ଭୋକ ହେଲା ?ଲକି କହିଲା,ମାମା ପିଜା ଖାଇବାକୁ ଟଙ୍କା ଦେଇଛନ୍ତି ?ଅକ୍ଷର ପଚାରିଲା,ମାମା କାହାନ୍ତି ?ଲକି କହିଲା,ମାମା ମିଟିଂ କୁ ଗଲେ |ଅକ୍ଷର ପୁଣି ପଚାରିଲା,ବାବା ??ଲକି ବେପରୁୱା ସ୍ୱରରେ କହିଲା,ବାବାଙ୍କର ଆଜି ଅଫିସରେ ଭୋଜି ଅଛି,ସେ ସେଇଠିକି ଗଲେ |ଅକ୍ଷର କହିଲା,ଓହୋଃ ,ସେଥିପାଇଁ ତତେ ଲାଞ୍ଚ ଦିଆଯାଇଛି,ନୁହେଁ ? ଲକି କିଛି ଉତ୍ତର ନଦେଇ ଖାଇବାରେ ମନ ଦେଲା |ଅକ୍ଷର ତା ପାଖକୁ ଯାଇ କହିଲା,ମୁଁ ଚିକେନ ଆଣିଛି,ଆମ ଘରକୁ ଚାଲ,ସମସ୍ତେ ମିଶିକରି ଖାଇବା |

                   ଚିକେନ ନାଁ ଶୁଣି ଲକିର ମୁହଁ କ୍ଷଣକ ପାଇଁ ଉଜ୍ଜ୍ୱଳ ହୋଇ ଉଠିଲା |କିନ୍ତୁ ପରମୁହୂର୍ତ୍ତରେ ସେ ମୁହଁ ଶୁଖାଇ କହିଲା,ନା ମୁଁ ତମ ଘରକୁ ଯିବିନି |ଅକ୍ଷର ପଚାରିଲା,କାହିଁକି ?ଲକି ଅତି ସରଳ ଭାବରେ ଉତ୍ତର ଦେଲା, ଦିଦି ବାବାଙ୍କ ପାଇଁ ଯେଉଁ ରୋଲ ଦେଇଥିଲେ,ତାକୁ ଦେଖି ବାବା ବହୁତ ରାଗିଲେ,ଆଉ ତାକୁ ନେଇ ଡଷ୍ଟବିନରେ ଫୋପାଡ଼ି ଦେଲେ |ନିଜେ ନ ଖାଇଲେ ନାହିଁ,ମତେ ହେଲେ ଦେଇଥାନ୍ତେ,ସେକଥା ବି କଲେନି |ତମ ଘରେ ଆଉଥରେ କିଛି ଖାଇଲେ,ମତେ ମାଡ଼ ଦେବେ ବୋଲି କହିଛନ୍ତି |ଅକ୍ଷର କହିଲା,ଆମେ କି ଦୋଷ କଲୁ ଯେ ?ଲକି କହିଲା,ମତେ ଏବେ ଜ୍ୱର ହୋଇଥିଲା ତ,ସେଥିପାଇଁ ବାହାର ଜିନିଷ ଖାଇବାକୁ ଡାକ୍ତର ମନା କରିଛନ୍ତି |ଅକ୍ଷର କହିଲା,ତାହାଲେ ତୁ ପିଜା କେମିତି ଖାଉଛୁ ?ଲକି କହିଲା,ଏମିତି ଥରେ ଥରେ ଖାଇଲେ କିଛି ହେବନି |ଅକ୍ଷର କହିଲା,ହଉ ତାହାଲେ,ତୁ ପିଜା ଖାଇ ମାମାଙ୍କୁ ଅପେକ୍ଷା କରିଥା,ସେ ଯେତେବେଳେ ଆସିବେ,ତାଙ୍କ ସାଙ୍ଗରେ ଘରକୁ ଯିବୁ  |ଲକି ପକେଟରୁ ଚାବି  କାଢି ଅକ୍ଷରକୁ ଦେଖାଇ କହିଲା,ମୋ ପାଖରେ ଚାବି ଅଛି ,ମୁଁ ଟିକେ ଖେଳିବି,ତାପରେ  ଘରକୁ ଯାଇ ଖାଇବି ,ମାମା ଆଜି ମୋପାଇଁ ବିରିୟାନୀ ରାନ୍ଧିଛନ୍ତି  |ଏହା କହି,ସେ ଦ୍ରୁତ ବେଗରେ ସାଏଁ କରି ତା ସାଇକେଲ ଚଲାଇ ସେଠାରୁ ଚାଲିଗଲା |

             ଅକ୍ଷରର ମନଦୁଃଖ ହୋଇଗଲା,ସେ ଭାରି ମନରେ ଘରକୁ ଫେରିଲା |ଘରେ ପହଞ୍ଚି  ଚିକେନ ବ୍ୟାଗଟି ବସୁଧା ହାତକୁ ବଢାଇବାବେଳେ ସେ  ପଚାରିଲା,କଣ ହୋଇଛି,ମୁହଁ ଏମିତି ଶୁଖିଲା ଦିଶୁଛି କାହିଁକି ?ଲକି କହିଥିବା କଥା ବସୁଧାକୁ ନ କହିବାକୁ ଅକ୍ଷର ଭାବିଥିଲା ||କିନ୍ତୁ ବସୁଧାର ପ୍ରଶ୍ନ ଆଗରେ ହାର ମାନି ସେ ସବୁକଥା କହିଦେଲା ଓ ଶେଷରେ କହିଲା,ବସୁ ,ବଡ଼ ଲୋକ କହିଛନ୍ତି,ନିଜକୁ କଷ୍ଟ ଦେଇ,କାହାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବ ନାହିଁ,,ତା ନହେଲେ ତୁମ ଦୁର୍ଦ୍ଦଶାର ସୀମା ରହିବ ନାହିଁ |ଦେଖ,ତମେ ନିଜେ ନଖାଇ,ତାଙ୍କୁ ରୋଲ ଦେଲ,ଅଥଚ ସେମାନେ ତାକୁ ଫୋପାଡ଼ି ଦେଲେ |ଏକରେ ଶ୍ରମ ନଷ୍ଟ,ଦୁଇରେ ଖାଦ୍ୟ ନଷ୍ଟ,ତିନିରେ ତମର ଅଧା ପେଟ ରହିଲା |ବସୁଧା କହିଲା,ସେ ମତେ ଅଙ୍କଲ ଙ୍କୁ ଦେବେ ବୋଲି କହି ମାଗିଲେ,ମୁଁ ତାଙ୍କୁ କେମିତି ନ ଦେଇଥାନ୍ତି କହିଲ ?ମାଆ ପୁଅ  ମନଖୁସିରେ ଖାଇଥିବାରୁ ମୁଁ ବହୁତ ଖୁସି |ତାପରେ ଯାହା ହେଲା ସେ ତାଙ୍କ ଘର କଥା,,ଆମେ ସେଥିରେ ମୁଣ୍ଡ ଖେଳାଇବା ନାହିଁ |ଆମେ ଏବେ ଧମାକାଦାର ଚିକେନ ଖାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବା,ନହେଲେ ସବୁ ପାଣି ଫାଟି ଯିବ |ଅକ୍ଷର ପଚାରିଲା,ତମେ ମସଲା ତିଆରି କରି ସାରିଛ ତ ?ବସୁଧା କହିଲା,ହଁ,ସେ ସବୁ କାମ କେବେଠାରୁ ସରିଛି,ତମର ଏବେ  ଚା' ପିଇବାର ଅଛି କି  ?

         ଅକ୍ଷର କହିଲା,ଆଉ ପଚାରିବାକୁ ଅଛି ?ତମେ ଚା' ଆଣ ,ମୁଁ ଡ୍ରେସ ଚେଞ୍ଜ କରି ,ଧୋଇ ଧାଇ ହୋଇ ସାଙ୍ଗେ ସାଙ୍ଗେ ଆସୁଛି |ବସୁଧା ଚା' ତିଆରି କରି ସାରିବା ବେଳକୁ ଅକ୍ଷର  ରୋଷେଇ ଘରେ ପହଞ୍ଚି ,ଟ୍ରେ ରେ ଦୁଇଟି କପ ସଜାଡି ରଖିଦେଲା |ବସୁଧା କହିଲା,ତମେ ଯାଅ,ମୁଁ ଚା' ନେଇ ଯାଉଛି |ଅକ୍ଷର ,ହଉ ଆସ କହି ସେଠାରୁ ଚାଲିଗଲା |

         ଦୁହେଁ ଚା' ପିଇବା ସମୟରେ ଅକ୍ଷର କହିଲା,ବସୁ,ମୁଁ ଚିକେନ ଅଧିକା ଆଣିଛି, ରାତି ପାଇଁ  ରଖିଦେବ |ଭାତ ବି ରାତି ପାଇଁ ଅଧିକ ରାନ୍ଧି ଦେଇଥିବ | ବସୁଧା ପଚାରିଲା,ରାତିରେ କୁଆଡେ ଯିବାର ଅଛି କି ?ଅକ୍ଷର କହିଲା,ନାଇଁ,କୁଆଡେ ଯିବାନି ,ଏମିତି କହିଲି |ବସୁଧା କହିଲା,କାଲି ପାଇଁ ଚିନ୍ତା ଲାଗୁଛି ନା ?ଅକ୍ଷର ମୁହଁ ଶୁଖାଇ କହିଲା,ହଁ ସେହିଭଳି |ବସୁଧା କହିଲା,ଯାହା ହେବାର ଥିବ ହେବ,ଆମେ ସାହସ ଓ ଧୈର୍ଯ୍ୟର ସହ ତାର ସାମ୍ନା କରିବା ଛଡା ଆମ ପାଖରେ ଆଉ କିଛି ବାଟ ନାହିଁ |ଅକ୍ଷର କହିଲା,ତମେ ଠିକ  କହିଛ,ଚାଲ ଯିବା,ରୋଷେଇ କରିବା |

           ବସୁଧା ଭାତ ରାନ୍ଧି ସାଲାଡ଼ ପ୍ରସ୍ତୁତ କଲା,ଏପଟେ ଅକ୍ଷର ଚିକେନ ତରକାରୀ କଲା |ଖାଇବାବେଳେ ଅକ୍ଷର ନିରବ ରହି,ଅନେକ କଥା ଚିନ୍ତା କରି ଚାଲିଥିଲା |କାଲି ଦିନଟି ଭଲରେ କଟିଗଲେ ,ଆଉ ତେଣିକି ବିପଦର ସମ୍ଭାବନା କମ ବୋଲି ତାକୁ ଲାଗୁଥିଲା |

             ପରଦିନ ଅକ୍ଷର ଅଳ୍ପ କିଛି ଜଳଖିଆ ଖାଇ, ସାଙ୍ଗରେ ଲଞ୍ଚ ବକ୍ସ ନେଇ ଠିକ ନଅଟା ବେଳକୁ ଅଫିସ ବାହାରିଲା  |ଯିବାବେଳେ ବସୁଧା ତାକୁ ମନେ ପକାଇ ଦେଇ କହିଲା,ଅଫିସରେ କଣ ହେଲା,ମତେ ଫୋନ କରି ଜଣାଇବାକୁ ଭୁଲିବ ନାହିଁ | ହଁ କହି ଅକ୍ଷର ଚାଲିଗଲା | ସେ ଯିବାପରେ ବସୁଧା ଜଳଖିଆ ଖାଇଲା ଓ  ତାର ସବୁ କାମ ଶେଷ କରି, ଅକ୍ଷର ଫୋନକୁ ଅପେକ୍ଷା କରିବାକୁ ଲାଗିଲା |ବାରଟାବେଳେ  ଅକ୍ଷରର  ଫୋନ ଆସିଲା  |ସେ ବିଚଳିତ ହୋଇ  କହୁଥିଲା,ବସୁ ,ସେମାନେ ମତେ କୋରାପୁଟ ଟ୍ରାନ୍ସ୍ଫର କରି ଦେଇଛନ୍ତି,ମୁଁ ବ୍ୟସ୍ତ ଅଛି,ପରେ କଥା ହେବି |ଏତିକି କହୁ କହୁ ତାର ଫୋନ କଟିଗଲା ଓ ପରେ ପରେ ସୁଇଚ ଅଫ ହୋଇଗଲା |(କ୍ରମଶଃ)

       


Thursday, October 20, 2022

ଅଭଙ୍ଗା କଣ୍ଢେଇ (ଭାଗ 24)

                     ଅକ୍ଷର ଭାବବିହ୍ୱଳ ହୋଇ ଆଉ କଣ କହି ଆସୁଥିବାବେଳେ କଲିଂ ବେଲ ବାଜିଲା |ବସୁଧା ତୁରନ୍ତ ଉଠି କବାଟ ଖୋଲି ଦେଖିଲା,ବାହାରେ ପିଙ୍କି ଆଣ୍ଟି ଓ ତାଙ୍କ ଦଶ ବର୍ଷର ପୁଅ ଲକି ଛିଡା ହୋଇଛନ୍ତି |ଲକିର ହାତକୁ ପିଙ୍କି ଆଣ୍ଟି ଜୋରରେ ଜାବୁଡି ଧରିଥିବାବେଳେ ଲକି ତାଙ୍କ ହାତରୁ ମୁକୁଳି ଯିବା ପାଇଁ ଟାଣି ଓଟାରି ହେଉଥିଲା |ବସୁଧା କବାଟ ଖୋଲିବାକ୍ଷଣି ପିଙ୍କି ଲକିର ହାତ ଟାଣି ଭିତରକୁ ନେଇ ଆସି  କବାଟ ବନ୍ଦ କରିଦେଲେ |ତାଙ୍କର ଏପରି ଆଚରଣରେ ବସୁଧା ଆଶ୍ଚର୍ଯ୍ୟ ହୋଇ ପଚାରିଲା,କଣ ହୋଇଛି ?ପିଙ୍କି ବିରକ୍ତ ହୋଇ କହିଲେ,ଏଇ ଦୁଷ୍ଟକୁ ଦେଖୁଛ,କେମିତି ହେଉଛି ? ଛକ ପାଖରେ ନୂଆ ସ୍ନାକ୍ସ ସେଣ୍ଟର ଆରମ୍ଭ ହୋଇନି ଯେ,ଆମ କାଳ ଦିନ ଆରମ୍ଭ ହୋଇଛି !ଘରେ ଯାହା ଖାଇବାକୁ ଦେଲେ,ତା ମନକୁ ପାଉନି,ସେଇ ପିଜା,ବର୍ଗର,ପେଟିସ ଉପରେ ତାର ମନ |ସମୟ ଅସମୟ କିଛି ନାହିଁ,ଯେତେବେଳେ ସୁଯୋଗ ପାଉଛି,ସେଇଠିକି  ଦୌଡୁଛି !ଦିନେ ଅଧେ ଖାଇଲେ ଚଳିବ ,ୟା ବୋଲି ସବୁଦିନ ?ତାକୁ ଖାଇ ଖାଇ  ଭାତ ,ରୁଟିକୁ ବି ସେ ଛିଃ କରି ସାରିଲାଣି |ଏବେ ତାକୁ ଦୋକାନ ପାଖରୁ ଧରି ଆଣିଲି |ତମ ପାଖକୁ ଆଣିଛି,ତାକୁ ଟିକେ ବୁଝାଇ ଦେବ ତ !

                ବସୁଧା ଲକି ପାଖକୁ ଯିବା କ୍ଷଣି ସେ ପିଙ୍କିଙ୍କ ପଛରେ ମୁହଁ ଲୁଚାଇ ଦେଲା |ବସୁଧା ବେସିନରେ ହାତ ଧୋଇ ଆସି,ତା କାନରେ ଫୁସ ଫୁସ ସ୍ୱରରେ  କହିଲା,ମୁଁ ତୋ ପାଇଁ ଗୋଟିଏ ବଢିଆ ଜିନିଷ ରଖିଛି,ଆସ,ଦେଖିବୁ |ସେ ତା ହାତ ଧରି ରୋଷେଇଘରକୁ ନେଇଗଲା ଓ ପଚାରିଲା,ଏଗ ରୋଲ ଖାଇବୁ ?ଲକି ସାଙ୍ଗେ ସାଙ୍ଗେ ମୁଣ୍ଡ ହଲାଇ ହଁ କହିଲା |ବସୁଧା ତାକୁ ରୋଷେଇଘରେ ପଡିଥିବା ଷ୍ଟୁଲ ରେ ବସାଇ ଷ୍ଟୋଭରେ ଦୁଇଟା ତାୱା ବସାଇ ଏକା ସାଙ୍ଗରେ ଦୁଇଟି ରୋଲ ତିଆରି କଲା | ରୋଲ ଦୁଇଟି ପ୍ଲେଟରେ ରଖି ପଛକୁ ଚାହିଁ ଦେଖିଲା,ସେଠାରେ ଲକି ନାହିଁ |ସେ ପିଙ୍କିଙ୍କ ପାଖରେ ବସିଥିଲା |ମାଆ ପୁଅଙ୍କୁ ଦୁଇଟି ପ୍ଲେଟ ଧରାଇ କହିଲା,ଖାଆନ୍ତୁ,ଆଉ କୁହନ୍ତୁ କେମିତି ଲାଗୁଛି |ପିଙ୍କି ଗୋଟିଏ ପ୍ଲେଟ ଫେରାଇ ଦେଇ କହିଲେ ,ଆମେ ଗୋଟିଏ ଖାଇଦେବୁ,ତମେ ଅନ୍ୟଟି ନେଇଯାଅ |ବସୁଧା ସେହି ପ୍ଲେଟ ଅକ୍ଷରକୁ ଦେଇ କହିଲା,ତମେ ଖାଇଦିଅ |ଅକ୍ଷରର ଆଉ ଗୋଟିଏ ଖାଇବାକୁ ଇଚ୍ଛା ହେଉଥିଲା,ତେଣୁ ସେ ଖୁସିରେ ଖାଇବାକୁ ଲାଗିଲା |ବସୁଧା ରୋଷେଇଘରକୁ ଯାଇ,ଶେଷ ଦୁଇଟି ରୋଲ ତିଆରି କରିବାକୁ ଲାଗିଲା |ଏତିକିବେଳେ ଲକି ତା ପାଖକୁ ଆସି କହିଲା,ଦିଦି,ମୁଁ ଆଉ ଗୋଟେ ଖାଇବି |ବସୁଧା ହସିଦେଇ କହିଲା,ହଉ ତୁ ମାମା ପାଖରେ ବସିଥା,ମୁଁ ନେଇକରି ଯାଉଛି |

                ସେ ଲକିକୁ ରୋଲ ଦେବାବେଳେ ପିଙ୍କି କହିଲେ,ତମେ ତ ବଢିଆ ବନାଉଛ,ୟୁ ଟ୍ୟୁବ ଦେଖି କରୁଛ କି ?ବସୁଧା କିଛି କହିବା ପୂର୍ବରୁ ଅକ୍ଷର କହିଲା,ସେ ନିଜେ ଗୋଟେ ୟୁ ଟ୍ୟୁବ,ତାର କେଉଁଠୁ ଶିଖିବା ଦରକାର ନାହିଁ |ପିଙ୍କି ଆଶ୍ଚର୍ଯ୍ୟ ହୋଇ କହିଲେ,ମାନେ ?ଅକ୍ଷର କହିଲା,ମାନେ କିଛି ନାହିଁ,ଅତି ସାଧାରଣ ଜିନିଷକୁ ଅସାଧାରଣ କରି ବନେଇବାର କଳା ତାକୁ ଈଶ୍ୱର ଦେଇଛନ୍ତି !

           ପିଙ୍କି କହିଲେ,ଭଲ କଥା ତ !!ଆଜିକାଲି ଯୁଗରେ ଝିଅମାନେ ରୋଷେଇ କରିବାକୁ ଚାହୁଁ ନଥିବାବେଳେ ଏପରି ରୁଚି ଓ ଆଗ୍ରହ ଅତି ବିରଳ !ବସୁଧା କହିଲା,ନା ସେମିତି କିଛି ନୁହେଁ ଆଣ୍ଟି,ମୁଁ ଟିକେ ଭଲ ଖାଇବାକୁ ଭଲ ପାଏ,ତେଣୁ ବିଭିନ୍ନ ପ୍ରଣାଳୀରେ ଭଲ ଭଲ ଆଇଟମ ତିଆରି କରିବାକୁ ଚେଷ୍ଟା କରେ |ଆପଣଙ୍କୁ ଭଲ ଲାଗିଲା,ସେଥିପାଇଁ ବହୁତ ଧନ୍ୟବାଦ |

             ପିଙ୍କି କହିଲେ,ଅଙ୍କଲ ଭାରି ଖାଦ୍ୟ ପ୍ରିୟ,ଆମେ ଏତେ ଭଲ ଜିନିଷ ଖାଇଛୁ ବୋଲି ଜାଣିଲେ ..........ତାଙ୍କ କଥା ନ ସରୁଣୁ ବସୁଧା ରୋଷେଇଘରକୁ ଯାଇ,ତା ନିଜପାଇଁ ରଖିଥିବା ରୋଲ କୁ ଯତ୍ନରେ ପ୍ୟାକ କରି ପିଙ୍କିଙ୍କୁ  ଦେଇ କହିଲା,ନିଅନ୍ତୁ ଆଣ୍ଟି,ମନଖୋଲି କହିଦେଲେ ,ମତେ ବହୁତ ଭଲ ଲାଗିଲା |ପିଙ୍କି ସୌଜନ୍ୟ ଦୃଷ୍ଟିରୁ କହିଲେ,ତୁମ ପାଇଁ ରଖିଛ ନା ,ଆମକୁ ସବୁ ଖୁଆଇ ଦେଲ |ବସୁଧା କହିଲା,ବହୁତ ଅଛି,ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ |

             ପିଙ୍କି ଧନ୍ୟବାଦ ଜଣାଇ ଯିବାପରେ ଅକ୍ଷର କହିଲା,ଭଲ ଦେଶ ସେବା କରୁଛ !ତାଙ୍କ ପାଇଁ ତମେ ଆଜି ଉପାସ ରହିଲ ,କଣ ଦରକାର ଥିଲା,ଏତେ ବଦାନ୍ୟତା ଦେଖାଇବା ?ବସୁଧା ଆକଟ କରି କହିଲା,ସେମିତି କୁହନା,ଜଣଙ୍କୁ କିଛି ଜିନିଷ ଦେଇସାରି ତାଙ୍କ ସଦିଛା  ମିଳିବାପରେ ପଛରେ ଏମିତି କହିବା ଭଲ ନୁହେଁ |ଅକ୍ଷର କହିଲା,ହଉ ବାବା,ମୋର ଭୁଲ ହୋଇଯାଇଛି  |ଆସ ସାଙ୍ଗହୋଇ ରୋଲ ଖାଇବା |ବସୁଧା ମନା ନକରି ଅକ୍ଷର ସହିତ ଖାଇବାକୁ ଲାଗିଲା |

            ଖାଇସାରି ପ୍ଲେଟ ନେବାବେଳେ ବସୁଧା  କହିଲା,ଆଜି ଲଞ୍ଚରେ କଣ ଖାଇବ ? ଅକ୍ଷର କହିଲା,ମୁଁ ଯାଉଛି ଚିକେନ ଆଣିବି,ଆଜିର  ଚିକେନ ମୁଁ ତିଆରି କରିବି |ବସୁଧା ଖୁସି ହୋଇ କହିଲା,ମୋର ପରମ ସୌଭାଗ୍ୟ  |ଆଜି ତାହାଲେ ମୁଁ ଖୁସିରେ ପେଟେ ଖାଇବି  |ଅକ୍ଷର କହିଲା,ତମେ କିନ୍ତୁ ମସଲା ଓ ଆଉ ଯାହା ଦରକାର,ସବୁ ରେଡି କରି ରଖିଥିବ|ବସୁଧା ହସି ହସି କହିଲା,ଓକେ,ନୋ ପ୍ରବ୍ଲେମ |ତମ ଆଦେଶ ପାଳନ କରିବାପାଇଁ,ମୁଁ ସବୁବେଳେ ପ୍ରସ୍ତୁତ ହୋଇ ରହିଛି |(କ୍ରମଶଃ)

Friday, October 14, 2022

ଅଭଙ୍ଗା କଣ୍ଢେଇ (ଭାଗ 23)

                      ସବୁଦିନ ଦୁଇଟି ରୁଟି ଖାଉଥିବା ଅକ୍ଷର ଆଜି ଏକାବେଳକେ ଚାରିଟି ରୁଟି ଅସୀମ ତୃପ୍ତିରେ ଖାଉଥିବାର ଦେଖି ବସୁଧାର ମନ ଆନନ୍ଦରେ ଭରିଗଲା  |ସେ  ଉତ୍ଫୁଲ୍ଲିତ ହୋଇ,ବଳିଥିବା ଶେଷ ଦୁଇଟି ରୁଟିରୁ ଗୋଟିଏ ଅକ୍ଷର ପ୍ଲେଟରେ ଓ ଅନ୍ୟଟି  ନିଜ ପ୍ଲେଟରେ ରଖି କହିଲା, ଖାଇଦିଅ,ସରିଯିବ,ଆଉ କାହିଁକି ସକାଳକୁ ରଖିବା ?ଅକ୍ଷର ପ୍ରତିବାଦ କରି କହିଲା,ତମେ ଖାଅ,  ମତେ କଣ ସବୁ ଦେଇ ଦେଉଛ ?ବସୁଧା ତାର ପ୍ଲେଟକୁ ଇଙ୍ଗିତ କରି କହିଲା,ଦେଖୁନ,ମୁଁ ବି ଗୋଟେ ନେଇଛି |ଅକ୍ଷର ପଚାରିଲା,ସବୁ ସରିଲା ନା ଆଉ ଅଛି ?ବସୁଧା ମୁରୁକି ହସି କହିଲା,ସବୁ ସରିଗଲା ,ଆଉ ନାହିଁ | କାଲି ବ୍ରେକଫାଷ୍ଟରେ କଣ ଖାଇବ ଏବେଠାରୁ କହିଦିଅ  |

            ଅକ୍ଷର କହିଲା,ଯାହା ତମ ଇଚ୍ଛା ,ଏମିତିକା ଟେଷ୍ଟି ଯାହା ବି ରାନ୍ଧି ପାରିବ  |ବସୁଧା କହିଲା,ତଥାପି,ଦୁଇ ତିନିଟା ଅପ୍ସନ ଦିଅ |ଅକ୍ଷର ବିନା ଦ୍ଵିଧାରେ କହିଲା,ମୋର ଏଗ ରୋଲ ଦରକାର |ସେଥିପାଇଁ ଯାହା ଜିନିଷ ଦରକାର ଘରେ ଅଛି ନା ନାହିଁ,ଦେଖିଦିଅ,ନଥିଲେ,ମୁଁ କାଲି ସକାଳେ ନେଇ ଆସିବି |ହଉ କହି ବସୁଧା ଦୁଇଜଣଙ୍କ ବାସନ ନେଇ ଚାଲିଗଲା |

              ପରଦିନ ବଡି ଭୋରରୁ ବସୁଧା ଉଠି ଶୀଘ୍ର ଶୀଘ୍ର ତାର ନିତ୍ୟକର୍ମ ଶେଷ କରି ଅକ୍ଷର ବରାଦ ଦେଇଥିବା ଜଳଖିଆ ତିଆରି କରିବାପାଇଁ ତାର ପ୍ରସ୍ତୁତି ଆରମ୍ଭ କରିଦେଲା |  ନୂଆ ପ୍ରଣାଳୀରେ ଭିନ୍ନ ସ୍ୱାଦର ଏଗ ରୋଲ ବନେଇବା ପାଇଁ ସେ ରାତିରୁ ଯୋଜନା କରି ସାରିଥିଲା |ରବିବାର ଛୁଟିଦିନ ଥିବାରୁ ଦଶଟା ପୂର୍ବରୁ ନ ଉଠିବାପାଇଁ ଅକ୍ଷର ମନ ସ୍ଥିର କରିଥିଲା |କିନ୍ତୁ ରୋଷେଇଘରୁ ଆସୁଥିବା ମସଲାର ବାସ୍ନା ତାକୁ ଅଧିକ ସମୟ ଶୋଇବାକୁ ଦେଲାନାହିଁ |ସେ ସେହି ଅପୂର୍ବ ସୁଗନ୍ଧ ଆଘ୍ରାଣ କରି ବସୁଧା ପାଖକୁ ଆସି କହିଲା,ବସୁ ,ଆଜି ରବିବାର,ଏତେ ଶୀଘ୍ର ବ୍ରେକଫାଷ୍ଟ ତିଆରି କରିବା କଣ ଦରକାର ଥିଲା ?ମୋ ଆଖିରେ ଆଜି ବହୁତ ନିଦ,ମୁଁ ଆଉ ଟିକିଏ ଶୋଇଥାନ୍ତି  |ବସୁଧା ସ୍ମିତ ହସି କହିଲା,ଜମା ବ୍ୟସ୍ତ ହୁଅନା,ଏବେ ଏଗ ରୋଲ ତିଆରି କରୁନି, କେବଳ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି ,ତମେ ଯେତେବେଳେ ଖାଇବାକୁ କହିବ,ମୁଁ ଫଟାଫଟ ତିଆରି କରିଦେବି |ଏବେ ଯାଅ ,ଯେତେ ଇଚ୍ଛା ,ସେତେ ଶୁଅ  |ବସୁଧା କଥା ଶୁଣି,ଅକ୍ଷର ଯନ୍ତ୍ରଚାଳିତ ପରି ଶୋଇବାକୁ ଚାଲିଗଲା |ବସୁଧା ମଧ୍ୟ ତାର ପ୍ରାରମ୍ଭିକ ପ୍ରସ୍ତୁତି ଶେଷ କରି ,ରୋଷେଇଘର କବାଟ ଆଉଜାଇ ଦେଇ ବିନା ଶବ୍ଦରେ  ଟିଭି ଦେଖିବାକୁ ଲାଗିଲା |କିନ୍ତୁ କିଛି ସମୟ ଟିଭି ଦେଖିବାପରେ ତା ଆଖିକୁ  ତନ୍ଦ୍ରା ଘାରି ଆସିଲା ଓ ସେ  ଢୁଳାଉ ଢୁଳାଉ ସୋଫାରେ ଶୋଇପଡ଼ିଲା |

             ହଠାତ ଖଡଖଡ ଶବ୍ଦରେ ତାର ନିଦ ଭାଙ୍ଗିଗଲା | ସେ ଆଖି ଖୋଲି ଦେଖିଲା ଅକ୍ଷର କେତେବେଳୁ ଉଠି ଦାନ୍ତ ବ୍ରସ କରୁଛି |ସେ ସଙ୍ଗେ ସଙ୍ଗେ ଉଠି,ମୁହଁ ଧୋଇ ,ରୋଷେଇଘରକୁ ଯାଇ ତାର କାମରେ ଲାଗିପଡ଼ିଲା |  ଦଶ ମିନିଟ ମଧ୍ୟରେ ସେ ଅକ୍ଷର ସାମ୍ନାରେ ପ୍ଲେଟରେ ଗୋଟିଏ  ରୋଲ ରଖି କହିଲା,ୟାକୁ ଚାଖ ଓ ଲୁଣ ଠିକ ଅଛି ନା ନାହିଁ କୁହ |ଅକ୍ଷର କହିଲା,ସବୁ ଠିକ ଥିବ, ତୁମପାଇଁ ବି ଆଣ ,ସାଙ୍ଗ ହୋଇ ଖାଇବା |ବସୁଧା କହିଲା,ସେମିତି ହେଲେ ଥଣ୍ଡା ହୋଇଯିବ,ତମେ ଆଉ ଟେଷ୍ଟ ଜାଣି ପାରିବନି |ଅକ୍ଷର କହିଲା,ନ ଜାଣି ପାରିଲେ ନାହିଁ,ମୁଁ ଏକୁଟିଆ ଖାଇ ପାରିବି ନାହିଁ |ବସୁଧା ଆଉ ଯୁକ୍ତି ନ କରି ଦୁଇଜଣଙ୍କ ପାଇଁ ନେଇ ଆସିଲା |ଅକ୍ଷର କହିଲା,ତମେ ପ୍ରଥମେ ଚାଖିକରି କୁହ,କେମିତି ଲାଗୁଛି ?ବସୁଧା କହିଲା,ଇଏ କି ଓଲଟା କଥା ?ବରାଦ ତମର,ଚାଖିବି ମୁଁ ?ହଉ ଠିକ ଅଛି,ଏହା କହି ସେ ଖାଇବା ଆରମ୍ଭ କଲା |ତା ସହିତ ତାଳ ଦେଇ,ଅକ୍ଷର ଖାଉ ଖାଉ କହିଲା,ବଢିଆ ଲାଗୁଛି ବସୁ ,ଯାହାକୁ କୁହନ୍ତି,ଏକଦମ ସୁପର !!ତମେ ଏଗ ରୋଲ ଅଟାରେ କରିଛ,ବାହାରେ ମଇଦାରେ କରୁଛନ୍ତି,ଅନେକ ଲୋକ ସ୍ୱାସ୍ଥ୍ୟ ପାଇଁ ମଇଦା ପରିବର୍ତ୍ତେ ଅଟାକୁ ପସନ୍ଦ କରୁଛନ୍ତି |ଏଇଟା ହିଁ ତମ ରନ୍ଧାର ବିଶେଷତ୍ତ୍ୱ !ମୁଁ କଣ ଭାବିଛି ଜାଣିଛ ?ଆମେ ଗୋଟେ ଅନଲାଇନ ଘର ତିଆରି ଖାଦ୍ୟ ହୋମ ଡେଲିଭରି ବିଜିନେସ କରିବା | ତମେ ଯେମିତି ରାନ୍ଧୁଛ ନା,ରାତାରାତି ସେଲିବ୍ରିଟି ପାଲଟିଯିବ  ! 

          ବସୁଧା କହିଲା,ଶେଷରେ ଏଇ ଖାଇବା ବିଜିନେସ ତମ ମନକୁ ଆସିଲା ?ଏଇଟା କଣ ଚାଲିବ ?ଅକ୍ଷର କହିଲା,ଚାଲିବ ମାନେ ?ଦୌଡିବ କୁହ |ସାରା  ପୃଥିବୀରେ ଏକମାତ୍ର  ଖାଦ୍ୟ ଏମିତି ଗୋଟିଏ ଜିନିଷ ଯାହା ସମସ୍ତଙ୍କର ଦରକାର ଏବଂ ଯେଉଁଥିରେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ସନ୍ତୁଷ୍ଟ କରାଯାଇ ପାରିବ |ତାପରେ ବାହାର ଖାଦ୍ୟ ଅପେକ୍ଷା ଘର ରନ୍ଧା ଖାଦ୍ୟର ଚାହିଦା ବେଶୀ |ମୁଁ ଏମିତି ବହୁତ ଲୋକଙ୍କୁ ଜାଣିଛି,ଯେଉଁମାନେ ରାତିରେ କ୍ଲାନ୍ତ ଶ୍ରାନ୍ତ ହୋଇ ଅଫିସରୁ ଫେରି ଖାଇବାକୁ ପାଆନ୍ତି ନାହିଁ |କାରଣ ଘରକୁ ଫେରିବା ପରେ ବି ସେମାନଙ୍କୁ ଅଫିସ କାମ କରିବାକୁ ପଡିଥାଏ |ସେହିଭଳି ଲୋକ ଅନଲାଇନ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି |ସେମାନେ ଯଦି ତମ ହାତରନ୍ଧା ଖାଦ୍ୟର ସ୍ୱାଦ ଥରେ ପାଇଯିବେ,ଆଉ ଅନ୍ୟ ଖାଦ୍ୟରେ ମନ ବଳାଇବେ ନାହିଁ |

         ବସୁଧା ଲାଜୁରା ହୋଇ କହିଲା,ମୋ ଉପରେ ତମର ଏତେ ବିଶ୍ୱାସ ?ଅକ୍ଷର କହିଲା,ବିଶ୍ୱାସ ନଥିଲେ,ମୁଁ କଣ ତମକୁ ଭଣ୍ଡେଇବା ପାଇଁ ଏତେ କଥା କହୁଛି ?ସୁଦୁ ପାଗଳୀ !!ବସୁଧା କହିଲା,ତାହାଲେ ତମେ କଣ ଚାକିରୀ ଛାଡ଼ିଦେବ ?ଅକ୍ଷର କହିଲା,ଉହୁଁ,ଚାକିରୀ ଛାଡିବା ଦରକାର ନାହିଁ |ଆମେ ଆରମ୍ଭରୁ କେବଳ ଚାରି ପାଞ୍ଚଜଣଙ୍କ ପାଇଁ ରାତ୍ରିଭୋଜନ ତିଆରି କରିବା | ତମେ ରାନ୍ଧିବ ଆଉ ମୁଁ ଅଫିସରୁ ଫେରିବା ପରେ,ହୋମ ଡେ଼ଲିଭରୀ କରିବି |ମୁଁ କାହିଁକି ଏଥିରେ ଏତେ ଆଗ୍ରହ ଦେଖାଉଛି ତାର କାରଣ  ମତେ ପଚାର |

"କାହିଁକି ?"ବସୁଧା ସାଙ୍ଗେ ସାଙ୍ଗେ ପଚାରିଲା |

"କାହିଁକିନା,ମୁଁ ଚାହେଁ ମୋ ବସୁର ଏହି ବିରଳ ପ୍ରତିଭାର ବିକାଶ ହେଉ,ସମସ୍ତେ ତାର ଗୁଣକୁ ଚିହ୍ନନ୍ତୁ ,ଜାଣନ୍ତୁ, ବଣମଲ୍ଲୀ ପରି ସେ ଅକାଳରେ ବଣରେ ଫୁଟି ମଉଳି ନ ଯାଉ,ଭାବବିହ୍ୱଳ କଣ୍ଠରେ ଅକ୍ଷର ଉତ୍ତର ଦେଲା  |(କ୍ରମଶଃ)

             

    

           

Wednesday, October 12, 2022

ଅଭଙ୍ଗା କଣ୍ଢେଇ (22)

                  ଅକ୍ଷର ଖୁସି ମନରେ ହୋଟେଲ ଆଡକୁ ବାଇକ ମୋଡ଼ିବାକୁ ଯାଇ ଅଟକିଗଲା |ବସୁଧା କହିଲା,କଣ ହେଲା ?ଅକ୍ଷର କହିଲା,ତମେ ଠିକ କହୁଥିଲ,ଚାଲ,ଘରେ ଯାଇ ଖାଇବା |ବସୁଧା ବିସ୍ମିତ ହୋଇ କହିଲା,ପୁଣି କଣ ହେଲା ?

                 ଅକ୍ଷର କହିଲା,ଦେଖ,ଏବେ ଦଶଟା ବାଜିଲାଣି |ଆମେ ଖାଇବା ଅର୍ଡର ଦେଇ,ଅଧଘଣ୍ଟାଏ ଅପେକ୍ଷା କରିବା |ଖାଇସାରି ଘରକୁ ଫେରିବାବେଳକୁ ଅତି କମରେ ବାରଟା ରୁ କମ ହେବନି |ତାପରେ ଆମ ହାତରେ କେତେଟା ବ୍ୟାଗ ଅଛି ଦେଖୁଛ ?ସମୁଦାୟ ଆଠଟା |ତାକୁ ବୋହି ବୋହି ନେବା,ପୁଣି ଆଣିବା,ଆମପାଇଁ କଷ୍ଟକର ବ୍ୟାପାର ହୋଇ ପଡିବ  |ତେଣୁ ଉଚିତ ହେବ,ସୁନାପିଲାଟି ପରି ଘରକୁ ଯାଇ ଯାହା ରାନ୍ଧିଛ,ଖାଇ ଦେବା |

         ବସୁଧା କହିଲା,ତମେ କେତେ ଖୁସିରେ ଖାଇବାକୁ ମନ କରିଥିଲ ,ବ୍ୟାଗ ପାଇଁ ମନ ପରିବର୍ତ୍ତନ କରିବା,ମତେ ଭଲ ଲାଗୁନାହିଁ |ତମେ ଗୋଟିଏ କାମ କର,ମୁଁ ଏଇଠି ଅଛି,ତମେ ଯାଇ ଖାଲି ତମ ପସନ୍ଦର ଆମିଷ ତରକାରି ନେଇଆସ,ରୁଟି ସାଙ୍ଗେ ଖାଇବ |ଅକ୍ଷର ଆଖି ବଡ଼ ବଡ଼ କରି କହିଲା,କଣ କହିଲ ?ତମକୁ ଏକୁଟିଆ ଛାଡି ମୁଁ ଯିବି ?ଯଦି ପୁଣି ତମକୁ ତମ ଘର ଲୋକ ଆସି ନେଇଯିବେ,ମୁଁ କଣ କରିବି ?ପାଖରେ ଥିବା କିଛି ଲୋକ ଅକ୍ଷର କଥା ଶୁଣି ହସୁଥିଲେ |ଅକ୍ଷରର କିନ୍ତୁ ସେଥି  ପ୍ରତି ନଜର ନଥିଲା |ବସୁଧା ଲାଜେଇଯାଇ ଆସ୍ତେ କରି କହିଲା,ଏଠାରେ ଏତେ ଗହଳି ହୋଇଛି,ଏମିତି ସାହସ କାହାର ହେବ ?ଅକ୍ଷର କହିଲା,ମତେ ଆଉ ଜ୍ଞାନ ଦିଅନା,ସେ ଭୁଲ ମୁଁ ଆଉଥରେ ଦୋହରାଇବାକୁ ଚାହେଁନା |ଏହା କହି ସେ ଦ୍ରୁତ ଗତିରେ ବାଇକ ଛୁଟାଇ ଅଧଘଣ୍ଟାରେ ଘରେ ପହଞ୍ଚି ଗଲା |

         ବସୁଧାର  ମନ ଦୁଃଖ ହୋଇଗଲା |କେତେ ଖୁସିରେ ହୋଟେଲରେ ଭଲ ଜିନିଷ ଖାଇବାକୁ ମନ କରିଥିଲେ,ଏବେ ସାଧା ଖାଦ୍ୟରେ ସନ୍ତୁଷ୍ଟ ହେବାକୁ ପଡିବ |ତଥାପି ତା ମନ ବୁଝୁ ନଥିଲା |ଅକ୍ଷର ବ୍ୟାଗରୁ ଲୁଗାପଟା କାଢି ସଜାଡି ରଖୁଥିବାବେଳେ ସେ ଫ୍ରୀଜରୁ ଅଣ୍ଡା ଆଣି ତା ପସନ୍ଦର ମସଲାଦାର ଆମଲେଟ ତିଆରି କଲା ଓ ତରକାରି ଗରମ କରି ସେଥିରେ ପିଆଜ,ଲଙ୍କା ଓ ଧନିଆପତ୍ର ଚୁନା ଚୁନା କରି କାଟି ପକାଇଦେଲା |ଏତିକିବେଳେ ଅକ୍ଷର  ରୋଷେଇଘରକୁ ଆସି କହିଲା,ଏତେ ବାସନା ହେଉଛି,କଣ ରାନ୍ଧୁଛ ?ବସୁଧା କହିଲା,କିଛି ନାହିଁ,ତରକାରି ଗରମ କରୁଥିଲି,ଚାଲ ଖାଇବା |

           ଖାଇବା ଟେବଲରେ ଅଣ୍ଡା ଆମଲେଟ ଦେଖି,ଅକ୍ଷର ଖୁସି ହୋଇଗଲା ଓ ସଙ୍ଗେ ସଙ୍ଗେ ସେଥିରୁ ଅଳ୍ପ ନେଇ ପାଟିରେ ଭର୍ତ୍ତି କରି କହିଲା,କେତେ ବଢିଆ ବନେଇଛ ବସୁ ,ବେକାରଟାରେ ମୁଁ ହୋଟେଲରେ ଖାଇବାକୁ କହୁଥିଲି |ଆଉ ତମର ନିରାମିଷ ତରକାରି ବି' ଅପୂର୍ବ ,ବାଃ ବାଃ ,ସତରେ ତମ ହାତରେ ଯାଦୁ ଅଛି |ବସୁଧା ଅବିଶ୍ୱସନୀୟ କଣ୍ଠରେ କହିଲା,ସତରେ କହୁଛ ନା ମଜା କରୁଛ ?ଅକ୍ଷର କହିଲା,ସତ କହିଲେ ତମକୁ ବିଶ୍ୱାସ ହେଉନି ?ତମେ ନିଜେ ଚାଖି ଦେଖ,ସତ କହୁଛି କି ମିଛ କହୁଛି,ଜାଣି ପାରିବ !ମୁଁ ଗ୍ୟାରେଣ୍ଟି ଦେଇ କହୁଛି, ଯଦି ରାନ୍ଧଣା ପ୍ରତିଯୋଗିତାରେ ତମେ ଭାଗ ନେବ, ନିଶ୍ଚୟ ପ୍ରଥମ ସ୍ଥାନ ଅଧିକାର କରିବ |

    ବସୁଧା କହିଲା,ମତେ ତମେ ଭଲପାଅ ,ସେଥିପାଇଁ ମୁଁ ଯାହା ରାନ୍ଧିଦେଲେ,ତମକୁ ଭଲ ଲାଗୁଛି,ଏହାର ମାନେ ନୁହେଁ ଯେ,ମୋ ରାନ୍ଧଣା ସମସ୍ତଙ୍କୁ ଭଲ ଲାଗିବ !ଅକ୍ଷର କହିଲା,ମୋ ମନ କହୁଛି,ତମକୁ ସେମିତି ପ୍ଲାଟଫର୍ମ ମିଳିଲେ,ତମେ ନିଶ୍ଚୟ ତମର ଦକ୍ଷତା ପ୍ରତିପାଦନ କରିପାରିବ |

        ବସୁଧା କହିଲା,ସକାଳର ଖାଦ୍ୟ ରାତିରେ ଖାଇବାକୁ ଭଲ ଲାଗିବନି ବୋଲି ମୁଁ ମନ ଦୁଃଖରେ ଥିଲି,କିନ୍ତୁ ତମେ ଓଲଟା ମତେ ଫାର୍ଷ୍ଟ କ୍ଲାସ ଫାର୍ଷ୍ଟ କରିଦେଲ !କିନ୍ତୁ ଏମିତି ପ୍ରଶଂସା କଲେ ତମର କ୍ଷତି ହେବ |ଅକ୍ଷର ଆଶ୍ଚର୍ଯ୍ୟ ହୋଇ କହିଲା,କାହିଁକି ?ବସୁଧା ହସି ହସି କହିଲା,କାହିଁକିନା ,ମୁଁ ଅତି ଖୁସିରେ ଅଧିକ ପ୍ରକାର ଆଇଟମ ରାନ୍ଧିବି,ତମେ ମତେ ଜିନିଷ ଯୋଗେଇ ଯୋଗେଇ ଥକି ଯିବ |

       ତା କଥା ଶୁଣି,ଅକ୍ଷର ହୋ ହୋ ହୋଇ ହସି ଉଠି କହିଲା,ଓଃ ଏଇକଥା ?ହୋଟେଲଠାରୁ ଭଲ ଜିନିଷ ଯଦି ଘରେ ଖାଇବାକୁ  ମିଳିଯାଏ ,ତାହାଲେ ଖର୍ଚ୍ଚ କରିବାରେ ଅସୁବିଧା ରହିଲା କେଉଁଠି ??

         କିଛି ସମୟ ପୂର୍ବରୁ ହୋଟେଲରେ ଖାଇବାକୁ ମନ କରି ନିରାଶ  ହୋଇଥିବା ଅକ୍ଷରକୁ ଖୁସି ମନରେ ଖାଉଥିବାର ଦେଖି ବସୁଧାର ଆନନ୍ଦର ସୀମା ନଥିଲା |ଏମିତିରେ ଅତି ସାଧାରଣ ଜିନିଷକୁ ଅସାଧାରଣ କରି ରାନ୍ଧିବାରେ ତାର ଦକ୍ଷତା ଥିବା କଥା ଅନେକଙ୍କ ମୁହଁରୁ ଶୁଣିଥିଲା  | କିନ୍ତୁ ଅକ୍ଷର ମୁହଁରୁ ପ୍ରଶଂସା ଶୁଣିବା ତା ପାଇଁ ନିଆରା ଥିଲା |ନିଜର ପ୍ରିୟ ମଣିଷକୁ ହାତ ରନ୍ଧା ରୋଷେଇରେ ସନ୍ତୁଷ୍ଟ କରିବାର ସୌଭାଗ୍ୟ କେତେଜଣଙ୍କୁ ମିଳିଥାଏ ?କିନ୍ତୁ ଏକାବେଳକେ ଏତେ ପ୍ରଶଂସା ସେ ହଜମ କରିପାରୁନଥିଲା |କଥାର ଦିଗକୁ ବଦଳାଇ ସେ କହିଲା,କାଲିର ପ୍ରୋଗ୍ରାମ କଣ ରଖିଛ ?

          ଅକ୍ଷର କହିଲା,କିଛିନାହିଁ,ତମେ କୁହ,ତମେ ଯାହା କହିବ,ତାହା କରିବା |ବସୁଧା କହିଲା,ଛାତ ଉପରେ କିଛି ଗଛ ଲଗାଇବାକୁ ଇଚ୍ଛା ହେଉଛି |ବର୍ତ୍ତମାନ ପାଇଁ ତୁଳସୀ ଗଛ ଓ ଅଳ୍ପ କିଛି ଫୁଲ ଗଛ ରଖିବା,ପରେ ଧୀରେ ଧୀରେ ବଢାଇବା ,କଣ କହୁଛ ?ଅକ୍ଷର କହିଲା,ଭଲ କଥା କହୁଛ,କିନ୍ତୁ ଏବେ ନୁହେଁ |ବସୁଧା ପଚାରିଲା,କାହିଁକି ?

          ଅକ୍ଷର  କହିଲା,ଆମେ ଯେତେବେଳେ ବାହାରକୁ ବୁଲିଯିବା,ଗଛରେ କିଏ ପାଣି ଦେବ ?କାହାକୁ ଆମେ ଖୋସାମତ କରିବା ?ବସୁଧା କହିଲା,ଆଚ୍ଛା !ଏମିତି କଥା ?କେଉଁଠିକି ଯିବାପାଇଁ ଯୋଜନା କରିଛ ,କହିବ କି ?ଅକ୍ଷର କହିଲା,ସେକଥା ଆମେ ଦୁଇଜଣ ମିଶି ନିଷ୍ପତ୍ତି ନେବା ,ଏବେ ଆଉ ଗୋଟେ ରୁଟି ଦିଅ |(କ୍ରମଶଃ)

           

Wednesday, October 5, 2022

ଅଭଙ୍ଗା କଣ୍ଢେଇ (21)

                      ଅକ୍ଷର ଆଉ ଖଣ୍ଡେ ଇଡ଼ିଲି ବସୁଧା ପାଟିରେ ଦେବାକୁ ଯିବାବେଳେ ଘରେ କାମରେ ବ୍ୟସ୍ତ ଥିବା ପ୍ୟାକର ଓ ମୁଭର ର ଦୁଇ କର୍ମଚାରୀଙ୍କ ଉପରେ ତାର ନଜର ପଡିଗଲା |ସେ ବସୁଧାକୁ ଠାରି ଦେଇ,ସେମାନଙ୍କୁ ମଧ୍ୟ ଇଡ଼ିଲି ଦେବାପାଇଁ କହିଲା |ବସୁଧା ତୁରନ୍ତ ଯାଇ ଦୁଇଟି ପ୍ଲେଟରେ ସେମାନଙ୍କୁ ଇଡ଼ିଲି ଦେବାବେଳେ ସେମାନେ ବିନମ୍ରତାର ସହ ମନା କରି କହିଲେ,ନାଇଁ ମାଡାମ,ଆମେ ସକାଳୁ ପେଟେ ପଖାଳ ଖାଇ କାମକୁ ଆସିଛୁ,କାମ ସରିଲେ,ଘରକୁ ଯାଇ,ଗରମ ଭାତ ଖାଇବୁ,ଏସବୁ ହୋଟେଲ ଖାଦ୍ୟ ଆମର ପସନ୍ଦ ନୁହେଁ  | ବସୁଧା ଫେରି ଆସି ଅକ୍ଷରକୁ କହିଲା,ଶୁଣିଲ ତ,ସେମାନେ କଣ କହିଲେ ?ସେମାନଙ୍କଠାରୁ ଆମର ବହୁତ କିଛି ଶିଖିବାର ଅଛି,ଆମେ ସିନା ଲୋଭରେ ବାହାର ଜିନିଷ ଖାଉଛୁ,ସେମାନେ କିନ୍ତୁ ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ପଇସା ବଞ୍ଚାଉଛନ୍ତି  |ତା ନହେଲେ,ହାଡଭଙ୍ଗା ଖଟଣି କରିବା ପାଇଁ ତାଙ୍କ ଦେହରେ ବଳ ଆସୁନଥାନ୍ତା |  ଅକ୍ଷର କହିଲା,ସେମାନେ ଯାହା ଭଲ ଭାବୁଛନ୍ତି,କରୁଛନ୍ତି ,ଆମେ ଯାହା ଭଲ ଭାବିବା,ସେଇଆ କରିବା  |

                      କାମ ସାରି ସେମାନେ ଯିବାପରେ ବସୁଧା ଭଲକରି ଘର ଝାଡ଼ି ,ଘର ଓଳାଇ ପୋଛି ଦେଲା |ତାପରେ ଗ୍ୟାସ ଲଗାଇ ପ୍ରଥମେ ମାପି କରି ଏକ କପ ଚା' ତିଆରି କଲା | ସେଇ ସମୟରେ ଅକ୍ଷର ଦୁଇ ରୁମରେ ଥିବା ଖଟରେ ବିଛଣା ଚାଦର ପକାଇ ଦେଲା |ବସୁଧା ତିଆରି କରିଥିବା କପେ ଚା' ଦୁହେଁ ଭାଗ ବାଣ୍ଟି ପିଇଲେ |ଅକ୍ଷର ପଚାରିଲା,ଏବେ କଣ କରିବ ?ବସୁଧା ସ୍ମିତ ହସି କହିଲା,ଏବେ ରୋଷେଇ କରିବି |ଅକ୍ଷର କହିଲା,ଆଜି ଲଞ୍ଚ ବାହାରେ ଖାଇଦେବା,ରାତିରେ ପଛେ ରୋଷେଇ କରିବ |ବସୁଧା କହିଲା,ନା ବାବା ନା,ଆଉ ବାହାରେ ଖାଇବାକୁ ଇଚ୍ଛା ନାହିଁ |ମୁଁ ଚଟାପଟ ଭାତ ଡାଲମା କରି ଦେବି |ଘରେ ପରିବା ,ଗ୍ରୋସରି ସବୁ ଅଛି,କାହିଁକି ବାହାରେ ଖାଇବା ?ଅକ୍ଷର କହିଲା,ହଉ ଠିକ ଅଛି,ଯାହା ତମର ଇଚ୍ଛା |

                 ବସୁଧା ଗୁଣୁ ଗୁଣୁ ହୋଇ ଗୀତ ଗାଇ ରୋଷେଇଘରକୁ ଚାଲିଗଲା |ସେ ଜାଣିଥିଲା,ଅକ୍ଷରର ଡାଲମା ପସନ୍ଦ ନୁହେଁ |ତେଣୁ ସେ ଭାତ ଡାଲି ସହିତ ତାର ପ୍ରିୟ ଆଳୁ ଭର୍ତ୍ତା ,କଲରା ଭଜା ଓ କାକୁଡି,ପିଆଜ,ଲେମ୍ବୁ,ଲଙ୍କା ମିଶାଇ ସାଲାଡ଼ କଲା |ରାତି ପାଇଁ ଅଟା ଦଳି,ପରିବା କାଟି ଫ୍ରିଜରେ ରଖିଦେଲା |ସେତିକି ସମୟ ଭିତରେ ଅକ୍ଷର ଶୋଇ ପଡିଥିଲା |ତାକୁ ଉଠାଇ ଡାଇନିଂ ଟେବଲରେ ଗରମ ଗରମ ଖାଦ୍ୟ ପରଷି ଦେଲା |ଅକ୍ଷର ବଢା ଯାଇଥିବା ଖାଦ୍ୟ ଦେଖି ଖୁସି ହୋଇ ରୋଷେଇଘରକୁ ଗଲା ଓ ଗୁଆଘିଅ ଆଣି ଭାତରେ ପକାଇ କହିଲା,ଏଇଟା ବୋଧେ ବାକି ରହି ଯାଇଥିଲା |

                ପେଟେ ଖାଇବା ପରେ ବସୁଧାର ବ୍ୟାଟେରୀ ଡାଉନ ହୋଇଯାଇଥିଲା |ସେ ବାସନ ମାଜି ,ରୋଷେଇଘର ପରିଷ୍କାର କରି,ସିଧା ଯାଇ ବିଛଣାରେ ଗଡି ପଡିଲା ଓ ସାଙ୍ଗେ ସାଙ୍ଗେ ତା ଆଖିକୁ ନିଦ ଚାଲି ଆସିଲା |

          ସଂଧ୍ୟାରେ ସେମାନଙ୍କର ବାହାରେ ବୁଲିବା କାର୍ଯ୍ୟକ୍ରମ ଥିଲା |ତେଣୁ ଚା' ପିଇବା ପରେ ବସୁଧା ଜଲଦି ଜଲଦି ରୁଟି ତରକାରି  କରିଦେଲା  |ଘର ପାଇଁ ଯାହା ଅତ୍ୟାବଶ୍ୟକ ତାର ଗୋଟିଏ ମୋଟାମୋଟି ଲିଷ୍ଟ ସେ  ବନେଇ ଥିଲା |ସେହି ଅନୁସାରେ ସେମାନେ ବିଭିନ୍ନ ସ୍ଥାନ ବୁଲି ସପିଂ କଲେ |ଅକ୍ଷର ଦୁଇଜଣଙ୍କ ପାଇଁ ଡ୍ରେସ କିଣିଲା |ବସୁଧା ଅକ୍ଷରକୁ ମନେ ପକାଇ ଦେଲା,ଆଗକୁ ଦଶହରା ଆସୁଛି,ତେଣୁ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଲୁଗାପଟା କିଣିବା |ଅକ୍ଷର ଖୁସି ହୋଇ କହିଲା,ସତ କଥା ତ,ମୁଁ ସେକଥା ଭୁଲି ଯାଇଥିଲି |ଦୁହେଁ  ସମସ୍ତଙ୍କ ମନକୁ ପାଇବା ଭଳି ପୋଷାକ ଇତ୍ୟାଦି କିଣିଲେ |ଏସବୁ କାମ ସରୁ ସରୁ ଦଶଟା ବାଜି ଯାଇଥିଲା |ଅକ୍ଷର କହିଲା,ଏତେ ଡେରି ହେଲାଣି,ଚାଲ ଖାଇଦେଇ ଘରକୁ ଯିବା |ବସୁଧା କହିଲା,ନା,ମୁଁ ରୋଷେଇ କରି ଆସିଛି,ସେସବୁ କଣ ହେବ ?ତା କଥା ଶୁଣି ଅକ୍ଷରର ମୁହଁ ଶୁଖିଗଲା |ବସୁଧା ତାର ମନୋଭାବକୁ ଲକ୍ଷ୍ୟ କରି କହିଲା.ହଉ ଠିକ ଅଛି,ଚାଲ ଖାଇବା |କିନ୍ତୁ ଯାହା ରାନ୍ଧିଛି,ତାକୁ ସକାଳେ ଖାଇବାକୁ ପଡିବ |ଅକ୍ଷର ହସି ହସି ହାତଯୋଡ଼ି କହିଲା,ତଵ ଆଜ୍ଞା ଶିରୋଧାର୍ଯ୍ୟ |(କ୍ରମଶଃ)

Saturday, October 1, 2022

ଅଭଙ୍ଗା କଣ୍ଢେଇ (20)

                     ସକାଳେ ବସୁଧାର ନିଦ ଭାଙ୍ଗିବା  ବେଳକୁ ସାତଟା ବାଜି ଯାଇଥିଲା |ସେ ଧଡପଡ ହୋଇ ବିଛଣାରୁ ଉଠି ଦେଖିଲା,ଅକ୍ଷର ବ୍ୟସ୍ତ ହୋଇ ଏପଟ ସେପଟ ହେଉଛି ଓ ବାରମ୍ବାର କାହାକୁ ଫୋନ କରୁଛି |ସେ ତାକୁ ପଚାରିଲା,କାହାକୁ ଫୋନ କରୁଛ ?ଅକ୍ଷର କହିଲା,ସେ ପ୍ୟାକର ଆଣ୍ଡ ମୁଭର ପିଲା ଛଅଟା ବେଳେ ଆସିବ ବୋଲି କହିଥିଲା,ଆସି ସାତଟା ବାଜିଲାଣି,ଆସୁନି,ଫୋନ ସୁଇଚ ଅଫ କରି ବସିଛି !!ବସୁଧା କହିଲା,ସେ କଣ ଜଣେ ଅଛି?ଆଉ କାହାକୁ ଡାକ |ଏହା କହି ସେ ତା ମୋବାଇଲ ଦେଖି ଏକ ନମ୍ବରକୁ କଲ କରିବାକୁ ଅକ୍ଷରକୁ କହିଲା |ଅକ୍ଷର କହିଲା,ତମେ ଏଇ ନମ୍ବର କେଉଁଠୁ ପାଇଲ ?ବସୁଧା ତାର ମୋବାଇଲ କାଢି ସେମାନେ ଉଠାଇଥିବା ଏକ ସେଲ୍ଫି କୁ ଜୁମ କରି ଦେଖାଇଲା |ସେମାନଙ୍କ ପଛପଟେ ଏକ ମୁଭର ଓ ପ୍ୟାକର ସଂସ୍ଥାର ବିଜ୍ଞାପନ ଦିଆ ଯାଇଥିଲା ଯେଉଁଥିରେ ସେମାନଙ୍କୁ ଯୋଗାଯୋଗ କରିବାପାଇଁ ଦୁଇଟି ମୋବାଇଲ ନମ୍ବର ଦିଆଯାଇଥିଲା |ଅକ୍ଷର ଫୋନ କଲା ଓ ସେମାନେ ସାଙ୍ଗେ ସାଙ୍ଗେ ଆସୁଛନ୍ତି ବୋଲି କହିଲେ |ଅକ୍ଷର ଖୁସି ହୋଇଗଲା କିନ୍ତୁ ସେମାନେ ନ  ଆସିବା ପର୍ଯ୍ୟନ୍ତ ସେ ନିଶ୍ଚିନ୍ତ ହୋଇ ପାରୁନଥିଲା |

                  ପାଞ୍ଚ ମିନିଟ ପରେ ଯେତେବେଳେ ସଂସ୍ଥାର କର୍ମଚାରୀ ଆସି କଲିଂ ବେଲ  ଚିପିଲେ ,ତାଙ୍କୁ ଦେଖି ଅକ୍ଷର ଖୁସି ହୋଇଗଲା | କହିଲା,ଏଥିରୁ ଜାଣୁଥା,ମୁଁ କାହିଁକି ତମପାଇଁ ପାଗଳ ହୋଇଯାଇଥିଲି!ତମପରି ଝିଅ ଦୁନିଆରେ ମିଳିବା ମୁସ୍କିଲ  |ବସୁଧା ସ୍ମିତ ହସି କହିଲା,ସେତିକି ଥାଉ,ପ୍ରଶଂସା କରିବାର ଗୋଟିଏ ସୀମା ଥାଏ |ଅକ୍ଷର କହିଲା,ତମକୁ ମିଛ ପ୍ରଶଂସା ଲାଗୁଛି ?ଜାଣିଛ,ତମେ ମୋର କେତେବଡ଼ ବୋଝକୁ ହାଲୁକା କରିଦେଲ !!ବସୁଧା କହିଲା,ହଉ ହେଲା,ଏଥର ଭଲରେ ଯାଇ ଭଲରେ ଆସ |ଯିବା ପୂର୍ବରୁ ଅକ୍ଷର  ଟେବଲ ଉପରେ ଥିବା ପ୍ୟାକେଟକୁ ଇଙ୍ଗିତ କରି କହିଲା,ତମପାଇଁ ଇଡ଼ିଲି ଆଣିଛି,ମୋ ପାଇଁ ଅପେକ୍ଷା ନକରି ଖାଇଦେବ |ମନେ ରହିଲା ?ବସୁଧା ପଚାରିଲା,ତମେ ଖାଇଛ ?ଅକ୍ଷର କହିଲା,ଗୋଟେ ଖାଇଛି,ଏତେ ସକାଳୁ ଭୋକ ନାହିଁ |ହଉ,କବାଟ ଦିଅ,ମୁଁ ଆସୁଛି |

                  ଅକ୍ଷର ଯିବାପରେ ବସୁଧା କବାଟ ଦେଇ ଆଉ ଟିକେ ବିଛଣାରେ ଗଡି ପଡିଲା |ଆହୁରି ଘଣ୍ଟାଏ ଶୋଇ ପଡିବାପାଇଁ ତାର ଇଚ୍ଛା ହେଉଥିଲା |କିନ୍ତୁ ନିଜ ଇଚ୍ଛାକୁ ଦମନ କରି ,ସେ ଶୀଘ୍ର ଶୀଘ୍ର ତାର  ନିତ୍ୟକର୍ମ ଶେଷ କରିବା ପାଇଁ  ବାଥରୁମକୁ ଯିବାବେଳେ,କଲିଂ ବେଲ ବାଜିଉଠିଲା |ସେ ଫେରିଆସି କବାଟ ଖୋଲିଲା |ଆଗନ୍ତୁକା ସେହି ଦୁଇଜଣ ଭଦ୍ରମହିଳାଙ୍କ  ଭିତରୁ ଜଣେ ଥିଲେ,ଯିଏ ସେମାନଙ୍କୁ ପାର୍କରେ ଭେଟି ଲକ୍ଷ୍ମୀପୂଜା ଚାନ୍ଦା ଆଦାୟ କରିଥିଲେ |ବସୁଧା କିଛି କହିବା ପୂର୍ବରୁ ଭଦ୍ରମହିଳା କହିଲେ,ମର୍ଣ୍ଣିଙ୍ଗ ୱାକରୁ ଫେରୁଥିଲି ,ଭାବିଲି,ତମକୁ ରିସିଟ ଦେଇଯିବି |ଏହାକହି ସେ ତାଙ୍କ ଛୋଟ ପର୍ସରୁ ରସିଦ କାଢି ତା ହାତକୁ ବଢ଼ାଇ ଦେଲେ ଓ  ଚେୟାରରେ ବସି ପଡି କହିଲେ,ଶୋଷ ହେଉଛି,ଟିକିଏ ପାଣି ଦେବ ?ହଁ କହି ବସୁଧା ପାଣି ବୋତଲରୁ ପାଣି ଢାଳି ତାଙ୍କୁ ଦେଲା |ସେ ଢକ ଢକ କରି ପିଇ ସାରିବା ପରେ ଆଉ ଏକ ଗ୍ଲାସ ପାଣି ପିଇଲେ |ପଚାରିଲେ,ଅଖି ଏତେ ସକାଳୁ କୁଆଡେ ଗଲା ?ବସୁଧା ଉତ୍ତର ନଦେଇ ନୀରବ ରହିବା ଦେଖି ସେ କହିଲେ,ପୁରୁଣା ଘରୁ ଜିନିଷ ପତ୍ର ଆଣିବାକୁ ବୋଧେ ଯାଇଛି,ସେ ମୁଭର ଆଣ୍ଡ ପ୍ୟାକର ପିଲା ସାଙ୍ଗରେ ତାକୁ ଯିବାର ଦେଖିଲି |

          ବସୁଧା କହିଲା,ହଁ,ଆପଣଙ୍କ ଅନୁମାନ ଠିକ |ଆଣ୍ଟି,ଆପଣଙ୍କ ନାଁ ମୁଁ ଜାଣି ପାରିଲିନି |ଭଦ୍ରମହିଳା କହିଲେ,ପିଙ୍କି ନାନୀ କହିଲେ  ସମସ୍ତେ ଜାଣିଯିବେ |ତୁମ ନାଁ କଣ ?

"ବସୁଧା" |ବସୁଧା ଉତ୍ତର ଦେଲା |ତାପରେ ସେ ଅନର୍ଗଳ କଲୋନୀ ଲୋକଙ୍କ ବିଷୟରେ ଗପି, ଶେଷରେ ବସୁଧାର  ଘର,ପିତାମାତା,ଭାଇ ଭଉଣୀ ଇତ୍ୟାଦି ସମସ୍ତଙ୍କ ବିଷୟରେ ଗୋଟି ଗୋଟି ପଚାରି ଚାଲିଲେ |ବସୁଧାର ଧୈର୍ଯ୍ୟଚ୍ୟୁତି ଘଟିଲା |ସେ କହିଲା,ଆଣ୍ଟି ,ମତେ ଜୋରରେ ଦୁଇ ମାଡ଼ିଲାଣି,କିଛି ଖରାପ ଭାବିବେନି,ଆପଣ ଗଲେ ମୁଁ କବାଟ ଦେଇ,ଲାଟ୍ରିନ ଯିବି |ତା କଥା ଶୁଣି ପିଙ୍କି ବିରକ୍ତ ହୋଇ କହିଲେ,ହଉଲୋ ମା,ମୁଁ ଯାଉଛି |ସେ ଯିବାପରେ ବସୁଧା କବାଟ ବନ୍ଦ କରି,ଶାନ୍ତିର ନିଃଶ୍ୱାସ ମାରିଲା |ସେତେବେଳକୁ ଆଠଟା ବାଜି ସାରିଥିଲା  |ପିଙ୍କି ଆଣ୍ଟି ତାର  ବ୍ୟକ୍ତିଗତ ଜୀବନ ବିଷୟରେ  ଅଯଥା ଆଗ୍ରହ ଦେଖାଇ ଏତେ ସମୟ ନଷ୍ଟ କରିଥିବାରୁ ସେ ତାଙ୍କ ଉପରେ ମନେ ମନେ ଭୀଷଣ ବିରକ୍ତ ହେଲା |ଭାବିଲା,ଝମେଲା ଛାଇ ପରି ତାର ପିଚ୍ଛା ଧରିଛି,ଛାଡିବାର ନାମ ନେଉନାହିଁ,କେବେ ଏଥିରୁ ମୁକ୍ତି ମିଳିବ କେଜାଣି !

          ଗାଧୋଇ ସାରି ସେ ଶୁନ୍ୟ ଦେବତାଙ୍କୁ ପ୍ରଣାମ କଲା ଓ  ପୁଣି ବେଡ଼ ଉପରେ ତାର ଶରୀରକୁ ଲୋଟାଇ ଦେଲା |ରହି ରହି ପିଙ୍କି ଆଣ୍ଟିଙ୍କ କଥା ତାର ମନେ ପଡୁଥିଲା |ଅନ୍ୟର ବ୍ୟକ୍ତିଗତ ଜୀବନରେ ଅନଧିକାର ଭାବେ ପ୍ରବେଶ କରିବା ଓ  ତାର ଦୁର୍ବଳତା ଜାଣି ସେ ବିଷୟରେ ମସଲା ପକାଇ ଚର୍ଚ୍ଚା କରିବାକୁ  ଅନେକ ଲୋକଙ୍କୁ ଭାରି ଭଲ ଲାଗେ  |ସେ ଦୀର୍ଘଶ୍ଵାସ ନେଲା |ଟେବଲ ଉପରେ ଇଡ଼ିଲି ସମ୍ବର ପ୍ୟାକେଟ ସେମିତି ଥୁଆ ହୋଇଥିଲା, ଅକ୍ଷରର ଅନୁପସ୍ଥିତିରେ ତାକୁ ଆଦୌ ଖାଇବାକୁ ଇଚ୍ଛା ହେଉନଥିଲା |ବାରଟା ପାଖାପାଖି ଅକ୍ଷର ଫେରିଲା |ତାର ମୁହଁ ଶୁଖି କଳାକାଠ ପଡି ଯାଇଥିଲା |ବସୁଧା ଜାଣିଲା,ଅକ୍ଷର ସେପର୍ଯ୍ୟନ୍ତ କିଛି ଖାଇନି |ସେ କହିଲା,ତମକୁ ଭୋକ ଲାଗୁଛି  ନା ?ଅକ୍ଷର କହିଲା,ହଁ,କିନ୍ତୁ କାମ ସରିଲେ ସିନା ଖାଇବା |ବସୁଧା କହିଲା,ସେମାନେ ପ୍ୟାକିଂ ଖୋଲି ଜିନିଷ ରଖୁ ରଖୁ ଆମେ ଚଟାପଟ ଖାଇଦେବା,ମତେ ବି ଭାରି ଭୋକ ଲାଗୁଛି  |

       ଅକ୍ଷର କହିଲା,ବାରଟା ବାଜିଲାଣି,ତମେ ଏପର୍ଯ୍ୟନ୍ତ ଖାଇନ ?ବସୁଧା ତା ପ୍ରଶ୍ନର ଉତ୍ତର ନଦେଇ,ପ୍ୟାକେଟ ଖୋଲି,ପେପର ପ୍ଲେଟରେ ଦୁଇଜଣଙ୍କ ପାଇଁ ନେଇ ଆସିଲା |ଅକ୍ଷର ଆଉ କିଛି କହିବା ପୂର୍ବରୁ,ସମ୍ବରରେ ଇଡ଼ିଲି ବୁଡେଇ ଅକ୍ଷର ପାଟିରେ ପୁରେଇ ଦେଇ ବସୁଧା କହିଲା,ଗୋଟିଏ ଇଡ଼ିଲି ଖାଇଛ ବୋଲି ତମେ ମତେ ମିଛ କହିଥିଲ ନା ?ମୁଗ୍ଧ ଦୃଷ୍ଟିରେ ଅକ୍ଷର ତାକୁ ଚାହିଁ ମୁଣ୍ଡ ହଲାଇ ଇଶାରାରେ କହିଲା,ହଁ |(କ୍ରମଶଃ)